Unknown

 

 

 

 

 

 

 

 

 

 

 

କପି ତୁ କାହୁଁ ଅଇଲୁ !

ଚିତ୍ତରଞ୍ଜନ ଦାସ

 

କପିମାନେ ଆଉ କୁଆଡ଼ୁ ଆସିନାହାନ୍ତି,–ସେମାନେ ଆମ ଏଇଠୁ ଜାତ ହୋଇଛନ୍ତି । ଏହି ଭୂମିର ଦୁର୍ଯୋଗକୁ ଏଠାରେ ସବାଅଗ ଡାଳମାନଙ୍କ ଉପରେ ଯାଇ ବସିଛନ୍ତି । ସେମାନେ ଓହ୍ଲାଇବେ । ଆମ ସାଙ୍ଗକୁ ଆସିବେ । ନହେଲେ ବଦଳିବାକୁ ବାଧ୍ୟହେବେ । ଏବଂ ଏହି ଭୂମିରୁ ହିଁ ଏପରି ଅନ୍ୟମାନେ ବାହାରିବେ, ଯେଉଁମାନେ ସେମାନଙ୍କୁ ବଦଳାଇବେ ।

 

ଲେଖାଗୁଡ଼ାକ ୨୦୦୦-୦୧ ରେ ସପ୍ତାହକୁ ସପ୍ତାହ ଦୈନିକ ‘ପ୍ରଗତିବାଦୀ’ ରେ ପ୍ରକାଶିତ ହୋଇଥିଲା । ଏହି ଅବସରରେ ପତ୍ରିକାର ସମ୍ପାଦକଙ୍କୁ ମୋର କୃତଜ୍ଞତା ଜଣାଉଛି ।

 

–ଲେଖକ

Image

 

ପ୍ରକାଶକୀୟ

 

ଚିତ୍ତଭାଇଙ୍କର ‘‘କପି ତୁ କାହିଁ ଅଇଲୁ’’ ବହିଟିର ପ୍ରକାଶନୀ ଦାୟିତ୍ୱ ‘ଅଗ୍ରଗାମୀ’ କୁ ଦିଆଯାଇଥିଲା । ଅନେକ ବାଧାବିଘ୍ନ ଓ ବିଳମ୍ବସତ୍ତ୍ୱେ ଏହାର ପ୍ରକାଶନ କାର୍ଯ୍ୟ ସମ୍ପନ୍ନ ହୋଇ ପ୍ରକାଶିତ ହୋଇଛି । ଏହି ବହିଟିକୁ ପ୍ରକାଶନ କରିବା ଦ୍ୱାରା ‘ଅଗ୍ରଗାମୀ’ ର ମାନ ଏବଂ ସ୍ଥାନ ନିଶ୍ଚିତଭାବେ ଉପରକୁ ଉଠିଛି ।

 

ଚିତ୍ତଭାଇଙ୍କର ପ୍ରଗତିବାଦୀରେ ପ୍ରକାଶିତ ହୋଇଥିବା ଏହି ପ୍ରବନ୍ଧ ସଂକଳନଟି ଓଡ଼ିଶାର ବୌଦ୍ଧିକ ସ୍ତରରେ ଏକ ଆନ୍ଦୋଳନ ନିଶ୍ଚୟ ସୃଷ୍ଟି କରିବ, ଏହା ଆମେ ସମସ୍ତେ ଆଶା କରିଛୁ । ଓଡ଼ିଶାରେ ଓ ଓଡ଼ିଆଙ୍କ ଚିନ୍ତାଧାରାରେ ଏକ ମୌଳିକ ପରିବର୍ତ୍ତନ ଆଣିବା ପାଇଁ ଯେଉଁ ତର୍କ ବିତର୍କର ଅଭାବ ରହିଛି ଏହି ବହିଟି ତାହା ସମ୍ଭବତଃ ଦୁର କରିବ । ପ୍ରଗତିବାଦୀରେ ପ୍ରବନ୍ଧଗୁଡ଼ିକ ପ୍ରକାଶନ ପରେ ହଠାତ୍‍ ପାଠକମାନେ ସେମାନଙ୍କର ମତାମତ ହୁଏତ ଜଣାଇ ପାରି ନଥିବେ । କିନ୍ତୁ ସାମଗ୍ରିକ ଭାବରେ ଏହି ୫୭ଟି ବିଶ୍ଳେଷଣାତ୍ମକ ପ୍ରବନ୍ଧଗୁଡ଼ିକୁ ପଢ଼ିଲା ପରେ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହେବ; ଏଥିରେ ସନ୍ଦେହ ନାହିଁ । ସେହି ପ୍ରଶ୍ନଗୁଡ଼ିକୁ ଚିତ୍ତଭାଇଙ୍କ ପାଖରେ ପାଠକମାନେ ନିଶ୍ଚୟ ପହଞ୍ଚାଇବେ ।

 

‘‘କପି ତୁ କାହିଁ ଅଇଲୁ ’’ ପୁସ୍ତକଟି ପ୍ରଗତିବାଦୀରେ ଚିତ୍ତଭାଇଙ୍କ ଧାରାବାହିକ ଲେଖାର ଏକ ଅଂଶ ବିଶେଷ ଓ ଏକ ଅନବରତ ଲେଖନୀର ଅଗ୍ରଗତି । ଏହିଭଳି କେତୋଟି ପ୍ରକାଶନ ଶୀଘ୍ର ସମ୍ପୂର୍ଣ୍ଣ କରି ଓଡ଼ିଆ ପାଠକମାନଙ୍କ ପାଖରେ ପହଞ୍ଚାଇବାର ପରିକଳ୍ପନା ‘ଅଗ୍ରଗାମୀ’ ଦ୍ୱାରା କରାଯାଇଛି ଓ କାର୍ଯ୍ୟକାରୀ ହେବାକୁ ପଦକ୍ଷେପ ନିଆଯାଇଛି । ଚିତ୍ତଭାଇଙ୍କୁ ଧନ୍ୟବାଦ ଓ ପାଠକମାନଙ୍କୁ ଶୁଭେଚ୍ଛା ।

 

ଅଚ୍ୟୁତ ଦାସ

Image

 

ବିଷୟ ସୂଚୀ

 

୧.

ଶିକ୍ଷକ ସରକାରଠାରୁ ବଡ଼

୨.

ଶିକ୍ଷକ ସରକାରଠାରୁ ବଡ଼ (୨)

୩.

ଶିକ୍ଷକ ସରକାରଠାରୁ ବଡ଼ (୩)

୪.

ଦର୍ଶନ ଅଧ୍ୟାପକଙ୍କ ସମ୍ମିଳନୀ

୫.

ସାହିତ୍ୟ ଓ ଉଦାସୀନତା

୬.

ସ୍ୱେଚ୍ଛାସେବୀ କାହାର ସେବୀ ?

୭.

ଶିକ୍ଷକ ସରକାରଠାରୁ ବଡ଼ (୪)

୮.

ସେବାର ସମ୍ଭ୍ରାନ୍ତୀକରଣ

୯.

ସନ୍ଧିକ୍ଷଣରେ ଆଦିବାସୀ

୧୦.

ସାହିତ୍ୟରେ ବାଟମାରଣା

୧୧.

ସମସ୍ତଙ୍କ ପାଇଁ ଶିକ୍ଷା

୧୨.

ଗେହ୍ଲାପୁଅ ସିଦ୍ଧାନ୍ତ

୧୩.

ବଡ଼ ବିଚିତ୍ର ଏ ବୈଚିତ୍ର୍ୟ

୧୪.

ନୃତତ୍ତ୍ୱରେ ଅତତ୍ତ୍ୱ

୧୫.

ରାତି ଘୋଟିଛି ସ୍ୱପ୍ନ କାହିଁ ?

୧୬.

ସାହିତ୍ୟରେ ବ୍ୟକ୍ତିର ଦୌରାତ୍ମ୍ୟ

୧୭.

ଆଲୋଡ଼ନ ସୃଷ୍ଟି ହେଉ

୧୮.

ଆଲୋଡ଼ନ ସୃଷ୍ଟି ହେଉ (୨)

୧୯.

ଆଲୋଡ଼ନ ସୃଷ୍ଟି ହେଉ (୩)

୨୦.

ଆଲୋଡ଼ନ ସୃଷ୍ଟି ହେଉ (୪)

୨୧.

ଆଲୋଡ଼ନ ସୃଷ୍ଟି ହେଉ (୫)

୨୨.

ସେମାନେ ଦେଶର ସେବା କରିବେ

୨୩.

ହିଟ୍‌ଲର୍‌ର ଖପୁରୀ

୨୪.

ଦୟାକରନାହିଁ : ସାଙ୍ଗରେ ଗଣ

୨୫.

କିରିକେଟକେ ସପୁତର୍‍

୨୬.

ଅଣଚାଷୀ ଜମି ଛାଡ଼ିଦିଅନ୍ତୁ

୨୭.

ରାଜନୀତିର ସ୍ତରରେ

୨୮.

ଖଳଚିନ୍ତାର ଅନ୍ତ ନାହିଁ

୨୯.

ତ୍ୟାଗର ପୂଜା, ଭୋଗୀଙ୍କ ଦ୍ୱାରା

୩୦.

କିଏ ବଞ୍ଚାଇବ ଓଡ଼ିଶାକୁ ?

୩୧.

ଓଡ଼ିଆକୁ ଛାଡ଼ି ସଂସ୍କୃତ

୩୨.

ଦଶ କୋଟି ନବେ କୋଟି

୩୩.

ଆଲୋଡ଼ନ ସୃଷ୍ଟି ହେଉ (୬)

୩୪.

ଆଲୋଡ଼ନ ସୃଷ୍ଟି ହେଉ (୭)

୩୫.

କାମଳଆଖି କମଳଭୁକ୍

୩୬.

ଓଡ଼ିଶାରେ ଟକଳାଙ୍କ ଯୁଗ

୩୭.

ଶ୍ରୀ ନବକୃଷ୍ଣ ଚୌଧୁରୀ

୩୮.

ଭେକ କାହାର ସରୁଛି ?

୩୯.

ମହୀ କ୍ରମେ ଉଶ୍ୱାସ ହେଉଛି

୪୦.

ଶବମାନଙ୍କୁ ଶ୍ରଦ୍ଧାଞ୍ଜଳି

୪୧.

ମଣିଷ ଆଉ କ’ଣ ଶିଖିଲା ?

୪୨.

ସରକାରୀ ବାଜି ରାଉତ

୪୩.

ଜଣକୁ ଗଣତନ୍ତ୍ର ଅଡ଼ୁଆ

୪୪.

ସ୍ୱେଚ୍ଛା-ସେବାରୁ ସେଚ୍ଛା-ଉନ୍ମୋଚନ

୪୫.

ଆଦର୍ଶବାଦୀ ସନ୍ତ୍ରାସବାଦୀ

୪୬.

ଫଳକାମନା ଓ ସାହିତ୍ୟ

୪୭.

ଉପରୁ ଆକ୍ରମଣ, ତଳକୁ ଅପେକ୍ଷା

୪୮.

କଲାମଙ୍କୁ ସାତ ସଲାମ

୪୯.

ଓଡ଼ିଶା ନାମକ ବିଶ୍ୱ

୫୦.

ଜ୍ଞାନ, ଜ୍ଞାପନ, ବିଜ୍ଞାପନ

୫୧.

ଆନ୍ତରିକତାର ଅଭାବ

୫୨.

ମୂଲ୍ୟଭିତ୍ତିକ ଶିକ୍ଷା

୫୩.

ମ୍ୟାକବେଥ୍‍ ମୃତ୍ୟୁ ଯାଏ

୫୪.

ଶିକ୍ଷାବିତ୍‍ଙ୍କୁ କାହିଁକି ଖୋଜୁଛ ?

୫୫.

ଆଦିବାସୀ ନିଜେ କହୁ

୫୬.

ବିଳମ୍ବରେ ହେଉ ପଛକେ

୫୭.

ସରକାର: ଅଣ ସରକାର

Image

 

ଶିକ୍ଷକ ସରକାରଠାରୁ ବଡ଼

 

ସରକାର କହିଲେ ସଚରାଚର ଗୋଟିଏ କଳକୁ ବୁଝାଏ । ଶିକ୍ଷକ କହିଲେ ଜଣେ ଆଖିଥିବା ମଣିଷକୁ ବୁଝାଏ । ପୃଥିବୀଯାକ ଆଖି ଥିବା ମଣିଷମାନେ ହିଁ ପୃଥିବୀକୁ ବଦଳାଇ ଆସିଛନ୍ତି । ପୃଥିବୀରେ ଅଧିକରୁ ଅଧିକ ମଣିଷ ଯେପରି ଆଖିଟିଏ ପାଇବେ, ସେହି ଲକ୍ଷ୍ୟଟିକୁ ସମ୍ମୁଖରେ ରଖି ସେମାନେ ପୃଥିବୀକୁ ବଦଳାଇ ଆସିଛନ୍ତି । ଆଗେ ତ କେବଳ ରାଜାଙ୍କର ହିଁ ଆଖି ଥିଲା । ସଭାରେ ଭତ୍ତାଖିଆ ପଣ୍ଡିତମାନେ ତାଙ୍କୁ ନରରୂପରେ ଦେବତା ବୋଲି କହୁଥିଲେ । ରଜା ଦୟାଶୀଳ ଥିଲେ, ପ୍ରଜାବତ୍ସଳ ଥିଲେ । ରାଜତନ୍ତ୍ରରୁ ବଦଳି ବଦଳି ମଣିଷର ଏହି ପୃଥିବୀଟା ଯେ ଲୋକତନ୍ତ୍ର ଯାଏ ଆସିଲାଣି, ତାହା ଆଦୌ କୌଣସି ରାଜାଙ୍କର ଅନୁଗ୍ରହରୁ ହୋଇନାହିଁ । ତାହା ଆଖି ରହିଥିବା ମଣିଷମାନଙ୍କ ଦ୍ଵାରା ହିଁ ସମ୍ଭବ ହୋଇଛି । ସିଏ ପ୍ରକୃତରେ ଏକ ବିଚିତ୍ର ଆଖି । ବହୁତ ଦୁଃଖ ଦିଏ, ସମସ୍ତେ ଚଳନ୍ତି କାଳଟାର ନାନାବିଧ ସୁଖ ଭିତରେ ଶୋଇଥିବା ସମୟରେ ସେହି ଆଖି ଚିଆଁଇ ରଖେ,– ଆଉ ଏକ ଅନ୍ୟ ଅଧିକ ମନୁଷ୍ୟୋଚିତ ସ୍ୱପ୍ନ ଓ ସମ୍ଭାବନାର ପ୍ରତ୍ୟକ୍ଷ କରିପାରୁଥାଏ ବୋଲି ଉପସ୍ଥିତ ଭୋଗର ତାତ୍କାଳିକତାଗୁଡ଼ିକ ଭିତରେ ବାନ୍ଧିହୋଇ ପାରେନାହିଁ । ବାଇଆ ପରି ହୁଏ, ତା’ ନିଜ ଭିତରର ବ୍ରତୀଟିଏ ତାକୁ କାହିଁକି ଏପରି ଆକୁଳ କରୁଥାଏ କେଜାଣି, ସିଏ କେତେ ନା କେତେ ଆହୁରି ଆଗକୁ ଭାବିପକାଏ । ଜଣେ ଶିକ୍ଷକ ଧର୍ମତଃ ତାହା ହିଁ କରିବ । ତା’ର ହାତଗୋଡ଼ ବନ୍ଧାହୋଇ ରହିଥିଲେ ମଧ୍ୟ ସିଏ ଆଖୁ ଖୋଲି ଅବଶ୍ୟ ତା’ କ୍ଷେତ୍ରଟିରେ ରହି ଯେତେଦୂର ପାରିବ ଦୂରକୁ ଅନାଇବ, ଅଙ୍ଗୀକାରବଦ୍ଧ ହେବ । ସରକାର ଭିତରେ ଥାଇ ମଧ୍ୟ ସରକାରୀ ଗୁଳାଗୁଡ଼ିକର ବହୁତ ବାହାରକୁ ଅନାଇବ । ଭାରତବର୍ଷ ସ୍ଵାଧୀନ ହେବାପରେ ଏଠାରେ କେତେ ନା କେତେ ବୃଦ୍ଧି ଓ ଅଭିବୃଦ୍ଧି ଘଟିଲା । ମାତ୍ର ଶିକ୍ଷାର କ୍ଷେତ୍ରରେ କ'ଣ ହେଲା ? ଶିକ୍ଷକ କଦାପି ଶିକ୍ଷାର ଆହ୍ୱାନଗୁଡ଼ିକୁ ସରକାରଙ୍କ ହାତରେ ଛାଡ଼ିଦେବ ନାହିଁ । ସିଏ ନିଜେ ସେଗୁଡ଼ିକୁ ସବାଆଗ ଶୁଣିବ ଏବଂ ବହୁସଂଖ୍ୟକ ଶିକ୍ଷକ ସତକୁ ସତ ସେପରି ଶୁଣିପାରିଲେ ସମ୍ଭବତଃ ସରକାରଙ୍କର ଗୁଳାଗୁଡ଼ିକୁ ମଧ୍ୟ ବଦଳାଇ ଦେଇପାରିବେ ।

 

ଗତବର୍ଷ କୌଣସି ଏକ ମାସରେ ଦୈନିକ ‘ପ୍ରଗତିବାଦୀ’ରେ ମୁଁ ଶିକ୍ଷକ, ଓ ଅଧ୍ୟାପକମାନଙ୍କର ଓଡ଼ିଶାୟରୀୟ ମହାସଂଘଟି ଉପସ୍ଥିତ ଶିକ୍ଷା-ଆହ୍ୱାନଗୁଡ଼ିକର କିପରି ସମ୍ମୁଖୀନ ହେଉଛି, ସେହି ବିଷୟରେ ଲେଖାଟିଏ ଲେଖୁଥିଲି । ପରେ ଓଡ଼ିଶାର ଜଣେ ଶିକ୍ଷକ ବନ୍ଧୁ ‘ଶିକ୍ଷା ପ୍ରଦୀପ' ପତ୍ରିକାରେ ତାହାର ପ୍ରତ୍ୟୁତ୍ତର ଦେଇ ଯାହାସବୁ ଲେଖିଥଲେ, ମୁଁ ତାକୁ ଅକସ୍ମାତ୍ ଭାବରେ ମାତ୍ର ଏବେ ପଢ଼ିବାକୁ ପାଇଲି । ଲେଖକଙ୍କର ଠିକଣା ପତ୍ରିକାରୁ ପାଇଥିଲେ ମୁଁ ତାଙ୍କ ସହିତ ସିଧା ପତ୍ର ବ୍ୟବହାର କରିଥାନ୍ତି । ଓଡ଼ିଶାରେ ବିତର୍କଟିଏ ମଧ୍ୟ କେତେ କମ୍ ହେଉଛି ! ତଥାପି ଏହି କ୍ଷେତ୍ରରେ ଯେ ବିତର୍କଟିଏ ହୋଇପାରିଛି, ସେଥିପାଇଁ ମୁଁ ସମ୍ପୃକ୍ତ ଶିକ୍ଷକ-ବନ୍ଧୁଙ୍କୁ ଧନ୍ୟବାଦ ଦେଉଛି-। ନିଜ ଲେଖାରେ ମୁଁ ଯାହାସବୁ ଲେଖୁଛି, ସିଏ ତାହାକୁ ଏକ ‘ସୁଚିନ୍ତିତ ନିରପେକ୍ଷ ମତାମତ’ ବୋଲି ସ୍ୱୀକାର କରିନାହାନ୍ତି ଏବଂ ତାହାର କାରଣ ଦର୍ଶାଇ ନିଜର ପ୍ରତି ମନ୍ତବ୍ୟମାନ ଦେଇଛନ୍ତି-। ତାଙ୍କର ବକ୍ତବ୍ୟ ହେଉଛି ଯେ, ଶିକ୍ଷାର ବର୍ତ୍ତମାନ ପରିସ୍ଥିତି ପାଇଁ କେବଳ ଶିକ୍ଷକ ଓ ଅଧ୍ୟାପକ ଦାୟୀ ନୁହନ୍ତି, ସରକାର ଓ ସମାଜ ଏବଂ ଜନସାଧାରଣ ମଧ୍ୟ ଦାୟୀ । ଏକାବେଳକେ ସତକଥା । କେବଳ ସରକାର ଦାୟୀ ନୁହନ୍ତି କିମ୍ବା କେବଳ ଶିକ୍ଷକ ଅଧ୍ୟାପକ ଦାୟୀ ନୁହନ୍ତି । ତଥାପି ସରକାର ଦାୟୀ ଓ ଶିକ୍ଷକ ଅଧ୍ୟାପକ ଦାୟୀ । ଜନସାଧାରଣଙ୍କୁ ଗୋଟିଏ ଭିନ୍ନ ପକ୍ଷ କରି ଦାୟୀ କରିବାର କୌଣସି ସଙ୍ଗତ କାରଣ ନାହିଁ । ମାତ୍ର, ଯଦି ସରକାରଙ୍କୁ ଏହି ପ୍ରଶ୍ନଟି ପଚରା ଯାଆନ୍ତା, ତେବେ ସରକାର ଯଦି କେବଳ ସରକାର ମୋଟେ ଦାୟୀ ନୁହନ୍ତି ବୋଲି କହନ୍ତେ, ତେବେ ସେଇଟା ମଧ୍ୟ ଅତ୍ୟନ୍ତ ବିବେକଶୂନ୍ୟ ବୋଲି ଶୁଣାଯାଆନ୍ତା । ଖାଲି ଶିକ୍ଷାର କ୍ଷେତ୍ରରେ ନୁହେଁ, ସାର୍ବଜନୀନ ଯାବତୀୟ କ୍ଷେତ୍ରରେ ଅଧିକାଂଶ ସମୟରେ ଚତୁରମାନେ, ଉତ୍ତେଜିତମାନେ ଏବଂ ଆପଣାର ଧର୍ମ ପାଖରେ ନିତାନ୍ତ ପରାଭୂତମାନେ ପ୍ରାୟ ସେହିପରି ଉତ୍ତରମାନ ଦେଇଥାଆନ୍ତି । ସତେ ଅବା ସମସ୍ତେ ମିଶି ଦେଶଟାକୁ ଓ ଆମର ବର୍ତ୍ତମାନଟାକୁ ଯେ ଭାରି ଅଲକ୍ଷଣା କରି ରଖିଛନ୍ତି, ସେମାନେ ତାହାର ନଜିର ଦେଇଥାନ୍ତି ।

 

ସୁସ୍ଥ କଥାଟି ବରଂ ଏହିଭଳି ହୁଅନ୍ତା ଯେ ସରକାର କିଭଳି ଦାୟୀ, ସରକାର ସବାଆଗ ସେହିକଥା ପକାନ୍ତେ, ନିସ୍ତାର ଓ ପ୍ରତିକାରର ମାର୍ଗ ଖୋଜନ୍ତେ । ଠିକ୍ ସେହିପରି ଅଧ୍ୟାପକ ଓ ଶିକ୍ଷକମାନେ ଯେଉଁସବୁ ହିସାବରେ ଦାୟୀ, ସେହିଗୁଡ଼ିକୁ ବିଚାର କରି ବସନ୍ତେ, ବାଟମାନ ଖୋଜନ୍ତେ । ଯଦି ସେମାନଙ୍କୁ ଏକାଠି କରି ସଙ୍ଗଠନ ବା ସଂଘଟିଏ ରହିଛି, ତେବେ ତାହାକୁ ଏକ ମାଧ୍ୟମ କରି ଏସବୁ କଥା କରନ୍ତେ । ନିଜ ସାଧୁତାର ପ୍ରମାଣ ଦିଅନ୍ତେ । ତେବେ ଜନସାଧାରଣ ସେମାନଙ୍କୁ ଏକାବେଳକେ ଏକ ଅନ୍ୟ ଆଖିରେ ଦେଖିବାକୁ ଆରମ୍ଭ କରନ୍ତେ । ଶିକ୍ଷକମାନେ ଏପରି ଭୂମିକା ବା ଦୃଷ୍ଟିକୋଣଟିଏ ଗ୍ରହଣ କଲେ ହୁଏତ ସରକାରୀ କଳ ବା କର୍ତ୍ତାମାନେ ମଧ୍ୟ ଅନ୍ୟଭାବରେ ଭାବିଶିଖନ୍ତେ । ସେମାନଙ୍କର ଦାବିଗୁଡ଼ିକୁ ଅଧୁକ ସମ୍ମାନ ଦେଇ ଦେଖନ୍ତେ । ‘ଶିକ୍ଷା ପ୍ରଦୀପ’ର ଲେଖକ କହିଛନ୍ତି: ଶ୍ରୀଯୁକ୍ତ ଦାସ ସରକାରଙ୍କୁ କହିପାରନ୍ତେ, ହେ ସରକାର ବାହାଦୂର, ତୁମେ ତୁମର ୧୯୯୪ ମସିହାର ଅନୁଦାନ ନିୟମ କାହିଁକି ଲଙ୍ଘନ କରୁଛ ? ସେହି ନିୟମ ଅନୁଯାୟୀ ଯାହାର ଯାହା ପ୍ରାପ୍ୟ ତାହା ନଦେଇ ଶିକ୍ଷକ-ଅଧ୍ୟାପକମାନଙ୍କୁ ରାଜରାସ୍ତାକୁ କାହିଁକି ଠେଲିଦେଉଛ ? ଇତ୍ୟାଦି ଇତ୍ୟାଦି । ଏହି ଗୋଟିଏ ଭାତରୁ ହୁଏତ ସମ୍ପୂର୍ଣ୍ଣ ହାଣ୍ଡିଟା ବିଷୟରେ ଆମକୁ କିଛି କିଛି ଅନ୍ଦାଜ ଅବଶ୍ୟ ମିଳି ଯାଉଥିବ । ରାଜରାସ୍ତାକୁ ବାହାରିବାର ପୂର୍ଣ୍ଣ ଅଧିକାର ପ୍ରତ୍ୟେକ ନାଗରିକର ଅବଶ୍ୟ ରହିଛି । ଅଧିକ ବେତନ ଏବଂ ଅଧିକ ସୁଯୋଗ ଦାବି କରିବାର ମଧ୍ୟ ପ୍ରଶସ୍ତ ଅଧିକାର ରହିଛି । ଅବଶ୍ୟ କୁହାଯାଇ ପାରିବ ଯେ ଏହି ରାଜରାସ୍ତାକୁ ବାହାରିବାର ସୁଚିନ୍ତିତ କାର୍ଯ୍ୟକ୍ରମଟି ସକାଶେ ହିଁ ଆମ ଦେଶର ଶିକ୍ଷକକୂଳ ଏବେ ଆଗ ଅପେକ୍ଷା ଅଧିକ ବେତନ ପାଉଛନ୍ତି । ଭଗବାନ କରନ୍ତୁ, ଏହି ବେତନ ଆହୁରି ବଢ଼ୁ, ଶିକ୍ଷକମାନେ ଆହୁରି ଅଧିକ ଶ୍ରୀମଣ୍ଡିତ ହୁଅନ୍ତୁ । ମାତ୍ର ଖାଲି ମୋ’ରି ବେତନ ବଢ଼ୁ, ମୋତେ ଯାହାର ଦାୟିତ୍ୱ ଦିଆଯାଇଛି ଅଥବା ଜୀବନର ଧର୍ମ ରୂପେ ମୁଁ ଯେଉଁ ମାର୍ଗଟିକୁ ସ୍ଵୟଂ ଆଦରିଛି, ସେଇଟା ଅଗାଡ଼ି ହୋଇ ଯାଉଥିଲେ ମଧ୍ୟ ମୁଇଁ ଅଧିକରୁ ଅଧୁକ ସ୍ଥୂଳ ହେବାରେ ଲାଗିଥାଏ– ଏହି କଥାଟାକୁ ମୋ ଭିତରର ଭଗବାନ କଦାପି ପସନ୍ଦ କରୁନଥିବେ । ତେଣୁ, ବାହାରେ ହୁଏତ ମୋ ଜୀବନର ଚେହେରାଟା କ୍ରମେ କେତେ ସମ୍ପନ୍ନ ଦେଖାଯାଉଥିବ ସିନା, ମୋ' ଭିତରେ କୋଉଠି କ’ଣ ଉଇ ଲାଗି ମୋତେ ପୋଲାକରି ହିଁ ପକାଉଥିବେ ।

 

ଦାବୀ ସରକାରଙ୍କ ପାଖରେ, ସରକାର ତାଙ୍କର ଜବାବ ରଖୁ ନଥିବାରୁ କଳହଟା ସିନା ତାଙ୍କ ସହିତ ହୁଅନ୍ତା,– କିନ୍ତୁ ଆମେ ବିଚରା ଆମ ଛାତ୍ରମାନଙ୍କ ଉପରେ ସେଥିପାଇଁ କାହିଁକି ଦାଉ ସାଧିବାକୁ ଇଚ୍ଛା କରିବା ? ସଂଘରେ ବେଳେବେଳେ ଏହି କଥାଟି ମଧ୍ୟ କିଞ୍ଚିତ୍ ପଡ଼ୁଥିଲେ ତାହା ଏହି କାଳଟାକୁ ମଧ୍ୟ କେଡ଼େ ହିତକାରୀ ନ ହୁଅନ୍ତା ! ଆମେ ଶୋଭାଯାତ୍ରା କରନ୍ତେ, ବିକ୍ଷୋଭ ମଧ୍ୟ କରନ୍ତେ– କୁଶଳୀ ଯୋଦ୍ଧାଟିଏ ପରି ହୁଏତ ଯାହା ଇଚ୍ଛା ତାହା କରନ୍ତେ,– ମାତ୍ର ସେଥିସକାଶେ ପିଲାମାନଙ୍କୁ ଆଦୌ କୌଣସି କ୍ଷତି ସହିବାକୁ ପଡ଼ନ୍ତା ନାହିଁ । ପିଲାଙ୍କର ପାଠପଢ଼ାଟା ଚାଲିଥାନ୍ତା ଏବଂ ଆମେ ଆମ ସମୟରେ ବର୍ମାବୃତ ହୋଇ ରାସ୍ତାକୁ ବାହାରନ୍ତେ । ସତକଥା ହେଉଛି, ବିଚରା ସେହି ପିଲାଏ ଅଛନ୍ତି ବୋଲି ସିନା ଆମେ ରହିଛୁ । ତେଣୁ, ଠିକ୍ ସେମାନଙ୍କର ପରୀକ୍ଷା ଏବଂ ଖାତାଦେଖା ସମୟରେ କାହିଁକି ଆମର ଯୁଦ୍ଧଗୁଡ଼ାକ ଲାଗିବ ? ଏକଦା ପିଲାମାନେ ବର୍ଷକେ ଗୋଟାଏ ଦିନ ଗୁରୁମାନଙ୍କ ସମ୍ମାନରେ ପାଳନ କରନ୍ତୁ ବୋଲି ପିଲାମାନେ ନୁହନ୍ତି, ଆମେ ବଡ଼ମାନେ ହିଁ ପ୍ରସ୍ତାବ ଦେଇଥିଲେ । ତେବେ ଆମେ ପୁଣି କୋଉ ମୁହଁରେ ସେହି ଗୁରୁଦିବସଟାକୁ ହିଁ ବର୍ଜନ କରିବା ? ଏହି ଦେଶରେ ଅଭିଭାବକମାନଙ୍କର ଥରେ ଅଭିମତ ସଂଗ୍ରହ କରାଯାଉ,– ସେମାନେ କ'ଣ କହୁଛନ୍ତି, ତାହାକୁ ବିଚାର କରି ଦେଖାଯାଉ । ଶିକ୍ଷାର ପାରମ୍ପରିକ ଘାଟଗୁଡ଼ାକୁ ଧର୍ମର ଘାଟ ବୋଲି କହିବାକୁ ଯେତେ ଇଚ୍ଛା ହେଉଥିଲେ ମଧ୍ୟ ଚତୁର୍ଦ୍ଦିଗର ପ୍ରକୃତ ସ୍ଥିତିଟାକୁ ଦେଖି ତାହାକୁ ପ୍ରକୃତରେ ଅଧିକ ଔଚିତ୍ୟ ସହିତ ଅଧର୍ମଘାଟ ବୋଲି କହିବାକୁ କାହିଁକି ମନ ନ ବଳିବ କହିଲେ !

 

ପ୍ରତିବାଦଟିରେ ଆହୁରି ଜାଗାଏ ଲେଖା ହୋଇଛି ଯେ, ଏବେ ସରକାର କେବଳ ଆନ୍ଦୋଳନ ଓ ଧର୍ମଘଟର ଭାଷା ବୁଝନ୍ତି । ଅନ୍ୟ କୌଣସି ଭାଷା ସେମାନେ ବୁଝନ୍ତିନି । ମୁଁ ଭାବୁଛି, ସେହିପରି ଶିକ୍ଷକ ଓ ଅଧ୍ୟାପକଙ୍କର ମଧ୍ୟ ଏକ ସ୍ଵତନ୍ତ୍ର ଭାଷା ରହିଛି । ନିଜ ଭାଷାରେ ଅନ୍ୟପକ୍ଷଟି ପାଖରେ ନିଜର ପରିଚୟ ଦେବା ଏବଂ ଅନ୍ୟ ପକ୍ଷଟାର ଭାଷାରେ ତାକୁ ସାମନା କରିବା,– ଦୁଇଟା ଭିତରେ କାଳେ କାଳେ ଏକ ଫରକ୍ ରହିଆସିଛି । ଖୁବ୍ ସମ୍ଭବ କୋଉଠି କ’ଣ ଅସଲ ରଜ୍ଜୁଗୁଡ଼ିକ ହାତଛଡ଼ା ହୋଇଯାଏ, ଯାହାଫଳରେ ନିଜର ଭାଷାଟିରୁ ଅତ୍ୟନ୍ତ ମର୍ମନ୍ତୁଦ ଭାବରେ ହୁଡ଼ି ହୋଇଯାଏ । ମାତ୍ର ତଦ୍ଦ୍ୱାରା ଅଭିଳଷିତ ଜିତାପଟଟାଏ ମିଳିଯାଏ ସିନା, ମାତ୍ର ବହୁତ କିଛି ହରାଇବାକୁ ବି ପଡ଼ିଥାଏ । ପୃଥିବୀ ତା'ପରେ ଆଉ ଆମକୁ ଆମ ପରିଚୟରେ ମୋଟେ ଗ୍ରହଣ କରିପାରେ ନାହିଁ । ଆମ ଆଡ଼କୁ ବଲବଲ କରି ଅନାଇଥାଏ । ଏବଂ କୋଉଠି କାହିଁକି କ’ଣ ବିଗିଡ଼ିଗଲା ବୋଲି ଆମକୁ ହୁଏତ ଦୟା ମଧ୍ୟ କରୁଥାଏ । ଏବଂ, ବିଚରା ଆମେ ଯୋଉମାନଙ୍କୁ ପାଠ ପଢ଼ାଇବା ନିମନ୍ତେ ଖାସ୍ ପଇତାଟାଏ ପିନ୍ଧି ଶିକ୍ଷକର ବୃତ୍ତିଟିଏ ଗ୍ରହଣ କରିଛୁ, ସେହି ପିଲାମାନଙ୍କର ତରାଜୁରେ ଆମେ ପ୍ରକୃତରେ ଭାରି ଅଳପ ହୋଇ ଦିଶିବାକୁ ଆରମ୍ଭ କରୁ । ଆମ ଶିକ୍ଷକକୁଳ କ’ଣ ସବୁ ହୀରା ନୀଳା ପାଇବ ବୋଲି ଯେ ସେହି ପ୍ରକ୍ରିୟାଟିରେ ତା’ର ଅସଲ ସଂଜ୍ଞାଟିର ଥାନରେ ଭାରି ଦୟନୀୟ ଭାବରେ ପ୍ରତିହତ ହୋଇ ରହିଛି– ଏକ ଥିର ମନରେ ଆମେ ତଥା ଆମର ସଂଘ ମଧ୍ୟ ତାହାର ବିଚାର କରିପାରନ୍ତା । ଏଭଳି ବିଚାର ଆମ ବେତନ ଦାବୀ କରିବାରେ ଆଦୌ କୌଣସି ବାଧା ସୃଷ୍ଟି କରନ୍ତୁ ନାହିଁ ।

 

ସଂଘପକ୍ଷ ସମର୍ଥନ କରି ଶିକ୍ଷକ ବନ୍ଧୁ କାହିଁ କେତେ କୁଆଡ଼େ ମାଡ଼ି ଯାଇଛନ୍ତି । ଶିକ୍ଷାର ପକ୍ଷ ସମର୍ଥନ କରି ସିଏ ଅନ୍ତତଃ ଦୁଇ ତିନି ପଦ କଥା ତ କହିପାରିଥାନ୍ତେ । ଏବେ ପରୀକ୍ଷାରେ ପିଲାମାନେ କପି କରୁଛନ୍ତି, କପି କରାଇବାରୁ ମଧ୍ୟ ସମ୍ପୃକ୍ତ ପକ୍ଷମାନେ ଲାଭ କରୁଛନ୍ତି ଏବଂ ପ୍ରଧାନତଃ ସେହି କାରଣରୁ ସେହି ବେପାରଟି ପ୍ରାୟ ନିର୍ମଳ ବିବେକର ସହିତ ଚାଲିଛି, ଏଇଟାକୁ କ’ଣ ସରକାର ପିଆଦା ଓ ପୋଲିସ୍ ଲଗାଇ ସତକୁ ସତ ରୋକିପାରିବେ ? ଏହି କ୍ଷେତ୍ରରେ ସ୍ଵୟଂ ଶିକ୍ଷକମାନେ ଆବଶ୍ୟକ ପକ୍ଷକ୍ଷେପ ନନେଲେ ଏବଂ ଆବଶ୍ୟକ ଶାଳୀନତା ନ ଦେଖାଇଲେ ତାହାକୁ ପ୍ରକୃତରେ ରୋକାଯାଇ ପାରିବ ତ ? ବ୍ୟକ୍ତିକୁ ସାମିଲ୍ କରି ହିଁ ସଚରାଚର ସଂଘ ବହୁ ପରିବର୍ତ୍ତନରେ ବହୁ ଗୌରବପୂର୍ଣ୍ଣ କାର୍ଯ୍ୟର ସମ୍ପାଦନ କରିପାରେ । କିନ୍ତୁ ଯେଉଁଠାରେ କେତେଟା ବାସ୍ତବ ଲାଭ ନିମନ୍ତେ ବିଚରା ବ୍ୟକ୍ତିମାନେ ନିଜକୁ ସମୂହଟା ପାଖରେ ପୂର୍ଣ୍ଣ ପ୍ରେମରେ ବିକି ଦେଇଥାନ୍ତି, ସେଠାରେ ସକଳ ସତ୍ୟ ଏବଂ ସକଳ ହିତକୁ ବହୁତ ଉପଦ୍ରବ ସହିବାକୁ ପଡ଼ିଥାଏ । ସେହି ଦୃଷ୍ଟିରୁ ଆମ ଭୂମିର ଶିକ୍ଷା ବ୍ୟବସ୍ଥା ଏକାଧିକ ଦୃଷ୍ଟିରୁ ମୂଳତଃ ସେହି ଉପଦ୍ରବ ଦ୍ଵାରା ହିଁ ପୀଡ଼ିତ ହୋଇ ରହିଛି । ଆନୁଷ୍ଠାନିକ ଚାତୁରୀମାନଙ୍କର ଅନ୍ତ ନାହିଁ, ତେଣେ ଯାବତୀୟ ଶିକ୍ଷା ଏବଂ ସମ୍ଭାବନା ସତେ ଅବା ଛେଉଣ୍ଡ ପରି ହୋଇ ରହିଛି । ସ୍ତମ୍ଭରୁ ନୃସିଂହ ବାହାରିବେ ବୋଲି ଅପେକ୍ଷା କରାଯାଉଛି । ସ୍ୱାଧୀନ ଭାରତବର୍ଷରେ ଶିକ୍ଷାର କ୍ଷେତ୍ରରେ ହିଁ ସବୁଠାରୁ ଅଧିକ ନବନିର୍ମାଣର ଆବଶ୍ୟକତା ରହିଥିଲା । ସଢ଼ା ନର୍ଦ୍ଦମାମାନେ ସାହସୀର ହାତ ବାଜି ସଫାହେବେ ବୋଲି ଅପେକ୍ଷା କରି ରହିଥିଲେ । ଜଣେ ସାହସୀ ଶିକ୍ଷକ ନିଜକୁ ସରକାରଠାରୁ ଅଧିକ ଦାୟିତ୍ୱଶୀଳ ବୋଲି ଭାବିବ ଏବଂ ତାହାରି ଦ୍ୱାରା ବହୁତ କିଛି ସମ୍ଭବ କରିପାରିବ । ଏକ ସଂଘ ନିଜର ଯାବତୀୟ ନ୍ୟାୟଭାବନାକୁ ସବାଆଗ ଶିକ୍ଷାର ଅନୁକୂଳ କରି ରଖି ପାରିଲେ ହିଁ ପ୍ରକୃତରେ କିଛି କାମରେ ଆସିପାରିବ । ସବୁ ସମୟରେ ଅନ୍ତତଃ କେତେସଂଖ୍ୟକ ଶିକ୍ଷକ ଅବଶ୍ୟ ରହିଥାଆନ୍ତି, ଯେଉଁମାନେ କି ସବାଆଗ ନିଜକୁ ଶିକ୍ଷକଟିଏ, ସାହସୀଟିଏ ଓ ଭବିଷ୍ୟମୁଖୀ ମନୁଷ୍ୟଟିଏ ବୋଲି ଅନୁଭବ କରନ୍ତି ଏବଂ ସେହି ଅନୁଭବରୁ ହିଁ ଶକ୍ତି ପାଆନ୍ତି । ଗୁଳାରେ ଝାସ ନଦେଇ ସେମାନେ ଗୁଳାଟାକୁ ବଦଳାଇବାର କାମ କରୁଥାନ୍ତି । ଶ୍ରେଣୀଗୃହଠାରୁ ସଂଘ ପର୍ଯ୍ୟନ୍ତ ସେମାନେ ବାରିହୋଇ ପଡ଼ନ୍ତି । ପିଲାମାନେ ପ୍ରାୟ ନିୟମତଃ ସେହିମାନଙ୍କର କଥା ମାନନ୍ତି । ସେମାନଙ୍କୁ ଜୀବନଯାକ ମନେରଖନ୍ତି-। ନିଜେ ବଡ଼ ହୋଇ ସେହିମାନଙ୍କ ଆଖିରେ ପୃଥିବୀଟାକୁ ନୂଆ ପରିମଳ ଦେଇ ଦେଖନ୍ତି । ସେମାନେ କମ୍ ଦାବୀ କରନ୍ତି, ବେଶୀ ଦିଅନ୍ତି । ଶାସ୍ତ୍ରର କଥାମାନଙ୍କୁ ଜୀବନରେ ଅବତୀର୍ଣ୍ଣ କରାଇ ଆଣନ୍ତି, ସେମାନେ ମଧ୍ୟ ସଂଘରେ ଥାଆନ୍ତି । ନିଜ ସମେତ ସମ୍ପୂର୍ଣ୍ଣ ଶିକ୍ଷକଗୋଷ୍ଠୀ ନିମନ୍ତେ ଅଧିକ ବେତନ, ଅଧିକ ସ୍ୱୀକୃତି ଏବଂ ଅଧିକ ସୁଗମତା ଦାବୀ କରନ୍ତି । ତଥାପି ନିଜକୁ ସଂଘ ନାମକ କମାରଶାଳାରେ ମୋଟେ ବିକିଦେଇ ନଥାନ୍ତି । ସଂଘ ବାହାରେ ମଧ୍ୟ ସେମାନଙ୍କର ଜୀବନଟିଏ ଓ ବିବେକଟିଏ ଅବଶ୍ୟ ରହିଥାଏ । ସେମାନଙ୍କର ସବା ବଡ଼ ସହାନୁଭବଟି ପିଲାଙ୍କ ଲାଗି ସମର୍ପିତ ହୋଇ ରହିଥାଏ ।

 

ଶିକ୍ଷକ-ବନ୍ଧୁ ଶେଷକୁ ସମାଜବାଦର ପ୍ରଚାର ଉପରେ ସବୁ କିଛି ଛାଡ଼ି ଦେଇଛନ୍ତି-। ଏବର ସମାଜ ମୋର ଓ ମୋ ପାଇଁର ମୋହାର୍ତ୍ତତା ଭିତରେ ଛନ୍ଦିହୋଇ ପଡ଼ିଛି । ତାହାରି ପ୍ରକୋପରେ ଶିକ୍ଷକ ଓ ତାହାର ସଂଘ ମଧ୍ୟ ସବାଆଗ କେବଳ ନିଜେ ତିଷ୍ଠି ରହିବାକୁ ବାଧ୍ୟ ହେଉଛି ବୋଲି ସିଏ ପରୋକ୍ଷରେ ସୂଚନା ବି ଦେଇଛନ୍ତି । ସମାଜବାଦ ଆସିଲେ ଏସବୁର ଆରୋଗ୍ୟ ସମ୍ଭବ ହେବ ବୋଲି ସେ ଯୁକ୍ତି ବାଢ଼ିଛନ୍ତି । ସମାଜବାଦ କ’ଣ ସ୍ଵର୍ଗରୁ ଖସିବ ? ମଣିଷମାନେ ଇଚ୍ଛା କଲେ ଯାଇ ପୁରୁଣା ଯିବ ଓ ନୂଆ ଆସିବ । ପୁରୁଣାଟାରୁ ମୁଁ ପ୍ରାୟ ଏକ ରାକ୍ଷସବୃଦ୍ଧି ସହିତ ଫାଇଦା ମାରୁଥିବି ଏବଂ ତେଣେ ସମାଜବାଦ ଆସିଲେ ଯାଇ ସବୁ ବଦଳିଯିବ ବୋଲି କହୁଥିବି, ମୋତେ କେବଳ ଜଣେ ସୁବିଧାବାଦୀ ବୋଲି ହିଁ କୁହାଯାଇପାରିବ ।

 

୨୪/୦୧/୨୦୦୦

Image

 

ଶିକ୍ଷକ ସରକାରଠାରୁ ବଡ଼ (୨)

 

ସରକାରଙ୍କୁ ଆମ ଦେଶରେ ଅନେକ ସମୟରେ ସରକାର ବାହାଦୁର ବୋଲି କୁହାଯାଏ । ସରକାର ପ୍ରକୃତରେ ବାହାଦୁର । କ୍ଷମତା ସରକାରଙ୍କର, ଦେଶଯାକର ଖଜଣା ମଧ୍ୟ ସରକାରଙ୍କର । ଆମେ ଦେଶର ସରକାରୀ ଚାକିରିଆମାନେ ସେହି କାରଣରୁ ଆପଣାକୁ ବେସରକାରୀ ଚାକିରିଆମାନଙ୍କ ଠାରୁ ଅଧିକ ସରସ ଏବଂ ଅଧିକ ପୃଥୁଳ ବୋଲି ଅନୁଭବ କରନ୍ତି କି ? ଗଣତନ୍ତ୍ର ଶାସନରେ ସରକାର ପଛରେ, ଲୋକମାନେ ହେଉଛନ୍ତି ଆଗରେ । ଶାସନ ଲୋକମାନଙ୍କ ନିମନ୍ତେ ଚାଲିବ । ଅର୍ଥାତ ଅସଲ ଶକ୍ତି ଲୋକମାନଙ୍କ ପାଖରେ ରହିବ । ସରକାର ଲୋକ-ଇଚ୍ଛାର ବୋଲ ମାନିବେ । ଗୋଟାଏ ଏଡ଼େ ବଡ଼ ସଂଗ୍ରାମ ପରେ ଭାରତବର୍ଷର ଲୋକମାନେ ଯେ ସ୍ଵାଧୀନ ହେଲେ, ଏ କଥାଟିକୁ ଆମେ ପ୍ରକୃତରେ ମୂଳତଃ ସେହି ଅର୍ଥରେ ହିଁ ବୁଝିବା । ସ୍ୱାଧୀନ ଭାରତବର୍ଷର ଶାସନ ନିୟମତଃ ଲୋକମାନଙ୍କର ଆବଶ୍ୟକତାଗୁଡ଼ିକୁ ଆଖିରେ ରଖି ଆପଣାର ଯାବତୀୟ ନୀତିର ନିର୍ଦ୍ଧାରଣ କରିଥାନ୍ତା ଓ ସେହି ନୀତିକୁ ସତକୁ ସତ କାର୍ଯ୍ୟକାରୀ କରାଇଥାଆନ୍ତା । କିନ୍ତୁ ସ୍ୱାଧୀନ ଭାରତରେ ତାହା ହେବା ଭଳି ହୋଇପାରିଲା ନାହିଁ । ଲୋକଙ୍କର ଆବଶ୍ୟକତା ଅନୁସାରେ ସରକାରୀ କଳଟା ପ୍ରାୟ ଆଦୌ ସଜଡ଼ା ହୋଇପାରିଲା ନାହିଁ । କାଗଜ ଉପରେ ନୂଆ ନୂଆ ଯୋଜନା ହେଲା, କିନ୍ତୁ ସେଗୁଡ଼ିକୁ କଳ ଖାଇଗଲା । କଳଟା ଉପରେ ବିଚରା ଲୋକମାନେ ହିଁ ଅଧିକରୁ ଅଧିକ ନିର୍ଭର କରିବାକୁ ବାଧ୍ୟ ହେଲେ । ଗଣତନ୍ତ୍ରର ସଂକୀର୍ତ୍ତନ ହେଲା, କିନ୍ତୁ ଗଡ଼ଜାତର ନ୍ୟାୟରେ ହିଁ ସରକାରଙ୍କର କଳମାନେ ଚାଲିଲେ । ଆମର ନେତାମାନେ କ’ଣ ପାଇଁ ଏହି ବ୍ୟାପାରଟିକୁ ରୋକି ପାରିଲେ ନାହିଁ କେଜାଣି ? ଏବେ ଏତେବର୍ଷ ପରେ ଜଳଜଳ ହୋଇ ଦିଶୁଛି ଯେ, ଭାରତବର୍ଷରେ କଳଟାର ହିଁ ଦୌରାତ୍ମ୍ୟ ବଢ଼ିଛି, କଳ ଲୋକମାନଙ୍କର ଉପରେ ରଜା ହୋଇ ବସିଛି ।

 

ଗଣତନ୍ତ୍ରକୁ ସାମୂହିକ ଶାସନର ଧର୍ମ ରୂପେ ବାଛି ନିଆଯିବା ପରେ ଭାରତବର୍ଷରେ ସବାଆଗ ଦାରିଦ୍ର୍ୟ ଓ ଅଶିକ୍ଷାର କ୍ଷେତ୍ରରେ ହିଁ ସର୍ବାଧିକ କାର୍ଯ୍ୟ କରାଯାଇଥାନ୍ତା । ସ୍ଵାଧୀନତାର ପଚାଶବର୍ଷ ପରେ ଦେଶରେ ଧନ ବହୁଗୁଣ ବଢ଼ିଛି ସିନା, ମାତ୍ର ଲୋକସଂଖ୍ୟାର ତଳ ଅଧଟାର ସ୍ତରରେ ଆର୍ଥିକ ଅସହାୟତା ମଧ୍ୟ ବଢ଼ିଛି । ଅର୍ଥାତ୍ ଉପରେ ରହିଥିବା ଅଳପ କେତେ ପ୍ରତିଶତ ବିତ୍ତଶାଳୀ ମଣିଷ ହିଁ ସତେ ଅବା ଏଠି ସବୁଯାକ ଭାଗ୍ୟକୁ ମାଡ଼ି ବସିଛନ୍ତି । ଦେଶର ଅଧେ ମଣିଷ ନିରକ୍ଷର ରହିଛନ୍ତି ଏବଂ ଅଧେ ପିଲା ଇସ୍ତୁଲକୁ ଆସିନାହାନ୍ତି । ଶିକ୍ଷାର ଯୋଜନା ଭିତରେ ଏତେ ବଡ଼ ବଡ଼ ବୈଷୟିକ ଓ ଅବୈଷୟିକ ପ୍ରସାରଣମାନ କରାଗଲା, କେତେ ଆଡ଼ମ୍ବରରେ ଉଚ୍ଚ ଶିକ୍ଷା ନାମରେ ବଡ଼ ବଡ଼ କୋଠାଘର ଭିତରେ ପାଠ ପଢ଼ିବା ଓ ପଢ଼ାଇବା ନାମରେ କ’ଣ ସବୁ ହେଲା ଯେ, ସେହି ହତାମାନଙ୍କର ବାହାରେ ଥିବା କୋଟିକୋଟି ମଣିଷଙ୍କର ସେଗୁଡ଼ାକ ଆଦୌ କୌଣସି କାମରେ ଆସିଲା ନାହିଁ । ସେସବୁ ପକ୍କାଘରୁ ଯୋଉ ବାବୁମାନେ ପାଠ ପଢ଼ି ବାହାରିଲେ, ସେମାନେ ଏହି ଦେଶର ପ୍ରାୟ କୌଣସି କାର୍ଯ୍ୟରେ ଲାଗିଲେ ହିଁ ନାହିଁ । ହଁ, ସେମାନେ ଚାକିରି କଲେ, ମୋଟା ଦରମା ପାଇଲେ, ବାପର ନାଆଁ ରଖିଲେ; ମାତ୍ର ଏହି ଦେଶରେ କ୍ରମେ ଏକାବେଳକେ ଗୋଟାଏ ଅନ୍ୟ ଶ୍ରେଣୀ ରୂପେ ତିଆରି ହେଲେ ଏବଂ ଏଠି ସତେ ଅବା ସବୁଠାରୁ ଅଧିକ ଗେହ୍ଲା ବୋଲି ଭାବିଲେ । ଶାସନଟା ସେମାନଙ୍କର ଆଣ୍ଟପଣରେ ଗେହ୍ଲାମାନଙ୍କର ଗୋଟାଏ ପୂରା ଜଙ୍ଗଲ ବୋଲି ଲାଗିଲା । ଏଇଟା ପୁଣି କି ଶିକ୍ଷା ଓ କି ଶିକ୍ଷିତପଣିଆ, ଯାହା କେବଳ ନିଜକୁ ହିଁ ଦେଖେ, ଯାହାର ଆଦୌ ଏତେ ଟିକିଏ ଦାୟିତ୍ୱବୋଧ ଅଥବା ଅଙ୍ଗୀକାରବଦ୍ଧତା ନଥାଏ, ଯାହା ନିଜ ଭିତରେ ସତେ ଅବା ଏଡ଼େ ପୋଲା ହୋଇଯିବାରେ ଲାଗିଥାଏ ଯେ, କ୍ରମେ ଏକାନ୍ତ ହୃଦୟହୀନ ହୋଇଯାଏ ଏବଂ ବହୁ ଦୁଃଖର କାରଣ ହୁଏ ? ବାଇବେଲର କଥା ଅନୁସାରେ ତାହା ହୁଏତ ସମଗ୍ର ପୃଥିବୀଟା ଉପରେ ମାଲିକ ବୋଲାଉଥାଏ ସତ, ମାତ୍ର ନିଜର ଆତ୍ମାଟିକୁ ହିଁ ହରାଇ ବସିଥାଏ । ସ୍ଵାଧୀନ ଭାରତବର୍ଷରେ ଶିକ୍ଷାଟା ମଧ୍ୟ ଅନୁରୂପ ଭାବରେ ବଦଳି ପାରିନଥିବା ହେତୁ ଆମର ସାମୂହିକ ଜୀବନଟା ମଧ୍ୟ ଯେ ଅତ୍ୟନ୍ତ ନିର୍ମମ ହୋଇପଡ଼ିଲା ଓ ଏହି ଦେଶରେ ଉପରେ ବସି ଶାସନ କରୁଥିବା ଆମ ଶିକ୍ଷିତମାନେ ଯେ ନିଜକୁ କ'ଣ ପାଇଁ ଏହି ଦେଶର ବୋଲି ମୋଟେ ଅନୁଭବ କଲେ ନାହିଁ, ବେଳେବେଳେ ଏପରି ଏକ ଅନୁମାନ କରିବାକୁ ମଧ୍ୟ ଭାରି ଇଚ୍ଛା ହୋଇଥାଏ । ପରାଧୀନ ଭାରତର ପୁରୁଣା ଶିକ୍ଷାକଳଟା ନୂଆ ଭାରତର ଶିକ୍ଷାକ୍ଷେତ୍ରୀୟ ଆହ୍ୱାନଗୁଡ଼ିକୁ ସମ୍ମୁଖୀନ ହେବାର ଦମ୍ଭ କରି କି ଅଶୁଭ ମୁହୂର୍ତ୍ତରେ ନିଷ୍ପତ୍ତିଗ୍ରହଣର ସକଳ ମହକୁମାକୁ ଏପରି ବିଡ଼ମ୍ବନାପୂର୍ଣ୍ଣ ଭାବରେ ମାଡ଼ିବସିଲା ଯେ ଦିଅଁ ଗଢ଼ୁ ଗଢ଼ୁ କେବଳ ମାଙ୍କଡ଼ ଗଢ଼ିବା ହିଁ ସାର ହେଲା । ସରକାର କମିଶନ ପରେ କମିଶନ ବସାଇଲେ । କମିଶନଗୁଡ଼ିକ ଅତ୍ୟନ୍ତ ଭାବଗଦ୍‍ଗଦ ଭାବରେ ଶିକ୍ଷାର ଜଗତରେ ନାନା ପରିବର୍ତ୍ତନ ହେଉ ବୋଲି ବରାଦ ଦେଲେ । ସେସବୁ ସମ୍ପୃକ୍ତ ସମସ୍ତଙ୍କ ସକାଶେ ସାହିତ୍ୟ ହୋଇ ରହିଲା ସିନା, ମାତ୍ର ପୁରୁଣା ଧାରାଗୁଡ଼ିକ ଯେଉଁଭଳି ସେହିଭଳି ରହିଲା । ଦେଶର ମଣିଷମାନଙ୍କୁ ନେଇ ସଂଗ୍ରାମ ସମୟରେ ଯେଉଁ ସବୁ ସ୍ୱପ୍ନ ଦେଖା ହୋଇଥିଲା, ଶିକ୍ଷାକଳର ଖାମିନ୍ଦମାନେ ତାହାକୁ ସିନ୍ଦୂକ ଭିତରେ ମୁଦି ରଖିଦେଲେ ଏବଂ ସତେ ଅବା ଜାଣିଶୁଣି ଶିକ୍ଷାର ସମୁଦାୟ କ୍ଷେତ୍ରଟିରେ ଶେଷକୁ ଏକ ଅରାଜକତାର ଅନ୍ଧଗଳି ଆଡ଼କୁ ଧାବମାନ ହେବାକୁ ଲାଗିଲେ । ରାଜନୀତିକ ନେତୃତ୍ୱ ଭିତରେ କ୍ରମେ ଆଉ କୌଣସି ରାଜନୀତିକ ଇଚ୍ଛା କିମ୍ବା ସଙ୍କଳ୍ପ ରହିଲା ନାହିଁ । ତେଣୁ, ଶିକ୍ଷାର ଦାଣ୍ଡଟାରେ ସେହି ସଙ୍କଳ୍ପ ବା ଇଚ୍ଛା ମଧ୍ୟ ଆଉ କିପରି ଭାବରେ ଅନୁଭୂତ ହୋଇପାରିଥାଆନ୍ତା ? ଶିକ୍ଷା ବିଭାଗରେ ଗୋଲାମ ହୋଇ ରହିବା ହିଁ ଶିକ୍ଷକକୁଳ ନିମନ୍ତେ ଏକ ନିରାପଦତମ ପରମ୍ପରା ଗଠିତ ହୋଇଆସିଲା । ଶିକ୍ଷକମାନେ ବୋଲ ମାନିଲେ । ଶିକ୍ଷାର ବୋଲ ନୁହେଁ; ଶିକ୍ଷାହାକିମ ମାନଙ୍କର ବୋଲ ମାନିଲେ । ନିଜ ଜୀବିକାଟିର ମାଧ୍ୟମରେ ନିଜ ଭାଗ୍ୟଟିର ଉନ୍ନତି ନିମନ୍ତେ ସେମାନେ ଅତ୍ୟନ୍ତ ରୁଚିବର୍ଜିତ ଭାବରେ ବୋଲଗୁଡ଼ିକୁ ମାନିଲେ । ଆପଣ ସ୍ଵାର୍ଥର ସଳିତାଗୁଡ଼ିକୁ ଅଧିକରୁ ଅଧିକ ମୋଟ କରିବାରେ ଅଧିକ ମନ ଦେଲେ । ଠକିଲେ । ପାଠ ପଢ଼ିବାକୁ ଆସୁଥିବା ପିଲାମାନଙ୍କୁ ହିଁ ନିଜ ଆଗ୍ରହର ଶିଖରବିନ୍ଦୁ ରୂପେ ଗ୍ରହଣ କରିବା ଯଦି ଯେକୌଣସି ଶିକ୍ଷାଧର୍ମର ଅସଲ କର୍ତ୍ତବ୍ୟ ହୁଏ, ତେବେ କହିବାକୁ ହେବ ଯେ ସେମାନେ ଧର୍ମଭ୍ରଷ୍ଟ ହେଲେ ।

 

ଶିକ୍ଷା ନିମନ୍ତେ ଆଦୌ କୌଣସି ମଥା ଲଗାଉ ନଥିବା ଏକ ଶାସନ ପାଖରେ ନିଜକୁ ଗୋଟାପଣେ ଗୋଲାମ ବନାଇ ରଖିବା ହିଁ ଜଣେ ଶିକ୍ଷକର ସବାବଡ଼ ପ୍ରୟାସ ହୋଇ ରହିଲା । ଗୋଲାମ ହିସାବରେ ଜଣେ ଖାସିନ୍ଦ ପାଖରୁ ଯଥାସମ୍ଭବ ଅଧିକ ସଫଳତା ହାସଲ କରିବାକୁ ହେଲେ ସେହି ମାଲିକଟାକୁ ହିଁ ସର୍ବେସର୍ବା ବୋଲି ସ୍ୱୀକାର କରିନେବାକୁ ହୁଏ । ଶିକ୍ଷକର ଅସଲ ମାଲିକ ହେଉଛି ଶିକ୍ଷା, ସରକାର ଅସଲ ମାଲିକ ଆଦୌ ନୁହେଁ । ଶିକ୍ଷକ ହିଁ ବାଟ ଦେଖାନ୍ତା, ସରକାର ମାନନ୍ତେ । ଅର୍ଥାତ୍ ଶିକ୍ଷକର ଶିକ୍ଷା ନକ୍‍ସାଟି ଅନୁସାରେ ଏକ ସରକାର ଯାବତୀୟ ପ୍ରୟୋଜନକୁ ପୂରଣ କରି ଦେଉଥାନ୍ତା । ଆବଶ୍ୟକ ଅର୍ଥ ଯୋଗାଇ ଦେଉଥାନ୍ତା । ଆଧୁନିକ କାଳରେ ଆଧୁନିକ ଶିକ୍ଷାସମ୍ପର୍କିତ ଆହ୍ୱାନଗୁଡ଼ିକର ସାମ୍‍ନା କରିବା ସକାଶେ ଯେତେବେଳେ ଯାହା ଅର୍ଥ ଆବଶ୍ୟକ, ଶିକ୍ଷକମାନଙ୍କର ପରାମର୍ଶକ୍ରମେ ହିଁ ସରକାର ତାହାର ଯୋଗାଡ଼ କରିଦେବାରେ ନିଜର ଅସଲ କର୍ତ୍ତବ୍ୟ କରିପାରୁଥାନ୍ତା । ମାତ୍ର, ଯେଉଁ ଦେଶରେ ଶିକ୍ଷାଶାସକମାନଙ୍କୁ ହିଁ ଶିକ୍ଷକମାନେ ଯାବତୀୟ ପ୍ରୟୋଜନ ତଥା ଅପ୍ରୟୋଜନରେ ପଡ଼ି ଭାଗ୍ୟବିଧାତା ସର୍ବେସର୍ବା ରୂପେ ସ୍ୱୀକାର କରି ନେଇଥାନ୍ତି, ସେ ଦେଶର ଶିକ୍ଷକ ସରକାରକୁ ବୋଲ ବତାଇବା ପାଇଁ ଆବଶ୍ୟକ ମେରୁଦଣ୍ଡଟିର ମଧ୍ୟ କିପରି ଆଉ ଭାଜନ ହୋଇପାରିବ ? ଆମ ଦେଶରେ ବା ଆମ ରାଜ୍ୟରେ ଦଶାଟା ଆଖିର କାଳକ୍ରମେ ସେହିପରି ହୋଇଛି କି ? ଏବଂ, ଏକାଧିକ ଦୃଷ୍ଟିରୁ ବିଚାର କଲେ ସେହି କାରଣରୁ ଶିକ୍ଷାର ବ୍ୟବସ୍ଥାଟା ଏଠି ଭାରି ପେଙ୍ଗେଇ ପେଙ୍ଗେଇ ଚାଲିଛି, ହୁଏତ ମୋଟେ ଚାଲି ପାରୁନାହିଁ ।

 

ଶିକ୍ଷା ବିଭାଗର ଶାସକମାନଙ୍କ ବିଷୟରେ ଆଦୌ କିଛି ନକହିବା ହିଁ ବରଂ ଅଧିକ ଭଲ ହୁଅନ୍ତା । ସେମାନେ ସରକାରଙ୍କର ମାହାଲରେ, ସର୍ବୋଚ୍ଚ ସାଆନ୍ତଙ୍କର ମର୍ଯ୍ୟାଦା ପାଇଥିବା ଜଣେ ଜଣେ ବିଶିଷ୍ଟ କର୍ମଚାରୀ, ଏକ ବାବୁତନ୍ତ୍ରରେ ଆମ ପାଇଁ ସେହିମାନେ ହେଉଛନ୍ତି ଉଚ୍ଚତମ ବାବୁ । ଏମାନେ ସବୁକାମକୁ ଧୂରନ୍ଧର ସବାବଡ଼ କର୍ତ୍ତା ହୋଇ କାମ ଚଳାଇବେ ବୋଲି ବିହିତ ପ୍ରକାରେ ତାଲିମ ଲାଭ କରିଥାନ୍ତି । ସମ୍ଭବତଃ ସେହି କାରଣରୁ ହିଁ ସେମାନେ ଯୋଗ୍ୟ ଭାବରେ କୌଣସି କାମ ଲାଗି ଯୋଗ୍ୟ ହୋଇ ନଥାନ୍ତି ଅର୍ଥାତ୍ ଆତ୍ମୀୟତା ସହିତ ଆଦୌ କେଉଁଠି ହେଲେ ନଥାନ୍ତି । ଏ ବିଭାଗର ସେ ବିଭାଗକୁ ଗଡ଼ଗଡ଼େଇ ହେଉଥାନ୍ତି । ଅତ୍ୟନ୍ତ ଅକସ୍ମାତ୍ ଭାବରେ ସେହି ସ୍ଥାନବଦଳଗୁଡ଼ିକ ହେଉଥିବାରୁ କ୍ରମେ ଏହି ହାକିମମାନଙ୍କ ଭିତରେ ପ୍ରକୃତ କର୍ମସରାଗୀ ଆଗ୍ରହୀ ମନଟି ମରିଯାଏ ଏବଂ ଉଦ୍ଦଣ୍ଡ ହାକିମଟା ଯାହା ଅବଶେଷ ରହିଥାଏ । ଏହିପରି ଅକସ୍ମାତ୍ ଭାବରେ ହିଁ ସେମାନେ ଶିକ୍ଷା ବିଭାଗକୁ ଆସନ୍ତି, ହୁଏତ ମତ୍ସ୍ୟବିଭାଗ କିମ୍ବା ଦେବୋତ୍ତରରୁ ଆସନ୍ତି ଏବଂ ଆଦୌ ଗୋଡ଼ଟା ଠାକିବା ପୂର୍ବରୁ ଆଉ କାହାର ମର୍ଜି ମୁତାବକ ଜଙ୍ଗଲ କିମ୍ବା ଅବକାରୀ ବିଭାଗକୁ ଯାଆନ୍ତି । ସେମାନଙ୍କର ଆଗ୍ରହଟା କୋଉଠି ହେଲେ ଠାକି ରହିବା ଲାଗି କୌଣସି ବେଳ ପାଏ ନାହିଁ । ଏହି ଅକସ୍ମାତିଆମାନେ ଶିକ୍ଷା ବିଭାଗକୁ ଅଲବତ୍ କାଳ ହୁଅନ୍ତି । ତୁମ ପାଖରେ ପ୍ରଭୂତ କ୍ଷମତା ରହିଥିବ, ମାତ୍ର ତୁମେ ଯେଉଁ ଘରଟିର ସବାବଡ଼ ହାକିମ, ସେଇଟି ପ୍ରତି ତୁମର ମୋଟେ ଆଗ୍ରହ ନଥିବ, ଶିକ୍ଷା ସିରସ୍ତାଟାକୁ ହୁଏତ ଏହି ମୂଳ ଅବିବେକୀ ରୀତିଟା ହିଁ ବେଙ୍ଗା କରିପକାଏ । ଏହିପରି ଏକ ଦରବାର ପାଖରେ ଅଧିଆ ପଡ଼ି ଶିକ୍ଷକମାନେ ଯେତେବେଳେ ନିଜ ଜୀବନରେ ସଫଳ ହୋଇ ଅନ୍ୟାନ୍ୟ ଅନ୍ୟ ତୁଠର ସଫଳମାନଙ୍କ ପରି ଦେଖାଯିବେ ବୋଲି ନିଜର ସଙ୍ଘ ମାଧ୍ୟମରେ ସାଧନା କରିବାକୁ ଆରମ୍ଭ କରନ୍ତି, ସେତେବେଳେ ସେମାନଙ୍କର ମାନ, ଯଶ ଓ ବେତନ ସବୁ ବଢ଼ିବାରେ ଲାଗିଥାଏ ସିନା, ମାତ୍ର ଏହାଦ୍ୱାରା ଶିକ୍ଷାର ତଣ୍ଟିକୁ ଚିପି ଦିଆଯାଏ । ଶିକ୍ଷକର ଅଧିକତର ଆଗ୍ରହ ହୁଏତ ଆଉ କେଉଁଠି ଥାଏ, ଅଥଚ ଶିକ୍ଷାରେ ନଥାଏ । ଶିକ୍ଷାର ଆମର ଏହି ପ୍ରଫଚଟା ଭିତରେ ଏବେ ଅତ୍ୟନ୍ତ ଦୁଃଖଦ ଏବଂ ହାସ୍ୟାସ୍ପଦ ଭାବରେ ଯେଉଁସବୁ ଅଲକ୍ଷଣା ବ୍ୟାପାର ଦୃଷ୍ଟିଗୋଚର ହେଉଛି, ସେଥିପାଇଁ ସରକାର ବା ଅନ୍ୟମାନେ ଯେତେ ଯାହା ଦାୟୀ ହୁଅନ୍ତୁ ପଛକେ, ଜଣେ ସାଧାରଣ ବୁଦ୍ଧି ରହିଥିବା ମଣିଷ ସବାଆଗ ଶିକ୍ଷକମାନଙ୍କ ଆଡ଼କୁ ହିଁ ଦୃଷ୍ଟିପାତ କରିବ । କ’ଣ ଗୋଟାଏ ନୂଆ କଥା ଘଟୁ ଏବଂ ଏହି ଦୂରବସ୍ଥା ଯେମିତି ହେଲେ ଦୂର ହେଉ ବୋଲି ଅତ୍ୟନ୍ତ ଆକୁଳ ହୋଇ ସିଏ ଶିକ୍ଷକମାନଙ୍କ ଆଡ଼କୁ ହିଁ ଅନାଇବ ।

 

ପୁରୋଗାମୀ ଶିକ୍ଷକଟିଏ ହୋଇପାରିବା ନିମନ୍ତେ ଏ ଦେଶରେ କ’ଣ କମ୍ ବାଧା ଓ ପ୍ରତିବନ୍ଧକ ଛିଡ଼ା ହୋଇ ରହିଛନ୍ତି ? ପୁରୋଗାମୀ, ସିଏ ଯେକୌଣସି କ୍ଷେତ୍ରରେ ହୋଇଥାଉ ପଛକେ, ବାଧା ଏବଂ ପ୍ରତିବନ୍ଧକ ତା’ ପାଇଁ ଅବଶ୍ୟ ରହିବ । ପୁରୋଗାମୀ ଶିକ୍ଷକଟିଏ ପାଇଁ ସରକାରୀ ଶିକ୍ଷାକଳଟା ହିଁ ହୁଏତ ସବାବଡ଼ ବାଧା ହୋଇ ବାଟ ଓଗାଳିବାକୁ ବାହାରି ଆସିବ । ସରକାରଙ୍କ ଘରେ ତେଣେ କବାଟ ମେଲା ହୋଇ ବିଲୁଆ ପଶି ଯାଉଥବେ, ମାତ୍ର ସରକାରୀ ଚତୁରମାନେ ବାରପ୍ରକାର ନିୟମ ଦେଖାଇ ପୁରୋଗାମୀର ଗୋଡ଼ହାତ ବନ୍ଦ କରିଦେବାକୁ ଇଚ୍ଛା କରିବେ । ଏବଂ, ଏହି କ୍ଷେତ୍ରରେ ପ୍ରାୟ ସବୁକିଛି ପ୍ରୟାସରେ ଏକ ଦ୍ୱିତୀୟ ବୃହତ୍ ଅନ୍ତରାୟ ହେଉଛି ଯେ ଜଣେ ପୁରୋଗାମୀ ଶିକ୍ଷକର ସତୀର୍ଥ ଅନ୍ୟ ଶିକ୍ଷକମାନେ ମଧ୍ୟ ତା’ ଆଡ଼କୁ ଅନାଇ ସଂଶୟ ପ୍ରକଟ କରିବେ, ନାକ ଟେକିବେ, ସରକାର ସ୍ୱୟଂ ଯେତେବେଳେ ଆଦୌ କିଛି ନକରି ଭୃତ୍ୟପଲଟିଏ ଦରମା ଦେଇ ପାଳିବାକୁ ହିଁ ଯଥେଷ୍ଟ ବୋଲି ଗ୍ରହଣ କରି ନେଇଛନ୍ତି, ସେହି ସ୍ଥଳରେ ଆମେ କାହିଁକି ନାଆଁ ପକାଇବାକୁ ଯିବା ଏବଂ ହରକତରେ ପଡ଼ିବା ବୋଲି ମତ ମଧ୍ୟ ବ୍ୟକ୍ତ କରିବେ । ଓଡ଼ିଶାର ଯେକୌଣସି ଉଚ୍ଚ ବିଦ୍ୟାଳୟ ତଥା ମହାବିଦ୍ୟାଳୟରେ ଅଧିକତଃ ଏହିପରି ଏକ ନିଷ୍କ୍ରିୟତା ଦେଖୁବାକୁ ମିଳିବ । ଯେଉଁମାନେ ଗୁଳାରେ ଚାଲିଛନ୍ତି, ସେମାନେ ଭଲରେ ଅଛନ୍ତି ! ଖୁସି ଅଛନ୍ତି । ଏବଂ, ଯିଏ ଅନ୍ତତଃ କିଛି ନା କିଛି ବଦଳୁ ବୋଲି ଚିନ୍ତା କରୁଛି, ଅଧିକ କିଛି କରିବ ବୋଲି ବାହାରୁଛି, ସିଏ ପ୍ରାୟ ଏକୁଟିଆ ଓ ଏକଘରିକିଆ ହୋଇ ରହୁଛି । ଜଣେ ବିଭାଗୀୟ ହାକିମ ବା ଏପରିକି ମନ୍ତ୍ରୀଙ୍କୁ ମଧ୍ୟ ପଚାର, ସିଏ ଗୁଳାରେ ଥିବା ଶିକ୍ଷକ ଏବଂ ଗୁଳାରୁ ବାହାରି କିଛି ସତକୁ ସତ କରିବା ଲାଗି ଚେଷ୍ଟା କରୁଥିବା ଶିକ୍ଷକ– ଉଭୟଙ୍କ ଭିତରୁ କେଉଁମାନଙ୍କୁ ଅଧିକ କାମ୍ୟ ବୋଲି ମନେ କରୁଛନ୍ତି– ଆପଣଙ୍କୁ ଯେଉଁ ଉତ୍ତରଟି ପ୍ରାୟ ସର୍ବତ୍ର ମିଳିଯିବ, ତାହାହିଁ ବର୍ତ୍ତମାନର ସ୍ଥିତି ବିଷୟରେ ଏକ ମୋଟାମୋଟି ପରିଚୟ ଅବଶ୍ୟ ଦେଇପାରିବ । ତରକା ସଙ୍ଘଟା ମଧ୍ୟ ହୁଏତ ଏହି ହାଲତଟାକୁ ଖୁବ୍ ଭଲ ଭାବରେ ଜାଣିଥିବାରୁ କ୍ରମେ ହାୱାଟାର ବୋଲ ମାନିକରି ମଞ୍ଚରୁ ଶିକ୍ଷା ଉପରେ ସେତେବେଶୀ ଜୋର୍ ନ ଦେଇ ବେତନବୃଦ୍ଧି ଏବଂ ସେହିପରି ବାହ୍ୟ ଆଉ କେତେଟା ବ୍ୟାପାର ଉପରେ ଅଧିକ ଜୋର୍ ଦେଉଛି ଏବଂ ଅଧିକ ସଂଖ୍ୟକ ଶିକ୍ଷକଙ୍କୁ ନିଜର ଡଙ୍ଗାଟା ଭିତରକୁ ଡାକିଆଣି ପାରୁଛି । ଶିକ୍ଷାର ଘର ବୁଡ଼ିଯାଉଛି ।

 

ମାତ୍ର ପୃଥିବୀର ବିଧାନଟା ସେହି ମୂଳରୁ ହିଁ ଏପରି ଭାବରେ ତିଆରି ହୋଇଛି ଯେ, ଗୁଳାମାନେ ଅବଶ୍ୟ ଭାଙ୍ଗିବେ, ରାବଣର ଗୋଟିଏ ଭାଇ ବିଭୀଷଣ ହେବ ହିଁ ହେବ । ରାବଣ ତାକୁ ନିର୍ବାସିତ କରିଦେଲେ ମଧ୍ୟ ସିଏ ମୁଣ୍ଡ ନୁଆଁଇବ ନାହିଁ । ପୃଥିବୀରେ ସର୍ବାଧିକ ଅଗ୍ରଗତି ହୋଇଛି ଏହି ଗୁଳା ଭାଙ୍ଗିବାର ମଣିଷମାନଙ୍କ ଦ୍ଵାରା, ଗୁଳା ଭାଙ୍ଗିବାର ନାନାବିଧ ପ୍ରୟୋଗ ଦ୍ୱାରା । ଆଗକୁ ଯେଉଁ ଯୁଗଟି ମନୁଷ୍ୟ ପାଇଁ କ୍ରମସଜ୍ଜିତ ହେବାରେ ଲାଗିଛି, ସେଥିରେ ବିଜ୍ଞାନ ହିଁ ଅଧିକ ଦେବ, ଏକ ବୈଜ୍ଞାନିକ ଦୃଷ୍ଟି ହିଁ ଆମକୁ ଅଧିକ ପରିମାଣରେ ପଥ ଦେଖାଇବ, ରାଷ୍ଟ୍ର ଗୌଣ ହୋଇ ରହିବ, ସ୍ଵାର୍ଥ ତୁଳନାରେ ସାମୂହିକ ଅସଲ ହିତମାନେ ହିଁ ସର୍ବାଧିକାର ଲାଭ କରିବେ । ବ୍ୟକ୍ତିମାନଙ୍କୁ ଉଚିତ ସମ୍ମାନ ତଥା ସ୍ୱୀକୃତି ଦେଇ ସଙ୍ଘମାନେ କାର୍ଯ୍ୟ କରିବେ, ବ୍ୟକ୍ତିମାନଙ୍କୁ ମୋଟେ ଗିଳି ପକାଇବେ ନାହିଁ । ନାନାବିଧ ହଠାତ୍ ଲାଭ ବା ସଫଳତାର ଲୋଭ ଦେଖାଇ ଆପଣା ଧର୍ମର ଅସଲ ମୂଳଗୁଡ଼ିକରୁ ଆଦୌ ଭ୍ରଷ୍ଟ କରିବାର ପାଞ୍ଚ କରିବେ ନାହିଁ । ଏବେ ଆମର ସାମୂହିକ ଜୀବନସମ୍ବନ୍ଧୀ ପରିବେଶଟିରେ ଯେତେ ଯାହା ଅଲକ୍ଷଣାପଣ ପ୍ରବେଶ କରିଛି, ତାକୁ ଯେକୌଣସି ଟାଣୁଆ ସଂଘ ଅପେକ୍ଷା ପୁରୋଗାମୀ ଶିକ୍ଷକମାନେ ହିଁ ଅଧିକ ହିମ୍ମତ ଏବଂ ଅଧିକ ବିବେକର ସହିତ ସାମ୍ନା କରିପାରିବେ । ନିଜ ପଛକୁ ଅନାଇ ମୋର ସବାଆଗ ଯେଉଁ ଶିକ୍ଷକମାନଙ୍କର କଥା ମନେ ପଡ଼ୁଛି ଓ ଯେଉଁମାନଙ୍କ ପାଖରେ କୃତଜ୍ଞତାରେ ଏବେ ମଧ୍ୟ ହୃଦୟ ପୂରି ଉଠୁଛି, ସେମାନେ ଯେ ଖାଲି ଭଲ ପଢ଼ାଉଥିଲେ ତା’ ନୁହେଁ, ସେହିମାନେ ହିଁ ସେତେବେଳର ମୋର କିଶୋର ଆଖିଗୁଡ଼ିକୁ ଗୁଳା ଭିତରୁ ବାହାରି ଅନାଇ ଶିଖିବାକୁ ସର୍ବାଧିକ ପ୍ରେରଣା ଦେଇଥିଲେ । ସେହିମାନେ ହିଁ ମୋତେ ବିଦ୍ୟାର ସେହି ବହୁପ୍ରଶସ୍ତ ସଂଜ୍ଞାଟି ସହିତ ପରିଚିତ ହେବାରେ ସର୍ବାଧିକ ଖୋରାକ ଯୋଗାଇ ଦେଇଥିଲେ । ନିଜର ସୁଖ, ନିଜର ଲାଭ ଓ ନିଜର ସଫଳତା କିପରି ଯଥାର୍ଥରେ ନିଜ ସୁଖ, ନିଜ ଲାଭ ଓ ନିଜ ସଫଳତାର ଅତି ସକୀର୍ଣ୍ଣ ଗୁଳାଟିର ବାହାରେ ରହିଛି, ମୋତେ ତାହାର ଉପଲବ୍‍ଧି କରାଇ ଦେଇଥିଲେ ଓ ଏହିପରି ଭାବରେ ଗୁଳାମାନଙ୍କରୁ ବାହାରିଯିବା ଲାଗି ଅତ୍ୟନ୍ତ ସକାରାତ୍ମକ ମନ୍ତ୍ରଣାଟିଏ ଦେଇଥିଲେ । ଅତ୍ୟନ୍ତ ସୌଭାଗ୍ୟର କଥା ଯେ, ସେହି ଶିକ୍ଷକମାନଙ୍କ ସମୟରେ କୌଣସି ସଙ୍ଘ ନଥିଲା ।

 

ବ୍ରିଟିଶ୍ ଶାସନ ଅମଳରେ ଗୁଳାରୁ ବାହାରିବାଟା ଏକାଧିକ ପ୍ରକାରେ ଅଧିକ ବିପଜ୍ଜନକ ଥିଲା । ତଥାପି ମୋର ସ୍ମରଣୀୟ ଶିକ୍ଷକମାନେ ଗୁଳାରେ ଥାଇ ମଧ୍ୟ ଗୁଳାରେ ନଥିଲେ । ସେମାନେ ନିଜ ଭବିଷ୍ୟତ ବିଷୟରେ ଆଦୌ କମ୍ ସଂପୃକ୍ତ ନଥିଲେ, ତଥାପି ପିଲାମାନଙ୍କୁ ଧୋକା ଦେଇ କଦାପି ରାସ୍ତାକୁ ବାହାରୁ ନଥିଲେ । ଏବେ ସତେଯେପରି ପିଲାମାନଙ୍କୁ ଧୋକା ଦେବାର ପ୍ରଚ୍ଛନ୍ନ ଅନ୍ୟ ଇଚ୍ଛାଟିକୁ ରଖି ହିଁ ଆନ୍ଦୋଳନଗୁଡ଼ିକର ରଣନୀତିଗୁଡ଼ିକୁ ସ୍ଥିର କରାଯାଇଛି । ତଥାପି, ଗୁଳାର ବାହାରେ ବ୍ୟତିକ୍ରମମାନେ ମଧ୍ୟ ରହିଛନ୍ତି, ଯେଉଁମାନେ କି ସବାଆଗ ପିଲାଙ୍କ ପାଖରେ ନିଜକୁ ଅଙ୍ଗୀକାରବଦ୍ଧ କରି ରଖୁଛନ୍ତି । ଏହି ଅନ୍ୟମାନେ ହିଁ ବିହନ ହେବେ । ସେମାନେ ଅନ୍ୟ ସରକାରୀ ବଡ଼ ହାକିମମାନଙ୍କ ସହିତ ହୀନମନ୍ୟ କୌଣସି ପ୍ରତିଦ୍ୱନ୍ଦିତା ନକରି ସବାଆଗ ନିଜ ଛାତ୍ରଛାତ୍ରୀମାନଙ୍କ ପାଖରେ ହିଁ ଉତ୍ତରଦାୟୀ ହୋଇ ରହିବାକୁ ଅବଶ୍ୟ ମନ କରିବେ । ଶିକ୍ଷାଟା ସରକାର ପାଖରେ ପୋଇଲୀ ହୋଇ ରହିବାକୁ ବାଟ ଛାଡ଼ି ଦେବେନାହିଁ । ସରକାରୀ ଶିକ୍ଷାଯନ୍ତ୍ରରେ ଥାଇ ମଧ୍ୟ ନିଜକୁ ଶିକ୍ଷାଜଗତର ସବୁଠାରୁ ଅଧିକ ଦାୟିତ୍ୱସମ୍ପନ୍ନ ଯନ୍ତ୍ରୀ ବୋଲି ଅନୁଭବ କରୁଥିବେ-

 

୧୪ । ୦୨ । ୨୦୦୦

Image

 

ଶିକ୍ଷକ ସରକାରଠାରୁ ବଡ଼ (୩)

 

କିଏ କହିଲା, ଯାହାକୁ କିଛି ନମିଳେ, ସେଇ ବାଧ୍ୟ ହୋଇ ଶିକ୍ଷକ ବା ଅଧ୍ୟାପକଟିଏ ହେବାକୁ ଆସେ ? ଏକଥା ସତ ଯେ, ବାହାରେ ଆମ ଧୋବ ସମାଜଟାରେ ଯେଉଁ ହାଉଆଟା ଆମ ବିବେକ ନାମକ କ୍ଷେତ୍ରଟିକୁ ପ୍ରାୟ ରୁନ୍ଧିକରି ରହିଛି, ସେହି ଅନୁସାରେ ଆମ ପିଲାଦିନେ ଆମର ବାପା ମାଆ ତଥା ଅନ୍ୟ ଗୁରୁଜନମାନେ ଆମକୁ ବଡ଼ ହୋଇ ଗୋଟାଏ ବଡ଼ ଅଫିସର ହେବୁ, ବହୁତ ପଇସା ପାଇବୁ ଭଳି ମନ୍ଦୋତ୍ସାହପୂର୍ଣ୍ଣ ବାଣୀମାନ ଶୁଣାଇ ସିଆଡ଼େ ଝୁଙ୍କିଯିବାକୁ ଭାରି ପ୍ରରୋଚନା ଦେଇଥାନ୍ତି ଓ ତେଣୁ ଆମେ ବି ଅନେକ ସମୟରେ ସେହିପରି କିଛି ହେବାର ସ୍ୱପ୍ନ ଦେଖୁଥାଉ ଏବଂ ବଡ଼ ହୋଇ ଠିକ୍ ସେହିପରି କିଛି ଆବୋରି ପକାଇ କ'ଣ କେଡ଼ୁଟାଏ ହେବା ପାଇଁ ସକସକ ହେଉଥାଉ । ଏଠି ଓଡ଼ିଶାରେ ଉଚ୍ଚତମ ଥାକର ଅନେକ ସରକାରୀ ଚାକିରିଆ ଅଛନ୍ତି, ଯେଉଁମାନେ କି କର୍ମଜୀବନର ପ୍ରାରମ୍ଭରେ ଶିକ୍ଷକ ହେବାକୁ ଯାଇଥିଲେ ଏବଂ ସତେଅବା କୌଣସି ବଡ଼ ବିରୁଡ଼ିବସାକୁ ଅଶା କରି ବଡ଼ ପରୀକ୍ଷା ଦେଲେ, ମସୋରିରେ ମଣ ହେବାକୁ ଗଲେ ଓ ସିଆଡ଼ୁ କଳାପାହାଡ଼ ପରି ଗଦା ଉଞ୍ଚାଇ ରାଜ୍ୟର ପଦସମ୍ମାନର ଗ୍ୟାଲେରୀରେ ସବା ଉଞ୍ଚରେ ଯାଇ ବସିଲେ । ସେମାନଙ୍କୁ ଯଦି ବିଶ୍ୱାସକୁ ନେଇ କେହି ପ୍ରଶ୍ନଟିଏ କରନ୍ତା, ତେବେ ସିଏ ଅବଶ୍ୟ ଜାଣନ୍ତା ଯେ, ଏମାନେ ଉପଲବ୍‍ଧ ଯାବତୀୟ ସଫଳତା ସତ୍ତ୍ୱେ ସେଇ ମୂଳର ଅଧ୍ୟାପନା-ସମୟଟିକୁ ଖୁବ୍ ଝୁରି ହେଉଛନ୍ତି । ଏବଂ ଝୁରି ହେଉଛନ୍ତି ବୋଲି କାଳେ ଧରା ପଡ଼ିଯିବେ, ସେଥିଲାଗି ସର୍ବବିଧ କାରିଗରୀ ଖଟାଇ ଉପରେ ଗୋଟାଏ ବଡ଼ ଅଫିସର ହୋଇଥିବାର ଧମାକା ଦେଖାଉଛନ୍ତି ।

 

ଅଫିସର ବାପୁଡ଼ାର ଅସଲ ଦୁଃଖ ଓ ଅସଲ ମଳିଟି ସେଇଠି । ଅଫିସର ହେବାଟା ଗୋଟିଏ ଭୂମିକା; ଏବଂ ଭଲ ସିଦ୍ଧକାମ ଅଫିସର ହୋଇଥିବା ମଣିଷମାନେ ପ୍ରକୃତରେ ଅଧିକ ସିଦ୍ଧିଯୁକ୍ତ ଭାବରେ ନିଜର ଭୂମିକା-ପରିଚୟଟାକୁ ଚକଚକ କରି ରଖିଥାନ୍ତି ବୋଲି ତାହା ହୋଇ ପାରିଥାନ୍ତି । ଭୂମିକାଟାରେ ନିଖୁଣ ଓ ସର୍ବସମର୍ଥ ଭାବରେ ଅବତୀର୍ଣ୍ଣ ହୋଇପାରିବାକୁ ହେଲେ, ନିଜ ବ୍ୟକ୍ତିତ୍ୱଟାକୁ ଯଥାସମ୍ଭବ ଅଧିକ ନିପୁଣ ଭାବରେ ଗୌଣ କରି ରଖିବାକୁ ପଡ଼ିଥାଏ । ଜଣେ ଶିକ୍ଷକ, ସିଏ ବାଧ୍ୟ ହୋଇ ଏଭଳି ଏକ ତୁଠରେ ପହଞ୍ଚିଥାଉ ଏବଂ ନିଜର ବୃତ୍ତିଗତ ବାହ୍ୟ ସିଦ୍ଧିଗୁଡ଼ାକ ଉପରେ ଯେତେ ଗୁରୁତ୍ୱ ଦେଉଥାଉ ପଛକେ, ମୋଟେ ସେତେଯାଏ କଉଶଳୀ ହୋଇପାରେ ନାହିଁ । ନିଜର ଭୂମିକାଟାକୁ ଯେତେ ପ୍ରଧାନ ଓ ପ୍ରମୁଖ କରି ଦେଖାଇବାକୁ ଯେତେ ସଚେତନ ଭାବରେ ଉଦ୍ୟମ କରୁଥିଲେ ମଧ୍ୟ କେତେବେଳେ ଯେ ସିଏ ଭୂମିକାଟାକୁ ଭୁଲିଯାଏ ଏବଂ ଜଣେ ବ୍ୟକ୍ତି ହୋଇ ତା’ର ପ୍ରିୟ ପୃଥିବୀଟିରେ ଯାଇ ପହଞ୍ଚିଯାଏ, ସେକଥା ସିଏ ହୁଏତ ନିଜେ ମଧ୍ୟ ଠଉରାଇ ପାରେନାହିଁ । ସାରା ପୃଥିବୀର ସବୁ ମଣିଷ ବିଚରା ଏହି ଶିକ୍ଷକଟି ପରି ବାଲୁରା ହୋଇପାରିଲେ ପୃଥିବୀଟା କେଡ଼େ ସୁନ୍ଦର ଓ ଲୋଭନୀୟ ହୋଇପାରନ୍ତା, ନିଜ ଭିତରର ବାଲୁରାଟାକୁ ପ୍ରଣାମ କଲାବେଳେ ମୁଁ ପ୍ରକୃତରେ ଭାରି ନିବିଡ଼ ଭାବରେ ସେକଥା ଚିନ୍ତା କରିଥାଏ । ଶିକ୍ଷକର ପ୍ରିୟ ପୃଥିବୀଟି ହେଉଛି ତା’ ବିଦ୍ୟାଳୟ ଓ ତା’ ଶ୍ରେଣୀଗୃହର ପିଲାମାନେ । କୋଉ ଶିକ୍ଷକବନ୍ଧୁ ଥରେ କହନ୍ତୁ ତ, ତା’ ଶ୍ରେଣୀଗୃହର ପିଲାମାନେ ତାକୁ ସବାଆଗ ଜଣେ ବିଷୟବିତ୍ ହିସାବରେ ଅଥବା ଜଣେ ବ୍ୟକ୍ତି ହିସାବରେ ଦେଖନ୍ତି ବୋଲି ଯଦି ତାକୁ ପଚରାଯାଏ, ତେବେ ସିଏ ସଚରାଚର କ’ଣ ଉତ୍ତର ଦେବ ? ଆମେ ଯେଉଁମାନେ ଏକଦା ସ୍କୁଲ ଓ କଲେଜରେ ପାଠ ପଢ଼ିଛେ, ଆମେ ଆମ ଶିକ୍ଷକମାନଙ୍କୁ ଆଗ ଜଣେ ବ୍ୟକ୍ତି ହିସାବରେ ମନେ ରଖୁଛେ ନା ସେମାନେ ଆମକୁ ପଢ଼ାଇଥିବା ବିଷୟର ମାଧ୍ୟମରେ ହିଁ ବେଳେବେଳେ ସେମାନଙ୍କର କଥା ସ୍ମରଣ କରୁଛେ ? ଶିକ୍ଷାକ୍ଷେତ୍ରୀୟ ସମ୍ପର୍କର ପ୍ରାୟ ଏକ ନିୟମ ଅନୁସାରେ ନିଜ ଶିକ୍ଷକ ଜଣେ ବ୍ୟକ୍ତି ହିସାବରେ ଭଲ ଲାଗିଲେ ହିଁ ସିଏ ଆମକୁ ପଢ଼ାଉଥିବା ବିଷୟଟି ବି ପ୍ରାୟ ଆପେ ଆପେ ଭଲ ଏବଂ ସହଜ ଲାଗିଥାଏ । ଏବଂ ଶିକ୍ଷକ ନାମକ ବ୍ୟକ୍ତିଟି ଭଲ ନ ଲାଗୁଥଲେ ସିଏ ଆମକୁ ଝାଳନାଳ ହୋଇ ପଢ଼ାଉଥିବା ବିଷୟଗୁଡ଼ାକୁ ହୁଏତ ସେହି ଶ୍ରେଣୀଗୃହରେ ଫୋପାଡ଼ି ଦେଇ ଚାଲି ଆସିବାକୁ ଆମର ଆଦୌ ତର ସହେନାହିଁ । ଯେଉଁମାନେ ନିଜର ଭୂମିକାକୁ ସର୍ବସ୍ଵ କରି ସଂସାର-ବଜାରରେ ନିଜର ପରିଚୟ ଦିଅନ୍ତି, ସେମାନଙ୍କୁ ସେମାନଙ୍କର ଭୂମିକାଟି ଗତ ହୋଇଗଲେ କେଡ଼େ ଶୀଘ୍ର ଭୁଲି ହୋଇଯାଏ । ଭୂମିକାଟିର ପୂରଣ କରି ତା'ପରେ ଆଉ ଗୋଟାଏ କିଏ ଆସେ,– ଭୂମିକାଟି ଖତମ ହେବାଯାଏ କେଡ଼େ କୋଳାହଳ କରେ, କେତେ ନଚାଏ ଓ କଚାଏ,– ଅବସର ନେଇ ବିସ୍ମୃତିର ଗର୍ଭରେ ପୂରା ଖପିଥାଏ । ଅସଲ ମଣିଷର ବ୍ୟକ୍ତିଟି ହିଁ ଆଗରେ ଥାଏ, ଭୂମିକା ଗୌଣ ହୋଇ ରହିଥାଏ । ଜଣେ ଶିକ୍ଷକ ଯଦି କୌଣସି ଆନ– ଆନୁଗତ୍ୟର ଚମକ ଭିତରେ ପଡ଼ି ଦିଗଭ୍ରଷ୍ଟ ହୁଏ, ତେବେ ତାକୁ କେବଳ ଅନୁକମ୍ପା ହିଁ କରାଯିବା ଉଚିତ । ଏକ ଅଯୋଗ୍ୟ ଏବଂ ମୁଣ୍ଡହୀନ ସରକାର ଜଣେ ଶିକ୍ଷକକୁ ତୁଚ୍ଛା ଏକ ନିର୍ଦ୍ଦିଷ୍ଟ ଭୂମିକାର ନମୁନାଟାଏ ପରି ଦେଖନ୍ତି ବୋଲି ଶିକ୍ଷକକୁ ବୁଝିପାରନ୍ତି ନାହିଁ । ଶିକ୍ଷକମାନଙ୍କୁ ସତେଅବା ଗୋଟାଏ ନିର୍ଦ୍ଦିଷ୍ଟ ଆବଶ୍ୟକତା ପୂରଣ କରୁଥିବା ପଲଟାଏ ପରି ଦେଖନ୍ତି । ଜଣେ ଶିକ୍ଷା-ନିର୍ଦ୍ଦେଶକ, ଶିକ୍ଷା ଅଧୀକ୍ଷକ ଓ ଏପରିକି ଶିକ୍ଷା ମନ୍ତ୍ରୀଙ୍କର ଦପ୍ତର ଭିତରେ କେବଳ ଭୂମିକାଗୁଡ଼ାକ ହିଁ ସାଲୁବାଲୁ ହେଉଥାଆନ୍ତି । ଯେଉଁ ଶିକ୍ଷକକୁ ତା’ର ଶ୍ରେଣୀଗୃହ ସତକୁ ସତ ଭଲ ଲାଗୁଥିବ, ସିଏ ଏପରି ଗୋଟିଏ ମହକୁମା ଭିତରକୁ ଆସିଲେ ତାକୁ ନିଶ୍ଚୟ ବାନ୍ତି ଲାଗିଲା ଭଳି ମନେ ହେଉଥିବ । ସରକାରୀ ଶିକ୍ଷା-ବିଭାଗ ସମ୍ଭବତଃ ଏକ ସ୍ଵଭାବଗତ ପ୍ରୟୋଜନରେ ପଡ଼ି ଶିକ୍ଷକମାନଙ୍କୁ ବ୍ୟକ୍ତି ରୂପେ ନଦେଖି ଭୂମିକାର ମାଧ୍ୟମରେ ହିଁ ଦେଖେ ଏବଂ ଯେଉଁ ଶିକ୍ଷକ ବା ଶିକ୍ଷକମାନେ ଶିକ୍ଷାବିଭାଗ ସେମାନଙ୍କ ପ୍ରତି ଅଧିକ ନଜର ଦେବ ବୋଲି ଭ୍ରମରେ ପଡ଼ି ନିଜ ଭୂମିକାଟିର ଜରିଆରେ ନିଜର ପରିଚୟ ଦେବାରେ ଅଭ୍ୟସ୍ତ ହୋଇଯାଆନ୍ତି, ସେମାନେ ସେହି ନିଶାରେ କ୍ରମେ ନିଜକୁ ପ୍ରଥମତଃ ଜଣେ ବ୍ୟକ୍ତି ବୋଲି ଅନୁଭବ କରିବାକୁ ପାସୋରି ଯାଆନ୍ତି ଓ ହାରିଯାଆନ୍ତି । ଆନ୍ଦୋଳନର ପ୍ରକ୍ରିୟାରେ ନିଜର ଆତ୍ମାଟିକୁ ହରାଇ ବସନ୍ତି । ଶ୍ରେଣୀଗୃହର ପିଲାଙ୍କ ପାଇଁ ଭାରି ନ୍ୟୁନ ଓ ଭାରି ଫମ୍ପା ଦିଶୁଥାନ୍ତି । ପିଲାମାନେ କେଡ଼େ ବିକଳ ହୋଇ ବ୍ୟକ୍ତିଟିକୁ ଛୁଇଁବାକୁ ଯାବତୀୟ ଚେଷ୍ଟା କରନ୍ତି ଓ ନିରସ୍ତ ହୋଇ ଫେରିଆସନ୍ତି ।

 

ପ୍ରାୟ ଏହିପରି ଏକ ପ୍ରକ୍ରିୟାରେ ଆମ ଶିକ୍ଷକମାନେ ନିଜକୁ ସଙ୍ଘ ମାଧ୍ୟମରେ ସରକାରୀ ଗୋଦାମଟା ସହିତ ନିଜକୁ ସମ୍ପୃକ୍ତ ରଖି ଶ୍ରେଣୀ ଗୃହରେ ନିଜର ସ୍ଵୀକୃତିଘରେ ମାନ ହରାଇ ବସିଛନ୍ତି କି ? ଏବେ ଆମ ପିଲାମାନେ ଆମକୁ ମୋଟେ ମାନୁନାହାନ୍ତି ବୋଲି ଯେଉଁ ଅପବାଦଟି ଭାରି ଶୁଣାଯାଉଛି, ଆମକୁ ଶ୍ରେଣୀଗୃହର ନିଶା ଅପେକ୍ଷା ଭାଗ୍ୟର୍ଜନର ଅନ୍ୟ ନିଶାଟା ଅଧିକ ଘାରିଛି ବୋଲି ପରିଣାମ ସେହିପରି ହୋଇଛି କି ? ହୁଏତ ସେହି କାରଣରୁ ଆମେ ଶିକ୍ଷକ ଓ ଅଧ୍ୟାପକମାନେ ନିତାନ୍ତ ରୁଚିହୀନ ଭାବରେ ଆମ ଦରମାଟା ମଧ୍ୟ ଅନ୍ୟ ବିଭାଗରେ ଭୂମିକାଗୁଡ଼ାକ ଭିତରେ ହଜି ଯାଇଥିବା ଏବଂ ନିଜର ବ୍ୟକ୍ତି-ଦିଗଟାକୁ ନିତାନ୍ତ ଲଜାକର ଭାବରେ ପାଂଶୁଳ କରି ରଖୁଥିବା ଚାକିରିଆମାନଙ୍କର ଦରମା ସହିତ ସମକକ୍ଷ ହେଉ ବୋଲି ଦାବୀ କରି ଦାଣ୍ଡରେ ବାନା ଉଡ଼ାଇ ବାହାରିଛୁ କି ? ନିଜ ଦାବିରେ ଥରକୁ ଥର ଆପ୍ତକାମ ହୋଇ ଅଧିକ ଅର୍ଜନକ୍ଷମ ହେବା ସତ୍ତ୍ୱେ ସାର୍ବଜନୀନ ନଜରରେ ଆମର ସମ୍ମାନ ଯେ ଏତେ ହ୍ରାସ ହୋଇଯାଉଛି, ସେହି ବିଷୟଟିକୁ ନେଇ କିଞ୍ଚିତ୍ ତଥ୍ୟ ମଧ୍ୟ ବାହାର କରିବାକୁ ଚେଷ୍ଟା କରାଯାଇ ପାରନ୍ତା । ବରଗଛ ହିଁ ବରଗଛର ସର୍ବାଗ୍ର ପରିଚୟ ହୋଇପାରୁଥିବା ଉଚିତ । ଏବଂ, ବରଗଛ ଯଦି ବରଗଛ ହୋଇ ନ ରହିଲା, ଶିକ୍ଷକଟିଏ ଯଦି ସବାଆଗ ଜଣେ ଶିକ୍ଷକ ବୋଲି ସ୍ୱୀକୃତି ପାଇଲା, ତେବେ ବାହାରେ ଯେତେ ଧନାଢ଼୍ୟତା ଓ ଅନ୍ୟ ପାରଙ୍ଗମତାର ସୁନାରୂପାକୁ ମୁଣ୍ଡରେ ମୁଣ୍ଡାଇ ବୁଲୁଥିଲେ ମଧ୍ୟ ତା'ଠାରୁ ପୃଥିବୀଟାର ସବୁ ଆଶା ମୁଖ୍ୟତଃ ଛାଡ଼ି ଛାଡ଼ି ଯାଉଥିବ । ହୁଏତ ତା’ ପିଣ୍ଡାରେ ସଙ୍ଘାନୁରକ୍ତିର ଝଣ୍ଡାଗୁଡ଼ାକ କେତେ ଚହଟ ଓ କେତେ ଛଟକରେ ଫରଫର ଉଡ଼ୁଥିବ, ମାତ୍ର ତେଣେ ଇସ୍କୁଲଘରେ କୁଆ ଉଡ଼ୁଥିବ, ପିଲାମାନେ ପାଠ ପଢ଼ିବାକୁ ଆସି ଖାଡ଼ା ଉପାସରେ ଫେରୁଥିବେ । ଏବଂ, ଚାଟଶାଳୀଟିର ଏହି ଦୁଃଖଦଶାକୁ ଦେଖୁ ପିଲାଙ୍କ ବାପାମାଆ ସବାଆଗ ସେହି ଶିକ୍ଷକକୁ ହିଁ ସ୍ମରଣ କରୁଥିବେ । ଯାହା ପ୍ରକୃତରେ କରିବା ଉଚିତ, ବସ୍ତୁତଃ ତାହା ହିଁ କରୁଥିବେ ।

 

ଏକ ରୁଗଣ ସମାଜରେ ଭୂମିକାଟା ଏତେ ପ୍ରାଧାନ୍ୟ ଲାଭ କରିଥାଏ ଯେ, ବ୍ୟକ୍ତି ସେଇଟା ଦ୍ଵାରା ପ୍ରାୟ ଗିଳି ହୋଇ ରହିଯାଏ । ଏହି ଦେଶରେ ନିଜର ଉଚିତ ଦାବିଗୁଡ଼ିକୁ ହାସଲ କରିବାରେ ଆମେ ଯେଉଁସବୁ ସାମୂହିକ ସଙ୍ଘାସ୍ତ୍ରର ଆଶ୍ରୟ ନେଲୁ, ତାହା ବ୍ୟକ୍ତି ହିସାବରେ ଆମର ମର୍ଯ୍ୟାଦାକୁ ସେହି ପ୍ରକ୍ରିୟାରେ ପ୍ରକୃତରେ ହରଣ କରି ନେଇଗଲା କି ? ଆମର ଶିକ୍ଷାସ୍ଥାନ ମାନଙ୍କରେ କେବଳ ଆମେ ଶିକ୍ଷକମାନେ ଲଢ଼େଇ କଲୁ ନାହିଁ, ଆମଠାରୁ ଅପପ୍ରେରଣା ମାଗିନେଇ ଆମ ପିଲାମାନେ ବି ସେହି ବାଟରେ ନିଜ ପାଇଁ କେତେ କ'ଣ ଫାଇଦା ମାରିନେବେ ବୋଲି ବାହାରି ପଡ଼ିଲେ । ସଂଘବଦ୍ଧ ଶିକ୍ଷକମାନେ ଖାଲି ସରକାର ନୁହନ୍ତି, ଛାତ୍ରମାନଙ୍କର ଅନ୍ଦାଜକୁ ଗୋଟାଏ ପଲ ପରି ଦିଶିଲେ ଏବଂ ପ୍ରାୟ ସେହି ମାର୍ଗରେ ବାଇ ହୋଇଥିବା ଛାତ୍ରମାନେ ମଧ୍ୟ ଶିକ୍ଷକମାନଙ୍କୁ ଏକ ପଲ ପରି ଦେଖାଗଲେ । ଶିକ୍ଷାଳୟର ଅସଲ ବନ୍ଧନଟି କେଡ଼େ ବାଗରେ ଯେ ଛିନ୍ନ ହୋଇଗଲା, ସେକଥା କେହି ହେଲେ ଜାଣିପାରିଲେ ନାହିଁ । ଶିକ୍ଷାଳୟର ମୂଳ ବନ୍ଧନଟି ତୁଟିଯିବା ଫଳରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର ଔପଚାରିକ ଲକ୍ଷ୍ୟଟାକୁ ହାସଲ କରିବା ନିମନ୍ତେ ଛାତ୍ରମାନେ ଘରେ ଟିଉସନ ହେଲେ ଏବଂ ସୁଲଭ ସହାୟକ ବହିଗୁଡ଼ାକ ଦ୍ଵାରା ହିଁ କାମ ତୁଲାଇନେଲେ । ଏହିପରି ଏକ ମଉକା ପାଇଁ ସତେ ଅବା ଟାକି ବସିଥିବା କେତେ ଶିକ୍ଷକ ସେଥିରେ ପୂର୍ଣ୍ଣ ସହଯୋଗ କଲେ । ଏହାପରେ ଶିକ୍ଷାସ୍ଥାନମାନଙ୍କର ଆଉ କାହିଁକି କ’ଣ ମହତ୍ତ୍ୱ ବା ରହନ୍ତା ? ଏବଂ କ୍ରମେ ପରୀକ୍ଷା କେବେ ହେବ, ଫଳ କେତେବେଳେ ବାହାରିବ ଓ ଏପରିକି ଗୋଟିଏ ଶିକ୍ଷାନୁଷ୍ଠାନର ପାରମ୍ପରିକ ଉତ୍ସବଗୁଡ଼ିକ କେବେ ହେବ, ଏସବୁର ଋତୁଗୁଡ଼ାକ ଆଦୌ ବାଇଶ ନ ରଖି ବଦଳିଗଲା । ସାରଳା ଦାସଙ୍କର ଗୋଟାଏ କାହାଣୀ ଅନୁସାରେ କହିଲେ, ଆମ୍ବ ସିନା ଫଳିଲା ନାହିଁ, ସତ୍ୟାମ୍ବରେ ବେଦା ଭର୍ତ୍ତି ହୋଇଗଲା ।

 

ଗଣତନ୍ତ୍ରରେ ବ୍ୟକ୍ତି ଆଗ, ଭୂମିକା ଗୌଣ । ଭାରତବର୍ଷର ସାମୂହିକ ଜୀବନଟା ଉଚିତ ଶିକ୍ଷାର ପରିମଳ ପାଇ ସେହି ଅନୁସାରେ ବଦଳିଥାଆନ୍ତା । ପୃଥିବୀରେ ଯେଉଁସବୁ ଦେଶ ଗଣତନ୍ତ୍ରକୁ ଗଣଜୀବନ ଏବଂ ଗଣବିକାଶରେ ଜୀବନଧାରା ବୋଲି ଗ୍ରହଣ କରିଛନ୍ତି, ସେଠାରେ ମୂଳତଃ ଶିକ୍ଷାର କ୍ଷେତ୍ରରେ ହିଁ ବହୁ ଅନୁରୂପ ପରିବର୍ତ୍ତନମାନ କରାଯାଉଛି । ଆମର ଏଠାରେ ଶିକ୍ଷାଳୟ-ସମୁଦାୟଟି ଅପନ୍ତରା ହୋଇପଡ଼ିଛି । ଆମ ଦେଶର ପ୍ରାଣନାଡ଼ୀ ଗୁଡ଼ିକୁ ଯଥାସମ୍ଭବ ସମଗ୍ର ଭାବରେ ବୁଝି ଏଠି ଉଚ୍ଚ ଶିକ୍ଷାସ୍ଥାନ ମାନଙ୍କରେ କେତେ ପରୀକ୍ଷା ନିରୀକ୍ଷା ହେଉଥାଆନ୍ତା– ଆମ ଶିକ୍ଷକମାନେ ବାଟ କାଢ଼ୁଥାନ୍ତେ ଓ ସରକାର ସମେତ ସମସ୍ତେ ବୋଲ ମାନି ବାଟ ଚାଲୁଥାନ୍ତେ । ମାତ୍ର କ'ଣ ସବୁ ହଠାତ୍ ପ୍ରାପ୍ତିର ଜ୍ୱରରେ ପଡ଼ି ଆମେ ଏକ ଶିକ୍ଷକକୁଳ ହିସାବରେ ଆମର ଅସଲ ପଇତାଟାକୁ କାଢ଼ି ଫିଙ୍ଗିଦେଲୁ କେଜାଣି ? ଏ ବିଷୟରେ ଏକ ସୁସ୍ଥ ବିତର୍କ ହେବା ନିମନ୍ତେ ଯେକୌଣସି ସମାଜରେ ଯେତିକି ନିମ୍ନତମ ସଦିଚ୍ଛା ଓ ସହମତି ମଧ୍ୟ ରହିବା ଉଚିତ,ଆମେ ହୁଏତ ସେତିକିର ଭାଜନ ହୋଇ ପାରୁନାହୁଁ ବୋଲି ଏକ ଆରେକର ଦୋଷ ଦେଇ ପରମ ତୃପ୍ତି ଲାଭ କରୁଛୁ । ଅଶିକ୍ଷାର ଅରାଜକତାକୁ ନୂଆ ନୂଆ ଖୁରା ଯୋଗାଇ ଦେବାରେ ଖୁବ୍ ସାହାଯ୍ୟ କରୁଛୁ । ନଶ୍ୱର ଜୀବନକାଳଟା ମଧ୍ୟରେ କେବଳ ନିଜର ସୁଖବିଧାନ ସକାଶେ ଯେତିକି ହାସଲ କରାଯାଇ ପାରିବ, ଆମେ ତାହାକୁ ହିଁ ଆମ ଭୂମିକାଟାର ପରମବ୍ରତ ରୂପେ ଗ୍ରହଣ କରି ନେଉଛୁ । ଆମ ଭିତରର ବ୍ୟକ୍ତିଟା ହୁଏତ କୋଉ ତଳେ ଯାଇ ପୋତିହୋଇ ରହିଲାଣି । ଏହି ଯାବତୀୟ ଉଦ୍ଧାର କାର୍ଯ୍ୟ ଖାଲି ସରକାର ହିଁ କରନ୍ତା ବୋଲି ଆମେ ଦାଣ୍ଡରେ ବାହାରି କହିବାକୁ ଲାଗିଲୁଣି । ସରକାର ଉଦାସୀନ ରହିଛି ବୋଲି ଆମେ ନିଜ ସିଂହଭାଗଗୁଡ଼ାକ ମାରିଦେବାରେ ଏଭଳି ବ୍ୟସ୍ତ ହୋଇ ରହିଛୁ ଯେ ଘରଟା ଜଳିଯାଉଛି ବୋଲି ଅନ୍ତତଃ ପାଟିଟାଏ କରିବାକୁ ମଧ୍ୟ ଆମ ପାଖରେ କୌଣସି ବିବେକ ନାହିଁ ।

 

କୌଣସି ବିଚାର ରହିଥିବା ତ ଆହୁରି ଅଧୁକ ଦୂରର କଥା । ଏବେ ଆମ ଦେଶରେ ସରକାରୀ ଶିକ୍ଷାକଳଟା ମଧ୍ୟ ମୂଲ୍ୟଭିତ୍ତିକ ଶିକ୍ଷା କଥା କହିଲାଣି ଓ ସେଥିପାଇଁ ସ୍ୱତନ୍ତ୍ର ଭାବରେ ଅର୍ଥରାଶିର ବରାଦ ମଧ୍ୟ ହେଲାଣି । ଏବେ ସାନରୁ ବଡ଼ଯାଏ ଆମର ବିଦ୍ୟାଳୟଗୁଡ଼ିକ ଯେଉଁପରି ଛତରା ଅବସ୍ଥାରେ ରହିଛନ୍ତି, ସେଠି ଯାବତୀୟ ମୂଲ୍ୟଦୃଷ୍ଟି ପୁଣି କିପରି କୋଉ ବାଟରେ ଯାଇ ପ୍ରବେଶ କରିପାରିବ ? ଏବଂ, ଶିକ୍ଷକ ରାଜି ନହେବା ପର୍ଯ୍ୟନ୍ତ ବାଟଟିଏ ବି ଖୋଲିବ କିପରି ? ତେଣୁ ସକଳ ପରିବର୍ତ୍ତନକୁ ସମ୍ଭବ କରିବାକୁ ହେଲେ ଅନୁରୂପ ହୃଦୟ ଏବଂ ଅନୁରୂପ ଆଖି ରହିଥିବା ସବାଆଗ ଆବଶ୍ୟକ । ତୁମେ ଅଧିକରୁ ଅଧିକ ଦରମା ବଢ଼ାଇ କଦାପି କୌଣସି ଆଧୁନିକତମ କଳରୁ ଅଟକଳ ଅନୁସାରେ ସମର୍ଥ ଶିକ୍ଷକମାନଙ୍କୁ ବାହାର କରିପାରିବ ନାହିଁ । ସମୂହ ବା ସଙ୍ଘର ବସ୍ତୁତଃ କୌଣସି ବିବେକ ନଥାଏ । ବିବେକ ଘରେ ତାଲା ପଡ଼ି ରହିପାରିଲେ ଯାଇ ଜଣେ ଜଣେ ସଙ୍ଘ ନିମନ୍ତେ ପାକଳ ହୋଇପାରନ୍ତି । ସେହିମାନଙ୍କ ପାଟିଟା ହିଁ ସବୁଠାରୁ ଅଧିକ ଶୁଣାଯାଏ । ସେହିମାନେ ହିଁ ସରକାରଙ୍କ ସହିତ ଧରାପରା ଲଗାଇ ଅଧିକରୁ ଅଧିକ ହାସଲ କରିପାରନ୍ତି ଏବଂ ତାହାରି ଦ୍ୱାରା ବିବେକର ମୁହଁ ବାନ୍ଧି ଦିଅନ୍ତି ଏବଂ ପଲଟାକୁ ବଶ୍ୟ କରି ରଖିଥାନ୍ତି । ନିଜକୁ ମୂଳତଃ ଚକ୍ଷୁସମ୍ପନ୍ନ ଜଣେ ବ୍ୟକ୍ତି ବୋଲି ଅନୁଭବ କରୁଥିବା ଶିକ୍ଷକ ଯାବତୀୟ ଅବସରରେ ଅନ୍ୟ ଶିକ୍ଷକମାନଙ୍କ ସହିତ ରହିଥାଏ ସତ, ମାତ୍ର ସବାଆଗ ନିଜ ଶ୍ରେଣୀଗୃହକୁ ହିଁ ଦେଖେ, ତା’ ଛାତ୍ରଛାତ୍ରୀଙ୍କୁ ଦେଖେ । ବର୍ତ୍ତମାନ ଉପରେ ଛିଡ଼ା ହୋଇ ସିଏ କାମ୍ୟ ଭବିଷ୍ୟତଟି ଲାଗି ଖୁଣ୍ଟ ପୋତିବାରେ ଲାଗିଥାଏ । ସିଏ ପଢ଼ାଉଥିବା ପାଠ ହିସାବରେ କୋଉ ନିର୍ଦ୍ଦିଷ୍ଟ ବିଷୟଟିକୁ ବା ବିଷୟଗୁଡ଼ିକୁ ପଢ଼ାଏ, ତାହା ବିଷୟରେ ସିଏ ଅବଶ୍ୟ ସଜ୍ଞାନ ରହିଥାଏ; କିନ୍ତୁ ଆଧାରତଃ ଜଣେ ଦୃଷ୍ଟିସମ୍ପନ୍ନ ଏବଂ ଅଙ୍ଗୀକାରବଦ୍ଧ ବ୍ୟକ୍ତି ହିସାବରେ ସେ ତା’ ଶ୍ରେଣୀର ନିର୍ମୀୟମାଣ ବ୍ୟକ୍ତିମାନଙ୍କୁ ହିଁ ସମ୍ବୋଧନ କରିବାରେ ଲାଗିଥାଏ । ତା’ ସମ୍ବୋଧନ କରିପାରିବାର ସ୍ତର ତଥା ପରିସରଟି ଅନୁସାରେ ହିଁ ଶ୍ରେଣୀଗୃହର ସମ୍ପର୍କଗୁଡ଼ିକ ନିର୍ଦ୍ଧାରିତ ହେଉଥାଏ ।

 

ଭଗବାନ କରନ୍ତୁ, ସଙ୍ଘ ଭିତରେ ବ୍ୟକ୍ତିସଚେତନ ଓ ସମ୍ମାନବୋଧଯୁକ୍ତ ଶିକ୍ଷକମାନେ ଅଧିକ ସଂଖ୍ୟାରେ ରହନ୍ତୁ । ସେମାନେ ଆପଣାକୁ କେବଳ ସରକାରଙ୍କର ଶିକ୍ଷାଗୁହାଳରେ ଚାକିରିଆ କିମ୍ବା ସଙ୍ଘର ଲଗୁଡ଼ ଦ୍ଵାରା ଅଡ଼ା ହେଉଥିବା ଗୋଟିଏ ଗୋଟିଏ ପୁତ୍ତଳିକା ବୋଲି ଅନୁଭବ ନ କରନ୍ତୁ । ସଙ୍ଘରେ ମଞ୍ଚର ଦାବିଗୁଡ଼ିକୁ ହାସଲ କରିବାର ପ୍ରସଙ୍ଗଟି ନିଶ୍ଚୟ ପଡ଼ୁ ।

 

ମାତ୍ର ଶିକ୍ଷାର ପ୍ରସଙ୍ଗଗୁଡ଼ିକ ମଧ୍ୟ ସମାନ ଗୁରୁତ୍ୱ ଦେଇ ପଡ଼ୁ । ଶିକ୍ଷାର ପ୍ରସଙ୍ଗ ସମ୍ଭବ ହେଲେ ଅଧକ ପଡ଼ୁ । ନିଷ୍କର୍ଷମାନ ବାହାରୁ ଏବଂ ସେଗୁଡ଼ିକୁ ମଧ୍ୟ ସରକାରଙ୍କ ପାଖରେ ନେଇ ଉପସ୍ଥାପିତ କରାଯାଉ । ଏପରି ଏକ ଅନ୍ୟ ସମୟ ମଧ୍ୟ ଆସୁ, ଯେତେବେଳେ ପ୍ରଧାନତଃ ଏହି ଅନ୍ୟ ପ୍ରକାରର ଦାବିଗୁଡ଼ିକର ପୂରଣ ନିମନ୍ତେ ଧର୍ମଘଟ କରାଯାଉ । ନିଜ ଅଧିକାରଗୁଡ଼ିକ ସହିତ କର୍ତ୍ତବ୍ୟଗୁଡ଼ିକର ମଧ୍ୟ ଚର୍ଚ୍ଚା ହେଉ । ଏତିକି ହେବା ଆଦୌ ସବୁକିଛି ନୁହେଁ ସତ, ମାତ୍ର ଏତିକି ବି ହେବା ଆଦୌ କମ୍ କଥା ନୁହେଁ । ଶିକ୍ଷକମାନେ ଶ୍ରଦ୍ଧା କଲେ ହିଁ ସରକାରଟାକୁ ଶିକ୍ଷା ଆଡ଼କୁ ଟଳାଇ ପାରିବେ, ବହୁ ଅସମାଧାନକୁ ସମାଧାନରେ ପରିଣତ କରିପାରିବେ । ଅଳପ କଥାରେ କହିଲେ, ଶିକ୍ଷକ ନିଜର ଅସଲ ଘରକୁ ଫେରିଆସୁ, ନିଜ ଘରର ଟାଣ ମୂଳଦୁଆ ଉପରେ ଛିଡ଼ା ହୋଇ ଅମଙ୍ଗମାନଙ୍କୁ ଚୁନୌତି ଦେଉ, ମାଦଳ ସିରସ୍ତାଟାକୁ ସଚଳ କରୁ । ପ୍ରଥମ ପଦକ୍ଷେପଟି ସେଇ ଶିକ୍ଷକମାନେ ହିଁ ଗ୍ରହଣ କରନ୍ତୁ । ଫାଙ୍କି ଦେବା ପିଲାଙ୍କ ପରି ସରକାରଙ୍କ ମୁଣ୍ଡରେ ସବୁଯାକ ଅଠାକୁ ବୋଳି ଦେବାର ପାଞ୍ଚ ନକରନ୍ତୁ । ସରକାର ଯାଉଥିବ, ଆସୁଥିବ । ଧଳା ହାତୀମାନେ ଚାକିରି ପରେ କୁଆଡ଼େ ଅପଚରା ହୋଇ ରହି ଯାଉଥବେ ଯେ ସେମାନଙ୍କ ଠାରୁ ଆଦୌ କୌଣସି ଜବାବ ମାଗି ହେବନାହିଁ । ମାତ୍ର, ଶିକ୍ଷକକୁଳ ହିଁ ଉତ୍ତର ଦାୟୀ ରହିବ । ଯାହା ଉପରେ ସବୁଠାରୁ ଅଧିକ ଭରସା ରହିଥାଏ, ସବୁ ଗାଳି ତାହାରି ଉପରେ ହିଁ ବରଷେ । ପୃଥିବୀ ଯହୁଁ ଯହୁଁ ଆଗକୁ ଯାଉଥିବ, ପୃଥିବୀଯାକର ଭରସା ଶିକ୍ଷକ ଉପରେ ହିଁ ବଢ଼ି ଚାଲିଥିବ । ଏବଂ, ଧର୍ମତଃ ଶିକ୍ଷକ ଏହି କ୍ଷେତ୍ରରେ କଦାପି ଧୋକା ଦେଇପାରିବ ନାହିଁ ।

୧୩/୦୩/୨୦୦୦

Image

 

ଦର୍ଶନ ଅଧ୍ୟାପକଙ୍କ ସମ୍ମିଳନୀ

 

ଡେନମାର୍କର ପ୍ରସିଦ୍ଧ ଦାର୍ଶନିକ ସୋରେନ୍ କିର୍କେଗାର୍ଡ ତାଙ୍କର ଡାଏରୀରେ ଦାର୍ଶନିକ ଏବଂ ଦର୍ଶନ-ଶିକ୍ଷକ ବା ଅଧ୍ୟାପକଙ୍କ ମଧ୍ୟରେ ରହିଥିବା ସ୍ପଷ୍ଟ ପ୍ରଭେଦଟିକୁ ସର୍ବଦା ସ୍ମରଣ ରଖିବା ବିଷୟରେ ସମସ୍ତଙ୍କୁ ସତର୍କ କରି ଦେଇଥିଲେ । ଦାର୍ଶନିକ ହେବାକୁ ହେଲେ ଆଦୌ ଦର୍ଶନଶାସ୍ତ୍ରର ଅଧ୍ୟାପକ ହେବାକୁ ପଡ଼େନାହିଁ ଏବଂ ସବୁ ଦର୍ଶନ ଅଧ୍ୟାପକ ଯେ ଦର୍ଶନଶାସ୍ତ୍ର ପଢ଼ାଉ ପଢ଼ାଉ ଜଣେ ଜଣେ ଦାର୍ଶନିକ ହୁଅନ୍ତି, ସେକଥା ମଧ୍ୟ ନୁହେଁ । ଦୃଷ୍ଟାନ୍ତସ୍ଵରୂପ ଶ୍ରୀଯୁକ୍ତ କିର୍କେଗାର୍ଡ ପ୍ରାଚୀନ ଗ୍ରୀସର ପ୍ଲେଟୋ ଏବଂ ଜର୍ମାନୀର ଏକ ବିଶ୍ଵବିଦ୍ୟାଳୟରେ ଦର୍ଶନର ଅଧ୍ୟାପନା କରୁଥିବା ହେଗେଲ୍‌ଙ୍କର ଉଲ୍ଲେଖ କରିଛନ୍ତି । ପ୍ରାଚୀନ ଏଥେନ୍ସ ସହରରେ ପ୍ଲେଟୋ ତାଙ୍କର ଅଗ୍ରଜ ଶ୍ରୀ ସକ୍ରେଟିସ୍‌ଙ୍କ ସହିତ ରାସ୍ତାରେ ବୁଲୁଥିଲେ । ସକ୍ରେଟିସ୍ ଅନ୍ୟମାନଙ୍କ ସହିତ କରୁଥିବା କଥୋପକଥନକୁ ଶୁଣୁଥିଲେ ଏବଂ ଟିପି ରଖୁଥିଲେ । ଏବଂ ସକ୍ରେଟିସ୍‌ଙ୍କ ଅନ୍ତେ ଦର୍ଶନର ଅନୁଶୀଳନକୁ ଜୀବନର ବ୍ରତ ରୂପେ ଗ୍ରହଣ କଲେ । ସେହି ଅଢ଼େଇ ହଜାର ବର୍ଷ ପୂର୍ବେ ମଧ୍ୟ ସମାଜବିଧାନ, ନ୍ୟାୟ, ସୁନ୍ଦର-ଅସୁନ୍ଦର ଏବଂ ଆଦର୍ଶ ନଗର-ବ୍ୟବସ୍ଥା ବିଷୟରେ ସିଏ ଯାହାସବୁ ଲିପିବଦ୍ଧ କରି ଯାଇଥଲେ, ଆମର ଉପସ୍ଥିତ ସତ୍ୟାନ୍ୱେଷଣର କ୍ଷେତ୍ରଗୁଡ଼ିକରେ ମଧ୍ୟ ତାହାର ପ୍ରାସଙ୍ଗିକତା ରହିଛି ।

 

ହେଗେଲ୍ ଜର୍ମାନୀର ଏକ ବିଶ୍ୱବିଦ୍ୟାଳୟରେ ଦର୍ଶନର ଅଧ୍ୟାପକ ଥିଲେ । ପ୍ରବୀଣ ମେଧାର ପ୍ରଦର୍ଶନ କରି ହେଗେଲ୍ ମଧ୍ୟ ମନ, ପୃଥୀ ଇତିହାସ, କୌଣସି ସମାଜକୁ ପରିଚାଳିତ କରୁଥିବା ପ୍ରବିଧି ତଥା ମନୁଷ୍ୟର ଚିନ୍ତନରୀତି ବିଷୟରେ ଘୋର ପାଣ୍ଡିତ୍ୟପୂର୍ଣ୍ଣ କେତେ ଗ୍ରନ୍ଥର ରଚନା କରି ଯାଇଛନ୍ତି । ହେଗେଲ୍‌ଙ୍କଠାରୁ ଏକାଧିକ ସୁରାଖ ନେଇ କାର୍ଲମାର୍କସ୍ ମନୁଷ୍ୟ ତଥା ତା’ ସାମାଜିକ ଜୀବନର ଗତି ଏବଂ ନିୟତି ବିଷୟରେ ଯାହାକିଛି ଦର୍ଶାଇ ଯାଇଛନ୍ତି, ତାହା ପ୍ରାୟ ଅବିଚ୍ଛିନ୍ନ ଭାବରେ ପୃଥିବୀର ବିବେକକୁ ଉଦବେଳିତ କରିବାରେ ଲାଗିଛି । ମାର୍କ୍ସ କୌଣସି ବିଶ୍ୱବିଦ୍ୟାଳୟରେ ଦର୍ଶନଶାସ୍ତ୍ରର ଅଧ୍ୟାପକ ନଥିଲେ । ଦର୍ଶନକୁ ନିଜ ଜୀବନଭୂମିକାର ଧ୍ରୁବତାରା ରୂପେ ଗ୍ରହଣ କରୁଥିଲେ । ସତ୍ୟ ବିଷୟରେ ଅଧ୍ୟାପନା କରିବା ଏବଂ ଜୀବନରେ ସତ୍ୟର ଅନ୍ୱେଷଣ କରିବା, ଦୁଇଟାଯାକ ଆଦୌ ଗୋଟିଏ କଥା ନୁହନ୍ତି । ଜୀବନରେ ଯାହାକୁ ମୁଁ ବୃତ୍ତି ରୂପେ ଗ୍ରହଣ କରିଛି, ନିଜ ଜୀବନରେ ମୋତେ କ’ଣ ତାହା ମୋର ବ୍ରତରୂପେ ମଧ୍ୟ ବାଟ ଦେଖାଉଛି ? ପୃଥିବୀର ବିଶ୍ଵବିଦ୍ୟାଳୟ ମାନଙ୍କରେ ଦର୍ଶନଶାସ୍ତ୍ରର ଧୁରନ୍ଧର ଅଧ୍ୟାପକମାନେ ରହିଛନ୍ତି ଓ ସେମାନେ କ’ଣ ଯାହା କହୁଛନ୍ତି, ସେହି ଅନୁସାରେ ଜୀବନ ବଞ୍ଚିଛନ୍ତି ? ଏହି ମୁତାବକ ଆମେ ‘ଦର୍ଶନ’ ନାମକ ଭାରତୀୟ ଶବ୍ଦ ଏବଂ ଇଉରୋପୀୟ ଫିଲୋସଫି ଶବ୍ଦଟି ମଧ୍ୟରେ ଏକ ତୁଳନାତ୍ମକ ଆଲୋଚନା ମଧ୍ୟ କରିପାରନ୍ତେ । ଗୋଟିକୁ ଆମେ ନିଜର ଉପଲବ୍‍ଧି ବୋଲି କହିପାରିବା ଏବଂ ଆଉଟିକୁ ଆମ ବିଚକ୍ଷଣ ମଥାଟାର ଏକ ମୁଗ୍ଧକାରୀ କସରତ ବୋଲି ହୁଏତ କହିବା । ଯିଏ ଅର୍ଥନୀତି ପଢ଼ାଏ, ସିଏ କାହିଁକି ସବୁବେଳେ ଅର୍ଥନୀତିଜ୍ଞ ହେବ ? ସେହିପରି ଭାବରେ ରାଜନୀତି ଅଧାପନା କରୁଥିବା ବ୍ୟକ୍ତିଟିଏ ସମ୍ଭବତଃ ଆଦୌ ରାଜନୀତିଜ୍ଞ ହୋଇ ନଥିବେ-। ଦେଶରେ ଯେଉଁମାନେ ରାଜନୀତି ମଧ୍ୟରେ ବିହରଣ କରନ୍ତି, ସେମାନେ ହୁଏତ ରାଜନୀତି ଶାସ୍ତ୍ରର ଗହନକୁ ମୋଟେ ପ୍ରବେଶ କରିନଥାନ୍ତି । କବିତା ପଢ଼ାଉଥିବା ଅଧ୍ୟାପକ କାହିଁକି କବି ହେବାକୁ ବାଧ୍ୟ ହେବ ? ଗୋଟିଏ ବିଷୟକୁ ଆଦୌ ଭଲ ପାଇ ଅର୍ଥାତ୍ ସେଥିରେ ଆଗ୍ରହ ନଥାଇ ମଧ୍ୟ ଜଣେ ବ୍ୟକ୍ତି ସେହି ବିଷୟଟିର ଅଧ୍ୟୟନ ତଥା ଅଧ୍ୟାପନା ପୂର୍ଣ୍ଣ ସାମର୍ଥ୍ୟ ସହିତ ଅବଶ୍ୟ କରିପାରିବ । ବିଜ୍ଞାନର ଅଧାପନା କରୁଥିବା ସବୁଯାକ ବୀର କ’ଣ ପ୍ରକୃତରେ ସେହି ବିଜ୍ଞାନରେ ଆଗ୍ରହ ରଖୁଥାଆନ୍ତି ? ଏବଂ ଖାସ୍' ଆମ ଦେଶର ଭାଡ଼ିତଳକୁ ପଶି କହିବାକୁ ଗଲେ, ଡାକ୍ତର ବା ଇଂଜିନିୟର ବନିଥିବା ସମସ୍ତେ କ’ଣ ମୂଳତଃ ନିଜ ଆଗ୍ରହ ଦ୍ଵାରା ପ୍ରେରିତ ହୋଇ ସେହି ବିଦ୍ୟାଗୁଡ଼ିକର ଅଧ୍ୟୟନ କରିଥାନ୍ତି କିମ୍ବା ଅଧ୍ୟାପନା କରୁଥାନ୍ତି ? ଏହି ବିଷୟଗୁଡ଼ିକୁ ଅଧ୍ୟୟନ କରି ଏବେ ତ ଆମର ଏଠାରେ ଅନେକେ ରାଜନୈତିକ ନିର୍ମଳ ମତଲବଟିଏ ସହିତ ବଡ଼ ପ୍ରଶାସକଟାଏ ହେବାର ପ୍ରେମରେ ସେହି ପରୀକ୍ଷାରେ ଅବତୀର୍ଣ୍ଣ ହୁଅନ୍ତି । ଦର୍ଶନଶାସ୍ତ୍ର ପଢ଼ି କୃତିତ୍ୱ ଅର୍ଜନ କରିଥିବା କେହି ଜଣେ ଚାକିରି କରିବାର ଥାନ ବା କ୍ଷେତ୍ରଟିଏ ଖୋଜି ଯଦି ଜଣେ ପୋଲିସ୍ ହେଲା, ଆୟକର ବିଭାଗକୁ ଗଲା, ଅଥବା ଅବକାରୀ ବିଭାଗରେ ଯାଇ ପଶିଗଲା ସେଥିରେ ହୁଏତ କେହିହେଲେ ବିସ୍ମୟ ପ୍ରକାଶ କରିବେ ନାହିଁ । ତେଣୁ ଆପଣ ଇଚ୍ଛା କଲେ ପୂରା ଚାକିରିଟାଏ କରିବା ନିମନ୍ତେ ଦର୍ଶନର ଅଧ୍ୟାପକ ଅବଶ୍ୟ ହୋଇପାରନ୍ତି ଏବଂ ଗୋଟାଏ ବିଶେଷ ବିଷୟରେ ଆଗ୍ରହ ଅଛି ବୋଲି ଆପଣ ତାହାର ଅଧ୍ୟୟନ ଆଦୌ ନକରି ବାଡ଼ି ବୁଲାଉ ବୁଲାଉ ଦୈବ ବରାଦରେ ସେଇଟା ଯୋଗକୁ ଯେଉଁ ରନ୍ଧ୍ରରେ ଯାଇ ପଶିଗଲା, ନିଜକୁ ଆପଣ ତାହାରି ଅଧ୍ୟୟନ ପାଇଁ ଆବଶ୍ୟକ ପାଗଟାଏ ଅବଶ୍ୟ ମୁଣ୍ଡରେ ବାନ୍ଧିନେଇ ପାରନ୍ତି ।

 

ତେଣୁ, ଦର୍ଶନ-ଅଧ୍ୟାପକମାନଙ୍କର ସମ୍ମିଳନୀରେ ଯେଉଁମାନେ ଆସୀନ ଥାଆନ୍ତି, ଏମାନେ ସମସ୍ତେ ଆଦୌ ଦାର୍ଶନିକ ନୁହନ୍ତି । ହୁଏତ ଅଧିକାଂଶ ଅଫିମ ଦୋକାନଟିଏ ଦେଇଥାନ୍ତି ସିନା, ମାତ୍ର ମୋଟେ ଅଫିମ ଖାଆନ୍ତି ନାହିଁ । ଏହିସବୁ ସମ୍ମିଳନୀରେ ଘୋର ଆଲୋଚନା ହୁଏ, ନିବନ୍ଧ ପାଠ କରାଯାଏ । ସତେଅବା କ୍ଷଣେ ମନୋରଞ୍ଜନରେ ସମସ୍ତେ ସେଠାରେ ଏକତ୍ର ହୋଇଥାନ୍ତି । ପ୍ରାୟ କିଛି ଚର୍ଚ୍ଚା ହୁଏ ନାହିଁ । କୌଣସି ଡାଇଲଗ୍ ମୋଟେ ଆକୃଷ୍ଟ କରେନାହିଁ । ବରିଷ୍ଠ ଦର୍ଶନ ଅଧ୍ୟାପକମାନଙ୍କୁ ସମ୍ମାନରେ ଆପ୍ୟାୟିତ କରାଯାଏ । ସେଇଟା ଅଧିକାଂଶତଃ ଏକ ପ୍ରତୀକାତ୍ମକ ସ୍ତରରେ ଗୁରୁଦକ୍ଷିଣା ପରି କାର୍ଯ୍ୟ ହୁଏତ କରୁଥାଏ । ମିଛ କୃତଜ୍ଞତାମାନ ଜ୍ଞାପନ କରାଯାଉଥାଏ । ବିଶ୍ଵବିଦ୍ୟାଳୟ ନାମକ ଅନାବାଦୀଟା ଭିତରେ ଯେଉଁମାନେ ପିଲାମାନଙ୍କର ପରୀକ୍ଷା ଖାତାରୁ ହିଁ ସେମାନଙ୍କର ମାନନିର୍ଦ୍ଧାରଣ ବା ମାରଣ ତଥା ନିସ୍ତାରଣ କରିବାରେ ନିତ୍ୟ ଅଭ୍ୟସ୍ତ ହୋଇ ରହିଥାଆନ୍ତି, ସେମାନଙ୍କୁ ସମ୍ମିଳନୀର ସେହି ଦୁଇ ତିନିଟା ଦିନ ଗୋଟାସୁଦ୍ଧା ଗୋଟାଏ ପିକ୍‌ନିକ୍ ପରି ଅବଶ୍ୟ ଲାଗୁଥିବ । ଦର୍ଶନର କୌଣସି ସମସ୍ୟା ସେମାନଙ୍କର ମୁଣ୍ଡକୁ ମୋଟେ ଘାରୁନଥିବ । ଭିତରର ଅକାଳ ବୃଦ୍ଧଟା ବିଷାଦ-ଯୋଗରେ ଭାରି ଅସ୍ୱାଭାବିକ ଭାବରେ ଆମୋଦିତ ହୋଇ ରହିଥିବ ।

 

ସେମାନେ ଶ୍ରେଣୀଗୃହରେ ନିଜ ଛାତ୍ରଛାତ୍ରୀଙ୍କ ସହିତ ଆମର ଏହି କାଳଟାକୁ ମାଡ଼ି ବସିଥିବା କୌଣସି ପ୍ରଶ୍ନର ବ୍ୟାପ୍ତି ବା ପ୍ରକୃତିଗୁଡ଼ିକୁ ନେଇ କେବେ କୌଣସି ଡାଏଲରେ ଅବତୀର୍ଣ୍ଣ ହୋଇନଥିବେ । ସେହି ଯାବତୀୟ ଚେଷ୍ଟାକୁ ତୁଚ୍ଛା ମାୟା ବୋଲି ଧରିନେଇ ସେମାନେ ନିଜର କୁକ୍ଷିଟା ଭିତରେ ବଡ଼ ସରାଗରେ ଆପଣାକୁ ଜାକି ଧରିଥିବେ । ନିଜ ପରି ନିଜର ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଏକାବେଳକେ ମୂଳାଧାର ଠାରୁ ଆଜ୍ଞାଚକ୍ର ପର୍ଯ୍ୟନ୍ତ ନିର୍ଧୁମ ବେଙ୍ଗା କରି ରଖିଥିବେ । ଆଗ ନିଜ ପାଇଁ ଜୀବନ ଦର୍ଶନଟିଏ ବାଛି ଏବଂ ତେଣୁ ଏକ ସତ୍ୟର ସାକ୍ଷାତ କରି ପାରିଥିଲେ ଯେ, ଜଣେ ବ୍ୟକ୍ତି ଅଧିକ ସମ୍ପୂର୍ଣ୍ଣ ଭାବରେ ଦର୍ଶନର ଜଣେ ଅଧ୍ୟାପକ ମଧ୍ୟ ହୋଇପାରନ୍ତା, ସେହି ଅନୁମାନଟି ଠାରୁ ସେମାନେ ଚାହାଳୀଚୋର ପରି କୋଉ ଦିନୁଁ ବିଦା ହୋଇ ଆସି ସାରିଥିବେ ।

 

୧୯୯୮ ମସିହା ଅଗଷ୍ଟ ମାସରେ ଯୁକ୍ତରାଜ୍ୟ ଆମେରିକାରେ ଏହିପରି ଦର୍ଶନ ଅଧ୍ୟାପକମାନଙ୍କ ବିଂଶତମ ବିଶ୍ଵ ସମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ଯୋଗଦେବାକୁ ଆସିଥିବା ତିନି ହଜାରରୁ ଊର୍ଦ୍ଧ୍ୱ ପ୍ରତିନିଧିଙ୍କ ମଧ୍ୟରୁ ଅଧିକାଂଶ ହିଁ ଦର୍ଶନ ବା ଆଉ କିଛି ପଢ଼ାଉଥିବା ଜଣେ ଜଣେ ଅଧ୍ୟାପକ ହୋଇଥିଲେ ହେଁ ସମାବେଶଟିକୁ ଦାର୍ଶନିକମାନଙ୍କ ସମ୍ମିଳନୀ ବୋଲି ଅଭିହିତ କରାଯାଇଥିଲା । ବୋଷ୍ଟନ୍ ସହରରେ ଡକାଯାଇଥିବା ଏହି ସମାବେଶକୁ ଏହି ପ୍ରକାରର ବୃହତ୍ତମ ସମ୍ମିଳନୀ ବୋଲି ଉଲ୍ଲେଖ ମଧ୍ୟ କରାଯାଇଥିଲା । ସମ୍ବାଦପତ୍ରରେ ବାହାରିଥିବା ଏକ ବିବରଣୀ ଅନୁସାରେ ଏହି ବିଦ୍ୱାନମାନେ ଏକାଠି ସମବେତ ହୋଇ ବିଶ୍ଵର ମହାସମସ୍ୟାଗୁଡ଼ିକୁ ଆଲୋଚନା କଲାବେଳେ ପ୍ରତ୍ୟେକେ ଅନ୍ୟ ଅନେକଙ୍କ ଠାରୁ ଅଧିକ ମେଧାସମ୍ପନ୍ନ ବୋଲି ଏକ ଧାରଣା ସୃଷ୍ଟି କରିବାକୁ ପ୍ରାୟ ଏକ ପ୍ରତିଦ୍ୱନ୍ଦିତା ମଧ୍ୟ କରୁଥିଲେ । କେତେ କେତେ ଗହନର ବିଷୟଗୁଡ଼ିକୁ ସତେଅବା ଜିରାଜ୍ଞାନରେ ସେଗୁଡ଼ିକରୁ ଶିରା ବାହାର କରିବାରେ ସଦା ରତ ହୋଇ ରହିଥିଲେ । ଉଚ୍ଚ ଉଚ୍ଚ ଶିକ୍ଷାସ୍ତରରେ ସାଧାରଣ ଟିକସଦାତାଙ୍କ ପଇସାରେ ପୃଥିବୀଯାକ ଯେ ଦର୍ଶନଶାସ୍ତ୍ରର ଅଧାପନା ଚାଲି ଆସିଛି, ଅଧ୍ୟାପକମାନେ ଅନେକେ ତାହାର ଅବଶ୍ୟ ଏକ ଆବଶ୍ୟକତା ରହିଛି ବୋଲି ପ୍ରମାଣ କରିବାକୁ ଚେଷ୍ଟା କରୁଥିଲେ । ପୃଥିବୀଟା କ୍ରମେ ଭାରି ତତ୍କାଳବାଦୀ ଓ ପ୍ରୟୋଜନବାଦୀ ହୋଇଗଲାଣି । ଯାହା ହଠାତ୍ ଲାଭ ଦେଉଛି ଓ ସଫଳ କରାଉଛି, ତାହା ହିଁ କାମ୍ୟ ବୋଲି ଗୋଟାଏ ଚମତ୍କାର ସହଜ ଗଣିତ ପୃଥିବୀର ଅଧିକରୁ ଅଧିକ ମଣିଷଙ୍କୁ ଭାରି ଆକର୍ଷକ ଲାଗୁଛି । କ’ଣ ପ୍ରକୃତରେ ହେବା ଉଚିତ, ଜୀବନରେ ଗୋଟିଏ ଲକ୍ଷ୍ୟ ବାଛିନେଇ ସେହି ଅନୁସାରେ ବାଟଟିଏ ବାଛିବାକୁ ଓ ଏପରିକି ବାଟଟିଏ ତିଆରି କରିବାକୁ ଆଧୁନିକ ପ୍ରସାଧନୀ ମଣିଷ ପାଖରେ ଆଉ ପ୍ରାୟ ବେଳ ନାହିଁ । ତେଣୁ, ହୁଏତ ଦର୍ଶନ ଲାଗି ମଧ୍ୟ ଆଦୌ କୌଣସି ବେଳ ନାହିଁ । ଆଧୁନିକ ଜଗତରେ ତେଣୁ ଦର୍ଶନଶାସ୍ତ୍ର ଅଧ୍ୟୟନର ହୁଏତ ସେପରି ବିଶେଷ ପ୍ରୟୋଜନ କିଛି ନାହିଁ । ଦର୍ଶନ ଅଧ୍ୟାପନାର କ୍ଷେତ୍ରରେ ଏହି ସଙ୍କଟଟିର ଗନ୍ଧ ମଧ୍ୟ ବାରି ହୋଇ ପଡ଼ିଲାଣି ।

 

ଏବେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଦର୍ଶନକୁ ଅନେକେ ସେହି କାରଣରୁ କେତେଟା ବୁଢ଼ାଙ୍କର ଏକ ତର୍କ-କସରତ ବୋଲି ହୁଏତ ଭାବିବାକୁ ଆରମ୍ଭ କଲେଣି । ଦର୍ଶନଶାସ୍ତ୍ରର ଅଧ୍ୟୟନ କରିବା ଦ୍ଵାରା ଏ ଯୁଗରେ କି ଲାଭ ହେବ ବୋଲି ମଧ୍ୟ କେହି କେହି ପ୍ରଶ୍ନ କଲେଣି ? ପୃଥିବୀ ଯାକର ରାଷ୍ଟ୍ର ଓ ରାଜନୀତି ମଧ୍ୟ ସତେଅବା ମଣିଷମାନଙ୍କୁ ବହୁ ତାତ୍କାଳିକ ସିଦ୍ଧିର ମାର୍ଗରେ ଦଉଡ଼ାଇ ନେବାକୁ କେତେ କେତେ ଫନ୍ଦି ବାହାର କଲେଣି । ମନୁଷ୍ୟମାନେ ନିଜେ ଭାବନ୍ତୁ, ନିଜ ଭିତରର ବିବେକକୁ ପରିପକ୍ୱ କରି ଆଣନ୍ତୁ ବୋଲି ସେମାନେ କ୍ଵଚିତ୍ ଇଚ୍ଛା କରୁଛନ୍ତି । ଏବର ପୃଥିବୀଟାକୁ ଆହୁରି ଅଧିକ ସମ୍ପନ୍ନତାଯୁକ୍ତ କରି ରଖୁବାକୁ ହେଲେ ବୋଲ ମାନୁଥିବା ମନୁଷ୍ୟଙ୍କର ହିଁ ସ୍ଵୟଂମନନ କରୁଥିବା ମଣିଷଙ୍କ ଅପେକ୍ଷା ବଜାରମୂଲ୍ୟ ଅଧିକ ରହିଛି । ତେଣୁ ଦର୍ଶନର ଅଧ୍ୟୟନ କ୍ରମେ ଅଲୋଡ଼ା ହୋଇପଡ଼ୁଛି ବୋଲି ଏକ ଆଶଙ୍କା ବୃଦ୍ଧି ପାଇବାରେ ଲାଗିଲାଣି । ଫଳରେ ଦର୍ଶନର ଅଧ୍ୟାପକମାନେ ମଧ୍ୟ ଧୀରେ ଧୀରେ ଅଲୋଡ଼ା ହୋଇ ପଡ଼ିବେ ନାହିଁ ତ ? ତଥାପି ଆଶାନ୍ୱିତ ହେବାର ଏକ କାରଣ ମଧ୍ୟ ରହିଛି । ଯୁକ୍ତରାଜ୍ୟ ଆମେରିକାରେ ବିଶ୍ୱବିଦ୍ୟାଳୟର ସ୍ତରରେ ୧୯୯୦ ତୁଳନାରେ ୧୯୯୫ ମସିହାରେ ଦର୍ଶନ-ଅଧ୍ୟୟନକାରୀଙ୍କ ସଂଖ୍ୟା ଶତକଡ଼ା ପାଞ୍ଚ ବୃଦ୍ଧି ପାଇଛି ବୋଲି ହିସାବରୁ ଖବର ମିଳୁଛି । ମଝିରେ କେତେ ବର୍ଷ ଦର୍ଶନ ବିଭାଗମାନଙ୍କରେ ବିଦ୍ୟାର୍ଥୀ ସଂଖ୍ୟା କିଞ୍ଚିତ୍ ପାତଳା ହୋଇଯାଇଥିଲା । ଏବେ ସେଥିରେ ଏକ ପରିବର୍ତ୍ତନ ଲକ୍ଷିତ ହେଉଛି ।

 

ଦର୍ଶନ ଅଧ୍ୟାପକମାନଙ୍କର ଏହି ବିଶ୍ଵ ସମାବେଶଟିକୁ ସାହାର କରିବାରେ ପ୍ରାୟ ଦଶଲକ୍ଷ ଡଲାର ଅର୍ଥାତ ସାଢ଼େ ଚାରିକୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଆମେରିକାର ଛଅଟି ବିଶ୍ଵବିଦ୍ୟାଳୟ ସହିତ ମିଳିତ ଜାତିସଂଘର ଅନୁଦାନ ଏକାଠି ମିଶି ଏହି ଅର୍ଥ ଯୋଗାଡ଼ ହୋଇପାରିଥିଲା । ପ୍ରସ୍ତୁତି ନିମନ୍ତେ ଦୁଇବର୍ଷ ସମୟ ଲାଗିଲା । ପ୍ରତିନିଧିଙ୍କୁ ପାରମ୍ପରିକ ଆରାମ ଯୋଗାଇ ଦେବାରେ ଆଦୌ କୌଣସି ତ୍ରୁଟି ମଧ୍ୟ କରାଯାଇ ନଥିଲା । ଦର୍ଶନବାଲା ଯେ କମ୍ ଆଡ଼ମ୍ବର ଓ ଆରାମରେ ସବୁ ଚଳାଇ ନେଇ ଏକ ସ୍ଵତନ୍ତ୍ର ଦୃଷ୍ଟାନ୍ତର ପରିଚୟ ଦେବେ, ସେଭଳି ଭାବିବାର ଆଦୌ କୌଣସି କାରଣ ନଥିଲା । ପ୍ରତ୍ୟେକ ପ୍ରତିନିଧି ଏହି ସମାବେଶର ସ୍ମାରକୀ ସ୍ୱରୂପ ବିକ୍ରୀ ହେଉଥିବା ଚାବି ରିଙ୍ଗ୍‍କୁ ଦୁଇ ଡଲାର (୮୫ ଟଙ୍କା) ଦେଇ କ୍ରୟ କରି ନେଇଥିଲେ । ଭୋଜି ଭାତରେ ମଧ୍ୟ ଅର୍ଥବ୍ୟୟର ସ୍ତରଟିକୁ ବେଶ୍ ଉଚ୍ଚରେ ରଖାଯାଇଥିଲା । ରାତିରେ ସଂଗୀତର ବୃହତ୍ କାର୍ଯ୍ୟକ୍ରମମାନ ରହିଥିଲା; ସେତେବେଳେ ନିଜ ଖର୍ଚ୍ଚରେ ସୁରାପାନର ଆନନ୍ଦ ମଧ୍ୟ ପ୍ରାପ୍ତ ହେଉଥିଲା । ଅବାଟରେ ପଳାଇ ଯାଉଥିବା ସାମ୍ପ୍ରତିକ ପୃଥିବୀଟାକୁ ଯେ ଦର୍ଶନ ବାଟ ଦେଖାଇବ ବା କୌଣସି ସୁସ୍ଥତର ବିକଳ୍ପର ପ୍ରତିଶ୍ରୁତି ଦେଇପାରିବ, ଏହି ସମାବେଶରେ ସେପରି ଅନୁମାନ କରିବାର ବିଶେଷ ଅବକାଶ ନଥିଲା ।

 

ଦର୍ଶନଶାସ୍ତ୍ରର ଜଣେ ଅଧ୍ୟାପକ ଯଦି ସତକୁ ସତ ଦାର୍ଶନିକଟାଏ ହୋଇଥାନ୍ତା, ଅର୍ଥାତ୍ ଯଦି ସିଏ ନିଜ ଜୀବନର ଜିଜ୍ଞାସା ବଳରେ ସମଗ୍ର ଭାବସତ୍ୟଟିଏ ପାଇଥାନ୍ତା ଏବଂ ସିଏ ଅର୍ଜନ କରୁଥିବା ପୃଥିବୀଯାକର ଜ୍ଞାନକୁ କାମରେ ଲଗାଇ ନିଜର ଏକ ବିଚାର-ସତ୍ୟରେ ଉପନୀତ ହୋଇଥାଆନ୍ତା, ତେବେ ତଥାକଥିତ ତା’ ଶ୍ରେଣୀଗୃହରେ ମଧ୍ୟ ସିଏ ଏକ ଏକାବେଳକେ ଅନ୍ୟ ପୃଥି-ସଂକ୍ରମଣର କାରଣ ହୁଅନ୍ତା । ତା’ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସିଏ ସତେ ଅବା ଏକ ଜୀବନ୍ତ ଲାବୋରେଟରୀ ପରି ଭାରି କାମରେ ଆସନ୍ତା ଏବଂ କେତେ ଚିତ୍ତରେ କେତେ କେତେ ଉନ୍ମୋଚନକାରୀ ଆଲୋଡ଼ନ ସୃଷ୍ଟି କରିପାରନ୍ତା । ପିଲାମାନଙ୍କୁ ସିଏ ବହିଗୁଡ଼ାକର ପାଠକଥା କହୁଥିବା ସମୟରେ ମଧ୍ୟ ତା’ ପିଲାମାନଙ୍କ ପାଇଁ ସେହି ବହିଗୁଡ଼ାକରେ ଜୀବନ୍ୟାସ ଦେଇପାରନ୍ତା-। ନିଜ ଅଧାପନାଟି ତାକୁ ଆଦୌ କୌଣସି ଅର୍ଥରେ ଗୋଟାଏ ଚାକିରି ପରି ଲାଗନ୍ତା ନାହିଁ-। ଚାକିରିଟାକୁ ସିଏ ଏକ ସୁନିଶ୍ଚିତ ଅନ୍ତରପ୍ରଦତ୍ତ ଅନୁମତିପତ୍ର ରପେ ବ୍ୟବହାର କରିପାରନ୍ତା-। ସିଏ ସତକୁ ସତ ସାଙ୍ଗ ଅର୍ଥାତ୍ ସତୀର୍ଥମାନଙ୍କୁ– ଖୋଜି ବାହାରି ଥାଆନ୍ତା-

 

ସତକୁ ସତ ସତୀର୍ଥମାନଙ୍କର ବି ଭେଟି ପାଇଥାନ୍ତା । ଏହି ନିୟମଟି ଅନୁସାରେ, କେବଳ ଜଣେ ଦର୍ଶନ-ଅଧ୍ୟାପକ ନୁହେଁ ଅଥବା କେବଳ ଜଣେ ଅଧ୍ୟାପକ ନୁହେଁ, ଆପଣା ଜୀବନରେ କେନ୍ଦ୍ରଟିଏ ତଥା ଦର୍ଶନଟିଏ ପାଇଥିବା ଜଣେ ଯେକୌଣସି ମନୁଷ୍ୟ ମଧ୍ୟ ଯୁଆଡ଼େ ଯାଆନ୍ତା, ପୃଥିବୀକୁ ପାହାଚେ ଆଗେଇ ନେବାର ସେହି ପୁନୀତ କାର୍ଯ୍ୟଟିକୁ ହିଁ କରନ୍ତା । ଏପରି କୌଣସି ବ୍ୟକ୍ତିଙ୍କୁ ଯଦି ଆପଣ ଜୀବନରେ କେବେ ଭେଟିଥିବେ, ତେବେ ଆପଣ ଏହି କଥାଟିର ମର୍ମକୁ ଅବଶ୍ୟ ବୁଝିପାରିବେ । ଅଥବା କିଞ୍ଚିତ୍ ଅଧିକ ସିଧା ଭାବରେ କହିଲେ, ଯଦି ଆପଣ ନିଜ ଜୀବନରେ ସେହିପରି ବ୍ୟକ୍ତିଟିଏ ହେବା ଲାଗି ନୀରବ ପ୍ରୟାସ କରୁଥିବେ, ତେବେ ଆପଣ ଯୁଆଡ଼େ ଯାଆନ୍ତୁ ପଛକେ, କେବଳ ସତୀର୍ଥ ଓ ସମଧର୍ମୀମାନଙ୍କୁ ହିଁ ଭେଟିବେ, ବହୁ ଫରକ ସତ୍ତ୍ୱେ ସୁହୃଦ୍‍ବତ୍ତାର ଡୋରଟିଏ ଲାଗିଥିବାର ପ୍ରତ୍ୟକ୍ଷ କରିପାରିବେ । ଆପଣଙ୍କର ଉପନୟନ ହୋଇଯାଉଥିବ ।

 

ଦର୍ଶନ ଉପରେ ପ୍ରତ୍ୟୟ ସ୍ଥାପନ କରିବାର ଅର୍ଥ ହେଉଛି ବିବେକ ଓ ବିଚାର ଉପରେ ବିଶ୍ୱାସ ସ୍ଥାପନ କରିବା,– ବୋଷ୍ଟନରେ ସେହି ଅଧ୍ୟାପକ ସମାବେଶକୁ ସମ୍ବୋଧନ କରି ସମାବେଶର ସଭାପତି ଏକ ଅଧବେଶନରେ କହିଥିଲେ: “ଏବଂ ବିବେକ ଓ ବିଚାର ଉପରେ ବିଶ୍ୱାସ ସ୍ଥାପନ କରିବାର ଅର୍ଥ ହେଉଛି ସ୍ଵାଧୀନତା, ସାମ୍ୟ ଏବଂ ଗଣତନ୍ତ୍ର ଉପରେ ବିଶ୍ୱାସ କରିବା-। ଖାଲି ଗୋଟିଏ ବର୍ଗ ଅଥବା ସାମନ୍ତ ସୁବିଧାବାଦୀ ପଲଟା ପାଇଁ ନୁହେଁ, ପୃଥିବୀରେ ସର୍ବତ୍ର ବାସ କରୁଥିବା ସବୁଯାକ ମଣିଷଙ୍କ ପାଇଁ ଏଗୁଡ଼ିକୁ ଉପଲବ୍‍ଧି କରିବାର ସେହି କାମ୍ୟ ସମୟଟି ଦିନେ ଅବଶ୍ୟ ଆସିବ ଓ ଆସୁଛି ବୋଲି ବିଶ୍ଵାସ କରିବା ।’’ ଆମ ସମାଜର ବୁଦ୍ଧିଆମାନେ ଏହି କଥାଟିକୁ ଆଦୌ ବୁଝିବାକୁ ମନ କରିବେ ନାହିଁ । ବୁଦ୍ଧିଆମାନେ ତ ଭାରତବର୍ଷରେ ପ୍ରାୟ ବହୁବିଧ ଚକ୍ରାନ୍ତ କରି ସମୟ ତଥା ମାନବ-ଅଭ୍ୟୁଦୟର ଚକଗୁଡ଼ିକୁ ଅଟକାଇ ରଖୁଛନ୍ତି । ନିଜର ସୁଖ ନିମନ୍ତେ ବହୁଜନଙ୍କୁ ଦୁଃଖୀ କରି ରଖିଛନ୍ତି । ଆମ ଦର୍ଶନ ଅଧ୍ୟାପକଙ୍କ ମଧ୍ୟରେ ବି ସେହିପରି ବୁଦ୍ଧିଆ ଲୋକମାନେ ଯେ କଦାପି ନଥିବେ, ସେକଥା ପ୍ରାମାଣିକ ଭାବରେ ମୋଟେ କହିହେବ ନାହିଁ-। ଅସଲ ଦର୍ଶନକୁ ଏହି ବୁଦ୍ଧିଆମାନଙ୍କୁ ଡେଇଁ ଚାଲିଯିବାକୁ ହେବ । ଅସଲ ପ୍ରଜ୍ଞା ମଧ୍ୟ ସେମାନଙ୍କୁ ଅସ୍ୱୀକାର ହିଁ କରିବ । ବୁଦ୍ଧିଆମାନଙ୍କୁ ଅର୍ଥାଦି ଦେଇ ପୋଷୁଥିବା ବିଶ୍ୱବିଦ୍ୟାଳୟଗୁଡ଼ିକୁ ମଧ୍ୟ ଡେଇଁ ଯାଇପାରିବାକୁ ହେବ । ଏବଂ ଆଖି ଥିବା ମଣିଷମାନେ ହିଁ ଆଖି ଥିବା ମଣିଷମାନଙ୍କୁ ଠାବ କରିପାରିବେ । ଭବିଷ୍ୟ ପୃଥିବୀର ଜନ୍ମମୁହୂର୍ତ୍ତଟି ସେହି ଆଖି ଥିବା ମଣିଷମାନଙ୍କ ପାଇଁ ଅପେକ୍ଷା କରିଛି । ଜଣେ ଜନନୀ ତା’ ବହୁ ମନାସରେ ପିଲାମାନଙ୍କ ଲାଗି ବାଟ ଚାହିଁ ବସିଥିବା ପରି ଅପେକ୍ଷା କରି ରହିଛି । ଆମେ ନିଜ ଭିତରେ ମଧ୍ୟ ସେହି ଜନନୀର ଡାକଟିକୁ ଶୁଣି ପାରିବାରେ ଯୋଗ୍ୟ ହେବା । ଦର୍ଶନକୁ ବାଟ ଛାଡ଼ିଦେବା ।

 

୨୭/୩/୨୦୦୦

Image

 

ସାହିତ୍ୟ ଓ ଉଦାସୀନତା

 

ମୁଁ ବହୁତ ଦିନରୁ କାହିଁକି ଭାବୁଥିଲି ଯେ ଓଡ଼ିଶାର ସାହିତ୍ୟିକମାନଙ୍କ ଭିତରୁ ଅଧିକାଂଶ ସେମାନଙ୍କର ଚତୁର୍ଦ୍ଦିଗରେ ଥିବା ଜୀବନ ପ୍ରତି କାଳକ୍ରମେ ଭାରି ଉଦାସୀନ ହୋଇ ପଡ଼ିଲେଣି । ଏବଂ, ଏବେ ଗୋଟିଏ ସାହିତ୍ୟୋତ୍ସବରେ ପାଟ ସାହିତ୍ୟିକମାନଙ୍କର ମୁହଁରୁ ଶୁଣିବାକୁ ପାଇଲି ଯେ ଏଠି ଅର୍ଥାତ୍ ଓଡ଼ିଶାରେ ଲୋକମାନେ ସାହିତ୍ୟ ପ୍ରତି ଭାରି ଉଦାସୀନତା ଦେଖାଉଛନ୍ତି । ଏହି ଦୁଇଟି ମଧ୍ୟରୁ କେଉଁଟା କାରଣ ଓ କେଉଁଟା ପରିଣାମ, କିଏ ଅଙ୍କ କଷି ନିର୍ଭୁଲ ଭାବରେ କହି ଦେଇପାରିବ କେଜାଣି ? ହୁଏତ, ଯିଏ ଯେଉଁପରି ରଙ୍ଗର ଚଷମା ପିନ୍ଧିଥିବ, ସିଏ ନିୟମତଃ ସେହିପରି ଉତ୍ତରଟିଏ ହିଁ ଦେବ । ଓଡ଼ିଶାରେ ଲୋକମାନେ ସାହିତ୍ୟଠାରୁ ଯାହାସବୁ ପ୍ରତ୍ୟାଶା କରୁଛନ୍ତି, ସାହିତ୍ୟ ସେମାନଙ୍କ ପାଖରେ ସେହିସବୁ କଥାକୁ ହୁଏତ ଆଦୌ ପହଞ୍ଚାଇ ପାରୁନାହିଁ । ଏବଂ, ଅପର ପକ୍ଷରେ, ସାହିତ୍ୟିକମାନେ ପାଠକମାନଙ୍କ ଠାରୁ ଯାହା ପାଉଥାନ୍ତେ ବୋଲି ପ୍ରତ୍ୟାଶା ରଖୁଛନ୍ତି, ସେମାନେ ତାହା ପାଇପାରୁ ନାହାନ୍ତି । ତେଣୁ ପଡ଼ିଶାର ସାହିତ୍ୟିକମାନଙ୍କ ସହିତ ନିଜର ତୁଳନା କରି ଭାରି ଦହି ହୋଇ ପଡ଼ୁଛନ୍ତି । ନିଜର ଭିତରେ ଏବଂ ବାହାରେ ସେମାନେ ବହୁ ଅପରିଣାମର କାରଣ ବି ହେଉଛନ୍ତି ।

 

ସମ୍ଭବତଃ ସବାମୂଳ କଥାଟା ହେଉଛି ଯେ, ଓଡ଼ିଶାରେ ସାହିତ୍ୟଟା ଏକ ଉତ୍ସବାମୋଦର ସ୍ତରରେ ରହିଛି– ସାହିତ୍ୟିକମାନେ ପ୍ରଧାନତଃ ଗୋଟାଏ ନିର୍ଦ୍ଦିଷ୍ଟ ପ୍ରକାରର ରତିସୁଖ ପାଇବାର ମତଲବରେ ଏଠି ସାହିତ୍ୟ ଭିତରେ ଆସି ପଶିଛନ୍ତି । ଓଡ଼ିଶାର ଅଧିକାଂଶ ମଣିଷ ଉତ୍ସବ ଭିତରେ ନାହାନ୍ତି । ଇହଜୀବନର ସର୍ବନିମ୍ନ ଅତ୍ୟାବଶ୍ୟକତାରୁ ବଞ୍ଚିତ ହୋଇ ରହିଛନ୍ତି । ମିହନ୍ତ ଖଟୁଛନ୍ତି ସିନା, ମାତ୍ର ଦୈନନ୍ଦିନ ସେରମାଣଗୁଡ଼ିକ ତଥାପି ବଡ଼ ଅପୂରା ହୋଇ ରହିଛି । ଓଡ଼ିଶା ନାମକ ଏହି ଘରେ ମଣିଷମାନଙ୍କୁ ମଣିଷ ହିସାବରେ ସର୍ବନିମ୍ନ ସ୍ୱୀକୃତି ମଧ୍ୟ ମିଳିନାହିଁ । ଏହି ଦେଶରେ ସମସ୍ତେ ନାଗରିକ ହେଲେ, ଅର୍ଥାତ୍‌ ସମସ୍ତେ ସମାନ ବୋଲି ଏକ ସମ୍ବିଧାନରେ ଗୃହୀତ ହୋଇଥିଲେ ମଧ୍ୟ ବସ୍ତୁତଃ ଭାରତବର୍ଷରେ ସାମୂହିକ ଜୀବନଟା ଭାରି ହାସ୍ୟାସ୍ପଦ ଭାବରେ ଥାକ ଥାକ ହୋଇ ରହିଛି । ଭାଗ୍ୟ ସମ୍ପଦର ଯାବତୀୟ ଭଣ୍ଡାରଟା ଅଳ୍ପ ମଣିଷଙ୍କର ହାତରେ ରହିଛି । ସୁଯୋଗମାନେ ଅଳପଙ୍କର କାନିରେ କୁଞ୍ଚିକାଠି 'ପରି ବନ୍ଧା ହୋଇଛନ୍ତି । ଅଳପ ହେଉଛନ୍ତି ବ୍ରାହ୍ମଣ, ଅବଶିଷ୍ଟ ଅନେକ ହେଉଛନ୍ତି ଶୁଦ୍ର ଅର୍ଥାତ୍ ବଞ୍ଚିତ । ପାଠ ବୋଲି ଯାହା ପଢ଼ା ହେଉଛି, ତାହା ମାତ୍ର ଅଳପଙ୍କର ଭାଗରେ ପଡ଼ୁଛି । ମୂଳତଃ ଦୁଷ୍ଟ ଓ ଲମ୍ପଟ ହେବାକୁ ସେମାନେ ସେହି ପାଠ ପଢ଼ୁଛନ୍ତି ଏବଂ ଏହି ଦୁଷ୍ଟ ଓ ଲମ୍ପଟମାନଙ୍କର ମଣିମାନେ ହିଁ ଲକ୍ଷ୍ମୀଙ୍କ କାନ୍ଧରେ ନାଉ ହୋଇ ବସିଛନ୍ତି । ଅଧିକଙ୍କର ପଟଟା ଅଳପମାନଙ୍କୁ ବଡ଼ ଗନ୍ଧାଉଛି । ସବୁ ମଣିଷଙ୍କର ନାଁରେ ଶାସନ ଚାଲିଛି, ନ୍ୟାୟ ବସିଛି, ମାତ୍ର ଅଧିକରୁ ଅଧିକ ମଣିଷଙ୍କୁ ଘୁଷୁରି ହୋଇ ରହିବାକୁ ବାଧ୍ୟ କରାଯାଉଛି । ଅଧେ ପିଲାଙ୍କୁ ଇସ୍କୁଲକୁ ଆସିବାର ମୌଳିକ ଅଧିକାରରୁ ବଞ୍ଚିତ କରି ରଖାଯାଇଛି । ଉଚ୍ଚପାଠ ନାମରେ ଉଚ୍ଚ କୋଠାଘରମାନଙ୍କରେ ଯାହା ଚାଲିଛି, ତାହା ମୁଖ୍ୟତଃ ଅଲିଅଳମାନଙ୍କର ଭାଗ୍ୟଗୁଡ଼ାକ ସାଉଁଳାଇବାରେ ଲାଗିଛି । ଏବଂ ସାହିତ୍ୟ ଏକ ବିଶେଷ ପ୍ରକାରର ଅଲିଅଳମାନଙ୍କର ଧନ୍ଦା ଏବଂ ତାମସା ହୋଇ ରହିଛି । ବୃହତ୍ତର ପୃଥିବୀରେ ଆଧୁନିକ ଯୁଗଟି ଆସି ଅଧିକରୁ ଅଧିକ ମଣିଷଙ୍କୁ ସ୍ଵୀକୃତ ହେବାର ଭଳି ଭଳି ଦ୍ଵାରକୁ ସିନା ଉନ୍ମୋଚିତ କରି ଦେଇଛି, ଜ୍ଞାନ ଏବଂ ବିଜ୍ଞାନର ନାନା ସାଧନକୁ ସାଧାରଣଙ୍କର ଦ୍ଵାର ଦେଶରେ ଆଣି ପହଞ୍ଚାଇ ଦେଉଛି, ମାତ୍ର ଭାରତବର୍ଷ ଏବଂ ତେଣୁ ଓଡ଼ିଶାରେ ଆଧୁନିକ କାଳଟା କେବଳ ସାମନ୍ତମାନଙ୍କର ହିଁ ସେବା ଖଟୁଛି । ଅଧିକ ଧୋବ, ଅଧିକ ଗଉଁଯୁକ୍ତ ଏବଂ ଅଧିକ ହୃଦୟହୀନ ହୋଇ ନିଜ ପାଇଁ ଏକ ଅଲଗା ଚଉପାଢ଼ୀ କରି ତାହାରି ଉପରେ ଆସୀନ ହୋଇ ରହିବାକୁ ହିଁ ଆଧୁନିକ ବୋଲାଇବାର ସନ୍ତକ ବୋଲି କୁହାଯାଉଛି । ପାଠୁଆ ପିଲାମାନେ ଛୁଟିରେ ସହରରୁ ଗାଁକୁ ଆସିଲେ ତାହା ସେମାନଙ୍କର ନିଜ ଗାଁ ହୋଇଥିଲେ ମଧ୍ୟ ଯେପରି ସେମାନେ ନିଜର ଗୋଟାଏ ଅଲଗା ଜମାଏତ କରି ଯା’ଆସ ହେଉଥାନ୍ତି, ଅନ୍ୟମାନଙ୍କ ସହିତ ଆଦୌ ମିଶିପାରନ୍ତି ନାହିଁ– ଏହି ମିଶି ନପାରିବାଟାକୁ ହିଁ ଯେପରି ସବୁଠାରୁ ଅଧିକ ଉଚିତ ବୋଲି ମାନି ନେଇଥାଆନ୍ତି, ଆମ ଓଡ଼ିଶା ଭୂଇଁରେ ଏକ ଆଧୁନିକ କାଳର ପ୍ରକୋପ ବାଜି ମଣିଷଙ୍କୁ ମଣିଷ ଗନ୍ଧାଉଛନ୍ତି, ପ୍ରବୀଣମାନଙ୍କୁ ନବୀନମାନେ ଗନ୍ଧାଉଛନ୍ତି, ଇଂରାଜୀ ଭାଷାକୁ ଓଡ଼ିଆ ଭାଷା ଗନ୍ଧାଉଛି; ଆହୁରି କିଞ୍ଚିତ୍ ପ୍ରସାରିତ କରି କହିଲେ, ଶିକ୍ଷକକୁ ଛାତ୍ରମାନେ ଗନ୍ଧାଉଛନ୍ତି, ହାକିମକୁ ତଳେ ଥିବା ଅମଲାମାନେ ଗନ୍ଧାଉଛନ୍ତି, ସହରକୁ ଗାଆଁ ଗନ୍ଧାଉଛି । କେହି କାହାରିକୁ ସାଙ୍ଗରେ ନେବାକୁ ରାଜି ହେଉନାହିଁ,ଗୋଟାଏ ପଟ ଯେତିକି ଉଗ୍ର ହେଉଛି, ଆରପଟଟା ସେତିକି ଭାଗ୍ୟଟାକୁ ମାନିନେଇ ସହିବାରେ ଲାଗିଛି । ଏବଂ, ଏହି ସବୁଯାକ ଛଇ ଉପରେ ସାହିତ୍ୟ ଭାରି ଧୂମଧାମ୍ ସହିତ ଚାଲିଛି । ସତେଅବା ବାବୁମାନଙ୍କର ଏକ ବାଇନାଚ ପରି 'ଚାଲିଛି । ନାଚୁଛି ସେଇ, ଟାକରା ବି ସେଇ ଫୁଟାଉଛି । ନିଜର ବପୁଟାକୁ ନିଜେ ଦେଖି ଆପ୍ୟାୟିତ ହେବାକୁ ହିଁ ଅତ୍ୟନ୍ତ କାମପ୍ରକୁପିତ ଭାବରେ ସୃଜନଶୀଳତା ବୋଲି କୁହାଯାଉଛି । କେହି କେହି ତାହାକୁ ପ୍ରାୟ ଏକ କ୍ଲାସିକ୍ ଠାଣିରେ ଏକ ସାରସ୍ଵତ ବ୍ୟାପାର ବୋଲି କହୁଛନ୍ତି । ଗମାତରେ ଧୂଳି ଉଡ଼ିବାରେ ଲାଗିଛି ।

 

ଖାଲି ବହିମାନେ ଲେଖାହେବାକୁ ଯଦି ସାହିତ୍ୟ ବୋଲି କୁହାଯାଏ, ତେବେ ଆମ ସାହିତ୍ୟ ସତକୁ ସତ ଆଗ ଅପେକ୍ଷା ଅଧିକ ମୋଟା ଦେଖାଗଲାଣି । ପ୍ରକାଶକମାନେ ଭଳି ଭଳି ପ୍ରକାରର ବହି ଛାପିଲେଣି । ତଥାପି, ସାହିତ୍ୟ ସତେ ଅବା ଅନ୍ତଃପୁରର ଗୋଟାଏ ବିଶେଷ ବ୍ୟାପାର ହୋଇ ରହିଛି । ଦେଶ ସ୍ଵାଧୀନ ହେବାପରେ ଏଠି ଯେଉଁମାନେ ତଥାପି ଅନ୍ୟ ସମସ୍ତଙ୍କ ଠାରୁ ଅଲଗା ହୋଇ ରହିଲେ, ଅଲଗା ହୋଇ ଦିଶିଲେ ଏବଂ ସକଳ ଅର୍ଥରେ ନିଜ ଭିତରେ ତଥା ବାହ୍ୟ ଜୀବନରେ ଗୋଟାଏ ଅଲଗା ଉଆସ ତିଆରି କରି ତାହାରି ଭିତରେ ରହିଲେ, ସେହିମାନେ ହିଁ କ୍ରମେ ସାହିତ୍ୟର ମହକୁମାଟାକୁ ଦଖଲ କରିନେଲେ, ସାହିତ୍ୟ ଭିତରେ ଗୋଟାଏ ଆଧୁନିକ ଯୁଗ ଆସିଗଲା ବୋଲି ଫତୁଆ ଦେଲେ । ସତେଯେପରି ରାଜକୁମାରୀମାନେ ନିଜର ଅଲଗା ଖଳାଟିଏ ତିଆରି କରି ସେଇଠି ବିଶେଷ ଶେଯଟିଏ ବିଛାଇ ମନ ଉଷତରେ ତାଆସ ଖେଳି ବସିଲେ, ଆମର ଲେଖକମାନଙ୍କୁ ଠଉରାଇ ବାହାରିବା ବେଳକୁ ପ୍ରାୟ ସେହିପରି ଖଟକାଟାଏ ଲାଗିବାକୁ ଆରମ୍ଭ କଲା । ଆମ ସାହିତ୍ୟିକମାନେ ଏହିପରି ବେହେଲ ହେଉ ହେଉ ପୂରା ସର୍ଜନାତ୍ମକତାଟାକୁ ମଧ୍ୟ ସତେଅବା ଗୋଟାଏ ସଉକିନିଆ ତାଆସ ଖେଳର ସ୍ତରକୁ ଖସାଇ ନେଇ ଆସିଲେ । ସେମାନେ ନିଜର ମଥାଟାକୁ ହୃଦୟ ଠାରୁ ଅଲଗା କରି ରଖିଲେ । ମଥା ଖଟାଇ ସାହିତ୍ୟ କଲେ । କଲମ ଆଉ କାଗଜ ଧରି କ’ଣ କିଛି ଲେଖି ପକାଇଲେ ଓ ତାକୁ ଛାପି ପକାଇଲେ ଯେ ସାହିତ୍ୟ ହୋଇଗଲା, ସେମାନେ ପ୍ରାୟ ଏହିପରି ଏକ ଭ୍ରମକୁ ବ୍ୟାପ୍ତ କରି ରଖିବାକୁ କାହାଣୀର ଅସୁରୁଣୀମାନଙ୍କ ପରି ଷଡ଼ଯନ୍ତ୍ର କରିବାକୁ ଲାଗିଲେ ।

 

ସର୍ଜନାତ୍ମକତା କହିଲେ ସଚରାଚର ଏକ ଉନ୍ମୋଚିତ ହୋଇଯିବାକୁ ବୁଝାଇଥାଏ । ନିଜ ଭିତର ତଥା ବାହାର ଉଭୟ ଚାହାଣିରେ ମଣିଷ ଯେତେବେଳେ ଅଲଗା ଅଲଗା ହୋଇ ରହିଥିବା ଭିନ୍ନ ଭିନ୍ନ ଖଣ୍ଡଗୁଡ଼ିକୁ ଏକତ୍ର କରି ଆଣେ, ସିଏ ସେତେବେଳେ ଯାବତୀୟ ଅର୍ଥରେ ସତକୁ ସତ ଦେଖିପାରେ, ଅନୁଭବ କରିପାରେ, ସତକୁ ସତ ଛୁଇଁ ବି ପାରେ । ଏହିପରି ଗଛାଇ ହୋଇ ଗୋଟାଏ ହୋଇ ପାରିବାକୁ ଯେଉଁ ସାହସ ଆବଶ୍ୟକ, ସେହି ସାହସକୁ ମନ କଲେ ଯାଇ ମଣିଷ ସର୍ଜନାତ୍ମକ ହୁଏ । କଟମୟ ଲମ୍ପଟୀଟାକୁ, ବହୁ ମୁଖା ପିନ୍ଧି ବୁଲୁଥିବା ଭୀରୁଟାକୁ ଏବଂ ଏଡ଼େବଡ଼ ପୃଥିବୀ ଭିତରେ କେବଳ ନିଜର ସେଇ ଗୋଟିଏ କଲିଜା ଭିତରେ ଦୁକୁଦୁକୁ ହେଉଥିବା ଆତ୍ମକାମୀଟାକୁ ସଂହାର କରିପାରିଲେ ଯାଇ ସର୍ଜନାତ୍ମକ ନାମକ ସେହି ଅନ୍ୟ ଉପନୟନଟି ସମ୍ଭବ ହୋଇଥାଏ । ଏହିଭଳି ଏକ ଦ୍ଵିଜଧର୍ମକୁ ହିଁ ସମୁଚିତ ଅର୍ଥବ୍ୟାପ୍ତିଟି ସହିତ ସର୍ଜନାତ୍ମକ ହେବା ବୋଲି କୁହାଯାଇ ପାରିବ । ଏହିଭଳି ଦ୍ୱିଜମାନେ ଲେଖକ, ବୈଜ୍ଞାନିକ, ଶିକ୍ଷକ, ରାଜନୀତି-କ୍ଷେତ୍ରର ମନୁଷ୍ୟ ଯାହାକିଛି ହୋଇଥାନ୍ତୁ ପଛକେ, ସେହିମାନଙ୍କ ଦ୍ଵାରା ହିଁ ଏହି ପୃଥିବୀର ମଙ୍ଗଳ ହୁଏ ଏବଂ ସମୟ ସୁସ୍ଥ ହୁଏ । ବତ୍ତର୍ମାନ ଆମ ଇସ୍କୁଲ, କଚେରୀ, ଶାସନ ଓ ପ୍ରଶାସନ ସମେତ ଆମ ସାହିତ୍ୟ-ସାହୀ ପର୍ଯ୍ୟନ୍ତ ସବୁଠାରେ ପ୍ରଧାନତଃ ବ୍ୟଭିଚାରୀମାନଙ୍କର ଯେଉଁ ଆଖଡ଼ାମାନେ ଜମିଛନ୍ତି ଏବଂ ଏହି କାଳର ବିଧାତାଟା ସହିତ ଖୁରି ଖାଇବାରେ ଲାଗିଛନ୍ତି, ସେମାନଙ୍କ ଦ୍ଵାରା ସମ୍ପୃକ୍ତ ଆମ ସମସ୍ତଙ୍କର ଅମଙ୍ଗଳ ହିଁ ହେଉଛି ତଥା ଅସ୍ୱାସ୍ଥ୍ୟ ହିଁ ବୃଦ୍ଧି ପାଉଛି । ସର୍ଜନାତ୍ମକତାର ଘରେ ମଡ଼କ ପଡ଼ିଛି । ଯାବତୀୟ ଥାନରେ ଅସମ୍ଭବ ଆକାରର କୋଧାମାନେ ପହିଲମାନୀ କରିବାରେ ଲାଗିଛନ୍ତି ସିନା, ମାତ୍ର ଏହି ଯୁଗଟାର ଗୋଡ଼ରେ ପଥର ବାନ୍ଧିହୋଇ ରହିଛି ।

 

ଜୀବନର ଏକ ବ୍ରତରେ ପରିଣତ ହୋଇ ରହିଥିଲେ ସାହିତ୍ୟ କଦାପି କୌଣସି ଲେଖକର କେବଳ ଗୋଟାଏ ଧନ୍ଦାରେ ଅଥବା ସଉକରେ ପରିଣତ ହୋଇ ରହନ୍ତା ନାହିଁ । ସାହିତ୍ୟର ଦୃଷ୍ଟି ହେଉଛି ଯାବତୀୟ ଅର୍ଥରେ ଏକ ସଂକ୍ରମଣକାରୀ ଦୃଷ୍ଟି । ଠିକ୍ ଜଣେ ମଣିଷର ଭଲ ପାଇବା ପରି । ଅନେକ ମଣିଷ ଗୋଟାସୁଦ୍ଧା ଖାସ୍ ନିଜକୁ ଭଲ ପାଇବାର ନହସ ଭିତରେ ଏପରି ପଡ଼ି ଯାଇଥାନ୍ତି ଯେ, ପୃଥିବୀଟାକୁ ନାକ ଟେକୁଥାଆନ୍ତି ଓ ଘୃଣା କରିବାରେ ଲାଗିଥାନ୍ତି । ଅସଲ ଭଲ ପାଇବା ବିମୋଚନ ଆଣି ଦେଇଥାଏ ଏବଂ ଜୀବନରେ ନାନା ସ୍ତରର ଗୁହାମୁକ୍ତିର କାରଣ ହୋଇଥାଏ । ମାତ୍ର କେଉଁ ଦୁଃଖରେ ପଡ଼ି ଜଣେ ଜଣେ ମଣିଷ ଏପରି ଏକ ବିକୃତ ଅସରଣ ଭିତରେ ଯାଇ ପଡ଼ିଥାଆନ୍ତି ଯେ, ସେମାନେ ଭଲ ପାଇବାର ବାହାନାରେ ସତେଅବା କୋଉ ଗାତଟା ଭିତରେ ଯାଇ ପଶିଥାଆନ୍ତି । ଏବର ସାହିତ୍ୟ ଆମ ଲେଖକମାନଙ୍କୁ ସେହିପରି କୌଣସି ଗାତ ଭିତରେ ନେଇ ପକାଇଦେଲା ପରି ମନେ ହୋଇଥାଏ । ସାହିତ୍ୟ ତ କୌଣସି ଅନ୍ଧାର ନୁହେଁ ଯେ, ଜଣେ ଲେଖକ ତାହାରି ଭିତରେ ପଶି ରୁନ୍ଧି ହୋଇ ରହିଥିବ । ଏବର ସାହିତ୍ୟିକମାନଙ୍କୁ ଦେଖୁ ଦେଖୁ ଏବଂ ଠଉରାଉ ଠଉରାଉ ଅନେକ ସମୟରେ ପ୍ରାୟ ଚାକ୍ଷୁଷ ପ୍ରମାଣ ମିଳି ଯାଇଥାଏ ଯେ, ସେମାନେ ସତେଅବା ଆଉ କେଉଁଠାରୁ ପଳାଇ ଆସି ପ୍ରାୟ ଘଡ଼ିକର ବିସ୍ମରଣ ନିମନ୍ତେ ସାହିତ୍ୟ ଭିତରେ ଆସି ପଶିଛନ୍ତି । ସେମାନେ ସଂସାର ଭିତରେ ଯେଉଁଠି ଗୋଟିଏ ଜୀବିକାକୁ ଆଦରି ଉଦରଭରଣା କରୁଛନ୍ତି; ଏକାଧିକ କାରଣରୁ ସେଠାଟା ସେମାନଙ୍କୁ ସୁଖ ଦେଇ ପାରୁନାହିଁ ବୋଲି ସେଠାରୁ ସତେଅବା ଛାଟିପିଟି ହୋଇ ସାହିତ୍ୟ ଭିତରକୁ ପଳାଇ ଆସିଛନ୍ତି । ନିଜ ଜୀବନର ଅସଲ ଖଳା ଅର୍ଥାତ କ୍ଷେତ୍ରମାନଙ୍କରେ ଓଲିଆ କିମ୍ବା ଅଯୋଗ୍ୟ ବୋଲି ଅନୁଭବ କରି ସତେଅବା ଏକ ଆଶ୍ରୟସ୍ଥଳୀ ମନେକରି ସେମାନେ ସାହିତ୍ୟ ଭିତରକୁ ପଳାଇ ଆସିଛନ୍ତି । ନିଜର ଚରମ ବିଡ଼ମ୍ବନାଗୁଡ଼ିକୁ ଭୁଲିବା ପାଇଁ ସାହିତ୍ୟ ବେଢ଼ାଟିକୁ ଆମ ଅନେକଙ୍କ ପାଇଁ ବିଡ଼ମ୍ବିତ କରି ରଖୁଛନ୍ତି ।

 

କିଏ ପୁଲିସି ହୋଇଛି,– ସାତ ପହର ପୁଲିସି ବନି ପହରେ ସାହିତ୍ୟ ଭିତରକୁ ସତେଅବା ଟିକିଏ ଉଶ୍ୱାସ ହେବା ସକାଶେ ସାହିତ୍ୟ ଭିତରେ ଆସି ପହଞ୍ଚି ଯାଇଛି । ନିଜର ବେଦନା ଓ ଅତୃପ୍ତିଗୁଡ଼ାକୁ ଭୁଲିବା ପାଇଁ ସାହିତ୍ୟ ଭିତରେ ଖିଲିଝିଲି ହୋଇ ହସିବାକୁ ଆସିଛି । କିଏ ଶାସନ ଅଥବା ପ୍ରଶାସନରେ ଅଛି, ଆଉ କିଏ ଅଧ୍ୟାପନାରେ ଅଛି, କିଏ ଓକିଲ ହୋଇଛି ତ ଆଉ କିଏ ରାଜନୀତି ଭିତରେ ରହିଛି । ସେଠି ସେମାନେ ନିତିଦିନର ଗରଜ ଏବଂ ଦରଜଗୁଡ଼ାକୁ ମେଣ୍ଟାଇବା ସକାଶେ ପ୍ରାୟ ଅସୁର ଆକାରର ଗୋଟାଏ ଲୋଭରେ ସେସବୁ ଥାନରେ ଯାଇ ପହଞ୍ଚିଛନ୍ତି । ସେସବୁ ଥାନକୁ ଆଦୌ ପାରୁନାହାନ୍ତି ଏବଂ ତେଣୁ ଆପଣା ପାଖରେ ସର୍ବଦା କାଇଲି ହୋଇ ରହିଛନ୍ତି, ନିଜ ବିବେକର ଆଖିରେ ଦୋଚାରୁଣୀ ହୋଇ ଦିଶୁଛନ୍ତି ଏବଂ ସାହିତ୍ୟର ମଲମ ଟିକିଏ ଲଗାଇ ଉପଶମ ପାଇବା ସକାଶେ ଏଣେ ମଧ୍ୟ ଭୂମିକାଟିଏ ଗ୍ରହଣ କରିଛନ୍ତି । ସମ୍ପ୍ରତି କାଳଟା ଯେପରି ହେଲାଣି, ଯଥାର୍ଥ ପୁଲିସିଟିଏ, ଯଥାର୍ଥ ଅଧ୍ୟାପକଟିଏ, ଯଥାର୍ଥ ପ୍ରଶାସକ ବା ଯଥାର୍ଥ ମନ୍ତ୍ରୀଟିଏ ହେବା କ’ଣ ସହଜ ? ସେଥିଲାଗି ସାହସ ଦରକାର, ସାଧୁତା ଦରକାର, ନିଜ ଭିତରର ଭଗବାନ ପାଖରେ ସିଧାହୋଇ ଛିଡ଼ାହୋଇ ପାରୁଥିବା ମଧ୍ୟ ଦରକାର ।

 

ଏହି ନାନା ପାତକମୟ ମହାଚତୁର କାଳଟାରେ ସେମାନେ ହୁଏତ ସେତେଯାଏ ଆଦୌ ପାରୁନାହାନ୍ତି । ସେଠାରେ ଆହ୍ୱାନଗୁଡ଼ିକର ସମୁଖୀନ ହୋଇପାରୁ ନାହାନ୍ତି,- ଡ୍ରାଗନଗୁଡ଼ିକ ସହିତ ଯୁଝିପାରିବା ତ ଆହୁରି ବହୁଦୂରର କଥା । ତେଣୁ ତୁଚ୍ଛା ମିଥ୍ୟାଗୁଡ଼ାକ ପାଖରେ ହଁ ହାଁ ମାରୁଛନ୍ତି, ଉପରମାନଙ୍କୁ ତୋଷାମଦ କରୁଛନ୍ତି ଓ ତଳଟା ପାଖରେ ଉଗ୍ର ହେଉଛନ୍ତି । ବାହାରେ ଏଡ଼େ ଚଟୁଳ ହୋଇ ଦିଶୁଥିଲେ ମଧ୍ୟ ନିଜ ଭିତରେ ନିଜ ପାଖରେ ହୁଏତ କୌଣସି ଜବାବ ଦେଇପାରୁ ନାହାନ୍ତି । ଏଇଟା ପ୍ରକୃତରେ ଯେକୌଣସି ନରଦେହଧାରୀ ମନୁଷ୍ୟ ପକ୍ଷରେ ଏକ ଭାରି ମାରାତ୍ମକ ତଥା ମର୍ମନ୍ତୁଦ ସ୍ଥିତି ହୋଇଥିବ ଏବଂ ସେମାନେ ଯେତେବେଳେ ସାହିତ୍ୟ ଭିତରେ ଆସି ପଶୁଛନ୍ତି, ଆର ଥାନଟାର ସଂସ୍କାରଟାର ପ୍ରାଦୁର୍ଭାବରେ ସେମାନେ ଏଠି ମଧ୍ୟ ସିଧା ଉଚ୍ଚଥାନରେ ଆସି ବସି ଯାଉଛନ୍ତି । ଆମ ସାହିତ୍ୟଘରର ପୀଡ଼ାଗୁଡ଼ିକ ଉପରେ ବସିଲେ ତାହା ଅପମାନର କଥା ହେବ ବୋଲି ସେମାନେ ସେଇ ଅନ୍ୟଆଡ଼ୁ ହିଁ ନିଜ ପାଇଁ ଗୋଟାଏ ଗୋଟାଏ ଚଉକୀ ନେଇ ଆସି ଉଭା ହେଉଛନ୍ତି । ଏକାବେଳକେ ଇନ୍ଦ୍ରର ମର୍ଯ୍ୟାଦା ମାଗୁଛନ୍ତି । ଆଦୌ କାନଫୋଡ଼ା ନହୋଇଥିଲେ ମଧ୍ୟ ସେମାନଙ୍କର ଦ୍ୱିତୀୟ ଦାରପରିଗ୍ରହ ଲାଗି ଆମମାନଙ୍କୁ ତୁରନ୍ତ ବେଦୀ ସଜିଲ କରିବା ନିମନ୍ତେ ନିର୍ଦ୍ଦେଶ ଦେଉଛନ୍ତି । ଏମାନଙ୍କ ପ୍ରତି ଉଦାସୀନ ନହୋଇ ଆଉ ଉପାୟ କ’ଣ ଅଛି କହିଲେ !

 

ଆମକୁ ଚତୁର୍ଦ୍ଦିଗରୁ ମାଡ଼ି ବସିଥିବା ଏହି ଗୁହାଳଟାରେ ଜଣେ ଅଧ୍ୟାପକ, ଅଫିସର, ଓକିଲ ଅଥବା ପୋଲିସ୍ ଯଦି ସତକୁ ସତ ନିଜର ଭୂମିକାଗୁଡ଼ିକୁ ତୁଲାଉ ଥାଆନ୍ତେ, ତେବେ ସେମାନେ ଯେଉଁ କାର୍ଯ୍ୟ କରୁଛନ୍ତି, ସେମାନଙ୍କୁ ସେଠାରେ ସଂଘର୍ଷ କରିବାକୁ ପଡ଼ୁଥାନ୍ତା । ଘଟଣାମାନେ କହୁଛନ୍ତି ଯେ, ସେମାନେ ସେହିସବୁ ଆହ୍ଵାନ-କ୍ଷେତ୍ରରେ ଲଢ଼େଇ କରିବା ଦୂରର କଥା, ଗୁହାଳଗୁଡ଼ିକ ଏହିଭଳି ଗୁହାଳ ହୋଇ ରହିବାରେ ହିଁ ସେମାନେ ବରଂ ଅଧିକ ଧୂର୍ତ୍ତତାପୂର୍ଣ୍ଣ ଭାବରେ ସହାୟତା କରୁଛନ୍ତି । ଯୁଗଟାଯାକ ଲୁଟି ହୋଇଯାଉ ପଛକେ, ମୋ ଆସ୍ଥାନଟିରେ ମୁଁ ଲାଭବାନ ହିଁ ହେଉଥାଏ, ତାହାକୁ ହିଁ ସେମାନେ ନିଜ ଜୀବନର ଅଭିପ୍ରାୟ ପରି ଧରି ନେଇଛନ୍ତି । ଏବଂ ତାହାର କ୍ଷତିପୂରଣ କରିବା ପାଇଁ ସାହିତ୍ୟ କରୁଛନ୍ତି । ଅଥବା, ଏହି ଯୁଗଟା ଭିତରୁ ବାହାରି ଯିବା ପାଇଁ ବାଟ ଖୋଜୁଥିବା ଆମ ସମସ୍ତଙ୍କୁ ବାଉଳା କରି ରଖିବା ନିମନ୍ତେ ସେମାନେ ସାହିତ୍ୟକୁ ମାୟାମୃଗ ପରି ବ୍ୟବହାର କରୁଛନ୍ତି କି ? ସାହିତ୍ୟରେ ଏବେ ଶୈଳୀକୁ ନେଇ ଯେଉଁ ନୂଆ ନୂଆ ଛଇ ବାହାରୁଛି ଏବଂ ଯେପରି କାମୁକତା ସହିତ ସେଗୁଡ଼ିକର ଚର୍ଚ୍ଚା ହେଉଛି, ଦେଶଟା ଗୋଲାମ ପର୍ଯ୍ୟାୟରୁ ମୁକ୍ତ ହୋଇ ଆସିବା ପରେ ସେମାନେ ଯେପରି ଆମକୁ ଆଲୋଡ଼ନର କ୍ଷେତ୍ରରେ ନୂଆ ନୂଆ ପ୍ରକାରେ ଗୋଲାମ କରି ରଖିବାର ପାଞ୍ଚ କରୁଛନ୍ତି, ସେମାନଙ୍କୁ ଅଧିକରୁ ଅଧିକ ଗର୍ଭଭେଦ କରି ଦେଖିଲେ ଅନେକ ପରିମାଣରେ ସେହିପରି ସଂଶୟମାନ ହିଁ ଉପସ୍ଥିତ ହେଉଛନ୍ତି । ସେମାନେ ପୁଣି ଆମକୁ ଭୂଇଁ ଛଡ଼ାଇ ଆନ୍ତର୍ଜାତିକ ଶିଖରମାନଙ୍କୁ ଉଡ଼ାଇ ନେଇଯିବାର ଚାରୁକଥାମାନ କହୁଛନ୍ତି । ଆମର ଏହି ନିଜ ନିଜ ଘରଟା ନିତାନ୍ତା ଅରକ୍ଷିତ ହୋଇ ପଡ଼ିଥିବା ସମୟରେ ସେମାନେ ଆମକୁ ବାବାଜୀ ହୋଇ ଏକାବେଳକେ ତେଣେ ପହଞ୍ଚାଇବାର ଏବଂ ଶୁଦ୍ଧ ସାହିତ୍ୟସୁଖ ଲାଭ କରିବାର ପ୍ରରୋଚନା ବି ଦେଲେଣି ।

 

ତେଣୁ ଉଦାସୀନ ନହୋଇ ଉପାୟ ନାହିଁ । ନିଜର ମାଟି ଉପରେ ଆଦୌ କୌଣସି ଗୋଡ଼ ନରଖି ସାହିତ୍ୟର ଆନ୍ତର୍ଜାତିକ ବୁଦାମାନଙ୍କରେ ଚକଚକିଆ ଭଅଁର ପରି ହୋଇ ଉଡ଼ିବାରେ ଲାଗିଥିବା ସେମାନଙ୍କୁ ଆମର ବୋଲି କହିଲେ ଆମେ ବସ୍ତୁତଃ ବଡ଼ ବିପଦରେ ପଡ଼ିବା । ସାହିତ୍ୟ ମେରୁଦଣ୍ଡ ଏବଂ ମୂଳଗୁଡ଼ିକୁ ଭୁରୁଡ଼ାଇ ରଖିବାରେ ସେମାନେ ସତେଅବା କେଉଁ ଭଗାରୀମାନଙ୍କର ଚାର ପରି ହୋଇ ଏହି ଦେଶରେ ନିଜ ଲାଗି ଗୋଟାଏ ଗୋଟାଏ ଏକସିଙ୍ଗିଆ ଆଖଡ଼ା କରି ରହିଲେଣି ଏବଂ ଏଠି ମଣିଷମାନଙ୍କର ଅସଲ ସଂହ

 

ତିଗୁଡ଼ିକୁ ଅପମାନିତ କରି ରଖିବାରେ ସେମାନେ ପୁରା ଧରାପଡ଼ି ଯାଉଛନ୍ତି । ଏଠି ଅଧିକ ମଣିଷଙ୍କର ଭାଷାରେ ଭାବିବାକୁ ମଧ୍ୟ ସେମାନେ କ୍ରମେ ପାସୋରି ପକାଇଲେଣି । ତେଣୁ, ସାହିତ୍ୟ ପ୍ରତି ଓଡ଼ିଶାର ଜନମାନସ ଆଦୌ ଉଦାସୀନତା ପ୍ରଦର୍ଶନ କରୁନାହିଁ । ଏହି କାଟର ସାହିତ୍ୟିକମାନଙ୍କ ପ୍ରତି ହିଁ ଉଦାସୀନ ହୋଇ ରହିଛି । ଉଦାସୀନ ହୋଇ ଅପେକ୍ଷା କରିଛି । ଏମାନେ ଫେରନ୍ତୁ, ସହାନୁଭବୀ ହୁଅନ୍ତୁ, କେବଳ ଚିତ୍ରକଳ୍ପ ବାଛିବା ଲାଗି ପାରିଧି କରି ଆମ ବଗିଚା ଭିତରେ ମତଲବୀ ହୋଇ ପ୍ରବେଶ ନକରି ସେମାନେ ଏହି ବଗିଚାଟିକୁ ସତକୁ ସତ ସ୍ୱୀକାର କରନ୍ତୁ ।

 

ଆମକୁ ବାବୁମାନଙ୍କର ମଥାଚାଷ ତଥା ମେଧାଚାଷରୁ ମୁକ୍ତ ହୋଇ ହୃଦୟ ଉପରେ ମଣିଷକୁ ମଣିଷ ସହିତ ଯୋଡ଼ି ରଖିଥିବା ଡୋରଗୁଡ଼ିକ ଉପରେ ନିର୍ଭର କରି ଜୀବନ ବଞ୍ଚିବାରେ ସାହାଯ୍ୟ କରନ୍ତୁ । ନିଜେ ମଧ୍ୟ ଯୋଡ଼ିହୋଇ ରହିବାକୁ ଖୁସିରେ ରାଜି ହୋଇଯାଆନ୍ତୁ । କୋଉ ଦୂର ବିଦେଶରେ କୌଣସି କଲେଜର ପିଅନ୍ ପରି ଆମ ଆଖିକୁ ନଦିଶି ସେମାନେ ଆମ ଗାଁର ଚିହ୍ନା ଚଉକିଆଟି ପରି ଦିଶନ୍ତୁ । ଆମ ସହିତ ଏକାଠି ହୋଇ ଭବିଷ୍ୟତର ଏକ ନବବିଧାନ ନିମନ୍ତେ ଲଢ଼ିବାକୁ ସଜ ହେଉଥିବା ଆମ ପଦାତିକମାନଙ୍କ ସହିତ ସାମିଲ ହୁଅନ୍ତୁ, ଓହ୍ଲାଇ:ଆସନ୍ତୁ । ଆମେ ହଲପ କରି କହିପାରିବା, ତା'ପରେ ଏଠାରେ ସମସ୍ତେ ତାଙ୍କରି ପଟରେ ବୋଲି ଅଲବତ ମନେହେବ । ସାହିତ୍ୟରୁ ରୁଷି ବସିବାର ଏହି ଗେହ୍ଲାଯୁଗଟି ଦୂର ହେଲେ ଏଠି ସମଗ୍ର ଭୂଇଁଟା ସେମାନଙ୍କୁ ବହୁ ପ୍ରତ୍ୟୟର ଶ୍ରଦ୍ଧା ସହିତ ଅନାଇ ବସିଛି ବୋଲି ସେମାନଙ୍କର ମଧ୍ୟ ହୃଦବୋଧ ହୋଇଯିବ ।

 

୩/୪/୨୦୦୦

Image

 

Unknown

ସ୍ୱେଚ୍ଛାସେବୀ କାହାର ସେବୀ

 

ବାତ୍ୟା ନାମକ ଏହି ବିପର୍ଯ୍ୟୟଟି ବୋହିଯିବା ପରେ ସେଚ୍ଛାସେବୀମାନେ ସୈନ୍ୟବାହିନୀ ପରି ମାଡ଼ିଆସିଲେ । ଏହି ଦେଶରେ ଯେ ପ୍ରକୃତରେ ସେବକମାନେ ଏତେ ସଂଖ୍ୟାରେ ଅଛନ୍ତି, ସେକଥା ମୋଟେ ଜାଣି ହେଉନଥିଲା । ଏବେ ଯାଇ ଜଣାପଡ଼ିଲା । ହଁ, ତେଣେ ଫୁଲବାଣୀ ବା କୋରାପୁଟରେ ସେମାନେ ଗୋଟିଏ ଗୋଟିଏ ସଂସ୍ଥା ତିଆରି କରି ଆଦିବାସୀ ବା ସେହିଭଳି କୌଣସି ପଛୁଆମାନଙ୍କ ସକାଶେ ଯେ କାମ କରୁଛନ୍ତି, ବେଳେ ବେଳେ ଖବରକାଗଜରୁ ସେକଥା ବୁଝା ପଡ଼ୁଥିଲା । ଉପକୂଳରେ ଏହି ଘୋର ବିପଦଟି ଆସି ଯିବା ପରେ ସେମାନେ ଅନେକ ସ୍ଥଳରେ ତେଣେ ରହିଥିବା ନିଜ ନିଜର କ୍ଷେତ୍ର ଛାଡ଼ି ଏଣେ ଧାଇଁ ଆସିଲେ ! ନଗଦ ସମସ୍ୟା, ନଗଦ ପଇସା, ନଗଦ କାମ– ତେଣୁ ଆଗ ଏଇଟା । ଅନେକେ ହୁଏତ ମାତ୍ର କେତେ ସପ୍ତାହ କିମ୍ବା କେତେଟା ମାସ ପାଇଁ ଆସିଥିଲେ । ଏବେ ସେମାନେ ଆଗାମୀ ଦୁଇ ବା ତିନି ବର୍ଷ ପାଇଁ ଗୋଟିଏ ଗୋଟିଏ ଲମ୍ବା ଯୋଜନା ତିଆରି କରି କାର୍ଯ୍ୟ କରିବାର ବରାଦ କରିବାକୁ ବାହାରିଲେଣି । ମନେ ହେଉଛି, ପୃଥିବୀରେ ଯେପର୍ଯ୍ୟନ୍ତ ଦରିଦ୍ରମାନେ ଏବଂ ଅସହାୟମାନେ ରହିଛନ୍ତି, ସେପର୍ଯ୍ୟନ୍ତ ଏଠାରେ କଦାପି ପଇସାର ଅଥବା ସେବକମାନଙ୍କର ଅଭାବ ହେବନାହିଁ । ଅର୍ଥାତ୍ ଯେ ପର୍ଯ୍ୟନ୍ତ ଏତେ ଏତେ ପଇସା ତଥା ଏତେ ଏତେ ସଂଖ୍ୟାରେ ଏହି ସେବକମାନେ ଅଛନ୍ତି, ସେ ପର୍ଯ୍ୟନ୍ତ ଅସହାୟ ଏବଂ ଦରିଦ୍ରଙ୍କର ବି ଅଭାବ ଘଟିବ ନାହିଁ ! ଉଭୟେ ପରିସ୍ପରର ମିତ କରି ଗୋଟାସୁଦ୍ଧା ପାଖାପାଖି ହୋଇ ରହିବେ ।

 

ମଣିଷ ଭିତରେ ସମ୍ଭବତଃ ଏକାବେଳକେ ଦୁଇଟା ପାଖ ରହିଛି । ଗୋଟାଏ ସ୍ଵାର୍ଥୀ ପାଖ ଓ ଆଉ ଗୋଟାଏ ପରାର୍ଥୀ ପାଖ । ସ୍ଵାର୍ଥୀ ପାଖଟା ପୂର୍ଣ୍ଣ ନିଷ୍ଠା ସହିତ ଯାହା ହାବୁଡ଼ରେ ପଡ଼ୁଛି, ତାହାକୁ ନିଜର ମୁଣାଟା ଭିତରକୁ ସଂଗ୍ରହ କରି ଆଣୁଛି । ନିଜର ବୋଲି ମାର୍କାଟାଏ ମାରିଦେଇ ଜମା କରି ରଖୁଛି ଏବଂ, ପରାର୍ଥୀ ପାଖଟା ବାଣ୍ଟି ଦେଉଛି, ବିଞ୍ଚି ଦେଉଛି; ଗୋଟାଏ ବଦାନ୍ୟତା ଦେଖାଉଛି, ଆରପାଖଟା କାମ୍ପି ଭଳି ଛି ବଞ୍ଚୁଛି । ଅନ୍ତତଃ କେତେ ମଣିଷ ଏକପାଖିଆ ଭାବରେ କାମ୍ପି ହେବାକୁ ମନ କରିନଥିଲେ ସମ୍ଭବତଃ ଆମ ପୃଥିବୀରେ ଏତେ ଅଧିକ ପରିମାଣରେ ଧନ ଠୁଳ ହୋଇ ପାରିନଥାନ୍ତା । ଏବଂ, ଯୁଗେ ଯୁଗେ ଗୁଡ଼ାଏ ମଣିଷ ବଞ୍ଚିତ ଓ ଅସମର୍ଥ ହୋଇ ରହିନଥିଲେ ଭାଗ୍ୟବାନମାନେ ବଦାନ୍ୟ ହେବା ନିମନ୍ତେ ପ୍ରେରଣା ବା କିପରି ପାଇଥାଆନ୍ତେ ? ପୁରୁଣା ଅନ୍ଦାଜର ମଣିଷମାନେ ଏହି ବିଡ଼ମ୍ବନାଟାକୁ ଚିରଦିନ ଭଗବାନଙ୍କର ଲୀଳା ବୋଲି କହି ଆସିଛନ୍ତି । ନିଜକୁ ଅଧିକରୁ ଅଧିକ ପ୍ରଶ୍ନ କରି ଗଭୀରରୁ ଆହୁରି ଗଭୀରକୁ ଯିବାଟା ହୁଏତ ଅବଶ୍ୟ ବିରକ୍ତିକର ହେବ ବୋଲି ସେମାନେ ଏହିପରି ଏକ ସମାଧାନରେ ହିଁ ବ୍ୟାପାରଟାକୁ ଛିଣ୍ଡାଇ ଦେଇଛନ୍ତି ଓ ଦେଉଛନ୍ତି କି ?

 

ଆମର ଏହି ଚଳନ୍ତି ତୃତୀୟ ବିଶ୍ଵଟାରେ ସରକାରମାନେ ଆଉ ଆଦୌ ପାରୁନାହାନ୍ତି ବୋଲି ସେଚ୍ଛାସେବୀ ସଂସ୍ଥାଗୁଡ଼ିକର ଆବଶ୍ୟକତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସ୍ୱୟଂ ସରକାରମାନେ ମଧ୍ୟ ଝଅକ ମାରି ନିଜର ଅସମର୍ଥତା ସ୍ୱୀକାର କଲାପରି ସ୍ୱେଚ୍ଛାସେବୀ ସଂସ୍ଥାଗୁଡ଼ିକ ଉପରେ ଅଧିକ ନିର୍ଭର କଲେଣି । ନିଜ ଚାକିରିଆମାନଙ୍କ ଉପରେ ସମ୍ଭବତଃ ସେମାନେ ଆଉ ସେତେ ବେଶୀ ନିର୍ଭର କରିପାରୁ ନାହାନ୍ତି । ଅବଶ୍ୟ ଦରବାର ପରି ଯୂଥେ ଚାକିରିଆ ରହିଛନ୍ତି ଓ ହାକିମୀ ବି କରୁଛନ୍ତି । ଗୋଟିଏ ରାଷ୍ଟ୍ରର ବହୁମୂଲ୍ୟ ଅଳଙ୍କାର ପରି ଶୋଭା ପାଉଛନ୍ତି । କିନ୍ତୁ ଲୋକ-ପରିବର୍ତ୍ତନର ଅଧିକରୁ ଅଧିକ ଦାୟିତ୍ୱ ସ୍ୱେଚ୍ଛାସେବୀମାନଙ୍କୁ ହିଁ ମିଳିଲାଣି-। ତେଣେ, ଥିଲା ଦେଶମାନଙ୍କର ଆଖି ପୃଥିବୀଟାରେ ଆଗର ସେହି ଶୀତଳ ଯୁଦ୍ଧଟାର ଅବସାନ ଘଟିବା ପେର ସେଠା ରାଷ୍ଟ୍ରମାନେ ମଧ୍ୟ ପୃଥିବୀର ଏପଟଟାରୁ ଦାରିଦ୍ର୍ୟ, ଅଶିକ୍ଷା ତଥା ଅସମାନତା ଦୂର କରିବା ନିମନ୍ତେ ଅଧିକ ପଇସା ଖରଚ କରି ବାହାରିଲେଣି । ଏମିତି ବି ହୋଇପାରେ, ପୂର୍ବେ ଉପନିବେଶମାନ ସ୍ଥାପନ କରି ସେମାନେ ଆମ ଏପଟଟାକୁ ଯେପରି ନିଜର ମାହାଲ ବୋଲି ଅନୁଭବ କରୁଥଲେ, ଏବେ ଏକ ପରିବର୍ତ୍ତିତ ପରିସ୍ଥିତିରେ ଅଧିକରୁ ଅଧିକ ବଦାନ୍ୟତା ଦେଖାଇ ସେମାନେ ବିକଶମାନ ସେହି ଭୂମିଗୁଡ଼ିକୁ କିଛି ଅଂଶରେ ସେମାନଙ୍କର ଖାସ୍ ଗୋଟିଏ ଗୋଟିଏ ମାହାଲ ବୋଲି ଅନୁଭବ କରିବାର ତୃପ୍ତି ଲାଭ କରୁଛନ୍ତି । ରୀତିମତ ଏକ ପ୍ରତିଯୋଗିତା ପରି ଏସବୁ ଚାଲିଛି । ଏପାଖରେ ଥାଇ ନିଜକୁ ପ୍ରକୃତରେ ଭାଗ୍ୟଶାଳୀ ବୋଲି ଅନୁଭବ କରିବାର ଏକ କାରଣ ରହିଛି ଯେ ଧନୀ ଦେଶମାନଙ୍କରେ ଆମକୁ ନିଜର ଭାଇ ପରି ସାହାଯ୍ୟ କରିବାକୁ ବସ୍ତୁତଃ ଏତେ ଏତେ ସଦିଚ୍ଛା ମହଜୁଦ୍ ରହିଛି ।

 

ଆଗେ ସେପାଖର ଜଣେ ଜଣେ ବ୍ୟକ୍ତି ସେକଥା କରୁଥିଲେ । ଆବର୍ଟ ସ୍ଵାଇତ୍‍ଜର୍‍, ମଦର ଟେରେସା ଓ ସେହି କାଟର ଆହୁରି ଅନେକ ଅନେକଙ୍କୁ ଆମେ ଏହି ଶ୍ରେଣୀରେ ଗଣନା କରିପାରିବା । ଜଣେ ଜଣେ ବ୍ୟକ୍ତି ହିସାବରେ ନିଜ ଭିତରୁ ହିଁ ସେମାନେ ଦୀନ ଓ ଅଳ୍ପବଳ ଅସହାୟମାନଙ୍କର ସେବା କରିବେ ବୋଲି ନିଷ୍ପତ୍ତି ନେଇଥିଲେ । ସେହି ଧାଡ଼ିରେ ଆମେ ଓଡ଼ିଶାରେ ସୁପରିଚିତ ଦୀନବନ୍ଧୁ ଆଣ୍ଡୃଜ୍ ଏବଂ ନୃତତ୍ତ୍ୱବିତ୍ ଭେରିଅର୍ ଏଲୱିନଙ୍କୁ ମଧ୍ୟ ସୁମାରି କରିପାରିବା । କ୍ୱେକର ଧର୍ମସମ୍ପ୍ରଦାୟଟି ମଧ୍ୟ ଏକଦା ସେହିପରି ବହୁ ଅଗମ୍ୟ କୋଣରେ ପହଞ୍ଚି ଦୁର୍ଗତ ମନୁଷ୍ୟମାନଙ୍କର ସେବା କରୁଥିଲେ । ଏବେ ଆଉ ସେପରି ପ୍ରାୟ ହେଉନାହିଁ । ଏବେ ବ୍ୟକ୍ତିମାନେ ଆସୁନାହାନ୍ତି, ଏବେ ପାଣ୍ଠି ଆସୁଛି । ସଂପୃକ୍ତ କେତେ ସରକାର ଏବଂ ସେମାନଙ୍କର ଅର୍ଥସହାୟତା ତଥା ଅନୁମତି ସହିତ ବିଦେଶର ବହୁ ସଂସ୍ଥା ଏବେ ତୃତୀୟ ବିଶ୍ୱର ସହାୟତା କରୁଛନ୍ତି ଓ ତୃତୀୟ ବିଶ୍ୱରେ କେତେ ସଂସ୍ଥା ସତେ ଅବା ସେମାନଙ୍କର କାମରେ ଲାଗିବା ପାଇଁ ଗଢ଼ି ହୋଇ ଯାଉଛନ୍ତି । କିଏ ଆଗ କାହାକୁ ଉସ୍‌କାଉଛି, ସେକଥା ମୋଟେ ଅଲଗା କରି କହିହେବ ନାହିଁ । ହୁଏତ ସେହିପରି ଏକ ଦେଣନେଣ ଏବଂ ସୂତ୍ରସ୍ଥାପନର ମୁହୂର୍ତ୍ତଟିଏ ଆସି ପହଞ୍ଚିଛି ବୋଲି ତାହା ଘଟୁଛି । ଶ୍ରୀଯୁକ୍ତ ଆଲବର୍ଟ ସ୍ଵାଇତ୍‍ଜର୍ ଆଫ୍ରିକାରେ ତାଙ୍କର ଡାକ୍ତରଖାନାଟି ଚଳାଇବା ନିମନ୍ତେ ବାରମ୍ବାର ଇଉରୋପକୁ ପଇସା ସଂଗ୍ରହ କରି ଯାଉଥିଲେ । ଏବେ ପଇସା ଆସି ପହଞ୍ଚିଯାଉଛି । କେହି ସେବକ ଆସୁନାହାନ୍ତି । ବିଶେଷ ସଂସ୍ଥାମାନେ ସେହିସବୁ ହିତକାରୀ ଦେଶରେ ଗଢ଼ା ହୋଇଛନ୍ତି ଏବଂ ସେହିମାନେ ନିଜର ବେତନଭୋଗୀ କର୍ମକର୍ତ୍ତାମାନଙ୍କୁ ନିଯୁକ୍ତ କରି ଅର୍ଥ ସାହାଯ୍ୟରେ ଏହି ବରାଦଗୁଡ଼ିକୁ କ୍ରିୟାଶୀଳ କରି ରଖିଛନ୍ତି । କର୍ମକର୍ତ୍ତାମାନେ ବିଶେଷଜ୍ଞ ରୂପେ ଆସୁଛନ୍ତି, ତଦାରଖ କରୁଛନ୍ତି ଓ ସେହିମାନଙ୍କର ସୁପାରିଶ ଅନୁସାରେ କେଉଁଠାରେ କେତେ କାହାକୁ ଦିଆଯିବ, କାଗଜପତ୍ରରେ ସେଇଟାର ଚୁକ୍ତି ହୋଇଯାଉଛି । ଏ ପାଖରେ ମଧ୍ୟ ନେବାବାଲା କୌଣସି ବ୍ୟକ୍ତି ନାହାନ୍ତି, ଏ ପାଖରେ ସଂସ୍ଥାମାନେ ରହିଛନ୍ତି । ନିଜକୁ ଅନୁରୂପ ଭାବରେ ପଞ୍ଜିକୃତ କରି ରଖିଛନ୍ତି । ନିଜ କର୍ମୀମାନଙ୍କର ଜାଲ ପକାଇ ସେମାନେ ଦାରିଦ୍ର୍ୟ ଦୂରୀକରଣ ଏବଂ ଉନ୍ନୟନର ନାନା କାର୍ଯ୍ୟ କରୁଛନ୍ତି । ସଂସ୍ଥାର ବରାଦ ଏବଂ ନିର୍ଣ୍ଣୟ ଅନୁସାରେ କରୁଛନ୍ତି । ସଂସ୍କାର ମୂଳରେ ଅବଶ୍ୟ କେତେକ ଦୃଷ୍ଟାନ୍ତରେ ଏପରି ଜଣେ ଦୁଇଜଣ ରହିଛନ୍ତି, ଯେଉଁମାନେ କି ଏକଦା ଗୋଟିଏ ବ୍ୟକ୍ତିଗତ ନିଷ୍ପତ୍ତି ନେଇ ଓ ତାହାକୁ ନିଜ ଜୀବନରେ ଏକ ବ୍ରତ ରୂପେ ଗ୍ରହଣ କରି ଦୁର୍ଗତ ଅଞ୍ଚଳଗୁଡ଼ିକୁ ଯାଇଥିଲେ ଏବଂ ଆଖୁରେ ଗୁଡ଼ାଏ ସ୍ଵପ୍ନ ତଥା ସଙ୍କଳ୍ପ ସାଉଁଟି ଆଣି ଏକ କାର୍ଯ୍ୟ ଆରମ୍ଭ କରିଥିଲେ ।

 

ମାତ୍ର କାର୍ଯ୍ୟକ୍ରମର ଫାଶଗୁଡ଼ାକ ବଢ଼ି ବଢ଼ି ଯିବା ସହିତ ସତେଯେପରି କେଉଁଠାରେ କ’ଣ ସବୁ କ୍ରମେ ବଦଳିଯାଇଛି । ସ୍ୱପ୍ନ ଅଛି, ତଥାପି ସ୍ୱପ୍ନ ନାହିଁ । ହାତରୁ ସୂତାମାନେ ଅଣଆୟତ୍ତ ହେଲାପରି ଖସି ଖସି ଯାଇଛନ୍ତି । ଉପରୁ ପାଣ୍ଠି ଆସୁଛି, ଗୁଣକ ଜାଗାରେ ତିନିଗୁଣ ଆସିବାର ସୁରାଖମାନେ ଦିଶିଦିଶି ଯାଇଛନ୍ତି । ଅନେକ ସମୟରେ ନୂଆ ପ୍ରସ୍ତାବ ସବୁ ମଧ୍ୟ ସେହି ହିତୈଷୀ ପାଣ୍ଠିଦାତାମାନଙ୍କ ତରଫରୁ ହିଁ ଆସିଛି । କୌଣସି ପ୍ରସ୍ତାବ ଇଆଡ଼ୁକୁ ହୋଇ ନଥିଲେ ମଧ୍ୟ ଏତେଗୁଡ଼ାଏ ପାଣ୍ଠି ସହିତ ଯେତେବେଳେ ସେଇଟି ଆସିଛି, ସେତେବେଳେ ସେଇଟି ଅବଶ୍ୟ ଠିକ୍ ହୋଇଥିବ ବୋଲି ଏକ ପ୍ରତୀତି ମଧ୍ୟ ହୋଇଛି ଏବଂ ପ୍ରସାରଣ ଘଟି ଘଟି ଯାଇଛି । ପ୍ରଫେସନାଲ୍ ପାଣ୍ଠିଦାତାମାନଙ୍କର କଥା ରଖିବାକୁ ଯାଇ ଏ ପାଖରେ ଗ୍ରହୀତା ସଂସ୍ଥାଗୁଡ଼ିକର ମଧ୍ୟ କ୍ରମେ ପ୍ରଫେସନାଲ୍ ହେବା ନିମନ୍ତେ ଭିତରୁ ଏକ ବୁଦ୍ଧି ଆସି ପହଞ୍ଚିଯାଇଛି । ଅସଲ ଓଳମଗୁଡ଼ିକ ସତେଯେପରି ଦୋହଲି ବି ଯାଇଛି । ଆଖି ଆଗରେ ତାରାଟିଏ ସେପର୍ଯ୍ୟନ୍ତ ରହି ବାଟ ଦେଖାଉଥାଏ, ଯେପର୍ଯ୍ୟନ୍ତ ବ୍ୟକ୍ତିଟିଏ ବା ଏପରିକି ବ୍ୟକ୍ତିମାନଙ୍କର ସଂସ୍ଥାଟିଏ ନିଜ କେନ୍ଦ୍ରରେ ଥାଏ ଏବଂ ତାହାରି ଦ୍ୱାରା ପରିଚାଳିତ ହୋଇ କାର୍ଯ୍ୟକ୍ରମ ବିଷୟରେ ନିଷ୍ପତ୍ତିମାନ ନେଉଥାଏ । ନିଷ୍ପତ୍ତି ଅନୁସାରେ ପାଣ୍ଠି ଯୋଗାଡ଼ କରି ବାହାରେ । ପାଣ୍ଠିତ ଅପରିମିତ । ଧନାଢ଼୍ୟ ଦେଶମାନେ, ଅଧିକ ନିର୍ଭୁଲ ଭାବରେ କହିଲେ ଧନୀ ଦେଶଗୁଡ଼ିକର ସରକାରମାନେ ହୁଏତ ନିଜର କିଛି ସ୍ୱାର୍ଥ ଦୃଷ୍ଟିରୁ ନଥିଲା ଦେଶମାନଙ୍କ ପାଇଁ ସାହାଯ୍ୟ ଯୋଗାଇ ଦେବାକୁ ଇଚ୍ଛା କରୁଛନ୍ତି । ପୃଥିବୀରେ ଅଳପ ଦେଶ ଧନୀ ରହିବେ ଏବଂ ଚାରିରୁ ତିନିଭାଗ ଲୋକ ଅଳପ ଭିତରେ ଅର୍ଥାତ୍ ମନୁଷ୍ୟକୃତ ନାନା ଦୁଷ୍ଟ ଗାରଗୁଡ଼ାକ ଭିତରେ କିଳି ହୋଇ ରହିଥିବେ, ଏଇଟା ଧନାଢ଼୍ୟ ସମାଜଗୁଡ଼ିକୁ ମଧ୍ୟ ଆଉ ନିରାପଦ ଲାଗୁନାହିଁ । ତେଣୁ ଏକ ପ୍ରୟୋଜନ ମଧ୍ୟ ରହିଛି, ଯାହାକୁ କି enlightened self interest ବୋଲି କୁହାଯାଇପାରନ୍ତା । ଦାତା ଅତ୍ୟୁଦାର ହେବାଦ୍ୱାରା ଗ୍ରହୀତାମାନଙ୍କ ସକାଶେ ତାହା କାଳ ଭଳି କାର୍ଯ୍ୟ କରୁଛି କି ? ତଥାକଥିତ ଦରିଦ୍ର ହିତାଧିକାରୀ ଦେଶଗୁଡ଼ିକରେ ମଥା ସ୍ଥିର କରି ଏସବୁର ମନନ ହୋଇପାରିବା ଉଚିତ । ଏବଂ ସ୍ୱେଚ୍ଛାସେବୀ ସଂସ୍ଥାଗୁଡ଼ିକରେ ତ ସବାଆଗ ହେବା ଉଚିତ ।

 

ସେଚ୍ଛାସେବୀ ସଂସ୍ଥାମାନେ ମଧ୍ୟ ତେଣୁ ସମାନ ସ୍ତରରେ ମୋଟେ ନାହାନ୍ତି । କାହାର ଅଳପ ତହବିଲ୍ ଓ ତେଣୁ ଅଳପ କାର୍ଯ୍ୟକ୍ରମ; ଆଉ କାହାର ଅଧିକ ତହବିଲ ଓ ତେଣୁ ବ୍ୟୁହଟା ମଧ୍ୟ ସେହି ଅନୁପାତରେ ଅଧିକ ବଡ଼, କାଗଜପତ୍ର କାମ ଅଧିକ ଏବଂ ସେବୀମାନଙ୍କ ଥାଟଟା ମଧ୍ୟ ବୃହତ୍ । ଯିଏ ଯେତେ ପାଣ୍ଠି ଟାଣି ଆଣିପାରିଲା, ସିଏ ସେତେ ବେଶୀ ଉଦରଯୁକ୍ତ ହୋଇପାରିଲା । ପ୍ରଫେସନାଲମାନଙ୍କ ଠାରୁ ଅଧିକରୁ ଅଧିକ ଟାଣି ପାରିବାକୁ ନିଜେ ମଧ୍ୟ ପ୍ରଫେସନାଲ୍ ହୋଇଯାଇ ପାରିଲେ ତାହା ଅଧିକ ଫାଇଦାର ହେବାର ହୁଏତ ଅଧିକ ସମ୍ଭାବନା ବି ରହିଥାଏ । ଆମର ନିଜ ଦେଶରେ ମଧ୍ୟ ସେଚ୍ଛାସେବୀ ସଂସ୍ଥାଗୁଡ଼ିକର କ୍ଷେତ୍ରରେ ସେହିଭଳି କିଛି ଅଘଟଣ ଘଟିବାକୁ ଆରମ୍ଭ କରିଛି କି ? ଅଧିକାଂଶ ସ୍ୱେଚ୍ଛାସେବୀ ସାନ ସ୍ୱେଚ୍ଛାସେବୀ ସଂଗଠନରୁ ହିଁ ଆରମ୍ଭ କରି ଥାଆନ୍ତି । ସାନଗୁଡ଼ିକ ପ୍ରକୃତ ଲୋକସ୍ତରଟି ସହିତ ଅଧିକ ନିକଟବର୍ତ୍ତୀ ହୋଇ ରହିଥାନ୍ତି, କାମ ଅଧିକ ଏବଂ ପାରିଶ୍ରମିକ ଅପେକ୍ଷାକୃତ ଅଳପ । ଅଭିଜ୍ଞତା ଅର୍ଜନ କରିବାର ଉଦ୍ଦେଶ୍ୟରେ ପ୍ରାୟ ନିୟମତଃ ସେହି ତଳୁ ହିଁ ଆରମ୍ଭ କରିବାକୁ ହୋଇଥାଏ । ଅଭିଜ୍ଞତା ବଢ଼ୁ ବଢ଼ୁ ଅନେକଙ୍କ ଭିତରେ ଅଧିକ ଆୟ କରିବାର ଉଚ୍ଚାଶାଟା ମଧ୍ୟ କାହିଁକି ନ ବଢ଼ିବ ? ବୃହତ୍ ସ୍ୱେଚ୍ଛାସେବୀ ସଂସ୍ଥାଗୁଡ଼ିକ ଅଧିକ ବେତନ ଦେବାକୁ ସମର୍ଥ ହୁଅନ୍ତି, ତେଣୁ ସାନ ସଂସ୍ଥାଗୁଡ଼ିକର ସ୍ୱେଚ୍ଛାସେବୀମାନଙ୍କ ନିମନ୍ତେ ଏକ ପ୍ରଲୋଭନ ପରି ହୋଇ ରହିଥାନ୍ତି । ଉପରକୁ ଗଲେ ମୁକ୍ତି ମିଳେ ବୋଲି କୁମନ୍ତ୍ରଣା ଦିଅନ୍ତି । ସେଠି ଅଧିକ ଦରମା, କାମଗୁଡ଼ିକୁ ମଧ୍ୟ ବିଶେଷଜ୍ଞମାନଙ୍କର କାମ ପରି । ଏକାବେଳେ ତଳେ ଲୋକଜୀବନ ସହିତ ସଂଶ୍ଳିଷ୍ଟ ହୋଇ ରହିବାର ବିଶେଷ ପ୍ରୟୋଜନ ନାହିଁ । ବଡ଼ ସଂସ୍ଥାରେ ମୁଖ୍ୟତଃ ତଦାରଖ, ମୂଲ୍ୟାୟନ, ବହି ବାହାର କରିବା, ବଡ଼ ବଡ଼ ସରବରାହ-ଯନ୍ତ୍ରକୁ ନେଇ ବ୍ୟସ୍ତ ରହିବା ଓଡ଼ିଶା ସମେତ ସମଗ୍ର ଭାରତବର୍ଷରେ ଆମେ ସ୍ୱେଚ୍ଛାସେବୀ ମାହାଲରେ ପ୍ରାୟ ଏହିପରି ଏକ ଉପରକୁ ଉପରକୁ ପଳାଇ ଯିବାର ପ୍ରକ୍ରିୟାଟିକୁ ଦେଖିବାକୁ ପାଇବା । ସ୍ୱେଚ୍ଛାସେବୀଟିଏ ହୁଏତ ଏହି କାରଣରୁ ନିଜର ଶୁଦ୍ରସ୍ଥିତିରୁ ପଳାଇ ପଳାଇ ତା’ କଳ୍ପନାର ଏକ ବ୍ରାହ୍ମଣ-ସ୍ଥିତିରେ ଯାଇ ପହଞ୍ଚିବାର ଦୁଃଖଦ ଉଦାହରଣମାନ ବହୁତ ଦେଖିବାକୁ ମିଳିଥାଏ ।

 

ସ୍ୱେଚ୍ଛାସେବୀମାନେ ଅଛନ୍ତି, କାରଣ ବଞ୍ଚିତ ମଣିଷମାନେ ଅଛନ୍ତି । ସେହି ମଣିଷମାନଙ୍କୁ ମୁଖ୍ୟସ୍ରୋତକୁ ଅର୍ଥାତ ନିଜ ସାଙ୍ଗକୁ ଆଣିବାର କାର୍ଯ୍ୟଟି ଯେ ସର୍ବଥା ଏକ ପୂରା ସମୟର କାର୍ଯ୍ୟ ଏବଂ ସତକୁ ସତ ଏକ ସମ୍ପୂର୍ଣ୍ଣ ଅଙ୍ଗୀକାରବଦ୍ଧତା ଅବଶ୍ୟ ଦାବି କରିବ, ସେଥିରେ ଆଦୌ କୌଣସି ସନ୍ଦେହ ନାହିଁ । ସ୍ୱେଚ୍ଛାସେବୀ ପ୍ରଥମେ ଯେତେ ଉତ୍ସାହ ଓ ସ୍ଵଚ୍ଛ ମନନେଇ ଆସିଥାଉ ପଛକେ, ସମ୍ପୂର୍ଣ୍ଣ କ୍ଷେତ୍ରଟିର ଜଳବାୟୁଟିକୁ ଦେଖି ତା’ର ମଧ୍ୟ ସିଡ଼ିରେ ଉପରକୁ ଚାଲିଯିବାକୁ ମନ ହେବ । ତା’ ଭାବନାର ଚମ ଓ ମାଂସଗୁଡ଼ାକ ମଧ୍ୟ ତାକୁ ନାନା ରଙ୍ଗବେରଙ୍ଗ ଭବିଷ୍ୟତର ଭେଳିକି ବଳରେ ଖସିଯିବାକୁ ଲୋଭ ଦେଖାଇବେ, ପ୍ରଫେସନାଲ୍ ଅଗ୍ରଗତିର ସେହି ଅନ୍ୟ ତୃଷ୍ଣାଟି ଭିତରେ ନେଇ ପକାଇଦେବେ । ଅର୍ଥାତ, ଯେଉଁମାନେ ପ୍ରକୃତ ଲୋକସ୍ତରରେ ରହିବେ, ତା’ ପାଇଁ ଖସି ଚାଲିଯିବାର ମହକଟିଏ ସର୍ବଦା ତାକୁ ବାଉଳା କରି ରଖିଥିବ । ଆଦିବାସୀଙ୍କ ପଛରେ ରହିଥିବା ଏହି ଦେଶର ଏତେ କୋଟି ମନୁଷ୍ୟଙ୍କୁ ସିଡ଼ି ପରି ବ୍ୟବହାର କରି ଆମ ଦେଶର କେତେ ସେଚ୍ଛାସେବୀ ଯେ ଅଧିକ କମାଇବାକୁ ଓ ଅଧିକ ତୋଫା ଦିଶିବାକୁ ଚାଲି ଯାଉଛନ୍ତି, ତାହାର ମଧ୍ୟ କିଞ୍ଚିତ୍ ଏକ ଅଧ୍ୟୟନ ହୋଇପାରନ୍ତା । ସେହି ସବାତଳେ ଥିବା ସ୍ୱେଚ୍ଛାସେବୀମାନେ ହିଁ ସେହି ଅଧ୍ୟୟନ କରିପାରନ୍ତେ । ମାତ୍ର, ଉପରକୁ ପଳାଇବାର ଆକର୍ଷଣରୁ ନିଜକୁ ମୁକ୍ତ କରିପାରିଲେ ଯାଇ ସେମାନେ ତାହା କରିପାରନ୍ତେ ।

 

ମାତ୍ର, ପ୍ରଲୋଭନ ପ୍ରକୃତରେ ବହୁତ ପ୍ରକାରର । ତୃଣମୂଳ ସ୍ତରଟିରୁ ଉଠି ଯିଏ ଯେତିକି ଯେତିକି ପ୍ରଫେସନାଲ୍ ସ୍ତରକୁ ଯିବ, ସିଏ ସେତିକି ଦରମା ବି ଅଧିକ ପାଇବ । ଉପରର ଦରମାଟାକୁ ଭାବିବସିଲେ ତଳେ ଥିବା ଜଣେ ସ୍ୱେଚ୍ଛାସେବୀର ଆଖି ମଧ୍ୟ ପାଇବ ନାହିଁ । ତେଣୁ, ଯାବତୀୟ ଅନମନୀୟ ଏବଂ ଅସୁସ୍ଥ ଅର୍ଥରେ ବାସ୍ତବବାଦୀ ହେବାକୁ ମନ ଧାଇଁବ । ବାସ୍ତବବାଦୀ ସବା ଆଗରୁ ସବାଶେଷ ଯାଏ କେବଳ ନିଜର ଲାଭଟି କଥା ହିଁ ଭାବିବ । ଏବଂ, ଏହି କ୍ଷେତ୍ରରେ ଅର୍ଥଲାଭଟା ହିଁ ସବୁଠାରୁ ବଡ଼ ଲାଭ । ତଥାକଥିତ ପ୍ରଫେସନାଲମାନଙ୍କର ସଂହିତାରେ ହୁଏତ ଅର୍ଥଲାଭକୁ ହିଁ ଚରମସିଦ୍ଧି ବୋଲି ବିଚାର କରାଯାଇଥାଏ । ଅଧିକ ମୋଟ ସ୍ୱେଚ୍ଛାସେବୀ ସଂସ୍ଥାମାନେ ଏବେ ନିଜର କର୍ମୀମାନଙ୍କୁ ଯେତେ ଅଧିକ ଦରମାର ଆକର୍ଷଣ ଦେଖାଉଛନ୍ତି, ଜଣେ ହୁଏତ ଯେଡ଼େ ବଡ଼ ବିଶ୍ଵାମିତ୍ରଟିଏ ହୋଇଥିଲେ ମଧ୍ୟ ତାହାର ଗୋଡ଼ଟା ସଡ଼କିନା ଅବଶ୍ୟ ଖସିଯିବ । ତୁମର ଏହି ମୂଳ ସଂସ୍ଥାଟିରେ ଯଦି ତୁମକୁ ମାସକୁ ଦୁଇ ବା ତିନିହଜାର ଟଙ୍କା ଦେଉଥିବେ, ଲୁବ୍ଧକ ମୋଟା ସଂସ୍ଥାଟି ହୁଏତ ତୁମେ ତାଙ୍କ ଗୁହାଳକୁ ଗଲେ ତୁମକୁ କୋଡ଼ିଏ ବା ପଚାଶ ହଜାର ମଧ୍ୟ ଦେବେ । କାମ ଦେଖାଇ ପାରିଲେ ଅର୍ଥାତ୍ ନେଇ ଆଣି ଥୋଇ ଜାଣିପାରିଲେ ସେହି ଆଟିକାଟି ହୁଏତ ଆଙ୍ଗୁଠିରେ ଗଣି ହୋଇପାରୁଥିବା ମାତ୍ର କେତେଟା ବର୍ଷରେ ଚାଳିଶ ପଚାଶ ଅଥବା ତଦ୍ରୁପ ଏକ ପରିମାଣରେ ଯାଇ ପହଞ୍ଚିପାରିବ । ଗରିବମାନଙ୍କ ନିମନ୍ତେ ବିବିଧ କ୍ଷେତ୍ରରେ ସହାୟତା କାର୍ଯ୍ୟ କରୁଥିବା ସଂସ୍ଥାମାନେ ଯେ ନିଜର କର୍ମୀମାନଙ୍କୁ ଦରମାସୁଖ ଦେବାରେ ଆଦୌ କୌଣସି ତ୍ରୁଟି କରନ୍ତି ନାହିଁ, ସେହି ବିଷୟରେ ମୁଁ ଏବେ ବହିଟିଏ ପଢ଼ୁଥିଲି । ପୃଥିବୀର ଦରିଦ୍ରମାନଙ୍କୁ ସତକୁ ସତ ଧନ୍ୟବାଦ ଦେବା ଯେ ସେମାନଙ୍କ ନିମନ୍ତେ ଗଠିତ ହୋଇଥିବା ସଂସ୍ଥାମାନେ ନିଜର ପରିକରମାନଙ୍କୁ ସତେ ଅବା ଇନ୍ଦ୍ର ପରି ଦରମା ଦେଇପାରୁଛନ୍ତି ।

 

ପ୍ରଫେସନାଲ୍ ଉପକାରୀମାନେ ଯଦି ଏହିଭଳି ରୀତିରେ ଆମ ସେବାକ୍ଷେତ୍ରଗୁଡ଼ିକର କାର୍ଯ୍ୟକ୍ରମରେ ଉଚ୍ଚ ଏବଂ ଆହୁରି ଉଚ୍ଚ ସିଦ୍ଧିକୁ ଚମ୍ପଟ କରିବାର ବିଧିଟିକୁ ଚାଲୁ କରି ରଖିଥିବେ, ତେବେ ପୃଥିବୀରେ ପ୍ରଫେସନାଲମାନେ ହିଁ ହୁଏତ ବଢ଼ିବେ ସତ, ମାତ୍ର ଅସଲ ତଳେ ରହି କାମ କରିବାକୁ ପୁଣି ବନ୍ଧୁମାନେ କେଉଁଠାରୁ ଆସିବେ ? ବନ୍ଧୁ ହୋଇ ଆସୁଥିବେ, ପ୍ରଫେସନାଲ୍ ବନି ଚିତା କାଟି ପଳାଇ ଯାଉଥବେ । ସେମାନେ ଆମ ହାଟକୁ ଆସିଥିବା ଦୟାଳୁ ବେପାରୀମାନଙ୍କ ପଟକୁ ବିକ୍ରି ହୋଇଯିବେ । ସେମାନେ ହଜାର ହଜାର ଟଙ୍କା ପାଇ ଅଣ୍ଡା ଉଷୁମାଇବାର ପୂଣ୍ୟ କାର୍ଯ୍ୟରେ ଯେଡ଼େ ତତ୍ପର ହୋଇ ଲାଗିଥିଲେ ମଧ୍ୟ ହୁଏତ ଗୋଟିଏ ହେଲେ ଅଣ୍ଡା ଫୁଟି ଛୁଆ ବାହାରିବ ନାହିଁ । ଦାରିଦ୍ର୍ୟ ଦୂର ହେବ ନାହିଁ । ଆମ ଆଶାର ଶଗଡ଼ ଉପରେ ସେହି ପ୍ରଫେସନାଲଟା ବସି ଭଳି ଭଳି ଚାତୁରୀ ଦେଖାଇ ବଳଦମାନଙ୍କୁ ଅଡ଼ାଇବାରେ ଲାଗିଥିବ । ବଳଦମାନେ ମଠ ହୋଇ ରହିଯିବେ ବୋଲି ସେମାନଙ୍କୁ ବହୁତ ଦରମାର ଚାରା ଆଣି ଭୁଞ୍ଜାଇ ଦେଉଥିବ,– ବାବୁମାନଙ୍କର ବୁଦ୍ଧିକୁ ଆମେ ଏଥିପାଇଁ ହୁଏତ ଭାରି ତାରିଫ କରିପାରିବା ସିନା, ମାତ୍ର ଏହାଦ୍ଵାରା ଅସଲ ବେଡ଼ୀଗୁଡ଼ିକ ମୋଟେ ଛିଡ଼ିବ ନାହିଁ ଏବଂ ଅସଲ ଦୁଃଖଗୁଡ଼ିକ ପାଇଁ କୌଣସି ସମାଧାନ ବାହାରିବ ନାହିଁ । ସାମନ୍ତବାଦୀ ତାମସାମାନ ଭାଙ୍ଗିଲେ ଯାଇ ହୁଏତ ସମାଧାନ ଆଡ଼େ କିଛି ବାଟ ଭଳି ବାଟ ଫିଟିପାରିବ । ସାମନ୍ତମାନେ ସାମନ୍ତ ହୋଇ ରହିବେ, ଚାରି ବା ପାଞ୍ଚ ଅଙ୍କରେ ଦରମା ନେଉଥିବେ ଓ ଏବେ ହାତରେ ପାଣ୍ଠିର ପସରା ଧରି ଆମର ସେବା କରିବାକୁ ରଥ ଉପରେ ବସି ପହଞ୍ଚିଯିବେ । ଏସବୁ ଚାଲିଥିବା ପର୍ଯ୍ୟନ୍ତ ଏହି କାଳଟାକୁ ଯାହା ନିର୍ଲଜ୍ଜ ବୋଲି କହିବାକୁ ପଡ଼ିବ । ସାମନ୍ତମାନେ ଯେ ଅତ୍ୟନ୍ତ ନିର୍ଲଜ୍ଜ ଭାବରେ ଦୟାଳୁ ହୋଇପାରନ୍ତି, ସାଂପ୍ରତିକ ସ୍ୱେଚ୍ଛାସେବାର ନଜିର ଭିତରୁ ତାହାର ବହୁତ ବହୁତ ପ୍ରମାଣ ସବୁବେଳେ ମିଳିଯାଇ ପାରିବ । ତେଣୁ, ଜଣେ ସ୍ୱେଚ୍ଛାସେବୀ କିମ୍ବା ଏକ ସ୍ୱେଚ୍ଛାସେବୀ ସଂସ୍ଥା ପ୍ରକୃତରେ କାହାର ସେବୀ, ସେକଥା ସେମାନେ ସ୍ଵୟଂ ଗଣିତ କଷି ବାହାର କରନ୍ତୁ । ବାତ୍ୟା ପରେ ବାତ୍ୟା ଆସିବ, ଦୁଃଖ ପରେ ଦୁଃଖ ଲାଗି ରହିଥିବ, ଏବଂ ସେହି ଉପକାରୀ ବାବୁମାନେ ବାରବାର ଆମ ଗାଆଁରେ ଆସି ଡେରା ପକାଇବେ । ଆମେ ସେମାନଙ୍କୁ ମୋଟେ ମନା କରିବୁ ନାହିଁ । ମାତ୍ର, ସେହିମାନେ ଆମର ଦୁଃଖ ଦୂର କରିଦେବେ ବୋଲି ଆମେ ଭୁଲରେ ମଧ୍ୟ କେବେହେଲେ ଭାବିବୁ ନାହିଁ । ଦୁଃଖ ଦୂର କରିବାର ବାଟ ଆମ ପାଇଁ ଆଉ କୋଉଠି ଅପେକ୍ଷା କରି ରହିଥିବ ।

 

୧୦/୪/୨୦୦୦

Image

 

ଶିକ୍ଷକ ସରକାରଠାରୁ ବଡ଼ (୪)

 

ଯେଉଁ ଶିକ୍ଷକ ସରକାର ଠାରୁ ଦେଶକୁ ଆଗ ଦେଖେ, କେବଳ ସେହି ଶିକ୍ଷକକୁ ହିଁ ସରକାର ଠାରୁ ବଡ଼ ବୋଲି କୁହାଯାଇ ପାରିବ । ସରକାରଙ୍କ ଶିକ୍ଷା ବିଭାଗରେ ଚାକିରି କରୁଛନ୍ତି ବୋଲି ନିଜ ମନକୁ ତୃପ୍ତି ଦେଉ ଦେଉ ଅନେକେ କ୍ରମେ ସରକାରଙ୍କର ଗୋଲାମ ବନିଯାଆନ୍ତି । ସରକାରମାନେ ଆସନ୍ତି, ଯାଆନ୍ତି, ବିଭାଗୀୟ ପୁଙ୍ଗବମାନଙ୍କର ଗୁହାଳରେ ଅଦଳବଦଳ ଲାଗି ରହିଥାଏ । ଏ ମନ୍ତ୍ରୀ ଯାଆନ୍ତି, ସେ ମନ୍ତ୍ରୀ ଆସନ୍ତି । ଶିକ୍ଷାର ବିଭାଗଟାକୁ ମୁଣ୍ଡାଇଥିବା ସମୟରେ ଯୋଉ ମନ୍ତ୍ରୀ ପ୍ରାୟ ଏକ ଦୁର୍ଦ୍ଧର୍ଷ ବ୍ୟାକୁଳତା ପ୍ରକାଶ କରି ଶିକ୍ଷା ବିଷୟରେ ବ୍ୟସ୍ତ ହେଉଥିଲେ, ସରକାରଟାଏ ନୂଆ ଗଢ଼ା ହେଲେ ସିଏ ହୁଏତ ଗଡ଼ଗଡ଼ାଇ କୁଆଡ଼େ ଯାଇ ପଡ଼ନ୍ତି । ତା’ପରେ ନିଜର ଭବିଷ୍ୟତ ନିମନ୍ତେ ହନ୍ତସନ୍ତ ହୋଇ ସିଏ ହୁଏତ ଏକ ଅନ୍ୟ ବାହୁନା ବାହୁନନ୍ତି । ତାଙ୍କ ଜାଗାରେ ଆଉ ଜଣେ ସତେ ଅବା ଶୂନ୍ୟରୁ ଆସି ଶିକ୍ଷା ଉପରେ ପଡ଼ନ୍ତି ଓ ପଡ଼ିବା ମାତ୍ରକେ ମହାପ୍ରତ୍ୟୟ ସହିତ ସାଧନ ଭାଙ୍ଗନ୍ତି । ଶିକ୍ଷାହାଟରେ ମହାବିଶେଷଜ୍ଞ ପରି କଥା କହନ୍ତି । ବହୁ ବ୍ୟାକୁଳତା ପ୍ରକାଶ କରନ୍ତି । ସ୍ଵୟଂ ଭଗବାନଙ୍କର ଗୋଦାମର ଗୁମାସ୍ତାମାନେ ମଧ୍ୟ କେବେହେଲେ ଏତେ ବ୍ୟାକୁଳ ହେଉ ନଥିବେ । ଏତେ ଅଭିନୟ କରୁ ନଥିବେ ।

 

ଯୋଉ ଶିକ୍ଷକ ଶିକ୍ଷକଟିଏ ହୋଇ ରହିବା ଦିନଠାରୁ ଯାବତୀୟ ହିତଦୃଷ୍ଟିରୁ ବିଚାର କରି ଗୋଲାମଟିଏ ହୋଇ ସାରିଥାଏ, ଶିକ୍ଷାକଳରେ ଯେତେ ଯାହା ଯାଆଆସ ଲାଗିଥିଲେ ମଧ୍ୟ ସିଏ ଅପରିବର୍ତ୍ତିତ ଭାବରେ ସେହି ଗୋଲାମଟି ହୋଇ ରହେ । ଜଗତ ବୁଡ଼ିଯାଉ ପଛକେ, ତା’ ଚାକିରିଟି ବଜର ହୋଇ ରହିଥାଉ, ଏଇଥିପାଇଁ ଜୀବନପଣ କରି ବାହାରିଥାଏ । ଗୋଲାମ ମଧ୍ୟ ଆନ୍ଦୋଳନ କରେ । ଆନ୍ଦୋଳନ କରିବାରୁ ହିଁ ବେତନରେ ବୃଦ୍ଧି ହେଉଛି ବୋଲି ସିଏ ପୂରା ବିଶ୍ୱାସ ରଖିଥାଏ । ମହାସଂଘମାନେ ହିଁ ତାକୁ ସେହି ବିଶ୍ୱାସଟି ଆଣି ଦେଇଥାଆନ୍ତି । ସଂଘ ନହେଲେ ଅର୍ଥାତ୍ କାହାକୁ ସିଦ୍ଧିଦାତା ନେତା ରୂପେ ମାନିନନେଲେ ସିଏ ହୁଏତ ଲୁଟିବଜାରରେ ପୂରା ଜଳକା ହୋଇ ଅନାଇ ରହିଥିବ ବୋଲି ଭାବୁଥାଏ । ତେଣୁ ଶୋଭାଯାତ୍ରାରେ ବାହାରେ ଏବଂ ଧାରଣାରେ ବସେ । ଦେଶରେ ଯେଉଁ ପିଲାମାନେ ପାଠ ପଢ଼ି ଆସୁଛନ୍ତି ବୋଲି ସିଏ ଏକ ଶିକ୍ଷକ ହୋଇଛି, ସେମାନଙ୍କୁ ଉପବାସ ରଖି ସିଏ ଶୋଭାଯାତ୍ରାକୁ ଯାଏ, ନିଜକୁ ନିରାପଦ ବୋଲି ଭାବେ । ଜୀବିକାରେ ଖୁବ୍ ଜିତେ, ଜୀବନରେ ହାରୁଥାଏ ।

 

ଏକଦା ରାଜତନ୍ତ୍ର-ଶାସିତ ନେପାଳରେ ଲୋକମାନଙ୍କ ଉପରେ ଦୁଇ ପ୍ରକାରର ଶାସନ ପ୍ରଭୁତ୍ୱ କରୁଥିଲେ । ରାଜାଙ୍କର ଶାସନ ଓ ରାଣାଙ୍କର ଶାସନ । ରାଜାଙ୍କୁ ପାଞ୍ଚ ସରକାର ବୋଲି କୁହାଯାଉଥିଲା ଏବଂ ରାଣା ତିନି ସରକାର ବୋଲାଉଥିଲେ । ରାଜାଙ୍କ ନାଆଁ ଆଗରୁ ପାଞ୍ଚଥର ଶ୍ରୀ ଲାଗୁଥିଲା ଓ ରାଣାଙ୍କ ନାଆଁ ପୂର୍ବରୁ ତିନିଥର । ଉଭୟେ ଉଣେଇଶି ବିଶ୍ ହୋଇ ପ୍ରଜାଙ୍କ ଉପରେ ଶାସନ କରୁଥିଲେ । ଯେଉଁ ଶିକ୍ଷକ ସବାଆଗ ନିଜକୁ ଚାକିରିଆ ବା ଗୋଲାମଟିଏ ବୋଲି ମାନି ନେଇଥାଏ, ସିଏ ସରକାର ଏବଂ ସଂଘ– କାହାକୁ ପାଞ୍ଚ ସରକାର ଓ କାହାକୁ ତିନି ସରକାର ବୋଲି ସ୍ୱୀକାର କରି ନେଇଥାଏ କେଜାଣି ? ଖୁବ୍ ସମ୍ଭବ ଜଣେ ବୁଦ୍ଧି ଥିବା ସଂସାରୀ ହିସାବରେ ଯେତେବେଳେ ଯେପରି ଆବଶ୍ୟକ ପଡ଼େ, ସେତେବେଳେ ସେ ଏଇଟାକୁ କିମ୍ବା ସେଇଟାକୁ ଉଣେଇଶି ଅଥବା ବିଶ୍‍ର ସ୍ୱୀକୃତି ଦେଇଥାଏ । ତା’ର ବିବେକ-ନାଟିକା ଉଭୟ ପଟର ବନ୍‍ସୀ କଣ୍ଟାରେ ଗୁନ୍ଥା ହୋଇ ସିନା ରହିଥାଏ, ତଥାପି ତଦ୍ଦ୍ୱାରା ଭାରି ନାରଖାର ହେବାକୁ ପଡ଼େ । ଅବଶ୍ୟ ନିଜକୁ ଜଣେ ଗୋଲାମ ବୋଲି ଗ୍ରହଣ କରି ନେଇଥିଲେ ନରଖରଟା ନିଶ୍ଚୟ କିଞ୍ଚିତ୍ କମ୍ ବି ବାଧୁଥିବ ।

 

ଅନ୍ୟ ପ୍ରକାରର ଶିକ୍ଷକଟି ବି ଚାକିରି କରିଥାଏ । ସଂଘରେ ମଧ୍ୟ ଥାଏ; ତଥାପି ସିଏ ନିଜକୁ ସରକାର କିମ୍ବା ସଂଘ, ମୋଟେ କାହାରି ଗୋଲାମ ଭଳି ଦେଖେ ନାହିଁ; ସିଏ ନିଜକୁ ମୂଳତଃ ଶିକ୍ଷା ପାଖରେ ଉତ୍ତରଦାୟୀ ବୋଲି ଅନୁଭବ କରୁଥାଏ । ସିଏ ପ୍ରକୃତରେ ଏକ ଅନ୍ୟ ଅନୁଭବ, ଏକ ଅନ୍ୟ ଗୌରବ ଓ ଏକ ଅନ୍ୟ ସମ୍ମାନ । ଏକାବେଳେକେ ଏକାଧିକ ଜାଗାରେ ନିଜକୁ ସମ୍ବନ୍ଧିତ କରି ରଖିଥିବ, କିନ୍ତୁ କୋଉଠି ଗୋଲାମ ହୋଇ ନଥିବ । ଜଣେ ଶିକ୍ଷକ ଯଦି ଗୋଲାମ ହେବ, ତେବେ ତା’ ଚାରି ପାଖରେ ତାକୁ ଘେରିକରି ବସିଥିବା ତା’ ଛାତ୍ରଛାତ୍ରୀମାନଙ୍କ ପାଖରେ । ଏହି ଛାତ୍ରଛାତ୍ରୀମାନେ ଅପେକ୍ଷା କରିଥିବା ଭବିଷ୍ୟତଟି ପାଖରେ । ଯାବତୀୟ ଭବିଷ୍ୟତ ବର୍ତ୍ତମାନର ଏହି କୁମ୍ଭାରଶାଳରୁ ଯେ ଗଢ଼ା ହେବ, ସେହି ସବାମୂଳ ପ୍ରତ୍ୟୟଟି ପାଖରେ । ଶିକ୍ଷାଦାନକୁ ଶିକ୍ଷକ ବାହାରର ସକଳ ହିସାବ ଏବଂ ଗଣିତ ଅନୁସାରେ ଅବଶ୍ୟ ଏକ ବୃତ୍ତ ରୂପେ ଗ୍ରହଣ କରିଥାଏ । ମାତ୍ର, ତେଣେ ପିତ୍ତ ଭିତରେ ଯଦି ଏକ ଗୋଲାମ ହିଁ ସର୍ବେସର୍ବା ହୋଇ ବସିଥାଏ, ତେବେ ବିଚରା ଶିକ୍ଷକଟି ସେହି ବୃତ୍ତିଟା ପାଖରେ ହିଁ ଅଟକି ରହିଯାଏ, ଆଦୌ କୌଣସି ବ୍ରତସ୍ତରକୁ ଉନ୍ନୀତ ହୋଇପାରେ ନାହିଁ । ଶିକ୍ଷକଟିଏ ହେବା ସଚରାଚର ଏଭଳି ଗୋଟିଏ ଜୀବିକା, ଯାହାକୁ ବୃତ୍ତି ଓ ବ୍ରତ, ଏକାବେଳକେ ଦୁଇ ସ୍ତରରେ ହିଁ ଗ୍ରହଣ କରିବାକୁ ପଡ଼େ, ନହେଲେ ଭାରି ଗୋଡ଼ ଖସିଯାଏ, ଧର୍ମଭ୍ରଷ୍ଟ ହେବାକୁ ହୁଏ, ଏବଂ ଶିକ୍ଷକ ଧର୍ମଭ୍ରଷ୍ଟ ହେଲେ ଗୋଟାଏ ଜନସମୂହରେ କୋଉ ଭବିଷ୍ୟତ କିପରି ବା ଗଢ଼ାହୋଇ ପାରିବ ?

 

ଭାରତବର୍ଷର ବର୍ତ୍ତମାନଟାକୁ ଧର୍ମଭ୍ରଷ୍ଟ କରି ପକାଇବାର ବିଗତ ପଚାଶ ବର୍ଷବ୍ୟାପୀ ପ୍ରକ୍ରିୟାଟିରେ ଯେଉଁମାନଙ୍କର ଅବଦାନ ରହିଛି, ସେଥିରେ ନିଜକୁ କେବଳ ଏକ ଗୋଲାମ ବୋଲି ମାନି ନେଇଥିବା ଆମ ଶିକ୍ଷକମାନଙ୍କୁ ମଧ୍ୟ ସାମିଲ କରାଯାଇ ପାରିବ । ଅଧିକରୁ ଅଧିକ ଶିକ୍ଷକଙ୍କୁ ଆପଣାକୁ ନିତାନ୍ତ ଧର୍ମଭ୍ରଷ୍ଟ ଭାବରେ ମୂଳତଃ ଗୋଲାମ ବୋଲି ଭାବିବାକୁ ବହୁ ବହୁ ମନ୍ତ୍ରଣା ଦେଇ ଆସିଥିବା ସଂଘଟା ମଧ୍ୟ ସେଇଠି ପାଖରେ ଜନ୍ତୁକ ପରି କେଉଁଠାରେ କିଆଭେଡ଼ ଭିତରେ ଲୁଚିରହି ଖଳନାୟକ ପରି ମୁରୁକି ମୁରୁକି ହସୁଥିବାର ବି ପ୍ରତ୍ୟକ୍ଷ କରାଯାଇ ପାରିବ । ଆମ ଦେଶର ଅଧକାଂଶ ଶିକ୍ଷକଙ୍କ ଠାରୁ ଏହି ଅସଲ ଶିକ୍ଷକର ପରିଚୟଟି କାହିଁକି କେଉଁମାନେ ହରଣ କରିନେଇଗଲେ କେଜାଣି ? ଅଧିକାଂଶ ସ୍କୁଲ୍ ଓ କଲେଜକୁ ଗଲେ ମନେହେବାକୁ ଏତେ ଟିକିଏ ବିଳମ୍ବ ହୁଏନାହିଁ ଯେ, ଏହି ସ୍ଥିତି ବଦଳିବ ବୋଲି ସେମାନଙ୍କର ଅଧିକାଂଶଙ୍କର ଯେପରି ଏକ ବିଶ୍ୱାସ ମଧ୍ୟ ନାହିଁ । ବିଶ୍ୱାସ ନାହିଁ, ତେଣୁ ସାହସ ଘରେ ତାଲା ପଡ଼ିଛି । ଅଧିକାଂଶ ଶିକ୍ଷକ ସରକାରକୁ ଦାୟୀ କରୁଛନ୍ତି । ଭିତରେ ଅସଲ ଶିକ୍ଷକାତ୍ମାଟି କୋଉ ତଳେ ଯାଇ ପୋତିହୋଇ ରହିଛି ବୋଲି ସଙ୍କେତ ଆସୁଥିଲେ ମଧ୍ୟ ବାହାରର ଏହି ବହୁ ଦୌରାତ୍ମ୍ୟର ଭୟରେ ସିଏ ଆଉ ସେଇଟିକୁ ସବାଆଗକୁ ଆଣି ତାହାରି ବୋଲ ମାନିବ ବୋଲି ପ୍ରତ୍ୟୟ ରଖିପାରୁ ନାହିଁ ।

 

ପ୍ରତ୍ୟେକ ମଣିଷ ଭିତରେ ଏପରି ଉପାଦାନଟିଏ ଥାଏ, ଯାହାକି କୌଣସି ପରିସ୍ଥିତିରେ ମଧ୍ୟ ଗୋଲାମଟାଏ ବନିଯିବାର କୌଣସି ପ୍ରରୋଚନା ଆଗରେ ମସ୍ତକ ନତ କରେନାହିଁ । ଇତିହାସ ସିଧା କହିଦେବ ଯେ, କୌଣସି ସରକାର କେବେହେଲେ ସେହି ଉପାଦାନଟିକୁ ବାହାରକୁ ଆସିବା ନିମନ୍ତେ ଆଦୌ ଇଚ୍ଛା କରିନାହିଁ । ସ୍ଥିତାବସ୍ଥା ହିଁ ଯାବତୀୟ ସରକାରକୁ ସବୁବେଳେ ଭାରି ସୁହାଇ ଆସିଛି । ସରକାରମାନଙ୍କ ପାଇଁ ଶିକ୍ଷାର ଧନ୍ଦାଟା ହେଉଛି ଆହୁରି ବାଇଶି ବା ବତିଶିଟା ଧନ୍ଦା ଭିତରେ ଗୋଟାଏ ଧନ୍ଦା । ଧନ୍ଦାଗୁଡ଼ିକର ତାଲିକାରେ ମଧ୍ୟ ଶିକ୍ଷା ସେହି କାରଣରୁ କୋଉ ତଳେ ଯାଇ ରହିଥାଏ । ଆଗ କଳ, କଳର ଚାବୁକଗୁଡ଼ାକ ସାହାଯ୍ୟରେ ଆମ ପାଇଁ ଲାଭବାନ ସାବ୍ୟସ୍ତ ହେଉଥିବା ଏକ ଶାସନ ! ସେହି ଶାସନର ଗଣିତ ଅନୁସାରେ ଶିକ୍ଷାଟା ମଧ୍ୟ ଚଳିବାକୁ ବାଧ୍ୟ ହେବ ହିଁ ହେବ । ତେଣୁ, ଧୁଣ୍ଡା ବା ଘୁଙ୍ଗା କାହାକୁ ଗୋଟାଏ ଆଣି ମହୁଡ଼ ଉପରେ ବସାଇଦେଲେ କାମ ଫତେ ହୋଇଯାଏ । ଆମ ଦେଶ ଓ ରାଜ୍ୟମାନଙ୍କରେ ମଧ୍ୟ ଅଳ୍ପବହୁତ ସେହି ହିସାବରେ ସବୁ ଚାଲିଛି । ସରକାରଟାକୁ ନ ପାରିବାରୁ ହିଁ ହୁଏତ ବହୁତ ଶିକ୍ଷକ ବାଧ୍ୟ ହୋଇ ସଂଘଟାକୁ ଦୁତୀୟ ହୋଇ ପଡ଼ିଛନ୍ତି । ବେତନ ବଢ଼ି ବଢ଼ି ଯାଉଛି, ମହତ ସରି ସରି ବି ଯାଉଛି ।

 

ଯେଉଁ ଶିକ୍ଷକମାନେ ନିଜକୁ ସରକାରଠାରୁ ଅଧିକ, ଅର୍ଥାତ ସେମାନେ ସରକାରର ଗୋଲାମ ନୁହନ୍ତି, ସେମାନେ ସଂଘର ଗୋଲାମ ବି ନୁହନ୍ତି । ଏହିଭଳି ଶିକ୍ଷକମାନେ ଯଦି ସଂଘ ଭିତରେ ମଧ୍ୟ ଥାଆନ୍ତେ, ତେବେ ସଂଘ ମଧ୍ୟ ଦ୍ୱିଜତ୍ୱ ଲାଭ କରନ୍ତା । ଅଧିକରୁ ଅଧିକ ଶିକ୍ଷାପଟରେ ରହି କଥା କହନ୍ତା । ସରକାରକୁ ଯଥାର୍ଥ ପରିବର୍ତ୍ତନଗୁଡ଼ିକ ପାଇଁ ବାଧ୍ୟ ବି କରନ୍ତା । ପୃଥିବୀରେ ମଣିଷକୁ ମୂଳରେ ରଖି ଏକ ଅନ୍ୟ ଭବିଷ୍ୟର କଳନା କରୁଥିବା ବିବେକମାନେ ଏବେ ବିକଳ୍ପ ବିଷୟରେ ଅଧିକ କଥା କହିଲେଣି । ପୃଥିବୀରେ ଯାହାକିଛି ସତ ପରିବର୍ତ୍ତନ ହେଉଛି, ତାହା ବିକଳ୍ପମାନଙ୍କ ଦ୍ଵାରା ହେଉଛି । ଭାରତବର୍ଷର, ଓଡ଼ିଶାର ଶିକ୍ଷାକ୍ଷେତ୍ର ସେହି ବିକଳ୍ପମାନଙ୍କ ନିମନ୍ତେ ଅପେକ୍ଷା କରି ରହିଛି । ଶିକ୍ଷାକୁ ଆଗ ବ୍ରତ ବୋଲି ଗ୍ରହଣ କରୁଥିବା ଶିକ୍ଷକ ହିଁ ବିକଳ୍ପ ହୋଇପାରିବ-। ନିଜର ସାନ ଇସ୍କୁଲଟିରୁ ମଧ୍ୟ ସିଏ ନିଜର ଏହି ବିକଳ୍ପଧର୍ମୀ ପରିଚୟ ଦେଇପାରିବ-

 

ତା’ ହାତ ବାଜି ଇସ୍କୁଲରେ ବଗିଚା ଅଲଗା ପ୍ରକାରର ଦେଖାଯିବ । ପିଲାମାନେ ଅଧିକ ଖୁସି ହୋଇ ବିଦ୍ୟାଳୟକୁ ଆସିବେ । ଗାଆଁର ଅଭିଭାବକମାନେ ଗାଆଁର ପାଠଶାଳାକୁ ନିଜର ବୋଲି ଅନୁଭବ କରିବେ । ଏବଂ, ହୁଏତ ଏପରି ଅସମ୍ଭବ ମଧ୍ୟ ସମ୍ଭବ ହେବ ଯେ, ଶିକ୍ଷା ବିଭାଗର ହାକିମ ମଧ୍ୟ ବିକଳ୍ପ ଶିକ୍ଷକ ତଥା ତା’ର ପାଠଶାଳାକୁ ଦେଖିଲେ ଏକ ଅନ୍ୟ ମହକକୁ ଅନୁଭବ କରିବେ, ଅନ୍ୟ କଦରରେ ସେହି ମହକର ସମ୍ମୁଖୀନ ହେବେ ଓ ସ୍ଵୟଂ ତରିଯିବେ । ଶିକ୍ଷକ ଯେ ସରକାରଠାରୁ ବଡ଼– ଏହି ସତ୍ୟଟିକୁ ପ୍ରମାଣ କରି ଦେଖାଇ ଦେବାର ଦାୟିତ୍ୱ ଆଗ ସରକାରଙ୍କର ନୁହେଁ, ଆଗ ଶିକ୍ଷକର । ଯେଉଁ ଶିକ୍ଷକ ଇଚ୍ଛା କରିବ, ତା’ର । ଯେଉଁ ଶିକ୍ଷକମାନେ ଇଚ୍ଛା କରିବେ, ସେହିମାନେ ଗଢ଼ିଥିବା ସଂଘର ।

 

୧୭/୪/୨୦୦୦

Image

 

ସେବାର ସମ୍ଭ୍ରାନ୍ତୀକରଣ

 

ଯିଏ ସେବା କରେ, ସିଏ ହେଉଛି ସେବକ । ଗାଆଁରେ ଏକାବେଳକେ ଆଗ ଅମଳରୁ ଯେଉଁ ନିମ୍ନ ବର୍ଣ୍ଣମାନେ ଉଚ୍ଚବର୍ଣ୍ଣମାନଙ୍କର ସେବା ଖଟୁଥିଲେ, ସେମାନଙ୍କୁ ସେବାୟତ ବୋଲି କୁହାଯାଉଥିଲା । ସମ୍ଭବତଃ ସେହି ଅର୍ଥରେ ହିଁ ଆମ ମନ୍ଦିରମାନଙ୍କରେ ଭିନ୍ନ ଭିନ୍ନ କାଟର ସେବାକାରୀ ବା ସେବାୟତ ରହିଆସିଛନ୍ତି । ସେବା ଶବ୍ଦଟିକୁ ନେଇ ଆମ ସମାଜରେ ନାନା ପ୍ରୟୋଜନରେ ପଡ଼ି ଠାକୁରୁ ସେବା, ବ୍ରାହ୍ମଣ ସେବା ଏବଂ ଏପରିକି କାଙ୍ଗାଳୀ ସେବା ପ୍ରଭୃତି କଥାଗୁଡ଼ିକର ସର୍ଜନା କରାଯାଇଛି । ସେବାଧର୍ମ ନାମକ କଥାଟିର ଆଲୋଚନା କରାଯାଇଛି । ସ୍ୱାମୀ ବିବେକାନନ୍ଦ ତ ଦରିଦ୍ର ନାରାୟଣଙ୍କର ସେବାର ପ୍ରଚଳନକୁ ଭଲ ମଣିଷଙ୍କର କର୍ତ୍ତବ୍ୟ ବୋଲି କହୁଥିଲେ । ହଁ, ଭାରତବର୍ଷରେ ଏକ ଜାତୀୟ ଆନ୍ଦୋଳନ ଆରମ୍ଭ ହେବା ପରେ ଦେଶସେବା ନାମକ ଶବ୍ଦଟି ମଧ୍ୟ ଚଳଣି ଭିତରେ ଆସି ପଶିଯାଇଛି । ମହାତ୍ମାଗାନ୍ଧୀ ଗ୍ରାମସେବା କଥା କହିଲେ । ସ୍ୱାଧୀନ ଭାରତରେ ସମ୍ଭବତଃ ସେହି ଶବ୍ଦଟିରୁ ପ୍ରେରଣା ନେଇ ସରକାର ଗ୍ରାମସେବକ ପଦଟିକୁ ସୃଷ୍ଟି କରିଥିଲେ । ଦେଶର କଲ୍ୟାଣ-ଯୋଜନାରେ ସବାତଳେ ଯେଉଁ ସରକାରୀ ମନୁଷ୍ୟ-ସନ୍ତକଟି ନିଯୁକ୍ତ ହୋଇ ରହିଛି, ଉପରେ ଅଫିସରମାନେ ବସି ତାହାକୁ ଗ୍ରାମସେବକ ବୋଲି କୁହାଯାଉ ବୋଲି ନିଷ୍ପତ୍ତିଟିଏ କରିଦେଲେ ।

 

ଯିଏ ସ୍ୱେଚ୍ଛାରେ ସେବା କରେ, ସିଏ ହେଲା ସ୍ୱେଚ୍ଛାସେବୀ । ରୋଟାରୀ, ରେଡ଼କ୍ରସ୍ ଏଗୁଡ଼ିକ ହେଉଛନ୍ତି ତମାମ ବିଶ୍ୱସ୍ତରରେ ଗୋଟିଏ ଗୋଟିଏ ପ୍ରଖ୍ୟାତ ସ୍ୱେଚ୍ଛାସେବୀ ସଂଗଠନ । ଭାରି ବିଚିତ୍ର କଥାଟିଏ ଯେ, ଆଗ ସ୍ୱେଚ୍ଛାସେବୀମାନେ ବ୍ୟକ୍ତି ଥିଲେ, ସ୍ୱେଚ୍ଛାସେବୀ ହେବା ପାଇଁ ନ୍ୟାୟତଃ ଜଣେ ବ୍ୟକ୍ତି ହିଁ ନିଷ୍ପତ୍ତି ଗ୍ରହଣ କରୁଥିଲା । ଲଙ୍କାକୁ ଯିବାପାଇଁ ଭଗବାନ ରାମଚନ୍ଦ୍ର ଯେତେବେଳେ ଦଳବଳଙ୍କୁ ଲଗାଇ ବନ୍ଧ ତିଆରି କରିଥିଲେ, ସେତେବେଳେ ଆପଣା ନିଷ୍ପତ୍ତିରେ ହକାରି ହୋଇ ଆସିଥିବା ଗୁଣ୍ଡୁଚିମୂଷାଟି ପାଇଁ ଆଗ କୌଣସି ସାଙ୍ଗଠନିକ ଖାତାରେ ନାଆଁ ଲେଖାଇ ତା’ପରେ ଯାଇ ପରିମିଟ୍ ମିଳିବାର ମୋଟେ କୌଣସି ବନ୍ଧନ ନଥିଲା । ଏବେ ଯାଇ ସେହିସବୁ ବନ୍ଧନର ଅନୁପ୍ରବେଶ ଘଟିଲା । ଆଗ ସ୍ୱେଚ୍ଛାସେବୀ ଅନୁଷ୍ଠାନଟିଏ ଏବଂ ତାହାରି ତମ୍ବୁଟିକୁ ଆଶ୍ରା କରି ଜୁଟିଥିବା ସ୍ୱେଚ୍ଛାସେବୀମାନେ । ନିଷ୍ପତ୍ତି ସଙ୍ଗଠନର, ବ୍ୟକ୍ତିର ନୁହେଁ । ସଙ୍ଗଠନର ସିଡ଼ିଟା ଉପରକୁ ଉପରକୁ ହୁଏତ ଏକାବେଳକେ ଅନ୍ତରୀକ୍ଷ ଯାଏ ଲାଗିଛି । କାଶୀପୁରରୁ ଭୁବନେଶ୍ୱର, ଭୁବନେଶ୍ୱରରୁ ଦିଲ୍ଲୀ ଏବଂ ଦିଲ୍ଲୀରୁ ଜର୍ମାନୀ, ଇଂଲଣ୍ଡ ଓ ଆମେରିକା । ସଙ୍ଗଠନଟା ପଥରଟାଏ ପରି ଦିଶୁଛି, ତାହାରି ସନ୍ଧିରେ ସ୍ୱେଚ୍ଛାସେବୀମାନେ ସାଙ୍ଗଠନିକ ନିଷ୍ପତ୍ତି ଅନୁସାରେ ସ୍ୱେଚ୍ଛାସେବୀରୂପୀ ବେଙ୍ଗଙ୍କ ଭଳି ଫକର ଫକର ହୋଇ କର୍ମରତ ରହିଛନ୍ତି । ସେମାନେ ସଙ୍ଗଠନରୁ ପଇସା ପାଉଛନ୍ତି । ସଙ୍ଗଠନ ସରକାରଠାରୁ ଅଥବା ସେହିପରି କୌଣସି ବୃହତ୍‌ ସଂସ୍ଥାଠାରୁ ପଇସା ଆଣୁଛନ୍ତି । ଯୋଜନାମାନେ, ଅର୍ଥାତ୍ ପଇସାଗୁଡ଼ାକ କେତେ କେତେ ରାଶିରେ କୋଉ କୋଉ ବାବଦରେ ଖର୍ଚ୍ଚ ହେବ, ସେକଥା ସେଇ ସବା ଉପରେ ହିଁ ନିର୍ଦ୍ଧାରିତ ହୋଇଯାଉଛି । ଉପରଟା ଯେ ବର୍ତ୍ତମାନର ଆମର ଏହି ପୃଥିବୀଟାରେ ତଳ, ବଞ୍ଚିତ ଏବଂ ବର୍ଜିତମାନଙ୍କ ବିଷୟରେ ଘୋର ଚିନ୍ତିତ, ସନ୍ଦେହ କରିବାର ଆଦୌ କୌଣସି କାରଣ ନାହିଁ । ମନେହେଉଛି, ତଳମାନେ ଅନ୍ତତଃ ଦଣ୍ଡେ ଦଣ୍ଡେ ଜୀଇ ରହିବା ପାଇଁ ସମୟ ଅନୁସାରେ ଢୋକେ ଢୋକେ ନ ପାଇଲେ ବଡ଼ମାନଙ୍କର ଅଟ୍ଟାଳିକାଗୁଡ଼ିକ ମଧ୍ୟ ଅଲବତ୍ କାହାର କୋପରେ ଅଥବା କ୍ରୋଧରେ ତଳିତଳାନ୍ତ ହୋଇଯିବେ ବୋଲି ତଳଟା ନଜାଣିଥାଉ ପଛକେ, ଅଧିକ ବୁଦ୍ଧି ଥିବାରୁ ଉପରମାନେ ତାହା ଜାଣି ସାରିଲେଣି ।

 

ତେଣୁ ଆଉ ସ୍ୱେଚ୍ଛାସେବୀ ହେବାକୁ ପଡ଼ୁନାହିଁ, ସେବାକୁ ନିଜ ଜୀବନର ବ୍ରତରୂପେ ଗ୍ରହଣ କରିବାକୁ ଆପଣାକୁ ମୋଟେ ମଣ କରିବାକୁ ପଡ଼ୁନାହିଁ । ସ୍ୱେଚ୍ଛାସେବୀ ସଙ୍ଗଠନଟିଏ ଦେଖି ତାହାରି ଭିତରେ ପଶିଯାଇ ପାରିଲେ ଜଣେ ଗୋଟିଏ ସ୍ୱେଚ୍ଛାସେବୀ ବୋଲାଇ ପାରୁଛି । ଏପରିକି ଏବେ ସ୍ୱେଚ୍ଛାସେବକ ନାଆଁଟାକୁ ମଧ୍ୟ ବେଶି ବ୍ୟବହାର କରାଯାଉନାହିଁ । ମନ ସଉକରେ ଏମାନେ ନିଜକୁ Activist କହିବାକୁ ହିଁ ଅଧିକ ପସନ୍ଦ କରୁଛନ୍ତି । Activist ଶବ୍ଦଟା ମଧ୍ୟ କୌଣସି ସେବାକ୍ଷେତ୍ରରୁ ବାହାରିନାହିଁ । ସମ୍ଭବତଃ ଆମେରିକାରୁ ସିଧା ଆମ ପରିଚୟର ଅଭିଧାନ ଭିତରେ ଆସି ପ୍ରବେଶ କରିଛି । ଜଣେ ସ୍ୱେଚ୍ଛାସେବୀ କେତେ ସମ୍ଭ୍ରାନ୍ତ, ତାହା ସିଏ କେଡ଼େ ବଡ଼ ଉଦରବିଶିଷ୍ଟ ସ୍ୱେଚ୍ଛାସେବୀ ସଙ୍ଗଠନରେ କାର୍ଯ୍ୟ କରୁଛି, ସମ୍ପୂର୍ଣ୍ଣ ନ୍ୟାୟର ସହିତ ତାହାରି ଉପରେ ହିଁ ନିର୍ଭର କରୁଛି । ସେହି ଅନୁସାରେ ତା’ ଦରମା, ସେହି ଅନୁସାରେ ସିଏ କାମ କଲାବେଳେ ମାଟି ଉପରୁ ସେତିକି ଉଚ୍ଚରେ ଛାଡ଼ି କରି ରହି ବାଟ ଚାଲୁଛି ବୋଲି ଅନୁଭବ କରୁଛି । ସଙ୍ଗଠନ ଗୁଡ଼ିକରେ ଗଦା ଗଦା କାଗଜପତ୍ର, କମ୍ପ୍ୟୁଟର, ଇ-ମେଲ୍ ଏବଂ ସେବା ଜଗତରେ ଏଯାଏଁ ଅଶ୍ରୁତପୂର୍ବ ହୋଇ ରହି ଆସିଥିବା ଆହୁରି କେତେ କଅଣ । ସେଠି ସବୁ ଦରବାର ପରି ଦେଖାଯାଉଛି । ସଙ୍ଗଠନର ସର୍ବେସର୍ବା ମଧ୍ୟ ଦରମା ପାଉଛନ୍ତି, ସକଳ ଅର୍ଥରେ କୋଉ ସରକାରୀ ପୁରର ଜଣେ କ୍ୟାବିନେଟ୍ ପାହିଆ ମନ୍ତ୍ରୀଙ୍କର କ୍ଷମତା ଲାଭ କରିଥିବା ପରି କାରବାର ହେଉଛନ୍ତି । ଉପରୁ ଥାକ ଥାକ ହୋଇ ସବୁକିଛି ଏକାବେଳେକେ ତଳଯାଏ ଗଡ଼ି ଆସିଛି । ସବା ଉପରେ ନିର୍ଦ୍ଦେଶକ,– ସମ୍ଭ୍ରାନ୍ତପ୍ରବର । ସବାତଳେ କ୍ଷେତ୍ରକର୍ମୀ,- ସିଏ ବି କିଛି କମ୍ ନୁହନ୍ତି । ଏମାନଙ୍କର ପ୍ରାୟ ତମାମ୍ କାରବାର ଇଂରାଜୀ ଭାଷାରେ ହେଉଛି ।

 

ତେଣୁ ବୁଦ୍ଧି ଥିଲେ ସେବାରାଜ୍ୟକୁ ଆସି ଚମତ୍କାର ସମ୍ଭ୍ରାନ୍ତ ବୋଲାଇହେବ । ସମ୍ଭ୍ରାନ୍ତମାନଙ୍କୁ ଉପଧା ବଦଳାଇ ଆମେ ସାମନ୍ତ ବୋଲି ବି କହିପାରିବା । ଅର୍ଥାତ୍ ପୃଥିବୀରେ ଯେପର୍ଯ୍ୟନ୍ତ ତଳମାନେ, ଅଶରଣ ଓ ଦରିଦ୍ର, ଅନ୍ତସହାୟମାନେ ରହିଥିବେ । ସାମନ୍ତବାଦଟା ନିଶ୍ଚୟ ସେପର୍ଯ୍ୟନ୍ତ ରହିଥିବ । ଭଗବାନ କରନ୍ତୁ, ଗରିବମାନେ ଚିରଦିନ ରହିଥାଆନ୍ତୁ । ଏକଦା କମ୍ୟୁନିଷ୍ଟ୍ ଶାସନ ଚାଲୁଥିବା ଦେଶରେ ସବୁ ମଣିଷଙ୍କୁ ମଣିଷର ମର୍ଯ୍ୟାଦା ଦେଇ ଚିହ୍ନିବାର ରାଷ୍ଟ୍ରୀୟ ଉଦ୍ୟାମଟି ଚାଲୁ ଚାଲୁ କେତେବେଳେ କୋଉ ବାଗରେ ଯେ ଉପରବାଲା ସାମନ୍ତ ହୋଇଗଲେ, ସେକଥା ବିଧାତା ମଧ୍ୟ ଜାଣିପାରିଲେ ନାହିଁ । ସେବା ଭିତରେ ରହି ସମ୍ଭ୍ରାନ୍ତ ବନିବାର ଏହି ଯେଉଁ ନିର୍ଦ୍ଦିଷ୍ଟ କୁଶଳତାଟି,– ଦୁର୍ଗତ ମଣିଷମାନଙ୍କ ପାଇଁ ସତକୁ ସତ ଏକ ସମ୍ବେଦନଶୀଳତା ରହିଥିଲେ ତାହା ସମ୍ଭବତଃ ଆଦୌ ହୁଅନ୍ତା ନାହିଁ । ବାବୁ ସେହିମାନଙ୍କୁ କୁହାଯିବ, ଯେଉଁମାନେ ପୃଥିବୀକୁ ଦୁଃଖ ପଡ଼ିଲେ ସହାୟତା ଦେବାକୁ ଧାଇଁଆସନ୍ତି ସିନା, କିନ୍ତୁ ଆପଣାର ସମ୍ଭ୍ରାନ୍ତପଣକୁ ମୋଟେ ଛାଡ଼ି ପାରନ୍ତି ନାହିଁ । ଓଡ଼ିଶାରେ ଏବେ ଯେଉଁ ବାତ୍ୟା ବୋହିଗଲା, ତାହାହିଁ ସମ୍ଭ୍ରାନ୍ତମାନଙ୍କୁ ଆମର ବନ୍ଧୁ ବୋଲି ଜାଣିବାକୁ ଆମକୁ ପ୍ରକୃତରେ ନିଦାରୁଣ ନାନା ସୁଯୋଗ ଆଣି ଦେଇଗଲା । ଜଗତରେ ଦୟାଳୁମାନେ ରହିବେ ବୋଲି ଆମେ କୋଟି କୋଟି ସଂଖ୍ୟାରେ ଦୟାର ପାତ୍ର ହେବାଲାଗି ଯୁଗ ଯୁଗ ଧରି ରହିଆସିଛୁ । ହୁଏତ ଯୁଗ ଯୁଗ ଅବଧି ପଡ଼ି ରହିଥିବୁ । ସମ୍ଭ୍ରାନ୍ତମାନେ ଆମର ବନ୍ଧୁ ବୋଲି ସଂସାର ଜାଣିବାକୁ କେତେ କେତେ ମହନୀୟ ପରିଚୟ ଦେଇଗଲେ ସତ, କିନ୍ତୁ ଆମ ଅଞ୍ଚଳରେ ସାହାଯ୍ୟ ଅଜାଡ଼ି ଦେଇ ପୁଣି ନିଜ ଘରକୁ ପଳାଇଗଲେ । ଆମେ ତାଙ୍କର ବନ୍ଧୁ ହେଲୁ, ମାତ୍ର ସେମାନେ ଆମର ବନ୍ଧୁ ହୋଇ ରହିପାରିଲେ ନାହିଁ କାହିଁକି କେଜାଣି ?

 

ତଥାପି ସମ୍ଭ୍ରାନ୍ତମାନଙ୍କୁ ପଦେ କଥା କହିବାକୁ ଭାରି ଇଚ୍ଛା ହେଉଛି । ମହାବାତ୍ୟା ଆସି ଆମ ଗାଆଁମାନଙ୍କର ଅଧେ ଅଧେ ମଣିଷଙ୍କୁ ପୂରା ଉଡ଼ାଇ ନେଇଗଲା । ଆମ ଗାଆଁଗୁଡ଼ାକ ପ୍ରାୟ ଅଧା ଶୂନ୍ୟ ହୋଇଗଲା । ହତଭାଗ୍ୟମାନଙ୍କର ଘରଡ଼ିହଗୁଡ଼ାକ ଏବେ ସୁଦ୍ଧା ପଦା ପଡ଼ିଛି ! ଜମିସବୁ ଅଛି, ଚଷିବାକୁ କେହି ନାହାନ୍ତି । ଗାଆଁରେ ସବୁ ଖାଆଁ ଖାଆଁ ଗୋଡ଼ାଉଛି । ସବୁ ଅଛି, ମଣିଷ ନାହାନ୍ତି । ହେ ସ୍ୱେଚ୍ଛାସେବୀ ବନ୍ଧୁମାନେ, ଆପଣମାନଙ୍କ ଭିତରୁ ଅନ୍ତତଃ ଅଳ୍ପ କେତେଜଣ ସ୍ଥାୟୀ ଭାବରେ ଆମ ଗାଆଁରେ ରହିଯାଆନ୍ତେ ନାହିଁ ? ଆମେ ଆପଣମାନଙ୍କ ନିମନ୍ତେ ସବୁ ସୁବିଧା କରିଦିଅନ୍ତୁ । ଆପଣମାନଙ୍କୁ ଆମର ମୁରବୀ ପରି ମାନନ୍ତୁ । ଆପଣମାନେ ପାଠ ପଢ଼ିଛନ୍ତି, ପୃଥିବୀରେ ଅଧିକ ଦେଖିଛନ୍ତି ଓ ଅଧିକ ଜାଣିଛନ୍ତି । ଆପଣମାନେ ଆମ ଗାଆଁରେ ଆମ ସହିତ ରହିଲେ ଆମର ବି ପ୍ରଭୂତ ଉପକାର ହୁଅନ୍ତା । ଗ୍ରାମର ଶିରୀ ବଦଳି ଯାଆନ୍ତା । ଆଗରୁ ଆମ ଗାଆଁରୁ ଥୋକେ ଲୋକ ଏକଦା ସହରକୁ ଗଲେ ଯେ ଆଉ ଏଣେ ଅନାଇଲେ ନାହିଁ । ସେମାନେ ଭଲ ପାଠ ପଢ଼ୁଥିଲେ, ପାଠ ପଢ଼ି ଉନ୍ନତି କଲେ, ଉଚ୍ଚ ଚାକିରିରେ ରହିଲେ ଓ ଧନୀ ହେଲେ । ସେମାନେ ଆଉ ଗାଆଁକୁ ଫେରିଲେ ନାହିଁ । ତେଣୁ, ଆପଣମାନେ କେତେଜଣ ଯଦି ଗାଆଁରେ ସ୍ଥାୟୀବାସୀ ହିସାବରେ ରହିଯାଆନ୍ତେ, ତେବେ ଆମ ପାଇଁ ତାହା ସତକୁ ସତ ସେହି ଆଗ କ୍ଷତିଟାର ପୂରଣ ହୋଇଯିବାର ଏକ ଅନୁଭବ ଆଣିଦିଅନ୍ତା । ମାତ୍ର, ଆପଣମାନେ କ’ଣ ସତରେ ରହିବେ ? ସତରେ ଏଣେ ମନ କରିବେ ?

 

ସେବାକାର୍ଯ୍ୟରେ ସେହି ବ୍ୟକ୍ତିଯୁଗରେ ଏପରି ଏକାଧିକ ବ୍ୟକ୍ତିଙ୍କର ଦୃଷ୍ଟାନ୍ତ ମିଳିଯିବ, ଯେଉଁଠି ଜଣେ ସେବା କରିବା ସକାଶେ ଯେଉଁଠାକୁ ଆସିଥିଲେ ସେହିଠାରେ ସ୍ଥାୟୀ ଭାବରେ ରହିଗଲେ । ଏବେ ସେବା ସଙ୍ଗଠନରେ ଯେଉଁମାନେ ଚାକିରି କରିଛନ୍ତି ଏବଂ ଯାବତୀୟ ସଙ୍ଗଠନ ପଛରେ ବ୍ୟକ୍ତିମାନେ ହିଁ ମୂଳ ହୋଇ ରହିଥାନ୍ତି ବୋଲି ସେହି ସତ କଥାଟିକୁ ଯେଉଁମାନେ ହୁଏତ ଆଉ ଆଦୌ ମନେ ରଖି ନଥିବେ, ସେମାନେ ସମ୍ଭ୍ରାନ୍ତବର୍ଗଙ୍କ ପରି ପୃଥିବୀଯାକ ବୁଲି ତଥାକଥିତ ବହୁ ଉପକାର କରିବେ ସିନା, କଦାପି ଆସ୍ଥାନଟିଏ ବାଛିନେଇ ପାରିବେ ନାହିଁ । ଦୂରରେ ରହିଥିବେ, ଉଚ୍ଚ ହୋଇ ସମ୍ଭ୍ରାନ୍ତ ହୋଇ ରହିଥିବେ । ସହରମାନେ ମଧ୍ୟ କାଳକ୍ରମେ ଅଧେ ସ୍ଵର୍ଗ ଏବଂ ଅଧେ ନର୍କ ପରି ହୋଇ ରହିଥିବେ, ଅଥଚ ସଭ୍ୟତା କହିଲେ ସବୁଦିନେ ପାଠୁଆ ଏବଂ ସମ୍ଭ୍ରାନ୍ତଙ୍କର ନାନା ଅରୀତିଟାକୁ ବୁଝାଉଥିବ । ସହର ପ୍ରାୟ ସବୁ ଦୁର୍ଗତିର କାରଣ ହୋଇ ରହିଥିବ ଏବଂ ମଝିରେ ମଝିରେ ସହାୟତା ଦେବାପାଇଁ ଗାଆଁକୁ ଦଉଡ଼ି ଆସିବ,– ଏହି ଅସୁନ୍ଦର ପ୍ରକ୍ରିୟାଟା କେତେଦିନ ଯାଏ ଆଉ କାହିଁକି ଚାଲିବ ? ମାତ୍ର, ମଣିଷ ସହିତ ମଣିଷଟିଏ ହେବା ପୂର୍ବରୁ ଯିଏ ବା ଯେଉଁମାନେ ସମ୍ଭ୍ରାନ୍ତ ହୋଇ ରହିବାର ସେହି ଅନ୍ୟ କାଇଦାଟିକୁ ବାଛି ନିଅନ୍ତି, ସେମାନେ ସେହି ସହରୀ ବରାଦଗୁଡ଼ାକର ପରିପ୍ରେକ୍ଷୀରେ କେତେ ତୋଫା ଓ ତୋରା ହୋଇ ଦିଶୁଥାନ୍ତି ସିନା, ମାତ୍ର ପୃଥିବୀରେ କେଉଁଠି ହେଲେ ଚେର ମଡ଼ାଇ ରହି ପାରନ୍ତି ନାହିଁ । ବାବୁ, ତମେ ଆପଣେ ଚେରଟିଏ ଇଚ୍ଛା କରୁଛ ତ ଗାଆଁକୁ ଆସ,– ତୁମେ ତ ଏତେ ସ୍ୱେଚ୍ଛାପଣ ଦେଖାଇ ଗାଆଁର ଉପକାର କରିବାକୁ ଧାଇଁ ଆସିଥିଲ, ଏବେ ଗାଆଁକୁ ତୁମର ମଧ୍ୟ କିଛି ଉପକାର କରିବା ପାଇଁ ସୁଯୋଗ ଦିଅ-। ତୁମେ ଆମ ଗାଆଁରେ ମୂଳଦୁଆଟିଏ ମଡ଼ାଇ ଘର ବନାଅ, ସତକୁ ସତ ଥଇଥାନ ହେଲ ବୋଲି ଅନୁଭବ କର, ତରିଯାଅ । ପୃଥିବୀଯାକ ସହର ଭଳି ହୋଇଗଲେ ପୃଥିବୀରୁ ସମ୍ଭ୍ରାନ୍ତମାନଙ୍କ ଜୁଲମ ଯେ କଦାପି ଶେଷ ହେବନାହିଁ, ସେହି କଥାଟିକୁ ଏବେ ସବାଆଗ ସ୍ୱେଚ୍ଛାସେବୀମାନେ ହିଁ ବୁଝନ୍ତୁ-। ସହରରୁ କୋଳି ଖାଉଥିଲେ ମଧ୍ୟ ସେମାନେ ଆମର ଏହିଠାରେ ହିଁ ମଞ୍ଜିଟିଏ ପୋତନ୍ତୁ ।

 

୨୪/୪/୨୦୦୦

Image

 

ସନ୍ଧିକ୍ଷଣରେ ଆଦିବାସୀ

 

ସନ୍ଧିକ୍ଷଣରେ ଆଦିବାସୀ ସଂସ୍କୃତି ନାମକ ମୂଳ ବିଷୟଟିଏ ରଖି ଏବେ ରାଜଧାନୀରେ ଅଣଆଦିବାସୀ ଆଜ୍ଞାମାନେ ଏକ ଆଲୋଚନାଚକ୍ରର ଆୟୋଜନ କରିଥିଲେ । ଆଦିବାସୀ ମଣିଷମାନଙ୍କ ଅପେକ୍ଷା ଆଦିବାସୀ ସଂସ୍କୃତିକୁ ଯେଉଁ କୃପାଳୁମାନେ ସଚରାଚର ଅଧିକ ଚାତୁର୍ଯ୍ୟର ସହିତ ଉଚ୍ଚତର ସ୍ଥାନଟିଏ ଦେଇଥାନ୍ତି, ସେମାନେ ପ୍ରାୟ କୌଣସି ଲକ୍ଷ୍ମଣରେଖାକୁ ମାନୁଥିବା ପରି ତାହାଠାରୁ ଆଉ ଅଧିକ କିଛି କରିପାରନ୍ତି ନାହିଁ । ଏବଂ ସେତିକିରେ ବି ବହୁତ ଖୁସି ହୁଅନ୍ତି । ବହି ଛପାନ୍ତି । ନାଆଁ କରନ୍ତି । ନିଜ ସାହିତ୍ୟର ମର୍ଯ୍ୟାଦା ବଢ଼ାନ୍ତି । ସମ୍ଭବତଃ ଶତାବ୍ଦୀ ଶତାବ୍ଦୀ ଧରି ଆଦିବାସୀ ମଣିଷଟିକୁ ପଙ୍ଗତର ବାହାରେ ବାହାରେ ରଖି ତା’ର ସଂସ୍କୃତିକୁ ପ୍ରଚଣ୍ଡ କାମୁକତାର ସହିତ ଆବୋରି ରହିବା ଫଳରେ ଅଣଆଦିବାସୀମାନେ କାଳେ କାଳେ ତାକୁ ଯୋଉ ଆଖିରେ ଦେଖିଥଲେ, ଏବେ ମଧ୍ୟ ଧର୍ମତଃ ସେହି ଆଖିରେ ଦେଖନ୍ତି । ମୁଖ୍ୟତଃ ଅଣଆଦିବାସୀ ସରକାରଟିଏ ହଜାର ହଜାର ଆଦିବାସୀଙ୍କୁ ସତର ବା ସତେଇଶିଟା ଦାଣ୍ଡିରେ ତେଣେ ଶୋଷଣ କରିବାରେ ଲାଗିଥାଏ ଏବଂ ରାଜଧାନୀରେ ବରଷକୁ ଥରେ ବାରୁଣୀ-ଯୋଗରେ ଆଦିବାସୀ ସଂସ୍କୃତିକୁ ନେଇ ପ୍ରଦର୍ଶନୀ ବସାଏ ଓ ଚାଙ୍ଗୁ ପିଟୁଥାଏ । ଆଦିବାସୀ ଅଞ୍ଚଳରେ ଖାଲି ଗଛପତର ନୁହନ୍ତି, ଡଙ୍ଗର ଆଉ ବଗଡ଼ଗୁଡ଼ାକ ମଧ୍ୟ ଏହିସବୁ ଭିଆଣ ଦେଖି ତାଟଙ୍ଗା ହୋଇ ଯାଉଥବେ ।

 

ମଣିଷଟାଏ ରହିଛି ବୋଲି ତା’ର ସଂସ୍କୃତିଟାଏ ରହିଛି । ସୁକୁମାରମାନେ ସତେଅବା କୋଉ କାଳରୁ ବୁଦ୍ଧି କରି ଜଣେ ମଣିଷ ହେବାର ସବାଆଗ ପାଇଟିଟାକୁ ପାସୋରି ଦେଲେଣି ବୋଲି ଆଉ କ’ଣ ସଂସ୍କୃତି ନାମରେ ଗୋଟାଏ ଅଲଗା ଅବସରର ଗୁଡ଼ହାଣ୍ଡିଟା ଭିତରେ ବେଳେବେଳେ ଲଟପଟର ହେବାକୁ ଏତେ ସୁଖ ପାଉଛନ୍ତି କି ? ଆମ ସହରର ମନୋରଞ୍ଜନାତ୍ମକ ଯାବତୀୟ ବିଳାସର କେନ୍ଦ୍ରମାନଙ୍କରେ ଯେତେବେଳେ ଆମର ବୁଇ ଓ ବାବୁମାନେ ଘଡ଼ିଏ ଲୁଗା ବଦଳି ପକାଇ ମୁଣ୍ଡରେ ପତ୍ରଗୁଚ୍ଛ ଖୋସି ଆଦିବାସୀ ନୃତ୍ୟର ପ୍ରଦର୍ଶନ କରନ୍ତି, ସେତେବେଳେ ସେହି ନୃତ୍ୟର ପଶ୍ଚାତରେ ରହିଥିବା ଡହଳବିକଳ ଆଦିବାସୀର ସତ ଜୀବନଟି ବିଷୟରେ ସେମାନେ ପ୍ରକୃତରେ କେତେ କମ୍ ଅବଗାହିଥାନ୍ତି ? ଏବଂ, ମଣିଷଟାକୁ ଗୋଟାସୁଦ୍ଧା ଅସ୍ୱୀକାର କରି ଆମେ ତା’ର ସଂସ୍କୃତିଟାକୁ କିପରି କେବଳ ଆମ ରଙ୍ଗମଞ୍ଚର ଡିହଗୁଡ଼ାକ ଉପରେ ଜୀଆଇ ରଖିପାରିବା ? ଲୋହିତ ଭାରତୀୟଙ୍କର ସେକାଳ ପ୍ରକାରର ମୁଖାଗୁଡ଼ାକୁ ମୁହଁରେ ଲଗାଇ ଆମେରିକାର ସାହେବମାନେ ହୁଏତ ଏବେ ମଧ୍ୟ ଲୋହିତ ଭାରତୀୟ ସଂସ୍କୃତିକୁ ମଞ୍ଚ ଉପରେ ବଞ୍ଚାଇ ରଖିଛନ୍ତି । ସେମାନଙ୍କୁ ଆମେରିକାରେ ଯେ ଏକଦା ନିର୍ମୂଳ କରି ଦିଆଯାଇଛି, ସେକଥା ତଥାପି ସେଠା ଜୀବନର ଇତିବୃତ୍ତ ମଧ୍ୟରୁ ପୋଛି ବାହାର କରି ଦିଆଯାଇ ପାରୁଛି କି ?

 

ନୂଆ ଭାରତରେ ସମ୍ପ୍ରତି ଆଦିବାସୀମାନେ ଆଗେଇ ଆସି ମନ୍ତ୍ରୀ ହେଲେଣି, ବିଧାୟକ ହେଲେଣି । ମଣ୍ଡଳ ମୁନିଙ୍କର ସଂହିତା ଅନୁସାରେ ଘୋଡ଼ାଶାଳଠାରୁ ଗୁଡ଼ିଆ ଦୋକାନ ପର୍ଯ୍ୟନ୍ତ ସବୁଠାରେ ବିଶେଷ ଚଉକୀମାନ ବରାଦ ହୋଇ ରହିଛି । ଚାକିରି ରହିଛି, ଇସ୍କୁଲ କଲେଜରେ ଖାସ୍ ମାହାଲମାନ ରହିଛି; ଏପରିକି ଗୋଟାଏ ଗୋଟାଏ ଛାତ୍ରାବାସ ମଧ୍ୟ ଖାସ୍ ସେହିମାନଙ୍କ ସକାଶେ ସ୍ୱତନ୍ତ୍ର ଭାବରେ ରହିଥିବା ଧନରାଶି ଦ୍ଵାରା ନିର୍ମାଣ କରାଯାଇଛି । ଆମ ଆଧୁନିକ ଶାସନ-ବ୍ୟବସ୍ଥା ମଧ୍ୟକୁ ଆସୁଥିବା ଆଦିବାସୀଟିଏ ଯେପରି ଜୀବନତମାମ୍ ଅତ୍ୟନ୍ତ ସଚେତନ ଓରଫ୍ ସ୍ପର୍ଶକାତର ଭାବରେ ନିଜକୁ କେବଳ ଆଦିବାସୀଟିଏ ବୋଲି ଅନୁଭବ କରିପାରିବ, ଆମ ତୁଠଗୁଡ଼ିକରେ ଅତ୍ୟନ୍ତ ନିଖୁଣ ଭାବରେ ସେହିଭଳି ବରାଦମାନ ହୋଇ ରହିଛି । ମାତ୍ର ତଥାପି ସେତିକି ମଧ୍ୟ ଆଦିବାସୀ ପାଇଁ ସତକୁ ସତ ହିତକାରୀ ହୋଇପାରୁ ନାହିଁ । ପାଠ ପଢ଼ୁଥିବା ପଦ ଓ ପଦବୀରେ ଉଚ୍ଚକୁ ଉଠି ଯାଉଥିବା ଆଦିବାସୀ ତେଣିକି ଅଣଆଦିବାସୀଙ୍କର ଚଉପାଢ଼ୀରେ ସ୍ଵୀକୃତ ଛାଗଳଟିଏ ହୋଇ ବନ୍ଧା ହେବାକୁ ଉଚ୍ଚାଶା କରିବାରେ ଲାଗିଯାଉଛି । ନିଜକୁ ଆଦିବାସୀ ବୋଲି କହିବାକୁ ସିଏ ଲଜ୍ଜାବୋଧ କରୁଛି । ଆଦିବାସୀ ମନ୍ତ୍ରୀ, ବିଧାୟକ ଅଥବା ହାକିମମାନେ ସେମାନଙ୍କର ଅଣଆଦିବାସୀ ସତୀର୍ଥମାନଙ୍କୁ ସିଂହଟିଏ ବୋଲି ସ୍ୱୀକାର କରି ନେଉଛନ୍ତି ତଥା ଅଧିକାଂଶତଃ ଅନୁଗୃହୀତ ଶୃଗାଳଟିଏ ପରି ଶୋଷଣର ସିଂହଭାଗରୁ ତା’ ଲାଗି ତଥାପି ଅବଶ୍ୟ କିଛି ବଳିବ ବୋଲି ଆଶା କରି ଉଢ଼ୁଆଳରେ ଟାକି ରହିଛନ୍ତି । ସିଏ ଯାବତୀୟ ଅର୍ଥରେ ନିଜକୁ ଦ୍ୱିତୀୟ ଧାଡ଼ିର ସରକାରୀ ହିତାଧିକାରୀଟିଏ ପରି ଭାବୁଛି । ସିଏ ନିଜ ଗାଆଁରେ ଛାଡ଼ି ଆସିଥିବା ଆଦିବାସୀମାନଙ୍କୁ ଆଉ ମୋଟେ ମଣିଷ ପରି ଦେଖୁନାହିଁ । ହୁଏତ ମୋଟେ କୋଉ କୁଳର ହୋଇପାରୁ ନାହିଁ ।

 

ତେଣୁ, ଆଦିବାସୀ ସଂସ୍କୃତି ନୁହେଁ, ସ୍ଵୟଂ ଆଦିବାସୀ ହିଁ ବର୍ତ୍ତମାନ ସନ୍ଧିକ୍ଷଣ ମଧ୍ୟ ଦେଇ ଗତି କରୁଛି । ତା’ ଆଗରେ ଅସଲ ପ୍ରଶ୍ନଟି ହେଉଛି, ଗୋଟିଏ ଦେଶ ସ୍ୱାଧୀନତା ଲାଭ କରିବାର ଅଧା ଶତାବ୍ଦୀରୁ ଅଧିକ ପରେ ମଧ୍ୟ ସିଏ ତଥାପି ଆଦିବାସୀ ହୋଇ କାହିଁକି ରହିବ ? ତା’ ନିଜ ସମେତ ସମସ୍ତେ ତାକୁ ସର୍ବମୂଳ ଚିହ୍ନଟରେ କାହିଁକି ଆଦିବାସୀ ରୁପେ ଚିହ୍ନୁଥିବେ ? ଭାରତବର୍ଷର ସମ୍ବିଧାନ ଅନୁସାରେ ପ୍ରତ୍ୟେକ ଭାରତୀୟକୁ ଯଦି ସବା ଆଗ ଜଣେ ନାଗରିକ ବୋଲି ସ୍ୱୀକାର କରି ନିଆଯାଇଛି, ତେବେ ସିଏ କୋଉ ଅଭିଶାପ ଫଳରେ କେବଳ ଜଣେ ଆଦିବାସୀ ହୋଇ ରହିଥିବ ? ତା’ ପିଲାମାନେ କାହିଁକି ଅଲଗା ଢଙ୍ଗ ଏବଂ ପ୍ରାୟ ଏକ ସଚେତନ ପରିହାସ ଦ୍ଵାରା ତିଆରି କରାଯାଇଥିବା ଇସ୍କୁଲମାନଙ୍କରେ ପାଠ ପଢ଼ୁଥିବେ ? ଏବଂ ଆହୁରି ବଡ଼ କଥା ହେଉଛି, ଜଣେ ନାଗରିକ ବୋଲି ଆଗ ସ୍ୱୀକୃତି ନପାଇଲେ ସିଏ ଜଣେ ଆଦିବାସୀ ବୋଲି ପ୍ରକୃତରେ ସ୍ଵୀକୃତି ଲାଭ କରିପାରିବ କି ? ଅଣଆଦିବାସୀମାନେ ଆଦିବାସୀର ସଂସ୍କୃତିକୁ ନେଇ ଗବେଷଣା କରୁଥିବେ, ତାକୁ ତଥାକଥିତ ମୁଖ୍ୟସ୍ରୋତରେ ଆଣି ଯୁକ୍ତ କରିବା ଲାଗି ଫେଶନିଆ ମହକୁମାମାନଙ୍କରେ ପଶାକାଠି ଗଡ଼ାଇବାରେ ଲାଗିଥିବେ । ଆଦିବାସୀର ଜୀବନ-ମାନକୁ ଉପରକୁ ଉଠାଇବା ନିମନ୍ତେ ଏଠି ଅଣଆଦିବାସୀ ସାମିଆନା ତଳେ କୋଟି କୋଟି ଟଙ୍କାର ବିଚାର ପଡ଼ିଥିବ ଏବଂ ତା' ବିଷୟରେ ସତକୁ ସତ ଏତେ ଫନ୍ଦା ବସିଲାଣି ଓ ଫନ୍ଦା ବାହାରିଲାଣି ବୋଲି ନିଜେ ଆଦିବାସୀ ମଧ୍ୟ ଜାଣି ନଥିବ ।

 

ସନ୍ଧିକ୍ଷଣ, ଅର୍ଥାତ ଦୁଇଟିରୁ ଗୋଟିକୁ ବାଛି ନେବାର କ୍ଷଣ । ଆଦିବାସୀମାନେ ଏହି ଦେଶରେ ମଣିଷ ବୋଲି ଗଣା ହେବେ ନା ଆଦିବାସୀ ବୋଲି ଗୋଟାଏ ଅଲଗା ଶିକାରେ ଟଙ୍ଗାହୋଇ ରହିଥିବେ ? ସେମାନଙ୍କୁ ଜଣେ ମଣିଷର ତଥା ନାଗରିକର ମର୍ଯ୍ୟାଦା ଦେଇ ଆଗ ସ୍ଵୀକାର କରାଯିବ ନା ସେମାନେ ପଛରେ ପଡ଼ିଛନ୍ତି ବୋଲି ସେମାନଙ୍କୁ ସର୍ବଦା ଅଲଗା ଗୋଟାଏ ଯୂଥ ପରି ବିଚାର କରାଯାଉଥିବ ? ଏବଂ, ସେହି ବିଚାରର ନିର୍ଣ୍ଣାୟକ ଗାରଗୁଡ଼ିକୁ ଏକ ପାରମ୍ପରିକ ଅହମିକାର ବଶବର୍ତ୍ତୀ ହୋଇ ଅଣଆଦିବାସୀମାନେ ହିଁ ଟାଣିବାରେ ଲାଗିଥିବେ ? ଆଦିବାସୀ ଯେପରି ଚିରକାଳ ନିମନ୍ତେ ନିଜକୁ କେବଳ ଜଣେ ଆଦିବାସୀ ବୋଲି ବୁଝୁଥିବ ଏବଂ ଆଗ ଜଣେ ମନୁଷ୍ୟ ବୋଲି ନବୁଝିବ, ଯୋଜନା କାମରେ ତାହାରି ଚକ୍ରାନ୍ତ ଲାଗି ରହିଥିବ ? ସମ୍ମାନବୋଧ ଏପରି ଗୋଟିଏ ସମ୍ପଦ, ଯାହାକି କାହାରି ଅନୁଗ୍ରହ ଅଥବା ଉଦାରତାରୁ ଆଦୌ ପ୍ରାପ୍ତ ହୁଏନାହିଁ । ନିଜକୁ ଜଣେ ଆଦିବାସୀ ବୋଲି ବିଚାରୁଥିବା ପର୍ଯ୍ୟନ୍ତ ଆଦିବାସୀ କଦାପି ସେହି ସମ୍ମାନବୋଧର ସୋପାନକୁ ନିଜକୁ ଉନ୍ନୀତ କରି ଆଣିପାରିବ ନାହିଁ । ନିଜକୁ ଆଗ ମଣିଷ ବୋଲି ଭାବିଲେ ଏବଂ ଅନୁଭବ କଲେ ଯାଇ ତାହା ସମ୍ଭବ ହେବ । ନଚେତ୍ ଯେଉଁ ଆଦିବାସୀମାନେ ପ୍ରାୟ ଅକସ୍ମାତ୍ କିଛି ପାଠ ପଢ଼ି ଅଣଆଦିବାସୀମାନଙ୍କର ପଙ୍ଗତକୁ ଆସୁଥିବେ, ସେମାନେ ଏବପରି ଆହୁରି ଦୀର୍ଘକାଳ ପାଇଁ ସିଂହମାନେ ଆଗ ଖାଇସାରନ୍ତୁ ବୋଲି ପ୍ରାୟ ପ୍ରସନ୍ନ ମୁଦ୍ରାରେ ଅପେକ୍ଷା କରି ରହିଥିବେ ଏବଂ ଯତକିଞ୍ଚିତ୍ ଅବଶେଷ ଲାଭକରି ଶୃଗାଳ ପରି ପ୍ରାୟ ଅଭ୍ୟସ୍ତ ଭାବରେ ନିଜକୁ ଭାଗ୍ୟବାନ ମଣୁଥିବେ । ନାଗରିକବୋଧରୁ ବହୁଦୂର ହୋଇ ରହିଥିବେ ।

 

ଆଦିବାସୀମାନେ ଅଧିକ ସଂଖ୍ୟାରେ ବାସ କରୁଥିବା ରାଜ୍ୟାଂଶମାନଙ୍କରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ସରକାରଙ୍କ ମଧ୍ୟରେ ସତେଅବା ଏକ ଖଣ୍ଡଯୁଦ୍ଧ ଚାଲିଛି । ଶାସନର ବହୁଦନ୍ତ ଅଭ୍ୟସ୍ତତାଗୁଡ଼ିକ ମଧ୍ୟରେ ଛନ୍ଦିହୋଇ ରହିଥିବାରୁ ସରକାର ସମ୍ଭବତଃ ନୂଆ ନୂଆ ଖର୍ଚ୍ଚ ବରାଦ କରି ଯେତିକି କୋଡ଼ି କୋଡ଼ି ଯାଉଛନ୍ତି, ସେତିକି ମାଡ଼ିମାଡ଼ି ବି ଯାଉଛନ୍ତି । ସ୍ୱେଚ୍ଛାସେବୀ ସଂସ୍ଥାମାନେ ସରକାରଙ୍କ ଠାରୁ ପଇସା ସିନା ନେଉଛନ୍ତି, ତଥାପି ବେଳେବେଳେ ଗୁଳାରୁ ବାହାରିଯାଇ ଆଦିବାସୀମାନେ ଯେପରି ନିଜକୁ କ୍ରମେ ମୂଳତଃ ମଣିଷ ବୋଲି ଅନୁଭବ କରିବେ, ସେଥିପାଇଁ କିଛି ଅନୁକୂଳ ପରିବେଶ ବି ସୃଷ୍ଟି କରିପାରୁଛନ୍ତି । ବିଚରା ସରକାର ବି କ’ଣ ବିଚାରୁଛନ୍ତି କେଜାଣି, ଅଧିକରୁ ଅଧିକ ଉନ୍ନୟନ କାର୍ଯ୍ୟକ୍ରମକୁ ସେମାନେ ସ୍ୱେଚ୍ଛାସେବୀ ଗୋଷ୍ଠୀଗୁଡ଼ିକ ମାଧ୍ୟମରେ କରୁଛନ୍ତି ଓ ତାହାରି ଛାଇରେ ସ୍ୱୟଂ କିଛି ପରିମାଣରେ ରକ୍ଷା ପାଇଯିବେ ବୋଲି ଭାବୁଛନ୍ତି । ଶାସନ ଏବଂ ଉନ୍ନୟନ ମଧ୍ୟରେ ସତେଅବା ଏକ ରୋମାଣ୍ଟିକ ଛକାପଞ୍ଝା ଖେଳ ଚାଲିଛି । ବେଳେବେଳେ ମୁଣ୍ଡ ଢୁ’ ଢା' ବି ହୋଇଯାଉଛି । ସରକାର ତା’ ପ୍ରତାପ ଦେଖାଉଛି ଓ ଏପଟଟା ମଧ୍ୟ ସେହି ପ୍ରତାପକୁ ସହଜରେ ମାନି ନେଉନାହିଁ । ହୁଏତ ସେଇଥିରୁ ଅସଲ ସନ୍ତୋଷଟି ଲାଭ କରୁଛି । ମାତ୍ର ଆଦିବାସୀ ଭିତରେ ନିଜକୁ ଆଗ ଜଣେ ମଣିଷ ତଥା ଜଣେ ନାଗରିକ ବୋଲି ଅନୁଭବ କରିପାରିବାର ସଚେତନତାକୁ ଚାକ୍ଷୁଷ ଭାବରେ ସମ୍ଭବ କରିବାର କ୍ଷେତ୍ରରେ ତଥାପି ଥମ୍ବି ରହିଯାଉଛି । ରୋଗ-ସଚେତନତା, ରୋଜଗାର ସଚେତନତା, ପରିବେଶ ଅର୍ଥାତ୍ ବୃକ୍ଷ ସଚେତନତା– ଏହିଗୁଡ଼ିକରେ କୌଣସି ଆପଦ ସିନା ନାହିଁ, ମାତ୍ର ନାଗରିକ ତଥା ମନୁଷ୍ୟବୋଧର ସଚେତନତା ବଢ଼ିଲେ ତାହା ଆଦୌ ସେତେ ନିରାପଦ ହୋଇ ନପାରିବାର ବି ନିରନ୍ତର ଆଶଙ୍କା ରହିଛି । ସରକାର ଓ ସ୍ଵଚ୍ଛାସେବୀ,– ହୁଏତ କୌଣସି ପଟ ସେତେଦୂର ଇଚ୍ଛା କରୁନାହାନ୍ତି ।

 

ଏହି ଦିଗରେ ଅସଲ ନେତୃତ୍ୱଟି ଆଦିବାସୀଙ୍କ ଭିତରୁ ହିଁ ବାହାରିବ । ଏବଂ ସେଇଟିକୁ ସମ୍ଭବ କରି ଆଣିବା କାମଟା କିଛି ପରିମାଣରେ ସ୍ୱେଚ୍ଛାସେବୀ ଗୋଷ୍ଠୀମାନେ କରିପାରିବେ । ସରକାର ସର୍ବଥା ଏହି ପ୍ରବୃତ୍ତଟିକୁ ଭୟର ଦୃଷ୍ଟିରେ ହିଁ ଦେଖିବ । ବିକାଶଶୀଳ ଦେଶରେ ପ୍ରତିଷ୍ଠିତ ରାଜଶକ୍ତି ସମ୍ଭବତଃ କେବେହେଲେ ଲୋକଶକ୍ତିକୁ ବିକଶିତ ହେବାପାଇଁ ବାଟ ଛାଡ଼ିଦିଏ ନାହିଁ । ସରକାରଙ୍କୁ ଚୁନୌତି ଦେଇପାରିବାକୁ ହୁଏ । ଅଧିକାଂଶ ସ୍ୱେଚ୍ଛାସେବୀ ସଙ୍ଗଠନ ବର୍ତ୍ତମାନ ଯେଉଁଭଳି ସ୍ଥିତିରେ ରହିଛନ୍ତି, ସେମାନଙ୍କ ଭିତରୁ ଅଧିକାଂଶ ମଧ୍ୟ ସମ୍ଭବତଃ ଆଦିବାସୀମାନଙ୍କର ହାତକୁ ନେତୃତ୍ଵ ଯାଉ ବୋଲି ଇଚ୍ଛା କରିବେ ନାହିଁ । ଆଦିବାସୀମାନଙ୍କ ପାଇଁ କାର୍ଯ୍ୟ କରୁଥିବା ବହୁ ସ୍ୱେଚ୍ଛାସେବୀ ସଙ୍ଗଠନର ସର୍ବବିଧ ନୀତି-ନିଷ୍ପତ୍ତିର ସ୍ଥାନରେ ଅଣଆଦିବାସୀମାନେ ହିଁ ଅଛନ୍ତି । ତଥାପି ଯେଉଁ କେତୋଟି ସଙ୍ଗଠନ ବ୍ୟତିକ୍ରମ ହୋଇ ପୁରୋଗାମୀ ହୋଇ ଆପଣାର ଗଠନ ଭିତରେ କ୍ରମେ ଆଦିବାସୀମାନଙ୍କୁ ହିଁ ଅଧିକରୁ ଅଧିକ ସ୍ଥାନ ଛାଡ଼ିଦେବାକୁ ନୀତି ରୂପେ ଗ୍ରହଣ କରିନେବେ, ହୁଏତ ସେହିମାନେ ହିଁ ଆଗକୁ ବାଟ ଫିଟାଇବେ । ଆଦିବାସୀ ସହକର୍ମୀମାନଙ୍କୁ ସେମାନେ ଅନୁରୂପ ଭାବରେ ପ୍ରଶିକ୍ଷିତ କରିଆଣିବେ । ସମକକ୍ଷର ସମ୍ମାନ ଦେବେ । ଏହାକୁ ମଧ୍ୟ withering away ର ଏକ ପ୍ରକ୍ରିୟା ବୋଲି କୁହାଯାଇ ପାରିବ ।

 

୧/୫/୨୦୦୦

Image

 

ସାହିତ୍ୟରେ ବାଟମାରଣା

 

ସେଦିନ ବିଶ୍ଵବିଦ୍ୟାଳୟରେ ଓଡ଼ିଆ ସାହିତ୍ୟରେ ଆଧୁନିକତା ବିଷୟରେ ଚର୍ଚ୍ଚା ପଡ଼ିଥିଲା । କଥା ଉଖାରୁ ଉଖାରୁ କେତେ ସଂଶୟ ମଧ୍ୟ ସେଥିରୁ ବାହାରିଲା । ଶହେ ବର୍ଷ ତଳେ ରାଧାନାଥ ଓ ଫକୀରମୋହନ ପ୍ରଭୃତିଙ୍କୁ ମୂଳ ଖୁଣ୍ଟି କରି ଯେଉଁ ଯୁଗ ସାହିତ୍ୟରେ ଏକ ନୂଆ କିଛି ଆଣି ପହଞ୍ଚିଲା ବୋଲି ଆମ ଏଇଠୁ ମନେ ହେଉଛି, ଆମେ ସମସ୍ତେ ତାହାକୁ ଆଧୁନିକ ଯୁଗ ବୋଲି ବହିରେ ପଢ଼ୁଛୁ । ପୁନଶ୍ଚ, ଦ୍ୱିତୀୟ ମହାଯୁଦ୍ଧ ସରୁ ନସରୁଣୁ ଏବଂ ଦେଶ ସ୍ଵାଧୀନ ହେବାର ଠିକ୍ ପୂର୍ବରୁ ଆମର ପଢ଼ୁଆ କେତେଜଣ କବିତାର ଯେଉଁ ଅଭିନବ ପ୍ରକରଣଟି ଆରମ୍ଭ କଲେ, ସେମାନେ ସେଇଟିକୁ ମଧ୍ୟ ଆଧୁନିକ ବୋଲି କହିଲେ । ସେମାନେ ସ୍ୱୟଂ ସେହି କଥାଟିକୁ କହୁ କହୁ କ୍ରମେ ସଭାରେ ମଧ୍ୟ ସେହିକଥା ଆସି ପଡ଼ିଲା । ଏବେ ତ ସେହିଟିକୁ ସନ୍ଦର୍ଭ ରୂପେ ବ୍ୟବହାର କରି ବହିମାନ ଲେଖାହେଲାଣି । ଅଧ୍ୟାପକମାନେ ତାହାକୁ ହିଁ ଭିତ୍ତି କରି ଉଚ୍ଚତମ ଡିଗ୍ରୀ ହାସଲ ବି କଲେଣି ।

 

ଏକଦା ଓଡ଼ିଆରେ ‘ଆଧୁନିକ ବୋଲି ପତ୍ରିକାଟିଏ ବାହାରୁଥିଲା । ମାତ୍ର ଅଳ୍ପ କେତୋଟି ସଂଖ୍ୟା ପ୍ରକାଶ ପାଇବା ପରେ ତାହା ବନ୍ଦ ହୋଇ ଯାଇଥିଲା । ସ୍ଵାଧୀନତା ପରେ ଓଡ଼ିଆ ସାହିତ୍ୟର ଯେଉଁ ବିଶେଷ ଆଧୁନିକ ପର୍ବଟିର ସାଧାରଣତଃ କଥା ପଡ଼ିଥାଏ, ସେଥିରେ ଉକ୍ତ ପତ୍ରିକାର ନାମୋଲ୍ଲେଖ ଦେଖୁବାକୁ ମିଳେନାହିଁ । ସ୍ୱାଧୀନତାର ପଚାଶ ବର୍ଷ ଗତ ହୋଇଯିବା ପରେ ଏବେ ମଧ୍ୟ ସାମାଜିକ ସମ୍ବନ୍ଧାଦିର ଆବେଦନ-କ୍ଷେତ୍ରରେ ଓଡ଼ିଶାରେ ଆମେ ଆଧୁନିକ ଜୀବନଦୃଷ୍ଟିର ବେଢ଼ା ଭିତରକୁ କେତେ ପରିମାଣରେ ପ୍ରବେଶ କରିଲୁଣି କି ନାହିଁ, ସେହି କଥାଟିରେ ହୁଏତ ଏକାଧିକ ମତ ନିଶ୍ଚୟ ରହିବ । କିନ୍ତୁ ତେଣେ ଆମର ଥୋକେ ଓଡ଼ିଆ ସାହିତ୍ୟର ଏ ପର୍ବଟାକୁ ଆଧୁନିକ ବୋଲି କହୁଛନ୍ତି । ଏବେ ତ ଉତ୍ତର ଆଧୁନିକ ପର୍ଯ୍ୟାୟରେ ମଧ୍ୟ ଓଡ଼ିଆ ସାହିତ୍ୟର ଆକୃତି ଓ ପ୍ରକୃତି ବିଷୟରେ ସୁଧୀମାନେ ଆଲୋଚନାରେ ବସିଲେଣି । ସମାଜଟା ବାସ୍ତବତମ ଅର୍ଥରେ ସାମନ୍ତବାଦୀ ଗୁଳାମାନଙ୍କ ଭିତରେ ପଡ଼ି ରହିଥିବ, ତଥାପି ସାହିତ୍ୟଟା ଆଧୁନିକ ଓ ଉତ୍ତର-ଆଧୁନିକର ସୁନ୍ତା ପକାଇ ଚହଚହ ଦିଶିବାର ପ୍ରୟାସ କରୁଥିବ, ଏଭଳି କିପରି ସମ୍ଭବ ହୋଇଯାଏ କେଜାଣି ? ସ୍ଵାଧୀନତା ପରେ ସାହିତ୍ୟ ଆଧୁନିକ ହେବାର ମତ୍ତଗଜ ଚତୁରତା ଭିତରେ ପଶି ସମାଜକୁ ଟପିଗଲା ଅଥବା ନାନା ନିତାନ୍ତ ସ୍ଥୁଳ ସଂସାରିକ କାରଣରୁ ସମାଜକୁ ଗୋଟାପଣେ ଉପେକ୍ଷା କରି ନିଜର ଅଲଗା ଉଇହୁଙ୍କାଟା ଭିତରେ ନିଜକୁ ମଣ୍ଡନଯୁକ୍ତ କରି ରଖୁଲା, ସେହି ବିଷୟରେ ଆମେ ଇଚ୍ଛା କଲେ ଏକ ବିତର୍କ ମଧ୍ୟ କରାଯାଇ ପାରନ୍ତା । ଆମ ରାଜନୀତି ଭିତରକୁ ସାମନ୍ତମାନେ ଯାବତୀୟ ଅପପ୍ରବୃତ୍ତି ଓ ଅପବାସନା ପୂରାଇ ଦେଇ ଆମ ନେତାମାନେ ଯେପରି ଜନଗଣଙ୍କର ପ୍ରତ୍ୟାଶାଗୁଡ଼ିକୁ ଉପେକ୍ଷା କଲେ, ସାହିତ୍ୟକୁ ଆଧୁନିକ କରିବାର ଏକ ଅନ୍ୟ ରଙ୍ଗରେ ମାଜି ଥୋକେ ସାହିତ୍ୟକାର ଆଉ ସେହିପରି କିଛି କରି ପକାଇଲେ କି ?

 

ଏହି ଆଧୁନିକ ପର୍ଯ୍ୟାୟଟିରେ ବହୁ ବିଚିତ୍ର ଘଟଣା ଘଟିଲା । ସର୍ବପ୍ରଥମ ଯେଉଁ ଆଘାତଟି ଆସି ସାହିତ୍ୟର ପରିମଳଟିକୁ ନାନାବିଧ ପ୍ରଦୂଷଣ ଭିତରକୁ ପ୍ରରୋଚିତ କରି ନେଇଗଲା, ସେଇଟି ହେଉଛି ଯେ ସାହିତ୍ୟ ସହିତ ଜୀବନର ନାଡ଼ଟିକୁ ଛିଣ୍ଡାଇ ଦିଆଗଲା । ଅର୍ଥାତ୍, ତୁମେ ପ୍ରକୃତରେ କିପରି ଜୀବନଟିଏ ବଞ୍ଚୁଛ, ତୁମ ସାହିତ୍ୟର ତା' ସହିତ ଆଉ କୌଣସି ସମ୍ପର୍କ ରହିଲା ନାହିଁ । ସାହିତ୍ୟ କହିଲେ ତୁମେ ଲେଖୁଥିବା ସାମଗ୍ରୀଗୁଡ଼ିକୁ ବୁଝାଇଲା; ତୁମ ଜୀବନର କୌଣସି ସମଗ୍ର ଅଭିବ୍ୟକ୍ତି ସହିତ ତାହାର କୌଣସି ସମ୍ପର୍କ ରହିଲା ନାହିଁ । ପୃଥିବୀଯାକର ଜ୍ଞାନ, ବିଜ୍ଞାନ ଓ ବିଚାର ମନୁଷ୍ୟକୁ ଆଗଭଳି ଖଣ୍ଡ ଖଣ୍ଡ କରି ନଦେଖି ସମଗ୍ର ଭାବରେ ଦେଖିବାର ଉଦ୍‌ବୋଧନ ଦେବାକୁ ଅଧିକ ସୁସ୍ଥତା ବୋଲି ଆବିଷ୍କାର କରୁଥିବାର ଏକ ଯୁଗରେ ସାହିତ୍ୟକୁ ନିଜ ଜୀବନରୂପୀ ଗଡ଼ିଆରେ ଗୋଟିଏ ବିଶେଷ ଭାବରେ ସଜ୍ଜିତ କୋଣର କେଳିବ୍ୟାପାର ବୋଲି ଗ୍ରହଣ କରିବା, ଏହାକୁ ବହୁତ ନ୍ୟାୟଯୁକ୍ତ ଭାବରେ ଏକ ଅସୁସ୍ଥତା ବୋଲି ହିଁ କୁହାଯିବ । ସାହିତ୍ୟକୁ ତୁଚ୍ଛା ଏକ ଧନ୍ଦାରେ ପରିଣତ କରି ରଖୁବା ଏବଂ ବୃହତ୍ତର ଅନୁରକ୍ତିଗୁଡ଼ିକର ଜୀବନରେ ନିତାନ୍ତ ଆତ୍ମକାମୀ ହୋଇ ରହିଥିବା,– ଏହାକୁ ଆମେ ହୁଏତ ଆଉ ଯେକୌଣସି ନାମ ଦେଇ କହିବା ପଛକେ, ଅନ୍ତତଃ କଦାପି ଆଧୁନିକତା ବୋଲି କହିବା ନାହିଁ । ଏକ ବାଟମାରଣା ଅସ୍ୱାଭାବିକତା ବୋଲି ହିଁ କହିବା ।

 

ପରମ ଆତ୍ମକାମୀମାନଙ୍କୁ ସାହିତ୍ୟର ଯନ୍ତାଳଗୁଡ଼ିକରେ ବୀରବର ବେଶରେ ଦେଖିବାକୁ ବାଧ୍ୟ ହେବା, ଆମ ଆଧୁନିକ ଯୁଗରେ ସମ୍ଭବତଃ ତାହା ହିଁ ହେଉଛି ଆମ ସମସ୍ତଙ୍କର ସବୁଠାରୁ ବଡ଼ ଦୁଃଖ । ଆତ୍ମକାମୀମାନେ ହିଁ ଆଦୌ କୌଣସି ଦୀକ୍ଷା ନନେଇଥିଲେ ମଧ୍ୟ ନିଜର ବରାଦରେ ଆୟୋଜିତ ଏକ ସମାବର୍ତ୍ତନ ଉତ୍ସବରେ ନିଜେ ହିଁ ଦୀକ୍ଷାନ୍ତ ଭାଷଣ ଦେବା ପାଇଁ ଛିଡ଼ା ହୋଇଯାଆନ୍ତି । ନିଜର ଲେଖା ବହିମାନଙ୍କୁ ସେମାନେ ଏକାଧିକ ଭାଷାରେ ଅନୁବାଦ କରାନ୍ତି– କେବଳ ଇଂରାଜୀରେ ନୁହେଁ, ସଂସ୍କୃତରେ ମଧ୍ୟ ଅନୁବାଦ କରାନ୍ତି ଏବଂ ଚରୁଅନ୍ନ ଭୁଞ୍ଜିବାର ଏକ ବିଶେଷ ଆତ୍ମସୁଖ ଅନୁଭବ କରନ୍ତି । ସାହିତ୍ୟର ଆଧୁନିକ ମାମଲତକାରମାନେ କ୍ରମେ ଏକଥା ବି କହିଲେଣି ଯେ, ଓଡ଼ିଆ ସାହିତ୍ୟକୁ ଓଡ଼ିଶା ବାହାରେ ଭୁରି ଭୁରି ଅନୁବାଦ ଦ୍ୱାରା ପହଞ୍ଚାଇ ନପାରିଲେ ଓଡ଼ିଆ ସାହିତ୍ୟ ବୋଲି ସତକୁ ସତ କିଛି ପଠନୀୟ ରହିଛି ବୋଲି ଆଦୌ କେହି ଜାଣିପାରିବେ ନାହିଁ । ଓଡ଼ିଆ ସାହିତ୍ୟକୁ ପ୍ରଥମେ ଓଡ଼ିଶାରେ ସ୍ୱୀକୃତି ମିଳିବ ନାହିଁ । ଓଡ଼ିଶାରେ ଅଧେ, ମଣିଷ ନିରକ୍ଷର ହୋଇ ରହିଥିବେ ଓ ତେଣୁ ନାରଖାର ଜୀବନ ଯାପନ କରୁଥବେ ଓ ଓଡ଼ିଶା ବାହାରେ ଓଡ଼ିଆ ସାହିତ୍ୟର ପରିଚିତି ବଢ଼ାଇବାକୁ ଆମରି ଭିତରୁ ପୁଳାଏ ଆଧୁନିକ ଫକଫକ ହେଉଥବେ, ଏହାକୁ ଖୁବ୍ ବଞ୍ଚାଇକରି କହିଲେ ହୁଏତ ଏକ ନିତାନ୍ତ ଆସାହିତ୍ୟିକ ଚପଳତା ବୋଲି କୁହାଯାଇପାରିବ । ଗୋଟିଏ ଅସମାନ ଏବଂ ନାନା ଅନ୍ୟାୟଭର୍ତ୍ତି ସମାଜରେ ଯେଉଁମାନେ ବୁଦ୍ଧି ଖରଚ କରି ନିଜକୁ ଗେହ୍ଲାସ୍ତରକୁ ଉତ୍ତୀର୍ଣ କରି ନେଇଥାନ୍ତି, ସେହିମାନେ ହିଁ ଏଭଳି ଚପଳ ହେବା ଲାଗି ଭଲ ପାଆନ୍ତି ।

 

ଦେଶକୁ ସ୍ଵାଧୀନତା ଆସିଲା, ବାଟମାରଣା ହେଲା । ସେଇଥିରୁ ସାହସ ଓ ପ୍ରଶ୍ରୟ ପାଇ ଆମ ଆଧୁନିକ ସାହିତ୍ୟ ମଧ୍ୟ ବାଟମାରଣା ହେଲା କି ? ଆମ ଦେଶର ପାଠୁଆମାନେ ମଧ୍ୟ ଆମ ସାହିତ୍ୟକୁ ବାଟମାରଣା କଲେ ବୋଲି କେତେଦୂର କୁହାଯାଇପାରିବ ? ପାଠୁଆମାନେ ଅର୍ଥାତ୍ ଇଂରାଜୀ ପଢ଼ୁଆମାନେ । ଇଂରାଜୀ ଏକଦା ଭାରତବର୍ଷରେ ଶାସକମାନଙ୍କର ଭାଷା ଥିଲା-। ଭାରତବର୍ଷ ସ୍ଵାଧୀନତା ହାସଲ କରିବାର ଏତେ ପୁରୁଷ ଗତ ହୋଇ ଯାଇଥିଲେ ମଧ୍ୟ ଆମର ଶାସନ ତଥାପି ଇଂରାଜୀରେ ଚାଲୁଛି । ଦେଶର ତିନି ଚଉଠ ବା ତତୋଽଧିକ ମଣିଷଙ୍କୁ ଶାସନ ଭିତରୁ ନିକାଲି ରଖିବା ନିମନ୍ତେ ଇଂରାଜୀରେ ସାଆନ୍ତମାନଙ୍କ ଦ୍ଵାରା ଚାଲୁଛି । ଇଂରାଜୀ ଭାଷାରେ ବିଗତ କେତେ ଦଶନ୍ଧି ଧରି ଲେଖା ହୋଇ ଆସିଥିବା ସେପାରିର ସାହିତ୍ୟ ଆମର ଏଠି ମଧ୍ୟ ଇଂରାଜୀପଢ଼ୁଆ ଆଧୁନିକମାନଙ୍କୁ ପ୍ରାୟ ଏକ ଅନୁକରଣଧର୍ମୀ ଅହମିକା ଭିତରେ ଆମ ସାହିତ୍ୟକୁ କାଞ୍ଜିଆ କରି ରଖିବାକୁ ବହୁତ ଖୋରାକ ଯୋଗାଇ ଦେଉଛି । ସାହିତ୍ୟରେ ମଧ୍ୟ ଗୋଟିଏ ବର୍ଗ ଆପଣାକୁ ସାହେବ ବୋଲି ମନେ କରୁଛନ୍ତି । ଏହି ପୋଷାକୀ ଆଧୁନିକ ଯୁଗଟା ପୂର୍ବରୁ ଓଡ଼ିଆ ସାହିତ୍ୟରେ ଯାହା କିଛି ଥିଲା, ଏହି ସାହେବମାନଙ୍କର ସେସବୁ ସହିତ ପ୍ରାୟ ଆଦୌ କୌଣସି ନାହି ଯୋଡ଼ା ହୋଇ ରହିନାହିଁ । ସତେଯେପରି ଏହି ଆଧୁନିକମାନେ କାଳକାଳରୁ ହିଁ ଆମ ବୈଠକଖାନାର ମାଛମାନଙ୍କ ପରି ଫେଶନିଆ କାଚବାକ୍ସମାନଙ୍କରେ ହିଁ ରହିଥଲେ, କେବେହେଲେ ଗଡ଼ିଆ କିମ୍ବା ନଈର ସଂସ୍ପର୍ଶ ପାଇନଥିଲେ, ବେଳେବେଳେ ସେହିପରି ଆଚରଣ କରୁଛନ୍ତି । ଇଂରାଜୀରେ ଭାବୁଛନ୍ତି,– ଇଂରାଜୀରେ ବଙ୍କାବଙ୍କା ଚାଲିଟା ଭାରି ମନୋରମ ଦେଖାଯାଉଛି ସତ, ମାତ୍ର ଆମ ଜୀବନ-ଅନ୍ଦାଜର ଅସଲ ଭୂଇଁଗୁଡ଼ିକରେ ସେମାନେ ଯେ ଆଦୌ ଚାଲି ଶିଖୁନାହାନ୍ତି, ସେଇଟା ଆଗ ଜଣା ପଡ଼ିଯାଉଛି । ମସ୍ତିଷ୍କଟା କେତେ ଭଙ୍ଗିମାରେ ଛୋପରା ହେଉଛି ସିନା, ଭିତରେ କୋଉଠି ଅସୁରୁଣୀଟାଏ ହୃଦୟଟାକୁ ଭାରି ଲୁଚାଇ ରଖିଛି ବୋଲି ବିବାକ୍ ପ୍ରମାଣିତ ହୋଇଯାଉଛି ।

 

ସେଦିନ ଆମ ସହରରେ ସଭା ମଣ୍ଡାଇ ସାହିତ୍ୟର ଚର୍ଚ୍ଚା ହେଉଥିଲା । ମଞ୍ଚ ଉପରେ ମହାଶୟମଣ୍ଡଳୀ ଆସୀନ ଥିଲେ । ସମସ୍ତେ ଏହି ଓଡ଼ିଶାର,– ଇଂରାଜୀ ପୂର୍ବରୁ ନିଶ୍ଚୟ ଓଡ଼ିଆ ଭାଷା ଜାଣିଥିବେ । ଇତିମଧ୍ୟରେ ଲେଖି ଲେଖି ଯୌବନ ଅତିକ୍ରମ କରି ପୌଢ଼ାବସ୍ଥାକୁ ସ୍ଵର୍ଣ କଲେଣି । ଓଡ଼ିଆ ସାହିତ୍ୟ ହିଁ ଚର୍ଚ୍ଚାର ବିଷୟ ଥିଲା । ଏକ ନମ୍ବର ବାବୁ କହିବା ନିମନ୍ତେ ଯନ୍ତ୍ରପାଖକୁ ଆସିଲେ । ଛିଡ଼ା ହେଉ ହେଉ କହିଲେ ଯେ ସିଏ ପ୍ରଥମରେ ଓଡ଼ିଆରେ ଦୁଇ ତିନି ଧାଡ଼ି ଅବଶ୍ୟ କହିବେ । ମାତ୍ର ତା'ପରେ ଇଂରାଜୀ ନାବକୁ ଡେଇଁପଡ଼ିବେ । ଯାହା କହିଥିଲେ, ଠିକ୍ ସେହିପରି ହିଁ କଲେ । ମୋଟେ ନିଜ କଥାରୁ ହୁଡ଼ି ନଥିଲେ । ଚିକ୍କଣ ଇଂରାଜୀରେ କହିଗଲେ । କଲିକତା କିମ୍ବା କେରଳରେ ଏପରିକି ଗୁଆହାଟୀରେ ମଧ୍ୟ ଏଭଳି ଘଟଣା କେବେହେଲେ ଘଟି ନଥାଆନ୍ତା । ସାହିତ୍ୟିକମାନେ ଜଣେ ଜଣେ ଭୂଇଁଟାକୁ ସତରେ ଯେ ଏତେ କଷ୍ଟ ଦିଅନ୍ତି, ଶ୍ରୋତାମଣ୍ଡଳୀରେ ବସି ମୁଁ ସେଦିନ ତାହାହିଁ ଚିନ୍ତା କରୁଥିଲି । ମୋତେ ଭଲ ଭାବରେ ଜଣାଥିଲା ଯେ, ଆଜ୍ଞା ଆଗ ତୁଚ୍ଛା ଇଂରାଜୀରେ ଲେଖୁଥିଲେ ସିନା, ଏବେ ଘରକୁ ଫେରି ଆସିଲେଣି, ଓଡ଼ିଆରେ ବି ଲେଖୁଛନ୍ତି । ଓଡ଼ିଆ ଭାଷାରେ ତାଙ୍କର ପ୍ରଥମ ପୁସ୍ତକର ଉନ୍ମୋଚନ ଏକଦା ମୋ ଦ୍ଵାରା ଯେତେବେଳେ ହୋଇଥିଲା, ସେତେବେଳେ ମୁଁ କେଡ଼େ ଖୁସି ହୋଇ କେତେ କଥା କହି ପକାଇଥିଲି । ଏଥର ତାଙ୍କର ଇଂରାଜୀ ଭାଷଣ ଶୁଣି ସତେଅବା ମୁଁ କାହିଁକି ସେଡ଼େ କାଇଲି କାମଟିଏ କଲି ବୋଲି ନିଜ ଗାଲରେ ଠୋ ଠୋ ଚଟକଣା ମାରି ହେଉଥିଲି । ଓଡ଼ିଆରେ ବହି ଲେଖି ଛପାଇବ, ଅଥଚ ଇଂରାଜୀ ଜାଣିଛ ବୋଲି ଓଡ଼ିଆରେ ଦଶ ମିନିଟ୍ କହିବ ନାହିଁ । ଏହା ମଧ୍ୟ ମୋ ପାଇଁ ପ୍ରହେଳିକା ହୋଇ ରହିଛି ।

 

ଓଡ଼ିଶାରେ ଏକାଟର ଆଧୁନିକ ଅମଳଟା କଥା ଚିନ୍ତା କଲା ସମୟରେ ମୋର ପବିତ୍ର ବାଇବେଲ୍ ଗ୍ରନ୍ଥର Prodigal son ର କଥା ମନେ ପଡ଼ିଯାଏ । ଆମ Prodigal son ମାନେ କ’ଣ କେବେହେଲେ ଘରକୁ ଫେରି ଆସିବେ ନାହିଁ ? ଏହି ବାଟମାରଣା ଯୁଗଟାର କ’ଣ କେବେହେଲେ ଅବସାନ ଘଟିବ ନାହିଁ ? ପୃଥିବୀରେ mission ଚେତନା ଅଧିକ ସ୍ୱୀକୃତି ଲାଭ କରିବା ସଙ୍ଗେ ସଙ୍ଗେ missionary ମାନଙ୍କର କାଳ ଶେଷ ହୋଇ ଆସୁଛି । ଆମ ଆଧୁନିକମାନେ କ’ଣ ମିଶନାରୀ କାମ କରିବେ ବୋଲି ଆମ ଭିତରେ ଆସି ପଶିଛନ୍ତି କି ? ଯେଉଁମାନେ ଓଡ଼ିଶାରେ ମଧ୍ୟ ସାହିତ୍ୟକୁ ମୂଳତଃ ଏକ ମିଶନ ବୋଲି ଅନୁଭବ କରୁଥିବେ, ସେମାନେ ଏହି କଥାଟି ବିଷୟରେ ଅବଶ୍ୟ ଚିନ୍ତା କରିବେ ।

 

୮/୫/୨୦୦୦

Image

 

ସମସ୍ତଙ୍କ ପାଇଁ ଶିକ୍ଷା

 

ସମସ୍ତଙ୍କ ପାଇଁ ଶିକ୍ଷା କହିଲେ ସବା ଆଗ ଏହି ଦେଶର ସବୁ ପିଲାଙ୍କ ପାଇଁ ଶିକ୍ଷା । ଦେଶର ସବୁ ପିଲା କାହିଁକି ଯେ ଇସ୍କୁଲକୁ ଆସିବାକୁ ସୁବିଧା ବା ଅଧିକାର ପାଇନାହାନ୍ତି ବା ପାଉନାହାନ୍ତି, ସେହି ବିଷୟରେ ଗବେଷଣାର ଗହୀରମାନଙ୍କରେ ହୁଏତ ଷାଠିଏ ବାଟୀ ଭୂଇଁ ତଡ଼ା ସରିବଣି । ତହିଁରୁ ଶହଶହ ପଲମ ତଥ୍ୟ ବାହାରି ସରକାର ତଥା ବିଶ୍ଵବିଦ୍ୟାଳୟଗୁଡ଼ିକର ଗୋଦାମରେ ସାଇତା ହୋଇ ରହିଛି । ମାତ୍ର ଅସଲ ବିଡ଼ମ୍ବନାର କଥାଟି ହେଉଛି ଯେ, ଯେଉଁ ଉପରମାନେ ନିଜ ପିଲାଙ୍କୁ ଶିକ୍ଷିତ ଏବଂ ଉଚ୍ଚ ଅର୍ଜନଯୋଗ୍ୟ କରିବା ନିମନ୍ତେ ରାଜଉଆସ ପରି ବିଶେଷ ବିଶେଷ ମହିମା ଓ ବିଶେଷ ବିଶେଷ ଗରିମା ଦେଇ ତିଆରି ହୋଇଥିବା ତଥାକଥିତ ଶିକ୍ଷାଲାଭର ମୁଖଶାଳାମାନଙ୍କୁ ପଠାଇ ପାରୁଛନ୍ତି, ସେହିମାନେ ହିଁ ଉଚ୍ଚ ଦରମାରେ ରହି ଶିକ୍ଷାରୁ ବଞ୍ଚିତ ସବୁ ପିଲା କିପରି ଇସ୍କୁଲକୁ ଆସିବେ, ସେଥିଲାଗି ଚିନ୍ତା କରୁଛନ୍ତି, କିଛି କାଗଜପତ୍ର ପ୍ରସ୍ତୁତ କରୁଛନ୍ତି, କିଛି କରିବେ ବୋଲି କିଞ୍ଚିତ୍ ପ୍ରମାଣ ଦେଇପାରିବାକୁ ଉଦ୍ୟମ ବି କରୁଛନ୍ତି । ଏହି ଦେଶରେ ଶହେରୁ ଦଶଜଣ ପିଲା ଅତି ଗେହ୍ଲା ହୋଇ ପାଠ ପଢ଼ୁଥିବାରୁ ଶହେରୁ ବାକି ନବେଜଣ ପିଲାଙ୍କୁ ଯେ ସର୍ବସାମାନ୍ୟ ଚାହାଳିସୁଖଟି ମଧ୍ୟ ଉପଲବ୍‍ଧ ହୋଇପାରୁ ନାହିଁ, ବୁଦ୍ଧିଆ ଗବେଷକମାନେ ସେକଥାଟି କେଉଁଠି ହେଲେ କହିନାହାନ୍ତି; ଖୁବ୍ ସମ୍ଭବ କହିବା ପାଇଁ ସାହସ କରିନାହାନ୍ତି ।

 

ଆମ ନିଜ ଗାଆଁଟାରେ ମଧ୍ୟ କାହିଁକି ସବୁ ପିଲା ଇସ୍କୁଲକୁ ଆସି ପାରୁନାହାନ୍ତି ? ଏହି କଥାଟାର ଖାସ୍ ଆମ ଗାଆଁରେ ମଧ୍ୟ ତନଖି ହୋଇପାରନ୍ତା । ଯାହାଙ୍କ ପିଲା ସ୍କୁଲକୁ ଯାଉଛନ୍ତି ଓ ଆଉ ଯାହାଙ୍କ ପିଲା ଯାଉନାହାନ୍ତି, ସମସ୍ତଙ୍କୁ ଯଥାସମ୍ଭବ ଏକତ୍ର ବସାଇ ଉଭୟଙ୍କୁ ପ୍ରଶ୍ନ ପଚରାଯାଇ ପାରନ୍ତା । ଏଥିରୁ ହୁଏତ ପ୍ରକୃତ ସତ୍ୟର ଅଧିକ ନିକଟବର୍ତ୍ତୀ ବହୁ ତଥ୍ୟ ଆମର ହସ୍ତଗତ ହୋଇପାରନ୍ତା । ସବୁ ପିଲାଙ୍କୁ ସତକୁ ସତ ଇସ୍କୁଲକୁ ଆଣିବା ଦିଗରେ ସମ୍ଭବତଃ କିଛି ସକାରାତ୍ମକ ଉଦବେଳନ ମଧ୍ୟ ସୃଷ୍ଟି କରାଯାଇ ପାରନ୍ତା । ମାତ୍ର ଆମ ଦେଶରେ ବା ଆମ ରାଜ୍ୟରେ ସେଭଳି ହୋଇପାରିବ ନାହିଁ । ଏବେ ବାବୁମାନେ ଭୁବନେଶ୍ୱର ବା ଦିଲ୍ଲୀରେ ବସି ଘୋର ଉଦ୍‌ବେଗର ସହିତ ଆମ ଗାଆଁରେ ମୂରୁଖ ରହିଯିବା ପିଲାମାନଙ୍କର ସମସ୍ୟାକୁ ଅଧ୍ୟୟନ କରୁଛନ୍ତି । ତଦ୍ଦ୍ୱାରା ଆହୁରି କେତେ ବାବୁ ବୁଢ଼ାଦିନରେ ବି ଚାକିରି ପାଇପାରୁଛନ୍ତି । ଏବଂ, ସବା ଅସଲ କଥାଟି ହେଉଛି, ଗାଆଁଠାରୁ ଦୂରରେ ସହରୀ ଖାସ୍‍ମାହାଲମାନଙ୍କରେ ଏ କାର୍ଯ୍ୟଟି ହୋଇପାରୁଛି ବୋଲି ବାବୁମାନେ ଇଂରାଜୀରେ ସବୁକିଛି କରିପାରୁଛନ୍ତି । ବାବୁମାନଙ୍କର କୋଷ୍ଠୀଟା କହିଦେଉଛି ଯେ, ସେମାନେ ଯେତିକି ଅଧିକା ଇଂରାଜୀ ଜାଣିଲେ ଏବଂ ନିଜ ଜୀବିକାର ସୋପାନରେ ଉଠି ଉଠି ଗଲେ, ସେମାନଙ୍କର ଅକଲ ଭିତରୁ ଓଡ଼ିଆ ଭାଷାଟା ପ୍ରାୟ ସେତିକି ସାବଲୀଳ ଭାବରେ ଗୁଡ଼ୁମ୍ ହୋଇଗଲା । ସ୍ୱାଧୀନ ଭାରତରେ ମଧ୍ୟ ସେମାନେ ଫିସାଦ କରି ନିଜ ପାଇଁ ଇନ୍ଦ୍ର ମହାଦଶାର ଯେଉଁ ସ୍ୱତନ୍ତ୍ର ପାଳକଟିକୁ ପାଇଗଲେ, ତାହାରି ଫଳରେ ଖାସ୍ ସେହିମାନଙ୍କରେ ସୁବିଧା ସକାଶେ ହିଁ ଏଠି କିଛି ବଦଳିଲା ନାହିଁ । ସେମାନେ ଯେମିତି ଯୋଉଠି ଥିଲେ, ସେଠି ମୋଟାମୋଟି ସେହିମିତି ରହିଯାଇ ପାରିଲେ ଏବଂ ଏହି ଦେଶଟାର ନବେ ଅଂଶ ଯେମିତି ଥିଲା, ମୋଟାମୋଟି ସେହିପରି ରହିଗଲା । ଶିକ୍ଷାର କ୍ଷେତ୍ରରେ, ସବୁ ପିଲାଙ୍କୁ ପଢ଼ିବାର ସୁଯୋଗ ମିଳିବା କ୍ଷେତ୍ରରେ ତାହା ଅଧିକ ନିର୍ମମ ଭାବରେ ହେଲା ।

 

ଯେଉଁ ପିଲାମାନେ ଭାରତବର୍ଷର ଗଣତନ୍ତ୍ରୀୟ ସମ୍ବିଧାନ ଅନୁସାରେ ସର୍ବନିମ୍ନ ଶିକ୍ଷା ପାଇବାର ମୌଳିକ ଅଧିକାରଟିକୁ ଲାଭ କରିଛନ୍ତି ଅଥଚ ସେମାନଙ୍କୁ ନାନା ଆଳ ଦେଖାଇ ତାହା ପ୍ରଦତ୍ତ ହୋଇନାହିଁ, ସେମାନଙ୍କୁ ଅବଶ୍ୟ ସ୍କୁଲକୁ ଆଣିବାକୁ ହେବ । କେବଳ ନିରକ୍ଷରଙ୍କୁ ସାକ୍ଷର କରାଇବାର ଏକ ନିତାନ୍ତ ଅପମାନଜନକ ହିସାବ ବା ଯୋଜନା ଦ୍ୱାରା ନୁହେଁ,– ବ୍ରାହ୍ମଣମାନେ ଉଚ୍ଚ ପିଣ୍ଡାରେ ବସି ଶୂଦ୍ରଜ୍ଞାନରେ ଠିକ୍ ସେହିମାନଙ୍କ ଭଳି ମଣିଷମାନଙ୍କ ଆଡ଼କୁ ଉଚ୍ଛିଷ୍ଟ ଫୋପାଡ଼ି ଦେଲାଭଳି ନୁହେଁ, ନାଗରିକ ଅବଶ୍ୟାଧିକାରର ସ୍ୱୀକୃତି ଦେଇ ହିଁ ସେମାନଙ୍କୁ ବିଦ୍ୟାଳୟକୁ ଆଣିବାକୁ ପଡ଼ିବ । ସେଯାଏ ନଯିବା ପର୍ଯ୍ୟନ୍ତ ଶିକ୍ଷାରେ କନ୍ଦଳ ଲାଗି ରହିବ ଏବଂ ଚତୁରମାନେ ଚୌର୍ଯ୍ୟବୃତ୍ତି ବି କରିବାରେ ଲାଗିଥିବେ । ମାତ୍ର, କେବଳ କ’ଣ ପିଲାଙ୍କୁ ଇସ୍କୁଲକୁ ଆଣିଲେ କାମ ସରିଯିବ ? ସମସ୍ତଙ୍କ ପାଇଁ ଶିକ୍ଷା କହିଲେ ଯଥାର୍ଥରେ ସବୁ ସ୍ତରରେ ହିଁ ଶିକ୍ଷାକୁ ବୁଝାଇବ । ଯେଉଁମାନେ ସମସ୍ତଙ୍କ ପାଇଁ ଶିକ୍ଷାର ପକ୍କା ମହକୁମା ମାନଙ୍କରେ ଶିକ୍ଷାରୁ ବଞ୍ଚିତ ହୋଇ ରହିଥିବା ପିଲାଙ୍କୁ ଢୋକେ ବା ଧାପେ ପାଠ ଧରାଇ ଦେବାର ବାବୁଶ୍ରମ କରୁଛନ୍ତି, ସମସ୍ତଙ୍କ ପାଇଁ ଶିକ୍ଷାର କାର୍ଯ୍ୟକ୍ରମରେ ସେମାନେ ନିଜକୁ ମଧ୍ୟ ଅନ୍ତର୍ଭୁକ୍ତ କରି ରଖିବା ଉଚିତ ।

 

କୋଟି କୋଟି ଅରକ୍ଷିତଙ୍କ ଦେଶରେ ବାବୁ ହେବା ଯେ ପ୍ରକୃତରେ ଏକ ଅପରାଧ, ଆମ ବାବୁମାନେ ଆଉ କୋଉ ଦିନ ଯାଇ ସେହି କଥାଟିକୁ ଶିଖିବେ ? ଏବଂ ଉଚ୍ଚ ଚାକିରିଆମାନେ ଯାହା କରିବେ, ସେମାନେ ସମୁଦାୟ ଦେଶକୁ ହିଁ ଆଖି ଆଗରେ ରଖି ତାହା କରିବେ । ଏପର୍ଯ୍ୟନ୍ତ ସେମାନେ ନିତାନ୍ତ ଅମାନୁଷିକ ଭାବରେ ଚତୁର ହୋଇ ରହିଛନ୍ତି ବୋଲି ତାହା କରି ନାହାନ୍ତି । ତାହା ଫଳରେ ଦେଶର ଶତକଡ଼ା ଦଶଭାଗ ମଣିଷଙ୍କ ପାଇଁ ହିଁ ଶତକଡ଼ା ନବେଭାଗ ସୁଯୋଗ ଉପଲବ୍‍ଧ ହୋଇ ରହିଛି । ଆମ ବାବୁମାନେ ଆଉ ଜାଣି ଜାଣି ନିଜକୁ କେତେଦିନ ଯାଏ ଅଶିକ୍ଷିତ କରି ରଖିଥିବେ ? ଭାରତବର୍ଷରେ ଶିକ୍ଷିତ ସ୍ଥାନସ୍ଥମାନେ ହିଁ ଏଠି ପ୍ରାୟ ନିଜ ପାଇଁ ସବୁଯାକ ସୁଯୋଗ ଆବୋରି ନେବାଫଳରେ ଲୋକଉନ୍ନୟନର ସକଳ ବିଚାର ଯେ ପ୍ରଧାନତଃ ଧୋକାରେ ପରିଣତ ହୋଇଯାଉଛି, ଆମ ଶ୍ରୀମନ୍ତମାନେ ଆଉ କେଉଁଦିନ ଭଲ ବୁଦ୍ଧି କରି ସେହି ପାଠଟିକୁ ପ୍ରକୃତରେ ପଢ଼ିବାକୁ ରାଜି ହେବେ ? ସମସ୍ତଙ୍କ ତରଫରୁ କଥା କହୁଥିବେ ଏବଂ ସମସ୍ତଙ୍କର ଭାଗକୁ ଯଥାସମ୍ଭବ ସ୍ୱୟଂ ମାରି ନେଉଥିବେ,– ଏହା ଯେ ଏକ ଦାନବୀୟ କାର୍ଯ୍ୟ,– ରାଜନୀତିରେ ବୁଢ଼ା ଚୁଙ୍ଗୁଡ଼ିଙ୍କ ପରି ପହଁରୁଥିବା ନେତାମାନେ ଓ କ୍ଷମତାଧରମାନେ କୋଉଦିନ ସେହି ଅସଲ ପାଠଟିକୁ ପଢ଼ିବା ପାଇଁ ରାଜିହେବେ ଏବଂ ଅକଲ ଭିତରକୁ ଆସିବେ ? ଏବଂ, ଯେଉଁ ଭୂମିରେ ଯିଏ ଶାସନକଳଟି ଚାଲିବ ବୋଲି ଏତେ ଦରମା ଖାଇ ହାକିମ ହୋଇ ବସିଛି, ତାକୁ ଯେ ନିଜ ଧର୍ମର ସର୍ବପ୍ରଥମ ଆବଶ୍ୟକତା ମୁତାବକ ଭୂମିର ଭାଷାଟିକୁ ଗ୍ରହଣ କରିବାକୁ ପଡ଼ିବ, ବିଚରା ସେହି ଏକାନ୍ତ ପ୍ରାଥମିକ ପାଠଟିକୁ ସିଏ ବି କେବେ ଯାଇ ପଢ଼ିବ ? ଭାଷାଟିକୁ ଏନ୍ତୁଡ଼ିଶାଳରୁ ଜାଣି ମଧ୍ୟ ସିଏ ତଥାପି ଭାଷାଟିରେ କଥା କହୁନାହିଁ, ଅର୍ଥାତ୍ ଏହି ଭାଷାଟିକୁ ସିଏ ହେୟ ବୋଲି ଭାବୁଛି, ଅର୍ଥାତ୍ ଏହି ଦେଶର ବହୁସଂଖ୍ୟକ ପଟର ମଣିଷଙ୍କୁ ମଧ୍ୟ ସିଏ ହେୟ କରି ଦେଖୁଛି । ତାକୁ ଖାଲି ଇସ୍କୁଲରେ ଆଣି ବସାଇଲେ ବି ମୋଟେ ସମାଧାନ ହେବନାହିଁ, ତା'ର ଏକ ମାନସିକ ଚିକିତ୍ସା ମଧ୍ୟ କରାଇବାକୁ ହେବ । ନିରକ୍ଷରମାନଙ୍କୁ କେବଳ ସାକ୍ଷର କରିଦେଲେ ହିଁ ଯଥେଷ୍ଟ ହେବନାହିଁ । ବିଶେଷତଃ ଭାରତବର୍ଷରେ ଅଧିକାଂଶ ମଣିଷ ନିରକ୍ଷର ହୋଇ ରହି ଆସିଛନ୍ତି ସତ, ମାତ୍ର ସେମାନେ ମୋଟେ ଅଶିକ୍ଷିତ ନୁହନ୍ତି । ଏକାଧିକୁ ଦୃଷ୍ଟିରୁ ଦେଖିଲେ ସେମାନେ ହୁଏତ ଆମର ତଥାକଥିତ ଉଚ୍ଚଶିକ୍ଷିତମାନଙ୍କ ଠାରୁ ଅଧିକ ଶିକ୍ଷିତ, ଅଧିକ ରୁଚିସମ୍ପନ୍ନ ଓ ଅଧିକ ସମ୍ବେଦନଶୀଳ । ପେଟଟା ପୂରିବାର ଏକ ସାଧୁ ଅବଲମ୍ବନ ମିଳିପାରୁଥିଲେ ସେମାନେ ସମ୍ଭବତଃ ଆମ ସମଗ୍ର ଦେଶର ସବୁଠାରୁ ଅଧିକ ନିର୍ଭରଯୋଗ୍ୟ Asset ହୋଇ ରହିଥାଆନ୍ତେ । ଏବର ଏହି ଶିକ୍ଷିତ ଓ ଭଦ୍ରମାନଙ୍କ ଉପରେ ନିର୍ଭର କରି ରହିବା ଦ୍ଵାରା ତ ଦେଶର ଅଧିକ ଅହିତ ଓ ଅପକାର ହିଁ ହୋଇଚି । ସରକାରୀ ହାକିମୀ, ସରକାରୀ ମେଡ଼ିଆ– ଯେଉଁଗୁଡ଼ିକ ତୁଚ୍ଛା ସୁପ୍ରଶିକ୍ଷିତ ଏବଂ ଉଚ୍ଚଶିକ୍ଷିତମାନଙ୍କ ଦ୍ଵାରା ଚାଲିଛି, ସେଗୁଡ଼ିକ ବରଂ ଆମ ଜନସାଧାରଣଙ୍କୁ କ୍ରମେ ଅଧିକ ଅଶିକ୍ଷିତ, ସମ୍ବେଦନହୀନ ଏବଂ ରୁଚିବର୍ଜିତ କରାଇବାରେ ଅଧିକ ସାହାଯ୍ୟ କରିଛନ୍ତି । ସାମୁଦାୟିକ ଆସ୍ଥା ତଥା ପାରମ୍ପରିକତା ଉପରେ କୁଠାରାଘାତ ହିଁ କରିଛନ୍ତି । ଯଦି ଇଂରାଜୀ ଭାଷାର ପାଚେରୀଟା ବଳରେ ଆମ ଶିକ୍ଷିତମାନେ ନିଜକୁ ଧରାପଡ଼ିବାର ଅବସରଗୁଡ଼ିକରୁ ଅନ୍ତରାଳ କରି ରଖିନଥାନ୍ତେ, ତେବେ ଭାରତବର୍ଷର ଲୋକଶକ୍ତି କୋଉଦିନରୁ ସେମାନଙ୍କର ବେକରେ ଗାମୁଛା ପକାଇ ସେମାନଙ୍କୁ ଦାଣ୍ଡକୁ ବାହାର କରି ଆଣନ୍ତାଣି ।

 

ତେଣୁ, ପ୍ରକୃତ କଥାଟି ହେଉଛି ନିଜର ଯାବତୀୟ ଅଶିକ୍ଷିତପଣିଆକୁ ଜାରି ରଖି ଆମ ପଦସ୍ଥ ଶିକ୍ଷିତମାନେ ନିରକ୍ଷରମାନଙ୍କୁ ସାକ୍ଷର କରିବା ହିଁ ଆଦୌ ଦେଶର ସମ୍ମୁଖରେ ରହିଥିବା ଏକମାତ୍ର କାର୍ଯ୍ୟ ନୁହେଁ । ନିରକ୍ଷର ଅଗଣିତ ଲୋକଗୋଷ୍ଠୀ ମଧ୍ୟ ସେମାନଙ୍କ ଉପରେ ଲଦିହୋଇ ରହିଥିବା ପାଠୁଆ ଅଥଚ ନିତାନ୍ତ ଅମାର୍ଜିତ ପଦସ୍ଥମାନଙ୍କୁ ଏହି ଦେଶଟି ସମ୍ବନ୍ଧରେ ପ୍ରଶିକ୍ଷିତ ହେବାପାଇଁ ବାଧ୍ୟ କରିବେ । ଗଣତନ୍ତ୍ରରେ ଅସଲ ଅଙ୍କୁଶଗୁଡ଼ିକ ତଳେ ହିଁ ରହିଥାଏ । ବହୁ କୌଶଳରେ ତଳୁ ଅଙ୍କୁଶଗୁଡ଼ିକୁ କ୍ରମେ ଅପହରଣ କରି ନିଆଯାଇଛି ଏବଂ ଲୋକଜୀବନରେ ନାନାବିଧ ପ୍ରଦୂଷଣକୁ ପ୍ରଶ୍ରୟ ଦିଆଯାଇଛି । ଏହି ରୀତି ଅଲବତ ବଦଳୁ । ଏଥିପାଇଁ ବାବୁମାନେ, ନେତାମାନେ ଏବଂ ଉପରମୁହାଁ ଗରିଷ୍ଠମାନେ ଯେପରି ଆବଶ୍ୟକ ଶିକ୍ଷାଲାଭ କରିପାରିବେ, ସେଥିଲାଗି ଅନୁକୂଳ ପରିବେଶଟିକୁ ତିଆରି କରି ଅଣାଯାଉ । ସେଥିଲାଗି ଯଥୋପଯୁକ୍ତ ବିତର୍କମାନ ହେଉ, appropriate ନେତୃତ୍ୱଗୁଡ଼ିକର ସୃଷ୍ଟି ହେଉ । ସେଥିଲାଗି କେବଳ ସରକାରୀ ଶାସନ-ଯନ୍ତ୍ରଟା ନୁହେଁ, ଦେଶରେ ପିଲାମାନଙ୍କୁ ପଢ଼ାଯାଉଥିବା ପାଠଗୁଡ଼ିକ ମଧ୍ୟ ବଦଳୁ-। ଏହି ଶିକ୍ଷା ମୋଟେ ଭଲ ଲାଗୁନାହିଁ, ଆଉ ମୋଟେ କାମ ଦେଉନାହିଁ । ଖାଲି ବାବୁମାନଙ୍କର ଆଖିଦୃଶିଆ ଫମ୍ପାମାନଙ୍କର ସଂଖ୍ୟା ବଢ଼ାଇବାରେ ହିଁ ତାହା ସାହାଯ୍ୟ କରୁଛନ୍ତି । ଦୂରତାଗୁଡ଼ିକୁ ଅତ୍ୟନ୍ତ ହୃଦୟହୀନ ଭାବରେ ବଢ଼ାଇବାରେ ଲାଗିଛି । ଭବିଷ୍ୟ କହିଲେ ଭାରତବର୍ଷରେ ଆମେ ଯେଉଁ ଉଜ୍ଜ୍ଵଳ ତାରାଟିକୁ ଆମ ଆଖି ଆଗରେ ଜଳୁଥିବାର ଅନୁଭବ କରିପାରୁଛୁ, ସେହି ତାରାଟିକୁ ମଧ୍ୟ ଏହି ଅମଙ୍ଗଳକାରୀ ଶିକ୍ଷା ନାନାବିଧ ମେଘ ଦ୍ଵାରା ଆଚ୍ଛନ୍ନ କରି ପକାଉଛି । ଆମ ବାବୁମାନଙ୍କ ପାଇଁ ଏଭଳି ଶିକ୍ଷା ଦରକାର, ଯାହାଦ୍ୱାରା ସେମାନେ ଅକଲ ଶିଖିପାରିବେ । ଆମ ନେତାମାନଙ୍କ ଏଭଳି ଶିକ୍ଷା ଦରକାର, ଯାହାଦ୍ୱାରା ସେମାନେ ଭଦ୍ର ହୋଇପାରିବେ, ଲାଜ ଶିଖିବେ, ସେମାନଙ୍କୁ ଏହି ଦେଶରେ ମୋଟେ କେହି ଦେଖୁନାହାନ୍ତି ବୋଲି ଧରିନେଇ ଆଉ ଡିଙ୍ଗର ହୋଇ ଡେଇଁବାକୁ ଆଦୌ ଇଚ୍ଛା କରିବେ ନାହିଁ । ନିରକ୍ଷରମାନେ ସାକ୍ଷର ହୁଅନ୍ତୁ ଏବଂ ଅଶିକ୍ଷିତମାନେ ଶିକ୍ଷିତ ମଧ୍ୟ ହୁଅନ୍ତୁ ।

 

୧୫/୫/୨୦୦୦

Image

 

ଗେହ୍ଲାପୁଅ ସିଦ୍ଧାନ୍ତ

 

ବାଇବେଲ୍ ଧର୍ମଗ୍ରନ୍ଥର ପୁରାତନ ଭାଗରେ Chosen people ବୋଲି କଥାଟିଏ ଅଛି । ଭଗବାନ ପୃଥିବୀର ସବୁ ମଣିଷଙ୍କୁ ଯେ ସୃଷ୍ଟି କରିଛନ୍ତି– ଏଇଟା ହେଉଛି ଧର୍ମବିଶ୍ୱାସର ସାଧାରଣ ଗଣିତ । ତଥାପି, ସିଏ କେତେକ ମନୁଷ୍ୟଗୋଷ୍ଠୀଙ୍କୁ ବିଶେଷ ଭାବରେ ସୃଷ୍ଟି କରି ଏହି ପୃଥିବୀକୁ ପ୍ରେରଣ କରିଛନ୍ତି । ସତେଅବା ଏକ ବିଶେଷ ବିରି ଓ ଚାଉଳକୁ ବାଟି ବିଶେଷ ଭାବରେ ଫେଣି ଓ ବିଶେଷ ମସଲା ଦେଇ ସେମାନଙ୍କୁ ସର୍ଜନା କରିଛନ୍ତି ଓ ବିଶେଷ ଅଧିକାର ତଥା ଭାଗ୍ୟ ଦେଇ ଧରାପୃଷ୍ଠରେ ଅବତରଣ କରାଇଛନ୍ତି । କହିବା ବାହୁଲ୍ୟ ଯେ, ନିଜ ଧର୍ମପୁସ୍ତକରେ ଏଭଳି ନଥାଟିଏ ଆଣି ପୂରାଇଥିବା ବୀର ପ୍ରବରମାନେ ଆପଣାକୁ ହିଁ ସେହି chosen people ବୋଲି ଘୋଷଣା କରିଛନ୍ତି ଏବଂ ସେହିଭଳି କରି ନାହିଁ ନଥିବା ଖୁସି ହୋଇଛନ୍ତି । ପୃଥିବୀରେ ନାହିଁ ନଥିବା ଅନର୍ଥ ଭିଆଇଛନ୍ତି ଓ କାଳକାଳକୁ ନାହିଁ ନଥିବା ବହୁ ହାସ୍ୟାସ୍ପଦତାର ସୃଷ୍ଟି କରିଛନ୍ତି ।

 

ପୃଥିବୀଟାକୁ ମୁଖ୍ୟତଃ ଭୋଗର ଏକ ସରୋବର ପରି ଭାବୁଥିବା ପର୍ଯ୍ୟନ୍ତ ଅନେକ ମଣ୍ଡୁକପ୍ରାୟ ମନୁଷ୍ୟଗୋଷ୍ଠୀ ନିଜର ବୁଦ୍ଧିକୁ ପ୍ରାୟ ଗୋଟାସୁଦ୍ଧା ବଳଦିଆ କରି ପକାଇଛନ୍ତି ଓ ଏହିପରି ଭାବରେ ନିଜର ଭାବନାରେ ଅତ୍ୟନ୍ତ ହାସ୍ୟାସ୍ପଦ ଭାବରେ ବୋହି ଯାଇଛନ୍ତି । ଆଗେ ଭାରତବର୍ଷରେ ଯେଉଁ ମନୁଷ୍ୟ-ଯୁଥଟିକୁ ଆର୍ଯ୍ୟ ବୋଲି କୁହାଯାଇଥିଲା, ଏବେ ନିଜକୁ ସେହିମାନଙ୍କର ରକ୍ତସମ୍ପର୍କୀୟ ବୋଲି ଧରି ନେଉଥିବା ଥୋକେ ବ୍ୟକ୍ତି ଭଳି ଭଳି ମଣିଷଙ୍କ ମଧ୍ୟରେ ଆର୍ଯ୍ୟମାନଙ୍କୁ ହିଁ ଏକ ବିଶେଷ ମଣିଷ ବୋଲି କେଡ଼େ ଶ୍ରଦ୍ଧାବିଗଳିତ ଭାବରେ କହିବାକୁ ମନ କରିଛନ୍ତି । ଏମାନେ ଆର୍ଯ୍ୟମାନଙ୍କୁ ସେହି Chosen people ର ସ୍ତରକୁ ଟେକି ନେଇଛନ୍ତି ଏବଂ ନାହିଁ ନଥିବା ଉତଫୁଲ୍ଲତା ଅନୁଭବ କରିଛନ୍ତି । ଠିକ୍ ଅନୁରୂପ କାଟର ଥୋକେ ମୁସଲମାନ ଅଥବା ଥୋକେ ଖ୍ରୀଷ୍ଟିୟାନ ମଧ୍ୟ କାହିଁକି ଅଲବତ ନରିହବେ, ଯେଉଁମାନେ କି ଭଗବାନଙ୍କର archive ରୁ ରେକର୍ଡ଼ପତ୍ର ଦେଖି ଆସିଥିବା ପରି ଦାବି କରି କହୁଥିବେ ଯେ ଭଗବାନ ଆଗ ଆଳିଆମାଳିଆ ସାଧାରଣ ଛାଞ୍ଚଗୁଡ଼ାକୁ ପକାଇ ମଣିଷମାନଙ୍କୁ ତିଆରି କରିଛନ୍ତି ଓ ତା’ପରେ ବିଶେଷ ନଜରରେ ସେହି ମଣିଷଙ୍କ ମଧ୍ୟରୁ ବାଛି ବାଛି ଖାସ୍‍ମାନଙ୍କୁ ମୁସଲମାନ ଅଥବା ଖ୍ରୀଷ୍ଟିଆନ୍ ରୂପେ ନିଆରା ଏକ ଗେହ୍ଲା ଶ୍ରେଣୀ ରୂପେ ଚିହ୍ନଟ କରାଇ ରଖୁଛନ୍ତି ? ଏସବୁ ଦୈବ ଚାତୁର୍ଯ୍ୟକୁ ବୁଝିବାର ଅକଲ ସାଧାରଣ ମଣିଷଙ୍କର କଦାପି ହେବ ନାହିଁ । ପୁନଶ୍ଚ, ଯାହାକିଛି ଫଇସଲା ହୋଇଛି, ତାହା ସେହି ଅମରାବତୀ ମହକୁମାରେ ଦେବଦୂତମାନଙ୍କର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ହୋଇଛି,– ତେଣୁ ସନ୍ଦେହର ଅବକାଶ ନାହିଁ ।

 

ଭିତରେ କଲିଜାମାନେ କୌଣସି କାରଣରୁ ଗେହ୍ଲା ହେବାକୁ ହିଁ ସୁଖ ବୋଲି ମଣୁଥଲେ ହିଁ ସମ୍ଭବତଃ ପ୍ରବୀଣମାନଙ୍କର ମଥାଟା ପ୍ରାୟ ଗାରଗୁଡ଼ାକୁ ଡେଇଁପଡ଼ି ବଗୁଲିଆ ହେବାକୁ ଭାରି ଫକଫକ ହୁଏ । ସତ୍ୟାନ୍ୱେଷଣର ରାସ୍ତାକୁ ବନ୍ଦ କରି ଦିଆଯାଏ, ମନଫୁଲା ଅନ୍ଦାଜଗୁଡ଼ାକୁ ହିଁ ସତ୍ୟ ବୋଲି ଧରି ନିଆଯାଏ । ସେତେବେଳେ ମଣିଷମାନେ ଚଟ୍ କରି ଭାବିପକାନ୍ତି ଯେ, ସ୍ୱର୍ଗରେ ଦେବତାମାନେ ନିଶ୍ଚୟ ଆମରି ଭାଷାରେ କଥା ହେଉଥିବେ, ଆମ ମନ୍ତ୍ରସୂକ୍ତଗୁଡ଼ିକ ମଧ୍ୟ ଅଲବତ ସେହି ଅମରାପୁରରୁ ରଚିତ ହୋଇ ଦାୟାଦସୂତ୍ରରେ ଭୋଗ କରିବା ଲାଗି ଆମକୁ ପ୍ରାପ୍ତ ହୋଇଥିବ-। ତା'ପରେ ବିବେକମାନେ ପ୍ରାୟ ଗୋଟାସୁଦ୍ଧା ବିବେଚନାର ଯାବତୀୟ ଘରା ଭିତରୁ ବାହାରିଯାଆନ୍ତି । ଆମ ନିଜ ଜାତି ହିଁ ପୃଥିବୀରେ ଏକମାତ୍ର ମହାଜାତି ବୋଲି ନିନାଦ ଧ୍ୱନିତ ହୋଇଉଠେ । ଏବଂ, ଧର୍ମ, ସାହିତ୍ୟ, ନୀତିଗତ ଯାବତୀୟ ଚଳଣି ସବୁଗୁଡ଼ାକୁ ନାନାବିଧ ଭାବପ୍ରବଣ ଉତ୍ତୋଳନ ଯୋଗାଇ ଦେଇ ଜାତୀୟତାବାଦର ବହୁ ମିଥ୍‍ର ସର୍ଜନା ବି ହୋଇଯାଏ । ପୃଥିବୀରେ ଏଥିପାଇଁ କିଞ୍ଚିତ୍ ମଉକା ପାଇଥିବା କୌଣସି ସମୂହ ଏହି ଗେହ୍ଲାପଣରୁ ବାହାରେ ରହିପାରିବା ତେଣିକି ପ୍ରକୃତରେ ଅତ୍ୟନ୍ତ କଷ୍ଟକର ହୋଇଯାଏ । ଆହ୍ଵାନ-ଘରେ ମରୁଡ଼ି ପଡ଼େ । ଜୀବନଟାକୁ ସତେ ଅବା ଈଶ୍ୱରଦତ୍ତ ଭୋଗଥାଳି ପରି ଦେଖାଯାଏ ! ଅଳସୁଆମାନେ ପୂରା ହେଣ୍ଡି ମାରନ୍ତି । ମଣିଷମାନଙ୍କୁ ଶୁଆଇ ରଖିବା ନିମନ୍ତେ Establishment ହାତରେ ଏକ ତୁରନ୍ତ ଫଳପ୍ରଦ ଅହିଫେନ ମିଳିଯାଏ ।

 

ଆମ ଓଡ଼ିଶା ରାଜ୍ୟକୁ ପରମେଶ୍ୱର ଅର୍ଥାତ ପରମ ପୁରୁଷୋତ୍ତମ ଜଗନ୍ନାଥଙ୍କର ଯୁଗେ ଯୁଗେ ଏକ ବିଶେଷ କରୁଣା ରହିଆସିଛି ବୋଲି ଆମ ସଂସ୍କୃତିଶାଳାର ବୃକୋଦରମାନେ ଆମକୁ ଏବେ ମଧ୍ୟ ଗଚ୍ଛାଇ ରଞ୍ଜାଇ କେତେ କେତେ କଥା କହୁଛନ୍ତି । ଓଡ଼ିଆମାନେ ଜଗନ୍ନାଥଙ୍କର ଖାସ୍ ପ୍ରକାରେ ନିର୍ବାଚିତ ହୋଇ ପୃଥିବୀକୁ ଆସିଥିବା ଏକ ବିଶେଷ ସମୂହ ବୋଲି ଆମର ଏଠାରେ ଗବେଷକମାନେ ମଧ୍ୟ ଉର୍ଦ୍ଧ୍ୱବାହୁ ହୋଇ ଘୋଷଣା କରନ୍ତି । ସରକାରୀ ଅମାତ୍ୟମାନେ ନିଜ କ୍ଷମତାଗଡ଼ିଆ ଭିତରେ ନାକେ ପଙ୍କ ଭିତରେ ଥାଇ ମଧ୍ୟ ଜୟ ଜଗନ୍ନାଥ ବୋଲି ଉଚ୍ଚାରଣ କରି ଆମର ସକଳ ଜ୍ଞାନକୁ ଅପହରଣ କରି ନେବା ଲାଗି ଫନ୍ଦି କରିଥାଆନ୍ତି । ଓଡ଼ିଶାର ଅଧିବାସୀମାନଙ୍କୁ ତୁଚ୍ଛା ମିଛଟାରେ ଏଭଳି ଗେହ୍ଲା ଏବଂ ଖୁଣ୍ଟୁଣିଧର୍ମା କରି ରଖିବାରେ ସର୍ବପ୍ରଥମେ କିଏ କାହିଁକି ପାଞ୍ଚ କରିଥିଲା କେଜାଣି ? ଇତିହାସରୁ ସୂଚନା ମିଳୁଛି ଯେ, ରାଜା ଅନଙ୍ଗଭୀମ ଏକଦା ଆପଣାକୁ ଜଗନ୍ନାଥଙ୍କର ଆଦ୍ୟସେବକ ବୋଲି ଘୋଷଣା କରିଥିଲେ । ସେହି ଘୋଷଣାଟିରୁ ଉତ୍ସାହର ଖିଅ ନେଇ ଏବେ ଆମର ସାମୂହିକ ଜୀବନରେ ଓଡ଼ିଶାଟାକୁ ଉଭା ଓ ପୋତା ଉଭୟ କ୍ଷେତ୍ରରେ ନାକଦଣ୍ଡା ଯାଏ ଭୋଗ କରୁଥିବା ଭୀମସେନମାନେ ଏଠି ମନୁଷ୍ୟତ୍ମାମାନଙ୍କୁ ମାଦଳ କରି ରଖିବାକୁ ସେହି ଶୈଳୀଟିର ଆଶ୍ରୟ ଗ୍ରହଣ କରିଛନ୍ତି କି ? ତା’ ନହେଲେ, ଓଡ଼ିଶାର ସବୁ ଅଳିନ୍ଦରେ ନିପଟ ଦସ୍ୟୁମାନଙ୍କର ମହାନାଟକମାନ ଚାଲିଥିବା ସମୟରେ ଓଡ଼ିଶାବାସୀ ଏପରି ନିଧଡ଼କ ଭାବରେ ଖାଲି ଅନାଇ ରହିଥାନ୍ତେ କିପରି ?

 

ଉତ୍କଳର ନେତା ନିଜେ ନାରାୟଣ ବୋଲି ସ୍ୱୟଂ ପଣ୍ଡିତ ଗୋପବନ୍ଧୁ ଦାଶ ତାଙ୍କର ଏକ କବିତା ବହିରେ ଲେଖିଥିଲେ । ବେଳେବେଳେ ସଂଶୟୀ ମନଟା ପଚାରିବାକୁ ଇଚ୍ଛା କରେ, ସେଇ କଥାଟା କ’ଣ ଓଡ଼ିଶାର ଭାଗ୍ୟଧରମାନଙ୍କୁ ଓଡ଼ିଶାବାସୀଙ୍କୁ ଏପରି ଉଦାସୀନ କରି ରଖିବା ଲାଗି ଏକ ଧୂର୍ତ୍ତ ଦୁଃସାହସ ଯୋଗାଇ ଦେଇଗଲା କି ? ସୌଭାଗ୍ୟର କଥା ଯେ ଗୋପବନ୍ଧୁ ନାରାୟଣଙ୍କ ନାମ ନେଇ ସ୍ଵୟଂ ନାରାୟଣ ହେବା ଲାଗି ସେପରି କୌଣସି ମନ୍ଦଆଶା ପୋଷଣ କରି ନଥିଲେ । ସିଏ ନାରାୟଣଙ୍କର ସେବକ ହେବାର ଏକ ଅନ୍ୟ ଦୀକ୍ଷା ଗ୍ରହଣ କରିଥିଲେ ଏବଂ ତେଣୁ ଜଗନ୍ନାଥେ ତାଙ୍କୁ ଆମ ସମସ୍ତଙ୍କ ନିମନ୍ତେ ଉତ୍କଳମଣି ହୋଇ ପାରିବାର ଏକ ଭୂମିକାରେ ଅବତୀର୍ଣ୍ଣ କରାଇଥିଲେ । ଗୋପବନ୍ଧୁ ଓଡ଼ିଶାର ମାନ ରଖିଲେ । ଜଗନ୍ନାଥଙ୍କର ମାନ ବି ଅବଶ୍ୟ ରଖିଲେ । ମାତ୍ର ଏବେ ଯେଉଁ ମାନୀମାନେ ନିଜକୁ ପରମକାରୁଣିକ ଜଗନ୍ନାଥଙ୍କର ବିଶେଷ ଉତ୍ତରାଧିକାର-ପ୍ରାପ୍ତ ହିତାଧିକାରୀ ବୋଲି ଧରି ନେଇ ଆମକୁ ଯାଉଣୁ ଆସୁଣୁ ଚିହିଙ୍କାଇ ଦେବାରେ ଲାଗିଛନ୍ତି, ସେମାନେ କେଉଁ ଛଳରେ କେଉଁ କାମନାରେ ଏସବୁ କରୁଛନ୍ତି କେଜାଣି ? ସେହିମାନେ ହିଁ ଆମକୁ ଭାଙ୍ଗ ଖୁଆଇ ରଖିବା ନିମନ୍ତେ ସ୍ୱାଭିମାନ ନାମକ ପତାକାଟିଏ ଧରି ବୁଲୁଛନ୍ତି ଏବଂ ତାହାରି ଅନ୍ତରାଳରେ ଏଠି ଶହେରେ ନବେ ମଣିଷଙ୍କୁ ଜଳକା କରି ରଖି ଆପେ ସବୁ ମାରି ନେଉଛନ୍ତି । ସେଦିନ ତ ଜଣେ ବକ୍ତା ସୁମାରି କଲାପରି ଓଡ଼ିଶାର ପ୍ରାୟ ଚାରିକୋଟି ମଣିଷଙ୍କ ଭିତରେ ସେମାନଙ୍କର ସଂଖ୍ୟାଟି ମାତ୍ର ଦଶ ଲକ୍ଷ ବୋଲି କହୁଥିଲେ । ଓଡ଼ିଶା ନାମକ ଆମ ଚାରି କୋଟିଙ୍କର ଏହି ଜୀବନହାଟଟା ଭିତରେ ସେହି ଦଶ ଲକ୍ଷ କ’ଣ ନିଜକୁ କେତେକ ମତଲବରେ ନିଜକୁ Chosen ବୋଲି ଭାବୁଛନ୍ତି କି ?

 

ବର୍ତ୍ତମାନ ଆମେ ପୁନର୍ବାର ବାଇବେଲର ସେହି Chosen people କଥାଟି ପାଖକୁ ଫେରିଯିବା । ଧର୍ମଗ୍ରନ୍ଥର ସେହି ଉକ୍ତିର ଡାଳଟାକୁ ନିଜ ଆଡ଼କୁ ଟାଣିନେଇ କେତେକ ଇହୁଦୀ ସମଗ୍ର ଇହୁଦୀ ଜାତିକୁ ଈଶ୍ଵରଙ୍କର ଖାସ୍ ନିର୍ବାଚିତ ସମୂହଟିଏ ବୋଲି ଅନୁଭବ କରିଛନ୍ତି । ନୂଆ ଦେଶ ଇସ୍ରାଏଲ୍‌ରେ ଏବେ ମଧ୍ୟ ସ୍ଥଳବିଶେଷରେ ଥୋକାଏ ସେହିଭଳି ବିଚାର ବି କରୁଛନ୍ତି । ଏବଂ, କେତେକ ବିଦ୍ୟାଳୟରେ ଧର୍ମଶିକ୍ଷାର ଆଳରେ ପିଲାମାନଙ୍କର ପିତ୍ତ ଭିତରେ ମଧ୍ୟ ସେହି ବିଶେଷ ଧାରଣାଟିକୁ ନେଇ ପୂରାଇ ଦେବାର ଚେଷ୍ଟା କରାଯାଉଛି । ଏହାଦ୍ୱାରା ଭଲ ମନ୍ଦ କେଉଁ ଫଳ କେତେ ପରିମାଣରେ ଫଳୁଛି ବା ନ ଫଳୁଛି, ସେହି ଇସ୍ରାଏଲ୍‌ରେ ମଧ୍ୟ ସେହିକ୍ଷେତ୍ରରେ କିସମ କିସମର ମତଭେଦ ରହିଛି । କିଏ କହୁଛନ୍ତି, ଏହାଦ୍ୱାରା ଇସ୍ରାଏଲ୍‌ରେ ଇହୁଦୀମାନେ ଅଧୁକ ଆତ୍ମସଚେତନ ଅର୍ଥାତ୍ ଅଧୁକ ଦୁର୍ଦ୍ଧର୍ଷ ହୋଇ ପାରିଛନ୍ତି ଏବଂ ପ୍ରଧାନତଃ ତାହାରି ଫଳରେ ଏକ ପ୍ରତିକୂଳ ପଡ଼ୋଶୀଗତ ଭିତରେ ବଳଯୁକ୍ତ ହୋଇ ତିଷ୍ଠି ପାରିବା ଲାଗି ସମର୍ଥ ହେଉଛନ୍ତି । ଜୀବନର ମୂଳଭୂତ ଅନୁରକ୍ତିଗୁଡ଼ିକର କ୍ଷେତ୍ରରେ ଏହାଦ୍ଵାରା ଇସ୍ରାଏଲକୁ ବହୁତ କିଛି ହରାଇବାକୁ ପଡ଼ୁଛି ବୋଲି ମଧ୍ୟ ଆଉମାନେ ମତ ଦେଉଛନ୍ତି ।

 

ଇସ୍ରାଏଲ୍ ନାମକ ନୂଆ ଦେଶଟିର ପ୍ରତିଷ୍ଠାକ୍ରମରେ ଜଣେ ପୁରୋଗାମୀ ସଂଗ୍ରାମୀ ଭାବରେ କାର୍ଯ୍ୟ କରିଥିବା ବିଶ୍ରୁତ ଦାର୍ଶନିକ ଶ୍ରୀଯୁକ୍ତ ମାର୍ଟିନ୍ ବୁବର ମୂଳ ହିବ୍ରୁ ଭାଷାରେ ଲିଖିତ ବାଇବେଲ୍ ପୁସ୍ତକଟିର ଆଦ୍ୟ ଗ୍ରନ୍ଥାଂଶଟିର ଯେଉଁ ବହୁ ଅନ୍ତଃଦୃଷ୍ଟିପୂର୍ଣ୍ଣ ଭାଷ୍ୟଟି ଲେଖି ଯାଇଛନ୍ତି, ସେଥିରେ ସିଏ Chosen people ର ଅଭିଧାଟିକୁ ଏକ ନୂତନ ବ୍ୟଞ୍ଜନା ଦେବା ଲାଗି ଚେଷ୍ଟା କରିଛନ୍ତି । ଯେଉଁ ଜାତି ବା ଗୋଷ୍ଠୀ ନିଜକୁ ବିଶେଷ ଭାବରେ ଭଗବାନଙ୍କର ବୋଲି ଦାବୀ ବା ଅନୁଭବ କରିବ, ସିଏ ଗେହ୍ମା ହେବନାହିଁ, ନିଜକୁ ଅଧିକ ଭୋଗ ବା ଶୈଥିଲ୍ୟର ହକ୍‌ଦାର ବୋଲି ଆଦୌ ଅନୁଭବ କରିବ ନାହିଁ; ସିଏ ନିଜକୁ ପୃଥିବୀରେ ଭଗବାନଙ୍କର ଅଭିପ୍ରାୟ ପୂରଣ ପାଇଁ ବିଶେଷ ଭାବରେ ଦାୟୀ କରିବ । ସିଏ ନିମିତ୍ତ ହେବ, ପରିକର ହେବ, ବିଶେଷ ଭାବରେ ତାଙ୍କରି ନିମନ୍ତେ ଉତ୍ସର୍ଗୀକୃତ ହୋଇ ରହିବ । ଯଦି ଆମେ ଏହି ଅର୍ଥଟିର ଉଦ୍‌ବୋଧନଟିକୁ ଗ୍ରହଣ କରିବା, ତେବେ ଏହି ପୃଥିବୀରେ ଅଧ୍ୟକ ପରିମାଣରେ ହିଁ ଅଙ୍ଗୀକାରବଦ୍ଧ ହୋଇ ରହିବା,– ଆଗ ଅନ୍ୟମାନଙ୍କୁ ବାଟ ଛାଡ଼ିଦେବା ଏବଂ, ଅଧିକରୁ ଅଧିକ କାମରେ ଲାଗିପାରିଲେ ଆପଣାକୁ କୃତାର୍ଥ ମଣିବା । ଭଗବାନଙ୍କର ବିଶେଷ ଆଶୀର୍ବାଦ ଲାଭ କରିଥିବାର ଅନୁଭବ କରିବାକୁ ଆରମ୍ଭ କଲେ ଆମେ ଆଦୌ ଉଗ୍ର ହେବାନାହିଁ, ଏବଂ ତା’ପରେ ଆମର ଜାତିତ୍ୱବୋଧ ଏହି ପୃଥିବୀ ଲାଗି ମୋଟେ କୌଣସି ବୋଝ ହୋଇ ବି ରହିବ ନାହିଁ । ଭଗବାନଙ୍କର ନାମକୁ ବ୍ୟବହାର କରି ପୃଥିବୀରେ ଏତେ ଏତେ ଜାତି କାହିଁକି କାଳେ କାଳେ ଏପରି ଉଗ୍ର ଏବଂ ଦୁଷ୍ଟ ହୋଇଛନ୍ତି କେଜାଣି-? ପୃଥିବୀର ଧର୍ମମାନେ କେଉଁ ମନ୍ଦଗ୍ରହଣର ପ୍ରକୋପରେ ପଡ଼ି ମନୁଷ୍ୟମାନଙ୍କୁ ଏପରି ଶୋଚନୀୟ ଭାବରେ ହୁଡ଼ାଇ ନେଇଛନ୍ତି କେଜାଣି ? ତେଣୁ, ଓଡ଼ିଆ, ଇହୁଦୀ, ମୁସଲମାନ ଅଥବା ହିନ୍ଦୁ ହେବାରେ ଆଦୌ କୌଣସି ଦୋଷ ନାହିଁ, ଯଦି ଆମେ ଆମର ସାମୂହିକତାକୁ ନିତାନ୍ତ ବିବେକଶୂନ୍ୟ ଭାବରେ ଅଫିମ ପରି ଗିଳି ନଥିବା ଏବଂ ଆପଣାର ଏହି ତାତ୍କାଳିକ ପରିଧିଗୁଡ଼ିକ ଅପେକ୍ଷା ବୃହତ୍ତର ଏକ ଆହ୍ୱାନ ପାଖରେ ଅଙ୍ଗୀକାରବଦ୍ଧ ହୋଇ ରହିପାରିବା । ମାତ୍ର, ଉପସ୍ଥିତ ପୃଥିବୀର ଅଧିକାଂଶ ଧର୍ମ, ଅଧିକାଂଶ ବାଦ ତଥା ଅଧିକାଂଶ ଗୋଷ୍ଠୀ ଆଦର୍ଶ ସେଯାଏ ଯିବାକୁ ମନ କରିନାହାନ୍ତି ଏବଂ ମଣିଷମାନଙ୍କୁ ଗେହ୍ଲା ହୋଇ ରହିବାରେ ଖୁବ୍ ଖୋରାକ ଯୋଗାଇ ଦେଇଛନ୍ତି ।

 

୨୨/୫/୨୦୦୦

Image

 

Unknown

ବଡ଼ ବିଚିତ୍ର ଏ ବୈଚିତ୍ର୍ୟ

 

ପ୍ରକୃତରେ ବଡ଼ ଭୟଙ୍କର ଭାବରେ ବିଚିତ୍ର ଆମ ବୈଚିତ୍ଵପୂର୍ଣ୍ଣ ଏହି ଭାରତବର୍ଷ । ଭାରତୀୟ ମନିଷୀମାନେ କେତେ ପୁଲକିତ ଭାବରେ ଦେଶର ଏହି ବହୁ ବୈଚିତ୍ୟ ବିଷୟରେ ବହୁତ କଥା କହିଯାଇଛନ୍ତି । ଏତେ ଏତେ ପ୍ରକାରର ଜଳବାୟୁ ଓ ସେମାନଙ୍କର ଏତେ ଏତେ ପ୍ରକାରର ଦୀର୍ଘ ଇତିହାସ । ଭଳି ଭଳି ପୋଷାକ, ଭଳି ଭଳି ଆଚାର, ଆଚରଣ ଏବଂ ଭଳି ଭଳି ସମାଜ । ଭଳି ଭଳି ଭାଷା, ଭଳି ଭଳି ଧର୍ମ ଏବଂ ଭଳି ଭଳି ସାହିତ୍ୟ, ତଥାପି ଗୋଟିଏ ଭୂମି, ଗୋଟିଏ ଆତ୍ମା ଏବଂ ଗୋଟିଏ ବାର୍ତ୍ତା । ପିଲାଦିନେ ଏହି ବିଷୟରେ ବହିରୁ, ବହି ପଢ଼ିଥିବା ଲୋକମାନଙ୍କର ମୁହଁରୁ ଏହି କଥାଟିକୁ ମୁଁ କେତେ କେତେ ବାଗରେ ଶୁଣିବାକୁ ପାଇଥିଲି । ଏମିତି ଭୂମିଟିଏ ସାରା ପୃଥିବୀରେ ନାହିଁ ବୋଲି ପରମ ହର୍ଷର ସହିତ ମହାନ୍ ବ୍ୟକ୍ତିମାନେ ଉଜ୍ଜଳ ଶବ୍ଦଚାତୁରୀରେ କୁଢ଼ କୁଢ଼ କଥା ଲେଖି ଯାଇଛନ୍ତି ଏବଂ ଏଭଳି ଲେଖି ଓ କହି ଖାଲି ଯେ ବିଶ୍ୱବାସୀଙ୍କୁ ଅଶେଷ ପ୍ରକାରେ ଚମତ୍କୃତ କରି ଯାଇଛନ୍ତି, ତା’ ନୁହେଁ, ସେମାନେ ଭାରତବାସୀଙ୍କୁ ମଧ୍ୟ କେତେ ଚାତୁର୍ଯ୍ୟ ସହକାରେ ମଜାଇ ଓ ରଞ୍ଜାଇ ରଖିବାର ପ୍ରୟାସ କରିଛନ୍ତି । ବସି ଖାଇଲେ ହୁଏତ ନଈବାଲି ସିନା ସରିଯିବ, ମାତ୍ର ଭାରତର ମହିମାକୁ ଯେତେ ଗାଇଲେ ମଧ୍ୟ ତଥାପି ଗାଇବା କଦାପି ସରିବ ନାହିଁ । ଯଦି ପିଲାଟି ଦିନରୁ ଏହି କିସମର ଟୋକେଇ ଟୋକେଇ କଥାକୁ ଆଣି ଆଗରେ ଗଦା କରି ଦିଆଯାଏ, ତେବେ ଭଗବାନ ଆମକୁ ପ୍ରକୃତରେ କେତେ କ’ଣ ଦେଇଛନ୍ତି ବୋଲି ଜାଣି ହୁଏତ ଗୋଡ଼ହାତ ଲମ୍ବାଇ ଖାଲି ଶୋଇ ପଡ଼ିବାକୁ ମନ ହେବ ।

 

ଭଗବାନଙ୍କର ଏହି ବିଚିତ୍ର ଭାରତବର୍ଷ ପ୍ରତି ସତକୁ ସତ ବହୁତ ଶରଧା । ସମଗ୍ର ପୃଥିବୀରେ ଯାହା ନାହିଁ, ଭାରତବର୍ଷରେ ତାହା ମହଜୁଦ୍ ରହିଛି । ଭାରତବର୍ଷ ହେଉଛି ସକଲ୍ ଦେଶେର୍ ରାନୀ । ଏଠି ଝରଣାମାନେ ଖୁସି ହୋଇ ବୋହି ଯାଆନ୍ତି । ସକାଳ ଓ ସଞ୍ଜରେ ଚଢ଼େଇମାନେ କାକଳି କରନ୍ତି,– ନୂଆ ଆକାଶରେ ତୋଫା ଜହ୍ନଟାଏ ପଇଁତରା ମାରୁଥାଏ । ଧାନକ୍ଷେତରେ ପବନଟା ଢେଉଢ଼େଉକା ଖେଳାଇବାରେ ଲାଗିଥାଏ । ବନ ଉପବନରେ ଜାତି ଜାତିର ଫୁଲ ଫୁଟେ । ହଁ, ରାତି ହେଲେ ଦେବତାମାନେ ମଧ୍ୟ ଭାରତବର୍ଷକୁ ଓହ୍ଲାଇ ଆସନ୍ତି । ସ୍ଵର୍ଗଟା ସେମାନଙ୍କୁ ଭଲ ଲାଗେନାହିଁ ବୋଲି ସିନା ସେମାନେ ଓର ଉଣ୍ଡି ଏଣେ ମାଡ଼ି ଆସନ୍ତି । ଏତେ ପୁରାଣ ପୃଥିବୀର ମୋଟେ କୋଉ ଦେଶରେ ଲେଖା ହୋଇନାହିଁ । ଭାରତବର୍ଷର ବେଦ, ଉପନିଷଦ– ଏଗୁଡ଼ାକ ଭଳି ଗ୍ରନ୍ଥମାନ ପୃଥିବୀର କୌଣସି ହାଟକୁ ଗଲେ ମଧ୍ୟ ମିଳିବ ନାହିଁ । ଭାରତବର୍ଷର ମୁନିଋଷି, ଭାରତବର୍ଷର ମହାତ୍ମା ଓ ଭାରତବର୍ଷର ତପସ୍ୱୀମାନେ କାଳେ କାଳେ ଯେଉଁସବୁ ମହାନ୍ ବାଣୀମାନ ପ୍ରଚାର କରି ଆସିଛନ୍ତି, ତାହା ହୁଏତ ଏଠି ଭାରତବର୍ଷ ନାମକ ଘରଟିରେ କାହାରି କାନ ଭିତରେ ଭେଦି ନଥିଲେ ମଧ୍ୟ ସମଗ୍ର ପୃଥିବୀକୁ କେବଳ ଧନ୍ୟ ହିଁ କରିଛି-। ଭାରତବର୍ଷରେ ଜନ୍ମଗ୍ରହଣ କରି ଆମେ ପ୍ରକୃତରେ ଅତ୍ୟନ୍ତ ଧନ୍ୟ । ଅତୀତରେ ଅନ୍ୟ ଜନ୍ମମାନଙ୍କରେ ମହାପୁଣ୍ୟ ସବୁ କରିନଥିଲେ ଆମେ କାହିଁକି ଏହି ମହାନ୍ ଭୂମିଟିରେ ଆଦୌ ଜନ୍ମଗ୍ରହଣ ବି କରିଥାଆନ୍ତୁ ? ଯେଉଁଠାରେ ଆମେ ଖୁସି ହେବୁ ବୋଲି ଓ ଆମେ ଗର୍ବ ଅନୁଭବ କରିବୁ ବୋଲି ଆମ ପାଇଁ ଏତେ ଏତେ ସମ୍ପଦ ଏବଂ ସମ୍ପନ୍ନତା ମହଜୁଦ୍ ହୋଇ ରହିଛି, ସେଠାରେ ଆମର ଆଉ ପ୍ରକୃତରେ କାହିଁକି ବା କ’ଣ କରିବାକୁ ବାକୀ ରହିଛି ? ତେଣୁ, ଆମେ ଖାଲି ଦେଉଳକୁ ଯିବା, ଠାକୁରଙ୍କୁ ମାଗିବା, ଏବଂ ଆମର ମନ ଜାଣି ସେମାନେ ଆମ ଅଣ୍ଟିଗୁଡ଼ାକୁ ଅବଶ୍ୟ ଭରିଦେଇ ପାରିବେ । ଭାରତବର୍ଷରେ ଗରିଷ୍ଠ ଗୁରୁଜନମାନେ ସର୍ବଦା ସେ କଥା କହି ଆସିଛନ୍ତି । ଏବଂ, ବୋଲିବା ବାହୁଲ୍ୟ, ଆମର ଏହି ତଥାକଥିତ ଜାତୀୟତାବାଦୀ ଯୁଗରେ ଅଧିକ ଦୃପ୍ତ ଭାବରେ କହୁଛନ୍ତି ।

 

ବୈଚିତ୍ର୍ୟମୟତାର ସେହି ବିଧାନ ଭିତରେ ଭାରତବର୍ଷରେ ଥୋକାଏ ମଣିଷ ନିଜକୁ ସତେ ଅବା ମହାଭାଗ୍ୟବାନ ବୋଲି ମନେକରନ୍ତି ଓ ମହାଭାଗ୍ୟବାନ ପାଷଣ୍ଡଙ୍କ ପରି ଜୀବନ ଭୁଞ୍ଜୁଥାନ୍ତି । ସବୁ ସମ୍ପତ୍ତି ଓ ସୁଯୋଗ ଭିତରେ ଲଟରପଟର ହେଉଥାନ୍ତି । ଯାବତୀୟ ଧୂର୍ତ୍ତତାରେ ଭାରି କୋତରା ଦିଶୁଥାନ୍ତି । ଦେଶଟାଯାକର ବଡ଼ ପାଠ ସେହିମାନେ ପଢ଼ନ୍ତି, ସବୁ ଚାକିରି ସେହିମାନଙ୍କର ଭାଗ୍ୟରେ ହିଁ ଲେଖା ହୋଇ ରହିଥାଏ । ସାହିତ୍ୟର ଧାଉଡ଼ିରେ ସେଇମାନେ ସବା ଆଗରେ ବସି ଶୋଭା ପାଉଥାନ୍ତି,– ଆମ ସାହିତ୍ୟ ଏତେ ଏତେ ବିଖ୍ୟାତିର ଭାଜନ ହେଲାଣି ବୋଲି ଟାକରା ଫୁଟାଉଥାନ୍ତି । ଠାକୁରମାନଙ୍କୁ ଆମର ବୋଲି କହନ୍ତି– ଆମର ରଜାମାନେ ଅତୀତରେ ଅମୁକ ନଈଠାରୁ ଅମୁକ ନଈଯାଏ ରାଜ୍ୟଗୁଡ଼ାକୁ ହଡ଼ପ କରି ଆମକୁ ବଡ଼ ବୋଲି ପ୍ରମାଣିତ କରିଥିଲେ ବୋଲି କେଡ଼େ ଛଦ୍ରମର ସହିତ କହିବାରେ ଲାଗିଥାନ୍ତି । ସେହିମାନଙ୍କୁ ଘେରି କରି କୋଟି କୋଟି ମଣିଷ ଥାଆନ୍ତି, ଯେଉଁମାନେ ସେହି ଅଳପଙ୍କର ଅୟସ ନିମନ୍ତେ ଶ୍ରମ ଖଟନ୍ତି, ଫସଲ ଫଳାନ୍ତି, ଗଧଙ୍କ ପରି ପୁରୁଷ ପୁରୁଷ ଧରି ଖଟୁଥାନ୍ତି ଏବଂ ଘୁଷୁରିଙ୍କ ପରି ଭାଗ୍ୟ ଆଦରି ରହିଥାନ୍ତି । ପଣ୍ଡିତମାନେ କେଡ଼େ ଚାଲାଖିରେ ବଡ଼ ଲୋକମାନଙ୍କୁ ହିଁ ମଣିଷ ଭିତରେ ଗୋଟିଏ ଆତ୍ମା ଅଛି ବୋଲି ପ୍ରବଚନ ଦେବାରେ ଲାଗିଥାନ୍ତି, ମାତ୍ର, ତଳକୁ ଓହ୍ଲାଇ ସାଧାରଣଙ୍କ ପାଖକୁ ଗଲେ: କାଳେ ଛୁଆଁତା ହୋଇଯିବେ ବୋଲି ତେଣେ ମନ କରନ୍ତି ନାହିଁ । ଯିଏ ଅନ୍ଧ,,ତାହାରି ସିନା ଆଗ ଆଖିଟାଏ ଦରକାର; ଯିଏ ଅସହାୟ, ତାହାରି ସିନା ଆଗ ଆତ୍ମଜାଗରଣଟାଏ ଦରକାର, ଯାହାଦ୍ଵାରା କି ସିଏ ନିଦ ଭାଙ୍ଗି ଉଠନ୍ତା, ନିଜର ସତ ପରିଚୟଟି ବିଷୟରେ ନିଜ ଭିତରୁ ହିଁ ଇଙ୍ଗିତଗୁଡ଼ାକୁ ପାଆନ୍ତା । କାର୍ଲମାର୍କ୍ସଙ୍କର ଭାଷାରେ କହିଲେ, ନିଜର commodity status ଛାଡ଼ି ମନୁଷ୍ୟ ରୂପେ ସ୍ୱୀକୃତ ହେବା ନିମନ୍ତେ ଅଧୀର ହୁଅନ୍ତା, ଦାବୀ କରି ଦାଣ୍ଡକୁ ବାହାରନ୍ତା ।

 

ଜ୍ଞାନର ପରମ୍ପରାରେ ଭାରତବର୍ଷ ସେହି ପ୍ରାଚୀନ କାଳରୁ ହିଁ କେତେ ବୈଚିତ୍ର୍ୟରେ ବର୍ଣ୍ଣାଢ଼୍ୟ ପରିଚୟ ଦେଇ ଆସିଛି । ଭାରତୀୟ କବିମାନେ କହିଛନ୍ତି, ଯେତେବେଳେ ଇଉରୋପର ମଣିଷମାନେ ବନ୍ୟାବସ୍ଥାରେ ବୁଲୁଥିଲେ, ସେତେବେଳେ ଭାରତବର୍ଷର ଅରଣ୍ୟମାନଙ୍କରେ ମୁନିମାନେ ସାମମନ୍ତ୍ର ଗାନ କରୁଥିଲେ । ବିଦେଶରୁ କେତେ କେତେ ପଣ୍ଡିତ ଆସି ଭାରତବର୍ଷର ବହୁଛବିଳ ଏବଂ ବହୁ ବିଚିତ୍ର ଜ୍ଞାନାରଣ୍ୟଗୁଡ଼ିକୁ ଦେଖି ବିସ୍ମିତ ହୋଇଯାଇଛନ୍ତି । ସେମାନେ ଏବେ ମଧ୍ୟ କମ୍ ବିସ୍ମିତ ହେଉନଥିବେ । ସେହି ସବୁଯାକ ଜ୍ଞାନସମ୍ପତ୍ତି ବର୍ତ୍ତମାନ ଆମ ଦେଶର ଲାଇବ୍ରେରୀମାନଙ୍କରେ ସାଇତା ହୋଇ ରହିଛି । ତଥାପି କି ବିଚିତ୍ର ଏବଂ ଉଡ଼ୁମ୍ବରମୟ ଏହି ଭାରତବର୍ଷ ! ଏଠାରେ ଏବେ ମଧ୍ୟ ଅଧେ ମଣିଷ ନିରକ୍ଷର ହୋଇ ରହିଛନ୍ତି । ଏହି ଭୂମିର ଅଧେ ପିଲା ଆଦୌ କୌଣସି ସ୍କୁଲକୁ ଯାଉନାହାନ୍ତି । ସହରମାନଙ୍କରେ ଯେଉଁଠାରେ ବଡ଼ ଘରର ପିଲାମାନେ ଅଧିକ ପଇସା ଦେଇ ପାରୁଛନ୍ତି, ସେଠାରେ ରାଜମହଲ ପରି ଶିକ୍ଷାରେ ପହଞ୍ଚି ହେଉଛି । ପିଲାଏ ଅଲଗା ଭେକ ପିନ୍ଧି ଏହି ଦେଶର ଆଉ ପିଲାଙ୍କ ଠାରୁ ସତେ ଅବା ତାଳୁଏ ଅଧିକ ଉଚ୍ଚରେ ଅଛନ୍ତି ବୋଲି ପ୍ରମାଣ କରି ଦେଉଛନ୍ତି । ସେହିମାନେ ଦେଶର ଅସଲ ଭବିଷ୍ୟତ ବୋଲି ସଭାମାନଙ୍କୁ ରାବ ଶୁଭୁଛି । ସେମାନେ ଇଂରାଜୀରେ ପାଠ ପଢ଼ୁଛନ୍ତି । ଇଂରାଜୀରେ ସ୍ଵପ୍ନ ଦେଖୁଛନ୍ତି ଏବଂ ଇଂରାଜୀରେ ଶୌଚ ବି କରୁଛନ୍ତି । ଇଂରାଜୀ ଭାଷାର ଟୋକେଇଟାକୁ ନ ମୁଣ୍ଡାଇଲେ ଭାରତୀୟମାନେ ମୋଟେ କିଛିର ଯୋଗ୍ୟ ହୋଇ ପାରିବେ ନାହିଁ ବୋଲି ଧୋବମାନେ ରଡ଼ି ଛାଡ଼ୁଛନ୍ତି । ଆଉ ପିଲାମାନଙ୍କ ସକାଶେ ସାଧାରଣ ଅଧିକ ସଂଖ୍ୟକଙ୍କ ସକାଶେ ଯେଉଁସବୁ ବିଦ୍ୟାଳୟ ରହିଛି, ସେଠାରେ ସତେଅବା ମଇଳା ମସିଆ ବୋଝେ ଚିଆଁ ଗୋଟାଏ ଝୋଲ ଭିତରେ ଖୁନ୍ଦା ହୋଇ ପଶିଥିବାରୁ ଖାଲି ଚିଁ ଚାଁ ହେବାରେ ଲାଗିଛନ୍ତି । ଆଗାମୀ ସମାଜର ବୈଚିତ୍ର୍ୟଟିକୁ ଠିକ୍ ବର୍ତ୍ତମାନ ପରି ଅକ୍ଷୁର୍ଣ୍ଣ କରି ରଖିବାକୁ ଦେଶର ସରକାର ସତେଅବା ବହୁତ ମଥା ଏବଂ ବହୁତ ଚତୁରତାକୁ ପ୍ରୟୋଗ କରି ଏହିଭଳି ବରାଦ କରିଛନ୍ତି ।

 

ଗୋଟାଏ ଦେଶ, ଅଥଚ ନଜର ବହୁତ ପ୍ରକାରର । ଗୋଟିଏ ଭୂମି, ତଥାପି ଯେଉଁମାନେ ଏହାର ପରିପାଳନ କରିବାକୁ ସରକାରୀ ତହବିଲରୁ ପଘାର ପାଇ ପୋଷା ହେଉଛନ୍ତି, ସେମାନଙ୍କର ସଉକ ବହୁତ ପ୍ରକାର । ସେମାନଙ୍କୁ ଏହି ଦେଶ ଦରମା ଦେଇ ରଖିଛି, ମାତ୍ର ସେମାନେ ପ୍ରାୟ କୌଣସି ନିକିତି ଦ୍ୱାରା ଓଜନ କରି ଦେଖିଲେ ଏହି ଦେଶରେ ଆମ ସହିତ ନାହାନ୍ତି । ପୁରାକାଳର ମୁନିଋଷିମାନଙ୍କର ଆଦର୍ଶର ଅନୁସରଣ କରୁଥିବା ପରି ସେମାନେ ପରମ ଉପେକ୍ଷାକୁ ହିଁ ସ୍ଵଧର୍ମ ରୂପେ ଗ୍ରହଣ କରିଛନ୍ତି । ଏହି ଦେଶଟା ଉପରେ କେତେ କେତେ ବାତ୍ୟା ବୋହିଯାଉଛି, ତଥାପି ଏମାନେ ପିନ୍ଧିଥିବା ଅଣ୍ଟାସୂତାଗୁଡ଼ାକ ଠିକ୍ ସବୁଦିନ ପରି ଜବର ହୋଇ ରହିଛି । ଜବର ପ୍ରଶାସନ ଚାଲିଛି । କାହାର ହିତାର୍ଥେ ତାହା ଚାଲିଛି, ସେକଥା ଚାପଧାରୀମାନେ ମୋଟେ ଜାଣିନାହାନ୍ତି । କାହାର ପ୍ରୀତ୍ୟର୍ଥେ ଚାଲିବ, କେବଳ ସେହି ଗୋଟିଏ ବିଷୟରେ ବାବୁମାନେ ତାଲିମ୍ ପ୍ରାପ୍ତ ହୋଇ ଆସିଛନ୍ତି । ରାଜ୍ୟଟା କେଉଁ ବିଧାନରେ ଚାଲିବ, ସେହି ବିଷୟରେ ଜବର ବହିମାନ ଲେଖା ହୋଇଛି; କିନ୍ତୁ ଯେଉଁ କଳଟା ଦ୍ୱାରା ଚାଲିବ, ତାହାକୁ ଶଇତାନ କାବୁ କରି ନେଇଛି । ଦେଶଟା ବାଉନ ବା ତେପନ ବର୍ଷର କେତେ ଉଚ୍ଚ ନଡ଼ିଆଗଛ ନେଖେ ଚକମକ ଦେଖାଯାଉଛି, ମାତ୍ର ନଡିଆଗୁଡ଼ାକ ପୂରା ଭୂତଖିଆ ହୋଇଗଲେଣି । ଆମ ଦେଶର ଦେବତାମାନେ ଆମ ଉତ୍ତମମାନଙ୍କୁ ଏତେଦୂର ପାଜି ହେବାପାଇଁ କାହିଁକି ଏହି ପ୍ରଶ୍ରୟ ଦେଲେ କେଜାଣି ?

 

ସବୁଠାରୁ ଅଧିକ ବୈଚିତ୍ର୍ୟର ଚମତ୍କାରିତା ଆମ ରାଜନୀତିରେ ହିଁ ଦେଖିବାକୁ ମିଳିବ । ସତେଅବା କେଉଁ ଏକ ରାତ୍ରିର ଉଜ୍ଜ୍ୱଳତା ମଧ୍ୟରେ ତାହା ବାଲୁବାଲୁ ଅଳନ୍ଧୁ ପରି ଖାଲି ଚକଚକ ହେବାରେ ଲାଗିଛି । ତା' ଭିତରକୁ ପଶିବାକୁ ଚେଷ୍ଟାକଲେ ପାଟିରେ ଆସି ଏମିତି ପଶିଯାଉଛି ଯେ ସାଙ୍ଗେ ସାଙ୍ଗେ ଥୁ ଥୁ କରି ଫୋପାଡ଼ି ଦେବା ବ୍ୟତୀତ ଆଉ ଗତ୍ୟନ୍ତର ନାହିଁ । ରାଜନୀତିରେ ଦଳ ଥାଏ । ଆମ ଏଠାରେ ମଧ୍ୟ ଦଳମାନେ ଅଛନ୍ତି, ମାତ୍ର ଦଳର ସ୍କନ୍ଧମାନେ ତଥା କବନ୍ଧମାନେ ଏ ଦଳରେ ନଥାଇ କାହିଁକି ସେ ଦଳରେ ରହିଛନ୍ତି, ସେକଥା ସେମାନେ ସ୍ଵୟଂ ଜାଣିନାହାନ୍ତି । ରାଜନୀତିରେ ରହିବାର ନିର୍ଦ୍ଦିଷ୍ଟ ମତଲବଟିକୁ ସେମାନେ ଅତ୍ୟନ୍ତ ଉତ୍ତମ ପ୍ରକାରେ ଜାଣିଛନ୍ତି । ତେଣୁ ପ୍ରତିନିଧିସଭାମାନଙ୍କୁ ଗଲାବେଳେ ସେମାନେ କେବଳ ଧସ୍ତାଧସ୍ତି ଓ ମୁହାଁମୁହିଁଗୁଡ଼ିକ ସମୟରେ ନିଜ ନିଜ ଦଳର ଖୁବ୍ କାମରେ ଆସି ପାରୁଛନ୍ତି । ଦଳର ନେତୃତ୍ୱଟା ମଧ୍ୟ ସେମାନଙ୍କ ଠାରୁ ଆଉ ଅଧିକ କିଛି ଆଶା କରୁନାହିଁ ।

 

ଭାରତରେ ବହୁ ବୈଚିତ୍ର୍ୟ ସତ୍ତ୍ୱେ କାଳେ କାଳେ ଏକ ଏକତ୍ୱ ତଥାପି ରହିଆସିଛି ବୋଲି ଆମର ପଣ୍ଡିତମାନେ ଆମକୁ ସବୁବେଳେ କହି ଆସିଛନ୍ତି; ଆମ ଏବକାଳଟିର ଏହି ଯାବତୀୟ ବିଚିତ୍ର ସତ୍ୟସ୍ଥିତିଟି ପଛରେ ସେପରି କୌଣସି ଏକତ୍ୱକୁ ଆମେ ବର୍ତ୍ତମାନର ଏକ ଅନିବାର୍ଯ୍ୟ ଆହ୍ୱାନ ରୂପେ ଶୁଣି ପାରୁଛୁ କି ? ସେହି ଆହ୍ୱାନଟି ପ୍ରକୃତରେ କ’ଣ ? ଏକ ସର୍ବସାମାନ୍ୟ ଭୂମି ଏହି ଦେଶରେ ଏବେ ମଧ୍ୟ ତିଆରି ହୋଇ ପାରିଲାନାହିଁ, ଯାହାକି ଏହି ଦେଶର ପ୍ରତ୍ୟେକ ମନୁଷ୍ୟକୁ ଜଣେ ନାଗରିକର ସଚେତନ ପରିଚିତିଟିଏ ଅନୁଭବ କରି ପାରିବା ଲାଗି ସର୍ବନିମ୍ନ ନିର୍ଭରଗୁଡ଼ିକୁ ଆଣି ଯୋଗାଇଦେଇ ପାରନ୍ତା । ଏପର୍ଯ୍ୟନ୍ତ ତ ମାତ୍ର କେତେ, ନିତାନ୍ତ ଅଳ୍ପ କେତେକ ମନୁଷ୍ୟ ଏଠାରେ ପ୍ରାୟ ସକଳ ଭୋଗଘରର ମାଲିକ ହୋଇ ରହି ଅନ୍ୟମାନଙ୍କୁ ବଞ୍ଚିତ କରି ରଖିବାର ଦାନବପଣଟା ହିଁ ଜାରି କରି ରଖିଛନ୍ତି । ସେହିମାନେ ହିଁ ସରକାରର କଳଗୁଡ଼ାକୁ ମଧ୍ୟ ବୁଢ଼ୀ ଅସୁରୁଣୀ ପରି ମାଡ଼ି ବସିଛନ୍ତି ଓ ଯାହା ହାତକୁ ଆସୁଛି, ତାହାକୁ କଞ୍ଚା ଚୋବାଇ ଖାଇ ଯାଉଛନ୍ତି । ଆଗ ସର୍ବନିମ୍ନ ଏକତ୍ୱଭୂମିଟି ତିଆରି ହେଉ, ତା’ପରେ ହୁଏତ ବୈଚିତ୍ର୍ୟର ଆଦୌ କୌଣସି ସୁସ୍ଥ ଔଚିତ୍ୟ ସମ୍ଭବ ହେବ । ତା’ ନହେଲେ ଅଳ୍ପ ମଣିଷଙ୍କର ଉପଦ୍ରବ କୋଟି କୋଟି ବହୁତ ମଣିଷଙ୍କୁ ଠିକ୍ ଆଜିଭଳି ଅସହାୟ କରି ରଖିଥିବ ।

 

୨୯/୫/୨୦୦୦

Image

 

ନୃତତ୍ତ୍ୱରେ ଅତତ୍ତ୍ୱ

 

ଆଫ୍ରିକାର କଳା ଶାସିତମାନଙ୍କୁ ସ୍ଵଶାସନରେ ମଣ କରି ଆଣିବା ନିମନ୍ତେ ବ୍ରିଟେନ୍‌ର ତତ୍କାଳୀନ ଗୋରା ଶାସକମାନେ ଯେଉଁସବୁ ବିଶେଷ ଅଧ୍ୟୟନକୁ ମନ ଦେଇଥିଲେ, ତାହାହିଁ କ୍ରମେ ବିକାଶ ଲାଭ କରି ନୃତତ୍ତ୍ୱ ନାମକ ଏକ ସ୍ୱତନ୍ତ୍ର ଅଧ୍ୟୟନ-ଶୃଙ୍ଖଳାରେ ପରିଣତ ହେଲା ବୋଲି କେତେକ ତଦବିତ୍ ମତ ଦେଇ ଆସିଛନ୍ତି । ସେହି ପ୍ରୟୋଜନ ଦ୍ଵାରା ପରିଚାଳିତ ହୋଇ ଲଣ୍ଡନଠାରେ ବିଷୁବମଣ୍ଡଳୀୟ ଓ ଆଫ୍ରିକୀୟ ଗବେଷଣା ନାମକ ସଂସ୍ଥାଟି ଆରମ୍ଭ ହୋଇଥିଲା । ତାହା ପ୍ରାୟ ଦେଢ଼ଶହ ବର୍ଷ ତଳର କଥା । ଏବେ ତ ନୃତତ୍ତ୍ୱ କହିଲେ ନୃତତ୍ତ୍ୱବିଜ୍ଞାନୀମାନେ ନିଜେ ଅନୁଶୀଳନର କ୍ଷେତ୍ରରୂପେ ବାଛି ନେଇଥିବା ଗୋଟିଏ ପୋଖତ ବିଜ୍ଞାନକ୍ଷେତ୍ର ବୋଲି ବୁଝୁଛନ୍ତି । ଉପନିବେଶ-ଯୁଗର ଏକାଧିକ ସୋପାନରେ ସେହି ଅଧ୍ୟୟନ-ବିଜ୍ଞାନର ପଇତାଟିଏ ଧାରଣ କରି ପୃଥିବୀର ସକଳ ଆଦିବାସୀ ଅଞ୍ଚଳକୁ ଜାଲ ପକାଇ ବାହାରି ଯାଇଥିଲା । ନୂଆ ତତ୍ତ୍ୱମାନେ ଜନ୍ମଲାଭ କଲେ, ତତ୍ତ୍ୱଗୁଡ଼ିକ ଅନୁସାରେ ନୂଆ ମତ ଏବଂ ନୂଆ ଅବଲୋକନର ଅଲଗା ଅଲଗା ଚକଡ଼ାଗୁଡ଼ିକ ତିଆରି ହୋଇଯାଇଥିଲେ । ବିଶ୍ଵବିଦ୍ୟାଳୟମାନଙ୍କରେ ନୃତତ୍ତ୍ୱବିଜ୍ଞାନ ନାମକ ନୂଆ କନିଆଁକୁ ବରଣ କରି ଅଣାଗଲା । ସେହି କନିଆଁ ନିଜ ପାଇଁ ଏକ ଅଲଗା ସ୍ୱୀକୃତି ଦାବି କରିଥିଲା-। ଅଲଗା ହୋଇଗଲେ ହିଁ ନିଜର ପରିଚୟ ନାମକ ଛାଞ୍ଚଟି ଅଧିକ ମହିମାସମ୍ପନ୍ନ ହୁଏ ବୋଲି ସମ୍ପୃକ୍ତ ପଣ୍ଡିତମାନେ ଖୁବ୍ ବିଶ୍ଵାସ କରୁଥିଲେ ।

 

ତଥାପି ବିଂଶ ଶତାବ୍ଦୀର ଅଧାଅଧି ବେଳକୁ ନୃତତ୍ତ୍ୱ ନିମନ୍ତେ ସତଅବା ଏକ ତିରୋଟ ସମୟ ଆସିଗଲା । ଉପନିବେଶଗୁଡ଼ିକ ରାଜନୀତିଜ୍ଞ ସ୍ୱାଧୀନତା ଲାଭ କଲେ । ଏବଂ, ତେଣେ ଆଦିବାସୀ ଅଞ୍ଚଳଗୁଡ଼ିକରେ ଏପରି ଅଂଶ ମଧ୍ୟ କ୍ରମଶଃ କମ୍ ହୋଇ ଆସିଲେ, ଯେଉଁଗୁଡ଼ିକ କି ତଥାପି ଅନଧୀତ ହୋଇ ରହିଥିଲା । ତଥାପି ସମାଧାନର ସନ୍ଧାନ କରାଯାଇ ଯଜମାନିରେ ନୂତନ ସମ୍ଭାବନାଗୁଡ଼ିକ ଆଡ଼କୁ ବାଟ ଫିଟାଗଲା । ଘୋର ଗାମ୍ଭୀର୍ଯ୍ୟର ପ୍ରତୀକମାନ ସୃଷ୍ଟି କରାଯାଇ ନୃତତ୍ତ୍ୱବିଦ୍‌ର ନୂଆ ସଂଜ୍ଞା ଓ ତେଣୁ ନୂତନ ପ୍ରତିପାଦ୍ୟ ଗୁଡ଼ିକର ଭିଆଣ ହେଲା । ସମାଜ-ଅଧ୍ୟୟନର ବୃହତ୍ତର ବୃତ୍ତଖଣ୍ଡଟିରେ ତଥାପି ନୃତତ୍ତ୍ୱବିଜ୍ଞାନର ଏକ ଅଲଗା ଦାଣ୍ଡିଟିଏ ଭିଆଣ ହୋଇ ଆସିଲା । ବ୍ରାହ୍ମଣମାନଙ୍କ ଭିତରେ ଯେମିତି ତଥାପି ଅଲଗା ଅଲଗା ଗୁଳାରେ ବ୍ରାହ୍ମଣମାନଙ୍କୁ ଭିନ୍ନ ଭିନ୍ନ କରି ଚିହ୍ନିହୁଏ, ଇଏ ପ୍ରାୟ ସେହିପରି ଏକ ଆଖ୍ୟାୟିକା ହୋଇ ରହିଲା । ସଭ୍ୟ ବିଶ୍ୱବିଦ୍ୟାଳୟମାନେ ତାହାକୁ ସମୁଚିତ ଓ ଯୁଗୋଚିତ ବୋଲି ଗ୍ରହଣ କରି ନେଇଥିଲେ ।

 

ସ୍ଵାଧୀନତା ପରେ ଭାରତବର୍ଷରେ ବିଶ୍ୱବିଦ୍ୟାଳୟ ନାମକ ଟାପୁମାନେ ମଧ୍ୟ ସଂଖ୍ୟାରେ ବଢ଼ିବା ଲାଗି ଖୁବ୍ ଅନୁକୂଳତା ଲାଭ କଲେ । ଏହି ମହକୁମାମାନେ ପ୍ରାୟ ପରସ୍ପର ସହିତ ପ୍ରତିଦ୍ୱନ୍ଦିତା କଲାଭଳି ପୃଥୁଳତାକୁ ହିଁ ସବାପ୍ରଥମ ଫେଶନ ବୋଲି ଗ୍ରହଣ କରି ନେଇଥିଲେ । ତେଣୁ, ପାରମ୍ପରିକ ବିଷୟଗୁଡ଼ିକ ସହିତ ନାନାବିଧ ନୂତନ ଅଧ୍ୟୟନ ଶାଖା ନିମନ୍ତେ ସୌଖୀନ ପ୍ରୀତିଗୁଡ଼ିକ ପ୍ରସରି ଆସିଥିଲା । ସଂପୃକ୍ତ ଶାସକମାନେ ସତକୁ ସତ କିଛି ବିରାଟ ଘଟଣା ଘଟୁଛି ବୋଲି ଅନୁଭବ କରି ସେତେବେଳେ ଖୁବ୍ ହୃଷ୍ଟ ହୋଇ ଉଠିଥିବେ । ପୁରୋଗାମୀ ହେବାର କୌଣସି ଚାଲେଞ୍ଜ୍ ନଥାଇ ତଥାପି ଏକ ନୂତନ ବିଭାଗଟିଏ ଖୋଲିଗଲା ବୋଲି ସେହି ଏକମାତ୍ର କାରଣରୁ ହିଁ ନିଜ ବିଭାଗୀୟ ସ୍ଥିତିଟାକୁ ପୁରୋଗାମୀ ହେବାର ଏକ ନିଦର୍ଶନ ବୋଲି ଭାବି ଉଲ୍ଲସିତ ଅନୁଭବ କରିବାରେ ପ୍ରକୃତରେ ଆଦୌ କୌଣସି ସଙ୍କୋଚ ରହିବା ଉଚିତ ନୁହେଁ । ଓଡ଼ିଶାରେ ତ ନୃତତ୍ତ୍ୱ ନାମକ ନୂଆ ଗାଦୀଟିଏ ପ୍ରତିଷ୍ଠା କରିବା ନିମନ୍ତେ ଆଖିଦୃଶିଆ ଏକାଧିକ କାରଣ ମଧ୍ୟ ରହିଥିଲା । ଓଡ଼ିଶାରେ ତିନିଭାଗରୁ ପ୍ରାୟ ଭାଗେ ହେଉଛନ୍ତି, ଆଦିବାସୀ । ଆମ ଅନ୍ଦାଜ ଅନୁସାରେ ଉତ୍କଳ ରାଜ୍ୟର ଏହି ଉଜ୍ଜଳ ଅଂଶଟାକୁ ଆମ ମନଖୁସୀରେ ଯଦି ଇଉରୋପ ଅଥବା ଆମେରିକା ବୋଲି ଆମେ ଅନୁଭବ କରିପାରିବା, ତେବେ ସେହି ଅବର ଅନ୍ଧାର-ଅଂଶଟିକୁ ପୂର୍ଣ୍ଣଯୁକ୍ତିର ସହିତ ଆଫ୍ରିକା ବୋଲି କହିବାରେ ମୋଟେ କୌଣସି ବାଧାର ଅବକାଶ ରହିବ ନାହିଁ । ଏହିପରି ଏକ ଅଭିନବ ଭାବନାରୁ ହିଁ ଓଡ଼ିଶାକୁ ମଧ୍ୟ ନୃତତ୍ତ୍ୱବିଜ୍ଞାନର ବିମାନଟିକୁ ଆମନ୍ତ୍ରଣ କରି ଅଣାଗଲା ! ଚିନ୍ତାର ଆଦୌ କୌଣସି କାରଣ ନଥିଲା । କାରଣ, ବିଷୟଟିର ଅଧ୍ୟୟନ ଓ ଅନ୍ୟ ଆନୁଷଙ୍ଗିକମାନ କିପରି କରାଯିବ, ସେଗୁଡ଼ିକର ସୂତ୍ରଗୁଡ଼ିକ ଇଂରାଜୀ ବହିମାନଙ୍କରେ ଲେଖାହୋଇ ରହିଥିଲା । ସେଗୁଡ଼ିକରୁ ଚରୁଅନ୍ନ ଆଣି ଆମର ଏଠାରେ ଅନ୍ତୁଡ଼ିଶାଳମାନ ସମ୍ଭବ କରାଯିବାରେ ମୋଧାବୀମାନଙ୍କର ମେଧାକ୍ଷୟ ହେବାର କୌଣସି ପ୍ରୟୋଜନ ହିଁ ନଥିଲା । ଜ୍ଞାନରେ ଥିବା ବଂଶମାନଙ୍କୁ ସହଜରେ ବାଟ ମିଳିଯିବ ବୋଲି ସମ୍ଭବତଃ ବିପଣିଗୁଡ଼ିକରେ ଇଂରାଜୀ ଭାଷାକୁ ହିଁ ବିନିମୟ-ମୁଦ୍ରା ରୂପେ ଗ୍ରହଣ କରି ନିଆଯାଇଥିଲା । ତେଣୁ, ଆମ ବିହାରମାନଙ୍କରେ ନୃତତ୍ତ୍ଵକୁ ବରଣ କରି ଆଣିବାରେ ବାଧା ବୋଲି କିଛି ନଥିଲା ।

 

ବିଶ୍ଵବିଦ୍ୟାଳୟ ସହିତ କ୍ରମେ ସରକାର ମଧ୍ୟ ନୃତତ୍ତ୍ୱନାମକ ନୂଆଫଳଟିକୁ ମନ କଲେ । ସରକାରଙ୍କ ଅମାରରୁ ଆଦିବାସୀ-କଲ୍ୟାଣ ସକାଶେ ଅଲଗା ଗଉଣୀରେ ଅର୍ଥ ମାପିଲେ । ଆଦିବାସୀ ଉନ୍ନୟନ ପାଇଁ ନୂଆ ନୂଆ ନାଆଁରେ ହିରୋମାନେ ନିଯୁକ୍ତ ହେଲେ । ଆଦିବାସୀ ପିଲାଙ୍କ ପାଇଁ ନୂଆ ନାଆଁରେ ବିଶେଷ ପାଠଦାନର ବରାଦ ହେଲା ଓ ସେହି ବରାଦର ବିପଣିଗୁଡ଼ିକୁ ଅତ୍ୟନ୍ତ ଭାବଗଦ୍‍ଗଦ ଭାବରେ ସେବାଶ୍ରମ ଓ ଆଶ୍ରମ ବୋଲି ବି କୁହାଗଲା । ନିପଟ ଶୁଣ୍ଢିମାନେ ହିଁ ପରମ ପ୍ରୀତିରେ ନିଶ୍ଚୟ ସେହି ବିଶେଷ ଯନ୍ତାଗୁଡ଼ିକୁ ଏଭଳି ଏକ ନୂତନ ନାମକରଣ ଦ୍ଵାରା ଢାଙ୍କୁଣିଟିଏ ଦ୍ଵାରା ଘୋଡ଼ାଇ ରଖିବାକୁ ଅବଶ୍ୟ ଉତ୍ସାହିତ ହୋଇଥିବେ । ଏବଂ, ସର୍ବୋପରି, ଆଦିବାସୀ ସମାଜ ଅର୍ଥାତ ଜୀବନସମଗ୍ରଟିକୁ ଗବେଷଣା ଦ୍ଵାରା ଅଧିକ ନିପଟ ଭାବରେ ଜାଣିବା ସକାଶେ ବିଶେଷ ସଂସ୍ଥାମାନ ମଧ୍ୟ ରହିଲା । ଆଦିବାସୀ ଉନ୍ନୟନ ନାମକ ଏହି ମହତ କଳ୍ପନାର ଧନଟିକୁ ସର୍ବାଙ୍ଗୀନ କରି ପ୍ରସବ କରିବା ନିମନ୍ତେ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସଚିବମାନଙ୍କର ମାର୍ଗ ଦେଇ ସବାତଳ ଗଳି ଓ ଅର୍ଗଳିଗୁଡ଼ିକ ଯାଏ କେତେ କେତେ ଜନନୀ ଧ୍ୟାନରତ ତଥା ଶ୍ରମରତ ହୋଇ ରହିଲେ । ଏବେ ମଧ୍ୟ ସମାନ ସନ୍ତର୍ପଣରେ ନିଶ୍ଚୟ ତତ୍ପର ହୋଇ ଅବଶ୍ୟ ରହିଥିବେ ।

 

ହଁ, ଆଦିବାସୀଙ୍କ ପାଇଁ ଏତେ ଏତେ ବାଟ ଏବଂ ବାଗରେ ଏତେ ଏତେ କଥା ସିନା ହେଉଛି, ମାତ୍ର ସେହି ଯାବତୀୟ କାର୍ଯ୍ୟକ୍ରମର ସରକାରୀ ହଙ୍ଗାମାରେ ଆଦିବାସୀଟିଏ କେଉଁଠି ସମସ୍ତଙ୍କ ସାଙ୍ଗରେ ଏକାଠି ବସିଛି ଓ ମଥା ଖେଳାଉଛି ବୋଲି ମୋଟେ ଦୃଷ୍ଟିଗୋଚର ହେଉନାହିଁ । ହଁ, କାହିଁ କୋଉଠି କୋଉଠି ହୁଏତ ମନ୍ତ୍ରୀପଦରେ, ସଚିବ ପଦରେ ଅଥବା ଆଉ କିଛି କାରିନ୍ଦାର ପଦରେ ଆଦିବାସୀ ଜଣେ ଅବଶ୍ୟ ରହିଛନ୍ତି, ମାତ୍ର ସେମାନେ ପ୍ରାୟ ସମସ୍ତେ ବାସ୍ତବ ପରିସ୍ଥିତି ଏବଂ ସ୍ୱବୁଦ୍ଧିର ବଳରେ ପ୍ରାୟ ଗୋଟାସୁଦ୍ଧା ରଜାଘରର ହାତୀରେ ଦୀକ୍ଷିତ ହୋଇ ସାରିଛନ୍ତି– ସେମାନେ ନିଜକୁ ଏକଦା ଅରଣ୍ୟର ହାତୀ ହୋଇ ରହିଥିଲେ ବା ଅରଣ୍ୟରୁ ପ୍ରତିନିଧିତ୍ୱ କରି ଏହି ରାବଣପୁରକୁ ଆସିଛନ୍ତି ବୋଲି ଭାବିବାକୁ ମଧ୍ୟ ସରମ ଅନୁଭବ କରୁଛନ୍ତି । ଏମାନଙ୍କ ହାତରେ ଖଡ଼ା ସିଝୁ ନାହିଁ । ନୃତତ୍ତ୍ୱ-ଆଲୋଚନାର ସେହି ପ୍ରଥମ କାଳଟିର ହାକିମମାନେ ସତେଅବା ଦୟାପ୍ରଦର୍ଶନ କରି ଯେପରି ଆଦିବାସୀମାନଙ୍କର କଲ୍ୟାଣ ନିମନ୍ତେ କିଛି କରିବାକୁ ମନ କରୁଥଲେ, ଏବେ ମଧ୍ୟ ଦୃଷ୍ଟିକୋଣଟା ପ୍ରାୟ ଜବରଦସ୍ତ ଭାବରେ ସେହିପରି ହୋଇ ରହିଛି । ଏସବୁ ହାବଭାବ ଦେଖି ଅନେକ ସମୟରେ ମନେହୁଏ, ଆଦିବାସୀଏ ସତେଯେପରି ସବୁଦିନ ସକାଶେ ଅଳ୍ପବହୁତ ଏହିପରି ହୋଇ ରହିଥିବେ; ଏହିପରି ଉପର ଥାକମାନଙ୍କରୁ କିଞ୍ଚିତ ଦୟାପ୍ରଦର୍ଶନ ହେଉଥିବ ଏବଂ ତଳେ ଥାଇ ଆଦିବାସୀ ବିଚରା କୃତକୃତ୍ୟ ହୋଇ ତାହାକୁ ବା ସେତିକିକୁ ହିଁ ସତେଅବା ଦେବତାର ଅନୁଗ୍ରହ ସଦୃଶ ଗ୍ରହଣ କରି ନେଉଥିବ । ଅଣଆଦିବାସୀ ଉତ୍ତମମାନେ ତା’ଲାଗି ଚେନାଏ କିମ୍ବା ଚରୁକାଏ କାଢ଼ି ଅଲଗା କରି ଦେଉଥିବେ ଓ ସିଏ ସେତିକିରେ ସନ୍ତୁଷ୍ଟ ହୋଇ ରହୁଥିବ ।

 

ସେ କାଳର ନୃତତ୍ତ୍ୱ ଓ ଏ କାଳର ନୃତତ୍ତ୍ୱ ମଧ୍ୟରେ ଏକ ବଡ଼ ପାର୍ଥକ୍ୟ ଦାବି କରି ଇତିମଧ୍ୟରେ ଏପରି କଥାଟିଏ ଘଟିଛି, ଯାହା ବିଷୟରେ କି ହିତୈଷୀମାନଙ୍କର ହିତୈଷୀତାବିଚାର ସତେଅବା ମୋଟେ ଯଥେଷ୍ଟ ଭାବରେ ସଜ୍ଞାନ ହୋଇ ପାରିନାହିଁ । ଇତିମଧ୍ୟରେ ଉପନିବେଶମାନେ ଗୋଟିଏ ଗୋଟିଏ ସ୍ଵାଧୀନ ଦେଶରେ ପରିଣତ ହୋଇ ଯାଇଛନ୍ତି । ଇତିମଧ୍ୟରେ ଭାରତବର୍ଷ ସ୍ଵାଧୀନ ହୋଇଯାଇଛି । ତେଣୁ ସାମ୍ରାଜ୍ୟର ଅନ୍ତର୍ଗତ ଆଦିବାସୀମାନଙ୍କୁ ଶାସନ ବା ମଣ କରିବାକୁ ଯେଉଁ ନୃତତ୍ତ୍ୱ ବିଜ୍ଞାନର ସେତେବେଳେ ଭିଆଣ ହୋଇଥିଲା, ତାହାର ଇଦାନାଂ ଆଉ କଦାପି ବିଶେଷ ପ୍ରାସଙ୍ଗିକତା ରହିବ ନାହିଁ । ମାତ୍ର, ନୃତତ୍ତ୍ୱବିଜ୍ଞାନୀ ପ୍ରାୟ ସାହୀଟାଯାକ ଅଣଆଦିବାସୀ ହୋଇଥିବାରୁ ଦୃଷ୍ଟିକୋଣର କ୍ଷେତ୍ରରେ ସେହି ପୁରୁଣାଟା ହିଁ ସଂପୃକ୍ତ ସକଳ ମୀମାଂସାକୁ ଏବେ ମଧ୍ୟ ଅତ୍ୟନ୍ତ ଦୁରାଗ୍ରହ ସହିତ ମାଡ଼ିବସିଛି । ଭାରତବର୍ଷର ଗୋଟିଏ ସମ୍ବିଧାନ ତିଆରି ହୋଇଛି, ଯେଉଁଥିରେ କି ଦେଶର ପ୍ରତ୍ୟେକ ଅଧିବାସୀଙ୍କୁ ନ୍ୟାୟତଃ ଜଣେ ନାଗରିକ ବୋଲି ସ୍ୱୀକାର କରାଯାଇଛି । ନାଗରିକ ଅର୍ଥାତ ଦେଶର ସକଳ ବ୍ୟବସ୍ଥାରେ ଜଣେ ସକ୍ରିୟ ଅଂଶଗ୍ରହଣକାରୀ ରୂପେ ଆଦିବାସୀର ମଧ୍ୟ ସର୍ବନିମ୍ନ ଏକାଧିକ ଅଧିକାର ରହିଛି । ନିଜ ଭାଗ୍ୟ ଓ ଭବିଷ୍ୟ ବିଷୟରେ ଚିନ୍ତା କରିବାର ଅଧିକାର, ଦେଶର ଶାସନ କରୁଥିବା କର୍ତ୍ତୃତ୍ୱଗୁଡ଼ିକୁ ପ୍ରଶ୍ନ କରିବାର ଅଧିକାର, ଏହି ଦେଶର ଉନ୍ନୟନରେ ପୂର୍ଣ୍ଣ ସ୍ଵୀକୃତ ଭାବରେ ଅଂଶଗ୍ରହଣ କରିବାର ଅଧିକାର, ଇତ୍ୟାଦି, ଇତ୍ୟାଦି । ଏଗୁଡ଼ିକୁ ଆଦିବାସୀମାନେ କେତେ ଶୀଘ୍ର ବା କେତେ ବିଳମ୍ବରେ ପାଇବେ, ସେକଥା ଅଣଆଦିବାସୀ ଉପର ଅର୍ଥାତ ଅଧିକ ସମର୍ଥ ଓ ଅଧିକ ଚତୁରମାନେ ସ୍ଥିର କରି ଦେଉଥିବେ, ଆଦିବାସୀ ପାଇଁ ସରକାରମାନେ ଯାହାକିଛି ପ୍ରସଙ୍ଗ ପକାଉଥିବେ, ସେଥିରେ ଆଦିବାସୀର କୌଣସି ପ୍ରବେଶାଧିକାର ନଥିବ, ଏହା ଅନ୍ୟାୟ, ଏହା ଅଗଣତାନ୍ତ୍ରିକ ।

 

ଆଦିବାସୀର ପିଲାଙ୍କ ପାଇଁ ବିଶେଷ ଅନ୍ତ୍ୟଜ ପ୍ରକାରର ବିଦ୍ୟାଳୟ ତିଆରି ହେବ, ସେଠାରେ ଗୁରୁମାନେ ପିଲାର ଭାଷାକୁ ବୁଝୁ ନଥିବେ, ସେମାନେ ବିଶ୍ୱାବସୁ ଘରେ ଆପଣାକୁ ଜଣେ ଜଣେ ଧୂର୍ତ୍ତ ବହିରାଗତ ବୋଲି ଦେଖୁଥିବେ ଏବଂ ଆଦିବାସୀଜୀବନର ପ୍ରାୟ ସକଳ ରୀତିକୁ ଅବଜ୍ଞା ସହିତ ଦେଖୁଥିବେ, କୌଣସି ବିବେକ ତାହାକୁ କଦାପି ସମର୍ଥନ କରିବାକୁ ରାଜି ହେବ ନାହିଁ । ସର୍ବନିମ୍ନ ଶିକ୍ଷାଲାଭ ନିମନ୍ତେ ଦେଶର ଅନ୍ୟସବୁ ପିଲାଙ୍କ ଭଳି ଆଦିବାସୀ ପିଲାର ମଧ୍ୟ ପୂର୍ଣ୍ଣ ଅଧିକାର ରହିଛି । ବିଗତ ବହୁ ଶତାବ୍ଦୀର ନାନ ଅବିଚାର ଓ ଅମାନୁଷିକତା ଫଳରେ ଆଦିବାସୀ ପିଲା ତଥା ଆଦିବାସୀ ଯେ ସାଧାରଣ ଗାରଗୁଡ଼ିକର ବହୁ ପଛରେ ରହିଆସିଛି, ତାହାକୁ ବଦଳାଇ ଦେବା ସକାଶେ ସେମାନଙ୍କ ପାଇଁ ଅଧିକ ଧ୍ୟାନ ଦିଆଯିବା ଓ ଅଧିକ ପଇସା ଖରଚ ହେବାକୁ ହିଁ ବରଂ ସମୀଚୀନ ବୋଲି କୁହାଯାଇପାରିବ । ତାହା ଯେ ହୋଇନାହିଁ, ଉତ୍ତମମାନେ ଯେ ତାହା କରାଇ ଦେଇନାହାନ୍ତି ଓ ଦେଉନାହାନ୍ତି, ତାହାର ପ୍ରତିବାଦ କରି ଶିଖିବା ହିଁ ଯାବତୀୟ ଜାତୀୟ ସୁସ୍ଥତା ଦୃଷ୍ଟିରୁ ଆଦିବାସୀମାନଙ୍କ ପାଇଁ ଉଦ୍ଦିଷ୍ଟ ଶିକ୍ଷାର ସର୍ବପ୍ରଥମ ଖନ୍ଦା ହୋଇ ରହିବା ଉଚିତ ।

 

ତେଣୁ ଆଦିବାସୀ ସକାଶେ ଯାହାକିଛି ବ୍ୟବସ୍ଥା ହେଉଛି, ସେଥିରେ ଆଦିବାସୀମାନେ ହିଁ ସାମିଲ୍ ହେବେ, ଏକାଠି ବସିବେ,– ଗୋଟିଏ ସ୍ୱୀକୃତିରେ ଲୋଡ଼ା ହୋଇ ପାରୁଥିବେ । ତେବେଯାଇ ସେମାନେ ଏହି ଦେଶର ପୂର୍ଣ୍ଣ ଜଣେ ଜଣେ ନାଗରିକ ବୋଲି ସ୍ୱୀକୃତ ହୋଇପାରିବେ-। ଧୋବ ଏବଂ ଧୂର୍ତ୍ତମାନେ ଆଦୌ କୌଣସି କଥାକୁ ଦିଲ୍ଲୀ ବା ଭୁବନେଶ୍ୱରରୁ ନେଇ ସେମାନଙ୍କ ଉପରେ ଲଦି ଦେବେନାହିଁ । ଆଦିବାସୀ ପାଇଁ ଖରଚ ହେବାକୁ ଅର୍ଥାତ୍ କାମରେ ଲାଗିବାକୁ ଆସୁଥିବା ପଇସା କିପରି ଖରଚ ହେବ ବା ନହେବ, ସେହି ନିଷ୍ପତ୍ତିରେ ଆଦିବାସୀର ଉପସ୍ଥିତି ମଧ୍ୟ ଅପରିହାର୍ଯ୍ୟ ବୋଲି ମାନି ନିଆଯିବା ଉଚିତ । ବିଗତ ଏହି ବର୍ଷଗୁଡ଼ିକ ଭିତରେ ଆଦିବାସୀଙ୍କ ନାଆଁରେ ଅଣଆଦିବାସୀ ହାକିମମାନେ ପଇସା ଖରଚ ଓ ପଇସା ବରାଦ କରିଛନ୍ତି ଏବଂ ପଇସାଗୁଡ଼ାକ ହରଣଚାଳ ହୋଇଯିବାରେ ଯେପରି ଅଧିକ ତତ୍ପରତା ତଥା ସକ୍ରିୟତା ଦେଖାଇଛନ୍ତି, ଆଦିବାସୀ ସେହି ପଇସାର ଦାୟିତ୍ୱ ଗ୍ରହଣ କଲେ କଦାପି ସେତେବେଶୀ ବରବାଦ ହୁଅନ୍ତା ନାହିଁ । ତେଣୁ ଉପନିବେଶ କାଳର ନୃତତ୍ତ୍ୱ ଏଣିକି ଅପସରି ଯିବା ଉଚିତ । ଉପନିବେଶ କାଳର ଶାସନଦୃଷ୍ଟି ବନ୍ଦ ହେବା ଉଚିତ । ଏଣିକି ଆଦିବାସୀମାନେ ପୂର୍ଣ୍ଣ ନାଗରିକ ସଚେତନତା ସହିତ ଯେପରି ନିଜର ନିଷ୍ପତି ନିଜେ କରିପାରିବେ, ଯାବତୀୟ ଧୂର୍ତ୍ତତାର ପ୍ରତିବାଦ ବି କରିବେ– ପ୍ରଚଳିତ ବାବୁମାନଙ୍କର ଦପ୍ତରରେ ଦର୍ପ ଦେଖାଉଥିବା ଅତତ୍ତ୍ୱଗୁଡ଼ାକୁ ନିକାଲି ପାରିବା ନିମନ୍ତେ ନୃତତ୍ତ୍ୱବିଜ୍ଞାନରେ ଯେଉଁସବୁ ମୂଳଭୂତ ଓ ଦୃଷ୍ଟିଗତ ପରିବର୍ତ୍ତନ ଆଗ ଅତ୍ୟାବଶ୍ୟକ, ଆମ ବିଶ୍ଵବିଦ୍ୟାଳୟମାନଙ୍କରେ ସେହି ବିଷୟରେ ଏବେ ମଧ୍ୟ କୁଆ କା’ ବୋଲି କରି ନାହିଁ । ବିଦ୍ୟା ସହିତ ଏକ ସାହସ ଏବଂ ସହାନୁଭବ ଏକତ୍ର ରହିପାରିଲେ ଯାଇ ତାହା ହୁଏତ ସମ୍ଭବ ହୁଅନ୍ତା । ନୃତତ୍ତ୍ୱବିଦ୍ୟାର ପରିମଳଟି ବଦଳିପାରନ୍ତା । ପଣ୍ଡିତମାନେ ଆଦିବାସୀଙ୍କୁ ସବାଆଗ ଜୀଅନ୍ତା ମଣିଷ ପରି ଦେଖି ଶିଖନ୍ତେ ।

 

୫/୬/୨୦୦୦

Image

 

ରାତି ଘୋଟିଛି ସ୍ୱପ୍ନ କାହିଁ ?

 

ଅନେକ ମଣିଷ ଅଛନ୍ତି, ଯେଉଁମାନେ ସ୍ଵପ୍ନ ଦେଖିବେ ବୋଲି ରାତିଟିଏ ଖୋଜନ୍ତି । ସମ୍ଭବତଃ ସେହି କାରଣରୁ ହିଁ 'ଚାରିଆଡ଼େ ରାତି ଘୋଟି ରହିଥିଲେ ମଧ୍ୟ ରାତିକୁ ଦେଖିପାରନ୍ତି ନାହିଁ । ରାତି ସତକୁ ସତ ଚାରିଆଡ଼େ ଘୋଟି ରହିଛି । ସରକାରଙ୍କ ଘରେ ରାତି, ସରକାର ବାହାରେ ମଧ୍ୟ ରାତି । ରାଜନୀତିରେ ରାତି, ସମ୍ବାଦପତ୍ରରେ ରାତି, ବିଦ୍ୟାଳୟମାନଙ୍କରେ ରାତି, ବିଦ୍ୟାଳୟମାନଙ୍କୁ ଚଳାଇବା ପାଇଁ ନିଯୁକ୍ତ ହୋଇ ରହିଥିବା ସରବାରୀ ଶିବିରଟା ଭିତରେ ମଧ୍ୟ ଘୋର ରାତି । ଆମର ଏଡ଼ି ତଥାକଥିତ ସାହିତ୍ୟଟା ଭିତରେ କ’ଣ କମ୍ ରାତି ? ଯେଉଁଠାରେ ସାହିତ୍ୟ ଓ ସଂସ୍କୃତି ନାମରେ ଭୀଷଣ ବର୍ଷା ହେବାରେ ଲାଗିଛି, ସେଠାରେ ଘମାଘୋଟ ରାତି ! ଏବଂ ଯେଉଁଠାରେ ପ୍ରାୟ ଯେକୌଣସି ବାସରଘରର ସରାଗରେ କବିତା-ପାଠୋତ୍ସବ ହେଉଛି, ସେଠାରେ ମଧ୍ୟ ଘଣ୍ଟା ଘଣ୍ଟା ଧରି ଖାଲି ରାତି । ସମସ୍ତେ ସତେ ଅବା ନିଦରେ ଚାଲୁଛନ୍ତି । ଚାଲୁଛନ୍ତି ତ ଚାଲୁଛନ୍ତି । ଆଦୌ କୌଣସି ହୋସ୍ ନାହିଁ, ତଥାପି ଚାଲୁଛନ୍ତି । କେଡ଼େ ବଡ଼ ମହାବାତ୍ୟା ଆସି ଚାଲିଯାଉଛି ତଥାପି ହୋସ୍ ଆସୁନାହିଁ । ଏମାନେ ସମସ୍ତେ କ’ଣ ପାଇଁ ଖାଲି ଏହିପରି ଚାଲିବାରେ ଲାଗିଛନ୍ତି କେଜାଣି ? ପିଲାମାନେ କ’ଣ ପାଇଁ ପାଠ ପଢ଼ୁଛନ୍ତି, ସେମାନେ ଯେ ସେହି ବିଷୟରେ ଆଦୌ କିଛି ଜାଣିନାହାନ୍ତି, ସେକଥାଟିକୁ ତ ଅଳ୍ପବହୁତ ବୁଝି ବି ହେଉଛି । ମାତ୍ର, ଜଣେ ଶିକ୍ଷକ ବା ଅଧ୍ୟାପକ ମଧ୍ୟ କ'ଣ ପାଇଁ ପାଠ ପଢ଼ାଉଛି ? ଆମ ନେତାମାନେ କ’ଣ ପାଇଁ ନେତା ହୋଇଛନ୍ତି ? ଆମ ଲୋକପ୍ରତିନିଧି ପ୍ରକୃତରେ ଦିନରାତି କାହା ପଛରେ କ'ଣ ପାଇଁ ଧାଇଁଛି ? ଆମ ବକ୍ତାମାନେ କ’ଣ ପାଇଁ ବତ୍କୃତା ଦେଉଛନ୍ତି ? ସତକୁ ସତ କେଉଁଠାରେ କେଉଁ ଦୁର୍ଗଟିଏ ଜୟ କରିବ ବୋଲି ସିଏ ଅକାଶାକୁ ବାଣ ମାରି କଥାର ବର୍ଷା କରିବାରେ ଲାଗିଛି ।

 

ଏହି ଦେଶ ବା ଏହି ରାଜ୍ୟକୁ କି ଦଶା ପଡ଼ିଲା କେଜାଣି, ଏଠି ପାଠୁଆମାନେ ସତେଅବା ଏକାଧିକ ଯୋଜନା କରି ଆମ ପୃଥିବୀଟାକୁ ରାତି କରି ରଖିଲେ ? ଏଠାରେ ଆମ ଯାବତୀୟ ଭାଗ୍ୟର ମୀମାଂସାଘରେ ରାତି ଘୋଟି ରହିଲା ବୋଲି କ’ଣ ଆମ ଚାରିପାଖରେ ସରକାର ନାମରେ ଆଉ କିଛି ହାଉଜାଉ ହେଉଥିଲା କି ? ସରକାର ଘରେ ସବୁକିଛିର ହିସାବ କୋଟି ସଂଖ୍ୟାରେ ହେଲା । କୋଟି ପରିମାଣରେ ସାହାଯ୍ୟ ଆସିଲା, କରଜଗୁଡ଼ାକ ବି କୋଟି ସଂଖ୍ୟାକୁ ଛୁଇଁଲା । ଶାସନ ନାଆଁରେ ବଡ଼ ଓ ସାନ ମହକୁମାମାନଙ୍କରେ କମ୍ କୋଠାଘର ତିଆରି ହେଲା ? ଶିକ୍ଷା ବାବଦରେ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ସତେ ଯେପରି ଦୁଇ ଶତ୍ରୁ ହୋଇ ଦେଶଟାକୁ ଅଶିକ୍ଷିତ କରିବାରେ ଅଣ୍ଟା ଭିଡ଼ି ଲାଗିପଡ଼ିଲେ । ନାନାବିଧ ଢଙ୍ଗରେ ସମସ୍ତଙ୍କ ସକାଶେ ଶିକ୍ଷାର ବରାଦ କରିବା ନିମନ୍ତେ ମହା ମହା ଯୋଜନାମାନ ହେଲା । କେତେ ଉଦ୍‌ଘାଟନ ଏବଂ କେତେ ଉନ୍ମୋଚନର ଦରବାର ବସିଲା । ତଥାପି, କିଛି ଗୋଟାଏ ହେଉଛି ବୋଲି ବିଶ୍ୱାସ କରୁ କରୁ ସବୁ ବିଫଳ ହୋଇଗଲା ବୋଲି ଦାଣ୍ଡରେ ଧରାପଡ଼ିଗଲା । ବାବୁମାନଙ୍କୁ ପଦ ଯୋଗାଇ ଦେବାକୁ ସରକାରଙ୍କର ସିରସ୍ତା ମଥା ଖର୍ଚ୍ଚ କରି କେତେ କେତେ ଅଜବ ବିଭାଗ ଖୋଲାଗଲା । ଆମ ଓଡ଼ିଶାରେ ତେରଟା ଜିଲ୍ଲାକୁ ତିରିଶିଟା ଜିଲ୍ଲାରେ ପରିଣତ କରାଗଲା । ଅର୍ଥାତ୍ ଆଗେ ଯେଉଁଠି ତେରଗୁଣ ବାବୁଙ୍କ ଦ୍ଵାରା ଶାସନ ନାମକ କଳଟା ଚଳୁଥିଲା, ସେଥିଲାଗି ଏଣିକି ତିରିଶି ଗଣ ଥାଟ ଦରକାର ହେଲେ । ତଥାପି ଦୁଃଖ ଗଲାନାହିଁ । ଦୁଃଖ ବିକଟ ହେଲା, ଜଟିଳ ବି ହେଲା । ମୂଳ କାରଣ ହେଉଛି, ଏହି ବାବୁ ବା ଏହି ବଡ଼ମାନଙ୍କର ଆଦୌ କୌଣସି ସ୍ୱପ୍ନ ନଥିଲା । ଏବଂ ଯଦି ସତକୁ ସତ କୌଣସି ସ୍ନପ୍ନ ନଥିବ, ତେବେ ହାତରେ କୋଟି କୋଟି ଟଙ୍କା ଧରିଥିଲେ ମଧ୍ୟ ମୋଟେ କିଛି ହେବନାହିଁ । ଅସାଧୁମାନେ ଅଧିକ ଅସାଧୁ ହେବା ହିଁ ସାର ହେବ ।

 

ବର୍ତ୍ତମାନ ବର୍ତ୍ତମାନ ପରି ଲାଗେ, ବର୍ତ୍ତମାନ ସଚଳ କରି ରଖିଥାଏ, କାରଣ ବର୍ତ୍ତମାନ ଭିତରେ ଭବିଷ୍ୟତ ଲାଗି ସ୍ଵପ୍ନମାନେ ରହିଥାଆନ୍ତି । ଆମ ସାମୂହିକ ବ୍ୟବସ୍ଥାଗୁଡ଼ିକର ଏହି ଘରେ ପ୍ରାୟ ସକଳ ଅର୍ଥରେ ରାଜନୀତି ଭିତରେ ଯେତେବେଳେ ଆଦୌ କୌଣସି ସ୍ୱପ୍ନ ନାହିଁ, ସେତେବେଳେ ଚାକିରି କରୁଥିବା ହାକିମମାନଙ୍କ ଭିତରେ ମଧ୍ୟ ସ୍ଵପ୍ନମାନେ କିପରି ସମ୍ଭବ ହେବେ-? ରାଜନୀତି, ଆମ ସାମ୍ପ୍ରତିକ କାଳର ଚଳନ୍ତି ରାଜନୀତି ଭିତରେ ଯଦି ପ୍ରକୃତରେ କୌଣସି ସ୍ଵପ୍ନ ରହିଥାନ୍ତା, ତେବେ ରାଜନୀତି ନିର୍ଦ୍ଦେଶ ଦେଉଥାନ୍ତା ଓ ସେହି ନିର୍ଦ୍ଦେଶଗୁଡ଼ିକ କାର୍ଯ୍ୟକାରୀ ହେବାର କ୍ଷେତ୍ରରେ ଆବଶ୍ୟକ ପଡ଼ିଲେ ଚାକିରିଆମାନଙ୍କୁ ବସଉଠ ମଧ୍ୟ କରାଇ ପାରୁଥାନ୍ତା-। ଲୋକପ୍ରତିନିଧି ଅର୍ଥାତ୍ ଲୋକଶକ୍ତିର ପ୍ରତିନିଧି । ଗଣତନ୍ତ୍ର ଶାସନରେ ରାଜଶକ୍ତି ନିର୍ଦ୍ଦେଶ ମାନେ, ଲୋକଶକ୍ତି ହିଁ ତାହାର ପ୍ରତିନିଧିମାନଙ୍କର ମାଧ୍ୟମରେ ନିର୍ଦ୍ଦେଶ ଦିଏ । ପ୍ରତିନିଧିମାନେ ସରକାର ଭିତରେ ରହିଥିବା ସମୟରେ ମଧ୍ୟ ଲୋକଶକ୍ତିର ହିଁ ସନ୍ତକ ହୋଇ ରହିଥାନ୍ତି । ଆମ ପ୍ରତିନିଧିତ୍ୱର ଆଜ୍ଞାପତ୍ର ନେଇ ଏଠି ରାଜ୍ୟରେ ବା ଦେଶରେ ଯେଉଁମାନେ ସରକାରୀ ଘରମାନଙ୍କର ମଥାନରେ ଯାଇ ବସିଲେ, ସେମାନେ ବିଗତ କେଇଟା ବର୍ଷ ମଧ୍ୟରେ ଧର୍ମତଃ ଜୀବିକାଶ୍ରୟୀ ଜଣେ ଜଣେ ନିତାନ୍ତ ଆତ୍ମକାମୀରେ କାହିଁକି ଏବଂ କିଭଳି ନିଜକୁ ଦୀକ୍ଷିତ କରିନେଲେ ଏବଂ ପ୍ରତିନିଧି ରୂପେ ନିତାନ୍ତ ଶକ୍ତିହୀନ ହୋଇପଡ଼ିଲେ ? ଆତ୍ମରତି ହୋଇ ନିଜର ପ୍ରତିନିଧିତ୍ଵପଣକୁ ଶୁଖୁଆ କରି ପୋଡ଼ି ଖାଇଗଲେ ? ଚାକିରିଆମାନଙ୍କୁ ହିଁ ଗୁରୁ କଲା ପରି ସେମାନେ ସ୍ଵୟଂ ଚାକିରିଆ ହୋଇଗଲେ । ରାଜନୀତିର ମହତ ଇଜ୍ଜତ ନେଲେ । ବିଚରା ଯାବତୀୟ ସ୍ଵପ୍ନ ଲାଗି ଅତ୍ୟନ୍ତ ଶୋଚନୀୟ ଭାବରେ ଅଯୋଗ୍ୟ ହୋଇ ରହିଲେ ।

 

ସ୍ଵାଧୀନତା ପୂର୍ବରୁ ସ୍ୱାଧୀନତାର ସଂଗ୍ରାମଗୁଡ଼ିକ ଲଢ଼ା ହେଉଥିବା ସମୟରେ ରାଜନୀତି ପ୍ରଧାନତଃ ନାନା ଭବିଷ୍ୟସ୍ୱପ୍ନ ଦ୍ଵାରା ହିଁ ଉଜ୍ଜଳ ଏବଂ ବେଗବନ୍ତ ହୋଇ ରହିଥିଲା । ସେହି ସବୁଯାକ ସ୍ଵପ୍ନ ହେଉଛି ଏହି ଦେଶକୁ ମଣିଷଲାଖି ଘରଟିଏ କରି କ୍ରମଶଃ ଗଢ଼ି ଆଣିବାର ସ୍ଵପ୍ନ । ସମସ୍ତଙ୍କର ପେଟ ପୂରିବା ଭଳି ପ୍ରତୀୟଟିଏ ସୃଷ୍ଟି ହୋଇପାରିବା ଭଳି ଗୋଟିଏ ଯୋଜନା ତିଆରି ହେବ, ସବୁ ପିଲା ପାଠ ପଢ଼ି ଆପଣା ପ୍ରତିଭାର ପୂର୍ଣ୍ଣ ବିକାଶ ନିମନ୍ତେ ଅବସର ପାଇବେ,– ସେହି ସର୍ବମୂଳ ସ୍ଵପ୍ନଗୁଡ଼ିକ ସାକାର କରିବା ନିମନ୍ତେ ବଡ଼ମାନଙ୍କର ମଥାକୁ ନିଯୁକ୍ତ କରି ସମ୍ବିଧାନଟିଏ ବି ତିଆରି ହେଲା । ବର୍ତ୍ତମାନ ପଚାଶବର୍ଷ ପରେ ଚାରିପାଖକୁ ଚାହିଁ ମନେହେଉଛି, ସେହି ସସ୍ଵପ୍ନଗୁଡ଼ିକୁ ଏଠାରେ କିଏ କାହିଁକି ଏପରି ଛାରଖାର କରିଦେଲା ? ସମ୍ବିଧାନଟାକୁ କାହିଁକି କେବଳ ଗୋଟାଏ ବହିକରି ରଖି ଦିଆଗଲା ? ଅଧିକାଂଶ ମଣିଷଙ୍କୁ ଧୋକାଦେଇ ଅଳପ ମଣିଷ ଏପରି ସର୍ବଗିଳା ହୋଇ କାହିଁକି ବାହାରିଲେ ଏବଂ ଯାବତୀୟ ପ୍ରତ୍ୟୟକୁ ଭଣ୍ଡୁର କରିଦେଲେ ? ମଣିଷମାନଙ୍କୁ ଆସନରୁ ନିକାଲି ଦେଇ ନିତାନ୍ତ ନକଲିମାନେ ହିଁ ଦରବାରକୁ ମାଡ଼ି ବସିଲେ । ରାଜନୀତିରେ ସେମାନଙ୍କର ସର୍ବନିମ୍ନ ପ୍ରଶିକ୍ଷଣ ମଧ୍ୟ ନଥିଲା ଏବଂ ସେମାନେ ସତେ ଅବା ଗୋଟାସୁଦ୍ଧା ନିଜକୁ ହିଁ ମୋଟା ଏବଂ ଅଧିକ ମୋଟା କରିବା ନିମନ୍ତେ ଆମ ଶାସନର ମାହାଲମାନଙ୍କରେ ରଜା ହୋଇ ବସିଗଲେ । ଦେଶଟାଯାକକୁ ସେମାନେ ରାତି କରି ରଖିଲେ । ରାତ୍ରିର ଅନ୍ଧାର ଭିତରେ ହିଁ ଉଜ୍ଜ୍ୱଳ ଦେଖାଗଲେ । ଏକ ବିକାଶଶୀଳ ଦେଶରେ ରାଜନୀତିକୁ ଯେଉଁସବୁ ଦାୟିତ୍ୱକୁ ଅବଶ୍ୟ ତୁଲାଇବାକୁ ହୋଇଥାଏ, ଏମାନେ ସେହି ଦାୟିତ୍ୱଗୁଡ଼ିକ ସମ୍ବନ୍ଧରେ ସମ୍ପୂର୍ଣ୍ଣ ଭାବରେ ନିରକ୍ଷର ରହିଲେ । ଶାସନ ନାମକ କଳଟାକୁ ନିତାନ୍ତ ଚଗଲା କରି ରଖିଲେ । ରାଜଧାନୀ ଭୁବନେଶ୍ୱରରେ ସବାବଡ଼ମାନଙ୍କଠାରୁ ଆରମ୍ଭ କରି ଆମ ଗାଆଁ ଥାନାର ସାନ ହାକିମଙ୍କ ଯାଏ ରାତିଟାକୁ ହିଁ ନ୍ୟାୟତଃ ଅଧିକ ପସନ୍ଦ କଲେ ।

 

ଭାଷଣ ବର୍ଷା କଲାବେଳେ ସେମାନେ ମଧ୍ୟ ସ୍ଵପ୍ନମାନଙ୍କୁ ସାକାର କରିବା ବିଷୟରେ ଆମକୁ କାହାଣୀମାନ ଶୁଣାଉଛନ୍ତି । ଆମେ ସମସ୍ତେ ଚାଲ ଓଡ଼ିଶାରେ ଅମୁକଙ୍କର ସ୍ଵପ୍ନକୁ ସଫଳ କରିବା ବୋଲି ଶବ୍ଦବାଣ ମାରୁଛନ୍ତି । ବାକଚାତୁର୍ଯ୍ୟର ଫୋଟକା ଫୁଟାଇ ଆଉ କିଏ ଆମକୁ ସିଧା ଖାରବେଳଙ୍କ ପାଖରେ ନେଇ ପହଞ୍ଚାଇ ଦେଉଛି । ସ୍ୱପ୍ନର ପ୍ରତୀତିଟାଏ ସୃଷ୍ଟି କରି ଆମକୁ ସେମାନେ ଅତୀତଟା ଭିତରେ ଯାଇ କୁଣ୍ଢାକୁଣ୍ଢି ହୋଇ ନାଚିବା ଲାଗି କାହିଁକି ଏପରି ଷଡ଼ଯନ୍ତ୍ର କରୁଛନ୍ତି କେଜାଣି ? ଅଧିକରୁ ଅଧିକ ଓଡ଼ିଶାବାସୀ ବରଷର ବାରମାସ ଦରପେଟ ଏବଂ ଅସହାୟ ହୋଇ ରହିଥିବା ସମୟରେ ବେରସିକମାନେ ଆମକୁ ସ୍ଵାଭିମାନ ବିଷୟରେ ଉଚ୍ଚ ପ୍ରବଚନମାନ ଦେବାରେ ଲାଗିଛନ୍ତି । ପୂଜ୍ୟପୂଜାର ହୁରି କରୁଛନ୍ତି । ଅସଲ ଭୋକଗୁଡ଼ିକରୁ ଭୁଲାଇ ରଖିବା ସକାଶେ ସେମାନେ ନିତି ସନ୍ଧ୍ୟାରେ ରାଜଧାନୀରେ ସଭା ମଣ୍ଡାଇ ବସୁଛନ୍ତି । ବର୍ତ୍ତମାନ ପାଖରୁ ହୁଡ଼ାଇ ନେଉଛନ୍ତି । ମହାବାତ୍ୟାର ଅସଲ ବାର୍ତ୍ତାଗୁଡ଼ିକୁ ଶୁଣିବେ ନାହିଁ ବୋଲି ସେମାନେ ଅନତିଦୂରରେ ମେଳାମହୋତ୍ସବରେ ମାତିଛନ୍ତି । ସହରମାନଙ୍କର ସ୍ୱନକ୍ଷତ୍ର ଦିବସମାନ ପାଳନ କରିବାର ବାହାନାରେ ନାଟତାମସାର ଯୋଗାଡ଼ କରୁଛନ୍ତି । ଭୀରୁମାନେ ହିଁ ଭବିଷ୍ୟ ବିଷୟରେ ଆଦୌ କୌଣସି ସ୍ୱପ୍ନ ଦେଖିବେ ନାହିଁ ବୋଲି ମନସ୍ଥ କରି ତାମସା କରିବାରେ ଅଧିକ ମନ ଦିଅନ୍ତି ଓ ତାହାକୁ ହିଁ ପ୍ରାୟ ଏକ ବୀଭତ୍ସ ଉଦାସୀନତା ସହିତ ସଂସ୍କୃତି ବୋଲି କହନ୍ତି । ଓଡ଼ିଶାର ଲୋକେ ଦରିଦ୍ର, ଅସହାୟ ଓ ଦରପେଟ ହୋଇ ରହିବେ ପଛକେ, କିନ୍ତୁ ସଂସ୍କୃତି ବିନା ଓଡ଼ିଶାକୁ କଦାପି ବଞ୍ଚାଇ ହେବନାହିଁ ବୋଲି ସେହିମାନେ ବାହାସ୍ଫୋଟ ମାରି ହୁରି କରୁଥାନ୍ତି । ଆପଣାର ଗାତ ଏବଂ ଆପଣାର ସ୍ଵାର୍ଥଟିକୁ ସେମାନେ ଓଡ଼ିଶା ବୋଲି ଆବୋରି ରହିଥାନ୍ତି । ଏବେ ସେହି ଲୋକମାନେ ହିଁ ଓଡ଼ିଶାଟାକୁ ରାତ୍ରିରେ ପରିଣତ କରି ରଖିଛନ୍ତି । ଓଡ଼ିଶାର ଗଣଜୀବନକୁ ଅସ୍ୱୀକାର କରି ସେମାନଙ୍କର ରାତ୍ରିଟା ହିଁ ରାଜତ୍ୱ କରୁଛି ।

 

ବନ୍ଧୁ, ଯଦି ତୁମେ ତଥାପି ସ୍ୱପ୍ନ ଦେଖୁବାକୁ ଇଚ୍ଛା କରୁଛି, ତେବେ ସବାଆଗ ଏହି ରାତ୍ରିଟାକୁ ହିଁ ଅସ୍ୱୀକାର କରି ଏହି ତାମସାଗୁଡ଼ାକୁ ତାମସା ବୋଲି କହି; ମଣିଷକୁ ନେଇ ସ୍ୱପ୍ନ ଦେଖ, ଓଡ଼ିଶାର ସବୁ ମଣିଷଙ୍କୁ ନେଇ ଓଡ଼ିଶାର ସ୍ଵପ୍ନ ଦେଖ । ଓଡ଼ିଶାର ସବୁ ପିଲାଙ୍କୁ ଆଖି ଆଗରେ ଥାପନା କରି ତୁମେ ଓଡ଼ିଶାରେ ଶିକ୍ଷାକୁ ନେଇ ସ୍ଵପ୍ନ ଦେଖ । ବର୍ତ୍ତମାନକୁ ଭୂମିକରି ଏଠାରେ ଏପରି ଏକ ଭବିଷ୍ୟତର ମୂଳଦୁଆ ପକାଇବାକୁ ରାଜି ହୋଇଯାଅ, ଯେଉଁଥିରୁ କି କାହାକୁ ବଞ୍ଚିତ କରି ରଖାଯିବ ନାହିଁ । ଏପରି ଏକ ସମାଜର ଆବାହନ କରିଆଣ, ଯେଉଁଠାରେ କି ମଣିଷମାନେ ପରସ୍ପରର ସାଥୀ ହୋଇ ବାଟ ଚାଲିବେ, କେହି କାହାରିକୁ ଗିଳି ପକାଇବେ ନାହିଁ,– ସେହି ଓଡ଼ିଶାରେ ବାସ କରୁଥିବା ସମସ୍ତଙ୍କର ଭାଗ ରହିବ,–ଓଡ଼ିଶାକୁ ଗଢ଼ିବାରେ ଭାଗ ରହିବ– ଯାହାକିଛି ଏଠି ଆଗକୁ ବାଟ କଢ଼ାଇ ଦେବାରେ ପ୍ରତିବନ୍ଧକ ହୋଇ ରହିଛି, ସେଗୁଡ଼ାକୁ ଭାଙ୍ଗିବାରେ ମଧ୍ୟ ସମସ୍ତଙ୍କର ଭାଗ ରହିବ । ଏପରି ଏକ ଭବିଷ୍ୟ, ଯେଉଁଠାରେ ସବୁ ଓଡ଼ିଆ ଓଡ଼ିଆ କହି ପାରୁଥିବେ, ପୃଥିବୀରେ ଯେତେ ଯୁଆଡ଼େ ବୁଲୁଥିଲେ ମଧ୍ୟ ଘର କହିଲେ ଏହି ଓଡ଼ିଶାକୁ ହିଁ ବୁଝିବେ । ଓଡ଼ିଶାକୁ ଆସ୍ଥାନ କରି ସେମାନେ ବୃହତ୍ତର ପୃଥିବୀଟିକୁ ଦେଖିପାରୁଥିବେ । ସେମାନେ ଭୀରୁ ହେବେନାହିଁ । ଲମ୍ପଟୀ ହେବେନାହିଁ, ଅନ୍ୟ ଅନେକଙ୍କ ଠାରୁ ଅଧିକ ତୋଫା ଓ ଅଧିକ ମୋଟା ହୋଇ ଦେଖାଯିବାକୁ ସେମାନଙ୍କୁ ଲାଜ ମାଡ଼ୁଥିବ । ଏହି ଅନ୍ୟ ଭଳି ମଣିଷମାନେ ହିଁ ଯଥାର୍ଥ ସ୍ଵପ୍ନଗୁଡ଼ିକୁ ଦେଖିପାରିବେ । ଏହି ରାତ୍ରି ଯାଇ ଇପ୍ସିତ ଦିବସଟି ଅବଶ୍ୟ ଆସିବ ବୋଲି ସେମାନେ ସଚେତନ ଭାବରେ ସ୍ଵପ୍ନ ଦେଖିବେ । ଏକୁଟିଆ ଉଦାସିଆ କବିଟିଏ ପରି ନୁହେଁ, ପରସ୍ପରକୁ ଲୋଡ଼ି ଓ ପରସ୍ପରକୁ ପାଖରେ ବସାଇ ସ୍ୱପ୍ନ ଦେଖିବେ । ସେହି ସ୍ୱପ୍ନ ହିଁ ବାଟ କଢ଼ାଇନେବ ।

 

୧୨/୬/୨୦୦୦

Image

 

ସାହିତ୍ୟରେ ବ୍ୟକ୍ତିର ଦୌରାତ୍ମ୍ୟ

 

ବିଂଶ ଶତାବ୍ଦୀର ତୃତୀୟ ଦଶକ ସମୟକୁ ଓଡ଼ିଶାରେ ‘ଆଧୁନିକ’ ନାମରେ ଏକ ପତ୍ରିକା ବାହାରୁଥିଲା । ଏବେ ଆମ ସାହିତ୍ୟରେ ଥୋକେ ଅନ୍ୟମତି ହେଲାପରି ଯେଉଁ ଆଧୁନିକ ଉପରେ ଅତ୍ୟନ୍ତ ଉର୍ଦ୍ଧ୍ୱରେତ ହୋଇ ଉତ୍ତର-ଆଧୁନିକ ନାମକ ଆଉ ଗୋଟାଏ ପର୍ଯ୍ୟାୟକୁ ନାଉ କରି ବସାଇ ଦେଉଛନ୍ତି, ଏହି ପତ୍ରିକାଟି ସହିତ ଆମେ ତାହାର ଆଦୌ କୌଣସି ସମ୍ବନ୍ଧ ଯୋଡ଼ିବାର ଚେଷ୍ଟା କରିବା ନାହିଁ । ଆଧୁନିକ ପତ୍ରିକା ସହିତ ଶ୍ରୀ ଭଗବତୀ ଚରଣ ପାଣିଗ୍ରାହୀ, ଶ୍ରୀ ନବକୃଷ୍ଣ ଚୌଧୁରୀ ଓ ଶ୍ରୀ ଅନନ୍ତ ପଟ୍ଟନାୟକ ପ୍ରଭୃତି ବ୍ୟକ୍ତିମାନେ ସମ୍ପୃକ୍ତ ହୋଇ ରହିଥିଲେ । ସେମାନେ ଏକ ସମାଜବାଦୀ ଚେତନାକୁ ସାହିତ୍ୟ ମଧ୍ୟକୁ ଆମନ୍ତ୍ରଣ କରି ଆଣିଥଲେ । ସମାଜ ବଦଳିବ, ସବୁ ମଣିଷଙ୍କ ଗୋଡ଼ତଳେ ଅନ୍ନଠାରୁ ଆରମ୍ଭ କରି ଆତ୍ମବିକାଶର ଏକ ନିଦ ଭୂମି ରହିବ– ଶୋଷଣ ରହିବ ନାହିଁ, ମଣିଷମାନେ ଭାଗ୍ୟବାଦୀ ନହୋଇ ନିଜର ଭାଗ୍ୟକୁ ନିଜେ ଗଢ଼ିବାରେ ବି ବିଶ୍ୱାସୀ ହେବେ, ମନୁଷ୍ୟକୃତ ସକଳ ଦୂରତାରୁ ମୁକ୍ତି ମିଳିବ,– ଏହିପରି କେତେକ ଭବିଷ୍ୟସ୍ୱପ୍ନ ନିମନ୍ତେ ନିଜକୁ ଅଙ୍ଗୀକାରବଦ୍ଧ କରି ପ୍ରସ୍ତୁତ କରି ଆଣିବା,–ସେମାନେ ସମାଜବାଦୀ ଆବେଦନ କହିଲେ ସେହିକଥା ବୁଝୁଥିଲେ । ଏବଂ ସେହି ସ୍ୱପ୍ନଟିକୁ ସାହିତ୍ୟ ମାଧ୍ୟମରେ ଲୋକସମୀପକୁ ଓ ବିଚାର ସମକ୍ଷକୁ ଆଣିବାର ଅଭିପ୍ରାୟ ଓ ଉତ୍ସାହରେ ସେମାନେ ଏହି ‘ଆଧୁନିକ’ ପତ୍ରିକାଟି ବାହାର କରୁଥିଲେ ।

 

ଓଡ଼ିଆ ସାହିତ୍ୟର ସତ୍ୟବାଦୀ ଯୁଗଠାରୁ ସବୁଜ ମଧ୍ୟ ଦେଇ ଯେଉଁ ବିଶେଷ ଭାବସମ୍ବେଦନାଟି କ୍ରମଶଃ ପୋଖତ ହୋଇ ଆସୁଥିଲା, ‘ଆଧୁନିକ’ ପତ୍ରିକା ଏବଂ ନବଯୁଗ ସାହିତ୍ୟ ସଂସଦ ତାହାର ସତକୁ ସତ ମୁଣ୍ଡି ମାରିଲା ବୋଲି ମଧ୍ୟ କୁହାଯାଇ ପାରିବ । ତା’ ଭିତରେ ସମୂହର ଚିନ୍ତା ସର୍ବପ୍ରଧାନ ହୋଇ ରହିଥିଲା । ଜଣେ ବ୍ୟକ୍ତିର ସୁଷମ ତଥା ସମଗ୍ର ବିକାଶ ନିମନ୍ତେ ଅନୁରୂପ ସମାଜଟିଏ ଯେ ଏକ ଆବଶ୍ୟକ ଭୂମିପରିମଳ ଯୋଗାଇ ଦେଇପାରିବ, ସେତେବେଳେ ଅତ୍ୟନ୍ତ ନିଷ୍ଠାଯୁକ୍ତ ଭାବରେ ସେହି ସତ୍ୟାନୁମାନଟିର ଆଲୋଚନା ହେଉଥିଲା । ସମାଜରୁ ଯାବତୀୟ ଉପାଦାନ ନେଇ ବ୍ୟକ୍ତି ଆପଣାକୁ ଯୋଗ୍ୟ କରିବ, ନିଜ ସମ୍ଭାବନାର ବୃକ୍ଷଟିରେ ନିଜସ୍ୱ ଫୁଲଗୁଡ଼ିକୁ ଫୁଟାଇ ଆଣିବ ଏବଂ ଏକ ପୂର୍ଣ୍ଣ ସମର୍ପଣବୋଧରେ ସେହି ଫୁଲଗୁଡ଼ିକୁ ସିଏ ସମୂହର ଉଦୟ ନିମନ୍ତେ ହିଁ ନିବେଦନ କରିଦେବ । ଉଭୟ ଅନ୍ତର୍ମୁଖୀ ଏବଂ ବହିର୍ମୂଖୀ ଭାବରେ ବିଚାର ଓ ମନନ କରି ଦେଖିଲେ ତାହା ପ୍ରକୃତରେ କେଡ଼େ ସୁସ୍ଥ ମାର୍ଗ ଓ ସୁସ୍ଥ ରୀତିଟିଏ ପରି ମନେହେଉଛି । ସେତେବେଳର ରାଜନୀତିକ ସଂଗ୍ରାମଟି ଭିତରେ ଠିକ୍ ସେହି କଥାଟି ହିଁ ମୁଖ୍ୟ ପ୍ରାଣପ୍ରେରଣା ହୋଇ ରହିଥିଲା । ସ୍ଵାଧୀନତା ସଂଗ୍ରାମକୁ ଏକ ଆତ୍ମିକ ଏକାଗ୍ରତା ପ୍ରଦାନ କରିଥିଲା । ସ୍ୱାଧୀନତା ପରେ ଆମ ସାହିତ୍ୟରେ ସତେଅବା ଏକ ଅପଶକୁନ ଭଳି ଯେଉଁ ଯୁଗ ଆରମ୍ଭ ହେଲା, ସେହି ପ୍ରଥମ କାଳର ହରିବୋଲିଆମାନେ ତାହାକୁ ଏକାବେଳକେ ମୂଳରୁ ହିଁ ଆଧୁନିକ ବୋଲି କହିଲେ । ଦ୍ୱିତୀୟ ମହାଯୁଦ୍ଧ ଶେଷ ହୋଇଥାଏ । ଇଉରୋପରେ ଘରପୋଡ଼ି ପରର ଏକ ଖାଁ ଖାଁ ଉଦାସୀନତା ଏବଂ ଅସ୍ତବ୍ୟସ୍ତତା ରାଜତ୍ଵ କରୁଥାଏ । ନାନା ଭାଙ୍ଗିବାର ଏକ ମହାସ୍ତୁପ ଉପରେ ଜୀବନରେ ଭରା ଦେଇ ଛିଡ଼ା ହୋଇ ପାରିବାର କୌଣସି ସତ୍ୟ ପ୍ରକୃତରେ ରହିଛି ବୋଲି ଦୃଷ୍ଟିଗୋଚର ହେଉନଥାଏ । ନିଜର ସବୁକିଛି ପରେ ଘୋର ସଂଶୟ ଆସୁଥାଏ । ଆଉ ନୂଆ କିଛି ଅଛି ବୋଲି ବିଶ୍ୱାସ ହେଉନଥାଏ । ଏଣେ, ଅପରପକ୍ଷରେ ଭାରତବର୍ଷ ନିଜର ରାଜନୀତିକ ସ୍ୱାଧୀନତା ଲାଭ କରିଥାଏ । ଗୋଟିଏ ଦୀର୍ଘ ଅପେକ୍ଷା ଏବଂ ସଂଗ୍ରାମର ଯୁଗକୁ ଅତିକ୍ରମ କରି ସତେଅବା ଭୂମିକୁ ଓହ୍ଲାଇ ଆସୁଥାଏ । ସେହି ଭୂମି ଏଣିକି ତା’ର ନିଜର ଭୂମି । ସିଏ ଏଇଟିକୁ ତା' ନିଜ ନକ୍‍ସାଗୁଡ଼ିକୁ ଦେଇ ଗଢ଼ିବ । ଅଗଣିତ ଆହ୍ୱାନ ଏବଂ ଭଳି ଭଳି ଆଦର୍ଶ ଅପେକ୍ଷା କରି ରହିଥାଆନ୍ତି । ଭାରତବର୍ଷକୁ ଏହିଭଳି ନାନା ତାରୁଣ୍ୟର ସ୍ଵପ୍ନମାନ ଉଦବେଳିତ କରିବାରେ ଲାଗିଥାଏ । ଆମ ଇଂରେଜୀ ପଢ଼ୁଆମାନେ ସେତିକିବେଳେ ଆଧୁନିକ ବୋଲି କହି ଏକ ବୁଢ଼ା ସାହିତ୍ୟର ଭୂଆଁ ବୁଲାଇ ବାହାରିଲେ । ନାନା ତାତ୍କାଳିକ ବିଡ଼ମ୍ବନାର ପ୍ରୀତିରେ ପଡ଼ି ସ୍ୱାଧୀନତା ପରେ ଆମର ନେତୃତ୍ୱଗୁଡ଼ିକ ମଧ୍ୟ ସେହି ପୁରୁଣା ଧିସାରେ ଶିକ୍ଷିତ ହୋଇ ରହିଥିବା Anglophil ମାନଙ୍କର ପଣତରେ ଚାବିନେନ୍ଥା ପରି ବନ୍ଧା ହୋଇ ରହିଲା । ସେମାନେ ନିଜ ଆତ୍ମିକ ଆନୁଗତ୍ୟଗୁଡ଼ିକର କ୍ଷେତ୍ରରେ ସେହି ଉପନିବେଶ-କାଳର ମୋହଟା ଭିତରେ ବନ୍ଧା ହୋଇ ରହିଥିଲେ । ସେହି ଖୁଆଡ଼ଟା ଭିତରୁ ଯେଉଁମାନେ ନୂଆ କବି ହୋଇ ବାହାରିଲେ, ସେମାନେ ବି ସତେଅବା ସେଇ ସାହିତ୍ୟହାଟର ପ୍ରେମରେ ପଡ଼ି ଭାରତବର୍ଷରେ ମଧ୍ୟ wasteland ର ପ୍ରତ୍ୟକ୍ଷ କଲେ, ଏବଂ ଏହିଭଳି ପ୍ରତ୍ୟକ୍ଷ କରି ଖୁବ୍ ଖୁସି ହୋଇଗଲେ । ସତେଅବା ଆମର କେତେ କେତେ ଆକାଂକ୍ଷାକୁ ମୁଣ୍ଡ ଲଣ୍ଡା କରି ଛାଡ଼ିଦେବାକୁ ସେମାନଙ୍କ ହାତରେ ନୂଆ କ୍ଷୁରଟାଏ ମିଳିଗଲା-

 

ପୂରା ଅନୁକରଣ ଆରମ୍ଭ ହୋଇଗଲା । ସାଆନ୍ତମାନେ ତେଣେ ଇଂରାଜୀରେ ଯୋଉ ଭଙ୍ଗିମାରେ କଥାମାନ ଖଞ୍ଜିଛନ୍ତି, ସେହି ଭଙ୍ଗିମାରେ ଓଡ଼ିଆରେ କବିତା ଛନ୍ଦିଦେଇ ଏମାନେ ସତେଅବା ଏକ ନୂତନ ପ୍ରଭାବର ଆନନ୍ଦ ଲାଭ କଲେ । ସେହି ବିଲାତି ରୀତିରେ ଆମ ଭୂମିରୁ ନୂଆ ଚିତ୍ରକଳ୍ପ ଏବଂ ଉପମାମାନ ଖୋଜି ସିଧା ସହରକୁ ବୋହି ଆଣିଲେ । ଏହି ଆଧୁନିକ ଯୁଗଟିକୁ ଓଡ଼ିଆ ସାହିତ୍ୟରେ ଏକ ସହରୀ ଯୁଗ ବୋଲି କୁହାଯାଇ ପାରିବ । ସାହିତ୍ୟ ପାଇଁ କିଞ୍ଚତ୍ ଦରଦ ଅଥବା କୋପନ ରହିଥିବା କେତେ ଉଚ୍ଚ ଉଚ୍ଚ ଅମଲା ମଧ୍ୟ ସେହି ନୂଆ ଯାତରେ ଆସି ଯୋଗ ଦେଲେ । ଏଇଟା ଆଦୌ ଏକ ଆକସ୍ମିକ ଘଟଣା ନୁହେଁ ଯେ, ରାଜ୍ୟର କଲେଜ୍‌ମାନଙ୍କରେ ଇଂରାଜୀ ପଢ଼ାଉଥିବା ଅଧ୍ୟାପକମାନେ ପ୍ରାୟ ସମସ୍ତେ ଏହି ଅବସରରେ ସବାରିବାହକ ହୋଇ ବାହାରି ଆସିଲେ । ସେମାନଙ୍କୁ ଆବଶ୍ୟକ କାଞ୍ଜିପଟାଗୁଡ଼ିକୁ ଯୋଗାଇ ଦେଇ ଓଡ଼ିଆ ଭାଷାରେ ଖାସ୍ ଏହି ସାହିଟା ନିମନ୍ତେ ବିଶେଷ ପତ୍ରିକାମାନ ବାହାରିଲା । ଗୋଟାଏ ନୂଆ ଢଙ୍ଗର ଓଡ଼ିଆ ଭାଷା ସେମାନଙ୍କ ଅଧ୍ୟବସାୟରୁ ଉଦଗତ ହୋଇ ଆସିଲା, ଯାହାକି ଜିଭ ଆଗରେ ପଢ଼ୁଥିବା ବେଳେ ମଥା ଭିତରେ ପୂରା ଇଂରାଜୀ ଭାଷାର ଆମେଜ୍ ଅବଶ୍ୟ ସୃଷ୍ଟି କରୁଥିବ । ସେହି ପ୍ରୀତି କବିତାରୁ ଗପ ଓ ନାଟକକୁ ମଧ୍ୟ ଡେଇଁବାକୁ ଆରମ୍ଭ କଲା । ଆଧୁନିକ ଯୁଗଟା ପୂରା ଆଧୁନିକ ଦୁଶିଲା । ତା’ ପୂର୍ବରୁ ସାହିତ୍ୟ ବୋଲି ଏହି ମାଟିରେ ଆଉ କିଛି ଥିଲା କି ନାହିଁ, ସେହି ବିଷୟରେ କୌଣସି ପ୍ରଶ୍ନ କରିବାକୁ ମୋଟେ ମନ ହେଲାନାହିଁ ! ଠିକ୍ ଗୋଟାଏ ଗୋଟାଏ ବାଡ଼ରେ ନିର୍ମୂଳୀମାନେ ମାଡ଼ିଥିବା ପରି, ଏପରି ଘନ ଓ ଉଜ୍ଜ୍ୱଳ ଆସ୍ତରଣଟିଏ ସୃଷ୍ଟି କରି ବାଡ଼ଟାକୁ ମାଡ଼ି ବସିଥାନ୍ତି ଯେ, ତଳେ ଆଦୌ ଗୋଟାଏ ବାଡ଼ କେବେ ଥିଲା ଅଥବା ଅଛି ବୋଲି ଭାବିବା ପାଇଁ ମୋଟେ ମନ ହୁଏନାହିଁ ।

 

ଏହି ଯୁଗକୁ ନିଜର ଏକ ନ୍ୟାୟ ଦ୍ୱାରା ବ୍ୟକ୍ତିର ଯୁଗ ବୋଲି କୁହାଗଲା । କବି କୁଆଡ଼େ ତା’ ଗଭୀରତମ ଅଳିନ୍ଦ ଭିତରେ ଜଣେ ବ୍ୟକ୍ତି, ତା’ର ଅସଲ ବିଶ୍ଵଟି ତା' ଭିତରେ,– ଆଦୌ ବାହାରେ ନୁହେଁ । ବାହାରେ ତୁମ ଆମଙ୍କର ଏହି ବିଶ୍ୱ,– କବି ଜାଣିଶୁଣି ଏଥିରୁ ନିଜକୁ ନିର୍ବାସିତ କରିନେଇଛି । ନିଜର ତଥାକଥିତ ଏକ ବ୍ୟକ୍ତିବିଶ୍ୱ ଭିତରେ ନିଜ ସିଂହାସନରେ ବସିଛି, ଏକା ଏକା ବାଦ୍‍ଶାହ ବନିଛି । ସେଠାରେ ତା’ର ଏକ ଅନ୍ୟ ଆଖି, ଏକ ଅନ୍ୟଧର୍ମୀ ଅନ୍ତସ୍କରଣ,– ସମସ୍ତେ ତାହାକୁ ସ୍ୱୀକାର କରିବାକୁ ଅଲବତ୍ ବାଧ୍ୟ । କଳା-ଶକ୍ତି ଏକ ଅନ୍ୟ ଶକ୍ତି,– ଏବ ବିଶ୍ଵବାହାର ଶକ୍ତି । ସେହି ଶକ୍ତି କଦାପି ସମସ୍ତଙ୍କୁ ମାଡ଼ି ବସିବ ନାହିଁ । କେଉଁ କିସମର ଖାସ୍ ଅନୁକୂଳତାମାନ ପାଇଲେ ଯେ ସିଏ ଜଣେ ମଣିଷକୁ ମାଡ଼ି ବସିବ, ତାହାର କୌଣସି କାରଣ ଖୋଜିବା ଉଚିତ ନୁହେଁ । ଏହି ପୃଥିବୀରେ ବହୁତ ଅବାନ୍ତରତା ଓ ବହୁତ ଅକାରଣତା ରହିଛି । ତେଣୁ କବି ଭିତରର ଶୁଦ୍ଧ ଚିତ୍ତଟି ଆପଣାକୁ ଏଠୁ ପ୍ରତ୍ୟାହୃତ କରିନେଇଛି– ସିଏ ନିଜର ଏକ ଶୁଦ୍ଧ ବ୍ୟକ୍ତିତ୍ୱର ଅଳିନ୍ଦ ଭିତରକୁ ପଶିଯାଇ ସେଇଠି ପଲା ପକାଇଛି ଓ କବିର ଚେତନାରେ ଜୀବନକୁ ଦେଖୁଛି, ପ୍ରେମକୁ ଦେଖୁଛି ଓ ମୃତ୍ୟୁକୁ ଦେଖୁଛି । ଏବଂ ସେହି ଦେଖିବାରୁ ହିଁ କବିତା ନିଃସୃତ ହୋଇଆସୁଛି । ଯାବତୀୟ ଅର୍ଥରେ ସିଏ କାର୍ଯ୍ୟତଃ ନିଜକୁ ଦୁଇ ଭାଗ କରିଦେଇଛି । ଗୋଟିଏ ଭାଗରେ ଏହି ସଂସାରକୁ ବଞ୍ଚୁଛି ଓ ଆର ଭାଗଟିରେ କବିତା ନାମକୁ ଆତ୍ମରମଣରେ ନିମଗ୍ନ ହୋଇ ରହିଛି । ସଂସାର ଭିତରେ ଅଛି, ତଥାପି ନିଃସଙ୍ଗପ୍ରାୟ ହୋଇ ରହିଛି । ନିଃସଙ୍ଗପ୍ରାୟ ରହି ସଂସାରକୁ ନିଜ ନାକଯାଏ ଭୋଗ କରୁଛି-। ଦୁଇ ଭୂମିକା ପାଇଁ ଗୋଟିଏ ଜୀବନରେ ଅନୁକୂଳିତ ହୋଇ ରହିବାରେ ସିଏ ମୋଟେ କୌଣସି ବିରୋଧ ଲକ୍ଷ୍ୟ କରି ପାରୁନାହିଁ ।

 

ହଁ, ଯଦି କବି ତଥାପି ଏପରି କହୁଛି, ତେବେ ସେହିପରି ନିଶ୍ଚୟ ହୋଇଥିବ । ଏହି ଯୁଗପତ୍ ଦୁଇ ପରିଚୟରେ ମାପି ଆଧୁନିକ କବିକୁ ଏକାଧିକ ଅର୍ଥରେ ଏକ ଅସାଧାରଣ ଜୀବନ ବୋଲି କୁହାଯାଇ ପାରିବ । ଏଥିରେ ମଧ୍ୟ ଆମର ଆଦୌ କିଛିହେଲେ କହିବାର ନାହିଁ । ମାତ୍ର ଯଦି ଅନ୍ୟକଥାଟି ମଧ୍ୟ ସତ ହୋଇଥାଏ, ତେବେ ଏହି ଅସାଧାରଣ ହୋଇ ରହିବାକୁ ବସ୍ତୁତଃ ନିତାନ୍ତ ଅସ୍ୱାଭାବିକ ହୋଇ ରହିବ ବୋଲି କୁହାଯାଇ ପାରିବ । ସାହିତ୍ୟ ଲୋଡ଼େ, ସାହିତ୍ୟ ବ୍ୟକ୍ତିବିଶ୍ଵ ନାମକ କୌଣସି ଅଲଗା ଗମ୍ଭୀରି ଭିତରକୁ ମୋଟେ ଛୁ କରେ ନାହିଁ । ସାହିତ୍ୟ ଯୋଡ଼େ, ବନ୍ଧୁ ବାନ୍ଧେ, ସାଙ୍ଗ ହୋଇ ରହିବାର ସହସ୍ର କାରଣକୁ ଉନ୍ମୋଚିତ କରି ଦେଉଥାଏ । କିବି ଆଗ ସାଙ୍ଗଟିଏ ହୋଇ ରହିବାର ବିଶେଷ ଦୀକ୍ଷାଟିଏ ନେଇ ପୃଥିବୀକୁ ବାହାରେ । ନିଃସଙ୍ଗ ହେବାର ଆତ୍ମଦୌରାତ୍ମ୍ୟରୁ ରକ୍ଷା ପାଇବା ସକାଶେ ହିଁ ସେ କବିତାକୁ ଅର୍ଥାତ୍ ସାହିତ୍ୟକୁ ସିଡ଼ିଟିଏ ପରି ଗ୍ରହଣ କରିଥାଏ । ସେହି ସିଡ଼ି ବା ସେତୁ, ସେଥିପାଇଁ ଯୋଗ୍ୟ ମଣିଷଟିକୁ ପୃଥବୀଯାକର ଆତ୍ମୀୟ ହୋଇ ରହିବାକୁ ବାଟ ଦେଖାଇ ଦିଏ, ଅଭୟ ଦିଏ, ସାହସ ଦେଇଯାଏ ।

 

ଯିଏ ସତକୁ ସତ ଭିତରକୁ ଯାଇପାରେ, ସିଏ ଆହୁରି ଅଧିକ ନିବିଡ଼ ଭାବରେ ଏହି ସବୁକିଛି ସହିତ ଗଅଁଠାଇ ହୋଇଯାଏ । ବାନ୍ଧି ହୋଇଯାଇ ମୁକ୍ତି ପାଏ । ମୋଟେ ରୁଷିବାକୁ ପଡ଼େ ନାହିଁ କିମ୍ବା ରୋଦନର ଆଶ୍ରୟ ନେବାକୁ ପଡ଼େନାହିଁ । ଆମ ଜୀବନର ଗଭୀରତମ ଅନୁଭୂତି ହେଉଛି ଏକାଧାରରେ ଏକ ବ୍ୟକ୍ତିଗତ ଅନୁଭୂତି ଏବଂ ଏକ ବିଶ୍ଵଅନୁଭୂତି । ତେଣୁ, ଶିଖରରୁ ଶିଖର ଆରୋହଣ କରୁଥିବା ସଙ୍ଗେ ସଙ୍ଗେ ଆମର ଆଖି ସମୁଖରେ ଏହି.ବିଶ୍ୱର ପରିଟି ମଧ୍ୟ ବୃହତ୍ତର ହେବାରେ ଲାଗିଥାଏ । ଜୀବନର ଯଥାର୍ଥ ଉପଲବ୍‍ଧିଗୁଡ଼ିକ ଆମକୁ ଆଦୌ କୌଣସି ବ୍ୟକ୍ତିବିଶ୍ୱର ଖାତ ଭିତରେ ନେଇ କିଳି ପକାଏ ନାହିଁ । ଆମକୁ ଅଧିକରୁ ଅଧିକ ସମ୍ମିଳିତ ଏବଂ ସମର୍ପିତ ଭାବରେ ବଞ୍ଚିବାର ଶିକ୍ଷା ଦିଏ । ତାହା ଆମ ଜୀବନରେ ବହୁ ଦ୍ଵାର-ଉନ୍ମୋଚନର କାରଣ ହୁଏ । ଆମ ଆଧୁନିକ ସାହିତ୍ୟରେ ଯେଉଁମାନେ ବ୍ୟକ୍ତିସତ୍ୟକୁ ଉଲୁଗୁଣା ପରି ବ୍ୟବହାର କରି ସାହିତ୍ୟକୁ ଏକ ବିଶେଷ pastime ବା ଚଗଲାମି ପରି ବ୍ୟବହାର କରୁଛନ୍ତି, ଆମେ ସେମାନଙ୍କର ଯାବତୀୟ ସାହିତ୍ୟକ କର୍ଷଣକୁ ବୁଝିବାକୁ ଆଗରୁ ସେମାନଙ୍କୁ ହିଁ ବୁଝିବାକୁ ଚେଷ୍ଟା କରିବା । ସାହିତ୍ୟର ବେଢ଼ଣିଟାକୁ ଚଦର କରି ଉପରେ ପକାଇ ସେମାନେ ଆମଠାରୁ ଯେତେ ଅଲଗା ହୋଇ ରହିବାକୁ ଇଚ୍ଛା କରୁଥିଲେ ମଧ୍ୟ ସେମାନଙ୍କର ଅଧିକ କତିକୁ ଯିବା ଓ ଯଥାସମ୍ଭବ ସମଗ୍ର ଭାବରେ ସେମାନଙ୍କୁ ଦେଖିବାକୁ ଚେଷ୍ଟା କରିବା । ଗୋଡ଼ ରଖି ଛିଡ଼ା ହେବାକୁ ତୁମର ଯଦି ବିଶ୍ଵ ବୋଲି କିଛି ନାହିଁ, ତେବେ ତୁମର ବ୍ୟକ୍ତି ନାମକୁ ସେହି ଖଣ୍ଡିଆ ପରିଚୟଟି ପ୍ରକୃତରେ କ’ଣ ହୋଇଥିବ ଆମକୁ କହିବଟି ? ଆଧୁନିକ ଯୁଗରେ ମଣିଷ ଖଣ୍ଡ ଖଣ୍ଡ ହୋଇ ବ୍ୟକ୍ତି ହିସାବରେ ନିଜ ପ୍ରତି ଏବଂ ଏକ ଆତ୍ମା ହିସାବରେ ବିଶ୍ଵସମ୍ବେଦନାର ଆହ୍ୱାନଗୁଡ଼ିକ ପ୍ରତି ଯେପରି ବଧିର ହୋଇ ରହିବାକୁ ବେଳେବେଳେ ଫିକର କରୁଛି, ଆମ ଆଧୁନିକ ସାହିତ୍ୟ ମଧ୍ୟ ଆମକୁ ଫିସାଦ କରି ସେଥିପାଇଁ ଆଉ କିଛି କୁମନ୍ତ୍ରଣା ଯୋଗାଇ ଦେବାରେ ପ୍ରୟାସ କରୁଛି କି ? ଏହି ବିପଦର ପ୍ରତିକାର ସ୍ୱରୂପ, ଆମେ ଏହି ଖାଲି ବାହାରୁ ଗଭୀରକୁ ଯାଇ ନିଜ ଭିତରର ବ୍ୟକ୍ତିକୁ ଭେଟିବା ଓ ସେଠାରୁ ଆହୁରି ଭିତରକୁ ଯାଇ ସମଗ୍ର ବିଶ୍ଵକୁ ଭେଟିବା, ସେଇଠି ମିତଟିଏ ହୋଇ ଜୀବନ ବାହିବା !

୧୯/୬/୨୦୦୦

Image

 

ଆଲୋଡ଼ନ ସୃଷ୍ଟି ହେଉ

 

ରାଜ୍ୟର କୌଣସି ଶିକ୍ଷକସଂଘର ଯେଉଁ ସମ୍ବାଦବାହୀ ପତ୍ରିକାଟି ପ୍ରକାଶ ପାଏ, ଏବେ ତା’ର ସଂପାଦକୀୟ ଲେଖାରେ ଗୋଟିଏ ଘଟଣା ବିଷୟରେ ବାହାରିଛି । ଘଟଣାଟି ଏକ ଶୁଣା ଘଟଣା, ସତ ହୋଇପାରେ, ନହୋଇ ବି ପାରେ । ରାଜ୍ୟରେ ଯୋଡ଼ା ଯୋଡ଼ା ତିନି ଯୋଡ଼ା ବିଶ୍ୱବିଦ୍ୟାଳୟ । ଭିନ୍ନ ଭିନ୍ନ କିସମର ବିଶ୍ୱବିଦ୍ୟାଳୟ । କେହି ପୁରୁଣା, ଆଉ କେହି ଏକାବେଳକେ ନୂଆ । କାହାର ଭାଗ ଓ ବିଭାଗୁଡ଼ିକ ପୋଖତ ନିଶ ଓ ଦାଢ଼ି ପରି ଏଡ଼େ ଏଡ଼େ ହୋଇ ଶୋଭା ପାଉଛି; ହୁଏତ ଆଉ କେତୋଟିରେ କିଭଳି ନିଶ ଓ ଦାଢ଼ିମାନ ରୋପଣ କରାଯିବ, ପାରମ୍ପରିକ ବୈଠକମାନ ଡକାଇ ସେହି ସମ୍ପର୍କରେ ଚିନ୍ତା କରାଯାଉଛି । ବିଶ୍ଵବିଦ୍ୟାଳୟ ନାମକ ବିଶେଷ ବରାଦ ଅର୍ଥାତ୍ ବ୍ୟବସ୍ଥାଟିକୁ ଚଳାଇବା ନିମନ୍ତେ ଯିଏ ସବା ଉଞ୍ଚରେ ନିଯୁକ୍ତ ହୋଇ ରହିଥାନ୍ତି, ତାଙ୍କୁ ଦାଣ୍ଡର ବୋଲିରେ କୁଳପତି ବୋଲି କୁହାଯାଏ । କୁଳପତିଙ୍କର କେତେ କଦର ଓ କେତେ ଦରମା । କୁଳପତି ଗୋଟିଏ ମସ୍ତ ପଦ । ବିଶ୍ଵବିଦ୍ୟାଳୟକୁ ଆସିବାର ପୂର୍ବରୁ ହିଁ ସିଏ ଆହୁରି କେତେ କେତେ ଜାଗାରେ ଖ୍ୟାତ ଏବଂ ବିଖ୍ୟାତ ହୋଇ ଆସିଥାଆନ୍ତି । ପୂର୍ବରୁ ସେଡ଼େ ଭଳି ଖ୍ୟାତି ରହିଥାଏ ବୋଲି ତାଙ୍କୁ ବିଶ୍ୱବିଦ୍ୟାଳୟ ନିମନ୍ତେ ବରଣ କରି ଅଣା ଯାଇଥାଏ ।

 

ଏବେ ଗୋଟିଏ ଅବସରରେ ଛଅଟି ଯାକ ବିଶ୍ଵବିଦ୍ୟାଳୟର କୁଳପତି ଛଅମୂର୍ତ୍ତିଯାକ ଏକ ବୈଠକରେ ବସିଥିଲେ । ସରକାର ସେମାନଙ୍କୁ ଏକାଠି ହକାରି ଆଣି ବିଶ୍ଵବିଦ୍ୟାଳୟର ସାଧାରଣ ଦୁଃଖସୁଖମାନ ପକାଇଥିଲେ । ସେମିତି ଦେଖୁବାକୁ ତ ବିଶ୍ୱବିଦ୍ୟାଳୟଗୁଡ଼ିକ ବେଶ୍ ଚାଲିଛନ୍ତି । ପରୀକ୍ଷା ହେଉଛି, ପରୀକ୍ଷା ଫଳ ବାହାରୁଛି, ତୁମ ଆମ ପୁଅ ଓ ଝିଅମାନେ କୃତିତ୍ୱ ହାସଲ କରୁଛନ୍ତି । ପୁରୁଣାମାନେ ଯୋଉ ଗୁଳାରେ ଚାଲି ଆସିଛନ୍ତି, ନୂଆମାନେ ନ୍ୟାୟତଃ ସେହି ଗୁଳାକୁ ଅନୁସରଣ କରି ନେଉଛନ୍ତି ବୋଲି ପ୍ରାୟ କୌଣସି ଅସୁବିଧା ହେଉନାହିଁ । ତଥାପି ସମସ୍ତେ ଭାରି କିଚିରିମିଚିରି ହେଉଛନ୍ତି ଯେ, ମାନଗୁଡ଼ିକ ତଳକୁ ଖସି ପଡ଼ୁଛି ! ଆଗେ ସବୁ କେତେ ଭଲ ଥିଲା, ଏବେ ସେପରି କ୍ଵଚିତ୍ ଦୃଷ୍ଟିଗୋଚର ହେଉଛି ବେଳେବେଳେ କୁଆଡ଼େ ଅରାଜକତା ଆସି ପଶି ଯାଉଛି । ଆହୁରି ଥୋକେ ତ କ’ଣ ପାଇଁ ଏପରି କହୁଛନ୍ତି ଯେ, ବିଶ୍ଵବିଦ୍ୟାଳୟରେ ଅରାଜକତା ସବୁ ସମୟରେ ରହିଛି । ଅରାଜକତା ହିଁ ରାଜତ୍ୱ କରୁଛି । ବେଳେବେଳେ ବାହାରକୁ ଠୋ’ କରି ଫୁଟି ପଡ଼ୁଛି ଏବଂ ଚତୁର୍ଦ୍ଦିଗକୁ ଗନ୍ଧରେ ଭର୍ତ୍ତି କରି ଦେଉଛି । ବାହାରେ ଯେଉଁ ସମୁଦ୍ରଟା ଅଛି ବୋଲି ତା’ ଭିତରେ ଏକ ବିଶ୍ଵବିଦ୍ୟାଳୟ ମଧ୍ୟ ଟାପୁଟିଏ ପରି ହୋଇ ରହିଛି, ସେହି ସମୁଦ୍ରଟା ମଧ୍ୟ ଭାରି ଆଚମ୍ବିତ ହୋଇଯାଉଛି । ସେହି ସମୟଗୁଡ଼ାକରେ କେହି କାହାରି କଥା ମାନନ୍ତି ନାହିଁ । ଖୁଣ୍ଟ ଥିଲେ ଛପର ନଥାଏ ଅଥବା ଛପର ଥିଲେ ଖୁଣ୍ଟ ନଥାଏ । ପିଲାମାନେ ପାଠ ପଢ଼ନ୍ତି ନାହିଁ, ରାସ୍ତାକୁ ବାହାରି ପଡ଼ି ତୁର୍ଯ୍ୟନାଦ ଦିଅନ୍ତି । ଶିକ୍ଷକମାନେ ଘରେ ଲୁଚିଥାନ୍ତି । ସେମାନେ ସତେ ଅବା କୋଉ କାଳରୁ ପିଲାଙ୍କ କଥା ମାନ ନଥାନ୍ତି ବୋଲି ଯେ ଆଖର ଏମିତି ଗୋଟାଏ ସଙ୍କଟ ଆସି ଉପସ୍ଥିତ ହେଲା, ସତେଅବା ନିଜ ପୃଥିବୀଟିରେ ଭାରି ତରକା ହୋଇ ରହିଥିବାରୁ ସେମାନେ ସେହି କଥାଟିକୁ ଖିଆଇକୁ ବି ନିଅନ୍ତି ନାହିଁ । ସେମାନେ ପିଲାମାନଙ୍କ ପଟେ ମୋଟେ ନଥାନ୍ତି । ଶିକ୍ଷାକୁ ଅଶିକ୍ଷା ମାଡ଼ି ବସିଥାଏ । ନାନା ତାତ୍କାଳିକତାର ସାଲିଶ୍‍ଗୁଡ଼ାକ ବଡ଼ମାନଙ୍କୁ ଯେ ବସ୍ତୁତଃ କେତେ ନିଃସହାୟ କରି ଆଣିଛି, ସେହି ଉଜୁଡ଼ା ସମୟମାନଙ୍କରେ ହିଁ ସେହି କଥାଗୁଡ଼ିକୁ ଜଳ ଜଳ କରି ଦେଖିହୁଏ । ମାତ୍ର ସାମ୍ନା କରି ହୁଏ ନାହିଁ । ଲାଙ୍ଗୁଡ଼ ଗୁଡ଼ିକରେ ଲାଗିଥିବା କେଡ଼େ କେଡ଼େ ବିଦ୍ୟା ସେତେବେଳେ କୌଣସି କାମ ଦିଏ ନାହିଁ । ମୂଷାମାନେ ଘର ଭିତରେ ଲୁଚି ରହିଥାନ୍ତି । ସେମାନଙ୍କର ଚାଟମାନେ ବିଲେଇ ହୋଇ ରାସ୍ତା ଉପରେ ଫକ ଫଳ ହୋଇ ଡେଉଁଥାନ୍ତି । ସତେ ଯେମିତି ଗୋଟାଏ ପଟ ଆର ପଟଟି ସକାଶେ ମୋଟେ ତିଆରି ହୋଇନାହିଁ, ସେହିପରି ବୋଧ ହେଉଥାଏ ।

 

ସେଦିନ ଛଅ ଛଅଟା କୁଳପତିଙ୍କ ମେଳରେ ଏହିସବୁ ନଟଖଟିଆ ଅରାଜକତାର କଥା ପଡ଼ିଥିଲା । କିଭଳି ଜଣେ କୁଳପତି ଗୋଟିଏ ବିଶ୍ଵବିଦ୍ୟାଳୟକୁ ନିଯୁକ୍ତ ହୋଇ ଆସିଲେ ଏହି ଅରାଜକତା ଦୂର ହୋଇ ପାରିବ, ସେମାନଙ୍କୁ ଏକାଠି କରିବା ଉଚ୍ଚତର କର୍ତ୍ତା କୁଆଡ଼େ ଗୋଟିଏ ମୁହୂର୍ତ୍ତରେ ସେହି ପ୍ରଶ୍ନଟିକୁ ପଚାରିଥିଲେ । ଏବଂ, ଅଧିକାଂଶ କୁଳପତି ତତକ୍ଷଣାତ୍ ଉତ୍ତର ଦେଇ କହିଥିଲେ ଯେ, ଆଜ୍ଞା, ଜଣେ ଜଣେ ଆଇ.ପି.ଏସ୍. ଅଫିସରଙ୍କୁ ନିଯୁକ୍ତ କରି ରଖିଲେ ଆଉ ଆଦୌ ସମସ୍ୟା ରହିବ ନାହିଁ । ଅର୍ଥାତ୍ ଭୀମାକୁ ପୂରା ସବୁ ଛାଡ଼ି ଦିଆଯାଉ, ସେହି ସବୁ କିଛି ସାଧ୍ୟ କରିଦେବ । ଉତ୍ତରଟି କହିଦେବା ପରେ ସମ୍ପୃକ୍ତ କୁଳପତିମାନେ ସେଦିନ ଭାରି ଆଶ୍ଵସ୍ତି ଅନୁଭବ କରିବେ ।

 

ସମ୍ପୂର୍ଣ୍ଣ ସିଧା କଥା ଯେ, ଏହି ଦେଶଟାକୁ ଭୀମାମାନେ ହିଁ ଚଳାଇ ଆସୁଛନ୍ତି । ଭାରତବର୍ଷ ସ୍ୱାଧୀନତା ହାସଲ କରିବା ପରେ ସବୁ କ୍ଷେତ୍ରରେ ଭୀମାମାନେ ହିଁ ଏହି ଦେଶରେ ଗୋଟିକ ପରେ ଗୋଟିଏ କରି ଯାବତୀୟ କଣ୍ଟାକ୍ଟରୀକୁ ହାତର ପାଞ୍ଚ କରି ନେଇଛନ୍ତି । ରାଜନୀତିରୁ ରାଜନୀତିର ମର୍ମ ଅଥବା ଧର୍ମ ଜାଣିଥିବା ମଣିଷମାନେ କୋଉକାଳୁ ବିଦା ହୋଇ ଚାଲିଗଲେଣି । ସର୍ବପ୍ରଥମ ଭୀମାର ପରାକ୍ରମ ହେତୁ ଆମର ଏହି ରାଜ୍ୟରେ ମଧ୍ୟ ଏକଦା ଆମ ରାଜନୀତି ଯେ ସ୍ଵରାଜ୍ୟ-ଆଶ୍ରମରୁ ବିହାରୀବାଗକୁ ଉଠି ଯାଇଥିଲା, ତା’ପରେ ‘‘ସିଏ ସେଇଆଡ଼େ ରହିଯାଇଛି ସିନା, ଆଉ ନିଜ ବସାକୁ ଫେରିନାହିଁ । ପରବର୍ତ୍ତୀ ଭୀମାମାନେ ଶାସନ ଓ ରାଜନୀତିକୁ ସତେ ଅବା ବିବି ପରି ଭୋଗ କରିବେ ବୋଲି ନିଜ ଘରେ ଦରବାର ବସାଇ ଓଡ଼ିଶାମଣ୍ଡଳକୁ ସେଇ ଘରୁ ଶାସନ କରିଛନ୍ତି ଏବଂ ସେହି ପରମ୍ପରାଟି ଏବେ ମଧ୍ୟ ଚାଲିଛି । ଏକାଧିକ ଭୀମା ହେବାରୁ ଏବେ ସେହି ଗୋଟିଏ ଦଳରେ ସାହୀ ଭୀମାମାନେ ବାହାରି ଅଲଗା ଅଲଗା ଆଖଡ଼ା ସିନା କଲେଣି, ମାତ୍ର ଆଉ କେହି ହେଲେ ରାଜନୀତିକୁ ଫେରୁ ନାହାନ୍ତି । ଏଣିକି ରାଜନୀତିରେ ଗଣେଶ ବା କାର୍ତ୍ତିକ ହୋଇ ପଶିବାକୁ ହେଲେ ବରଂ ଭୀମା ହେବା ପାଇଁ ବୃହଦ୍‍ଦନ୍ତମାନଙ୍କ ଠାରୁ କିଛି ତାଲିମ୍ ନେବାକୁ ପଡ଼ୁଛି ସିନା, କିନ୍ତୁ ରାଜନୀତିକ କୌଣସି ତାଲିମର ପ୍ରୟୋଜନ ହେଉନାହିଁ । ଅନେକଙ୍କୁ ସେହି ତାଲିମ୍ ଘରେ ହିଁ ମିଳିଯାଉଛି ଏବଂ ସେମାନେ ଘରୁ ସାର୍ଟିଫିକେଟ୍ ନେଇ ଭୀମା ହୋଇ ବାହାରି ପାରୁଛନ୍ତି ।

 

ଆମ ସଂସାରରେ ଏହି ଭୀମାର ପ୍ରକୃତି ହେଉଛି ଅଳ୍ପ ବହୁତ ପରିମାଣରେ ପୋଲିସ୍‌ର ପ୍ରକୃତି ! ବେଳେବେଳେ ତ ଅନ୍ଦାଜ କରିହୁଏ ଯେ, ଏହି ପୋଲିସମାନେ ରହିଛନ୍ତି ବୋଲି ଏଠି ଯାହାକିଛି ଯାହିତାହି ହୋଇ ଚଳିପାରୁଛି । ଇଂରେଜଙ୍କ ଅମଳରେ ନିଜ ଶାସନକୁ ପ୍ରାୟ ଏକ ଆତଙ୍କ ରୂପେ ଜାରି କରି ରଖିବାକୁ ଦେଶରେ ସେମାନେ ପୋଲିସ୍‌ମାନଙ୍କୁ ପ୍ରାୟ ଏକ ମହାପ୍ରତୀକ ପରି ବ୍ୟବହାର କରୁଥିଲେ । ସ୍ଵାଧୀନତା ପରେ ଆମ ନିଜ ଶାସକମାନେ ମଧ୍ୟ ସମ୍ଭବତଃ ଯହୁଁ ଯହୁଁ ଅସଲ କାର୍ଯ୍ୟଗୁଡ଼ାକୁ ତୁଲାଇବାରେ ଆପଣାକୁ ଅଯୋଗ୍ୟ ବୋଲି ଜାଣିଲେ ଅଥବା ସମଗ୍ର ଦେଶଟାର କଥା ଚିନ୍ତା କରିବେ ବୋଲି ଦୋଳିରେ ବସୁ ବସୁ ଅଭିଶପ୍ତଙ୍କ ପରି କେବଳ ନିଜ କଥା ହିଁ ଭାବିଲେ, କ୍ରମେ ଭୀମାର ଆଚାରଗୁଡ଼ାକୁ ଏଠାରେ ପ୍ରତିପତ୍ତି ବିସ୍ତାର କରିବାକୁ ଆରମ୍ଭ କଲେ ଓ ତେଣୁ ଭୀମାମାନଙ୍କର ଚାହିଦା ଭାରି ବୃଦ୍ଧି ପାଇଲା । ଶିକ୍ଷାର ସବା ଉଚ୍ଚ ଘରଗୁଡ଼ାକରେ ମଧ୍ୟ ଭୀମାମାନେ ଆସି ନପହଞ୍ଚିଲେ ମୋଟେ କୌଣସି ସମାଧାନ ହୋଇ ପାରିଲା ନାହିଁ । ସମ୍ଭବତଃ ସେଠାରେ ମଧ୍ୟ ମଙ୍ଗରାଜମାନଙ୍କ ଭିତରେ ସେହି ଭୀମାଟା ହିଁ ଚମ୍ପାସାଆନ୍ତାଣୀ ହୋଇ ରହିଥିଲା; ତେଣୁ ଶିକ୍ଷା ନାମକ ଅସଲ ସାଆନ୍ତାଣୀଙ୍କୁ ଦାବି ଦେଇ ଆଜ୍ଞାପତ୍ର ପାଇବା ମାତ୍ରକେ ଆସି ପହଞ୍ଚି ଯାଇପାରିଲା । ଛାତ୍ରମାନଙ୍କ ଉପରେ ଠେଙ୍ଗା ବି ଚାଲିଲା, ବାଷ୍ପମାରି ଲୁହ ବୁହାଗଲା, ଗୋଟାଏ ଗୋଟାଏ ବିହାରକୁ ପ୍ରାୟ ରାତାରାତି ଅଧିକାର କରି ନିଆଗଲା । ତେଣୁ, ଏବେ କୁଳପତିମାନେ ଯେ ସିରସ୍ତାମାନଙ୍କର ଶାସନକୁ ପୂରାପୂରି ଭୀମମାନଙ୍କ ହାତକୁ ଟେକି ଦେବା ଲାଗି ପରାମର୍ଶ ପ୍ରଦାନ କରିଛନ୍ତି, ଆମେ ସେହି କଥାଟିକୁ ପୂର୍ଣ୍ଣ ସହାନୁମୂତି ସହିତ ଛୁଝିବାକୁ ଚେଷ୍ଟା କରିବା । ଏହି କଥାଟିକୁ ନେଇ ଏକ ଆଲୋଡ଼ନ ସୃଷ୍ଟି ହେଉ ବୋଲି କୌଣସି ଶିକ୍ଷକ ସଂଘ ଯେ ପ୍ରସ୍ତାବ ଦେଉଛି, ଏହି କଥାଟିର ସେହି ଯାବତୀୟ ବ୍ୟାପାରର ସନ୍ଦର୍ଭରେ ହିଁ ବିଚାର ହୋଇପାରିବା ଉଚିତ ।

 

ଆମେ ଆଲୋଡ଼ନ ସୃଷ୍ଟି କରିବା ତ କେଉଁମାନଙ୍କ ଭିତରେ ଯାଇ ତାହା କରିବା ? ସେହି ଆଲୋଡ଼ନକୁ ସତକୁ ସତ କିଏ ବା କେଉଁମାନେ ସୃଷ୍ଟି କରିବେ ? ତଥାକଥିତ ସରକାରଟା ସହିତ ଧରାପରା ଲଗାଇବାଟା କ’ଣ ସର୍ବଶ୍ରେଷ୍ଠ ଆଲୋଡ଼ନ ? ସରକାର ଘରେ କୋଉ ଜାମ୍ବେବ ବା କୋଉ ଜମ୍ବୁକ ଶିକ୍ଷା ବିଷୟରେ ସତକୁ ସତ ଚିନ୍ତା କରୁଛି ଯେ ଆମେ ତାହାରି ଅବଗତି ନିମନ୍ତେ ଏହି ଆଲୋଡ଼ନଟିକୁ ସୃଷ୍ଟି କରାଇବା ? ଏବଂ ଏ କଥାଟିରେ ଲେଶମାତ୍ର ସନ୍ଦେହ ନାହିଁ ଯେ, ଜଣେ ଜଣେ ଶିକ୍ଷକ ହୁଏତ ଯେତିକି ପରିମାଣରେ ଏକ ସୁସ୍ଥ ଆଲୋଡ଼ନ ସୃଷ୍ଟି କରିବାକୁ ସମର୍ଥ ହେବେ, ସଂଘ ତାହା ଆଦୌ କରିପାରିବ ନାହିଁ । ସଂଘଟା ଭିତରେ ବାରଟା ସ୍ଵାର୍ଥ ତେରଟା ମେଣ୍ଟ ଗଢ଼ି ହୁଏତ ଲୁଚି ବି ରହିବେ । ତେଣୁ ସଂଘର ଆଲୋଡ଼ନ କରିବାର ପ୍ରୟାସ କୋଉଠୁ ଆରମ୍ଭ ହୋଇ ହୁଏତ ଚକା ଗଡ଼ାଇ ଆଉ କୁଆଡ଼କୁ ଖସି ପଳାଇବ ଯେ, ଆମର ଉତ୍ସାହଗୁଡ଼ାକ ଖାଲି ରାଣ୍ଡ ହୋଇ ଫେରି ଆସିବା ପରି ଅନୁଭବ କରିବେ । ହଁ, ଯଦି ଶିକ୍ଷକମାନେ ସଂଘରେ ମିଳିତ ହୋଇ ଏହି ଆଲୋଡ଼ନର କଥା ଚିନ୍ତା କରିବେ, ତେବେ ହୁଏତ ବହୁତ କିଛି ସମ୍ଭବ ହେବ ।

 

୨୬/୬/୨୦୦୦

Image

 

ଆଲୋଡ଼ନ ସୃଷ୍ଟି ହେଉ (୨)

 

ରାୟଗଡ଼ାର ଉପକଣ୍ଠରେ ଅବସ୍ଥିତ ଏକ ସାନ ପାହାଡ଼ର ପାଦଦେଶରେ ଏଥର ଆମ ‘ନବପଲ୍ଲବ 'ର ଷାଣ୍ମାସିକ କର୍ମଶାଳା ଅନୁଷ୍ଠିତ ହେଉଥିଲା । ଷାଠିଏ ସତୁରୀ ପିଲା । ଉଭୟ ପୁଅ ଆଉ ଝିଅ । ମାଧ୍ୟମିକ ବିଦ୍ୟାଳୟରେ ପାଠ ପଢ଼ୁଥିବା କେତେ କେତେ ମନ ଏବଂ କେତେ କେତେ ମିଜାଜର ପିଲା । ଆଦିବାସୀ ପିଲା ଏବଂ ଅଣଆଦିବାସୀ ପିଲା । ବାରିପଦା, ଭୁବନେଶ୍ୱର, ରାୟଗଡ଼ା ଓ ପାରଳାଖେମୁଣ୍ଡି ଭଳି ସହରମାନଙ୍କରୁ ପିଲା ଓ ଏରସମାର ବାତ୍ୟାଞ୍ଚଳରୁ ପିଲା । ଭଦ୍ରକ ନିକଟବର୍ତ୍ତୀ ଗୋଟିଏ ଭିନ୍ନ ଶିକ୍ଷାପ୍ରୟୋଗ କରାଯାଉଥିବା ଆବାସିକ ଗୋଟିଏ ଗାଆଁର ସ୍କୁଲରୁ ପିଲା ଏବଂ ନବରଙ୍ଗପୁର ଜିଲ୍ଲାର ଗୋଟିଏ ଆବାସିକ କନ୍ୟାଶ୍ରମରୁ ମଧ୍ୟ କେତେଜଣ ପିଲା-। ପାଞ୍ଚଦିନବ୍ୟାପୀ ସେହି କର୍ମଶାଳାରେ ପିଲାଏ ସ୍ଵୟଂ ପ୍ରସ୍ତୁତ କରିଥିବା ଏକ କାର୍ଯ୍ୟକ୍ରମ ଅନୁସାରେ ଗପ ଓ କବିତା ଲେଖୁଥଲେ । ଗୀତ ଗାଇଥିଲେ ଚିତ୍ର ଆଙ୍କୁଥିଲେ, ପଦ୍ୟାନ୍ତ କରୁଥିଲେ ଏବଂ ଗୋଷ୍ଠୀରେ ବାଣ୍ଟି ହୋଇଯାଇ ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ବିଷୟରେ ଆଲୋଚନା ବି କରୁଥିଲେ ।

 

ସବୁ ପିଲା ପାଠ ପଢ଼ନ୍ତି ନାହିଁ କାହିଁକି– ଦିନେ ସକାଳେ ଏଇଟିକୁ ଆଲୋଚନାର ବିଷୟ ରଖାଯାଇଥିଲା । ପିଲାମାନେ ପ୍ରାୟ ଆଠଗୋଟି ଗୋଷ୍ଠୀରେ ବାଣ୍ଟି ହୋଇଯାଇ ପ୍ରାୟ ଦୁଇ ଘଣ୍ଟା ଚର୍ଚ୍ଚା କରିସାରିବା ପରେ ପୁନର୍ବାର ଏକାଠି ହୋଇ ଗୋଷ୍ଠୀମାନଙ୍କର ଲିଖିତ ବିବରଣୀଗୁଡ଼ିକ ପାଠ କଲେ । ବିବରଣୀ ସବୁ ଅତ୍ୟନ୍ତ ରୁଚିସମ୍ପନ୍ନ ହୋଇଥିଲା । ଶୃଙ୍ଖଳିତ ଭାଷା ଓ ଶୈଳୀରେ ଲେଖାଯାଇଥିଲା । ଗୋଟିଏ ବୋଲି ଅବାନ୍ତର କଥା ନଥିଲା । ମାତ୍ର, ସତେଅବା ପରୀକ୍ଷାର ଖାତାରେ କୌଣସି ପ୍ରଶ୍ନର ଉତ୍ତର ଲେଖୁଥିବାର ସୁଚିନ୍ତିତ ନିଷ୍ଠାରେ ଲେଖା ଯାଇଥିଲା । ତେଣୁ, ଅସଲ ସତ୍ୟଗୁଡ଼ିକୁ ସତେଅବା ଢାଙ୍କି ପକାଉଥିବା ପରି ମନେ ହେଉଥିଲା । ସେହି ବିବରଣୀଗୁଡ଼ିକ ସମ୍ପର୍କରେ ନିଜକ:କିଛି ମନ୍ତବ୍ୟ ଦେବା ସକାଶେ କାର୍ଯ୍ୟକ୍ରମଟିର ପରିଚାଳକ ମୋତେ ନିର୍ଦ୍ଦେଶ ଦେଇଥିଲେ । ମୁଁ ଛିଡ଼ା ହୋଇ ପିଲାମାନଙ୍କ ସହିତ କିଞ୍ଚିତ କଥୋପକଥନର ଛଳରେ ମୋର ମନ୍ତବ୍ୟ ଆରମ୍ଭ କଲି । ମୋ ନିଜ ଆଡ଼ୁ ପିଲାମାନଙ୍କୁ କିଛି ପ୍ରଶ୍ନ ପଚାରିଲି ଓ ସେମାନେ ସେଗୁଡ଼ିକର ଉତ୍ତରକୁ ବ୍ୟକ୍ତ କରୁଥିଲେ ।

 

ସ୍ମରଣ ରହିଥିବା ଉଚିତ, କର୍ମଶାଳାର ସବୁଯାକ ପିଲା ପାଠ ପଢ଼ୁଥିବା ପିଲା, ସମସ୍ତେ ଇସ୍କୁଲକୁ ଯାଉଥିବା ପିଲା । ତେଣୁ, ଆମ ଗାଆଁରେ, ଆମ ରାଜ୍ୟରେ, ଭାରତବର୍ଷରେ ଏବଂ ଏହି ପୃଥିବୀରେ କେତେ ପିଲା କାହିଁକି ସ୍କୁଲକୁ ଯାଆନ୍ତି ନାହିଁ ଅର୍ଥାତ ପାଠ ପଢ଼ନ୍ତି ନାହିଁ, ସେହି ବିଷୟରେ ସେମାନେ ମଥା ଖରଚ କରି ଓ ଏପରିକି ବିବେକ ଖଟାଇ କିଛି କହି ବା ଲେଖି ପାରିବେ ସିନା, ମାତ୍ର ନିଜ ଅଙ୍ଗେ ନିଭାଇଥିବା ଜୀବନରୁ ପ୍ରକୃତରେ କ’ଣ କହିପାରିବେ ? ମୋ ଉତ୍ତରଟି ମୁଁ ସେଇଥିରୁ ଆରମ୍ଭ କରିଥିଲି । ବାବୁମାନେ, ତୁମେମାନେ ତ ସମସ୍ତେ ବିଦ୍ୟାଳୟରେ ପାଠ ପଢ଼ୁଛ, ପାଠ ନପଢ଼ୁଥିବା ପିଲାମାନଙ୍କର କଥା ତୁମେମାନେ କ'ଣ କହିପାରିବ ବୋଲି ମୁଁ ସେମାନଙ୍କୁ ପଚାରିଲି । ଯେଉଁମାନେ ପାଠ ପଢ଼ୁଛନ୍ତି ଓ ଯେଉଁମାନେ ପାଠ ନପଢ଼ୁଛନ୍ତି– ଦୁହିଁଙ୍କ ମଧ୍ୟରୁ କେଉଁମାନେ ପ୍ରଶ୍ନଟିର ଠିକ୍ ଉତ୍ତର ଦେଇପାରିବେ ବୋଲି ମଧ୍ୟ ମୁଁ ପ୍ରଶ୍ନ କରିଥିଲି । ଆଲୋଚନା ସେଇଥିରେ ସରିଥିଲା । ଆମେ ବଡ଼ମାନେ ପରବର୍ତ୍ତୀ କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟକୁ ପିଲାମାନଙ୍କୁ ଅଡ଼ାଇ ନେଇଗଲୁ । ମଧ୍ୟାହ୍ନ ଭୋଜନ ପରେ ବିଶ୍ରାମାନ୍ତେ ଯେତେବେଳେ ଉପରବେଳା ତିନିଟାକୁ ଆମେ ପୁଣି ଏକାଠି ବସିଲୁ, ସେତେବେଳେ ପିଲାମାନଙ୍କ ମଧ୍ୟରୁ ସାତଆଠ ଜଣ ମୋ ଆଡ଼କୁ ମାଡ଼ି ଆସିଲେ ।

 

ସେଦିନ ଖରାବେଳେ ସେମାନେ ଆଉ ବିଶ୍ରାମ ନେଇନାହାନ୍ତି । ପାଖରେ ପ୍ରାୟ ଅଧ କିଲୋମିଟର ଦୂରରେ ଅବସ୍ଥିତ ଝୋଲାରେ କୁନି ଆଦିବାସୀ ଗାଆଁଟିଏ । ଆମେ ପ୍ରତ୍ୟହ ସନ୍ଧ୍ୟା ସମୟରେ ଦଳ ଦଳ ହୋଇ ସେଠାକୁ ବୁଲି ଯାଉଥିଲୁ । ସେହି ଗାଆଁର ପିଲାମାନଙ୍କ ଭିତରୁ ବହୁତ ପିଲା ପ୍ରକୃତରେ ପାଠ ପଢ଼ନ୍ତି ନାହିଁ । କର୍ମଶାଳାର ପିଲାମାନେ ଚିନ୍ତା କରି ଜାଣିଥିଲେ ଯେ ସେଇମାନଙ୍କୁ ସକାଳର ପ୍ରଶ୍ନଟି ପଚରାଗଲେ ନିଶ୍ଚୟ ନିରାଟ ଉତ୍ତରଟି ମିଳିପାରିବ । ତେଣୁ ଉତ୍ତର ସଂଗ୍ରହ କରି ଆଣିବା ସକାଶେ ସେମାନେ ସେଇମାନଙ୍କ ପାଖକୁ ଦଉଡ଼ି ଯାଇଥିଲେ । ସେମାନଙ୍କ ସହିତ ଘଡ଼ିଏ କଥା ହେଲେ । ସାନ ବଡ଼ ଉଭୟଙ୍କ ଠାରୁ ପଚାରି ଜାଣିଲେ । ତେଣୁ ଫେରି ଆସି ନିଜ ବିବରଣୀଗୁଡ଼ିକରେ ଆବଶ୍ୟକ ପରିମାର୍ଜନମାନ କରିଥିଲେ । ସେଦିନ ଏହି ଘଟଣାଟିକୁ ନେଇ କର୍ମଶାଳାରେ ସଂପୃକ୍ତ ସମସ୍ତଙ୍କ ଭିତରେ ଏକ ଆଲୋଡ଼ନ ସୃଷ୍ଟି ହୋଇଯାଇଥିଲା । ଯେଉଁମାନେ ଆପଣା ମନକୁ ଗୋଟିଏ ନିଷ୍ପତ୍ତି କରି ଫୁରସତ ସମୟ ବାହାର କରି ଗାଆଁ ଆଡ଼େ ଦଉଡ଼ି ଯାଇଥିଲେ, ସମ୍ଭବତଃ ସେହିମାନଙ୍କର ଆଖିଗୁଡ଼ିକ ସବୁଠାରୁ ଅଧିକ ଉଜ୍ଜଳ ଦେଖାଯାଉଥିଲା ।

 

ଆଲୋଡ଼ନ ସୃଷ୍ଟି କରିବା,– ସିଏ ହେଉଛି ଏକ ଅଲଗା କଦରର କଥା, ଏକ ଅଲଗା ଅନୁରାଗର ବ୍ୟାପାର । ଏକ ଅନମନୀୟ ଅନ୍ୟ ଅନୁରାଗ ନଥିଲେ ଜଣେ ମଣିଷ କଦାପି ସୁସ୍ଥ ଭାବରେ କୌଣସି ଆଲୋଡ଼ନ ସୃଷ୍ଟି କରିପାରିବ ନାହିଁ । କୌଣସି ସୁସ୍ଥ ନେତୃତ୍ୱ ପ୍ରଦାନ କରିବାର ଯୋଗ୍ୟହୋଇ ପାରିବ ନାହିଁ । ଏବେ ତ ଚାରିଆଡ଼େ ବାର ପ୍ରକାରର ନେତୃତ୍ୱ କଙ୍କଡ଼ାଗୋଡ଼ ପରି ସାଲୁବାଲୁ ହୋଇ ମଣିଷମାନଙ୍କୁ, ନିଷ୍ଠାପରମାନଙ୍କୁ ନିଜ ଖାପଚରେ ପକାଇବାରେ ମାତିଛନ୍ତି । ଶିକ୍ଷାର ନେତୃତ୍ୱକ୍ଷେତ୍ରରେ ମଧ୍ୟ ବହୁ ଅଶିକ୍ଷିତ ତମ୍ବୁ ପକାଇ ବିପଣି ମେଲି ବସିଛନ୍ତି । ସରକାରଙ୍କର ଘର ଭିତରେ ତମ୍ବୁ, ସରକାର ବାହାରେ ମଧ୍ୟ ତମ୍ବୁ । ଦୁଇ ତମ୍ବୁ ଭିତରେ ମଧ୍ୟ ତେଣେ ସନ୍ଧି ଭିତରେ କେତେ କିଏ ହାତ ମିଳାମିଳି ହୋଇ ରହିଥିବେ ଏବଂ ଆଲୁଅମାନଙ୍କୁ ଅନ୍ଧାର କରି ରଖିବାରେ ସହଯୋଗ କରୁଥିବେ, ତମ୍ବୁଗୁଡ଼ିକର ଅନ୍ତ୍ରଗୁଡ଼ିକୁ ଫାଡ଼ି ଦେଖିପାରିଲେ ସିନା ତାହାର ଗୁମରମାନ ଜଣା ପଡ଼ିଯାଆନ୍ତା ! ତେଣୁ, କେଉଁ ନେତୃତ୍ୱଟି ସୁସ୍ଥ ଏବଂ କେଉଁ ନେତୃତ୍ୱଟି ସୁସ୍ଥ ନୁହେଁ, ସେକଥାଟିକୁ ମଧ୍ୟ ଉଚିତ ଓଳମ ପକାଇ ଦେଖିବାଟା କ୍ରମେ ଅଧିକ କଷ୍ଟକର ହୋଇ ଉଠିଲାଣି । ଆଲୋଡ଼ନ ନାଆଁରେ ରାସ୍ତାରେ କେତେ କେତେ କୋଳାହଳ ପ୍ରାୟ ନିରନ୍ତର ବାହାରିବାରେ ଲାଗିଛି । ଶିକ୍ଷାଘରର ତିମିରମାନେ ଆହୁରି ଅଧିକ କିଟିମିଟିଆ ଏବଂ ଚିକିଟା ହେବାରେ ଲାଗିଛନ୍ତି ।

 

ସ୍ଵାଧୀନତାପ୍ରାପ୍ତି ପରେ ଆମର ଶିକ୍ଷକମାନେ ଆର୍ଥିକ ଦୃଷ୍ଟିରୁ ବଡ଼ ଦୁଃସ୍ଥ ଅବସ୍ଥାରେ ରହିଥିଲେ । ତେଣୁ ସର୍ବନିମ୍ନ ଆଲୋଡ଼ନଟିକୁ ବେତନ ବଢ଼ାଇବା ନିମନ୍ତେ କରାଯିବା ହିଁ ଅତ୍ୟନ୍ତ ସ୍ଵାଭାବିକ ଥିଲା । ତାହାହିଁ ହେଲା । ସଂଘଟିଏ ଗଢ଼ି ଉଠିଲା, ଶିକ୍ଷକକୁଳକୁ ଏକ ଉଚିତ ସ୍ଵୀକୃତିର ଗୁଳା ଉପରେ ଆଣି ପହଞ୍ଚାଇବାରେ ତାହା ଏକ ଉପକାରୀ ଗୁରୁଜନ ପରି କାମ କଲା । ଗୋଡ଼ତଳର ମାଟି କ୍ରମେ ଟାଣ ହୋଇ ଆସିବା ପରି ବୋଧ ହେଲା । ମାତ୍ର ଶିକ୍ଷାନାମକ ପକ୍ଷୀଟିର ନାନାଭାବେ ପକ୍ଷଛେଦ ହେବାକୁ ବି ଆରମ୍ଭ କଲା । ବାହାରକୁ କେତେ କ’ଣ ବଢ଼ିଲା, ବୋହୂମାନେ ପାଟଲୁଗା ପିନ୍ଧିଲେ । ମାତ୍ର ବାଂଝ ହୋଇ ରହିଗଲେ କାହିଁକି ? ଅଧିକ ଗରୁ ହୋଇ ଦିଶିଲେ, ଖବର ପହଞ୍ଚିବା ମାତ୍ରକେ ମଥୁରାକଟକରେ ସଙ୍ଗଠିତ ଘୋଷଯାତ୍ରାରେ ଆସି ଯୋଗଦେଇ ପାରିଲେ ସତ, କିନ୍ତୁ ପ୍ରଭବସମର୍ଥ ହୋଇପାରିଲେ ନାହିଁ । ପ୍ରାୟ କାହାରି ମୁଣ୍ଡ ବଥାଇଲା ନାହିଁ । ଅଲକ୍ଷଣା ସରକାରକୁ ମଧ୍ୟ ଏହିପରି ଏକ ପଞ୍ଜିକୃତ ଅଥଚ ଧର୍ମଚ୍ୟୁତ ଶିକ୍ଷକକୁଳ ଖୁବ୍ ସୁହାଇଲେ । ସେହି ଶିକ୍ଷକକୁଳର ଇଜ୍ଜତ ନେବା କ୍ରମେ ଏହି ଭୂଇଁଟାର ରାଜନୀତି ନିମନ୍ତେ ମଧ୍ୟ ଅତୀବ ସହଜ ହୋଇଗଲା । ଦେଶର ପିଲାମାନେ ହିଁ ସବୁଠାରୁ ଅଧିକ କ୍ଷତି ସହ୍ୟ କଲେ । ଅଧିକ ଦରମା ପାଇ ଓ ସ୍ଵବୁଦ୍ଧି ବଳରେ ଅଧିକ ରୋଜଗାରକ୍ଷମ ହୋଇ ଶିକ୍ଷକମାନେ ଏକ ନିର୍ମମ ବଗୁଲିଆ ଯୁଗର ସାଆନ୍ତ ବାବୁମାନଙ୍କ ଭଳି ଦୃଷ୍ଟିଗୋଚର ହେଲେ ସିନା, ନିଜ ଉପନୟନର ମୂଳ ପ୍ରତ୍ୟୟମନ୍ତ୍ରଗୁଡ଼ିକୁ ଭୁଲିଗଲେ । ସରକାରକୁ ଅଧିକ ପାଳକ ପଡ଼ିଲା ।

 

ଭିତରେ ଗ୍ରହଣଶୀଳ ବନ୍ଧୁଟିଏ ବସିଥିବାରୁ ସେଦିନ ଆମ କର୍ମଶାଳାର ପିଲାମାନେ ନିଜ ନିଷ୍ପତ୍ତି ଓ ନିଜ ସରାଗରେ ହିଁ ଅଧିକ ସତ୍ୟର ସନ୍ଧାନରେ ଗାଆଁକୁ ଦଉଡ଼ି ପଳାଇଥିଲେ । ଆମ ଏବର ଅଧ୍ୟାପକ ଏବଂ ଶିକ୍ଷକମାନଙ୍କ ଭିତରୁ ସତେଅବା ଯାବତୀୟ ଗ୍ରହଣଶୀଳତା କୁଆଡ଼େ ବିଦାୟ ନେଇ ଚାଲିଯାଇଛି । ସେମାନେ ଗୋଟାସୁଦ୍ଧା ଭାଡ଼ୁଆ ହୋଇଗଲେଣି । ପୋଲିସଟିଏ ଅଙ୍କୁଶ ମାଇଲେ ଶୁଣିବେ, ନହେଲେ ବଧିରା ହୋଇ ବସିଥିବେ ! ତୁମେ ଏଭଳି ଅଖାମୁଣାମାନଙ୍କୁ ନେଇ ପୁଣି କି ଆଲୋଡ଼ନ ସୃଷ୍ଟି କରିବ ? ସାପ ଖେଳାଉଥିବା କେଳା ମଧ୍ୟ, ସାପ ଖେଳାଇବା ସମୟରେ ସିଏ ଖେଳ ପରେ କେତେ ପଇସା ପାଇବ, ସେହିକଥା ଭୁଲିଯାଏ । ଢୋଲିଆଟିଏ ମଧ୍ୟ ତା’ କାମ ସରିଲେ ପାଉଣା ଅବଶ୍ୟ ପାଏ । କିନ୍ତୁ ଢୋଲ ସାମ୍ନାରେ ବାଜୁଥିବା ପେଁକାଳି ସହିତ ତାଳ ରଖି ଢୋଲ ପିଟୁଥିବା ସମୟରେ ସେକଥା ତା'ର ମନେ ନଥାଏ । ଆମ ଅଧ୍ୟାପକମାନଙ୍କୁ କିଏ କାହିଁକି ଏପରି ଅଦ୍ୱୈତବାଦୀ କରି ପକାଇଲା କେଜାଣି ? ସରକାର ସହିତ ଝଗଡ଼ା ସମୟରେ ଅଦ୍ୱୈତବାଦୀ ଓ ଅଧ୍ୟାପନା ବେଳକୁ ମାୟାବାଦୀ !

 

୩/୭/୨୦୦୦

Image

 

ଆଲୋଡ଼ନ ସୃଷ୍ଟି ହେଉ (୩)

 

ବହୁବର୍ଷ ତଳର କଥା । ୧୯୫୬ କିମ୍ବା ୫୭ ମସିହା । ଓଡ଼ିଶା ନିମନ୍ତେ ସରକାରଙ୍କ ତରଫରୁ ନୂଆ ହୋଇ ଗୋଟିଏ ମାଧ୍ୟମିକ ଶିକ୍ଷାବୋର୍ଡ଼ ତିଆରି ହୋଇଥାଏ । ସେଥିରେ ସରକାରୀ ଏବଂ ବେସରକାରୀ ଉଭୟ ପରିଚୟର ସଦସ୍ୟମାନେ ଥାଆନ୍ତି । କଟକର କଟକଚଣ୍ଡୀରୁ କନିକାକୋଠୀ ପର୍ଯ୍ୟନ୍ତ ଯାଇଥିବା ରାସ୍ତାରେ ଘରଟିଏ ଭଡ଼ା ନିଆଯାଇଥାଏ । ଉପର ମହଲାରେ ମଧ୍ୟେ ମଧ୍ୟେ ବୋର୍ଡ଼ ସଦସ୍ୟମାନଙ୍କର ବୈଠକ ବସେ । ସିଲାବସ୍‌, ପାଠ୍ୟପୁସ୍ତକ ଇତ୍ୟାଦି ବହୁତ ବିଷୟରେ ଆଲୋଚନା ହେଉଥାଏ । ନୂଆ ନୂଆ ହାଇସ୍କୁଲକୁ ମଞ୍ଜୁରି ମିଳୁଥାଏ । ଯେଉଁ କାରଣରୁ ହେଉ ପଛକେ ମୋତେ ମଧ୍ୟ ଜଣେ ସଦସ୍ୟ ହେବାର ସୁଯୋଗ ଦିଆଯାଇଥାଏ ।

 

କଥାବାର୍ତ୍ତା, ଲେଖାପଢ଼ି ସବୁକିଛି ଇଂରାଜୀ ଭାଷାରେ ହେଉଥାଏ । ତେଣୁ, ଯୂଥଟା ଭିତରେ ଯେଉଁମାନେ ସାହେବ ପରି ଦିଶୁଥାଆନ୍ତି, ସେହିମାନେ ହିଁ ଅଣ୍ଡିରା ହୋଇ ଆଗକୁ ବାହାରି ପ୍ରାୟ ସବୁକଥା କହୁଥାନ୍ତି । ପୂରା ସିରସ୍ତାଟାକୁ ନିଜର କରି ରଖିଥାଆନ୍ତି । ସେମାନେ ସମସ୍ତେ ସରକାରୀ ଲୋକ,–ସରକାରୀ ଗୋଦାମର ବଡ଼ ପାହିଆମାନଙ୍କରେ ନିଯୁକ୍ତ ହୋଇ ରହିଥିବା ଶିକ୍ଷା ହାକିମ । ମୋର ମନେହେଉଛି, ସେଠାରେ ମୁଁ ଦୁଇଜଣ ସଭାପତିଙ୍କୁ ଅଙ୍ଗେ ନିଭାଇଥିଲି । ଜଣେ ହେଉଛନ୍ତି ଶ୍ରୀଯୁକ୍ତ ବାମାଚରଣ ଦାସ ଓ ଆଉ ଜଣେ ଡକ୍ଟର ସଦାଶିବ ମିଶ୍ର । ସ୍ଵାଧୀନତା ପରେ ଭାରତବର୍ଷକୁ ଗୋଟାଏ ନୂଆ ଗୋଲାମୀର ଗୁଳାରେ ନେଇ ପକାଇଦେବେ ବୋଲି ସେମାନେ ଯେପରି ସିଆଡ଼ୁ ଦେବୀଆଜ୍ଞା ନେଇ ଆସିଥିଲେ । ଭାରତବର୍ଷରେ ଯାହାକିଛି ହେବ, ତାହାକୁ ଏହି ସରକାର ହିଁ କରିବେ ଏବଂ ସଭିଙ୍କୁ ସେହି ଗୁଳିଟା ଭିତରକୁ ଅଲବତ୍ ଆସିବା ହେବ,– ଅର୍ଥାତ୍ ହାତରେ ନହେଲେ ଭାତରେ ମାରି ଅଥବା ଅନ୍ୟ ଯେକୌଣସି ଷଡ଼ଯନ୍ତ୍ର ବଳରେ ନାକରେ ତୁଣ୍ଡି ବାନ୍ଧି ସମସ୍ତଙ୍କୁ ଯେ ଆମ ଅଧୀନକୁ ଆଣିବାକୁ ପଡ଼ିବ, ସେତେବେଳେ ଓଡ଼ିଶାରେ ମାଧ୍ୟମିକ ଶିକ୍ଷାବୋର୍ଡ଼ ମଧ୍ୟ ତାହାରି ଏକ ଗଉଁଯୁକ୍ତ ସନ୍ତକ ହୋଇ ରହିଥାଏ । ମାଧ୍ୟମିକ ଶିକ୍ଷାକ୍ଷେତ୍ରରେ ଯିଏ ଯାହାକିଛି କରିବ, ସିଏ ଏହି ବୋର ହିଁ ଜଣେ ପ୍ରଜା ହୋଇ କରିବ, ମହୀରାବଣମାନେ ସତେଅବା ମୂଳରୁ ହିଁ ସେହିପରି ନିଷ୍ପତ୍ତିଟିଏ କରିସାରିଥାନ୍ତି ।

 

ସେତେବେଳେ କଟକ ସହରରେ ଆଙ୍ଗୁଠି ଅଗରେ ଗଣି ହୋଇଗଲା ପରି ମାତ୍ର ଅଳ୍ପ କେତେଗୋଟି ହାଇସ୍କୁଲ୍ ରହିଥାଏ । ଗୋଟିଏ ସରକାରୀ, ବାକିତକ ବେସରକାରୀ । ଏକାଧିକ ଦୃଷ୍ଟିରୁ ସବୁଠାରୁ ଅଧିକ ମର୍ଯ୍ୟାଦାବନ୍ତ ହେଉଛି ରାଣୀହାଟ ହାଇସ୍କୁଲ । ସେଥିରେ ନୂଆ ହୋଇ ଅଷ୍ଟମ ଓ ଆହୁରି ଉପର ଶ୍ରେଣୀଗୁଡ଼ିକ ଖୋଲିଥାଏ । ମୁଁ ମଧ୍ୟ ସେହି ବିଦ୍ୟାଳୟରେ ପାଠ ପଢ଼ିଛି, ମାତ୍ର ମଧ୍ୟଇଂରାଜୀ ସ୍ତରରେ । ସେତେବେଳେ ହାଇସ୍କୁଲର ଶ୍ରେଣୀଗୁଡ଼ିକ ଖୋଲିନଥିଲା । ମାଇନର ସ୍କୁଲ୍‌ରେ ମଧ୍ୟ ଶ୍ରୀଯୁକ୍ତ ବାଞ୍ଛାନିଧି ଶତପଥୀ ପ୍ରଧାନ ଶିକ୍ଷକ ଥିଲେ । ତାଙ୍କବେଳେ ରାଣୀହାଟ ସ୍କୁଲରେ ଯିଏ ପଢ଼ିଥିବ, ସିଏ ଅବଶ୍ୟ ତାଙ୍କୁ ମନେରଖିଥିବ । ଆଗକୁ ଆହୁରି ଅନେକ ବର୍ଷଯାଏ ନଜରଗୁଡ଼ିକୁ ଲମ୍ବାଇଦେଇ ସେଠାରେ ଅସଲ ଶିକ୍ଷାଦାନ ତଥା ଶିକ୍ଷାଗ୍ରହଣର କେତେ କେତେ ସମ୍ଭାବନାକୁ ଯେ କାର୍ଯ୍ୟକାରୀ କରାଯାଉଥିଲା, ଏବେ ପଛକୁ ଅନାଇ ମନେପକାଇଲେ ପ୍ରକୃତରେ ଭାରି ଆଚମ୍ବିତ ହେବାକୁ ପଡ଼ିଥାଏ । ମାଇନର ସ୍କୁଲଟି ହାଇସ୍କୁଲ୍ ହୋଇଯିବା ପରେ ସେଠାରେ କାହିଁ ନା କେତେ କେତେ ସଂଖ୍ୟାରେ ପିଲା । ଜାଗା ଯେତିକି ସେତିକି ଏବଂ ପିଲାମାନଙ୍କର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥାଏ ।

 

ଯୋଗକୁ ହେଉ ଅଥବା ଦୁର୍ଯ୍ୟୋଗକୁ ହେଉ, ମାଧ୍ୟମିକ ଶିକ୍ଷାବୋର୍ଡ଼ ସ୍ଥିର କଲେ କଟକ ସହରରେ ତାଙ୍କ ନିଜ ତରଫରୁ ମଧ୍ୟ ଗୋଟିଏ ହାଇସ୍କୁଲ୍ ତିଆରି କରାଯିବ । ତାହା ଏକ ମଡ଼େଲ୍ ହାଇସ୍କୁଲର ଅନ୍ଦାଜରେ ତିଆରି ହେବ । ଶିକ୍ଷକମାନେ ଅଧିକ ବେତନ ପାଇବେ, ଶ୍ରେଣୀଗୃହମାନେ ରାଜମହଲ ପରି ଦିଶିବେ,– ସେଠାରେ ଶିକ୍ଷାର ବିଚାର ଏବଂ ପ୍ରୟୋଗକ୍ଷେତ୍ରରେ ମଧ୍ୟ ନୂଆ ନୂଆ କଥାକୁ ସାକାର କରାଯିବ, ଇତ୍ୟାଦି ଇତ୍ୟାଦି । ମୋର ଖୁବ୍ ମନେଅଛି ଥରକର ବୈଠକରେ ଏହି କଳ୍ପିତ ବିଶେଷ ବିଦ୍ୟାଳୟଟି ସହରର କେଉଁ ଅଞ୍ଚଳରେ ହେବ, ସେହି କଥାଟିର ଚର୍ଚ୍ଚା ହେଉଥିଲା । ସେତେବେଳେ କଟକରେ ଖାଲି ଜାଗା ଯାହାକୁ ଯେତେ । ନଈପଠା ଖାଲି ପଡ଼ିଥାଏ, ବିଡ଼ାନାସୀ ଖାଲି ପଡ଼ିଥାଏ । ନାଇଁ, ସାହେବମାନଙ୍କର ଏକା ଝୁଙ୍କ, ନୂଆ ମାହାଲଟା ରାଣୀହାଟ ପାଖାପାଖି କୌଣସି ଜାଗାରେ ହିଁ ତିଆରି ହେବ । ଜାଗା ନଥିଲେ ଜାଗା ବାହାର କରାଯିବ । କାରଣ, ତାହା ଏପରି ଗୋଟିଏ ଥାନରେ ହେବ, ଯାହାକି ଆଗରୁ ରହିଥିବା ରାଣୀହାଟ ହାଇସ୍କୁଲ୍ ସହିତ ଟକ୍କର ଦେଇପାରିବ । ପ୍ରକୃତରେ ଉପଭୋଗ କରିବା ଭଳି ଗୋଟିଏ ଆଲୋଚନା । ପକ୍ଷ ସମର୍ଥନ କରି କିଏ କେତେ କୁଆଡ଼େ ମାଡ଼ି ଯାଇଥିଲେ । ରାଣୀହାଟ ହାଇସ୍କୁଲରେ ପିଲାଙ୍କର ପ୍ରବଳ ଭିଡ଼ ହେଉଛି, ପାଖରେ ଦ୍ୱିତୀୟ ବିଦ୍ୟାଳୟଟି ଖୋଲିଲେ ସେଠାରୁ ଭିଡ଼ କିଛି କମିଯିବ । ଉତ୍ସାହରେ ଆଉ କିଏ କହି ପକାଇଲେ ଯେ ସେହି ବିଦ୍ୟାଳୟଟା କ୍ରମେ ବଡ଼ ଲୋକପ୍ରିୟ ହୋଇପଡ଼ୁଛି । ସେହି ଲୋକପ୍ରିୟତାକୁ ଯେକୌଣସିପ୍ରକାରେ ରୋକିବାକୁ ହେବ । କଥାଗୁଡ଼ିକ ଇଂରାଜୀ ଭାଷାରେ କୁହା ହେଉଥିଲା, ତେଣୁ ଶାଳୀନ ନହୋଇଥିଲେ ମଧ୍ୟ ବାହାରକୁ ଆଦୌ ଅଶାଳୀନ ବା ଅଶୋଭନୀୟ ମନେହେଉ ନଥିଲା । ସମ୍ଭବତଃ, ଯଦି ଆଉ ଟିକିଏ ଅବାଧିତ ଭାବରେ କହି ହୋଇଥାନ୍ତା, ତେବେ ସରକାରୀ ପକ୍ଷରୁ କେହି ଜଣେ ଅବଶ୍ୟ କହି ପକାଇଥାନ୍ତେ ଯେ, ସେହି ବାଞ୍ଛାନିଧି ଶତପଥୀଟା କ୍ରମେ ଭାରି ଲୋକପ୍ରିୟ ହୋଇଯାଉଛି ଏବଂ ତା’ର ସେହି ଲୋକପ୍ରିୟତା ସରକାର ବାହାଦୁରଙ୍କୁ ଅର୍ଥାତ ଆମକୁ ଆଦୌ ସହ୍ୟ ହେଉନାହିଁ । ତେଣୁ, ଆମ ନୂଆ ଇସ୍କୁଲଟା ତାହାରି ପାଖରେ ହେଉ; ତେବେ ସିନା ଖୁରି ଖାଇହେବ, ସେଠା ମାଠିଆଗୁଡ଼ାକୁ କଣା କରିଦେଇହେବ ।

 

ପ୍ରାୟ ଏକ ରୋମାଣ୍ଟିକ୍ କାଇଦାରେ ଏହି ଧନ୍ଦାଟି ଢେର ଦିନ ଯାଏ ଚାଲିଥିଲା । ନିଜର ନୂଆଟାକୁ ଅଉଲ କରି ଦେଖାଇବାର ବାଦରେ ଶ୍ରୀଯୁକ୍ତ ଶତପଥୀଙ୍କୁ ମଧ୍ୟ ବାର ପ୍ରକାରର ବ୍ୟକ୍ତିଗତ ଉଦ୍‌ବ୍ୟଗ୍ରତା ଭିତରେ ପକାଇବାର ଉଦ୍ୟମ କରାଯାଇଥିଲା । ତାଙ୍କ ବିଦ୍ୟାଳୟର ସହକାରୀମାନଙ୍କୁ ଫୁସୁଲାଇ ତାଙ୍କୁ ମୋକଦ୍ଦମାର ଏକ ଅଡ଼ୁଆ କଣ୍ଟାବଣରେ ନେଇ ପକାଇ ଦେବାର ପ୍ରୟାସ ହୋଇଥିଲା । ଈର୍ଷାର କୌଣସି କାରଣ ନଥିଲା । ଯଦି ସରକାରୀ ବୋର୍ଡ଼ର କର୍ତ୍ତାମାନେ ସତକୁ ସତ ଶିକ୍ଷା ପକ୍ଷରେ ଥାଆନ୍ତେ, ତେବେ ରାଜ୍ୟରେ ମାଧ୍ୟମିକ ଶିକ୍ଷାକୁ ଏକ ଅଦ୍ଭୂତପୂର୍ବ ପ୍ରତିଷ୍ଠା ଆଣିଦେବାର ସେହି ବିଶେଷ ପର୍ଯ୍ୟାୟରେ ସେମାନେ ପ୍ରାୟ ଏକ ତାରୁଣ୍ୟର ଉତ୍ସାହ ସହିତ ସେତେବେଳର ଯୋଗ୍ୟତର ଶିକ୍ଷକମାନଙ୍କୁ ଖୋଜି ଓଡ଼ିଶା ସାରା ବୁଲି ଆସିଥାନ୍ତେ ଏବଂ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ଯେ ସବାଆଗ ଶ୍ରୀ ବାଞ୍ଛାନିଧି ଶତପଥୀଙ୍କର ପିଣ୍ଡାରେ ଯାଇ ପହଞ୍ଚିଥାଆନ୍ତେ । ସେମାନେ ତାଙ୍କୁ ମାଧ୍ୟମିକ ଶିକ୍ଷା ପରିଷଦର ଜଣେ ସଦସ୍ୟ କରି ନେଇଥାନ୍ତେ । ମାତ୍ର, ସେହି ଘଟଣା ଘଟିବାର ନଥିଲା । ଏଣେ ରଜାଘରର ସେହି ମଡ଼େଲ୍ ଇସ୍କୁଲଟା କାଳକ୍ରମେ କ’ଣ ହେଲା, ସେକଥା ତେଣେ ଅନାଇଦେବା ମାତ୍ରକେ ପୂରା କହିଦେଇ ହେବ । ସେହି ବିଦ୍ୟାଳୟର ଶିକ୍ଷକମାନଙ୍କର ଟିଉସନ ଦୋକାନରେ ମଧ୍ୟ ଗୋଠକୁ ଗୋଠ ପିଲାଙ୍କର ଧାଡ଼ି ଲାଗିଛି । ଗାଈଟା ଯେତେ ଚାରା ଖାଉଛି, ସେତେ ନିତ୍ୟାନି ଦେଇପାରୁ ନାହିଁ କାହିଁକି ? ତେଣେ ଶ୍ରୀଯୁକ୍ତ ଶତପଥୀଙ୍କ ପରେ ରାଣୀହାଟ ହାଇସ୍କୁଲ ସାଇକେଲ୍ ରିକ୍ସାଟିଏ ପରି ହେଲେ ମଧ୍ୟ ତଥାପି ଚାଲିଛି । ଉଭୟ ମଧ୍ୟରେ କେଉଁଠାରେ ଅଧିକ ସଂହତି ରହିଛି, ସରସ୍ୱତୀଙ୍କୁ ପଚାରି ପାରିଲେ ଅବଶ୍ୟ ଉତ୍ତର ମିଳିଯିବ ।

 

ଶିକ୍ଷା ବ୍ୟବସ୍ଥାଟା ଭିତରେ ସମ୍ଭବତଃ ସେହି ଆରମ୍ଭ କାଳରୁ ହିଁ ପୋଲିସିଆ ଉପଦ୍ରବମାନ ଲାଗି ରହିଛି । ତଥାକଥିତ ଉଚ୍ଚଶିକ୍ଷାର ସିରସ୍ତାରେ ମୋଟେ କୌଣସି ପ୍ରକାରେ କମ୍ ଚାଲି ନାହିଁ । ସବୁଠିଁ ଉଚ୍ଚମାନେ ଗାଲକୁ ଫୁଲାଇ ବସିଛନ୍ତି ଏବଂ ଶିକ୍ଷାର ଗତିରୋଧ କରିଛନ୍ତି । ଗୋଲାମଙ୍କ ପଛକୁ ଗୋଲାମ ଲାଗି ରହିଛନ୍ତି ଏବଂ ତଳୁ ଉପରଆଡ଼ ଯିବାକୁ ବାହାରିଲେ ସେହି ଗୋଲାମମାନେ ହିଁ ଜଣେ ଜଣେ ହାକିମଙ୍କ ପରି ଦୃଶ୍ୟମାନ ହୁଅନ୍ତି । ଅମଲାତାନ୍ତ୍ରିକ ଏହି ମିଜାଜଟା ସମ୍ପୂର୍ଣ୍ଣ ଭାବରେ ଏକ ପୋଲିସିଆ ମିଜାଜ୍, ଯାହାକି ସମ୍ଭବତଃ କାଳେ କାଳେ ଭାରତବର୍ଷର ସାମୂହିକ ଜୀବନକୁ ଖୁବ୍ ସୁହାଇ ଆସିଛି । ସ୍ୱାଧୀନତା ପରେ ଏହି ମିଜାଜରେ ପରିବର୍ତ୍ତନ ଘଟିଥାନ୍ତା । ଅଳ୍ପତଃ ଶିକ୍ଷା ବିଭାଗରେ ହୋଇଥାନ୍ତା । ମାତ୍ର ହୋଇ ପାରିଲା ନାହିଁ । ସେଥିପାଇଁ ସରକାରୀ ଶିକ୍ଷାଜଙ୍ଗଲଟା କ୍ରମେ ଏକ ପୋଲିସ୍ ମହକୁମା ହୋଇ ରହିଗଲା । କଲେଜର ଅଧ୍ୟକ୍ଷ ଏବଂ ହାଇସ୍କୁଲର ପ୍ରଧାନ ଶିକ୍ଷକ କାର୍ଯ୍ୟତଃ ଜଣେ ପୋଲିସ୍ ଅଫିସରର ପ୍ରଣାଳୀରେ ଶିକ୍ଷାଟାକୁ ଶାସନ କଲେ । ପୋଲିସ୍ ବିଭାଗଟା ହିଁ ସେହି ପ୍ରଧାନ ଶିକ୍ଷକ ତଥା କୁଳପତିମାନଙ୍କର ବିପଦକାଳର ସର୍ବପ୍ରଧାନ ସହୋଦରରେ ପରିଣତ ହୋଇ ରହିଲା । ପରୀକ୍ଷା ସମୟରେ ପୋଲିସ୍‌ ମୁତୟନ ହେଲେ । ପିଲାମାନେ ଘେରାଉ କରିଥିଲା ସମୟରେ ବିଶ୍ୱବିଦ୍ୟାଳୟର ନିଆଶ୍ରୀ ସମ୍ରାଟମାନେ ଗ୍ରାହନାଶ ନିମନ୍ତେ ଚକ୍ର ପେଷିବାକୁ ପୋଲିସ୍ ବିଭାଗକୁ ପ୍ରାର୍ଥନା କଲେ ।

 

ତେଣୁ ଆଲୋଡ଼ନ କିଏ କରିବ ଏବଂ କାହା ପାଇଁ ଅଥବା କାହା ବିରୋଧରେ ଆଲୋଡ଼ନ ହେବ ? ଚଲାଖି ନେତାମାନେ ପ୍ରାୟ ଏବ ପର୍ଯ୍ୟନ୍ତ ଆଲୋଡ଼ନ କହିଲେ ସରକାର ବିରୋଧରେ ଆଲୋଡ଼ନ ସୃଷ୍ଟି କରିବାକୁ ହିଁ ବୁଝିଆସିଛନ୍ତି । ସତେଅବା ସେଇଯାଏ ଯିବା ପାଇଁ ହିଁ ସରକାରଙ୍କ ପାଖରେ ନେତାମାନେ ଜବାବ ଦେଇ ଆସିଛନ୍ତି । କୋଉଦିନ ସେହି ଅନ୍ୟ ଆଲୋଡ଼ନଟି ସୃଷ୍ଟି ହେବ, ଯାହାଦ୍ଵାରା ଆମ ନିଜର ନିଦଗୁଡ଼ିକ ଭାଙ୍ଗିଯିବ ? ସତକୁ ସତ ଶିକ୍ଷାପାଇଁ କେଉଁଦିନ ଏକ ଆଲୋଡ଼ନ ସୃଷ୍ଟି ହେବ ଏବଂ, ଶିକ୍ଷକମାନଙ୍କ ବ୍ୟତୀତ ସେହି ଆଲୋଡ଼ନକୁ ଆଉ କେହି ପ୍ରକୃତରେ ସୃଷ୍ଟି କରିପାରିବେ କି ? ଆମ ଦେଶର, ରାଜ୍ୟର ବା ଗାଆଁ କଲେଜର ଶିକ୍ଷକ ସରକାରଙ୍କର ଶିକ୍ଷା ବିଭାଗର ଗୋଲାମ ହୋଇ ନୁହେଁ, ସିଏ ପ୍ରକୃତରେ ଶିକ୍ଷା ପଟେ ରହିଛି ବୋଲି ଆପଣାଛାଏଁ ଜାଣି ହୋଇଯିବ ।

 

୧୦/୭/୨୦୦୦

Image

 

ଆଲୋଡ଼ନ ସୃଷ୍ଟି ହେଉ (୪)

 

ପ୍ରାୟ ପନ୍ଦର କୋଡ଼ିଏ ବର୍ଷ ତଳର କଥା ହେବ । ଓଡ଼ିଶାର ଉପକୂଳ ଅଞ୍ଚଳର କୌଣସି ଗୋଟିଏ ଘରୋଇ କଲେଜରେ ଅଧ୍ୟାପକ ନିଯୁକ୍ତି ନିମନ୍ତେ ସାକ୍ଷାତକାରର କାର୍ଯ୍ୟକ୍ରମ ରହିଥାଏ । ଖାଲିଥିବା ପଦ ମାତ୍ର ଗୋଟିଏ– ରାଜ୍ୟର ବିଭିନ୍ନ ଜାଗାରୁ ପ୍ରାୟ ତିରିଶ ସରିକି ପ୍ରାର୍ଥୀ ଆସିଥାନ୍ତି । ଜଣକ ପରେ ଜଣଙ୍କୁ ଡାକରା ହେଉଥାଏ । ବିଶେଷଜ୍ଞମାନେ ଭଳି ଭଳି ପ୍ରଶ୍ନ ପଚାରୁଥାଆନ୍ତି । ସାଙ୍ଗରେ ଆବଶ୍ୟକ ପ୍ରମାଣପତ୍ରଗୁଡ଼ିକର ଗୋଛାଟି ମହଜୁଦ ରହିଥାଏ । କାଳେ କିଏ କେତେବେଳେ କୋଉଟାକୁ ମାଗିଦେବ । ପୂରା ଘେରାଟାଯାକ ସରୁ ସରୁ ପ୍ରାୟ ବେଳ ବୁଡ଼ିଆସିଲା-। ବସ୍ତାନି ବାନ୍ଧି କଚେରୀ ଭାଙ୍ଗିବାକୁ ଯିବା ସମୟକୁ ରାଜ୍ୟର ଶିକ୍ଷାମନ୍ତ୍ରୀ ଆସି ପହଞ୍ଚିଗଲେ । ସାଙ୍ଗରେ ଝିଅଟିଏ । ଝିଅଟିକୁ ଆଦୌ କୌଣସି ସାକ୍ଷାତକାର ମଧ୍ୟଦେଇ ଯିବାକୁ ପଡ଼ିଲା ନାହିଁ । ଅଧ୍ୟାପିକା ରୂପେ ନିଯୁକ୍ତି ହେଲା । ଅନ୍ୟମାନେ ନିରାଶ ହୋଇ ଫେରିଲେ । ଅଳ୍ପଦିନ ତଳେ ସେହିପରି ଆଉ ଗୋଟିଏ ଘଟଣା ଶୁଣିବାକୁ ପାଇଲି ଅଧ୍ୟାପକ ଚାକିରିଟିଏ ଖୋଜୁଥିବା ଜଣେ ଯୁବକବନ୍ଧୁଙ୍କ ଠାରୁ । ତାଙ୍କର ବି ସ୍ନାତକୋତ୍ତର ଉପାଧି ରହିଛି, ନିଦା ପ୍ରଥମ ଶ୍ରେଣୀର । ଯାଇଥଲେ କୌଣସି କଲେଜକୁ ନିଜର ଭାଗ୍ୟ ପରୀକ୍ଷା କରିବା ନିମନ୍ତେ । ସେଠାରେ କର୍ତ୍ତାମାନଙ୍କ ସହିତ ସବୁ କଥାବାର୍ତ୍ତା ହେଲା । ଥାନଟିଏ ଅଛି । ଆବଶ୍ୟକ ଯୋଗ୍ୟତା ରହିଥିବା ଯିଏ କଲେଜବାଲାଙ୍କର ପାଖରେ ଷାଠିଏ ହଜାର ଟଙ୍କା ବାନ୍ଧିପାରିବ, ତାକୁ ନିଯୁକ୍ତି ମିଳିବ । ଯୁବକଜଣକ ନିଜେ ଘଟଣାଟିକୁ ବର୍ଣ୍ଣନା କରି ମୋତେ କହୁଥାଆନ୍ତି । ବାପା ସରକାରୀ ପିଅନ ଥିଲେ, ଏବେ ଅବସର ଗ୍ରହଣ କରିଛନ୍ତି । ପାଠ ପଢ଼ୁଥିବା ସମୟରେ ସିଏ ଫି'ମାସ ତାଙ୍କର ପାଠ ପଢ଼ିବା ସକାଶେ ଟଙ୍କା ଗଣିଛନ୍ତି । ତାଙ୍କର ଅନ୍ୟ ଭଉଣୀ ଓ ଭାଇମାନେ ମଧ୍ୟ ରହିଛନ୍ତି । ଷାଠିଏ ହଜାର ସେ କେଉଁଠାରୁ ଆଣିବେ ? ହଁ, କୋଡ଼ିଏ ପଚିଶି ହେଲେ ହୁଏତ ବାପାଙ୍କୁ ଯାଇ କହନ୍ତେ ।

 

କିଏ କାହିଁକି ଦୁଃଖ ଶୁଣିବ ? ସେମାନେ କ’ଣ ଏହି ବେଉସାଟାକୁ ଆଜି ନୂଆ କରୁଛନ୍ତି-? ଏହିଭଳି ବଟି ଆଦାୟ କରି ତ କଲେଜଟିକୁ ଛିଡ଼ା କରାଯାଇ ପାରିଛି । ବଜାରରେ ପ୍ରାର୍ଥୀମାନଙ୍କର ଅବସ୍ଥା ଯାହା, ଅଶୀ ହଜାର ଯାଚି ଦେଇଯିବାକୁ ମଧ୍ୟ ଆହୁରି କିଏ କେତେ ଆସି ପହଞ୍ଚିଯିବେ । ଯୁବକବନ୍ଧୁ ହତାଶ ହୋଇ ଫେରିଆସିଲେ । ତାଙ୍କର ସେହି ଦୁରବସ୍ଥା ଦେଖି ସିଏ କ'ଣ କୁଣ୍ଡା ଦେଇ ପାଠ ପଢ଼ିଥିଲେ ବୋଲି ଆମ ଗାଆଁର ମୂରୁଖ ଅଥଚ ସଳଖ ମଣିଷମାନେ ଆଚମ୍ବିତ ହୋଇ ପଚାରିବେ । ସହରର ହିସାବୀମାନେ ଏହାକୁ ଦୁର୍ନୀତି ବୋଲି କହିବେ । ପବିତ୍ର ଶିକ୍ଷାସ୍ଥାନମାନଙ୍କୁ ଦୁର୍ନୀତି କୋଉକାଳୁ ଗ୍ରାସ କରି ପକାଇଲାଣି ବୋଲି ତୁମକୁ ସମର୍ଥନକାରୀ ଆଉ ତିନିଟା ତଥ୍ୟ ଆଣି ଯୋଗଇଦେବେ । ଆମ ଦେଶରେ କୁଢ଼ କୁଢ଼ ତଥ୍ୟର ସଂଗ୍ରହ ହେଉଛି । ତଥାପି ଅନ୍ଧାର ଯାଉନାହିଁ । ଯାହା ପ୍ରକୃତରେ ଘଟୁଛି, ତାହାକୁ ସମସ୍ତେ ସତ୍ୟ ବୋଲି ମାନି ନେଉଛନ୍ତି । ସରକାରୀ ବେସରକାରୀ ଗୋଟି ଗୋଟି କରି ଆଚାର୍ଯ୍ୟ ଓ ଅଧ୍ୟାପକଙ୍କୁ ଡାକି ମୁକାବିଲା କଲେ ଖୁବ୍ ଗୋଚର ହୋଇଯାଇ ପାରିବ ଯେ ସମସ୍ତେ ବେଳ ଓ ଅବେଳର ଅନୁରୋଧରେ ପଡ଼ି ପଇସା ଅବଶ୍ୟ ବାନ୍ଧିଛନ୍ତି । ଅରୀତି ଦ୍ୱାରା ଆମେ ସ୍ୱୟଂ ଉପକୃତ ନହେଲେ ଅରୀତିଟା ଏମିତି ଏକ ବାଳବାଳୁଆ ବେଶ ଧାରଣ କରି ଆମେ ଧ୍ୟାୟି ଆସିଥିବା ସରସ୍ୱତୀଙ୍କୁ ଲଙ୍ଗଳା କରିବାକୁ କିଭଳିବା ଆସି ପହଞ୍ଚିଯାଇ ଥାଆନ୍ତା ? ଏବେ କେବେ ଜଣେ ପ୍ରଖ୍ୟାତ ଚିତ୍ରକର ସରସ୍ଵତୀଙ୍କର ଏକ ଚିତ୍ର ଆଙ୍କିଥିଲେ ଯେ, ତାଙ୍କ ଦେହରେ ଲୁଗାପଟା କିଛି ନଥିଲା । ଆମେ ଅନେକେ ଚିହିଙ୍କି ଉଠିଥିଲୁ । ଶିଳ୍ପୀ ହୁଏତ ଆମ ଅନେକଙ୍କର ସତଘର ଗୁଡ଼ିକ ମଧ୍ୟକୁ କେବେ ଅନାଇଦେଇ ସରସ୍ୱତୀ ମାଆଙ୍କୁ ଯେଉଁ ହାଲତରେ ଦେଖିବାକୁ ପାଇଥିଲେ, ଟାଉଟାଉ କରି ସେଇଟାକୁ ଆଙ୍କି ପକାଇଥିଲେ । ଯେଉଁଠି ମନଉତ୍ସାହରେ କେହି ନବଯୁବକ ଅଧ୍ୟାପକଟିଏ ହେବ ବୋଲି କୌଣସି କଲେଜରୁ ଷାଠିଏ ହଜାରଟା ସହିତ ଧକ୍କା ଖାଇ ବାହୁଡ଼ି ଆସୁଛି, ସେହି କଲେଜରେ ସରସ୍ୱତୀଙ୍କ ଦେହରେ ସତକୁ ସତ ଲୁଗା ଥିବଟି ?

 

ଯଦି ସରକାରଟା ସାଙ୍ଗରେ ଗୋଟାଏ ଧରାପରା ଲଗାଇ ଦେଇ କିଛି ଆଲୋଡ଼ନ ସୃଷ୍ଟି କରାଯାଇ ପାରିଲେ ଶିକ୍ଷାଘରର ଇଜ୍ଜତ ଫେରିଆସନ୍ତା, ତେବେ ତ ତାହା ପ୍ରକୃତରେ କେଡ଼େ ସହଜ କଥା ହୁଅନ୍ତୁ । ଆମର ପ୍ରିୟ ସଂଘଟି ଦ୍ୱାରା ତାହା ଏକାନ୍ତ ଅବଲୀଳା କ୍ରମେ ହାସଲ ହୋଇଯାଇ ପାରନ୍ତା । ବେତନବୃଦ୍ଧିର ଆଲୋଡ଼ନ ଅଥବା ଆନ୍ଦୋଳନ ହୁଏତ ସେହିପରି ଗୋଟିଏ ଭାରି ସହଜ ବ୍ୟାପାର । ବେତନ ବୃଦ୍ଧି ପାଇବା ପଛରେ ସର୍ବବିଧ ନ୍ୟାୟ ସବୁବେଳେ ଅବଶ୍ୟ ରହିଛି । କୌଣସି ଜଣେ ଶିକ୍ଷକ ମଧ୍ୟ ତାହାର ବିରୋଧ କରିବାର କୌଣସି ଅବକାଶ ନାହିଁ । ଏଥିରେ କେବଳ ଦାବି କରିବା କଥା, ସମ୍ମିଳିତ ଭାବରେ ସ୍ଵାର୍ଥର ସ୍ଵରଟିକୁ ଉତ୍ତୋଳନ କରିବା ବ୍ୟତୀତ ଏଥିରେ ପ୍ରାୟ ଆଉ କୌଣସି କିଛିର ଅପେକ୍ଷା ନଥାଏ । ତେଣୁ ଅଡ଼ି ବସିଲେ କାର୍ଯ୍ୟସିଦ୍ଧି ହୁଏ । ଥରେ ଦି'ଥର ରାସ୍ତାକୁ ବାହାରି ପଡ଼ିଲେ ହିଁ ହୋଇଯାଏ । ରାସ୍ତା ଉପରେ ଗଛ କେତେଟା କାଟି ଜମାକରି ଆଡ଼ରେ ଶୁଆଇଦେଇ ପାରିଲେ ଯେତେ ବଡ଼ ସରକାରର ଗାଡ଼ି ଆସିଲେ ଅଲବତ ଅଟକିବ ଓ ତୁମକୁ ଲୋଡ଼ିବ । ସବୁ ଆନ୍ଦୋଳନ ଏବଂ ସବୁ ଆଲୋଡ଼ନ ଯଦି ସତକୁ ସତ ସେତିକି ସହଜ ହୋଇ ପାରୁଥାନ୍ତା, ତେବେ ପୋଲିସସୁଲଭ କାଇଦାମାନେ କମ୍ ପରାକ୍ରମ ଦେଖାଇ ପାରନ୍ତେ । ବିବେକ ଅଧିକ କଥା କହନ୍ତା ।

 

ସେହି ଅନ୍ୟ ଆଲୋଡ଼ନଟିରେ ମଧ୍ୟ ସ୍ୱାର୍ଥ ରହିଛି । ଶିକ୍ଷାର ସ୍ଵାର୍ଥ ରହିଛି, ତେଣୁ ଜଣେ ଜଣେ ଶିକ୍ଷକ ହିସାବରେ ଆମ ପ୍ରତ୍ୟେକଙ୍କର ସ୍ୱାର୍ଥ ରହିଛି । ଆମେ ଯେଉଁମାନେ ଜୀବିକାର୍ଜନର ସରଣୀ ରୂପେ ଶିକ୍ଷକର ପଥଟିକୁ ଆଦରି ନେଇଛୁ, ଆମେ ଆମ ବେତନ ବଢ଼ୁ ଓ ଆହୁରି ବଢ଼ୁ ବୋଲି ଏକମେଳ ହୋଇ ଅବଶ୍ୟ ଲଢ଼ାଇ କରିବୁ ଏବଂ ଅବଶ୍ୟ ରାସ୍ତାକୁ ବାହାରିବୁ ସତ, ମାତ୍ର ଆମର ପେଟ ଚିରି ଦେଖିଲେ ତୁମେ ନିଶ୍ଚୟ ପୂରା ଜାଣିପାରିବ ଯେ, ଶିକ୍ଷକ ହେବାଟା ଆମର ଜୀବିକାରୁ ଆରମ୍ଭ ହୋଇଥିଲେ ମଧ୍ୟ କ୍ରମେ କିଛି ପରିମାଣରେ ଆମର ଏକ ଧର୍ମରେ ବି ପରିଣତ ହୋଇସାରିଛି । ତେଣୁ, ଆମେ ଧର୍ମତଃ ନିଜ ଦେହ ଉପରେ ଉପବୀତ ବୋଲି ଯେଉଁଟାକୁ ପକାଇଛୁ, ତାକୁ ତୁମେ କେବଳ ଆମ ଜୀବିକାର ସନ୍ତକ ରୂପେ ନୁହେଁ, ଆମ ଭିତରେ ସମାନ ସମ୍ମତିର ସହିତ ସର୍ବଦା ରହିଥିବା ଆହୁରି କେତେ କ'ଣ ସବୁର ସନ୍ତକ ବୋଲି ନିଶ୍ଚୟ ଗ୍ରହଣ କରିବ । ଉଭା ଓ ପୋତାରେ ବ୍ୟକ୍ତିବିଶେଷରେ ଫରକ ସିନା ରହିଥିବ, ମାତ୍ର ଏଇଟି ରହିଛି ଓ ସେଇଟି ବି ସୁନିଶ୍ଚିତ ଭାବରେ ରହିଛି । ଉଭା ଅଂଶଟାରେ ଗଡ଼ ପରେ ଗଡ଼ ଜୟ କରି ତଥାପି ଲାଗୁଛି, ଏହିସବୁ ଯାବତୀୟ ସଫଳତାର ଦୀର୍ଘ ତାଲିକାଟି ପଛରେ ପ୍ରକୃତରେ କିଛି ଭାରି ସାଂଘାତିକ ଭାବରେ ଉପେକ୍ଷିତ ହୋଇ ରହିଗଲା । ମନେ ହେଉଛି, ସକଳ ସଂଗ୍ରାମ ଓ ସକଳ ସଂଘର୍ଷରେ ସତେ ଯେପରି ଆମ ଭିତରର ସେହି ପୋଲିସ୍‌ଟା ହିଁ ସରକାରୀ ପ୍ରତିବଳଟା ସହିତ ହିଁ ଲଢ଼ିବାରେ ତତ୍ପର ଥିଲା ଏବଂ ସେହି ପ୍ରକ୍ରିୟାରେ ଆମ ଭିତରର ଶିକ୍ଷକଟା ହିଁ ସତେ ଅବା କ୍ରମଶଃ ହୃତବଳ ହେବାରେ ଲାଗିଥିଲା । ଏହିଭଳି ଜିତାପଟ ହାସଲ କରିବାର ନହସରେ ଶିକ୍ଷକମାନଙ୍କର ହାତରୁ ସେମାନଙ୍କର ଅସଲ ଲଗାମ ଓ ତେଣୁ ଅସଲ ପରିଚିତିଗୁଡ଼ିକ କେତେବେଳେ ଖସି ପଳାଇଲା କୋଜଣି ? ଏଥିରେ କ୍ରମଶଃ ସେହି Establishment ଟାର ହିଁ ବିଜୟ ହେଲା, ଯାହା ବିରୁଦ୍ଧରେ ଶିକ୍ଷକମାନେ ଯୁଗେ ଯୁଗେ ଲଢ଼ାଇ କରି ଆସିଛନ୍ତି । ଆମର ମୋହଭଙ୍ଗ ହେବା ବେଳକୁ ମନେ ହେଉଛି, ଆମେ ଇତିମଧ୍ୟରେ କର୍ତ୍ତାମାନଙ୍କର ପାଖରେ ନିଜକୁ ବିକି ପକାଇଲୁ ନାହିଁ ତ ? ସଂପୃକ୍ତ ଦୁଇଟାଯାକ ପକ୍ଷରେ ପୋଲିସ୍‌ମାନେ ଜିତୁଥିବା ସଙ୍ଗେ ସଙ୍ଗେ ଶିକ୍ଷା ହିଁ ହାରି ହାରି ଆସିଲା । ଯାବତୀୟ ସରକାରଙ୍କ ପାଇଁ ତାହା ଅବଶ୍ୟ ଏକ ଖୁସି ଖବର ହେଇଥିବ ।

 

ତେଣୁ ଆଲୋଡ଼ନ ଖାଲି ବାହାରେ ନୁହେଁ, ଭିତରେ ମଧ୍ୟ ଆରମ୍ଭ ହେଉ ! ପୃଥିବୀରେ ଯାବତୀୟ ଆଲୋଡ଼ନ ଆଗ ଭିତରେ ଆରମ୍ଭ ହୁଏ ନା ଆଗ ବାହାରେ ଆରମ୍ଭ ହୁଏ ? ଭିତରୁ ବାହାରକୁ ସଂକ୍ରମିତ ହୁଏ ନା ପ୍ରକୃତରେ ବାହାରୁ ଭିତରକୁ ସଂକ୍ରମିତ ହୋଇଥାଏ ? ମାଟି ତଳର ମଞ୍ଜି ପଦାକୁ ବାହାରିବାକୁ ଚାହିଲେ ବାହାରର ପାଗ ଦ୍ୱାରା ଉପକୃତ ହେବା ପାଇଁ ନିଷ୍ପତ୍ତି ଗ୍ରହଣ କରେ ନା ଆଗ ପାଗ ଦେଲେ ଯାଇ ମାଟିତଳେ ରହିଥିବା ମଞ୍ଜିଟାର ଉଦବେଳନ ବି ଆରମ୍ଭ ହୋଇଯାଏ ? ପ୍ରଧାନତଃ smart ମାନେ ହିଁ ଏହିସବୁ either/ or ଭିତରେ ଚିରଦିନ କ୍ରୀଡ଼ା କରି ରହିବାକୁ ଖୁବ୍ ସୁଖ ମଣିଛନ୍ତି । ଯାହା ଘଟିବ, ତାହା ଉଭୟ ପଟେ ଘଟିବ,– ଏବଂ ସେହି ପ୍ରକ୍ରିୟାଟି ହେଉଛି ସୁସ୍ଥ ପ୍ରକ୍ରିୟା । ଯେଉଁ ଶିକ୍ଷକମାନେ ସତକୁ ସତ ଶିକ୍ଷାର ପଟେ ରହିବେ, ସେମାନେ କଦାପି ପୋଲିସ୍‌ମାନଙ୍କୁ ବାଟ ଛାଡ଼ି ଦେବେ ନାହିଁ । ଯାବତୀୟ ପୋଲିସ୍ ବ୍ୟବସ୍ଥାରେ ସେମାନେ ସକଳ ସ୍ଥିତିରେ ହିଁ ଓଲିଆ ବୋଲି ଧରା ପଡ଼ି ଯାଉଥବେ । ବର୍ତ୍ତମାନ ପୋଲିସଟା ହାତରେ ହିଁ ଶିକ୍ଷାର ଚୁଟି ଯାଇ ରହିଲାଣି । ତେଣୁ ଶିକ୍ଷକ ଭିତରେ ଏକ ଆଲୋଡ଼ନ ଆରମ୍ଭ ହେବ-। ଏବଂ ତାହା ବାହାରେ ମଧ୍ୟ ଶିକ୍ଷାର ଚୁଟି ଯାଇ ରହିଲାଣି । ତେଣୁ ଶିକ୍ଷକ ଭିତରେ ଏକ ଆଲୋଡ଼ନ ଆରମ୍ଭ ହେବା ଏବଂ ତାହା ବାହାରେ ମଧ୍ୟ ଏକ ଆଲୋଡ଼ନ ରୂପେ ଅବଶ୍ୟ ସାକାର ହୋଇ ଉକୁଟି ଆସିବ । ଏକ ଭୟଙ୍କର ଅର୍ଥାତ୍ face to face ବିତର୍କକୁ ଆମନ୍ତ୍ରଣ କରି ଆଣିବ-। ସମଗ୍ର ରାଜ୍ୟଟାରେ ବା ଦେଶଟାରେ ସଂପ୍ରତି ଯାହା ଘଟୁଛି, ତାହା କେବଳ ତଥାକଥିତ ଶିକ୍ଷାକ୍ଷେତ୍ରରେ ଆଲୋଡ଼ନ ଦ୍ୱାରା ସମାଧାନ ଲାଭ କରିପାରିବ ନାହିଁ । ସମଗ୍ର ଦୃଶ୍ୟପଟଟିକୁ ଦୋହଲାଇ ଦେବା ଭଳି ହୁଏତ ଏକାବେଳକେ କିଛି ଘଟିବ ଏବଂ ଶିକ୍ଷାର କ୍ଷେତ୍ରରେ ମଧ୍ୟ ତାହାର ଏକ ଅନୁକ୍ରିୟା ଆରମ୍ଭ ହେବ । ଆଗକୁ ସେଇ ବାଟ କଢ଼ାଇନେବ । ତେବେ ଯାଇ ପଚାଶବର୍ଷର ଶିକ୍ଷାଗୁହାଳଟିରେ ସତକୁ ସତ ଏକ ଗୋବରପୋଛା ସମ୍ଭବ ହେବ ।

 

ଏତେବଡ଼ କାମଟିକୁ ଆମ ସଂଘର କାମ ବୋଲି କଦାପି କୁହାଯାଇପାରିବ ନାହିଁ । ତେଣୁ, ସଂଘ ମଧ୍ୟ ନିଜର ସୀମାଟିକୁ ବୁଝିବ ।ଏକ ଅଧିକ ବୃହତ୍ ଆଲୋଡ଼ନରେ ସଂଘ ନିମିତ୍ତ ହେବ । ନିମିତ୍ତ ରୂପେ ହିଁ ନେତୃତ୍ଵ ଦେବ । ପୃଥିବୀରେ ପୋଲିସ୍ ହେବା ଯେତିକି ସହଜ, ନିମିତ୍ତଟିଏ ହେବା ଆଦୌ ସେତେ ସହଜ ନୁହେଁ । ନିମିତ୍ତଟିଏ ମଧ୍ୟ ନିଜର ଏକ ଭୂମି ଉପରେ ସମ୍ପୂର୍ଣ୍ଣ ପ୍ରତ୍ୟୟର ସହିତ ଛିଡ଼ା ହୋଇଥାଏ, ମାତ୍ର ସମଗ୍ର କାଳ ଲାଗି ହିଁ ସଂଗ୍ରାମଟିଏ ଲଢ଼ୁଥାଏ । ତେଣୁ, ଆପଣାକୁ ମୁକ୍ତ ରଖିଥାଏ । ନିତ୍ୟ-ଗ୍ରହଣଶୀଳ କରି ରଖିଥାଏ ।

 

ପୁରୁଣା ନେତାମାନେ ଭୁଲ କଲେ ନୂଆ ଚେତାଇ ଦେଇପାରେ । ସଦସ୍ୟମାନଙ୍କୁ ପୂର୍ଣ୍ଣ ସମର୍ଥ ଜଣେ ଜଣେ ନିମିତ୍ତ ରୂପେ ଗଢ଼ି ଆଣିବାରେ ସଂଘମାନେ ପ୍ରାୟ ସେତେବେଶୀ ଚକ୍ଷୁସଂପନ୍ନ ହୋଇପାରନ୍ତି ନାହିଁ । ହୁଏତ ସେହି କାରଣରୁ ଆଜିର ବିପ୍ଳବୀ ଜୋଟମାନେ କାଲିକୁ ପ୍ରତିକ୍ରିୟାଶୀଳ ହୋଇପଡ଼ନ୍ତି । ଏମାନେ ସଦସ୍ୟମାନଙ୍କୁ ନାନା ପ୍ରକାରର ତାତ୍କାଳିକ ମଣ୍ଡା ଖୁଆଇ ସେମାନଙ୍କର ଶକ୍ତି ହରଣ କରି ନେଇଥାଆନ୍ତି । ତେଣୁ ଆଲୋଡ଼ନମାନ ଖୁବ୍ ହୁଏ ଓ ସେହି ଆଲୋଡ଼ନ ରାସ୍ତା ଉପରକୁ ଯାଏ ସିନା, ମାତ୍ର ତଥାପି ଫୁସ୍‌କିଯାଏ । ସଦସ୍ୟମାନଙ୍କ ଠାରୁ ବାଣ ହରଣ କରିନେବାକୁ ଭଗାରି ସହିତ ସଲା କରି ଏହିସବୁ ସଂଘର ସୃଷ୍ଟି ହୋଇଥାଏ କି ?

 

୧୭/୭/୨୦୦୦

Image

 

Unknown

ଆଲୋଡ଼ନ ସୃଷ୍ଟି ହେଉ (୫)

 

ସେତେବେଳେ ମୁଁ କଟକରେ ରହୁଥାଏ । ଦିନକର କୌଣସି ଗୋଟିଏ ବିଭାଗର ବାର୍ଷିକ ଉତ୍ସବ ସକାଶେ ଏଠା ବିଶ୍ୱବିଦ୍ୟାଳୟକୁ ଆସିଥାଏ । ଭାଷଣର ପର୍ଯ୍ୟାୟଟି ସରିଲା ବେଳକୁ କେତେ ରାତି ହୋଇଯାଇଥାଏ । ମୁଁ ଫେରିଯିବାକୁ ଇଚ୍ଛା ପ୍ରକାଶ କଲି । ତା'ପରେ କିଛି ନାଟକ ଏବଂ ଅଭିନୟର କାର୍ଯ୍ୟକ୍ରମ ରହିଥାଏ । ତତ୍କାଳୀନ କୁଳପତି ମଧ୍ୟ କଟକରେ ରହୁଥାନ୍ତି । ମୁଁ ପାଠ ପଢ଼ିବା ସମୟରେ ଏକଦା ସିଏ ମୋର ଅଧ୍ୟାପକ ଥିଲେ । ମୋତେ ପରାମର୍ଶ ଦେଇ କହିଲେ ଯେ, ପ୍ରାୟ ସପ୍ତାହେ ହେବ, ସେଠାରେ ବିଭାଗୀୟ ବାର୍ଷିକ ଉତ୍ସବମାନ ଚାଲିଛି । ସବୁଦିନେ ପୂରା ଔପଚାରିକତା ସହିତ ଭାଷଣ ଏବଂ ତା'ପରେ ମନୋରଂଜନ । କୁଳପତି ହିସାବରେ ସିଏ ସବୁଦିନେ ଏଗୁଡ଼ିକରେ ଯୋଗ ଦେଉଛନ୍ତି ଓ କଟକ ଫେରୁଛନ୍ତି । ତେଣୁ ଆଦୌ କୌଣସି ଚିନ୍ତା ନାହିଁ । ତାଙ୍କର ଗାଡ଼ି ଅଛି, ସିଏ ସ୍ଵୟଂ ତାହାର ଚାଳକ । ମୋତେ ଆମ ଘରେ ନେଇ ପହଞ୍ଚାଇ ଦେବେ । ମୁଁ ଅନୁଗତ ଛାତ୍ରଟିଏ ପରି ରାଜି ହୋଇ ଯାଇଥିଲି ।

 

ରାତି ପ୍ରାୟ ପ୍ରହରକ ସମୟକୁ ଆମେ ବାହାରିଲୁ । ଶନୈଃ ଶନୈଃ ଗାଡ଼ି ଚଳାଇ ସାର୍ ରାସ୍ତାକୁ ବାହାରି ପଡ଼ିଲେ । ଦୁଃଖସୁଖ ହେବାକୁ ସମାଗ୍ରୀର ଅଭାବ ହେଲାନାହିଁ । ମଝିରେ ମୁଁ ଖାସ୍ କଥାଟିଏ ମଧ୍ୟ ପକାଇଥିଲି । ସେତେବେଳକୁ ବାଣୀତୀର୍ଥର ପାଣିପାଗ ଆଦୌ ସ୍ଥିର ନଥାଏ । କ୍ଷୋଭ ଓ ବିକ୍ଷୋଭରେ ବହୁ କେଞ୍ଚାକେଞ୍ଚି ଚାଲିଥାଏ । କାରଣ ଖୋଜିବାକୁ ବେଳ ନଥାଏ । ସେମସ୍ତେ ଯେକୌଣସି ପ୍ରକାରେ ଏକ ସମାଧାନରେ ଯାଇ ପହଞ୍ଚିବା ସକାଶେ ଡହଳବିକଳ ହେଉଥାନ୍ତି । ସାର୍ ବି ପ୍ରାୟ ସେହିଭଳି ଗୋଟିଏ ମୁଦ୍ରାରେ କହିଲେ, ମୁଁ ପ୍ରତ୍ୟେକ ଦିନ କଟକରୁ ଆସେ, କଟକକୁ ଫେରିଯାଏ । ଏଠାରେ ରହିବା ସମ୍ପୂର୍ଣ୍ଣ ଅସମ୍ଭବ । ତେଣୁ, ଏଠା ଅତିଥିଶାଳାରେ ଦଣ୍ଡ ବସଉଠ ହୁଏ ଅଥବା ବିଶ୍ରାମ ନିଏ ସିନା– ମାତ୍ର ଗୋଟିଏ ରାତି ମଧ୍ୟ ଏଠାରେ ରହେନାହିଁ । ଏହାଛଡ଼ା କୌଣସି ଉପାୟ ନାହିଁ । ଅସୁବିଧା ତ ହେଉଛି, ମାତ୍ର ଆଉ କ’ଣ କରାଯାଇ ପାରିବ ? ମୁଁ ଆଚମ୍ବିତ ହୋଇ ଭାବୁଥାଏ, କୁଳଟି ବିଷୟରେ ସ୍ୱୟଂ କୁଳପତିଙ୍କର ଯେତେବେଳେ ଏହିଭଳି ମନୋଭାବ ଏବଂ ଏହିଭଳି ଆଚରଣ, ସେତେବେଳେ ସେହି କୁଳଟିର ହାଲତ୍ ବସ୍ତୁତଃ କ’ଣ ନହୋଇଥିବ !

 

ସାରଙ୍କ ଉପରେ ଅନୁକମ୍ପା ଜାତ ହେଲା । ଜଣେ ଅଧ୍ୟାପକ ହିସାବରେ ସିଏ କେଡ଼େ ଦକ୍ଷ ଭାବରେ ଆମକୁ ପାଠ ପଢ଼ାଉଥିଲେ । ଏବେ ମଧ୍ୟ ପାସୋର ଯାଇନାହିଁ । ସାରା ଜୀବନଟା ଅଧ୍ୟାପନା କରି କ'ଣ ତାଙ୍କର ଶୋଷ ମେଣ୍ଟିଲା ନାହିଁ ଯେ, ଏହି ବୃଦ୍ଧ ବୟସରେ ଏହି ଅରମାଟା ଭିତରେ କୁଳପତି ହେବାକୁ ଆସିଲେ । କୁଳର ପତି ହୋଇଥିଲେ ମଧ୍ୟ ସିଏ ଏଠାରେ ରାତିଏ ରହିବାକୁ ନିରାପଦ ମଣି ପାରିଲେ ନାହିଁ । ଭୁବନେଶ୍ୱର ଆଉ କଟକ ଭିତରେ ଧାଆଁଧପଡ଼ ହେଲେ-। ସତେଯେପରି କେବେ କୌଣସି ଅପରାଧ କରିଥିଲେ, ଏହି ବୃଦ୍ଧ ବୟସରେ ତାହାର ପ୍ରାୟଶ୍ଚିତ୍ତ କଲାଭଳି ଏତେସରି ହେଲେ ! ମୁଁ ଅନୁକମ୍ପାରୁ ଅଭୟ ପାଇଲି ଓ ସାରଙ୍କୁ କଥାଟିଏ ପଚାରିଲି; ଏହି ହୀନିମାନ ପଦଟାରେ ଏଭଳି ଘାଣ୍ଟି ନହୋଇଥିଲେ କ’ଣ ଚଳିନଥାନ୍ତା ? ତେବେ ସିଏ କ'ଣ ପାଇଁ ଏହି ଆବର୍ତ୍ତଟା ଭିତରେ ଆସି ପଶିଗଲେ ? ଜଣେ ସ୍ଥିତପ୍ରଜ୍ଞ ଯୋଗୀ ପରି ସାର୍ ଉତ୍ତର ଦେଇ ସେଦିନ ମୋତେ କହିଥିଲେ, ଜଣେ କୁଳପତି ଭାବରେ ଏଠାରେ ବହୁତ କିଛି କରିବାକୁ ରହିଥିଲେ ମଧ୍ୟ ମୁଁ ସେସବୁ ଆଦୌ କିଛି କରିନାହିଁ । ସତକୁ ସତ ଇଚ୍ଛା କଲେ ବି କିଛି କରିପାରନ୍ତି ନାହିଁ । ଏହା ମୂଳତଃ ଗୋଟିଏ ଶିକ୍ଷାନୁଷ୍ଠାନ ବୋଲି ଭାବିବାକୁ ମୋତେ ଏଠାରେ ମୋଟେ କେହି ଅବକାଶ ଦେଇନାହାନ୍ତି ଅଥବା ନିଜଆଡ଼ୁ ମଧ୍ୟ ମୁଁ ସେ କଥା ଚିନ୍ତା କରିବାକୁ ଅବକାଶ ପାଇନାହିଁ-। ଯେକୌଣସିମତେ ତିଷ୍ଠି ରହିଛି ଏବଂ ସେଇଟା ହିଁ ମୋର ସବାବଡ଼ କାର୍ଯ୍ୟ ହୋଇ ରହିଛି-। ମୋତେ ହଠାତ୍ ସତେଅବା କ’ଣ ଗୋଟାଏ ଭାରି ଗନ୍ଧାଇଲା ପରି ମନେହେଲା । ମୁଁ ପୂର୍ଣ୍ଣ ସହାନୁଭୂତି ସହିତ ପୁଣି ପଚାରିଲି, ସାର୍, ଏମିତି ଗୋଟାଏ ଘଣା ଭିତରେ ଆସି ଆପଣ କ’ଣ ପାଇଁ ପଶିଲେ ? ଅତ୍ୟନ୍ତ ନିର୍ମଳ ଉତ୍ତରଟିଏ ପାଇଥିଲି, କୁଳପତି ନିମନ୍ତେ ଯେଉଁ ପ୍ରସ୍ତାବ-ତାଲିକାଟି ହୋଇଥିଲା, ସେଥିରେ ସବାଆଗ ମୋ ନାଆଁ ଥିଲା । ମୁଁ ଅରାଜି ହୋଇଥଲେ ଜଣେ ଦ୍ୱିତୀୟ କିମ୍ବା ତୃତୀୟ ବ୍ୟକ୍ତି ବଛା ହୋଇଥାନ୍ତେ । ମୁଁ ଜାଣିଛି, ଏହି ପଦଟିରେ ରହି ମୁଁ ପ୍ରାୟ କିଛି କରିପାରୁନାହିଁ । ମାତ୍ର, ସେମାନେ ଯେ ମୋଠାରୁ ଅଧିକ ଯୋଗ୍ୟ ବା ଅଧିକ କ୍ଷମ ହୋଇଥାଆନ୍ତେ, ତାହାର ବା କୋଉ ପ୍ରମାଣ ଅଛି ? ତେଣୁ ଯେତେବେଳେ ତାଲିକାଟିରେ ମୋ ନାଆଁ ସବା ଉପରେ ରହିଛି, ସେତେବେଳେ ମୁଁ କ’ଣ ପାଇଁ ମାସକୁ ଏହି ବାଇଶିଶହ ଟଙ୍କାକୁ ସେମାନଙ୍କ ଲାଗି ଛାଡ଼ି ଦେଇଥାନ୍ତି ? ସେତେବେଳେ କଳପତିଙ୍କର ମାସିକ ବେତନ ସମ୍ଭବତଃ ସେହିପରି କିଛି ଥିଲା । ଏବେ ତାହା ବୃଦ୍ଧି ପାଇ କେତେ ହେବଣି କେଜାଣି ? ସାରଙ୍କର କଥା ଶୁଣି ମୋ ମୁହଁ ଗୋଟାସୁଦ୍ଧା ବନ୍ଦ ହୋଇଯାଇଥିଲା । ସେହି କଥାବାର୍ତ୍ତାର ପ୍ରାୟ ମାସକ ପରେ ସରକାର ଦିନେ ରାତିରେ ପୋଲିସ୍ ପଠାଇ ବିଶ୍ୱବିଦ୍ୟାଳୟକୁ ଦଖଲ କରି ନେଇଥିଲେ । ସେହି କାଳର ବହୁତଙ୍କର ସେହି ଘଟଣାଟି ଏବେ ମଧ୍ୟ ଅବଶ୍ୟ ମନେଥିବ ।

 

ତେଣୁ ନିଷ୍କର୍ଷ ହେଉଛି, ସ୍ଵାଧୀନତା ପରେ ରାଜ୍ୟରେ ତଥା ସମଗ୍ର ଦେଶରେ ପଦସ୍ଥମାନେ ଅଧିକରୁ ଅଧିକ ପୋଲିସ୍‌ପରି ହିଁ ଆଚରଣ କରିଛନ୍ତି ଏବଂ ଶିକ୍ଷାର ଏହି ବିଶେଷ ମାହାଲଟା ଭିତରେ ସେଇଟା ହିଁ ସବୁଠାରୁ ଅଧିକ କଷଣର କାରଣ ହୋଇଛି । ମଣିଷ ଭିତରେ ରହିଥିବା ପୋଲିସ୍‌କୁ ସଂଭବତଃ ଏକାଧିକ ଔଚିତ୍ୟ ସହିତ ମଣିଷ ଭିତରେ ରହିଥିବା ପାଜି ବୋଲି କୁହାଯାଇ ପାରିବ । ପାଜି ସବୁ ମଣିଷଙ୍କ ଭିତରେ ରହିଛି । ପଦସ୍ଥମାନଙ୍କ ଭିତରେ ତାହା ଅପେକ୍ଷାକୃତ ଅଧିକ ପ୍ରକଟ ହୋଇ ପାରିବାର କଞ୍ଚା ମଉକାମାନ ପାଇଯାଉଛି । ବହୁ ଶୁଭେଚ୍ଛା ସହିତ ତିଆରି ହୋଇଥିବା ନିୟମଗୁଡ଼ିକ ମହଜୁଦ୍ ରହିଛି, ଅଥଚ ପାଜିମାନେ ନିଜର କର୍ତ୍ତ୍ୱତ୍ୱ ବଳରେ ସେଗୁଡ଼ାକ ସତ୍ତ୍ୱେ ଦେଶଟାକୁ ସତେଅବା ଆଉ ଏକ ଅସମ୍ଭବ ଓ ଅଣଅକ୍ତିଆର କ'ଣଟାରେ ପରିଣତ କରି ସାରିଲେଣି । ଆମ ଶିକ୍ଷାବିଭାଗରେ ଜୀବିକାଗତ ସେବା କରି କରି ଦିହକ ଖଟିଥିବା ଯେଉଁ ଗୁରୁଜନମାନେ ଏବେ ମଧ୍ୟ ରହିଛନ୍ତି, ସେମାନଙ୍କୁ ମଙ୍ଗାଇ ପାରିଲେ ସେମାନେ ସେଇସବୁ ପାଜିଗିରିର କେତେ କେତେ କାହାଣୀ ବଖାଣି ଥୋଇଦେଇ ପାରିବେ । ସେମାନେ ସ୍ଵୟଂ ପାଜି ହୋଇନଥିଲେ ସିନା, କିନ୍ତୁ ପାଜିମାନଙ୍କର ଆଦେଶଗୁଡ଼ିକୁ ପାଳନ କରୁଥିଲେ ଓ ଦେଶର ଅଣ୍ଟାରୁ ସବୁଯାକ ତାକତ କ୍ରମଶଃ ଖସି ଖସି ଯିବାରେ ନିରନ୍ତର ସହଯୋଗ କରୁଥିଲେ । ଏହି ଦେଶରେ ଶିକ୍ଷାକ୍ଷେତ୍ରରେ ଯେପରି ଗୋଟିଏ ହେଲେ ମୁକ୍ତ ଓ ନିର୍ଭୀକ ପ୍ରୟୋଗ ହୋଇନପାରିବ, ସେଥିଲାଗି ସେମାନେ ପ୍ରାୟ ପୂର୍ଣ୍ଣସନ୍ତର୍ପିତ ଭାବରେ ସବୁକଥା କରୁଥିଲେ । ଆମର ଏହି ସ୍ଵାଧୀନତା-ପରବର୍ତ୍ତୀ ବହୁ ପ୍ରତିଶ୍ରୁତିପୂର୍ଣ୍ଣ କାଳଟାକୁ ଅନାଥ ଓ ଅରକ୍ଷ କରି ପକାଇବାରେ ପାଜି ଓ ପୋଲିସ୍‌ମାନଙ୍କର ହିଁ ସବାବଡ଼ ଭୂମିକାଗୁଡ଼ିକ ରହିଛି ।

 

ପାଜିମାନଙ୍କ ବିରୋଧରେ ଆଲୋଡ଼ନ ସୃଷ୍ଟି ହେଉ ବୋଲି ଯେଉଁମାନେ କହିଲେଣି, ସେମାନଙ୍କର ଅନ୍ତ୍ର ଭିତରେ କ’ଣ ସବୁ ମତଲବ ରହିଛି କେଜାଣି ? ଆମ ହଜାର ଶିକ୍ଷକଙ୍କ ଭିତରେ ନିଜର ଶକ୍ତି ଏବଂ ନିଜର ବ୍ରତଗତ ସାମର୍ଥ୍ୟ ବିଷୟରେ ଅନ୍ତତଃ ପାରମ୍ପରିକ ଭାବରେ ଯେତିକି ବିଶ୍ଵାସବୋଧ ରହିଥିଲା ଓ ସ୍ୱାଧୀନ ଭାରତବର୍ଷର ଅସଲ ଆହ୍ୱାନଗୁଡ଼ିକର କ୍ଷେତ୍ରରେ ଯାହା ଅତ୍ୟନ୍ତ ଗୌରବମୟ ଭାବରେ ଅନେକ କାମରେ ଲାଗିପାରିଥାନ୍ତା, ତୁଚ୍ଛା ବେତନବୃଦ୍ଧି ନିମନ୍ତେ ଐକାନ୍ତିକ ସମରଗୁଡ଼ାକରେ ଫଉଜ ହୋଇ ବାହାରି ସେଥିରେ ହ୍ରାସ ବା ବୃଦ୍ଧି କେତେ କ'ଣ ଘଟିଛି, ଆମେ ମନ କଲେ ଏବଂ ସାହସୀ ହୋଇପାରିଲେ ତାହାର କିଞ୍ଚିତ୍ ଆକଳନ ମଧ୍ୟ କରିପାରନ୍ତେ । ସେଇଟି ମଧ୍ୟ ଆମ ଯାବତୀୟ ଆଲୋଡ଼ନ ସୃଷ୍ଟି କରିବାର ଅଭିଳାଷ ନିମନ୍ତେ ଏକ ପ୍ରତ୍ୟୟପତ୍ର ରୂପେ କାର୍ଯ୍ୟ କରିପାରନ୍ତା । ଶିକ୍ଷା ପାଇଁ ଆଲୋଡ଼ନ ସୃଷ୍ଟି କରିବାର ଆନ୍ଦୋଳନରେ ଉଚିତ ନେତୃତ୍ୱ ଦେଇପାରିବା ନିମନ୍ତେ ସମ୍ଭବତଃ ସଂଘ ପାଖରେ ଏପରି କୌଣସି ତଜୁର୍ବା ନାହିଁ, ଯାହାକି ଏହି ଅନ୍ୟ ମୁହୂର୍ତ୍ତଟିରେ ସେପରି ଉଲ୍ଲେଖଯୋଗ୍ୟ ସାହାଯ୍ୟ କରିପାରିବ । ସେ ନେତୃତ୍ୱ କଦାପି ଏ ନେତୃତ୍ୱର ଦାୟିତ୍ୱକୁ ଗ୍ରହଣ କରିପାରିବ ନାହିଁ । ବିକ୍ଷୋଭ ବା ଧର୍ମଘଟଟିଏ କରି ଧାରଣାରେ ବସି ପୋଲିସମାନଙ୍କ ଠାରୁ ଗଣ୍ଡାଏ ଅଧିକ ପାଉଣା ହାସଲ କରିନେବା,– ତାହା ପୋଲିସ୍ ସୁଲଭ ଯାବତୀୟ ବଦଖୋଇରୁ ମୁକ୍ତ ହେବ, ଏହି କଥାଟିକୁ ଆଦୌ ସେତେ ସହଜରେ ବାଟ ଛାଡ଼ି ଦିଆଯିବ ନାହିଁ । ଆମର ଚଳନ୍ତି ସଂସାରଟା କାଳକ୍ରମେ ହୁଏତ ଏପରି ବି ହୋଇଗଲାଣି ଯେ, ପୋଲିସ୍‌ମାନେ ଯାଆନ୍ତୁ ବୋଲି ସ୍ୱୟଂ ଚୋରମାନେ ମଧ୍ୟ ଇଚ୍ଛା କରିବେ ନାହିଁ-। ଚୋର ଭିତରେ ଗୋଟାଏ ପୋଲିସ୍‌ ଏବଂ ପୋଲିସ୍ ଭିତରେ ଗୋଟାଏ ଚୋର ଅଧିକାଂଶତଃ ଏକତ୍ର ବାସ କରୁଥାଏ ବୋଲି ପୃଥିବୀରେ କାଳକାଳରୁ ଉଭୟେ ଚୋର ଓ ପୋଲିସ୍ ବିରାଦର ବାଗିର୍ ରହି ଆସିଛନ୍ତି । ଜଣେ ମନୁଷ୍ୟକୁ ଏକାବେଳକେ ଚୋର ଓ ପୋଲିସ୍‌ ଉଭୟ ଭୂମିକାରେ ବିଭୂଷିତ କରିବା ହିଁ ସମ୍ଭବତଃ ଆମ ଚଳନ୍ତି ଶିକ୍ଷାର ମାହାଲମାନଙ୍କରେ ସର୍ବପ୍ରଧାନ ଉଦ୍ୟମ ହୋଇ ରହିଆସିଛି । ତେଣୁ, ଆଲୋଡ଼ନ ଖୁବ୍ ହେଉ ପଛକେ, ଆଲୋଡ଼ନ ନାମରେ କୌଣସି ଅଭିନୟ ମୋଟେ ନହେଉ । ଶିକ୍ଷାର କ୍ଷେତ୍ରରେ ତ ଅସଲ ଆଲୋଡ଼ନ ତେବେ ଯାଇ ସମ୍ଭବ ହେବ, ଯେତେବେଳେ କି ଶିକ୍ଷକମାନେ ବର୍ତ୍ତମାନର ଏହି ସଂଘସର୍ବସ୍ଵତାର ଗରଜଗୁଡ଼ାକରୁ ମୁକୁଳି ବାହାରି ଆସିପାରିବେ । ଏବଂ, ସଂଘ ମଧ୍ୟ ଖୁସି ହୋଇ ସେଥିଲାଗି ଏକ ଆବଶ୍ୟକ ଅନୁକୂଳତା ସୃଷ୍ଟି କରିପାରିବ । ସେଇଟି ପ୍ରକୃତରେ କେବେ ହେବ ?

 

୨୪/୭/୨୦୦୦

Image

 

ସେମାନେ ଦେଶର ସେବା କରିବେ

 

ଏଥର ହାଇସ୍କୁଲ ପରୀକ୍ଷାଫଳ ବାହାରିବା ଦିନ ଜଣାପଡ଼ିଲା, ପ୍ରଥମ ଦଶଜଣଙ୍କର ଉଦ୍ଦେଶ୍ୟରେ ସବା ଉପରେ ଯେଉଁ ଦଧିନଉତିଟା ରହିଛି, ସେଠାରେ ଏକାବେଳକେ କୋଡ଼ିଏ ଜଣ ପୁଅଝିଅ ଯାଇ ବସିଛନ୍ତି । ଆମ ଫଳାନ୍ୱେଷୀ ଆଖିଟାକୁ ଏହି ଘଟଣାଟି ଯେ ବିଶେଷ ଗୌରବାବହ କ’ଣଟାଏ ବୋଲି ଅବଶ୍ୟ ମନେ ହେବ, ସେଥିରେ ଆଦୌ କୌଣସି ସନ୍ଦେହ ରହିବା ଉଚିତ ନୁହେଁ-। କୀର୍ତ୍ତିମାନ୍ ଓ କୀର୍ତ୍ତିମତୀମାନେ ସେଦିନ ଆମ ଅନେକଙ୍କୁ ଅର୍ଥାତ ଅପରଙ୍କୁ ମଧ୍ୟ ନିଜର ଝିଅ ଓ ପୁଅ ଭଳି ଲାଗିଥିବେ । ସତେଅବା ସେମାନେ ଆମ ସମସ୍ତଙ୍କ ଲାଗି ଗୋଟାଏ ଉଲ୍ଲେଖଯୋଗ୍ୟ କୀର୍ତ୍ତି ଅର୍ଜନ କରିଆଣିଲେ । ଆମ ସାମ୍ବାଦିକମାନେ ଭାରି ଟାଉ ଟାଉ ହୋଇ ବାଟ ପଚାରି ସେମାନଙ୍କର ଘରେ ଯାଇ ପହଞ୍ଚିଗଲେ । ସେମାନଙ୍କର ଫୋଟୁ ଖିଚିଆଣିଲେ । ସେମାନଙ୍କ ସହିତ ଗୋଟାଏ ସାକ୍ଷାତକାର କରାଗଲା । ଅର୍ଥାତ୍ ସେମାନଙ୍କୁ କେତୋଟି ପ୍ରଶ୍ନ ପଚରାଗଲା ଓ ସେମାନେ ସେଗୁଡ଼ିକର ଉତ୍ତର ଦେଲେ । ଯାହାସବୁ ଛପା ହୋଇ ବାହାରିଥିଲା, ସେଥିରୁ ଜଣାଗଲା, ସେହି ପୁରୁଣା ଢଙ୍ଗରେ ପ୍ରଶ୍ନମାନେ ପଚରା ହେଲେ ଏବଂ ପୁରୁଣା ଢଙ୍ଗରେ ଉତ୍ତରମାନେ ବି ମିଳିଲେ । ଅର୍ଥାତ ତିଦସ୍ତା ଓ ଗୋଦସ୍ତା ବର୍ଷ ଯେଉଁ ପ୍ରଶ୍ନଗୁଡ଼ିକ ପଚରାଯାଇଥିଲା, ଏବର୍ଷ ମଧ୍ୟ ସେହି ପ୍ରଶ୍ନଗୁଡ଼ିକ । ଏବଂ ଯୁଗାଭ୍ୟାସର ବିଧାନ ମାନି ପ୍ରଶ୍ନଗୁଡ଼ିକର ଯଦି ପୁନରାବୃତ୍ତି ହୋଇପାରୁଛି, ଉତ୍ତରମାନଙ୍କର କ୍ଷେତ୍ରରେ ମଧ୍ୟ ପୁନରାବୃତ୍ତି କାହିଁକି ନହେବ ?

 

ପ୍ରଶ୍ନଗୁଡ଼ିକ ଚିହ୍ନା, ଏବଂ ଉତ୍ତରଗୁଡ଼ିକ ମଧ୍ୟ ଚିହ୍ନା । ପିଲାମାନେ କହିଲେ, ସେମାନେ ଡାକ୍ତର ହେବେ, ଇଞ୍ଜିନିୟର୍ ହେବେ, ଅମଲାତନ୍ତ୍ରର ରାଜକୀୟ ଭାଡ଼ିଟାରେ ସବା ଉପରେ ଯାଇ ବସିବେ । ଏବଂ, ଏଇଟା ବା ସେଇଟା ଯାହା ହୁଅନ୍ତୁ ପଛକେ, ସେଇଟି ହୋଇ ସେମାନେ ଦେଶର ସେବା ହିଁ କରିବେ । ଏହିଭଳି ଉତ୍ତର ଦେଲେ ସବୁଆଡ଼କୁ ଅବଶ୍ୟ ପାଇବ ବୋଲି ସେମାନଙ୍କୁ କିଏ ଶିଖାଇଥିଲା କେଜାଣି ? ନିଶ୍ଚୟ ଆମର ଏହି କାଳଟା ହିଁ ଶିଖାଇଥିବ । କାଳ କହିଲେ ପିତାମାତାଙ୍କୁ ବୁଝାଏ, ଗୁରୁଜନମାନଙ୍କୁ ବୁଝାଏ ଏବଂ ସର୍ବୋପରି ତଥାକଥିତ ଶିକ୍ଷାର ଫୁଙ୍କ ଦେଇ ଇସ୍କୁଲରେ ପଢ଼ୁଥିବା ଆମ ପିଲାମାନଙ୍କୁ ଏକ ନିର୍ଦ୍ଦିଷ୍ଟ ଅକଲ ବା ଅଣଅକଲରେ ଚେଙ୍ଗା କରି ଆଣୁଥିବା ଶିକ୍ଷକମାନଙ୍କୁ ବୁଝାଏ । କେବଳ ପିଲାମାନଙ୍କ ଦୃଷ୍ଟିରୁ ମଧ୍ୟ କଥାଟିର ଚିନ୍ତା କରାଯାଇପାରିବ । ଚାରି ପାଞ୍ଚଲକ୍ଷ ପିଲାଙ୍କ ଭିତରୁ ସେମାନଙ୍କର ନାମ ପ୍ରଥମ ଦଶଟି ସ୍ଥାନରେ ରହିଛି । ଏପରି ଗୋଟିଏ ବିରଳ ବେଳା ଜୀବନରେ ହୁଏତ ଦ୍ୱିତୀୟ ଥର ବି ଆସୁନଥିବ । ଭିତରଟାକୁ ଅନାଇଦେଲେ ହୁଏତ ଏକାବେଳକେ କେତେ ଡେଣା ଲଗାଇ କିଏ ଗୋଟାଏ କୁଆଡ଼େ ମନ କୁଆଡ଼େ ଉଡ଼ିଯିବାରେ ଲାଗିଥିବ, ଗୋଟାଏ ଖୁମ୍ପାରେ ସତରଟା ଜାଗାକୁ ଖୁମ୍ପି ପକାଉଥିବ । ଏବଂ, ଏକ ସରଳ ଅନ୍ଦାଜ ଓ ନିରୀହ ବିବେକରେ ସିଏ ପ୍ରଶ୍ନକାରୀ ସାମ୍ବାଦିକଙ୍କର ମନକୁ ଘେନାଇବା ଭଳି ଉତ୍ତରଟିଏ ଦେବା ହିଁ ଜୀବନର ଉଚିତତମ କର୍ତ୍ତବ୍ୟ ବୋଲି ମନେ ହେଉଥିବ । ନିତାନ୍ତ ସତକଥା ଯେ, ଦଶବର୍ଷ ଅନ୍ତେ ସେମାନେ ପ୍ରକୃତରେ ଯାହା କରୁଥିବେ ବା ଯେଉଁ ଦାଣ୍ଡିରେ ଥିବେ, ଏବେ ଦେଇଥିବା ଉତ୍ତରଟି ସହିତ ତାହାର ଆଦୌ କୌଣସି ସଙ୍ଗତି ନଥିବ । ଏବଂ, ସର୍ବୋପରି, କାହିଁକି ସଙ୍ଗତି ନରହିଲା ବୋଲି ପୁନର୍ବାର ପ୍ରଶ୍ନ କରିବା ନିମନ୍ତେ ଆସିବାକୁ ସେତେବେଳେ କୌଣସି ସାମ୍ବାଦିକର ପ୍ରୟୋଜନ ମୋଟେ ନଥିବ । ସେବର୍ଷର ପ୍ରଥମ ଦଶଜଣ ବି ତ ନିଶ୍ଚୟ ଥିବେ, ତେଣୁ ଏହିମାନଙ୍କ ପାଖକୁ ଯାଇ କିଞ୍ଚିତ୍ ପାଠକୀୟ ସଂଗ୍ରହ କରି ଆଣିବାକୁ ହିଁ ସିଏ ଅଧିକ ସଙ୍ଗତିଯୁକ୍ତ ମନେ କରୁଥିବ ।

ସେବା, ଦେଶର ସେବା କରିବାକୁ ହେଲେ ଯେ ଆଗ ବଡ଼ ଅଫିସରଟିଏ, ଇଞ୍ଜିନିୟର୍ କିମ୍ବା ଡାକ୍ତରଟିଏ ହେବା ନିତାନ୍ତ ଆବଶ୍ୟକ, ନୂତନ ଉପବୀତଧାରୀମାନଙ୍କୁ ସେହି କଥାଟା କିପରି କୋଉଠୁ ଆସି କାମୁଡ଼ି ଧରିଲା କେଜାଣି ? ସେବା କରିବା ଯେ ଜଣେ ପ୍ରକୃତ ମାନବର ପରମଧର୍ମ, ଏହି ପିଲାମାନେ ହୁଏତ ନିଜ ପାଠ୍ୟପୁସ୍ତକରୁ ନିଶ୍ଚୟ କିଛି କିଛି ଶିକ୍ଷା କରିଥିବେ । ମାନବ-ସେବା ହିଁ ଯଥାର୍ଥ ମାଧବସେବା ବୋଲି ଇସ୍କୁଲର ତର୍କସଭାମାନଙ୍କରେ ନିଶ୍ଚୟ କେତେ କେତେ ଅବସରରେ ଉଚ୍ଚାରିତ ହୋଇଥିବ । ମାତ୍ର, ମାଧବସେବା କରିବାକୁ ହେଲେ ଯେ ଆଗ ବଡ଼ ହାକିମ ବା ଅମଲାଟାଏ ହେବା ଉଚିତ, ସେକଥା ଶୁଣିଲେ ସ୍ଵାମୀ ବିବେକାନନ୍ଦଙ୍କର ଛାର ପଥରମୂର୍ତ୍ତିଟା ମଧ୍ୟ ଆଦୌ କୌଣସି ସଂଯମ ନମାନି ଖିଲି ଖିଲି ହୋଇ ନିଶ୍ଚୟ ହସିଉଠିବ । ମୁଁ ଭାବୁଥିଲି, ଏଇ ବୁଇ ଓ ବାବୁମାନେ ଯଦି ଖାଲି ମୁଁ ଅମୁକ ହେବି ବୋଲି କହିଥାଆନ୍ତେ, ତେବେ ଆଦୌ କୌଣସି ଅସୁବିଧା ହୋଇ ନଥାନ୍ତା । ସେମାନଙ୍କୁ ତଦ୍ଦ୍ୱାରା ସମ୍ଭବତଃ ଅଧିକ ନିର୍ମଳ ଭାବରେ ବୁଝି ହୋଇଥାନ୍ତା । ତେଣୁ, ଦେଶର ସେବା କରିବେ ବୋଲି ଏହି ଅଧିକା ଲାଙ୍ଗୁଡ଼ଟାକୁ ସେମାନେ ଲଗାଇଦେଲେ କାହିଁକି କେଜାଣି ? ଡାକ୍ତରୀ ପଢ଼ିଥିବା ବାବୁମାନେ ଯଦି ସତକୁ ସତ ଦେଶର ସେବା କରୁଥାନ୍ତେ, ତେବେ ଆମ ଡାକ୍ତରଖାନାମାନଙ୍କରେ ଧର୍ମ ରହିଥାନ୍ତା । ଇଂଜିନିୟରିଂ ବିଦ୍ୟା ପଇଠ କରିଥିବା ସେହି ଅନ୍ୟ ପଲଟା ଯଦି ଚାକିରିଟାର ମାଧ୍ୟମରେ ଦେଶର ସେବା କରୁଥାନ୍ତା, ତେବେ ଦେଶଟା ଲକ୍ଷ୍ମୀଙ୍କର ଘର ପରି ଦେଖାଯାଉଥାନ୍ତା । ଏବଂ ଦେଶର ସେବା କରିବା ସକାଶେ ଆମ ହାକିମକୁଳ ଯଦି ଆମକୁ ଶାସନ କରୁଥାନ୍ତେ, ତେବେ ସେହି ଶାସନ ଉପରେ ନିର୍ଭର କରି ହେଉଥାନ୍ତା; ଚକଗୁଡ଼ିକ ପ୍ରକୃତରେ ଗଡ଼ୁଥାଆନ୍ତେ, ଆମ ପ୍ରବଳ ଏବଂ ପୃଥୁଳ ସରକାରଟା ମଧ୍ୟ ମହିଷାସୁରର ଦର୍ପରେ ଏଡ଼େବଡ଼ ଖଣ୍ଡା ହାତରେ ଧରି ଏହି ଦେଶର ଭାଗ୍ୟକୁ ଗେନା ଗେନା କରି ମୋଟେ କାଟି ପକାଉନଥାନ୍ତା ।

ପ୍ରଥମ ଦଶଟି ସ୍ଥାନରେ ରହିଥିବା ସେହି ଭାଗ୍ୟବାନ ଓ ଭାଗ୍ୟବତୀମାନଙ୍କୁ ତାରିଫ୍ କରି କଥାମାନ ଅଜାଡ଼ି ଦିଆଗଲା । ଆମେ ଅନେକେ ସେମାନଙ୍କର ଏହି ସଫଳତାରେ ଆପେ ମଧ୍ୟ ସଫଳ ହେଲୁ ବୋଲି ଅନୁଭବ କଲୁ । ସେମାନଙ୍କୁ ଯେଝା ଯେଝା ଇସ୍କୁଲ, ଯେଝା ଯେଝା ଅଞ୍ଚଳ ଏବଂ ଯେଝା ଯେଝା ଜିଲ୍ଲାର ଗୌରବ ବୋଲି କହିଲୁ । ସେମାନେ ବୟସ ବଢ଼ିବା ତଥା ଭାଗ୍ୟ ଅଧିକ ତେଜ ହେଉଥିବା ସଙ୍ଗେ ସଙ୍ଗେ ଆହୁରି ଉପରକୁ ଯିବେ । ଶାସକ ହେବେ, ବେତାଏ ବେତାଏ ରୋଜଗାର କରିବେ, ଜରିପୋଷାକ ପିନ୍ଧିକରି ଛନଛନ ଦିଶିବେ ଏବଂ ଆପଣା ଆପଣାର ହିସାବ ଅନୁସାରେ ଦେଶର ସେବା କରୁଛନ୍ତି ବୋଲି ଆପଣାକୁ ବୁଝାଇବାରେ ଲାଗିଥିବେ । ସେମାନେ ସରକାରଙ୍କର ସେବା କରିବେ ଏବଂ ସରକାରଙ୍କର ସେବାଟା ହିଁ ଦେଶବାସୀଙ୍କର ସେବା ବୋଲି ପ୍ରାୟ ପ୍ରୟୋଜନରେ ପଡ଼ି ବିଶ୍ଵାସ କରି ଶିଖିବେ । ଈଶ୍ୱର ସେମାନଙ୍କର ମନଲାଖି ଥାନଗୁଡ଼ିକରେ ନେଇ ପହଞ୍ଚାଇ ଦିଅନ୍ତୁ ଏବଂ ମନଲାଖି ମନାସ ଗୁଡ଼ିକରେ ମନଫୁଲା କରି ଅବଶ୍ୟ ରଖନ୍ତୁ । କିନ୍ତୁ ଏମାନେ ପ୍ରକୃତରେ କେତେ କି ? ବିଜ୍ଞପ୍ତି କହୁଛି, ଏବର୍ଷ ଶହେରେ ଷାଠିଏ କି ବାଆଷଠି ମୂର୍ତ୍ତି ହାଇସ୍କୁଲ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇନାହାନ୍ତି । ଅକୃତକାର୍ଯ୍ୟ ହୋଇଥିବା ଏମାନେ ଅଢ଼େଇ ଲକ୍ଷ ବୋଲି ସୁମାରି କରାଯାଇଛି । ପ୍ରାୟ ଅଢ଼େଇ ଶହ ହାଇସ୍କୁଲ୍ ଓଡ଼ିଶାରେ ଏପରି ଅଛନ୍ତି, ଯେଉଁଥିରୁ କି ଗୋଟିଏ ହେଲେ ପରୀକ୍ଷାର୍ଥୀ ପାସ କରିନାହାନ୍ତି । ପଡ଼ିଆ ଗାଈମାନଙ୍କ ବିଷୟରେ ଗବେଷଣା କରିବାକୁ ମନ ଥିଲେ ତୁମେ ଏହି କ୍ଷେତ୍ରରେ ଆହୁରି ଆଗକୁ ଯାଇପାରିବ ଓ ସନ୍ଧି ଭିତରେ ରହି ଯାଇଥିବା କାରଣ କେତୋଟିକୁ ଆବିଷ୍କାର କରିପାରିବ । ପ୍ରଥମ ଦଶଟିର ଥାନରେ ରହିଥିବା କପାଳିଆମାନେ ନିଜ ସୌଭାଗ୍ୟର ସନ୍ଦର୍ଶନରେ ବିହ୍ୱଳ ହୋଇ ଭାସୁଥିବା ବେଳେ ତେଣେ ଭାବିବାକୁ ସମୟ ପାଇଥିବେ କି ନାହିଁ କେଜାଣି ?

ଭାଗ୍ୟବନ୍ତ ଦଶଟିଯାକ ସ୍ଥାନର ଅଧିକାରୀ ଓ ଅଧିକାରିଣୀମାନେ ପ୍ରାୟ ସମସ୍ତେ ଉପକୂଳ ଅଞ୍ଚଳର, ମୁଖ୍ୟତଃ ସହରଗୁଡ଼ିକର; କଳାହାଣ୍ଡି, ସୁନ୍ଦରଗଡ଼, ଗଜପତି ଓ ବଉଦରେ କେତେ ପିଲା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ? ଯଦି ବରଷା ହେଉଛି, ତେବେ ଜାଗା ବାଛି ଏବଂ ଜାଗା ବାରି କାହିଁକି ହେଉଛି ? ଯେଉଁ ଦେବୀ ସରସ୍ଵତୀ ଆମ ଓଡ଼ିଶାର ମାଧ୍ୟମିକ ଶିକ୍ଷାର ଗତି ଓ ପ୍ରକୃତି ବିଷୟରେ ଚିନ୍ତା କରୁଥିବେ, ସିଏ ଏଡ଼େବଡ଼ ଦେବୀ ହୋଇ କାହିଁକି ଆମ ରାଜ୍ୟଟାର ଅଞ୍ଚଳ ଅଞ୍ଚଳ ମଧ୍ୟରେ ଏତେ ଏତେ ତାରତମ୍ୟକୁ ପ୍ରାୟ ସ୍ଥାୟୀ କରି ରଖିଛନ୍ତି ? ଗାଆଁମାନଙ୍କରେ ହାଇସ୍କୁଲ୍ ବୋଲି ଯେଉଁ ସ୍ୱୀକୃତିପ୍ରାପ୍ତ ସରକାରୀ ବା ବେସରକାରୀ ଡିପୋମାନ ରହିଛି, ସେଠାରେ ପିଲାମାନଙ୍କୁ କାହିଁକି ଛତରଖିଆ ଭଳି ବ୍ୟବହାର କରାଯାଉଛି ? ସେହି ପିଲାମାନଙ୍କୁ ନିଜ ଜୀବନରେ ଅଳପରୁ ଆହୁରି ଅଳପ, ଆଶା କରିବା ଲାଗି ଛାଡ଼ି ଦିଆଯାଉଛି କାହିଁକି ? ସେମାନଙ୍କର ବିଦ୍ୟାଳୟରେ ବିଜ୍ଞାନଘରଟିଏ କାହିଁକି ନାହିଁ, ପାଠାଗାର ବି ନାହିଁ– ମାଷ୍ଟରମାନଙ୍କ ଭିତରୁ ସତେଅବା ଗୋଦାମରଦିମାନେ ସେଠାରେ କାହିଁକି ନିଯୁକ୍ତ ହୋଇ ରହିଛନ୍ତି ? ଯେଉଁମାନେ ଭଲ ପଢ଼ାନ୍ତେ, ସେମାନେ ପ୍ରାୟ ଏକପାଖିଆ ହୋଇ କାହିଁକି ସହରରେ ରହି ଯାଉଛନ୍ତି ? ଶହେ ପିଲାରେ ଯେଉଁ ଷାଠିଏ ଜଣ ପରୀକ୍ଷାରେ ଝୁଣ୍ଟି ରହିଗଲେ, ସେମାନଙ୍କର କ’ଣ ମନଲାଖି ସ୍ୱପ୍ନ ଦେଖିବାର ଏବଂ ତଦନୁରୂପ ଉଦ୍ୟମ କରିବା ପାଇଁ ଆବଶ୍ୟକ ଶିକ୍ଷାପରିବେଶଟିଏ ପାଇବା ନିମନ୍ତେ କୌଣସି ଅଧିକାର ନାହିଁ ? ପ୍ରତ୍ୟେକ ବର୍ଷ ଆମ ଇସ୍କୁଲମାନଙ୍କରୁ ଅଧିକରୁ ଅଧିକ ପିଲା ଅଧାବାଟରେ ରହି ଯାଉଛନ୍ତି । ହୁଏତ ସେହିମାନେ ହିଁ ଆମ ସାମୂହିକ ଜୀବନଟା ଯେକୌଣସି ପ୍ରକାରେ ଚାଲିପାରିବ ବୋଲି ଅଧିକ କାମରେ ଲାଗିଛନ୍ତି । ସେହି ତଳୁଆମାନେ ରହିଛନ୍ତି ଓ ତଳ ସୋପାନର ଦୈନନ୍ଦିନ ସାଧାରଣ କର୍ମଗୁଡ଼ିକୁ ତୁଲାଉଛନ୍ତି ବୋଲି ଉପରେ ମଧ୍ୟ ଦେଶଟା ତଥାପି ଚାଲୁଥିବା ପରି ଏକ ସର୍ବନିମ୍ନ ପ୍ରତୀତି ସମ୍ଭବ ହୋଇପାରୁଛି ! ସବା ଉପରେ ସୁନାରେ ରୂପାରେ ବାଟ ଚାଲିବାରେ ଲାଗିଥିବା ଗେହ୍ଲାମାନେ କୌଣସି କାରଣରୁ ତଳଟାକୁ ପୂରା ଉଖାଡ଼ି ଫିଙ୍ଗିଦେଇ ପାରୁନାହାନ୍ତି ବୋଲି ଯାହା ଆମର ଏହି ଭୂମିରେ ସ୍ଥାୟୀ ହୋଇ ପରିମଳଟିଏ ତଥାପି ରହିଛି । ଧକଡ଼ ଧକଡ଼ ହୋଇ ତଥାପି ଚାଲିଛି । ଗୋଦଡ଼ାମାନଙ୍କ ଭଳି ଚତୁର ସିନା ହୋଇ ପାରୁନାହିଁ, ତଥାପି ଚାଲିଛି ।

ଭିତରେ ସତେଅବା ଗୋଟାଏ ଚଗଲା ରହିଛି ଏବଂ କହୁଛି, ପ୍ରଥମ ଦଶଟି ଥାନରେ ଯେଉଁ ଯୋଗ୍ୟତମମାନେ ଅଛନ୍ତି, ଅବସରଟିଏ ବାହାର କରି ସିଏ ସେମାନଙ୍କୁ ଡାକି ଏକାଠି ବସାଇବ । ଏମାନେ ବଡ଼ ହେଲେ କ’ଣ ହେବେ ବା ନହେବେ, ସେମାନଙ୍କୁ ସେହି ବିଷୟରେ କିଛି ପଚାରିବ ନାହିଁ । ସିଏ ସେମାନଙ୍କୁ ଆମ ଦେଶରେ ଏକଦା ଲଢ଼ା ଯାଇଥିବା ସ୍ୱାଧୀନତା ସଂଗ୍ରାମଟି ବିଷୟରେ କହିବ । ସଂଗ୍ରାମ ପଛରେ ଏକ ସ୍ଵପ୍ନ ରହିଥିଲା ବୋଲି କହିବ । ଏହି ଦେଶର ବିଲ, ବଣ, ଅରଣ୍ୟ ଓ ପାହାଡ଼ ଭିତରେ ଲୁକ୍କାୟିତ ହୋଇ ରହିଥିବା ସମ୍ଭାବନାଗୁଡ଼ିକୁ ନେଇ ସ୍ଵପ୍ନ । ଗୋଟିଏ କଥାରେ କହିଲେ, ଏଠି ବାସ କରୁଥିବା ସବୁ ମଣିଷଙ୍କୁ ନେଇ ଏକ ସ୍ଵପ୍ନ । କେତେ କ’ଣ ଭାଙ୍ଗି ଆହୁରି କେତେ କ'ଣ ଗଢ଼ି ପାରିବାର ସ୍ଵପ୍ନ । ସେହି ସ୍ୱପ୍ନଗୁଡ଼ିକର ପ୍ରକୃତରେ ତୁଳନା ହିଁ ନାହିଁ-। ସେହି ସ୍ୱପ୍ନଗୁଡ଼ିକୁ ଏହି ମାଟିଯାଏ ଅବତୀର୍ଣ୍ଣ କରି ଆଣିବା ନିମନ୍ତେ ହିଁ ଏଠାରେ ଯାବତୀୟ ଜ୍ଞାନ, ବିଜ୍ଞାନ, ଶାସନ, ନିମୟମନ ଏବଂ ନିୟନ୍ତ୍ରଣର ଯାହାକିଛି ପ୍ରାସଙ୍ଗିକତା ରହିଛି । ଯାବତୀୟ ନୀତି ଓ ରାଜନୀତିର ବି ଯାହା କିଛି ପ୍ରାସଙ୍ଗିକତା ରହିଛି । ଆମ ଦେଶରେ ଇସ୍କୁଲଗୁଡ଼ିକ ମଧ୍ୟ ସେଇଥିପାଇଁ ବସିଛି । ମାଧ୍ୟମିକ ଶିକ୍ଷାବୋର୍ଡ଼ ସେଇଥିପାଇଁ ଗଢ଼ାଯାଇଛି । ହାତୀଶାଳରେ ହାତୀ ରହିଛନ୍ତି ଓ ଘୋଡ଼ାଶାଳରେ ଘୋଡ଼ା ଅଛନ୍ତି । ସେହି ସ୍ୱପ୍ନଟି ଭିତରେ ସାମିଲ୍ ହୋଇ ନପାରିବା ଯାଏ ସବୁକିଛି ଅତ୍ୟନ୍ତ ପ୍ରତାପ ସହିତ ଚାଲିଥିବ ସତ, ମାତ୍ର ତୁଚ୍ଛା ତାମସାରେ ହିଁ ପରିଣତ ହୋଇ ରହିଥିବ । ଅସଲ ସେବାଟି ହେଉଛି ସେହି ସ୍ୱପ୍ନଟିକୁ ସାକାର କରି ଆଣିବାର ସେବା– ସେହି ବିରାଟ ଆହ୍ୱାନଟିକୁ ସତକୁ ସତ ଶୁଣି ପାରିବାର ଯୋଗ୍ୟତା । ସେହି ଆହ୍ୱାନର ଅନ୍ତ ନାହିଁ ଓ ତେଣୁ ସେଥିଲାଗି ଯୋଗ୍ୟ ହେବାର ମଧ୍ୟ କାହିଁକି କୌଣସି ଅନ୍ତ ରହିବ ?

୩୧/୭/୨୦୦୦

Image

 

ହିଟ୍‌ଲରର ଖପୁରୀ

 

ଆମ ଆଧୁନିକ ପୃଥିବୀରେ ହିଟଲର୍ କ୍ରମେ ଏପରି ଏକ ଚିହ୍ନନାମ ହେଇଯାଇଛି ଯେ ଗତ ମହାଯୁଦ୍ଧ ସରିବାର ପ୍ରାୟ ଷାଠିଏ ବର୍ଷ ସରିବା ପରେ ମଧ୍ୟ ତଥାପି ହିଟଲରକୁ ଖୋଜା ପଡ଼ିଛି-। ହିଟଲର ପ୍ରକୃତରେ କିଭଳି ଧାତୁର ମଣିଷଟିଏ ଥିଲା ଯେ, ପୃଥିବୀରେ ଏଡ଼େବଡ଼ ଯୁଦ୍ଧଟାଏ ଭିଆଇଦେଇ ପାରିଲା ? ଜର୍ମାନୀ ଦେଶର କେତେ କୋଟି ମଣିଷ ସେଇ ଗୋଟିଏ ମଣିଷର ମୋହ ଭିତରେ ଏଭଳି ମୋହିତ ଏବଂ ଅନ୍ଧ ହୋଇ ରହିଗଲେ କିପରି କେଜାଣି ? ହିଟଲର ବାର ବର୍ଷ କାଳ ଜର୍ମାନୀରେ ସର୍ବେସର୍ବା ହୋଇ ରହିଲା, ଜର୍ମାନୀର ଅଧିକାଂଶ ମଣିଷଙ୍କୁ ତା’ର କଥାରେ ମତାଇ ଦେଇ ପାରିଲା । ତା' ଭିତରେ ଏମିତି ଅସାଧାରଣ ହୋଇ କ'ଣ ବା କ'ଣ ସବୁ ରହିଥିଲା ଯେ, ତା’ଦ୍ଵାରା ଏହି ସବୁକିଛି ସମ୍ଭବ ହୋଇପାରିଲା ? ହିଟଲର ମଲା ଦିନଠାରୁ ହିଁ ଏହି କଥାଟିର ନାନା ଗମ୍ଭାର ଚର୍ଚ୍ଚା ହେବାରେ ଲାଗିଛି । ଏଇଟି ବିଷୟରେ କେତେ ଗବେଷଣା ହୋଇ କେତେ ବହି ବାହାରିଛି । ବର୍ତ୍ତମାନ ଏବେ ମଧ୍ୟ ବାହାରୁଛନ୍ତି । କାରଣ, କୌଣସି ଗୋଟିଏ ବହିରେ ପ୍ରଦତ୍ତ ହୋଇଥିବା ବକ୍ତବ୍ୟରେ ସମସ୍ତଙ୍କର ମନ ଆଦୌ ବୁଝୁନାହିଁ । କାଳେ ଆଉ କିଛି ସୁରାଖ ମିଳିଯିବ, ସେଥିଲାଗି ହିଟଲରର ଖପୁରିଟାକୁ ପରୀକ୍ଷା କରି ଦେଖିବାକୁ ଏବେ ବୈଜ୍ଞାନିକମାନେ ବାହାରିଲେଣି । ଆହୁରି ନିର୍ଭୁଲ ଭାବରେ କହିଲେ, ଖପୁରିତଳେ ରହିଥିବା ମସ୍ତିଷ୍କଟାକୁ । ଗୋଟାଏ କିସମର ବୁଦ୍ଧି ରହିଛି, ଯାହାକି ପ୍ରାୟ ଏକତରଫା ଭାବରେ ନିର୍ଣ୍ଣୟ କରିପକାଉଛି ଯେ, ଜଣେ ମଣିଷର ଜୀବନରେ ଯାହାକିଛି ଘଟେ ବା ହୁଏ, ତାହା ତା’ର ସେହି ମସ୍ତିଷ୍କ ଅର୍ଥାତ ଖପୁରିର ଗୁଣ ବା ଅବଗୁଣରୁ ହୁଏ ବା ଘଟେ । ସତେଅବା ମସ୍ତିଷ୍କ ଭିତରେ ଭିନ୍ନ ଭିନ୍ନ ମଣିଷମାନଙ୍କର କ୍ଷେତ୍ରରେ ଅଲଗା ଅଲଗା ପୋକ ରହିଥାନ୍ତି, ଯେଉଁମାନଙ୍କ ସକାଶେ ସେମାନେ ଏଇଟା ହୁଅନ୍ତି ଅଥବା ସେଇଟା ହୁଅନ୍ତି । ପୃଥିବୀ ପାଇଁ ହିତକାରୀ ହୁଅନ୍ତି, କାଳ ବି ହୁଅନ୍ତି । ହିଟଲରର ଖପୁରି ଫଟାଇ ବୈଜ୍ଞାନିକମାନେ ସମ୍ଭବତଃ ଜାଣିପାରିବେ, ହିଟଲରର ଦହି ଭିତରେ କେଉଁ ସ୍ଵତନ୍ତ୍ର ପ୍ରକୃତି ବା ବିକୃତିର ପୋକ ଥିଲା, ଯାହାଫଳରେ କି ହିଟଲେର ହିଟ୍‌ଲର ପରି ହେଲା ।

 

ଶୁଣିବାକୁ ମିଳେ, ମହାବୈଜ୍ଞାନିକ ଆଲବର୍ଟ ଆଇନ୍‌ଷ୍ଟାଇଙ୍କର ଖପୁରିଟାକୁ ମଧ୍ୟ ଆମେରିକାର ଆଉ ଗୋଟିଏ ବିଶ୍ଵବିଦ୍ୟାଳୟରେ ହେପାଜତ କରି ରଖାଯାଇଛି । ତାଙ୍କର ସେହି ଖପୁରି ତଳେ କ'ଣ ସବୁ ବିଶେଷ ସମର୍ଥତାର ପୋକ ରହିଥିଲେ ଯେ ଆଇନ୍‌ଷ୍ଟାଇନ୍ ତାହାରି ଫଳରେ ଏଡ଼େ ବଡ଼ ବୈଜ୍ଞାନିକ ହୋଇପାରିଲେ ? ପ୍ରତ୍ୟେକ ରୋଗର କାରଣ ରୂପେ ଗୋଟାଏ ଗୋଟାଏ ଜାତିର ପୋକ ରହିଛନ୍ତି ବୋଲି ପୃଥିବୀର ଚିକିତ୍ସାବିଜ୍ଞାନ ଗବେଷଣା କରି କହିଦେଇ ପାରିଲାଣି । ପୋକମାନଙ୍କୁ ଚିହ୍ନି ଆବଶ୍ୟକ ପ୍ରତିବିଧାନ ଦ୍ଵାରା ସେଗୁଡ଼ିକୁ ମାରିଦେଇ ପାରିବାର ଉପଚାର ସବୁ ବାହାରିଲାଣି । ସେହି ଉପାୟରେ ଆଧୁନିକ ପୃଥିବୀ ଆଗକାଳର ବହୁ ରୋଗରୁ କ୍ରମେ ମୁକ୍ତ ବି ହୋଇ ସାରିଲାଣି । ହିଟଲରର ମୁଣ୍ଡ ଭିତରେ ଏକ ନିର୍ଦ୍ଦିଷ୍ଟ ଭୟଙ୍କର କିସମର ପୋକ ରହିଥିଲା ବୋଲି ସିଏ ଏଡ଼େ ଅଧମ ଓ ଆସୁରିକ ହୋଇପାରିଲା ଯଦି ତାହା ହିଁ ସତ୍ୟ ବୋଲି ନିରୂପିତ ହୋଇପାରିବ, ତେବେ ସେହି କୀଟର କୌଣସି ପ୍ରତିଷେଧକ ଅଥବା ପ୍ରତିରୋଧକ ସାହାଯ୍ୟରେ ତାହାକୁ ନିର୍ମୂଳ କରି ଦିଆଯିବ । ତାହାର ବଂଶବୃଦ୍ଧିକୁ ରୋକାଯାଇ ପାରିବ । ଶିକ୍ଷାତତ୍ତ୍ୱର କ୍ଷେତ୍ରରେ ଯେଉଁମାନେ ପ୍ରାୟ ଏହି ଛାଞ୍ଚରେ ଚିନ୍ତା କରୁଥିବେ, ସେମାନେ ହୁଏତ ଏଭଳି ଦାବି କରି ବାହାରିବେ ଯେ, ଆମେ ଅନୁରୂପ ବ୍ୟବସ୍ଥାମାନ କରି ପିଲାମାନଙ୍କ ଭିତରେ ଅର୍ଥାତ୍ ମସ୍ତିଷ୍କରେ ଭଲ ପୋକର କର୍ଷଣ କରାଇ ପାରିବା ଅଥବା ଖରାପ ପୋକମାନଙ୍କୁ ମାରି ବି ଦେଇପାରିବା । ଗତ ଶତାବ୍ଦୀର ଆରମ୍ଭରେ ଏହିପରି ଗୋଟିଏ ବିଶ୍ଵାସ କେତେ ମନୋବିଜ୍ଞାନୀଙ୍କୁ ମଧ୍ୟ ଅଶେଷ ପରାକ୍ରମ ପ୍ରଦାନ କରିଥିଲା ଓ ଆମ ପୃଥିବୀର କେତେକ ଆଧୁନିକ ରାଷ୍ଟ୍ର ସେଇଟିକୁ ପ୍ରାୟ ଏକ ନିର୍ଭରଯୋଗ୍ୟ ବିଜ୍ଞାନ ବୋଲି ଗ୍ରହଣ କରି ନେଇଥିଲା । ସ୍ଵୟଂ ହିଟଲର ସମୟର ଜର୍ମାନୀରେ ମଧ୍ୟ ସେହି ପ୍ରୟୋଗଟି ଅତିଶୟ ନିର୍ମମ ଭାବରେ ଚାଲିଥିଲା । ପ୍ରାୟ ଅଶୀବର୍ଷ ଲଗାଏତ୍ କମ୍ୟୁନିଷ୍ଟ ରାଷ୍ଟ୍ରମାନେ ମଣିଷମାନଙ୍କୁ ନିଜର ଫରମାସ ଅନୁସାରେ ଗଠନ କରିବାକୁ ଯେଉଁ ହଙ୍ଗାମା ସବୁର ପ୍ରୟୋଗ କରିବାରେ ସକଳ ଦୃଷ୍ଟିରୁ ଏକ ଧର୍ମର ନିଷ୍ଠା ସହିତ ମନୋନିବେଶ କରିଥିଲେ, ସେଥିରେ ମଧ୍ୟ ସେହି ଅତିବିଶ୍ୱାସଟି ଭାରି ବଳବତ୍ତର ରହିଥିଲା-। ଆଧୁନିକ ବିଜ୍ଞାନରେ ଏହି ଖୋଇଟାକୁ ଏକ ଆଦିମ ଅନ୍ଧବିଶ୍ୱାସ ବୋଲି କୁହାଯାଇ ପାରିବ କି-?

 

କାଛୁର ପୋକ ବା ଜୀବାଣୁ ଅଛନ୍ତି, କ୍ଷୟକାଶ ଆଦି ଅଧିକ ମାରାତ୍ମକ ବହୁ ରୋଗର ସେହିପରି ବୀଜାଣୁମାନେ ରହିଛନ୍ତି । ମଣିଷର ଦେହଯାକ ସେମାନେ ଚରିକରି ରହିଛନ୍ତି । ଠିକ୍ ସେହିପରି ମଣିଷର ଭଲ ପାଇବା, ମଣିଷର ଘୃଣା କରିବା, ସଂସାରର ଜାଲ ଭିତରେ ପଡ଼ି ଯାଇ ଲଟରପଟର ହେବା ଏବଂ ସଂସାରକୁ ମିଛ ବୋଲି ବୁଝି ବାବାଜୀଟିଏ ହୋଇ ଘରୁ ବାହାରିଯିବା, ମଣିଷର ଖପୁରିଟାକୁ ଫଟାଇ ବିଜ୍ଞାନାଗାରରେ ପରୀକ୍ଷା କରି ସେହି କଥାଟିକୁ ମଧ୍ୟ ପ୍ରକୃତରେ କହିହେବ କି ? ମଣିଷର ମଥା ଭିତରେ କୋଉଠି ଏକ ନିର୍ଦ୍ଦିଷ୍ଟ ପୋକ ରହିଥାଏ ବୋଲି ସିଏ ଅତିରିକ୍ତ ପରିମାଣରେ ଲୋଭୀ ଏବଂ ସ୍ୱାର୍ଥପର ହୁଏକି ଏବଂ ଆଉ ପ୍ରକାରେ ରହିଥିଲେ ସିଏ ତ୍ୟାଗର ଦୃଷ୍ଟାନ୍ତ ଦେଖାଇଥାଏ କି ? କେତେ ମଣିଷ ସାଧୁ, ପୁଣି ଆଉ କେତେ ମଣିଷ ଅସାଧୁ– ଆମେ ଏଥିପାଇଁ ସେମାନଙ୍କର ଖପୁରିଟାକୁ ଗବେଷଣା କରି ଦେଖିବା ପ୍ରକୃତରେ କେତେଯାଏ ସମୀଚୀନ ହେବ କେଜାଣି ? କିଛି ମଣିଷ କମ୍ ସହନ୍ତି ଓ ଆଉ କେତେ ମଣିଷ ଅଧିକ ସହନ୍ତି– ଉଭୟ କ୍ଷେତ୍ରରେ ସେମାନଙ୍କର ଖପୁରି ଭିତରେ ଅଲଗା ଅଲଗା ପୋକ ବସା ବାନ୍ଧି ରହିଥାନ୍ତି ବୋଲି ସେପରି ଘଟିଥାଏ କି ? ଆମ ଦେଶରେ କୋଟି କୋଟି ମଣିଷ ସର୍ବଦା ଖାଲି ସହିବାରେ ହିଁ ଲାଗିଥାନ୍ତି, ଖାଲି ତାଡ଼ନା ସହନ୍ତି– ପ୍ରତିକାର କରନ୍ତି ନାହିଁ କି ପ୍ରତିବାଦ କରନ୍ତି ନାହିଁ । ଏବଂ ସେଥିଲାଗି ଆମେ ସେମାନଙ୍କର ଖପୁରିଗୁଡ଼ିକୁ ନେଇ ଗବେଷଣା କଲେ ତାହାର ଗୁମର ପ୍ରକୃତରେ କେହେର ଧରା ପଡ଼ିଯାଇ ପାରିବ ? ସେହି ଖପୁରିଟା କ'ଣ ଜଣେ ମଣିଷର ସବୁକିଛି-? ଖପୁରି ତଳେ ଆମ ଯାବତୀୟ ବୁଦ୍ଧି ଓ ଦୁର୍ବୁଦ୍ଧିର ଗନ୍ତାଘର ବୋଲି କୁହାଯାଉଥିବା ଆମ ମସ୍ତିଷ୍କଟା କ’ଣ ଆମର ସବୁକିଛି କରଣି ତା ଅପକରଣିର ଅସଲ କେନ୍ଦ୍ର ? ଆମର ମସ୍ତିଷ୍କଟା ଆମ ଜୀବନର ଅନ୍ୟ ସକଳ କାମନା, କ୍ଷୁଧା ଏବଂ ଆସ୍ପୃହାକୁ ନିୟନ୍ତ୍ରଣ କରୁଛି ନା ବିଚରା ସ୍ଵୟଂ ଆମ ଭିତରର ସମଗ୍ରଟି ଭିତରେ ଆଉ କାହାଦ୍ଵାରା ଓ ଆଉ କେଉଁମାନଙ୍କ ଦ୍ଵାରା ନିୟନ୍ତ୍ରିତ ହେଉଛି-? ଯେତେବେଳେ ମଣିଷମାନେ ସେମାନେ ନିଜେ ଭିଆଇବାରେ ଲାଗିଥିବା ଅଡୁଆଗୁଡ଼ିକର ଦାୟିତ୍ୱ ନିଜେ ନେବାଲାଗି ରାଜି ହୋଇପାରନ୍ତି ନାହିଁ, ସେତିକିବେଳେ ଗୋଟାଏ କାହାର ମୁଣ୍ଡ ଉପରେ ସବୁ ଅପବାଦ ଢାଳିଦେଇ ସେମାନେ କେତେକ ପରିମାଣରେ ହାଲୁକା ଅନୁଭବ କରନ୍ତି କି-?

 

ଜର୍ମାନୀ ଦେଶରେ ଏତେ ଏତେ ମଣିଷ ଥିଲେ, ଜର୍ମାନୀ ବାହାରେ ବି ଅବଶିଷ୍ଟ ଇଉରୋପରେ ଏତେ ଏତେ ଦେଶ ଓ ସେଗୁଡ଼ିକର ଅଧିବାସୀ ରହିଥିଲେ । ଗୋଟାଏ ହିଟ୍‍ଲର କିପରି ସମସ୍ତଙ୍କୁ କିମିଆ କରିଦେଇ ପାରିଲା ଓ ପୃଥିବୀ ଉପରକୁ ଏତେ ଏତେ ଅନିଷ୍ଟକୁ ଡାକିଆଣି ପାରିଲା ? ଜର୍ମାନୀରେ ଯଦି କୋଟି କୋଟି ମଣିଷ ହିଟ୍‍ଲରକୁ ହିଁ ଦେଶର ସେହି ସଙ୍କଟ ସମୟରେ ଯଥାର୍ଥ ପରିତ୍ରାଣକର୍ତ୍ତା ବୋଲି ଗ୍ରହଣ କରିନେବାକୁ ରାଜି ହୋଇନଥାନ୍ତେ, ତେବେ ହିଟ୍‍ଲର ନାମକ ଜଣେ ବ୍ୟକ୍ତି କିପରି ଅଚାନକ ଶୂନ୍ୟମଣ୍ଡଳରୁ ଖସି ପଡ଼ି ସମସ୍ତଙ୍କୁ କେତେଟା ମିଥ୍ୟାର ଆବହ ଭିତରକୁ ଫୁସୁଲାଇ ନେଇ ପାରିଥାନ୍ତା ? ଏହା ନିତାନ୍ତ ସତ୍ୟ ଯେ, ପ୍ରଥମ ମହାଯୁଦ୍ଧରେ ପରାଭୂତ ହୋଇ ଜର୍ମାନୀର ଜନସମୂହ ଭାରି ଅବମାନିତ ଅନୁଭବ କରୁଥିଲେ । ସେମାନେ ସେହି ଉତ୍ତେଜନାରେ ଯେକୌଣସି ପ୍ରକାରେ ତାହାର ପ୍ରତିଶୋଧ ନେବାକୁ ଇଚ୍ଛା କରୁଥିଲେ । ଯୁଦ୍ଧରେ ହାରିଥିବାରୁ ଜର୍ମାନୀକୁ ତା’ର ଉପନିବେଶଗୁଡ଼ିକୁ ଛାଡ଼ି ଦେବାକୁ ପଡ଼ିଥିଲା । ଜର୍ମାନ ଅର୍ଥନୀତି ଉପରେ ପର୍ବତ ପ୍ରମାଣେ ବହୁ କଟକଣା ଜାରି କରାଯାଇଥିଲା । ଜର୍ମାନ ମୁଦ୍ରାର ମୂଲ୍ୟ ମଧ୍ୟ ଏକ ଅତ୍ୟନ୍ତ ହାସ୍ୟାସ୍ପଦ ସ୍ତରକୁ ଖସିଆସିଥିଲା ଓ ନିଜକୁ ଆଦୌ ଏକ ମୁଦ୍ରା ବୋଲି ଦାବି କରିବାର ପ୍ରାସଙ୍ଗିକତାକୁ ହରାଇ ବସିଲା । ଠିକ୍ ସେତିକିବେଳେ ଏପରି ଗୋଟାଏ ଭୂତର ପ୍ରୟୋଜନ ଥିଲା, ଯିଏକି ଜାତୀୟତାବାଦର ଉଗ୍ରତମ କଥାମାନ କହି ଗୋଟିଏ ଅତିସନ୍ତାପିତ ଲୋକସମୂହକୁ ଘୃଣା ଯୋଗାଇଦେବ, କ୍ରୋଧ ଯୋଗାଇଦେବ, ଘୃଣା ଏବଂ କ୍ରୋଧର ଦ୍ୱାହି ଦେଇ ତେଣେ ବିବେକମାନଙ୍କୁ ପୂରା ନିର୍ବାର୍ଯ୍ୟ କରିପକାଇବ । ସେହି ଅନୁସାରେ ଜର୍ମାନୀରେ ତେଣିକି ଅନୁରୂପ ସାହିତ୍ୟ ଲେଖାହେଲା, ନୂଆ ନୂଆ ତପ୍ତତା ଦେଇ ସଙ୍ଗୀତ ରଚନା ହେଲା, ବିଜ୍ଞାନକୁ ମଧ୍ୟ କାମରେ ଲଗାଗଲା । ମନକୁ ଆସୁନଥିବା ଗ୍ରନ୍ଥଗୁଡ଼ିକୁ ଲକ୍ଷ ଲକ୍ଷ ଲୋକଙ୍କର ଉଲ୍ଲସିତ ସମର୍ଥନରେ ନିଆଁରେ ପକାଇ ଦିଆଗଲା । ଲୋକମାନେ ପରିପୂର୍ଣ୍ଣ କୋପନ ସହିତ ଆଗାମୀ ହଜାରେ ବର୍ଷ ପର୍ଯ୍ୟନ୍ତ ଜର୍ମାନୀ କିପରି ପୃଥିବୀରେ ନିଜର ଏକ ନିରଙ୍କୁଶ ସାମ୍ରାଜ୍ୟକୁ ଜାରି କରି ସବାଉପରେ ରହିବ, ପୃଥିବୀକୁ ଶୁଦ୍ଧ କରିବ, ଅଶୁଦ୍ଧ ଅପରମାନଙ୍କର ବିଲୋପସାଧନ କରିବ, ସେହି କଥାରେ ବିଶ୍ୱାସ କଲେ, ସହଯୋଗ କଲେ, ପୁରା ଆନୁଗତ୍ୟ ଦେଇ ବାହାରିପଡ଼ିଲେ । Heil Hitler ବୋଲି ଗର୍ଜନ କଲେ ।

 

ଦ୍ୱିତୀୟ ବିଶ୍ୱଯୁଦ୍ଧର ଅବ୍ୟବହିତ ପରେ ଜର୍ମାନୀରେ କରାଯାଇଥିବା ଗୋଟିଏ ସର୍ବେକ୍ଷଣରୁ ଜଣାଯାଉଛି, ହିଟ୍‍ଲର ଓ ତା’ର ଯାବତୀୟ ଅନିଷ୍ଟକାରୀ କାର୍ଯ୍ୟକ୍ରମରେ ସେହି ଦେଶର ଖୁବ୍ କମ୍ ଲୋକ ହିଁ ସକ୍ରିୟ ଭାବରେ ଯୋଗ ଦେଇଥିଲେ । କିଛି ଲୋକ ସେଗୁଡ଼ିକର ବିରୋଧୀ ମଧ୍ୟ ଥିଲେ, ମାତ୍ର ସେହି ବିରୋଧକୁ ପ୍ରକାଶ କରିବା କୌଣସି ପ୍ରକାରେ ନିରାପଦ ନଥିଲା । ବିରୋଧ କଲେ ସେତେବେଳେ ମାରଣ ଶିବିରର କାରାଯନ୍ତ୍ରଣା ହିଁ ଏକମାତ୍ର ପରିଣାମ ଥିଲା । ଏକ ସ୍ଵତନ୍ତ୍ର ଅଭିଯାନରେ ବିରୋଧୀମାନଙ୍କୁ ନିର୍ମୂଳ କରିଦିଆ ଯାଉଥିଲା । ସିଧା ହରଣ କରି ନିଆଯାଉଥିଲା । ଗୋଟାଏ ମୋଟା ହିସାବ କହୁଛି ଯେ, ଦଶ ଲକ୍ଷ ପିଲାଙ୍କ ସମେତ ଷାଠିଏ ଲକ୍ଷ ମଣିଷଙ୍କୁ ବଧ କରାଯାଇଥିଲା । ଦୌରାତ୍ମ୍ୟଗୁଡ଼ିକ ହେଉଥିବାର ଜାଣି ଓ ଦେଖି ମଧ୍ୟ କେହି କିଛି କହୁନଥିଲେ, ପରସ୍ପର ମଧ୍ୟରେ ସେହି ବିଷୟରେ ଆଲୋଚନା ନକରିବାକୁ ହିଁ ଶ୍ରେୟସ୍କର ମନେକରୁଥିଲେ । ଯେକୌଣସି ପ୍ରକାରେ ନିଜକୁ ବା ନିଜର ପରିବାରକୁ ବଞ୍ଚାଇ ରଖିବା ହିଁ ସତେ ଯେପରି ପ୍ରାୟ ଏକମାତ୍ର ବାସ୍ତବ ବିବେକରେ ପରିଣତ ହୋଇ ରହିଥିଲା । ଅର୍ଥାତ୍ ସେତେବେଳେ ଅତିମାତ୍ରାରେ ଅଧିକ ଲୋକ ଏପରି ଥଲେ, ଯେଉଁମାନେ ଅରୁଆରେ ନଥିଲେ ବା ଉଷୁନାରେ ନଥିଲେ, ପ୍ରାୟ ପ୍ରୟୋଜନରେ ପଡ଼ି ଉଦାସୀନ ରହିଥିଲେ । ଏବଂ ତାହାରି ଫଳରେ ସାଂଘାତିକଗୁଡ଼ିକ କ୍ରମଶଃ ଅଧିକ ସାଂଘାତିକ ହେବାରେ ଲାଗିଥିଲା । ଏହି ଉଦାସୀନମାନଙ୍କ ଭିତରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଥିଲେ, ପ୍ରୟୋଗଶାଳାରେ ବୈଜ୍ଞାନିକ ମଧ୍ୟ ରହିଥିଲେ । ସେମାନେ ଆଦେଶ ପ୍ରମାଣେ ସବୁକିଛି କରି ଯାଉଥିଲେ । ଯୁଦ୍ଧ ପରେ ନ୍ୟୁରେବର୍ଗଠାରେ ଯୁଦ୍ଧଅପରାଧୀମାନଙ୍କର ଯେଉଁ ବିଚାର ବସିଥିଲା, ସେଥିରେ ମଧ୍ୟ ସେମାନେ କେବଳ ଆଦେଶ ହିଁ ପାଳନ କରୁଥିଲେ ବୋଲି ବୟାନ ଦେଇଥିଲେ । ନିଜକୁ ନିର୍ଦ୍ଦୋଷ ବୋଲି ମଣୁଥିଲେ ।

 

ପ୍ରଧାନତଃ ଭଲ ମଣିଷମାନେ ହିଁ ଉଦାସୀନ ହୁଅନ୍ତି ଓ ଉଦାସୀନ ରହନ୍ତି । ପ୍ରଧାନତଃ ଭୀରୁ ମଣିଷମାନେ ହିଁ ସଚରାଚର ଉଦାସୀନ ରହିବା ଲାଗି ପସନ୍ଦ କରନ୍ତି କି ? ଯେକୌଣସି ବ୍ୟବସ୍ଥାରେ ଏହି ଉଦାସୀନ ଭଲ ଲୋକେ ଅପେକ୍ଷାକୃତ ଅଧିକ ଭଲ ଓ ସଂପନ୍ନ ଅବସ୍ଥାରେ ଥାଆନ୍ତି । ସେମାନେ ମାନବୋଚିତ ଗୁଣଗୁଡ଼ିକର କୀର୍ତ୍ତନଗାନ କରନ୍ତି ଏବଂ ଅନ୍ଧାରଗୁଡ଼ାକ ଭିଡ଼ କରି ରହିଥିଲେ ମଧ୍ୟ ସେହି ବିଷୟରେ ନୀରବତା ଅବଲମ୍ବନ କରନ୍ତି । ଏପରିକି, ଉପରେ ଭଗବାନ ଅଛି, ଯଥା ସମୟରେ ସେଇ ସବୁ ଠିକ୍ କରିଦେବେ ବୋଲି କହି କାଳଟାକୁ ବି ଭୁଲି ରହିବାରେ ସହାୟତା କରନ୍ତି । ସେମାନେ ଗଣତନ୍ତ୍ରର ବଇରୀ ହୁଅନ୍ତି, ପରୋକ୍ଷ ହିଟ୍‌ଲରମାନଙ୍କୁ ପ୍ରତ୍ୟକ୍ଷ ହୋଇ ଆସିବାରେ ନିମିତ୍ତବତ୍ କାର୍ଯ୍ୟ କରନ୍ତି । ସଙ୍କଟଗୁଡ଼ିକ ଦାନା ବାନ୍ଧୁ ବାନ୍ଧୁ ସଙ୍କଟକୁ ସଙ୍କଟ ବୋଲି ଜାଣୁଥିବା ଉଦାସୀନମାନେ ଯଦି ସକ୍ରିୟ ହୋଇଥାଆନ୍ତେ, ତେବେ ଜର୍ମାନୀରେ ମଧ୍ୟ ସେତେବେଳେ ସୁସ୍ଥ ବିକଳ୍ପଟିଏ ବିବର୍ତ୍ତିତ ହୋଇ ଆସିବା ସକାଶେ ଏକ ଅବସର ପାଇଥାନ୍ତା,– ହିଟ୍‍ଲର ଯାଏ ମୋଟେ କଥା ଯାଇନଥାନ୍ତା ।

 

୭/୮/୨୦୦୦

Image

 

ଦୟାକରନାହିଁ: ସାଙ୍ଗରେ ଗଣ

 

ଆମେ ଏ ଦେଶରେ ଅଧିକରୁ ଅଧିକ ସଂଖ୍ୟାର । ଏଠି ଭୂମି ତଥା ଏହି ଆକାଶରେ ତୁମର ଯେତିକି ଭାଗ, ଆମର ମଧ୍ୟ ସେତିକି ଭାଗ । ଏକ ସ୍ୱାଧୀନ ଦେଶର ଲିଖିତ ବ୍ୟବସ୍ଥା ଅନୁସାରେ ତୁମେ ଓ ଆମେ ଉଭୟେ ଏହି ଦେଶର ନାଗରିକ । ତେଣୁ, ତୁମେ ଆମକୁ ସାଙ୍ଗରେ ଗଣୁନାହଁ କାହିଁକି ? ଆମକୁ ଦୟା ଦେଖାଇବା ନିମନ୍ତେ ଅଶେଷ ଫିକର କରୁଛି, ମାତ୍ର ଜଣେ ଜଣେ ନାଗରିକ ବୋଲି ସ୍ୱୀକାର କରିବାକୁ ମଙ୍ଗି ପାରୁନାହଁ କାହିଁକି ? ମୋଟେ ଦଶଭାଗ ମଣିଷ ଷଡ଼ଯନ୍ତ୍ର କଲାପରି ଗତ ପଚାଶ ବର୍ଷ ହେଲା ଆମ ଏହି ଅକ୍ଷୌହିଣୀ ପକ୍ଷଟାକୁ ତୁମେମାନେ ଏପରି ମୁହଁ ମୋଡ଼ି ରହିଗଲ କାହିଁକି ? ତୁମେମାନେ ଆମକୁ ଡରୁଛ କି ? ତୁମେମାନେ ଆମକୁ କାହିଁକି ନିତାନ୍ତ ଅପମାନଜନକ ଭାବରେ କାଗଜପତ୍ରମାନଙ୍କରେ ହିତାଧିକାରୀ ବୋଲି କହୁଛ ? ତୁମେ ଅଳ୍ପ କେତେଟା ବର୍ଗ ଅଥବା ସ୍ଵାର୍ଥ ସଲାକରି ଭଗବାନଙ୍କୁ ନିଜପଟେ ଫୁସୁଲାଇ ରଖି ଏହି ଦେଶରେ ପ୍ରାୟ ସବୁଯାକ ହିତକୁ ଅପହରଣ କରିବାରେ ଲାଗିଥିବ ବୋଲି ଆମକୁ ଗୋଟାଏ ଅଲଗା ନାଆଁ ଦେଇ ବୋକା କରି ରଖିଛ କି ? ଆମକୁ ବିଶେଷ ଶସ୍ତାରେ ଚାଉଳ ମିଳିବ ବୋଲି ବରାଦ କରିଛ, ବିଶେଷ ବିପର୍ଯ୍ୟୟମାନ ପଡ଼ିଲେ ବୋଝ ବୋଝ ତ୍ରାଣପଦାର୍ଥ ଧରି ଆମ ପାଖରେ ଯାଇ ପହଞ୍ଚି ଯାଉଛ,– ଆମ ପାଇଁ ଏତେ ଶହ କୋଟି ତେଣୁ ମାଗିଆଣି ଖରଚ ହେଉଛି ବୋଲି ଡିଣ୍ଡିମ ପିଟୁଛ; ମାତ୍ର ଆମେ ପ୍ରକୃତରେ ସବାଆଗ ଯାହା, ତୁମେମାନେ ଆମକୁ ଆମର ସେହି ନିଦା ପରିଚୟରେ ଗ୍ରହଣ କରୁନାହଁ କାହିଁକି ?

 

ତୁମେ ଆମକୁ ହରିଜନ ବୋଲି କାହିଁକି କହୁଛ, ଆଦିବାସୀ ବୋଲି କାହିଁକି କହୁଛ ? ଆମେ ବଞ୍ଚିତମାନେ ଅଲଗା ହୋଇ ଦିଶିପାରିବୁ ବୋଲି ଆମକୁ ଏକତ୍ର ଗୁନ୍ଥି ଅଲଗା ସ୍ୱତନ୍ତ୍ର ଅଞ୍ଚଳଟାଏ କାହିଁକି ଗଢ଼ି ପକାଉଛ ? ଏହି ଦେଶରେ ଶହେ ଜଣରେ ଏତେ ଜଣ ଦାରିଦ୍ର୍ୟର ଗାର ତଳେ ଯାଇ ରହିଛନ୍ତି ବୋଲି କାହିଁକି ଚିଲେଇବାରେ ଲାଗିଛ ? ସେମାନଙ୍କୁ ଖୁସି ଲାଗୁଛି ବୋଲି କ’ଣ ସେମାନେ ସେହି ଗାରତଳେ ଅଛନ୍ତି ? ତୁମେ ଅଧିକାରୀମାନେ ଦେଶଟାକୁ ଗଢ଼ିବା ନାଆଁରେ ଯେତେ ଯେତେ ଯୋଜନା କରିଛି, ସେଥିରେ ଆମେ ଗାରତଳର ମଣିଷମାନେ ମଧ୍ୟ ଠିକ୍ ତୁମରି ପରି ଏଠି ନାଗରିକ ହୋଇ ରହିବା ପାଇଁ ହକ୍‍ଦାର ବୋଲି ସ୍ୱୀକାର କରିପାରିଛ କି ? ସବୁ ମଣିଷଙ୍କର ଯାବତୀୟ ଭାଗ୍ୟ-ସମ୍ଭାବନାକୁ ଏକତ୍ର ସମ୍ଭାଳି ଧରି ଏହି ଦେଶକୁ ଏକ ନୂଆ କଳେବର ଦେଉଦେଉ ତୁମେ ଆମର ଭଗାରି ପରି କୋଉଠି କ'ଣ ବିଗାଡ଼ି ଦେଲ ଯେ ଏଠି ଦରିଦ୍ରକୁ ଅଧିକ ଦରିଦ୍ର କରି, ଅସହାୟକୁ ଅଧିକ ଅସହାୟ ହୋଇ ରହିବାକୁ ବାଧ୍ୟକରି ନିଜେ ହିଁ ଗରୁ ହେଲ, ନୃଶଂସ ହେଲ,– ଚତୁରପଣରେ ପୂରା କାଳଟାକୁ ହିଁ ଖାଇଗଲ ? ଏହି ଦେଶଟା କେବଳ ତୁମରି ବୋଲି କ’ଣ ପାଇଁ ଧରିନେଲ ? ଅଧିକ ମଣିଷଙ୍କୁ ଦରଲଙ୍ଗଳା ରଖି ନିଜେ ଯାବତୀୟ ଭାଗ୍ୟ ସମ୍ପନ୍ନତାର ପରିଚ୍ଛଦଗୁଡ଼ାକୁ ହିଁ ଗୁଡ଼ାଇ ହୋଇ ପୃଥୁଳ ଦିଶିଲ ! ଭାରତବର୍ଷକୁ କେବଳ ନିଜର ଭୋଗସମ୍ପତ୍ତି ବୋଲି ଭାବିଲ । ମୂର୍ଖପଣରେ ସବୁଦିନେ ଅଲବତ ଏହିପରି ରହିବ ବୋଲି ଭ୍ରମ କଲ । ବର୍ବରରୁ ଆହୁରି ବର୍ବର ହେବା ପାଇଁ ସତେଅବା ଯୋଜନା କରି ଘୋଡ଼ାମାର୍କା ପାଠଗୁଡ଼ାକୁ ପଢ଼ିଲ,– ଯେଉଁ ଘରର ଖାଇଲ, ସେହି ଘରର ମହତ ନେଲ । ଶହେରେ ସମ୍ଭବତଃ ଦଶଭାଗ ମଧ୍ୟ ହେଉ ନଥିବା ତୁମେମାନେ ଆମର ଯାବତୀୟ ପରିମଳକୁ ବରବାଦ କରିଦେଲ ।

 

ନିଜେ ନାରାୟଣ ହୋଇ ଦରିଦ୍ରମାନଙ୍କର ସେବା କରିବାର ସେହି ତୁଚ୍ଛା ପାଖଣ୍ଡ ମଧ୍ୟରେ ହିଁ ତୁମେ କେଡ଼େ ବାଗରେ ଏହି ଦେଶରେ ଏକ ଅର୍ଦ୍ଧଶତାବ୍ଦୀର ଏହି ଦୀର୍ଘ ଅବଧିଟିକୁ ଗଡ଼ାଇ ଦେଇପାରିଲ କହିଲ ! କେତେ କେତେ ଚାତୁର୍ଯ୍ୟରେ ମାନବ-ସେବାକୁ ହିଁ ମାଧବସେବା ବୋଲି କହି ସଭାମାନଙ୍କରେ ହେଣ୍ଡି ମାରିଲ । ଏଣିକି ଏସବୁକୁ ପରିହାର କରିବାକୁ ଚେଷ୍ଟା କର । ଭଦ୍ର ହୁଅ, ସତ ମଣିଷଙ୍କ ପରି କିଞ୍ଚିତ୍ ସାଧୁ ହୁଅ, ନମ୍ର ହୁଅ । ମଣିଷମାନଙ୍କୁ ଦେଖିଲେ ଖୁସି ହୁଅ, ମୋଟେ ଉଦାସୀନ ହୁଅ ନାହିଁ । ଆମେ ଅଧିକମାନଙ୍କର ପଟଟା ଏଣିକି ପଣ କରି ସାରିଲୁଣି ଯେ, ଏଣିକି ସବାଆଗ ଏକ ପୂର୍ଣ୍ଣ ନାଗରିକତାର ସ୍ଵୀକୃତି ଦାବି କରି ଆମେ ଦାଣ୍ଡକୁ ବାହାରିବୁ । ସେଥିରୁ ଉଣା ଆଉ କିଛିରେ ତୁମେମାନେ ଆମକୁ ଭଣ୍ଡାଇ ଦେବାକୁ ସେହି ପୁରୁଣା ଫିସାଦଗୁଡ଼ାକୁ କରିବାକୁ ଉଦ୍ୟମ କଲେ ଆଉ ଆମେ ମୋଟେ ଭଣ୍ଡି ହୋଇଯିବୁ ନାହିଁ । ତୁମମାନଙ୍କୁ ସାଙ୍ଗରେ ନେବୁ, ତେବେ ଯାଇ ଦେଶନାମକ ସମସ୍ତଙ୍କର ଏହି ଘରଟିକୁ ଫେରିବୁ । ତେଣୁ, ସେହି ନବୋଦ୍ୟମ ନିମନ୍ତେ ତୁମେମାନେ ତିଆରି ହୋଇଯାଅ । ଆମ ପିଲାଙ୍କୁ ମଧ୍ୟ ତୁମ ପିଲାଙ୍କ ସହିତ ଖେଳିବାକୁ ଛାଡ଼ିଦିଅ; ସେଥିରେ ତୁମ ପିଲାଏ ଏବଂ ଆମ ପିଲାଏ ଉଭୟେ ସତକୁ ସତ ଅଧିକ ଆନନ୍ଦ ପାଇବେ ଏବଂ ଖେଳୁଖେଳୁ ସେମାନେ ଏକାଠି ହୋଇ ଜୀବନ ଭିତରେ ମଧ୍ୟ ପ୍ରବେଶ କରିବେ । ତୁମ ପିଲାଏ ଓ ଆମ ପିଲାଏ ଆମ ଗାଆଁ ଓ ସହରମାନଙ୍କରେ ବସିଥିବା ବିଦ୍ୟାଳୟମାନଙ୍କରେ ଏକାଠି ବସି ପାଠ ପଢ଼ିଲେ, ତୁମେ ବାବୁମାନେ ବିଶ୍ୱାସ କର, ଏହି ଦେଶର ଅଧିକ ମଙ୍ଗଳ ହେବ । ମଣିଷମାନେ ପରସ୍ପରକୁ ପରସ୍ପରର ସାଙ୍ଗ, ସହଯାତ୍ରୀ ଏବଂ ସହଭାଗୀ କରି ଦେଖିବା– ମର୍ତ୍ତ୍ୟ ଜୀବନର ଏହି ନାନାବିଧ ସମ୍ବନ୍ଧ ମଧ୍ୟରେ ଏକ ଅମର୍ତ୍ତ୍ୟ ଅଥଚ ମନୁଷ୍ୟୋଚିତ ପ୍ରତ୍ୟକ୍ଷ ଅନୁଭବକୁ ସମ୍ଭବ କରି ଆଣିବା ଲାଗି ପୃଥିବୀରେ ଆଉ ଅଧିକ ଆଶୁ ଫଳପ୍ରଦ ଉପାୟ ପ୍ରକୃତରେ କେଉଁଠାରେ କ'ଣ ଅଛି କେହି ଆସି କହୁ ତ ! ତେଣୁ, ତୁମ ଆମ ପ୍ରିୟ ଭୂମି ଏହି ଭାରତବର୍ଷକୁ ସେହି ପରମ ଭାଗ୍ୟକୁ ବଞ୍ଚିତ କରି ରଖିବା ପାଇଁ ତୁମେମାନେ କୌଣସି ଚକ୍ରାନ୍ତ କରନାହିଁ, ସାବଧାନ ହୁଅ !

 

ସମଗ୍ର ପୃଥିବୀର ଅଦୂର ନିୟତିରେ ଯାହାସବୁ ଲେଖାହୋଇ ରହିଛି, ସେଗୁଡ଼ିକୁ ଘ୍ରାଣ କରି ଦେଖିଲେ ପୂର୍ଣତଃ ସ୍ପଷ୍ଟ ହୋଇ ଦୃଷ୍ଟିଗୋଚର ହେବାକୁ ଲାଗିବ ଯେ, ଆମକୁ ସାଙ୍ଗରେ ନଗଣିଲେ ତୁମର ପ୍ରକୃତରେ ଆଉ କୌଣସି ଗତି ନାହିଁ । ଯେଉଁ ମୁହୂର୍ତ୍ତଟି ଆସୁଛି, ସେଇଟିର ଦ୍ୟୋତନା କ୍ରମେ ଅଧିକରୁ ଅଧିକ ମଣିଷଙ୍କୁ ସ୍ପର୍ଶ କରିବ, ସେମାନଙ୍କୁ ଏକ ଅଦ୍ଭୂତପୂର୍ବ ସମ୍ମାନବୋଧରେ ସଚେତନ କରାଇବ । ମଣିଷମାନେ ଆଉ ଆଦୌ ଗଧ ହୋଇ ରହିବେ ନାହିଁ, ପୁରୁଣା ଗୁଳାମାନଙ୍କର ସାମନ୍ତ ବାକ୍ୟଗୁଡ଼ାକୁ ସେମାନେ ଆଉ ଆଦୌ ଶୁଣିବେ ନାହିଁ । ପ୍ରତ୍ୟେକ ମନୁଷ୍ୟ ସେହି ନୂତନ ଉପନୟନର ସର୍ବପ୍ରଥମ ପ୍ରସ୍ତୁତି ରୂପେ ନିଜ ପାଇଁ ପୂର୍ଣ୍ଣ ନାଗରିକତ୍ୱର ଦାବି କରି ଧ୍ୱଜା ଧରି ବାହାରି ଆସିବ । ଚତୁର ଅଳ୍ପବର୍ଗଟାକୁ ଭାରି ଧରା ପକାଇଦେବ । ଅସଲ ଜଗତୀକରଣ କହିଲେ ପୃଥିବୀର ଅଧିକରୁ ଅଧିକ ଜନସମୂହ କ୍ରମଶଃ ତାହାହିଁ ବୁଝିବାକୁ ଆରମ୍ଭ କରୁଛନ୍ତି । ସେଥିନିମନ୍ତେ ଆବଶ୍ୟକ ନେତୃତ୍ୱଟି ଏକ ସ୍ଵାଭାବିକ ପ୍ରୟୋଜନର ପ୍ରକ୍ରିୟାରେ ସେହି ସମୂହଗୁଡ଼ିକରୁ ହିଁ ସାକାର ହୋଇ ଆସିବ । ବାବୁମାନଙ୍କ ସକାଶେ ଆଦୌ ଅପେକ୍ଷା କରିବ ନାହିଁ-। ଦେଶରେ ତୁମେ ଓ ଆମେ ସମସ୍ତେ ନାଗରିକ ସ୍ୱୀକୃତି ପାଇଲେ ଯାଇ ଏହି ଦେଶରେ ପ୍ରାୟ କାଳକାଳରୁ ରହି ଆସିଥିବା ବର୍ବରତାର ଅନ୍ତ ହେବ । ଏହି ଦେଶରେ ଉଚ୍ଚମାନେ, ଉପରମାନେ ଓ ତଥାକଥିତ ବଡ଼ପଢ଼ୁଆମାନେ ଏଠି ଜାରି କରି ରଖିଥିବା ଅଭିନୟମାନଙ୍କର ମଧ୍ୟ ଅନ୍ତ ହେବ । ପାଠ ପଢ଼ିବାଟା ଯେ ବହୁତ ମଣିଷଙ୍କୁ ଠକିବାର ଏକ ମାଧ୍ୟମ ହୋଇପାରେ, ଏଠାରେ ଚଳିଆସିଥିବା ସେହି ଅନ୍ଧବିଶ୍ୱାସଟିର ମଧ୍ୟ ଅନ୍ତ ହେବ । ଭାରତବର୍ଷ ଅଧିକ ସୁନ୍ଦର ଦିଶିବ, ସାମୂହିକ ଜୀବନରୁ ଅନେକ ପାଷଣ୍ଡତା ଦୂର ହୋଇଯିବ । ଜାନୁଆରୀ ଛବିଶି ଏବଂ ଅଗଷ୍ଟ ପନ୍ଦର ଏହି ଦୁଇଟା ଦିନ ଶାସକମାନଙ୍କର କବଳରେ ପଡ଼ି ପ୍ରାୟ ଏକ ନାଟକରେ ପରିଣତ ହୋଇ ରହିଛି-। ସରକାରୀ ମହାନାଟୁଆମାନେ ଜିଲ୍ଲାର ମହାକୁମାମାନଙ୍କୁ ଯାଇ ପତାକା ତଳେ ସାଲିଉଟ୍ ଗ୍ରହଣ କରି ଆସୁଛନ୍ତି । ଗୋଟାଏ ଜାତୀୟ ଜୀବନ ଏବଂ ଜାତୀୟ ଆସ୍ପୃହା କହିଲେ ଶାସନରେ ବସିଥିବା ସରକାରଠାରୁ ଯେ ସକଳ ଅର୍ଥରେ ବହୁତ ଅଧିକକୁ ଅବଶ୍ୟ ବୁଝାଇବ, ସେହି ସତ୍ୟଟିକୁ ଭୁରୁଡ଼ାଇ ଦେବାର ବେଶ୍ ଉଦ୍ୟମଟିଏ କରାଯାଉଛି । ଇସ୍କୁଲମାନଙ୍କରେ ତ ଏହି ଅନୁଷ୍ଠାନ-ପାଳନଟି କ୍ରମେ ଅଧିକ ଶୋଚନୀୟ ସ୍ଥିତିରେ ଯାଇ ପହଞ୍ଚି ସାରିଲାଣି । ଉକ୍ତ ଦିନମାନଙ୍କରେ କେବଳ ଇସ୍କୁଲରେ ପଢ଼ୁଥିବା ପିଲାମାନେ ହିଁ ଉତ୍ସବଟିରେ ଉପସ୍ଥିତ ରହୁଛନ୍ତି । ଗାଆଁର ଅଧେ ପିଲା ଇସ୍କୁଲର ଖାତା ବାହାରେ ରହିଛନ୍ତି । ସେହି ପିଲାମାନଙ୍କର ତଥାପି ଏହି ଦେଶ ଉପରେ ଅଧିକାର ରହିଛି । ବର୍ଷକେ ଅନ୍ତତଃ ସେହି ଦୁଇଟା ଦିନ ପାଇଁ ପଂକ୍ତି ବାହାରର ସେହି ପିଲାମାନେ କାହିଁକି ପତାକା ତଳେ ଠିଆ ନ ହେବେ,– ଏହି ଦେଶରେ ସେମାନଙ୍କର ଯେ ଅଲବତ ଭାଗ ରହିଛି, ବିଦ୍ୟାଳୟର ଶିକ୍ଷକ ସମବେତ ପାଠ ପଢ଼ୁଥିବା ପିଲାମାନଙ୍କୁ ଉଦ୍‌ବୋଧନ ଦେଲାବେଳେ ସେମାନଙ୍କୁ ମଧ୍ୟ କାହିଁକି ଚେତାଇ ନଦେବେ, ସେମାନଙ୍କର ଭିତରୁ ଭବିଷ୍ୟତର ସେହି ନାଗରିକମାନଙ୍କୁ ମଧ୍ୟ କାହିଁକି ଜାଗୃତ କରି ନ ଆଣିବେ ? ଏହାଦ୍ୱାରା କେବଳ ସେହି ଅପାଙ୍‍କ୍ତେୟମାନଙ୍କର ଯେ ଏକ ଅଧିକାରବୋଧର ଉନ୍ମେଷ ଘଟିବା ଦିଗରେ ଏକ ଅବତରଣିକା ହୋଇଯିବ, ତାହା ନୁହେଁ, ଇସ୍କୁଲ ଖାତାର ଅନ୍ତର୍ଭୁକ୍ତ ପିଲାମାନଙ୍କର ଚିତ୍ତରେ ମଧ୍ୟ ତାହା ହୁଏତ ଏକ ଅନ୍ୟ ପ୍ରକାର ସଂହତି ନିମନ୍ତେ ଉଦବେଳନର ମୂଳଦୁଆଟିଏ ପକାଇପାରିବ । ନାଗରିକତା କହିଲେ ସେମାନେ ତେଣିକି ହୁଏତ ଗୋଟାଏ ବହିପାଠକୁ ନବୁଝି ଏକ ସହଜୀବନ ବୋଲି ଅନୁଭବ କରିବାକୁ ଆରମ୍ଭ କରିବେ । ଉପସ୍ଥିତ ବହୁତଙ୍କ ଆଖିରେ ଗାଆଁର ଅନ୍ୟ ଚରିତ୍ରଟିଏ ଝଲକି ଉଠିବ ।

 

ଭାରତର ଶାସ୍ତ୍ରମାନଙ୍କରେ ଜୀବନ-ପ୍ରତିଶ୍ରୁତିର କେତେକେତେ କଥା କେଡ଼େ ନିପୁଣ ଭାବେ ଲେଖା ହୋଇରହିଛି । ନାନାବିଧ ଚକ୍ରାନ୍ତରୁ ତାହା ସେହି ଶାସ୍ତ୍ର ଭିତରେ ହିଁ ରହିଯାଇଛି । ଅଳ୍ପ ମଣିଷ ସୌଭାଗ୍ୟସମ୍ପନ୍ନ ହୋଇ ରହିଛନ୍ତି ଓ ବହୁତଙ୍କର ଛାତି ଉପରେ ବସି ଦେଶଟାକୁ ଭୋଗ କରୁଛନ୍ତି । ସେମାନେ ସମସ୍ତଙ୍କୁ ସାଙ୍ଗରେ ନେବା ଲାଗି ଭୟ ହିଁ କରୁଛନ୍ତି । ତେଣୁ ଦେଶରେ ଲକ୍ଷ୍ମୀ ଭର୍ତ୍ତି ହୋଇ ରହିଥିଲେ ମଧ୍ୟ ଅଲକ୍ଷଣାଙ୍କ ପରି ମୁଖ୍ୟତଃ କେତେଟା ପ୍ରତୀକାତ୍ମକ ଦୟା ପ୍ରଦର୍ଶନରେ ହିଁ କାମ ସାରି ଦେଉଛନ୍ତି । ତୁମେ ବାବୁମାନେ ଯେତେଦିନ ଯାଏ ଏହିପରି ଫିଲିଷ୍ଟାଇନ୍ ହୋଇ ରହିଥିବ, ସେତେଦିନ ଯାଏ ଅସଲ ଅନେକାନେକ ସମ୍ଭାବନାରୁ ବଞ୍ଚିତ ହୋଇ ରହିଥିବ । ତେଣୁ ଖାଲି ଦୟାରେ କାମ ସାରି ଦିଅନାହିଁ, ଏକ ସୁସ୍ଥ ସମୂହର ଅଗ୍ରସର ହେବାରେ ସହଯୋଗ କର । ଏଣିକି ଆମେ ମଧ୍ୟ ତୁମମାନଙ୍କୁ ଧର୍ମତଃ ସହନାଗରିକ ଭାବରେ ହିଁ ଲୋଡ଼ିବୁ । ମୋଟେ ଭାଗ୍ୟବାଦୀ ହୋଇ ରହିବୁ ନାହିଁ । ତୁମେ ତଥାପି କୁଣ୍ଠିତ ହୋଇ ବସିରହିଲେ ଆମେ ସିଧା ଯାଇ ତୁମ ଦୁଆରେ ହାଜର ହୋଇଯିବୁ । ଯେଉଁ ମୁହୂର୍ତ୍ତଟି ଆସି ପହଞ୍ଚିଲାଣି, ତାହାରି ବୋଲ ମାନିବୁ । ବାତ୍ୟା, ବନ୍ୟା ଓ ମରୁଡ଼ି ଭଳି ପ୍ରାକୃତିକ ବିପତ୍ତିର ଦୁଃସମୟରେ ଆମ ଭିତରେ ସେହି ନାଗରିକବୋଧଟି ଯେ ସଚଳଭାବେ ଅନୁଭୂତ ହେଉଛି, ସେଥିଲାଗି ଆମେ ସେଗୁଡ଼ିକୁ ମଧ୍ୟ ଧନ୍ୟବାଦ ଜ୍ଞାପନ କରିବୁ । ତେଣୁ, ହେ ବାବୁମାନେ, ସାଙ୍ଗକୁ ଆସ, ସାଙ୍ଗ ହୋଇ ଚାଲ; ଆଉ ଡେରି ନାହିଁ, ତେଣୁ ଆଉ ଡର ବି ନାହିଁ ।

 

୧୪/୮/୨୦୦୦

Image

 

କିରିକେଟକେ ସପୁତର୍

 

ପିଲାଦିନେ ଗାଁ ଦାଣ୍ଡରେ ବୋହୁଚୋରି ଖେଳ ହେଉଥିଲା । ସଞ୍ଜବେଳେ ନଈବାଲିରେ କିତିକିତି ଏବଂ ରଜ ବେଳେ ଗାଆଁ ଦାଣ୍ଡରେ ବାଗୁଡ଼ି ଖେଳ । ସାରା ଗାଆଁଟା ଆସି ରୁଣ୍ଡ ହୋଇ ଯାଉଥିଲା । ବେଳେବେଳେ କାହାର ମୁଣ୍ଡ ଫାଟି ଯାଉଥିଲା ତ ବହକାଲିଆ ଚଟକଣା ବାଜି କାହା ଗାଲରେ ନୋଳା ବସି ଯାଉଥିଲା । ତଥାପି ନିଶା କମୁ ନଥିଲା । ଖେଳଟା ଯେ ଖୁସି, ଖେଳଟା ଯେ ନିଶା, ଏତିକି ବ୍ୟତୀତ ଆମେ ସେତେବେଳେ ଆଉ କିଛିହେଲେ ଜାଣି ନଥିଲୁ । ଏବଂ, ଯାହା ସବାଆଗ ଖୁସି, ତାହା ହିଁ ସବୁଠାରୁ ଭଲ ଓ ସବୁଠାରୁ ଅଧିକ ସୁସ୍ଥ, ସେକଥାଟିକୁ ମୁଁ ଏବେ ମଧ୍ୟ ଅଧିକରୁ ଅଧିକ ଅଙ୍ଗେ ନିଭାଉଛି । ଏହା ପଛରେ ଯେ କେତେ ନା କେତେ ତତ୍ତ୍ଵ ରହିଛି, ବହୁତ ପରେ ଶ୍ରୀଯୁକ୍ତ ହୁଇତ୍‍ସିଙ୍ଗାଙ୍କର Homo Ludens ବହିଟିକୁ ପଢ଼ି ଜାଣିଲି । ଏବଂ ଖେଳ ଖେଳି ଯେ ପଇସା କମାଇ ଜଣେ ମହାକୁବେର ବନିଯାଇପାରେ, ଖେଳରେ ଏହି ବିପଣୀକରଣର ଛେନା ଯୁଗଟାରେ ଯାଇ ଶନୈଃ ଶନୈଃ ସେହି କଥାଟିର ଅସଲ ପିତ୍ତଗୁଡ଼ିକୁ ବୁଝିବାକୁ ଆରମ୍ଭ କରୁଛି । ଆହୁରି ନିର୍ଭୁଲ ଭାବରେ କହିଲେ, ଏହି ଖେଳମାନଙ୍କର କ୍ଷେତ୍ରରେ ଯେଉଁ ସିଦ୍ଧତମମାନେ ଦୈତ୍ୟ ଭଳି ନାଆଁ କମାଇଛନ୍ତି, ସେହିମାନଙ୍କ ପିତ୍ତକୁ ଜାଣୁଛି ।

 

କ୍ରିକେଟ୍ ଖେଳର ଇତିହାସ କହୁଛି, ଇଂଲଣ୍ଡର ଧନୀ ସାମନ୍ତମାନେ ନିଜ ନିଜ ହତା, ଭିତରେ ସେହି ଖେଳଟିକୁ ଖେଳୁଥିଲେ । ହତା ବାହାରକୁ ଆସି ସାଧାରଣଙ୍କ ସହିତ ଖେଳିବାକୁ ସମ୍ଭ୍ରମହାନି ବୋଲି ଭାବୁଥିଲେ । ତେଣେ ସାଧାରଣ ମଣିଷଙ୍କୁ ହୁଏତ ଭୟ ବି କରୁଥିଲେ । ବସି ଖାଉଥିଲେ, ତେଣୁ ଦିନମାନ ଖେଳୁଥିଲେ । ସେହି କାରଣରୁ କ୍ରିକେଟ ନାମକ ଖେଳଟିକୁ ଏକ ଅନୁରୂପ ବିଧିରେ ଫନ୍ଦା ବି ଯାଇଥିଲା । ଇଂରେଜମାନେ ଯେଉଁସବୁ ଦେଶକୁ ଉପନିବେଶ କରି ରଖିଥିଲେ, ଖେଳଟି ସେହିସବୁ ଦେଶକୁ ସଂକ୍ରମିତ ହୋଇ ଯାଇଥିଲା । ପୂର୍ବର ପରମ୍ପରାଟିକୁ ରକ୍ଷାକରି ଏବେ ମଧ୍ୟ କ୍ରିକେଟ ଖେଳର ଖେଳାଳିମାନେ ପରିଚ୍ଛଦ ପିନ୍ଧି ପଡ଼ିଆକୁ ବାହାରିଲେ ସାମନ୍ତମାନେ ବାହାରୁଥିବା ପରି ଖୁବ୍ ଦେଖାଯାଆନ୍ତି । ଭାରି ବିଚିତ୍ର ଲାଗେ ଯେ, ଏହି ଖେଳଟି ଏବେ ମଧ୍ୟ ଏକଦା ଇଂଲଣ୍ଡର ଅଧୀନ ସେହି ଦେଶଗୁଡ଼ିକ ମଧ୍ୟରେ ହିଁ ସୀମାବଦ୍ଧ ହୋଇ ରହିଛି । ଅଲମ୍ପିକ୍ କ୍ରୀଡ଼ାରେ କ୍ରିକେଟ ଏବେ ମଧ୍ୟ ସାମିଲ୍ ହୋଇ ପାରିନାହିଁ । ବିଶ୍ୱସ୍ତରରେ ତ ବହୁତ ବହୁତ ଖେଳ ଖେଳାଯାଉଛି, କ୍ରିକେଟ ଭଳି ଅନ୍ୟ କୌଣସି ଖେଳରେ ହୁଏତ ଅଖେଳାଳି ଶୁଣ୍ଢିମାନଙ୍କରଏତେ ବେଶୀ ପ୍ରବେଶ ଘଟିପାରି ନାହିଁ । ଏହି ଖେଳଟିର ପ୍ରକୃତରେ ଏପରି କ’ଣ ବିଶେଷ କରିସ୍ମା ଅଥବା ଲାଳଯୁକ୍ତତା ରହିଛି, ଯାହାକି ବିଚରା ଅନ୍ୟାନ୍ୟ ଖେଳମାନଙ୍କରେ ନାହିଁ, କାହାକୁ ପଚାରିଲେ ଆମକୁ ସେହି-ପ୍ରଶ୍ନଟିର ଯଥାର୍ଥ ଉତ୍ତରଟିଏ ମିଳନ୍ତା କି ନାହିଁ କେଜାଣି ?

 

ପିଲାଦିନେ ଖୁବ୍ ମନେଅଛି, ବେଳେବେଳେ କଟକରେ କୁସ୍ତି ଲଢ଼ାଇ ହେଉଥିଲା । ନାମଜାଦା ପହିଲମାନ୍‍ମାନେ ବାହାରୁ ଆସୁଥଲେ ଓ ଲୋକମାନେ ଟିକେଟ୍ କାଟି କୁସ୍ତି ଦେଖୁବାକୁ ଯାଉଥିଲେ । ଥରେ ଉମେଦା ବାନୁ ବୋଲି ଜଣେ ମହିଳା ପହିଲିମାନ୍‍ ଆସିଥିଲେ ଏବଂ କୁସ୍ତି ଲଢ଼ାଇରେ ଜଣେ ପୁରୁଷ ପହିଲିମାନ୍‍ଙ୍କୁ ପରାସ୍ତ କରି ଦେଇଥିଲେ । ଆମେ ସେହି ଲଢ଼ାଇ ଦେଖୁବାକୁ ସିନା ଯାଇ ନଥିଲୁ, ମାତ୍ର ସାଙ୍ଗମେଳରେ ଘଟଣାଟିକୁ ଖୁବ୍ ଉପଭୋଗ କରିଥିଲୁ । ବହୁତ ପରେ ଯେତେବେଳେ ଆଗ୍ରା ଗଲି, ସେତେବେଳେ ଯାଇ କୁସ୍ତି ଶିଖିବା ଏବଂ କୁସ୍ତି ଲଢ଼ିବାର ଖାସ୍ ସରାଗୀମାନଙ୍କର ମେଳସବୁ ରହିଛି ବୋଲି ଜାଣିଲି । ମଥୁରା ସହର କୁସ୍ତି ପାଇଁ ବିଶେଷ ବିଖ୍ୟାତ ଥିଲା । କିଙ୍ଗ୍ କଙ୍ଗ୍ ଓ ଦାରା ସିଂ ପ୍ରଭୃତି ନାମ ଲୋକମୁଖରେ ସୁପରିଚିତ ହୋଇ ରହିଥିଲା-। ସେଇଠି ବୋଧହୁଏ ଶୁଣିବାକୁ ପାଇଥିଲି, ଲଢ଼ାଳିମାନେ କୁସ୍ତିରେ ହାରିବା ବା ଜିତିବା ବିଷୟରେ ପୂର୍ବରୁ ହିଁ ସଲା କରିଥାନ୍ତି, ତେଣୁ ଲୋକଦେଖାଣିଆ ଗାମ୍ଭୀର୍ଯ୍ୟର ସହିତ କୁସ୍ତିର ପ୍ରଦର୍ଶନ ହୁଏ ସିନା, ଭୀମ ଓ ଦୁଃଶାସନମାନେ ନିଜ ଭିତରେ ଆଗରୁ ସଲା କରି ସାରିଥାଆନ୍ତି । ଶୁଣିବାକୁ ପ୍ରବଳ ମଜା ଲାଗିଲା, ମାତ୍ର ସେହି ଗୁମରଟି ଭିତରେ କ୍ରମେ ଏଡ଼େ ବଡ଼ ଉପନ୍ୟାସ ଯେ ପ୍ରଚ୍ଛନ୍ନ ହୋଇ ରହିଥିବ ଓ ତାହା କ୍ରୀଡ଼ା-ବଜାରର ବେପାରୀ ଏବଂ ଖେଳାଳିମାନଙ୍କର ବିଚକ୍ଷଣତା ହେତୁ ବିଶ୍ଵଯାକ ଚହଳ ପକାଇବ, ସେତେବେଳେ ସେ କଥାଟିକୁ କିଏ କଳ୍ପନା କରିଥିଲା ? ଏକ ନିର୍ଦ୍ଦିଷ୍ଟ କିସମର ମଣିଷମାନେ ସ୍ଵବୁଦ୍ଧିର କ୍ଷେତ୍ରରେ ଏଡ଼େ ପାକଳ ହୋଇପାରିଲେ ବୋଲି ସିନା ସେଇଟି ମଧ୍ୟ ଦେଖିବାକୁ ମିଳିଲା ।

 

ନିଜ କ୍ରୀଡ଼ାବିତ୍‌ମାନେ କୃତିତ୍ଵ ଦେଖାଇଲେ ରାଷ୍ଟ୍ରର ଯେ ମର୍ଯ୍ୟାଦା ବଢ଼େ, ସେଇଟି ବୋଧହୁଏ ଏକାବେଳକେ ଏକ ସାମ୍ପ୍ରତିକ ଘଟଣା । ଖେଳାଳିମାଳେ ଦେଶ ବାହାରେ ଜିତିଲେ ସେମାନଙ୍କୁ ରାଷ୍ଟ୍ର ତରଫରୁ ମଧ୍ୟ କେତେପ୍ରକାର ତାରିଫ୍ କରାଗଲା । ଏହି କଥାଟି ଶୀତଳଯୁଦ୍ଧ ସମୟରେ ପାଶ୍ଚାତ୍ୟ ଦେଶରେ ବେଶୀ ହେଲା । ତତ୍କାଳୀନ କମ୍ୟୁନିଷ୍ଟ ରାଷ୍ଟ୍ରମାନେ ନିଜର ଅସଲ ଲକ୍ଷ୍ୟଟିକୁ ହାସଲ କରିବାର କାର୍ଯ୍ୟଟିରୁ ଯେତେବେଳେ ପରିସ୍ଥିତିବଶ ହୋଇ ହୁଡ଼ିଗଲେ ଏବଂ ପ୍ରାୟ ଏକ ସାନ୍ତ୍ୱନାମୂଳକ କ୍ଷତିପୂରଣ ଖୋଜି ଜାତୀୟତାବାଦ ନାମକ ସେହି ଅନ୍ୟ ବିମ୍ବରଟି ଭିତରେ ପଶିଲେ, ସେତେବେଳେ ପୁଞ୍ଜିବାଦୀ ଦେଶଗୁଡ଼ିକର ତୁଳନାରେ ସେମାନେ ଯେ ଅଧିକ ସମର୍ଥ, ତାହାର ନାନା ପ୍ରଦର୍ଶନକୁ ମନ ବଳାଇଥିଲେ । କ୍ରୀଡ଼ାକ୍ଷେତ୍ରଟିକୁ ମଧ୍ୟ ଏହି ଅତ୍ୟାଗ୍ରହଟି ଖୁବ୍ ମାଡ଼ି ଆସିଥିଲା । ବିଦେଶରୁ ଜିତାପଟ ନେଇ ଆସିଲେ ତୁମେ ଘୋଡ଼ା ପାଇବ ହାତୀ ପାଇବ ବୋଲି ରାଜକୀୟ ପ୍ରତିଶ୍ରୁତିମାନ ଦିଆଗଲା । ଦୁର୍ଭାଗ୍ୟବଶତଃ ହାରିକରି ଫେରିଲେ ସୁଯୋଗମାନଙ୍କୁ କାଢ଼ି ନିଆଯାଉଥିଲା । ପୁଞ୍ଜିବାଦୀ ଦେଶମାନେ ମଧ୍ୟ ସେହି କୌଶଳଟିକୁ ପୂର୍ଣ୍ଣ ନୈପୁଣ୍ୟ ସହିତ ଶିଖି ପକାଇଲେ । ଏବଂ, ଏବେ ତ ସେହି କ୍ଷେତ୍ରରେ ରାମା, ଦାମା, ହିନ୍ଦୁସ୍ତାନ, ପାକିସ୍ତାନ ସମସ୍ତଙ୍କର ହାତ ପାଇଗଲାଣି । କ୍ରୀଡ଼ାକୁ ପଛକୁ ପେଲିଦେଇ ନିତାନ୍ତ ଅନ୍ୟ ଧାତୁର ଫିକରମାନେ ବୁକି ହୋଇ ବାହାରି ଆସିଲେଣି । ଖେଳ ସହିତ ଜାତୀୟତା ଅର୍ଥାତ୍ ଜାତୀୟ ମାନରକ୍ଷାର ଯେ ଏକ ନିବିଡ଼ ଅର୍ଥାତ୍ ସ୍ପର୍ଶକାତର ସମ୍ପର୍କ ରହିଛି, ଏଇଟା ପ୍ରକୃତରେ ଖେଳର କରାମତି ନା ଆମ ଜାତୀୟତାର ଜାତିଟାକୁ ସୂଚାଇ ଦେଉଥିବା ଗୋଟାଏ ହାସ୍ୟାସ୍ପଦ ବିକୃତି ?

 

କ୍ରିକେଟ ଖେଳ ଦୁଇଟା ଦଳ ଭିତରେ ହୁଏ । ଗୋଟାଏ ଦଳ ନ ହାରିଲେ ପୁଣି ଆର ଦଳଟା ପୁଣି ଜିତନ୍ତା ମଧ୍ୟ କେମିତି ? ଏହିପରି ଭାବରେ ଖେଳପ୍ରିୟ ମଣିଷ ହୁଏତ କୋଉ ଆଦିକାଳରୁ ଭାବି ଆସିଥିବ । ମାତ୍ର ଗୋଟାଏ ପଟକୁ ଯଦି ଆମେ ହିନ୍ଦୁସ୍ତାନ ଓ ଆରପଟଟାକୁ ପାକିସ୍ତାନ ବୋଲି ଧରି ନେଇଥିବା, ତେବେ ଦୁଇଦେଶ ମଧ୍ୟରେ କୌଣସି ଖେଳ ଖେଳାଯାଉଥିବା ସମୟରେ ଆମକୁ ତାହା କାଶ୍ମୀରର ରଣାଙ୍ଗନ ପରି ଲାଗିବ ହିଁ ଲାଗିବ । ଭାରତବର୍ଷର ପଟଟା ଗତଥର ହାରିଥିଲା ଓ ଏଥର ଯଦି ଜିତିଲା, ତେବେ ଆମ ଉଗ୍ରରସିକମାନଙ୍କର ପ୍ରୀତ୍ୟର୍ଥେ ଖବରକାଗଜମାନେ ତାହାକୁ ଭାରତବର୍ଷ ବିଗତ ପରାଜୟଟାର ପ୍ରତିଶୋଧ ହିଁ ନେଲା ବୋଲି ଅଲିଅଳ ବର୍ଣ୍ଣନା ଦେଇ କହୁଛନ୍ତି । ଖେଳପଡ଼ିଆକୁ ଦର୍ଶକମାନେ ନିଜ ନିଜ ଦେଶର ପତାକାକୁ ନେଇ ଯାଉଛନ୍ତି । ଉତ୍ସାହୀମାନଙ୍କର ହୁଏତ ଆବଶ୍ୟକ ଲଜ୍ଜାଗୁଡ଼ିକ ନାହିଁ ବୋଲି ସେମାନେ ଜାଣିପାରୁ ନାହାନ୍ତି ସତ, ମାତ୍ର ଆମର ତଥାକଥିତ ଜାତୀୟତାବୋଧ ତଦ୍ଦ୍ୱାରା ଯେ କେଉଁଠି କେଉଁ ନିର୍ବୋଧପଣିଆର ଗୋଡ଼ତଳେ ଦଳିହୋଇ ଯାଉଛି, ନିଜର ବିବେକଟିକୁ ଏହିପରି ଛତରା ହେବାକୁ ଛାଡ଼ିଦେଇ ନଥିଲେ ଆମେ ନିଜ ଭିତରେ ଅବଶ୍ୟ ଧକ୍କାଟିଏ ପାଉଥାନ୍ତୁ ଓ ନିଜର ସତ ଘରଟିକୁ ଅବଶ୍ୟ ଫେରି ଆସୁଥାନ୍ତୁ ।

 

ଆଗଧାଡ଼ିର ଖେଳାଳିମାନେ ପଚିଶି ତିରିଶ ବର୍ଷର ନହେଉଣୁ ଲକ୍ଷପତି ହୋଇ ଯାଉଛନ୍ତି । ପ୍ରତ୍ୟେକ ଖେଳରେ ସେମାନଙ୍କୁ ବୃହତ୍ ଅର୍ଥରାଶିମାନ ମିଳୁଛି । ସେମାନେ ପନ୍ଦର ପ୍ରକାରର ସଲା ଭିତରେ ପଶି ଆହୁରି ଅଧିକ ମଧ୍ୟ କମାଇ ପାରୁଛନ୍ତି । ଅଧିକ ଓ ଆହୁରି ଅଧିକ କମାଇବାର ଏହି ନିଶାଟା ସେମାନଙ୍କୁ ସବଆଗ ଘାରିଛି ବୋଲି ସେମାନେ କ୍ରୀଡ଼ାର କ୍ଷେତ୍ରରେ ଆସି ପହଞ୍ଚି ଯାଇଛନ୍ତି କି ? ଆହୁରି ଆହୁରି ଅର୍ଥ କମାଇବେ ବୋଲି ସେମାନେ କୋଉ ସିଗାରେଟ୍ କମ୍ପାନୀର ନାଆଁ ଲେଖା ହୋଇଥିବା ପଟିଟାକୁ ମୁଣ୍ଡରେ, ପିଠିରେ ଓ ଛାତିରେ ବାନ୍ଧି ପଡ଼ିଆକୁ ଯାଉଛନ୍ତି । ବେଳେବେଳେ ପୂରା ଜୋକର ପରି ଦିଶୁଛନ୍ତି । ପଇସାର ଏତେ ନିଶା ଯଦି ଏହିଦିନୁ ଘାରିଲାଣି, ତେବେ ଏମାନେ ପଇସା ପାଖରେ ଯେ ବଡ଼ ସହଜରେ ବିକି ହୋଇଯିବେ ସେଥିରେ ଆଚମ୍ବିତ ହେବାରେ ଆଉ କାହିଁକି କ’ଣ ରହିବ ? ଏଇ ଗଜା ବୟସରୁ ଏମାନଙ୍କୁ ଏପରି ଶୋଚନୀୟ ଭାବରେ କିଏ କାହିଁକି ତୁଚ୍ଛା କାଙ୍ଗାଳ କରି ପକାଇଲା କେଜାଣି ? ମଣିଷ ଜନ୍ମଟିଏ ପାଇ ସଂସାରକୁ ଆସିଥିଲେ ଯେତେବେଳେ, ସେତେବେଳେ ଇଚ୍ଛା କରିଥିଲେ କିଛି ଆଉ ପ୍ରକାରେ ବି ତ ହୋଇପାରିଥାନ୍ତେ । ଉପରୁ ସଡ଼୍ ସଡ଼୍ ଧନୀ ନହୋଇ ନିଜ ଭିତରୁ ହୁଏତ କେତେ କ'ଣ ହୋଇପାରିଥାନ୍ତେ ।

 

କାଙ୍ଗାଳମାନଙ୍କର ଗୋଡ଼ ଖସାଇ ନେବାକୁ ବୁକିମାନଙ୍କୁ ମୋଟେ କଷ୍ଟ କରିବାକୁ ପଡ଼ିନଥିବ । ପଇସାରେ ଯେଉଁମାନେ ବଶ ହୋଇଯିବେ, ମୁଠା ମୁଠା ପଇସା ଧରି ଜୀବନରେ ବଣିଜ କରି ବାହାରିଥିବା ଦଲାଲମାନେ ତ ସେମାନଙ୍କୁ ଗୋଟାଏ ଫୁଟ୍‌କିରେ ହିଁ ନିଜ କାନି ଭିତରେ ଧରିଆଣି ପାରିବାର କୌଶଳକୁ କେଡ଼େ ସହଜରେ ପ୍ରୟୋଗ କରି ସଫଳ ହୋଇ ଯାଇଥବେ । ମଣିଷମାନେ ଦରିଦ୍ର ହେଲେ ଯେ ଅର୍ଥବିକଳା ହୁଅନ୍ତି, ଅନ୍ତତଃ ଭାରତବର୍ଷରେ ସେହି କଥାଟିକୁ ଅଧିକତର କ୍ଷେତ୍ରରେ ମୋଟେ ପ୍ରମାଣ କରିହେବ ନାହିଁ । ଭାରତବର୍ଷ ଗୋଟାଏ ଅଜବ ମୂଲକ, ଯେଉଁଠାରେ ବେଶୀ ଥିଲାବାଲା ଓ ବେଶୀ ସୁଖ ଭୋଗିଲାବାଲାମାନେ ହିଁ ଅଧିକ କାଙ୍ଗାଳ ହୁଅନ୍ତି,– କୋଟି ପରିମାଣରେ ଆଶା କରନ୍ତି ଓ ପୃଥିବୀଯାକର ଧନକୁ ନିଜର ଗାତ ଭିତରକୁ ବୋହି ଆଣନ୍ତି । ସେହି ସୁପୁତ୍ରମାନେ କ୍ରିକେଟର ବିଶେଷ ଜଗତଟିରେ କାହିଁକି ଯେ ନରହିବେ, ତାହାର ଆଦୌ କୌଣସି କାରଣ ରହିବା ଉଚିତ ନୁହେଁ । ଭାରତପଟର gang ଜିତିଲେ ଦେଶର ଜଣେ ପ୍ରଧାନମନ୍ତ୍ରୀ ଯେତେବେଳେ ସେମାନଙ୍କୁ ବଧାଇ ଦେଇ ଦୂର ବିଦେଶକୁ ‘ଟେଲିଫୋନ୍ ବାର୍ତ୍ତା ପଠାନ୍ତି, ସେତେବେଳେ କ୍ରିକେଟପାଟଣାର ମାଫିଆମନେ ପ୍ରକୃତରେ ବଡ଼ ଖୁସି ହୋଇଯାଉଥିବେ । ସ୍ଵୟଂ ପ୍ରଧାନମନ୍ତ୍ରୀ ଆମ ପଟେ ରହିଛନ୍ତି ବୋଲି ଅଲବତ ଭାବୁଥିବେ ଏବଂ, କେବଳ ଏକ ଲୋକାଚାରର ଅନୁରୋଧରେ କ'ଣ ଜଣେ ପ୍ରଧାନମନ୍ତ୍ରୀ ତାହା କରିବାକୁ ମନ କରନ୍ତି-?

 

୨୧/୮/୨୦୦୦

Image

 

ଅଣଚାଷୀ ଜମି ଛାଡ଼ିଦିଅନ୍ତୁ

 

ଭାରତବର୍ଷ କୃଷି ପ୍ରଧାନ ଏକ ଦେଶ ବୋଲି ଯାହା କୁହାଯାଏ, ତାହା ଏକ ନିର୍ଦ୍ଦିଷ୍ଟ ଅର୍ଥରେ ଅବଶ୍ୟ ସତ । ମାତ୍ର ଭାରତବର୍ଷ କୃଷକମାନଙ୍କର ଏକ ଦେଶ ବୋଲି ଯାହା ବହିମାନଙ୍କରେ କୁହାହୋଇଥାଏ, ସେହି କଥାଟା ବି କ'ଣ ପ୍ରକୃତରେ ସତ ? ସମ୍ଭବତଃ ଅଧିକ ଯଥାର୍ଥ ଭାବରେ କୁହାଯାଇପାରିବ ଯେ, ଭାରତବର୍ଷ ହେଉଛି କୃଷିମାଲିକମାନଙ୍କର ଦେଶ । ଖାସ୍ କୃଷି ସଂକ୍ରାନ୍ତରେ କହିଲେ ଜମି-ମାଲିକମାନଙ୍କର ଦେଶ । ଏଠି କୃଷି-ସଂସ୍କୃତି ବୋଲି ପାରମ୍ପରିକ ଭାବରେ ଯାହାସବୁ କୁହାହୋଇ ଆସିଛି, ତାହା ବସ୍ତୁତଃ ଜମିମାଲିକମାନଙ୍କର ସଂସ୍କୃତି । ଖଳା, ବେଙ୍ଗଳା, ମାର୍ଗଶିର ମାସର ମାଣବସା, ଲକ୍ଷ୍ମୀ ଓ ଶ୍ରୀୟା ଚଣ୍ଡାଳୁଣୀ ଉପାଖ୍ୟାନ, ଏହି ସବୁକିଛି କୃଷି-ସଂସ୍କାରଗୁଡ଼ିକୁ ଏକ ସାଂସ୍କୃତିକ ପୁଟ ଦେଇ ଦର୍ଶାଇ ଆସିଥିବା ଜମି-ମାଲିକମାନେ ସେହିମାନଙ୍କର ନିଜ ପ୍ରୀତ୍ୟର୍ଥେ ହିଁ ଭିଆଇ ଆସିଛନ୍ତି ଓ ଭିଆଇ ରଖିଛନ୍ତି । ମାଲିକମାନେ ଚାଷ କରନ୍ତି ନାହିଁ– ସେଥିପାଇଁ ମୂଲିଆମାନେ ରହି ଆସିଛନ୍ତି । କିଛି କଦବା କିଞ୍ଚିତ୍ ହୁଏତ ବ୍ୟତିକ୍ରମମାନ ରହିବ,– ତଥାପି ସାଧାରଣତଃ ଉଚ୍ଚ ଜାତିର ଲୋକମାନେ ଜମିଗୁଡ଼ିକର ମାଲିକ ହୋଇ ରହି ଆସିଛନ୍ତି ଏବଂ ସାନ ଜାତିମାନେ ମୂଲିଆ, ଭାବେ କୃଷି କାର୍ଯ୍ୟ କରି ଆସିଛନ୍ତି । କୃଷକର ସୁଖୀ ଓ ଶୁଦ୍ଧ ଜୀବନ ବିଷୟରେ ଆମ ସାହିତ୍ୟରେ ଯେଉଁ ଚିତ୍ତ-ପ୍ରସାଧନକାରୀ କବିତାମାନ ଲେଖାଯାଇଛି, ସଚରାଚର ଜମିର ମାଲିକମାନେ ତାହା ଲେଖିଛନ୍ତି ।

 

ଏବେ କିଏ ଜଣେ ଖବରକାଗଜକୁ ଲେଖି ପଠାଇଥିଲେ ଯେ, କ୍ରମେ କୃଷିକୁ ଅବଲମ୍ବନ କରି ରହିବା ଭାରି କଷ୍ଟକର ହୋଇଗଲାଣି । ଠିକଣା ସମୟରେ ବିହନ ବା ସାର ମିଳୁନାହିଁ । ମୂଲିଆଙ୍କ ମଜୁରି ବଢ଼ି ବଢ଼ି ଚାଲିଛି । ଅଧିକ ମଜୁରୀ ଦେଲେ ମଧ୍ୟ ମୂଲିଆମାନେ ଆଗଭଳି ମୋଟେ କାମ କରୁନାହାନ୍ତି । ଯିଏ ଲେଖିଛନ୍ତି, ସିଏ ଜମିର ମାଲିକ, ଆଦୌ ମୂଲିଆ ନୁହନ୍ତି । ଅର୍ଥାତ୍ ଜମି ତାଙ୍କର,– ହୁଏତ ପୁରୁଷ ଅନୁକ୍ରମରେ ମୂଲ ଦେଇ ମୂଲିଆଙ୍କ ଦ୍ୱାରା ଚାଷ କରାଇ ଆସିଛନ୍ତି । ଅଭ୍ୟାସବଶତଃ ମାଲିକସମାଜ ସେହି ଭୂମ୍ୟଧିକାରୀ ବର୍ଗକୁ ହିଁ କୃଷକ ବୋଲି କହିଆସିଛି । ମାଲିକମାନେ ବର୍ତ୍ତମାନ ଘୋର ସଙ୍କଟରେ ପଡ଼ିଛନ୍ତି । ଆଗେ ଏହି ମାଲିକମାନେ ଗାଆଁରେ ହିଁ ରହୁଥିଲେ । ଏବେ ସେମାନଙ୍କ ଭିତରୁ ଅଧିକାଂଶ ସହରରେ,– ଚାକିରି କରୁଛନ୍ତି, ବ୍ୟବସାୟ ବା ଆଉ କିଛିକୁ ସଂସାର-ସଂସ୍ଥାନର ସରଣୀ ରୂପେ ଗ୍ରହଣ କରି ନେଇଛନ୍ତି । ସେମାନେ ଯାବତୀୟ ଅର୍ଥରେ ଗାଆଁ ଛାଡ଼ି ସାରିଲେଣି । ମାତ୍ର ପୈତୃକ ଅଧିକାର ବଳରେ ଗାଆଁର ଜମି ତଥାପି ସେହିମାନଙ୍କର ହୋଇ ରହିଛି । ମୂଲିଆ କାମ କରି ଆସିଥିବା ଘରମାନଙ୍କରୁ ମଧ୍ୟ ଅନେକ ମଣିଷ ଭାଗ୍ୟ ଖୋଜି ପାଠ ପଢ଼ି ଗାଆଁରୁ ବାହାରି ଅନ୍ୟତ୍ର ଚାଲିଗଲେଣି । ଯେଉଁମାନେ ଯାଇ ପାରିନାହାନ୍ତି, ଅଗତ୍ୟା ସେହିମାନେ ହିଁ ଗାଆଁରେ ଅଛନ୍ତି ଓ ମୂଲିଆ କାମ କରୁଛନ୍ତି ।

 

କୃଷିର ଜଗତକୁ ଏହି ସାମନ୍ତବାଦୀ ଅରୀତିଟାରୁ ମୁକ୍ତ କରି ଆଣିବା ପାଇଁ ପୃଥିବୀଯାକ ଭୁମି-ସଂସ୍କାରର କଥା କୁହାଯାଇଛି । ଅତି ସଂକ୍ଷେପରେ ଏହାର ଅର୍ଥ ହେଉଛି, ଯେଉଁମାନେ ପ୍ରକୃତରେ ଜମିରେ ଚାଷ କରୁଛନ୍ତି, ଜମି ସେହିମାନଙ୍କର ହେବ । ଅନ୍ୟକିଛି ଅବଲମ୍ବନ ଧରିଥିବା ହେତୁ ଯିଏ ଅନ୍ୟତ୍ର ବାହାରିଗଲାଣି, ସିଏ ଜମି ଉପରେ ରହି ଆସିଥିବା ମାଲିକାନାଟିକୁ ମଧ୍ୟ ଛାଡ଼ି ଦେବାକୁ ବାଧ୍ୟ ହେବ । ଅଣଚାଷୀ ହାତରେ ଜମି ରହିବ ନାହିଁ । ଅର୍ଥାତ୍ ଖାଲି ଜମିମାଲିକ କେହି ରହିବେ ନାହିଁ ଅଥବା ଖାଲି ମୂଲିଆ ହୋଇ କେହି ରହିବେ ନାହିଁ । ଆମ ଦେଶରେ ସେହି ଭୂମିସଂସ୍କାରକୁ କାର୍ଯ୍ୟକାରୀ ହେବାକୁ ଦିଆଯାଇନାହିଁ । ଆମ ରାଜ୍ୟରେ ଜଣେ ମୁଖ୍ୟମନ୍ତ୍ରୀ ଏକଦା ଭାଗଚାଷୀମାନଙ୍କୁ ଆଗ ଅପେକ୍ଷା କିଛି ଅଧିକ ସୁବିଧା ଦେବା ନିମନ୍ତେ ପାଦେ ଦେଢ଼ପାଦ ଆଗେଇବାକୁ ମନ କରିଥିଲେ ଯେ, ତାଙ୍କୁ ନିଜ ଦଳର ଅନ୍ୟମାନଙ୍କ ପାଖରେ ମଧ୍ୟ ନାକେଦମ୍ ହେବାକୁ ପଡ଼ିଥିଲା । ଏବେ ମଧ୍ୟ ଅଣଚାଷୀମାନେ କୃଷି କ୍ଷେତ୍ରରେ ଯାବତୀୟ ସୁସ୍ଥ ପରିବର୍ତ୍ତନ ଦିଗରେ ବାଟ ଓଗାଳି ବସିଛନ୍ତି । ଭୂମିହୀନମାନେ ହିଁ ମୂଲିଆ ହୋଇ ରହିଛନ୍ତି । ଭୂମିସଂସ୍କାର ହୋଇଥିଲେ ଜମିର ମାଲିକାନା ପ୍ରକୃତରେ ସେହିମାନଙ୍କ ହାତରେ ଥାଆନ୍ତା । ସେମାନେ ନିଜ ଜମିକୁ ନିଜେ ଚାଷ କରୁଥାନ୍ତେ । ସେହିମାନେ ଯାବତୀୟ ଯୋଜନା କରୁଥାନ୍ତେ । କୃଷିର ଯଥାର୍ଥ ସଂସ୍କୃତିକୁ ହିଁ ସେହିମାନେ ଚାକ୍ଷୁଷ କରି ରଖିଥାନ୍ତେ । ବର୍ତ୍ତମାନ ନିଜର ଯାବତୀୟ ସିଦ୍ଧିର ଲାଳସାଗୁଡ଼ିକୁ ସହରରେ ବାନ୍ଧି ରଖି ତଥାପି ଗାଆଁର ଜମିଗୁଡ଼ିକ ଉପରେ ମାଲିକ ହୋଇ ରହିଥିବା ଏହି ବିଚିତ୍ର ବର୍ଗ ଓ ସ୍ଵାର୍ଥଗୁଡ଼ିକ ଆଉ ଗାଆଁ ଉପରେ କୌଣସି ଉପଦ୍ରବ ଦେଖାଇ ପାରନ୍ତେ ନାହିଁ । ସାଆନ୍ତମାନଙ୍କୁ ଏଥିପାଇଁ ରାଜି କରାଇ ପାରିଲେ ଅଥବା ଏକ ପରିବର୍ତ୍ତିତ କାଳ ଦ୍ୱାରା ବାଧ୍ୟ ହୋଇ ସେମାନେ ବାଟ ଛାଡ଼ିଲେ ଭାରତବର୍ଷର ଗାଆଁଗୁଡ଼ିକ ପାଇଁ ପ୍ରକୃତରେ ଏକ ଅନ୍ୟ ଭାଗ୍ୟ ହିଁ ଉନ୍ମୋଚିତ ହୋଇଯାନ୍ତା । ଜନଭାଗ୍ୟର ବେକରେ ବନ୍ଧା ହୋଇ ରହିଥିବା କେତେକେତେ ପଥରରୁ ମଧ୍ୟ ନିଷ୍କୃତି ମିଳିପାରନ୍ତା । ପୃଥିବୀରେ ଯେଉଁସବୁ ଦେଶରେ କୃଷି ଯାବତୀୟ ଅର୍ଥରେ ଏକ ଉନ୍ନତ ସ୍ଥିତିରେ ଯାଇ ପହଞ୍ଚିପାରିଛି, ସେଠାରେ ଜମିକୁ ସ୍ୱୟଂ ଚଷୁଥିବା ବ୍ୟକ୍ତି ହିଁ ଜମିର ମାଲିକ ହୋଇଛି । ସାଆନ୍ତ ନାହାନ୍ତି, ତେଣୁ ମୂଲିଆ ନାମକ ସେହି ଦୟନୀୟ ପ୍ରାଣୀଟି ମଧ୍ୟ ନାହିଁ । କୃଷକ ତା’ କ୍ଷେତ୍ରରେ ଏକ ନମ୍ବର ଶ୍ରମିକ ହୋଇରହିଛି । ଅଧିକତର କ୍ଷେତ୍ରରେ ସମ୍ପୂର୍ଣ୍ଣ ପରିବାରଟି ହିଁ ସେଥିରେ ନିଜକୁ ନିଯୁକ୍ତ କରି ରଖିଛି । ତଥାପି ଆବଶ୍ୟକ ହେଲେ ସାହାଯ୍ୟକାରୀମାନେ ଅବଶ୍ୟ ରହୁଛନ୍ତି । ସେମାନେ ଆମ ଦେଶର ମୂଲିଆମାନଙ୍କ ପରି ନାହାନ୍ତି, ଜଣେ ସହକର୍ମୀର ସମ୍ମାନ ଓ ସ୍ୱୀକୃତି ଲାଭ କରି ରହିଛନ୍ତି । ସେହି ମର୍ଯ୍ୟାଦା ମୁତାବକ ଯଥେଷ୍ଟ ମଜୁରି ପାଉଛନ୍ତି, ଖାଇବା ସମୟରେ ଓଳି ତଳେ ନୁହେଁ, କୃଷକର ପରିବାର ସହିତ ଏକା ପଂକ୍ତିରେ ଗୋଟିଏ ଟେବୁଲରେ ବସି ଖାଉଛନ୍ତି । ଏହାଦ୍ୱାରା ଗୃହସ୍ୱାମୀ ଆଦୌ କୌଣସି ପ୍ରକାରେ ଅପମାନିତ ବୋଧ କରୁନାହିଁ ।

 

ଏବେ ତ କୃଷି ଏକ ବିଜ୍ଞାନ ହେଲାଣି । ସେହି ବିଜ୍ଞାନ ଆମ ଦେଶରେ ମଧ୍ୟ ପଢ଼ା ହେଉଛି । ତାହାକୁ ଅଣଚାଷୀ ଘରର ପିଲାମାନେ ପଢ଼ୁଛନ୍ତି । ସେମାନେ ନିଜେ କେବେହେଲେ ଚାଷ କରିବେ ନାହିଁ; ସେମାନେ କୃଷି ବିଭାଗରେ ଚାକିରି କରିବେ, କୃଷିବାବୁ ହେବେ । କୃଷି ଓ କୃଷକ ଚୁଲୀକୁ ଯାଉଥିଲେ ମଧ୍ୟ ଜଣେ ଜଣେ ସାହେବଙ୍କ ପରି ଏମାନେ ଚାରିଅଙ୍କର ଦରମା ଶୋଷି ନେଉଛନ୍ତି ଓ ସେମାନଙ୍କର ଆଉ ଆଉ ସମଅଧର୍ମୀଙ୍କ ପରି ଦେଶଟାକୁ ପ୍ରାୟ ଯାବତ ଏକ ଉପନିବେଶ କରି ରଖିଛନ୍ତି । ଅସଲ ବିଜ୍ଞାନର ଦେଶମାନଙ୍କରେ ପ୍ରକୃତ ଚାଷୀମାନେ ହିଁ କୃଷିକଲେଜମାନଙ୍କରେ ପଢ଼ନ୍ତି । ପାଠ ପଢ଼ି ସାରି ସେମାନେ କୃଷିବାବୁ ନୁହେଁ, କୃଷିଜୀବୀ ବିଜ୍ଞାନୀ ହୁଅନ୍ତି । ସେମାନେ ନିଜ ଭାଷାରେ ହିଁ କୃଷି ବିଜ୍ଞାନ ଅଧ୍ୟୟନ କରନ୍ତି । ସେହି ଅଧ୍ୟୟନରୁ ଆଧୁନିକତମ ଖୋରାକଗୁଡ଼ିକୁ ସଂଗ୍ରହ କରି ଆଣି ସ୍ଵୟଂ ନିଜ ଜୀବିକାର୍ଜନର ଜଗତଟିରେ ସେଗୁଡ଼ିକର ପ୍ରୟୋଗ କରନ୍ତି । ସେମାନଙ୍କୁ କେହି ଠକି ପାରେ ନାହିଁ । କେତେକ ଦେଶରେ ଏହି କୃଷକମାନଙ୍କର ସ୍ୱତନ୍ତ୍ର ରାଜନୀତିକ ଦଳମାନ ବି ରହିଥାଏ, ଯାହାକି ଜାତୀୟ ବ୍ୟବସ୍ଥାର କ୍ଷେତ୍ରରେ କୃଷି ତଥା କୃଷକର ସର୍ବବିଧ ସ୍ୱାର୍ଥକୁ ସୁରକ୍ଷିତ କରି ରଖିବାରେ ପ୍ରହରୀର କାର୍ଯ୍ୟ କରୁଥାଏ । କେତେ ସ୍ଥଳରେ ଏହି ଦଳଗୁଡ଼ିକ ଅଧିକ ଭୋଟ ପାଇ ସରକାର ହୋଇ ମଧ୍ୟ ବସନ୍ତି ।

 

ତେଣୁ ଅଣଚାଷୀମାନେ ଚାଷ ଛାଡ଼ନ୍ତୁ । ଗାଆଁର ଉନ୍ନୟନ ପଥକୁ ଓଗାଳି ରହିବାର ଖଳବୁଦ୍ଧିଟାକୁ ଛାଡ଼ିଦିଅନ୍ତୁ । କିଏ ସହରରେ ଓକିଲ ହୋଇଛି, ଅଧ୍ୟାପକ ହୋଇଛି, ବ୍ୟବସାୟ କରୁଛି କିମ୍ବା ଅନ୍ୟ କିଛି ଧନ୍ଦାରେ ରହିଛି । ସିଏ ବା ତା'ର ପିଲାମାନେ କେବେ କ୍ଷେତର ଚାଷୀ ହେବେ ବୋଲି ସିଏ ସ୍ୱପ୍ନରେ ସୁଦ୍ଧା କଳ୍ପନା କରୁନାହିଁ । ହୁଏତ ଗୋଟିଏ କୃଷକର ଜୀବନକୁ ସାନ ନଜରରେ ଦେଖୁଛି । ତା'ର ଉପାର୍ଜନ ତାକୁ ଯଥେଷ୍ଟ ବି ହେଉଛି । ତେବେ ବାପଅଜା ଅର୍ଜିଥିବା ଜମିଟାକୁ ସିଏ ମୋର ବୋଲି କହି ତଥାପି କାହିଁକି ଆବୋରି ରହିଥିବ ? ଗାଆଁରେ ଫଳୁଥିବା ଫସଲରୁ ଭାଗ ଆଣିବାକୁ ଯାଉଥିବ ? ଯାହାକୁ ତା’ର ପୈତୃକ ବଂଶର ଲୋକମାନେ ସେକାଳେ ମୂଲିଆ ବୋଲି ଖଟାଇ ଆସୁଥଲେ, ସିଏ ତ ବର୍ତ୍ତମାନ ଆମ ସମ୍ବିଧାନ ଅନୁସାରେ ଏକ ନାଗରିକ ବୋଲି ସ୍ୱୀକୃତ ହେଲାଣି । ସିଏ ମଧ୍ୟ ପୂର୍ଣ୍ଣ ସୁଯୋଗ ପାଇବ ଏବଂ ନିଜେ ନିଜ ଭାଗ୍ୟକୁ ଗଢ଼ିବ । ନିଜ କ୍ଷେତରେ ଖଟିବ ଏବଂ କ୍ଷେତର ଫଳ ତାହାର ହିଁ ହେବ । ପୂର୍ଣ୍ଣ ଜାଗରୁକ ଭାବରେ ସିଏ ମଧ୍ୟ ଅନ୍ୟମାନଙ୍କ ସହିତ ସମାନ ଗୌରବର ସହିତ ବାଟ ଚାଲିବ । ପୃଥିବୀକୁ ଅପେକ୍ଷା କରିଥିବା ଯାବତୀୟ ଭାଗ୍ୟରେ ସାମିଲ ହେବା ସକାଶେ ସିଏ ମଧ୍ୟ ଆପଣାକୁ ମଜବୁତ ଭାବରେ ତିଆରି କରିବ ।

 

ସ୍ୱାଧୀନ ଭାରତବର୍ଷରେ ପଚାଶ ବର୍ଷ ଗତ ହୋଇଯିବା ପରେ ମଧ୍ୟ ଏଠାରେ ଅଳପ ମଣିଷ ସମ୍ଭବ ହେଲେ ସବୁଯାକ ସୁଯୋଗକୁ ମାଡ଼ିବସିବେ ବୋଲି କୋଟି କୋଟି ଅଧିକଙ୍କୁ ନାନା ପାଶବିକ ପ୍ରକାରେ ବଞ୍ଚିତ କରି ରଖିଛନ୍ତି । ସେମାନେ କୁନ୍ଥାଇ କୁନ୍ଥାଇ ମରଜି ଅନୁସାରେ କିଛି ଦୟା ହୁଏତ ଖୁବ୍ ଦେଖାଉଛନ୍ତି, ମାତ୍ର ଏହି ଦେଶର ସବୁ ମଣିଷଙ୍କର ମେଳରେ ସହଚାରୀ ହୋଇ ବାଟ ଚାଲିବାକୁ ଆଦୌ ରାଜି ହେଉନାହାନ୍ତି । ବାବୁ ବନି ମୂଲିଆମାନଙ୍କୁ ଖଟାଇବାରେ ଲାଗିଛନ୍ତି; ଏହି ଦେଶରେ ଥାଇ ମଧ୍ୟ ସମସ୍ତଙ୍କ ସାଥିକୁ ଆସୁନାହାନ୍ତି । ସେହିମାନଙ୍କର ଦୌରାତ୍ମ୍ୟରେ ଏହି ଦେଶରେ ଯାବତୀୟ ପରିମଳ କେବଳ ଦୂଷିତ ହୋଇଯାଉଛି । ଏକ ଅସମାନ ପ୍ରତିଯୋଗିତାରେ ବସ୍ତୁତଃ ଧର୍ମ ହଟିଯାଉଛି, ନ୍ୟାୟ ପରାହତ ହୋଇ ରହୁଛି, ମନୁଷ୍ୟୋଚିତ ଅସଲ ବିଶ୍ଵାସଗୁଡ଼ିକ ଭାଙ୍ଗିଯାଉଛି । ସାହସୀ ମଣିଷମାନେ କୁଆଡ଼େ ଗଲେ କେଜାଣି ? ବର୍ତ୍ତମାନ ମୁଖ୍ୟତଃ ସେହିମାନଙ୍କ ଲାଗି ଅପେକ୍ଷା ରହିଛି ।

 

୨୮/୮/୨୦୦୦

Image

 

ରାଜନୀତିର ସ୍ତରରେ

 

୧୯୬୫ ମସିହା ଦଶହରା ବେଳେ ଭାରତୀୟ ସେନାବାହିନୀ ଯେତେବେଳେ ଲଢ଼େଇରେ ଜିତି ଜିତି ସୀମା ପାରହୋଇ ପାକିସ୍ତାନ ଭିତରକୁ ପଶିଗଲେ, ସେତେବେଳେ ଜନସଂଘ ଦଳରେ ଆପଣାକୁ କ୍ରମେ ନେତାରୂପେ ତିଆରି କରି ଆଣୁଥିବା ଶ୍ରୀଯୁକ୍ତ ଅଟଳବିହାରୀ ବାଜପେୟୀ ମହୋଲ୍ଲାସରେ ବିବୃତିଟିଏ ଦେଇ କହିଥିଲେ ଯେ, ଭାରତୀୟ ପକ୍ଷଟା ଏହିପରି ମାଡ଼ି ମାଡ଼ି ଚାଲିଯାଉ, ଯେପରିକି ଆମେ ଅର୍ଥାତ୍ ଭାରତୀୟମାନେ ସେବର୍ଷ ଲାହୋରଠାରେ ବିଜୟାଦଶମୀ ଉତ୍ସବଟିକୁ ପାଳନ କରିପାରିବା । ବାଜପେୟୀ ସେତେବେଳେ ସରକାରରେ ନଥିଲେ । ବର୍ତ୍ତମାନ ତ ସିଏ ଦେଶର ପ୍ରଧାନମନ୍ତ୍ରୀ ହୋଇ ଦେଶକୁ ଚଳାଉଛନ୍ତି ଏବଂ ଭାରତ ନାମକ ଭାଗ୍ୟର ହାନିଲାଭ ବୁଝୁଛନ୍ତି । ଏକାବେଳେକେ ସତର ଅଠରଟା ଦଳଙ୍କୁ ହକାରି ଏକାଠି କରି ପାରିଥିବାରୁ ସିଏ ଆମ ଶାସନର ସବାବଡ଼ ସବାରିରେ ଯାଇ ବସିପାରିଛନ୍ତି । ଅଠରଟା ଯାକ ଦଳ ଯେଝା ଯେଝାର ଗଣିତ ଅନୁସାରେ ରାଜିହୋଇ ସବାରିଟାର ବେହେରା ହେବାକୁ ରାଜି ବି ହୋଇଯାଇଛନ୍ତି । ସତେଅବା ସରକାରଟାକୁ ବୋହୁ ବୋହୁ ସେମାନେ ନିଜ ନିଜ ନିମନ୍ତେ ମଧ୍ୟ ଚକକେ ବାରହାତ ଗଡ଼ିଯିବେ ବୋଲି ଭରସା ପାଇ ପାରିଛନ୍ତି । ଭଗବାନ ସେମାନଙ୍କର ସମସ୍ତଙ୍କର ମଙ୍ଗଳ ଅବଶ୍ୟ କରିବେ । ମାତ୍ର ଏମାନଙ୍କର ଯାହା ହେଉ ବା ନହେଉ ପଛକେ, କାଶ୍ମୀର ମାମଲାଟା କ’ଣ ସତକୁ ସତ ମୋଟେ ଛିଣ୍ଡିବ ନାହିଁ ?

 

ସେହି ଛେଲାଏ ଭୂଇଁ ଆମ ଏଠାରୁ ବହୁତ ଦୂର ବୋଲି ଆମେ କାଶ୍ମୀରଟା ଅଲବତ ଭାରତବର୍ଷରେ ରହିବ ବୋଲି କହି କଥାଟାକୁ ଛିଣ୍ଡାଇଦେଇ ପାରୁଛୁ । ପାକିସ୍ତାନରେ ମଧ୍ୟ ଆମରି ଭଳି ଢେର ଲୋକ ରହିଥିବେ ଯେଉଁମାନେ କି ଠିକ୍ ସେହିପରି କହୁଥବେ ଓ ନିଶ ଫୁଲାଇବାରେ ଲାଗିଥିବେ । କାଶ୍ମୀର ଗୋଟାଏ ତୁଚ୍ଛ ଭୁଇଁ ନୂହେଁ । ସେଠାରେ ମନୁଷ୍ୟମାନେ ଅଛନ୍ତି । ଭାରତ ଓ ପାକିସ୍ତାନର ପଡ଼ୁନାହିଁ ବୋଲି ସେହି ମନୁଷ୍ୟମାନଙ୍କୁ ବାରଶହ ପ୍ରକାରେ ଦୁଃଖ ଭୋଗିବାକୁ ପଡ଼ୁଛି-। ସେଠା ପିଲାଏ ସତକୁସତ କି ପାଠ ପଢ଼ି ପାରୁଥବେ କେଜାଣି ? ସେ ବୟସ୍କମାନେ କେଡ଼େ ଛାନିଆରେ ରାତିଦିନ ଅତିବାହିତ କରୁଥବେ । ସେଠି ପୋଲିସ୍ ଥିବ, ହାକିମହୁକୁମା ଥିବେ, ସୈନ୍ୟମାନଙ୍କର ଛାଉଣି ରହିଥିବ; ତଥାପି ସେମାନଙ୍କୁ ବସ୍ତୁତଃ ପ୍ରାଣର ସବୁ ଭରସାକୁ ମୁରୁଛି ଦେଇ ରାତି ଓ ଦିନ ବିତାଇବାକୁ ପଡ଼ୁଥିବ । କୋଉଦିନ ବା କେତେବେଳେ କାହାର ଆୟୁଷ ପୂରିବ ସେକଥାକୁ ନାହାକମାନେ ମୋଟେ ଖଡ଼ି ପକାଇ କହିପାରୁ ନଥିବେ । ଯେତିକି ଅସ୍ତ୍ର ଜବତ ହେଉଥିବ, ପୁଣି ସେତିକି ଅସ୍ତ୍ର କେଜାଣି କେଉଁଠାରୁ ଆସି ପହଞ୍ଚି ଯାଉଥିବ । ଯେତିକି ଧରା ହେଉଥିବେ, ପୁଣି ସେତିକି ସୀମା ସେପାଖରୁ ଆସି ପହଞ୍ଚି ଯାଉଥିବେ । ଯେତିକି ମୁଣ୍ଡକୁ ବନ୍ଧୁକ ଦ୍ଵାରା ଉଡ଼ାଇ ଦିଆଯାଉଥିବ, ପୁନର୍ବାର ସେତିକି ମୁଣ୍ଡ ଆସି ତୁମକୁ ଡରାଇବାରେ ଲାଗିଥିବେ । ଏବେ ତ ସନ୍ତ୍ରାସବାଦର କେତେ କେତେ ମାମୁଁଘର, ମାଉସୀ ବା ପିଉସୀଘର ପୂରା ଆନ୍ତର୍ଜାତିକ ସ୍ତରରେ ହିଁ ତିଆରି ହୋଇଗଲାଣି, ତେଣୁ ସେମାନଙ୍କୁ ଆୟତ୍ତରେ ରଖିବା ପାଇଁ ରାଷ୍ଟ୍ରମାନଙ୍କର ହୁଏତ ଆଉ ମୋଟେ ବଳ ପାଉନାହିଁ । ଭାରତବର୍ଷ ଯେଉଁମାନଙ୍କୁ ସନ୍ତ୍ରାସବାଦୀ କହୁଛି, ପାକିସ୍ତାନ ସେମାନଙ୍କୁ ଦେଶଭକ୍ତ ବୋଲି କହୁଛି । ଥାଟ ଥାଟ ସେହିଭଳି ଦେଶଭକ୍ତମାନଙ୍କୁ ବେଶ ପିନ୍ଧାଇ ଏପାଖକୁ ମଣିଷ ମାରି ପଠାଉଛି । ମଣିଷ କ’ଣ କମ୍ ମରୁଛନ୍ତି ?

 

କାଶ୍ମୀର କଥା ତୁଟିବ ବୋଲି ଏକଦା ସିମଳାଠାରେ ଗୋଟାଏ ଚୁକ୍ତି ହୋଇଥିଲା । ସେହି ଚୁକ୍ତିର ସବୁ କାଗଜପତ୍ର ଅବଶ୍ୟ ସୁରକ୍ଷିତ ହୋଇ ରହିଥିବ । ଶ୍ରୀଯୁକ୍ତ ବାଜପେୟୀ ତ ଗତବର୍ଷ ପ୍ରାୟ ଏକ ଟୋକାଟାକଳିଆ ନିଶାରେ ବସ୍ ରେ ବସି ଲାହୋରରେ ଯାଇ ପହଞ୍ଚି ଯାଇଥିଲେ । ତଦ୍ଦ୍ୱାରା କୁଆଡ଼େ କେତେ ଶୁଭେଚ୍ଛାର ପ୍ରଦର୍ଶନ ହୋଇଥିଲା । ତା'ପରେ କାରଗିଲ୍‍ଠାରେ ଘମାଘୋଟ ଯୁଦ୍ଧଖେଳଟାଏ ଅଭିନୀତ ହେଲା । ସେଥିରେ ମଧ୍ୟ ଆମେ ଏପଟ ବାଲା ବିଜୟଲାଭ କଲୁ । ଏହି ସବୁକିଛି ଦ୍ଵାରା କାଶ୍ମୀର ପ୍ରାନ୍ତର ଅଧିବାସୀମାନେ କ'ଣ କେତେ ଭରସା ପାଇପାରିଲେ କେଜାଣି ? ସେପାଖରୁ ପୁଣି ହଜାର ହଜାର ମାଡ଼ି ଆସିଲେ । ଏପାଖଟା ବାଟ ଓଗାଳିଲା । ତେଣୁ, ଯାହା ବର୍ଷ ବର୍ଷ ଧରି ଚାଲିଆସିଥିଲା, ତାହା ଏବେ ମଧ୍ୟ ଚାଲିଛି । କେତେବେଳେ କିଞ୍ଚିତ୍ ଶୀତଳ ଓ ତା’ପରେ ପୁନର୍ବାର ଅତି ଗରମ ଓ ଅତି ପ୍ରଚଣ୍ଡ । ସତେଅବା ଏକାବେଳକେ ତୁହାକୁତୁହା ଏବଂ ଅସରାକୁ ଅସରା ଦିଆଯାଉଥିବା ଧମକଗୁଡ଼ାକ ଗୋଟା ସୁଦ୍ଧା ଯୁଦ୍ଧର ଭାଷାରେ । ଭାରତବର୍ଷର ଉଚ୍ଚ ମନ୍ତ୍ରୀମାନେ ତ ବାରମ୍ବାର ସେପଟଟାକୁ ଏସବୁ ହିଂସାତ୍ମକ ଫେଚକାମୀକୁ ବନ୍ଦ କରିବାପାଇଁ କହୁଛନ୍ତି । ଏସବୁ ବନ୍ଦ କର, ନଚେତ୍ ପରିଣାମକୁ ଅବଶ୍ୟ ଭୋଗିବ ବୋଲି କୁହାଯାଉଛି । ଏବଂ ପରିଣାମକୁ ଭୋଗିକାବାଲା ହିଁ ଭୋଗୁଛନ୍ତି । ଆମ ମନ୍ତ୍ରୀ ତ ସେପାଖରୁ ଯାହାକିଛି ହେବ, ସେଥିପାଇଁ ଆମେ ତିଆରି ହୋଇ ରହିଛୁ ଏବଂ ତାହାର ଅଲବତ୍ ଜବାବ ଦିଆଯିବ ବୋଲି କହୁଛନ୍ତି । ଆମ ଦେଶର କେତେ ରାଗୀ ଲୋକ ତ କହିଦେଲେଣି ଯେ ଆଉ କାଳବିଳମ୍ବ ନକରି ପାକିସ୍ତାନକୁ ଏମିତି ଗୋଟାଏ ଶିକ୍ଷା ଦିଆଯାଉ, ଯାହାଦ୍ଵାରା କି ପାକିସ୍ତାନ ଆଉ ସନ୍ତ୍ରାବାଦୀମାନଙ୍କର ଧରମ ମାଆ ହେବାକୁ ଆଦୌ ଇଚ୍ଛା କରିବ ନାହିଁ । ଏଡ଼େ ବଡ଼ ରୁଷିଆ ଛାର ଚେଚେନ୍ୟାକୁ ସବକ୍‌ ଶିଖାଇ ପାରୁନାହିଁ,– ପୃଥିବୀଯାକ ସତେ ଅବା ସନ୍ତ୍ରାସବାଦୀମାନେ ହିଁ ସର୍ବତ୍ର ମହାପ୍ରତାପଶାଳୀ ରାଷ୍ଟ୍ରମାନଙ୍କୁ ମଧ୍ୟ ତହୁଁ ବଳି ତହୁଁ ବଳି ଚେଙ୍ଖମାନ ଦେବାରେ ଲାଗିଛନ୍ତି । ଆମ ପ୍ରତିରକ୍ଷା ମନ୍ତ୍ରୀ ପାରିବେ ବୋଲି କହୁଛନ୍ତି ଯେ, ସିଏ କ'ଣ ସତରେ ପାରିବେ ? ଯୁଦ୍ଧର ଗୋବ ମାରି ପ୍ରକୃତରେ ଆମ ପୃଥିବୀଟାକୁ ଶାନ୍ତି ଲାଗି ଆବଶ୍ୟକ ପ୍ରକାରେ ସମତଳ ଓ ସ୍ଵାଭାବିକ କରାଯାଇ ପାରିବ ?

 

ପାକିସ୍ତାନର ସଦର ମଫସଲଟାକୁ ନ ବୁଝିଲେ ଆମେ ହୁଏତ ଆଦୌ କିଛି କରିପାରିବା ନାହିଁ । ୧୯୪୭ ଠାରୁ ଆଜି ପର୍ଯ୍ୟନ୍ତ ସେଠାରେ ଯାହାକୁ ସ୍ଵାଧୀନତା ବୋଲି କୁହାଯାଇ ଆସିଛି ନିରପେକ୍ଷ ଭାବରେ ବିଚାର କରି ତାହାକୁ ଏକାଧିକ ସଙ୍ଗତି ସହିତ ଏକ ନିମକହାରାମ ଜାଗିରି ବୋଲି ହିଁ କୁହାଯିବ । ସେଠାରେ ଯେଉଁମାନଙ୍କ ହାତରେ କ୍ଷମତା ଅର୍ପଣ କରାଗଲା, ସେମାନେ ସ୍ୱାଧୀନତା ପାଇଁ କୌଣସି ସଂଗ୍ରାମ କରିନଥିଲେ । ତତ୍କାଳୀନ ଭାରତୀୟ ସ୍ଵାଧୀନତା ସଂଗ୍ରାମରେ ସେମାନେ ଇଂରେଜ ସରକାରଙ୍କର ରଜ୍ଜୁରେ ବନ୍ଧା ହୋଇଥିଲେ ଓ ଅସଲ ସଂଗ୍ରାମର ବିରୋଧରେ ଥିଲେ । ସତେଅବା ସେଇଥିପାଇଁ ଜାଗିରିଟାଏ ପାଇଲେ । ସେହି ଅମଙ୍ଗଳଟା ହୁଏତ ଏପର୍ଯ୍ୟନ୍ତ ବି ସେଠାରେ କ୍ଷମତାକ୍ଷେତ୍ରୀୟ ଯାବତୀୟ ଅଦଳବଦଳକୁ କାମୁଡ଼ି ଧରିଛି । ସୈନ୍ୟମାନେ ହିଁ ମଙ୍ଗରାଜ ବନି ରହିଛନ୍ତି– ଧରପଗଡ଼ ଦ୍ଵାରା ଶାସନ ବଦଳିଛି ଏବଂ ହତ୍ୟା ଭିଆଇ ଫାଶୀ ଦେଇ ନୁଆମାନେ ଗାଦୀ ଦଖଲ କରି ନେଇଛନ୍ତି । ସେପାଖ ଖଣ୍ଡଟାରେ ମଧ୍ୟ ଅବିଭକ୍ତ ଭାରତବର୍ଷରେ ଯେଉଁ ମୁକ୍ତି ସଂଗ୍ରାମ ଲଢ଼ା ଯାଇଥିଲା, ସେହି ସଂଗ୍ରାମର ଏକ ସୁସ୍ଥ ପରିଣତି ରୂପେ ପାକିସ୍ତାନ ଜନ୍ମଲାଭ କରିଥିଲେ ସେଠାରେ ସଂଗ୍ରାମୀ ବୀରମାନଙ୍କର ସ୍ମୃତିକୁ କଦାପି ବେନଜର କରି ରଖିବା ପାଇଁ ଉଡ଼ାଇ ଦିଆଯାଇ ନଥାନ୍ତା । ପାକିସ୍ତାନରେ ଭଗତ ସିଂହଙ୍କର ଓ ହେମୁ କଲାଣୀଙ୍କର ସ୍ମାରକ ଥାଆନ୍ତା । ଅବଦୁଲ୍ ଗଫର ଖାଁ ଯାବତୀୟ ସୁସ୍ଥ ପ୍ରକ୍ରିୟା ଅନୁସାରେ ହୁଏତ ସେଠି ରାଷ୍ଟ୍ରପତି ହୋଇଥାନ୍ତେ ଓ ତାଙ୍କୁ ଦୀର୍ଘ ବହୁବର୍ଷ ଜେଲ୍‌ଖାନାରେ ରହିବାକୁ ପଡ଼ି ନଥାନ୍ତା । ଇଂରେଜମାନେ ଭୂଇଁଟିକୁ ଛାଡ଼ିଯିବା ପୂର୍ବରୁ ମୁସଲମାନମାନଙ୍କ ସ୍ୱାର୍ଥକୁ ସ୍ଵତନ୍ତ୍ର ଭାବରେ ସୁରକ୍ଷିତ କରାଯିବା ନିମନ୍ତେ ସେତେବେଳେ କ୍ରୀଡ଼ନକମାନେ ଗମ୍ଭୀର ଭାବରେ ଯାହା ଦାବି କରୁଥିଲେ ଓ ଯାହା ପରିଶେଷରେ ଫଳଟିଏ ହୋଇ ପାକିସ୍ତାନ ରୂପେ ପ୍ରକଟ ହେଲା, ସେଇଟି ପଛରେ ଯେ ସେପରି କିଛି ସାଧୁତା ନଥିଲା, ତାହା ପଶ୍ଚିମ ପାକିସ୍ତାନ ୧୯୭୧ ମସିହାରେ ତତ୍କାଳୀନ ପୂର୍ବ ପାକିସ୍ତାନ (ବର୍ତ୍ତମାନର ବାଂଲାଦେଶ) ଛାଡ଼ି ଯିବାବେଳେ ଘଟାଇଥିବା ନୃଶଂସ ହତ୍ୟାଯୋଜନାର ବିବରଣୀରୁ ଧରାପଡ଼ି ଯାଉଛି । ସେଠୁ ବିଦାହୋଇ ଆସିବାର ପୂର୍ବ ରାତ୍ରିରେ ଢାକାରେ ସେମାନେ ଯେଉଁ ବିଶେଷ ପ୍ରତିଭାସମ୍ପନ୍ନ ବ୍ୟକ୍ତିମାନଙ୍କୁ ଏକତ୍ର ରୁଣ୍ଡ କରାଇ ହତ୍ୟା କରିଥିଲେ, ସେମାନେ ସମସ୍ତେ ମୁସଲମାନ୍ ହିଁ ଥିଲେ । ପଚାଶ ବର୍ଷ ଅନ୍ତେ ମଧ୍ୟ ଯେତେ ଅଧିକ ସହାନୁଭୂତି ସହିତ ସେପାଖଟା ସହିତ ଦୃଷ୍ଟିପାତ କଲେ ମନେହୁଏ, ସେଇ ଖଣ୍ଡଟା ତଥାପି ସତେଅବା ଜାଗିରିଟିଏ ପରି ହିଁ ଶାସିତ ହୋଇଛି । ସ୍ୱପ୍ନ ହୁଏତ କିଛିହେଲେ ନାହିଁ, ଉତ୍ତେଜନା ହିଁ ଖୋରାକରେ ପରିଣତ ହୋଇଛି । ଗଣତନ୍ତ୍ରର ଅନ୍ନପ୍ରାସନ ହିଁ ହୋଇନାହିଁ । ଶାସନ ତଳଯାଏ ଭେଦି ପାରିନାହିଁ । ରାଜନୀତିକ ବିବେକ ବୋଲି ସେହି ଅନ୍ୟ ଦ୍ରବ୍ୟଟି ଧର୍ଷିତପ୍ରାୟ ହୋଇ ରହିଛି । ଏହିପରି ଗୋଟିଏ ଭୂମିର ସରକାର ସ୍ୱୟଂ ଯେ ସନ୍ତ୍ରାସବାଦୀ ହୋଇ ରହିବ, ସେଥିରେ ଆଶ୍ଚର୍ଯ୍ୟ ହେବାର ଆଦୌ କିଛି ନାହିଁ-। ତାହା ଅତ୍ୟନ୍ତ ଅସହାୟ ଭାବରେ ସନ୍ତ୍ରାସବାଦକୁ ପ୍ରଶ୍ରୟ ଦେବ । ସେନାବାହିନୀ ଏବଂ ଗୋଇନ୍ଦାମାନଙ୍କୁ ସବାବଡ଼ ଅବଲମ୍ବନ ଭଳି ମାନିନେବ । ପଡ଼ୋଶୀ ଘରେ ପଶି ତ୍ରାସ ସୃଷ୍ଟି କରିବା ଲାଗି ନାଗ, ଗୋଖର, ଧଣ୍ଡ ଓ ଢମଣାମାନଙ୍କୁ ପଠାଇବ । ଧର୍ମକୁ ଅଫିମ ପରି ବ୍ୟବହାର କରିବାର ଅଧର୍ମ ଆଚରଣକୁ ଆଦୌ ଭୟ କରିବ ନାହିଁ । ପୃଥିବୀର ହାଟରେ ଧରାପଡ଼ି ଯାଉଥିବ ସିନା, ତଥାପି ହଟିବ ନାହିଁ । ସରକାରମାନେ ବିଚିତ୍ର ପ୍ରକାରେ ଭାଙ୍ଗୁଥିବେ, ପୁଣି ବିଚିତ୍ର ପ୍ରକାରେ ଗଢ଼ି ହୋଇ ଯାଉଥିବେ । କାଶ୍ମୀର ପ୍ରଶ୍ନଟାର ସମାଧାନ ହୋଇଗଲେ ସେଠି ସରକାରମାନେ ଆଉ କାହାକୁ ନିଜ ପାଦତଳର ନିର୍ଭରଟିଏ ପରି ବ୍ୟବହାର କରିପାରିବେ ? ତେଣୁ ସୁଆଙ୍ଗଟି ଲାଗି ହିଁ ରହିବ । ସୁଆଙ୍ଗ ଲାଗି ରହିଥିଲେ ହିଁ ଲାଭ ହେଉଥିବ । ପାକିସ୍ତାନର ମୁକାବିଲା କରିପାରିବା ନିମନ୍ତେ ଏପାଖରେ ବିଚରା ଭାରତବର୍ଷଟା ଯେପରି କ୍ରମେ ନାନା ଅନ୍ୟ ଆନୁଗତ୍ୟ ଭିତରକୁ ଗୋଡ଼ ଖସାଇ ନେଉଛି ଓ ଗୋଡ଼ ଖସିଗଲାଣି ବୋଲି ବିଶ୍ଵାସ କରିବାକୁ ମଧ୍ୟ ହୁଏତ ଭୟ କରୁଛି, ସେପରି ଆଶଙ୍କା କରିବା ପାଇଁ ମଧ୍ୟ ବହୁତ କାରଣ ରହିଛି । ତେଣୁ, ରାଜନୀତିର ସ୍ତରରେ ହିଁ ଏଣିକି କିଛି ଉଦ୍ୟମ ହେବା ଉଚିତ । ରାଜନୀତିର ସ୍ତରରେ ଅର୍ଥାତ୍ ଲୋକସ୍ତରରେ-। ଭାରତବର୍ଷରେ ସରକାରୀ ହଟଚମଟ ପଛରେ ସାଧାରଣ ମଣିଷ କୋଟି ସଂଖ୍ୟାରେ ରହିଛନ୍ତି ବୋଲି ପାକିସ୍ତାନରେ କୁହାହେଉଥିବ କି ନାହିଁ କିଏ କହିପାରିବ ? ଆମ ଏପଟରେ ମଧ୍ୟ ପାକିସ୍ତାନ କହିଲେ ବହୁତ ଲୋକେ ସେଠାରେ ବାସ କରୁଥିବା ସାଧାରଣ ଲୋକମାନଙ୍କୁ ନବୁଝି ଆଗ ପାକିସ୍ତାନୀ ସରକାରକୁ ବୁଝୁଥିବେ । ଏଥର ଝୁଙ୍କଗୁଡ଼ିକ ବଦଳିଯାଉ । ତଳପଟୁ ଦେଖିବାକୁ ଆରମ୍ଭ କଲେ ଏଠାରେ ଓ ସେଠାରେ ମନୁଷ୍ୟମାନଙ୍କର ମୂଳ ସମସ୍ୟାଗୁଡ଼ିକ ମୋଟେ ଅଲଗା ହେବନାହିଁ-। ଆମେ ଦୁହେଁ ସେହି ନାମଜାଦା ତୃତୀୟ ବିଶ୍ଵଟାର ଅଧିବାସୀ-କରଜ କରି ଚଳୁଛୁ ଏବଂ ଆମର ମଧ୍ୟ କୋଠାଘର ରହିଛି ବୋଲି ନାକ ଫୁଲାଇ କହୁଛୁ । ଆମ ହାକିମ ଓ ସେଠା ହାକିମଙ୍କ ଭିତରେ ମୋଟେ ଖୁବ୍ ବେଶୀ ଫରକ୍ ନଥିବ । ଆମ ଅରକ୍ଷିତ ଓ ତାଙ୍କ ଅରକ୍ଷିତଙ୍କ ମଧ୍ୟରେ କାହିଁକି ବି ଫରକ୍ ରହିବ ? ଏଠା ଅରକ୍ଷିତ ଓ ସେଠା ଅରକ୍ଷିତଙ୍କୁ ଦୁଇଟି ଭିନ୍ନ ଭିନ୍ ରାଷ୍ଟ୍ରର ନାଗରିକ ହୋଇ ରହିଥିବା ସତ୍ତ୍ୱେ ପରସ୍ପର ସହିତ ଅଧିକ ଅନ୍ତରଙ୍ଗ ଭାବରେ ଚିହ୍ନା କରାଇଦେଇ ପାରୁଥିବା ଏକ ବିକଳ୍ପ ନେତୃତ୍ୱ ଦୁଇଟାଯାକ ପଟରେ ଗଠିତ ହୋଇ ଆସନ୍ତା ନାହିଁ ? ତେବେ କାଶ୍ମୀରଟା ଆଦୌ ସର୍ବପ୍ରଥମେ ଦେଖା ନଯାଇ ଭୋକ ଦେଖାଯାଆନ୍ତା, ଦାରିଦ୍ର୍ୟ ଦେଖାଯାଆନ୍ତା, ବଞ୍ଚିତ ପିଲାମାନେ ଦେଖାଯାଆନ୍ତେ । ମଣିଷମାନେ ଦୁଶନ୍ତେ ଏବଂ ଆଗ ମଣିଷମାନଙ୍କୁ ମଣିଷମାନେ ହିଁ ଦେଖାଯିବାକୁ ଆରମ୍ଭ କଲେ ସତକୁସତ ଭଗବାନ ମଧ୍ୟ ଦିଶନ୍ତେ । ଭଗବାନ ଆଗ ଦିଶିଲେ ଉଭୟ ଭୂମିଖଣ୍ଡରେ ଏକ ନୂତନ ଶକ୍ତି ଜନ୍ମଲାଭ କରନ୍ତା । ସେହି ଶକ୍ତି ଏବର ରାଷ୍ଟ୍ର ଶକ୍ତିଟା ପରି କଦାପି ଏତେଗୁଡ଼ାଏ ନିର୍ବୋଧ ହୁଅନ୍ତା ନାହିଁ । ଅସଲ ଆତ୍ମନିର୍ଭରତା ସେତିକିବେଳେ ଆସନ୍ତା । ସେହି ଆତ୍ମନିର୍ଭରତା ଉଭୟପଟକୁ ବଳ ଦିଅନ୍ତା । ବର୍ତ୍ତମାନ ଭଳି ଆଉ ସଉତୁଣୀ ବନି ଭାରସାମ୍ୟ ହରାଇ ନାଚିବାକୁ ପଡ଼ନ୍ତା ନାହିଁ ଏବଂ କାରଗିଲମାନେ ଦୁଇପଟୁ ହିଁ ଭାରି ସୁନ୍ଦର ଦିଶନ୍ତେ ।

 

ଦେଶ ବିଭାଜିତ ହେବା ସମୟରେ ଏପଟ ଭାରି କ୍ଷୁଣ୍ଡ ହୋଇ ପଡ଼ିଥିଲା, ତଥାପି ଏଠି ନେତାଏ ଆଶା କରିଥିଲେ ଯେ ଖଣ୍ଡିତ ହେଲେ ମଧ୍ୟ ସେମାନେ ଏହି ଅର୍ଦ୍ଧଟିରେ ସେମାନଙ୍କର କଳ୍ପିତ ଭୂମିଟିକୁ ପୂର୍ଣ୍ଣ ନିଷ୍ଠାପର ଭାବରେ ଏକ ବାସ୍ତବରୂପ ଦେବାର ପ୍ରୟାସ କରିବେ । ବହୁ ଖଣ୍ଡିଆଦଣ୍ଡିଆ ହୋଇ ସେହି ପ୍ରୟାସଟି ତଥାପି ଚାଲିଛି । ଆହୁରି ଅନେକ ବାଟ ବାକି ଅଛି । ସେତେବେଳେ ଉତ୍ସାହିତ ହୋଇ ଏପାଖରୁ ଯେଉଁସବୁ ପରିବାର ସେପଟକୁ ପଳାଇ ଯାଇଥିବେ, ସେଠା ହାଲତ ଓ ଗତିବିଧି ଦେଖି ସେମାନଙ୍କ ମଧ୍ୟରେ ବି ବହୁତଙ୍କର ମୋହଭଙ୍ଗ ହୋଇଥିବ । କିନ୍ତୁ ସେମାନେ କିଛି କରିପାରିନଥିବେ । ବାସ୍ତବଗୁଡ଼ିକୁ ଆଦରି ପଡ଼ି ରହିବେ । ଏକାଧିକ ଦୃଷ୍ଟିରୁ ଦୁଇପଟ ମଧ୍ୟରେ ମାନବିକ dialogue ଟିଏ ଆରମ୍ଭ କରିବାଟି ଅଧିକ ପ୍ରଶସ୍ତ ଭାବରେ ଭାରତ ପଟୁ ହିଁ ଆଗ ହେବା ଉଚିତ । ସେଥିଲାଗି ଏପଟେ ମଧ୍ୟ ଯେ ପୂର୍ଣ୍ଣ ରାଷ୍ଟ୍ରୀୟ ସମର୍ଥନ ମିଳିବ, ସେକଥା ଆଦୌ ଠିକ୍ ନୁହେଁ । ତଥାପି ସଙ୍ଗଠନମାନେ ଗଢ଼ି ଉଠନ୍ତୁ । ମଣିଷ ମଣିଷ ଭିତରେ ସଂପର୍କସ୍ଥାପନର ପଦ୍ଧତିଟି ମଧ୍ୟରେ ରହିଥିବା ସମ୍ଭାବନାଗୁଡ଼ିକର ଆବିଷ୍କାର କରାଯାଉ । ଯେଉଁମାନେ ରାଜନୀତିକୁ ମୂଳତଃ ଏକ ରାଷ୍ଟ୍ରୀୟ ବ୍ୟାପାର ବୋଲି ନଦେଖି ମାନବିକ ପାରସ୍ପରିକତା ରୂପେ ଦେବାକୁ ସାହସ କରିପାରନ୍ତି ସେହିମାନେ ହିଁ ଏହି କ୍ଷେତ୍ରରେ ଅଗ୍ରଗାମୀ ହୋଇ ବାହାରନ୍ତୁ । ଆମର ଏହି ଦୁଇ ଦେଶରେ ସେହିମାନେ ନିକଟତର ହୋଇ ଆସନ୍ତୁ ।

 

୪/୯/୨୦୦୦

Image

 

Unknown

ଖଳଚିନ୍ତାର ଅନ୍ତ ନାହିଁ

 

ଯୋଉମାନେ ଭୋଟ ମାଗି ଭୋଟ ପାଇ ଲୋକପ୍ରତିନିଧି ହୋଇ ସରକାରକୁ ଯାଇଛନ୍ତି, ସେମାନେ ଲୋକଙ୍କର ଉଦୟ ନିମନ୍ତେ ହିଁ ଦେଶର କଥାକୁ ବୁଝିବା ଲାଗି ସେଠାକୁ ଯାଇଛନ୍ତି । ସେମାନେ ଆଉ ଯାହା ହୁଅନ୍ତୁ ବା ହୋଇପାରନ୍ତୁ ପଛକେ, ସ୍ୱେଚ୍ଛାଚାରୀ ହେବାଲାଗି ସେମାନଙ୍କର ଆଦୌ କୌଣସି ଅଧିକାର ନାହିଁ । ଓଡ଼ିଶାରେ ବା ଭାରତବର୍ଷରେ ସେମାନେ ଯେ ନିରୋଳା ଅହମିକା ସହିତ ତାହା ହେଉଛନ୍ତି, ତାହାର ସର୍ବପ୍ରଥମ କାରଣ ହେଉଛି ଯେ, ଏଠି ଲୋକମାନେ ଅନ୍ଧାରରେ ରହିଛନ୍ତି । ଆହୁରି ସିଧାକରି କହିଲେ ସେମାନଙ୍କୁ ଅନ୍ଧକାରରେ ରଖାଯାଇଛି । ଲୋକମାନେ ଅନ୍ଧାରରେ ରହିବାଟା ଉପରେ ଥିବା ମତ୍ତଗଜମାନଙ୍କୁ ସୁହାଉଛି । ପରାଧୀନ ଭାରତରେ ଇଂରେଜମାନେ ନିଜକୁ ଯୋଉ ମିଜାଜରେ ବା ଯୋଉ ଧୃଷ୍ଟତା ସହିତ ଦେଖୁଥିଲେ, ଆମ ମତ୍ତଗଜମାନେ ସ୍ୱାଧୀନ ଭାରତରେ ସେହିଭଳି ଭାବୁଛନ୍ତି । ତାଙ୍କ ପାଖରେ ଉଚ୍ଚତମ ଗୋଲାମ ଧାଡ଼ିରେ ରହିଥିବା ଆଉ ପଲେ ସେମାନଙ୍କୁ ଗଦ ଶୁଙ୍ଘାଇ ରଖିଛନ୍ତି ଓ ସ୍ୱାଧୀନ ଭାରତବର୍ଷକୁ ପ୍ରାୟ ଯାବତୀୟ ଅର୍ଥରେ ଏକ ଉପନିବେଶ କରି ରଖିବାରେ ମୁଦୁସୁଲି ପରି ସହାୟତା କରୁଛନ୍ତି । ଓଡ଼ିଶାରେ ଅସଲ ଭାଷା, ଜଠର ଭାଷା ଏବଂ ହୃଦୟର ଭାଷାଟା ହେଉଛି ଓଡ଼ିଆ । ମୁଦୁସୁଲି ଓ ମତ୍ତଗଜମାନଙ୍କୁ ସେହି ଓଡ଼ିଆ ଭାଷାଟା ଭାରି ଗନ୍ଧଉଛି । ଅଧିକାଂଶଙ୍କୁ ଓଡ଼ିଆ ଭାଷା ଆସୁନାହିଁ, ତେଣୁ ଗନ୍ଧଉଛି । ଏଣିକି ପ୍ରାଥମିକ ବିଦ୍ୟାଳୟରେ ଦ୍ୱିତୀୟ ଶ୍ରେଣୀରୁ ଇଂରାଜୀ ଭାଷା ପଢ଼ାଯିବ ବୋଲି ଯେଉଁ ଚକ୍ରାନ୍ତଟି ସରକାରୀ ଷଣ୍ଢମାନଙ୍କର ଦପ୍ତରରୁ ବାହାରିଛି, ସେମାନଙ୍କୁ ଆଉ ଓଡ଼ିଶାଟା ମୋଟେ ଦିଶୁନାହିଁ । ସେମାନଙ୍କୁ ଭାରତବର୍ଷ ବି ଦିଶୁନାହିଁ । ଏକାବେଳକେ ଆନ୍ତର୍ଜାତିକ କ’ଣଟାଏ ଦେଖାଯାଉଛି । ସବାଆଗ ଗୋଡ଼ତଳର ଭୂଇଁଟା ନ ଦିଶି ଯେଉଁମାନଙ୍କୁ ତଥାକଥିତ ଆନ୍ତର୍ଜାତିକ ଭୂମିଟା ଆଗ ଦେଖାଯାଏ, ଯାବତୀୟ ମାନବୀୟ ମାନଦଣ୍ଡର ନ୍ୟାୟ ଅନୁସାରେ ସେମାନେ ହେଉଛନ୍ତି ରୋଗୀ । ଭାରତବର୍ଷ ଓ ଓଡ଼ିଶାରେ କେତେକ ଅବ୍ୟାପାରକୁ ପ୍ରଶ୍ରୟ ଦିଆଯାଇଥିବା ହେତୁ ଏହି ରୋଗୀମାନେ ହିଁ ଆମକୁ ଶାସନ କରୁଛନ୍ତି । ସେମାନଙ୍କୁ ମଣିଷ ଦିଶନ୍ତି ନାହିଁ– ଚାରିପାଖଟା ଭାରି ଗନ୍ଧାଏ । ସେମାନେ ହିଁ ମର୍ଦ୍ଦରାଜ ବନି ଦେଶର ଭାଗ୍ୟଟାକୁ ନିଜର ଲାଖରାଜୀ ବୋଲି ଧରି ନେଇଥାନ୍ତି ଓ ଗୋଦଡ଼ା ହୋଇଥିଲେ ମଧ୍ୟ ମାଡ଼ି ଯାଉଥାନ୍ତି । କାଳର ପ୍ରୟୋଜନକୁ ମାନନ୍ତି ନାହିଁ । କାଳର ପ୍ରହାର ବିଷୟରେ ସଚେତନ ହେବାକୁ ଅକଲ ନଥାଏ ।

 

ଆଧୁନିକ ଲୋକୋନ୍ନତିର ସିଡ଼ିରେ ଉପରକୁ ଅନାଇ ଯେଉଁ ଦେଶମାନଙ୍କୁ ସବାଉପରେ ଦେଖିବାକୁ ମିଳେ, ସେଠାରେ ଦ୍ୱିତୀୟ ଶ୍ରେଣୀରୁ ପିଲାଏ ବିଦେଶର ଭାଷାଟିଏ ପଢ଼ିବେ ବୋଲି କେହି ଚିନ୍ତା ବି କରିବେ ନାହିଁ । ଇଂରାଜୀ ଭାଷା ଇଂଲଣ୍ଡର ଭାଷା । ଇଂଲଣ୍ଡର ମାତୃଭାଷା | ହୃଦୟର ଭାଷା । ସେଠାରେ ବିଦ୍ୟାଳୟମାନଙ୍କରେ ସବୁ ପିଲା ସବାଆଗ ପାଞ୍ଚବର୍ଷ କେବଳ ସେହି ହୃଦୟର ଭାଷାଟିକୁ ହିଁ ପଢ଼ନ୍ତି । ସେହିପରି ଜର୍ମାନୀରେ ଜର୍ମାନ୍ ଭାଷା ଏବଂ ଋଷିଆରେ ଋଷ୍‍ ଭାଷା । ଆଗ ହୃଦୟର ଭୂଇଁଟି ଯୋଗ୍ୟ ହେଲେ, ପୁଷ୍ଟ ଏବଂ ପ୍ରଶସ୍ତ ହେଲେ ତା'ପରେ ଯାଇ ସୁସ୍ଥ ଭାବରେ ପୃଥିବୀର ବୃହତ୍ତର ଭୂମିଟିରେ ପ୍ରବେଶ କରିହୁଏ । ଗୋଲାମମାନେ ତଥା ସ୍ୱେଚ୍ଛାଚାରୀ ଗୋଲାମମାନେ ସେହି କଥାଟିକୁ ମୋଟେ ବୁଝିବେ ନାହିଁ । ଇଂଲଣ୍ଡରେ ଏଗାର ବର୍ଷ ବୟସ ହେବାପରେ ଯାଇ ଦ୍ୱିତୀୟ ଭାଷାଟିଏ ଶିକ୍ଷା କରିବାର ଅବସର ଆସେ । ଏବଂ, ଇଂଲଣ୍ଡର ସବୁ ପିଲାଙ୍କୁ ମଧ୍ୟ ସେଥିପାଇଁ ମଣ କରାଯାଏ ନାହିଁ । ଯେଉଁମାନେ ଏକ ନିର୍ଦ୍ଦିଷ୍ଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଅନ୍ତି, କେବଳ ସେହିମାନେ ହିଁ ବିଦେଶୀ ଭାଷା ଶିକ୍ଷା କରନ୍ତି । ଇଉରୋପର ନିତାନ୍ତ ସାନ ଦେଶଗୁଡ଼ିକରେ ମଧ୍ୟ ଶହେରେ ପଚାଶ ପିଲା ଦ୍ୱିତୀୟ ଭାଷା ପଢ଼ିବାକୁ ବାଧ୍ୟ ହୁଅନ୍ତି ନାହିଁ । ଅଲକ୍ଷଣା ଭୂଇଁ ନିନ୍ଦୁକମାନେ ଶାସନ କରୁଥିବା ସବୁ ଦେଶ ଓ ସବୁ ସରକାରୀ ବ୍ୟବସ୍ଥାରେ ସେହିପରି ହୋଇଥାଏ । ବେଳେବେଳେ ମନେହୁଏ ଯେ, ଯଦି ତୁମ ଦେଶରେ କେହି ଗୋଲାମ ସବୁଥିରୁ ବଞ୍ଚିତ ହୋଇ ରହିଥିବା ଭାଗ୍ୟବାଦୀ ଗୋଲାମ, ଓ ସବୁ ମାଡ଼ି ବସିଥିବା ଧୋବପିନ୍ଧା ଗୋଲାମ ନରହନ୍ତୁ ବୋଲି କୌଣସି ଦେଶର ନେତୃତ୍ୱ ସତକୁସତ ଅଭିଳାଷ ରଖିଥାଏ, ତେବେ ସେଠାରେ ହୃଦୟଟା ହିଁ ସବାଆଗ ଦେଖାଯାଏ– ହୃଦୟର ଭାଷାଟାକୁ ହିଁ ସର୍ବବିଧ ସ୍ୱୀକୃତିପ୍ରାପ୍ତ ହୁଏ,– ସେଠାରେ ସରକାରୀ ସ୍ୱେଚ୍ଛାଚାରୀମାନଙ୍କର ଫିସାଦରେ ଅଳପ ମଣିଷ ଅଧିକ ମଣିଷଙ୍କୁ ବୋକା ବନାଇ ରଖିବାର କୌଣସି ଆନୁଷ୍ଠାନିକ ଷଡ଼ଯନ୍ତ୍ର ହୁଏନାହିଁ ।

 

ଓଡ଼ିଶା ସମେତ ଭାରତବର୍ଷରେ ଶିକ୍ଷାର ସର୍ବପ୍ରଥମ କରଣୀୟ ହେଉଛି ସବୁ ପିଲାଙ୍କୁ ପାଠ ପଢ଼ିବାର ସର୍ବନିମ୍ନ ସ୍ଵାଭାବିକ ଭୂମିଟିଏ ଯୋଗାଇ ଦେବା ! ଦେଶର ସମ୍ବିଧାନରେ ମଧ୍ୟ ସେକାଳୁ ସେହି କଥାଟିକୁ ଘୋଷଣା କରାଯାଇଛି । ସର୍ବନିମ୍ନ ସ୍ତରରେ ସବୁ ପିଲା ସମାନ ସୁଯୋଗ ପାଇବେ,– ଦେଶର ଯାବତୀୟ ବିକାଶ ନିମନ୍ତେ ତାହା ଅତ୍ୟାବଶ୍ୟକ ବୋଲି କେତେକେତେ ଗବେଷଣା ଦ୍ୱାରା ସିଦ୍ଧ ହୋଇସାରିଛି । ସ୍ୱାଧୀନ ଦେଶର ବିଭିନ୍ନ ସ୍ତରରେ ସରକାର ଚଳାଇ ଆସିଥିବା ନାଟୁଆମାନେ ଏହି ଲକ୍ଷ୍ୟଟିକୁ କାହିଁକି ଯେ ପୂରଣ କରି ପାରିନାହାନ୍ତି, ତାହା ପଛରେ ନ୍ୟସ୍ତସ୍ଵାର୍ଥଗତ ଏକାଧିକ ଅଭିସନ୍ଧି ରହିଛି । ଶିକ୍ଷା ସମ୍ପର୍କରେ ଆଗକୁ ରାସ୍ତା କଢ଼ାଇବା ନିମନ୍ତେ ଦେଶରେ କେତେ କମିଶନ ବସିଛି । ସେମାନେ ପ୍ରସ୍ତାବ ଓ ପରାମର୍ଶମାନ ବି ଦେଇଛନ୍ତି । ସେଗୁଡ଼ିକୁ ସତେଅବା ସୁଚିନ୍ତିତ ମନ୍ଦ ମତଲବ ସହିତ ସିନ୍ଦୁକ ଭିତରେ ରଖି ଦିଆଯାଇଛି । ସେହିଗୁଡ଼ିକୁ ଯଥାସମ୍ଭବ କାର୍ଯ୍ୟକାରୀ କରିବା ଲାଗି ଏକ ସାଧୁ ପ୍ରୟାସ କରିବା ହିଁ ଆମ ସରକାରମାନଙ୍କର କର୍ତ୍ତବ୍ୟ ହୋଇ ରହିଥାନ୍ତା । ସାରକାର ୟାଡ଼ୁସାଡ଼ୁ ନାନା ତତ୍କାଳିକ ପ୍ରତୀତି ଦେଇ ଆମକୁ ଭେଳିକି ଭିତରେ ପକାଇ ରଖିଛନ୍ତି ସିନା, କିନ୍ତୁ ପ୍ରକୃତ ମାର୍ଗରେ ପାହୁଣ୍ଡେ ବି ଅଗ୍ରସର ହୋଇନାହାନ୍ତି । ରାଜନୀତିକ ନେତା ଏବଂ ଉଚ୍ଚ ମହଲର ଅମଲାମାନେ ତୁଚ୍ଛା ନିଜ ଅନୁକୂଳ ଅନ୍ଧାରଗୁଡ଼ିକୁ ସ୍ଥାୟୀ କରି ରଖିବାପାଇଁ ସତେଅବା ରତିମତ୍ତ ହୋଇ ରହିଛନ୍ତି । କୋଟି କୋଟି ଖରଚ ହେଉଛି, ତଥାପି ରାତି ସରୁନାହିଁ । ଅସଲ ଆହ୍ୱାନଗୁଡ଼ିକୁ ଏଡ଼ିବା ନିମନ୍ତେ ମଝିରେ ମଝିରେ ଅତି ଗୌଣ ଏଇଟାକୁ ବା ସେଇଟାକୁ ଫାନ୍ଦି ଦିଆଯାଉଛି । ଦ୍ୱିତୀୟ ଶ୍ରେଣୀରୁ ଇଂରାଜୀ ପଢ଼ା ହେବାର ଅନ୍ୟତମ ଫତୁଆଟାକୁ ସେହି ପର୍ଯ୍ୟାୟରେ ଏକ ଅସାଧୁତା ବୋଲି କୁହାଯାଇପାରନ୍ତା ।

 

ଓଡ଼ିଶାରେ ପ୍ରାଥମିକ ଶିକ୍ଷାର ହାଲତଗୁଡ଼ିକ ଆଡ଼କୁ ଅନାଇଦେବା ମାତ୍ରକେ ଯେଉଁ ସମସ୍ୟାମାନ ଆଗ ଜଳଜଳ ଦିଶି ଯାଉଛି, ମନ୍ଦମତି କର୍ତ୍ତାମାନେ ସେଗୁଡ଼ିକ ଉପରେ ନଜର ହିଁ ପକାଉନାହାନ୍ତି । ଇସ୍କୁଲ ଅଛି, ମାଷ୍ଟର ନାହାନ୍ତି; ମାଷ୍ଟର ଥିଲେ ମଧ୍ୟ ଇସ୍କୁଲ ଖୋଲୁନାହିଁ । କେଉଁଠି ପାଞ୍ଚଟା ଶ୍ରେଣୀକୁ ତିନିଜଣ ମାଷ୍ଟର । ସେମାନଙ୍କୁ ଶିକ୍ଷା ଦିଗଦର୍ଶନ ଦେବାଲାଗି କୌଣସି ଭଦ୍ର ବ୍ୟବସ୍ଥା ନାହିଁ । ଶିକ୍ଷକମାନଙ୍କର ନିଯୁକ୍ତି ଓ ବଦଳିକୁ ନେଇ ଲାଞ୍ଚ କାରବାର ଲାଗିଛି । ଏହି କାରବାରରେ ସମସ୍ତେ ପରମ ସନ୍ତର୍ପଣରେ ଲିପ୍ତ ହୋଇ ରହିଛନ୍ତି । ପିଲାମାନଙ୍କ ପାଇଁ ବରାଦ ହେଉଥିବା ପଇସାକୁ ଆଉମାନେ ମାରି ନେଉଛନ୍ତି । ପ୍ରାଥମିକ ଶିକ୍ଷା ଅଣ୍ଟାଭଙ୍ଗା ଶଗଡ଼ଗାଡ଼ି ପରି ପଡ଼ିଥିବା ସମୟରେ ତଥାକଥିତ ଉଚ୍ଚଶିକ୍ଷା ବାବୁମାନଙ୍କର ବିଳାସରେ ପରିଣତ ହୋଇଛି । ପ୍ରାଥମିକ ଶିକ୍ଷାର ସ୍ତରରେ ସତର ପ୍ରକାରର ଅସଂହତିର ତୁଚ୍ଛା ପ୍ରଦର୍ଶନ ଚାଲିଛି । ସତେଅବା ସେଇ ପିଲାସମୟରୁ ହିଁ ସତର ପ୍ରକାରରର ଅସମାନତାକୁ ସ୍ଥାୟୀ କରି ରଖାଯାଇଛି । ସେଇଟା ହିଁ ବାବୁମାନଙ୍କୁ ଭଲ ସୁହାଉଛି । ସରକାରୀ ଶିକ୍ଷା କଚେରୀ ସେହି ବିଷୟରେ ଆଦୌ କୌଣସି ବିଚାର କରୁନାହିଁ । ଏବେ ତ କ’ଣ ସବୁ ବଜ୍ର ଉଦ୍ଦୀପନାରେ ସାମନ୍ତମାନେ ଇଂରାଜୀଭାଷାକୁ ଏକ ଭାରତୀୟ ଭାଷା ବୋଲି କହିଲେଣି । ଇଂରାଜୀ ସେମାନଙ୍କର ନିଜ ଭାଷା ବୋଲି କହିବା ଲାଗି ସେମାନଙ୍କର ଦିନଟିଏ କେବେ ସରି ଆସିବ କେଜାଣି ? ନିଜ ଘରର ମୂଳ ଭାଷାଟି ସେମାନଙ୍କୁ କାହିଁକି ଆସୁନାହିଁ, ଏହି ପ୍ରଶ୍ନଟିର ସେମାନେ ଥରେ ଉତ୍ତର ମଧ୍ୟ ଦେଉନାହାନ୍ତି । ହଁ, କୁଆଡ଼େ କେଉଁମାନେ ଗବେଷଣା ଦ୍ଵାରା ଆବିଷ୍କାର କରିଛନ୍ତି ଯେ, ଶୈଶବ କାଳରେ ହିଁ ପିଲାମାନେ ଅଧିକ ସହଜରେ ଏକାଧିକ ଭାଷା ଶିକ୍ଷା କରିପାରନ୍ତି । ତେଣୁ ଆମ ଗାଁ ପିଲାଟା ଯଦି ମୂଳରୁ ହିଁ ଇଂରାଜୀ ପଢ଼ିବ, ତେବେ ଅଧିକ ସହଜରେ ସିଏ ସେଇଟାକୁ ଗ୍ରହଣ କରିନେବ, ଏବଂ ଓଡ଼ିଆ ଭାଷାଟିକୁ ଭୁଲିଯିବ । ଯେଉଁ ପରିବେଶରେ ପିଲାମାନଙ୍କୁ ନେଇ ଉକ୍ତ ଗବେଷଣାଟି କରାଯାଇଛି, ତାହାର ବିଶେଷ ବିଶ୍ଳେଷଣ ହେବା ଉଚିତ । ଆମ ଗାଁ ମାନଙ୍କର ଇସ୍କୁଲରେ ପ୍ରଥମ ଭାଷାଟି ଯେଉଁଠାରେ ଯଥାର୍ଥ ଯତ୍ନ ସହକାରେ ପଢ଼ାଯାଉନାହିଁ, ସେଠାରେ ଅଧିକ ଅନ୍ୟ ଭାଷାଟିଏ ପିଲାମାନେ ପ୍ରକୃତରେ କେତେ ସହଜରେ ଆୟତ୍ତ କରିପାରିବେ, ଗବେଷଣା ସେ ବିଷୟରେ କ'ଣ କହିବ କେଜାଣି ? ଯେଉଁଠି କେତେକ ବିଶେଷ ଅଞ୍ଚଳରେ ଶହେରେ ସତୁରୀ ବାପା ମା' ନିଜର ପ୍ରଥମ ଭାଷାଟିକୁ ମଧ୍ୟ ପଢ଼ିପାରୁନାହାନ୍ତି, ସେଠାରେ ସେମାନଙ୍କର ପିଲାମାନେ ଇସ୍କୁଲରେ ଦୁଇଟା ଭାଷା ଶିକ୍ଷା କଲେ ତାହା ବାହାରୁ ମଜା ଦେଖୁଥିବା ସାମନ୍ତମାନଙ୍କ ପାଇଁ ବେଶ୍ ମନୋରମ ହେବ ସିନା, ମାତ୍ର ଭାଷା ଶିକ୍ଷାର କ୍ଷେତ୍ରଟିକୁ ପୂରା ଭଣ୍ଡୁର କରିଦେବ । ଉପରବାଲା ଆହୁରି ସ୍ୱେଚ୍ଛାଚାରୀ ହେବେ ।

 

ପ୍ରାଥମିକ ଶିକ୍ଷକମାନଙ୍କର ଯଦି ଗୋଟିଏ ସଙ୍ଗଠନ ଥାଆନ୍ତା, ଯିଏ ସତକୁସତ ଶିକ୍ଷା ବିଷୟରେ ଆଗକୁ ଚିନ୍ତା କରି ପାରୁଥାନ୍ତା, ତେବେ ତାହା ଯାବତୀୟ ଖଳ ଚିନ୍ତାର ପ୍ରତିବାଦ କରନ୍ତା, ମୁକାବିଲା ମଧ୍ୟ କରିପାରନ୍ତା । ସଙ୍ଗଠନଟି ଯଦି ସେଡ଼ିକି ଭାଜନ ହୋଇଥାନ୍ତା, ତେବେ ପ୍ରାଥମିକ ସ୍ତରରେ କୌଣସି ମହତ୍ୱପୂର୍ଣ୍ଣ ପରିବର୍ତ୍ତନ ଘଟାଇବାକୁ ମନସ୍ଥ କଲେ ସରକାର ସବାଆଗ ସଙ୍ଗଠନକୁ ହିଁ ପଚାରୁଥାଆନ୍ତେ । ଶିକ୍ଷକର ସହମତି ନଥାଇ ଶିକ୍ଷାରେ ଆଦୌ କିଛି ପଦକ୍ଷେପ ନିଆଯାଇ ପାରିବ ନାହିଁ, ସେହି କଥାଟିକୁ କର୍ତ୍ତାମାନେ ବୁଝୁଥାନ୍ତେ, ଯଦି ସେମାନେ ନିଜକୁ ରାଜା ବୋଲି ଭାବୁନଥାନ୍ତେ । ଏବଂ, ଆହୁରି ମେରୁଦଣ୍ଡବିଶିଷ୍ଟ କଥାଟିଏ ହେଉଛି ଯେ, ଯଦି ଏହି ସତ୍ୟଟି ବିଷୟରେ ଶିକ୍ଷକ ଏକ ଗୋଷ୍ଠୀ ହିସାବରେ ସଚେତନ ଅର୍ଥାତ୍ ସମ୍ମାନସମ୍ପନ୍ନ ହୋଇ ରହିଥାନ୍ତା, ତେବେ ସରକାର ତାହାକୁ ପଚାରିବା ଲାଗି ସ୍ୱତଃ ଆସନ୍ତେ । ବହୁ କାରଣରୁ ସେହି ଅବସ୍ଥାଟି ସୃଷ୍ଟି ହୋଇ ପାରିନାହିଁ । ଶିକ୍ଷକସଂଘ ଯଥେଷ୍ଟ ମର୍ଯ୍ୟାଦା ସହିତ ଏବଂ ଯଥେଷ୍ଟ ଗୁରୁତ୍ଵ ଦେଇ ସେହି ସମ୍ଭାବନାଟିର ବିଚାର କରିପାରିନାହିଁ । କାଳକ୍ରମେ ପ୍ରାୟ ଏକ ଶ୍ରମିକ-ସଙ୍ଗଠନରେ ପରିଣତ ହୋଇଯାଇଛି ଏବଂ ସାଧାରଣ ମୂଲ୍ୟ ତୁଳନାର କ୍ଷେତ୍ରରେ ଭାରି ସାନ ଦେଖାଯାଉଛି । ସରକାର ସେମାନଙ୍କୁ କାଙ୍ଗାଳ ବୋଲି ଧରିନେଇ ସେମାନଙ୍କ ସହିତ କମ୍ ଖେଳି ନାହିଁ । ବାହାରୁ ଶୁଭେଚ୍ଛୁମାନେ ଆସି ମିଛ ପ୍ରବୋଧନାମାନ ଦେଇ ସେମାନଙ୍କର ପଇତାଟାକୁ କେଡ଼େ ଖଞ୍ଜରେ କାଢ଼ି ବି ନେଇଛନ୍ତି । ଠକ ସରକାରଟାକୁ ଠକିବା ପାଇଁ ସେମାନେ ମଧ୍ୟ କ୍ରମେ ଠକ ରୀତି ଏବଂ ଠକ ବୃତ୍ତିର ବହୁ ଆଚରଣ କରିଛନ୍ତି, କରୁଛନ୍ତି । ଶିକ୍ଷକ ନିଜର ଧନ୍ଦାଟିକୁ ଅଧିକରୁ ଅଧିକ ନିରାପତ୍ତାଯୁକ୍ତ କରିବାକୁ ଯାଇ ନିଜର ଅସଲ ସନ୍ତକଗୁଡ଼ିକୁ ହରାଇ ଦେଇ ଆସିଛି । ଭିତରେ ଗୋଟାସୁଦ୍ଧା ବୁଢ଼ା ଏବଂ ବୀର୍ଯ୍ୟହୀନ ହୋଇବସିଛି । ସମ୍ଭବତଃ ସେହି ସ୍ମୃତିର ଫାଇଦା ଉଠାଇ ଶିକ୍ଷାର କ୍ଷେତ୍ରରେ ଦୁରାଚାରୀ ହେବାର ସାହସ ପାଇ ଯାଉଛନ୍ତି ।

 

ଶିକ୍ଷାରେ ଭାରତବର୍ଷକୁ ଏବେ ମଧ୍ୟ ବହୁତ ବାଟ ଯିବାକୁ ବାକି ରହିଛି । ଭାରତବର୍ଷରେ ଓଡ଼ିଶା ମଧ୍ୟ ବିଶେଷ ଭାବରେ ପଛରେ ପଡ଼ିଛି । ଶିକ୍ଷାରେ ପଛୁଆ, ତେଣୁ ଶୋଷଣ ବେଶୀ, ମଣିଷ ମଣିଷ ଭିତରେ ଦୂରତା ବେଶୀ, ଏବଂ ଉପରେ କ୍ଷମତାରେ ରହିଥିବା ଲୋକେ ଏଠାରେ ଖଳ ହେବା ପାଇଁ ନାହିଁ ନଥିବା ପ୍ରଶ୍ରୟ ପାଆନ୍ତି । ତୁଚ୍ଛା ମିଛ ଅଭିଯାନଗୁଡ଼ାକୁ ଚାଲାଖି କରି ସ୍ୱାଭିମାନ ବୋଲି କୁହାଯାଏ, ଧର୍ମଟା ଅଫିମର ସ୍ତରରେ ପଡ଼ି ରହିଥାଏ । ହୀନମନ୍ୟତା ପ୍ରବଳ ହୋଇ ରହିଥାଏ । ଟିକକ କଥାରେ ଓଡ଼ିଶାର ଅସଫଳତା ନିମନ୍ତେ ପଡ଼ିଶାମାନଙ୍କୁ ଦୋଷ ଦିଆଯାଏ । ଅତ୍ୟନ୍ତ ସହଜରେ ମଣିଷମାନଙ୍କୁ ଉସ୍‌କାଇ ଦିଆଯାଏ, ଛେଳିମେଣ୍ଢା ପରି ବ୍ୟବହାର ବି କରାଯାଏ । ଖଳମାନେ ହିଁ ବେଶୀ କଥା କହନ୍ତି, ମିଛ ସହାନୁଭୂତି ଦେଖାନ୍ତି । ଯେଉଁମାନେ ମଉକା ପାଆନ୍ତି ସେମାନେ ନିଜ ଭାଗ୍ୟର ଲାଙ୍ଗୁଳ ଧରି ଉପରକୁ ପଳାୟନ କରନ୍ତି । ଅସଲ ଶିକ୍ଷା ଏହି ଦୁର୍ଗତିଗୁଡ଼ିକର ସାମ୍ନା କରନ୍ତା, ଅସଲ ଶିକ୍ଷା ସତକୁସତ ସବୁ ମଣିଷଙ୍କୁ ସାଙ୍ଗରେ ନେଇ ସ୍ଵପ୍ନ ଦେଖନ୍ତା । ଅସଲ ଶିକ୍ଷା ପ୍ରତିବନ୍ଧକଗୁଡ଼ିକ ସହିତ ଯୁଝିବା ସକାଶେ ବଳ ଦିଅନ୍ତା । ଆମର ବିଦ୍ୟାଳୟମାନେ ଆମ ଲାଗି ଶକ୍ତିର ସ୍ଥଳ ହୋଇ ରହିଥାନ୍ତେ, ପ୍ରତିଶ୍ରୁତିମାନଙ୍କର ଗନ୍ତାଘର ହୋଇ ରହିଥାନ୍ତେ । ଥୋକାଏ ମଣିଷଙ୍କୁ ଅଧିକ ସୁଯୋଗ ଯୋଗାଇଦେବାର ଆଳରେ ଏଠାରେ କେହି ପାଷଣ୍ଡପଣ କରି ବାହାରିଲେ ତାହାର ପ୍ରତିବାଦ ହୁଅନ୍ତା । ଯେଉଁସବୁ ଦେଶରେ ସବୁ ମଣିଷଙ୍କ ସକାଶେ ଥାନ କରାଯାଇ ପାରିନାହିଁ, ଯାହାକୁ ତୃତୀୟ ବିଶ୍ୱ ବୋଲି କୁହାଯାଉଛି, ସେଠାରେ ଶିକ୍ଷାକୁ ଯଥାର୍ଥ ଭିତ୍ତିଭୂମିଟିଏ ସମ୍ଭବ କରିବା ଲାଗି ବହୁତ କିଛି ଭାଙ୍ଗିବାକୁ ପଡ଼ିବ । ପାଠ ପଢ଼ିଥିବା ପୁରୋଗାମୀମାନଙ୍କୁ ତଳକୁ ଆସିବା ଲାଗି ଉଦବୋଧନ ଦେବ । ବର୍ତ୍ତମାନର ଶିକ୍ଷାସରକାରଟା ସେତେବେଳେ ସେତେଯାଏ ପ୍ରସ୍ତୁତ ହୋଇ ପାରୁନାହିଁ କି ? ସେଇଥିଲାଗି ସମସ୍ୟାଗୁଡ଼ିକୁ ନେଇ ଅନ୍ୟମନସ୍କ ହୋଇ ରହୁଛି କି ?

 

୧୨/୯/୨୦୦୦

Image

 

ତ୍ୟାଗର ପୂଜା, ଭୋଗୀଙ୍କ ଦ୍ୱାରା

 

ଏବେ ଆଉ ତ୍ୟାଗର ପୂଜା ହେଉନାହିଁ ବୋଲି ବହୁତ କ୍ଷୋଭ ପ୍ରକାଶ କରି ଜଣେ ବୟୋଜ୍ୟେଷ୍ଠ ସ୍ଵାଧୀନତା ସଂଗ୍ରାମୀ କହିଛନ୍ତି । ଆଉଜଣେ ସଂଗ୍ରାମୀଙ୍କର ଶ୍ରାଦ୍ଧସଭା ଅବସରରେ ଭାଷଣ ଦେଇ ସିଏ ଏପରି ମତଟିଏ ବ୍ୟକ୍ତ କରିଛନ୍ତି । ତାଙ୍କର ମନ୍ତବ୍ୟ ଅନୁସାରେ ଭାରତବର୍ଷର ସ୍ଵାଧୀନତା ଆନ୍ଦୋଳନରେ କେତେ କେତେ ସଂଗ୍ରାମୀ କେତେ ନା କେତେ ତ୍ୟାଗ କରିଛନ୍ତି ଏବଂ, ବର୍ତ୍ତମାନ ସ୍ଵାଧୀନତାର ଫଳଚୟକୁ ଭୋଗ କରୁଥିବା ଆମ୍ଭମାନଙ୍କୁ ସେଥିପାଇଁ ତ୍ୟାଗର ଅର୍ଥାତ୍ ତ୍ୟାଗୀମାନଙ୍କର ପୂଜା କରିବାକୁ ପଡ଼ିବ । ନଚେତ୍ ଆମକୁ ନିତାନ୍ତ ନିମକହାରାମ ବୋଲି କହିବାକୁ ହେବ । ପରବର୍ତ୍ତୀ ପୁରୁଷର ଦାୟାଦମାନେ ସେମାନଙ୍କୁ ପୂଜା କରିବେ ବୋଲି ସେକାଳେ ସଂଗ୍ରାମୀମାନେ ଆଦୌ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇନଥିଲେ । ସଂଗ୍ରାମରେ ଯୋଗଦେବା ଦ୍ୱାରା ସେମାନେ କୌଣସି ତ୍ୟାଗ କରୁଛନ୍ତି ବୋଲି ଆଦୌ ସଚେତନ ନଥିଲେ । ହୁଏତ, ସତ ଓ ପ୍ରକୃତ କଥା ହେଉଛି ଯେ, ତ୍ୟାଗଗୁଡ଼ିକର ହିସାବ ଓ ଓଜନ କରୁଥିବା ପର୍ଯ୍ୟନ୍ତ ତୁମେ କଦାପି ଆଦୌ କୌଣସି ସଂଗ୍ରାମରେ ଯୋଗ ଦେଇପାରିବ ନାହିଁ । ଯେଉଁମାନଙ୍କର ଆଖି ଭିତରେ ସ୍ଵପ୍ନଟିଏ ଥାଏ, ସେହିମାନେ ହିଁ ସେହି ସ୍ୱପ୍ନଟିକୁ ସାକାର କରିବା ନିମନ୍ତେ ସଂଗ୍ରାମଟିଏ କରନ୍ତି,– ସତେଅବା ଭିତରେ ବସିଥିବା କୋଉ ବିବେକରୂପୀ ଭଗବାନଟାର ବୋଲ ମାନି ସେମାନେ ସଂଗ୍ରାମଟିକୁ ବରଣ କରିନିଅନ୍ତି । ସ୍ୱପ୍ନଟିଏ ସାକାର କରିବାକୁ ବାହାରିଲେ ନ୍ୟାୟତଃ କେତେ କ'ଣ ଛାଡ଼ିବାକୁ ପଡ଼େ । ମାତ୍ର ସେହିସବୁ ଛାଡ଼ିବା ବିଷୟରେ ସଂଗ୍ରାମୀର କୌଣସି ହୋସ୍ ନଥାଏ ।

 

ତେଣୁ ସଂଗ୍ରାମୀମାନଙ୍କ ନିମନ୍ତେ ଅନୁଷ୍ଠିତ ହେଉଥିବା ସ୍ମରଣସଭାରେ ଅସଲ ସଂଗ୍ରାମୀମାନେ ସ୍ୱପ୍ନଟି ବିଷୟରେ ହିଁ କଥା ପକାନ୍ତେ । ଯେଉଁମାନେ ଏବେ ବି ଅଛନ୍ତି, ଏକଦା ସେମାନଙ୍କୁ ଚହଲାଇ ପକାଇଥିବା ଏବଂ ଦେଶଟାକୁ ଦୋହଲାଇ ଦେଇଥିବା ସେହି ସ୍ଵପ୍ନଟିର ଦାଣ୍ଡିଧରି ଆହୁରି ଆଗକୁ ଅନାଇ ପାରିଲେ ହିଁ ଇତିମଧ୍ୟରେ ଏଠୁ ବିଦାୟ ନେଇ ଚାଲି ଯାଇଥିବା ସେହି ଜ୍ୟେଷ୍ଠ ସହୋଦରମାନଙ୍କ ଲାଗି ଆମେ ସର୍ବୋତ୍ତମ ସମ୍ମାନ ତଥା ଆନୁଗତ୍ୟ ପ୍ରକଟ କରିପାରନ୍ତେ । ଏହି ପୃଥିବୀରେ ଥିବାବେଳେ ଯେଉଁମାନେ ନିଜ ସେରମାଣଗୁଡ଼ିକୁ ପୂର୍ଣ୍ଣ କରି ରଖିବାର ଧନ୍ଦାକୁ ଜୀବନର ଅସଲ କାମ ବୋଲି ନଗଣି ବୃହତ୍ତର ଆଉ କିଛିର ପ୍ରେମରେ ପଡ଼ନ୍ତି, ଏକ ଅନ୍ୟ ଭବିଷ୍ୟ ଅର୍ଥାତ୍ ଅନ୍ୟ ବାସ୍ତବର ସ୍ଵପ୍ନ ଦେଖନ୍ତି, ସେମାନେ ପରବର୍ତ୍ତୀମାନଙ୍କ ଠାରୁ ମୋଟେ ପୂଜା ଇଚ୍ଛା କରନ୍ତି ନାହିଁ । ଏବଂ ଗଡ଼ିଆ ଭିତରେ ଅର୍ଥାତ୍ ନିଜର ତଥାକଥିତ ସଂସାରର କର୍ଦ୍ଦମଟା ଭିତରେ ଯେଉଁମାନେ ତଥାପି ସଭା ନାମକ ଏକ ଫୁରସତ ବାହାର କରି ପୂଜ୍ୟମାନଙ୍କର କୀର୍ତ୍ତନ କରନ୍ତି, ସେମାନେ ସଂଗ୍ରାମୀ ଓ ସ୍ୱପ୍ନ-ଦେଖାଳିମାନଙ୍କର ଅଭିଳାଷଟାକୁ ପ୍ରକୃତରେ ଭାରି କମ୍ ହିଁ ବୁଝିଥାଆନ୍ତି । ନିଜର ଗୋଦଡ଼ା ଆଖିଗୁଡ଼ାକରେ ସେମାନେ ହୁଏତ କେବଳ ସେତିକି ବ୍ୟତୀତ ଆଉ କିଛି ଦେଖିବେ ନାହିଁ ବୋଲି ପଣ କରିଥାନ୍ତି । ଭୋଗକରି ବୁଢ଼ା ହୁଅନ୍ତି, ସତେଅବା ସଂଗ୍ରାମଗୁଡ଼ିକୁ ଏଡ଼ି ରହିବା ନିମନ୍ତେ ସଂଗ୍ରାମୀମାନଙ୍କର ପୂଜାରେ ହିଁ ଭାରି ଖୁସି ପାଉଥାଆନ୍ତି ।

 

ଭାରତବର୍ଷ ରାଜନୀତିକ କ୍ଷମତା ହାସଲ କଲାପରେ ଏଠି ସଂଗ୍ରାମଗୁଡ଼ିକ ସରିନଥିଲା-। ସଂଗ୍ରାମର ଗୋଟିଏ ସୋପାନ ହିଁ ଅତିକ୍ରାନ୍ତ ହୋଇଥିଲା । ଆହୁରି କେତେ ନବଗଠନ ଏବଂ ନବନିର୍ମାଣ ବାକି ଥିଲା । ଅର୍ଥାତ୍ କେତେ କେତେ ଭଙ୍ଗାରୁଜା ବାକି ରହିଯାଇଥିଲା । ଦ୍ୱିତୀୟ ଚରଣର ସେହି ନେତୃତ୍ୱଟି ନିମନ୍ତେ କେତେ କେତେ ପ୍ରତ୍ୟାଶାରେ ଦେଶ ଅପେକ୍ଷା କରି ରହିଥିଲା-। ଥୋକେ ସଂଗ୍ରାମୀ କ୍ଷମତାରେ ପଶି ସରକାର ଗଢ଼ିଲେ । ସରକାର ମାଧ୍ୟମରେ ଦେଶ ଏଣିକି ବାକି ରହିଥିବା ସକଳ ପରିବର୍ତ୍ତନକୁ ସମ୍ଭବ ଏବଂ ସାଧ୍ୟ କରିଦେବ ବୋଲି ଡିଣ୍ଡିମ ବାଜିବାକୁ ଲାଗିଲା । ଏବଂ ଚଉକୀରେ ଡିଣ୍ଡିମ ବଜାଉଥିବା ସେହି ଡିଙ୍ଗରମାନଙ୍କୁ କିଏ ଆସି ବାଇଆ କରି ପକାଇଲା କେଜାଣି, ସେମାନେ ଆଉ ପରିବର୍ତ୍ତନର ନାଆଁ ଧରିଲେ ନାହିଁ-। ଆମ ଶାସନଘରଟାକୁ ଗୋଟାଏ ଗୋଟାଏ ରାଜନଅରର ଛାଞ୍ଚରେ ଗଢ଼ିଲେ । କମିଟି ବସିଲା, କମିଶନ ବସିଲା,– ମାତ୍ର ସବୁଯାକ ଚକ ସତେଅବା ଅଟକି ରହିଗଲେ । ଏବଂ ବାକି ଯେଉଁମାନେ କ୍ଷମତାର ବାହାରେ ଥିଲେ, ସେମାନଙ୍କୁ ବି କ୍ଷମତାରେ ରହିଥିବା ସଂଗ୍ରାମୀମାନେ କ୍ରମେ ପୋଷା ମନାଇ ଆଣିବାକୁ କେତେଭଳି ଉପାୟ ବାହାର କଲେ । ସଂଗ୍ରାମୀ ଭତ୍ତାର ଭିଆଣ ହେଲା । କେନ୍ଦ୍ର ଓ ରାଜ୍ୟ ଦୁଇସ୍ତରରୁ ଭତ୍ତା ପ୍ରଦାନ କରାଗଲା । ଅମଲାମାନଙ୍କର ଦରମା ବଢ଼ିବା ପରି ସେମାନଙ୍କର ଭତ୍ତାରେ ମଧ୍ୟ ପରିମାଣ ବୃଦ୍ଧି ହେଲା । ଏହି ଭତ୍ତା-ବିଷୟକ ସମସ୍ୟାଗୁଡ଼ିକର ସରକାରୀ ସମାଧାନ କରାଇନେବା ନିମନ୍ତେ ସଂଗ୍ରାମୀମାନଙ୍କର ସଙ୍ଗଠନ ଗଢ଼ାହେଲା-

 

ସେହି ସଂଗଠନଗୁଡ଼ିକୁ ମଧ୍ୟ ବହୁ କ୍ଷେତ୍ରରେ ଶାସନ ଭିତରେ ରହିଥିବା ବଡ଼ଭାଇମାନେ ନଚାଇବାକୁ ଆରମ୍ଭ କରିଦେଲେ । ଅନୁଗୃହୀତ କରି ବାହାରିଲେ । ସେହିସବୁ ପ୍ରକୋପରେ ଗୋଟିଏ ରାଜ୍ୟରେ ହୁଏତ ଦୁଇଦୁଇଟା ସଂଗ୍ରାମୀ-ସଙ୍ଗଠନ ରହିଲା, କିନ୍ତୁ ସେଥିରେ କାହାକୁ ଲଜ୍ଜା ବି ଲାଗିଲା ନାହିଁ । ପ୍ରଥମେ ସରକାର ଖାଲି ଜେଲଦଣ୍ଡ ଭୋଗ କରିଥିବା ସଂଗ୍ରାମୀମାନଙ୍କୁ ଭତ୍ତା ଦେଉଥଲେ । ନୂଆ ବୁଦ୍ଧି ଖରଚ ହୋଇ ଅଣବନ୍ଦୀ ସଂଗ୍ରାମୀମାନଙ୍କର ଅଲଗା ଚଉପାଢ଼ୀମାନ ଗଢ଼ାହୋଇ ଭତ୍ତା ପାଇଁ ଦାବି ହେଲା । ସଫଳତା ମଧ୍ୟ କିଛି ଅବଶ୍ୟ ମିଳିଲା । ତା'ପରେ କିଛି ସଂଗ୍ରାମୀ ବୁଢ଼ାହୋଇ ପୃଥିବୀରୁ ବିଦାହୋଇ ଚାଲିଯିବା ପରେ ସେମାନଙ୍କର ଉତ୍ତରାଧିକାରୀ ମଧ୍ୟ ଭତ୍ତା ପାଇବା ଉଚିତ୍ ବୋଲି ମଞ୍ଚାନୁଷ୍ଠାନଗୁଡ଼ିକରୁ ହୁରି ପଡ଼ିବା ଆରମ୍ଭ ହୋଇଗଲା । ଜାତୀୟ ଦିବସମାନଙ୍କରେ ସବୁଯାକ ପ୍ରକାରର ସଂଗ୍ରାମୀମାନଙ୍କୁ ପିଢ଼ାରେ ବସାଇ ନୂଆ ଯୋଡ଼ ପିନ୍ଧାଇ ସଙ୍ଖୁଳିବାକୁ ମଧ୍ୟ ସରକାର ବିଶେଷ କାର୍ଯ୍ୟକ୍ରମମାନ ଆରମ୍ଭ କରିଦେଲେ । ଭାରତବର୍ଷରେ ତୀର୍ଥାଟନ କରି ବୁଲିବା ସକାଶେ ସେମାନଙ୍କୁ ମାଗଣା କାଗଜ ମିଳିଲା । ଏତେ ଖିଦମତ କରାଯିବା ପରେ ସଂଗ୍ରାମୀମାନେ କ’ଣ ଏଡ଼େ ଅଧମ ହୋଇଛନ୍ତି ଯେ, ଆଗପରି ସ୍ଵପ୍ନ ଦେଖିବେ ଏବଂ ଶାନ୍ତି ଭଙ୍ଗ କରିବାକୁ ମନ କରିବେ ? ସମ୍ଭବତଃ ସେହି ଅବମୂଲ୍ୟାୟନର ପ୍ରକ୍ରିୟାରେ ଏହି ଦେଶର ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇ ଆମେ ଏତେ ଏତେ ତ୍ୟାଗ କରିଛୁ ବୋଲି ଭାବିବା ପାଇଁ ନୂଆ ଅବିବେକଟି ଜନ୍ମଲାଭ କଲା ଏବଂ ସେହି ତ୍ୟାଗକୁ ସ୍ୱୀକୃତି ମିଳୁ, ସେହି ତ୍ୟାଗର ପୂଜା ହେଉ,ସଂଗ୍ରାମୀମାନେ ସ୍ୱୟଂ ସଭାରେ ଛିଡ଼ା ହୋଇ ଏଭଳି ଦାବି କରିବା ଯେ ଆଦୌ ବେଶୀଗୁଡ଼ିଏ ବାଟ ନୁହେଁ, ସେହି ଅଲକ୍ଷଣା ସତକଥାଟି ଆମ ଦେଶବାସୀଙ୍କ ଗାଲରେ ଚାପୁଡ଼ା ମାରିଲା ପରି ନାନା ମାର୍ଗରେ ପ୍ରମାଣିତ ହେବାରେ ଲାଗିଛି ।

 

ସଂଗ୍ରାମୀପଲ ସେମାନଙ୍କର ଅସଲ ସ୍ଵପ୍ନଗୁଡ଼ିକୁ ଏପରି ଦୋକ୍ତା କରି ପାଟିରେ କାହିଁକି ପକାଇଦେଲେ କେଜାଣି ? ଦେଶର ଭାଗ୍ୟଟାକୁ କେଡ଼େ ଅଯୋଗ୍ୟଙ୍କ ପରି ଠକିଲେ । ଏଠି ପୂର୍ବର ସେହି ସ୍ୱପ୍ନଚିଠାଟା ଅନୁସାରେ ସମାଜବାଦର ପ୍ରତିଷ୍ଠା ହୋଇଥାନ୍ତା । ସେହି ଗୋଟିଏ କଥାକୁ ପ୍ରାୟ ଯାବତୀୟ ରାଜନୀତିକ ବ୍ୟାଖ୍ୟା ଅନୁସାରେ ଗଣତନ୍ତ୍ରର ପ୍ରତିଷ୍ଠା ହୋଇଥାନ୍ତା ବୋଲି ବି କୁହାଯାଇ ପାରିବ । ଭତ୍ତା ଖାଇ ଭାତୁଆ ଦିଶିବା ଦିନଠାରୁ ଆମ ସଂଗ୍ରାମୀମାନେ ଆଉ ମୋଟେ ସେହି କଥାଗୁଡ଼ିକୁ କହୁନାହାନ୍ତି । ଯେଉଁ ସଂଗ୍ରାମୀମାନେ ସ୍ୱାଧୀନ ଭାରତରେ କ୍ଷମତା ଭିତରେ ପଶିଲେ, ସେମାନେ ଗୋଟାଏ ଗୋଟାଏ ଗଡ଼ଜାତ ରାଜାଙ୍କର ପରାକ୍ରମରେ ଭୋଗର ତୁଠମାନଙ୍କରେ ଅଗ୍ରଗଣ୍ୟ ସାଧବମାନଙ୍କର ଭୂମିକାରେ ଅବତୀର୍ଣ୍ଣ ହେଲେ । ଗୋଟାଏ ରତ୍ନଗୁମ୍ଫା ଭିତରେ ପଶିଥିବା ପରି ସେମାନେ ନିଜ ନିଜର ଭାଗ୍ୟକୁ ନେଇ ଏପରି ହାଉଳି ଖାଇଗଲେ ଯେ, ଯାହା ହାତ ପାଖରେ ପାଇଲେ, ସବଆଗ ନିଜ.ପାଇଁ ବୋହିନେଲେ । ସ୍ଵାଧୀନତାଲାଭର ପଚାଶ ବର୍ଷ ପରେ ସେମାନେ ବନାଇବା ଘର, ଠୁଳ କରିଥିବା ସମ୍ପତ୍ତି ଏବଂ ଅର୍ଜିଥିବା ବିବିଧ ଅକୀର୍ତ୍ତିଗୁଡ଼ିକୁ ଅନିସା କରିବାମାତ୍ରେ ସେମାନଙ୍କର ପାରିବାପଣଗୁଡ଼ିକୁ ଦେଖି ତୁମର ନିଶ୍ୱାସ ପ୍ରକୃତରେ ବନ୍ଦ ହୋଇଗଲା ପରି ବୋଧ ହେବ । ଭାରତବର୍ଷଟାକୁ ସବାଆଗ ଓ ସବୁଠାରୁ ଅଧିକ ନିରର୍ଥକ ଓ ନିରଙ୍କୁଶ ଭାବରେ ସେହିମାନେ ଭୋଗିଲେ । ସେମାନଙ୍କ ପାଖରୁ ମୁହଁ ପାଇ ଅମଲାମାନେ, କେଚେରୀମାନେ, ଅଧ୍ୟାପକ ବୋଲି ଅଖ୍ୟାତ ଶିକ୍ଷାପେଣ୍ଠମାନଙ୍କର କୁମ୍ଭୀରମାନେ ଏବଂ ସେହି ମିଜାଜର ଗୋଧି, ସାପ ଓ ଓଧମାନେ ମଧ୍ୟ କ'ଣ ପାଇଁ ମାତିନଥାନ୍ତେ ? ଦେଶର ପାଞ୍ଚ ବା ଦଶ ପ୍ରତିଶତ ଏହି ଖାସ୍ ଧାତୁର ଅଳପବର୍ଗଟା ହିଁ ଦେଶରେ ସବୁଯାକ ଭୋଗ କରୁଛି ଓ ଭୋଗର ପୂଜାଟାକୁ ହିଁ ପରମ ପ୍ରୀତିରେ ପରିଣତ କରି ରଖିଛି । ସେମାନଙ୍କ ଅନ୍ତେ ସେମାନଙ୍କର ଔରସରୁ ବାହାରିଥିବା ଅପତ୍ୟମାନେ ମଧ୍ୟ ଯେପରି ଦେଶଟାକୁ ଠିକ୍ ସେମାନଙ୍କର କୁତ ନେଇଥିବା ଆମ୍ବତୋଟାଟାଏ ପରି ଭୋଗ କରିପାରିବେ, ସେଥିଲାଗି ସେମାନେ ବଞ୍ଚି ଥାଉଥାଉ ବରାଦ କରି ଯାଉଛନ୍ତି ।

 

ଏତେ ଏତେ ଦୌରାତ୍ମ୍ୟ ଘଟୁଛି, ତଥାପି ଗୋଟିଏ ହେଲେ ସଂଗ୍ରାମୀ ‘ରହ’ ବୋଲି କହିପାରୁନାହିଁ କାହିଁକି ? ସଂଗ୍ରାମୀମାନଙ୍କର ସଙ୍ଗଠନମାନେ ତଥାପି କିପରି ନୀରବ ରହିଯାଉଛନ୍ତି-? ସେମାନେ ମଧ୍ୟ ନିଜ ନିଜର ପ୍ରସ୍ଥ ଭିତରେ ଭାଗରେ ହିଁ ରହିଛନ୍ତି । କ୍ଷମତାସୀନମାନେ ପଚାଶ ପଇସା ଭୋଗ କରୁଥିଲେ ସେମାନେ, ପାହୁଲାଏ ଭୋଗ କରୁଛନ୍ତି । ଖୁଣ୍ଟରେ ବନ୍ଧା ହୋଇଛନ୍ତି । ଅନୁଗୃହୀତ ହୋଇ ବନ୍ଧ୍ୟା ହୋଇଗଲେଣି, ଭୀରୁ ହୋଇ ସାରିଲେଣି । ଏବଂ, ତ୍ୟାଗର ପୂଜା କାହିଁକି କେହି କରୁନାହାନ୍ତି ବୋଲି ରାମ୍ପୁଡ଼ି ବିଦାରି ହେଉଛନ୍ତି । ଏହି ଦେଶର ମଣିଷ ଏବଂ ଏହି ଦେଶର ଭବିଷ୍ୟକୁ ନେଇ ଆଉ ଯେଉଁମାନେ ସ୍ୱପ୍ନ ଦେଖୁଛନ୍ତି, ସେମାନେ ସେମାନଙ୍କୁ ଉତ୍ତମ ପ୍ରକାରେ ଯେ ଚିହ୍ନି ନେଇଥିବେ, ସେଥିରେ କୌଣସି ସନ୍ଦେହ ରହିବା ଉଚିତ ନୁହେଁ-। ଭାରତବର୍ଷରେ ଆହୁରି କେତେ କେତେ ସ୍ଵପ୍ନର ସାକାର ହେବା ଏବେ ମଧ୍ୟ ବାକି ରହିଛି । ତେଣୁ, ସଂଗ୍ରାମ ମଧ୍ୟ ବାକି ରହିଛି । ସେହି ସଂଗ୍ରାମଟିକୁ ମହାତ୍ମାଗାନ୍ଧୀ ଏକଦା କ୍ଷମତା-ହସ୍ତାନ୍ତରର ରାଜନୀତିକ ସଂଗ୍ରାମଟି ତୁଳନାରେ ଅଧିକ ଆୟାସସାଧ୍ୟ ବୋଲି କହିଥିଲେ । ଗାନ୍ଧୀ କହିଥିଲେ ଯେ ସ୍ଵାଧୀନ ଭାରତରେ ରାଜଧାନୀ ଦିଲ୍ଲୀରେ ବହୁତଳଯୁକ୍ତ ଅଟ୍ଟାଳିକା ସହିତ ଦରିଦ୍ରର କୁଡ଼ିଆଟାର ସହାବସ୍ଥାନକୁ ଦିନେ ମଧ୍ୟ ରହିବାକୁ ପ୍ରଶ୍ରୟ ଦିଆଯିବ ନାହିଁ । ସେହି ସଂଗ୍ରାମଟା ଆମ ବୁଢ଼ା ଓ ଭୀରୁ ଭତ୍ତାଭୋଗୀଙ୍କ ହେତୁ ଆରମ୍ଭ ହୋଇପାରିଲା ନାହିଁ । ପଚାଶ ବର୍ଷ ବିତିଗଲା, ତଥାପି ସେଇ ପୁରୁଣା ଓ ଗୋଦିଡ଼ା ଅନ୍ଦାଜଗୁଡ଼ାକୁ ନେଇ ପରାକ୍ରମ ଦେଖାଉଥିବା ବ୍ୟବସ୍ଥାଟିରୁ ଗୋଟିଏ ବୋଲି ଇଟା ଖସିଲା ନାହିଁ । ସଂଗ୍ରାମୀମାନେ ସାହସ କଲେ, ସଂକଳ୍ପ କରିପାରିଲେ ଯାଇ ସେହି ତାତ୍ପର୍ଯ୍ୟଟିକୁ ବୁଝିପାରନ୍ତେ । ଭୋଗର ପୂଜା ମଧ୍ୟରେ ରହି ତୁମେ ଯଦି ଭୋଗକୁ ‘ରହ’ ବୋଲି କହି ନପାରିଲ, ତେବେ ତୁମକୁ ମଧ୍ୟ ସେହି ପଟରେ ବୋଲି ହିଁ କୁହାଯିବ । ଅସଲ ସ୍ଵପ୍ନମାନେ ତେଣୁ ତୁମଲାଗି ମୋଟେ ଅପେକ୍ଷା କରିବେ ନାହିଁ । ତୁମକୁ ଅତିକ୍ରମ କରି ଆଗକୁ ଚାଲିଯିବେ । ଏବର ତରୁଣମାନେ ଯେ ବଙ୍କା ଅଥବା ସିଧା ଭାବରେ ସେହିଭଳି କିଛି କରିବାକୁ ପାଞ୍ଚ କରି ଆଗକୁ ଗୋଡ଼ କାଢ଼ିଲେଣି, ଦେଶରେ ବହୁଥିବା ପବନମାନଙ୍କରୁ ତାହାରି ଶକୁନଗୁଡ଼ିକୁ କ୍ରମଶଃ ଅନୁମାନ କରି ହେଲାଣି ।

 

ତେଣୁ ସବୁଯାକ ସ୍ଵପ୍ନକୁ ହରାଇ ବସିଥିବା ହେ ସଂଗ୍ରାମୀ ଗୁରୁଜନମାନେ, ଆପଣମାନେ ଏହି ନୂତନମାନଙ୍କୁ ଆଶୀର୍ବାଦ କରନ୍ତୁ, ସେମାନଙ୍କ ପାଇଁ ଆପଣମାନେ ଆୟୁଷ ମାଗନ୍ତୁ । ସେମାନେ ଯେପରି ଆପଣମାନଙ୍କ ଭଳି ଆଦୌ ନହେବେ, ସେଥିପାଇଁ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ । ଗତ ପଚାଶ ବର୍ଷରେ ଆପଣମାନେ ଯାହା କରିଥାନ୍ତେ ଅଥଚ କଲେନାହିଁ, ସେମାନେ ତାହାହିଁ କରିବେ ବୋଲି ନୂଆ ମନନେଇ ବାହାରୁଛନ୍ତି । ଅଧା ହୋଇ ପଡ଼ିଥିବା ଦେଉଳଟିର ମୁଣ୍ଡି ହୁଏତ ସେହିମାନେ ମାରିବେ । ଆପଣମାନେ ସେମାନଙ୍କୁ ନିଜର ବୋଲି ଜାଣନ୍ତୁ-

 

୧୮/୯/ ୨୦୦୦

Image

 

କିଏ ବଞ୍ଚାଇବ ଓଡ଼ିଶାକୁ ?

 

କରୁଣାମୟ ଭଗବାନଙ୍କର କୃପାରୁ ଓଡ଼ିଶାକୁ ବଞ୍ଚାଇବାର ବ୍ୟକ୍ତି ଓ ଅନୁଷ୍ଠାନମାନେ ଏହି ବଦାନ୍ୟ ପୁରୁଷମାନଙ୍କର ପୃଥିବୀରେ ଭର୍ତ୍ତି ହୋଇ ରହିଛନ୍ତି । ବେଳେବେଳେ ଏଭଳି ଅନୁମାନଟିଏ କରିବାକୁ ଭାରି ଇଚ୍ଛା ହୁଏ, ସେଇଥଲାଗି କ’ଣ ଭାଗ୍ୟବିଧାତା ନିରନ୍ତର ଏହି ଓଡ଼ିଶାକୁ ହିଁ ନାନା ଦୁର୍ବିପାକ ଏବଂ ବିପର୍ଯ୍ୟୟକୁ ପ୍ରେରଣ କରିବାରେ ଏତେ ଆଗ୍ରହ ଦେଖାଉଛନ୍ତି କି ? ବନ୍ୟା ପରେ ମରୁଡ଼ି, ଏପାଖରେ ମରୁଡ଼ି ତ ସେପାଖରେ ବନ୍ୟା, ବାତ୍ୟାର ସମାନ୍ତର ହୋଇ ବନ୍ୟା– ଏହିପରି ଦୁର୍ଗତି ଲାଗି ରହିଛି । ଓଡ଼ିଶାରେ ଦୁର୍ଗତି ପଡ଼ିଲେ ପୃଥିବୀ ଗୋଟାକରେ ଚହଳ ପଡ଼ିଯାଉଛି । ସମସ୍ତେ ସାହାଯ୍ୟ କରିବା ନିମନ୍ତେ ସାନବଡ଼ ବୁଜୁଳା ଧରି ଆମ ପାଖରେ ଆସି ପହଞ୍ଚି ଯାଉଛନ୍ତି । ଗତବର୍ଷ ଆମ ଉପକୂଳରେ ଯେଉଁ ମହାବାତ୍ୟା ହେଲା, ସେଇଥିରୁ ହିଁ ଆମେ ତାହାର ଏକ ଟାଣୁଆ ପ୍ରମାଣ ପାଇଗଲୁ । ପୃଥିବୀରେ ଏବେ ମଧ୍ୟ ଯେ ଧର୍ମ ରହିଛି ଓ ବଦାନ୍ୟ ମଣିଷମାନେ ଓଡ଼ିଶାକୁ ଯେ ବିଶେଷ ଭାବରେ ମନେ ରଖିଛନ୍ତି, ଆମ ଓଡ଼ିଶାବାସୀଙ୍କୁ ତାହା ଅବଶ୍ୟ ଅଭିଭୂତ କରି ଦେଉଥିବ । ଗତବର୍ଷ ବାତ୍ୟା ଏକ ମହାବାତ୍ୟାର ରାଜକୀୟତା ସହିତ ଓଡ଼ିଶା ଆଡ଼େ ଆସିଥିଲା ବୋଲି ସମ୍ଭବତଃ ବାତ୍ୟାର ବି ମନେ ନଥିବ, ମାତ୍ର ବଦାନ୍ୟ ମଣିଷମାନେ ଓଡ଼ିଶାକୁ ତଥାପି ଛାଡ଼ିନାହାନ୍ତି । କୋଉମାନେ ତ ଆଗାମୀ.ଦଶବର୍ଷ ପାଇଁ ସହାୟତା ଯୋଜନା କରି ଏଠି ମଞ୍ଜି ପୋତିବେ ବୋଲି ଓଡ଼ିଶାକୁ ଛାଡ଼ି ପାରୁନାହାନ୍ତି । ଦରିଦ୍ର-ନାରାୟଣଙ୍କର ସେବା ନିମନ୍ତେ ସେମାନଙ୍କୁ ଯେ ସମୁଦାୟ ପୃଥିବୀରେ ଏପରି ଅନୁକୂଳ ଓ ଅନୁଗତ ଭୂଇଁଟିଏ କଦାପି ମିଳନ୍ତା ନାହିଁ, ସେମାନେ ସେହି କଥାଟିକୁ ଅତ୍ୟନ୍ତ ମୁଲାୟମ ଭାବରେ ଅବଶ୍ୟ ହୃଦୟଙ୍ଗମ କରିସାରିଥିବେ । ବିଶେଷ ଭାବରେ ଅତିଥିପରାୟଣ ବୋଲି ଆମ ଓଡ଼ିଆଙ୍କର ମଧ୍ୟ କାଳକାଳରୁ ଏକ ବଦନାମ ରହି ଆସିବ ।

 

ଜଗନ୍ନାଥ ହିଁ ଏହି ଓଡ଼ିଶାକୁ ଯାବତୀୟ ସ୍ଥିତି ଓ ଦୁଃସ୍ଥିତିରେ ବଞ୍ଚାଇ ଆସିଛନ୍ତି ବୋଲି ଆମ ବକ୍ତାମାନେ ଆମକୁ କେଡ଼େ ବହଳିଆ କରି କହି ଆସିଛନ୍ତି । ଓଡ଼ିଶାବାସୀ ଜଗନ୍ନାଥଙ୍କ ନିମନ୍ତେ ଯେତେ କରିନାହାନ୍ତି, ଆମ କଥାନି ଓ କାହାଣୀଗୁଡ଼ାକ ଅନୁସାରେ ସ୍ଵୟଂ ଜଗନ୍ନାଥ ଓଡ଼ିଶାବାସୀଙ୍କ ପାଇଁ ହୁଏତ ତିନିସେତିକ ଅବଶ୍ୟ କରିଛନ୍ତି । ଓଡ଼ିଶାବାସୀ ଜଗନ୍ନାଥଙ୍କୁ ଯେତିକି ବୁଝିଛନ୍ତି, ଜଗନ୍ନାଥ ଓଡ଼ିଶାବାସୀଙ୍କୁ ହୁଏତ ତିନିସେତିକି ଅବଶ୍ୟ ବୁଝିଥିବେ । ଆମ ଏକାଳର ରାଜ୍ୟସେବକମାନେ ମଧ୍ୟ ସେହି ଗୁମରଟିକୁ ବୁଝିଛନ୍ତି ବୋଲି ଓଡ଼ିଶାର ଏହି ମୁଲକଟାରେ ଯେପରି ନିତାନ୍ତ ନିୟମିତ ଭାବରେ ଦୁର୍ଗତି ପରେ ଦୁର୍ଗତି ଲାଗି ରହିଥିବ ଓ ଓଡ଼ିଶାକୁ ସର୍ବଦା ମାର୍କଦଶା ପଡ଼ିଥିବ, ସେଥିଲାଗି ନିଷ୍ଠାପର ଉଦ୍ୟମମାନ କରୁଛନ୍ତି । ତେଣୁ ମନୁଷ୍ୟକୃତ ବହୁ ଅଭିସନ୍ଧି ଦ୍ଵାରା ପ୍ରକୃତିଗତ ଦୁର୍ବିପାକମାନଙ୍କୁ ମଧ୍ୟ ଡାକିଆଣାଯାଉଛି । ଓଡ଼ିଶାର ଶାସନ, ଓଡ଼ିଶାର ନେତୃତ୍ୱ, ଓଡ଼ିଶାର ଶିକ୍ଷାଶାଳଗୁଡ଼ାକ ଏବଂ ଓଡ଼ିଶାର ଚତୁରଶେଣମାନେ,– ସମସ୍ତେ ସବୁକିଛିକୁ ଏଠାରେ ଜଗନ୍ନାଥଙ୍କ ଉପରେ ଛାଡ଼ି ଦେଇଛନ୍ତି । ଏତେ ଜ୍ଞାନବିଜ୍ଞାନ ଖତ ହୋଇଯାଉଛି, ଏତେ ଏତେ ବୁଦ୍ଧି ନ୍ୟାୟତଃ ଦୁର୍ବୁଦ୍ଧିରେ ପରିଣତ ହୋଇଯାଉଛି । ସମ୍ମୁଖକୁ ଅନାଇ, ବର୍ତ୍ତମାନର କଳନା କରି ଏକ ସମୂହ ରୂପେ ଆଗାମୀ ନିମନ୍ତେ ବଳିଷ୍ଠ ହେବା ପରିବର୍ତ୍ତେ ଆମ ମହାସୁଆରମାନେ ଆମକୁ ପଛକୁ ଅନାଇ ଛାତିଗୁଡ଼ାକୁ ଫୁଲାଇ ରଖିବା ନିମନ୍ତେ ଉଦ୍‌ବୋଧନ ଦେବାରେ ବି ଲାଗିଛନ୍ତି । ଭାଙ୍ଗବଟା ଚାଲିଛି । ଭାଙ୍ଗଗୁଡ଼ାକୁ ବିଶେଷ ଭାବରେ ବିମୋହକ ଏବଂ ଗୁଣସମ୍ପନ୍ନ କରି ରଖିବା ନିମନ୍ତେ ରଜାମାନଙ୍କର ଅନୁମତିରେ ବିଶେଷ ବିଶ୍ଵବିଦ୍ୟାଳୟ ବସୁଛି । ତଥାପି ଯେ ଓଡ଼ିଶା ବଞ୍ଚିଛି, ସେହି ମହାଭାଗ୍ୟ ସକାଶେ ଜଗନ୍ନାଥଙ୍କୁ ହିଁ ଆଗ ଧନ୍ୟବାଦ ଦେବାକୁ ପଡ଼ିବ । ଓଡ଼ିଶା ବଞ୍ଚିଛି ଓ ବଲବଲ କରି ଅନାଇ ରହିଛି । ତାକୁ କେମିତି ବଞ୍ଚାଇ ରଖିବା ନିମନ୍ତେ ଘୋର ଚିନ୍ତା କରୁଥିବା ଶ୍ରୀମାନମାନଙ୍କୁ ସିଏ ପ୍ରକୃତରେ ବଲବଲ କରି ଅନାଇ ରହିଛନ୍ତି ।

 

ଏହି ଓଡ଼ିଶା କିପରି ବଞ୍ଚିରହିବ, ତାହାକୁ କେଉଁମାନେ ପ୍ରକୃତରେ ବଞ୍ଚାଇ ରଖିପାରିବେ,– ସେହି ଚିନ୍ତା ଦରିଆପାରିରେ ଯାଇ ବି ପହଞ୍ଚିଗଲାଣି । ଦରିଆପାରିରେ ମଧ୍ୟ ଓଡ଼ିଆମାନେ ଅଛନ୍ତି । ଆଗେ ଓଡ଼ିଆ ସାଧବମାନେ ଦରିଆପାରି ଯାଉଥିଲେ; ମାତ୍ର ଯାଉଥିଲେ ଓ ଫେରିଆସୁଥିଲେ । ସେମାନେ ଏହି ଓଡ଼ିଶାରେ ହିଁ କୁଟୁମ୍ବ ରଖିକରି ଯାଉଥିଲେ । ତେଣୁ ଅସଲ ମାୟାଟା ଏଇଟି ଲାଗିଥିଲା । ଏବେ ଯେଉଁମାନେ ଓଡ଼ିଶାରୁ ଦରିଆପାରି ଯାଇଛନ୍ତି, ସେମାନେ ଏଠୁ ନାଚାର ହୋଇ ନାରାଜ ହୋଇ ସେଠାକୁ ଯାଇଛନ୍ତି । ସେଠାରେ ଅନୁକୂଳ ଉଦ୍ୟମ ଦ୍ୱାରା ନିଜ ଭାଗ୍ୟଲକ୍ଷ୍ମୀଙ୍କୁ ଅର୍ଜନ କରି ସେହି ଅମରାବତୀରେ ନାଗରିକ ହୋଇ ବି ରହିଲେଣି । ବିଗତ ମହାବାତ୍ୟା ପରେ ସେମାନେ ମଧ୍ୟ ବିଶେଷ ବ୍ୟାକୁଳତା ସହିତ ଓଡ଼ିଶାକୁ ବଞ୍ଚାଇବା ବିଷୟରେ ଚିନ୍ତା କଲେଣି । ଆମେରିକାରେ ଥିବା ଓଡ଼ିଆମାନଙ୍କର ବାର୍ଷିକ ସମ୍ମିଳନୀ ଉପଲକ୍ଷେ ବାହାରୁଥିବା ସ୍ମରଣିକାରେ ଏବର୍ଷ who will save Orissa ବୋଲି ଇଂରାଜୀରେ ଯେଉଁ ଲେଖାଟି ପ୍ରକାଶ ପାଇଛି, ସେଥିରୁ ସେହି ବ୍ୟାକୁଳତାର ଏକ ପୂର୍ଣ୍ଣାଙ୍ଗ ପରିଚୟ ଅବଶ୍ୟ ମିଳିଯିବ । ମହାବାତ୍ୟା ପରେ ଓଡ଼ିଶାରେ ଉଚ୍ଚ କର୍ମସ୍ଥାନ ଅର୍ଥାତ୍ ଭାଗ୍ୟ-ସ୍ଥାନମାନଙ୍କରେ ରହିଥିବା ଉତ୍ତମମାନେ କଦାପି ଏହି ଭୂମିଟାକୁ ନେଇ ଯେତେ ବ୍ୟାକୁଳତା ଦେଖାଇ ପାରନ୍ତି ନାହିଁ, ଆମେରିକାରେ ତେଣିକି ମୁହଁ କରି ରହି ଯାଇଥିବା ଜଣେ ଓଡ଼ିଆ ନିଜର ମଥା ଓ ମେଧାକୁ ଲଗାଇ ତା'ଠାରୁ ଯେ ଅଧିକ ଚିନ୍ତା କରିଛନ୍ତି ଓ ଓଡ଼ିଶାକୁ କିପରି ବଞ୍ଚାଇ ରଖିହେବ’ ସେହି ବିଷୟରେ ଉପାୟଟି ବତାଇଛନ୍ତି, ସେଥିରେ ବସ୍ତୁତଃ ଆମ ସମସ୍ତଙ୍କୁ କେତେ ନା କେତେ ଖୁସୀ ନିଶ୍ଚୟ ଲାଗିବ ।

 

ଆଗେ ଯେଉଁ ଚକ୍ଷୁସଂପନ୍ନ ଶିକ୍ଷିତମାନେ ଭାରତବର୍ଷରୁ ବିଲାତ ବା ଆମେରିକା ଚାଲିଯାଉଥିଲେ, ସେମାନଙ୍କର ସେହି ଚାଲିଯିବାର ପରିଣାମଟିକୁ Brain Drain ବୋଲି କୁହାଯାଉଥିଲା । ଲେଖକ କହୁଛନ୍ତି, ଏଣିକି ତାହା ସକଳ ବିବେକ ସହିତ Brain Trust ବୋଲି କୁହାଯିବା ସମୀଚୀନ ହେବ । ଅର୍ଥାତ୍ ଏଣିକି ଓଡ଼ିଶା ସମେତ ଭାରତବର୍ଷକୁ ବଞ୍ଚାଇବାର ଅସଲ ବୁଦ୍ଧି ତେଣୁ ଅର୍ଥାତ୍ ବିଦେଶରୁ ଆସିବ । ଏହି କ୍ଷେତ୍ରରେ ସିଏ ମହାତ୍ମାଗାନ୍ଧୀ ଓ ସାମ୍ ପିଟ୍ରୋଡ଼ାଙ୍କର ଦୃଷ୍ଟାନ୍ତ ଆଣି ଥୋଇଛନ୍ତି । ଗାନ୍ଧୀ ସତ୍ୟ ଏବଂ ସ୍ଵାଧୀନତା ଆନ୍ଦୋଳନର ପ୍ରୟୋଗକୁ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଆରମ୍ଭ କରିଥିଲେ ଏବଂ ସେଠାରୁ ତାହା ଭାରତବର୍ଷକୁ ରପ୍ତାନୀ ହୋଇଆସିଲା । ଭାରତୀୟ ଦୂରସଞ୍ଚାରରେ ତୁମୁଳ ପ୍ରସାରଣ ଘଟାଇଥିବା ଶ୍ରୀ ପ୍ରିଟୋଡ଼ା ମଧ୍ୟ ଭାରତରୁ ଯାଇ ଦରିଆପାରିରେ ହିଁ ନିଜକୁ ଏପରି ଶ୍ରୀମନ୍ତ ଏବଂ ସମର୍ଥ କରାଇ ପାରିଛନ୍ତି । ତେଣୁ, ଯେତେବେଳେ ବିଶ୍ଵମୁକ୍ତି-ବିଧାୟକ ଇଣ୍ଟରନେଟ୍‍ର ଯୁଗଟା କ୍ରମେ ବିଶ୍ୱ ତମାମ୍ ଏତେ ଏତେ କଥା ସାଧ୍ୟ କରିପାରିଲାଣି, ଆମେରିକାରୁ ଓଡ଼ିଶାକୁ ବଞ୍ଚାଇବାର ପ୍ରତିକାର-କୌଶଳସବୁ କିପରି ଏଯାଏ ଆସିପାରିବ, ଲେଖିକ ଅତ୍ୟନ୍ତ ସୁଚିନ୍ତିତ ଭାବରେ ତାହାରି ଗୋଟିଏ ଚିଠାରେ ସୂଚନା ପ୍ରଦାନ କରିଛନ୍ତି । ଆମ ଗାଉଁଲି ଭାଷାରେ କହିଲେ, ଏହାଦ୍ୱାରା ଆମେରିକାରୁ ଯାଆଁଳହାଣ୍ଡିଗୁଡ଼ିକ ବୁଦ୍ଧିମତ୍ତା ସହିତ ଓଡ଼ିଶାକୁ ଆସିବ ଏବଂ ଆମେ ତାହାରି ସୁଯୋଗ ନେଇ ବାରମାସଯାକ ପନହାମାଛ ଖାଇପାରିବା । ଆଉ କୌଣସି ଦୁର୍ଗତି ରହିବ ନାହିଁ । ପ୍ରାୟ ଗଣିତ ପରି ହିସାବ କରି ଲେଖକ ତାହାର ଆଲୋଚନା କରିଛନ୍ତି । ଏବଂ ଓଡ଼ିଶା ରାଜ୍ୟର ସମୃଦ୍ଧି ପାଇଁ ସେପାଖ ପୃଥିବୀରେ ରହିଥିବା ଓଡ଼ିଆମାନଙ୍କୁ ଉଦ୍‌ବୋଧନ ଦେଇଛନ୍ତି । ସେ ବଡ଼ ନିଷ୍ଠାର ସହିତ କହିଛନ୍ତି : 'ଆମର ଜନହିତୈଷୀ ଆଦର୍ଶଗୁଡ଼ିକ ହିଁ ଓଡ଼ିଶାକୁ ରକ୍ଷା କରିବ । ଆମେ ଯେଉଁଭଳି ଭାବିବା ଏବଂ ଯେଉଁଭଳି କାର୍ଯ୍ୟ କରିବା, ଓଡ଼ିଶାର ଭବିଷ୍ୟତ ତାହାରି ଉପରେ ନିର୍ଭର କରୁଛି । ଭାରତବର୍ଷର ଆଉ କେତେ ରାଜ୍ୟରୁ ଆମେରିକାରେ ଯାଇ ରହୁଥିବା ବ୍ୟକ୍ତିମାନେ ନିଜ ନିଜ ରାଜ୍ୟର ସମୃଦ୍ଧିରେ କିପରି କେତେ କ'ଣ ସାଧ୍ୟ କରି ପାରିଲେଣି, ଲେଖକ ତାହାର ସୂଚନା ଦେଇଛନ୍ତି ଏବଂ ସେଠାରେ ରହୁଥିବା ଓଡ଼ିଆମାନଙ୍କୁ ସେହି ପଦାଙ୍କର ଅନୁସରଣ କରିବାଲାଗି ଉତ୍ସାହିତ କରିଛନ୍ତି । ପଢ଼ିଲା ବେଳକୁ ବେତାଳର କାହାଣୀ ବାଗିର୍ ମନେ ବି ହେଉଛି । ସେଠାରୁ ଆମ ଓଡ଼ିଆ ବେତାଳମାନେ ଆମ ପାଇଁ ସବୁ ବୋହି ଆଣିବେ ଏବଂ ଏପରି ବୋହି ଆଣିବେ ଯେ ଆମର ଦୁଃଖ ବୋଲି ଏଠାରେ କିଛିହେଲେ ରହିବ ନାହିଁ ।

 

ତେଣୁ, ଏହି ଉଦ୍ୟମଟିର ପ୍ରଥମ ପଦକ୍ଷେପ ସ୍ୱରୂପ ଅଧିକରୁ ଅଧିକ ଓଡ଼ିଆ ଛାତ୍ରଛାତ୍ରୀ ଓ ତରୁଣ ଯେପରି ଆମେରିକା ଯାଇପାରିବେ, ସେଠାରେ ଥିବା ଓଡ଼ିଆମାନେ ସେଥିଲାଗି ଶକ୍ତିଶାଳୀ ବରାଦମାନ କରନ୍ତୁ । ପ୍ରଥମେ ଯେକୌଣସି ପ୍ରକାରେ ଅସ୍ଥାୟୀ ଅନୁମତିପତ୍ରଟିଏ ନେଇ ଆମେରିକା ପହଞ୍ଚି ଯାଆନ୍ତୁ । ତା'ପରେ ସେମାନେ ସେଠାରେ ଯେଉଁମାନଙ୍କ ପାଖରେ କାମ କରିବେ, ନିଜର ନିଷ୍ଠାଦ୍ୱାରା ସେମାନଙ୍କ ପାଖରେ ଏପରି ଉତ୍ତମ ପରିଚୟଟିଏ ଦେବେ, ଯେପରି ମାଲିକ ସଂସ୍ଥାଟି ବା ବ୍ୟକ୍ତିଟି ସେମାନଙ୍କର ସେହି ଦେଶରେ ସ୍ଥାୟୀ ରହଣି ନିମନ୍ତେ ଆବଶ୍ୟକ ଇନ୍ତଜାମ୍‍ମାନ ଅବଶ୍ୟ କରିଦେବ । ଆମେରିକାରେ ସ୍ଥାୟୀ ବାସ କରୁଥିବା ଓଡ଼ିଆମାନଙ୍କୁ ଲେଖକ ଅତ୍ୟନ୍ତ ସଚେତନ ଭାବରେ ଏହି ପ୍ରୟାସଟିକୁ କରିବା ନିମନ୍ତେ ନିବେଦନ କରିଛନ୍ତି । ଅର୍ଥାତ୍ ଓଡ଼ିଶାରୁ ଆମେରିକା ଯାଉଥିବା ନୂଆ ଆଶାୟୀମାନଙ୍କୁ ସେମାନେ ସକ୍ରିୟ ଭାବରେ ସବୁମନ୍ତେ ଚେଷ୍ଟା କରି ସେଠାରେ କର୍ମସଂସ୍ଥାନ ପାଇବାରେ ସହାୟତା କରିବେ । ଏପରିକି ଓଡ଼ିଶାରୁ ଇଞ୍ଜିନିୟରିଂ ପାସ୍ କରୁଥିବା ତରୁଣମାନେ ଅଧିକ ସାମର୍ଥ୍ୟସମ୍ପନ୍ନ ବୋଲି ସେମାନେ ଆମେରିକାରେ ଏକ ଅନୁକୂଳ ହାଉଆ ମଧ୍ୟ ସୃଷ୍ଟି କରିବେ । ଏହି ଦିଗରେ ଲେଖକ ଦେଇଥିବା ଦ୍ୱିତୀୟ ପ୍ରସ୍ତାବଟି ହେଉଛି ଯେ ଆମେରିକାରେ ଇଞ୍ଜିନିୟରିଂ ପଢ଼ିବା ସକାଶେ ବି ଓଡ଼ିଶାରୁ ଆହୁରି ଅଧିକସଂଖ୍ୟକ ଛାତ୍ର ଯାଆନ୍ତୁ । ତାଙ୍କରି ଭାଷାରେ କହିଲେ, ଏଠି ଆମେରିକାର ଅତିସମୃଦ୍ଧ ଅର୍ଥନୀତି ସମ୍ଭବ ହୋଇ ସାରିଥିବା ହେତୁ ସେଠାରେ ବହିରାଗତମାନଙ୍କର ଅଧ୍ୟୟନ ତଥା ଯୋଗ୍ୟତା ଅର୍ଜନ ନିମନ୍ତେ ଅପର୍ଯ୍ୟାପ୍ତ ଅର୍ଥରାଶି ଅବଶ୍ୟ ଉପଲବ୍‍ଧ ହେବ । ତେଣୁ ଆମେରିକାବାସୀ ଓଡ଼ିଆମାନଙ୍କୁ ଅନୁରୋଧ କରି ଲେଖକ କହିଛନ୍ତି ଯେ ସେମାନେ ଯେତେବେଳେ ସାମୟିକ ଛୁଟିରେ ଓଡ଼ିଶା ଆସୁଛନ୍ତି, ସେତେବେଳେ କିଛି ସମୟ ଦେଇ ଏଠା କଲେଜ ଓ ସମବାଚୀ ଅନୁଷ୍ଠାନମାନଙ୍କୁ ଯାଆନ୍ତୁ ଓ ଆମେରିକା ଗଲେ କେତେ ଅଧିକ ଉଜ୍ଜ୍ୱଳ ଜୀବନସଂସ୍ଥାନ ଅର୍ଥାତ୍ ଉପାର୍ଜନର ସୁଯୋଗ ଯେ ସେମାନଙ୍କୁ ଅପେକ୍ଷା କରି ରହିଛି, ଏଠା ଛାତ୍ରମାନଙ୍କୁ ସେହି ବାର୍ତ୍ତାଟିକୁ ଦିଅନ୍ତୁ । ଏକ ଅତ୍ୟନ୍ତ ଅନୁକୂଳ ପରିବେଶ ସୃଷ୍ଟି ହେଉ, ଯାହାଦ୍ୱାରା କି ଅଧିକରୁ ଅଧିକ ଓଡ଼ିଆ ଏଠି ଭାଗ୍ୟଟିଏ ଗଢ଼ିବାର ସନ୍ତାପରେ ବାର ହନ୍ତସନ୍ତ ନହୋଇ ବେଳସୁଁ ହଁ ଆମେରିକା ଯିବାକୁ ମନ କରନ୍ତୁ, ଓର ଉଣ୍ଡନ୍ତୁ ଓ ସଫଳ ହୁଅନ୍ତୁ । ନିଷ୍କର୍ଷ ହେଉଛି, କ୍ରମେ ଆମେରିକାରେ ଉଚ୍ଚ ରୋଜଗାରୀ ଓଡ଼ିଆଙ୍କର ସଂଖ୍ୟା ବହୁତ ବଢ଼ିଯିବ ଓ ସେମାନେ ସେଠାରୁ ଥାଇ ଓଡ଼ିଶା ବିଷୟରେ ଚିନ୍ତା କରିବେ । ସେମାନଙ୍କର ସହାୟତାରେ ଓଡ଼ିଶାରେ ଉନ୍ନୟନର ବହୁ ପ୍ରକଳ୍ପ ଆରମ୍ଭ ହୋଇଯିବ । ପଡ଼ିଆ ଗାଈମାନେ ଗରମ ହେବେ । ଓଡ଼ିଶା ବଞ୍ଚିଯିବ ।

 

ଲେଖାଟିକୁ ପଢ଼ିବା ସମୟରେ ଓଡ଼ିଶାର ଅତି କାଉଁଦା ମଣିଷମାନଙ୍କୁ ମଧ୍ୟ ଅନ୍ତତଃ ଦଣ୍ଡକ ପାଇଁ ଭାରି ଉତ୍ସାହିତ ଲାଗିବ । ଆମେରିକା ହାଟରୁ ଭାରି ଅବଲୀଳା କ୍ରମେ ଲକ୍ଷ୍ମୀମାନଙ୍କୁ ଝିଙ୍କି ଆଣି ଏଠି ଦାଣ୍ଡରେ ବାନ୍ଧିହେବ ବୋଲି ବିଶ୍ୱାସଟିଏ ଆସିବ ଓ କିଞ୍ଚିତ୍ ଉଲ୍ଲସିତ ବି ଅବଶ୍ୟ ଲାଗିବ । ତଥାପି ନିଜ ଭିତରୁ ଗୋଟାଏ ଅମଙ୍ଗଳିଆ ଆଉ କିଏ ଥାଇ କହିବ ଯେ, ଏହାଦ୍ୱାରା ଓଡ଼ିଶାରେ ଆମେ ପୁନର୍ବାର ଆଉ ଏକ ଅଭିନବ ଫିସାଦରେ କ୍ରମେ ଏକ ଉପନିବେଶରେ ପରିଣତ ହୋଇଯିବା ନାହିଁ ତ ? ଏହିଭଳି ଏକ ମସୁଧା ଦ୍ଵାରା ତେଣୁ, ରାଜାଙ୍କର ହାତୀମାନେ ଆସି ଆମକୁ ଜଙ୍ଗଲ ଭିତରୁ, ଆମ ଘରଟି ଭିତରୁ, ଆମ ମୂଳଦୁଆଟି ଉପରୁ ଗୋଡ଼ ଖସାଇ ଓ ବିବେକ ହରାଇ ନେଇ କୌଣସି ଏକ ଅଚିହ୍ନା ନଅର ଭିତରେ ଅସହାୟ ପ୍ରଜା କରି ରଖିବାକୁ ଚିନ୍ତା କରୁନାହାନ୍ତି ତ ? ସେହି ସଂଶୟଟିରୁ ହୁଏତ ଭିତରୁ ଏକ ବଳ ମଧ୍ୟ ଆସିବ । ନା– ଆମେ ଏଇଠି ନିଜ ବୁଦ୍ଧିରେ ହିଁ ଓଡ଼ିଶାରେ ଆବଶ୍ୟକ ଭିତ୍ତିଭୂମିଟିକୁ ଗଢ଼ିବା । ଆମ ହୃଦୟର ସହଯୋଗ ପାଇଲେ ଆମର ବୁଦ୍ଧି ଦିନେ ନା ଦିନେ ଏଇଠି ବହୁ ଅସମ୍ଭବକୁ ଅବଶ୍ୟ ସମ୍ଭବ କରିନେବ ।

 

୨୫/୯/ ୨୦୦୦

Image

 

ଓଡ଼ିଆକୁ ଛାଡ଼ି ସଂସ୍କୃତ

 

ସଂସ୍କୃତ ଭାଷାକୁ ଛାଡ଼ି ଓଡ଼ିଆ ଭାଷାର କୌଣସି କଳ୍ପନା ହିଁ କରିହେବ ନାହିଁ । ଯେଉଁମାନେ ଓଡ଼ିଆ ଭାଷା କହୁଛନ୍ତି, ସେମାନେ ଯେ ସଂସ୍କୃତ ଭାଷା ମଧ୍ୟ ଜାଣିଛନ୍ତି ସେକଥା ମୋଟେ ନୁହେଁ । ତଥାପି ସଂସ୍କୃତ ଭାଷାରେ ଗୋଛା ଗୋଛା ଶବ୍ଦକୁ ସେମାନେ ଅବଲୀଳାକ୍ରମେ ନିଜ ଦୈନନ୍ଦିନ କାରବାର ତଥା କଥୋପକଥନରେ ବ୍ୟବହାର କରୁଛନ୍ତି । ଓଡ଼ିଶାରେ ଆମେ ଯେଉଁମାନଙ୍କୁ ନିରକ୍ଷର ବୋଲି କହିବା, ଅର୍ଥାତ୍ ଯେଉଁମାନେ ନିଜ କହୁଥିବା ଭାଷାଟିକୁ ଲେଖି କିମ୍ବା ପଢ଼ିପାରନ୍ତି ନାହିଁ, ସେମାନେ କ'ଣ କମ୍ ସଂସ୍କୃତ ଶବ୍ଦ ବ୍ୟବହାର କରୁଛନ୍ତି ? ଓଡ଼ିଆ ଭାଷା ସଂସ୍କୃତ ଭାଷା ପାଖରେ ଅଶେଷ ପ୍ରକାରେ ଋଣୀ– ଏତିକି କଥାକୁ ସକଳ ସନ୍ତର୍ପଣ ସହିତ ସ୍ୱୀକାର କଲେ ମଧ୍ୟ ତଥାପି ଏହି କ୍ଷେତ୍ରରେ ମୋଟେ ପୂରା ଋଣ ପରିଶୋଧ ହୋଇପାରିବ ନାହିଁ । ଭାରତବର୍ଷର ପ୍ରତ୍ୟେକ ପ୍ରାନ୍ତୀୟ ଭାଷା ଏତିକି ସ୍ୱୀକାର କରି କଦାପି ସଂସ୍କୃତ ଭାଷା ପ୍ରତି ସେମାନଙ୍କର ଋଣକୁ ଶୁଝି ପାରିବେ ନାହିଁ । ସଂସ୍କୃତ ଭାଷା ଜନନୀ ସଦୃଶ, ଉତ୍ସ ସଦୃଶ ଓ ଉତପ୍ରେରକ ସଦୃଶ ରହି ନଥିଲେ ତଥାକଥିତ ଭାରତୀୟ ଭାଷାଗୁଡ଼ିକ କାହୁଁ ସମ୍ଭବ ହୋଇପାରିଥାଆନ୍ତା ? ସଂସ୍କୃତ ଭାଷାର ମୂଳ ବ୍ୟାକରଣଟିର ସୂତ୍ରକୁ ନଧରି ଭାରତୀୟ କେଉଁ ପ୍ରାନ୍ତଭାଷାର ବ୍ୟାକରଣ ବି ସମ୍ଭବ ହୋଇଥାନ୍ତା ? ଆମ ଭିତରୁ ଓଡ଼ିଆରେ ଚିନ୍ତା କରୁଥିବା, କଥା କହୁଥିବା ଅଥବା ଲେଖୁଥିବା ଯେକୌଣସି ବ୍ୟକ୍ତି ଯଦି ଯୁଗପତ୍ ଭାବରେ ସଂସ୍କୃତ ଭାଷାକୁ ମଧ୍ୟ ଜାଣିଥିବ, ତେବେ ସିଏ ତା'ର ସେହି ନିତ୍ୟ ବ୍ୟବହାରର ନିକଟତର ଭାଷାଟିର ମଧ୍ୟ ଅଧିକ ମଞ୍ଜୁଳ ଏବଂ ସମର୍ଥ ଭାବରେ ଯେ ଚିନ୍ତା କରିପାରିବ, କଥା କହିପାରିବ ଏବଂ ସାହିତ୍ୟ ରଚନା କରିପାରିବ, ସେହି କଥାଟିର ମଧ୍ୟ କାହାରି କେବେହେଲେ ଦ୍ୱିମତ ରହିବ ନାହିଁ ।

 

କିନ୍ତୁ ଅପରପକ୍ଷରେ ସଂସ୍କୃତ ଭାଷାଟା କାହିଁକି ଓଡ଼ିଆ ଭାଷାକୁ ଛାଡ଼ି ଓଡ଼ିଶାରେ ନିଜର ରାଜ୍ୟପ୍ରତିଷ୍ଠାର କଳ୍ପନା କରିବା ଲାଗି ମନ ବଳାଉଛି ? ଗୋଟାଏ ଯୁଗ ଥିଲା, ଯେତେବେଳେ ସଂସ୍କୃତ ଭାଷା ହିଁ ସ୍ଵୀକୃତ ତଥା ସମ୍ଭ୍ରାନ୍ତ ସକଳ ଅବସରରରେ ଏକମାତ୍ର ଭାଷା ହୋଇ ରହିଥିଲା । ସଂସ୍କୃତର ଥାଳିରୁ ଭୋଜନ କରିବା ବିଷୟରେ ବହୁ ଶାସ୍ତ୍ରୀୟ ବାରଣ ରହିଥିଲା । ସେହି ହିଡ଼ଦିଆ ଆୟତନରୁ ଚରୁମନ୍ତ୍ର ନେଇ ହୁଏତ କ୍ରମେ ଲୋକାୟତନ ମାନଙ୍କରେ ଲୋକଭାଷାଟିଏ ଗଢ଼ିହୋଇ, ବଳି ହୋଇ ଏବଂ ସଜାଡ଼ି ହୋଇ ଆସିଥିଲା । ସଂସ୍କୃତର ବିଦ୍ୱାନମାନେ କ'ଣ ପାଇଁ ସେଥିରେ ଖୁସି ନହୋଇ ତାହାକୁ ସତେଅବା ଅବରମାନଙ୍କର ଏକ ଉପଦ୍ରବ ପରି ମନେକଲେ ଓ ସେଥିରୁ ରକ୍ଷା ପାଇବା ନିମନ୍ତେ ଆପଣାର ସଂସ୍କୃତିଚାରଣାକୁ ଆହୁରି ଅଧିକ ସୀମିତ ଓ ସଙ୍କୋଚଯୁକ୍ତ କରି ରଖିବାର ଉଦ୍ୟମ କଲେ କେଜାଣି ? ସେମାନେ କ'ଣ ସ୍ଵଗୃହଠାରୁ ସଭାଗୁଡ଼ାକୁ ଅଧିକ ପ୍ରଭବସମ୍ପନ୍ନ ବୋଲି ମନେ କରୁଥିଲେ କି ? କାରଣ, ଯିଏ ସଂସ୍କୃତ ଭାଷାରେ ଯେତେବଡ଼ ହୋଇଥାଉ ପଛକେ, ଘରକୁ ଆସିବା ମାତ୍ରକେ ତାକୁ ଅବଶ୍ୟ ଏକ ଚଳନ୍ତି ଭାଷାରେ ହିଁ କାରବାର ହେବାକୁ ପଡ଼ିଥିବ । କାବ୍ୟ ଆଲୋଚନାର ପଙ୍ଗତମାନଙ୍କରେ ଏବଂ ଦେବତାରାଧନାରେ ସଂସ୍କୃତ ଭାଷା ଆପଣାକୁ ସୀମିତ ରଖି କ୍ରମେ ଆମର ସାର୍ବଜନୀନ ଜୀବନଟାକୁ ମଧ୍ୟ କିପରି ନାନା ଦୂରତା ଦ୍ଵାରା ଦୁଷିତ କରି ପକାଇଥିବ, ଭାରତୀୟ ସମାଜରେ ବହୁ ବାରଣ ଏବଂ ବାଛବିଚାରକୁ ଶାସ୍ତ୍ରୀୟ ବେଢ଼ଣମାନ ଦେଇ ଏହି ଭୂମିରେ ଜାତିଭେଦଟାକୁ ମଧ୍ୟ ଅଧିକ ନିର୍ମମ କରି ଆଣିଥିବ, ସେହି ବିଷୟରେ ଆହୁରି ଅଧିକ ପ୍ରଶସ୍ତ ଭାବରେ ନୂତନ ଆଲୋଚନାମାନ ଏବେ ମଧ୍ୟ ହୋଇପାରନ୍ତା । ସେହି ଆଦିକାଳରୁ ହିଁ ଏହି ଦୁର୍ବାସନାଟିର ପ୍ରତିବାଦ ହୋଇ ଆସିଛି । ଗୌତମ ବୁଦ୍ଧ ପ୍ରତିବାଦ କରିଛନ୍ତି, ଭାରତସାରା ସନ୍ଥମାନେ ପ୍ରତିବାଦ କରିଛନ୍ତି । ସେମାନେ ଲୋକଭାଷାଗୁଡ଼ିକର ପୋଖତ ହୋଇ ଆସିବାରେ ସମ୍ଭବତଃ ବଳିଷ୍ଠତମ ପ୍ରୟାସଗୁଡ଼ିକୁ କରି ଆସିଛନ୍ତି । ଜନଜୀବନ ସଭାଚାରକୁ ଚୁନୌତି ଦେଇଛି । ତାହା ସମାଜରେ ବହୁତ ମନୁଷ୍ୟ ଓ ସମୂହଙ୍କର ଆଖି ଖୋଲିଯିବାରେ ପ୍ରଭୂତ ସହାୟତା କରିଛି । ବହୁ ବଞ୍ଚିତ ତଥା ପ୍ରତ୍ୟାଖ୍ୟାତଙ୍କୁ ତାହା ସ୍ୱଶକ୍ତିର ପ୍ରତ୍ୟୟ ଦେଇଛି, ବହୁ ଭୟଭଙ୍ଗର କାରଣ ହୋଇପାରିଛି ।

 

ଏବେ ଗୋଟିଏ ଗୋଟିଏ ସଭାରେ ଶ୍ରୋତାମାନେ ସମସ୍ତେ ଓଡ଼ିଆ । ବକ୍ତାମାନେ ମଧ୍ୟ ଓଡ଼ିଆ, ପୂର୍ଣ୍ଣ ସମୀଚୀନତା ରକ୍ଷାକରି ବକ୍ତବ୍ୟ ସବୁ ଓଡ଼ିଆରେ ଦିଆଯାଉଛି । ମାତ୍ର ହଠାତ୍ ଜଣେ ଜଣେ ବକ୍ତା ବାହାରି ପଡ଼ୁଛନ୍ତି ଯେଉଁମାନେ କି ସଂସ୍କୃତ ଭାଷାରେ କହୁଛନ୍ତି । ବିଚରା ଶ୍ରୋତାମାନେ ସମସ୍ତେ ଆଦୌ ସଂସ୍କୃତ ବୁଝିପାରୁ ନଥିବେ । ମୋର କହିବା କଥାକୁ ଯେଉଁ ଭାଷାରେ କହିଲେ ସମସ୍ତେ ବୁଝିବେ ଓ ସହଜରେ ବୁଝିବେ, ହିତାହିତ ଅକଲ ଥିଲା ଯେକୌଣସି ବ୍ୟକ୍ତି ହିସାବରେ ସେହି ଭାଷାରେ ହିଁ ଯାହା କିଛି କହିବାକୁ ଶାଳୀନ ବୋଲି ଗ୍ରହଣ କରିବ । ତେଣୁ ଶ୍ରୋତାଏ ବୁଝନ୍ତୁ ବା ନବୁଝନ୍ତୁ, ମୁଁ ଆଉ ଗୋଟାଏ ଭାଷାରେ କହିବି ଓ ବହୁଙ୍କ ମଧ୍ୟରେ ନିଆରା ଓ ମୋ ନିଜବାଗିଆ ବୋଲି ଚିହ୍ନିଦେବି । ଏକାନ୍ତ ଏକାଚାରୀ ନହୋଇଥିଲେ କେହି କଦାପି ତେଣିକି ମନ କରିବନାହିଁ । ଶ୍ରୋତାମାନଙ୍କ ସହିତ ସୂତ୍ର ଯୋଡ଼ିବା ଯଦି ଯାବତୀୟ ଭାଷଣର ମୂଳ ଅଭିଳାଷ ହୋଇଥାଏ, ତେବେ ଜଣେ ସାଧାରଣ ସୁସ୍ଥ ହୃଦୟ ବ୍ୟକ୍ତି କେବେହେଲେ ଅଲଗା ଗୋଠରେ ଥିବାପରି ଏକ ଧାରଣା ଦେବାକୁ ଇଚ୍ଛା କରନ୍ତୁନାହିଁ । ମାତ୍ର ଯଦି, ଲୋକେ ବୁଝନ୍ତୁ ବା ନବୁଝନ୍ତୁ, କିନ୍ତୁ ମୋତେ ଅନନ୍ୟ ବୋଲି ଜାଣନ୍ତୁ, ଏହିଭଳି ମତଲବଟିଏ ବକ୍ତାର ମଥା ଭିତରେ ସର୍ବାଗ୍ର ହୋଇ ରହିଥାଏ, ତେବେ ମୁଁ ସମ୍ଭବତଃ ଅସଂସ୍କୃତିଆ କେବଳ ଓଡ଼ିଆଙ୍କ ମେଳରେ ସ୍ୱତନ୍ତ୍ର ଭାବରେ ସଂସ୍କୃତିଆ ବୋଲି ନିଜର ଏକ ପରିଚୟ ଦେବାଲାଗି ଅତ୍ୟନ୍ତ ବ୍ୟାଧିତ ପ୍ରକାରେ ଏକ ଉତ୍ସାହ ପ୍ରଦର୍ଶନ କରିବି-। ତଦ୍ୱରା ମୁଁ ଏକସିଙ୍ଗିଆ ବୋଲି ତ ପ୍ରମାଣିତ ହୋଇଯିବ ଏବଂ ଏଭଳି ଗୋଟିଏ ଆଚରଣ ଦ୍ୱାରା ସଂସ୍କୃତ ଭାଷାର କି ଉପକାର ହେବ କି ନହେବ, ହୁଏତ ଦେବୀ ବୀଣାପାଣି ତାହାର ଫଇସଲା ଦେଇପାରିବେ । ସତକୁସତ ବିଶେଷ ଗୁଣସାମର୍ଥ୍ୟ ରହିଥିବା ବ୍ୟକ୍ତିମାନେ ସେହି ଗୁଣ ବା ସାମର୍ଥ୍ୟକୁ ଦେଖାଇ ହୁଅନ୍ତି ନାହିଁ । ସେମାନେ ଯାବତୀୟ ମେଳ ତଥା ଅବସରରେ ନିଜକୁ ଅଧଚାଖଣ୍ଡେ ଅଲଗା ବୋଲି ଜଣାଇ ଦେବାକୁ ଆଦୌ ଆଗ୍ରହ କରନ୍ତି ନାହିଁ । ସମସ୍ତଙ୍କ ସହିତ ସମସ୍ତଙ୍କ ମେଳରେ ରହିଥିଲେ ହିଁ ନିଜର ଅସଲ ବାସନାଗୁଡ଼ିକର ଯଥାର୍ଥ ପରିଚୟ ଦେବା ଅଧିକ ସମ୍ଭବ ହୁଏ ।

 

ପ୍ରାଚୀଟ ଅମଳରେ ସଂସ୍କୃତ ସମ୍ଭ୍ରାନ୍ତମାନଙ୍କର ଭାଷା ଥିଲା । ଯାବତୀୟ ଜ୍ଞାନକୁ ‘ଅତୀବ ଗୋପନୀୟ କରି ରଖିବାକୁ ହିଁ ପଣ୍ଡିତମାନେ ପରାମର୍ଶ ଦେଉଥିଲେ । ଚରାଚର ମାନସକୁ ଦୀପ୍ତ କରିବା ପରିବର୍ତ୍ତେ କୌଣସି ଜ୍ଞାନ ବା ବିଦ୍ୟା ଯେତେବେଳେ ଆପଣାକୁ କୃପଣ କରି ରଖିବା ଲାଗି ଚକ୍ରାନ୍ତ କରିବାରେ ମନ ଦିଏ, ସେତେବେଳେ ତାହାର ନିଜର ହିଁ ସର୍ବାଧିକ କ୍ଷତି ହୁଏ । ଭାରତୀୟ ଜୀବନ ଯେ ସେହି ଚକ୍ରାନ୍ତ ଦ୍ଵାରା ଅତ୍ୟନ୍ତ କ୍ଷତିଗ୍ରସ୍ତ ହୋଇଛି, ମଣିଷକୁ କେନ୍ଦ୍ରରେ ରଖି ଭାରତୀୟ ସଂସ୍କୃତିର ଯେକୌଣସି ଆଲୋଚନା କରିବା ସମୟରେ ତାହା ଜଳଜଳ ହୋଇ ପ୍ରତ୍ୟକ୍ଷ ହୋଇଯାଉଛି । ଦୀର୍ଘ ବହୁ ଶତାବ୍ଦୀ ଧରି ଏଠାରେ ଯାବତୀୟ ଆଲୋକନର ଚକ୍ରଟା ସତେଅବା ଅତ୍ୟନ୍ତ ଚିନ୍ତାଜନକ ଭାବରେ ଅଟକି ରହିଯାଇଛି ଏବଂ ତାହାର ସୁଯୋଗ ନେଇ ଅତି ଅଳପ ମଣିଷ ଭାରତବର୍ଷରେ ଅଧିକତର ପକ୍ଷଟାକୁ ନାନାଭାବେ ବଞ୍ଚିତ ଓ ପ୍ରତାରିତ କରି ରଖିଛନ୍ତି । ଅଧୋଗମନର ଏହି ପ୍ରକ୍ରିୟାରେ ସଂସ୍କୃତ ଭାଷାକୁ ମଧ୍ୟ ଯୋଡ଼ି ଦିଆଯାଇଛି । ବର୍ତ୍ତମାନ ତ ଆଶଙ୍କା ହେଉଛି, ଇଉରୋପ ମହାଦେଶରୁ ଜିଜ୍ଞାସୁମାନେ ଆସି ଆମ ଶାସ୍ତ୍ରପେଡ଼ିଗୁଡ଼ିକର କୁହୁଣ୍ଡା ଭାଙ୍ଗି ଶାସ୍ତ୍ରଗୁଡ଼ିକୁ ଲୋକଲୋଚନକୁ ଆଣି ନଥିଲେ ସମ୍ଭବତଃ ସଂସ୍କୃତ ଭାଷାରେ ସଂରକ୍ଷିତ, ହୋଇ: ରହି ଆସିଥିବା ବିଦ୍ୟାପରମ୍ପରାଟି ସମ୍ଭବତଃ ଭାରତୀୟ ବହୁଜନ-ପକ୍ଷଟିର ପହୁଞ୍ଚ ଭିତରକୁ ଆସି ପାରିନଥାନ୍ତା । ମଧ୍ୟଯୁଗର ସନ୍ଥମାନେ ଏହି ଭାଷାଟିକୁ କୂପର ଆବଦ୍ଧ ଜଳ ବୋଲି କହିଥିଲେ-। ପଣ୍ଡିତମାନଙ୍କର ତୁଣ୍ଡରେ ତାହା ଦେବଭାଷା ହୋଇ ରହିବାର ଅହଙ୍କାରରେ ସଢ଼ି ସଢ଼ି ନିଜ ପାଇଁ ଅଲଗା କୂଅଟିଏ ତିଆରି କରି ତାହାରି ଭିତରେ ଶୁଦ୍ଧ ଓ ଅସ୍ପୃଶ୍ୟ ହୋଇ ରହିଗଲା । ଏବେ ଭାରତବର୍ଷରେ ଲୋକଭାଷାମାନେ ସ୍ୱୀକୃତ ଏବଂ ଗୃହୀତ ହେବାର ସମ୍ମାନ ହାସଲ କରିବା ପରେ ସଂସ୍କୃତ ଭାଷା ନିଜକୁ ତଥାପି ସେହି ଆଗପରି ଉଚ୍ଚ ଓ ଅସ୍ପୃଶ୍ୟ କରି ରଖିବାକୁ ଇଚ୍ଛା କରୁଛି କି ? ତାହା ଅନ୍ୟ ଭାଷାଗୁଡ଼ିକ ସହିତ ସହାବସ୍ଥାନର ମର୍ଯ୍ୟାଦା ଲାଭକରି ରହିବାକୁ ଚାହୁନାହିଁ କି ? ଅଥବା ନିଜକୁ ଅନ୍ୟ ଭାଷାମାନଙ୍କର ମେଳରେ ଏକାଠି ବସାଇବାରେ ପ୍ରମାଦ ଗଣୁଛି କି ? ସେହି ଅନ୍ୟ ଭାଷାଗୁଡ଼ିକୁ ଘୃଣା କରୁଛି କି ?

 

ସସ୍କୃତ ଭାଷାର ପକ୍ଷ-ପ୍ରଚାରକମାନେ ପ୍ରାୟ ବ୍ୟାଧିଗ୍ରସ୍ତ ଭାବରେ ଆତ୍ମସଚେତନ ହୋଇ ଅର୍ଥାତ୍ ନିଜକୁ ଅନ୍ୟ ଭାଷାମାନଙ୍କ ଠାରୁ ଅଧଆଙ୍ଗୁଳେ ଅଧିକ ବୋଲି ଦର୍ଶାଇ ହେବାକୁ କେତେ ହାସ୍ୟାସ୍ପଦ ଅନ୍ୟ ବ୍ୟାପାରର ବି ଅବତାରଣା କରି ପକାଉଛନ୍ତି । ଭାରତବର୍ଷର ସାମ୍ପ୍ରତିକ ଅଧୋଗମନ କାଳରେ ସଂସ୍କୃତ ଭାଷା ହିଁ ଆମକୁ ମାର୍ଗ ଦେଖାଇବା ବୋଲି କୁହାଯାଉଛି । ସେଥିଲାଗି ବହୁବିଧ ଆନୁଷ୍ଠାନିକତାର ଯୋଗାଡ଼ କରାଯାଉଛି । ଅନୁଷ୍ଠାନମାନଙ୍କର ମାଧ୍ୟମରେ ହୁଏତ ସତ୍ୱର ସଫଳତାର ପ୍ରତିଭାସଟିଏ ସମ୍ଭବ କରାଯାଇ ପାରିବ ବୋଲି ଭ୍ରମକରି ନିତାନ୍ତ ଅବଶ୍ୟ ଜନ୍ତୁରାଣମାନଙ୍କୁ ଆଣି ବ୍ୟାଘ୍ରାସନରେ ବସାଇ ଦିଆଯାଉଛି ଓ ସେହି ମଉକାରେ ସେମାନଙ୍କ ମୁହଁରୁ ସଂସ୍କୃତର ପ୍ରଶଂସାବାଚକ କେତେକେତେ ଉଡ଼ାକଥାମାନ ଆଦାୟ କରି ନିଆଯାଉଛି । ଭାରତରେ ଯେଉଁ ଅଧେ ଲୋକ ବର୍ତ୍ତମାନ ନିରକ୍ଷର ହୋଇ ରହିଛନ୍ତି, ସେମାନଙ୍କୁ ସାମୂହିକ ଜୀବନର କ୍ଷେତ୍ରଗୁଡ଼ିକରେ ଅଧିକ କ୍ରିୟାଶୀଳ କରିବାକୁ ହେଲେ ଆମେ ସେମାନଙ୍କୁ ସେମାନେ ଘରେ ବ୍ୟବହାର କରୁଥିବା ଭାଷାଟିକୁ ଶିଖାଇବା ନା ଗୀର୍ବାଣ ଭାଷାଟିକୁ ଗିଳାଇ ଶିଷ୍ଟ କରିଦେବାର ପ୍ରୟାସ କରିବା ? ସଂସ୍କୃତ ଭାଷା ନିମନ୍ତେ ଏକ ଲୋକଭୂମିକାର ଅନ୍ୱେଷଣ କରି ବାହାରିଥିବା ବନ୍ଧୁମାନେ ନିଜ ଭିତରେ ମଧ୍ୟ ସେହି ଚର୍ଚ୍ଚାଟିକୁ ପକାନ୍ତୁ । ଓଡ଼ିଶାରେ ସବୁ ପିଲା ଆମ ବିଦ୍ୟାଳୟରେ ବସିବାର ଅଧିକାର ଲାଭ କରନ୍ତୁ, ଓଡ଼ିଆ ପିଲା ଆଗ ଓଡ଼ିଆ ଭାଷାକୁ କାମ୍ୟତମ ଭାଷାରୂପେ ଶିକ୍ଷା କରନ୍ତୁ, ଓଡ଼ିଆ ମାଧ୍ୟମରେ ହିଁ ଭାଷାଶ୍ରଦ୍ଧାର ପ୍ରଥମ ସୋପାନଗୁଡ଼ିକୁ ଉଠନ୍ତୁ; ହୁଏତ ତଦ୍ଦ୍ୱାରା ଓଡ଼ିଶାରେ ଅଧିକସଂଖ୍ୟକଙ୍କ ମନରେ ସଂସ୍କୃତ ଭାଷା ଶିକ୍ଷା ନିମନ୍ତେ ସ୍ୱାଭାବିକ ଶ୍ରଦ୍ଧାଟିଏ ଦାନା ବାନ୍ଧି ଆସିବ । ଓଡ଼ିଆରେ ଆଗ ମାଟି ପାଗ ନହେଲେ ସାର୍ବଜନୀନ ଅନୁକୂଳ କ୍ଷେତ୍ରଟିଏ ସମ୍ଭବ ନହେଲେ ସଂସ୍କୃତ ମଧ୍ୟ କଦାପି ଉଧେଇ ପାରିବନାହିଁ ।

 

ଇଂରେଜମାନଙ୍କ ଅମଳରୁ ଏଠାରେ ଏକ ମିଛ ପ୍ରତ୍ୟୟ ରହି ଆସିଛି ଯେ ଇଂରାଜୀ ଭାଷାର ଏପରି ଏକ ବିଶେଷ ଉଚ୍ଚ ମର୍ଯ୍ୟାଦା ଓ ଉଚ୍ଚ ସମ୍ଭାବନା ରହିଛି, ଯାହାକି ଭାରତୀୟ ଭାଷାଗୁଡ଼ିକରେ ନାହିଁ । ଆମ ଭାରତୀୟ ଭାଷାଗୁଡ଼ିକୁ ଯେଉଁସବୁ ରାଜ୍ୟରେ ଯଥେଷ୍ଟ ପ୍ରଶସ୍ତ ଭାବରେ ବାଟ ଛାଡ଼ି ଦିଆଯାଇନାହିଁ, ସେଠାରେ ସେହି ଧାରଣାଟି ଉପରେ ଥିବା ମୁଷ୍ଟିମେୟଙ୍କୁ ପ୍ରାୟ ପୂର୍ଣ୍ଣ ପରାକ୍ରମରେ ମାଡ଼ିବସିଛି । ଏହି ଉତ୍ତମମାନେ ନିମ୍ନରେ ଥିବା ଅନ୍ୟମାନଙ୍କୁ ସମ୍ଭବ ହେଲେ ତଥାପି ଦୀର୍ଘଦିନ ଲାଗି ବଞ୍ଚିତ କରିରଖିବା ସକାଶେ ଇଂରାଜୀ ଭାଷାକୁ ହିଁ ଆମ ଘରେ ଅସଲ ଘରଣୀର ସ୍ଵୀକୃତି ଦେବାକୁ ଯାବତୀୟ ଧୃଷ୍ଟତା ପ୍ରୟୋଗ କରି ଲାଗି ପଡ଼ିଛନ୍ତି । ସତେଅବା ଆଉ ଗୋଟିଏ ପ୍ରକାରର ଉପନିବେଶ-ବ୍ୟବସ୍ଥାକୁ ଜାହିର କରି ରଖିବାକୁ ସେମାନେ ଖଳନାୟକର ଭୂମିକାମାନ ଗ୍ରହଣ କରିଛନ୍ତି । ଭାରତୀୟ ଭାଷାଗୁଡ଼ିକୁ ଏମାନେ ପୋଇଲୀ ଭାଷାର ସ୍ଥାନରେ ନେଇ ରଖିବାର ପାଞ୍ଚ କରୁଛନ୍ତି । ସଂସ୍କୃତ ଭାଷାର ଅତ୍ୟୁତ୍ସାହୀମାନେ ସେହିମାନଙ୍କର ନକଲ କରିବାର ଗୋଟାଏ ଭେଳିକି ଭିତରେ ପଡ଼ିଯାଇଛନ୍ତି କି ? ତା’ ନହେଲେ ସମସ୍ତେ ଓଡ଼ିଆ ବୁଝୁଥିବା ଅବସରମାନଙ୍କରେ ଆମରି ଭିତରୁ ଥୋକେ ଯେପରି ଗେହ୍ଲାପଣ ଦେଖାଇ ଇଂରାଜୀରେ କଥା କହନ୍ତି, ସମସ୍ତେ ଓଡ଼ିଆ ବୁଝୁଥିଲେ ମଧ୍ୟ ଏହି ଓଡ଼ିଆ ସଂସ୍କୃତସ୍ଵାର୍ଥୀମାନେ ତଥାପି ସଂସ୍କୃତରେ ବାଟୁଳି ମାରିବାକୁ କାହିଁକି ମନ କରନ୍ତେ ? ହରିଣଟିଏ ହରିଣମାନଙ୍କ ସଭାରେ ହରିଣଙ୍କ ଭାଷାରେ କଥା କହି ଅଧିକ ଖୁସି ହୁଅନ୍ତା । ତେଣୁ ଓଡ଼ିଆକୁ ଛାଡ଼ିଦେଇ ନୁହେଁ, ଓଡ଼ିଆକୁ ସାଙ୍ଗରେ ନେଇ ସଂସ୍କୃତ ନିଜକୁ ଅଧିକ ଧନୀ ହେବାପରି ଅନୁଭବ କରୁ । ଓଡ଼ିଆ ଭାଷା ଆମ ଲୁଗା ହୋଇ ଆମର ଲାଜ ରଖୁ, ତା'ପରେ ସଂସ୍କୃତ ବା ଇଂରାଜୀକୁ କଣ୍ଠି କରି ପିନ୍ଧିଲେ ତାହା ନିଶ୍ଚୟ ଅଧିକ ସୁନ୍ଦର ଦିଶିବ ।

 

୨/୧୦/୨୦୦୦

Image

 

ଦଶ କୋଟି ନବେ କୋଟି

 

ଗତବର୍ଷ ଜୁନ୍ ମାସର କଥା । Terre des Hommes ନାମକ ଏକ ସ୍ୱେଚ୍ଛାସେବୀ ସଙ୍ଗଠନର ଆଞ୍ଚଳିକ ଆଲୋଚନାଚକ୍ରଟିଏ କଲିକତାରେ ହେଉଥାଏ । ଆଲୋଚନା ତିନିଦିନ ବ୍ୟାପୀ । ବିଷୟ ହେଉଛି ସଂଖ୍ୟାଲଘୁଙ୍କର ସମସ୍ୟା । ଏବେ କେତେ ପ୍ରୟୋଜନଗତ କାରଣରୁ ଏହି ସମସ୍ୟାଟି ବିଷୟରେ ପୃଥିବୀଯାକ ଆଲୋଚନା କରାଯାଉଛି । ଏହି ବାବତରେ ଆବଶ୍ୟକ ସଚେତନତାମାନ ସୃଷ୍ଟି କରିବା ଲାଗି ବଡ଼ ବଡ଼ ବିଶ୍ୱସ୍ତରୀୟ ପାଣ୍ଠିରୁ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ଅର୍ଥ ସାହାଯ୍ୟ ଦିଆଯାଉଛି । କ'ଣ ସବୁ ଆଲୋଚନା କରାଯିବ, ସେଗୁଡ଼ିକୁ ବିଜ୍ଞତା ସହିତ ବତାଇ ଦେଇପାରିବାକୁ ସ୍ୱେଚ୍ଛାସେବୀମାନଙ୍କୁ ନିର୍ଦ୍ଧାରିତ ତାଲିମ ଦିଆଯାଉଛି । କଲିକତାର ବୈଠକକୁ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରୁ ତାଲିମ ଦେବାକୁ ନିଯୁକ୍ତ ସ୍ୱେଚ୍ଛାକର୍ମୀମାନଙ୍କୁ ହକାରି ଅଣାଯାଇଥିଲା । ଇତିମଧ୍ୟରେ କାଗଜ କଲମର କିତାବୀ ମାଧ୍ୟମରେ ଲୋକମାନଙ୍କର ଅକଲ ଭିତରେ ପୂରାଇ ଦିଆଯାଇଥିବା ସଂଖ୍ୟାଲଘୁ-ସମସ୍ୟା ପ୍ରକୃତରେ କେତେଟା କି ? ନାରୀମାନଙ୍କର ସମସ୍ୟା, ହରିଜନଙ୍କ ସମସ୍ୟା, ଆଦିବାସୀଙ୍କ ସମସ୍ୟା– ପ୍ରଧାନତଃ ଏହିଗୁଡ଼ିକ ବିଷୟରେ ଆନୁଷ୍ଠାନିକ ମେଳ ଓ ବୈଠକମାନଙ୍କରେ ଆଲୋଚନା କରାଯାଉଛି । ବିଶ୍ୱ-ବିତର୍କର ସ୍ତରରେ ଗୋଟାଏ ଗୋଟାଏ ନିର୍ଦ୍ଦିଷ୍ଟ ବର୍ଷକୁ ଖାସ୍ ସେହି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଦିଆଯାଉଛି । ଅର୍ଥାତ୍, ସାଧାରଣ ଅନ୍ୟ ବର୍ଷମାନଙ୍କର ତୁଳନାରେ ବିଶେଷ ଗାରଟିଏ ପକାଇ ଦର୍ଶାଇ ଦିଆଯାଇଥିବା ଖାସ୍ ବର୍ଷମାନଙ୍କରେ ବିଶେଷ ଉତ୍ସାହରେ ଅର୍ଥାତ୍ ବିଶେଷ କାର୍ଯ୍ୟକ୍ରମସବୁ ପ୍ରସ୍ତୁତ କରି ଘମାଘୋଟ ଅଧିକ କଥା କୁହାଯାଉଛି ଓ ଅଧିକ କାଗଜ ଛାପା ହୋଇ ବାହାରୁଛି । ସରକାରମାନେ ବି ଏହି ପାର୍ବଣଗୁଡ଼ିକରେ କେଡ଼େ ଡଗଡଗ ହୋଇ ସାମିଲ୍ ହୋଇ ଯାଉଛନ୍ତି । ପୂରା ବର୍ଷକ ପାଇଁ ପାର୍ବଣ ଲାଗିଯାଉଛି ।

 

ପ୍ରଥମଦିନର ଆଲୋଚନାଟି ମୋ ଦାୟିତ୍ୱରେ ଥିଲା । ଅର୍ଥାତ୍ ବିଷୟଟିର ଅବତରଣିକା କରାଇ ପ୍ରଥମେ ମୁଁ ଘଣ୍ଟାଏ ଯାଏ କ'ଣ ସବୁ କହିବି– ତା’ପରେ ସାନ ସାନ ଗୋଷ୍ଠୀରେ ବିଭକ୍ତ ହୋଇ ବନ୍ଧୁମାନେ ଅଧିକ ତନ୍ନ ତନ୍ନ କରି ସମସ୍ୟା ତଥା ଆନୁଷଙ୍ଗିକ ପ୍ରସଙ୍ଗ ଗୁଡ଼ିକ ବିଷୟରେ କଥା ପକାଇବେ । ଅପରାହ୍ନକୁ ଗୋଷ୍ଠୀଗୁଡ଼ିକର ବିବରଣୀ ଉପସ୍ଥାପିତ ହେବାପରେ ମୁଁ ପୁନର୍ବାର ଏକ ସାମଗ୍ରିକ ଆଲୋକପାତ ଆକାରରେ ଘଣ୍ଟାଏ ସମୟରେ କିଛି ଉପହାର ପ୍ରଦାନ କରିବ । ପରବର୍ତ୍ତୀ ଦୁଇଦିନ ପ୍ରଥମ ଦିନଟିରେ ଉତ୍‌ଥାପିତ ଭୂମିଗୁଡ଼ିକ ଉପରେ ଅଲଗା ଅଲଗା ଗୋଷ୍ଠୀରେ ଅଧିକ ଆଲୋଚନା ହେବ । ହୁଏତ ସମସ୍ୟାଗୁଡ଼ିକର କିଛି ତତ୍କାଳିକ ସମାଧାନ ବାହାର କରାଯିବ-। ଗୋଟିଏ ଗୋଷ୍ଠୀ ନାରୀ ପ୍ରସଙ୍ଗରେ ଆଲୋଚନା କରିବ ତ ଆଉ ଗୋଟିଏ ହରିଜନ ବା ଆଦିବାସୀଙ୍କ କଥା ପକାଇବ, ଇତ୍ୟାଦି ଇତ୍ୟାଦି । ସଙ୍ଗଠନଟି ତରଫରୁ ଆୟୋଜକ ଭଉଣୀଜଣକ ମଧ୍ୟ ପ୍ରାୟ ସେହିଭଳି ସୂଚନାଟିଏ ଦେଲେ ' । ତା’ପରେ ମୋର ପାଳି । ଯାହାସବୁ ଶୁଣୁଥିଲି ଏବଂ ପ୍ରତିନିଧିମାନଙ୍କୁ ଦିଆଯାଇଥିବା କାଗଜଗୁଡ଼ିକରୁ ଆଖି ବୁଲାଇ ଆଣୁଆଣୁ ଯାହା ଧାରଣା ହୋଇଥିଲା, ସେତେବେଳକୁ ମୋ ମୁଣ୍ଡରେ ସତେଅବା ଆଉ ଗୋଟାଏ ପୋକ କାମୁଡ଼ି ପକାଉଥିଲା ପରି ମନେହେଉଥିଲା । ଭିତରୁ ପ୍ରତିକ୍ରିୟା ବ୍ୟକ୍ତ କରି କିଏ ଯେପରି କହୁଥିଲା, ଏହି ପୁରୁଣା କଥାଗୁଡ଼ିକର ଆଲୋଚନା କରି ଆମେ ଏ ଦେଶରେ ଅସଲ କଥାଟିକୁ ଘୋଡ଼ାଇ ପକାଇବାର ଚେଷ୍ଟା କରି ଆସିନାହୁଁ ତ ? ପ୍ରଧାନତଃ ପୁରୁଷ, ସବର୍ଣ୍ଣ ଏବଂ ଅଣଆଦିବାସୀମାନେ ସତେଅବା ବହୁ ବଦାନ୍ୟତା ଦେଖାଇ ନାରୀ, ଅସବର୍ଣ୍ଣ ଓ ଆଦିବାସୀଙ୍କ ସକାଶେ କେତେ କେତେ ପ୍ରସଙ୍ଗମାନ ପକାଇଛନ୍ତି ଓ କେତେ ପଇସା ଖର୍ଚ୍ଚ ହେବାର ବ୍ୟସ୍ତତା ମଧ୍ୟ ପ୍ରଦର୍ଶନ ସିନା କରିଛନ୍ତି, ମାତ୍ର ଏହିସବୁ ସିଆଣିଆ ନିଷ୍ଠାଗୁଡ଼ିକର ଅନ୍ତରାଳରେ ଅସଲ ସତ୍ୟ ଅର୍ଥାତ୍ ଅସଲ ପ୍ରବଞ୍ଚନାଗୁଡ଼ିକୁ ମଖମଲ କନା ତଳେ ଢାଙ୍କି ରଖି ଦିଆଯାଇ ନାହିଁ ତ ? ସରକାର ସତେଅବା ବଡ଼ ଧୂର୍ତ୍ତତା କରି ସ୍ୱେଚ୍ଛାସେବୀମାନଙ୍କର ମୁଣ୍ଡଗୁଡ଼ାକୁ ଭାରି ବାଉଳା କରି ରଖିଛି । ଦୁର୍ଗତ ମଣିଷ ପାଇଁ କାମ କୁଢ଼ କୁଢ଼ ହେଉଛି, ଅଥଚ ଦୁର୍ଗତି ଯାଉନାହିଁ ।

 

ମୋ ମୁଣ୍ଡ ଭିତରର ପୋକଟା ମୋତେ ସେଦିନ କେଜାଣି କାହିଁକି ଏକ ଭୟଙ୍କର ଉଦ୍‌ବୋଧନ ଦେବାକୁ ଲାଗିଲା । ଏହି ଚଳନ୍ତି Myth ବା ପେଖନାଗୁଡ଼ାକର ଟେବୁଲଟାକୁ ଓଲଟାଇ ପକାଇବା ନିମନ୍ତେ ମନ୍ତ୍ରଣା ଦେଲା । ଆଦୌ କୌଣସି ମଙ୍ଗଳାଚରଣ ନକରି ପ୍ରାୟ ପ୍ରଥମ ପାଞ୍ଚମିନିଟ୍ ଭିତରେ ମୁଁ କହିଦେଇଥିଲି ଯେ, ସଂଖ୍ୟାଲଘୁଙ୍କ ବିଷୟରେ ଅସଲ ସତଟିକୁ ଭୁରୁଡ଼ାଇ ରଖିବା ନିମନ୍ତେ ଆମେ ସତେଅବା ଏକ ଖଳ ମତଲବରେ ନିତାନ୍ତ ଗୌଣ କଥାଗୁଡ଼ିକର ନହସ ଲଗାଇଦେଇ ଅସଲ କ୍ରୋଧ ଏବଂ ଅସଲ ସଂକଳ୍ପଗୁଡ଼ିକୁ ଲୋକମାନଙ୍କ ଠାରୁ ଭୁଲାଇ ରଖିଛୁ । ଆମ ସମାଜରେ ଅଳପ ମଣିଷ ହିଁ ବହୁତ ମଣିଷଙ୍କୁ ତଳେ ଦାବି ରଖିଛନ୍ତି, ସେମାନଙ୍କୁ ମନୁଷ୍ୟର ନିମ୍ନତମ ଅଧିକାର ତଥା ସୁଯୋଗରୁ ଅତ୍ୟନ୍ତ ନିର୍ମମ ଭାବରେ ବଞ୍ଚିତ କରି ରଖିଛନ୍ତି । ଆମ ନିଜ ଗାଆଁମାନଙ୍କରେ ତାହା ହିଁ ହେଉଛି, ଏବଂ ପୃଥିବୀର ଯେଉଁ ଅଂଶଟା ଏବେ ମଧ୍ୟ ପଛୁଆ ହୋଇ ରହିଛି, ସେଠାରେ ମଧ୍ୟ ସେହିକଥା ହେଉଛି । ସକଳ ଘାଟରେ, ଶାସନରେ, ଶିକ୍ଷାରେ, ସୁଯୋଗରେ ତଥା ସମ୍ଭାବନାଗୁଡ଼ିକର ବିତରଣରେ ସଂଖ୍ୟାଧିକମାନେ ସଂଖ୍ୟାଲଘୁମାନଙ୍କର ଉତ୍ପୀଡ଼ନ ସହ୍ୟ କରିବାକୁ ବାଧ୍ୟ ହେଉଛନ୍ତି । ଏପରିକି, ଯେଉଁସବୁ ରାଷ୍ଟ୍ର ନିଜ ବିଧାନପୁସ୍ତକରେ ଗଣତନ୍ତ୍ରକୁ ହିଁ ଛାଞ୍ଚ ରୂପେ ସ୍ୱୀକାର କରିଛନ୍ତି, ସେଠାରେ ମଧ୍ୟ ନାନା ଫିସାଦରେ ସେହି ହଙ୍ଗମାଟି ଚାଲିଛି । ମୁଁ କହୁଥାଏ ଏବଂ ଉପସ୍ଥିତ ସମସ୍ତଙ୍କୁ ଭାରି ଅଡ଼ୁଆରେ ପକାଇ ଦେଉଥାଏ । ସତେଅବା ମୁଁ ସେମାନଙ୍କୁ କୋଉ ଅନ୍ୟ ବାଟରେ ଖସାଇ ନେଇଯାଉଛି– ସେମାନେ ସେହିପରି ଏକ ହାବଭାବ ସହିତ ମୋତେ ନିଘା କରିବାରେ ଲାଗିଥିଲେ । ଏସବୁ କଥା ତ ଏଭଳି ପାର୍ବଣମାନଙ୍କରେ ଆଗରୁ କେବେହେଲେ ପଡ଼ିନଥିଲା । ତଥାପି ସଭିଙ୍କର ଆଖି ଉଜ୍ଜଳ ହୋଇ ଆସୁଥିଲା । ମୋ’ ସହିତ ନଈରେ ପଶିବା ଲାଗି ସେମାନେ ସମ୍ମତ ହୋଇ ବି ଆସୁଥିଲେ ।

 

ଆମ ସମାଜରେ ସାଆନ୍ତ ଅଳପ, ଏକାନ୍ତପଣେ ସଂଖ୍ୟାଲଘୁ । ସ୍ଵାଧୀନତାଲାଭର ସୁଦୀର୍ଘ ଏତେବର୍ଷ ପରେ ମଧ୍ୟ ଏଠି ସେହି ସାଆନ୍ତମାନଙ୍କର ଶାସନ ଚାଲେ । ସାମନ୍ତମାନଙ୍କର ବିବିଧ ଉପଦ୍ରବକୁ ଶାସନ ବୋଲି କୁହାଯାଏ । ଆମ ଗାଆଁର ଯାବତୀୟ ହର ଗୁଣ ଫେଡ଼ ଓ ମିଶାକୁ ସାଆନ୍ତମାନେ ମୀମାଂସା କରନ୍ତି । ଦିଲ୍ଲୀ ନାମକ ଗାଆଁରେ ମଧ୍ୟ ତାଙ୍କରି କାଟର ବୃହତ୍ ଏବଂ ପୃଥୁଳମାନେ ରଜା ହୋଇ ବସିଥାଆନ୍ତି । ଏହି ଦେଶରେ ଯେଉଁ ଅଳ୍ପମାନେ ହିଁ ଅଧିକ ଦାନ୍ତ ଥିବା ପାଠଗୁଡ଼ାକୁ ଆୟତ୍ତ କରନ୍ତି, ପୁରୁଷାନୁକ୍ରମରେ ସେହିମାନେ ହିଁ ଆମ ସାମୂହିକ ଭାଗ୍ୟର ସାତ ଅଥବା ସତସ୍ତରୀ ସବୁଯାକ ମଞ୍ଚାରେ ଫୁଲଶାଗୁଣା ହୋଇ ବସିଥାଆନ୍ତି । ଦେଶଯାକ ଧନ ଏଠି ଖୁବ୍ ଅଳପଙ୍କ ହାତରେ ସଂକେନ୍ଦ୍ରିତ ହୋଇ ରହିଥାଏ । ସେହି ସଂକେନ୍ଦ୍ରଣଟା ଯେପରି କାଳକାଳକୁ ତଥାପି ଦୋରସ୍ତ ହୋଇ ରହିଥିବ, ଆମ ଅର୍ଥନୀତି ଓ ରାଜନୀତିରେ ବୃହସ୍ପତିର ଭୂମିକାମାନଙ୍କରେ ବିରାଜିତ ରହି ସେମାନେ ସେହିଭଳି ମାର୍ଗମାନଙ୍କୁ ଫାନ୍ଦିବାରେ ଲାଗିଥାନ୍ତି । ସେମାନେ ବିଶେଷଜ୍ଞ ବୋଲାନ୍ତି । ବିଶେଷଜ୍ଞମାନଙ୍କୁ ଲୋକମାନଙ୍କର ଭାଷା ଆସେ ନାହିଁ । ସେମାନେ ଗୋଟାଏ ରାଜଭାଷାରେ ମଧୁଶଯ୍ୟା କରନ୍ତି ଓ ତଦନୁରୂପ ମଗଜରେ ସମସ୍ତଙ୍କ ସକାଶେ ସମାଧାନ ବାହାର କରନ୍ତି । ଆମ ସମ୍ବିଧାନ ଅନୁସାରେ ତଳ ଓ ଉପର ସମସ୍ତଙ୍କୁ ନାଗରିକ ବୋଲି କୁହାଯାଉଥାଏ ସିନା, ମାତ୍ର ସଂଖ୍ୟାଲଘୁଟା ହିଁ ନାଗର ବନି ଦେଶଟାଯାକକୁ ଘୁଙ୍ଗାଳିବାରେ ଲାଗିଥାଏ । ଗୋଟାଏ ସ୍ଵାଧୀନ ଦେଶରେ ନିତାନ୍ତ ସଂଖ୍ୟାଲଘୁ ବର୍ଗଟାଏ ଅଛି ବୋଲି ତ କୋଟି କୋଟି ମଣିଷ ନିଜକୁ ସଚେତନ ଭାବରେ ସବଳ ଏବଂ ସଂକଳ୍ପବଦ୍ଧ ଭାବରେ ଏଠି ଜଣେ ଜଣେ ନାଗରିକ ବୋଲି ଜାଣି ଶିଖିନାହାନ୍ତି, ଦାବି କରି ଶିଖିନାହାନ୍ତି, ରଡ଼ିକରି ବି ଶିଖିନାହାନ୍ତି । ଯାବତୀୟ ତଥାକଥିତ ଆନ୍ଦୋଳନରେ ସେମାନଙ୍କୁ ନେତୃତ୍ୱ ଦେବାକୁ ଆସୁଥିବା ମଙ୍ଗରାଜମାନେ ସତେଅବା କେଉଁ ଅପବିଧାତାର ବରାଦ ପରି ସେହି ସଂଖ୍ୟାଲଘୁଙ୍କର ଖୁଆଡ଼ ଭିତରକୁ ଆସୁଛନ୍ତି । ସେମାନଙ୍କୁ ଯୋଉଠି ସେଇଠି ମାଦଳ କରି ରଖିଛନ୍ତି ।

 

ଏବେ ଦିନେ ଆମ ରାଜଧାନୀରେ ଦିଲ୍ଲୀ ସରକାରଙ୍କର ଗୋଇନ୍ଦା ସିରସ୍ତାରେ ଜଣେ ହାକିମ ଭାଷଣ ଛଳରେ କହୁଥିଲେ ଯେ, ଭାରତବର୍ଷରେ ମାତ୍ର ଦଶକୋଟି ମଣିଷ ହିଁ ଅବଶିଷ୍ଟ ନିବେକୋଟିଙ୍କର ଶାସନ କରୁଛନ୍ତି । ଏଠି ହାତୀମାନଙ୍କ ଉପରେ ମାହୁନ୍ତ ହୋଇ ବସିଛନ୍ତି । ଦଶକୋଟି ଅସାଧୁ ଏବଂ ଉଦ୍ଧତ ବନି ଯାବତୀୟ ସାମୂହିକ ସାଧୁତାର ମହତ ନେଉଛନ୍ତି ଓ ସଂଖ୍ୟାଧିକ ପଟଟା ନିତାନ୍ତ ଅସହାୟ ହୋଇ ରହିବାରେ ସହାୟତା କରୁଛନ୍ତି । ସେ ଭାଷଣ ଦେଲେ ଏବଂ ଆମେ ତାଳି ବାଡ଼େଇବାରେ ଲାଗିଥିଲୁ । ମୁଁ ଭାବୁଥିଲି ଏହିପରି ତାଳି ବାଡ଼େଇ ବାଡ଼େଇ ଆମେ ଏହି ଦେଶରେ ସେହି ସଂଖ୍ୟାଲଘୁଟାକୁ ହିଁ ଦୀର୍ଘଦନ୍ତ ଓ ଲମ୍ବକର୍ଣ୍ଣ ହୋଇ ରହିବାକୁ ବାଟ ଛାଡ଼ିଦେଇ ନାହୁଁ କି ? ଆମେ ଯାହା ପାଖରେ ଆମର ପୂର୍ଣ୍ଣ ନାଗରିକ ଅଧିକାରମାନ ଦାବିକରି ଥାଆନ୍ତୁ, ସେହିମାନେ କେଡ଼େ ସୁଚତୁର ଭାବରେ ଆମ ଭିତର ବ୍ରହ୍ମର କଥାରୁ ପଦେ ପଦେ କହିଦେଉଛନ୍ତି ଏବଂ ଆମ ପାଇଁ ଭେଳିକି ଲଗାଇ ରଖୁଛନ୍ତି । ଭାରତବର୍ଷ କେତେଦିନ ଯାଏ ଏହିପରି ସଂଖ୍ୟାଲଘୁମାନଙ୍କର ହସ୍ତମୁଦି ମାହାଲ ହୋଇ ରହିବ କେଜାଣି ? ଆମ ଦରମା ନବଢ଼ାଇ, ଆମ ଘରକୁ ପବନମାନେ ଉଡ଼ାଇନେବା ପରେ ଆମକୁ ସାମୟିକ ଭାବେ ଢୋକ ଯୋଗାଇ ନଦେଇ ତୁମେ ଆମକୁ ପୂର୍ଣ୍ଣ ନାଗରିକର ସ୍ୱୀକୃତି ଦିଅ– ସଂଖ୍ୟାଧିକ ପଟଟା ଏହି କଥାଟି କହିବା ଲାଗି ଉଚିତ୍ ନେତୃତ୍ୱର ଆୟୁଧ ଧରି ସ୍ଵୟଂ ବାହାରିପାରିବ କେବେ କେଜାଣି ? ଭାଷଣ ଦ୍ଵାରା ଆମ ନବେକୋଟିଙ୍କୁ ତତାଇଦେବା ଭଳି କଥା କହୁଥିବା ସେହି ସାଆନ୍ତଜଣକ ମଧ୍ୟ ସେହି ଦଶକୋଟିର ଛାଉଣୀରୁ ନିମକ ଖାଇ ଏତେ ଏତେ କଥା କହିପାରୁଛନ୍ତି । ମାତ୍ର କେତେଟା ବର୍ଷ ତଳେ ଦିଲ୍ଲୀରେ ଆଉ ଜଣେ ବୃକୋଦର ବି ସରକାରୀ ଭାଡ଼ିରୁ ଆମକୁ ଲମ୍ବା ଲମ୍ବା କଥା କହି ଚେତାଇ ଦେଉଥିଲେ । ପରେ ସିଏ ଭୋଟ ଲଢ଼ିଲେ, ହାରିବା ପରେ କୁଆଡ଼େ ଗଲେ କେଜାଣି ?

 

ଦଶକୋଟିଙ୍କର ଉପର ସାହିରୁ ନବେକୋଟିଙ୍କ ପାଇଁ ଲୋତକ ବର୍ଷଣ କରି କେତେ କେତେ ଏହିପରି ଆସିବାରେ ଲାଗିଥିବେ, ନାନା ଭୂମିକାରେ ନାନା ଦେଶରେ ଆମ ହୃଦୟକୁ ଚାଉଁକରି ଛୁଇଁ ପକାଉଥିବେ, କେତେ କଥା କହୁଥିବେ । ତଥାପି ନବେକୋଟିଙ୍କୁ ନିଜ ସହିତ ସମକକ୍ଷ ସମାନ ନାଗରିକ ବୋଲି ସ୍ୱୀକୃତି ଦେବାକୁ ଭାରି ଡରୁଥିବେ । ନବେକୋଟିଙ୍କର ତ୍ରାଣକର୍ତ୍ତାମାନେ ନବେକୋଟିରୁ ହିଁ ବାହାରିବେ । ତେବେଯାଇ ପ୍ରକୃତ ପରିବର୍ତ୍ତନ ହେବ ଓ ଯାବତୀୟ ମୀମାଂଶାରେ ସମସ୍ତଙ୍କ କଥା ପଡ଼ିବ । ଏକାଧିକ କାରଣରୁ ତୃତୀୟ ବିଶ୍ଵରେ ସେହି ଅସଲ ଘଟଣାଟି ଖୁବ୍ ବେଶୀ ଘଟିପାରୁ ନାହିଁ । ଅଶିକ୍ଷା, କର୍ମବାଦ, ପ୍ରାୟ ଯୁଗ ଯୁଗରୁ ବଞ୍ଚିତ ହୋଇ ରହିଆସିଥିବାର ମନ୍ଦଭାଗ୍ୟ– ସେହି ନବେକୋଟିଙ୍କ ଭିତରେ ମଧ୍ୟ ମନୁଷ୍ୟମାନଙ୍କୁ ପରସ୍ପରଠାରୁ ଦୂରଛଡ଼ା କରି ରଖି ଆସିଥିବା ବହୁ ଫିସାଦର ଏକ ପରମ୍ପରା–ଏଗୁଡ଼ିକୁ ହଟାଇବାର ଅସଲ ଉଦ୍ୟମଗୁଡ଼ିକ ଯେତିକି ସାଧୁତାର ସହିତ ଆରମ୍ଭ ହେବ, ହୁଏତ ସେତିକି ସେତିକି ସାମ୍‍ନାକୁ ବାଟ ଫିଟି ଯାଉଥିବ । ଭିତରୁ ଶିକ୍ଷକଟି କହୁଛି, ଶିକ୍ଷାର କ୍ଷେତ୍ରରେ ହିଁ ଏକଥା ସବାଆଗ ହେବ– ଶିକ୍ଷାପଟୁ ସାହସ– ପର୍ବଟି ଆରମ୍ଭ ହେଲେ ଯାଇ ରାଜନୀତି ମଧ୍ୟ ଚେତିଉଠିବ, ରାସ୍ତାକୁ ବାହାରିପଡ଼ିବ ।

 

୧୬/୧୦/୨୦୦୦

Image

 

ଆଲୋଡ଼ନ ସୃଷ୍ଟି ହେଉ (୬)

 

ଖାଲି ବେତନ ବଢ଼ାଇବାକୁ ଆନ୍ଦୋଳନ କରି ଆସିଥିବା ଶିକ୍ଷକ ଏବଂ ଅଧ୍ୟାପକମାନେ କ୍ରମେ ଏପରି ଖତରା ହୋଇଗଲେଣି ଯେ, ସେମାନେ ପ୍ରକୃତରେ ଆଉ କୌଣସି ଆଲୋଡ଼ନ ସୃଷ୍ଟି କରିପାରିବାର ଅବସ୍ଥାରେ ହିଁ ନାହାନ୍ତି । ସେମାନେ ବେତନ ପାଇଁ ଯୁଝି ଯୁଝି ଗଇଁଆ ହୋଇଗଲେଣି । ସତେଅବା ସରକାରଙ୍କ ସହିତ ସେମାନଙ୍କର ଗୋଟିଏ ଥଟ୍ଟାଳିଆ ସଲାକୁସ୍ତି ଲାଗିଛି । ସରକାର ମଝିରେ ମଝିରେ ଚେନାଏ ଚୁରୁଳାଏ ପକାଇ ଦେଉଛନ୍ତି ଏବଂ ଏକ ସାମୟିକ ମନଆନନ୍ଦରେ ଆଜ୍ଞାମାନେ ଇସ୍କୁଲକୁ ଫେରିଆସୁଛନ୍ତି । କାଳକ୍ରମେ ଆପଣାକୁ ଏପରି ଅଧିକ ପରିମାଣରେ ପଦାରେ ପକାଇ ଦେଉଛନ୍ତି ଯେ, ଯେଉଁମାନେ କୃତଜ୍ଞତାବଶ ହୋଇ ସେମାନଙ୍କର ପଦଧୂଳି ଗ୍ରହଣ କରୁଥାନ୍ତେ, ସେମାନେ ବି ଆନୁଷ୍ଠାନିକ ପରିଚ୍ଛଦ ତଳେ ରହିଥିବା ସେମାନଙ୍କ କଲିଜାଟାକୁ ଉତ୍ତମ ଭାବେ ଚିହ୍ନି ପାରିଲେଣି । ନିଜକୁ ନିଜେ ଭାଣ୍ଡରା ହେଲାଭଳି ଏବେ ବିଦ୍ୟାଦାତାମାନେ ବୈଠକରେ ବସି ସେପ୍ଟେମ୍ବର ପାଞ୍ଚ କିମ୍ବା ଅକ୍ଟୋବର ଦୁଇକୁ କଳାଦିବସ ବୋଲି ପାଳନ କରୁଛନ୍ତି ଓ ନିଜ ପରିଚିତିର ଅସଲ ଦୈର୍ଘ୍ୟପ୍ରସ୍ଥଗୁଡ଼ିକୁ ଭାରି ଖିନ୍‍ଖରାପ କରିପକାଉଛନ୍ତି । ନିଜର ଅସଲ ଖେଳନାଗୁଡ଼ିକୁ ଭାଙ୍ଗି ସେମାନେ ଏକାବେଳକେ ବିଗିଡ଼ି ଯାଇଥିବା ପିଲାଙ୍କ ପରି ରାସ୍ତାକୁ ବାହାରି ପଡ଼ୁଛନ୍ତି । ଭୁବନେଶ୍ୱରକୁ ଦଉଡ଼ି ଆସୁଛନ୍ତି; ପଇତାଗୁଡ଼ିକୁ କେତେବେଳେ କେଉଁଠି ଓ କାହିଁକି ଛାଡ଼ି ଆସିଲେ, ସେକଥାଟିକୁ ନିଜେ ନିଜକୁ ପଚାରିବାକୁ ମଧ୍ୟ ସାହାସ କରି ପାରୁନାହନ୍ତି । ଦୈବ ପଟୁ ବଡ଼ ହୀନସ୍ତାରେ ପଡ଼ି ଯାଇଛନ୍ତି । ସେହି ପଇତା ହଜାଇବାର, ପଥଭ୍ରଷ୍ଟ ହୋଇ ବିଗିଡ଼ି ଯିବାର ଏକ ଅତ୍ୟନ୍ତ କୌତୁକପୂର୍ଣ୍ଣ ଇତିହାସ ରହିଛି । ସ୍ୱାଧୀନ ଭାରତବର୍ଷର ସେହି ସର୍ବପ୍ରଥମ ଦଶକମାନଙ୍କରେ କେତେଜଣ ଧୁରନ୍ଧର ଅଧ୍ୟାପକ କ'ଣ ପାଇଁ ଆବିଷ୍କାର କରି ପକାଇଥିଲେ ଯେ, ଯଦି ତୁମେ ଶାସନର ତାଳମାନଙ୍କରେ ବସିଥିବା ନେତାମାନଙ୍କୁ ସନ୍ତୁଷ୍ଟ କରି ରଖିପାରିବ, ତେବେ ନିଜ ଚାକିରିର ଖାତାରେ ମଧ୍ୟ ତୁମକୁ ଆଶୁ ଫଳମାନ ମିଳିପାରିବ । ମୋଟେ ବଦଳି ହେବନାହିଁ । ଦୁର୍ଯୋଗକୁ କ୍ଷମତାସୀନ କିଛି ନେତା ସାହିତ୍ୟ ଏବଂ ସେହି କାଟର କେତେଟା ଆଡ଼େ ସରାଗ ରଖିଥିଲେ ଏବଂ ତାହାହିଁ ଏହି ଚତୁର ସଜ୍ଜନ ଉଚ୍ଚଆଖିଆମାନଙ୍କୁ ଉତ୍ତମ ସୁରାଖମାନ ଯୋଗାଇ ଦେଇଥିଲା । ସେମାନେ ନେତାଙ୍କର ସଉକୀ ଘରେ ଗୋତି ଖଟିଲେ, ନିଜ ଇଲାକାରେ ଗୋଟାସୁଦ୍ଧା ବିର୍ଲିପ୍ତ ରହି ତଥାପି ଯେ ତୁମେ ପଦୋନ୍ନତି ହାସଲ କରିପାରୁଥିବ, ରାଜାଘରେ ଉତ୍ସବ ବସିଲେ ତୁମକୁ ଯେ ସବାଆଗ ଡାକରା ଆସିବ,– ଏହି ବାଗଟିକ ଯିଏ ମୁଣ୍ଡାଇ, ମଣ୍ଡାଇ ଏବଂ ନେଇଆଣି ଥୋଇ ଜାଣେ, ସେଇ ଆମର ଏହି ଅପରିଷ୍କୃତ ଉଚ୍ଚ ଦରବାରମାନଙ୍କରେ ସଜ୍ଜନ ବୋଲାଇ ଜୀବନଟାଯାକ ଯେ କାଟି ଦେଇପାରେ, ତାହାର ଡଜନ ଡଜନ ନଜିର ଆମ ସାନ ଓଡ଼ିଶାରେ ମଧ୍ୟ ରହିଛି । ଏବେ ମଧ୍ୟ ଜଣେ ଜଣେ କ୍ଷମତାସୀନ ବଳଦଙ୍କ ସହିତ ହଳେ ଦେଢ଼ହଳ ଅଧ୍ୟାପକ କଅଁଳା ବାଛୁରୀଙ୍କ ପରି ତୁମକୁ ସର୍ବତ୍ର ଦେଖିବାକୁ ମିଳିଯିବେ । ତେଣୁ, ସ୍ଵାଧୀନ ଭାରତର ଶିକ୍ଷାକୁ ସେହି ସବାମୂଳ ନିର୍ମାଣ-ପର୍ବଟିରେ ପୁରୁଣା ସହିତ ଲଢ଼ାଇ ଦେବାରେ ଆଉ କୋଉଠୁ କିଏ ମିଳିଥାନ୍ତା ? ଆମ ଦେଶର କବି, ସାହିତ୍ୟିକ, ଶିକ୍ଷକ ଓ ଅଧ୍ୟାପକ ନୂତନ ଭାରତବର୍ଷର ଚ୍ୟାଲେଞ୍ଜଗୁଡ଼ିକର ସାମ୍‍ନା କରିବାକୁ ଆଉ ଯୋଗ୍ୟ ହୋଇପାରିଲେ ନାହିଁ । ସଂଘମାନେ ଗଢ଼ାହେଲେ, ମାତ୍ର ସଂଘର ଆଖିଟା କେବଳ ଗୋଟିଏ ଆଡ଼କୁ ଲୋସଡ଼ି ପଡ଼ିଲା । ଶିକ୍ଷା ବିଭାଗର ହାକିମମାନେ ନିତାନ୍ତ ଅଶିକ୍ଷିତଙ୍କ ପରି ଖାଲି ଶାସନ କଲେ ସିନା, ମାତ୍ର ଗୁହାଳଗୁଡ଼ାକୁ ଗୁହାଳ ବୋଲି କହି ପାରିବାର ମେରୁଦଣ୍ଡକୁ ହରାଇ ବସିଲେ । ଶିକ୍ଷାକୁଳ ବୋଲ ମାନିଲେ । ବେତନ ବଢ଼ୁଥିବା ଯାଏ ବୋଲ ମାନିବାକୁ ହିଁ ଉତ୍ତୁଙ୍ଗ ସଂଘ ତରଫରୁ ପ୍ରରୋଚନା ଦିଆଗଲା । ସେହି ଚକ୍ରାନ୍ତଟା ଦ୍ଵାରା ଶିକ୍ଷା ମଧ୍ୟ ଖାସୁ ହୋଇ ରହିଗଲା-

 

ଏହିଭଳି ଏକ ପରମ୍ପରାରେ ପୃଥୁଳ ହୋଇ ଆସିଥିବା ପୋକମାନେ ଆଦୌ କୌଣସି ଆଲୋଡ଼ନ ସୃଷ୍ଟି କରିପାରିବେ ନାହିଁ । ତଥାପି, ଆଲୋଡ଼ନର ଆବଶ୍ୟକତା ରହିଛି ଯେତେବେଳେ, ଆଲୋଡ଼ନ ହେବ ହିଁ ହେବ । ହିରଣ୍ୟକଶିପୁମାନଙ୍କୁ ଚ୍ୟାଲେଞ୍ଜ କରିପାରୁଥିବା ପ୍ରହ୍ଲାଦମାନେ ହିଁ ଆଲୋଡ଼ନ ସୃଷ୍ଟି କରିବେ । ରାବଣମାନଙ୍କର ରାଜ୍ୟରେ ତଥାପି ବିଭୀଷଣ ହେବାର ସ୍ଵଧର୍ମବୋଧ ରହିଥିବା ବ୍ୟକ୍ତି ଅଥବା ବ୍ୟକ୍ତିମାନେ ଆଲୋଡ଼ନ ସୃଷ୍ଟି କରିବେ । ଆଲୋଡ଼ନ ସୃଷ୍ଟି ହେଲା ବୋଲି ନିନାଦ ଦେଇ ସେଥିପାଇଁ ରାସ୍ତାକୁ ବାହାରିବାର ମୋଟେ ପ୍ରୟୋଜନ ହେବନାହିଁ । ଯିଏ ଯେଉଁଠାରେ ରହିଛି, ସେହିଠାରେ ହିଁ ଆଲୋଡ଼ନ ସୃଷ୍ଟି କରିପାରିବ । ଏବେ ରାଜଧାନୀରେ ଥରେ ଏପରି ହେଲା ଯେ ଅଧ୍ୟାପକମାନଙ୍କର ବିକ୍ଷୋଭ-ପ୍ରଦର୍ଶନକୁ ଆଶୀର୍ବାଦ ଦେବା ପାଇଁ ଭିନ୍ନ ଭିନ୍ନ ରାଜନୀତିକ ଦଳର ଚିଲମାନଙ୍କୁ ନିମନ୍ତ୍ରଣ କରି ଅଣାଯାଇଥିଲା-। ନିମନ୍ତ୍ରିତ ଆତ୍ମାମାନେ ଶିକ୍ଷକମାନଙ୍କର ଆନ୍ଦୋଳନକୁ ସମର୍ଥନ କରି ଅର୍ଥାତ୍ ସେମାନଙ୍କୁ ଘୋଷିତ ହାରରେ ବେତନ ଦିଆଯାଉ ବୋଲି ଖବରକାଗଜର କାନକୁ ଶୁଣାଯିବା ଭଳି ଏଡ଼େ ପାଟିରେ କହିଥିଲେ । ବକ୍ତାମାନଙ୍କର ପାଟିରୁ ତୁଚ୍ଛା ଆଇଁଷିଣିଆ ଗନ୍ଧଟା ହିଁ ବାହାରୁଥିଲା । ଯାବତୀୟ ଆଇଁଷିଣିଆ ଭିତରେ ସମ୍ଭବତଃ ଆଉ ସବୁକିଛି ଭାରି ଜାକଜମକରେ ରହିଥିଲେ ମଧ୍ୟ ସାଧୁତା ନାମକ ଦ୍ରବ୍ୟଟି ଆଦୌ କେଉଁଠି ହେଲେ ନଥାଏ, ଏବଂ ସାଧୁତା ନଥାଏ ବୋଲି ବସ୍ତୁତଃ ଆଦୌ କିଛି ନଥାଏ । ସେହି ଶୋଚନୀୟ ଆତ୍ମପରଜୟପୂର୍ଣ୍ଣ ଦୃଶ୍ୟଟିର କଳ୍ପନା କରି ଓଡ଼ିଶାର ଛାତ୍ରମାନେ କ’ଣ ସବୁ ଭାବିଥିବେ କେଜାଣି ? ସେମାନଙ୍କୁ ଖୁବ୍ ଲାଜ ମାଡ଼ିଥିବ ।

ଆଲୋଡ଼ନ ସୃଷ୍ଟି କରି ପାରିବାକୁ ହେଲେ ଆଚାର୍ଯ୍ୟମାନଙ୍କୁ ଘରକୁ ଫେରି ଆସିବାକୁ ହିଁ ପଡ଼ିବ । ଘରକୁ ଅର୍ଥାତ୍ ଇସ୍କୁଲମାନଙ୍କୁ ଏବଂ କଲେଜମାନଙ୍କୁ । ସେମାନେ ସରକାର ଅଥବା ଆଉ ଯାହା ସହିତ ଯେଉଁଥିପାଇଁ ଯୁଝି ବାହାରନ୍ତୁ, ସେଥିରେ କୌଣସି ବାଧା ନାହିଁ । । ମାତ୍ର, ନିଜ ଇସ୍କୁଲକୁ ହିଁ ଅସଲ ଘର ବୋଲି ଜାଣନ୍ତୁ । ନିଜ ପିଲାମାନଙ୍କୁ ନିଜର ଅସଲ ପଟ ବୋଲି ଜାଣନ୍ତୁ । ଏବଂ, ସେମାନେ ପିଲାମାନଙ୍କ ଦ୍ୱାରା ଯେପରି ସତକୁସତ ଗୃହୀତ ତଥା ସ୍ଵୀକୃତ ହୋଇପାରିବେ, ସେଥିଲାଗି ଯୋଗ୍ୟ ହୁଅନ୍ତୁ । ସରକାର ସହିତ ଯୁଦ୍ଧଗୁଡ଼ିକୁ ଲଢ଼ି ଲଢ଼ି ଆମ ଶିକ୍ଷକମାନେ ଯେ ଆଉ ସବାଆଗ ଇସ୍କୁଲ ବା କଲେଜକୁ ନିଜର ଘର ବୋଲି ଗ୍ରହଣ କରୁନାହାନ୍ତି, ଇସ୍କୁଲ ବା କଲେଜର ଛାତ ଉପରେ ବସିଥିବା ଛାର କାଉଟିଏ ମଧ୍ୟ ସେକଥା କହିଦେଇ ପାରିବ । ଧୋକା ପରେ ଧୋକା ଖାଇ ପିଲାମାନେ ମଧ୍ୟ ଶିକ୍ଷକମାନଙ୍କୁ ଆଉ ନିଜର ବୋଲି ଗଣୁନାହାନ୍ତି । ଶିକ୍ଷକବୃନ୍ଦ ସବାଆଗ ନିଜ ପ୍ରତାପ ଏବଂ ପରାକ୍ରମକୁ ଖଟାଇ ଯେଉଁପରି ହାସ୍ୟାସ୍ପଦ ଭାବରେ ପଇତାଗୁଡ଼ାକୁ ହରାଇବାରେ ଲାଗିଛନ୍ତି, ସେଥିରେ ପିଲାମାନଙ୍କୁ ହସ ଯେତିକି ମାଡ଼ୁଛି, କାନ୍ଦ ବି ସେତିକି ମାଡ଼ୁଛି । ଏହି ଭଳି ଗୁରୁମାନଙ୍କର ହାବୁଡ଼ରେ ପଡ଼ି ହିଁ ସେମାନେ ଜୀବନର ବିବେକଦାଣ୍ଡରେ ଆଖର ଏଭଳି ବିମୂଢ଼ବତ୍ ହୋଇଗଲେଣି ଯେ, ସ୍ଵୟଂ ବଡ଼ ହୋଇ ଆଉ ଯାହା ହେବେ ପଛକେ, କଦାପି ଶିକ୍ଷକଟିଏ ହେବେ ନାହିଁ ବୋଲି ନିଜ ପାଖରେ ନିଷ୍ପତ୍ତି କରି ପକାଉଛନ୍ତି-। ତେଣୁ, ଯେଉଁ ଶିକ୍ଷକ ଓ ଅଧ୍ୟାପକମାନେ ସତକୁସତ ପିଲାମାନଙ୍କ ପାଖକୁ ଫେରି ଆସିବେ, ସେହିମାନେ ହିଁ ବର୍ତ୍ତମାନର ଅଶୁଭ ହାଉଆଗୁଡ଼ାକୁ ବଦଳାଇ ପାରିବେ । ବେଳେ ବେଳେ ବି ଏକ ସଙ୍କେତ ମିଳି ବି ଯାଏ ଯେ, ଆମେ ଶିକ୍ଷକମାନେ ଇସ୍କୁଲକୁ ଆସିବା ମାତ୍ରକେ ଭାରି କନକନ ହେଉଥାନ୍ତି । ଯଥାଶୀଘ୍ର ଶ୍ରେଣୀଗୃହର ପାଇଟି ସାରି ସତେଅବା ପଳାଇବେ ବୋଲି ନିଜ ଭିତରେ ଛାଟିପିଟି ହେଉଥାନ୍ତି । ସତେଅବା ସେମାନଙ୍କ ଭିତରେ ରହିଥିବା କୋଉଠି ଗୋଟାଏ କଣାକୁ ଭାରି ଲୁଚାଇ ରଖିବାକୁ ଚେଷ୍ଟା କରୁଥାନ୍ତି । ସେମାନେ ନିଜର ଛାତ୍ରମାନଙ୍କୁ ଭାରି ଡରୁଥାନ୍ତି-। ଏବଂ, ଡରୁଥିବା ପର୍ଯ୍ୟନ୍ତ କତିକୁ ଆସିପାରିବାଟା ବି କିପରି ସମ୍ଭବ ହେବ କହିଲ ! ପିଲାଙ୍କ ପାଖକୁ ଥରେ ଫେରିଆସିଲେ ଆମ ଅଧ୍ୟାପକମାନଙ୍କ ଲାଗି ଆଲୋଡ଼ନ ସୃଷ୍ଟି ହେବାର ସହସ୍ର ବାଟ ଅବଶ୍ୟ ଖୋଲିଯିବ । ଦେଖାଯିବ, ପ୍ରତ୍ୟେକ ଛାତ୍ର ବା ଛାତ୍ରୀର ଜୀବନ କେବଳ ଏହି ଶ୍ରେଣୀ ଗୃହଟାର ବହୁତ ବାହାରକୁ ବିସ୍ତାରିତ ହୋଇ ରହିଛି । ଛାତ୍ରଛାତ୍ରୀମାନଙ୍କୁ ଏହିପରି ସମଗ୍ର ଭାବରେ ଦେଖିବାକୁ ଅର୍ଥାତ୍ ଠାବ କରିବାକୁ ଆରମ୍ଭ କଲେ ତାହାରି ପ୍ରସାଦରୁ ନିଜର ମଧ୍ୟ ଏକ ସମଗ୍ରତର ପରିଚୟ ଅନ୍ଦାଜ ଭିତରକୁ ଆସିଯିବ । ତା'ପରେ ଆପଣାକୁ ପ୍ରଧାନତଃ ଜଣେ ବେତନଭୋଗୀ ପ୍ରାଣୀଠାରୁ ଅନେକ ଅଧିକ ବୋଲି ଅନୁଭବ ହେବ । ନିଜ ପ୍ରତି ଏକ ସମ୍ମାନବୋଧ ଜନ୍ମଲାଭ କରିବ । ସମ୍ମାନବୋଧ ବୃଦ୍ଧି ପାଇଲେ ଅହଙ୍କାର ହ୍ରାସ ହୋଇଆସିବ । ଶିକ୍ଷକକୂଳରେ ସେହି ଭଳି ଶିକ୍ଷକଙ୍କର ସଂଖ୍ୟା ବୃଦ୍ଧି ପାଇଲେ ସରକାରଙ୍କର ଶିକ୍ଷା ବିଭାଗ ଆଉ ସେମାନଙ୍କୁ ମୋଟେ ଗୋଡ଼ିମାଟି ପରି ବ୍ୟବହାର କରିପାରିବ ନାହିଁ । ଶିକ୍ଷାର ବ୍ୟବସ୍ଥା ଭିତରେ କ’ଣ ହେବ ବା ନହେବ, ସେଥିଲାଗି ବିଭାଗ ଶିକ୍ଷକର ପରାମର୍ଶ ବି ଲୋଡ଼ିବ । ଏଭଳି ସମ୍ମାନବୋଧଯୁକ୍ତ ଶିକ୍ଷକ ସଂଘକୁ ମଧ୍ୟ ଏକ ବଳିଷ୍ଠ ନିର୍ଣ୍ଣୟ ଶକ୍ତି ଆଣିଦେବେ । ରାଜନୀତିର ଗରିଷ୍ଠମାନେ ଶିକ୍ଷକଙ୍କୁ ନେଇ ଖେଳିବାକୁ ତେଣିକି ଭୟ କରିବେ । ତା'ପରେ କ୍ରମେ ଏପରି ହେବ ଯେ, ଶିକ୍ଷା ବିଷୟରେ ଶିକ୍ଷକସଂଘ ବାଟ ଦେଖାଇବ ଏବଂ ସରକାରଙ୍କ ବିଭାଗଟା ତାହାକୁ କାର୍ଯ୍ୟକାରୀ କରିବ । ଏବଂ ସମ୍ବନ୍ଧଗୁଡ଼ିକ ଏପର୍ଯ୍ୟନ୍ତ ସମ୍ଭବ ହୋଇଗଲେ ସରକାରୀ ମର୍ଜି ଅନୁସାରେ ବେତନନୀତିର ନିର୍ଦ୍ଧାରଣ ହେବାର ସେହି ଜଙ୍ଗଲି ପ୍ରଥାଟା ମଧ୍ୟ କ୍ରମେ ବଦଳିବାକୁ ଆରମ୍ଭ କରିବ ।

ଶିକ୍ଷକ ତଥା ଅଧ୍ୟାପକମାନେ, ଏପରିକି ଜଣେ ଶିକ୍ଷକ ଓ ଜଣେ ଅଧ୍ୟାପକ ଇଚ୍ଛା କଲେ ନିଜର ଇସ୍କୁଲ କିମ୍ବା କଲେଜରେ କାଲିଠାରୁ ବି ବହୁ ଆଲୋଡ଼ନର କାରଣ ହୋଇପାରିବ । ଏବେ ତ ପାଠ ପଢ଼ାଇବାର ବେପାର କରି ବାହାରେ ଏତେ ଭଳି ଭଳି ଦୋକାନ ଖୋଲିଯାଉଛି ଯେ ପିଲାଏ ଆଉ ଇସ୍କୁଲ୍ ପଢ଼ା ଉପରେ ନିର୍ଭର କରୁନାହାନ୍ତି । ବାପା ମାଆଙ୍କର ପଇସା ଥିଲେ ଘରୋଇ ଭାବରେ ପାଠହାଟରୁ ସଉଦା କରି ହେଉଛି । ତଥାପି ଏପରି ପିଲା ବହୁ ସଂଖ୍ୟାରେ ରହିଛନ୍ତି, ଯେଉଁମାନେ କି ଆର୍ଥିକ ଅଭାବର କାରଣରୁ ସେପରି କରିପାରୁ ନାହାନ୍ତି । ବେଳେବେଳେ ଲାଗୁଛି, ଏହି ରୀତିରେ ଏପରି ଏକ ସ୍ଥିତି ଦେଶକୁ ଗିଳିବା ଲାଗି ମାଡ଼ିଆସୁଛି, ଯେତେବେଳେ ପଇସାବାଲା ହିଁ ସବୁ ପାଠଯତ୍ନର ଅଧିକାରୀ ହେବେ ଏବଂ ବହୁସଂଖ୍ୟକ ବାକିମାନେ ପୋଇଲୀ ହୋଇ ପଛରେ ରହିଯିବେ । ଏପରି ଜଣେ ଶିକ୍ଷକ ଯଦି ବାହାରିବ, ଯିଏକି ଅଭାବୀ ପିଲାଙ୍କୁ ଅଧିକ ସମୟ ଦେଇ ପାଠ ବତାଇଦେବ ଏବଂ ତଥାପି ପଇସା ମାଗିବ ନାହିଁ, ତେବେ ସେତିକିରେ କ’ଣ କମ୍ ଆଲୋଡ଼ନ ସୃଷ୍ଟି ହେବ ? ମାତ୍ର, ନିଜର ହାଡ଼ ମଜବୁତ ଥିଲେ ଯାଇ ସିଏ ସତକୁସତ ସେଭଳି କରିପାରିବ । ତା’ ସତୀର୍ଥ ଅନ୍ୟ ଶିକ୍ଷକମାନେ ସମ୍ଭବତଃ ତା' ପଛରେ ଲାଗିଯିବେ, ତା’ ପଛରେ ନଳ ଯୋଖିବେ, ଖଚ କହିବେ, ବଦନାମ କରାଇବାର ଚେଷ୍ଟା କରିବେ । ମନ୍ଦ ପରି ଭଲର ମଧ୍ୟ ଏକ ସଂକ୍ରମଣକାରୀ ଗୁଣ ରହିଛି । ତେଣୁ, ପିଲାମାନେ ଯାହା ପଟେ ରହିବେ, ପଇସା ନନେଇ ପାଠ ପଢ଼ାଇ ଦେଉଥିବା ଶିକ୍ଷକଟି ହିଁ ଅଲବତ ତିଷ୍ଠିବ, ବିଜୟୀ ହେବ । ଏହିପରି ବହୁତ ଦୃଷ୍ଟାନ୍ତ ରହିଛି । ଭିତରେ ଆଧାରଶିଳାଟି ସାହସ କରିପାରିଲେ ଜଣେ ଶିକ୍ଷକ ବହୁ ଆଲୋଡ଼ନରେ ପୁରୋଗାମୀ ହୋଇ ବାହାରିଯିବ । ଜଣେ ବାହାରିଲେ ସାଙ୍ଗକୁ କ୍ରମେ ଆଉ ପାଞ୍ଚଜଣ ବାହାରିବେ । ଏକ ବିକଳ୍ପ ଚାକ୍ଷୁସ ହୋଇ ଆସିବ । ସେମାନେ ବି ହାଉଲେ ହାଉଲେ ଏକ ସଂଘ ତିଆରି କରିପାରିବେ । ବେତନବୃଦ୍ଧିର ଦାବି ବେଳକୁ ପୁରୁଣା ସଂଘଟା ସହିତ ରହିବେ ଏବଂ ତଥାପି ସମାନ୍ତର ଭାବରେ ଶିକ୍ଷାର ପଟରେ ରହିଛନ୍ତି ବୋଲି ପ୍ରତ୍ୟୟ ବି ଦେଇ ପାରୁଥିବେ । ଏହି ଶିକ୍ଷକମାନଙ୍କୁ କୌଣସି ସରକାର ବା କୌଣସି ସଂଘ ବଳଦ ପରି ଅଡ଼ାଇ ନେଇପାରିବ ନାହିଁ ।

୨୩/୧୦/୨୦୦୦

Image

 

ଆଲୋଡ଼ନ ସୃଷ୍ଟି ହେଉ (୭)

 

ଗୁଳା ଭିତରେ ପଡ଼ି ବୁଢ଼ା ହେଉଥିବା ଶିକ୍ଷକମାନେ ଆଲୋଡ଼ନ ସୃଷ୍ଟି କରିପାରିବେ ନାହିଁ । ବିଶେଷତଃ ଶିକ୍ଷାର ସଂସାରଟିକୁ ବହୁ ବନ୍ଧନ ଭିତରେ ନିର୍ମମ ଭାବରେ ବାନ୍ଧି ରଖିଥିବା ଗୁଳାଗୁଡ଼ିକୁ ଭାଙ୍ଗିଦେବା ନିମନ୍ତେ ଯେଉଁଭଳି ଆଲୋଡ଼ନଟିଏ ଏକାନ୍ତ ଆବଶ୍ୟକ ହେଲାଣି, ପୂରୀ ବଧିର ବନି ଗୁଳା ଭିତରେ ରହି ଗାଲୁମାଧବଙ୍କ ପରି ଦିଶୁଥିବା ଶିକ୍ଷକମାନେ ସେହି ଆଲୋଡ଼ନକୁ ଆଦୌ ସାହସ ବି କରିପାରିବେ ନାହିଁ । ଏବଂ, ସର୍ବୋପରି ଯେଉଁ ସଂଘ ଅଥବା ମହାସଂଘ ସେମାନଙ୍କୁ ଦାଣ୍ଡକୁ ଅଡ଼ାଇ ଆଣି ସେମାନଙ୍କୁ ଯାବତୀୟ ଆର୍ଥିକ ମେଦବୃଦ୍ଧିର ପ୍ରଲୋଭନ ଦ୍ୱାରା ବାଇଆ କରି ବିକ୍ଷୋଭ ଇତ୍ୟାଦିରେ ବଗୁଲିଆ ହୋଇ ରହିବାରେ ହିଁ ନିଷ୍ଠାପର ଭାବରେ ଲାଗି ରହିଥିବ, ସେଇଟ ମଧ୍ୟ ଏଣେ ସମ୍ଭବତଃ କୌଣସି ନେତୃତ୍ୱ ଦେଇପାରିବ ନାହିଁ । ସେଇଟିକୁ ଦେଇପାରୁଥିଲେ ସ୍ୱାଧୀନ ଭାରତର ବିଗତ ପଚାଶ ବର୍ଷ ଭିତରେ ଶିକ୍ଷାର କ୍ଷେତ୍ରରେ କେତେକେତେ ଉତ୍ସାହଦାୟକ ପରିବର୍ତ୍ତନ ଅବଶ୍ୟ ହୋଇପାରିଥାନ୍ତା । ସଂଘ ପରାମର୍ଶ ଦେଉଥାଆନ୍ତା, ସରକାର କାର୍ଯ୍ୟକାରୀ କରୁଥାନ୍ତେ । କାର୍ଯ୍ୟକାରୀ ନକରି ଗତି ନଥାନ୍ତା । ତେଣୁ, ହୁଏତ ଏପରି ଅନ୍ଦାଜଟିଏ ଏଣିକି କରାଯାଇ ପାରିବ ଯେ ଆଲୋଡ଼ନର ସୃଷ୍ଟି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ହେବ । ଅନ୍ତତଃ ବିଶ୍ୱବିଦ୍ୟାଳୟ ଓ କଲେଜ ସ୍ତରରୁ ତାହା ଆରମ୍ଭ ହେବ । ତଳଆଡ଼କୁ ସଂକ୍ରମିତ ହୋଇ ଆସିବ । ଏବଂ ସର୍ବନିମ୍ନ ସ୍ତରରେ ଏକାନ୍ତ ଯୁକ୍ତିଯୁକ୍ତ ଭାବରେ ଅଭିଭାବକମାନେ ହିଁ ସେମାନଙ୍କର ପିଲାମାନଙ୍କର ଶିକ୍ଷାବରାଦଗୁଡ଼ିକ ବିଷୟରେ ମୂଳ ଭୂତ ଚିନ୍ତା ଏବଂ ଫଇସଲାଗୁଡ଼ିକୁ କରିବା ଲାଗି ଅଗ୍ରସର ହୋଇ ଆସିବେ । ଏକଥା ହୋଇପାରିଲେ ଦେବୀ ସରସ୍ଵତୀ ଅନ୍ତତଃ କିଞ୍ଚତ୍ ଆଶ୍ୱସ୍ତ ହୋଇ ନିଃଶ୍ୱାସ ମାରିପାରିବେ ।

 

ଶିକ୍ଷାକୁ ନେଇ ଏଇଟି ହେଉଛି ଆମ ପୃଥିବୀର ଆଧୁନିକତମ ଚିନ୍ତା, ସବୁଠାରୁ ଅଧିକ ଯଥାର୍ଥ ଭାବରେ ବିଜ୍ଞାନସମ୍ମତ ଚିନ୍ତା । କୌଣସି ଉଚ୍ଚ ଶିକ୍ଷାନୁବିଧାନର ବିଚାରରେ ନିର୍ବାଚିତ ଛାତ୍ର ପ୍ରତିନିଧିମାନଙ୍କର ଅବଶ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ସକ୍ରିୟ ଭାଗ ରହିବ । ସେମାନେ ସମ୍ପୃକ୍ତ କର୍ତ୍ତା ତଥା ଅଧ୍ୟାପକମାନଙ୍କ ସହିତ ଏକାଠି ବସି କାମ୍ୟ ଯାବତୀୟ ଶିକ୍ଷାନ୍ୱୟନର ରୂପରେଖ ନିର୍ଣ୍ଣୟ କରିବେ-। ଏବପରି ନୀତି ତଥା ପଦ୍ଧତିଗୁଡ଼ିକର ନିର୍ଦ୍ଧାରଣ କରିବା ପାଇଁ କୌଣସି ଥାନପତି ବା ଥାନାଧିପତିକୁ ନିଶୁଆ ହୋଇ ମୋଟେ ବସିବାକୁ ପଡ଼ିବ ନାହିଁ । କୁଳ କହିଲେ ଯାବତୀୟ ଅର୍ଥ-ସନ୍ଦର୍ଭରେ ଛାତ୍ରମାନଙ୍କୁ ବୁଝାଇବ । ପୃଥିବୀର ଏକାଧିକ ବିଶ୍ୱବିଦ୍ୟାଳୟରେ ଏହି କଥାଟିକୁ ହୃଦୟଙ୍ଗମ କରାଗଲାଣି ଓ ପ୍ରକ୍ରିୟାଟିର ନାନାବିଧ ପ୍ରୟୋଗ ମଧ୍ୟ ଆରମ୍ଭ ହୋଇସାରିଲାଣି । ଆମ ବିହାରମାନଙ୍କରେ ତୁଚ୍ଛା ପାକୁଆମାନେ ହିଁ ଚଉକୀମାନଙ୍କରେ ବସି ଶାସନ କରୁଛନ୍ତି । ସାନ୍ତନୁ ବନି ଭୀଷ୍ମମାନଙ୍କୁ ବଞ୍ଚିତ କରି ରଖିଛନ୍ତି । ଆହୁରି ଆଗକୁ ସମଗ୍ର ପୃଥିବୀକୁ ବୈପୁଲ୍ୟର ଯେଉଁ ପ୍ରତିଶ୍ରୁତିମୟ ଯୁଗଟି ଆସୁଛି, ସେମାନେ ତା’ର କୌଣସି ଖବର ରଖିନାହାନ୍ତି । ନିଜ ଦ୍ୱାରା ଅପଶାସିତ ସେହି ଶିକ୍ଷାଦ୍ୱୀପଗୁଡ଼ିକର ପରିସ୍ଥିତିକୁ ଏପରି ଅସୃଜନାତ୍ମକ କରି ରଖିଛନ୍ତି ଯେ, ଛାତ୍ରଛାତ୍ରୀମାନେ ସେଠାରେ ଚଉକୀ ଟେବୁଲ୍ ଫୋପଡ଼ାଫୋପଡ଼ି ହୋଇ ପାରୁଛନ୍ତି ଓ ଗାଡ଼ି ମଟର ପୋଡ଼ି ପାରୁଛନ୍ତି ସିନା, ମାତ୍ର ଆପଣାର ଅସଲ ଶିକ୍ଷାଧିକାରଗୁଡ଼ିକ ବିଷୟରେ ସମ୍ପୂର୍ଣ୍ଣ ଅଚେତନ ହୋଇ ରହିଛନ୍ତି । କେତେଟା ପରୀକ୍ଷାରେ ବସି ଓ ଉତ୍ତୀର୍ଣ୍ଣ ହୋଇ ବୟସ ସାରୁଛନ୍ତି । ଶିକ୍ଷା ଯେ ଏକ ବିମୋଚନକାରୀ ଲୋଚନ ଆଣି ଦେଇପାରେ, ଅଭିଶାପ ପାଇଥିବା ପରି ସେମାନେ ସିଆଡ଼କୁ ଆଉ ଚିନ୍ତା ହିଁ କରିପାରୁ ନାହାନ୍ତି ।

 

ଅଧ୍ୟାପକମାନେ ମହଜୁଦ ରହିଥିବେ, ଅଥଚ ଶ୍ରେଣୀଗୃହକୁ ଆସିବେ ନାହିଁ, ବର୍ଷ ପରେ ବର୍ଷ ସେହି ପୁରୁଣା ମାଟିଗୁଡ଼ାକୁ ହିଁ ଗାଳିବାରେ ଲାଗିଥିବେ ଓ ତରୁଣ ଜିଜ୍ଞାସୁମାନଙ୍କର ଆଖିଗୁଡ଼ିକୁ ଦନ୍ଥଡ଼ା କରିଦେଉଥିବେ,– ଏକଥା ଛାତ୍ରମାନେ କ’ଣ ପାଇଁ ବର୍ଷ ବର୍ଷ ଧରି ମାନିନେଉଥିବେ ? ନିଜ ଆଚାର୍ଯ୍ୟମାନଙ୍କୁ ସେମାନେ ଶ୍ରେଣୀଗୃହକୁ ବାଧ୍ୟ କରି ଆଣି ନପାରିବେ କାହିଁକି ? ସେମାନଙ୍କୁ ନିଜ ସହିତ ଗ୍ରନ୍ଥାଗାରକୁ କାହିଁକି ଟାଣିନେଇ ନପାରିବେ ? ଶ୍ରେଣୀଗୃହର ଶିକ୍ଷାଦାନଟା ଗୋଟାଏ ନିତାନ୍ତ ତୃତୀୟ ଶ୍ରେଣୀର ଲେକ୍‍ଚର ନହୋଇ ଏକ ପାରସ୍ପରିକ ଜୀବନ୍ତ ଡାଏଲଗ୍‍ର ଅବସର କାହିଁକି ଯୋଗାଇ ଦେଇପାରିବ ନାହିଁ, ସେକଥାକୁ ଛାତ୍ରଛାତ୍ରୀ ପ୍ରାୟ ଏକ ଧର୍ମର ପାଳନ କରୁଥିବା ପରି ମହାଭାଗମାନଙ୍କ ସହିତ ଏକାଠି ଖୋଲାରେ ବସି ଆଲୋଚନା ନକରିବେ କାହିଁକି ? ଏବଂ ସର୍ବୋପରି, ଅଧ୍ୟାପକକୁଳ ଯେଉଁ ଦୁଃଖ, ଗରଜ ଅଥବା ଦୁର୍ବୁଦ୍ଧିରେ ପଡ଼ି ସେମାନଙ୍କର ବେତନ ଭରଣା କରୁଥିବା ଆନୁଷ୍ଠାନିକ ସାହୁକାରମାନଙ୍କ ସହିତ ଝଗଡ଼ା ବା ଝାମେଲା କରି ଧର୍ମଘଟ ଯାଏ ହୁଏତ ମାଡ଼ିଯାଆନ୍ତୁ ପଛକେ, କିନ୍ତୁ ସେଥିଲାଗି ସେମାନେ କେଉଁ ଅଧିକାର ବଳରେ ଛାତ୍ରମାନଙ୍କୁ ପାଠ ପଢ଼ାଇବାକୁ ଆସିବେ ନାହିଁ ? ଦୁଇ ପକ୍ଷର ଉପସ୍ଥିତିରେ ତାହାର ଏକ ବିତର୍କ ବି ହେଉ । ଦୁଇପକ୍ଷ ପ୍ରଶ୍ନ କରନ୍ତୁ ଏବଂ ଦୁଇପକ୍ଷ ଜବାବ ଦିଅନ୍ତୁ । ଆମ ଆଜ୍ଞାମାନଙ୍କର ଖିଏ ସୂତା ମଧ୍ୟ ସେମାନଙ୍କ ଭିତରେ ବିବେକ ନାମକ ସେହି ବସ୍ତୁଟି ସହିତ ତଥାପି ଲାଗିଥଲେ, ଏହି ବିତର୍କ ଓ ସେଥିରୁ ଉଦ୍‌ବୁଦ୍ଧ ଏକ ବୁଝାମଣା କାହିଁକି ଯେ ସମ୍ଭବ ନହେବ, ତାହାର କୌଣସି କାରଣ ନାହିଁ । ମାତ୍ର ଏତିକି ହୋଇପାରିବା ନିମନ୍ତେ ସଂପୃକ୍ତ ଗଡ଼ମାନଙ୍କରେ କ’ଣ କମ୍ ଆଲୋଡ଼ନ ସୃଷ୍ଟି କରିବାର ପ୍ରୟୋଜନ ରହିଛି ? ଶିକ୍ଷାଦାନର ଦ୍ୱାହିଦେଇ କାଳକ୍ରମେ ଗୋଡ଼ ଖସାଇ ଖସାଇ ଗୋଟାସୁଦ୍ଧା ଦୋଚାରୁଣୀ ହୋଇଯାଉଥିବା ଅଧ୍ୟାପକମାନଙ୍କୁ ପୁନର୍ବାର ଘରକୁ ଫେରାଇ ଆଣିବା ସକାଶେ ଯେଉଁ ବୃହତ୍ ଆଲୋଡ଼ନଟିର ଆବଶ୍ୟକତା ରହିଛି, କେବଳ ଛାତ୍ରଛାତ୍ରୀ ହିଁ ତାହା କରିପାରିବେ ।

 

କଲେଜ ତଳକୁ ହାଇସ୍କୁଲ, ମାଇନର ସ୍କୁଲ ଏବଂ ପ୍ରାଇମେରୀ ସ୍କୁଲ । ପିଲାମାନଙ୍କର ବୟସ କଅଁଳ । ଏବଂ କଅଁଳ ବୋଲି ହିଁ ସେମାନେ ଅଧିକ ଗ୍ରହଣଶୀଳ ଏବଂ ଅଧିକ ସ୍ପର୍ଶକାତର । କଲେଜ ପାଠ ନିମନ୍ତେ ଯୋଗ୍ୟ ହେବା ସକାଶେ ଓଡ଼ିଶାରେ ଚାରି ଲକ୍ଷ ସରିକି ପିଲାଙ୍କର ଯେଉଁ ପରୀକ୍ଷା ହୁଏ, ସେଥିରେ ଶିକ୍ଷା କଥା ଯେତେ ନପଡ଼େ, ମହାଜନୀ କାରବାର ତା'ଠାରୁ ଅଧିକ ପରିମାଣରେ ହୁଏ । ହୁଏତ ବିଭାଗୀୟ ମହାଭୈରବ ମାନଙ୍କୁ ହାତଗୁଞ୍ଜା ଦେଇ ନିଜକୁ ମନୋମତ କୌଣସି ଜାଗାରେ ରଖାଇପାରିବା ନିମନ୍ତେ ଏହି ସ୍ତରରେ ଶିକ୍ଷକରୂପୀ ଶ୍ରମିକମାନଙ୍କୁ ଅଧିକ ହନ୍ତସନ୍ତ ହେବାକୁ ପଡ଼ିଥାଏ । ହନ୍ତସନ୍ତ ହେବାର ଯାବତୀୟ ଗ୍ଲାନିଭାବନାକୁ କିଞ୍ଚତ୍ ମେଣ୍ଟାଇବା ନିମନ୍ତେ ସେମାନେ ପିଲାଙ୍କ ଉପରେ ଅଧିକ ଦାଉ ମଧ୍ୟ ସାଧନ୍ତି । ସେମାନଙ୍କୁ ନିଜର ବୋଲ ମାନୁଥିବା ପଲେ ପାତିମାଙ୍କଡ଼ କରି ରଖିଥାନ୍ତି । ଟିଉସନ ନାମକ ଦରବାରରେ ପଲ-ପରିମାଣରେ ଗଧ କରିବାରେ ମସ୍ତ ଥାଆନ୍ତି ଏବଂ ସେହି ବାବଦରେ କିଛି ଅଧିକ ଅର୍ଥର ଉପାର୍ଜନ ପାଇଁ ଆପଣାକୁ କଲେଜ ସ୍ତରର ଅଧ୍ୟାପକମାନଙ୍କ ବିଷୟରେ ରହିଥିବା ପ୍ରାୟ ଏକ ପାରମ୍ପରିକ ହୀନମନ୍ୟତାରୁ ଭୁଲାଇ ରଖିବାକୁ ପ୍ରୟାସ କରିଥାନ୍ତି । କପି କରିବା, କପି ଧରିବା, ପ୍ରଶ୍ନ ପ୍ରଘଟ ହେବା, ଖାତାଗୁଡ଼ାକ ଦେଖାହେଉଥିବା ଥାନମାନଙ୍କରେ ଉଣ୍ଡି ଉଣ୍ଡି ପହଞ୍ଚିବା ଓ ଫଳ ବାହାରିବା ପୂର୍ବରୁ ଯଥାନୁକୂଳ ଉଦ୍ୟମ କରି କୃତିସ୍ଥାନଟିଏ ହାସଲ କରାଇବା ଏବଂ ସର୍ବୋପରି ଚୋର ଧରାଳିମାନଙ୍କୁ ରାଜ୍ୟସାରା ବରଗି ପ୍ରାୟ ଏକ ରୋମାଣ୍ଟିକ୍ କୋଳାହଳକୁ ସଂପୃକ୍ତ ସମସ୍ତଙ୍କ ଲାଗି ଜୀବନ୍ତ କରି ରଖିବା– ଏସବୁ ଗୋଟିଏ ସମାଜ ଓ ତାହା ସାମନ୍ତମାନଙ୍କର ବର୍ଣ୍ଣ ତଥା ସ୍ତରକୁ ଚିହ୍ନିବା ଦୃଷ୍ଟିରୁ ନାନା ଉପାଦେୟ ତଥ୍ୟ ଯୋଗାଇ ଦେଇଥାଏ । ଏବଂ ସେଥିରେ ବାହାରୁ ଦୁଇଟା ଅଲଗା ଅଲଗା ପକ୍ଷ ଭଳି ଦେଖାଯାଉଥିବା ସ୍ଵାର୍ଥମାନେ ଅତ୍ୟନ୍ତ ଅଭ୍ୟସ୍ତ ଅପରାଧୀଙ୍କ ପରି ପୂର୍ଣ୍ଣ ଲିପ୍ତ ହୋଇ ରହିଥାନ୍ତି । ଗୋଟାଏ ଖଜୁରୀ ଗଛ ଆଉ ଗୋଟାଏ ଖଜୁରୀ ଗଛକୁ ଦାୟୀ କରିବାରେ ଲାଗିଥାଏ । ଖୁବ୍ ଜମେ । ଶିକ୍ଷା ମାଡ଼ ଖାଇଯାଉଥାଏ । ଏହି କ୍ଷେତ୍ରରେ ମଧ୍ୟ ଅଭିଭାବକମାନେ ନାନା ଭଳି ଆଲୋଡ଼ନ ସୃଷ୍ଟି କରିପାରିବେ । ଏହି ତାମସାମାନେ ବଦଳନ୍ତୁ ବୋଲି ଯେତେବେଳେ ସେମାନେ ଅତ୍ୟାବଶ୍ୟକ ବୋଲି ଭାବିବେ, ସେତେବେଳେ ସେମାନଙ୍କର ଶିବିରରୁ ସେହି ନେତୃତ୍ୱଟିକୁ ସଂଭବ କରି ଆଣିବା ଲାଗି ଅବଶ୍ୟ ଆବଶ୍ୟକ ରଣ କୌଶଳଗୁଡ଼ିକୁ ଖୋଜାହେବ । ଆଗ କେତୋଟି ବିଦ୍ୟାଳୟର ପିତାମାତା ଏହି ଦିଗରେ ଏକ ପଦକ୍ଷେପ ଗ୍ରହଣ କଲେ ତାହା ରାଜ୍ୟଯାକ ବ୍ୟାପିଯିବ । ଦରବାରମାନେ ଆହୁରି ଅଧିକ ଧରାପଡ଼ି ଯାଉଥବେ ଏବଂ ଧରା ପଡ଼ୁପଡ଼ୁ ବିଦା ବି ହେବେ । ଶିକ୍ଷାରେ ଏକ ସୁସ୍ଥ ଯୁଗ ପାଇଁ ଭୂମି ପ୍ରସ୍ତୁତ ହୋଇଯିବ ।

 

ସେଦିନ ଗୁରୁଦିବସର ଅବସରରେ ଏକ ବିଶ୍ଵବିଦ୍ୟାଳୟ ଅନୁଷ୍ଠାନରେ ସମସ୍ତେ ସଭା ମଣ୍ଡାଇ ବସିଥିଲେ । ଭାରତବର୍ଷରେ ରହି ଆସିଥିବା ମହାନ୍ତି ଗୁରୁପରମ୍ପରାର ଚର୍ଚ୍ଚାକୁ ସମସ୍ତେ ମଣୋହି କରିବାରେ ଲାଗିଥିଲେ । ମୋ ପାଳି ପଡ଼ିବାରୁ ମୁଁ ମଧ୍ୟ କିଛି କହିବା ଲାଗି ଛିଡ଼ାହେଲି । ପ୍ରତ୍ୟେକ ଶିକ୍ଷକ ନିଜକୁ ଉଭୟ ଶିକ୍ଷକ ତଥା ଛାତ୍ର ବୋଲି ଅନୁଭବ କରୁଥିବ, ଅତ୍ୟନ୍ତ ସ୍ଵାଭାବିକ ଭାବରେ ତାହା କରିପାରୁଥିବ, ଭାରତବର୍ଷର ବାହାରେ ଏବଂ ଭିତରେ ସମ୍ଭବତଃ ତାହାକୁ ହିଁ ଏହି କ୍ଷେତ୍ରରେ ସୁସ୍ଥତମ ପରମ୍ପରା ବୋଲି କୁହାଯିବ । ମୁଁ ମଧ୍ୟ ଭାରତୀୟ ଶାସର ଶ୍ଳୋକଟିଏ ଆଣି ନିଜର ବକ୍ତବ୍ୟ ଆରମ୍ଭ କଲି । ଅସଲ ଗୁରୁ ସିଏ, ଯିଏ ତା’ ଛାତ୍ର ଦ୍ୱାରା ପରାଜିତ ହୁଏ । ସେହିଭଳି ଅସଲ ବାପ ସିଏ, ଯିଏ ତା’ର ଅପତ୍ୟ ଦ୍ୱାରା ପରାଜିତ ହୋଇଥାଏ । ଅଭିମାନୀ ଗୁରୁମାନେ ଚିରଦିନ ପ୍ରଧାନତଃ ଦିଗ୍‌ବିଜୟ କରି ବାହାରିଛନ୍ତି ଏବଂ ସେଥିରେ ସଫଳତା ଲାଭକରି ଡିଣ୍ଡିମ ବଜାଇଛନ୍ତି । ଏହିପରି ଗିଳି ହୋଇ ଯାଇଥିବା ଛାତ୍ରମାନଙ୍କୁ ହିଁ ସବୁଠାରୁ ଅଧିକ ଅନୁଗତ ଛାତ୍ର ବୋଲି କୁହାଯାଇଛି । ବିଦ୍ୟାର ବଣିଜଗୁଡ଼ିକୁ ଭଣ୍ଡୁର କରି ରଖାଯାଇଛି । ଆମ ଏ ଯୁଗର ଗୁରୁମାନେ ମଧ୍ୟ ସେହି ବିଷୟରେ ସଦା ସାବଧାନ ରହିବେ । ସ୍ୱାଧୀନ ଭାରତର ଜ୍ଞାନକୋଠାମାନଙ୍କରେ ଦିନକୁଦିନ ପ୍ରାୟ ଏକ ଅଲକ୍ଷଣ ପ୍ରକୋଷ୍ଠରେ ଭାରି ନିକୃଷ୍ଟ ନିର୍ଭରଶୀଳତାମାନ ଯେ ବୃଦ୍ଧି ପାଇଆସିଛି, ଆମ ଭଳିଭଳି ଅଳିନ୍ଦର ଗୁରୁମାନେ ଛାତ୍ରମାନଙ୍କୁ ଗିଳି ପକାଇବାର ବିପରୀତ ରୀତିଟାକୁ ହିଁ କାମୁଡ଼ି ପଡ଼ିରହିଛନ୍ତି ବୋଲି ଆଉ ସେପରି ହୋଇଛି କି ? ନିଜ ଭିତରର ଛାତ୍ରଟି ସହିତ ସେମାନେ ବଇରୀପଣ କରି ଆସିଛନ୍ତି କି କ'ଣ, ଛାତ୍ରମାନଙ୍କର ବାଟ ଓଗାଳି ବସିଛନ୍ତି । ନିଜ ଭିତରର ଛାତ୍ରଟି ସହିତ ଯେଉଁ ଗୁରୁର ନିତ୍ୟ ବିରୋଧ ଲାଗି ରହିଥାଏ, ସେଇ ବିଶେଷ ଭାବରେ ଉତ୍ସାହ-ସରସର ହୋଇ ସମ୍ଭବତଃ ସଂଘ ଭିତରେ ପଶିଯିବା ନିମନ୍ତେ ତରତର ହେଉଥାଏ । ସଂଘରେ ସାଧୁ ଅଭିପ୍ରାୟଗୁଡ଼ିକୁ ବି ପଙ୍କିଳ କରିଦିଏ ।

 

ନିଜ ଛାତ୍ରମାନଙ୍କ ପାଖରେ ପରାଜିତ ହେବା ସକାଶେ ଆମର ସମ୍ମାନାସ୍ପଦ ଗୁରୁମାନେ ସତକୁସତ ଯୋଗ୍ୟ ହୁଅନ୍ତୁ, ଆମେ ଛାତ୍ରମାନେ ଗୁରୁଦିବସର ପବିତ୍ର ଉପଲକ୍ଷ୍ୟଟିରେ ଈଶ୍ଵରଙ୍କ ପାଖରେ ଚାଲ ସେହି ପ୍ରାର୍ଥନାଟି କରିବା ବୋଲି ମୁଁ ଉପସଂହାର କରି ବକ୍ତବ୍ୟଟିକୁ ସମାପ୍ତ କରିଥିଲି । କଥାଗୁଡ଼ିକ ଗୁଳାରେ ବାଟ ଚାଲୁଥିବା ଗୁରୁ ବା ଛାତ୍ର କାହାକୁ ମୋଟେ ଭଲ ଲାଗିବ ନାହିଁ । ଏବଂ, ଛାତ୍ରମାନଙ୍କୁ ଗିଳି ପକାଇବା ନିମନ୍ତେ ଇଚ୍ଛା ନକରୁଥିବା ଶିକ୍ଷକଟିଏ ହିଁ ଯଥାର୍ଥ ଆଲୋଡ଼ନ ପାଇଁ ଭାଜନ ହୋଇପାରିବ । ଯଥାର୍ଥ ଆଲୋଡ଼ନ ସୃଷ୍ଟି କରିପାରୁଥିବା ଶିକ୍ଷକମାନେ କଦାପି ନଭୋମଣ୍ଡଳରୁ ଆଉ କେଉଁଠାରୁ ଆମ ବିଦ୍ୟାଳୟଗୁଡ଼ିକର କ୍ଷେତ୍ରକୁ ଖସି ପଡ଼ିବେ ନାହିଁ । ଆମ ଛାତ୍ରମାନେ ଇଚ୍ଛା କଲେ ଏବଂ ଅସଲ ଜିଦ୍ ଗୁଡ଼ିକୁ ଆବିଷ୍କାର କରିପାରିଲେ ଯାଇ ହୁଏତ ଆମ ଆଚାର୍ଯ୍ୟମାନେ ବଦଳିବେ । ନିଜକୁ ଆମର ସଖା ଏବଂ ସମଧର୍ମୀ ସହଭାଗୀ ବୋଲି ଅନୁଭବ ବି କରିବାକୁ ଆରମ୍ଭ କରିବେ । ପରିବର୍ତ୍ତନର ଏହି ପ୍ରକ୍ରିୟାଟିରେ ସରକାରର ଭୂମିକା ବସ୍ତୁତଃ ଅତ୍ୟନ୍ତ ଗୌଣ ହୋଇ ରହିବ । ଛାତ୍ର ଓ ଶିକ୍ଷକ ଯେପରି ଆପଣାର ସର୍ବୋତ୍ତମ ଶ୍ରଦ୍ଧା ତଥା ସମ୍ମତିଗୁଡ଼ିକ ସହିତ ପରସ୍ପରକୁ ଭେଟି ପାରୁଥିବେ ଏବଂ ପରସ୍ପରକୁ ଚିହ୍ନିନେଇ ପାରୁଥିବେ, ଏକ ସରକାର ସେଥିସକାଶେ ହୁଏତ ଆବଶ୍ୟକ ପରିମଳଟିଏ ଯୋଗାଇ ଦେବାକୁ ଚେଷ୍ଟା କରୁଥବ-। ଏବଂ ସେଇଟି ସମ୍ଭବ ହେବା ପର୍ଯ୍ୟନ୍ତ ଏହି ଦୁଇପକ୍ଷ ଯେ ପରସ୍ପରଠାରୁ ଦୂରଛଡ଼ା ହୋଇ ରହିଥିବେ, ସେପରି ମଧ୍ୟ କାହିଁକି ହେବ ?

 

୩୦/୧୦/ ୨୦୦୦

Image

 

କାମଳଆଖି କମଳଭୁକ୍

 

ମଣିଷ ନିମନ୍ତେ ଭୋକ ହେଉଛି ଏକ ବୃହତ୍ ଦାନ । ଇତରପ୍ରାଣୀଙ୍କର ଭୋକ ଏବଂ ଆମ ମଣିଷମାନଙ୍କର ଭୋକ, ଦୁଇଟା ମୋଟେ ଗୋଟାଏ କଥା ନୁହେଁ । ମଣିଷମାନଙ୍କର ଅକଲ ଏବଂ ବିଚରଣ ବଢ଼ିବା ସଙ୍ଗେ ସଙ୍ଗେ ସେମାନଙ୍କର ଭୋକଟ ମଧ୍ୟ ଏକାବେଳେକେ ବହୁତ ସ୍ତରକୁ ବିସ୍ତାରିତ ଏବଂ ସଂପ୍ରସାରିତ ହୋଇଯାଇଛି । ଅତୀତର ସ୍ଥାନୀୟ ମଣିଷଟି କାଳର ଆହ୍ୱାନଗୁଡ଼ିକ ଦ୍ଵାରା ଆକର୍ଷିତ ହୋଇ ସମଗ୍ର ପୃଥିବୀକୁ ନିଜ ଭୋକର ପରିପ୍ରେକ୍ଷୀରେ କଳନା କରିପାରିଲାଣି । ଏହି ଆକର୍ଷଣଟା କେବଳ ବାହାରର ମୋଟେ ନୁହେଁ, ଭିତରର ଆକର୍ଷଣଟା ସତେଅବା ଅଧିକ ଆତ୍ମବିଶ୍ୱାସ ଯୋଗାଇ ଦେଇ ମଣିଷମାନଙ୍କୁ କାଳେ କାଳେ କେତେମନ୍ତେ ପାହଚ ପରେ ପାହଚ ଏବଂ ପରିଧି ପରେ ପରିଧି ଡିଆଁଇ ନେଇଯାଇଛି, ଆମ ପୃଥିବୀଟାର ଗତ ବହୁ ବହୁ ଶତାବ୍ଦୀର ଇତିହାସ ହିଁ ସେକଥା କହିପାରିବ । ଏବେ ମଧ୍ୟ ମଣିଷ ସ୍ଥାନୀୟ ହୋଇ ରହିଛି । ମାତ୍ର ତା’ର ନିଘାଗୁଡ଼ାକ ଯାବତୀୟ ସ୍ଥାନୀୟତାର ଗାରମାନଙ୍କୁ ଡେଇଁ କେତେ କେତେ ନୁଆ ଆକାଶ ତଥା ଦୁଃସାହସକୁ ସ୍ପର୍ଶ କରିବାକୁ ନିରନ୍ତର ମନ କରିଆସିଛି । ଶାଖା ପରେ ଶାଖା ବିସ୍ତାର ଲାଭ କରିଛି, ମାତ୍ର ତା’ ବୋଲି ଚେରଗୁଡ଼ାକୁ ଅସ୍ୱୀକାର କରିବାର କାହିଁକି କୌଣସି ଅବକାଶ ରହିବ ?

 

ଏହି ଭୋକଟା ଖାଲି ପେଟର ଭୋକ ବୋଲି ସମଝୁଥିବା ସେହି ଆଦିମ ଯୁଗର ମଣିଷ ଭିତରୁ ଉନ୍ମାଦନା ପରେ ଉନ୍ମାଦନା ପାଇ ଆହୁରି କେତେ କିସମର ଓ କେତେ ସ୍ତରର ଭୋକକୁ ଚିହ୍ନିବାରେ ସମର୍ଥ ହୋଇଛି । ଏହି ସାମର୍ଥଟିକୁ ଅମାପ କରି ରଖିବାରେ ବାହାରଟା ଭିତରକୁ ଏବଂ ଭିତରଟା ବାହାରକୁ ଉସ୍‌କାଇ ଆସିଛି । ଉସ୍‌କାଇବାର ସେହି ପ୍ରକ୍ରିୟାଟି ଏବେ ମଧ୍ୟ ଲାଗି ରହିଛି ଏବଂ ଅନ୍ୟ ବହୁ ଅନ୍ୟ ପ୍ରାଣୀଙ୍କର ତୁଳନାରେ ଏଡ଼େ ଟିକିଏ ପରି ଦେଖାଯାଉଥିଲେ ମଧ୍ୟ ମଣିଷକୁ ମହିମାଯୁକ୍ତ କରି ରଖିଛି । ଭୀରୁତାମାନେ କଟି ଯାଇଛନ୍ତି । ଦୂରତାମାନେ ନିରର୍ଥକ ବୋଲି ପ୍ରମାଣିତ ହୋଇଛନ୍ତି । ବିସ୍ମିତ ମନୁଷ୍ୟର ବିସ୍ମୟରେ ସତରେ ଆଦୌ କୌଣସି ସୀମା ରହିଛି ବୋଲି ଆଦୌ ମନେ ହୋଇନାହିଁ । ଯେଉଁମାନେ ପର ବୋଲି ଲାଗୁଥିଲେ, ସେମାନେ ପ୍ରକୃତରେ କେଡ଼େ ପାଖର ବୋଲି ପ୍ରତୀତ ହୋଇ ଆସିଛନ୍ତି । ଜ୍ଞାନ ନିଜର ସହୋଦର ରୂପେ ବିଜ୍ଞାନ ନାମକ ଆଉ ଗୋଟିକୁ ଘରକୁ ଡାକିଆଣିବା ପରେ ମନୁଷ୍ୟର ବାସନା ତଥା ଆସ୍ପୃହାରେ ଆହୁରି କେତେକେତେ ଡେଣା ଆସି ଲାଗିଯାଇଛି, କେତେ ନୂଆ ସତ୍ୟ ସହିତ ସ୍ପର୍ଶଲାଭ ଘଟିଛି । ସତ୍ୟକୁ ସ୍ପର୍ଶ କରି ମଣିଷର ଅନ୍ଦାଜମାନଙ୍କୁ ଅଳପ କରି ରଖିଥିବା ଅନେକ ସଂସ୍କାର ଏବଂ ଅହଙ୍କାରରୁ କେଡ଼େ ସହଜରେ ମୁକ୍ତି ବି ମିଳିଛି । ଯାବତୀୟ ବିଦ୍ୟା ଏବଂ ଏକାଧିକ ବାସ୍ତବ ଅର୍ଥରେ ବିଶ୍ୱବିଦ୍ୟାରେ ପରିଣତ ହୋଇଯିବାର ବଳିଷ୍ଠ ବହୁ ଉଦ୍‌ବୋଧନ ଆଣି ଦେଇଯାଇଛି । ବିସ୍ତାରକୁ ବାଟ ଛାଡ଼ିଦେଇ ଗଭୀରର ପରିଚୟ ମିଳିଛି ଏବଂ ଗଭୀରକୁ ବାଟ ଛାଡ଼ିଦେଇ ବିସ୍ତାରର ପରିଚୟ ବି ମିଳିଯାଇଛି । ଅନ୍ନରୁ ଅଧାତ୍ମଯାଏ ଯେ ଗୋଟିଏ ସିଡ଼ିରେ ମଣିଷର ଭୋକମାନେ ଏକତ୍ର ପରିପୂରକ ଭାବରେ ଗୁନ୍ଥା ହୋଇ ରହିଛନ୍ତି, ପ୍ରାଚୀନ ଋଷିମାନଙ୍କର ସେହି ଅନୁମାନଟି ସତେଅବା ଆମ ଏଯୁଗରେ ପ୍ରତ୍ୟକ୍ଷ ରୂପେ ଅନୁଭୂତ ହେବାରେ ଲାଗିଛି । ଯାବତୀୟ ସଂସ୍କୃତିର ଇତିହାସକୁ ଆମେ ମନ କଲେ ଭୋକର ଏକ କ୍ରମୋତ୍ତର ଇତିହାସ ବୋଲି ଆଲୋଚନା ବି କରିପାରିବା ।

 

ଆପଣାର ଚାଲିବା ବାଟରେ ମଣିଷମାନେ ଭିତରୁ ବା ବାହାରୁ ଗୋଟାଏ ଖଳ ପରାମର୍ଶ ପାଇ ଭୋଗକୁ ହିଁ ଭୋକର ପରିପୂର୍ତ୍ତକାରୀ ଉତ୍ତର ବୋଲି ମାନିନେଲେ କାହିଁକି କେଜାଣି ? ଏହି ଭୋଗ ଭୋକର ପ୍ରଶମନ ଘଟାଏ । ମାତ୍ର ଯାବତୀୟ ସୁସ୍ଥ ଭୋକ ଭୋକର ପ୍ରକ୍ରିୟାରେ ସର୍ବତ୍ର ଏକ ସ୍ତର-ପରିବର୍ତ୍ତନ ଘଟାଇଥାଏ । ଭୋଗ ଅଠପରି ବାନ୍ଧି ପକାଏ, ମଣିଷର ବୃତ୍ତିଗୁଡ଼ାକୁ ଗୋଦଡ଼ା କରି ପକାଏ । ଭୋକ ସବୁବେଳେ ଏକ ଉତ୍ତୋଳନର ଯୋଗ୍ୟତା ଆଣିଦିଏ-। ଏ ସ୍ତରର ଭୋକ ଏକ ପ୍ରଶସ୍ତତର ଭୋକସ୍ତରକୁ ବାଟ କଢ଼ାଇ ନେଇଯାଏ; ଭୋଗର ଅନ୍ୟ ବାଟଟି ଯେଉଁଠି ସେଇଠି ଘୁଷୁରି କରି ରଖିବାର ଚକ୍ରାନ୍ତ କରିଥାଏ । ପରବର୍ତ୍ତୀ ଅନ୍ୟ ସୋପାନଗୁଡ଼ିକ ନିମନ୍ତେ ସମର୍ଥ ହେବା ନିମନ୍ତେ ଅନ୍ନର ଅବଶ୍ୟ ପରିପୂରଣ ହେବା ଏକାନ୍ତ ଆବଶ୍ୟକ । ମାତ୍ର, ବହୁତ ମନୁଷ୍ୟଙ୍କର ଜୀବନରେ କ’ଣ ସବୁ ଅପଲାଳସା କାହିଁକି ଆସି ପ୍ରବେଶ କରିପକାଏ କେଜାଣି, ସେମାନେ ସାତପରସ୍ତ ଯାଏ ସେହି ଅନ୍ନରେ ହିଁ ପଡ଼ି ରହିଥାଆନ୍ତି– ଅନ୍ନ ଦ୍ଵାରା ପୃଥୁଳ ହେବାକୁ ହିଁ ଧର୍ମ ବୋଲି ଧରିନିଅନ୍ତୁ । ତା'ପରେ ନିଜ ଉପରୁ ସବୁଯାକ ଅକ୍ତିଆର କ୍ରମେ ଖସି ଯାଉଥିଲା ପରି ସେମାନେ ଏକା ହିଁ ଯଥାସମ୍ଭବ ଏଠି ଯାବତୀୟ ଅନ୍ନ ଓ ଯାବତୀୟ ବସ୍ତୁର ଅଧିକାରୀ ହୋଇ ରହିବାକୁ ମନ କରନ୍ତି । ଲାଳସାଗୁଡ଼ାକର ବିରୁଡ଼ିଟା ଅଧିକରୁ ଅଧିକ ବିନ୍ଧି ପକାଉଥିବା ପରି ସେମାନେ ସମାଜରେ ପ୍ରାୟ ଏକ ଅଲଗା ବର୍ଗ ହିସାବରେ ଯଥାସମ୍ଭବ ଅନ୍ୟମାନଙ୍କୁ, ଅନ୍ୟ ବର୍ଗଗୁଡ଼ିକୁ ବଞ୍ଚିତ ଏବଂ ତେଣୁ ବିପନ୍ନ କରି ରଖିବାରେ ମଧ୍ୟ ନିମିତ୍ତ ହୁଅନ୍ତି । ସତେଅବା କହିଲେ ତୁଚ୍ଛା ନିଜକୁ ଦେଖନ୍ତି,– ନିଜର ଅନ୍ନ ବଢ଼ାଇବାରେ ଅନ୍ୟମାନଙ୍କୁ ଭୃତ୍ୟ ଭାବେ ଖଟାଉଥାଆନ୍ତି ସିନା, କିନ୍ତୁ ସେମାନଙ୍କୁ ମଣିଷ ବୋଲି ସ୍ୱୀକୃତି ଦିଅନ୍ତି ନାହିଁ । ପୃଥିବୀରେ ଅଧିକତର ଦୁର୍ଦ୍ଦଶା ଏହି କାଟର କମଳଭୁକମାନଙ୍କ ସକାଶେ ! ଏକ ଅନ୍ତର୍ଗତ ଅସୁସ୍ଥତା ସେମାନଙ୍କୁ ବୀଭତ୍ସ କରି ରଖିଥିବାରୁ ସେମାନେ ନିଜର ଭୋକଟାକୁ ଦଶଗୁଣ ଅଧିକ ପରିମାଣରେ ଚିହ୍ନୁଥିଲେ ମଧ୍ୟ ଅନ୍ୟମାନଙ୍କର ମଧ୍ୟ ଠିକ୍‌ ସେହିଭଳି ଭୋକ ରହିଥିବ ଏବଂ ଅନ୍ନର ପ୍ରୟୋଜନ ରହିଥିବ ବୋଲି ମୋଟେ ହୃଦୟଙ୍ଗମ କରନ୍ତି ନାହିଁ । ପୃଥିବୀଟାଯାକ ସେମାନଙ୍କୁ ସତେଅବା ଗୋଟିଏ ଏଭଳି କମଳବନ ସଦୃଶ ଦେଖାଯାଉଥାଏ, ଯାହାକୁ କି କେବଳ ସେହିମାନେ ହିଁ ଘୁଷୁରି ଭଳି ଚରିବାକୁ ମନ କରିଥାନ୍ତି ।

 

ମଣିଷକୁ ପଛକୁ ଠେଲିଦେଇ ଯେଉଁମାନେ ଆମର ଏହି ସ୍ଥାନୀୟ ତଥା ସର୍ବଦେଶୀୟ ପୃଥିବୀ ଉପରେ କ୍ଷମତା ବିସ୍ତାର କରି ରହିଛନ୍ତି, ସେମାନଙ୍କୁ ଆମେ ହୁଏତ ଏହିଭଳି ଗୋଟିଏ ତରାଜୁରେ ଓଜନ କରି ଦେଖିପାରିବା । ଧନର କ୍ଷମତା, ମଥାଚତୁରତା ଜନିତ କ୍ଷମତା, ସୁଯୋଗଗୁଡ଼ିକୁ କେବଳ ନିଜପାଇଁ ମାଡ଼ି ବସି ରହିଥିବାର କ୍ଷମତା, ତୁଚ୍ଛା କମଳଭୁକ୍‍ମାନେ ହିଁ କାଳେ କାଳେ ଏପରି ମନ କରି ଆସିଛନ୍ତି । ସେହିମାନଙ୍କର ଗୁରୁମାନେ ଭାଗ୍ୟବାଦ ଏବଂ ମାୟାବାଦର ପ୍ରଚାର କରି ଆସିଛନ୍ତି । ଏକ ନିତାନ୍ତ ଅବିବେକପୂର୍ଣ୍ଣ ନ୍ୟାୟରେ ମଣିଷର ଅନାଦର କରାଯାଇ ଠାକୁର ଏବଂ ଦେଉଳମାନଙ୍କୁ ମଣିମୁକ୍ତା ଦ୍ଵାରା ଭୂଷିତ କରାଯାଇ ରଖାଯାଇଛି ଏବଂ ସେହି ମୁତାବକ ନାନା ଧର୍ମୋପଦେଶର ପ୍ରାର୍ଥନା ମଧ୍ୟ କରାଯାଇଛି । ଠାକୁରମାନଙ୍କର ଇଜ୍ଜତ ସରିଛି ଓ ଅଧ୍ୟାତ୍ମକୁ ଭୂଇଁରେ ଲୋଟାଇ ଦିଆଯାଇଛି । କେତେକାଂଶରୁ ବିଚାର କଲେ ସେହି ପାତକ ଚିନ୍ତାରୁ ପୁଞ୍ଜିବାଦର ଉତ୍ପାତ-ପସରାଟାର ଉଦ୍ଭବ ଘଟିଛି, ଭୋଗରେ ବାଉଳା ମନୁଷ୍ୟ ଓ ଦେଶମାନେ ସାମ୍ରାଜ୍ୟ ବିସ୍ତାର କରି ବାହାରିଛନ୍ତି– ପୁରୋହିତ ଧର୍ମଯାଜକମାନେ ଏଥକୁ ଗଞ୍ଜେଇ ଯୋଗାଇ ଦେଇଛନ୍ତି । ଗୋଟାଏ ଅପସ୍ତରକୁ ଗୋଡ଼ ଖସାଇ ଦେଇ ଜାତୀୟତାବାଦ ମଧ୍ୟ ଘୃଣାରେ ପାଚିବାକୁ ମନ କରିଛି– ଅନ୍ୟମାନଙ୍କୁ ଗୋଲାମ କରି ରଖି ଆପଣାକୁ ଅଧିକ ବଡ଼ ବୋଲି ପ୍ରମାଣ କରିଛି । ଖଣ୍ଡା ପଜା ହୋଇଛି, ଏବେ ବିଜ୍ଞାନର ଗୋବର ପ୍ରୟୋଗ କରାଯାଇ ବୋମା ଗଢ଼ାହେଉଛି । ଏହିପରି ଏକ ଅଧମବୁଦ୍ଧିରେ ବେକୁଫ୍ ବନି ଏକଦା ସମାଜବାଦୀ ରାଷ୍ଟ୍ରମାନେ ବି ଫୁଜିବାଦୀ ସଉତୁଣୀମାନଙ୍କ ସହିତ ପ୍ରତିଦ୍ୱନ୍ଦିତାକୁ ଓହ୍ଲାଇ ଆସିଛନ୍ତି । ସୋପାନ ଉଠିବେ ବୋଲି ସୋପାନ ପରେ ସୋପାନ ସ୍ଖଳିତ ହୋଇ ଯାଇଛନ୍ତି ଏବଂ ଶେଷକୁ ନିଜ ଘରଟାକୁ ହିଁ ଭୁଷୁଡ଼ାଇ ପକାଇଛନ୍ତି । ସବାବଡ଼ ସାଆନ୍ତାଣୀ ହେବାର ଉତ୍ତପ୍ତତା ଭିତରେ ପଡ଼ି ଶେଷକୁ ରାଣ୍ଡ ହୋଇ ବସିଛନ୍ତି । ଏଥିରୁ ଆମ ସମୁଦାୟ ପୃଥିବୀଟିକୁ କମ୍ ଶିକ୍ଷା ବି ମିଳିନାହିଁ । ଆମ ଗାଆଁରେ ଆମେ ସମସ୍ତଙ୍କୁ ଅତ୍ୟାବଶ୍ୟକ ସଂସ୍ଥାନଟିଏ ଯୋଗାଇଦେବା ନା ପଲେ ଭୋଗର ଚବିଶିପ୍ରହରୀ କରି ଉଚ୍ଚ ବୋଲାଇପାରିବେ ବୋଲି ଅନ୍ୟମାନଙ୍କୁ ହାଡ଼ି କରି ରଖିବା– ସେହି ପ୍ରଶ୍ନଟିର ଫଇସଲା ହିଁ ହୋଇନାହିଁ । ଭାରତବର୍ଷରେ ଗୋଟାଏ ଭାଗ ସବୁ ମାଡ଼ି ବସି ରହିଥିବେ ବୋଲି ଆଉମାନେ ଅରକ୍ଷିତ ହୋଇ ରହିଥିବେ,– ସଭାରେ ଏହି ପ୍ରସଙ୍ଗରେ ଭାଷଣ ଦେଉଥିବା ମହାବୀରମାନେ ହୁଏତ ଏବେ ମଧ୍ୟ ମନ ସ୍ଥିର କରିନାହାନ୍ତି ।

 

ସମାଧାନଟି ହେଉଛି, ଭୋକ ବଢ଼ୁଥିବା ସହିତ ଆମର ଆଖିଟା ମଧ୍ୟ ଅନୁରୂପ ଭାବରେ ଅଧିକ ଦେଖି ପାରୁଥିବା ଅର୍ଥାତ୍ ଅନ୍ୟମାନଙ୍କୁ ସାମିଲ କରିପାରୁଥିବା ଉଚିତ୍ । ସାରା ପୃଥିବୀରେ ଉଚିତ୍, ଆମ ଦେଶରେ ଉଚିତ୍ ଏବଂ ଆମ ଗାଆଁରେ ମଧ୍ୟ ଉଚିତ୍ । କାମଳ ବୋଲି ଗୋଟାଏ ରୋଗ ରହିଛି, ଯାହା ଆସି ଗ୍ରାସି ପକାଇଲେ ମଣିଷମାନେ ଭାରି ଏକବାଗିଆ ଓ ଏକପାଖିଆ ହୋଇ ଦେଖନ୍ତି । ଗୋଟାଏ ରଙ୍ଗରେ ହିଁ ଦେଖନ୍ତି, ପୃଥିବୀରେ ରହିଥିବା ଅନ୍ୟ ରଙ୍ଗଗୁଡ଼ିକୁ ଦେଖିପାରନ୍ତି ନାହିଁ । ତଥାକଥିତ ସ୍ଵାର୍ଥଟାକୁ ଦେଖନ୍ତି, ଜଗତଯାକର, ଗାଆଁଯାକର ସ୍ୱାର୍ଥକୁ ଦେଖିପାରନ୍ତି ନାହିଁ । ବେଳେବେଳେ ଚାରିଆଡ଼କୁ ଅନାଇ ମନେ ହୋଇଥାଏ ଯେ ଆମ ପୃଥବୀରେ ଏହି କାମଳଆଖି ଖଣ୍ଡିଆ ମଣିଷମାନେ ହିଁ ସର୍ବତ୍ର ସହଜୀବନର ଲଗାମଗୁଡ଼ିକୁ ନିଜ କବ୍‌ଜାରେ ଜାବୁଡ଼ି ଧରିଛନ୍ତି । ଅର୍ଥନୀତି, ରାଜନୀତି, ରାଷ୍ଟ୍ରନୀତି ଏବଂ ଗ୍ରାମନୀତି ଉପରେ ସେହିଭଳି ଅଧମ ଅବିବେକୀମାନଙ୍କର ପରାକ୍ରମଟା ଦୌରାତ୍ମ୍ୟ କରିବାରେ ଲାଗିଛି । ପୃଥିବୀର ପଣ୍ଡିତମାନେ ମଧ୍ୟ ସତେଅବା ନିଜ ବିବେକମାନଙ୍କୁ କୋଉଠି ଚାଳରେ ଖୋସି ଆସିଥିଲା ପରି ସେହି ପରାକ୍ରମୀମାନଙ୍କ ନିର୍ଦ୍ଦେଶ ଭିତରେ ନିଜକୁ ବାଧ୍ୟ କରି ରଖିଛନ୍ତି । ଆମର ଏ ଯୁଗରେ କେତେ ଜ୍ଞାନ, କେତେ ବିଜ୍ଞାନ, କେତେ ବହି ଓ ସବୁଯାକ ସତ୍ୟକୁ ବିଶ୍ଵର କୋଣ ବିକୋଣରେ ନେଇ ପହଞ୍ଚାଇ ଦେବାଲାଗି କେତେ ପ୍ରୟୋଗର କେତେ ସରଞ୍ଜାମ ଏବଂ ସମ୍ପନ୍ନତା । ପଣ୍ଡିତମାନେ ଲୋଟଣି ପାରା ପରି ମନକଲା ମାତ୍ରକେ ଦୂର କେତେ କେତେ ଅନ୍ତରୀକ୍ଷ ବିଷୟରେ ଆମକୁ କେତେ କେତେ ବାର୍ତ୍ତା ଆଣି ଦେଇପାରୁଛନ୍ତି । ମାତ୍ର ଏହି ମାଟିଟା ଉପରେ ଯାବତୀୟ ବରାଦର କ୍ଷେତ୍ରରେ ସେମାନେ କାହିଁକି ଏପରି ଅସମର୍ଥ ହୋଇ ରହିଛନ୍ତି ? ଅର୍ଥାତ୍, ସତ୍ୟକୁ ଅସମର୍ଥ କରି ରଖିଛନ୍ତି, ଶକ୍ତିକୁ ଅସମର୍ଥ କରି ରଖିଛନ୍ତି, ଆଖିଗୁଡ଼ିକୁ ବଡ଼ ଦୟନୀୟ ଭାବରେ କାମଳଗ୍ରସ୍ତ କରି ରଖିଛନ୍ତି । ପ୍ରହ୍ଲାଦମାନେ କୋଉ ଅଭିଶାପରେ ହିରଣ୍ୟକଶିପୁମାନଙ୍କର ବୋଲ ମାନିବେ ବୋଲି ହାତଯୋଡ଼ି ଛିଡ଼ା ହୋଇଛନ୍ତି କେଜାଣି ? ଏଥିରେ ବିଧାତାର ବା କି ଦୋଷ ରହିଛି-?

 

ସମାଧାନ ହେଉଛି, ଆମେ ଆଖିଟାକୁ ବଡ଼ କରିବା । ମଥାମାନଙ୍କୁ ହୃଦୟଯାଏ ପ୍ରସାରିତ କରିନେବା, ବହିଗୁଡ଼ାକ ସହିତ ହୃଦୟକୁ ଆଣି ଯୋଡ଼ି ଶିଖିବା । ଆଖିକୁ କେବଳ ଗୋଟାଏ ରଙ୍ଗକୁ ଆଣି ଦେଖାଉଥିବା ଚଷମାମାନଙ୍କୁ ଆଖିରୁ କାଢ଼ି ଫିଙ୍ଗିଦେବା । ତେବେଯାଇ ଭୋକକୁ ଭୋଗ ସହିତ ଗୋଳେଇଘାଣ୍ଟି ଦେବାର ପ୍ରମାଦ ଭିତରୁ ବାହାରି ଆସିପାରିବା । ଆମ ଗାଆଁରେ ନିଜ ସହିତ ଏକାବେଳେକେ ସମସ୍ତଙ୍କୁ ଦେଖିବା,– ଆମର ଶ୍ରଦ୍ଧାଗୁଡ଼ିକୁ ଶତନେତ୍ର କରିବା, ଯେପରିକି ତାହା ହାଡ଼ମାଉଁସ ତଥା ଉଦରଠାରୁ ଆରମ୍ଭ କରି ଅଧ୍ୟାତ୍ମ ପର୍ଯ୍ୟନ୍ତ ଜୀବନର ସବୁଯାକ ସଂସ୍ଥାନକୁ ଏକତ୍ର ଠୁଳ କରି ଗୋଟିଏ ସମଗ୍ରରେ ଅର୍ଥାତ୍ ଗୋଟିଏ ସିଡ଼ିରେ ହିଁ ଅନ୍ଦାଜ କରିପାରିବା । ଆମ ସାମୂହିକ ଜୀବନର ନେତୃତ୍ୱଗୁଡ଼ିକ ନିଜ ଆଖିଟାକୁ କାମଳଯୁକ୍ତ କରିପାରିଲେ ତାହାହିଁ ଆମ ଗାଆଁରେ, ଆମ ଦେଶରେ ଓ ଏହି ସମଗ୍ର ପୃଥିବୀରେ ସତେଅବା ଏକ ନୂଆ ସିନ୍ଦୁରା ଫାଟି ଆସିଥିବାର ଆବେଶଟିଏ ସୃଷ୍ଟି କରି ଆଣିବା ଏବଂ ଏକ ନୂତନ ସଙ୍କଳ୍ପକୁ ଜନ୍ମଦେବ । ତେବେ ଯାଇ ଭୟ ଯିବ । ଆଉ କେତେକ ମଣିଷଙ୍କୁ ବଞ୍ଚିତ କରି ରଖିଲେ ଯାଇ ଯେ ମୁଁ ସୁଖର ମୋ କଳ୍ପିତ ଗାଡ଼ିଆଟିରେ ଏକମାତ୍ର କୀଟ ହୋଇ ପହଁରିପାରିବି, ଏହି ଭ୍ରମ ପଛରେ ସର୍ବତ୍ର ଏକ ଭୟ ହିଁ କାରଣ ହୋଇ ରହିଥାଏ । ଆମ ଆଧୁନିକ କାଳରେ ସେହି ଭୟଟା ହିଁ ଆମକୁ ଖାଇ ଗୋଡ଼ାଇଛି । ଆମ ଗାଆଁରେ, ଆମ ଦେଶରେ ଓ ଆମ ପୃଥବୀରେ ଖାଇ ଗୋଡ଼ାଇଛି । ଆମ ସାହିତ୍ୟ ଏବଂ ସଂସ୍କୃତିକ ସଂସ୍କାରଗୁଡ଼ାକୁ ତାହା କେତେ କେତେ ଆଣ୍ଟରେ ବଡ଼ ଅସୁନ୍ଦର କରି ରଖିଛି । ପୃଥିବୀ ଯାହା ହୋଇପାରନ୍ତା, ତାହା ହୋଇପାରୁ ନାହିଁ । ଆମେ ଯାହା ହୋଇପାରନ୍ତୁ ସେଥିପାଇଁ ସାହସ କରିପାରୁନାହିଁ । ବ୍ୟକ୍ତିଗତ ଭାବରେ ନୁହେଁ କିମ୍ବା ସାମୂହିକ ଭାବରେ ମଧ୍ୟ ନୁହେଁ ।

 

୬/୧୧/ ୨୦୦୦

Image

 

Unknown

ଓଡ଼ିଶାରେ ଟକଳାଙ୍କ ଯୁଗ

 

ମଣିଷ ମାତ୍ରକେ ତ ସମସ୍ତଙ୍କୁ ଭୋକ କରେ । ଭୋକ କରୁଥିଲେ ମଧ୍ୟ ସବୁ ମଣିଷ କେବେହେଲେ ଟକଳା ହୋଇ ଯାଆନ୍ତି ନାହିଁ । ଟକଳାମାନେ ଖାଇବେ ବୋଲି ହାଉଁ ହାଉଁ ହେଉଥାନ୍ତି । ସତକୁସତ ଭୋକ କରୁଥିବ କି ନାହିଁ କେଜାଣି, ମାତ୍ର ଆଖି ସାମ୍‍ନାରେ ଯାହାକିଛି ପାଆନ୍ତି, ସବୁକିଛିକୁ ନେଇ ପାଟିରେ ପକାଇ ଦେବାକୁ ଇଚ୍ଛା କରୁଥାନ୍ତି । ଟକଳାଙ୍କ ଭିତରେ କୋଉଠି କ’ଣ ରୋଗଟିଏ ଅଥବା ଦୁଃଖଟିଏ ରହିଥାଏ, ଯାହାକି ସେମାନଙ୍କୁ ଅନବରତ ସେହି ଭିତରୁ ହିଁ ତାଡ଼ନା ଦେବାରେ ଲାଗିଥାଏ । ଭାଗ୍ୟକୁ ପୃଥିବୀରେ ସବୁ ମଣିଷ ଟକଳା ହୁଅନ୍ତି ନାହିଁ, ସେଇଥିଲାଗି ପୃଥବୀ ରହିଥାଏ । ମାତ୍ର ସଂଖ୍ୟାରେ ଅଳପ ହୋଇଥିଲେ ମଧ୍ୟ ଯଦି ଦୁର୍ଯୋଗକୁ ଲଗାମଗୁଡ଼ାକ ସେହିମାନଙ୍କ ହାତରେ ରହିଥାଏ, ତେବେ ସଂପୃକ୍ତ ଯୁଗଟାକୁ ଏବଂ ସଂପୃକ୍ତ ଦେଶଟାକୁ ବା ରାଜ୍ୟଟାକୁ ବଡ଼ କଲବଲ ହେବାକୁ ହୋଇଥାଏ । ଭିତରୁ ବିବେକଟିଏ ହୁଏତ କହିବ, ଯଦି ସମାଜରେ ସମସ୍ତଙ୍କର ଅତ୍ୟାବଶ୍ୟକତାଗୁଡ଼ିକର ଭଦ୍ରୋଚିତ ପରିପୂରଣ ହୋଇପାରୁଥାନ୍ତା, ଅର୍ଥାତ୍ ପେଟର ଭୋକ ପାଇଁ ଅନ୍ନର ସାମର୍ଥ୍ୟ ଥାଆନ୍ତା, ଆଗ୍ରହ ଓ ପ୍ରତିଭା ଅନୁସାରେ ବିଦ୍ୟାର ନାନାବିଧ ସୁଯୋଗ ଯଦି ସବୁ ମଣିଷଙ୍କ ପାଇଁ ତା’ ପିଲାଦିନରୁ ଉପଲବ୍‍ଧ ହୋଇପାରୁଥାନ୍ତା, ଯଦି ତୁମ ଆମ ସମସ୍ତଙ୍କୁ ମଣିଷର ସମ୍ମାନ ମିଳୁଥାଆନ୍ତା ଏବଂ ସର୍ବୋପରି, ଯଦି ସବୁଯାକ ଅଧିକାରପ୍ରାପ୍ତ ବ୍ୟକ୍ତିଙ୍କୁ ଗୋଟିଏ ସମୂହରେ ସେହି ସମୂହର ରାଜନୀତିକ ଓ ସାମାଜିକ ଲଗାଏତ ଯାବତୀୟ ନିଷ୍ପତ୍ତିରେ ଭାଗ ନେବା ନିମନ୍ତେ ଦୁଆର ଖୋଲା ରହୁଥାନ୍ତା, ତେବେ ହୁଏତ ଟକଳାମାନଙ୍କର ସଂଖ୍ୟା ବହୁ ପରିମାଣରେ ଉଣା ହୋଇଯାଆନ୍ତା । ଆମ ଦେଶ, ଆମ ରାଜ୍ୟ ତଥା ଆମ ସାମୂହିକ ବ୍ୟବସ୍ଥାଗୁଡ଼ିକରେ ତାହା ଏପର୍ଯ୍ୟନ୍ତ ହୋଇ ପାରୁନାହିଁ; କିଏ କିମ୍ବା କୋଉମାନେ ବାଟରେ ଏହି ସବୁକିଛିର ଗତିରୋଧ କରି ରଖିଛନ୍ତି ବୋଲି ଏଠାରେ ଟକଳାମାନଙ୍କର ଉତ୍ପାତଗୁଡ଼ିକୁ ଅଧିକ ମାତ୍ରାରେ ସହ୍ୟ କରିବାକୁ ପଡ଼ୁଛି କି ?

 

ଆମ ଗାଆଁରେ, ରାଜ୍ୟରେ ତଥା ଦେଶରେ ବହୁ ମନୁଷ୍ୟ ବଞ୍ଚିତ ହୋଇ ରହିଛନ୍ତି । ଅନ୍ନରୁ ବଞ୍ଚିତ ହୋଇ ରହିଛନ୍ତି, ଜ୍ଞାନରୁ, ସମ୍ମାନରୁ ଓ ଏପରିକି ଏକ ସର୍ବନିମ୍ନ ଭରସା ସହିତ ଜୀବନଟିଏ ବଞ୍ଚିବାରୁ ବଞ୍ଚିତ ହୋଇ ରହିଛନ୍ତି । ସାମଗ୍ରୀ ଓ ସମ୍ପଦ ମହଜୁଦ ରହିଛି; ତଥାପି ନିଜକୁ ଅନ୍ୟମାନଙ୍କ ତୁଳନାରେ ଅଧିକ ଓ ବିଶେଷ ବୋଲି ଜାହିର କରିବାର ମତଲବରେ ଅଳପ ମଣିଷ ଖାସ୍ ଟକଳାଙ୍କ ପରି ସବୁ ନିଜେ ମାଡ଼ି ବସିବାକୁ ସଦା ଧାବମାନ ଏବଂ ସଦା ଖଳ ହୋଇ ରହିଛନ୍ତି-। ଆମ ଯୁଗଧର୍ମର ଭାଗ୍ୟଗୁଡ଼ିକ ଅନୁସାରେ ପଣ୍ଡିତମାନେ ଯୁଗ ଯୁଗ ଧରି ଭାଗ୍ୟବାଦ ନାମକ ଏକ ମିଛ ଦର୍ଶନର ପ୍ରତିପାଦନ କରି ଆସିଛନ୍ତି । ଯାହା ମୋର ଅଛି, ତାହା ମୋରି ସଦୃଶ ଅନ୍ୟ ବହୁତଙ୍କର ନାହିଁ, ଯାହା ମୋ ନିଜ ପିଲାଏ ମାଗିବା ଆଗରୁ ହିଁ ପାଇଯାଉଛନ୍ତି, ସେମାନଙ୍କର ଚାରିପାଖରେ ବହୁ ନରଖର ଭିତରେ ଘୋଷାରି ହେଉଥିବା ତାଙ୍କରି ସଦୃଶ ଅନେକ ଅନ୍ୟ ପିଲା ସେଥିରୁ ସତେଅବା ଏକ ଅତ୍ୟନ୍ତ ନିତ୍ୟସ୍ୱୀକୃତ ବିଧାନ ଅନୁସାରେ ବଞ୍ଚିତ ହୋଇ ରହିଛନ୍ତି; ଆମ ଅଳପଙ୍କର ହିଁ ଘର ଅଛି, ବହୁତଙ୍କର ନାହିଁ । ସେଇଥିପାଇଁ ନିଜର ଘରଟିକୁ ଯଥାସମ୍ଭବ ଅଧିକ ଅସୂୟାପୂର୍ଣ୍ଣ ଏବଂ ଅବଜ୍ଞାଯୁକ୍ତ ଭାବରେ ଆଡ଼ମ୍ବରଯୁକ୍ତ କରି ରଖିବାପାଇଁ ଆମେ ଅଳପମାନେ ହିଁ ଟକଳା ଶାଗୁଣାଙ୍କ ପରି ଉତ୍ସାହ ଦେଖାଇ ବୁଲୁଛୁ । ଆମରି ବାସନାଗୁଡ଼ିକୁ ଉଦ୍ଦୀପନା ଯୋଗାଇ ଦେବାକୁ ଭଳି ଭଳି ବିଜ୍ଞାପନର ବରାଦ ହୋଇ ରହିଛି । ମେଦରେ, ମିଛରେ, ଦମ୍ଭରେ ଆମେ ନିରନ୍ତର ଇନ୍ଦ୍ରଟିଏ ପରି ଦଲଦଲ ଦେଖାଯିବୁ ବୋଲି ତେଣେ ହୁଏତ ଏକାଧିକ ଅର୍ଥରେ ମନୁଷ୍ୟୋଚିତ ହୃଦ୍‌ବତ୍ତାଗୁଡ଼ିକୁ କୋଉ ପଛରେ ଛାଡ଼ିଦେଇ ଆସିଲୁ, ତଥାପି ଆମ ଗାଡ଼ି ବନ୍ଦ ହେବାକୁ ମୋଟେ ରାଜି ହେଉନାହିଁ । ସମ୍ଭବତଃ, ଟକଳାମାନେ ଧର୍ମତଃ କେବଳ ନିଜକୁ ହିଁ ଦେଖନ୍ତି, କେବଳ ନିଜ ସହିତ ହିଁ ରତିଭ୍ରାନ୍ତ ହୋଇ ରହିଥାନ୍ତି । ବିଚରାମାନେ ସବୁ ଥାଇ ମଧ୍ୟ ବଡ଼ ଅସୁନ୍ଦର ହୋଇ ରହିଥାନ୍ତି । ନିଜକୁ ଅନ୍ୟମାନଙ୍କ ସହିତ ସାମିଲ କରି ଦେଖିବାଟା ଯେ ପ୍ରକୃତରେ ଅସଲ ଦେଖିବା, ସେହି ପ୍ରାଥମିକ ପାଠଟିକୁ ମଧ୍ୟ ପଢ଼ିନଥାନ୍ତି ।

 

ଯଥାସମ୍ଭବ ଅଧିକ ସଂଖ୍ୟକ ମନୁଷ୍ୟଙ୍କର ଦୁଃଖ ଦୂର କରିବାକୁ ଦିନେ ଭାରତବର୍ଷରେ ରାଜନୀତିର ଲକ୍ଷ୍ୟ ବୋଲି କୁହାଯାଉଥିଲା । ଗତ କେତେବର୍ଷରେ ଆମ ରାଜ୍ୟର ରାଜନୀତିରେ ଭିଆହୋଇ ଆସିଥିବା ସୁଆଙ୍ଗ ଓ କସରତଗୁଡ଼ାକ ପୂରା ପ୍ରମାଣ କରିଦେବେ ଯେ, ଏଠାରେ ସେହି କ୍ଷେତ୍ରରେ ଏକ କ୍ରମ-ଅଧପତନ ଭାରି ସକ୍ରିୟ ହୋଇ ରହିଆସିଛି । ସ୍ଵାଧୀନତା ପରେ ରାଜନୀତି କହିଲେ କେବଳ ଶାସନ-କ୍ଷମତାରେ ରହିବାକୁ ହିଁ ବୁଝାଇଛି । ଅପେକ୍ଷାକୃତ ଅଧିକ ସମର୍ଥ ଟକଳାମାନେ ସବା ଉପରେ ଯାଇ ବସିଛନ୍ତି । ଯଥାସମ୍ଭବ ଅଧିକଙ୍କୁ ଯେକୌଣସି ପ୍ରକାରେ ତଳକୁ ଖସାଇଆଣି ସ୍ୱୟଂ ସ୍ଥାନାଧିକାରୀ ହୋଇ ବସିବାର ଲୀଳାଟି ନିତାନ୍ତ ଲଜ୍ଜାହୀନ ଭାବରେ ଲାଗିରହିଛି । ଉପରେ ଦଳ, ଉପରେ ଦଳର ନୀତି, ଦଳର କାର୍ଯ୍ୟକ୍ରମ ଏବଂ ଦଳ ଭିତରେ ସଂହତିକୁ ବଜାୟ ରଖିବା । ଭିତରେ ସେଗୁଡ଼ାକର ଆଦୌ କିଛି ନାହିଁ । ଟକଳାମାନେ କେତେବେଳେ ଯେ କାହାର ହାତକୁ ଯାଇ ଧରି ପକାଉଛନ୍ତି, ତାହାର ମୋଟେ କିଛିହେଲେ ବାଇସ ନାହିଁ । ଦଳଗୁଡ଼ାକର ସ୍ଥାୟୀ ବାପମାଆ କେହି ନାହାନ୍ତି । ଯିଏ ଯେତେବେଳେ ସବା ଉପରେ ଯାଇ ବସିଲା, ସେଇ ହେଉଛି ବାପମାଆ । ସିଏ ଦିଲ୍ଲୀକୁ ଯାଇ ମୁକାମ ନେଇ ଆସୁଛି ଓ ତାହାରି କଥାକୁ ସମସ୍ତେ ମାନୁଛନ୍ତି । ଚର୍ଚ୍ଚାଲୋଚନାର ପ୍ରୟୋଜନ ହିଁ ନାହିଁ । ରାଜନୀତିକ ନାନା ବାଟକୁ ବୁଝି ଉଚିତ ବାଟଟିଏ ନିଜ ଦଳ ପାଇଁ ସ୍ୱୀକାର କରିନେବାରେ ମୋଟେ କୌଣସି ଝାମେଲା ନାହିଁ । ଏହି କ୍ଷେତ୍ରରେ ଏ ଦଳ ଏବଂ ସେ ଦଳ ଭିତରେ କିଞ୍ଚତ୍ ବାଛିବା ଲାଗି ମଧ୍ୟ ବୃଦ୍ଧି ପାଉନାହିଁ ।

 

ମଣିଷମାନେ ଶାସନ ଉପରେ ଅପେକ୍ଷା ରଖିଛନ୍ତି, ମଣିଷମାନେ ସେହି ଶାସନକୁ ପୋଷୁଛନ୍ତି ଏବଂ ତେଣୁ ଯେକୌଣସି ସାଧୁ ରାଜନୀତିର ସର୍ବପ୍ରଥମ ଉତ୍ତର ଦାୟିତ୍ୱ ଯେ ସେହି ମଣିଷମାନଙ୍କ ପ୍ରତି ରହିବ, ତେଣିକି କୌଣସି ନିଘା ନାହିଁ । ଯାବତୀୟ ଶାସନ ଦ୍ୱାରା ଟକଳାମାନେ ନିଜେ ହିଁ ସବାଆଗ ପୋଷା ହେଉଛନ୍ତି । ଯେତିକିଟି ବର୍ଷ ସେମାନେ ଶାସନରେ ବା ରାଜନୀତିରେ ରହିବେ, ସେହି ସମୟଟି ଭିତରେ ସେମାନେ ଟକଳାଙ୍କ ପରି ଆଦୌ କୌଣସି ବିଧି ଅବିଧି ନମାନି ସାଉଁଟିନେବେ ଓ ଉଦରସ୍ଥ କରିବେ, ଏବେ ରାଜନୀତିକ କ୍ଷମତା ସେତିକି ଭିତରେ ଆସି ରହିଲାଣି-। ଶିକ୍ଷକ ଓ ଅଧ୍ୟାପକମାନେ ବି କାହିଁକି ଟକଳା ନହେବେ ? ଏମାନଙ୍କୁ ପାରମ୍ପରିକ ଭାବରେ ଲୋକମୁଖରେ ଗୁରୁ ବୋଲି କୁହାଯାଇ ଆସିଛି । ପାଠ ପଢ଼ୁଥିବା ଆମ ପିଲାମାନଙ୍କୁ ଏହି ଯୁଗରେ ଯେଉଁ ଗଞ୍ଜଣା ଭିତରେ ଆତଯାତ ହେବାକୁ ପଡ଼ୁଛି, ସେ କଥା ସବାଆଗ ଶିକ୍ଷକଙ୍କୁ ହିଁ ମାଡ଼ି ପଡ଼ୁଥାନ୍ତା । ଟକଳା ନହୋଇଥିଲେ ଶିକ୍ଷକ ନିଶ୍ଚିତ ତାହା କରୁଥାଆନ୍ତା ।

 

ମାତ୍ର, ତାକୁ ଘେରିକରି ରହିଥିବା ପିଲାଙ୍କ ଆଡ଼କୁ ସତକୁସତ ଚାହିଁ ଦେଖିଲାବେଳକୁ ତାକୁ ଚାରିପାଖର ଟକଳାମାନେ ବଡ଼ ଅନ୍ୟମନସ୍କ କରି ନେଉଛନ୍ତି । ମନ୍ତ୍ରୀ ଟକଳା ହେଲା, ଲୋକପ୍ରତିନିଧି ଟକଳା ହେଲେ, ହାକିମମାନେ ଟକଳାପଣରେ ଏକ ଆରେକୁ ଚିତା କାଟିଲେ । ଓକିଲ ଟକଳା, ପୋଲିସ୍ ଟକଳା, ଠିକାଦାର ଟକଳା, ବଜାରଯାକ ସମସ୍ତେ ଟକଳା । ସତେଅବା ଶିଖାଶିଖି ହୋଇ ସମସ୍ତେ ଏହି କାଳଟାକୁ ଲୁଟି ନେବା ପାଇଁ ଆସିଛନ୍ତି । ଏହି ଟିକେଳାମାନଙ୍କର ବଜାରରେ ଟକଳା ନହେଲେ ସିଏ ତିଷ୍ଠି ରହିବ କିପରି ? ତାକୁ ତ କେହି ପାସଙ୍ଗରେ ବି ପକାଇବେ ନାହିଁ ।

 

ପିଲାମାନେ ମଧ୍ୟ ଘରେ ବାପାମାନଙ୍କ ସହିତ ସେମାନଙ୍କର ତୁଳନା କରି ସେମାନଙ୍କୁ ନିତାନ୍ତ ଅରକ୍ଷିତ ବୋଲି ଭାବୁଥିବେ । ଶିକ୍ଷକର କଥାକୁ ସେ ପରୀକ୍ଷାରେ ପାସ୍ କରିବ ବୋଲି ମୁଖସ୍ଥ କରି ରଖିଥିବ, କିନ୍ତୁ ବାପା ପରି ହେବା ପାଇଁ ନିଜକୁ ଅନୁରୂପ ଭାବରେ ବଳିଷ୍ଠକରି ତିଆରି କରୁଥିବ । ଏହି ପିଲାମାନଙ୍କୁ ସିଏ କାହିଁକି ପାଠ ବୋଲି କିଛି ଦେବାକୁ ଇଚ୍ଛା କରିବ ? ତେଣୁ, ଏହିପରି ନିତାନ୍ତ ଯୁକ୍ତିଯୁକ୍ତ ଭାବରେ ଆମ ଶିକ୍ଷକ ଓ ଅଧ୍ୟାପକମାନେ ଟକଳା ହେବା, ଅନ୍ୟ ଟକଳାଙ୍କ ପରି ଦେଖାଯିବାର ସାଧନା ଆରମ୍ଭ କରିଦେଲେ । ଉଭା ପୋତା ଉଭୟରେ ବେଳେବେଳେ ଅନ୍ୟମାନଙ୍କୁ ମଧ୍ୟ ଟପିଗଲେ । ମାର୍ଜିତ ଟକଳାମାନେ ଯେ ଅମାର୍ଜିତ ଟକଳାମାନଙ୍କୁ ଅବଲୀଳାକ୍ରମେ ଅତିକ୍ରମ କରିଯାଆନ୍ତି, ସେମାନେ ସେହି ଖଳ ସତ୍ୟଟିକୁ ପ୍ରମାଣ କରି ଦେଉଛନ୍ତି ।

 

ଶିକ୍ଷାରେ ଯାହା ନହେବା କଥା, ଆମ ଟକଳାଙ୍କ କାଳଟାରେ ଅନେକତଃ ତାହା ହିଁ ହେଉଛି । ହୁଏତ ଭିତରେ ବିବେକଟା ବେଳେବେଳେ ନିଶ୍ଚୟ ଚୁମୁଟି ଦେଉଥିବ, ତଥାପି ଯାବତୀୟ ବାସ୍ତବ ନିଷ୍ପତ୍ତିରେ ବିଟପୀଟା ହିଁ ଟକଳା ଓ ଆହୁରି ଟକଳା ହେବା ପାଇଁ ପ୍ରରୋଚନା ଦେବାରେ ଲାଗିଛି । ଗୋଡ଼ ଖସିଖସି ଯାଉଛି । ଗୋଟାଏ ଜାତିର ସାହିତ୍ୟ ତାକୁ ବଡ଼ କରି ରଖେ ବୋଲି ସଭାର ବକ୍ତାମାନେ ରଡ଼ି କରିବାରେ ଲାଗିଛନ୍ତି । ତଥାପି ସାହିତ୍ୟଟା ଭିତରେ କ’ଣ ଆମ ମେଳରେ କମ୍ ଟକଳା ଆସି ପଶିଯାଉଛନ୍ତି ? ସାହିତ୍ୟର କାର୍ଯ୍ୟ ଏକ ଭଲ ପାଇବାର କାର୍ଯ୍ୟ, ଆଖି ତଥା ହୃଦୟକୁ ଅଧିକରୁ ଅଧିକ ବିଶ୍ୱ-ଦରଦର ଆହ୍ୱାନଗୁଡ଼ିକ ମଧ୍ୟକୁ ସଂପ୍ରସାରିତ କରିବାର ଏକ କାର୍ଯ୍ୟ । ଏପରି ହୋଇ ରହିଥିବା ଯାଏ ସାହିତ୍ୟ ଟକଳାମାନଙ୍କୁ ଆଦୌ ପୋଷାଇବ ନାହିଁ ।

 

ଅନ୍ୟ ଯାବତୀୟ ଧନ୍ଦୀ ଭଳି ସାହିତ୍ୟ-ଧନ୍ଦା ତେଣୁ ସମ୍ଭବତଃ ସିଦ୍ଧିଲାଭର ଏକ ପ୍ରକରଣ ହୋଇ ରହିବାକୁ ବାଧ୍ୟ ହେବ । ସିଦ୍ଧିଲାଭ ଅର୍ଥାତ୍ ଯେକୌଣସି ପ୍ରକାରେ ସିଦ୍ଧିଲାଭ । ତୁମେ ସିଦ୍ଧିଲାଭ କଲ ବୋଲି ଯେପରି ଉତ୍ତମରୂପେ ଜ୍ଞାପନ କରାଯାଇପାରିବ, ସେଥିଲାଗି ଟକଳା ବୁଦ୍ଧି କେତେଭଳି ଔପଚାରିକ ଅନୁଷ୍ଠାନମାନ ଆରମ୍ଭ କରିଦେଲାଣି । ଦରବାର ପରି ସଭାଟାଏ ବସିବ, ସଭାରେ ପ୍ରଶଂସା ପରଷା ହେବ ଏବଂ ତା'ପରେ ଉଦର-ଆପ୍ୟାୟନର ଏକ ଆନୁଷଙ୍ଗିକ ମଧ୍ୟ ରହିବ । ଆଗେ ଏସବୁ ବିଧି ନଥିଲା । ସାହିତ୍ୟ-ଗଡ଼ଜାତର କୋଉ ରାଜାଙ୍କ ଅମଳରୁ ଏଇଟିର ଭିଆଣ ହେଲା କେଜାଣି, ଏବେ ସେଇଟି ହୁଏତ ସବାଆଗ ବିଚାର୍ଯ୍ୟ ହୋଇ ରହିଲାଣି । ବିଚରା, ବିଶେଷ ସମ୍ବଳ ନଥିବା ଆଉ ଲେଖକ ଓ ସାହିତ୍ୟିକମାନେ,– ସେମାନେ ତ ପାରିବେ ନାହିଁ, ତେଣୁ କାନମୁଣ୍ଡା ଆଉଁଷି ରହିବେ । ସେମାନେ ଲୁଚି ଛପିଯିବେ । ଯେଉଁମାନେ ସାହିତ୍ୟ ସହିତ ଜମାରୁ ନାହାନ୍ତି, ସେହିମାନେ ହିଁ ସାହିତ୍ୟ-ଘରେ ମଙ୍ଗରାଜ ବା କୋଟିଲିଙ୍ଗ ବୋଲାଇବାରେ ଲାଗିଥିବେ । ଖରାଦିନର ମଉରସୀ ମିଳନଗୁଡ଼ିକରେ ମଥାରେ ଚନ୍ଦନ ଓ ହାତନେଡ଼ିରେ ବାସନା ଫୁଲହାର ପିନ୍ଧି ରସିକର ଠାଣିରେ ପଇଁତରା ମାରୁଥିବା ସମୟରେ ଟକଳାମାନେ କିପରି ତଥାପି ଟକଳା ବୋଲି ଧରାପଡ଼ି ଯାଆନ୍ତି, ସେହି ଭେରେସାଟାକୁ ଥରେ ଦେଖିଲେ ଘରକୁ ଯାଇ ଗୋଟାଏ ଉପନ୍ୟାସ ଲେଖି ପକାଇବାକୁ ନିଶ୍ଚୟ ଇଚ୍ଛା ହେଉଥିବ ।

 

ଟକଳାଙ୍କ ଭିତରେ ଟକଳା ହୋଇଗଲେ ତୁମେ ଏହି ଟକଳାମାନଙ୍କୁ ମୋଟେ ଜୟ କରିପାରିବ ନାହିଁ । ଟକଳାଙ୍କ ଠାରୁ ଦୂରରେ ରହିଲେ ସେମାନଙ୍କୁ ହୁଏତ ଅଧିକ ଭଲ ଗୋଳିପାଣିଗୁଡ଼ାକ ଅପେକ୍ଷାକୃତ ଅଧିକ ସହଜରେ ମିଳିଯିବ । ସମ୍ଭବତଃ ଅସଲ ବାଟଟି ହେଉଛି ଯେ, ଟକଳାମାନଙ୍କୁ ତୁମେ ଈର୍ଷା କରିବ ନାହିଁ । ସତକୁସତ ଭଲ ପାଇ ପାରୁଥିବା ମଣିଷଟିଏ ପ୍ରେମଜ୍ୱର ଭୋଗୁଥିବା ଅନ୍ୟମାନଙ୍କୁ କେବେହେଲେ ଈର୍ଷା କରେ ନାହିଁ । ଆମେ ଅନେକ ସମୟରେ ଈର୍ଷା କରୁ; କାରଣ, ଯାହାକୁ ଈର୍ଷା କରୁଥାଉ, ନିଜେ ତାହାରି ଭଳି ହେବା ଲାଗି ନିଜ ଭିତରେ ଉଚ୍ଚାଶାଟିଏ ପୋଷଣ କରିଥାଉ । ସମ୍ଭବତଃ ସେହି କାରଣରୁ ହିଁ ଟକଳାମାନେ ପରସ୍ପରକୁ ପ୍ରାୟ ଧର୍ମାନୁପ୍ରେରିତ ହୋଇ ଈର୍ଷା କରୁଥାନ୍ତି ! ନିଜକୁ ଗୋଟିଏ ପ୍ରକାରର ବିଣ୍ଡିରୋଗରୁ ଆଦୌ ମୁକ୍ତ କରିପାରନ୍ତି ନାହିଁ । ତେଣୁ, ଟକଳା ନହୋଇ ହିଁ ଟକଳାଙ୍କ ଭିତରେ ରହିବାକୁ ହେବ । ହୁଏତ ତେବେଯାଇ ସେମାନଙ୍କ ବିଷୟରେ ଗ୍ରହଣୀୟ ପରବର୍ତ୍ତୀ ପଦକ୍ଷେପଗୁଡ଼ିକୁ ତୁମକୁ କ୍ରମେ ଦିଶି ବି ଯିବ । ତୁମେ ବିକଳ୍ପଟିଏ ହୋଇପାରିବ ।

 

୧୩/୧୧/୨୦୦୦

Image

 

ଶ୍ରୀ ନବକୃଷ୍ଣ ଚୌଧୁରୀ

 

ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କର ନିଜ କହିବା ଅନୁସାରେ ରାଜନୀତିକୁ ସିଏ ନିଜର ଧର୍ମ ବୋଲି ଗ୍ରହଣ କରିଥିଲେ ବୋଲି ମୋଟେ ରାଜନୀତିରେ ପ୍ରବେଶ କରିନଥିଲେ । ନିଜ ଧର୍ମର ପାଳନ କରିଥିବାର ସମଗ୍ର ତଥା କ୍ରମପ୍ରସାରିତ ପ୍ରକ୍ରିୟାଟିରେ ହିଁ ସିଏ ରାଜନୀତି ଭିତରକୁ ଟାଣି ହୋଇ ଆସିଥିଲେ । ଶ୍ରୀଯୁକ୍ତ ନବକୃଷ୍ଣ ଚୌଧୁରୀ ଆପଣାର ଏକାବେଳେକେ ପ୍ରଥମ ଯୌବନର କାଳଟିରୁ ହିଁ ରାଜନୀତି ମଧ୍ୟକୁ ଝାସ ଦେଇଥିଲେ । ନିଜ କ୍ରିୟାଶୀଳ ଜୀବନର ଅଧିକତମ ସମୟଟି ହିଁ ସେ ରାଜନୀତି ଭିତରେ ଅତିବାହିତ କରିଥିଲେ । ଭାରତବର୍ଷ ଅଥବା ପୃଥିବୀକୁ ନେଇ ଭବିଷ୍ୟଚିତ୍ରଟିଏ ଆଙ୍କିବା ମାତ୍ରକେ ରାଜନୀତି ହିଁ ତାଙ୍କ ଇପ୍ସିତ ମାନଚିତ୍ରଟି ଉପରେ ମୁଖ୍ୟ ରଙ୍ଗ, ମୁଖ୍ୟ ପ୍ରେରଣା ଏବଂ ମୁଖ୍ୟ ପ୍ରେରକ ହୋଇ ରହିଥିଲା । ରାଜନୀତି ଭିତରେ ଥିବାରୁ ସିଏ ଏକ ଦଳ ଭିତରେ ମଧ୍ୟ ରହିଥିଲେ । ରାଜନୀତିକ କ୍ଷମତା ଦ୍ୱାରା ରାଜନୀତିକ ଲକ୍ଷ୍ୟର ବହୁତ କିଛି ହାସଲ ଅବଶ୍ୟ କରାଯାଇ ପାରିବ ବୋଲି ସିଏ ବିଶ୍ୱାସ କରୁଥିଲେ । କେତେ କ'ଣ ହାସଲ ହେଲା ବା ନହେଲା, ତାହାର ଏକ ଚମତ୍କାର ସ୍ଵତନ୍ତ୍ର ଆଲୋଚନା କରାଯାଇ ପାରନ୍ତା ଏବଂ ଆଲୋଚକମାନେ ବିଭିନ୍ନ ପ୍ରକାରର ସିଦ୍ଧାନ୍ତରେ ଆସି ପହଞ୍ଚିପାରନ୍ତେ । ମାତ୍ର ଗୋଟିଏ କଥା, ଯାହାକି ଶ୍ରୀ ଚୌଧୁରୀଙ୍କ ବିଷୟରେ ସବାଆଗ ମନେ ପଡ଼ିଯାଉଛି ଏବଂ ଯାହା ଫଳରେ ସିଏ ତାଙ୍କ ଗୋଠଟା ଭିତରୁ ପ୍ରାୟ ଗୋଟାସୁଦ୍ଧା ଅଲଗା ହୋଇ ଦିଶୁଛନ୍ତି, ଆମେ ସେହି ବିଷୟରେ ଏଠାରେ କିଞ୍ଚିତ୍ ଆଲୋଚନା କରିପାରିବା ।

 

ଓଡ଼ିଶାରେ ଶ୍ରୀ ନବକୃଷ୍ଣ ଚୌଧୁରୀଙ୍କୁ ସ୍ମୃତିପଟରେ ସମ୍ମୁଖରେ ରଖି ଦିଲ୍ଲୀ ଆଡ଼କୁ ଅନାଇଲେ ସେଠାରେ ଜବାହରଲାଲ୍ ଅଥବା ତାଙ୍କରି ସମଆସନର ଆଉ କେହି ଦିଶିବା ପୂର୍ବରୁ ଶ୍ରୀ ଲାଲବାହାଦୂର ଶାସ୍ତ୍ରୀ ହିଁ ସବାଆଗ ଦୃଷ୍ଟିଗୋଚର ହୁଅନ୍ତି । ଭାରି ଗୁରେଇ ତୁରେଇ ହୋଇ ଦିଶନ୍ତି, କ'ଣ ଗୋଟାଏ ଏପରି ଘଟଣା ଘଟେ ଯେ ସେଠାରେ ଜବାହରଲାଲ ବା ତାଙ୍କ ସମକଛ ଆଉ କୌଣସି ମହା ମହା ସୂର୍ଯ୍ୟଙ୍କ ଆଡ଼କୁ ଅନାଇବାକୁ ମୋଟେ ମନ ହୁଏ ନାହିଁ । ଏଠି ଆମ ଓଡ଼ିଶାରେ ଶ୍ରୀ ଚୌଧୁରୀଙ୍କର ସମସାମୟିକ ହୋଇ ଆହୁରି ଏକାଧିକ ଏପରି ବ୍ୟକ୍ତି କ୍ଷମତା ଏବଂ ରାଜନୀତିରେ ରହିଥିଲେ, ଯେଉଁମାନେ ହୁଏତ ନିଜର ବୃହତ୍ତାରେ ଚୌଧୁରୀଙ୍କୁ ପୂରା ଗିଳି ପକାଇବେ । ସେମାନେ ସେତେବେଳେ ହୁଏତ କିଛି ଅଂଶରେ ତାଙ୍କୁ ଏକାଧିକ ଅର୍ଥରେ ପ୍ରକୃତରେ ଗିଳି ପକାଇଥିଲେ ଏବଂ ଶ୍ରୀଯୁକ୍ତ ଚୌଧୁରୀ ମଧ୍ୟ ସତେଅବା ନିଜ ଆଡ଼ୁ କେଉଁସବୁ କାରଣରୁ ସେମାନଙ୍କ ଦ୍ୱାରା ଗିଳିହୋଇ ରହିଗଲେ । ଏବେ ଭାରତୀୟ ରାଜଧାନୀରେ ସର୍ବୋଚ୍ଚ କ୍ଷମତାର ସଭାରେ ଅନ୍ୟ ଇଏ ବା ସିଏ ଏପରି ବଡ଼ ହୋଇ ଅନେକଙ୍କୁ ଦେଖାଯାଆନ୍ତି ଯେ, ସେଠି ଲାଲବାହାଦୂର ଶାସ୍ତ୍ରୀ ସତେଅବା ଆଦୌ ନଥିଲା ପରି ଭ୍ରମ ବି ହେଉଥାଏ । ନିଜର ପରିଚୟ ଦେବାକୁ ଲାଲବାହାଦୁର ସେହି ଜ୍ୟୋତିଷ୍କମଣ୍ଡଳରେ କେତେ ଦିନ ବା ରହିଲେ ? ଯଦି ସିଏ ପୂରା ପାଞ୍ଚବର୍ଷ ରହିଥାନ୍ତେ, ତେବେ ନିଜକୁ ଲୋକସ୍ମରଣର କ୍ଷେତ୍ରରେ ସମ୍ଭବତଃ ଅଧିକ ପ୍ରଖ୍ୟାତ ଓ ପ୍ରତିଷ୍ଠିତ କରି ରଖିପାରିଥାନ୍ତେ । ହୁଏତ ସତକୁସତ ବହୁ ପରିବର୍ତ୍ତନ ସକାଶେ ମଜବୁତ ପ୍ରାରମ୍ଭଗୁଡ଼ିକର ନିର୍ମାଣ କରାଇ ପାରିଥାଆନ୍ତେ । କିନ୍ତୁ, ନବକୃଷ୍ଣ ଚୌଧୁରୀ ତ ସେହି ଦୃଷ୍ଟିରୁ କ୍ଷମତାରେ ବହୁତ ସମୟ ରହିଥିଲେ । ତଥାପି, ସଙ୍ଗୀ ସହଯୋଗୀ ପାଇପାରିଲେ ନାହିଁ । ଅଥବା ସତୀର୍ଥମାନଙ୍କୁ ନିଜର ମସୁଧାଗୁଡ଼ିକ ଅନୁସାରେ ମଙ୍ଗାଇ ନେଇପାରିଲେ ନାହିଁ ବୋଲି ହୁଏତ ପାସୋର ହୋଇ ରହିଲେ । ଲୋକମାନେ ତାଙ୍କୁ କେଡ଼େ ଭଲ ମଣିଷଟିଏ ବୋଲି କହିଲେ ମାତ୍ର ତଥାପି ତାଙ୍କ ତୁଳନାରେ ସାଧୁତା, ସ୍ପଷ୍ଟତା ଏବଂ ଲକ୍ଷ୍ୟ ସଜ୍ଞାନତାର ମାନଦଣ୍ଡରେ ନିତାନ୍ତ ଅବର ଏବଂ ଆସୁରିକମାନଙ୍କୁ କେଶରୀ, ଗୌରବ ଏବଂ ଆହୁରି କ'ଣ ସବୁ ଆଖ୍ୟା ଦେଇ କେତେ ଖୁସୀ ହେଲେ ସିନା, ମାତ୍ର ଶ୍ରୀଯୁକ୍ତ ଚୌଧୁରୀଙ୍କୁ ସେହି ପଙ୍ଗତରେ ଆଦୌ ବସାଇଲେ ନାହିଁ । ଠିକ୍ ଯେମିତି ଲାଲବାହାଦୂର ଶାସ୍ତ୍ରୀଙ୍କୁ ଜଣେ ଦେବତା ସମାନ ବ୍ୟକ୍ତି ବୋଲି କହି ତାଙ୍କୁ ରାଜନୀତିକ ଖ୍ୟାତିଲାଭର ଯାବତୀୟ ସଭାରେ ଆମେ କୋଉ ଅନାମଧେୟ ପାର୍ଶ୍ୱଭୂମିକାରେ ନେଇ ବସାଇ ଦେଉ ଓ ତାଙ୍କୁ ଅପବିତ୍ରଙ୍କ ଗହଣରେ ଥିବା ଜଣେ ଅତି ପବିତ୍ରଙ୍କ ପରି ସର୍ବଦା ବାହାରେ ବାହାରେ ରଖିଥାଉ, ଇଏ ପ୍ରାୟ ସେହିଭଳି ଗୋଟିଏ କଥା ପରି ମନେ ହୋଇଥାଏ ।

 

କ୍ଷମତା ହେଉଛି ଧର୍ମତଃ ଏକ ସୁଯୋଗ । ରାଜନୀତିକ କ୍ଷମତା ମଧ୍ୟ ସେଥିରୁ କଦାପି ବାହାର ନୁହେଁ । ଏକ ଗଣତନ୍ତ୍ରରେ ଯେଉଁମାନେ ଲୋକପ୍ରତିନିଧିତ୍ୱର ସ୍ୱୀକୃତି ନେଇ ଏବଂ ଏକ ରାଜନୀତିକ ତଥା ସାମାଜିକ ଅନ୍ୟ ଭବିଷ୍ୟ ଉପରେ ବିଶ୍ୱାସ କରି କ୍ଷମତାକୁ ଯାଇଥାନ୍ତି, ସେମାନେ ଯାବତୀୟ ଅର୍ଥରେ ଜଣେ ଜଣେ ଅନୁରୂପ ନିମିତ୍ତ ହେବାକୁ ହିଁ ଯାଇଥାନ୍ତି । ସେମାନେ କ୍ଷମତାକୁ ବ୍ୟବହାର କରନ୍ତି, ଲୋକୋନ୍ନୟନର ସମଗ୍ର କ୍ଷେତ୍ରଟିରେ ତା’ ଦ୍ଵାରା ବହୁତ କିଛି ସମ୍ଭବ କରିହେବ ବୋଲି ସେମାନେ ଅତ୍ୟନ୍ତ ସଚେତନ ଥାଆନ୍ତି ଏବଂ ସେହି ଭୂମିକାଟିକୁ ହିଁ ଗ୍ରହଣ କରିଥାନ୍ତି । ଏହି ନିମିତ୍ତମାନେ ନିଜର ଗାରଗୁଡ଼ିକୁ ଉତ୍ତମରୂପେ ଜାଣିଥାନ୍ତି । ସମ୍ଭବତଃ ସେହି କାରଣରୁ କ୍ଷମତା ସେମାନଙ୍କୁ ମୋଟେ ଗିଳି ପାରେନାହିଁ । କେତେକ କାରଣରୁ ଏବେ ଏହି ଦେଶରେ ବା ରାଜ୍ୟରେ ଅବସ୍ଥାଗୁଡ଼ିକ କ୍ରମେ ଏପରି ଏକ ଅର୍ଗଳି ଭିତରେ ଆସି ପଶିଯାଇଛି ଯେ, କ୍ଷମତା ହିଁ କ୍ଷମତାଧାରୀମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ଗିଳିକରି ରହିଛି । ବଡ଼ ହାସ୍ୟାସ୍ପଦ ଭାବରେ ଗିଳିକରି ରହିଛି-। ବ୍ୟାପାରଗୁଡ଼ିକ କ୍ରମେ ଏଡ଼େ ହାସ୍ୟାସ୍ପଦ ହୋଇଗଲାଣି ଯେ, ଗୋଟାପଣେ କ୍ଷମତାଟା ହିଁ ଦେଖାଯାଉଛି ଏବଂ କ୍ଷମତାଟାକୁ କାମରେ ଲଗାଇବ ବୋଲି ଆସିଥିବା ମଣିଷଟା ମୋଟେ ଦିଶୁନାହିଁ । ଆମ କର୍ତ୍ତାମାନେ, ଆମ ନେତାମାନେ ଏବଂ ସାମୂହିକ ଜୀବନର ପାଳନକର୍ତ୍ତାମାନେ ସମ୍ଭବତଃ ସେମାନଙ୍କର ଏହିସବୁ କ୍ଷମତାଖୋଳ ତଳେ ଆଦୌ କିଛି ପାରିବାର ବ୍ୟକ୍ତିଟିଏ ରହିଛି ବୋଲି କ୍ରମେ ପାସୋରି ଦେଇ ସାରିଲେଣି । ଏହି ପ୍ରକାଣ୍ଡମାନେ ଯଦି ପ୍ରକୃତରେ ପାରୁଥାନ୍ତେ, ତେବେ ସେମାନଙ୍କ ଭିତରେ ସବା ଆଗ ବ୍ୟକ୍ତିଟା ନିଜକୁ ଯାବତୀୟ ଅବସରରେ ଅନୁଭୂତ କରାଇ ପାରୁଥାନ୍ତା । ଦିନରେ ଅପାରିବାପଣଗୁଡ଼ାକୁ ଭୁଲିବା ନିମନ୍ତେ ସେମାନେ ତେବେ କଦାପି ସପ୍ତାହର ସାତଦିନଯାକ ରାତିରେ ବାର କିସମର ସଭାରେ ଯାଇ ମୋଟେ ବସୁନଥାନ୍ତେ ! ଆମ ସାଧାରଣ ଜୀବନର ଶିଷ୍ଟତାକୁ କଦାପି ନରଖର କରି ପକାଉନଥାନ୍ତେ । ଚଉକୀଗୁଡ଼ାକ ଅଶିଷ୍ଟପଣ କଲେ ଏକ ସମୂହର ସର୍ବନିମ୍ନ ପରିମଳଗୁଡ଼ିକ ଯେ କିପରି ଏକାନ୍ତ ଭାବରେ ଏକ ଛୋପରା ସ୍ତରକୁ ଖସିଆସେ, ଆମ ନିଜ ଜୀବନଖଳା ଏହି ଓଡ଼ିଶାରୁ ତାହାର ଅକ୍ଷୌହିଣୀ ପ୍ରମାଣ ମିଳିବ । ଆମ ସମ୍ବାଦପତ୍ରରୁ ପ୍ରତିଦିନ ମିଳିଯିବ । ପ୍ରତ୍ୟହ ସନ୍ଧ୍ୟାରେ ମଉଜିଆ ଅବସରଗୁଡ଼ିକରୁ ମିଳିଯିବ । ସାହିତ୍ୟ, ନୃତ୍ୟ, ଗୀତ, ପର୍ବପାଳନ ତଥା ବିଶେଷ ସ୍ମରଣ– ଏବେ ଏହିସବୁକୁ ନେଇ ଆଗ ଅପେକ୍ଷା ଯେ ଦଶଗୁଣ ଅଧିକ ଆନୁଷ୍ଠାନିକ କୋଳାହଳ ସୃଷ୍ଟି କରାଯାଉଛି, ସତେଅବା ଚଉକୀଗୁଡ଼ାକର ସଉକ ମେଣ୍ଟାଇବା ସକାଶେ ସେଗୁଡ଼ିକ ହେଉଛି କି ? ଧର୍ମତଃ ତୁମର ଆଗ ମୁଣ୍ଡଟିଏ ରହିଥିବ,– ତା'ଉପରେ ଗୋଟାଏ ମୁକୁଟ ପିନ୍ଧିଲେ ସିନା ମୁଣ୍ଡ ତଥା ମୁକୁଟ ଉଭୟେ ଘଟଣ ଦେଖାଯାଆନ୍ତେ । ମୁକୁଟଟାରୁ ମୁଣ୍ଡଟାଏ ଅଛି ବୋଲି ଅନୁମାନ କରିବା ସକାଶେ ଆମକୁ ଏହିସବୁ ତଥାକଥିତ ଅନୁଷ୍ଠାନମାନଙ୍କରେ ବାଧ୍ୟକରି ଆମ ରୁଚିଗୁଡ଼ାକୁ ମଧ୍ୟ ପ୍ରାୟ ଭାରି ଚଗଲା କରି ଦିଆଗଲାଣି । ମୋ ନିଜର କୌଣସି ସଙ୍ଗତିଯୁକ୍ତ ପରିଚୟ ରହିଛି ବୋଲି ମୋତେ ଏହି ସଭାକୁ ଡକା ଯାଇନାହିଁ, ତଥାପି ମୁଁ ବସିଥିବା ଚଉକୀଟାର ବା ମୋତେ ଏକ ମିଛ ହିରୋର ପ୍ରତୀତିରେ ମଣ୍ଡିତ କରି ରଖିଥିବା ପଦକ୍ଷମତାର ପରିଚୟରେ ହିଁ ମୋତେ ହକାରି ଅଣାଯାଇଛି, ଭିତରେ ବ୍ୟକ୍ତିତ୍ୱ ନାମକ ମେରୁଦଣ୍ଡଟିଏ ରହିଥିଲେ ମୁଁ କଦାପି ଏଠାରେ ମୁଁ ଯାହା ନୁହେଁ, ତାହାରି ପରିଚୟରେ ଆସି ବସିଯାଆନ୍ତି ନାହିଁ । ନିଜ ପାଖରେ ଅତ୍ୟନ୍ତ ଅସମ୍ଭାଳ ହୋଇ ପଡ଼ିନଥିଲେ ମୁଁ କଦାପି ଏଠି ବେଖାପ ହୋଇ ପଶିଯାଆନ୍ତି ନାହିଁ । ଯେତେବେଳେ ମୋ ବର୍ତ୍ତମାନର ଅମଲାମାନେ ମୋତେ ଛାଡ଼ି ଆଉ କାହାର ତୋଷାମଦ କରୁଥାନ୍ତି ଓ ମୁଁ ଆଗାମୀ ନିର୍ବାଚନରେ ଯେକୌଣସି ମତେ ନିର୍ବାଚିତ ହୋଇଆସିବି ଏବଂ ପୁନର୍ବାର ଏହି ଚଉକୀଗୁଡ଼ିକୁ ଅଧିକାର କରିପାରିବି ବୋଲି ଗୁପ୍ତ ଉଚ୍ଚ ଆଶାଟି ଧରି ଧାଇଁବାରେ ଲାଗିଥାଏ, କାହିଁ ସେତେବେଳେ ତ କେହି ମୋତେ ଏହି ସଭାଭବନକୁ ଡାକି ଆଣିବା ପାଇଁ ମନ କରନ୍ତି ନାହିଁ ତ ! ମୋ’ ଚଉକୀ ଓ ମୋର ଯାବତୀୟ କ୍ଷମତା ମୋତେ ଥିର ହୋଇ ଅନ୍ତତଃ ଏତିକି ବିଷୟରେ ଚିନ୍ତା କରିବାକୁ କାହିଁକି ଦିଅନ୍ତି ନାହିଁ କେଜାଣି ?

 

ଚଉକୀଟା ଉପରେ ବସିଛି ଅର୍ଥାତ୍ କିଞ୍ଚିତ୍ କ୍ଷମତା ସନ୍ତକ ହୋଇ ମୋ’ ସହିତ ଲାଗି ରହିଛି ବୋଲି ମୁଁ ସବୁକ୍ଷେତ୍ରରେ ଯାଇ ସମସ୍ତଙ୍କ ଠାରୁ ଅଧିକ ଉଜ୍ଜଳ ଦେଖାଯିବା ଭଳି ଭୂମିକାମାନଙ୍କରେ ପହଞ୍ଚିଯିବି କିପରି ? ଯେତିକି ପ୍ରତ୍ୟାଶା ରଖି ମୋତେ ମୋ ଦେଶବାସୀ କ୍ଷମତା ସହିତ ଆଣି ଯୋଡ଼ିଛନ୍ତି, ସେଥିକୁ ମୁଁ ଯେ ଯୋଗ୍ୟ ହୋଇ ପାରିନାହିଁ, ଦେଶ ଆଡ଼କୁ ଅନାଇଦେବା ମାତ୍ରକେ ସେହି କଥାଟା ଜଳଜଳ ହୋଇ ଦିଶିଯାଉଛି । ଦିନମାନର ମୋର ସେହି ଅସମର୍ଥତାର ଲାଜକୁ ଦଣ୍ଡେ ଭୁଲିବା ସକାଶେ ମୁଁ ରାତିକୁ ସଭାମାନଙ୍କୁ ଯିବା ଲାଗି ଏପର ହକ ହକ ହେଉଛି କି ? ଶାସନରେ କୁଆ ଉଡ଼ୁଛି, ଲୋକମାନଙ୍କର ଦୁଃଖମୋଚନର ଘରେ କୁଆ ଉଡ଼ୁଛି, ବିଶ୍ଵବିଦ୍ୟାଳୟରେ କୁଆ ଉଡ଼ୁଛନ୍ତି ଏବଂ କଚେରୀମାନଙ୍କରେ କୁଆ ଉଡ଼ୁଛନ୍ତି । ସେହିସବୁ ଥାନରେ ବଡ଼ ବଡ଼ ପଦରେ ବରଣ ହୋଇ ବସିଥିବା ମୁଁ ରାତିକୁ ଥାନ ଓ ଅଥାନମାନଙ୍କରେ ଭାଷଣ ଦେଇ ବୁଲୁଛି, ସନ୍ଥବାଣୀ ଶୁଣାଇବାରେ ଲାଗିଛି । ଆମ ରାଜ୍ୟରେ ବେଳେବେଳେ ଏହି ହେରେଷାମିଟା ସମ୍ଭ୍ରମର ସକଳ ସୀମାକୁ ଡେଇଁଯାଉଛି । ଛାର ବହି-ଉନ୍ମୋଚନର ମୌକାଟିଏ ଆସି ପହଞ୍ଚିଲେ ମଧ୍ୟ ମୁଁ ସୁଯୋଗଟିକୁ ମୋଟେ ହାତଛଡ଼ା କରି ପାରୁନାହିଁ । ଏପରିକି ଉନ୍ମୋଚିତ ହେବାକୁ ଯାଉଥିବା ବହିଟି ଯେଉଁ ଭାଷାରେ ଲେଖା ହୋଇଛି, ମୋତେ ସେହି ଭାଷାଟି ମାଲୁମ ନାହିଁ, କହି ଆସୁନାହିଁ କିମ୍ବା ପଢ଼ି ଆସୁନାହିଁ । ଅଥଚ, ମୁଁ ସଭାରେ ଉନ୍ମୋଚକ ହିସାବରେ ଯାଇ ପହଞ୍ଚିଯାଉଛି ଏବଂ ନିତାନ୍ତ ଆଉ ଗୋଟିଏ ଭାଷାରେ ପନ୍ଦର ସତର ପଦ କହିଦେଇ ଆସୁଛି । ମୋତେ ଡାକି ନେବାକୁ ଆସୁଥିବା ଅଜବ ମଣିଷମାନେ ଏହି ରାଜ୍ୟରେ ଅଛନ୍ତି ବୋଲି ଭାବିଲାବେଳକୁ ମୋତେ ବି କେମିତି କେମିତି ଭାରି ଲାଗୁଛି ସତ, ତଥାପି ମଉକାଟାକୁ ଛାଡ଼ି ଦେବାକୁ ମୋଟେ ମନ ହେଉନାହିଁ । ଦୋଷଟା ଲାଗିଲେ ତ ସେମାନଙ୍କୁ ଆଗ ଲାଗିବ,– ଏହି କଥାଟା ମୋତେ କିଞ୍ଚିତ୍ ବଳ ବି ଦେଇଯାଉଛି ।

 

ଏହି ତାମସାଗୁଡ଼ାକୁ ଦେଖୁଥିବା ସମୟରେ ନବକୃଷ୍ଣ ଚୌଧୁରୀ ଖୁବ୍ ମନେ ପଡ଼ିଯାଉଛନ୍ତି । ସିଏ ସମ୍ଭବତଃ ଏହି ରାଜ୍ୟରେ ଏକମାତ୍ର ବ୍ୟକ୍ତି, ଯିଏକି ଚଉକୀରେ ବସିଛନ୍ତି ଓ କ୍ଷମତାରେ ରହିଛନ୍ତି,– ତଥାପି ନିଜର ଇଜ୍ଜତ ରଖିଛନ୍ତି । ନିଜର ସୀମାକୁ ଜଗିଛନ୍ତି, ସେତେବେଳେ ସିଏ ଆଦୌ ଗୋଡ଼ ଖସାଇ ଦେଇନାହାନ୍ତି । ହଁ, ଆଗ୍ରହ କରି ସଭାମାନଙ୍କୁ ଯାଇଛନ୍ତି,– ମାତ୍ର ଜଣେ ଶ୍ରୋତା ହୋଇ ଶ୍ରୋତାମାନଙ୍କ ଗହଣରେ ବସିଛନ୍ତି । ନିଜ ଜିଜ୍ଞାସାର ପରିଚୟ ଦେଇ ସେହି ଶ୍ରୋତାଙ୍କ ଧାଡ଼ିରୁ ପ୍ରଶ୍ନମାନ କରିଛନ୍ତି । କୌଣସି ଅଭିନୟ କରିନାହାନ୍ତି । ମୁଁ ଏଡ଼େ ବଡ଼ କ୍ଷମତାରେ ଥାଇ ମଧ୍ୟ ଦେଖ, ମୁଁ କିପରି ଅଲଗା ପ୍ରକାରର ଆଚରଣ କରୁଛି, ତେଣୁ ମୋତେ ତାରିଫ୍ କର ବୋଲି କୌଣସି ଇଙ୍ଗିତ ଦେଇନାହାନ୍ତି । ଶ୍ରୀଯୁକ୍ତ ଚୌଧୁରୀ କ’ଣ କମ୍ ବହି ପଢ଼ୁଥିଲେ ? କମ୍ ହଜମ କରିଥିଲେ ? କମ୍ ବାଟ ଖୋଜୁଥିଲେ ? ଜଣେ ମନ୍ତ୍ରୀ ବା ଶାସନମୁଖ୍ୟ ଅପେକ୍ଷା ଜଣେ ନାଗରିକର ପରିଚୟରେ ସିଏ ଅଧିକ ଗୌରବ ଅନୁଭବ କରୁଥିଲେ । ସର୍ବଦା ଅତ୍ୟନ୍ତ ସ୍ଵାଭାବିକ ଏବଂ ନିରଭିମାନ ଭାବରେ ତାହା କରିପାରୁଥିଲେ । ଜଣେ ମନୁଷ୍ୟ ନିଜ ଶ୍ରଦ୍ଧାର ପଥଚର୍ଯ୍ୟାରେ ଏପରି ନିବିଡ଼ ଏବଂ ମହାର୍ଘ ପଦାର୍ଥଟିଏ କ'ଣ ପାଇଥାଏ, ଯାହାଫଳରେ କି ସିଏ ଅଭିନୟକୁ ଆଦୌ ମନ କରେନାହିଁ, କ୍ଷମତାରେ ଥିଲେ ବି କ୍ଷମତା ତାକୁ କଦାପି ଗିଳି ପକାଇ ନଥାଏ, ନବକୃଷ୍ଣ ଚୌଧୁରୀଙ୍କ ସମୀପବର୍ତ୍ତୀ ହେଲାବେଳେ ସର୍ବଦା ନିଜକୁ ସେହି ପ୍ରଶ୍ନଟି ପଚାରିବାକୁ ଖୁବ୍ ମନ ହେଉଥିଲା । ନିଜ ପାଖରେ ସିଏ ସର୍ବଦା ଏତେ ଉଶ୍ୱାସ ଓ ଅନ୍ତରଙ୍ଗ ହୋଇ ରହିଥିଲେ ଯେ, ତାଙ୍କ ଗହଣରେ ଆସୁଥିବା ଅନ୍ୟମାନଙ୍କୁ ମଧ୍ୟ ଉଶ୍ଵାସ ହୋଇଯିବାକୁ କେତେ ପ୍ରେରଣା ଦେଉଥିଲେ । ସମ୍ଭବତଃ ସେହି କାରଣରୁ ରାଜନୀତିରେ ଭୁଲି ହୋଇଗଲେ ଏବଂ ବହୁ ମଣିଷଙ୍କର ହୃଦୟରେ କେତେ ଆପଣାର ହୋଇ ରହିପାରିଲେ !

 

୨୦/୧୧/୨୦୦୧

Image

 

ଭେକ କାହାର ସରୁଛି ?

 

ପିଲାଙ୍କର ପରୀକ୍ଷାରେ ପ୍ରତି ବରଷ ହଟଚମଟ ଘଟି ଆସୁଥିଲା, ଇହାଦେ ମଧ୍ୟ ଘଟୁଛି । ମାତ୍ର ଇ ବର୍ଷଟା କିଞ୍ଚିତ୍ ଅଧିକ ଆଖିଦୃଶିଆ ହୋଇ ଘଟିଲା ବୋଧହୁଏ, ତେଣୁ ସେଇଟାକୁ ନେଇ ଭାରି ଗୋଳ ଲାଗିଲା । ଅଭିଭାବକମାନେ ମାତିଲେ, ପିଲାମାନେ ସିଧା ପରୀକ୍ଷା ମାହାଲର କୋଠିଟାକୁ ଯାଇ ଭଙ୍ଗାରୁଜା ଆରମ୍ଭ କରିଦେଲେ । ସରକାର ପୋଲିସ୍ ଲଗାଇ ଘଉଡ଼ାଇଲେ, କିଛି ପିଟାପିଟି କାହିଁକି ନକରନ୍ତେ ? ତଥାପି ସରକାର ସମ୍ଭାଳି ପାରିଲେ ନାହିଁ । ଘଟଣାମାନଙ୍କର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ । ଜଣେ ବିଚାରପତି ବିଶେଷ ଭାବରେ ତଦନ୍ତ କରି ସତ ବାହାର କରିବେ ବୋଲି ନିଯୁକ୍ତ ବି ହେଲେ । ବହୁତ ଖୋଳାତଡ଼ା କରାଯିବା ପରେ ଏବେ ତାହାର ବେଉରାମାନ ପ୍ରକାଶ ପାଇଲା । ଖବରକାଗଜରେ ସେହି ତଦନ୍ତର ଏକ ସାରାଂଶ ବାହାରିଗଲା । ସବିସ୍ତାର ସବୁ କଥା ତ ଅଧିକ ଭୟାବହ ହୋଇଥିବ । ସାରାଂଶ ରୂପେ ତଥାପି ଯେତିକି ବାହାରିଲା, ସେତିକି ମଧ୍ୟ ଆଦୌ କମ୍‍ ଭୟାବହ ନୁହେଁ । ପିଲାମାନଙ୍କର ପରୀକ୍ଷାଫଳ ଏବେ ପିଲାମାନଙ୍କର ମେଧାଶକ୍ତି ଉପରେ ନିର୍ଭର ନକରି କ୍ରମେ ସେମାନଙ୍କ ଭାଗ୍ୟ ଉପରେ ନିର୍ଭର କରୁଛି ବୋଲି ସେହି ବିବରଣୀରେ ଏକ ସମଗ୍ର ମନ୍ତବ୍ୟ ପ୍ରକାଶ ପାଇଛି ।

 

ଯଦି ଘରେ ଥିବା ଗାଈମାନେ ମୁହାଁ ହେଉନାହାନ୍ତି କି ଦୁହାଁ ହେଉନାହାନ୍ତି, ତେବେ ଗଉଡ଼ କ’ଣ ପାଇଁ ରହିବ ? ଯଦି ପୋଡ଼ା, ଦରସିଝା, ଅଲଣା ଅଥବା ଅଖାଇବାଗୁଡ଼ାକୁ ଖାଇବାକୁ ପଡ଼ୁଛି, ତେବେ ରାନ୍ଧୁଣିଆଟାଏ କାହିଁକି ରହିବ, ପଇସା ନେବ ଓ ମୋଟା ହେଉଥିବ ? ଘୋଡ଼ାକୁ ବା ଘୋଡ଼ାମାନଙ୍କୁ ସମ୍ଭାଳି ପାରୁନଥିବା ଅସମର୍ଥଟା କାହିଁକି ଆମ ଗାଡ଼ିରେ କଚୁଆନ ହୋଇ ରହିବ ? ପୋଲିସ୍ ଯଦି ଚୋରମାନଙ୍କୁ ଧରି ନପାରୁଛି, ତେବେ କ’ଣ ପାଇଁ ଆମ ଦେଶରେ ପଇସା ବରବାଦ ହୋଇ ଏହି ପୋଲିସ୍‌ମାନେ ଥାନ ମାରି ରହିବେ ? ହଁ, ଯଦି ସ୍ଵୟଂ ପୋଲିସ୍‌ମାନେ ଚୋର ହେବାକୁ ମନ କରିବେ, ତେବେ ସମ୍ପୂର୍ଣ୍ଣ ସିଧା କଥା ଯେ, ସେମାନେ ଚୋରମାନଙ୍କୁ କଦାପି ଧରିବା ଲାଗି ବେଶୀ ଉତ୍ସାହ ଆଦୌ ଦେଖାଇବେ ନାହିଁ । ସମ୍ଭବତଃ ଆଉ କିଛି ଏପରି ମାର୍ଗରେ ରହିବେ ଯେ, ତଦ୍ଦ୍ୱାରା ସେମାନେ ଉପରକୁ ପୋଲିସ୍‌ ପରି ଦେଖାଯାଉଥିବେ ଓ ନିଜ ଭିତରେ ଚୋରଗିରି କରିବାରେ ଲାଗିବେ । ଆମ ଦେଶରେ ପାଠୁଆମାନେ ଏହି ରାଷ୍ଟ୍ରଟାକୁ ଅର୍ଥାତ୍ ସରକାରୀ ବ୍ୟବସ୍ଥାଟାକୁ ଏପରି ଏକ ଅବ୍ୟବସ୍ଥାରେ ପରିଣତ କରିସାରିଲେଣି ଯେ, ସେମାନେ ଏଠାରେ ସବୁକିଛି ମୁଖ୍ୟତଃ ଭଣ୍ଡୁର କରି ଦେଉଛନ୍ତି । ଉପରକୁ ବାବୁ ଭଳି ଦେଖାଯାଉଛନ୍ତି, ଭାଗ୍ୟର ଦାଣ୍ଡରେ ସବୁଠାରୁ ବଡ଼ କଠୋଉଗୁଡ଼ିକୁ ପିନ୍ଧି ଧାଇଁବାରେ ଲାଗିଛନ୍ତି । ସତେଅବା କୋଉଠୁ କ'ଣ ଚୋରି କରି ଆଣିଛନ୍ତି ବୋଲି ଚମ୍ପଟ ମାରିବାରେ ଲାଗିଛନ୍ତି । ଯଦି ପରୀକ୍ଷାଫଳ ପାଇଁ ଭାଗ୍ୟ ଉପରେ ହିଁ ନିର୍ଭର କରିବାକୁ ପଡ଼ୁଥାଏ, ତେବେ ଆଦୌ ପରୀକ୍ଷା ନାମକ ସେହି ବିଧିଟା ମଧ୍ୟ କ’ଣ ପାଇଁ ରହିବ ? ଭାରତବର୍ଷ ଏକ ଭାଗ୍ୟବାଦୀ ଭୂଇଁ ବୋଲି ବହୁ ଯୁଗରୁ ବଡ଼ ଅପବାଦ ରହିଆସିଛି । ଶିକ୍ଷା, ଶାସନ, ନ୍ୟାୟ ଅନ୍ୟାୟ ପ୍ରଭୃତିର ଦାୟିତ୍ୱରେ ଯେଉଁ ପାଠୁଆମାନେ ଅଛନ୍ତି, ସେମାନେ ହୁଏତ ଭାବି ନେଉଛନ୍ତି ଯେ ଭାଗ୍ୟ ହିଁ ସେମାନଙ୍କୁ ଏହିପରି ଉକ୍ତ ସ୍ଥାନମାନଙ୍କରେ ଆଣି ବସାଇଛି । ଭାରତବର୍ଷରେ ଅଧିକରୁ ଅଧିକ ପିଲାଙ୍କର ଭାଗ୍ୟ ବାମ ହୋଇଥିବାରୁ ସେମାନେ ପାଠ ପଢ଼ିବାକୁ ବିଦ୍ୟାଳୟକୁ ଆସିପାରୁ ନାହାନ୍ତି । ଯାହାର ଭାଗ୍ୟ ତେଜ ହୋଇ ସିଆଡ଼ୁ ଲେଖାହୋଇ ଆସିଛି, ସେହିମାନେ ଉଚ୍ଚ ଉଚ୍ଚ ତଥାକଥିତ ପାଠମାନଙ୍କୁ ପଢ଼ି ଉଚ୍ଚ ପଦମାନଙ୍କରେ ରହିଛନ୍ତି ଏବଂ ଏହି ଦେଶଟାକୁ ବିଲୁଆଙ୍କ କବଳ ମଧ୍ୟକୁ ଟେକି ଦେଉଥିଲେ ମଧ୍ୟ ତଥାପି ସେମାନଙ୍କର ଉଚ୍ଚ ପଦଗୁଡ଼ିକ ସେହିପରି ଉଚ୍ଚ ହୋଇ ରହିଛି । ଏହି ଦେଶ ପାଇଁ ଗୋଟାଏ ସମ୍ବିଧାନ ଲେଖା ହୋଇ ରହିଛି । ମାତ୍ର ଆମ ପାଠୁଆ ପଦସ୍ଥମାନେ ସେଇଟା ଦ୍ଵାରା ପରିଚାଳିତ ହେବାର ସର୍ବମୂଳ ଆନୁଗତ୍ୟଟିକୁ ଏବେ ମଧ୍ୟ ସ୍ୱୀକାର କରିପାରି ନାହାନ୍ତି । ସମ୍ବିଧାନଟା ସିନା ଦେଶର ସବୁ ମଣିଷଙ୍କୁ ନାଗରିକ ବୋଲି ମାନିଛି, ମାତ୍ର କେବଳ ନିଜକୁ ନିଠକରି ରମଣମତ୍ତ ହୋଇ ରହିଥିବା ଏମାନେ ତଥାପି ସେତିକି ନିମନ୍ତେ ବି ରାଜି ହୋଇନାହାନ୍ତି ।

 

ସରକାରଙ୍କର ଶିକ୍ଷାମାହାଲଟା ଆଡ଼କୁ ବୋଲୁଅ ଫୋପାଡ଼ିଲା ପରି ଏହି ଯେଉଁ ରିପୋର୍ଟଟି ପ୍ରକାଶ ପାଇଲା, ସରକାରଙ୍କ ଘରେ ସେଥିପାଇଁ କାହିଁ କୌଣସି ବ୍ୟସ୍ତତା ପ୍ରକାଶ ପାଇଲାନାହିଁ ତ ? କାହାକୁ ଲାଜ ମାଡ଼ିଲା ନାହିଁ ତ ? ଏଥିପାଇଁ କେହି ନିଜକୁ ଦାୟୀ ବୋଲି ଘୋଷଣା କଲେନାହିଁ ତ ? ଏଡ଼େ ବଡ଼ ଗୋଟାଏ ଦେଶରେ ଯେଉଁମାନେ ଶାସନ ଘରମାନଙ୍କରେ ସାଆନ୍ତ ହୋଇ ବସିଛନ୍ତି, ସେମାନଙ୍କୁ ଯେ କୌଣସି କଥାରେ ଲାଜ ମାଡ଼ୁନାହିଁ, ଏଇଟାକୁ ମଧ୍ୟ କ'ଣ ଆମ ଦେଶର ତଦନୁରୂପ ଏକ ଭାଗ୍ୟ ବୋଲି କୁହାଯିବ ? ଶିକ୍ଷାକୁ ସମ୍ଭାଳୁଥିବା ଗୋଟାଏ ସ୍ଵତନ୍ତ୍ର ବିଭାଗ ବହୁ ବିଚିତ୍ର ବରାଦରେ ଥାକଥାକ ହୋଇ ରହିଛି । ସେଥିରେ ମନ୍ତ୍ରୀ ଅଛନ୍ତି, ସଚିବମାନେ ଅଛନ୍ତି, ଅମଲାମାନେ ରହିଛନ୍ତି । ଭୁବନେଶ୍ଵର ସହିତ ଦିଲ୍ଲୀର ନାଡ଼ ଲାଗିଛି । ପାଠ ପଢ଼ାଇବାକୁ ଶିକ୍ଷକମାନେ ରହିଛନ୍ତି । ସେମାନଙ୍କର ଗୋଟାଏ ସଂଘ ମଧ୍ୟ ରହିଛି । କ୍ଷୋଭ ଓ ବିକ୍ଷୋଭମାନ ବାରମାସ ଲାଗି ବି ରହିଛି । କମିଶନଟାଏ ବସି ଏଡ଼େବଡ଼ ଅପବାଦରେ କଥାଟିଏ କହିଦେଲା, ତଥାପି କାହାକୁ ଅସଜ ଲାଗିଲା ନାହିଁ ତ ? ରିପୋର୍ଟଟା ଯାହ କହିଛି, ତାହା ମୋଟେ ଠିକ୍ ନୁହେଁ ବୋଲି ଯେଉଁମାନେ ଭାବୁଛନ୍ତି, ସେମାନେ ପ୍ରତିବାଦ କରିଥାଆନ୍ତେ ଏବଂ, ରିପୋର୍ଟ ଠିକ୍ କଥା କହିଛି ବୋଲି ଆଉ ଯେଉଁମାନେ ଭାବୁଛନ୍ତି ସେମାନେ ମଧ୍ୟ ପ୍ରତିବାଦ କରିଥାନ୍ତେ । ଜାଗ୍ରତ ନାଗରିକ ମହଲ ସାଧାରଣରେ ଏହି ବିଷୟରେ କେତେ ଆଲୋଚନା ବି କରିଥାନ୍ତେ । ଏପରି କାହିଁକି ହେଉଛି ବୋଲି ପରସ୍ପରକୁ ପଚାରି ଥାଆନ୍ତେ ଓ ହୁଏତ ଆଗକୁ କୌଣସି ବାଟ ମଧ୍ୟ କାଢ଼ିଥାନ୍ତେ । ଏପରି କାହାର ବା କେଉଁମାନଙ୍କର ଅବହେଳାରୁ ହେଉଛି ବୋଲି ସରକାରଠାରୁ ଜବାବ ମାଗିଥାନ୍ତେ । ଏସବୁ କିଛି ହେଲାନାହିଁ । ତେଣୁ, ଆମେ କ'ଣ ଧରିନେବା ଯେ ଏହିପରି ଯାହାସବୁ ଆଜିଯାଏ ଘଟି ଆସୁଥିଲା, ତାହା ଆସନ୍ତା ବର୍ଷକୁ ମଧ୍ୟ ଅବଶ୍ୟ ଘଟିବ ? କମିଶନମାନେ କାଗଜପତ୍ରରେ ଭୋ ଭୋ ହେଉଥିବେ ଏବଂ ବିଭାଗୀୟ କାରାଭାନଟି ତଥାପି ମୋଟେ ଅଟକି ଯିବନାହିଁ । ଯାହାସବୁ ଯେପରି ହେଉଛି ବୋଲି କମିଶନ ପ୍ରାପ୍ତ ତଥ୍ୟଗୁଡ଼ିକୁ ଉଖାରି କହିବାକୁ ବାଧ୍ୟ ହୋଇଛି, ସେଥିରେ ଆମେ ସମସ୍ତେ ନିଷ୍ଠାପର ଭାବରେ ଲିପ୍ତ ନଥିଲେ ଅବଶ୍ୟ କିଛି ନା କିଛି ଖୁଡ଼ଖାଡ୍ ଶୁଭିଥାନ୍ତା,– କାହାରି ନିଦ୍ରାଭଙ୍ଗ ପାଇଁ ଅବଶ୍ୟ ଚେଷ୍ଟା କରାଯାଇଥାନ୍ତା ।

 

ଦେଶରେ ବା ରାଜ୍ୟରେ ଶାସନର ଛାଞ୍ଚଟା ଶାସ୍ତ୍ର ଅନୁସାରେ ଗଣତନ୍ତ୍ର ହୋଇଥିଲେ ମଧ୍ୟ କାର୍ଯ୍ୟତଃ ଏଠି ଅଳପ ଲୋକଙ୍କର ବହୁତଙ୍କ ଉପରେ ହାକିମୀ ଚାଲିଛି, ଅଳପ ଉଚ୍ଚପାଠୁଆ ଏବଂ ଅତିଚତୁରଙ୍କର କୋଟି କୋଟି ନାନାଭାବେ ବଞ୍ଚିତ ମଣିଷଙ୍କ ଉପରେ ଏକ ଦୌରାତ୍ମ୍ୟ ହିଁ ଲାଗିରହିଛି । ସରକାର କହିଲେ ଯାବତୀୟ ଅର୍ଥରେ ଏକ ସୁଚିନ୍ତିତ ଉଦାସୀନତାକୁ ବୁଝାଉଛି । ସରକାରୀ ଶିକ୍ଷା ବିଭାଗଟା ମଧ୍ୟ ଉଦାସୀନତା ତଥା ଅବଜ୍ଞା ନାମକ ଗାଈଟାର ଗୋବରଟାକୁ ବୁଝାଉଛି । ଏହି ସବୁକିଛିକୁ ସିନା ଅଳ୍ପବହୁତେ ବୁଝି ହେଉଛି, କିନ୍ତୁ ଶିକ୍ଷକମାନଙ୍କୁ କାହିଁକି ମୋଟେ ବୁଝି ହେଉନାହିଁ । ଶିକ୍ଷାକାରଖାନାର ଅକଲଗୁଡ଼ାକ ଯେତେ ବେଶୀ ଅଣଅକଲର ଜଙ୍ଗଲ ଭିତରେ ଆସି ପଶିଯାଇଥିଲେ ମଧ୍ୟ ତଥାପି ଶିକ୍ଷକମାନେ ଯେ ତଥାପି ସମସ୍ତେ ଅଧୁଆ ମୂଳା ହେବେ, ତାହା କଦାପି କୁହାଯାଇ ପାରିବ ନାହିଁ । ଭଲ ଓ ବିବେକସମ୍ପନ୍ନ ଶିକ୍ଷକମାନଙ୍କୁ ବିଦ୍ୟମାନ ବ୍ୟବସ୍ଥାଟାର ଅନ୍ଧାର ଭିତରେ ଅନେକ ଦୁର୍ଗତି ଭୋଗ କରିବାକୁ ପଡ଼ୁଥିବ ସତ, ମାତ୍ର ସେମାନେ ତଥାପି ନିଜର ମୂଳ ବିବେକଗୁଡ଼ିକୁ ହରାଇ ନଥିବେ । ସେମାନେ ଶିକ୍ଷାପଟେ ରହିଥିବେ, ପିଲାମାନଙ୍କ ପଟେ ରହିଥିବେ । ଲଙ୍କାଗଡ଼ରେ ହରିନାମ କହିପାରିବାକୁ ସେମାନେ ମଧ୍ୟ ଅବଶ୍ୟ-ବ୍ୟାକୁଳ ହୋଇ ପଡ଼ୁଥିବେ । ସେମାନେ ଅଧିକ ବେତନ ଓ ସ୍ୱୀକୃତି ନିଶ୍ଚୟ ଦାବି କରୁଥିବେ, ସେହିଭଳି ଏକ ବିଶ୍ୱାସକୁ ପୋଷଣ କରି ସେମାନେ ମଧ୍ୟ ସଂଘ ଭିତରେ ଆସି ସାମିଲ ହୋଇଥିବେ, କିନ୍ତୁ ପିଲାମାନଙ୍କ ପଟେ ରହିଥିବେ । ପିଲାମାନଙ୍କ ତରଫରୁ ସେହିମାନେ ପ୍ରତିବାଦ କରନ୍ତେ, ପ୍ରତିକାର କରି ବାହାରନ୍ତେ । ଏବଂ ସମ୍ପୃକ୍ତ ସମସ୍ତଙ୍କର ନିଦ୍ରାଭଙ୍ଗ କରନ୍ତେ । ହୁଏତ ପିଲାମାନଙ୍କୁ ସବାଆଗରେ ରଖି ବିତର୍କଟିଏ ଆରମ୍ଭ ହୋଇପାରନ୍ତା । ବିତର୍କରୁ ଏକ କ୍ରିୟାଶୀଳ ଅନ୍ୟ ଚେତନା ଜନ୍ମଲାଭ କରନ୍ତୁ । ଏକ ସକାରାତ୍ମକ ଶିକ୍ଷା-ପରିମଳ ସମ୍ଭବ ହୁଅନ୍ତା ଓ କିଞ୍ଚିତ୍ ପରିବର୍ତ୍ତନ ଲାଗି ବାଟ ଫିଟନ୍ତା ।

 

ମୋ ପିଲା ପାଠ ପଢ଼ିବ କି ନାହିଁ, ତାହା ମୋର ଅଥବା ମୋ’ ପିଲାର ଭାଗ୍ୟ ଉପରେ ନିର୍ଭର କରେନାହିଁ । ଗଣତନ୍ତ୍ର ନାମକ ଦେଶ-ଶାସନର ପଦ୍ଧତିରେ ଭାଗ୍ୟ ଆଦୌ ରଜାହୋଇ ରହିବ ନାହିଁ । ଅତୀତରେ ମଣିଷର ବଳ ବୋଲି କହିବାକୁ ବେଶୀ କିଛି ନଥିଲା । କାରଣ ପ୍ରବଳମାନେ ତାକୁ ନାନା ଫିସାଦରେ କାବୁକରି ରଖିଥିଲେ । ଭଗବାନ ହିଁ ମଣିଷମାନଙ୍କୁ ଭାଗ୍ୟ ଦେଇ ପୃଥିବୀକୁ ପଠାଇଛନ୍ତି ବୋଲି କୁହାଯାଉଥିଲା । ଏବେ ସେହି ମିଛ କଥାଟାରେ କେହି କଦାପି ବିଶ୍ୱାସ କରିବେ ନାହିଁ । ଭଗବାନ ପ୍ରତ୍ୟେକ ମନୁଷ୍ୟକୁ ବହୁ ସମ୍ଭାବନାଯୁକ୍ତ କରି ପଠାଇଥାଆନ୍ତି । ନିଜର ନାନାବିଧ ଶକ୍ତିବଳରେ ମଣିଷ ସେହି ସମ୍ଭାବନାଗୁଡ଼ିକୁ ବାସ୍ତବରେ ପରିଣତ କରିବ, ତାହା ହିଁ ଜୀବନ, ତାହା ହିଁ ଯାବତୀୟ ସାଧନାର ସର୍ବମୂଳ କଥା । ତେଣୁ, ମଣିଷ ଯେପରି ନିଜ ଶକ୍ତିଗୁଡ଼ିକର ପରିଚୟ ପାଇବ, ସିଏ ବାସ କରୁଥିବା ସମାଜ ସେଥିନିମନ୍ତେ ଧାତ୍ରୀ ପରି କାର୍ଯ୍ୟ କରିବ । ଅନୁକୂଳ ସୁଯୋଗ ପ୍ରଦାନ କରିବ, ଉତ୍ସାହ ଦେଉଥିବ । ମେଧାର ଶକ୍ତି, ହୃଦୟର ଶକ୍ତି, ବିଶ୍ଵାସର ଶକ୍ତି, ଅଧିକରୁ ଅଧିକ ଗ୍ରହଣ କରିପାରିବାର ଶକ୍ତି, ଇତ୍ୟାଦି ଇତ୍ୟାଦି । ପୃଥିବୀର ସମାଜ ଓ ଶାସନମାନେ ସେକାଳେ ସବୁ ମଣିଷଙ୍କ ସକାଶେ ସୁଯୋଗମାନଙ୍କୁ ଯୋଗାଇ ଦେଉନଥିଲେ । ତେଣୁ, କେତେ ସୁଯୋଗ ପାଉଥିବା ମଣିଷ ନିଜକୁ ଭାଗ୍ୟବାନ ମଣୁଥିଲେ ଏବଂ ଅନ୍ୟମାନେ ଭାଗ୍ୟ ଆଦରି ରହୁଥିଲେ । ଗଣତନ୍ତ୍ର ଶାସନର ଆଧ୍ୟାତ୍ମିକ ଭୂମିଟି ଏକାବେଳକେ ଏକ ଅନ୍ୟ ପ୍ରତ୍ୟୟ ଉପରେ ଦଣ୍ଡାୟମାନ ହୋଇ ରହିଥାଏ । ଏବେ ଗଣତନ୍ତ୍ର ସବୁ ମଣିଷଙ୍କ ଲାଗି ଉଚିତ ଭୂମିଟିଏ ଯୋଗାଇ ଦେବାକୁ ସାହସ କରି ବାହାରିଲାଣି । ଆମ ଦେଶ ଭାରତବର୍ଷ ଏବଂ ଆମ ରାଜ୍ୟ ଓଡ଼ିଶା ମଧ୍ୟ ସେଥିରୁ କଦାପି ବାହାର ହୋଇ ରହିଯିବ ନାହିଁ । ଖଳମାନେ ପ୍ରକ୍ରିୟାଟିକୁ କିଞ୍ଚିତ୍ ବିଳମ୍ବ କରାଇଦେଇ ପାରିବେ ସିନା, କଦାପି ରୋକିପାରିବେ ନାହିଁ । ତେଣୁ ମେଧାଶକ୍ତି ରଜା ହେବ, ପ୍ରତିଭାର ବିକାଶ ହେବ, ମଣିଷମାନେ ନିର୍ଭୟ ହୋଇ ଏବଂ ହୃଦୟ ଦେଇ ଆପଣାକୁ ତଥା ପରସ୍ପରକୁ ଦେଖିବେ । ପୃଥିବୀଯାକ ସବୁ ମଣିଷଙ୍କର ଦିନ ଆସୁଛି, ସବୁ ପିଲାଙ୍କର ଦିନଟି ମଧ୍ୟ ଆସୁଛି । ପିଲାମାନଙ୍କର ପରୀକ୍ଷା ଫଳ ସେମାନଙ୍କ ଭାଗ୍ୟ ଉପରେ ନିର୍ଭର କରୁଛି ବୋଲି କହିଥିବା କମିଶନ ବଡ଼ ଦୁଃଖରେ ଏବଂ ଖେଦରେ ଏହି କଥାଟିକୁ କହିଥିବେ । ଏହି ଦୁର୍ଦ୍ଦିନ ଯଥାଶୀଘ୍ର ଦୂର ହୋଇଯାଉ ବୋଲି ଇଚ୍ଛା କରୁଥିବାରୁ ହିଁ କମିଶନ ଆମକୁ ଜାଗରୂକ କରିବା ପାଇଁ ହିଁ ଯାହା ଯେପରି ଦେଖିଲେ, ନିଜ ରିପୋର୍ଟରେ ତାହାକୁ ହିଁ ଆଣି ବାଢ଼ି ଦେଇଥିବେ । ଆମେ ତଥ୍ୟକୁ ଜାଣିଲେ ଧର୍ମତଃ ସତ୍ୟ ଆଡ଼କୁ ବାଟଟିଏ କାଢ଼ିବା, ବର୍ତ୍ତମାନର ଉଦାସୀନତାକୁ ଭାଙ୍ଗିଦେବା, ଅସମ୍ମତମାନଙ୍କୁ ସମ୍ମତ କରାଇ ଆଣିବା ଏବଂ କିଳିହୋଇ ରହିଥିବା କବାଟମାନଙ୍କ ଉପରେ ଯାଇ ଆଘାତ କରିବା,– ଯାବତୀୟ ଅନୁସନ୍ଧାନରେ ତାହା ହିଁ ଅସଲ ପ୍ରେରଣା ରୂପେ ଲୁକ୍କାୟିତ ହୋଇ ରହିଥାଏ । ସେହି ପ୍ରେରଣାଟିର ବିଜୟ ହେଉ, ସେହି ପ୍ରେରଣାଟି ବାହାରକୁ ଆସୁ । ଆମର ଆଖିମାନେ ଆମେ ଏଯାଏଁ ଭିଆଇ ଆସିଥିବା ନିର୍ବୋଧତାଗୁଡ଼ିକୁ ଦେଖିବାରେ ସମର୍ଥ ହୁଅନ୍ତୁ । ଆଖିମାନେ ଅଧିକ ସମର୍ଥ ହେଲେ ଶାସନ ବଦଳିଯିବାକୁ ଆଦୌ ବେଶୀ ବେଳ ଲାଗେନାହିଁ । ଅମଙ୍ଗମାନଙ୍କର ଗଉଁ ମଧ୍ୟ ଭାଙ୍ଗିଯାଏ । ଦେଶରେ ସମସ୍ତେ ନାଗରିକର ପରିଚୟରେ ହିଁ ଅନୁଭୂତ ହୁଅନ୍ତି । ଏକ ଗଣତନ୍ତ୍ର ମଜବୁତ ହେବାକୁ ହେଲେ ସବାଆଗ ଏହି ଗଣଙ୍କ ନିମନ୍ତେ ଯେ ସବୁକିଛିର ବରାଦ ଓ ବ୍ୟବସ୍ଥା ହେବ, ସେହି କଥାଟି ପ୍ରାଞ୍ଜଳ ହୋଇଆସେ । ସେତେବେଳେ ଜଣମାନଙ୍କର ମଧ୍ୟ ବୁଦ୍ଧି ବଦଳିବାକୁ ବାଧ୍ୟ ହୁଏ, ଗଣଙ୍କ ସହିତ ସାମିଲ ହୋଇ ସେମାନେ ବି ଗୌରବାନ୍ୱିତ ହୁଅନ୍ତି ।

 

୨୭/୧୧/ ୨୦୦୦

Image

 

ମହୀ କ୍ରମେ ଉଶ୍ୱାସ ହେଉଛି

 

ସ୍ୱାଧୀନ ଭାରତବର୍ଷ ପଛରେ ସଂଗ୍ରାମର ଏକ ଉଜ୍ଜଳ ଇତିହାସ ରହିଛି । ସେତେବେଳେ ସଂଗ୍ରାମଟିର ସମ୍ମୁଖରେ ଏକ ସଚେତନ ସ୍ୱପ୍ନ ସର୍ବଦା ଆଗକୁ ଆଗକୁ ବାଟ କଢ଼ାଇ ନେଇଥିଲା । ସଂଗ୍ରାମୀମାନଙ୍କର ଭିନ୍ନ ଭିନ୍ନ ମାର୍ଗ ଅବଶ୍ୟ ରହିଥିଲା, କିନ୍ତୁ ଭବିଷ୍ୟସ୍ୱପ୍ନ ଗୋଟିଏ ଥିଲା । ଭାରତବର୍ଷ ସ୍ଵାଧୀନ ହେବ ଅର୍ଥାତ୍ ଏକ ଅଧିକ ସୁନ୍ଦର ଅର୍ଥାତ୍ ଅଧିକ ମନୁଷ୍ୟୋଚିତ ଭାରତବର୍ଷର ନିର୍ମାଣ ହେବ । ମନୁଷ୍ୟ କହିଲେ, ସବୁ ମଣିଷଙ୍କୁ ବୁଝାଇବ । ଭାରତବର୍ଷର କୋଟି କୋଟି ମଣିଷ ଏହି ଦେଶଟିକୁ ହିଁ ନିଜର ଘର ବୋଲି ଅନୁଭବ କରିବେ । ଏହି ଭୂମିଟିର କ୍ରମୋନ୍ନୟନ ନିମନ୍ତେ ଅଧିକରୁ ଅଧିକ ଯୋଗ୍ୟ ହେବାରେ ଏଠାରେ ସେମାନଙ୍କୁ ଅନୁକୂଳ ସର୍ବନିମ୍ନ ସୁଯୋଗମାନ ଯୋଗାଇ ଦିଆଯିବ । ଏଠି କାହାର ଅସମ୍ମାନ ହେବନାହିଁ, କାହାକୁ ଅବହେଳିତ ଭାବରେ ଫୋପାଡ଼ି ଦିଆଯିବ ନାହିଁ । ଦେଶରେ ସ୍ୱାଧୀନ ସରକାର ଧର୍ମତଃ ସେଇଥିପାଇଁ ଉତ୍ତରଦାୟୀ ହୋଇ ରହିଲା । ବଡ଼ମାନେ ଏକାଠି ସଭାରେ ବସି ସେହି ଅନୁରୂପ ସମ୍ବିଧାନଟି ଲେଖିଦେଲେ । ତା'ପରେ ଅସଲ ଭାଗ୍ୟର ଘରଟା ଭିତରେ ଭାରତବର୍ଷକୁ ଶନିସପ୍ତା ପଡ଼ିଲା । ଅଳପ ମଣିଷ ହାଉଲେ ହାଉଲେ ବହୁତଙ୍କୁ ବଞ୍ଚିତ କରି ରଖିଲେ । ଶାସନରେ ବଞ୍ଚିତ କଲେ, ଶିକ୍ଷାରେ ବଞ୍ଚିତ କଲେ,– ରାଜନୀତିର ସବୁଯାକ ବିବେକ କ୍ରମେ ସତେଅବା ଆଉ କୁଆଡ଼େ ଉଡ଼ି ଯାଉଥିବା ପରି ଲାଗିଲା । ଲମ୍ପଟମାନେ ହିଁ ଘରଗୁଡ଼ିକର ମାଲିକ ହେଲେ । ଢୋଲା ଢୋଲା କଥା କହିଲେ, ମାତ୍ର ନିଜର ଢୋଲଟିକୁ ଭର୍ତ୍ତି କରିବା ବ୍ୟତୀତ ଆଉ ଯାବତୀୟ ସମ୍ଭ୍ରମକୁ ହରାଇ ବସିଲେ । ଦେଖୁ ଦେଖୁ ପଚାଶ ବର୍ଷ ଗଡ଼ିଗଲା । ଦେଶର ଆତ୍ମା ଛଟପଟ ହେଲା । ଅନ୍ଧାରକୁ ଆଲୁଅର ବଳ ପାଇଲା ନାହିଁ । ଅସତ୍ୟମାନେ ସବୁ ଲଜ୍ଜା ପରିହାର କରି ସତ୍ୟର ଇଜ୍ଜତ ନେବାକୁ ବାହାରି ପଡ଼ିଲେ । ସେହି ମନ୍ଦ ସଂକ୍ରମଣଟାର ପ୍ରକୋପରେ ସତ ଉପରୁ, ଭଲ ଉପରୁ ସାଧାରଣ ମଣିଷଙ୍କର ବିଶ୍ୱାସ ମଧ୍ୟ ତୁଟି ଯାଉଥିବା ପରି ଲାଗିଲା । ଏହି ଦୁର୍ଦ୍ଦଶା ପ୍ରକୃତରେ କେବେ ଘୁଞ୍ଚିବ ବୋଲି ପ୍ରତ୍ୟୟ ହେଲା ନାହିଁ । ଯଦି ଘୁଞ୍ଚିବ, ତେବେ କିଏ ଘୁଞ୍ଚାଇବ ? ସେହି ଅନ୍ୟ ନେତୃତ୍ୱଟି ଲାଗି କିପରି ଏକ ବାଟ ବି ଫିଟିବ ?

 

ଏହି ପାଞ୍ଚଟି ବର୍ଷରେ ଏଠି କାଳପୁରୁଷଟା କ'ଣ ପାଞ୍ଚିଲା କେଜାଣି, ଅସଲ ଗୁମରଗୁଡ଼ାକ କ୍ରମେ ପଦାକୁ ଆସିଲା । ସେହିମାନେ ହିଁ ନିଜ ପାଇଁ ଗାତ ଖୋଳିଲେ । ଅପରମାନଙ୍କୁ ଧରା ପକାଇବାକୁ ବାହାରି ସେହିମାନେ ସ୍ଵୟଂ ଧରାପଡ଼ିଗଲେ । ଆହୁରି କରାଯାଉଛି । ଭବିଷ୍ୟତର ଭାରତବର୍ଷ କହିଲେ ସ୍ୱାଧୀନତା ସଂଗ୍ରାମ ସମୟରେ ଯେଉଁ ଚିତ୍ରଟି ସତେଅବା ହାତପାଆନ୍ତାରେ ଦେଖା ଯାଉଥିଲା ଏବଂ ସଂଗ୍ରାମଟିକୁ ବଳ ଯୋଗାଇ ପାରୁଥିଲା, ସେହି ଚିତ୍ରଟି ପୁନର୍ବାର ଠୁଳହୋଇ ଆସିବ । ସରକାର ଏବଂ ଜନଗଣ ପୁନର୍ବାର ପରସ୍ପରର ସହଯୋଗୀ ହୋଇ ଆସିବେ, ପରସ୍ପରକୁ ପୂର୍ଣ୍ଣ ବିଶ୍ୱାସ କରିବେ, ଏକ ନୂତନ ଭାଙ୍ଗିବା ତଥା ଗଢ଼ିବାର ତପସ୍ୟା ଆରମ୍ଭ ହେବ । ସରକାର ତଥା ଯାବତୀୟ ସୁଯୋଗ କେବଳ କତିପୟଙ୍କର ହାତମୁଠାରେ ରହିବ ନାହିଁ, ଦେଶ କହିଲେ ସବୁ ମଣିଷ ଗଣା ହୋଇ ପାରୁଥିବେ । ବର୍ତ୍ତମାନକୁ ସ୍ୱୀକାର କରିନେଇ ଏକ ଭବିଷ୍ୟଥାପନା ନିମନ୍ତେ ଅଙ୍ଗୀକାରବଦ୍ଧତା ଜନ୍ମଲାଭ କରିବ । ବର୍ତ୍ତମାନର ବାବୁମାନେ ତ ଭବିଷ୍ୟତଟାକୁ ଭୁରୁଡ଼ାଇ ରଖିବାକୁ ହିଁ ଅତୀତ କଥାଗୁଡ଼ାକୁ ଥୋପ ପରି ବ୍ୟବହାର କରୁଛନ୍ତି । ଜାତୀୟତାବୋଧକୁ ନାନା ଭାବପ୍ରବଣତା ମଧ୍ୟରେ ଜୁଡ଼ୁବୁଡ଼ୁ କରି ରଖାଯାଇଛି । ବେତା ବେତା କଥା କୁହାଯାଉଛି । ଏବଂ ଅଙ୍ଗୀକାରବଦ୍ଧତା ଟିକିଏ ହେଲେ ନାହିଁ । ପାଠଗୁଡ଼ାକ ଏଠି ମଣିଷ ମଣିଷ ଭିତରେ ନାନା ଭଳି ଦୂରତା ସୃଷ୍ଟି କରିବାରେ ହିଁ ସହାୟତା କରୁଛି-। ଅବଜ୍ଞାମାନଙ୍କୁ ବହୁ ଉତ୍ସାହ ଦେବାରେ ଲାଗିଛି । ଏବଂ ବର୍ତ୍ତମାନଟାକୁ ହିଁ ଦେଶର ଯାବତୀୟ ଆହ୍ୱାନ ରୂପେ ଗ୍ରହଣ କରିବାର କ୍ଷେତ୍ରରେ ଏହି ଦେଶରେ ପଢ଼ା ହେଉଥିବା ବିଦ୍ୟାକୁ ଅସମର୍ଥ କରି ରଖିଛି । ଯଥାର୍ଥ ବିଦ୍ୟା ଜଣେ ମନୁଷ୍ୟକୁ ଅଧିକ କାମରେ ହିଁ ଲାଗି ପାରିବାକୁ ଶିକ୍ଷା ଦିଏ । ମନୁଷ୍ୟମାନଙ୍କର ନିକଟବର୍ତ୍ତୀ କରାଏ । ଫାଙ୍କି ଦେବାର ଦୁର୍ବୁଦ୍ଧିଗୁଡ଼ାକରୁ ଦୂରରେ ରଖେ ।

 

ଅସଲ ଖୁସି ବସ୍ତୁତଃ ସେତିକିବେଳେ ଆସେ । ଅସଲ ଯୋଗ୍ୟ ମନୁଷ୍ୟମାନେ ଅଲଗା ହୋଇ ନରହି କତିକୁ ଆସନ୍ତି, କତି ମଣିଷମାନଙ୍କୁ ସ୍ୱୀକାର କରିନିଅନ୍ତି । କତି ମଣିଷଙ୍କର ଭାଷାଟାକୁ ମଧ୍ୟ ଆଦୌ ହୀନ ବୋଲି ମଣି ବର୍ଜନ କରନ୍ତି ନାହିଁ । ଏଠାରେ ମହୀଟି ଯେତିକି ଯେତିକି ଉଶ୍ଵାସ ହୋଇ ଆସୁଥିବ, ଆମେ ସେତିକି ସେତିକି ପରସ୍ପରକୁ ଲୋଡ଼ିବାକୁ ପରସ୍ପରକୁ ସାଙ୍ଗରେ ନେବାକୁ ଏବଂ ପରସ୍ପରକୁ ଆବଶ୍ୟକ ସ୍ୱୀକୃତିଗୁଡ଼ିକୁ ଦେବାକୁ ଆମର ଅସଲ ଧର୍ମ ରୂପେ ଗ୍ରହଣ ବି କରି ନେଉଥିବା । ସେତେବେଳେ ଧର୍ମ କହିଲେ ସମ୍ପୂର୍ଣ୍ଣ ଭାବରେ ଏକ ଅନ୍ୟ ଚାଲେଞ୍ଜ୍‍କୁ ବୁଝାଇବ । ଧର୍ମକୁ ଅଫିମ ସଦୃଶ ବ୍ୟବହାର କରୁଥିବା ମନ୍ଦମତିମାନେ ଗୋଟାସୁଦ୍ଧା ବାରି ହୋଇ ପଡ଼ୁଥିବେ ଓ ତେଣୁ ସେମାନଙ୍କୁ ସାଧ୍ୟ କରିବା ମଧ୍ୟ ଅପେକ୍ଷାକୃତ ଅଧିକ ସହଜ, ହୋଇଯିବ । ସବାଆଗ ମଣିଷମାନେ ଦେଖାଗଲେ ହିଁ ଯେଉଁସବୁ ଆହ୍ୱାନ ଆଗ ଦେଖାଯିବ, ଭାରତବର୍ଷର ଏଯାବତ୍ ନେତୃତ୍ୱମାନେ ସତେଅବା ସେଗୁଡ଼ିକୁ ମୁଖ୍ୟତଃ ଫାଙ୍କି ଦେଇ ଆସିଛନ୍ତି । ସମ୍ଭବତଃ ସେଇଥିପାଇଁ ଆମକୁ ବାଟ ଦେଖାଇବା ଏବଂ ବାଟରେ ପରିଚାଳିତ କରିବା ପରିବର୍ତ୍ତେ ଅଧିକତର ଅର୍ଥରେ ଆମର ବାଟଗୁଡ଼ିକୁ ଉଗାଳି ବସିଛନ୍ତି । ସ୍ୱାଧୀନ ଦେଶରେ ଅଧିକାଂଶ ମଣିଷଙ୍କୁ ଅତ୍ୟନ୍ତ ପରାଧୀନ ଏବଂ ନିଷ୍ପୃହ କରି ରଖିଛନ୍ତି । ତେଣୁ ଏ ମହୀ ଶୀଘ୍ରାତିଶୀଘ୍ର ଉଶ୍ୱାସ ହେଉ, ଉଶ୍ଵାସ ହେବାର ପ୍ରକ୍ରିୟାଟି ଦେଶବ୍ୟାପୀ ଅନ୍ୟ ଆବଶ୍ୟକ ଉଦବେଳନଗୁଡ଼ିକ ନିମନ୍ତେ ମଧ୍ୟ ବାଟ ଦେଖାଇଦେଉ ! ଯେଉଁମାନେ ଧରା ପଡ଼ିବା ଉଚିତ, ସେମାନେ ଶୀଘ୍ରାତିଶୀଘ୍ର ଧରାପଡ଼ି ଯାଆନ୍ତୁ । ମନେ ହେଉଛି, ଧରା ପକାଇବାର ଏବଂ ମହୀକୁ ଉଶ୍ୱାସ କରି ଆଣିବାର ଏହି ପ୍ରକ୍ରିୟାଟିରେ ବିଧାତାର ମଧ୍ୟ ଅନୁମୋଦନ ରହିଛି । ଅବଶ୍ୟ ରହିଛି । ବିଧାତା କଦାପି ମଣିଷମାନଙ୍କୁ ଠକେ ନାହିଁ; ଯେଉଁମାନେ ଠକନ୍ତି, ବରଂ ସେମାନଙ୍କୁ ଧରା ପକାଇ ଦେଉଥାଏ ।

 

୪/୧୨/୨୦୦୦

Image

 

ଶବମାନଙ୍କୁ ଶ୍ରଦ୍ଧାଞ୍ଜଳି

 

ବାତ୍ୟାରେ ଉଡ଼ିଯିବାକୁ କିମ୍ବା ବନ୍ୟାରେ ଭାସି ଯିବାକୁ ସଂସାରରେ ମଣିଷର ଜନ୍ମ ହୋଇ ନଥାଏ । ଆମର ଏହି ସଂସାରରେ ମଣିଷମାନେ ଯେ ତଥାପି ବାତ୍ୟାରେ ଉଡ଼ି ଯାଉଛନ୍ତି ଏବଂ ବନ୍ୟାରେ ଭାସି ଯାଉଛନ୍ତି, କୌଣସି ଭଗବାନଙ୍କର କୋପ ହେତୁ ସେକଥା ମୋଟେ ହେଉନାହିଁ । ତୁମ ନିଜ ଘରେ କିମ୍ବା ଗାଁରେ କୌଣସି ଶିଶୁର ବହୁ ଇଙ୍ଗିତପୂର୍ଣ୍ଣ ହସ ହସ ମୁହଁଟି ଆଡ଼କୁ ଯଦି କେବେ ନିରେଖି ଚାହିଁଥିବ, ତେବେ ସିଏ ତୁମକୁ ତୁମେ ଶୁଣିଲା ଭଳି ଅବଶ୍ୟ କହିଦେଇ ପାରିବ ଯେ ସିଏ ଏପରି ନରଖର ଭାବରେ ମୋଟେ ଭାସିଯିବାକୁ ଅଥବା ଉଡ଼ିଯିବାକୁ ଏହି ପୃଥିବୀକୁ ଆସିନାହିଁ । ଆଗେ ପୃଥିବୀରେ ସମ୍ବଳ ନଥିଲା, ଅଳପ ସମ୍ବଳ ଥିଲା ବୋଲି ମଣିଷମାନେ ହୁଏତ ପ୍ରୟୋଜନରେ ପଡ଼ି ଚକଚକ ନିଜ କାନ୍ଥଗୁଡ଼ିକ ଭିତରେ ନିଜ ଦୁଃଖଗୁଡ଼ିକର ଭରଣା କରିବାକୁ ଯଥାର୍ଥ ବୁଦ୍ଧି ଏବଂ ଯଥାର୍ଥ ଆଚାର ବୋଲି ଧରି ନେଉଥିଲେ । ତା' ନିଜ ଦ୍ୱାରା, ଏପରିକି ଅନେକ ମଣିଷ ଏକାଠି ମିଶିଲେ ମଧ୍ୟ ପୃଥିବୀର ଦୁରାବସ୍ଥାଗୁଡ଼ିକୁ ବଦଳାଇ ହେବ ବୋଲି ତା’ର ବିଶ୍ଵାସ ପାଉନଥିଲା । ସମ୍ଭବତଃ ସେଇଥି ସକାଶେ ସିଏ ଭଗବାନ ସଂସାର ବାହାରେ ଦୂରରେ କେଉଁଠାରେ ରହିଛନ୍ତି ବୋଲି କଳ୍ପନା କରିବାକୁ ଭଲ ପାଉଥିଲା, ସଂସାରଟାକୁ ମାୟା ବୋଲି କହୁଥିଲା ଏବଂ କେବଳ ନିଜ ସମ୍ଭାରଟିକୁ ଚାଲୁ ରଖିବ ବୋଲି ସମଗ୍ରଟା ବିଷୟରେ ଉଦାସୀନ ହୋଇ ରହୁଥିଲା । ତା'ପରେ ସିଏ ବିଜ୍ଞାନକୁ ସାଥି କରି ଶିଖିଲା, ବହୁ ଅସମ୍ଭବକୁ ସମ୍ଭବ କଲା ଓ ବହୁ ଅବିଶ୍ୱାସକୁ ବିଶ୍ୱାସରେ ରୂପାନ୍ତରିତ କରିପାରିଲା । ଏକ ନୂଆ ମୈତ୍ରୀର ଏବଂ ନୂଆ ସଂହତିର ପରିଚୟ ଲାଭ କଲା । ସାହସୀ ହେଲା ଏବଂ ଭଗବାନଙ୍କୁ ନିଜ ଭିତରେ ଦେଖିବାର ନୂଆ ମାର୍ଗଟିଏ ପାଇପାରିଲା । ଏବଂ, ତାଙ୍କୁ ପରସ୍ପର ଭିତରେ ଦେଖିପାରିବ ଏବଂ ନିଜର ଏହି ପୃଥିବୀଟିରେ ତାଙ୍କୁ ପରସ୍ପର ମଧ୍ୟରେ ଅନୁଭବ କରିବାର ସେହି ଅନ୍ୟ ବାସ୍ତବଟି ଯେ ଆଉ ମୋଟେ ବହୁଦୂର ନୁହେଁ, ସେହି ପ୍ରତ୍ୟୟଟିର ସ୍ପର୍ଶ ପାଇଲା ।

 

ଗତବର୍ଷ ଆମ ଉପକୂଳ ଅଞ୍ଚଳରେ ବାତ୍ୟା ଓ ବନ୍ୟାର ଦୁର୍ବିପାକ ହେତୁ ସରକାରୀ ସୁମାରି ଅନୁସାରେ ନଅ ହଜାର କେତେ ଶହ ମଣିଷ ଭାସିଗଲେ ଏବଂ ଉଡ଼ିଗଲେ । ଆମରି ଭଳି କେତେ ମଣିଷଙ୍କର ସଂସାର ଉଜୁଡ଼ିଗଲା । ଥୋକେ ମଣିଷ, ଯେଉଁମାନଙ୍କର ସଂସାରକୁ ବାତ୍ୟା ଓ ବନ୍ୟା ସେପରି କିଛି କରି ନଥିଲା, ସେମାନେ ଭାରି ସମଦୁଃଖୀ ହୋଇ ଉଠିଲେ । ତ୍ରାଣକାର୍ଯ୍ୟ ନିମନ୍ତେ ମାଡ଼ି ଆସିଲେ । ଶୁଖିଲା ପାଚିଲାରେ ଥିବା ବହୁତ ଲୋକ ତାହାକୁ ଏକ ଦାରୁଣ ଦୈବକୋପ ବୋଲି କହିଲେ । ଶେଷ ହୋଇଥିବା ପୂର୍ବରୁ ଗୋଟାଏ ସହସ୍ରାବ୍ଦୀ ତଥା ଶତାବ୍ଦୀ କ’ଣ ପାଇଁ ଏପରି ଦାରୁଣ ହେବାକୁ ମନ କଲା, ସେହି କଥାଟାରେ ଅନେକେ ବିସ୍ମୟ ବି ବ୍ୟକ୍ତ କଲେ । ବାତ୍ୟାକୁ ନେଇ ବାତ୍ୟାସାହିତ୍ୟ ଫନ୍ଦା ହେଲା, ବାତ୍ୟାକୁ ଉପଲକ୍ଷ୍ୟ କରି କବିତା-ପାଠୋତ୍ସବ ହେଲା । ଦରଦୀ ସାଧବମାନେ ଜାହାଜେ ଜାହାଜେ ସରଞ୍ଜାମ ସହିତ ବହୁ ଅନୁକମ୍ପାର ସନ୍ତକ ଧରି ବିପନ୍ନମାନଙ୍କ ପାଖରେ ପହଞ୍ଚିଗଲେ । ସେମାନେ କେତେ କ୍ଷେତ୍ରରେ ଏକାଧିକ ମାସ ଏବଂ ଏପରିକି ଏକାଧିକ ବର୍ଷର ପୃଥୁଳ ଯୋଜନା କରି ମଧ୍ୟ ପହଞ୍ଚି ଯାଇଥିଲେ । ଚାହୁଁ ଚାହୁଁ ବରଷେ ପୂରି ଆସିଲା । ଘୋରି ଘୋରି ହୋଇ ଆସୁଥିବା ଏକ ବର୍ଷ ତଳର ସେହି ସ୍ମୃତିଟାକୁ ପୁନର୍ବାର କିଞ୍ଚିତ୍ ତାଜା କରିଦେବାକୁ ଆମେ ରାଜଧାନୀରେ ମନ୍ଦିରବେଢ଼ାରେ ଦଶହଜାର ପ୍ରଦୀପ ଜଳାଇଲୁ-। ଆମେ ଯେ ଏପରି ଏକ ଭବ୍ୟ ସମାଗମର ଆୟୋଜନ କରୁଛୁ, ଆନୁଷ୍ଠାନିକ ଭାବେ ସମ୍ପୃକ୍ତ ଓ ଅସମ୍ପୃକ୍ତ ସମସ୍ତଙ୍କୁ ଜଣାଇବା ଲାଗି ତାହାକୁ ଗଣମାଧ୍ୟମ ସାହାଯ୍ୟରେ ପ୍ରଚାରିତ କରି ଦିଆଗଲା-। ଏହାଦ୍ଵାରା ଆମକୁ ପ୍ରକୃତରେ ଖୁବ୍‌ହାଲୁକା ଲାଗିଥିବ– ସତେବା ଏକ ପାତକରୁ ମୁକ୍ତ ହୋଇ ପୂର୍ବବତ୍ ନିଜ ଘରକୁ ଫେରି ଆସିବାର ଏକ ପ୍ରତ୍ୟୟ ବି ମିଳିଥିବ । ଦିବଂଗତ ଆତ୍ମାଗୁଡ଼ିକର ସଦ୍‌ଗତି ନିମନ୍ତେ ଏହିପରି ଶ୍ରଦ୍ଧାଜ୍ଞାପନ ଦ୍ଵାରା ଆମେ ହୁଏତ କୌଣସି ଅପରାଧରୁ ମୁକ୍ତ ହୋଇ ଆସିବା ପରି ଭାବିଲୁ କି ?

 

ଭାରତବର୍ଷ ନାମଧେୟ ଆମରି ଏହି ଭୂମିରେ ଦୟା ନାମକ ଏହି ଗୁଣଟିର ଚିରଦିନ ବହୁ ଜୟଜୟକାର ହୋଇଆସିଛି । ଦୟା କରିବାର ଏହି ଅବସରଟିକୁ ଅଧିକ ଧର୍ମସଙ୍ଗତି ଯୋଗାଇ ଦେବାକୁ ସମ୍ଭବତଃ ଆମ ମନ୍ଦିରମାନଙ୍କୁ ସର୍ବତ୍ର ଏକ ଭିକାରିପଲ ବେଢ଼ି କରି ରହିଛନ୍ତି ଏବଂ ଆମ ପାଇଁ ପୁଣ୍ୟାର୍ଜନର ପଥଟିକୁ ବେଶ୍ ପ୍ରଶସ୍ତ କରି ରଖିଛନ୍ତି । ଦରିଦ୍ରମାନଙ୍କ ବିଷୟରେ ସହାନୁଭୂତି ସହକାରେ ଚିନ୍ତାକରି ଆମର ଜ୍ଞାନୀଗୁରୁମାନେ ଦରିଦ୍ରନାରାୟଣ ପର୍ଯ୍ୟାୟଟି ଯାଏ ହିଁ ଆସିଛନ୍ତି । ଶିବ ଜ୍ଞାନରେ ଜୀବର ସେବା କରିବାର ସନ୍ଦେଶଟିକୁ ଯେ ଆହୁରି ଅଧିକ ଆନ୍ତରିକତା ସହିତ ଗ୍ରହଣ କରାଯାଇପାରେ, ତେଣେ ଚିନ୍ତା କରିବା ନିମନ୍ତେ ଆମେ ପ୍ରାୟ କେବେହେଲେ ସାହସ କରି ପାରିନାହୁଁ । କହିବା ବାହୁଲ୍ୟ, ପ୍ରଦୀପ ପ୍ରଜ୍ଜଳନ କରି ସେଦିନ ଯେଉଁମାନେ ଉଡ଼ିଯାଇଥିବା ଓ ଭାସିଯାଇଥିବା ଅନାମଧେୟମାନଙ୍କୁ ସ୍ମରଣ କଲେ, ବାତ୍ୟା ବା ବନ୍ୟାର କୋପ ସେମାନଙ୍କ ଯାଏ ଆଦୌ ଆସି ନଥିଲା । ଏପରିକି, ଆହୁରି ଅଧିକ ପ୍ରକୋପ ସହିତ ସେହି ବାତ୍ୟା ତଥା ବନ୍ୟାର ପୁନରାଗମନ ଘଟିଲେ ମଧ୍ୟ ସେମାନେ ଯେ ତଦ୍ଦ୍ୱାରା ଉଡ଼ିଯିବେ ନାହିଁ ଅଥବା ଭାସିଯିବେ ନାହିଁ, ସେ ବିଷୟରେ ସେମାନେ ଅବଶ୍ୟ ସୁଅବହିତ ରହିଥିଲେ । ଶୁଣିବାକୁ ମିଳିଲା, ଏହି ଅଧିକ ସଂପନ୍ନ ଏବଂ ଅଧିକ ନିରାପଦଙ୍କ ମଧ୍ୟରୁ କେତେ ଉତ୍ସାହୀ ସେଦିନ ବାତ୍ୟା ଓ ବନ୍ୟାରେ ଉଜୁଡ଼ି ଯାଇଥିବା ସେହି ଖାସ୍ ଅଞ୍ଚଳଗୁଡ଼ିକୁ ମଧ୍ୟ ଯାଇଥିଲେ ଏବଂ ପ୍ରଦୀପ ଜାଳି ଶ୍ରଦ୍ଧାଞ୍ଜଳି ଜଣାଇବାର ଆୟୋଜନମାନ କରାଇଥିଲେ । ସେହି ସମ୍ବାଦଗୁଡ଼ିକ ମଧ୍ୟ ଗଣମାଧ୍ୟମ ଗୁଡ଼ିକରେ ପ୍ରଚାରିତ ହୋଇଥିଲା । ଚରାଚର ଶାନ୍ତ ହୋଇଗଲା ପରି ଅନୁଭବ ହେଲା ।

 

ଏଥର ଦଶହରାରେ ପରେ ଦିନେ ମୁଁ ବୋରିକିନାରେ ଥିଲି । ତ୍ରାଣକାର୍ଯ୍ୟ କରୁଥିବା ବନ୍ଧୁମାନଙ୍କ ମେଳରେ ନିଜ ଅନୁଭବଗୁଡ଼ିକର ଆଦାନପ୍ରଦାନ ହେଉଥିଲା । ସେଦିନ ମଧ୍ୟ ସମୁଦ୍ରରେ ଏକ ଲଘୁଚାପ ହେତୁ ବର୍ଷା ଓ ବାତ୍ୟା ହୋଇପାରେ ଏବଂ ଗତବର୍ଷ ପରି ଅନିଷ୍ଟ କରିପାରେ ବୋଲି ସରକାରଙ୍କ ପଟୁ ସତର୍କ କରି ଦିଆଯାଇଥିଲା । ଦୁର୍ଯ୍ୟୋଗକୁ ଆକାଶରେ କଳାମେଘ ଢାଙ୍କି ରହିଥିଲା ଏବଂ ହଠାତ୍ ବେଶ୍ ଆଶଙ୍କାଜନକ ଭାବରେ ପବନ ବି ବହିଲା । ଲୋକମାନେ ନିଜ ନିଜ ବାସସ୍ଥାନ ଛାଡ଼ି ତତକ୍ଷଣାତ୍ ପାଖରେ ଥିବା କୌଣସି ଅଧିକ ନିର୍ଭରଯୋଗ୍ୟ ସ୍ଥାନକୁ ଧାଇଁବାକୁ ଲାଗିଲେ । ଦୃଶ୍ୟଗୁଡ଼ିକୁ ଦେଖି ଆମେ ବନ୍ଧୁମାନେ ବି ଶଙ୍କିଗଲୁ । ଭାଗ୍ୟକୁ ଘଣ୍ଟାଏ ବର୍ଷା ହୋଇ ଆକାଶ ସଫା ହୋଇଗଲା । ପବନ ବି ଥମିଗଲା । ଅସହାୟତା ଏବେ ମଧ୍ୟ ଲାଗିରହିଛି ବୋଲି ପ୍ରମାଣ ମିଳିଗଲା । ଏହି ମନୁଷ୍ୟଜୀବନମାନେ କେବେ ଅସହାୟ ନଥିଲେ କି ! ଅସହାୟତାର ସମାଧାନଗୁଡ଼ିକ ବହିରେ ଲେଖାହୋଇ ରହିଥିଲେ ମଧ୍ୟ ଗୋଟାଏ ପଚାଶବର୍ଷ ହେଲା ସ୍ୱଧୀନ ହୋଇଥିବା ଦେଶରେ ଏତେ ମଣିଷ କ'ଣ ପାଇଁ ଅସହାୟ ହୋଇ ରହିବେ, ଆମ ଭିତରୁ କେହି ଜଣେହେଲେ ମଧ୍ୟ ସେହି ପ୍ରଶ୍ନଟିକୁ ଉଠାଇଲେ ନାହିଁ । ଦୟାର ଓ ଅନୁକମ୍ପାର ଆଦୌ ଅଭାବ ନଥିଲା । ସଦିଚ୍ଛା ଭର୍ତ୍ତି ହୋଇ ରହିଥିଲା । ତଥାପି ଏହି ଦେଶରେ ସବୁମଣିଷ ଯେ ଜୀବନ ବଞ୍ଚିବାର ପୂର୍ଣ୍ଣ ନିର୍ଭରଟିଏ ପାଇପାରିବେ ଏବଂ ଯାବତୀୟ ସ୍ଥାୟୀ ସମାଧାନ ଯେ ତାହାରି ଦ୍ୱାରା ହେବ, ସେକଥା ଭାବିବାକୁ ଆମ ଦେଶରେ ଏକ ଅନୁକୂଳ ପରିବେଶଟିଏ କେବେ ଯାଇ ସମ୍ଭବ ହେବ କେଜାଣି ? ତୁମେ ଦୟା ଦେଖାଇବ, ଦୂରରେ ରହିଥିବ, ବାତ୍ୟା ଓ ବନ୍ୟା କେବେ ବି ତୁମ ଘରଯାଏ ଆସିବ ନାହିଁ– ସତ କହିଲେ ଏ ଦେଶର କୋଟି କୋଟି ଅସହାୟ ମନୁଷ୍ୟ ସେଥିରୁ କିପରି ଲାଭବାନ୍‌ ହେବେ ? ସେହି ଅସହାୟମାନେ ଯେପରି ଯଥାଶୀଘ୍ର ଆମ ସାଙ୍ଗକୁ ଆସି ପାରିବେ, ସେହି ଦୃଷ୍ଟିରୁ ହିଁ ସରକାରଟା ଚାଲନ୍ତା, ରାଜନୀତି ତାହାରି ଅନୁକୂଳ ହୋଇ ରହନ୍ତା, ଏହି ଦେଶଟା ସମସ୍ତଙ୍କର ବୋଲି ଅଙ୍କ, ସାହିତ୍ୟ, ଭୂଗୋଳ ପଢ଼ାଯିବା ପୂର୍ବରୁ ଆମ ପିଲାମାନେ ସବାଆଗ ଆମଠାରୁ ଶୁଣିବାକୁ ପାଆନ୍ତେ ଓ ସେହି ଅନୁସାରେ ନିଜକୁ ତିଆରି କରି ନିଅନ୍ତେ, ତେବେ ହୁଏତ ବାତ୍ୟା ଓ ବନ୍ୟାମାନେ ମଧ୍ୟ ନିଜ ମରଜି ଅନୁସାରେ ଏହି ଦେଶର ଜୀବନଭୂମିଟାକୁ ଏପରି ନିଦାରୁଣ ଭାବରେ ଉଜୁଡ଼ାଇ ଦେବାକୁ ସାହସ କରନ୍ତେ ନାହିଁ । ମଣିଷମାନେ ସତକୁସତ ପରସ୍ପରକୁ ଲୋଡ଼ିଲେ ଭଗବାନ ମଧ୍ୟ ମଣିଷ ପଟେ ରହନ୍ତେ, ସେହି କଥାଟି ଆମ ଚମ ଆଖିଗୁଡ଼ାକରେ ମଧ୍ୟ ଦେଖିହୁଅନ୍ତା । ଚାଲ ଆମେ ସେହି ଶିବିରଟିର ମୂଳଦୁଆ ପକାଇବା ।

 

ଶ୍ରୀ ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ଲିଖିତ ବୋଲି ଅନୁମାନ କରାଯାଉଥିବା ‘ସୌନ୍ଦର୍ଯ୍ୟ ଲହରୀ’ କାବ୍ୟରେ ଶିବ ଓ ଶବର କଥା କୁହାଯାଇଛି । ଶିବଙ୍କର ଶକ୍ତି ରହିଥିବା ଆବଶ୍ୟକ; କାରଣ ଶକ୍ତିଯୁକ୍ତ ହେଲେ ଶିବ ଶବ ପରି ହିଁ ଅସମର୍ଥ ହୋଇ ରହିଥିବେ । ଭାରତବର୍ଷ ସମେତ ଆମ ପୃଥିବୀରେ କେତେ କେତେ କଲ୍ୟାଣ ବା ଶିବ ସମ୍ଭାବନାଶକ୍ତିର ଅଭାବ ହେତୁ ଶବ ପରି ହିଁ ପଡ଼ିରହିଛି । ସେହି ଶକ୍ତିକୁ ନାନା ଅବିଧାନ ହେତୁ ଅଳପ ମଣିଷ ମାଡ଼ି ବସିଛନ୍ତି । ତେଣୁ ଅଧିକାଂଶ ମନୁଷ୍ୟ ଅତ୍ୟନ୍ତ ଦୟନୀୟ ଭାବରେ ଯାବତୀୟ କଲ୍ୟାଣରୁ ବଞ୍ଚିତ ହୋଇ ରହିଛନ୍ତି । ଏପରିକି ମନୁଷ୍ୟ ହିସାବରେ ସେମାନେ ସର୍ବନିମ୍ନ ଅଧିକାରରୁ ବଞ୍ଚିତ ହୋଇ ରହିଛନ୍ତି । ପ୍ରକୃତ ଗଣତନ୍ତ୍ର ପ୍ରତ୍ୟେକ ମନୁଷ୍ୟର ଦ୍ୱାରଦେଶକୁ ଯେଉଁ ନାନାବିଧ କଲ୍ୟାଣକୁ ବହି ଆଣିବାର ବିଚାର କରି ଆସିଛି, ମନୁଷ୍ୟମାନେ ନିଜର ଶକ୍ତି ବିଷୟରେ ଯଥେଷ୍ଟ ପରିଚୟ ପାଇ ନଥିବାରୁ ସେଥିରୁ ପ୍ରତ୍ୟାଖ୍ୟାତ ହୋଇ ରହିଛନ୍ତି । ତେଣୁ ଦୁଃସ୍ଥ ଏବଂ ବିପନ୍ନ ମଣିଷର ଅସଲ ସହାୟତା କରିବାର ସାରକଥା ହେଉଛି, ତାକୁ ତା'ର ଶକ୍ତି ବିଷୟରେ ପରିଚିତ କରାଇବା । ସେଚ୍ଛାସେବୀ ସଙ୍ଗଠନଗୁଡ଼ିକ ସବାଆଗ ସେହି କାର୍ଯ୍ୟଟିକୁ କରିପାରିଲେ ଯାଇ ମନୁଷ୍ୟମାନଙ୍କର ଯଥାର୍ଥ ସହାୟତା କରିପାରନ୍ତେ । ପୃଥିବୀରେ ସମ୍ପଦ ଏବଂ ସମ୍ବଳ ଭରି ରହିଛି, ବୁଦ୍ଧି ଓ କୌଶଳ ଭରି ରହିଛି, ବିଜ୍ଞାନ ମଧ୍ୟ ମଣିଷର ସେବାରେ ଲାଗିପାରିବ ବୋଲି ମହଜୁଦ୍ ହୋଇ ରହିଛି । ତଥାପି, ସମାଜର ତଥା ରାଷ୍ଟ୍ରର ବ୍ୟବସ୍ଥାଗୁଡ଼ାକ ଏପରି ବିବେକଶୂନ୍ୟ ଭାବରେ ବଳବତ୍ତର ରହିଛି ଯେ ପୃଥିବୀରେ ଅଧିକ ମନୁଷ୍ୟ ବହୁ ଅସମର୍ଥତା ଭିତରେ ବାନ୍ଧି ହୋଇ ରହିଛନ୍ତି । ଭାଗ୍ୟବାଦୀ ବନି ଅର୍ଥାତ୍ ଭାଗ୍ୟକୁ ଆଦରି ରହିଛନ୍ତି । ସେମାନଙ୍କର ଜୀବନରେ କେବେ ସୂର୍ଯ୍ୟୋଦୟ ଘଟିବ ବୋଲି ଯାବତୀୟ ବିଶ୍ୱାସକୁ ହରାଇ ବସିଛନ୍ତି । ବହୁ ଅନ୍ୟାୟକୁ ଓ ମିଛକୁ ମାନି ନେଉଛନ୍ତି । ପ୍ରକୃତି ସମେତ ଯାବତୀୟ ପ୍ରକାରର କୋପର ସହଜ ଶିକାର ହୋଇ ରହିଛନ୍ତି ।

 

ଏତେ ଏତେ ମଣିଷ ଆଉ କେତେଦିନ ଏବଂ କ'ଣ ପାଇଁ ପ୍ରାୟ ସକଳ ଅର୍ଥରେ ଶବବତ୍ ଜୀବନ ଯାପନ କରିବାକୁ ବାଧ୍ୟ ହେଉଥିବେ ? ସେମାନଙ୍କ ଭିତରେ ଯେ ସେମାନଙ୍କର ନିୟତିରେ ବହୁ ପରିବର୍ତ୍ତନ ଘଟାଇବାର ଶକ୍ତିଗୁଡ଼ିକ ନିହିତ ହୋଇ ରହିଛି, ସେମାନଙ୍କୁ ଆଦୌ କୌଣସି ସହାୟତା ଦେବାପାଇଁ ଆସୁଥିବା ସେମାନଙ୍କର ପ୍ରକୃତ ବନ୍ଧୁମାନେ ସେମାନଙ୍କ ଆଗରେ ସେହି କଥାଟିକୁ କହିପାରିବା ଉଚିତ୍ । ଦୟା ଦେଖାଇବାର ମଣିଷମାନଙ୍କର ଏହି ପୃଥିବୀରେ କେବେହେଲେ ଅଭାବ ନଥିଲା । ଏବେ ମଧ୍ୟ ଅଭାବ ନାହିଁ । ମାତ୍ର, ଏକ ଅନ୍ୟଭଳି ପୃଥିବୀ ଯେପରି ସମ୍ଭବ ହୋଇପାରିବ, ଯେଉଁଠାରେ ଗୋଟିଏ ଉପର ପାହାଚର ମଣିଷମାନେ ଅବଶିଷ୍ଟଙ୍କୁ ନାନାଭାବେ ବଞ୍ଚିତ ଓ ଅସହାୟ କରି ରଖିବାର ମୋଟେ କୌଣସି କୁମନ୍ତ୍ରଣା କରୁନଥିବେ, ସମସ୍ତେ ମେରୁଦଣ୍ଡ ସିଧାକରି ବାଟ ଚାଲିବେ, ମଣିଷମାନେ ମୁଖ୍ୟତଃ ହୃଦୟ ଦେଇ ଯେପରି ପରସ୍ପରକୁ ଚିହ୍ନିବେ, ସେଥିଲାଗି ଅତ୍ୟାବଶ୍ୟକ ଅନ୍ନମୟ ପୃଷ୍ଠଭୂମିଟି ସର୍ବତ୍ର ଉପଲବ୍‍ଧ ହୋଇପାରିବ, ସେଥପାଇଁ ପୁରୋଗାମୀମାନେ କିଏ ହେବେ ? କିଏ ବା କେଉଁମାନେ ସେହି ଅନ୍ୟ ସାହସଟିକୁ କରିପାରିବେ ? ସେହି ପୁରୋଗାମୀମାନେ ହିଁ ପରସ୍ପରକୁ ଲୋଡ଼ନ୍ତୁ, ପରସ୍ପରକୁ ଆବିଷ୍କାର କରନ୍ତୁ; ସେମାନେ ଏକାଠି ହୁଅନ୍ତୁ, ଏକାଠି ବସନ୍ତୁ ଏବଂ ଆଗକୁ ବାଟ ବାହାର କରନ୍ତୁ । ସେମାନେ ଏକ ଅନ୍ୟ ରାଜନୀତିର ଚର୍ଚ୍ଚା କରନ୍ତୁ । ଏକ ବିକଳ୍ପ ଶିକ୍ଷା ବିଷୟରେ ଚିନ୍ତା କରନ୍ତୁ । ଆମ ପୃଥିବୀରେ ପରବର୍ତ୍ତୀ ବିବର୍ତ୍ତନ ତଥା ପରବର୍ତ୍ତୀ ଭବିଷ୍ୟତଟି ସମ୍ଭବତଃ ସେହିମାନଙ୍କ ନିମନ୍ତେ ଅପେକ୍ଷା କରି ରହିଛି । ମୃତ ମାନଙ୍କ ପାଇଁ ଶ୍ରଦ୍ଧା ଜଣାଇବା ଉଦ୍ଦେଶ୍ୟରେ ଏକ ବିଶେଷ ଅନୁଷ୍ଠାନରେ ପ୍ରଦୀପମାନ ଜଳାଇଦେଲେ ଅସଲ କାମଟି ଆଦୌ ସରିଯିବ ନାହିଁ । ସମ୍ଭବତଃ ଆଦୌ ଆରମ୍ଭ ହିଁ ହେବନାହିଁ । ପୁରୁଣାମାନେ ଭୁଲାଇ ଦେବାରେ ଲାଗିଥିବେ । ପୁରୁଣା ଗୁଳାମାନଙ୍କରେ ଆମକୁ ଭାରି ଅନ୍ୟମନସ୍କ କରି ରଖିଥିବେ ।

 

୧୧/୧୨/୨୦୦୦

Image

 

ମଣିଷ ଆଉ କ’ଣ ଶିଖିଲା ?

 

ଏଡ଼େ ବଡ଼ ମହାବାତ୍ୟା ବୋହିଗଲା, ଗୋଟିଏ ଦିନରେ ଏତେ ଏତେ ମଣିଷଙ୍କର ଜୀବନବସତି ଛାରଖାର ହୋଇଗଲା । ପ୍ରକୃତିର କୋପ ଆଗରେ ମଣିଷ ଯେ କେଡ଼େ ଦୁର୍ବଳ, ଆମ ଆଖି ଆଗରେ ଗୋଟାଏ ପୂରାଦିନ ତାହାରି ଅଭିନୟ ହୋଇଗଲା । ଏବଂ ଚାହୁଁ ଚାହୁଁ ଗୋଟାଏ ପୂରା ବରଷ ଚାଲିଗଲା । ଏବେ ମଧ୍ୟ ସେହି ଅଞ୍ଚଳକୁ ଯାଇ ଦେଖିଲେ ଜଳଜଳ ହୋଇଯାଉଛି ଯେ, ଦୁଃଖମାନେ ଏବେ ମଧ୍ୟ ରହିଛନ୍ତି । ଘାଆଗୁଡ଼ା ଏବେ ମଧ୍ୟ ଶୁଖିନାହାନ୍ତି । ମଣିଷମାନଙ୍କ ଭିତରେ ପ୍ରକୃତରେ କେତେ ସଦିଚ୍ଛା ଯେ ରହିଛି, ସେହି ସତ୍ୟଟାର ବି ଅନେକ ପ୍ରମାଣ ମିଳିଗଲା । ରାଜ୍ୟର ସରକାର ପୃଥିବୀଯାକ ଭିକ ମାଗି ବାହାରିଗଲେ । ତ୍ରାଣସାମଗ୍ରୀରେ ଆମ ଦାଣ୍ଡଟା ସାରା ଭର୍ତ୍ତି ହୋଇଗଲା । ତା’ପରେ ବହୁ ଗୁଜବ ଶୁଣିବାକୁ ମିଳିଲା । ମଣିଷ ଭିତରେ ଗୋଟାଏ ଲମ୍ପଟ ମଧ୍ୟ ରହିଛି, ମସ୍ତ ପେଟୁଟାଏ ରହିଛି । ଯାହାର ସାରା ପୃଥିବୀଟାକୁ ଦେଖିପାରିବା ଭଳି ଆଖିମାନ ରହିଲେ ବି ସିଏ ନିଜଟା ବ୍ୟତୀତ ସତେଅବା ଆଉ କିଛିହେଲେ ଦେଖିପାରେ ନାହିଁ, ସିଏ ଭାରି ନିକୃଷ୍ଟ ଭାବରେ ସୁଖକାଙ୍ଗାଳ ହୋଇ ବୁଲୁଥାଏ । ସୁଖ କହିଲେ ଯେ ସବୁ ମଣିଷଙ୍କର ସୁଖକୁ ବୁଝାଏ, ସେହି ଅନ୍ୟ ସତ୍ୟଟା ବହିରେ ଲେଖା ହୋଇ ରହିଥାଏ, ଇସ୍କୁଲମାନଙ୍କରେ କେଡ଼େ ଛନ ଛନ ଭାବରେ ପିଲାଙ୍କୁ କୁହାଯାଉଥାଏ– ତଥାପି ସତେଅବା ଅଧିକାଂଶ ବେଶୀ କିଛି ଶିଖନ୍ତି ନାହିଁ । ଶିଖିପାରୁଥାନ୍ତେ, କିନ୍ତୁ ଶିଖନ୍ତି ନାହିଁ । ଶିଖିବେ ନାହିଁ ବୋଲି ହୁଏତ ନିଜ ଭିତରେ ପୋଷ ମନାଇ ରଖିଥବା କୌଣସି ଅପଭଗବାନ ପାଖରେ ଶପଥ କରି ଆସିଥାନ୍ତି । ନିରାଶ ହୋଇ ସଂସାରଟାକୁ ଅନାଇଲେ ଭାରି ମନେହୋଇଥାଏ ଯେ, ଯୁଗେ ଯୁଗେ ଏହି ଅପଭଗବାନଟା ହିଁ ସତେ ଯେପରି ମଣିଷମାନଙ୍କ ଲଗାମ ଧରି ସାଧ୍ୟ କରି ଆସିଛି । ଏବେ ମଧ୍ୟ କରିବାରେ ଲାଗିଛି ।

 

ମଣିଷ ଭିତରଟା କ'ଣ ଏହିପରି ସତକୁସତ ଗୋଟାସୁଦ୍ଧା ବିଣ୍ଡି ? ମଣିଷ ଏହି ବାତ୍ୟାରୁ ଏତେ ଏତେ ଅଙ୍ଗେ ନିଭାଇଲା, ତଥାପି ମୋଟେ କିଛି ଶିଖିଲା ନାହିଁ ବୋଲି ଜଣେ ଜଣେ ବଡ଼ କ୍ଷୋଭ କରି କହିବାରେ ଲାଗିଛନ୍ତି । ମଣିଷର ଏତେ ପାରଙ୍ଗମ ମଥାଟିଏ ରହିଛି, ପର୍ବତ ସମାନ ପ୍ରାଣଶକ୍ତି ରହିଛି– କେଉଁଠି ତାହାରି ସହିତ ହୃଦୟଟିଏ ବି ରହିଛି । ତଥାପି ସିଏ ଯେପରି ଯାହାସବୁ ସବା ଆଗରେ ଶିଖିବାର କଥା ସେଗୁଡ଼ିକ ମୋଟେ ଶିଖିନାହିଁ । ସିଏ କ'ଣ ଗୋଟାସୁଦ୍ଧା ଅମଙ୍ଗ ହୋଇ ବସିଛି ? ସୃଷ୍ଟିର ଆଦିକାଳରୁ ଯଦି ମଣିଷମାନେ ଅମଙ୍ଗ ହୋଇ ରହିଥାନ୍ତେ, ତେବେ ତ ସଭ୍ୟତା ବୋଲି ଏହି ପୃଥିବୀରେ ଆଦୌ କିଛି ସମ୍ଭବ ହୋଇ ନଥାନ୍ତା । ସମସ୍ତେ ଅବଶ୍ୟ ସ୍ୱୀକାର କରିବେ ଯେ ମଣିଷ ଭିତରେ ଗ୍ରହଣଶୀଳତା ବୋଲି ଗୋଟିଏ ଆଦି ସାମର୍ଥ୍ୟ ରହିଛି ବୋଲି ସେ ବାରମ୍ବାର ପୁରୁଣା କାତିଗୁଡ଼ାକୁ ପଛରେ ପକାଇଦେଇ ଆଗକୁ ବାହାରି ଆସିପାରିଛି,– ଉଜ୍ଜ୍ୱଳତର ହେଉଛି, ଅଧିକ ଦୂରତାକୁ ଚିନ୍ତା କରିପାରୁଛି ଏବଂ ଅଧିକ ହୋଇପାରୁଛି । ଜ୍ଞାନମାନେ ସ୍ଥାନୀୟତାର ବାଡ଼ ଡେଇଁ ବିଜ୍ଞାନରେ ପରିଣତ ହୋଇ ପାରୁଛନ୍ତି ଏବଂ ବିଜ୍ଞାନ ମଧ୍ୟ ଦୂର ଅନ୍ତରୀକ୍ଷରୁ ମାଟି ଉପରକୁ ଜୀବନ ମଧ୍ୟକୁ ଓହ୍ଲାଇ ଆସିପାରିଛି । ଘର କହିଲେ ଯେ ଆଦୌ ମାତ୍ର କେତେଟା କାନ୍ଥକୁ ନବୁଝାଇ ଏକ ଉତ୍ତରୋତ୍ତର ସଂପ୍ରସାରଣ ଏବଂ ଆତ୍ମୀୟତାକୁ ବୁଝାଏ, ହୃଦୟ ଭିତରେ ଅଧିଷ୍ଠାନ କରୁଥିବା ଆମର ଅସଲ ଦୋସରଟି ନାନା ଅନ୍ତରଙ୍ଗ ଅବସରରେ ଆମକୁ ସେହି ପ୍ରତ୍ୟୟଟି ଦ୍ଵାରା ସମୃଦ୍ଧ କରିଦେଉଛି । ତଥାପି, କୁଢ଼ କୁଢ଼ ସମ୍ପଦ ଭିତରେ ଏତେ ଏତେ ମନୁଷ୍ୟ କାହିଁକି ଅରକ୍ଷିତ ହୋଇ ରହିଛନ୍ତି, ଆମ ପିଲାଏ ପୃଥିବୀସାରା ପଢ଼ୁଥିବା ପାଠଗୁଡ଼ାକ କାହିଁକି ସବୁରି ହିତ ହେବାଭଳି ପର୍ଯ୍ୟାପ୍ତ କାର୍ଯ୍ୟରେ ଲାଗି ପାରୁନାହିଁ ? ଏତେ ଏତେ ବୃଦ୍ଧିର ଏକ ଗନ୍ତାଘର ସଦୃଶ ଏହି ପୃଥିବୀରେ ତଥାପି କୋଟି ପ୍ରମାଣେ ମଣିଷମାନେ ଅସହାୟ ହୋଇ ରହିଛନ୍ତି,– ଭାଗ୍ୟ ଗିଳି ପଡ଼ିଛନ୍ତି, ଅସଲ ସକାଳଟି ଉପରେ ବିଶ୍ୱାସ କରିପାରୁନାହାନ୍ତି ?

 

ସଂଶୟମାନଙ୍କୁ ପ୍ରସାରିତ କରି ଆହୁରି ଆଗକୁ କୁହାଯାଇପାରିବ ଯେ, ପୃଥିବୀରେ ଯୁଦ୍ଧ କାହିଁକି ଲାଗୁଛି ? ମଣିଷମାନଙ୍କର ପେଟକୁ ଦାନା ନଯୋଗାଇ ରାଷ୍ଟ୍ରମାନେ ଯୁଦ୍ଧାସ୍ତ୍ର ତିଆରି କରିବାରେ କାହିଁକି ହଜାରେ ଗୁଣ ପଇସା ସାରୁଛନ୍ତି ? ଧର୍ମ ଧର୍ମକୁ କାହିଁକି ସହି ପାରୁନାହିଁ ? ଈଶ୍ଵରଙ୍କ ନାମରେ ମନ୍ତୁରା ହୋଇଥିବା ଏତେ ଏତେ ଜାତିର ପଇତା ପକାଇଥିବା ମନୁଷ୍ୟମାନେ ନିଜ ଭିତରେ କେଉଁଠି ଯେ ଅସଲ ବିବେକର ତଣ୍ଟିକୁ ଚିପି ଧରିଛନ୍ତି, ଯାହା ସେମାନଙ୍କୁ ଏବେ ହିଂସ୍ର କରି ରଖିଛି, ଏଡ଼େ କ୍ଷୁଦ୍ର କରି ରଖିଛି ? ଭଗବାନଙ୍କୁ ଅଭୟ ବୋଲି କୁହାଯାଉଥିବାବେଳେ ମନୁଷ୍ୟମାନେ, ସମୂହମାନେ ଏବଂ ରାଷ୍ଟ୍ରମାନେ ପରସ୍ପରକୁ ଏତେ ଭୟ କରୁଛନ୍ତି କାହିଁକି ? ନିଜ ଭୂମିକୁ, ନିଜ ଜାତିକୁ ଓ ନିଜ ଦେଶକୁ ଭଲ ପାଇବାର ସେହି ସ୍ଵାଭାବିକ ମନୁଷ୍ୟଗୁଣଟି ପୃଥିବୀରେ ଏତେ ଘୃଣାକୁ ଡାକି ଆଣିପାରୁଛି କିପରି ? ମଣିଷ ମଣିଷକୁ କାହିଁକି ଶୋଷଣ କରୁଛି ? ଯଦି ଘରେ ସମସ୍ତଙ୍କ ପାଇଁ ଖାଇବାକୁ ଅଛି, ତେବେ ସମସ୍ତେ କାହିଁକି ଖାଇବାକୁ ପାଉନାହାନ୍ତି ? ପୃଥିବୀର ସବୁପିଲା କାହିଁକି ପାଠ ପଢ଼ୁନାହାନ୍ତି ? କୌଣସି ଯଥାର୍ଥ ସତ୍ୟ କଦାପି ଉଦାସୀନ ହୋଇ ନଥିବ, କୌଣସି ଯଥାର୍ଥ ବିଦ୍ୟା କଦାପି ଉଦାସୀନ ହୋଇ ନଥିବ; ଏବଂ, ଏହି ମନୁଷ୍ୟମାନେ ଯେଉଁ ଭଗବାନଙ୍କର ଉପାସନା କରୁଛନ୍ତି, ସିଏ କଦାପି ଉଦାସୀନ ହୋଇ ନଥିବେ-। ତେବେ ଏହି ପୃଥିବୀ ମଣିଷମାନଙ୍କୁ କିପରି ଏତେ ଏତେ ଅବଜ୍ଞା ଭିତରେ ବାନ୍ଧି ରଖିଛି-? ଏବଂ ମଣିଷମାନେ ସେହି ଅବଜ୍ଞାର ମୋହରଜ୍ଜୁଗୁଡ଼ାକୁ ଛିଣ୍ଡାଇଦେଇ ମୁକ୍ତ ହୋଇ ବାହାରି ଆସି ପାରୁନାହାନ୍ତି କାହିଁକି ? ଯଦି ପାରୁନାହାନ୍ତି ତେବେ ସେମାନେ କ’ଣ ପ୍ରକୃତରେ କିଛି ଶିକ୍ଷା କରିନାହାନ୍ତି ? ପୁରୁଷ ପରେ ପୁରୁଷ ସେମାନଙ୍କ ଭିତରେ ଅସଲ କ୍ରିୟାଶୀଳ ଆତ୍ମାଟି ସତେଅବା ବିଣ୍ଡି ହୋଇଯାଇଛି । କିନ୍ତୁ କାହିଁକି ? ମନୁଷ୍ୟସମାଜର ମହାନ୍ ହିତୈଷୀମାନେ ଅନେକ ସମୟରେ କହିଯାଇଛନ୍ତି ଯେ, ଆଗ ହୃଦୟର ପରିବର୍ତ୍ତନ ଘଟିଲେ ଯାଇ ସମାଜର ପରିବର୍ତ୍ତନ ଘଟିବ-। ଯେଉଁମାନେ ଉପରେ ରହିଛନ୍ତି, ବହୁତଙ୍କୁ ବହିଷ୍କୃତ କରି ରଖି ଆପେ ଯଥାସମ୍ଭବ ସମ୍ପଦକୁ ନିଜର ଭୋଗ ନିମନ୍ତେ ହିଁ ଦଖଲ କରିନେଇଛନ୍ତି, ପ୍ରଥମେ ସେମାନଙ୍କର ହୃଦୟ ବଦଳିବ, ସେମାନେ ଶେଷରେ ପୁରୁଣା ସଂସ୍କାରକୁ ତ୍ୟାଗ କରିବେ, ସମଦରଦୀ ହେବେ ଓ ତେବେଯାଇ ସେମାନେ ବଳେବଳେ ତଳେ ବଞ୍ଚିତ ହୋଇ ରହିଥିବା ଅଭାଗ୍ୟମାନଙ୍କୁ ମଧ୍ୟ ସୁଯୋଗଗୁଡ଼ିକରେ ଭାଗ ଦେବାକୁ ଇଚ୍ଛା କରିବେ । ବିଲକୁଲ୍ ଠିକ୍ କଥା, ସନ୍ଥ ବିନୋବା ଜମିମାଲିକମାନଙ୍କର ହୃଦୟ ପରିବର୍ତ୍ତନ ଉପରେ ଦୃଢ଼ ପ୍ରତ୍ୟୟ ରଖି ଭୂମିହୀନଙ୍କ ସକାଶେ ଭୂମି ସଂଗ୍ରହ କରୁଥିଲେ । ସତେଅବା ଏକ ଅଭିନବ ବିଶ୍ଵାସର ହାୱା ସୃଷ୍ଟି ହୋଇଯାଇଥିଲା । ତଥାପି ଭୂମିହୀନ ରହିଲେ । ଭୂମିସଂସ୍କାରକୁ ସରକାର ଭୁରୁଡ଼ାଇ ଦେଲେ । ବିଲକୁଲ୍ ଠିକ୍ କଥାଟାର ଏତେ ଏତେ ସଦିଚ୍ଛା ସହିତ ପ୍ରଚାର ହେଲେ ମଧ୍ୟ ତଥାପି ଉପରେ ଥିବା ଲୋକେ ନଇଁଲେ ନାହିଁ । ଏବେ ତ ସେମାନେ ଆହୁରି ଅଧିକ ପ୍ରବଳ ହୋଇ ଉଠିଥିବା ଭଳି ଲାଗୁଛି । ଭାଗ୍ୟବାଦ କୋଟି କୋଟି ମଣିଷଙ୍କ ଉପରେ ଘୋଡ଼ା ଚଢ଼ି ରହିଛି । ମଣିଷ ଯେ ଏକ ଅନ୍ୟ ବୁଦ୍ଧି ତଥା ଅନ୍ୟ ସାହସ ଦ୍ଵାରା ନିଜର ଭାଗ୍ୟକୁ ନିଜେ ଗଢ଼ିପାରିବ, ସେହି ଆର ବିଶ୍ୱାସଟି ଭାରତବର୍ଷରେ ଭାରି ପେଙ୍ଗେଇ ପେଙ୍ଗେଇ ଚାଲୁଛି ଓ ମଣିଷମାନଙ୍କର ଭିତରଟାକୁ ମୋଟେ ଚହଲାଇ ପାରିନାହିଁ । ତେଣୁ, ଆମ ସାମୂହିକ ଶାସନର ଇମାରତଗୁଡ଼ାକ ଗଣତନ୍ତ୍ରର ରଙ୍ଗରେ ରଙ୍ଗାହୋଇ ରହିଥିଲେ ମଧ୍ୟ ଆମ ବାବୁମାନେ ସାମନ୍ତରାଜର ପୂରା ଅରାଜକତାଟାକୁ ଜାରିକରି ରଖିଛନ୍ତି । ସାମନ୍ତମାନେ ନିୟମିତ କିଛି ଶିଖନ୍ତି ନାହିଁ । ବାଟମାନଙ୍କୁ ଉଗାଳି ରହିଥାନ୍ତି । ବହୁ ଅନ୍ୟାୟ ଏବଂ ଉପେକ୍ଷାକୁ ଏକ ଅନମନୀୟ ଚଳନ୍ତି ପରମ୍ପରାରେ ପରିଣତ କରି ରଖିଥାନ୍ତି । ବାତ୍ୟା, ବନ୍ୟା ଓ ଆଉ ଯାବତୀୟ ବିପତ୍ତିରେ ଅରକ୍ଷିତମାନେ ସିନା ମାଡ଼ ଖାଇ ଯାଉଛନ୍ତି,– ଉପର ଭାଡ଼ିମାନେ ନିଦକ ହୋଇ ରହିଛନ୍ତି । ହୁଏତ କିଞ୍ଚିତ୍ ବୁଦ୍ଧିର ପ୍ରୟୋଗ କରି ଆହୁରି ଲାଭବାନ୍ ହୋଇ ପାରୁଛନ୍ତି ।

 

ହୃଦୟ ପରିବର୍ତ୍ତନ ଦ୍ୱାରା ଅବଶ୍ୟ ବହୁତ କିଛି ହୋଇପାରିବ । ବହୁତ କିଛି ଘଟିପାରିବ-। ମାତ୍ର ଉପର ପରି ତଳେ ମଧ୍ୟ ଆବଶ୍ୟକ ହୃଦୟ ପରିବର୍ତ୍ତନ ହେଲେ ଯାଇ ହେବ । ଉପର ମଣିଷମାନଙ୍କର ଭିତରଟା ବିଣ୍ଡି ହୋଇଯାଇଛି, ତଳ ମଣିଷମାନେ ଗୋଟାସୁଦ୍ଧା ଜଡ଼ ହୋଇ ରହିଛନ୍ତି । ସତକୁସତ ଯେ ଭାଗ୍ୟ ବଦଳିପାରିବ, ଶତାବ୍ଦୀ ଶତାବ୍ଦୀ ଧରି ଭାରି କ୍ରୁର ଏହି କାଳଟା ଦ୍ୱାରା ପେଷିହୋଇ ସେମାନେ ସେହି ସର୍ବନିମ୍ନ ବିଶ୍ଵାସଟିକୁ ମଧ୍ୟ ହରାଇ ବସିଛନ୍ତି । ହୃଦୟ ଥିବା ଅର୍ଥାତ୍ ଭିତରେ ଗୋଟିଏ ହୃଦୟ ଅଛି ବୋଲି ବୁଝୁଥିବା ସଚେତନ ମଣିଷଟିଏ ଏତେ ସହିବ କାହିଁକି, ଏତେ ମାନି ନେଉଥିବ କାହିଁକି ? ଆପଣ ! ଶକ୍ତିର ଆବାଜକୁ ଶୁଣିପାରିଲେ ସିଏ ପ୍ରତିବାଦ ବି କରିପାରିବ । ଏକ ହୃଦୟହୀନ ସମାଜରେ ମାନିନେବା ଓ ସହ୍ୟ କରିନେବା ଯେ ମନୁଷ୍ୟର ଚରମ ନିୟତି ଆଦୌ ନୁହେଁ, ନିଜ ଭିତରେ ଏହି ଅନ୍ୟ ପ୍ରଜ୍ଞାଟିର ଆଘାତ ପାଇଲେ ମଣିଷମାନେ ଯେ କଦାପି ଘୁଷୁରି ହୋଇ ରହିବେ ନାହିଁ, ପୃଥବୀର ଇତିହାସରୁ ତାହାର ଏକାଧିକ ପ୍ରମାଣ ମିଳିଯାଇ ପାରିବ । ସୁପ୍ତ ମଣିଷଟାକୁ ଜାଗୃତ କରି ଆଣିବାରେ ହୁଏତ ଇତିହାସ ବିଷୟରେ ଏତିକି ସଚେତନତା ହିଁ ଯଥେଷ୍ଟ ହେବ । ଇତିହାସ କହିବ, ଇଉରୋପୀୟ ଜଗତରେ ସେହି ସଚେତନତା ଅପେକ୍ଷାକୃତ ଅଧିକ ପରିମାଣରେ ସଚଳ ହେବାର ସୁଯୋଗ ଲାଭ କରିଛି । ସେଠାରେ ନେତୃତ୍ୱ ମଧ୍ୟ ଅଧିକ ସାଧୁତାର ସହିତ ତଳଯାଏ ଭେଦି ପାରିବା ଲାଗି ଇଚ୍ଛା କରିଛି । ତେଣୁ ଏକ ମନୁଷ୍ୟୋଚିତ ସମାଜ ପାଇଁ ସେଠାରେ ସମୁଚିତ ମୂଳଦୁଆଟିଏ ସମ୍ଭବ ହୋଇପାରିଛି । ସେଠାରେ ଯାବତୀୟ ପ୍ରଜ୍ଞା ଏକ ପ୍ରସ୍ତରବତ୍ ଉପେକ୍ଷା ସହିତ ଅରଣ୍ୟକୁ ପଳାୟନ କରିନାହିଁ । ଏହି ଜଗତରେ ହିଁ ନିରନ୍ତର ନିଜର ପରୀକ୍ଷା ଦେଇଛି । ଏବଂ ସେହି କାରଣରୁ ବିଜ୍ଞାନ ବି ସେଠାରେ ସମ୍ପୂର୍ଣ୍ଣ ତଳଯାଏ ପହଞ୍ଚିପାରିଛି ଓ ନାନା ବୃହତ୍ ଆଲୋଡ଼ନର କାରଣ ହୋଇଛି । ଭାରତବର୍ଷର ଅଧିକ ଓ ଉପରମାନଙ୍କର ହଦୟ ପରିବର୍ତ୍ତନ ହେବା ପର୍ଯ୍ୟନ୍ତ ନିମ୍ନସ୍ଥମାନଙ୍କୁ ଅପେକ୍ଷା କରିବା ନିମନ୍ତେ ନାନା ଆଳରେ ପରାମର୍ଶମାନ ଦିଆଯାଉଛି । ନିତାନ୍ତ ଜାଣିସିଆଣିଆମାନେ ଏକଥା କରି ଆସିଛନ୍ତି । ଏହିପରି ଭାବରେ ଅତ୍ୟାବଶ୍ୟକ ସାମାଜିକ ଉଦବେଳନଗୁଡ଼ିକୁ ସତେଅବା ବୁଲାଇ ବଙ୍କାଇ ରଖିବାକୁ ବହୁ ପ୍ରୟାସ କରାଯାଇଛି ।

 

ହୃଦୟରେ ଚେତା ପଶିଲେ ମଣିଷ ଆଉ ମୋଟେ ସହିବ ନାହିଁ ବୋଲି ସିଧା କହିଦିଏ । ଫଳରେ କ୍ରମେ ଏକ ନୂତନ ନେତୃତ୍ୱ ଗଢ଼ିହୋଇ ଆସେ । ମାଟି ତଳେ ପୋତିହୋଇ ରହିଯାଇଥିବା ମଞ୍ଜିଟି ଫାଟେ ଏବଂ ଅଙ୍କୁରୋଦ୍‍ଗମର ପରବର୍ତ୍ତୀ ପର୍ବଟିଏ ଆରମ୍ଭ ହୋଇଯାଏ । ହୃଦୟଟିର ନିଦ ଭାଜିଗଲେ ମଣିଷ ସ୍ଵଶକ୍ତିର ସଙ୍କେତ ପାଏ ଏବଂ ମନୁଷ୍ୟକୃତ ବହୁତ ବହୁତ ଦୂର୍ବିପାକକୁ ଆଉ ଆଦୌ ଦୈବର କୋପ ବୋଲି ମାନି ନିଏ ନାହିଁ । ଭାରତବର୍ଷରେ କୋଟି କୋଟି ମଣିଷ ହୃଦୟ-ସଚେତନତାର ଏହି ସମ୍ମାନସମ୍ପନ୍ନ ଅନ୍ୟ ସ୍ତରଟିକୁ କେବେ ଉତ୍ତୀର୍ଣ୍ଣ ହୋଇ ଆସିବେ କେଜାଣି ? ଏହି ହୃଦୟ ହିଁ ଆମ ସାମୂହିକ ଜୀବନର ନିୟାମକ ହେଲେ ତଥାକଥିତ ତଳୁ ଯେଉଁ ଅମିତ ଶକ୍ତି ସମ୍ଭବ ହେବ, ବର୍ତ୍ତମାନର ଶାସନ ଏବଂ ବର୍ତ୍ତମାନର ନେତୃତ୍ୱ ହୁଏତ ଏକାଧିକ କାରଣରୁ ତାହାର ଅଭ୍ୟୁଦୟ ହେଉ ବୋଲି ମୋଟେ ଇଚ୍ଛା କରୁନାହିଁ । ତେଣୁ, ଏପରି ଅସଲ ନେତୃତ୍ୱ ଅର୍ଥାତ୍ ଅସଲ ବନ୍ଧୁମାନେ ବାହାରନ୍ତୁ ଯେଉଁମାନେ କି ହୃଦୟର କଥା କହିପାରିବେ, ଶକ୍ତିର ଉଦ୍‌ବୋଧନ ଦେଇପାରିବେ । ଏମନେ ମଧ୍ୟ ବାଟ ଚାଲୁଥିବେ । ଶିଖୁଥିବେ । ଶିଖିବେ, ତେଣୁ ଶିକ୍ଷା ଦେଇ ପାରୁଥିବେ । ସମ୍ପୃକ୍ତ ସମସ୍ତଙ୍କର ବିଶ୍ୱାସଭାଜନ ହୋଇପାରିବେ । ସେମାନେ ତଳକୁ ଓହ୍ଲାଇ ଆସିପାରିବେ । ଏକ ନୂତନ ସଂକ୍ରମଣ-ଶକ୍ତିର କଥା କହୁଥିବେ । ସେହିମାନେ ହିଁ ସତକୁସତ ବିଶ୍ଵାସ ଭାଜନ ହେବେ । ଆମ ଦେଶରେ ଏବଂ ଆମ ରାଜ୍ୟରେ ଅତ୍ୟନ୍ତ ବ୍ୟାକୁଳ ଭାବରେ ତାହାରି ଅପେକ୍ଷା ରହିଛି । ସମଗ୍ର ପୃଥିବୀରେ ମଧ୍ୟ ସେହି ସାଥୀମାନଙ୍କ ଲାଗି ଅପେକ୍ଷା ରହିଛି । ଭୋଗୀମାନେ ପାରିବେ ନାହିଁ, ବୈରାଗୀମାନେ ବି ପାରିବେ ନାହିଁ । ଭୋଗୀ ଏବଂ ବୈରାଗୀ, ସମ୍ଭବତଃ ଉଭୟେ ହିଁ ନିଜ ଭିତରେ ଗୋଟିଏ ଭୀରୁର କବଳରେ ପଡ଼ିଯାଇଥାନ୍ତି । ଲୁଚି ରହିବାକୁ ସାର ମଣୁଥାନ୍ତି । ସେମାନେ କିଛି ଶିଖିପାରନ୍ତି ନାହିଁ ।

 

୧୮/୧୨/୨୦୦୦

Image

 

ସରକାରୀ ବାଜି ରାଉତ

 

ବାଜି ରାଉତର ନାଆଁ ଶୁଣିବା ମାତ୍ରକେ ସେତେବେଳର ତା’ ରାଜ୍ୟ ଢେଙ୍କାନାଳ ମନେପଡ଼େ । ସେତେବେଳେ ଢେଙ୍କାନାଳ ଗୋଟିଏ ଗଡ଼ଜାତ ଥିଲା । ଗଡ଼ଜାତରେ ଗଡ଼ଜାତୀ ଶାସନ ଚାଲିଥିଲା । ଓଡ଼ିଶାର ଛବିଶି ଗଡ଼ଜାତ ମଧ୍ୟରୁ ଗଡ଼ଜାତୀ ଅନ୍ଧାରି ଶାସନର କ୍ଷେତ୍ରରେ ବହୁ ଦିଗରୁ ଢେଙ୍କାନାଳର ଏପରି ଏକ ଖାସ୍ ନାମ ରହିଥିଲା ଯେ, ଏବେ ଢେଙ୍କାନାଳୀ ଶାସନ କହିଲେ ଓଡ଼ିଆ ଭାଷାରେ ପ୍ରାୟ ସମସ୍ତେ ବୁଝିଲା ଭଳି ବାଜି ରାଉତ ଏକ ଖାସ୍ ମାର୍କାର ଶାସନକୁ ବୁଝାଉଛି । ସେହି ଶାସନ ବିରୁଦ୍ଧରେ ସେତେବେଳ ଲୋକମାନଙ୍କ ତରଫରୁ ପ୍ରତିବାଦ ଓ ପ୍ରତିରୋଧର ହିଁ ପ୍ରତୀକଟିଏ ହୋଇ ରହିଗଲା । ନୀଳକଣ୍ଠପୁର ଗାଆଁରେ ନଈତୁଠରେ ବନ୍ଧୁକ ଧରି ମଣିଷ ମାରି ବୁଲୁଥିବା ଫଉଜମାନେ ଯେତେବେଳେ ପାରି ହୋଇ ସେପାଖକୁ ଯିବାପାଇଁ ଡଙ୍ଗା ମାଗିଲେ, ସେତେବେଳେ ବାଜି ରାଉତ ଡଙ୍ଗାର ଦଉଡ଼ିକୁ ହାତରେ ଜାବୁଡ଼ି ଧରିଲା ଓ ଆଦେଶ ପାଳନ କରିବାକୁ ମନା କରିଦେଲା । ପରିଣାମ ଯାହା ହେବାର କଥା ହେଲା । ଫଉଜର ଗୁଳିରେ ବାଜି ରାଉତ ଶହୀଦ୍ ହେଲା । ସେହି ଗାଆଁର ଆହୁରି କେତେଜଣ ମଧ୍ୟ ଶହୀଦ୍ ହେଲେ । ଶବମାନଙ୍କୁ କଟକ ଆଣି ଶହ ଶହ ମଣିଷଙ୍କର କ୍ରୋଧଧ୍ୱନି ମଧ୍ୟରେ ଶ୍ମଶାନରେ ଦାହ କରାଗଲା । ବାଜି ରାଉତ ଅମର ହୋଇ ରହିଲା । ଆଉଥରେ ପ୍ରମାଣିତ ହୋଇଗଲା ଯେ, ସରକାରମାନେ ଯେଡ଼େ ତୋଡ଼ ଦେଖାଉଥିଲେ ମଧ୍ୟ କଦାପି ସବୁଦିନ ପାଇଁ ପ୍ରତାପ ଦେଖାଇପାରନ୍ତି ନାହିଁ । କ୍ରୋଧ ହିଁ ଅମର ହୋଇ ରହେ । ନୀଳକଣ୍ଠପୁରର ସେହି ଘଟଣା ବର୍ତ୍ତମାନ ଷାଠିଏ ବର୍ଷରୁ ଅଧିକ ହୋଇଗଲାଣି । ଇତିମଧ୍ୟରେ ଦେଶ ସ୍ୱଧୀନ ହୋଇଛି ଏବଂ ଗଡ଼ଜାତମାନେ ଲୋପ ହୋଇ ଯାଇଛନ୍ତି । ଗଡ଼ଜାତର ରାଜାମାନେ ନୂଆ ବ୍ୟବସ୍ଥାଟିର କାଗଜପତ୍ରରେ କୋଉକାଳୁ ନାଗରିକ ହୋଇ ସାରିଲେଣି । ସେକାଳର ଗଡ଼ଜାତମାନଙ୍କୁ ଏକାଳେ ଜିଲ୍ଲା ବୋଲି କୁହାହେଉଛି । ତଥାପି, ଏକାଧିକ ତୁଳାଦଣ୍ଡରେ ସଦର ଏବଂ ମଫସଲଗୁଡ଼ିକୁ ଓଜନ କରି ଦେଖିଲେ ସାରା ଓଡ଼ିଶାଟାକୁ ହିଁ ସତେଅବା ଗଡ଼ଜାତରେ ପରିଣତ କରି ରଖାଯାଇଛି । ରାଜଧାନୀର କୋଠାମାନଙ୍କରେ ସେ ସମୟର ଢେଙ୍କାନାଳୀ ଅସହଜତା ଅର୍ଥାତ୍ ଅନମନୀୟତାଗୁଡ଼ାକ ପ୍ରତ୍ୟକ୍ଷ ହୋଇ ଯାଉଛନ୍ତି । ସରକାରୀ ଚଉକୀମାନଙ୍କରେ ଆସୀନ ରହିଥିବା ଆମର ନିର୍ବାଚିତ ମହତ୍ତମମାନେ ତୁଚ୍ଛା ଆତ୍ମରତିରେ କେଡ଼େ କୋଧା ଏବଂ କେଡ଼େ ତୋରା ଦେଖାଯାଉଛନ୍ତି । କେତେ କେତେ ଛଦ୍ରମରେ କଥା କହୁଛନ୍ତି । ଆମ ସମସ୍ତଙ୍କର ଘରଟାକୁ ଜଗିବାକୁ ଯାଇ ସେଠି ଯାହାକିଛି ପାଉଛନ୍ତି, ସମ୍ପୂର୍ଣ୍ଣ ଖୋଳ କରିଦେଉଛନ୍ତି । ନିଜକୁ ଏପରି ପୂର୍ଣ୍ଣ ଶୃଙ୍ଗାରର ସହିତ ଗୋଟାଏ ଗୋଟାଏ ରଜା ପରି ମନେ କରୁଛନ୍ତି ଯେ, ଆମରିଠାରୁ ଭୋଟ ପାଇ ଆମରି କଥା ବୁଝିବେ ବୋଲି ସେମାନଙ୍କର ମୋଟେ ମନେ ନାହିଁ । ସେହି କାରଣରୁ ତଥାକଥିତ ରାଜନୀତି ମଧ୍ୟ ଗଉଁରେ ଚାଲିଛି । ଲାଜଘରେ କୋଲପ ପଡ଼ିଛି । ସବା ବଡ଼ମାନଙ୍କୁ ଏପରି ଅଲାଜୁକ ଭୂମିକାମାନଙ୍କରେ ଦେଖିଦେଖି ସେହିମାନଙ୍କ ପରି ସଇତାନ ହୋଇ ସେହିମାନଙ୍କ ପରି ଭୋଗ କରିବାକୁ କ୍ରମେ ତୁମ ଆମ ସମସ୍ତଙ୍କର ବି ମନ ହେଲାଣି । ରାଜ୍ୟରେ ସମ୍ଭବତଃ ସେହିଭଳି ଏକ ଫିସାଦରେ ଶିକ୍ଷାନାମକ ଏକ ଫନ୍ଦି ବହୁ ଦର୍ପରେ ଚାଲିଛି, ଯାହାକି ପୂର୍ଣ୍ଣ ସନ୍ତର୍ପଣ ସହିତ ଅଲାଜୁକ ହେବା ଲାଗି ସଂପୃକ୍ତ ସମସ୍ତଙ୍କୁ ଅଧିକରୁ ଅଧିକ ଉତ୍ସାହ ଦେବାରେ ଲାଗିଛି ।

 

ଏ ବର୍ଷ ଖୋଦ୍ ରାଜ୍ୟ ସରକାର ଶହୀଦ ବାଜି ରାଉତର ବଳିଦାନ ଦିବସଟିକୁ ପାଳନ କଲେ । ଭାରି ବେଖାପ ବେଖାପ ଲାଗିଲା । ଖବରକାଗଜରେ ଗୋଟାଏ ସଭା ହେବ ବୋଲି ବିଜ୍ଞପ୍ତି ଦିଆଯାଇଥିଲା । ସୂଚନା ଭବନରେ ପ୍ରାୟ ପୁଞ୍ଜାଏ ମନ୍ତ୍ରୀଙ୍କୁ ଚଉକୀରେ ବସାଇ ସେମାନଙ୍କ ମୁହଁରୁ ଭାଷଣମାନ ଶୁଣାଇ ଅବସରଟିକୁ ପାଳନ କରାଗଲା । ସରକାରଙ୍କ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ତରଫରୁ ନିତାନ୍ତ ଔପଚାରିକ ଭାବରେ ସବୁ ବ୍ୟବସ୍ଥା ହୋଇଥିଲା । ଚଉକୀମାନେ ମସ୍ତ ମସ୍ତ କଥା କହିଲେ । ଯେଉଁସବୁ କଥାରେ ବିଶ୍ଵାସ କରନ୍ତି ନାହିଁ, ସେମାନେ କେଡ଼େ ଉତ୍ସାହପୂର୍ଣ୍ଣ ଭାବରେ କଥାକୁ କଥା ଖଞ୍ଜି ଗୋଟିଏ ଗୋଟିଏ ଭାଷଣ ଦେଲେ । ବିଗତ କେତେ ବର୍ଷ ହେଲା ଆମ ଚତୁରମାନେ କ୍ଷମତାକୁ ହିଁ ବାହାହୋଇ ପଡ଼ି ଯେକୌଣସି ପ୍ରକାରେ ବିମଣ୍ଡନ ହୋଇ ରହିଲେ । ଆପଣାକୁ ସଫଳ ଧୁରନ୍ଧର ବୋଲି ମଣିଲେ । ଆପଣାର ଦର୍ପ ପ୍ରଦର୍ଶନ କରୁଥିବା ଅନ୍ଧାରମାନେ ଅନେକ ସମୟରେ ସେମାନଙ୍କୁ ଚାଲେଞ୍ଜ୍ କରିଥିବା ଆଲୋକଟାକୁ ମଧ୍ୟ ନିଜର ସମ୍ପତ୍ତି ବୋଲି ଦେଖାଇ ହୁଅନ୍ତି କାହିଁକି କେଜାଣି ? ଅନ୍ଧାରଗୁଡ଼ାକ ନିମନ୍ତେ ଯୁଦ୍ଧ କରିବା ନିମନ୍ତେ ସଜ ହେଉଥିବା ଶିବିରଗୁଡ଼ିକୁ ଲୋକଚେତନା ଠାରୁ ଉଢ଼ୁଆଳ କରି ରଖିବା ସକାଶେ ସେମାନେ ଏହିସବୁ ଚକ୍ରାନ୍ତ କରି ବାହାରନ୍ତି କି ? ବାଜି ରାଉତ ଅମଳର ଯେଉଁ ଜଣେ ଯୋଦ୍ଧା ଏବେ ମଧ୍ୟ ଆମ ସହିତ ରହିଛନ୍ତି, ସେହି ବୈଷ୍ଣବ ପଟ୍ଟନାୟକ ଏସବୁ ତାମସା ଦେଖି କିପରି ଅନୁଭବ କରିଥିବେ କେଜାଣି ? ସ୍ଵାଧୀନତା ପାଇବା ପରେ ଆମ ଦେଶରେ ଯେଉଁସବୁ ସଂଗ୍ରାମ ଦେଇ ଆମେ ପାହାଚକୁ ପାହାଚ ଆଗକୁ ଯାଇଥାଆନ୍ତୁ ଏବଂ ଏକ ଯଥାର୍ଥ ସଂକଳ୍ପ ସହିତ ଦେଶକୁ ଗଢ଼ି ଥାଆନ୍ତୁ, ତାହାକୁ ଭଣ୍ଡୁର କରି ପକାଇବା ନିମନ୍ତେ ଆମ ସରକାରୀ ଏକଦନ୍ତମାନେ ସେହିସବୁ ସଂଗ୍ରାମରୁ ଆମକୁ ଭଣ୍ଡାଇ ରଖିବାକୁ ନିଜ ଉଚ୍ଚତମ ଅମଲାମାନଙ୍କୁ ଲଗାଇ ସେହି ଚକ୍ରାନ୍ତ କରି ଆସିଛନ୍ତି । ଅମଲାମାନେ ଅମଲାଟିଏ ହେବାର ଲକ୍ଷ୍ୟ ରଖି ଉଚ୍ଚ ଉଚ୍ଚ ପାଠ ପଢ଼ିଛନ୍ତି ସିନା, ମାତ୍ର ନିରାପତ୍ତା ଦୃଷ୍ଟିରୁ ବିବେକକୁ ଅଣ୍ଟାରେ ଖୋସି ଦେଇ ଆଦେଶ ପାଳନ କରିବାକୁ ହିଁ ଆପଣାର ଧର୍ମବତ୍ ଗ୍ରହଣ କରି ନେଇଛନ୍ତି । ଏବର୍ଷ ସରକାର ଶ୍ରୀଯୁକ୍ତ ଜୟପ୍ରକାଶ ନାରାୟଣଙ୍କର ଜନ୍ମ ଦିବସକୁ ମଧ୍ୟ ସମାନ ଧୂର୍ତ୍ତତାର ସହିତ ପାଳନ କଲା । ବାଜି ରାଉତ ଏବଂ ଜୟପ୍ରକାଶ– ଏକାଦିନକେ ଉଭୟଙ୍କ ନିମନ୍ତେ ସଭା କରାଇଲା । ସେହି ଗୋଟିଏ ଧାତୁର ମସ୍ତ ଓ ମସ୍ତାନମାନେ ଚଉକୀ ମଣ୍ଡନ କଲେ ଏବଂ ସେହି ଗୋଟିଏ ବିଭାଗଟା ହିଁ ଏହି ଯାବତୀୟ ଇନ୍ତଜାମରେ ପରିକର ଭଳି କାର୍ଯ୍ୟ କଲା ।

 

ଶ୍ରୀଯୁକ୍ତ ଜୟପ୍ରକାଶ ଥିବା ସମୟରେ ଏକ ଘଟଣା ସେଦିନ ମୋର ଖୁବ୍ ମନେ ପଡ଼ିଯାଉଥିଲା । ଏକ ନିତାନ୍ତ ରାଜନୀତିକ ମନ୍ଦବୁଦ୍ଧିର-ଘଟଣା । ପ୍ରାୟ ପଚିଶି ବର୍ଷ ତଳର ଘଟଣା-। ଦେଶରେ ଜରୁରୀ ଅବସ୍ଥା ଜାରି ହୋଇଥାଏ । କିମ୍ବା ସେହି ଅପକୀର୍ତ୍ତିପୂର୍ଣ୍ଣ ଦିନଗୁଡ଼ିକର ଠିକ ପୂର୍ବବର୍ତ୍ତୀ ଏକ ଘଟଣା । ଜୟପ୍ରକାଶଙ୍କର ଆମ ରାଜଧାନୀରେ ଗୋଟିଏ ସାଧାରଣ ସଭାରେ ଭାଷଣ ଦେବାର ଥାଏ । ସେଦିନ ଏପ୍ରିଲ ପହିଲା । ସ୍ୱତନ୍ତ୍ର ଉତ୍କଳ ଦିବସ । ମଇଦାନରେ ସଭା ହେବ ଏବଂ ହଜାର ହଜାର ମଣିଷ ଜମା ହୋଇ ସରକାରଙ୍କୁ ଶତ୍ରୁ ବୋଲି ଭାବୁଥିବା ଜଣେ ପ୍ରଖ୍ୟାତ ବକ୍ତାଙ୍କୁ ଯାଇ ଶୁଣିବେ, ସରକାରଙ୍କର ଗଳାଟା ଏହି କଥାଟାକୁ ଆଦୌ ଗିଳି ପାରିଲା ନାହିଁ । ସେହିଦିନ ଠିକ୍ ସେହି ସମୟରେ ଉତ୍କଳ-ଦିବସ ଉପଲକ୍ଷେ ସରକାରଙ୍କ ଉଚ୍ଚ ଗୋଲାମମାନଙ୍କୁ ଲଗାଇ ଗୋଟାଏ ଜବରଦସ୍ତ ଉତ୍ସବର ଆୟୋଜନ କରାଯାଇଥିଲା । ନାନା ନାଚତାମସାର ଏକ ପୂର୍ଣବୟବ ଉତ୍ସବ । ଆଗରୁ କେବେ ହୋଇ ନଥିଲା, ସେହି ବର୍ଷରୁ ଖାସ୍ ସେହି କାରଣରୁ ଆରମ୍ଭ ହେଲା । ମତଲବ ଥିଲା, ଜୟପ୍ରକାଶ ବାଧ୍ୟ ହୋଇ ଅନ୍ୟ କୌଣସି ସ୍ଥାନରେ ସଭା କରିବେ । ଉତ୍ସବରେ ଅଧିକ ଲୋକ ଯୋଗ ଦେବେ ଓ ଆର ସଭାଟିରେ ଅଳପ ଶ୍ରୋତା ଉପସ୍ଥିତ ରହିବେ । ପ୍ରକୃତରେ କ'ଣ ଘଟିଥିଲା, ତାହାର ସାକ୍ଷ୍ୟ ଦେଇ ପାରିବା ଭଳି ବହୁତ ବ୍ୟକ୍ତି ଆଜି ମଧ୍ୟ ଜୀବିତ ଅଛନ୍ତି । ସେହିବର୍ଷ ଠାରୁ ସମ୍ଭବତଃ ମୁହଁ ରକ୍ଷା କରିବା ପାଇଁ ସରକାର ଏପ୍ରିଲ ପହିଲା ଦିନ ଆମ ରାଜଧାନୀରେ ଉତ୍ସବଟିଏ କରାଇ ଆସୁଛନ୍ତି । ଜୟପ୍ରକାଶଙ୍କୁ ଭାରି ମନେପକାଇ ଦେଉଛନ୍ତି । ଜୟପ୍ରକାଶ ନାରାୟଣଙ୍କର ରାଜନୀତିକ ଅଥବା ଭବିଷ୍ୟତ ଦୃଷ୍ଟିଗତ କେଉଁ ଆବେଦନଟି ସହିତ ବର୍ତ୍ତମାନ ସରକାର ଭିତରେ ରହିଥିବା ମହାମତ୍ତ ଗଜମାନଙ୍କର କୋଉଠି ହେଲେ ଆଦୌ ଏତେ ଟିକିଏ ମେଳନାହିଁ । ଜୟପ୍ରକାଶ ସ୍ୱୟଂ ଜୀବଦ୍ଦଶାରେ ଥିଲେ ଓଡ଼ିଶା ସରକାରଙ୍କର ଏହି କୂଟ ବୁଦ୍ଧିଟାକୁ ଦେଖି ହୁଏତ ପ୍ରତିବାଦ ମଧ୍ୟ କରୁଥାଆନ୍ତେ ।

 

ଏବଂ କ୍ଷମତାସୀନ ଏହି ରାଜନୀତିକ ପାଉମାନଙ୍କର ତନ୍ତ୍ର ଭିତରେ ସବୁଠାରୁ ଅଧିକ ଦରମା ପାଉଥିବା ଗୋଲାମମାନେ ମଧ୍ୟ ନିଜର ପ୍ରଶିକ୍ଷଣ ସମୟରେ ଉପରେ ଥିବା ଏହି ସବାବଡ଼ମାନଙ୍କର ବିଶ୍ୱସ୍ତ ତଥା ନିଯୁକ୍ତୋସ୍ମି ତଥା କରୋମି ହୋଇ ରହିବାକୁ ହିଁ ମୁଖ୍ୟତଃ ଏକ ପରାମର୍ଶ ପାଇ ସରକାରୀ ଚାକିରି ଭିତରକୁ ପ୍ରବେଶ କରିଥିବେ । ବରାଦ ଅନୁସାରେ କର୍ମ କରିବାକୁ ହିଁ ଧର୍ମ ବୋଲି ଧରି ନେଇଥିବେ । ଏହି ଉଭୟ ପଟର ସଲାରେ ଯେପରି ଦୁର୍ଗନ୍ଧପୂର୍ଣ୍ଣ ଏକ ଅରୀତିରେ ଆମ ସାମୂହିକ ଜୀବନର ଯାବତୀୟ କ୍ଷେତ୍ରରେ ପ୍ରବଞ୍ଚନାମାନେ ହିଁ ସବୁଠାରୁ ଅଧିକ ଝଟକିବାରେ ଲାଗିଛନ୍ତି । ସେଗୁଡ଼ାକରୁ ରାଜ୍ୟବାସୀଙ୍କୁ ଅନ୍ୟମନସ୍କ କରି ରଖିବା ନିମନ୍ତେ କ’ଣ ଏହି ସ୍ମରଣସଭାଗୁଡ଼ିକର ବରାଦ ହେବାରେ ଲାଗିଛି ବୋଲି କୁହାଯିବ କି ? ଶାସନ ଏବଂ ବ୍ୟବସ୍ଥା ନାମରେ ଯେଉଁ ନିତାନ୍ତ ଅଯୋଗ୍ୟ ପ୍ରଦର୍ଶନ ତଥା ଫାଙ୍କିଗୁଡ଼ାକୁ ଏଠାରେ ଜାରି କରି ରଖାଯାଇଛି, ବାଜି ରାଉତ ବା ଶ୍ରୀଯୁକ୍ତ ଜୟପ୍ରକାଶଙ୍କୁ ସତକୁସତ ସ୍ମରଣ କରି ପାରୁଥିଲେ ଆମେ ସେହି ପ୍ରଦର୍ଶନ ଓ ଫାଙ୍କିକୁ ଭାଙ୍ଗିଦେଇ ବିକଳ୍ପ କିଛି ଅଧିକକୁ ମନ କରିବାକୁ ହିଁ ଅଧିକ ପ୍ରେରଣା ପାଉଥାଆନ୍ତେ । ଆମ ନିମନ୍ତେ ସେହି ସମ୍ଭାବନାଟିକୁ ଉଗାଳି ରଖିବାକୁ ସରକାରୀ ବରକନ୍ଦାଜମାନେ ଯେ ସେମାନଙ୍କର ଦୁର୍ବୁଦ୍ଧି ଖର୍ଚ୍ଚ କରି ଏହି ସଭାଗୁଡ଼ିକର ପ୍ରୟୋଜନ ଅନୁଭବ କରୁଛନ୍ତି, ସେପରି ସନ୍ଦେହ କରିବା ସକାଶେ ଏସବୁ ଦରକାରୀ ଦଉଧାପଡ଼ରୁ ଯଥେଷ୍ଟ ଇଙ୍ଗିତ ଅବଶ୍ୟ ମିଳିଯାଉଥିବ । ଆମର ପୂଜ୍ୟମାନଙ୍କୁ ଏପରି ନିଜ ଫିସାଦିଆ ସୂତାମାନଙ୍କରେ ବାନ୍ଧି ନେଇ ଆମକୁ ବୋକା ବନାଇବାଟା ଓଡ଼ିଶାରେ କୌଣସି କୌଣସି ଅନ୍ଧାର ଅଥବା ଅଭାବ ହେତୁ ସମ୍ଭବ ହୋଇପାରୁଛି କି ? ଅଥବା, ଏହି ଅନାଚାରଟିର ଆଉ ଗୋଟିଏ ତାତ୍ପର୍ଯ୍ୟ ହେତୁ ହୁଏତ ଥାଇପାରେ । ଆମ ଶାସକମାନେ ବିଶ୍ୱାସଯୋଗ୍ୟ ଭାବରେ ଶାସନ କାର୍ଯ୍ୟଟିକୁ ନତୁଲାଇ ଯାବତୀୟ ଆଉ ସବୁକିଛି ଚିନ୍ତା କରୁଛନ୍ତି । ଆମ ପ୍ରତିନିଧିମାନେ କ୍ଷମତା-ଘରେ ପଶିବା ମାତ୍ରକେ ଆମ ସାମୂହିକ ଆକାଙ୍‍କ୍ଷାଗୁଡ଼ିକର ପ୍ରତିନିଧତ୍ୱ କରିବାର ଅସଲ ଦାୟିତ୍ୱଗୁଡ଼ିକୁ ପାସୋରି ଦେଉଛନ୍ତି । ଆମର ବିଶ୍ୱାସ ହରାଇ ବସିଛନ୍ତି । ବିଚରାମାନେ ନିତାନ୍ତ ଶୋଚନୀୟ ଭାବରେ ନିଃସ୍ୱ ହୋଇ ପଡ଼ିଲେଣି । ସବାତଳ ସାଧାରଣମାନଙ୍କ ସ୍ତରରେ ପାରମ୍ପରିକ ଭାବରେ କିଛି ଯଥାର୍ଥ ବିବେକ ତଥାପି ରହିଛି ବୋଲି ହୁଏତ ଘରଟା ଏପର୍ଯ୍ୟନ୍ତ ଭୁଷୁଡ଼ି ନପଡ଼ି ତିଷ୍ଠି ରହିପାରୁଛି । ବେଳେବେଳେ ନିଜ ଆଡ଼କୁ ଅନାଇ ଏଠି ବୃହତ୍ତମ ଏବଂ ସ୍ଥୁଳତମମାନେ ନିଶ୍ଚୟ ଭାରି ପ୍ରମାଦ ଗଣୁଥିବେ । କାଳେ ସବୁ ଧରା ପଡ଼ିଯିବ ବୋଲି ସେମାନଙ୍କ ଭିତରେ ଏକ ହଡ଼କମ୍ପ ଜାତ ହେଉଥିବ । ସଭା, ଭାଷଣ ଓ ଅମିତ ବାକ୍ୟବଖାଣର ଏକ ଭାବପ୍ରବଣ ଶୂନ୍ୟଗର୍ଭ ଭେଳିକି ସୃଷ୍ଟି କରି ଆମଦ୍ଵାରା ଅନ୍ତତଃ ଏତିକି ହୋଇ ପାରୁଛି ବୋଲି ଏକ ପ୍ରତୀତି ବଜାୟ ରଖିବେ ବୋଲି ହୀନମନ୍ୟମାନେ ନିଜ ଅଧୀନସ୍ଥ ହାକିମମାନଙ୍କୁ ଲଗାଇ ଆଉ ଏସବୁର ଭୁରୁଡ଼ ପାଇଁ ଏତେ ମନୋଯୋଗ ଖଟାଯିବାରେ ଲାଗିଛନ୍ତି କି ? ଯେକୌଣସି ଦୃଷ୍ଟିରୁ ଟିକିଏ ଥିର ହୋଇ ବିଚାର କଲେ ବୀରମାନଙ୍କର ଅର୍ଥାତ୍ ସ୍ମରଣୀୟମାନଙ୍କର ଆନୁଷ୍ଠାନିକ ସ୍ମରଣ ସବଆଗ ଏକ ସରକାରର କାର୍ଯ୍ୟ ନୁହେଁ । ପୋଲିସମାନଙ୍କର, ସେମାନେ ଯେଡ଼େ ଉଚ୍ଚ ସ୍ତରର ହୋଇଥାନ୍ତୁ ପଛକେ, ସେମାନଙ୍କର ନିଯୁକ୍ତିପତ୍ରରେ କଦାପି ଏହାକୁ ଏକ କର୍ତ୍ତବ୍ୟ ବୋଲି ଉଲ୍ଲେଖ କରାଯାଇ ନଥିବ । ତେଣୁ ଆତ୍ମସାତ୍ କରିନେବାର ଏହି ଦୁଷ୍ଟ ଧନ୍ଦାଟି ବନ୍ଦ ହେଉ । ଶ୍ରଦ୍ଧା ଓ ସ୍ମୃତିଚାଳନର ସକଳ ଆୟୋଜନ ଲୋକମାନଙ୍କ ଦ୍ଵାରା ହେଉ । ମନ୍ତ୍ରୀ ବା ସେମାନଙ୍କର ପାଟସନ୍ତକମାନ ପିନ୍ଧିଥିବା ହାକିମମାନେ ନାଗରିକ ହିସାବରେ ସେଗୁଡ଼ିକୁ ଅବଶ୍ୟ ଆସନ୍ତୁ । କିନ୍ତୁ ସେମାନଙ୍କୁ ଯେକୌଣସି ପେଖନାରେ ଚଉକି ଯୋଗାଇ ଦେବାର ମତଲବରେ ଏହି ସଭାଗୁଡ଼ିକର ବରାଦ ନହେଉ । ଲୋକବିବେକର ମହତ ରହୁ, ବିବେକକୁ ହିଁ ପ୍ରତ୍ୟେକ ମନୁଷ୍ୟର ଅସଲ ଭୂଷଣ ବୋଲି ଜାଣିଥିବା ପ୍ରକୃତ ଅନୁରାଗୀମାନେ ବ୍ୟାଘ୍ର ହାତରେ ଆମର ଅସଲ କଙ୍କଣଗୁଡ଼ିକୁ ଟେକି ଦେବାଲାଗି ଆଦୌ ମନ ନକରନ୍ତୁ । ତେବେଯାଇ ଏଠାରେ ସବୁକିଛି ଅଧିକ ଘଟଣ ଦେଖାଯିବ । ଆମେ ପ୍ରତ୍ୟେକେ ବି ଆମ ଯଥାର୍ଥ ମୂଲ୍ୟଗୁଡ଼ିକ ବିଷୟରେ ଅଧିକ ସଜ୍ଞାନ ଓ ସଚେତନ ହୋଇପାରିବା ।

 

୨୫/୧୨/ ୨୦୦୦

Image

 

Unknown

ଜଣକୁ ଗଣତନ୍ତ୍ର ଅଡ଼ୁଆ

 

ଏକଦା ଶ୍ରୀଯୁକ୍ତ ଜୟପ୍ରକାଶ ନାରାୟଣ ପଣ୍ଡିତ ଜବାହରଲାଙ୍କୁ ଭାରତୀୟ ରାଜନୀତିରେ ଗୋଟିଏ ବଡ଼ ବରଗଛ ସହିତ ତୁଳନା କରିଥିଲେ । ଆପଣାର ପ୍ରଭା ଓ ପ୍ରତିଭାରେ ବରଗଛମାନେ ଏପରି ଏକ ବୃହତ୍ ଦ୍ରୁମ ହୋଇ ରହିଥାଆନ୍ତି ଯେ ସେମାନଙ୍କର ଚାରିପାଖରେ ଆଉ କେହିହେଲେ ଉଧେଇ ପାରନ୍ତି ନାହିଁ । ବରଗଛ ତଳେ ସଚରାଚର ଅନ୍ୟ କୌଣସି ଗଛ ଉଧେଇ ପାରିବାର ଭରସା ପାଏ ନାହିଁ । ହଁ, ମହାତ୍ମାଗାନ୍ଧୀ କ’ଣ କମ୍ ବରଗଛଟିଏ ଥିଲେ ? କିନ୍ତୁ ତାଙ୍କର ନେତୃତ୍ୱ ଭିତରୁ ପରବର୍ତ୍ତୀ ପର୍ଯ୍ୟାୟଟି ନିମନ୍ତେ ଏକାବେଳେଳେ କେତେ ବ୍ୟକ୍ତି ବାହାରିଲେ, ନିଜ ନିଜର ବିଶେଷ ଗୁଣରେ ଏମାନେ ମଧ୍ୟ ବରଗଛଟିଏ ପରି ଦେଖାଯାଉଥିଲେ । ମାତ୍ର, ଭାରତବର୍ଷ ସ୍ୱାଧୀନତା ପାଉପାଉ ମହାତ୍ମାଗାନ୍ଧୀ ଚାଲିଯିବା ପରେ କେଉଁଠି କ'ଣ ସବୁ ଅଘଟଣ ପଶିଗଲା କେଜାଣି, ତା'ପରେ ଆଉ ଗୋଟିଏ ଘରେ ଏକାବେଳେକେ ଅକାଧିକଙ୍କ ଲାଗି ଆଦୌ ଜାଗା ହେଲାନାହିଁ । ପଣ୍ଡିତ ନେହେରୁ ଓ ସର୍ଦ୍ଦାର ପଟେଲ ଏକାଠି ବସି ପାରିଲେ ନାହିଁ, ରାଜେନ୍ଦ୍ର ପ୍ରସାଦ କିମ୍ବା ପୁରୁଷୋତ୍ତମ ଦାସ ଟଣ୍ଡନ ନେହେରୁଙ୍କ ସହିତ ଚଳିପାରିଲେ ନାହିଁ । ତେଣେ କ’ଣ ମନେକରି ସେହିମାନେ ହିଁ ଭାରତବର୍ଷର ଶାସନରେ ତଥା ନିର୍ମାଣରେ କାହିଁକି ଗଣତନ୍ତ୍ରକୁ ହିଁ ସ୍ୱୀକୃତ ଶୈଳୀ ବୋଲି ଗ୍ରହଣ କରିଥିଲେ କେଜାଣି ? ଆହୁରି ଆଗକୁ ଆସି ଚାଳମାନଙ୍କରେ ଅଧିକରୁ ଅଧିକ ମୁଣ୍ଡ ବାଜିଲା । ଶ୍ରୀମତୀ ଇନ୍ଦିରା ଗାନ୍ଧୀ ପୂର୍ଣ୍ଣ ନିର୍ବିଘ୍ନ ଅର୍ଥାତ୍ ନିରଙ୍କୁଶ ଭାବରେ ଭାରତରେ ରାଜତ୍ୱ କରିବେ ବୋଲି ଗୋଟିଏ ଜରୁରୀ ଅବସ୍ଥା ମଧ୍ୟ ଜାରି କରି ଦେଇଥିଲେ । ତାଙ୍କର ସେହି ପାହାଚଟା ଠାରୁ ହିଁ ଭାରତୀୟ ଜାତୀୟ କଂଗ୍ରେସ କ୍ରମେ ଦୁଇଭାଗରୁ ଅନେକ ଭାଗ ହେବାକୁ ଆରମ୍ଭ କଲା ।

 

ସମାଜବାଦୀମାନେ ବି ଏକାଠି ରହିପାରିଲେ ନାହିଁ । କମ୍ୟୁନିଷ୍ଟମାନଙ୍କର ଘରେ ମଧ୍ୟ ଅଧାକାନ୍ଥୀ ଛିଡ଼ା ହେଲା । ସେଇ ଛିଟିକାଛିଟିକିରୁ ଜନ୍ମଲାଭ କରିଥିବା ଜନତା ଦଳଟା ମଧ୍ୟ କେତେସରି ହେଲା ପରି ଏବେ କେତେ ନାଆଁରେ ଓ କେତେ ଉପଦଳରେ ବିଭାଜିତ ହୋଇଗଲାଣି-। ଆଦିବାସୀଙ୍କ ଭିତରୁ ମଧ୍ୟ ଜଣମାନେ ଆବିର୍ଭୁତ ହେଲେ ଓ ସେମାନେ ବି ବହୁଭାଗ ହେଲେ । ଭାରତବର୍ଷର ଧାତୁଟାରେ କ'ଣ ଏପରି କିଛି ଅଛି, ଯାହାକି ଏହି ଭୂମିଟା ଜଣମାନଙ୍କର ରଣଭୂମି ହୋଇ ରହିବ ବୋଲି ଗଣତନ୍ତ୍ରର ଯାବତୀୟ କ୍ରିୟାଶୀଳତାକୁ ଏଠି ସର୍ବଦା ଭଣ୍ଡୁର କରିଦେବାରେ ହିଁ ଲାଗିବ ? ଏହି ନାଟକଟା କଲେ ପ୍ରାୟ ଧର୍ମତଃ କେନ୍ଦ୍ରରୁ ରାଜ୍ୟମାନଙ୍କର ସ୍ତରକୁ ସଂକ୍ରମିତ ହୋଇ ଆସିଲାଣି । ଜଣେ ଜଣେ ନୂଆ ନୂଆ ପ୍ରତାପରେ ବାହାରି ସବୁକିଛି ସମାଧାନ କରିଦେବେ ବୋଲି ହୁଙ୍କାର ଦେଉଛନ୍ତି, ସ୍ଵପ୍ନଗୁଡ଼ାକୁ ସାକାର କରିଦେବେ ବୋଲି କହି ଦୁନିଆ କମ୍ପାଉଛନ୍ତି ଏବଂ ଗୋଟିଏ ବୋଲି ଦେଖା ଯାଉଥିବା ଢୋଲଟା ଭିତରୁ ପୁଣି ନୂଆ ମୂଷା ବାହାରି ନୂଆ ଦୀପ ଓ ନୂଆ ଦଳଗୁଡ଼ିକର ସର୍ଜନା କରୁଛନ୍ତି । ଜଣମାନେ ହିଁ ଅଧିକରୁ ଅଧିକ ଦର୍ପଶାଳୀ ହୋଇ ବାହାରୁଛନ୍ତି, ଗଣମାନଙ୍କର ଭାଗ୍ୟ ଉପରେ ଭୈରବ-ନୃତ୍ୟ କରିବାରେ ଲାଗିଛନ୍ତି । ଏହି ଦେଶର ଠିକା ନେଇଥିବାର ଫତୁଆ ବାଡ଼େଇ ସେମାନେ ଆଖର ଦେଶଟାକୁ ନିଜେ ଖୋଳ କରିଦେବାରେ ଲାଗିଛନ୍ତି । ଭାରତବର୍ଷଟା ସ୍ଵାଧୀନତା ପରେ କେତେ କ’ଣ ବଦଳିଥାଆନ୍ତା । ମାତ୍ର ଜଖରୂପକ ଏହି ଗୋଟିଏ ଗୋଟିଏ ଚନ୍ଦ୍ର ସମ୍ପୂର୍ଣ୍ଣ ଆକାଶଯାକକୁ ଏପରି ଉପଦ୍ରବପୂର୍ଣ୍ଣ ଭାବରେ ଆବୋରି ରହିଛନ୍ତି ଯେ, ଗଣଟା ଯେଉଁଠାରେ ଥିଲା, ସତେଅବା ସେହିଠାରେ ହିଁ ପଡ଼ିରହିଛି । ନିତାନ୍ତ ଅକର୍ମଣ୍ୟ ଏବଂ ଅସହାୟ ହୋଇ ପଡ଼ିରହିଛି । ତା' ଆଖି ସାମ୍‍ନାରେ ଜଣମାନେ ନିଜ ନିଜ ରଣପା ଉପରେ ଚଢ଼ି ନୃତ୍ୟ କରିଛନ୍ତି.– କିଏ କୁବେର ପରି ଦିଶୁଛି ଓ ଆଉ କିଏ ଇନ୍ଦ୍ର ପରି ଦିଶୁଛି । ମାତ୍ର ଗଣର ହଂସା ଉଡ଼ିଯାଉଛି, ଗଣର ଦ୍ୱାହି ଦେଇ ଜଣମାନେ ହି ଗାରିମା କରୁଥିବେ ଏବଂ ତଥାପି କେହି ସେମାନଙ୍କୁ ‘ରହ’ ବୋଲି କହିପାରୁ ନଥିବ, କେହି ଚୁନୌତି ଦେଇ ପାରୁ ନଥିବ,– ଏଇଟା କ’ଣ ଭାରତବର୍ଷର ଜାତକରେ ଆବହମାନ କାଳରୁ ହିଁ ଲେଖାହୋଇ ରହିଛି ? ଏହି ଦେଶରେ ଗଣକୁ ତା’ର ସ୍ଵପ୍ରତିଷ୍ଠାରେ ସ୍ୱକୃତ କରାଇ ଆଣିବାରେ କ’ଣ ମୂଳଭୂତ ଭାବରେ କିଛି ହୋଇ ପାରୁନଥିବ ? ବିଶ୍ଵଯାକ ନିଦ ଭାଙ୍ଗି ଉଠିବାର ଏହି ମୁହୂର୍ତ୍ତଟାରେ ବି କିଛି ହୋଇ ପାରୁନଥିବ ?

 

ଜଣ ଭିତରେ ଏପରି କେଉଁ ଉପାଦାନଟିର ଅଭାବ ରହିଥାଏ, ଯାହାପାଇଁ କି ସିଏ । ଗଣକୁ ଗିଳି ପକାଏ ? ଗୁରୁ ଭିତରେ ପ୍ରକୃତରେ କୋଉ ଗୁଣଟିର ଅଭାବ ଥାଏ, ଯାହାକି ଏକ କାରଣ ହୋଇ ଶିଷ୍ୟମାନଙ୍କୁ ଗିଳିପକାଏ ? ନେତା ଭିତରେ ଏପରି କେଉଁ ପଦାର୍ଥଟିର ଅଭାବ ରହିଥାଏ, ଯେଉଁ କାରଣରୁ ଅନୁଗାମୀମାନେ ତା' ପାଖରେ ଗୋଟିଏ ଗୋଟିଏ ମେଣ୍ଢା ହୋଇ ରହିବାକୁ ହିଁ ପ୍ରେରଣା ପାଆନ୍ତି ? କେବଳ ଜଣେ ଆଦର୍ଶବାଦୀ ନେତା ଭିତରେ ନୁହେଁ, ଗୋଟିଏ ଆଦର୍ଶରେ ମଧ୍ୟ କ’ଣ ସବୁ ଅଭାବ ରହିଥାଏ, ଯାହାକି ବସ୍ତୁତଃ ଆଦର୍ଶରୁ ବିଚ୍ୟୁତ କରିନିଏ ଏବଂ ନେତାଟାକୁ ଅର୍ଥାତ୍ ଜଣଟାକୁ ହିଁ ଏକାନ୍ତ କାମ୍ୟ ବା ଏକମାତ୍ର ପରିତ୍ରାଣକାରୀ ରୂପେ ଗ୍ରହଣ କରିବାକୁ ପ୍ରରୋଚନା ଦେଇଥାଏ ? ଜଣେ ଜ୍ୟେଷ୍ଠ ଅର୍ଥାତ୍ ବୟସ୍କ ଭିତରେ କେଉଁଠାରେ କ’ଣ ସବୁ ଗୁଣ ରହିଥାଏ, ଯାହାକି କନିଷ୍ଠମାନଙ୍କୁ ଦାବି ଦିଏ, ଅଥର୍ବ କରିପକାଏ– ନିଜ ଭିତରେ ଯେ ଅସଲ ଆରାଧ୍ୟ, ଅସଲ ଆଲୋକ ଏବଂ ଅସଲ କାମ୍ୟଟି ରହିଛି ଓ ତାହାରି ସମ୍ମତି ଲାଗି ଅପେକ୍ଷା କରି ରହିଛି, ଯାବତୀୟ ଯଥାର୍ଥ ଅଭ୍ୟୁଦୟ, ଜାଗରଣ ତଥା ପୁରୋଗମନ ଯେ ସେହି ଆବିଷ୍କାରଟି ଦ୍ୱାରା ସମ୍ଭବ ହେବ, ସେହି ସତ୍ୟଟି ବିଷୟରେ ବିଭ୍ରାନ୍ତ କରି ରଖେ ? ତାକୁ ନାନା ଭେକରେ ବାନ୍ଧି ହୋଇ ରହିବାକୁ କୁମନ୍ତ୍ରଣା ଦେବାରେ ଲାଗିଥାଏ ? ସଂପ୍ରଦାୟ ପରେ ସଂପ୍ରଦାୟ ଗଢ଼ି ହୋଇ ଯାଉଥାଏ, ତେଣୁ ଏକ ସତ୍ୟର ସଦନ ସ୍ଵରୂପ ଯେଉଁ ଗଣମାନେ ତିଆରି ହୋଇପାରୁ ଥାଆନ୍ତେ, ସେମାନଙ୍କର ଉଜ୍ଜ୍ୱଳତାମାନ ଅବଦମିତ ହୋଇ ରହିଥାଏ ? ସେମାନେ ବାନା ଧରନ୍ତି– ନିଜ ଭିତରେ ଥିବା ଦୀପଟିର ଶୁଶ୍ରୁଷା କରିପାରନ୍ତି ନାହିଁ । ଜଣେ ଶିକ୍ଷକ ଭିତରେ କେଉଁଠାରେ କ'ଣ ଅଭାବ ରହିଥାଏ, ଯେଉଁଥିପାଇଁ ସିଏ ନିଜ ଛାତ୍ରମାନଙ୍କୁ ଆଜ୍ଞାବହ ଗୋଟିଏ ଗୋଟିଏ ଅନୁକରଣକାରୀ ରୂପେ ଗଢ଼ି ଆଣିବାରେ ହୁଏତ ଅଧିକ ଖୁସି ପାଏ, ଛାତ୍ରଟିର ନିଜସ୍ୱ ନକ୍ଷତ୍ରଟିକୁ ଚିହ୍ନେ ନାହିଁ ଏବଂ ଆପଣାର ଉନ୍ମୋଚନକାରୀ ଭୂମିକାଟିକୁ ସତେଅବା ଜାଣି ଜାଣି ପାସୋରି ଦେବ ବୋଲି ସ୍ଥିର କରି ନେଇଥାଏ ? ଆମ ପୋଥିଗୁଡ଼ିକ ଭିତରେ କେଉଁଠାରେ କ’ଣ କଣାମାନ ରହିଥାଏ, ଯାହାଫଳରେ କି ଆମେ ବହୁ ଆହ୍ଲାଦରେ ଗାଦୀବ୍ରହ୍ମର ଉପାସନା କରିବାରେ ଅଭ୍ୟସ୍ତ ହୋଇ ଆଉ କ’ଣ ହୋଇଯାଉ ସିନା, ମାତ୍ର ନିଜ ଭିତରେ ଥିବା ବ୍ରହ୍ମଟିକୁ ଅବହେଳା କରିଥାଉ ? ସେହି ବ୍ରହ୍ମକୁ ଓ ସେହି ସତ୍ୟକୁ ପରସ୍ପର ମଧ୍ୟରେ ଚିହ୍ନିବା ତ ଆହୁରି ଦୂରପରାହତ ହୋଇ ରହିଥାଏ ।

 

ଖବରକାଗଜ ପାଖକୁ ଯାଅ, ଅଧିକାଂଶତଃ ସେହି ଜଣକର ଉପଦ୍ରବଟାକୁ ହିଁ ଦେଖିବାକୁ ପାଇବ । ଏବଂ ପରିବାରରେ ମଧ୍ୟ ସେଇ ଜଣକର ଶାସନ, ସାନମାନଙ୍କର ଉପରେ ବଡ଼ ବୋଲି ମାନ୍ୟତା ଲାଭ କରିଥିବା ଜଣକର ବରାଦ । ତାହା ହିଁ ନୀତି । ସେଥିରୁ ନିସ୍ତାର ନାହିଁ । ଭାରତବର୍ଷରେ ଗଣତନ୍ତ୍ରର ବ୍ୟବସ୍ଥାଟା ଯେ କ୍ରମଶଃ ବଡ଼ ଖତରା ହୋଇଯାଇଛି, ଆଇନଗୁଡ଼ାକୁ ନିତାନ୍ତ ଅବଜ୍ଞା କରି ଖିଆଲଗୁଡ଼ିଏ ଯେ ପରାକ୍ରମୀ ହୋଇ ରହିଛନ୍ତି, ଆମ ଅଯୋଗ୍ୟ ଜଣମାନଙ୍କୁ ଆମେ କ'ଣ ସେଥିଲାଗି ଦାୟୀ କରିବା ? ଦେଶରେ ଯାବତୀୟ ପ୍ରଶାସନ ମଧ୍ୟ ପ୍ରକୁପିତ କେତେଜଣଙ୍କର ପ୍ରାଦୁର୍ଭାବ ଫଳରେ ହିଁ ମାଡ଼ ଖାଇଯାଉଛି । କାଗଜପତ୍ରରେ ଗଣ ନିମନ୍ତେ କେତେକେତେ ବ୍ୟବସ୍ଥା ରହିଛି, ଗଣମାନଙ୍କ ସକାଶେ କୋଟି କୋଟିର ବରାଦ ହେବାରେ ଲାଗିଛି– କିନ୍ତୁ ଜଣମାନେ ମଝିରେ ଥାଇ ସେହିସବୁକୁ ଏପରି କୁଶଳତାପୂର୍ବକ ଶୋଷିନେଇ ଯାଉଛନ୍ତି ଯେ ଗଣମାନଙ୍କର ତିମିରଦଶା ଘୁଞ୍ଚିବା ଆଦୌ ସମ୍ଭବ ହେଉନାହିଁ । ମୋଟା ଯୋଜନାମାନ ହେଉଛି, ମାତ୍ର ଗଣପାଖରେ ପହଞ୍ଚି ପାରୁନାହିଁ । ଜଣମାନେ ସଲାକରି ଶାସନର ମାହାଲଟାକୁ ଏପରି ଏକ ଭାଷାର ମାଧ୍ୟମରେ ଚଳାଉଛନ୍ତି ଯେ, ସେମାନେ ତଦ୍ଦ୍ୱାରା ଆପଣାକୁ ଜଣେ ଜଣେ ରଜାଘର ପୁଅ ପରି ଅନୁଭବ କରୁଛନ୍ତି ପଛକେ, ମାତ୍ର ଗଣମାନଙ୍କର ସେହି ଭାଷାର ବ୍ୟୁହ ମଧ୍ୟକୁ ପ୍ରାୟ ସକଳ ପ୍ରକାରେ ପ୍ରବେଶ ଅସମ୍ଭବ ହୋଇ ରହିଛି । ଗଣମାନଙ୍କର ଭାଷା ଜଣମାନେ ବୁଝିପାରୁ ନାହାନ୍ତି– ସେମାନେ ସେଥିଲାଗି ବିଶେଷ ଶିକ୍ଷାବିପଣିମାନଙ୍କରେ ତାଲିମ ପାଉଛନ୍ତି, ଏହି ଦେଶର ବୃହତ୍ତର ନିୟତିକୁ ଆଖର ଏକ ଉପନିବେଶ ପରି କାବୁ କରି ରଖିଛନ୍ତି । ଶିକ୍ଷାଘରୁ ଯେଉଁ ବାବୁମାନେ କବଚକୁଣ୍ଡଳ ପିନ୍ଧି ଦେଶକୁ ଚଳାଇବେ ବୋଲି ବାହାରୁଛନ୍ତି, ସେମାନଙ୍କର ଅର୍ଜିତ ଯାବତୀୟ ସଂସ୍କାର ଏକ ଅପପ୍ରକ୍ରିୟାର ପାଲରେ ପଡ଼ି ସେମାନଙ୍କୁ ଗଣ ବିଷୟରେ ପ୍ରଧାନତଃ ଉଦାସୀନ କରି ରଖୁଛି । ବାବୁମାନେ ଯେ ଏକ ଗଣତନ୍ତ୍ର ଲାଗି ଆଦୌ କୌଣସି ତାତ୍ପର୍ଯ୍ୟର ହୋଇପାରିବେ ନାହିଁ, ସେକଥାଟି ବିଷୟରେ ଭାରି ଅବୁଝା ଏବଂ ଅନ୍ୟମନା ହୋଇ ରହିଛି । ଏହି ଦେଶର ଗଣଙ୍କ ଲାଗି ବିନିଯୁକ୍ତ ହୋଇ ରହିଥିଲେ ମଧ୍ୟ ସେମାନେ ତଦନୁରୂପ ପରିମଳଗୁଡ଼ିକରୁ ନିଜକୁ ବିଚ୍ଛିନ୍ନ କରି ରଖିଛନ୍ତି ।

 

ଜଣ ଜଣକୁ ନେଇ ଗଣ । ଗଣ ହେଉଛି ଉଦ୍ୟାନ, ଜଣମାନେ ହେଉଛନ୍ତି ସେହି ଉଦ୍ୟାନରେ ରହିଥିବା ଏକକ ବୃକ୍ଷ ଏବଂ ଗୁଳ୍ମମାନେ । ବୃକ୍ଷ ଏବଂ ଗୁଳ୍ମମାନେ ଆପଣାର ଭୂମିରୂପେ ଉଦ୍ୟାନଟିକୁ ନିଶ୍ଚୟ ସ୍ୱୀକାର କରିବେ । ଏହି ସ୍ୱୀକୃତି ଉପରେ ହିଁ ଜଣମାନଙ୍କର ସୁସ୍ଥ ବିକାଶ ପ୍ରାୟ ସମ୍ପୂର୍ଣ୍ଣ ଭାବରେ ନିର୍ଭର କରିବ । ଫୁଲର ମହକରେ ଯେପରି ଏକ ଉଦ୍ୟାନ ଆପଣାକୁ ଗର୍ବିତ ଅନୁଭବ କରେ, ଜଣମାନଙ୍କର ମହକରେ ମଧ୍ୟ ସେହିପରି ଗଣ ବା ସମୁଦାୟଟିଏ ନିଜକୁ ଯଥାର୍ଥରେ ଧନାଢ଼୍ୟ ବୋଲି ଭାବିବ ଓ ଗର୍ବିତ ହେବ । ଜଣମାନେ ଯେପରି ପୂର୍ଣ୍ଣ ମହକରେ ଆପଣାର ପୂର୍ଣ୍ଣ ପରିଚୟ ଦେଇପାରିବେ, ସେଥିନିମନ୍ତେ ଏକ ଉପଯୁକ୍ତ ଅର୍ଥାତ୍ ପ୍ରଶସ୍ତ ପରିବେଶ ଯୋଗାଇଦେବା ହିଁ ଗଣ ଜୀବନର ସବାବୂଳ ଧର୍ମ ହୋଇ ରହିବ । ସେହିପରି ଅନ୍ୟ ପକ୍ଷରେ, ଜଣମାନଙ୍କର ଅସଲ ଅଙ୍ଗୀକାରବଦ୍ଧତା ଗୁଡ଼ିକର ଡୋର ମଧ୍ୟ ଗଣ ଭିତରକୁ ଭେଦି ରହିଥିବ । ଅସଲ କୃତଜ୍ଞତାଗୁଡ଼ିକ ଗଣ ପାଇଁ ଉଦ୍ଦିଷ୍ଟ ହୋଇ ରହିଥିବ । ମାତ୍ର ଯେଉଁ ଦେଶରେ ତଥା ଯେଉଁ ସମୂହରେ ଜଣମାନେ ଗଣଙ୍କୁ ଗିଳି ପକାଇ ଥାଆନ୍ତି, ସେଠାରେ ପୃଥିବୀଯାକର ବ୍ୟାଧିଗ୍ରସ୍ତତା ହିଁ ସେମାନଙ୍କୁ ନାନାଭାବେ ନୃଶଂସ ଏବଂ ନିର୍ମମ କରି ରଖିଥାଏ । ନିଜ ନିଜ ଗଉଁରେ ସେମାନେ ତଥାକଥିତ ଉଚ୍ଚ ଡିହମାନଙ୍କରେ ଯେଡ଼େ ବୃହଦ୍‍ବପୁ ହୋଇ ଦିଶୁଥିଲେ ଏବଂ ଆଚରଣ କରୁଥିଲେ ମଧ୍ୟ ନିଜ ଭିତରେ ଅତ୍ୟନ୍ତ ଅସଭ୍ୟ ଓ ଅସୁନ୍ଦର ହୋଇ ରହିଥାନ୍ତି । ସାମୂହିକ ସମ୍ଭାବନା ଭଣ୍ଡାରରୁ ଯଥାସମ୍ଭବ ଅଧିକରୁ ଅଧିକ ଲୁଟି କରି ନିଜର ସୁଖ-ଗର୍ତ୍ତଗୁଡ଼ିକୁ ଭାରି ବଢ଼ାଇବାରେ ବ୍ୟସ୍ତ ରହିଥାଆନ୍ତି ସିନା, କିନ୍ତୁ ଭାରି ଉଗ୍ର ହୁଅନ୍ତି– ଉଗ୍ର ହେବାକୁ ହିଁ ଅତ୍ୟନ୍ତ ଅନମନୀୟ ଭାବରେ ନିଜର ସ୍ୱାଭିମାନ ବୋଲି କହୁଥାନ୍ତି । ସେମାନେ ଗଣବିମୁଖ ହୁଅନ୍ତି । ଗଣ ନିମନ୍ତେ ନିଜର କୌଣସି କର୍ତ୍ତବ୍ୟ କିମ୍ବା କରଣୀୟ ରହିଛି ବୋଲି ଚିନ୍ତା ମଧ୍ୟ କରିପାରନ୍ତି ନାହିଁ । ସେମାନେ ପଢ଼ିଥିବା ପାଠ,ଠୂଳ କରି ରଖିଥିବା ସମ୍ପତ୍ତି ଏବଂ ଅନ୍ୟମାନଙ୍କୁ ଉପେକ୍ଷା ପ୍ରଦର୍ଶନ କରିବାରେ ଲାଗିଥିବା ସକଳ ବଡ଼ପଣ,– ସେମାନଙ୍କର ଜଗତର ସବୁଯାକ ଅଳିନ୍ଦରେ ସେମାନଙ୍କୁ ପ୍ରାୟ ଶ୍ୱାପଦବତ୍ କରି ରଖିଥାଏ । ଗଣକୁ ସେମାନଙ୍କଠାରୁ ବହୁତ କିଛି ଭୋଗିବାକୁ ପଡ଼େ । ତଥାକଥିତ ଜଣମାନଙ୍କର ଦୌରାତ୍ମ୍ୟମାନ ଗଣ ନିମନ୍ତେ ବହୁ ଦୁଃଖର କାରଣ ହୁଏ ଏବଂ ସମ୍ପୃକ୍ତ ଯୁଗଟି ଲାଗି ବହୁ ଅଲକ୍ଷଣାପଣକୁ ଡାକିଆଣେ ।

 

ପ୍ରଧାନତଃ ସେହି ଜଣମାନଙ୍କର ଦୌରାତ୍ମ୍ୟ ହେତୁ ଭାରତବର୍ଷ ଏବଂ ତେଣୁ ଆମର ଏହି ଦୈନନ୍ଦିନ ଅତି ସମୀପର ଭୂମି ଓଡ଼ିଶା ମଧ୍ୟ ଯାବତୀୟ ଅର୍ଥରେ ଦ୍ୱିଖଣ୍ଡିତ ହୋଇ ରହିଛି । ଗୋଟାଏ ପାଖରେ ଆମ ପାଠୁଆମାନେ, ଆମ ଉଚ୍ଚ ଏବଂ ବିରଳ ଭାଗ୍ୟବାନ୍‌ମାନେ । ଆମ ସମସ୍ତଙ୍କ ନିମନ୍ତେ ଉଦ୍ଦିଷ୍ଟ ହୋଇ ତିଆରି ହୋଇଥିବା ଭାଗ୍ୟ ସମ୍ଭାବନାର କୋଠାଘରଗୁଡ଼ିକୁ ସେହିମାନଙ୍କର ଭୋଗତାମସା ଭିତରେ କିଳିକରି ରଖାଯାଇଛି । ସାହିତ୍ୟ କେତେଜଣଙ୍କର ଅଣ୍ଟିମାଲ ହୋଇ ରହିଛି । ଜଣମାନେ ହିଁ ପ୍ରାୟ ଏକ କାବ୍ୟାମୋଦଯୁକ୍ତ ଛଇରେ ଆମ ତଥାକଥିତ ଯାବତୀୟ ଜାତୀୟତାବୋଧକୁ ନିଜ ଅହଙ୍କାରର ଗୁହାଳ ଭିତରେ ବାନ୍ଧି ରଖିଛନ୍ତି ଏବଂ ଅତ୍ୟନ୍ତ ଧୂର୍ତ୍ତ ଭାବରେ ଗଣକୁ ପଛମୁହାଁ ଓ ପଛନଜର କରି ରଖିଛନ୍ତି । ଗଣତନ୍ତ୍ର ବଡ଼ ସଙ୍କୁଚିତ ହୋଇ ରହିଛି । ରାଜନୀତି ମହତ ହରାଇବାରେ ଲାଗିଛି । ଏକ ନବ୍ୟସାମନ୍ତବାଦର କୁହୁଡ଼ି ଚତୁର୍ଦ୍ଦିଗକୁ ଆଚ୍ଛନ୍ନ କରି ରଖିଛି । ସାମୂହିକ ଜୀବନ ଏବଂ ସାମୂହିକ ଉଦ୍ୟମର ଯାବତୀୟ ଅବସର ସତେଅବା ହାତଛଡ଼ା ହୋଇ ରହିଛି । ଗଣକୁ ହତାଶ କରିବାରେ ଲାଗିଛି ଏବଂ ଗଣଜୀବନର ଚେରଗୁଡ଼ିକ ଦୁର୍ବଳ ହେବାରେ ଲାଗିଥଲେ ଜଣମାନେ ଯେ ପ୍ରାୟ ବିଧିନିର୍ଦ୍ଦିଷ୍ଟ ଭାବରେ ଏଠାରେ ଦୈତ୍ୟଗିରିର ଦରବାରଗୁଡ଼ାକୁ ଅଧିକ ଜାକଜମକ ସହିତ ବଢ଼ାଇବାରେ ଲାଗିଥିବେ, ସେଥିରେ କ୍ରମେ କୌଣସି ଅବକାଶ ହିଁ ରହିବ ନାହିଁ । ଜଣ ଏବଂ ଗଣ ତା'ପରେ ଉଭୟେ ହୁଏତ ଏପରି ବହୁ ଅନର୍ଥକୁ ଡାକିଆଣିବାରେ ଏଠି ନିମିତ୍ତ ପରି କାର୍ଯ୍ୟ କରିବେ, ଯାହାଦ୍ଵାରା ଆମ ନିର୍ଭରଭୂମିଗୁଡ଼ିକ ଉପରେ ଆଉ ଆଦୌ ନିର୍ଭର କରି ହେବନାହିଁ । ତା'ପରେ କ'ଣ ହେବ ? ତା'ପରେ ବିଧାତା କଡ଼ ଲେଉଟାଇବ । ନିଦ ଭଙ୍ଗାଇ ଦେବାକୁ ଆସି ଦୁଆରେ ଦଣ୍ଡାୟମାନ ହେବ । ମଣିଷମାନଙ୍କର ବିବେକଘର ଏକ ନୂଆ ନେତୃତ୍ୱର ସ୍ୱପ୍ନ ଦେଖିବ । ଏପରି ଏକ ନେତୃତ୍ୱ, ଯାହାକି ଜଣ ଓ ଗଣଙ୍କୁ ଏକ ସକାରାତ୍ମକ ଅନ୍ୟ ପ୍ରତ୍ୟୟରେ ଯୋଡ଼ି ଆଣିବାକୁ ଆହ୍ୱାନ ଦେବ । ସେହି ଆହ୍ୱାନକୁ ଶୁଣିବା ନିମନ୍ତେ ନୂଆ କାନ ବି ଦେବ ଏବଂ, ତା'ପରେ କ'ଣ ହେବ ?

 

୧/୧/୨୦୦୧

Image

 

ସ୍ଵଚ୍ଛା-ସେବାରୁ ସେଚ୍ଛା-ଉନ୍ମୋଚନ

 

ଏକ ଅସମାନ ପୃଥିବୀରେ ଦୁଃସ୍ଥ ଅବଶ୍ୟ ରହିବେ ତେଣୁ ଦୁଃସ୍ଥର ସେବା କରିବା ସକାଶେ କେତେକ ମନୁଷ୍ୟ ଅବଶ୍ୟ ଆପଣାର ଏକ କର୍ତ୍ତବ୍ୟ ବୋଲି ଅନୁଭବ କରିବେ । ସେବାକୁ ଯେ ଏକ ବ୍ରତ ବା ଧର୍ମ ବୋଲି କାଳେକାଳେ ବିଚାର କରାଯାଇ ଆସିଛି, ସେକଥା ବୁଝିବା ମୋଟେ କଷ୍ଟକର ହେବା ଉଚିତ ନୁହେଁ । ସେହି ଆବହମାନ କାଳରୁ ହିଁ ଆମ ପୃଥିବୀରେ ସ୍ୱେଚ୍ଛାସେବୀମାନେ ରହି ଆସିଛନ୍ତି । ମଣିଷ ଭିତରେ ହୃଦୟଟିଏ ଅଛି, ତେଣୁ, ସେବାଭାବ ମଧ୍ୟ ରହିଛି । ପୃଥିବୀଯାକର ବହୁ କାହାଣୀ ଏବଂ ବହୁ ପରମ୍ପରା ସେବାର ତଥା ବଦାନ୍ୟ ସେବକମାନଙ୍କର ପ୍ରଶଂସା କରି ଆସିଛି । ସମ୍ଭବତଃ ଆମ ଆଧୁନିକ କାଳକୁ ଆସି ସ୍ୱେଚ୍ଛାସେବୀମାନଙ୍କର ଏହି ପ୍ରାୟ ସ୍ଵଭାବପ୍ରଣୋଦିତ କାର୍ଯ୍ୟଟି କ୍ରମେ ଏକ ସଙ୍ଗଠିତ ରୂପ ଧାରଣ କଲା । ହୃଦୟଦ୍ୱାରା ଆଗରୁ ଯାହା ଅନୁଭବ କରି ହେଉଥିଲା, ମଥା ଦେଇ ତା'ର ଆବଶ୍ୟକତାଟିକୁ ବୁଝି ବି ହେଲା । ବିଶେଷକରି ଦ୍ୱିତୀୟ ମହାଯୁଦ୍ଧ ପରେ ଅର୍ଥାତ୍ ଦେଶ ଦେଶ ଏବଂ ମନୁଷ୍ୟ ମନୁଷ୍ୟ ଭିତରେ ପରିଚୟ ପାରସ୍ପରିକ ଉତ୍ତରଦାୟିତ୍ଵର ବୋଧ ବୃଦ୍ଧି ପାଇବା ପରେ ସମ୍ପୂର୍ଣ୍ଣ ଔପଚାରିକ ଭାବରେ ମଧ୍ୟ ସ୍ୱେଚ୍ଛାସେବାର ସଙ୍ଗଠିତ ଗୁଳାମାନ ତିଆରି ହୋଇ ଆସିଲା । ଧନୀ ଦେଶମାନେ ଦରିଦ୍ର ଦେଶମାନଙ୍କୁ ଲୋକଉନ୍ନୟନର ନାନା କାର୍ଯ୍ୟ ନିମନ୍ତେ ଅର୍ଥ ସାହାଯ୍ୟ ଦେଲେ-। ସରକାର ସରକାର ମଧ୍ୟରେ ତାହାରି ଫଳରେ ଏକ ନୂତନ ସମ୍ପର୍କ ଡୋରର ପ୍ରତିଷ୍ଠା ହେଲା । ଗୋଟାଏ ଦେଶରୁ ସ୍ୱେଚ୍ଛାସେବକ ଆସି ଆଉ ଗୋଟିଏ ଦେଶରେ ସେବାକାର୍ଯ୍ୟ କଲେ । ସମ୍ପର୍କର ପରିଧିମାନ ପ୍ରସାରିତ ହୋଇଗଲା ।

 

ନୂତନ କରି ସ୍ୱାଧୀନ ହୋଇଥିବା ଦେଶମାନେ ଲୋକକଲ୍ୟାଣକୁ ମଧ୍ୟ ଲୋକଶାସନର ସମାନ୍ତର ଭାବରେ ଏକ ପ୍ରୟୋଜନ ରୂପେ ଗ୍ରହଣ କଲେ । ଥିଲା ଦେଶମାନେ ସେମାନଙ୍କୁ ସେଥପାଇଁ ସମ୍ବଳମାନ ଯୋଗାଇ ଦେଲେ । ଭାରତବର୍ଷରେ ପ୍ରଥମେ ଗୋଷ୍ଠୀଉନ୍ନୟନ ନାମକ ଏକ ସରକାରୀ ବିଭାଗର ମାଧ୍ୟମରେ ପ୍ରଧାନତଃ ସେହି କାର୍ଯ୍ୟ ହେଉଥିଲା । ସେଥିରୁ ପ୍ରାପ୍ତ ଅଭିଜ୍ଞତାମାନଙ୍କରୁ ଜଣାଗଲା ଯେ, ପ୍ରତ୍ୟେକ ରାଷ୍ଟ୍ର ବା ସରକାରର ସର୍ବଦା ଏକ ଅସୁବିଧା ରହିଥାଏ, ଯାହାଫଳରେ ହୁଏତ ହଜାର ସଦିଚ୍ଛା ରହିଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ଫଳପ୍ରଦ ଭାବରେ ଉନ୍ନୟନର କାର୍ଯ୍ୟଟିକୁ ଆଦୌ କରିପାରେ ନାହିଁ । ଅମଲାତନ୍ତ୍ର ଯେଡ଼େ ଦକ୍ଷ ଏବଂ ଯୋଗ୍ୟ ହୋଇଥିଲେ ମଧ୍ୟ ତଥାପି ନିଜର ବାନା ସଂରଚନାଗତ ସୀମା ରହିଥିବା ହେତୁ ଶାସନର ଅନ୍ୟ କାର୍ଯ୍ୟଟିକୁ ଯେପରି ବିଚକ୍ଷଣ ଭାବରେ କରିପାରେ, କଲ୍ୟାଣ ବା ଉନ୍ନୟନ କାର୍ଯ୍ୟରେ ହୁଏତ ସେତିକି ଅପାରଗ ବୋଲି ଧରାପଡ଼ିଯାଏ । ସରକାରମାନେ ସେତିକିବେଳେ ସ୍ୱେଚ୍ଛାସେବୀମାନଙ୍କୁ ଲୋଡ଼ି ଯାଆନ୍ତି । ଭାରତବର୍ଷରେ ମଧ୍ୟ ଅଳ୍ପ ବହୁତେ ସେହି କଥାଟି ଘଟିଛି । ସରକାର ଅର୍ଥ-ସହାୟତା ଯୋଗାଇଦେବ । ମାତ୍ର ସ୍ୱେଚ୍ଛାସେବୀ ସଙ୍ଗଠନମାନେ ସଂପୃକ୍ତ କ୍ଷେତ୍ରଗୁଡ଼ିକରେ ରହି ପ୍ରକୃତ କାର୍ଯ୍ୟଟିକୁ କରିବେ । କହିବା ବାହୁଲ୍ୟ, ଏଇଟି ଏକ ଘୋଷିତ ନୀତିରେ ପରିଣତ ହୋଇଯିବା ପରେ ଆମ ଦେଶରେ ସ୍ୱେଚ୍ଛାସେବୀ ସଙ୍ଗଠନମାନେ ପ୍ରାୟ ଚାହିଁ ଚାହିଁ ବହୁଗୁଣିତ ଓ ବହୁସଂଖ୍ୟକ ହୋଇ ଯାଇଥିଲେ । ଆଗେ ସିନା ସ୍ୱେଚ୍ଛାସେବୀ ପ୍ରାୟ ଏକ ବ୍ୟକ୍ତିଗତ ନିଷ୍ପତ୍ତି କରି ସେବାକ୍ଷେତ୍ରରେ ପ୍ରବେଶ କରୁଥିଲେ ଏବଂ ସେହିପରି ଇଚ୍ଛୁକମାନେ କ୍ଷେତ୍ର ବିଶେଷରେ ଏକାଠି ହୋଇ ସଙ୍ଗଠନର ଅନ୍ୟ ପାହାଚଟିରେ ଗୋଡ଼ ଦେଉଥିଲେ; ମାତ୍ର ଏଣିକି ସରକାରୀ ଚାହିଦା ଅନୁସାରେ ନିଜକୁ ପଞ୍ଜୀକୃତ କଲେ । ଅର୍ଥନୀତି ଆସିଲା, ସ୍ୱେଚ୍ଛାସେବୀମାନଙ୍କୁ ବେତନ ପ୍ରଦାନ କରାଗଲା ଓ ଆଶାୟୀମାନେ ତା’ପରେ ଯାଇ ପହଞ୍ଚିଲେ ଏବଂ ସଙ୍ଗଠନର ଚାହିଦା ଅନୁସାରେ ନିଜକୁ ଏକାଠି ଗୁନ୍ଥି ଦେଇଥିଲେ । ଅର୍ଥଦାନକାରୀ ସରକାର ବା ସଂସ୍ଥା ସଙ୍ଗଠନ ସହିତ ହିଁ କାରବାର କଲା, ବ୍ୟକ୍ତିଗତ ଭାବେ ସ୍ୱେଚ୍ଛାସେବୀମାନଙ୍କୁ ଜାଣିବାର କୌଣସି ପ୍ରୟୋଜନ ରହିଲା ନାହିଁ । ସମ୍ଭବତଃ ଏହି ରୀତିଟିରେ ନିଜକୁ ମଣ କରୁକରୁ ସ୍ୱେଚ୍ଛାସେବା ମଧ୍ୟ ସକଳ ଅର୍ଥରେ ଏକ ନିଦା ବୃତ୍ତିରେ ପରିଣତ ହେଲା ! ବ୍ରତ ଏବଂ ବୃତ୍ତି ମଧ୍ୟରେ କୌଣସି ଫରକ ପ୍ରକୃତରେ ଅଛି କି ନାହିଁ, ସେକଥାଟିକୁ ଉଖାରି ଦେଖିବା ଲାଗି ଆଉ କୌଣସି ଆବଶ୍ୟକତା ଅନୁଭୂତ ହୋଇନଥିଲା ।

 

ଆପଣା ଦପ୍ତରର ଅନୁଦାନ-ଖାତାରେ ସରକାର ସ୍ୱେଚ୍ଛାସେବୀ ସଙ୍ଗଠନଗୁଡ଼ିକୁ ଗୋଟିଏ ନୂଆ ନାଆଁ ଦେଇ ଏନ୍.ଜି.ଓ. ବୋଲି କହିଲେ । କହିବାକୁ ସମ୍ଭବତଃ ଇଚ୍ଛା କରୁଥିଲେ ଯେ, ସେମାନେ ସରକାରଙ୍କ ଘରର ମୋଟେ କେହି ନୁହନ୍ତି, ମାତ୍ର ଏକ ବିଶେଷ ବ୍ୟବସ୍ଥାକ୍ରମରେ ସରକାରଙ୍କ ସହିତ ସଂପୃକ୍ତ ଓ ସମ୍ବନ୍ଧିତ ହୋଇ ରହିଛନ୍ତି । ଯାବତୀୟ ଅର୍ଥରେ ସର୍ବପ୍ରଥମେ ସରକାରଙ୍କ ପାଖରେ ହିଁ ଉତ୍ତରଦାୟୀ ହୋଇ ରହିଛନ୍ତି । ଏହି ନୂଆ ନାମଟିକୁ ସ୍ଵେଚ୍ଛାସେବୀ ସଙ୍ଗଠନମାନେ ସମ୍ଭବତଃ ଆଦୌ ଖୁସିହୋଇ ଗ୍ରହଣ କରି ନଥିବେ, ତଥାପି ବ୍ୟାବହାରିକ ସକଳ କାରବାରରେ ମାନି ନେଇଥିଲେ । ନିଜ ନିଜ ଭିତରେ ସେମାନେ ଆପଣାକୁ Activist ବୋଲି କହିଲେ ଏବଂ ଅବଶ୍ୟ ଖୁସି ହେଲେ । ହୁଏତ ଏତେ ଖୁସି ହେଲେ ଯେ, ଓଡ଼ିଶାରେ ସେମାନେ ସେଥିପାଇଁ ଓଡ଼ିଆ ଶବ୍ଦଟିଏ ବାହାର କରିବାର କୌଣସି ଆବଶ୍ୟକତା ଅନୁଭବ କରିନାହାନ୍ତି । ଭାରତର ଅନ୍ୟ ରାଜ୍ୟମାନଙ୍କରେ କୌଣସି ପ୍ରତିଶବ୍ଦ ବାହାରିଛି ଅଥବା ସେହି ଇଂରାଜୀ ଶବ୍ଦଟିରେ କାମ ଚଳିଯାଉଛି, ମୋତେ ସେକଥା ଜଣାନାହିଁ । କାହାକୁ ଅପବାଦ ନଦେଇ କୁହାଯାଇ ପାରିବ ଯେ, ଦୁଇ ପକ୍ଷ ଦୁଇଟି ନାମ ବ୍ୟବହାର କରୁଛନ୍ତି ଓ ସେଇଥିରେ ଆପାତତଃ ଖୁସି ରହିଛନ୍ତି । ସ୍ୱେଚ୍ଛାସେବୀ ସଙ୍ଗଠନମାନେ ଯେଉଁ ସାଧାରଣଙ୍କ ସକାଶେ ସହାୟତା ତଥା ତ୍ରାଣାଦି ଯାବତୀୟ କାର୍ଯ୍ୟକ୍ରମରେ ନିଜକୁ ସଂପୃକ୍ତ କରି ରଖିଛନ୍ତି, ତାହାକୁ ଉଭୟ ପକ୍ଷ ହିତାଧିକାରୀ ବୋଲି କହିଲେଣି-। ଏକ ଇଂରାଜୀ ଶବ୍ଦର ଅନୁବାଦ ରୂପେ ତାହାକୁ ବ୍ୟବହାର କରାଯାଉଛି । ସହାୟତା କ୍ଷେତ୍ରରେ ଆମେ ଯେଉଁମାନଙ୍କୁ ଏହି ବିଶେଷ ନାମ ଦେଇ ଚିହ୍ନିବୁ ବୋଲି ସ୍ଥିର କରିଛୁ ଓ ଯେଉଁମାନଙ୍କ ନାମରେ ସ୍ୱେଚ୍ଛାସେବୀ ସଂସ୍ଥାଗୁଡ଼ିକର ମାଧ୍ୟମରେ କୋଟିର ବରାଦ ହେଉଛି, ସେମାନେ ସ୍ଵୟଂ ଏହି ଶବ୍ଦଟି ଦ୍ଵାରା ଚିହ୍ନଟ ହେବାକୁ କିପରି ମନୋଭାବ ସହିତ ଗ୍ରହଣ କରୁଥିବେ କେଜାଣି ? ଏବଂ ଭାରତବର୍ଷରେ ପରିପୂର୍ଣ୍ଣ ତାତ୍ପର୍ଯ୍ୟର ସହିତ ନାଗରିକ ବୋଲି ସଂକୀର୍ତ୍ତିତ ହୋଇସାରିବା ପରେ ତଥାପି ଏକ ବିଶେଷ ନାମରେ ଚିହ୍ନିତ ହେବାକୁ ପଡ଼ୁଥିବାରୁ ସେହି ସାଧାରଣଙ୍କ ମନରେ ବି ଆଦୌ କେବେ କୌଣସି ପ୍ରତିକ୍ରିୟା ହେଉଥିବ କି ନାହିଁ, ଉଭୟ ସରକାର ତଥା ସ୍ୱେଚ୍ଛାସେବୀ ସଙ୍ଗଠନମାନେ ହୁଏତ ଏବେ ମଧ୍ୟ ମୋଟେ ସେ ବିଷୟରେ ମୁଣ୍ଡ ଖେଳାଇ ନାହାନ୍ତି ।

 

ସ୍ୱେଚ୍ଛାସେବୀ ସଙ୍ଗଠନମାନେ ମଝିରେ ସେତୁ ପରି ରହିଲେ ଏବଂ ସରକାରଙ୍କଠାରୁ ଅର୍ଥ ଆଣି ହିତାଧିକାରୀ ଜନଗଣଙ୍କର ଜୀବନରେ କେତେଭଳି ସୁଗମତା ଆଣିଦେଲେ । ଗାଁରେ ପାଠଶାଳା ଥିଲା, କିନ୍ତୁ ସେଗୁଡ଼ିକରେ କବାଟ ପଡ଼ିଥିଲା । ପିଲାମାନେ ପାରିବାରିକ ଉପାର୍ଜନରେ କିଞ୍ଚିତ୍ ସାହାଯ୍ୟ କରିବା ସକାଶେ ଦିନଯାକ କାମ କରୁଥିଲେ । ସ୍ଵେଚ୍ଛାସେବୀମାନେ ସେମାନଙ୍କ ନିମନ୍ତେ ରାତି ଇସ୍କୁଲ କଲେ । ରାତି ପାଠଶାଳାଗୁଡ଼ିକ ଗାଁର ଆଖି ଓ ଆଗ୍ରହକୁ ବୃହତ୍ତର ଆହୁରି ବହୁତ ସମ୍ଭାବ୍ୟତା ଆଡ଼କୁ ସଂପୃକ୍ତ ଗ୍ରାମଗୁଡ଼ିକର ଗବାକ୍ଷମାନଙ୍କୁ ଖୋଲି ଦେବାରେ ନିମିତ୍ତ ରୂପେ କାର୍ଯ୍ୟ ବି କରିଥିଲା । ଗାଁ ପାଖ ପାହାଡ଼ ସନ୍ଧିରୁ ଝରଣାକୁ ବାନ୍ଧି ପାଣିକୁ ତଳ ଯାଏ ଅଣାଗଲା । ଟାଙ୍ଗର ଭୂଇଁ ପରିବା ବଗିଚାରେ ପରିଣତ ହେଲା । ଏହିପରି ଆହୁରି ନାନା କାର୍ଯ୍ୟକ୍ରମ । ସାହୁକାରମାନଙ୍କର କବଳରୁ ଉଦ୍ଧାର ପାଇବାର ବାଟମାନ କ୍ରମେ ଖୋଲି ଯାଇଥିଲା । ଲୋକମାନେ କଣ୍ଟ୍ରୋଲ୍ ଜିନିଷ ପାଉନଥିଲେ, କ୍ରମେ ପାଇଲେ । ସରକାରୀ ବିଧାନ ଅନୁସାରେ ଉଚିତ୍ ଦିନ ମଜୁରୀ ବି ପାଇଲେ । ଗାଁରୁ କୁଟୁମ୍ବପାଣ୍ଠି ଆରମ୍ଭ ହେଲା । ତେଣୁ ଖାଦ୍ୟ ସୁରକ୍ଷା ଦିଗରେ ଅଧିକ ପ୍ରତ୍ୟୟ ସୃଷ୍ଟି କରାଯାଇ ପାରିଲା । ଆଉ ଗୋତି ପ୍ରଥାରେ ବନ୍ଧା ହୋଇ ରହିବାକୁ ପଡ଼ିଲା ନାହିଁ । ସାମୂହିକ ସହଯୋଗ ଏବଂ ଶ୍ରମଦାନ ଦ୍ୱାରା ଗାଁର ସ୍ଵାସ୍ଥ୍ୟରକ୍ଷା ଦିଗରେ ଆଗକୁ ଆବଶ୍ୟକ ପହୁଣ୍ଡମାନ ପଡ଼ିଲା । ମଦ ବିରୁଦ୍ଧରେ ସଚେତନତା ବୃଦ୍ଧି ପାଇଲା । ଅନ୍ଧାର ଭିତରକୁ ବାଟ ଫିଟିଲା । ନୂଆ ଶିଳ୍ପୋଦ୍ୟୋଗମାନ ଆରମ୍ଭ ହେଲା । ପରିବେଶ ଯେତେ ପ୍ରତିକୂଳ ହୋଇ ରହି ଆସିଥିଲେ ମଧ୍ୟ ତଥାପି ଗାଁରେ ସକ୍ରିୟ ଇଚ୍ଛାଶକ୍ତି ବଳରେ ବହୁତ ରାସ୍ତା ଯେ ସତକୁସତ ଚାଲିଯାଇ ହେବ, ନିଜ ଭାଗ୍ୟର ପରିବର୍ତ୍ତନରେ ନିଜେ ଭାଗନେଇ ସଂପୃକ୍ତ ଗୋଷ୍ଠୀମାନେ ସେ କଥା ବୁଝିବାକୁ ଆରମ୍ଭ କଲେ । ଆଗକୁ ଅଧିକ ଦେଖିବାରେ ସମର୍ଥ ହେଲେ, ନିଜର ହିତ ଅହିତ ବିଷୟରେ ସ୍ଵୟଂ ବିଚାର କରିପାରିଲେ ।

 

ହିତାଧିକାରୀର ଜୀବନ ପ୍ରକୃତରେ ଏକ ଅଧମ ଜୀବନ । ନିର୍ମମ ଭାଗ୍ୟବାଦୀମାନଙ୍କର ହିଁ ଜୀବନ । ଭାରତବର୍ଷରେ କିଛି ମଣିଷ ଏବଂ କେତୋଟି ବର୍ଗ ସଦା ଭାଗ୍ୟବାନ ହୋଇ ରହିପାରିବେ ବୋଲି ସତେଅବା ବିଶେଷ ଶାସ୍ତ୍ରମାନ ଲେଖାଯାଇ ଏବଂ ବିଶେଷ ଜୀବନଦର୍ଶନର ବଖାଣ ହୋଇ ଭାଗ୍ୟବାଦକୁ ପ୍ରଶ୍ରୟ ଦିଆଯାଇ ଆସିଛି । ଥୋକେ ଶୋଷିତ ଏବଂ ଅସମର୍ଥ ହୋଇ ରହିବାକୁ ଜୀବନର ଏକମାତ୍ର ଗତି ବୋଲି ସ୍ୱୀକାର କରି ନନେଲେ ଅବଶିଷ୍ଟ ଆଉ ଥୋକେ ପୁଣି ଶୋଷକ କିପରି ହୋଇପାରିବେ ? ଆମ ଦେଶରେ ସେହି ଅତି ଅପମାନକର ଅବସ୍ଥାଟାକୁ ଭାଙ୍ଗିବାରେ ସ୍ୱେଚ୍ଛାସେବୀ ସଙ୍ଗଠନମାନେ ବହୁତ ସହାୟତା କରିଛନ୍ତି । କେବଳ ସରକାର ହୁଏତ ଯାହା କସ୍ମିନକାଳେ କରିପାରିନଥାନ୍ତେ, ସ୍ୱେଚ୍ଛାସେବା ଦ୍ୱାରା ସ୍ୱାଧୀନ ଭାରତରେ ତାହା ହୋଇପାରିଛି । ସରକାରୀ ଶଗଡ଼ମାନେ କେବେହେଲେ ବି ଏତେ ତଳକୁ ଯାଇପାରିନଥାନ୍ତେ । ପ୍ରାୟ ସ୍ଵଧର୍ମ ଦ୍ୱାରା ବାଧ୍ୟ ହୋଇ ନ୍ୟସ୍ତ ସ୍ୱାର୍ଥଗୁଡ଼ିକର ପ୍ରତିନିଧିତ୍ୱ କରିଥାଆନ୍ତେ । ଯେଉଁଠି ରାସ୍ତା ନଥିଲା, ଯେଉଁସବୁ ଅନ୍ଧାର ଓ ଜଡ଼ତା ଭିତରେ କାଳ ସତେଅବା ଅଟକି ରହିଯାଇଥିଲା, ନାଗରିକମାନଙ୍କୁ ତଥାପି ଘୁଷୁରି ପରି ରଖାଯାଇଥିଲା, ସତେଅବା ଦୈବପ୍ରେରିତ ହୋଇ ସ୍ୱେଚ୍ଛାସେବୀମାନଙ୍କର କର୍ମପରିଧି ସେମାନଙ୍କୁ ସେଯାଏ ନେଇଯାଇ ପାରିଛି ଏବଂ ସେଠାରେ ବାସ କରୁଥିବା ମନୁଷ୍ୟମାନଙ୍କୁ ଏକ ନୂତନ ଅଧିକାରବୋଧ ଆଣି ଦେଇପାରିଛି । ଅଧିକାରବୋଧ ଅର୍ଥାତ୍ ଆପଣାକୁ ଗୋଟିଏ ସ୍ଵାଧୀନ ଦେଶର ନାଗରିକ ବୋଲି ଅନୁଭବ କରିବାର ଏକ ସମର୍ଥତାବୋଧ ଏବଂ ସଚେତନତାବୋଧ । ହିତାଧିକାରୀ ହୋଇ ରହିବାର ସେହି ଏକାନ୍ତ ଅଧମସ୍ତରରୁ ଉତ୍ତୀର୍ଣ୍ଣ ହୋଇ ଆସିବାର ସେହି ସଚେତନତା ଯେ ଆମ ଦେଶର ସବାତଳେ ଅଦୃଷ୍ଟକୁ ଆବୋରି ପଡ଼ି ରହିଥିବା ଓ ସହି ସହି ଆସିଥିବା କୋଟି କୋଟି ମନୁଷ୍ୟଙ୍କ ଭିତରେ ପରିବର୍ତ୍ତନ ଯେ ଅବଶ୍ୟ ହେବ, ସେହିପରି ଗୋଟିଏ କ୍ରିୟାଶୀଳ ବିଶ୍ଵାସର ବୋଧ । ସେହି ବିଶ୍ଵାସ ହିଁ ନିଦ ଭଙ୍ଗାଇବ । ସେହି ବିଶ୍ୱାସ ଜଡ଼ମାନଙ୍କୁ ସଚଳ କରାଇବାରେ ଶକ୍ତିଶାଳୀ ନିମିତ୍ତରୂପେ ଅବଶ୍ୟ କାର୍ଯ୍ୟ କରିବ ।

 

ବଞ୍ଚିତ ଏବଂ ଶୋଷିତ ମନୁଷ୍ୟମାନଙ୍କର ସାମୂହିକ ଜୀବନ ଭିତରକୁ ସେହି ପରିବର୍ତ୍ତନର ଚେତନାଟିକୁ ସଞ୍ଚାରିତ କରି ଆଣିବା– ସ୍ୱେଚ୍ଛାସେବୀ ସଙ୍ଗଠନଗୁଡ଼ିକ ଦ୍ଵାରା ସମ୍ଭବ ହୋଇଥିବା ନାନା ହିତ ମଧ୍ୟରୁ ଏକାଧିକ ତାତ୍ପର୍ଯ୍ୟ ସହିତ ଏହାକୁ ହିଁ ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ବୋଲି କୁହାଯିବ । ମୁଁ ଏହି ଦେଶର ନାଗରିକ, ଜଣେ ନାଗରିକର ସମ୍ମାନ ହେଉଛି ଏହି ଦେଶର ଜଣେ ଅଧିବାସୀ ହିସାବରେ ମୋର ଅସଲ ସମାନ ଓ ଅସଲ ପ୍ରାପ୍ୟ । ମୁଁ ଠିକ୍ ଅନ୍ୟମାନଙ୍କ ପରି ସିଧା ହୋଇ ଠିଆ ହୋଇପାରିବି । ଏଠି ନିଜ ଗୋଡ଼ଗୁଡ଼ିକୁ ଦୃଢ଼କରି ରଖି ମୁଁ ଏହି ଭୂମିଟିକୁ ମୋର ବୋଲି କହିବା ଭଳି ସାହସ ଅର୍ଜନ ବି କରିବି । ମୋର ପିଲାମାନେ ମଧ୍ୟ ପାଠ ପଢ଼ିବେ । ମୋ ନିଜର ଏକ ଘରଡ଼ିହ ରହିବ, ଜୀବନନିର୍ବାହ ପାଇଁ ମୋତେ କାମଟିଏ ଅବଶ୍ୟ ମିଳିବ । ବର୍ତ୍ତମାନ ଉପରେ ଛିଡ଼ା ହୋଇ ମୁଁ ଭବିଷ୍ୟତ ମଧ୍ୟକୁ ପୂର୍ଣସମର୍ଥ ଭାବରେ ଅନାଇ ପାରିବି । ମୋତେ କେହି ଠକି ପାରିବନାହିଁ । କେହି ଶୋଷଣ କରିବନାହିଁ । ସରକାର ନାମରେ ମୋତେ କେହି ଧମକ ଦେଇ କାବୁ କରିପାରିବ ନାହିଁ । ମୋ ନିଜ ଭାଷାରେ ହିଁ ରାଜ୍ୟ ଚାଲିବ ଏବଂ ଏସବୁ ସମ୍ଭବ କରିବା ନିମନ୍ତେ ରହିଥିବା ବାଧାଗୁଡ଼ିକ ହଟିଯାଉ ବୋଲି ମୁଁ ପ୍ରତିବାଦ କରିବି । ଆନ୍ଦୋଳନ ମଧ୍ୟ କରିବି । ମୋଟେ ଅନ୍ୟାୟକୁ ମାନିନେବି ନାହିଁ । କିମ୍ବା ସହିନେବି ନାହିଁ । ଏହିଭଳି କଥାମାନ କ୍ରମେ ଜଙ୍ଗଲ ଓ ପାହାଡ଼ ଖୋଲମାନଙ୍କ ଭିତରୁ ମଧ୍ୟ ଶୁଣାଗଲାଣି । ସେଠାରେ ମଧ୍ୟ ମଣିଷମାନେ ଏକତ୍ର ହେଲେଣି । ଆଉ ଭୟ କରିବେ ନାହିଁ ବୋଲି ଶପଥ ଗ୍ରହଣ କଲେଣି । ଆମ ଧୋବମାନଙ୍କୁ କ୍ରମେ ଆଚମ୍ବିତ କଲେଣି । ଆମେ ସେମାନଙ୍କୁ ଦୟା ଦେଖାଇବାକୁ ଏକ ଉଦାର ଧର୍ମକାର୍ଯ୍ୟ ବୋଲି ମନେ କରୁଥିଲୁ ସିନା, ଏବେ ସେମାନେ କ୍ରମେ ଆମରି ସାଙ୍ଗ ପରି ସହନାଗରିକ ହୋଇ ବାଟ ଚାଲିବେ ବୋଲି ବାହାରିଲେଣି । ଆମର ସଭାଗୁଡ଼ିକରେ ଆମର ସମକକ୍ଷ ହୋଇ ବସି ଅସଲ କଥାଗୁଡ଼ାକୁ କହିଲେଣି । ସେମାନଙ୍କ ଭିତରେ ଏକ ଉନ୍ମୋଚନ ଆରମ୍ଭ ହୋଇଗଲାଣି ।

 

ଏଇଟି ସତକୁ ସତ ଏକ ଆତ୍ନଉନ୍ମୋଚନର ପର୍ବ, ନିଜ ଭିତରୁ ଅନୁଭବ କରି ହେଉଥିବା ଏକ ସଚେତନ ସ୍ୱେଚ୍ଛା-ଉନ୍ମୋଚନର ପର୍ବ । ଦେଶରେ ଯେଉଁ ଦ୍ୱିତୀୟ ସଂଗ୍ରାମଟି ହେବ ବୋଲି ଅନେକେ କହି ଆସୁଥିଲେ ଓ ରକ୍ଷଣଶୀଳମାନେ ଯାହାକୁ କରାଇ ଦେବେନାହିଁ ବୋଲି ଫିକର କରି ଆସୁଥଲେ, ଏଥର ତାହାରି ମୁହୂର୍ତ୍ତଟି ଆସି ପହଞ୍ଚିଗଲା କି ? ଏହି ଦେଶକୁ ଭଲ ପାଉଥିଲେ ଆମେ ସେହି ଉନ୍ମୋଚନଟିକୁ ବୁଝିବା, ସ୍ୱୀକୃତି ଦେବା । ଆମେ ତାହାକୁ ସ୍ଵାଗତ କରିବା-

 

୮/୧/୨୦୦୧

Image

 

ଆଦର୍ଶବାଦୀ ସନ୍ତ୍ରାସବାଦୀ

 

ପୃଥିବୀ ଇତିହାସର ଜଣେ ଦୁର୍ଦ୍ଧର୍ଷ ବିଜେତା ଚେଙ୍ଗିଜ୍ ଖାଁ,– ତାଙ୍କ ସମୟରେ ଜନପଦଗୁଡ଼ିକୁ, ଉଜୁଡ଼ାଇ ଦେବାରେ ସିଏ ଯେତେ ଯେତେ କାଣ୍ଡମାନ କରିଛନ୍ତି ବୋଲି ଆମକୁ ଇତିହାସରୁ ବିବରଣୀମାନ ମିଳୁଛି, ତାହାକୁ ଜାଣି ଏବେ ମଧ୍ୟ ଆମର ହୃତକମ୍ପ ଜାତ ହେଉଛି । ମଣିଷ ପୁଣି ଏଡ଼େ ଦୁର୍ଦ୍ଧର୍ଷ ହୋଇପାରେ । ଆମ ପୁରାଣମାନଙ୍କରୁ ସଙ୍କେତ ମିଳୁଛି ଯେ ଗୋଟିଏ କାଳରେ ଯେତେବେଳେ ଦୁଇଟି ପକ୍ଷ ଭିତରେ ଯୁଦ୍ଧ ହେଉଥିଲା, ସେତେବେଳେ ପକ୍ଷମାନେ କୁଆଡ଼େ ଅତ୍ୟନ୍ତ ଭଦ୍ର ଭାବରେ କେତୋଟି ବିଧାନକୁ ମାନି ଯୁଦ୍ଧ କରୁଥିଲେ । ଭଦ୍ର ମଣିଷମାନେ ଆଦୌ କୌଣସି ଯୁଦ୍ଧ ଦ୍ଵାରା ଅର୍ଥାତ୍ ହତ୍ୟାରେ ପ୍ରବୃତ୍ତ ହେଇ କୌଣସି କଳହର ଯେ ସମାଧାନ କରିପାରିବେ, ସେହି ବିଷୟରେ ଆମ ଏ ଯୁଗରେ କେତେ ମଣିଷ ହୁଏତ କିଞ୍ଚିତ୍ ସନ୍ଦେହ ଅବଶ୍ୟ କରିପାରିବେ ସତ, ମାତ୍ର ଆମର ପୂର୍ବପୁରୁଷମାନେ ଯେ ପ୍ରକୃତରେ ଏଡ଼େ ଭଦ୍ର ଥିଲେ ଓ ତେଣୁ ଦୁଇପକ୍ଷ ହୋଇ ପରସ୍ପରକୁ ହତ୍ୟା କରିବା ସମୟରେ ମଧ୍ୟ ତଥାପି ନିୟମଗୁଡ଼ିକର ରକ୍ଷା କରୁଥଲେ, ସେକଥା ଉଲ୍ଲେଖ ହୋଇଥିବାର ଦେଖି ଅନ୍ତତଃ କେତୋଟି କ୍ଷଣ ସକାଶେ ଆମକୁ ଭାରି ଆନନ୍ଦ ଲାଗୁଛି । ଆମେ ଆମ ଯୁଗରେ ସେମାନଙ୍କର କଦାପି ଅନୁକରଣ କରିପାରିବୁ ନାହିଁ ବୋଲି ଉତ୍ତମରୂପେ ଜାଣିଥିଲେ ମଧ୍ୟ ତଥାପି ଆନନ୍ଦ ଲାଗୁଛି ।

 

ଇତିହାସ ଏପରି ଏକ ସୂଚନା ମଧ୍ୟ ଦେଉଛି ଯେ, ଚେଙ୍ଗିଜ୍ ଗାଁ ବୌଦ୍ଧଧର୍ମ ଗ୍ରହଣ କରିଥିଲେ । ଜଣେ ବୁଦ୍ଧ-ଅନୁଗାମୀ ଯେ ଚେଙ୍ଗିଜ୍ ଖାଁ ପରି ଯୁଦ୍ଧଖୋର ହୋଇପାରେ, ସେ କଥାରେ ଆମେ କିଞ୍ଚିତ୍ ବିସ୍ମିତ ହୋଇ ପଡ଼ୁଥିବା । ଅବଶ୍ୟ ପରବର୍ତ୍ତୀ କାଳମାନଙ୍କରେ ବୌଦ୍ଧ ଧର୍ମ ଗ୍ରହଣ କରିଥିବା ଅନେକ ରଜା ଯୁଦ୍ଧାଦି କ୍ଷେତ୍ରରେ ବହୁତ ବୀରତ୍ଵର ପରିଚୟ ଦେଇଛନ୍ତି । କୌଣସି ରାଜ୍ୟର ଯୁଦ୍ଧଯାତ୍ରାରେ ତା’ର ଧର୍ମ ମୋଟେ ଏକ ପ୍ରତିବନ୍ଧକ ହୋଇ ଛିଡ଼ା ହୋଇନାହିଁ । ବରଂ, ନିଜର ଯୁଦ୍ଧ ମତଲବର ଚରିତାର୍ଥ କରିବାରେ ତା’ ଠାକୁରମାନେ ତାକୁ ଅବଶ୍ୟ ଆଶୀର୍ବାଦ କରିବେ ଓ ତା’ ପାଖେ ପାଖେ ରହି ତା'ର ଜୀବନ ରକ୍ଷା କରିବେ ବୋଲି ରାଜାମାନେ ତଥା ରାଜ୍ୟମାନେ ଚିରକାଳ ବିଶ୍ଵାସ କରିଆସିଛନ୍ତି । ଠାକୁରମାନଙ୍କୁ ପରମ ସନ୍ତର୍ପଣରେ ପ୍ରାର୍ଥନା କରାଯିବା ପରେ ସେନାମାନେ ରାଜାଙ୍କର ବରାଦରେ ଯୁଦ୍ଧକ୍ଷେତ୍ରକୁ ଅନୁକୂଳ କରିଛନ୍ତି । ଏହି ଆଧୁନିକ ଯୁଗରେ ମଧ୍ୟ ରାଷ୍ଟ୍ର ଏବଂ ସରକାରମାନେ ଠାକୁରମାନଙ୍କର ଲାଙ୍ଗୁଡ଼ ଧରିବାର ସେହି ପୁରାତନ ରୀତିଟିକୁ ପରିତ୍ୟାଗ କରିନାହାନ୍ତି । ତଥାକଥିତ ଗଣତନ୍ତ୍ରୀ ଶାସକମାନେ ଯୁଦ୍ଧରେ ବିଜୟ ହାସଲ କରିବା ନିମନ୍ତେ ନିଜ ଠାକୁରମାନଙ୍କର ସାହଚର୍ଯ୍ୟ କାମନା କରୁଛନ୍ତି । ଏବଂ ସେହି ମାଧ୍ୟମରେ ପ୍ରକୃତ ନ୍ୟାୟ ସେହିମାନଙ୍କ ପଟେ ନିଶ୍ଚୟ ରହିଛି ବୋଲି ଅନୁଭବ କରିଛନ୍ତି । ଓ କରୁଛନ୍ତି । ଧର୍ମାତ୍ମାମାନେ ବି ସମ୍ଭବତଃ ସେହି କାରଣରୁ ରାଜ୍ୟମାନଙ୍କର ଲାଙ୍ଗୁଳ ଧରି ଧର୍ମ ନିମନ୍ତେ କେତେ କ'ଣ ସବୁ ହାସଲ କରିପାରିଛନ୍ତି । ଭବ୍ୟ ଦେଉଳମାନ ନିର୍ମାଣ କରାଇ ଦେଇଛନ୍ତି-। ସଂପୃକ୍ତ ସକଳ ପକ୍ଷରୁ ପରିପୂର୍ଣ୍ଣ ବିବେକ ସହିତ ଏସବୁ ହେଉଛି, କାଳେକାଳେ ହୋଇ ଆସିଛି ।

 

ଆଦର୍ଶବାନ୍‍ମାନେ ଏକ ଆଦର୍ଶ ଅନୁସାରେ ବାଟ ଚାଲିବାକୁ ହିଁ ସଚରାଚର ଧର୍ମପାଳନ ବୋଲି କହି ଆସିଛନ୍ତି । ଆଦର୍ଶଟାଏ ନଥିଲେ ଜଣେ ମଣିଷର ଜୀବନଟା ଯେ ବୃଥା ହୋଇଯାଏ, ସେଥିରେ କୌଣସି ସନ୍ଦେହ ରହିବା ଉଚିତ୍ ନୁହେଁ । ବାଟ ଚାଲୁଥିବା ପ୍ରତ୍ୟେକ ମଣିଷ ସମ୍ମୁଖସ୍ଥ ଯେଉଁ ସ୍ଥାନରେ ଯାଇ ପହଞ୍ଚିବ ବୋଲି ଲୟ ରଖିଥାଏ, ସିଏ ସେଇଟିକୁ ଆପଣାର ଆଦର୍ଶ ବୋଲି କହିଥାଏ । ଶିଖରଟିଏ ରହିଛି ବୋଲି ତ ଯାବତୀୟ ପର୍ବତାରୋହଣ ଏତେ ଟାଣେ, ଏତେ ବଳ ଦିଏ ଏବଂ ସାର୍ଥକତାର ଉତ୍ତରୋତ୍ତର ଅନୁଭବମାନ ଆଣି ଦେଉଥାଏ । ସେହି ଅନୁଭବ ହିଁ ଆନନ୍ଦ ଦିଏ, ପ୍ରତ୍ୟେକ ମଣିଷକୁ ଅଧିକରୁ ଅଧିକ ଲାଗି ଯୋଗ୍ୟ କରି ନେଉଥାଏ, ତାକୁ ବହୁ କୁଣ୍ଠା ଏବଂ ଜଡ଼ତାରୁ ଅତିକ୍ରମ କରାଇ ନେଇଯାଏ । ନିଜର ଆଦର୍ଶ ଅର୍ଥାତ୍ ନିଜର ତାତ୍କାଳିକ ଗାର ଓ ପ୍ରସ୍ଥଗୁଡ଼ିକ ଠାରୁ ବୃହତ୍ତର ଆଉ କିଛି, ଯାହାପାଇଁ ମଣିଷ ନିଜକୁ ସମର୍ପିତ କରି ରଖିପାରିବ, ସମର୍ପିତ ହେବାରୁ ହିଁ ଅଶେଷ ତୃପ୍ତି ତଥା ଅଶେଷ ଖୁସି ଲାଭ କରୁଥିବ । ଏହିପରି ଆଦର୍ଶଟିଏ ସକ୍ରିୟ ଏବଂ ସଚଳ କରି ରଖିଥିଲେ କ୍ରମେ ଭିତରେ ମଧ୍ୟ ଗୋଟିଏ ଶିଖର ଦୃଶ୍ୟମାନ ହୋଇ ଆସିବ ଏବଂ ଆମର ଯଶଗୁଡ଼ିକୁ ଉତ୍ତରୋତ୍ତର ତାତ୍ପର୍ଯ୍ୟ ଆଣି ଦେଇ ଯାଉଥିବ । ମୁଁ ମୋର ତାତ୍କାଳିକ ମାପଗୁଡ଼ିକ ଅନୁସାରେ ଯେତିକି ଦେଖାଯାଉଛି ଓ ଯେତିକି ହୋଇ ରହିଛି, ମୁଁ ଯେ ତାହାଠାରୁ ଅନେକ ଅଧିକ, ସେହି ବୋଧଟିକୁ ଏକ ବିଶେଷ ସଙ୍ଗତି ଦେଇ ଆମେ ଅମରତ୍ୱର ଅନୁଭୂତି ବୋଲି କହିପାରିବା । ପୃଥିବୀରେ ଯେତେ ଯେତେ ଆଦର୍ଶବାନ ବ୍ୟକ୍ତି ଥିଲେ ତଥା ଏବେ ମଧ୍ୟ ରହିଛନ୍ତି, ସେମାନେ ଏହି ଅନୁଭୂତିଟିକୁ ଅବଶ୍ୟ ପ୍ରତ୍ୟକ୍ଷ କରିଥିବେ, ଅବଶ୍ୟ ଅଙ୍ଗେ ନିଭାଇଥିବେ । ସେହିମାନଙ୍କର ଅବଦାନଗୁଡ଼ିକରୁ ହିଁ ପୃଥିବୀରେ ଆଦର୍ଶବାନ ଆଖିମାନେ ହିଁ ଆମ ପୃଥିବୀରେ ବହୁବହୁ ଅଜ୍ଞାତକୁ ଜ୍ଞାତର ପରିସର ମଧ୍ୟକୁ ଆଣି ମନୁଷ୍ୟର ବ୍ୟକ୍ତିଗତ ତଥା ସାମୂହିକ ଜୀବନକୁ ଧନାଢ଼୍ୟ କରିଛନ୍ତି; ଜ୍ଞାନ ଓ ବିଜ୍ଞାନକୁ ସେମାନେ ଆଗେଇ ନେଇଛନ୍ତି, ଅଧ୍ୟାତ୍ମକୁ ଆଗେଇ ନେଇଛନ୍ତି, ଆମର ଧର୍ମ ଏବଂ ପ୍ରତୀକଗୁଡ଼ିକୁ ନୂତନ ବ୍ୟଞ୍ଜନା ଓ ବିସ୍ତାରର ଯୋଗ୍ୟ କରିଛନ୍ତି । ଏବଂ ଯେଉଁମାନେ ନିଜ ନିଜ ଗଡ଼ିଆଟି ଭିତରେ ଆବଦ୍ଧ ଓ ଅଳପହୋଇ ରହି ତାହାକୁ ହିଁ ଯଥେଷ୍ଟ ମଣିଛନ୍ତି, ସେମାନେ ସେଇଠି ରହିଯାଇଛନ୍ତି ।

 

ଆଦର୍ଶବାନ ମଣିଷମାନେ ତଥାକଥିତ ଆଦର୍ଶବାଦୀ ହେବାର ପ୍ରଲୋଭନରେ ମୋଟେ ପଡ଼ନ୍ତି ନାହିଁ । ଜଣେ ଆଦର୍ଶବାନ୍ ମଣିଷ ଆପଣାର ଆଦର୍ଶକୁ ଅନ୍ୟମାନଙ୍କ ଉପରେ ଲଦିବାକୁ ଏକ ଅନାବଶ୍ୟକ ଉପଚାର ରୂପେ ହିଁ ଅନୁଭବ କରିଥାଏ । ଆମ ସାଧାରଣଙ୍କର ଏହି ପୃଥିବୀଟାର ଇତିହାସରେ କେଉଁଠାରେ କ’ଣ ଗୋଟିଏ ବିକୃତି ପଶିଯାଇଛି କି କ’ଣ କେଜାଣି, ଏଠି ଆଦର୍ଶବାଦୀମାନେ ହିଁ ଅତ୍ୟନ୍ତ ପରାକ୍ରମୀ ବନି ଆଦର୍ଶବାନମାନଙ୍କୁ ଅସ୍ୱୀକାର କରିଛନ୍ତି ଏବଂ ପ୍ରାୟ ଜଣେ ଜଣେ ଉତ୍ପୀଡ଼ନକାରୀ ଭାବରେ ପୃଥିବୀକୁ ନିରନ୍ତର ଭାରି ହନ୍ତସନ୍ତ କରି ପକାଇଛନ୍ତି । ପୃଥିବୀର ଅଧିକାଂଶ ଧର୍ମରେ ସେହି ଅଭିନୟ ସମ୍ଭବତଃ ସବୁଠାରୁ ଅଧିକ କ୍ରୁର ଭାବରେ ଘଟିଛି ଓ ମଣିଷମାନଙ୍କର ବିବେକକୁ ବୋକା ବନାଇ ରଖାଯାଇଛି । ଆଦର୍ଶବାନ୍ ମଣିଷ ତାକୁ ବାଟ ଚାଲିବାର ଉଦ୍‌ବୋଧନ ଦିଏ । ନିଜ ଭିତରେ ଗୋଟିଏ ବାଟର ନିର୍ଦ୍ଦେଶ ପାଇ ସିଏ ବାହାରେ ନିଜର ନିତ୍ୟସମ୍ପର୍କ ଗୁଡ଼ିକରେ ସେହି ବାଟଟିକୁ ସତକୁସତ ଚାଲିବାର ପ୍ରୟାସ କରୁଥାଏ । ବହୁତ ବାଧାର ସମ୍ମୁଖୀନ ହେବାକୁ ହୁଏ, ତଥାପି ବାଟ ଚାଲିବା ବନ୍ଦ ହୋଇଯାଏ ନାହିଁ । ଆଦର୍ଶବାଦୀ ନିଜର ଆଦର୍ଶଟାକୁ ସବୁଠାରୁ ଅଧିକ ଶକ୍ତିଯୁକ୍ତ ବୋଲି ଦେଖାଇବାକୁ ବହୁବିଧ କ୍ଷମତାର ଆଶ୍ରୟ ନିଏ । ପ୍ରାୟ ଜଣେ ଜ୍ୱରରୋଗୀ ଭଳି ସଦା ଉଗ୍ର ହୋଇ ରହିଥାଏ ଏବଂ ନିଜ ଇଚ୍ଛା ପୂରଣର ନାନାବିଧ ଉତ୍ତପ୍ତତାରେ ସଂସାରଟାକୁ ନାନା ଅସ୍ୱାଭାବିକତା ମଧ୍ୟକୁ ହୁଡ଼ାଇ ନେବାର ପ୍ରକୋପ ଦେଖାଇବାରେ ଲାଗିଥାଏ । ଆଦର୍ଶବାଦୀମାନେ ନିଶାଧିକ୍ୟର ଶିକାର ହୋଇ ଏକ ସନ୍ତ୍ରାସବାଦୀ ଗୁଳାରେ ଯାଇ ପଡ଼ିଯିବାକୁ ପ୍ରକୃତରେ ଚାଖଣ୍ଡେ ସମୟ ବି ଲାଗେ ନାହିଁ । ଆଦର୍ଶବାଦୀମାନଙ୍କ ହାତକୁ ଆଧୁନିକ ଆମର ଏହି କାଳଟାରେ ଅସ୍ତ୍ରଶସ୍ତ୍ର ବଢ଼ାଇ ଦେବାର ଚଳଣିଟା ଯହୁଁ ଯହୁଁ ଅଧିକ ସୁଲଭ ହୋଇଯାଉଛି, ସନ୍ତ୍ରାସବାଦ ସମ୍ଭବତଃ ସେତିକି ବିଶ୍ୱମୟ ହେବାରେ ଲାଗିଛି ।

 

ଆପଣ ଯେକୌଣସି ସନ୍ତ୍ରାସବାଦୀର ମୁହଁ ଉପରେ ଗୁଡ଼ା ହୋଇଥିବା କଳା କନାଟିକୁ ଆଡ଼େଇ ଦେଲେ ତା’ ତଳେ ଟକଟକ ହୋଇ ଫୁଟୁଥିବା ଏକ ତଥାକଥିତ ଆଦର୍ଶକୁ ଅବଶ୍ୟ ଠାବ କରିପାରିବେ । ତା' ଇପ୍‍ସିତ ଉତ୍ତମ ପୃଥିବୀଟି କାଲି ହିଁ ପ୍ରତିଷ୍ଠିତ ହେଉ ବୋଲି ଜିଦ୍ ଧରି ସିଏ ବନ୍ଧୁକ ଧରି ଦାଣ୍ଡକୁ ବାହାରିଛି ବୋଲି ଆପଣ ତତ୍‌କ୍ଷଣାତ୍ ପ୍ରମାଣ ପାଇଯିବେ । ସିଏ ଆଦୌ କିଛି ବୁଝିବ ନାହିଁ, କିଛି ଶୁଣିବ ନାହିଁ,– ତା’ ଖେଳନାଟା ତାକୁ ଅବଶ୍ୟ ମିଳୁ ବୋଲି ସିଏ ବନ୍ଧୁକଟାକୁ ଆପଣଙ୍କ ଆଡ଼କୁ ମୁହାଁଇ ସେହି ଗୋଟିଏ କଥା ହିଁ କହିବାରେ ଲାଗିଥିବ । ସେହି ଗୋଟାଏ ପଣ କରି ଘର ଛାଡ଼ିଥିବ ଏବଂ ଅରଣ୍ୟଚାରୀ ହୋଇଥିବ । ଭିତରେ କେଉଁଠି ତା’ର ଅସଲ ଦୋସରଟି ଛାଡ଼ି ପଳାଇ ଯାଇଥିବା ପରି ସିଏ ବନ୍ଧୁକ ଦ୍ଵାରା ହିଁ ପୃଥିବୀରେ ସବୁ ସମ୍ଭବ ବୋଲି କେତେ ଆଣ୍ଟର ସହିତ ବିଶ୍ଵାସ କରୁଥିବ । ଏକ ମିଛ ଭବିଷ୍ୟର ଭୂତ ପାଖରେ ନିଜର ସବୁ ବିବେକକୁ ଜଳାଞ୍ଜଳି ଦେଇ ସାରିଥିବ । ଆପଣ ତାକୁ ମୋଟେ କଥାରେ ପାରିବେ ନାହିଁ । ଆପଣ ତା’ କଥାକୁ ମାନି ନିଅନ୍ତୁ, ମୁଣ୍ଡ ନୁଆଁନ୍ତୁ, ସିଏ ମାଗୁଥିବା ଦରବଟିକୁ ଆଣି ତା’ ଆଗରେ ଥୋଇଦିଅନ୍ତୁ– ତେବେଯାଇ ସିଏ ବୁଝିବ ଓ ମାନିବ ! ସେଥିପାଇଁ ପୃଥବୀ ଛାରଖାର ହୋଇଯାଉ ପଛକେ, ସିଏ ଆପଣଙ୍କର କୌଣସି କଥାରେ ହିଁ ରାଜି ହେବନାହିଁ । ଆମେ ଆମର ଏହି ପୃଥିବୀଟିରେ କେଉଁଠି କ'ଣ ଅବାଗିଆ ହେଲୁ ବୋଲି ଯେ ଏଠି ଆଦର୍ଶବାଦଗୁଡ଼ାକ ପ୍ରାୟ ଦେଖୁ ଦେଖୁ ନାନା ପରିଚ୍ଛଦ ପିନ୍ଧିଥିବା ସନ୍ତ୍ରାସବାଦରେ ପରିଣତ ହୋଇଗଲା ଓ ଆମ ମୁଣ୍ଡ ଉପରେ ଏକ ବୃହତ୍ତର ଆକାଶ ରହିଛି ବୋଲି ଓ ଆମ ଚାରିପାଖରେ ଆମରି ଭଳି ଅନ୍ୟମାନେ ମଧ୍ୟ ଅଛନ୍ତି ବୋଲି ମୋଟେ ନମାନିବାକୁ ପ୍ରଶ୍ରୟ ଦେଲା, ସେହି ବିଷୟରେ ଥିର ହୋଇ ଚିନ୍ତା କରିବାର ସକଳ ଅବସରକୁ ମଧ୍ୟ ଆମେ କ'ଣ ସତକୁସତ ହରାଇ ବସିଲୁ ?

 

ଏ ସାହିର ବା ଏ ବଜାରର ନେତା ବା ମାମଲତକାର ଭିତରେ ଗୋଟାଏ ଗୁଣ୍ଡା ଘର କରି ରହିଥିଲେ ସିଏ ଚିନ୍ତା କଲାମାତ୍ରକେ ଆର ସାହିର ବା ବଜାରର ନେତା ବା ମାମଲତକାରକୁ ଗୁଣ୍ଡାମାନଙ୍କୁ ଲଗାଇ ସାଧ୍ୟ କରିବାକୁ ହିଁ ସର୍ବୋତ୍ତମ ଉପାୟ ବୋଲି ଗ୍ରହଣ କରିନିଏ । ଗୋଟାଏ ରାଷ୍ଟ୍ର ବା ସରକାର ଭିତରେ ବି ନ୍ୟାୟତଃ ଗୁଣ୍ଡାଟାଏ ହିଁ ଘର କରି ରହିଥାଏ, ଯିଏକି ଏକ ଶତ୍ରୁରାଷ୍ଟ୍ର ବିଷୟରେ ଚିନ୍ତା କରିବା ମାତ୍ରକେ ଗୁଣ୍ଡା ଲଗାଇ ତାକୁ ସାଧ୍ୟ କରିବାର ପନ୍ଥାଟାକୁ ଗ୍ରହଣ କରି ନେଇଥାଏ । ଆମ ଆଧୁନିକ କାଳରେ ରାଷ୍ଟ୍ରମାନେ ପ୍ରବଳରୁ ଆହୁରି ପ୍ରବଳ ହେବା ସଙ୍ଗେ ସଙ୍ଗେ ଆନ୍ତର୍ଜାତିକ ବଜାରରେ ସନ୍ତ୍ରାସବାଦର ଚାହିଦା ସତେଅବା ଅତ୍ୟନ୍ତ ଅଲକ୍ଷଣା ଭାବରେ ବୃଦ୍ଧି ପାଇଛି । ସନ୍ତ୍ରାସବାଦୀକୁ ଆମେ ଏକାଧିକ ସଙ୍ଗତି ସହିତ ଗୋଟାଏ ଗୁଣ୍ଡା ବୋଲି କହିବା, ଯିଏକି ବନ୍ଧୁକ ଆଉ ବୋମାର କାଢ଼ପଣମାନ ଦେଖାଇ ପୃଥିବୀଟାକୁ ନିଜ ଜିଦ୍‍ଟାର ସପକ୍ଷରେ ରାଜି କରାଇଦେବାକୁ ବାହାରିଥାଏ । ସିଏ ଏକ ଆଦର୍ଶ ନିମନ୍ତେ ନିଜ ଜୀବନକୁ ପାଣି ଛଡ଼ାଇ ପଦାକୁ ବାହାରିଛି ବୋଲି ଅତ୍ୟନ୍ତ ନିଷ୍ଠାପର ଭାବରେ ବିଶ୍ଵାସ କରୁଥାଏ । ଅଥବା ନିଜକୁ ଏବଂ ନିଜର ଗୋଷ୍ଠୀଟାକୁ ଏକ ଆଦର୍ଶ ନିମନ୍ତେ ହିଁ ସମର୍ପିତ ଏକ ଆନ୍ଦୋଳନ ତଥା ଇଚ୍ଛାପୂରଣର ପ୍ରତିନିଧି ବୋଲି ଧରି ନେଇଥାଏ । ପୃଥିବୀରେ ରାଷ୍ଟ୍ର ରାଷ୍ଟ୍ର ଭିତରେ ଲାଗିଥିବା କଳହଗୁଡ଼ିକର କ୍ଷେତ୍ରରେ ଯେଉଁଠି ସନ୍ତ୍ରାସବାଦୀଙ୍କର ଏକ ଭୂମିକା ରହିଛି, ସେଠାରେ ସର୍ବତ୍ର ଈନ୍ଧନ ଏବଂ ହିମ୍ମତ ଯୋଗାଇ ଦେବାକୁ ରାଷ୍ଟ୍ର ଓ ସରକାରମାନେ ଅବଶ୍ୟ ରହିଛନ୍ତି । ଏବଂ, ନିଜ ପଛରେ ପ୍ରଧାନତମ ପ୍ରେରଣା ରୂପେ ଏକ ଆଦର୍ଶ ନାହିଁ ବୋଲି ପୃଥିବୀର କୌଣସି ରାଷ୍ଟ୍ର କଦାପି ଅସ୍ୱୀକାର କରିବ ନାହିଁ । ଯାବତୀୟ ରାଷ୍ଟ୍ରର ଯେଉଁ ପତାକା ଏବଂ ଜାତୀୟ ସଙ୍ଗୀତମାନ ରହିଛି, ତାହା ସବୁଠାରେ କୌଣସି ନା କୌଣସି ଆଦର୍ଶର ହିଁ ପ୍ରତୀକ ହୋଇ ରହିଛି ବୋଲି ସେ ଦେଶରେ ପିଲାମାନେ ବଡ଼ ସନ୍ତର୍ପଣ ସହିତ ପାଠ ପଢ଼ୁଥିବା ସମୟରୁ ମୁଖସ୍ତ କରି ରଖିଥାଆନ୍ତି । ପୃଥିବୀରେ ଯଦି ଏତେ ଏତେ ଗାମ୍ଭୀର୍ଯ୍ୟ ସହିତ ଲୋକମାନେ ବ୍ୟକ୍ତିଗତ ତଥା ସାମୂହିକ ଜୀବନର ଆଦର୍ଶଗୁଡ଼ିକୁ କେତେନା କେତେ ଉଚ୍ଚ କରି ଥାପି ରଖିଛନ୍ତି, ତେବେ ଆଉ ଟିକିଏ ଅଧିକ ନିକଟ ହୋଇ ନିଘାକଲେ ଭାରି ସହଜରେ ଜାଣି ହୁଅନ୍ତା ଯେ, ଆଦର୍ଶ ଆଦର୍ଶ ମଧ୍ୟରେ ପ୍ରକୃତରେ ଆଦୌ ସେତେ ବେଶୀ ଦୂରତା ନାହିଁ । ଆଦର୍ଶବାଦୀ ଆଦର୍ଶବାଦୀ ଭିତରେ ହିଁ ଦୂରତା ରହିଛି । ଆଦର୍ଶବାଦୀମାନେ କେବେହେଲେ ପରସ୍ପରର ସମାନ ହୋଇ ଦିଶିବାକୁ ଇଚ୍ଛା କରନ୍ତି ନାହିଁ । ମୋ ଆଦର୍ଶବାଦର ପ୍ରତିଷ୍ଠା ଦ୍ଵାରା ଅନ୍ୟମାନଙ୍କର ଆଦର୍ଶବାଦ ଯଦି ଅପେକ୍ଷାକୃତ ଭାବରେ କମ୍ ପୂର୍ଣ୍ଣାବୟବ ନ ଦିଶିଲା, ତେବେ ମୁଁ ସେଥିରେ କଦାପି ତୃପ୍ତ ହୋଇ ରହିପାରିବି କିପରି ? ଇତିହାସରେ ତୁମ ଆମ ଧର୍ମମାନେ ମୁଖ୍ୟତଃ ଯାହା କରିଆସିଛନ୍ତି ଏବଂ ନିଜଟାକୁ ବଡ଼ ଦେଖାଇବେ ବୋଲି ଅନ୍ୟଗୁଡ଼ିକର ମହତ ନେଇଛନ୍ତି, ଆମ ଆଦର୍ଶବାଦ ତଥା ଆଦର୍ଶବାଦୀମାନେ ସଚରାଚର ତାହା ହିଁ କରିଛନ୍ତି ଓ ଧର୍ମଗୁଡ଼ିକ ସମେତ ଆମ ସମସ୍ତଙ୍କ ନିମନ୍ତେ ଘୋର ପ୍ରମାଦର କାରଣ ହୋଇଛନ୍ତି । ଆଦର୍ଶମାନେ ଯେ ସଂପ୍ରତି ପୃଥିବୀକୁ ନେତୃତ୍ୱ ନଦେଇ ପ୍ରାୟ ପୁସ୍ତକମାନଙ୍କର ଧନରେ ପରିଣତ ହୋଇ ରହିଛନ୍ତି, ହୁଏତ ଆଦର୍ଶବାଦକୁ ହିଁ ସେଥିପାଇଁ ସବାଆଗ ଦାୟୀ କରାଯାଇ ପାରିବ । ଏକ ଯଥାର୍ଥ ଆଦର୍ଶ କୋଳାହଳ ନ କରି ଧର୍ମତଃ ମଣିଷଟିକୁ ଅଥବା ମଣିଷମାନଙ୍କୁ ଟାଣେ; ଆଦର୍ଶକୁ ଭଲ ପାଉଥିବା ମଣିଷଟିଏ ତଥା ମଣିଷମାନେ ସତକୁସତ ବାଟଟିଏ ଚାଲିବାକୁ ହିଁ ଅସଲ ଶ୍ରେୟ ରୂପେ ଗ୍ରହଣ କରିଥାଆନ୍ତି । ଆଦର୍ଶବାଦ କ୍ଷମତା ଲାଗି ହାଇଁପାଇଁ ହେଉଥାଏ, ଆଦର୍ଶକୁ ପଛରେ ପକାଇଦେଇ କ୍ଷମତା ପାଇଁ ଆତୁର ହୋଇ ରହିଥାଏ । ସେଇଥିସକାଶେ ବନ୍ଧୁକ ଧରେ, ବହୁ ସନ୍ତ୍ରାସର କାରଣ ହୁଏ । ସେହି ସନ୍ତ୍ରାସଗ୍ରସ୍ତ ଏକ ସମୟରେ ଆଦର୍ଶବାନ ମଣିଷମାନଙ୍କ ଲାଗି ହିଁ ଆକୁଳ ଅପେକ୍ଷା ରହିଥାଏ ।

 

୧୫/ ୧/୨୦୦୧

Image

 

ଫଳକାମନା ଓ ସାହିତ୍ୟ

 

ବ୍ୟାଧ ମୁହଁରେ ପଡ଼ି ଏକ ପକ୍ଷୀ-ଦମ୍ପତିର ଶୋଚନୀୟ ପରିଣତି ଦେଖୁ ଦେଖୁ ଏକଦା ଜଣେ ଦସ୍ୟୁର ଅନ୍ତର୍ଗହ୍ୱର ମଧ୍ୟରେ ରହିଥିବା କେଉଁ ଅଳିନ୍ଦଟି ତା' ଜୀବନରେ ସତେଅବା ପ୍ରଥମଥର ପାଇଁ ଯେ ଖୋଲି ଯାଇଥିଲା, ତାହାରି ଫଳରେ ଆମ କାବ୍ୟ ସର୍ଜନାର ଜଣେ ଆଦିକବି ସମ୍ଭବ ହୋଇଥିଲେ ବୋଲି ଅପବାଦଟିଏ ରହିଛି । ସମ୍ଭବତଃ ପ୍ରତ୍ୟେକ ମନୁଷ୍ୟ ଭିତରେ କାରୁଣ୍ୟର ଏକ ଆଦି ଆସ୍ଥାନ ରହିଛି, ଆମେ ପ୍ରତ୍ୟେକେ ଯାହାର ସନ୍ଧାନ ଆଦୌ ପାଇନଥାଉ । କେଉଁ ପରିସ୍ଥିତିରେ ସେହି ଆସ୍ଥାନଟି ବିଷୟରେ ଆମ ଭିତରୁ କେତେଜଣଙ୍କ ଜୀବନରେ ଏକ ହୋସ୍ ଆସେ ଏବଂ ଆହୁରି ଅନେକେ କାହିଁକି ପ୍ରାୟ ସେହି ପରିସ୍ଥିତି ମଧ୍ୟରେ ଆତଯାତ ହେଉଥିଲେ ମଧ୍ୟ ବାହାରୁ ଅଥବା ନିଜ ଭିତରୁ ସେଇଟିର କୌଣସି ଇସାରା ମଧ୍ୟ ପାଇ ପାରନ୍ତି ନାହିଁ, ଆମ ଯୁଗରେ କୌଣସି ବିଜ୍ଞାନ ସଫା କରି ଏବେ ମଧ୍ୟ ବେଶୀ କିଛି କହିପାରୁ ନାହିଁ । ସାହିତ୍ୟରେ ଫଳକାମନା ବିଷୟରେ ସୁଜ୍ଞ ଓ ସୁଧୀମାନଙ୍କ ମଥାରୁ କେତେ କେତେ ତଥ୍ୟ ଏବଂ ତତ୍ତ୍ଵ ଇତିମଧ୍ୟରେ ବାହାରି ସାରିଲାଣି । ତଥ୍ୟରୁ ତତ୍ତ୍ୱ ବାହାରିଛି ଓ ତତ୍ତ୍ୱରୁ ତଥ୍ୟ ବି ବାହାରିଛି । ସାହିତ୍ୟ ଲେଖି ଲେଖକମାନେ ଭିନ୍ନ ଭିନ୍ନ ଫଳ ପାଇଛନ୍ତି ଏବଂ ଭିନ୍ନ ଭିନ୍ନ ଫଳକାମନା କରି ମଧ୍ୟ ଲେଖକମାନେ ସାହିତ୍ୟର ହତା ଭିତରକୁ ମନ କରିଛନ୍ତି । ଅନେକ ସମୟରେ ଫଳର କାମନାଟି ଜଣ ଜଣଙ୍କ ଭିତରେ ଏତେ ବେଶୀ ପ୍ରବଳ ହୋଇଯାଇଛି ଯେ, ସେମାନେ ସାହିତ୍ୟଟାକୁ ଜୀବନଠାରୁ ମଧ୍ୟ ଅଧିକ ବୋଲି ଘୋଷଣା କରିଛନ୍ତି । ସାହିତ୍ୟର ନାନା ଅତି ଉଚ୍ଚାଟନରେ ଜୀବନଟା ଅବହେଳିତ ହୋଇ ରହିଛି, ଜୀବନ ନାମକ ସେହି ସାମୂହିକ ଏବଂ ସମ୍ବନ୍ଧଗତ ଶଗଡ଼ଟାରେ ଚକଗୁଡ଼ାକ ଭାରି ହୁଗୁଳି ଯାଇଛନ୍ତି, ମାତ୍ର ପ୍ରଚଣ୍ଡ ଧୁମଧାମ ସହିତ ସାହିତ୍ୟ ଚାଲିଛି । ଯେଉଁ ଜାତିର ସାହିତ୍ୟ ଯେତେ ଉନ୍ନତ, ସେହି ଜାତିଟା ମଧ୍ୟ ସେଡ଼େ ଉଚ୍ଚ ଓ ଉନ୍ନତ ବୋଲି ସାମିଆନା ଟାଣି ହୁଙ୍କାରମାନ ଦିଆଯାଇଛି । ଏମିତି କାହିଁକି ହୋଇଛି କେଜାଣି ? ସେତେବେଳେ ନାନାବିଧ କପଟାଚାର ପାଇଁ ସାହିତ୍ୟ ମଧ୍ୟ ଖୋରାକ ଯୋଗାଇ ଦେଇଛି । ତଥାକଥିତ ଉତ୍ତମ ମଣିଷମାନଙ୍କୁ ଉତ୍ତମରୁପେ ବହୁ ଭ୍ରାନ୍ତି ଭିତରେ ଜଡ଼ାଇ ରଖିବ ବୋଲି ସାହିତ୍ୟ ମଧ୍ୟ ନିପଟ ବୟସ୍ୟମାନଙ୍କର ହସ୍ତାମଳକ ପରି ବ୍ୟବହୃତ ହୋଇ କେତେ ସହାୟତା ମଧ୍ୟ କରିଛି । ସାହିତ୍ୟକୁ ଏକ ଦରବାରୀ ନାଟକରେ ପରିଣତ କରି ଥୋକେ ଅନ୍ୟ ଧାତୁର ମଣିଷ ତାଙ୍କୁ ପିଟି ଚଣ୍ଡ ହୋଇ ନୃତ୍ୟ କରିବାକୁ ପ୍ରାୟ କାମାତୁର ହୋଇ ଉଠିଛନ୍ତି ।

 

ହଁ, ଅଧିକାଂଶ ମଣିଷଙ୍କର ହୃଦୟ ନାମକ ସେହି ମହାଧନଟି କୁଆଡ଼େ କେତେ ତଳେ ଯାଇ ପୋତି ହୋଇ ରହିଥାଏ । ଦସ୍ୟୁ ରତ୍ନାକରର ହୃଦୟଟି ମଧ୍ୟ ତା' ଭିତରେ ନିରନ୍ତର ରହିଥିଲା, ମାତ୍ର ହୁଏତ କେତେ ନା କେତେ ତଳେଯାଇ ପୋତି ହୋଇ ରହିଥିଲା । ଆମ ଆଧୁନିକ କାଳରେ ଆମର ହୃଦୟଗୁଡ଼ିକ ମଧ୍ୟ ହୁଏତ କେତେ ତଳେ ପୋତି ହୋଇ ରହିଥିବାରୁ ତାହା ଯେମିତି ଆମ ଅନେକଙ୍କୁ ଅପହଞ୍ଚ ପ୍ରାୟ ହୋଇ ରହିଛି, ପ୍ରାୟ ସେହିପରି । ଆମ ଭିତରେ ରହିଥିବା ଭାବପ୍ରବଣ ମଣିଷମାନେ କହୁଛନ୍ତି ଯେ, ଏବେ ଏହି କାଳଟା ଆସି ଆମ ଅଗଣା ଭିତରେ ପଶିଗଲା ଏବଂ ଆମକୁ ଗୋଟାସୁଦ୍ଧା ଗିଳି ପକାଇଲା, କଥାଟା ଆଦୌ ସେପରି ହୋଇନଥିବ । ଆମେ କିଛି ଅସଲ କଥାକୁ ଲୁଚାଇବା ନିମନ୍ତେ ଏହିପରି ଭାବରେ କାଳ ଉପରେ ଦୋଷଦେଇ ପାର ପାଇଯିବାକୁ ପ୍ରକୃତରେ ଏକ ଉଦ୍ୟମ କରୁଛୁ କି ? ହୁଏତ ସତକଥା ହେଉଛି ଯେ, ଆମେ ଯେଉଁପରି ଇଚ୍ଛା କଲୁ, ଆମ କାଳଟା ମଧ୍ୟ ଆମ ପାଇଁ ସେହିଭଳି ଭୂମିକାଟିଏ ଗ୍ରହଣ ବି କଲା । ଆମେ ହାତରେ ଲଗାମ ଧରି ପାରୁଥିବା ପର୍ଯ୍ୟନ୍ତ ଆମ ଘୋଡ଼ାଟା ଘୋଡ଼ା ହୋଇ ହିଁ ରହିବ, ଆମର ବୋଲ ମାନିବ ଓ ଆମେ ବାଛିଥିବା ବାଟରେ ଆମେ ସମ୍ମୁଖରେ ଥାପି ରଖିଥିବା ଲକ୍ଷ୍ୟଟି ଆଡ଼କୁ ଆମକୁ ପିଠିରେ ବସାଇ ଅବଶ୍ୟ ନେଇଯିବ । ମୋଟେ ବିଭ୍ରାଟ ଘଟାଇବ ନାହିଁ । ତେଣୁ ବର୍ତ୍ତମାନ ଯୁଗଟାରେ ଯେ ମଣିଷମାନେ ସ୍ଵୟଂ ଘୋଡ଼ା ହୋଇଗଲେ, ଆଉ କ’ଣ ସବୁ ହାତରେ ଲଗାମମାନଙ୍କୁ ନେଇ ଧରାଇଦେଲେ, ସେଇଥିପାଇଁ ଯୁଗଟା ବି ଅନ୍ୟ ପ୍ରକାରର ହେବାରେ ଲାଗିଲା ଓ ଆମକୁ ଅସମର୍ଥ କରି ରଖିଲା,– ଏତିକି ସ୍ୱୀକାର କରିବାକୁ ଆମକୁ ଏତେ ଲାଜ କାହିଁକି ଲାଗୁଛି କେଜାଣି ? ଖାଲି ସାହିତ୍ୟରେ ନୁହେଁ, ଧର୍ମ, ନୀତି, ଶାସନ ଏବଂ ଅର୍ଥୋପାର୍ଜନ ଇତ୍ୟାଦି ଆମ ସାମୂହିକ ଜୀବନର ସକଳ କ୍ଷେତ୍ରରେ ପ୍ରାୟ ଏହିପରି ଘଟଣାଟିଏ ନିଶ୍ଚୟ ଘଟିଥିବ । ଧୀରେ ଧୀରେ ହିଁ ଘଟିଥିବ । ଆମେ ବାଟ ଛାଡ଼ିଦେବା ହେତୁ ଆମ ହତାଗୁଡ଼ିକ ଭିତରେ ଆସି ପଶିଥିବ ଏବଂ ଆମକୁ ଗିଳି ପକାଇଥିବ । ଆଉ କେହି ନକହିଲେ ଅନ୍ତତଃ ଆମର ସାହିତ୍ୟ ସେହି କଥାଟିକୁ କହିପାରନ୍ତା । ଆମକୁ କଥାଟା ଖଟା ଲାଗିଲେ ମଧ୍ୟ କହନ୍ତା । ହୁଏତ ତେବେଯାଇ ସାହିତ୍ୟ ସାହିତ୍ୟର ଧର୍ମକୁ ପାଳନ କରୁଛି ବୋଲି କୁହାଯାଇ ପାରନ୍ତା । ଏବଂ, ଆମେ ସ୍ୱୟଂ ନିଜର ଧର୍ମଟିକୁ ପାଳନ କରୁଥିବା ଯାଏ ଆମର ସାହିତ୍ୟ ବି କିପରି ସାହିତ୍ୟର ଧର୍ମକୁ ପାଳନ କରିପାରିବ ? ପୁନଶ୍ଚ, ଆମେ ମଣିଷମାନେ ଆପଣାର ଧର୍ମକୁ ପାଳନ ନ କରିବା ପର୍ଯ୍ୟନ୍ତ ସାହିତ୍ୟର ଧର୍ମ ଏପରି କିମ୍ବା ସେପରି ହେବା ଉଚିତ ବୋଲି ମଧ୍ୟ ଆମେ କିପରି ଦୃଢ଼ ଭାବରେ କହିଦେଇ ପାରିବା ? ମତରେ ମତରେ ଲଢ଼େଇ ଲାଗିଥିବ ସିନା, ମାତ୍ର ସତ୍ୟମାନେ ବହୁ ଦୂରରେ ଯାଇ ରହିବେ ।

 

ବିଗତ ଯୁଗମାନଙ୍କରେ ସାହିତ୍ୟ ସଭା ଭିତରେ ଯାଇ ରହିଥିଲା । ସଭା ବାହାରେ ଲୋକମୁଖରେ ଏକ ପରିବ୍ୟାପ୍ତ ସାହିତ୍ୟ ରହିଥିଲା ସତ, କିନ୍ତୁ ସଭାରେ ବସୁଥିବା ସାହିତ୍ୟିକମାନେ ତାକୁ ସାହିତ୍ୟ ବୋଲି ଆଦୌ ସ୍ୱୀକାର କରୁନଥିଲେ । ସଭାରେ ମଧ୍ୟ-ମଣି ହୋଇ ଶୋଭା ପାଉଥିବା ରାଜାମାନେ ତ ତାକୁ ସାହିତ୍ୟର ସ୍ୱୀକୃତି ପ୍ରଦାନ କରିବା ଆହୁରି ଦୂରର କଥା ହୋଇ ରହିଥିବ । ଏହି ଆଧୁନିକ କାଳଟାରେ ମଧ୍ୟ ସାହିତ୍ୟମାନଙ୍କରେ ତାହାକୁ ଲୋକସାହିତ୍ୟ ବୋଲି କୁହାଯାଉଛି ଏବଂ ପ୍ରାୟ ପୂରାପୁରି ଗୋଟାଏ ଅଲଗା ଗୁଳା ପରି ତାହାର ଆଲୋଚନା ଓ ଅଧ୍ୟୟନ କରାଯାଉଛି । ସାହିତ୍ୟରେ ଆପଣାକୁ ସତେଅବା ଅପେକ୍ଷାକୃତ ଅଧିକ ଏବଂ ଅଲଗା ବୋଲି ଅନୁଭବ କରୁଥିବା ଆଲୋକମାନେ ତାହାକୁ ଏପରି ଗୋଟିଏ ସ୍ୱତନ୍ତ୍ର ନାମ ଦେଇ ରଖିଛନ୍ତି । ହଁ, ସେକାଳେ ରାଜାମାନଙ୍କର ସଭାରେ ସାହିତ୍ୟ କରାଯାଉଥିଲା । ପଣ୍ଡିତ ପଣ୍ଡିତ ମଧ୍ୟରେ କାବ୍ୟସର୍ଜନାର କ୍ଷେତ୍ରରେ ପ୍ରତିଯୋଗିତା ହେଉଥିଲା । ରାଜା ହିଁ ସେହିସବୁ ପ୍ରତିଯୋଗିତାର ଚୂଡ଼ାନ୍ତ ନିର୍ଣ୍ଣୟ କରୁଥିଲେ ଏବଂ ସେହି ଅନୁସାରେ ପୁରସ୍କାର ପ୍ରଦାନ କରୁଥିଲେ । ତାହାରି ଏକ ଅବଶେଷ ରୂପେ ସାହିତ୍ୟରେ କବି କବି ତଥା ଲେଖକ ଲେଖକ ମଧ୍ୟ ଚମତ୍କାର ଅସୂୟା ସହିତ ଅଧିକାଂଶ ସ୍ଥଳରେ ଏକ ଅଲିଖିତ ପ୍ରତିଯୋଗିତା ଲାଗି ରହିଥିବାର ଆମ ଏକାଳରେ ମଧ୍ୟ ଦୃଷ୍ଟିଗୋଚର ହୋଇଥାଏ କି ? କେତେ ନା କେତେ ତୁଳନା ହେଉଥାଏ । ତୁଳନା କରିବାର ନାନା ମାନଦଣ୍ଡର ପ୍ରସ୍ତାବ ଦେଇ ଅନେକେ ଆଗକାଳ ପରି ଏବେ ମଧ୍ୟ ସାହିତ୍ୟମୀମାଂସାର ତତ୍ତ୍ୱମାନ ବାହାର କରିବାରେ ଲାଗିଥାଆନ୍ତି । ଆମ ଚାରିପାଖରେ ହେଉଥିବା ସଭାମାନଙ୍କରେ ପ୍ରାୟ ସେହି ଅଭ୍ୟାସଟା ହେତୁ ନିଜ ଭାଷାରେ ସାହିତ୍ୟକୁ ସେମାନେ ପଡ଼ୋଶୀ ଅନ୍ୟ ଏକ ଭାଷାର ସାହିତ୍ୟ ତୁଳନାରେ ଅଧିକ ଜବର ଦଖଲ ବୋଲି ଦେଖାଇ ଦେବାକୁ ଉଦ୍ୟମ କରିଥାନ୍ତି । ଆମ ନିଜଟା ଆଉ ପାଞ୍ଚଟାଙ୍କ ଅପେକ୍ଷା ଅଧିକ ସରସ ବୋଲି ଶୁଣିବାକୁ ଚମମାଂସର ମଣିଷମାନଙ୍କୁ ଭଲ ଲାଗୁଥିବାରୁ ଏସବୁ ହେଉଥାଏ କି ? ନିଜ ସାହିତ୍ୟ ଅର୍ଥାତ୍ ନିଜ ଭାଷାରେ ଲେଖା ହୋଇଥିବାର ସାହିତ୍ୟକୁ ପ୍ରାୟ ପୂର୍ଣ୍ଣ ନିଷ୍ଠାର ସହିତ ଅନୁଭବ କରିପାରିବାକୁ ସେମାନେ ଅନେକ ସମୟରେ ଆଉ ଗୋଟିଏ ଭାଷାର ସାହିତ୍ୟ ମଧ୍ୟକୁ ପ୍ରବେଶ କରିବାକୁ ହୁଏତ ଇଚ୍ଛା ବି କରନ୍ତି ନାହିଁ । ସେମାନେ ନିଜର ବିଶ୍ଵାସଟିରେ ଅଟଳ ରହିଥାଆନ୍ତି ଓ ତେଣୁ ପରିଧି ବୃଦ୍ଧି କଲେ କାଳେ ବିଶ୍ୱାସଟି ଟଳିଯିବ ବୋଲି ସମ୍ଭବତଃ ଭୟ କରୁଥାନ୍ତି ।

 

ସେଯୁଗ ପରି ଆମ ଏଯୁଗରେ ମଧ୍ୟ ଏବେ ସାହିତ୍ୟରେ ପୁରସ୍କାରମାନଙ୍କର ବ୍ୟବସ୍ଥା ହେଲାଣି । ସରକାରୀ ଏବଂ ବେସରକାରୀ ନାନାବିଧ ପୁରସ୍କାରମାନ ପ୍ରଚଳିତ ରହିଛି । ବେଳେବେଳେ ବିଭିନ୍ନ ପୁରସ୍କାରରେ ପ୍ରଦତ୍ତ ଅର୍ଥରାଶିର ପରିମାଣ ଅନୁସାରେ ମଧ୍ୟ କୋଉ ପୁରସ୍କାର ଆଉ କୋଉ ପୁରସ୍କାରଠାରୁ ବଡ଼ ବା ସାନ ବୋଲି ବିଚାର କରୁଥିବା ମନୁଷ୍ୟମାନେ ଅବଶ୍ୟ ରହିଛନ୍ତି । ନିଜ ସାହିତ୍ୟ-ସାଧନା ନାମକ ବୃକ୍ଷଟିରୁ ପୁରସ୍କାରରୂପୀ ଫଳଟିଏ ତୋଳି ଆଣିବା ପାଇଁ ମଧ୍ୟ କମ୍ ପ୍ରୟାସ ଏବଂ ପରିଶ୍ରମର ପ୍ରୟୋଜନ ହେଉନାହିଁ । ଲେଖକମାନେ ନିଜେ ପ୍ରୟାସ କରିବା ସହିତ ମେଳି ବାନ୍ଧି ଶୁଭେଚ୍ଛୁମାନେ ମଧ୍ୟ କେଡ଼େ ଉତ୍ସାହର ସହିତ କ୍ରିୟାଶୀଳ ହୋଇ ପଡ଼ୁଛନ୍ତି । ଆଗେ ବାହାର ତୁଳନାରେ ଓଡ଼ିଶାରେ ପୁରସ୍କାରର ସଂଖ୍ୟା ହୁଏତ ନଗଣ୍ୟ ଥିଲା । ଏବେ ପ୍ରାୟ ପ୍ରତିବର୍ଷ ହିଁ ନୂଆ ନୂଆ ପୁରସ୍କାର ବ୍ୟବସ୍ଥା ଜନ୍ମଲାଭ କରୁଛି । ସ୍ଥାନୀୟ ସଂସ୍ଥାମାନେ ଆଗେଇ ଆସିଲେଣି, ବଦାନ୍ୟ ବ୍ୟକ୍ତିମାନେ ମଧ୍ୟ ଆଗ୍ରହୀ ହେଲେଣି । ତେଣୁ ପ୍ରୟାସ ସ୍ତରରେ ଆଶାୟୀମାନଙ୍କର ତଥା ଶୁଭାକାଂକ୍ଷୀ ମହଲଗୁଡ଼ିକ ଭିତରେ ଉଷ୍ମ ପ୍ରତିଯୋଗିତା ବି ଆରମ୍ଭ ହୋଇଗଲାଣି । ପୁରସ୍କାରଦାତାମାନେ ମଧ୍ୟ ଏହିପରି ପୁରସ୍କାରମାନ ପ୍ରଦାନ କରି ସାହିତ୍ୟର ସେବା କରୁଛନ୍ତି ବୋଲି ସାହିତ୍ୟାନୁରାଗୀମାନେ ପ୍ରଶଂସା କରି କହିଲେଣି । ଯେଉଁଠି ଭ୍ରମରମାନେ ଅଛନ୍ତି, ଫୁଲମାନେ ବି ସେହିଠାରେ ଯାଇ ଫୁଟନ୍ତୁ ବୋଲି ପ୍ରସ୍ତାବ ବି ହେଲାଣି । ଫଳକାମନା ଏବଂ ଫଳପ୍ରାପ୍ତିର ନୂତନ ଶାଖାମାନ ଖୋଲିଯାଉଛି । ତେଣୁ, ସାହିତ୍ୟ ଭିତରେ ନାନା ହତା, ନାନା ଆଖି, ନାନା ଆଶା, ତେଣୁ ନାନା ଫଳକାମନା । ସାହିତ୍ୟର ତଥା ସାହିତ୍ୟିକର କଳନା କରୁଥିବା ସମୟରେ ଆମକୁ ଏହି ସବାମୂଳ କଥାଟି ଉପରେ ଅବଶ୍ୟ ନଜର ରଖିବାକୁ ପଡ଼ିବ । ନହେଲେ ଆମର ସାହିତ୍ୟର ବିଚାର ବହୁବିଧ ବିଡ଼ମ୍ବନା ଦ୍ୱାରା ବିପର୍ଯ୍ୟସ୍ତ ହୋଇ ରହିଯାଉଥିବ । ବହୁବିଧ ଭାବପ୍ରବଣତା ଭିତରେ ହଜି ବି ଯାଉଥବ । ଅସୂୟା ବୃଦ୍ଧି କରୁଥିବ । ସାହିତ୍ୟ ଭିତରକୁ ବହୁ ଅସାହିତ୍ୟିକତାକୁ ଡାକି ଆଣୁଥିବ । ଏବେ ତ ସାହିତ୍ୟଚିନ୍ତା ଏଭଳି ନାନା ଦଉଡ଼ି ଭିତରେ ସତେଅବା ସ୍ୱତଃପ୍ରବୃତ୍ତ ଭାବରେ ଛନ୍ଦିହୋଇ ଗଲାଣି ଯେ, ଆମେ ଅନେକେ ସାହିତ୍ୟକୁ ଜୀବନଠାରୁ ସ୍ୱତନ୍ତ୍ର ହୋଇ ରହିଥିବା ଅତ୍ୟନ୍ତ ଆଉ କିଛି ବୋଲି ବିଚାର କଲୁଣି । ସାହିତ୍ୟ ଅବଶ୍ୟ ସୁଖ ଦିଏ, ମାତ୍ର ତାହା ଆଦୌ ପଳାୟନ କରିବାର ଏକ ସୁଖ ନୁହେଁ । ଆମ ଜୀବନରେ ଅଧିକରୁ ଅଧିକ ନିକଟବର୍ତ୍ତୀ ହୋଇ ଆସୁଥିବାର ଏକ ସୁଖ, ଏକ ବ୍ୟାପ୍ତି ଓ ଏକ ପ୍ରସାରଣରୁ ଅନୁଭୂତ ହେଉଥିବାର ସୁଖ । ନିଜ ପାଖରେ ନିଜକୁ ଅଯାଚିତ ଭାବରେ ଉଦ୍‌ଘାଟିତ କରି ଦେଉଥିବାର ସୁଖ-। ଅନେକ ମଣିଷ ଏକାଧିକ କାରଣରୁ ନିଜ ପାଖରୁ ଲୁଚି ବୁଲୁଥାନ୍ତି । ଚାହାଳିଚୋର ହୋଇ ରହିଥାଆନ୍ତି । ସେମାନେ ମଧ୍ୟ ସାହିତ୍ୟ ଲେଖନ୍ତି ଏବଂ ସେହି ସାହିତ୍ୟ ବଡ଼ ସୁଆଦିଆ ଲାଗୁଥାଏ । ମାତ୍ର ଭିତରେ କ’ଣଟିଏ ଆମକୁ ବଡ଼ ଅକଳ ଭାବରେ କାବୁକରି ରଖିଥାଏ ଓ ସେଇଟାର କାନିତଳେ ଆତ୍ମଗୋପନ କରି ରହିବାର ଅପପ୍ରେରଣା ଦେଉଥାଏ । ସେତେବେଳେ ତଥାକଥିତ ଶୈଳୀମାନେ ଭାରି କାମରେ ଆସନ୍ତି । ଲୁଚି ରହିବାର ଦୁର୍ଦ୍ଦଶାରୁ ଏକ ନିଃସଙ୍ଗତା ଜନ୍ମଲାଭ କରେ ଏବଂ ସେହି ନିଃସଙ୍ଗତା ଆମକୁ ଭାରି ଖଣ୍ଡିଆ କରି ରଖିଥାଏ । ତେଣେ ହୁଏତ ପୁରସ୍କାରମାନେ ଅଜାଡ଼ି ହୋଇ ପଡ଼ୁଥାଆନ୍ତି ସତ, ଏଣେ ଭିତରେ ନିଜ ପାଖରେ ଦେଚାରୁଣୀଟିଏ ପରି ଲାଗୁଥାଏ । ଉଦ୍‍ଘାଟନର ସେହି ପ୍ରକ୍ରିୟାଟି ସମ୍ଭବ ହୋଇଗଲେ ନିଜକୁ ବହୁଦୂର ଯାଏ ଦେଖିହୁଏ ଏବଂ ବହୁ ଗଭୀର ଯାଏ ଗମିହୁଏ । ତାହାରି ଫଳରେ ବାହାରଟିକୁ ମଧ୍ୟ ଅଧିକ ପ୍ରସାରିତ ତଥା ନିବିଡ଼ ଭାବରେ ଦେଖିହୁଏ । ନିଜ ଭିତରେ ହିଁ ଆପଣାର ସର୍ବୋତ୍ତମ ସଙ୍ଗକାମନାର କ୍ଷେତ୍ରଟିରେ ସତକୁସତ ଗୋଟିଏ ସେତୁ ପଡ଼ିଥାଏ, ଯାହାକି ଭିତର ଓ ବାହାରକୁ ସଂଲଗ୍ନ କରି ରଖିଥାଏ । ସେହି ସେତୁଟି ହିଁ ଜୀବନରେ ଅସଲ ଅଙ୍ଗୀକାରବଦ୍ଧତାଗୁଡ଼ିକ ନିମନ୍ତେ କାରଣ ହୁଏ । କାହାର ହୋଇଗଲା ପରି ଅନୁଭବ ହୁଏ । ନିଜର କେନ୍ଦ୍ରଟିରୁ ଅସଲ ଭରସାଗୁଡ଼ିକ ପାଇ ଜୀବନଟିକୁ ବଞ୍ଚିପାରୁଥିବ ଅଥଚ ଅନେକଙ୍କ ସହିତ ସାଙ୍ଗ ହୋଇ ବାଟ ଚାଲୁଥିବା ପରି ଲାଗୁଥିବ, ଏହି ମନୁଷ୍ୟମାନେ ଆଉ ନିଃସଙ୍ଗ ହୋଇ ରହିବାର ଆଦୌ କାରଣ ନଥାଏ । ପୃଥିବୀ ଭଲ ଲାଗେ, ପୃଥିବୀର ମଣିଷ ଭଲ ଲାଗନ୍ତି,– ପ୍ରାୟ ପ୍ରତ୍ୟେକ ମୁହୂର୍ତ୍ତରେ ବାହାର ତଥା ଭିତରେ ହେଉଥିବା ପ୍ରତ୍ୟେକ ସାକ୍ଷାତକାରରେ ପାଖୁଡ଼ା ପରେ ପାଖୁଡ଼ା ଖୋଲି ଖୋଲି ଯିବାରେ ହିଁ ଲାଗିଥାଏ । ନିଜକୁ କେଉଁ ନିକଟତମଙ୍କ ଲାଗି ମନ୍ତୁରା ହୋଇ ରହିଥିବା ପରି ଲାଗେ । ଶୈଳୀ ମିଳିଯାଏ, ମୋଟେ ଖୋଜିବାକୁ ପଡ଼େନାହିଁ । ଆମର ଯାବତୀୟ ସାହିତ୍ୟସର୍ଜନା ସକାଶେ ସତେଅବା କେଉଁ ପରମାଧାତ୍ରୀ ଆମ ଭିତରେ ତଥା ବାହାରେ ନାହି କାଟି କାଟି ଚାଲିଥାନ୍ତି ଓ ନାହି ଯୋଡ଼ି ଯୋଡ଼ି ଚାଲିଥାନ୍ତି । ଉତ୍ତରଣ ଏବଂ ଅବତରଣ ଏକାବେଳକେ ଲାଗି ରହିଥାଏ । ଏହି ସବୁକିଛିକୁ ସାହିତ୍ୟରୁ ଲବ୍ଧ ହୋଇଥିବା ଏକ ଫଳପ୍ରାପ୍ତି ବୋଲି ଆଦୌ ମନେହୁଏ ନାହିଁ । ଏହି ସବୁକିଛିର ଅଧିକାର ଲାଭ କରିଥିବା ଜଣେ ସମ୍ରାଟ ପରି ଅନୁଭବ ହୁଏ, ଜଣେ ସନ୍ତାନ ପରି ବି ଅନୁଭବ ହୁଏ-। ଏକାଧିକ ଅନୁକୂଳତା ହେତୁ ଆମର ଏହି ଆଧୁନିକ କାଳଟା ହିଁ ଆଗରୁ ପ୍ରାୟ ଅକଳ୍ପନୀୟ ହୋଇ ରହିଥିବା ପ୍ରାପ୍ତିଗୁଡ଼ିକ ନିମନ୍ତେ ଆମକୁ ଅପେକ୍ଷା କରି ରହିଛି । ସାହିତ୍ୟକୁ ଭୂମିକରି ଆମେ ସେହି ଫଳପ୍ରାପ୍ତି ନିମନ୍ତେ ହିଁ ନିଜକୁ ରାଜି କରାଇ ଆଣିବା । ଅନୁରୂପ ଭାବରେ ଗ୍ରହଣଶୀଳ ହେବା-। ସତ ପୁରସ୍କାରଗୁଡ଼ିକର ଯୋଗ୍ୟ ହେବ । ତେବେ, ଆମ ସାହିତ୍ୟର କ୍ଷେତ୍ରଟି ଯେତେ ସ୍ଥାନୀୟ ହୋଇଥିଲେ ମଧ୍ୟ ଆମେ ସେଥିରେ ସମଗ୍ର ବିଶ୍ୱ ଲାଗି କେତେ ଫଳ ଫଳାଇବାକୁ ସମର୍ଥ ହୋଇପାରିବା ।

 

୨୨/୧/୨୦୦୧

Image

 

ଉପରୁ ଆକ୍ରମଣ, ତଳକୁ ଅପେକ୍ଷା

 

ଉପରେ ଏକ ଅତ୍ୟନ୍ତ ଅମାନୁଷିକ ହିସାବର ବିଧିରେ ଅଳପ ମଣିଷ ରହିଥାନ୍ତି; ସବୁଯୁଗରେ ଥିଲେ, ଆମ ଏଯୁଗରେ ମଧ୍ୟ ଅଛନ୍ତି । ତଥାପି ଏଯୁଗରେ ବିଶେଷ ପ୍ରବଳ ଭାବରେ ଅଛନ୍ତି ଓ ବାହାରଟାକୁ କଳନା କରି ଦେଖିଲେ ସମ୍ଭବତଃ ପ୍ରବଳତର ହେବାରେ ଲାଗିଛନ୍ତି । ବହୁତ ବର୍ଗଟି ତଳେ ରହିଛି । ବହୁତଙ୍କର ଛାତି ଉପରେ ଅଳପ ବସିଛନ୍ତି । ବହୁତ ପକ୍ଷଟି ବଞ୍ଚିତ ହୋଇ ରହିଛି । ବହୁତଙ୍କ ନାମରେ ଶାସନ ଚାଲିଛି, ବହୁତଙ୍କର କଲ୍ୟାଣ ନିମନ୍ତେ ବିଧିଗୁଡ଼ାକୁ ତିଆରି କରାଯାଇଛି । ବହୁତଙ୍କର ଖଜଣା ପଇସାରେ ରାଜ୍ୟଟା ଚାଲିଛି, କିନ୍ତୁ ରାଜ୍ୟରେ ଅଳପଙ୍କର ଆକ୍ରମଣ ହିଁ ଚାଲିଛି । ଭାରତବର୍ଷ ସ୍ଵାଧୀନ ହେବା ପରେ ସତେଅବା ଅଧିକ ଆଖିବୁଜା ଭାବରେ ଲାଗିଛି । ସ୍ୱାଧୀନତା ପରେ ସୁଯୋଗମାନ ବଢ଼ିଛି, ଧନ ବୃଦ୍ଧି ପାଇଛି, ଆଧୁନିକ ଶିକ୍ଷାର ଭଳି ଭଳି ସମର୍ଥତା ଏବଂ ଚତୁରତାମାନ ହାତପାଆନ୍ତାକୁ ଆସିଛି; ତଥାପି ଯାହାକିଛି ଉପଲବ୍ଧ ହୋଇଛି ସେଗୁଡ଼ିକୁ ଅଳପମାନେ ମାଡ଼ି ବସିଛନ୍ତି । ସେମାନେ ଉପରେ ବସିଛନ୍ତି ଓ ସେହିଠାରୁ ହିଁ ଆମ କାଳର ଯାବତୀୟ ପରିମଳ ଉପରେ ଆକ୍ରମଣ କରିବାରେ ଲାଗିଛନ୍ତି । ସେମାନେ ସତେଅବା ଧରି ନେଇଛନ୍ତି ଯେ, କାଳକାଳକୁ ଅଳପମାନେ ହିଁ ସର୍ବଭୁକ୍ ହୋଇ ରହିବେ, ବହୁତମାନେ ଜଳକା ହୋଇ ରହିଥବେ । ଦୟା ଓ ଅନୁଗ୍ରହ-ପ୍ରଦର୍ଶନରେ ବୋଧ ହୋଇ ରହିଯିବେ । ଯେତେ ଡେରିରେ ହେଉ ପଛକେ, ସୂର୍ଯ୍ୟ ଅଲବତ ଉଇଁବ ଏବଂ ସମସ୍ତଙ୍କ ଲାଗି ରାତି ଅଲବତ ପାହିବ ବୋଲି ପୁରା ପାସୋର ହୋଇ ରହିବେ ।

 

ରାଜନୀତିକ ପରାଧୀନତା ସିନା ଗଲା, ମାତ୍ର ଏକ ସମୂହ ହିସାବରେ ଆମର ଏହି ଭୂମିଟିକୁ ଇଚ୍ଛାମୁତାବକ ପରାଧୀନ କରି ରଖିବା ସକାଶେ ଏଠି ଉପରବାଲା ବସ୍ତୁତଃ ବଦ୍ଧପରିକର ହୋଇ ବସିଛନ୍ତି । ଏଠି ଉପର ହିଁ ତଳକୁ ନିୟନ୍ତ୍ରଣ କରୁଛି ! ଉପରର ଖିଆଲ ଅର୍ଥାତ୍ ବାଳୁଙ୍ଗାପଣଗୁଡ଼ାକୁ ତଳ ଅଲବତ ମୁଣ୍ଡପାତି ମାନିନେଉ ବୋଲି ଆମ ସରକାର ସମେତ ଶିକ୍ଷାଥାନମାନଙ୍କରେ ପ୍ରାୟ ସୁଚିନ୍ତିତ ନାନା ଷଡ଼ଯନ୍ତ୍ର ଲାଗିରହିଛି । ପରାଧୀନ ଭାରତର ଯାବତୀୟ ଅବିବେକ ଏହି ସ୍ୱାଧୀନ ଭାରତରେ ମଧ୍ୟ ଘରର ମୁଖ୍ୟ ମାଲିକାଣୀ ବନି ଆମ ସାମୂହିକ ପରିମଳର କଚେରୀମାନଙ୍କରେ ଦୁଲୁଦୁଲୁ ପାଦପକାଇ ଚାଲିଯିବାରେ ଲାଗିଛି । ଏଭଳି କରିପାରୁଛି ବୋଲି ସତେଅବା ଛାତି ଫୁଲାଇ ଘୋଷଣା କରୁଛି । ଉପରଟା ହାତରେ ଅଧିକ ସୁଯୋଗ, ଅଧିକ ଧନ । ପାଠଗୁଡ଼ାକୁ ସେହି ଉପରବାଲା ଏକଚାଟିଆ କରି ରଖିଛନ୍ତି । ଏହି ଦେଶଟା ଅର୍ଥାତ୍ ଲୋକଭାଗ୍ୟଟା ଯେପରି ଜବର ହୋଇ ସେହିମାନଙ୍କର ନିୟନ୍ତ୍ରଣରେ ରହିବ, ଉପରର ଦପ୍ତରମାନଙ୍କରେ ସେହି ଖଳଫିସାଦମାନେ ରାତିଦିନ ଚିନ୍ତା କରୁଛନ୍ତି । ସେହି ଉପରବାଲାଙ୍କ ହାତରେ ଅଧିକ ଜମି, ମାତ୍ର ସେମାନେ କେବେହେଲେ ଚାଷ କରନ୍ତି ନାହିଁ । ସେମାନେ ଚାଷ କରାନ୍ତି । ଉପରବାଲା କୃଷିବିଜ୍ଞାନ ପଢ଼ନ୍ତି । କୃଷକ ହେବାପାଇଁ ଆଦୌ ନୁହେଁ– କୃଷକମାନେ ମୂଲିଆ ହୋଇ ମାଲିକମାନଙ୍କ ପାଖରେ ଭାଗ୍ୟାନୁଗ୍ରହର ଦଉଡ଼ିରେ ଯୋଚାହୋଇ ରହିଥାନ୍ତି । ଦେଶରେ ସାଧାରଣ ଘରର ପିଲାମାନେ କିପରି ଓ କ’ଣ ସବୁ ପାଠ ପଢ଼ିବେ, ସେକଥା ଅସାଧାରଣ ମିଜାଜରେ ରଣପା ଚଢ଼ି ଉଚ୍ଚ ଦେଖାଯାଉଥିବା ଉପରମାନେ ହିଁ ନିର୍ଣ୍ଣୟ କରନ୍ତି । ଅତ୍ୟନ୍ତ ଉଦାର ଅର୍ଥାତ୍ ଉଦାସୀନ ଭାବରେ ସେମାନେ ଏପରି ଚାତୁର୍ଯ୍ୟମାନଙ୍କର ଫାନ୍ଦ ପକାଇ ଶିକ୍ଷାର ବିଧାନ କରାଇବାରେ ଲାଗିଥାଆନ୍ତି, ଯାହାଦ୍ୱାରା କି ଦେଶଟାଯାକ ଅଶିକ୍ଷାଟା ହିଁ ବଢ଼ିବାରେ ଲାଗିଥାଏ । ଉପରେ ଥିବା ମଣିଷମାନେ କେଡ଼େ ଅସ୍ୱାଭାବିକ ଓ ଲଜ୍ଜାହୀନ ଭାବରେ ସାରା ଦେଶଟା ଲାଗି ସବୁ ବରାଦ କରିଦେଉଥିବାର ଛଳରେ ସମ୍ପୃକ୍ତ କାଳଟାକୁ ତୁଚ୍ଛା କଣ୍ଟାବଣରେ ଆଣି ଯେ ପକାଇଦିଅନ୍ତି, ଏହି ଦେଶରେ ଓ ଆମର ଓଡ଼ିଶା ନାମକ ଏହି ରାଜ୍ୟରେ ଗତ ୫୦ ବର୍ଷର ସାମୂହିକ କାହାଣୀଗୁଡ଼ିକୁ ଘାଣ୍ଟିଲେ ମୁଖ୍ୟତଃ ସେହି କଥାଟା ହିଁ ଅତ୍ୟନ୍ତ ସ୍ପଷ୍ଟ ହୋଇଯିବ ।

 

ତଳ ଅନେକଙ୍କୁ ଅନ୍ଧାର ଭିତରେ ରଖି ଅଳପ ଉପରବାଲାଏ କେତେ ସୁତରରେ ଏହିକାଳଟାକୁ ପୂରା ଅବାଗିଆ କରି ନପକାଇଲେ ! ଅସଲ ପରିବର୍ତ୍ତନଗୁଡ଼ିକର ଘରେ କୋଲପ ପଡ଼ି ରହିଲା । ଅସଲ ପ୍ରତିଶ୍ରୁତିଗୁଡ଼ିକର ଘରେ ମଣିଷମାନଙ୍କୁ ଧୋକା ଦିଆଗଲା । ଅପସଂସ୍କୃତି ଶତଡ଼େଣା ହୋଇ ଆମ ଅନ୍ଦାଜ ଏବଂ ଆସ୍ପୃହାଗୁଡ଼ିକର ଆକାଶକୁ କେଡ଼େ ଉଗ୍ରତାର ସହିତ ଅଧିକରୁ ଅଧିକ ଲକ୍ଷଣବର୍ଜିତ ହୋଇ ବଢ଼ିବାରେ ସାହାଯ୍ୟ କଲେ । ଶିକ୍ଷା ଆମକୁ ଦାୟିତ୍ୱସମ୍ପନ୍ନ କରିବା ପରିବର୍ତ୍ତେ ଠକି ନେବାର ଅଧିକରୁ ଅଧିକ ଦୁର୍ବୁଦ୍ଧିମାନ ବତାଇଦେଲା । ବଡ଼ଶିକ୍ଷିତମାନେ ଦେଶର ମଣିଷମାନଙ୍କୁ ଘୃଣା କରି ଶିଖିଲେ, ଭୂଇଁଛଡ଼ା ହେଲେ, ଏହି ଭୁମିଟାକୁ ସତେଅବା ନିଜ ବ୍ୟକ୍ତିଗତ ଭାଗ୍ୟଟାର ଏକ ନିଃଶୁଳ୍କ ଚାରଣଭୂମି ସଦୃଶ ବିଚାର କଲେ । ଅଲଗା ଦେଖାଯିବାକୁ ଅଧିକ ଭଲ ପାଇଲେ । ଯେଉଁ ଅସଲ ଦରଦ ଏବଂ ଅସଲ ବାସନାଗୁଡ଼ିକ ପ୍ରକୃତରେ ମଣିଷକୁ ମଣିଷମାନଙ୍କ ସହିତ ଖୁସୀ ହୋଇ ସାମିଲ୍ କରିଆଣେ, ଏଠି ଆମର ତଥାକଥିତ ଅଧିକ ଯୋଗ୍ୟମାନେ ସେହିଗୁଡ଼ିକୁ ହିଁ ଅନାବଶ୍ୟକ ବୋଲି ଅନୁଭବ କଲେ, ନିଃସଙ୍ଗତାର ଗୁଣଗାନ କଲେ । ନିତାନ୍ତ ବହଳଚମ ହୋଇ ସେମାନେ ଏଠି ଭୂମି ପ୍ରତି ବିମୁଖ ହୋଇ ରହିଗଲେ । ନିଜଟାକୁ ହିଁ ପୃଥୁଳ କଲେ,– ଏତିକି ବ୍ୟତୀତ ଏହି ପୃଥିବୀରେ ଅନୁଧାବନର ଯୋଗ୍ୟ ହୋଇ କୋଉଠି କିଛି ନାହିଁ ବୋଲି ବିଶ୍ଵାସ କରିବାକୁ ଆମକୁ କେଡ଼େ ବଡ଼ିଆ ଭାଷାରେ ମନ୍ତ୍ରଣା ଦେଲେ ।

 

ବିଳାସ ବଢ଼ିଲା । ବାହ୍ୟଗୁଡ଼ାକ ବଢ଼ିଲା । ଭିତରେ ନିପଟ ଫମ୍ପାଗୁଡ଼ାକ କେଉଁଠି ବହୁ ବାଧିତ କରି ରଖିଥିଲା କେଜାଣି, ଯଥାସମ୍ଭବ ଅଧିକ ଠୋଲା ଦେଖାଯିବାଟା ହିଁ ସେମାନଙ୍କର ପ୍ରାୟ ଏକମାତ୍ର ଧର୍ମ ଓ ଏକମାତ୍ର ମିହନ୍ତ ହୋଇ ରହିଲା । ସ୍ଵାଧୀନତା ପରେ ଯେଉଁ ରାଜନୀତିକ ଦୃଷ୍ଟି ଏଠି ଯାବତୀୟ ନିର୍ମାଣ ଏବଂ ନବଗଠନରେ ନେତୃତ୍ୱ ନେଇଥାନ୍ତା, ତାହା ପ୍ରଧାନତଃ କେବଳ ନିଜ ବ୍ୟତୀତ ମୋଟେ ଅନ୍ୟକିଛି ଦେଖିପାରିଲା ନାହିଁ । ଆଉ, କେଉଁ ଅଫିମ ଖାଇ ଦେଖିବ ନାହିଁ ବୋଲି ପଣ କରି ବସିଲା । ଗୋଟିଏ ସଂସ୍କୃତିକୁ ଯେ ସବାଆଗ ଦୃଢ଼ ମୂଳଦୁଆଟିଏ ଯୋଗାଇ ଦେବାକୁ ହୁଏ, ଉପରେ ବିବିଧ କ୍ଷମତାରେ ରହିଥିବା ନେତୃତ୍ୱଗୁଡ଼ିକ ସତେଅବା ଯୋଜନା କରି ସେହି କଥାଟିରୁ ହୁଡ଼ି ବାହାରିଗଲେ । ସାହିତ୍ୟ ସତର୍କ କରି ଦେଇଥାନ୍ତା, ବିଶ୍ଵବିଦ୍ୟାଳୟ ମଧ୍ୟ ସତର୍କ କରି ଦେଇଥାନ୍ତା; ମାତ୍ର ଏମାନେ ମଧ୍ୟ ଭେଳିକି ଭିତରେ ଯାଇ ପଶିଗଲେ ଏବଂ ବାଉଳା ହେଲେ । ଜୀବନର ନୀରତାଗୁଡ଼ିକୁ ଏବଂ ଆପଣାର କ୍ଷୟକାରୀ ଅମଙ୍ଗପଣିଆଗୁଡ଼ିକୁ ଭୁଲିଯିବାକୁ ସେମାନେ ସାହିତ୍ୟ କଲେ, ସଂସ୍କୃତି କଲେ, ଏଗୁଡିକ ଏକ ନୃଶଂସ ବିଳାସିତାରେ ପରିଣତ କରି ରଖିଲେ । ବର୍ତ୍ତମାନଟାକୁ ସାମ୍ନା କରିବାକୁ ଯେପରି ମୋଟେ ବାଧ୍ୟ ହେବାକୁ ନପଡ଼ିବ, ସମ୍ଭବତଃ ସେହି କାରଣରୁ ମିଛ କଥାମାନ କହିଲେ । ଏଠି ଏକଦା ସବୁ ରହିଥିଲା,– ସେଗୁଡ଼ିକୁ ସାତ ପରସ୍ତ କରି ଦେଖାଇ ଫୁଲାଇ ହେବାକୁ ଆଗ୍ରହ ଦେଖାଇଲେ । ଏହି ଭୂମିକୁ ଯାବତୀୟ ତାରୁଣ୍ୟରୁ ବଞ୍ଚିତ କରି ରଖିଲେ । ଭୋଗମାନେ ବୃଦ୍ଧି ପାଇଲେ ଏବଂ ଅଧିକ ମଣିଷ ଅସମର୍ଥ ହୋଇ ଅକିଞ୍ଚନ ହୋଇ ରହିଥିବା ବେଳେ ଉପରେ ଥିବା ଏହି ଅଳପଙ୍କର ଶୋଭାଯାତ୍ରା ସକଳ ଅର୍ଥରେ ଜୀବନର ଅସଲ ସ୍ନେହଗୁଡ଼ିକ ଉପରେ ଏକ ସୁଯୋଜିତ ଆକ୍ରମଣବତ୍ ମନେହେଲା । ଅଟକାଇବାକୁ ବଳ ନଥିଲା,– ବଳ ଏବେ ମଧ୍ୟ ନଥିଲା ପରି ମନେହେଲାଣି ।

 

ତେଣୁ, ବର୍ତ୍ତମାନ ତଳକୁ ହିଁ ଅପେକ୍ଷା ଏବଂ ତଳ ହିଁ ଏକମାତ୍ର ଭରସା । ଅସଲ ନିଦ ସବାଆସ ସେଇ ତଳୁ ହିଁ ଭାଙ୍ଗିବ,– ସେହିଠାରେ ହିଁ ଏକ ନୂତନ ଇଚ୍ଛା ଜନ୍ମଲାଭ କରିବ । ମନୁଷ୍ୟମାନଙ୍କ ଭିତରେ କେତେ ଶକ୍ତି ଏବଂ କେତେ ସମ୍ଭାବନା ଯେ ଅପେକ୍ଷା କରି ରହିଛି, ଆମ ଭାରତବର୍ଷର ଅଧ୍ୟାତ୍ମବିଦ୍ୟା ସେହି କଥାଟିକୁ ବିଶେଷ ଭାବରେ ଘୋଷଣା କରିଆସିଛି । ଭାରତବର୍ଷ ରାଜନୀତିକ ସ୍ଵାଧୀନତା ଲାଭ କରିବା ପରେ ହିଁ ଯେଉଁ ସୁଯୋଗଟି ଏଠାରେ ଉପଲବ୍ଧ ହେଲା, ତାହାରି ଫଳରେ ସେହି ଘୋଷଣା ଏକ ପ୍ରତ୍ୟୟ ଦେଲା ଭଳି ବାସ୍ତବ ରୂପରେ ଫୁଟି ହିଁ ପାରନ୍ତା । ଯେଉଁ ଦୃଢ଼ ମୂଳଦୁଆଟି ତିଆରି ହୋଇପାରିଲେ ଅସଲ ସତ୍ୟଟି ଆଧାର ପାଇ, ଆଶ୍ରୟ ପାଇ ଲୋକଜୀବନରେ ପ୍ରକଟ ହୁଏ, ପ୍ରଥମ ବର୍ଷଗୁଡ଼ିକରେ ସେହି ମୂଳଦୁଆଟି ହିଁ କ୍ରମନିର୍ମିତ ହୋଇ ଆସିଥାଆନ୍ତା । ତାହା ହୋଇପାରିଲା ନାହିଁ । ଆନୁସଙ୍ଗିକ ବହୁତ କିଛି ହେଲା, କିନ୍ତୁ ସବାମୂଳ କାର୍ଯ୍ୟଟି ଅପଚରା ହୋଇ ରହିଗଲା । ଯେଉଁମାନେ ନେତୃତ୍ୱ ନେଲେ, ସେମାନେ ନାନା ଅନ୍ୟ ଆକର୍ଷଣରେ ପଡ଼ି ଉପରକୁ ଉଠିଗଲେ । କେବଳ ନିଜର ହିଁ କର୍ଷଣ କଲେ, ଅଲକ୍ଷଣା ହେଲେ । ଧର୍ମଗୁରୁମାନେ ତଥାପି ସବୁ ମଣିଷଙ୍କର କଥା ଉଣା ଅଧିକେ କହୁଥିଲେ ସତ, କିନ୍ତୁ ସେମାନଙ୍କର ସକଳ ସନ୍ଦେଶ ଦରିଦ୍ରନାରାୟଣର ସେହି ଅର୍ଦ୍ଧସତ୍ୟଟା ଯାଏ ହୁଏତ ଆସିପାରିଲା ସିନା, ମାତ୍ର ଅସଲ କଥାଟିକୁ କରିପାରିଲା ନାହିଁ । ଖାଲି ରାଜନୀତି ନୁହଁ ବା ଖାଲି ବିଦ୍ୟା ନୁହଁ, ଆମର ଧର୍ମମାନେ ମଧ୍ୟ ସେହି ଉପରମାନଙ୍କର ପକ୍ଷକୁ ଆଉଜି ପଡ଼ିଲେ । ଅସଲ ଆହ୍ୱାନଗୁଡ଼ିକୁ କେବଳ ଶାସ୍ତ୍ରମାନଙ୍କରେ ବୃହତ୍ ବୃହତ୍ ଶବ୍ଦରେ ପରିଣତ କରି ରଖିଲେ । ଅସଲ ନେତା ତଳକୁ ହିଁ ମନ କରିବ, ଅସଲ ବିଦ୍ୟା କଦାପି ପଥ ହୁଡ଼ିଯାଇ ଉପରର ଅଳପଙ୍କ ପାଖରେ ପାଇଲି ହୋଇ ରହିଯିବ ନାହିଁ । ଅସଲ ରାଜନୀତି ଏକାବେଳକେ ମୂଳଦୂଆରୁ ହିଁ ଆରମ୍ଭ କରିବ । ଏକାବେଳକେ ମୂଳଟାକୁ ସାଙ୍ଗରେ ନେବାର ସାହସ କରିବ,– ଦିଲ୍ଲୀ ଅଥବା ଭୁବନେଶ୍ଵରରେ ଉଆସ ଗଢ଼ି ସେଇଠାରେ ରହିଯିବ ନାହିଁ । ଏଥର ତଳୁ ଆରମ୍ଭ ହେଉ । ଏହି ଭୂମି ସହିତ ଅଙ୍ଗୀକାରବଦ୍ଧ ହୋଇଥିବା ସମସ୍ତେ ତଳକୁ ବି ସୁମାରି କରିବାର ଅନ୍ୟ ମାର୍ଗଟି ବିଷୟରେ ସଚେତନ ହୁଅନ୍ତୁ । ବିଦ୍ୟା, ଧର୍ମ, ଜ୍ଞାନ ଓ ବିଜ୍ଞାନ ତଥା ରାଜନୀତି ସମେତ ସାମୂହିକ ଯାବତୀୟ ବିଚାର ତଳକୁ ଯାଉ, ତଳକୁ ସ୍ୱୀକାର କରୁ, ସତକୁସତ ସଙ୍ଗାତ ହୋଇ ବାହାରୁ । ମିଛ ପ୍ରତୀକଗୁଡ଼ାକୁ ଅତିକ୍ରମ କରି ସତ୍ୟକୁ ହିଁ ଲୋଡ଼ୁ । ଅସଲି ଓ ନକଲିକୁ ଅଲଗା ଅଲଗା କରି ଚିହ୍ନିବାର ଶକ୍ତି ସବାଆଗ ତଳକୁ ସଚଳ କରୁ । ଉପରର ଆକ୍ରମଣଗୁଡ଼ିକ ଯୁଗଯୁଗର କୁମନ୍ତ୍ରଣା ଦେଇ ଭାରତବର୍ଷରେ ମଣିଷମାନଙ୍କୁ ଭାଗ୍ୟବାଦୀ କରି ରଖିଛି । ଆଧୁନିକ ସାହିତ୍ୟ ଓ ଆଧୁନିକ ସଂସ୍କୃତିଟା ମଧ୍ୟ ସତେଅବା ଆଉ କୁଆଡ଼କୁ ଗୋଡ଼ ଖସାଇଦେଇ ଭାରି ତଳ ଛାଡ଼ି ଏହି ଉପରେ ହିଁ ରହିଛି । ତଳର ମଣିଷ ମଧ୍ୟ ମଣିଷ– ଅସଲ ଶକ୍ତି ତଳେ ଯାଇ ରହିଛି । ତେଣୁ ଅସଲ ଦୁଆରଟି ସେହି ତଳୁ ହିଁ ଫିଟିବ ବୋଲି ପୂର୍ଣ୍ଣ ଅପେକ୍ଷା ରହିଛି । ଏବଂ, ସତ କଥାଟା ହେଉଛି, ଖାଲି ଓଡ଼ିଶାରେ ବା ଖାଲି ଭାରତବର୍ଷରେ ନୁହେଁ, କ୍ରମେ ପୃଥିବୀଯାକ ହିଁ ତଳୁ ଏକ ନୂଆ ଉଦବେଳନର ବାଟ ସ୍ପଷ୍ଟତର ହୋଇ ଦିଶିବାକୁ ଆରମ୍ଭ କଲାଣି । ଲଢ଼େଇ ଆରମ୍ଭ ହୋଇଗଲାଣି, ମାତ୍ର ଏକ ଅନ୍ୟବାଗର ଲଢ଼େଇ । ପୁରୁଣା ମାପକାଠିଗୁଡ଼ିକୁ ଧରି ପଡ଼ିରହିଛି ବୋଲି ଉପରଟା ତା’ର କୌଣସି ଘ୍ରାଣ ହିଁ ପାଇପାରୁନାହିଁ । ସେହି ପୁରୁଣା ଉପାୟରେ ହିଁ ତା’ର ମୁକାବିଲା କରୁଛି ଓ ହାରିହାରି ଯାଉଛି । ପୁରୁଣା ଶାସ୍ତ୍ରଗୁଡ଼ାକରେ ମଧ୍ୟ ଆମେ ଏଇଟିର କୌଣସି ସମାନ୍ତର ମୋଟେ ପାଇପାରିବା ନାହିଁ । ଏକ ନୂତନ ସଂଖ୍ୟାର ଯୋଗ୍ୟ ହେଲେ ଯେତେବେଳେ ଆମେ ଏକ ନୂଆ ନଜରରେ ଆଗାମୀ ପୃଥିବୀଟିକୁ ଦେଖିବାକୁ ପାଇବା, ସେତେବେଳେ ଯାଇ ପାରିବା । ଏବଂ, ତା'ପରେ ସେଇଥିରେ ଶରିକ ହୋଇଯିବା ।

 

୨୯/୧/୨୦୦୧

Image

 

କଲାମଙ୍କୁ ସାତ ସଲାମ

 

ଅଣୁ ଭିତରେ ଅପରିମିତ ଶକ୍ତି ଭର୍ତ୍ତି ହୋଇ ରହିଛି, ଏହି ତଥ୍ୟଟି ପାଖରୁ ସେହି ଶକ୍ତିରୁ ଯେ ବୋମାମାନଙ୍କୁ ତିଆରି କରାଯାଇ ପାରିବ, ଏହି ଅନ୍ୟ ଦ୍ୱିତୀୟ ତଥ୍ୟ ପାଖରେ ଆସି ପହଞ୍ଚିବାକୁ ଆମ ଆଧୁନିକ ପୃଥିବୀର ଉତ୍ସାହୀ ବିଜ୍ଞାନୀମାନଙ୍କୁ ଯେ କେତେ କମ୍ ସମୟ ଲାଗିଲା, ସେହି କଥାଟିକୁ ଭାବିଲା ବେଳକୁ ପ୍ରକୃତରେ ବିଶେଷ ମଥା ଧରି ପୃଥିବୀକୁ ଆସିଥିବା ଏବଂ ଆପଣାର ଜ୍ଞାନଗଣିତ ଖର୍ଚ୍ଚ କରି ପୃଥିବୀ ନିମନ୍ତେ ଘୋର ବିପତ୍ତିମାନ ସୃଷ୍ଟି କରୁଥିବା ଏହି ସରସ ଓ ଅତି ସରସାମାନଙ୍କୁ ଆମ ଏଯୁଗର ସବୁଠାରୁ ବଡ଼ ଅପଶକୂନ ବୋଲି ମନେ ହୋଇଥାଏ । ଏମାନେ ମାତ୍ର ଦୁଇତିନିଟା କୁଦାମାରି ଆମକୁ ସତେଅବା କୂଟକରି ଅଦ୍ଭୂତପୂର୍ବ ଆତ୍ମବିନାଶର ଭୟାନକ ଅତଡ଼ା ପାଖରେ ଆଣି ହାବୁଡ଼େଇ ଦେଲେ । ଧନୀ ରାଷ୍ଟ୍ରମାନେ ସେମାନଙ୍କୁ ଗୋଲାମ କରି କିଣିନେଲେ, ସେମାନଙ୍କର ଯାବତୀୟ ବିବେକକୁ ହରିନେଇ ବୋମା ତିଆରି କରାଇଲେ, । ଆମେରିକା କଲା, ରୁଷିଆ କଲା । ଏହାଦ୍ଵାରା ମଣିଷଜାତି ସତେଅବା ଏକ ଜୟବୈଜୟନ୍ତୀ ଉଡ଼ାଇଲା ବୋଲି କହି ସାଧାରଣ ତୁମ ଆମ ପରି ମଣିଷମାନଙ୍କୁ ଭୂତାଇ ଦିଆଗଲା । ମାଧବଚନ୍ଦ୍ରମାନଙ୍କ ପଛକୁ ତୁଚ୍ଛା ମାଧିଆମାନେ ମାତିଲେ । ବଡ଼ ବଡ଼ ରାଷ୍ଟ୍ରମାନେ ସିନା ବିଶ୍ଵଯାକର ଶାନ୍ତି ବଜାୟ ରଖିବା ନିମନ୍ତେ ବୋମାର ଭଳି ଭଳି କିସମ ବାହାର କରିବାକୁ ପ୍ରତିଯୋଗିତା କଲେ; ସାନମାନେ ସେମାନେ ବି କାହିଁକି ନକରିବେ ବୋଲି ସତେଅବା ଏକ ମିଛ ସ୍ୱାଭିମାନରେ ପ୍ରମତ୍ତ ହୋଇ ବାହାରିଲେ । ବିଜ୍ଞାନୀ ରାଷ୍ଟ୍ରକୁ ଗଦ ଶୁଙ୍ଘାଇଦେଲା ଓ ରାଷ୍ଟ୍ରମାନେ ବିଜ୍ଞାନର ଚାହିଦା ଅନୁସାରେ ପଇସା ଖଞ୍ଜିଦେଲେ । ଏପରି କରି ସେମାନେ ନିଜ ନିଜ ପଡ଼ିଶାମାନଙ୍କର ତୁଳନାରେ ଅଧିକ ପାରିବାର ବୋଲି ପ୍ରମାଣିତ ହେବାକୁ ପରମାଗ୍ରହରେ ବାହାରି ପଡ଼ିଥିଲେ ।

 

ଆମ ଭାରତବର୍ଷରେ ରାଷ୍ଟ୍ରର ନାବାଳକ ଅବସ୍ଥା ତଥାପି ଯାଇନଥିଲା । ମଣିଷମାନଙ୍କର ପେଟ ନିମନ୍ତେ ଦାନା ନଥିଲା, ରୋଗୀ ପାଇଁ ଔଷଧ ନଥିଲା, ପିଲାଙ୍କ ସକାଶେ ପାଠଶାଳା ନଥିଲା,– ନାନାବିଧ ଶୋଷଣ ଶ୍ଵାପଦପ୍ରାୟ ହିଂସ୍ରତା ସହିତ ମଣିଷମାନଙ୍କୁ ଘୁଷୁରି କରି ରଖିଥିଲା ଏବଂ ଏହିସବୁର ସମାଧାନ କରିବାର ଭରସା ଦେଇ ଆମର ପ୍ରତିନିଧିମାନେ ତେଣେ ହସ୍ତିନାପୁରରେ ସମ୍ପୁର୍ଣ୍ଣ ଭାବରେ ଯେକୌଣସି ରଜାର ମିଜାଜ ସହିତ ରାଜତ୍ୱ କରିବାରେ ଲାଗିଲେ-। ବିଜ୍ଞାନ ଅସଲ ଆବଶ୍ୟକତାଗୁଡ଼ିକୁ ପୂରଣ କରିବାର କ୍ଷେତ୍ରରେ ଲାଗିପାରିବା ଭଳି ଭିତ୍ତିଭୂମିଟିଏ ତିଆରି କରିଦେବା ଲାଗି ତଥାପି ତିଆରି ହୋଇନଥିଲା । ପାକିସ୍ତାନରେ ମଧ୍ୟ ସ୍ଥିତିଟା କୌଣସି ଗୁଣରେ କମ୍ ଖତରା ନଥିଲା । ଏବଂ ଉଭୟ ଦେଶରେ ପଲେ ବିଶେଷ ବିଜ୍ଞାନୀ ବୋମା ତିଆରି କରିବାରେ ଲାଗିଥଲେ । ଅଣୁବୋମା ଦ୍ଵାରା ହିଁ ପଡ଼ୋଶୀଟାକୁ ସାଧ୍ୟ କରାଯାଇ ପାରିବ ବୋଲି ଏକ ଉନ୍ମତ୍ତ ଅତ୍ୟୁତ୍ସାହରେ ଲାଗିଥିଲେ । ଭାରତବର୍ଷର ପାଟ ବିଜ୍ଞାନୀମାନେ ସେହି କାର୍ଯ୍ୟରେ ନିଯୁକ୍ତ ହୋଇ ରହିଥିଲେ । ସବୁକିଛି ଘୋର ଗୋପନୀୟତା ସହିତ ହେଉଥିଲା । ପଣ୍ଡିତ ଜବାହରଲାଲଙ୍କ ଅମଳରୁ ହିଁ ସମ୍ଭାବନାର ଭୃଣଟିକୁ ରୋପଣ କରାଯାଇସାରିଥିଲା ଏବଂ ପରବର୍ତ୍ତୀ ମାରୀଚମାନେ ଆଗକୁ ଆଗକୁ ବାଟ କାଢ଼ି ନେଉଥିଲେ । ଏବେ ପୋଖରାନଠାରେ ପରୀକ୍ଷାସୂଚକ ଭାବରେ ଯେଉଁ କେତୋଟି ଫୋଟକା ଫୁଟିଲା, ସେଥିରୁ ଜଣାପଡ଼ିଲା ଯେ ଆମ ବାଣ ତିଆରି ଘରେ ଆଦୌ କେହି ଚୁପ୍ ହୋଇ ବସିନଥିଲେ । ସେମାନେ ପ୍ରାୟ ଅଣନିଃଶ୍ୱାସୀ ହୋଇ ଲାଗିଥିଲେ । ସମ୍ପୂର୍ଣ୍ଣ ଗୋପନୀୟତା ରକ୍ଷାକରି ଲାଗିଥିଲେ । ତେଣେ ପାକିସ୍ତାନର ପ୍ରୟୋଗଶାଳାରେ ତାଙ୍କ କାରିଗରମାନେ ମଧ୍ୟ ସେମାନଙ୍କର କରାମତି ଦେଖାଇଲେ । ଆଗ ଏ ଘରେ ଏପାଖଟାର ନାଆଁ ପଡ଼ୁ ବୋଲି ସତେଅବା ଚାହିଁ ବସିଥିଲେ ।

 

ଏହି ନାହିଁ ନଥିବା ସଫଳତାରେ ଭାରତବର୍ଷରେ ବହୁତ ମଣିଷ ହର୍ଷୋତ୍‍ଫୁଲ୍ଲ ହୋଇ ଉଠିଥିଲେ । ବିଶେଷତଃ, ଦେଶକୁ ନିଜର ବୋଲି ଅନୁଭବ କରିବା ନିମନ୍ତେ ଯେଉଁମାନେ ଜାତୀୟତାବାଦ ନାମକ ସେହି ଅନ୍ୟ ଅମଳଟିର ଆଶ୍ରୟ ନେଇଥାନ୍ତି, ସେମାନେ ମହାନନ୍ଦରେ ଉତ୍ତେଜିତ ହୋଇ ଉଠିଥିଲେ । ସତେଅବା, କେଉଁ ଅପୂରା ହୋଇ ପଡ଼ି ରହିଥିବା ଦେଉଳଟିରେ ଏତେଦିନକେ ମୁଣ୍ଡି ମରାହେଲା । ପ୍ରସିଦ୍ଧ ବୈଜ୍ଞାନିକ ଶ୍ରୀଯୁକ୍ତ ଅବଦୁଲ୍‍ କଲାମ୍‍ ଏହି ମହାନ୍ ଘଟଣାରେ ଯେ ଧର୍ମପଦ ପରି କାର୍ଯ୍ୟ କରିଛନ୍ତି, ସେକଥା ପ୍ରଘଟ ହେବାକୁ କୌଣସି କାଳବିଳମ୍ବ ହେଲାନାହିଁ । ଭାରତ ସରକାର ମଧ୍ୟ ଅସଲ ବେଳଟି ଜାଣି ତାଙ୍କୁ ଭାରତରତ୍ନ ଉପାଧିରେ ଭୂଷିତ କରାଇଥିଲେ ଏବଂ ଲୋକମାନଙ୍କର ବହୁ ଶ୍ରଦ୍ଧାର ପାତ୍ର ହେଲେ । ବିଚରା ସରକାର ଆଉ ଅନ୍ୟ କିଛି ମୋଟେ କରିନଥାନ୍ତେ । ମୁହୂର୍ତ୍ତଟିର ପୂର୍ଣ୍ଣ ଫାଇଦା ନଉଠାଇ ଜନଗଣଙ୍କର ମତିକୁ ଏହିପରି ଗୋଟାଏ ଆଡ଼କୁ ଚହଲାଇ ଦେବାରେ ସବୁ ସରକାର ସଚରାଚର ପ୍ରକୃତରେ ବଡ଼ ଚମତ୍କାର ଭାବରେ ହିଁ ସଫଳ ହୁଅନ୍ତି । ଜନଗଣଙ୍କୁ ପୋଷ ମନାଇ ନିଅନ୍ତି । ସମସ୍ତେ ଜାଣିଛନ୍ତି, ପୃଥିବୀର ବାଣପଡ଼ିଆରେ ଯେଉଁସବୁ ମହା ମହା ବୋମାମାନେ ମହଜୁଦ ହୋଇ ରହିଲାଣି, ସେଗୁଡ଼ିକର ପରିପ୍ରେକ୍ଷୀରେ ଆମ ଘରର ଏହି ମିନି କୌଶଳରୁ ସମ୍ଭୂତ ହୋଇଥିବା ବୋମାକୁ ହୁଏତ କେହି କୌଣସି ମୂଲ୍ୟ ଦେବେନାହିଁ । ତଥାପି ଆମ ପାଖରେ ଏଇଟା ରହିଛି ବୋଲି ଆମେ ପଡ଼ିଶାଟାକୁ କେତେ ଧମକ ଦେଉଥିବା ଓ ସେଥିରୁ ବେତା ବେତା ଆତ୍ମତୃପ୍ତି ଲାଭ କରୁଥିବା । ସେପାଖରୁ ପଡ଼ୋଶୀ ସରକାରଟା ମଧ୍ୟ ସୁନିଶ୍ଚିତ ଭାବରେ ତାହା ହିଁ କରୁଥିବ ଏବଂ ସେଠାରେ ଲୋକମାନଙ୍କୁ ଉତ୍ତେଜନା ଗିଳାଇ ପୋଷମନାଇ ରଖିଥିବ । ତଥାପି, ଭାରତରତ୍ନ ଅବଦୁଲ୍‍ କଲାମ୍‍ଙ୍କର ଏହି ଉପାଧିଟିକୁ ଯେ କେହି ତାଙ୍କଠାରୁ ଛଡ଼ାଇ ନେଇ ପାରିବ ନାହିଁ, ଶ୍ରୀଯୁକ୍ତ କଲାମ ସେକଥା ଭଲଭାବେ ଜାଣନ୍ତି । ତେଣୁ ଚାଲ, ଆମେ ସମସ୍ତେ ତାଙ୍କୁ ସାତ ନୁହେଁ, ବସ୍ତୁତଃ ସାତଶହ ସଲାମ କରିବା । ତାଙ୍କ ରତ୍ନ ଉପାଧିଟା ପଛରୁ ମଧ୍ୟ ତାଙ୍କୁ ଦେଖିବାକୁ ଚେଷ୍ଟା କରିବା ।

 

ଏବେ ବର୍ଷ ଶେଷ ବେଳକୁ ଗୋଟିଏ ଭାଷଣରେ ଆମ ବୋମାର ବୈଜ୍ଞାନିକ ନିମ୍ନଲିଖିତ କଥାଗୁଡ଼ିକୁ ମଧ୍ୟ କହିଛନ୍ତି ବୋଲି ଖବରକାଗଜରେ ବାହାରିଛି : “ଦେଶର କୋଟି କୋଟି ଅଶିକ୍ଷିତ, ଦରିଦ୍ର, ବୁଭୁକ୍ଷୁ, ଶୋଷିତ ଏବଂ ଦଳିତଙ୍କ କଥା ଚିନ୍ତା ନକରି ଯେଉଁମାନେ ପରମାଣୁ ବୋମା, କ୍ଷେପଣାସ୍ତ୍ର ଆଦି କଥା କହି ଦେଶର ବିକାଶ ହୋଇଗଲା ବୋଲି ଭାବୁଛନ୍ତି, ସେମାନଙ୍କ ଠାରୁ କେହି ବଡ଼ ବୋକା କେଉଁଠିହେଲେ ନାହାନ୍ତି । ସେମାନେ ସାଧାରଣ ଜନତାଙ୍କୁ ପ୍ରତାରଣା ହିଁ କରୁଛନ୍ତି ।” ଉକ୍ତିଟିକୁ ପାଠକରି ସବାଆଗ ପ୍ରତିକ୍ରିୟାଟିଏ ଅବଶ୍ୟ ହେବ ଯେ, ବୈଜ୍ଞାନିକ କଲାମ ବୋମା ତିଆରି କରିବା ଆଗରୁ ବି ତ ଏହି କଥାଟିକୁ କହି ପାରିଥାନ୍ତେ । ଦେଶରେ ମଣିଷମାନଙ୍କର ସବାଆଗ ଯାହା ଦରକାର, ସେତେବେଳେ କ’ଣ ସିଏ ସେକଥା କିଛି ଜାଣି ନଥିଲେ ? ଆହୁରି ବିଡ଼ମ୍ବନାର ବିଷୟ ହେଉଛି ଯେ, ନିଜ ଜୀବନରେ ପାଠଟିଏ ପଢ଼ି ନିଜର ଆଦ୍ୟ ଜୀବନରେ ସିଏ କ'ଣ ଅଧ୍ୟୟନ କରିବେ ବୋଲି ଯେତେବେଳେ କିଛି ଚିନ୍ତା କରିଥିବେ, ସେତେବେଳେ ବି ତା’ ଦେଶରେ କୋଟି କୋଟି ମନୁଷ୍ୟଙ୍କର ନାନା ଅସମର୍ଥତାକୁ ନିଜ ଆଖିରେ ଅଲବତ ଦେଖିଥିବେ । ତେବେ ସିଏ ବୋମା ବିଭାଗଟାକୁ ନିଜ ପାଇଁ କାହିଁକି ବାଛିଥିଲେ ? ଏକଥା ନିତାନ୍ତ ସତ ଯେ ବୋମାବିଜ୍ଞାନରେ ପଶିଲେ ତାଙ୍କୁ ଅଧିକ ଦରମା ମିଳିବ ବୋଲି ଅବଶ୍ୟ ସିଏ ସେହି ପ୍ରଥମ ସମୟରୁ ହିଁ ଉତ୍ତମ ରୂପେ ଜାଣିଥିବେ, ଏବଂ ସେହି କାରଣରୁ ସିଏ ସେହି ବାଟଟିକୁ ନିଜ ଲାଗି ଆଦରି ନେଲେ କି ? ଏବେ ଯଦି ଶ୍ରୀଯୁକ୍ତ କଲାମ୍‍ଙ୍କୁ କେହି ଏହି ପ୍ରଶ୍ନଟିକୁ ପଚାରିବ, ତେବେ ସିଏ ସତକୁସତ ତାହାର କେଉଁଭଳି ଉତ୍ତର ଦେବେ କେଜାଣି ?

 

ଆଉ ପୃଥିବୀରେ ଯୁଦ୍ଧ ଲାଗିବ ନାହିଁ ବୋଲି ଭଲ ମଣିଷମାନେ କେତେ ପ୍ରକାରେ ବୁଝାଇ କାରଣ ଦେଖାଇ ଆମକୁ କହୁଛନ୍ତି ଏବଂ ପୃଥିବୀରେ ରାଷ୍ଟ୍ରମାନେ ସବୁଠାରୁ ଅଧିକ ପଇସା ଅସ୍ତ୍ରଶସ୍ତ୍ର ବାବଦରେ ଖର୍ଚ୍ଚ କରୁଛନ୍ତି । ନିଜର ଭୂମିକୁ, ନିଜର ଦେଶକୁ ନିଜର ବୋଲି ଜାଣିବାକୁ କବିମାନଙ୍କ ଠାରୁ ଆରମ୍ଭ କରି ରାଷ୍ଟ୍ରନେତାମାନେ କେତେ ଛଳେଇ କରି କହିବାରେ ଲାଗିଛନ୍ତି, ଏବଂ ପୃଥିବୀରେ ଜାତିଜାତି ସମ୍ପର୍କର ବାସ୍ତବ କ୍ଷେତ୍ରଗୁଡ଼ିକରେ ଏଣେ ଅନ୍ୟ କୌଣସି ଦେଶକୁ ଅଥବା ଦେଶମାନଙ୍କୁ ଘୃଣା କରି ତାହାରି ଦ୍ୱାରା ହିଁ ଆପଣାର ଦେଶପ୍ରୀତିକୁ ଦର୍ଶାଇବା ନିମନ୍ତେ କୁମନ୍ତ୍ରଣା ଦିଆଯାଉଛି । ଅଥଚ, ସମଗ୍ର ପୃଥିବୀରେ ଶୋଷଣ ରହିଛି, ଦୂରତାମାନ ରହିଛନ୍ତି, ଭୋକ ରହିଛି, ନିରକ୍ଷରତା ରହିଛି, ଅସହାୟତା ରହିଛି । ବିଜ୍ଞାନ ଏସବୁ କଥାକୁ ଆଗ ଦେଖିପାରୁ ନାହିଁ କାହିଁକି କେଜାଣି ? ପୃଥିବୀରେ ମତିମାନ୍ କଲାମ୍‍ମାନଙ୍କୁ କିଏ ଏପରି ମୋହରେ ପକାଇ ରଖିଛି ଯେ, ଆଗ କଥାଗୁଡ଼ିକର ଆଗ ସମାଧାନ ଖୋଜିବା ଲାଗି ସେମାନେ ମନ ଦେଇ ପାରୁନାହାନ୍ତି । ପୃଥିବୀରେ କେବଳ ମୋର ଦେଶ ରହିବ ଏବଂ ଅନ୍ୟ ଦେଶମାନେ ଚୁଲୀକୁ ଯିବେ– ଏହି ମିଛ କଥାଟିର ସାମ୍ନା କରିବାକୁ ବିଜ୍ଞାନ ନିଜକୁ ତିଆରି କରିପାରୁ ନାହିଁ କ'ଣ ପାଇଁ ? ବିକାଶ କହିଲେ ଅସ୍ତ୍ର, ବାରୁଦ, ବନ୍ଧୁକ ଓ ବୋମାକୁ ଯେ ମୋଟେ ବୁଝାଇବ ନାହିଁ, ବୈଜ୍ଞାନିକବର୍ଗଟା ବୟସ ଥାଉଁ ସେହି ଅକଲଟାକୁ ସ୍ୱୀକାର କରିନେଇ ପାରୁନାହାନ୍ତି କାହିଁକି ? ବୋମାଟାର ଭିଆଣ କରିସାରିବାପରେ ଯାଇ ସେମାନେ କାହିଁକି ବୈଷ୍ଣବ ବନି ଆମକୁ ହେତୁକଥାମାନ ଶୁଣାଇବାରେ ଲାଗିଛନ୍ତି ? ଏହି ପୃଥିବୀକୁ ସବୁ ମଣିଷଙ୍କ ସକାଶେ ଏକ ସୁସ୍ଥ ଘର ପରି ତିଆରି କରିବାକୁ ବିଜ୍ଞାନର କେତେ ନା କେତେ କାର୍ଯ୍ୟ ରହିଛି ଓ କେତେ ସାହସିକ ପଥମାନ ଗ୍ରହଣ କରିବା ଲାଗି ବାକି ରହିଛି । କିନ୍ତୁ ସେମାନେ ଆଗ ଭୂତମାନଙ୍କୁ ବନାଇ ସାରି ବୁଢ଼ା ହେବା ବେଳକୁ କାହିଁକି ଆମକୁ ସତ୍ ଉପଦେଶ ଦେବାକୁ ମନ କରୁଛନ୍ତି ?

 

ପୃଥବୀ ରହିବ କି ନରହିବ, ଅନ୍ୟ ସମସ୍ତଙ୍କ ଅପେକ୍ଷା ବୈଜ୍ଞାନିକମାନଙ୍କର ହାତରେ ହିଁ ସେକଥା ନିଷ୍ପତ୍ତି କରିବାର ଅସଲ କୁଞ୍ଚିକାଠିଗୁଡ଼ିକ ରହିଛି । ଯେଉଁ ବିଜ୍ଞାନ ପୃଥିବୀ ରହୁ ବୋଲି ଇଚ୍ଛା କରୁଛି, ତାହା ପୃଥିବୀକୁ ନାଶ କରିଦେବା ନିମନ୍ତେ ଥାଟ ଛିଡ଼ା କରି ବାହାରିଥିବା ଯାବତୀୟ ଫିସାଦକୁ ଫିସାଦ ବୋଲି ହିଁ ଘୋଷଣା କରନ୍ତା । ସେହି ଫିସାଦର ପ୍ରତିବାଦ କରନ୍ତା, ପ୍ରତିରୋଧ କରନ୍ତୁ । ମଣିଷମାନଙ୍କୁ ଅଧିକ ନିକଟବର୍ତ୍ତୀ କରାଇ ଆଣନ୍ତା । ଯାବତୀୟ କ୍ଷମତା ମଣିଷ ଉପରେ ଯେପରି ଘୋଡ଼ା ଚଢ଼ିବାର ଅପକର୍ମ କରିବ ନାହିଁ, ତାହା ସକଳ ଅପକର୍ମର ପ୍ରତିରୋଧ କରିବା ନିମନ୍ତେ ମଣିଷ ପାଇଁ ନୂଆ ଆଖି, ନୂତନ ବଳ ଏବଂ ନୂତନ ଆଗ୍ରହ ଆଣି ଦିଅନ୍ତା । ଅର୍ଥାତ୍ ରାଷ୍ଟ୍ରର ପୋଇଲୀଗିରି କରିବାକୁ ମନା କରିଦେଇ ପାରନ୍ତା, ଅଧିକ ଦରମା ପାଇବାର ମୋହକୁ କାଟିଦେଇ ପାରନ୍ତା । ସତ୍ୟ ପାଖରେ, କଲ୍ୟାଣ ପାଖରେ ହିଁ ସବାଆଗ ଅନୁଗତ ହୋଇ ରହନ୍ତା । ମାତ୍ର, ମଣିଷମାନଙ୍କୁ ହିଁ ସବାଆଗ ଏବଂ ସବୁଠାରୁ ଅଧିକ ଅନ୍ତରଙ୍ଗ ଭାବରେ ଦେଖିବା ପାଇଁ ଯେଉଁ ଛଳନାହୀନ ସମ୍ବେଦନଶୀଳତା ରହିଥିବା ଅବଶ୍ୟ ଦରକାର, ସେଇଟିର ଭାଜନ ହୋଇପାରିଲେ ଯାଇ ବିଜ୍ଞାନ ପୃଥବୀଯାକର ମଣିଷମାନଙ୍କର ସତବନ୍ଧୁଟିଏ ହୋଇ ରହିପାରିବ । ଆଗାମୀ ବିଜ୍ଞାନ ଆଗରେ ବର୍ତ୍ତମାନ ସେହି ଆହ୍ୱାନଟି ହିଁ ଆସି ଠିଆହୋଇଛି । କଲାମ୍‍ମାନଙ୍କୁ ବାଛି ନେବାକୁ ପଡ଼ିବ । ଅଧିକାଂଶ ଦେଶରେ ଯେଉଁ କଲାମ୍‍ମାନେ ବିଜ୍ଞାନକୁ ରାଷ୍ଟ୍ରର ଗୋଡ଼ରେ ଆଣି ବାନ୍ଧି ରଖିଛନ୍ତି, ସେମାନଙ୍କୁ ବାଛିନେବାକୁ ହିଁ ପଡ଼ିବ । ନହେଲେ ସେମାନେ ପୃଥିବୀ ଲାଗି ପ୍ରମାଦ ହୋଇ ହିଁ ରହିଥିବେ ।

୫/୨/୨୦୦୧

Image

 

ଓଡ଼ିଶା ନାମକ ବିଶ୍ୱ

 

‘‘ଦୃଢ଼ ରାଜନୀତିକ ଇଚ୍ଛାଶକ୍ତି ସାଙ୍ଗକୁ ଐକ୍ୟବଦ୍ଧ ସଂଗ୍ରାମ ଦ୍ଵାରା ହିଁ ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ସାଧିତ ହୋଇପାରିବ’’ ବୋଲି ବର୍ଷ ଶେଷରେ ଅନୁଷ୍ଠିତ ବିଶ୍ୱ ଓଡ଼ିଶା ସମ୍ମିଳନୀରେ ଦିନକର ମଞ୍ଚରେ ଭାଷଣ ଦେଇ ବକ୍ତାମାନେ କହିଛନ୍ତି । ଓଡ଼ିଶାର ଦାରିଦ୍ର୍ୟ, ତା’ର କାରଣ ଓ ନିରାକରଣ ବିଷୟରେ ଏକ ଆଲୋଚନାର ଅବସରରେ ସେମାନେ ଏଭଳି ଏକ ଉପସଂହାରରେ ଆସି ପହଞ୍ଚିଛନ୍ତି । ମନ୍ତବ୍ୟଟି ଏକ ସନାତନ ସତ୍ୟପରି ପ୍ରତୀତ ହେଉଛି । ବର୍ତ୍ତମାନଟାକୁ ଗୋଟାସୁଦ୍ଧା ଫାଙ୍କି ଦେବାକୁ ପଣ କରି ବସିନଥିଲେ କେହି କଦାପି ଏଭଳି ଏକ ଶାସ୍ତ୍ରୀୟ ଢଙ୍ଗରେ ଫାଙ୍କା କଥାଗୁଡ଼ାକୁ କହି କାମ ସାରିଦେବାକୁ ମୋଟେ ମନ କରନ୍ତା ନାହିଁ । ଭୂଇଁଟାକୁ ନିଜର ବୋଲି ଅନୁଭବ କରୁଥିବା କୌଣସି ମନୁଷ୍ୟ ଶବ୍ଦସାଗର ଭିତରୁ ତୁଚ୍ଛା ହାବୁକାଗୁଡ଼ାକୁ ମାରି ଆଦୌ ପ୍ରାୟ ଏକ ଉତ୍ସବକାଳୀନ ଇନ୍ଦ୍ରଜାଲ ସୃଷ୍ଟି କରନ୍ତି ନାହିଁ । ଓଡ଼ିଶାରେ ଏଭଳି ଉକ୍ତିଗୁଡ଼ିକ ଓଡ଼ିଶା ବିଷୟରେ ମୁଣ୍ଡ ଖେଳାଇଥିବା ପ୍ରାୟ ସେହି ସର୍ବପ୍ରଥମ ସଭାଗୁଡ଼ିକର ସମୟରୁ ହିଁ ଉଚ୍ଚାରିତ ହୋଇଆସିଛି । ସେହି ପ୍ରଥମ ସମୟରେ ହୁଏତ ତାହାର କିଞ୍ଚିତ୍ ପ୍ରାସଙ୍ଗିକତା ମଧ୍ୟ ଥିଲା । ସେଥିରେ ସକଳ ତାତ୍କାଳିକ ଭାବପ୍ରବଣତା ପଛରେ ସାଧୁତା ଅବଶ୍ୟ ରହିଥିଲା । ତେଣୁ, ତଥାପି ସେହି କଥାଗୁଡ଼ିକୁ କହୁଥିବା ବ୍ୟକ୍ତିମାନଙ୍କର ଅଭିପ୍ରାୟମାନଙ୍କୁ ଚିହ୍ନି ହେଉଥିଲା । ସେସବୁ କଥା ପ୍ରାୟ ଶହେବର୍ଷ ତଳେ ଓଡ଼ିଆ ଜାଗରଣର ମଣ୍ଡପମାନଙ୍କରୁ କୁହାହୋଇଥିଲା । ଏବଂ, ଏବେ ଶହେବର୍ଷ ପରେ ଆପଣମାନେ ଯଦି ପ୍ରାୟ ଠିକ୍ ସେହି କଥାଗୁଡ଼ିକ କହି ଆମକୁ ଉଦବୋଧିତ କରିବାକୁ ଇଚ୍ଛା କରିବେ, ତେବେ ଆପଣ ଆମକୁ ନିଶ୍ଚୟ ଧୋକା ଦେବାକୁ ଚାହୁଛନ୍ତି ବୋଲି ସନ୍ଦେହ କରିବାକୁ ଆମକୁ ଅନୁକୂଳ ନାନା ଶକୁନ ଦେଖିବାକୁ ମିଳିଯିବ । ଆପଣମାନଙ୍କୁ ସନ୍ଦେହ କରିବାକୁ ହିଁ ଆମକୁ ଆମ ଭିତରୁ କେହି ସତର୍କ କରି ଦେଉଥିବ-। ଆପଣମାନେ ହିଁ କୁହନ୍ତୁ ଆମେ ଆମ ଭିତରୁ ଆସୁଥିବା ଅନୁମାନଗୁଡ଼ିକୁ ଅଧିକ ମୂଲ୍ୟ ଦେବୁ ନା ଆପଣମାନଙ୍କର କଥାଗୁଡ଼ିକରେ ଭୁଲିଯିବୁ ! ସେହି ମଞ୍ଚରୁ ଉଚ୍ଚାରିତ ହୋଇଥିବା ଆଉ ଏକ ଭାଷଣ ଆମକୁ ଏହିପରି ଭାବରେ ଏକ ଉପଦେଶାମୃତ ଶୁଣାଉଥଲା, “ଉପଯୁକ୍ତ ଭିତ୍ତିଭୂମି ପ୍ରସ୍ତୁତ ନହେଲେ ଲୋକଙ୍କ ନିକଟରେ ଉତ୍ପାଦିତ ସାମଗ୍ରୀଚୟ ପହଞ୍ଚି ପାରିବନାହିଁ । ମୁଷ୍ଟିମେୟ ମଧ୍ୟବର୍ତ୍ତୀ ବା ଦଲାଲମାନେ ରହିଥିବା କାରଣରୁ ଲୋକମାନେ ଯୋଜନାଗୁଡ଼ିକର ସୁଫଳକୁ ଲାଭ କରି ପାରୁନାହାନ୍ତି । ଏହା ଫଳରେ ଓଡ଼ିଶା ଭଳି ଏକ ଦରିଦ୍ର ରାଜ୍ୟର ଅବସ୍ଥା ଯେଉଁ ତିମିରକୁ ସେହି ତିମିରରେ ପଡ଼ିରହିଛି । ମୁଣ୍ଡପିଛା ଆୟ ବୃଦ୍ଧି ହୋଇ ପାରୁନାହିଁ । ସମନ୍ୱୟ ସହିତ ପ୍ରଗତି ସାଧିତ ହୋଇପାରୁନଥିବାରୁ ସ୍ୱାଧୀନତା ପାଇବାର ପଚାଶରୁ ଅଧିକ ବର୍ଷ ପରେ ମଧ୍ୟ ରାଜ୍ୟର ବହୁତ ଗ୍ରାମକୁ ସର୍ବନିମ୍ନ ସୁବିଧାସୁଯୋଗ ଯୋଗାଇ ଦିଆଯାଇ ପାରୁନାହିଁ । ଅର୍ଥନୈତିକ ପ୍ରଗତି ପାଇଁ ଯେପରି ନିଷ୍ଠା ଓ ଆନ୍ତରିକତା ଆବଶ୍ୟକ, ତାହା ଆମେ ପ୍ରଦର୍ଶନ କରି ପାରୁନାହୁଁ । ସଚ୍ଚୋଟ ଦକ୍ଷ, ନୀତିନିଷ୍ଠ କର୍ମଚାରୀଙ୍କ ସାଙ୍ଗକୁ କଠିନ ପରିଶ୍ରମ ଓ ଉନ୍ନତ ଗମନାଗମନର ସୁବିଧା ଉପଲବ୍ଧ ହେଉନଥିବାରୁ ଆଜି ଓଡ଼ିଶା ପଛରେ ପଡ଼ିଛି । ରାଜନୀତିଜ୍ଞମାନେ କେବଳ ଗାଦୀ ରଖିବା ପାଇଁ ବ୍ୟସ୍ତ ରହି ଉନ୍ନୟନ ପ୍ରତି ବିଶେଷ ଧ୍ୟାନ ଦେଉନାହାନ୍ତି । ମାନବସମ୍ବଳର ମଧ୍ୟ ସମୁଚିତ ବିନିଯୋଗ ହୋଇ ପାରୁନାହିଁ । ବିଭିନ୍ନ କ୍ଷେତ୍ରରେ ଦୁର୍ନୀତି ଭ୍ରଷ୍ଟାଚାର ବଢ଼ିବାରେ ଲାଗିଛି । ଏହାଛଡ଼ା ଜନସଂଖ୍ୟା ନିୟନ୍ତ୍ରଣ କରାଯାଇ ପାରୁନାହିଁ । ଏହିସବୁ କାରଣ ପ୍ରଗତି କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି କରୁଛି । ରାଜ୍ୟର ସମୂହ-କଲ୍ୟାଣ ନିମନ୍ତେ ସଂକୀର୍ଣ୍ଣ ବ୍ୟକ୍ତିଗତ ସ୍ଵାର୍ଥକୁ ଜଳାଞ୍ଜଳି ଦେବାକୁ ପଡ଼ିବ-। ଦୁର୍ନୀତି ନିବାରଣ, କଳାଟଙ୍କା ନିରାକରଣ, ପ୍ରତିଭାର ସୁବିନିଯୋଗ ଏବଂ ଉତ୍ପାଦନ-ସାମଗ୍ରୀର ବିକ୍ରି ପାଇଁ ଉପଯୁକ୍ତ ବଜାର ସୃଷ୍ଟି କରାଯାଇ ପାରିଲେ ରାଜ୍ୟର ଅର୍ଥନୈତିକ ପ୍ରଗତି ସାଧିତ ହୋଇପାରିବ ।’’

 

ଖବରକାଗଜରୁ ଭାଷଣଟିର ବିବରଣୀ ପାଠ କରୁଥିବା ସମୟରେ ସତେଅବା କୋଉ ମାଷ୍ଟ୍ରେ ଲେଖିଦେଇଥିବା ନୋଟ୍‍ଟିଏ ମୁଖସ୍ଥ କରି ପୁନର୍ବାର କାହା ଆଗରେ ଆବୃତ୍ତି କରୁଥିବା ପରି ଲାଗିଲା । ଏହି କଥାଗୁଡ଼ିକ ଓଡ଼ିଶାରେ ବିଗତ ଅନେକ ବର୍ଷ ହେଲା କୁହାଯାଇ ଆସିଛି । ସଭାସମିତିମାନଙ୍କରେ ବହୁ ସମ୍ମାନ ପ୍ରଦାନ କରାଯାଉଥିବା ବିଶିଷ୍ଟ ବ୍ୟକ୍ତିମାନେ ତାହା କହି ଆସୁଛନ୍ତି । ସମସ୍ତେ କହୁଛନ୍ତି ଓଡ଼ିଶାରେ ପ୍ରାକୃତିକ ସମ୍ପଦ ରହିଛି, ତାହାର ବିଚାର କରାଯାଉନାହିଁ କାହିଁକି ? ବିଚାର କରାଯାଇ ପ୍ରତିକାର ବା କାହିଁକି କରାଯାଉନାହିଁ ? ଓଡ଼ିଶାରେ ରାଜନୀତିକ ଇଚ୍ଛାର ଅଭାବ ରହିଛି ବୋଲି କୁହାଯାଉଛି । ତଥାପି, ରାଜ୍ୟଟା ଭିତରେ ଏତେ ଏତେ ରାଜନୀତି ହେଉଥିଲା ବେଳେ ରାଜନୀତିକ ଇଚ୍ଛାଟାର କାହିଁକି ଅଭାବ ରହିଛି ? ରାଜନୀତିକ ଇଚ୍ଛା ନଥାଇ ରାଜନୀତି ବି କ'ଣ ହେଉଛି ? କୁହାଯାଉଛି, ସାମୂହିକ ଉନ୍ନୟନକୁ ଏକ ଆବଶ୍ୟକ ଗତି ଆଣି ଦେବାଲାଗି ଯେଉଁ ଅନୁକୂଳ ଭିତ୍ତିଭୂମିଟି ରହିଥିବା ଉଚିତ, ଓଡ଼ିଶାରେ ସେହି ଭିତ୍ତିଭୂମି ତିଆରି ହୋଇପାରିନାହିଁ । ଯଦି ହୋଇପାରି ନାହିଁ, ତେବେ ଆମର ଏହି ନେତା ଓ କର୍ତ୍ତାମାନେ କାହିଁକି ବା ଅମୁକ କରିଦେବୁ ଓ ସମୁକ ଆଣିବୁ ବୋଲି ଏପରି ଚିଲେଇବାରେ ଲାଗିଛନ୍ତି ? ଲକ୍ଷ ଲକ୍ଷ ମଣିଷ ଏବେ ମଧ୍ୟ ସର୍ବନିମ୍ନ ଆବଶ୍ୟକତାର ଦୃଢ଼ ଓ ବିଶ୍ଵାସଯୋଗ୍ୟ ନିର୍ଭରଟିଏ ପାଇପାରି ନାହାନ୍ତି । ସେମାନେ ଯେ ତାହା ପାଇନାହାନ୍ତି, ତେବେ ସେହି ସବୁର ଛଳରେ ଯେଉଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି, ସେସବୁ କୋଉ କଣାବାଟେ କାହିଁକି ଶୋଷି ହୋଇ ଚାଲିଯାଉଛି ?

 

କଲେଜ ଏବଂ ଇସ୍କୁଲମାନ ପୁଳାପୁଳା ହୋଇ ବଢ଼ୁଛି, ମାତ୍ର ପାଠପଢ଼ା ଘରେ କଳାକନା ବୁଲୁଛି । ଯେଉଁମାନେ ପାଠ ପଢ଼ାଇବା ନିମନ୍ତେ ନିଯୁକ୍ତ ହୋଇ ରହିଛନ୍ତି, ସେମାନଙ୍କର ଦରମା ଅଧିକରୁ ଅଧିକ ହେଉଛି, କିନ୍ତୁ ସତକୁସତ ପାଠ ଅନୁରୂପ ସଂସ୍କୃତିଟିଏ ଦୃଷ୍ଟିଗୋଚର ହେଉନାହିଁ କାହିଁକି ? ଯେଉଁମାନେ ଓଡ଼ିଶା ଯାହା ହୋଇଥାନ୍ତା ହୋଇପାରିଲା ନାହିଁ ବୋଲି ରୋଦନ କରୁଛନ୍ତି, ସେମାନେ ନିଜେ କେଡ଼େ ତୋରା ଦେଖାଯାଉଛନ୍ତି,– ଖାସ୍ ନିଜ ପାଇଁ ଏଠି ରାଜମହଲ ଗଢ଼ି ରଖିଛନ୍ତି,– ଗୋଟାଏ ଅନ୍ୟ ଭାଷାର ନିତାନ୍ତ ଅପରିମଳଟାକୁ ଏପରି ବାହାହୋଇ ପଡ଼ିଛନ୍ତି ଯେ ଏଠା ଭାଷାଟାର ଯାବତୀୟ ଆୟତନରୁ ଚାହାଳୀଚୋରଙ୍କ ପରି ଲୁଚି ବୁଲୁଛନ୍ତି । ସେମାନେ ଯେଉଁ ଭୂଇଁରେ ସବୁଠାରୁ ଅଧିକ ସୁଯୋଗ, ଅଧିକ ସାମର୍ଥ୍ୟ ଓ ଅଧିକ ସୁଖାୟତନକୁ ଅଧିକାର କରି ରହିଛନ୍ତି, ସେମାନେ ଶହେରେ ମାତ୍ର ଦଶ ବା ପନ୍ଦର ହୋଇଥିଲେ ମଧ୍ୟ କାହିଁକି ଆପଣାକୁ ଏକାବେଳେକେ ଶହେପନ୍ଦର ପରି ଅନୁଭବ କରୁଛନ୍ତି ? ଏହି ଯାବତୀୟ ଅରୀତି ବଦଳୁ ନାହିଁ କାହିଁକି ଏହିସବୁ ପ୍ରଶ୍ନର ଉତ୍ତର ଖୋଜି ସତକୁସତ ବିବେକର ସହିତ କିଛି କରିବା ନିମନ୍ତେ ବାହାରିଲେ ସମ୍ଭବତଃ ଆପଣ ସଫା ଦେଖିବାକୁ ପାଇବେ ଯେ, ଏଠାରେ ଯେଉଁମାନେ ଚୋର ଚୋର ବୋଲି ସମ୍ମିଳନୀମାନଙ୍କରେ ରୋଦନ ଅଥବା ଚିତ୍କାର କରିବାରେ ବ୍ୟସ୍ତ ଅଛନ୍ତି, ସେହିମାନେ ହିଁ ସ୍ୱୟଂ ଚୋର ହୋଇ ଲୁଟି କରୁଛନ୍ତି, ନିଜ ପଢ଼ିଥିବା ପାଠକୁ ପ୍ରଦର୍ଶନ କରି ସେମାନେ ଅତ୍ୟନ୍ତ ଉଦ୍ଧତ ଭାବରେ ବହୁ ମଣିଷଙ୍କୁ ବଞ୍ଚିତ କରି ନିଜର ଗର୍ଭଗୁଡ଼ିକୁ ହିଁ ପୂର୍ଣ୍ଣ କରିବାରେ ଲାଗିଛନ୍ତି । ହୃଦୟ ନଥାଇ ହୃଦୟର କଥା କହୁଛନ୍ତି । ଓଡ଼ିଶା ନାମକ ଏହି ମଣ୍ଡଳଟିକୁ ସବାଆଗ ନିଜର ଭୋଗଭୂମି ରୂପେ ବ୍ୟବହାର କରି ରଖିଛନ୍ତି । ଓଡ଼ିଶା କହିଲେ ଓଡ଼ିଶାରେ ବାସ କରୁଥିବା ସବୁଯାକ ମଣିଷଙ୍କୁ ସୁମାରିକୁ ନେବାକୁ ସେମାନେ ବାଧ୍ୟ ହୋଇପାରିନାହାନ୍ତି । ଯାହା ସେମାନଙ୍କୁ ବାଧ୍ୟ କରାଇ ପାରନ୍ତା, ସେଇଟି ଏହି ଭୂଇଁରେ ଖାଲି ଫୁସ୍‍କି ଫୁସ୍‌କି ଯାଉଛି ।

 

କଣ୍ଟାକଣ୍ଟି ପ୍ରାୟ ଶହେବର୍ଷ ପୂର୍ବେ ଉତ୍କଳ-ଆନ୍ଦୋଳନର ସେହି ଆଦ୍ୟାରମ୍ଭ କାଳରେ ଓଡ଼ିଶା ସମ୍ପର୍କରେ ନେତୃତ୍ୱର ମିଜାଜ ଓ ମତଲବ ଯେତିକି ବା ଯେଉଁପରି ଥିଲା, ବର୍ତ୍ତମାନ ପ୍ରାୟ ସେହିପରି ହୋଇ ରହିଛି । ସେତେବେଳେ ସକଳ ଲୋକ-ଆଲୋଡ଼ନ ପଛରେ ଉତ୍କଳଗୌରବ ମଧୁସୂଦନ ରହିଥିଲେ । ଉତ୍କଳ ସମ୍ମିଳନୀର ମଞ୍ଚ ଉପରେ ସିଏ ଗଡ଼ଜାତର ରଜାମାନଙ୍କୁ ମଧ୍ୟ ଆଣି ବସାଇଥିଲେ । ଯାହାକିଛି ହେଉଥିଲା ସବୁ ଉତ୍କଳ ବା ଓଡ଼ିଶାର ନାମରେ ହିଁ ହେଉଥିଲା । ଓଡ଼ିଶାକୁ କେଡ଼େ ଆତ୍ମୀୟତାର ଡୋରଟିଏ ଲଗାଇ ଜନନୀ ବୋଲି କୁହାଯାଉଥିଲା । ଏବପରି ସେତେବେଳେ ମଧ୍ୟ ମୋଗଲବନ୍ଦୀର ଅଞ୍ଚଳ ଭିତରେ ଯେତିକି ଲୋକ ବାସ କରୁଥଲେ, ତେଣେ ଗଡ଼ଜାତମାନଙ୍କର ସେହି ଅନ୍ୟ ଭାଗଟିରେ ମଧ୍ୟ ପ୍ରାୟ ସେତିକି ଲୋକ ବାସ କରୁଥିବେ । ରାଜା ଓ ପ୍ରଜା ଉଭୟ ଓଡ଼ିଆ ଥିଲେ । ଏବଂ ରାଜାମାନେ ପ୍ରଜାମାନଙ୍କୁ ଯାବତୀୟ ଆଦିମସ୍ତରର ଅମାନୁଷିକତା ସହିତ ଶୋଷଣ କରୁଥିଲେ । ଗଡ଼ଜାତର ଲୋକଙ୍କ କଥା ସେତେବେଳେ ସମ୍ମିଳନୀର ମଣ୍ଡପରେ କେହି ଭାବୁନଥିଲେ । ସେମାନଙ୍କୁ ବରଗି ଆଣି ସମ୍ମିଳନୀରେ ସ୍ଥାନ ଦେବା ତ ଆହୁରି ଅନେକ ଦୂରର କଥା । ସମ୍ଭବତଃ ସେହି ରାଜାମାନଙ୍କର ପରାମର୍ଶ ଅନୁସାରେ ସମ୍ମିଳନୀରେ ଗୋଟିଏ ଅଧବେଶନ ବି ଗଡ଼ଜାତ ଅଞ୍ଚଳରେ ବସୁ ନଥିଲା । ତଥାପି କାଗଜରେ ଓ କଥାରେ ସର୍ବଦା ଉତ୍କଳ ବୋଲି କହି ଭାବାତୁର ଆଲୋଚନାମାନ ହେଉଥିଲା । ସ୍ୱୟଂ ଉତ୍କଳମଣି ଗୋପବନ୍ଧୁ ମଧ୍ୟ କାହିଁକି କେଜାଣି ଖୁଣଟାକୁ ଦେଖିପାରୁନଥିଲେ ଅଥବା ଦେଖୁଥିଲେ ମଧ୍ୟ ମୁହଁ ଖୋଲି କହିପାରୁନଥିଲେ ।

 

ଅବିଧିର ସେହି ବିଚିତ୍ର ବିଧାନଟା ଅନୁସାରେ ଓଡ଼ିଶାର ପ୍ରତ୍ୟେକ ଗ୍ରାମ ଓ ପ୍ରତ୍ୟେକ ସହରାଞ୍ଚଳରେ ଏବେ ମଧ୍ୟ ଫାଳେ ମୋଗଲବନ୍ଦୀ ସହିତ ଫାଳେ ଗଡ଼ଜାତ ରହିଛି । ବହୁବିଧ ଶୋଷଣରେ ମଣିଷ ମଣିଷ ଭିତରେ ବହୁ ଟଣାଟଣି ଲାଗିଛି । ଠାକୁର ଓ ଠାକୁରାଣୀମାନେ ବି ଅଲଗା ଅଲଗା ରହିଛନ୍ତି । ତେଣୁ, ଗାଆଁ କେଉଁଠି ହେଲେ ନାହିଁ, ଓଡ଼ିଶା ମଧ୍ୟ କେଉଁଠି ହେଲେ ଉଧେଇ ପାରୁନାହିଁ । ପିଲାଏ ତଥାପି ଚାଟଶାଳୀରେ ବସି ଭକ୍ତକବିଙ୍କ ଦ୍ୱାରା ଲିଖିତ ଉତ୍କଳକୁ ସମ୍ବୋଧନ କରି ବନ୍ଦନାଗୀତଟିକୁ ଗାଉଛନ୍ତି । ସ୍ଵୟଂ ମାଷ୍ଟ୍ରେ ତ ବୁଝି ପାରୁନାହାନ୍ତି, ତେଣୁ ପିଲାଏ ମଧ୍ୟ କିପରି ବୁଝନ୍ତେ ? ସେହି ଅବିଚାରରେ ତମାମ ଓଡ଼ିଶାଟା ମଧ୍ୟ ବିଭାଜିତ ହୋଇ ରହିଛି । ବହୁ ହୀନମନ୍ୟତା ତଥା ବହୁ ଉଗ୍ରମନ୍ୟତା ଭାରି ପ୍ରକୋପରେ ପ୍ରଶ୍ରୟ ପାଇ ଏହି ଭୂମିଟାକୁ ଭଣ୍ଡୁର କରି ରଖିଛନ୍ତି । ସମ୍ମିଳନୀର ଉତ୍ସାହଟା ତେଣେ ବିଶ୍ୱସ୍ତରରେ ଯାଇ ହାଜିରା ପକାଇଲାଣି । ଏବଂ, ଜାତିତ୍ୱର ସ୍ତରଟାରେ ରାବ କରିବାରେ ଯେତେ ଉତ୍ସାହ ଦେଖାଦେଉଥିଲେ ମଧ୍ୟ ଆମେ ସେତିକିରେ ହିଁ ଓଡ଼ିଶାରେ ନଅର ଏବଂ ନରଖର ମଧ୍ୟରେ ରହିଥିବା ଦୂରତାଜନିତ ଦୁଃଖମାନଙ୍କୁ କଦାପି ଦୂର କରି ପାରିବାନାହିଁ । ଅଭିମାନୀମାନେ ସ୍ଵାଭିମାନର କଥା କହୁଥିବେ ଏବଂ କାଳଟାକୁ ଠକିବାରେ ଲାଗିଥିବେ । ସବୁ ମଣିଷଙ୍କର ରାତି ପାହି ଆସିବାର ସେହି ଅନ୍ୟ ସମ୍ଭାବନାଟିକୁ ହାଡ଼େ ହାଡ଼େ ଡରୁଥବେ । ଓଡ଼ିଆମାନେ ସେମାନଙ୍କର ତଥାକଥିତ ଓଡ଼ିଆତ୍ୱ ମଧ୍ୟରେ ବାନ୍ଧିହୋଇ ରହନ୍ତୁ ବୋଲି କହି ଯେଉଁମାନେ ଅଭିସନ୍ଧି କଲାପରି ମଞ୍ଚ ଉପରେ ମଣ୍ଡନ ଜମାଇ ବସିଛନ୍ତି, ସେମାନେ କଦାପି ସେମାନଙ୍କର ଚତୁର୍ଦ୍ଦିଗଟାକୁ ଦୁଇଫାଳ କରି ରଖିଥିବା ଅବିବେକଟାକୁ ଛାଡ଼ି ବାହାରି ଆସବାକୁ ସାହସ କରିବେ ନାହିଁ । ଏକ ଅନ୍ୟ ସମ୍ବେଦନା ଏବଂ ଏକ ଅନ୍ୟ ବ୍ୟାକୁଳତା ସେକଥା କରିପାରିବ । ଏବଂ ସେଥିଲାଗି ଏକ ଅନ୍ୟ ନେତୃତ୍ୱ ବି ଲୋଡ଼ା ହେବ । ଏକ ଅନ୍ୟ ବିପ୍ଳବ ଲୋଡ଼ାହେବ । ଅସଲ ମୁହୂର୍ତ୍ତଟି ଅତିଶୀଘ୍ର ହିଁ ସାକାର ହୋଇଆସୁ ।

 

୧୨/୨/୨୦୦୧

Image

 

ଜ୍ଞାନ, ଜ୍ଞାପନ, ବିଜ୍ଞାପନ

 

ଯାହା ଜଣାଇଦିଏ, ତାହା ହେଉଛି ଜ୍ଞାନ । କୁହାଯାଏ, ଆଗକାଳର ମଣିଷ ଭାରି କମ୍ ଜାଣିଥିଲା । ଏକାଳର ମଣିଷ ଅଧିକ ଜାଣିଲାଣି । ଆଗକାଳରେ ତ ଅଳପ ମଣିଷ ହିଁ ଯାହା କିଛି ଜାଣୁଥିଲେ, ଏବକାଳେ ସବୁ ମଣିଷ ଜ୍ଞାନଲାଭର ପରସ୍ତଗୁଡ଼ିକ ମଧ୍ୟକୁ ଆସିପାରିଲେଣି । ଜ୍ଞାନଲାଭ କରୁଥିବା ସବୁ ମଣିଷଙ୍କୁ ଆମେ ଜ୍ଞାନୀ ବୋଲି କହିପାରିବା କି ନାହିଁ, ଅବଶ୍ୟ ସେକଥାରେ ସମସ୍ତଙ୍କର କଦାପି ଗୋଟିଏ ମତ ହେବନାହିଁ । ପୁଣି କୁହାଯାଇଥାଏ, ଆଗକାଳର ମଣିଷମାନେ ଅନ୍ଧବିଶ୍ୱାସୀ ଥିଲେ । ଏକାଳରେ ଯାବତୀୟ ଜ୍ଞାନର ପ୍ରସାର ସଙ୍ଗେ ସଙ୍ଗେ ଅନ୍ଧବିଶ୍ୱାସଗୁଡ଼ିକ କ୍ରମେ କଟି ଯାଇପାରିଛି । ଜ୍ଞାନ ହିଁ ଏହି ଯାବତୀୟ ଜ୍ଞାନର ପ୍ରସାର ସଙ୍ଗେ ସଙ୍ଗେ ଅନ୍ଧବିଶ୍ୱାସକୁ କାଟିପାରିଛି । ଜ୍ଞାନ ମନୁଷ୍ୟ ସମାଜର ବହୁତ ଉପକାର କରିଛି । ଅନ୍ଧବିଶ୍ୱାସ ହୁସ ହୋଇଯିବା ସଙ୍ଗେ ସଙ୍ଗେ ଅବଶ୍ୟ ମନୁଷ୍ୟମାନଙ୍କର ବିଶ୍ଵାସଟା ସତକୁସତ ବୃଦ୍ଧି ପାଇଛି କି ନାହିଁ, ସେକଥାଟି ମଧ୍ୟ ଦୃଢ଼ ପ୍ରତ୍ୟୟର ସହିତ ମୋଟେ କହିହେବ ନାହିଁ । ଅଭ୍ୟାସରେ ପଡ଼ି ବହୁ ସମୟରେ ଆମେ ଭାରି ଅଳ୍ପ ଦେଖୁ; ଯେତିକି ଇଚ୍ଛା କରୁ ମାତ୍ର ସେତିକି ଦେଖୁ ଏବଂ ସବୁ ଦେଖିଲୁ ଏବଂ ଜାଣିଗଲୁ ବୋଲି ବଡ଼ ତୋଡ଼ରେ କହିବାରେ ଲାଗିଥାଉ । କେବଳ ଉପରଟାକୁ ଦେଖାଇଦେଇ ଆମର ଜ୍ଞାନ ମୋଟେ ରହି ଯାଏନାହିଁ । ଖାଲି ଖୋଳଟାକୁ ଜାଣିଲେ ତୁମେ ଆଦୌ କିଛି ଜାଣିଲ ନାହିଁ ବୋଲି ତାହା ଆମକୁ ଚେତାବନୀ ଦେବାରେ ଲାଗିଥାଏ । ପୁନଶ୍ଚ, ଅନେକ ସମୟରେ କିଏ ଖାଲ ଭିତରେ ରହିଥିବା ଅସଲ କଥାଟିକୁ ଏତେ ଓଜନିଆ ନାନା ଆଉ କ'ଣ ସହିତ କହିବାରେ ଅଭ୍ୟସ୍ତ ହୋଇ ପଡ଼ିଥାଏ ଯେ ଖୋଳଟି ସମ୍ପର୍କରେ ସତେଅବା ମୋଟେ କିଛି କହେନାହିଁ । ମର୍ମଟିର କଥାଟିକୁ ପୂରା ତାତ୍ପର୍ଯ୍ୟ ଦେଇ କହିପାରିବ ବୋଲି ଖୋଳଟାକୁ କ'ଣ ପାଇଁ ଭାରି ଲୁଚାଇ ରଖିଥାଏ । ସିଏ ଖୋଳଟାକୁ ବାହ୍ୟ ବୋଲି କହେ । ବାହ୍ୟଟାକୁ ଜାଣି ଜାଣି ବିଶେଷ ନିଷ୍ଠାର ସହିତ ଲୁଚାଇ ରଖିପାରିଲେ ଯେ, ଭିତର ଅର୍ଥାତ୍ ମର୍ମଟାକୁ ଅଧିକ ଅଥବା ଯଥାର୍ଥ ତାତ୍ପର୍ଯ୍ୟର ସହିତ କହିହୁଏ, ସେମାନେ ଏପରି କାହିଁକି ଅନୁମାନ କରିଥାଆନ୍ତି କେଜାଣି ? ବାହ୍ୟଟାକୁ ବି ପୂରା ସୂଚାରୁ ଭାବରେ କହିବା ସକାଶେ ଆଉ ଏକ ଧାତୁରେ ତିଆରି ହୋଇଥିବା ବା ତାଲିମ୍ ପାଇଥିବା ମଣିଷମାନେ ଭିତରଟାକୁ ମଧ୍ୟ କ'ଣ ବୁଝି ଲୁଚାଇ ରଖିବା ପାଇଁ ପ୍ରବଳ ନିଷ୍ଠା ପ୍ରଦର୍ଶନ କରିଥାନ୍ତି ।

 

ସତସତିକା ଜ୍ଞାନ ଭିତର ଓ ବାହାର କୌଣସିଟାକୁ ଛାଡ଼େନାହିଁ । ଯଥାସମ୍ଭବ କୌଣସିଟାକୁ ଛାଡ଼େନାହିଁ । ଯଥାସମ୍ଭବ ଅଧିକ ସମ୍ପୂର୍ଣ୍ଣ ଭାବରେ ଦେଖେ ଓ ଅଧିକ ତନ୍ନତନ୍ନ କରି ଜାଣେ ଓ ପରିଚିତ ହୁଏ । ଏହିପରି ଏକ ଅଭିଳାଷ ପୋଷଣ କରି ସମ୍ଭବତଃ ମଣିଷମାନେ ଜ୍ଞାନରୁ ବିଜ୍ଞାନ ଯାଏ ଆସିଲେ । ଖିନଭିନ୍ କରି ଦେଖିଲେ, ଖିନ୍‌ଭିନ୍ କରି ଜାଣିଲେ । ଭିତରୁ ବାହାରଟାକୁ ଦେଖିଲେ, ବାହାରୁ ଭିତରଟାକୁ ଦେଖିଲେ । ପୃଥିବୀ ଜ୍ଞାନମୟ ହୋଇଯିବାର ସେହି ପ୍ରକ୍ରିୟାଟିକୁ ହିଁ ଏକ ମୋଟା ଅର୍ଥରେ ଆମେ ବିଜ୍ଞାନର ଯୁଗ ବୋଲି କହିପାରିବା । ଯାହା ଜ୍ଞାପନ କରାଏ, ତାହା ଯଦି ଜ୍ଞାନ ହେଲା, ତେବେ ଯାହା ବିଜ୍ଞାନକୁ ନିଶୁଣି କରି ବିଶେଷ ଭାବରେ ଜ୍ଞାପନ କରାଏ, ଆମେ ତାହାକୁ କେତେଦୂର ସଙ୍ଗତି ସହିତ ବିଜ୍ଞାପନ ବୋଲି କହିପାରିବା, ଏଯୁଗର ଅନ୍ତର ଓ ବାହାର ଉଭୟକୁ ଚିରି, ଫାଡ଼ି ଅର୍ଥାତ୍ ବ୍ୟବଚ୍ଛେଦ କରି ଜାଣୁଥିବା ପଣ୍ଡିତମାନେ ଚେଷ୍ଟାକଲେ ହୁଏତ ସେକଥା କହିଦେଇ ପାରନ୍ତେ । ଏ ଯୁଗକୁ କ୍ରମେ ଏକ ବିଜ୍ଞାପନର ଯୁଗ ବୋଲି କୁହାଗଲାଣି । ଜ୍ଞାନ ତ ଶାସ୍ତ୍ରରେ ରହିଛି, ଜ୍ଞାନୀମାନଙ୍କର ମୁଣ୍ଡରେ ରହିଛି । ବିଜ୍ଞାନ ବି ପ୍ରୟୋଗଶାଳାରେ ଅଛି, ଚଉକି ଉପରେ ବସି ପୂଜା ପାଉଛି । ମାତ୍ର ବିଜ୍ଞାପନ ସର୍ବତ୍ର ରହିଛି । ଏକାଧିକ ପରିମାପ ଦ୍ୱାରା ହୁଏତ ଏପରି ମଧ୍ୟ କୁହାଯାଇପାରିବ ଯେ, ଏବର ବିଜ୍ଞାନ ଓ ଜ୍ଞାନକୁ ପରମ ଅନୁସନ୍ଧିତ୍ସା ସହିତ ବହୁ ପରିମାଣରେ ଫେଣ୍ଟି ଘୋର ବୁଦ୍ଧିମତ୍ତା ଦ୍ଵାରା ହିଁ ଆମରି ଏହି ବେପାରୀମାନଙ୍କର ଜମାନାରେ ବିଜ୍ଞାପନ ନାମକ ଅମିତ ମହତ୍ତ୍ୱର ଏହି ବିଶେଷ ସମ୍ପଦଟି ବାହାରିଛି ଏବଂ ତାହାରି ମହିମା ବଳରେ ଜ୍ଞାନ ଓ ବିଜ୍ଞାନ ଉଭୟେ କ୍ରମେ ବଡ଼ କଳା ବି ଦେଖାଗଲେଣି । ଅନେକ ସମୟରେ ମନେ ହେଉଛି ଯେ, ଜୀବନ-ସଉଦାକୁ ଧର୍ମତଃ ଏକ ବଜାର-ସଉଦା ବୋଲି ଧରି ନେଇଥିବା ଆମର ଏହି ଆଧୁନିକ ଯୁଗରେ ଜ୍ଞାନ ତଥା ବିଜ୍ଞାନ ଏକତ୍ର ଜୁଟହୋଇ ବା ପେଷାହୋଇ କୁଣ୍ଡା କିମ୍ବା ଚୋକଡ଼ ହୋଇ ରହିଯାଉଛି ଏବଂ ବିଜ୍ଞାପନଟା ହିଁ ଚାଉଳ ଓ ଅଟା ହୋଇ ଘରକୁ ଯାଉଛି । ବଜାର-ଲକ୍ଷ୍ମୀଙ୍କର ବହୁତ କାମରେ ଲାଗି ପାରୁଛି ।

 

ଜ୍ଞାନ ପ୍ରସାରିତ ହେଲେ ବିଜ୍ଞାନ; ସେହିପରି ଜ୍ଞାପନର ମତଲବଟି ପ୍ରସାରିତ ହେଲେ ଯଦି ସତକୁସତ ବିଜ୍ଞାପନରେ ପରିଣତ ହୋଇ ପାରୁଥାନ୍ତା, ତେବେ ଆଧୁନିକ ବିଜ୍ଞାପନ ଦ୍ୱାରା ଆମେ ମଣିଷମାନେ ବସ୍ତୁତଃ ଆଗ ଅପେକ୍ଷା ଅଧିକ ହିଁ ଜାଣୁଥାନ୍ତୁ, ଅଧିକ ଜାଣି ଅଧିକ ବିବେକ ଅର୍ଜନ କରୁଥାନ୍ତୁ ଓ ସେହି ଅନୁସାରେ ନିଜ ଜୀବନଟିର କର୍ଷଣ କରି ପାରୁଥାଆନ୍ତୁ । କିନ୍ତୁ, ଆଧୁନିକ ବିଜ୍ଞାପନମାନେ ପ୍ରକୃତରେ ଆମକୁ ଅଧିକ ସତ୍ୟ ଯୋଗାଇ ଦେଉଛି ନା ଅଧିକ କଥାକୁ ଆମଠାରୁ ଲୁଚାଇ ରଖିବାକୁ ଚେଷ୍ଟା କରୁଛି, ବେଳେବେଳେ ସେହି କଥାଟିର ଆଦୌ ଏକ ସହଜ ଉତ୍ତର ମିଳିପାରେ ନାହିଁ । ବିପଣିସର୍ବସ୍ଵ ଆମର ଏହି ସ୍ଵତନ୍ତ୍ର ଯୁଗଟାରେ ବିଜ୍ଞାପନମାନଙ୍କୁ ଏପରି ଏକ ଫିସାଦର ସହିତ ସଂରଚନା କରାଯାଉଛି, ଯାହାଫଳରେ କି ଅସଲ ସତଗୁଡ଼ିକୁ ଘୋଡ଼ାଇ ରଖିବାକୁ ଚେଷ୍ଟା କରାଯାଉଛି ଏବଂ ଏପରି ଏକ ଆନୁସଙ୍ଗିକଗୁଡ଼ିକୁ ପ୍ରଧାନତର କରି ଉଭା କରାଇ ଦିଆଯାଉଛି, ଯାହାଫଳରେ ଅସଲ କଥାମନେ ଉଡ଼ୁଆଳ ହୋଇ ରହି ଯାଉଛନ୍ତି । ଆଧୁନିକ ବିଜ୍ଞାପନ ବେଶୀ ଲୁଚାଇ ରଖୁଛି ଏବଂ କ’ଣ ସବୁ ଖୁଣକୁ ଅଥବା ଅଭାବକୁ ଢାଙ୍କି ରଖିବ ବୋଲି ଆହୁରି ନାନା ଅକଥାକୁ ଅଧିକ ପ୍ରଧାନ ତଥା ଅଧିକ ଉଜ୍ଜଳ କରି ଦେଖାଉଛି । ଭାରି ଭ୍ରମରେ ପକାଉଛି ଓ ଭାରି ଗୋଡ଼ ଖସାଇ ନେଉଛି । ଦ୍ରବ୍ୟ-ଉତ୍ପାଦନର ସିରସ୍ତାମାନଙ୍କରେ ସମ୍ଭବତଃ ସେହି କାରଣରୁ ଉତ୍ପାଦନ ବାବଦରେ ଯେତେ ଅର୍ଥ, ଯେତେ ମଥା ବା ଯେତେ ମିହନ୍ତ ଖର୍ଚ୍ଚ ହେଉଛି, ତା'ଠାରୁ ଅତିରିକ୍ତ ଅନୁପାତରେ ବିଜ୍ଞାପନ ପାଇଁ ହିଁ ବେଶୀ ଖରଚ ହେଉଛି ଓ ବେଶୀ ନଜର ଦିଆଯାଉଛି । ଜ୍ଞାପନ କରାଇବାକୁ ଯେତେ ନୁହେଁ, ତୁମକୁ ଅନ୍ୟମନସ୍କ କରାଇ ନିଜେ ପକାଇ ରଖୁଥିବା ଜାଲଟା ଭିତରକୁ ଭୁଲାଇ ଆଣିବାକୁ ହିଁ ବିଜ୍ଞାପନ ଏବେ ଅଧିକରୁ ଅଧିକ ପ୍ରୟାସ କଲାଣି । ତୁମେ ଯାହା ନୁହଁ, ତୁମକୁ ପ୍ରସାଧନ-ଫାଜିଲାମିର ନାନା ଉର୍ବର ଅଭିସନ୍ଧି ବଳରେ ସେଇଆ ବୋଲି ଏକ ପ୍ରତୀତି ଆଣିଦେବାର ଚେଷ୍ଟା କରାଯାଉଛି ।

 

ଆମ ମଣିଷମାନଙ୍କ ଭିତରେ ବି ଆତ୍ମପ୍ରତାରଣାକାରୀ କେଉଁ ଏକ ଉପାଦାନ ରହିଛି, ଯାହାକି ବିଜ୍ଞାପନମାନଙ୍କରେ ଯେଉଁଭଳି ଦେଖୁଛି, ସେଥିରେ ପରତେ ଯାଉଛି, ଫାନ୍ଦରେ ପଡ଼ିଯାଉଛି । ଏକାଧିକ କାରଣରୁ ଏଯୁଗର ମୀମାଂସାକାରୀ ପବନଗୁଡ଼ାକରୁ ସିଏ ତାକୁ ଅପେକ୍ଷାକୃତ ସୁହାଉଥିବା ଭଳି ଏହି କଥାଟିକୁ ଅଧିକ ସତ ବୋଲି ମାନିନେଲାଣି ଯେ, ସିଏ ପ୍ରକୃତରେ ଯାହା, ସେଇଟା ସାଂପ୍ରତିକ ବଳଦ-କାରବାରର ହାଟରେ ତା’ଲାଗି ମୋଟେ ବେଶୀ କାମ ଦେବନାହିଁ– ସିଏ ବାହାରକୁ ଯେଉଁଭଳି ଦେଖାଯିବ,ସେଇଟା ହିଁ ଅଧିକ କାମର ହେବ, ତା'ପାଇଁ ଅଧିକ ଲାଭଜନକ ହେବ । ତେଣୁ, ଦୋଷାଦୋଷ ନିରୂପଣ ନିମନ୍ତେ ସିଏ ମୋଟେ ବେଳ ପାଉନାହିଁ । ନିଜ ଭିତରର ବିବେକଟାକୁ ପଚାରିବାକୁ ବି ତର ସହୁନାହିଁ । ନିଜକୁ ଦେଖେଇବାରେ ପ୍ରାୟ ସବୁ ବୁଦ୍ଧି ସରି ଯାଉଛି । ସେହି କାରଣରୁ ବଜାରରେ, ଏପରିକି ତା’ର ନାନା ସମ୍ପର୍କର ଯାବତୀୟ ବଜାରରେ ମଧ୍ୟ ତାକୁ ବସ୍ତୁମାନେ, ମୂଲ୍ୟମାନେ ଏବଂ ନିର୍ଣ୍ଣାୟକମାନେ ଯେଉଁଭଳି ଦେଖା ଯାଉଛନ୍ତି, ସିଏ ତାହାକୁ ଅଧିକ ଫଳପ୍ରଦ ବୋଳି ଗ୍ରହଣ କରି ନେଉଛି । ପରିଣାମସ୍ୱରୂପ, ସଂସାରଟା ପ୍ରକୃତରେ ଯେଉଁଭଳି ନୁହେଁ, ଅଧିକରୁ ଅଧିକ କ୍ଷେତ୍ରରେ ପ୍ରାୟ ସେହି ଅବାଗରେ ଚାଲିଛି । ସଂସାର ପାଖରେ ମୁଁ ନିଜକୁ ଦେଖାଇ ହେବାର ସାଧନାଭ୍ୟାସ କରୁ କରୁ ସିଏ ପ୍ରକୃତରେ ଯାହା, ତହିଁରେ ବିଶ୍ୱାସ ରଖିବାକୁ ସେ ସେହି ପରିଚୟରେ ହିଁ ସମସ୍ତଙ୍କ ପାଖରେ ଚିହ୍ନା ହେବାକୁ ପୂରା ପାସୋରି ପକାଉଛି । ଜ୍ଞାନ ଓ ଜ୍ଞାପନ ଭର୍ତ୍ତି ହୋଇ ରହିଛି । କିନ୍ତୁ ବିଜ୍ଞାପନରେ ଜଗତ ଚଳୁଛି, ଅସଲ ପାଳକ ବିଜ୍ଞାପନକୁ ପଡ଼ିଛି । ଆଗକୁ ଆହୁରି କ'ଣ ସବୁ ରହିଛି କେଜାଣି ?

 

ନିଜଦ୍ଵାରା ପ୍ରସ୍ତୁତ କୌଣସି ଦ୍ରବ୍ୟଟିଏ ଅଧିକ ମଣିଷ କିଣନ୍ତୁ ଏବଂ ତଦ୍ଦ୍ୱାରା ଅଧିକ ଲାଭ ହେଉ ବୋଲି ବେପାରୀମାନେ ଯଦି ଇଚ୍ଛା କରୁଛନ୍ତି, ତେବେ ସେମାନେ ସେହି ଦ୍ରବ୍ୟଟିର ଗୁଣଗୁଡ଼ିକୁ ବର୍ଣ୍ଣନା କରି ସିନା ଆମ ଖାଉଟିମାନଙ୍କୁ ଆକୃଷ୍ଟ କରୁଥାଆନ୍ତେ । ତୁମ ସାବୁନଟି ଭଲ, ତୁମେ ସାବୁନଟିର ଗୁଣଗ୍ରାମ ବିଷୟରେ ଆମକୁ ସମ୍ୟକ୍ ପରିଚୟମାନ ଦେଉଥାଆନ୍ତ । ତୁମ ଶାଢ଼ି ଭଲ, ତୁମ କପଡ଼ା ଭଲ କିମ୍ବା ତୁମର ଆଉ ଯାହାକିଛି ଭଲ, ତୁମେ ସେହିଗୁଡ଼ିକ ବିଷୟରେ ଆମକୁ ତିନିଟା କଥା ଜାଗାରେ ହୁଏତ ଆହୁରି ତିନିଟା କଥା କହୁଥଆନ୍ତ । କିଂଚିତ୍ ଅତିରଞ୍ଜିତ ହୋଇଗଲେ ଆମେ କଦାପି ଆପତ୍ତି କରନ୍ତୁ ନାହିଁ । ତୁମର ଅଭିପ୍ରାୟକୁ ବୁଝନ୍ତୁ । ତେଣୁ ଆପତ୍ତି କରନ୍ତୁ ନାହିଁ । ମାତ୍ର ସାବୁନରୁ ବାହାରୁଥିବା ଫେଣରେ ସାକ୍ଷାତ ପରୀଟିଏ ପରି ଦିଶୁଥିବା ବିଚରା ଏକ ନାରୀମୂର୍ତ୍ତିକୁ ବାର କଲବଲ କରି ତୁମେ ଆମକୁ ଦେଖାଉଛ ଯେ, ସେଥିରେ ତୁମ ସାବୁନ ବଜାରର ପ୍ରକୃତରେ କେଉଁ ଫାଇଦା ହେଉଛି ? କପଡ଼ାଗୁଡ଼ାକର ଫେଶନ ବଦଳିଗଲା ଓ ତେଣୁ କେବଳ ତୁମେ ତିଆରି କରୁଥିବା କପଡ଼ାଟା ହିଁ ଆମ ପରିଧାନ-ଶୃଙ୍ଗାରର ପ୍ରୟୋଜନଗୁଡ଼ାକୁ ମେଣ୍ଟାଇପାରିବ, ଏକଥା ତ ତୁମେ ଭଲ ବାଗରେ କେଡ଼େ ସହଜରେ କହିପାରନ୍ତ– ଆମକୁ ସହ୍ୟ କରିପାରିବା ଭଳି ଚାକ୍ଷୁଷ ଯୁକ୍ତିମାନ ବି ଯୋଗାଇ ଦେଇପାରନ୍ତି । ମାତ୍ର ବିଚରା ଏଡ଼େ ଏଡ଼େ ଝିଅମାନଙ୍କୁ ଧରିଆଣି ସେମାନଙ୍କୁ ଦରଲଙ୍ଗୁଳୀ କରି ବହୁପ୍ରକାରେ ଅସହଜ କରି ଆମକୁ ଏପରି ଉଖାରି ଉଖାରି ଦେବାର ଦୁର୍ବୁଦ୍ଧିମାନଙ୍କୁ ଆଣି ତୁମେ ସେଥିଭିତରେ କାହିଁକି ଖଞ୍ଜି ଦେଉଛ ? ବିଚରା ସେହି ବୁଇମାନଙ୍କର ଘର ବୋଲି ତ କିଛି ଅବଶ୍ୟ ରହିଥିବ । ସେମାନେ ନିଶ୍ଚୟ ଭଲ ଘରମାନଙ୍କୁ ଆସିଥିବେ । ତୁମେ ସେମାନଙ୍କ ଅଣ୍ଟିରେ ମୁଠାଏ ପଇସା ଫିଙ୍ଗିଦେଇ କ’ଣ ପାଇଁ ସେମାନଙ୍କୁ ଅଚିହ୍ନା ବହୁ ମଣିଷଙ୍କର ଆଖିରେ ଏପରି ଅସରଣିଆ ଭାବରେ ଅଇଁଠା କରି ପକାଉଛ-? ପୃଥିବୀରେ ବହୁ ପୁରୁଷମାନଙ୍କୁ ନିଜ ବେପାରୀ ବୁଦ୍ଧିରେ ତୁମେ କ’ଣ ଏଡ଼େ ନିର୍ବୋଧ ବୋଲି ଧରିନେଇଛି ଯେ, ସେମାନେ ଚିତ୍ରଗୁଡ଼ାକୁ ଦେଖିଦେଖି ଚହଲିଯିବେ ଏବଂ ତୁମ ସାମଗ୍ରୀମାନଙ୍କୁ କିଣିନେବା ପାଇଁ ତୁମ ଦୋକାନକୁ ଦଉଡ଼ି ଆସିବେ ?

 

ଏହି ଚିତ୍ରାଙ୍ଗନାମାନେ କେଉଁଭଳି ପାଠ ପଢ଼ିଥିଲେ କେଜାଣି, ଅର୍ଥୋପାର୍ଜନର ବାଟଟାଏ ବାଛିବାକୁ ଯାଇ ଏପରି ଗୋଟିଏ ଧନ୍ଦାକୁ ବାଛିନେଲେ ? ଧନ୍ୟ କହିବା ସେହି ଦୂରଦର୍ଶନ ଏବଂ ସେହି ଖବରକାଗଜମାନଙ୍କୁ ଯେଉଁମାନେ ମଣିଷମାନଙ୍କର ମୁଣ୍ଡରେ ଖାଲି ଅନୁରୂପ ଗୋଟାଏ କାମନାର ଗୋବରଗୁଡ଼ାଏ ରହିଛି ବୋଲି ଧରିନେଲେ ଏବଂ ଏହିଭଳି ଚିତ୍ରମାନଙ୍କୁ ଦେଖାଇଲେ ବା ଛାପିଦେଲେ ବେଶୀ ମଣିଷଙ୍କୁ ଗରହାକ ରୂପେ ପାଇବେ ବୋଲି ବିଶ୍ୱାସ କଲେ ? ଯେଉଁସବୁ ଛବିରେ ମଣିଷଟି ଆଗ ନଦିଶି ତା’ର ରୂପ ନାମକ ଛଇଟା ଆଗ ଦେଖାଯାଏ, ତାହା ଯେକୌଣସି ଯୁଗରେ ମଧ୍ୟ ବହୁ ଅମଙ୍ଗଳର କାରଣ ହୋଇଥାଏ । ଦେହର ଏକ ସୌନ୍ଦର୍ଯ୍ୟ ଅବଶ୍ୟ ରହିଛି, ଏକ ଆକର୍ଷକ ଶକ୍ତି ମଧ୍ୟ ରହିଛି । ମାତ୍ର, ମଣିଷ ଭିତରେ ଆକର୍ଷଣ କରିନେଲା ପରି ଆହୁରି ବହୁତ କିଛି ଆଗ ରହିଛି ବୋଲି ତା'ର ଦେହଟା ମଧ୍ୟ ଏପରି ମଣ୍ଡନ ଦେଖାଯାଉଛି, ଏକ ସମ୍ପୂର୍ଣ୍ଣ ଓ ସମନ୍ୱିତ ପରିଚୟର ଅଂଶ ରୂପେ ହିଁ ଦେହଟି ଏକ ସମଗ୍ର କାନ୍ତିକୁ ବହନ କରି ରୂପବନ୍ତ ଦିଶୁଛି ! ଦେହଟାକୁ ଏକାବେଳେ ଅଲଗା କରି ଏକ ଅଲଗା ମଜାରେ ଦେଖିବାକୁ ବିଜ୍ଞାପନରୁ ପଇସା ଛାଣୁଥିବା ଯେଉଁ ସୌଦାଗର ମଣିଷମାନଙ୍କୁ ମନ୍ତ୍ରଣା ଦେଉଛି, ତା' ନିଜ ଦେହକୁ କେବେ ସତକୁସତ ନିଜର ଗୋଟିଏ ସମ୍ପଦ ଭଳି ହୃଦୟ ମଧ୍ୟ ନିଜର ଭ୍ରମଟାକୁ ଠଉରାଇ ନେଇପାରନ୍ତା । ଏବଂ, ସବାଆର ବିଜ୍ଞାପନ ନିର୍ଭର କରି ଚଳୁଥିବା ଦୂରଦର୍ଶନ ବା ଖବରକାଗଜ ସତକୁସତ ସଂପୃକ୍ତ ଆମ ସମସ୍ତଙ୍କର ଏହି ଜଗତରେ କ'ଣ କେତେ ଉପକାର କରୁଛି ବା ନକରୁଛି, ନିଜ ଭିତରର ଆମ ଅସଲ ସୌଦାଗରଟାକୁ ପଚାରିଲେ ଆମକୁ ଅବଶ୍ୟ ତାହାର କିଛି ନା କିଛି ବାର୍ତ୍ତା ମିଳିଯାଇ ପାରନ୍ତା ।

 

୧୯/୨/୨୦୦୧

Image

 

Unknown

ଆନ୍ତରିକତାର ଅଭାବ

 

କାଶ୍ମୀରକୁ ବିଷୟ କରି ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗିଥିବା ଗୋଳ ବହୁତ ଦିନର-। ପାକିସ୍ତାନ ତେଣେ ସନ୍ତ୍ରାସବାଦୀଙ୍କୁ ମଣ କରି ଓ ମତାଇ ଭାରତବର୍ଷକୁ ପେଶିବାରେ ଲାଗିଛି ଏବଂ ଏମାନଙ୍କର ଯାବତୀୟ କାଣ୍ଡକୁ ବନ୍ଦ କରିବା ନିମନ୍ତେ ବି ଭାରତବର୍ଷ ବିଗତ ବହୁ ବର୍ଷ ହେଲା ଲାଗିଛି । ବହୁତ ନିହତ ହୋଇ ସାରିଲେଣି । ତଥାପି ଗୋଳ ତୁଟୁନାହିଁ । ସନ୍ତ୍ରାସବାଦୀ ବହୁତ ମରୁଛନ୍ତି, ପୁଣି ମାଡ଼ି ଆସୁଛନ୍ତି । ସେମାନେ ସେଇପଟୁ ଅସ୍ତ୍ରଶସ୍ତ୍ର ତଥା ଆବଶ୍ୟକ ବୁଦ୍ଧିମତ୍ତା ଦ୍ଵାରା ସଜ୍ଜିତ ହୋଇ ଆସୁଛନ୍ତି । ସନ୍ତ୍ରାସବାଦୀଙ୍କୁ ମାରିଲେ ଯେ ସନ୍ତ୍ରାସବାଦ ଯାଏନାହିଁ, ସେହି ସତ୍ୟଟି ହିଁ ପ୍ରମାଣିତ ହୋଇଯାଉଛି । ପଇଁତରା ଦେଇଦେଇ ଏବଂ ସନ୍ତ୍ରାସୀମାନଙ୍କୁ ମାରିମାରି ଭାରତ ସରକାର ହୁଏତ ବଡ଼ କ୍ଲାନ୍ତ ହୋଇ ପଡ଼ିଲେଣି । ତେଣୁ ସେମାନେ ଆଉ ଗୋଟିଏ ଉପାୟ ପାଞ୍ଜି ନିଜ ତରଫରୁ ଏକ ସାମୟିକ ଯୁଦ୍ଧବିରତି ଘୋଷଣା କରିଛନ୍ତି । ଏହାଦ୍ଵାରା ଆରପଟେ ପାକିସ୍ତାନୀ ସରକାରଙ୍କର କାଳେ ସୁମତି ହେବ ଓ କୌଣସି ସମାଧାନ ଆଡ଼କୁ ବାଟ ଫିଟିବ, ସେହି ଅଭିପ୍ରାୟରେ ହିଁ ଏଭଳି ବିକଳ୍ପଟିଏ ଗ୍ରହଣ କରାଯାଇଛି । କାହିଁ, ମାସକରୁ ଅଧିକ ସମୟ ବିତିଗଲା, ସେପଟର ମତିଗତିରେ କିଛି ପରିବର୍ତ୍ତନ ହେଉନାହିଁ ତ ! ପାକିସ୍ତାନ ସରକାର କହୁଛନ୍ତି, କାଶ୍ମୀର ସମସ୍ୟାର ଏକ ସମାଧାନ ନିମନ୍ତେ ଯେପରି ଅନୁକୂଳ ଆସ୍ଥାଗୁଡ଼ିକ ସମ୍ଭବ ହୋଇପାରିବ, ସେଥିଲାଗି ତା' ତରଫରୁ ସୀମା ଅଞ୍ଚଳରୁ କିଞ୍ଚିତ୍ ପରିମାଣରେ ସୈନିକମାନଙ୍କୁ ହଟାଇ ନିଆଯାଇଛି । ଆଶା କରାଯାଉଛି ଯେ, ଏହାଦ୍ୱାରା ଭାରତ ସରକାର ତା’ ସହିତ କାଶ୍ମୀର ବିଷୟରେ ପୁଣି କଥାବାର୍ତ୍ତା ପାଇଁ ରାଜି ହେବେ । କାହିଁ, ଭାରତ ତଥାପି ସେଥିପାଇଁ ରାଜି ହେଉନାହିଁ ତ ! ଉଭୟପଟରୁ ଅପବାଦ ଦିଆଯାଉଛି ଯେ, ଅପରପକ୍ଷରୁ ଆବଶ୍ୟକ ଆନ୍ତରିକତାର ଅଭାବ ରହିଛି । ଚିରକାଳ ଯେଉଁପରି ରହି ଆସିଥିଲା, ସେହିପରି ରହିଛି ।

 

ଆନ୍ତରିକତା ଯାବତୀୟ ଅର୍ଥରେ ପ୍ରକୃତରେ ଏକ ବଡ଼ ବିଚିତ୍ର ଶବ୍ଦ । ଆନ୍ତରିକତା ନିଜ ପଟରେ ନଥିବା ପର୍ଯ୍ୟନ୍ତ ଆରପଟଟାର ଆନ୍ତରିକତା ରହିଛି ବୋଲି ଆଦୌ ଅନୁଭବ ହୋଇପାରିବ ନାହିଁ । ମୁଁ ଟାଣ ହୋଇ ରହିଥିବା ପର୍ଯ୍ୟନ୍ତ ମୋର ଶତ୍ରୁଟା ମଧ୍ୟ ଟାଣ ହୋଇ ରହିଛି ବୋଲି ମୋତେ ପୂରା ପ୍ରମାଣ ମିଳିଯାଉଥିବ । ଏହି ଅସଲ ଗଣ୍ଡିଟା ଆଗ ଫିଟିପାରେ ନାହିଁ ବୋଲି କାଳେକାଳେ ମଣିଷମାନେ, ଧର୍ମମାନେ, ସମୂହମାନେ ଓ ସରକାରମାନେ ପରସ୍ପରକୁ ନିରନ୍ତର ଦୋଷ ଦେବାରେ ଲାଗିଥାନ୍ତି । ଦୋଷଟା କଦାପି ନିଜ ପେଟରେ ନଥାଏ, ସର୍ବଦା ସେହି ବିପକ୍ଷ ପଟଟାରେ ହିଁ ରହିଥାଏ । ସମ୍ଭବତଃ ସେହି ରୀତିଟାର କବଳରେ ପଡ଼ି ଆରପଟଟା ହିଁ ସବୁବେଳେ ମ୍ଳେଚ୍ଛ, କାଫେର୍ ଓ ଯବନଙ୍କ ପଟପରି ଦେଖାଯାଉଥାଏ । ମୁଁ ଯେ ଅଲବତ ଧର୍ମରେ ରହିଛି, ମୋତେ ଏହି ମିଛଟା ଜାରି ରଖିଥିବା ଯାଏ ଅଧଟା କେବଳ ଅନ୍ୟପଟେ ହିଁ ରହିଥାଏ । ସେହି ନୃଶଂସ ନ୍ୟାୟଟା ଦ୍ଵାରା ଉତ୍ତେଜିତ ହୋଇ ଦେଶମାନେ ଅର୍ଥାତ୍ ସରକାରମାନେ ସତେଅବା ଧର୍ମର ଅନୁରୋଧ ତଥା ଆବଶ୍ୟକତା ଦ୍ଵାରା ବାଧ୍ୟ ହୋଇ ଅଧର୍ମ ବିରୋଧରେ ଯୁଗେ ଯୁଗେ ଯୁଦ୍ଧ କରି ଆସିଛନ୍ତି । ଯୁଦ୍ଧରେ ଭଗବାନ ମଧ୍ୟ ଧର୍ମପଟେ ଅର୍ଥାତ ଆମ ପଟେ ରହିଛନ୍ତି ବୋଲି ପୃଥିବୀରେ ନିତାନ୍ତ ହାସ୍ୟକର ଭାବରେ ନାନା ଆଖ୍ୟାୟିକା ଲେଖା ହେବାରେ ଲାଗିଛି । ତେଣୁ ମୋଟେ ବିସ୍ମିତ ହେବା ଉଚିତ ନୁହେଁ ଯେ, ପାକ୍‌ମାନେ ଶତ୍ରୁମାନଙ୍କୁ ନାପାକ୍ ବୋଲି କହିଛନ୍ତି ଏବଂ ଡଉଲଡ଼ାଉଲ ଭଗବାନମାନେ ଚିରକାଳ ଧର୍ମର ସଂସ୍ଥାପନା ନିମନ୍ତେ ହିଁ ଏହି ମର୍ତ୍ତ୍ୟଭୂବନକୁ ଅବତରଣ କରିଆସିଛନ୍ତି । ପୃଥିବୀରେ ଲାଗିଥିବା କୌଣସି ଗୋଟିଏ ଯୁଦ୍ଧରେ ମଧ୍ୟ କୌଣସି ରାଜା ବା କୌଣସି ସରକାର ଆଦୌ ଅଧର୍ମ ପଟେ ରହି ଲଢ଼େଇ କରିନାହାନ୍ତି ।

 

ସେପଟ ସରକାର କହୁଛନ୍ତି ଯେ ଭାରତବର୍ଷ ଏବଂ ପାକିସ୍ତାନ ମଧ୍ୟରେ କାଶ୍ମୀର ସମସ୍ୟା ହେଉଛି ଅସଲ ସମସ୍ୟା ଓ ଏକମାତ୍ର ସମସ୍ୟା । ସେହି ସମସ୍ୟାଟିର ସମାଧାନ ହୋଇଗଲେ କୁଆଡ଼େ ଆଉ ଯାବତୀୟ ସମସ୍ୟାର ସମାଧାନ ବଳେବଳେ ହୋଇଯିବ ବୋଲି ମଧ୍ୟ କେଡ଼େ ତା’ପରେ ଘୋଷଣା କରାଯାଉଛି । ଅର୍ଥାତ୍ କାଶ୍ମୀରଟାକୁ ତୁମେ ଆମକୁ ଦେଇଦିଅ, ତେବେ ତୁମ ଆମ ଭିତରେ ଆଉ କୌଣସି ଝଗଡ଼ା ରହିବ ନାହିଁ ବୋଲି ସତକୁସତ କୁହାଯାଉଛି କି-? ପାକିସ୍ତାନ ଓ ଭାରତ ବୋଲି ଦୁଇଟା ଅଲଗା ଅଲଗା ରାଜନୀତିକ ମାନଚିତ୍ର ତିଆରି ହେବା ଆଗରୁ ଏହି ଭୂମିଟିକୁ ଏକ ଉପମହାଦେଶ ବୋଲି ଯେତେବେଳେ କୁହାଯାଉଥିଲା, ସେତେବେଳେ କାଶ୍ମୀର ମଧ୍ୟ ଥିଲା, ମାତ୍ର କାଶ୍ମୀର ନାମକ ଏବର ସମସ୍ୟାଟିଏ ନଥିଲା । ସେତେବେଳେ ଉପମହାଦେଶଟିରେ ମନୁଷ୍ୟମାନଙ୍କର ଯେଉଁ ସତକୁସତ ସମସ୍ୟା ଥିଲା, ତଥାକଥିତ ବିଭାଜନ ପରେ ସେଗୁଡ଼ିକର ଅପନୋଦନ ପାଇଁ ଏପାଖ ଅଥବା ସେପାଖ କୌଣସି ଗୋଟିଏ ପାଖରେ ମଧ୍ୟ ପୂର୍ଣ୍ଣ ସାଧୁତା ଅର୍ଥାତ୍ ଆନ୍ତରିକତା ସହିତ ପ୍ରୟାସଗୁଡ଼ିକୁ କରାଯାଇଛି କି ? ବିଂଶ ଶତାବ୍ଦୀର ମନୁଷ୍ୟ-ହିତକାରୀ ଜ୍ଞାନ ତଥା ବିଜ୍ଞାନଗୁଡ଼ିକୁ ପୂର୍ଣ୍ଣଭାବରେ କାମରେ ଲଗାହୋଇ ଉଭୟ ସରକାର ମନୁଷ୍ୟମାନଙ୍କୁ ହିଁ ସେମାନଙ୍କର ସମୁଚିତ ପ୍ରତିଷ୍ଠା ତଥା ସମ୍ମାନର ସ୍ଥାନରେ ଆଣି ବସାଇ ପାରିଛନ୍ତି କି ? ବାଧ୍ୟହୋଇ ହେଉ ଅଥବା ଏକ ଭେଳିକି ଲଗାଇ ରଖିବା ସକାଶେ ହେଉ, ସୈନ୍ୟସାମନ୍ତମାନଙ୍କର ଥାଟଟାକୁ ହିଁ ଅଧିକରୁ ଅଧିକ ପ୍ରତାପୀ କରି ତିଆରି କରିବାରେ ହିଁ ଉଭୟ ରାଷ୍ଟ୍ର ସର୍ବାଧିକ ଅର୍ଥର ବିନିଯୋଗ କରିଛନ୍ତି । ଦାରିଦ୍ର୍ୟକୁ ହଟାଇବାର ଯେତେ ମିହନ୍ତ କରାଗଲେ ମଧ୍ୟ ଦାରିଦ୍ର୍ୟ ହଟୁନାହିଁ,– ପୁରୁଣା ଧର୍ମାନ୍ଧତାମାନେ ହିଁ ସତେଅବା ଅଧିକ ମଣିଷଙ୍କର ଅବଲମ୍ବନ ହୋଇ ରହିଛନ୍ତି ଏବଂ ମଣିଷମାନଙ୍କୁ ପଛମୁହାଁ କରି ରଖିଛନ୍ତି । ସବୁ ମଣିଷଙ୍କୁ ସେମାନଙ୍କର ସର୍ବନିମ୍ନ ନାଗରିକତାବୋଧଟିକୁ ଆଣିଦେବାକୁ ହେଲେ ଏହି ଉଭୟ ଭୂମିରେ ଶିକ୍ଷା ତଥା ରାଜନୀତିର କ୍ଷେତ୍ରରେ ଯେତିକି ଉଦ୍ୟମ ହୁଅନ୍ତା, ତାହା ସତେଅବା ଏକ ଚକ୍ରାନ୍ତ ଦ୍ୱାରା ଅଟକି ରହିଯାଇଛି । ପ୍ରଜାମାନଙ୍କର ପ୍ରତିବାଦ-ଶକ୍ତିକୁ ଅତ୍ୟନ୍ତ ଚତୁର ଭାବରେ କ୍ଷୁର୍ଣ୍ଣ କରି ରଖାଯାଇଛି । ଅଥଚ ସବୁଠାରୁ ବଡ଼ ନାଗରାଟା କାଶ୍ମୀରର ନାଗରା ହୋଇ ହିଁ ବାଜିବାରେ ଲାଗିଛି ।

 

ଆନ୍ତରିକତା ଅନ୍ତର ଭିତରେ ଥାଏ । ଯେଉଁମାନେ ଅନ୍ୟମାନଙ୍କ ଠାରେ ଅଥବା ଅନ୍ୟ ପଟଟିରେ ସବାଆଗ ତାହାର ପ୍ରମାଣ ପାଇବାକୁ ଧାବମାନ ହୋଇ ରହିଥାଆନ୍ତି, ବିଚରା ସେମାନଙ୍କ ନିଜ ଭିତରେ ଯେ ସତ ଆନ୍ତରିକତା ଯଥେଷ୍ଟ ନଥାଏ, ସେହି କଥାଟି କିଏ ସେମାନଙ୍କୁ ସମଝାଇ ଦେଇପାରିବ ? ମଧ୍ୟ-ପ୍ରାଚ୍ୟରେ ଗୋଟିଏ ପଟେ ଇହୁଦୀମାନଙ୍କର ଇସ୍ରାଏଲ ଏବଂ ଅନ୍ୟପଟେ ଆରବ ଜନଗୋଷ୍ଠୀର ପାଲେଷ୍ଟିନୀୟମାନେ । ଉଭୟେ ସେହି ଗୋଟିଏ ଭୂମିରେ ବାସ କରୁଛନ୍ତି । ଦୁଇ ପଟର ଉତ୍ତମ ଓ ଅଧମ ଉଭୟେ ଗତ ପଚାଶ ବର୍ଷ ହେଲା ଯେଉଁସବୁ ରାଜନୀତିକ ପରିଣାମ ଭିତରେ ପାଚି ପାଚି ଆସିଛନ୍ତି, ତାହାରି ଦ୍ୱାରା ହିଁ ପ୍ରାୟ ଏକ ଧର୍ମୀୟ ନିଷ୍ଠା ସହିତ ବିଶ୍ୱାସ କରୁଛନ୍ତି ଯେ ଏହି ଦୁଇଟିଯାକ ଗୋଷ୍ଠୀ କଦାପି ଏକତ୍ର ବାସ କରିପାରିବେ ନାହିଁ । ତେଣୁ ସେମାନଙ୍କୁ ଅଲଗା ଅଲଗା ଦୁଇଟା ରାଷ୍ଟ୍ର ଗଢ଼ି ବାସ କରିବାକୁ ହେବ । ତେଣୁ, ବହୁବର୍ଷ ହେଲା ଦୁଇ ଗୋଷ୍ଠୀ ମଧ୍ୟରେ କାହା ଭାଗରେ କେତେ ଭୂମି ପଡ଼ିବ ବା ନପଡ଼ିବ, ତାହାରି ନିଶାପଟା ହିଁ ପଡ଼ିଛି । ଆଦୌ କିଛି ଫଇସଲା ହୋଇପାରୁନାହିଁ । ମଧ୍ୟସ୍ଥିମାନେ ବହୁ ଚେଷ୍ଟା କରୁଛନ୍ତି, ମାତ୍ର କଳହ ତୁଟୁନାହିଁ । ତେଣେ ଭୂମିଟାରେ ପ୍ରାୟ ପ୍ରତ୍ୟହ ରକ୍ତପାତ ଲାଗିରହିଛି ଏବଂ ଅନ୍ୟପଟଟାର ହିଁ ସମାଧାନଟିଏ ପାଇଁ କୌଣସି ଆନ୍ତରିକତା ନାହିଁ ବୋଲି ଦୋଷ ଦିଆଯାଉଛି ।

 

ରାଷ୍ଟ୍ରମାନଙ୍କର ଆଦୌ କୌଣସି ହୃଦୟ ନଥାଏ । ତେଣୁ ମଥା ଲଢ଼ାଲଢ଼ି ହେଉଥାଏ ଏବଂ ବୋମା ଫିଙ୍ଗାଫିଙ୍ଗି ମଧ୍ୟ ଚାଲିଥାଏ । ଅନ୍ତର ଦେଇ ଦେଖିଲେ ଅନ୍ୟ ପଟଟା ଆଗ ଦିଶେ । ଅନ୍ତର ଦେଇ ଦେଖିଲେ ସବାଆଗ ଭୂମିଟା ଦେଖାଯାଏ । ରାଷ୍ଟ୍ର ଅପେକ୍ଷା ଭୂମିଟା ହିଁ ଅଧିକ ଓଜନ ବିଶିଷ୍ଟ ବୋଲି ହୃଦବୋଧ ହୋଇଯାଏ । ଆମର ଏଠାରେ ମଧ୍ୟ ଅନ୍ତରର ଦର୍ପଣ ଉପରେ ଚାହିଁ ଦେଖିବାକୁ ସାହସ କଲେ ଆଗ ଭୂମିଟା ଦେଖାଯିବ । ଭୂମିଟାର ହିଁ ଇତିହାସ ନାମକ ଯାହାକିଛି ରହିଛି । ଇତିହାସ-ଦେବତାର ଏକାଧିକ ବିଧାନ ଅନୁସାରେ ଲୋକମାନେ ଏକତ୍ର ଗୋଟିଏ ନିୟତିରେ ବନ୍ଧାହୋଇ ରହିଛନ୍ତି । ପାକ୍ ନାପାକ୍ କିଛି ନାହିଁ, କାଶ୍ମୀର ମଧ୍ୟ ଆଦୌ କେଉଁଠି ହେଲେ ଅଲଗା ହୋଇ ଦିଶୁନାହିଁ । କାଶ୍ମୀରରେ ମଣିଷମାନେ ଅଛନ୍ତି । ଦୁଇପଟର ମଣିଷଙ୍କ ସହିତ ସେମାନେ ଏକ ଦୀର୍ଘ ଅବିଚ୍ଛିନ୍ନତାରେ ବନ୍ଧା ହୋଇ ରହିଛନ୍ତି । ସେମାନେ ଗୋଟେ ପିଠାଖଣ୍ଡେ ନୁହନ୍ତି ଯେ, ଦୁଇପଟର ଦୁଇ ବିଲେଇ ବସି ସେଇଟା କାହା ଭାଗରେ ପଡ଼ିବ, ତାହାର ମୀମାଂସା କରିବେ ।

 

ବିଗତ ଏତେବର୍ଷ ଭିତରେ ଉଭୟ ରାଷ୍ଟ୍ର ପରସ୍ପର ଆଡ଼କୁ ପ୍ରାୟ ବାଡ଼ି ଉଞ୍ଚାଉଞ୍ଚି ହେବାରେ ଏତେ ଅନ୍ୟମନସ୍କ ହୋଇ ରହିଛନ୍ତି ଯେ, ହୁଏତ ଏହି ଭୂମିଟାକୁ ଅନ୍ତରଙ୍ଗ ଏବଂ ଆନ୍ତରିକ ଭାବରେ ଅନୁଭବ କରିବାକୁ ସେମାନଙ୍କ ହିମ୍ମତ ପାଉନାହିଁ । ଅଥଚ ଏହି ସମଗ୍ର ଉପମହାଦେଶରେ ସେହି ଏକା ମୁଖ୍ୟ ସମସ୍ୟାମାନ ଏବେ ମଧ୍ୟ ଲେକସମୁଦାୟଟି ନିମନ୍ତେ ବହୁ ଦୁଃଖ ଏବଂ ସନ୍ତାପର କାରଣ ହୋଇଛି । ଖାସ୍ କାଶ୍ମୀରବାସୀଙ୍କ ଲାଗି ମଧ୍ୟ କାଶ୍ମୀର କେଉଁ ଖଣ୍ଡଟା ସହିତ ମିଶିବ, ଦୁଇ ବିଲେଇଙ୍କ ମଧ୍ୟରେ ଦୁଇଖଣ୍ଡ ହୋଇ ବଣ୍ଟାହେବ ଅଥବା ତଥାକଥିତ ଏକ ଅଲଗା ରାଷ୍ଟ୍ର ବୋଲି ଘୋଷିତ ହେବ, ତାହା ମୋଟେ ମୁଖ୍ୟ ସମସ୍ୟା ନୁହେଁ । ସବୁଠାରେ ସେଇ ମଣିଷମାନଙ୍କର ସମସ୍ୟା | ଅନ୍ନର ସମସ୍ୟା, ସବୁ ପିଲା ପାଠ ପଢ଼ିବାର ସମସ୍ୟା, ନିଜକୁ ସଚେତନ ଭାବରେ ଜଣେ ନାଗରିକ ବୋଲି ଜାଣି ମେରୁଦଣ୍ଡ ସିଧା କରି ଆଗକୁ ଚାହିଁ ବାଟ ଚାଲିବାର ହିଁ ସମସ୍ୟା । ଶୋଷଣ ଦୂର ହେବାର ସମସ୍ୟା ଏବଂ ଅସହାୟତା ଲୁପ୍ତ ହେବାର ସମସ୍ୟା ଏବଂ ଆଧୁନିକତମ ଜ୍ଞାନ ଓ ବିଜ୍ଞାନକୁ ସଂପୃକ୍ତ ସମସ୍ତଙ୍କ ଦୁଆର ପାଖରେ ପହଞ୍ଚାଇ ଏଠି ବାସ କରୁଥିବା ମନୁଷ୍ୟମାନଙ୍କୁ ପୃଥିବୀ ନିମନ୍ତେ ଅପେକ୍ଷା କରି ରହିଥିବା ଆଗାମୀ ଆହ୍ୱାନଗୁଡ଼ିକ ମଧ୍ୟକୁ ଉଦବୋଧିତ କରିନେବାର ସମସ୍ୟା । ଯେକୌଣସି କାରଣରୁ ହୋଇଥାଉ ପଛକେ ଏପଟ ଅଥବା ସେପଟର ରାଷ୍ଟ୍ରୀୟ ନେତାମାନେ ଆଉ ସେହି ବୃହତ୍ କାର୍ଯ୍ୟଟିର ସମର୍ଥ ହୋଇପାରୁ ନାହାନ୍ତି । ସମଗ୍ର ଉପମହାଦେଶଟି ପ୍ରତାରିତ ହୋଇ ଏକ ଅନ୍ୟ ଉନ୍ମୀଳନ ଲାଗି ଦିନ ଗଣୁଛି । ନାନା ଅସନ୍ତୋଷ ମଧ୍ୟ ପ୍ରକଟ କରିବାକୁ ଆରମ୍ଭ କଲାଣି । ଏକ ନୂତନ ନେତୃତ୍ୱ ହିଁ ତାହାକୁ ଯଥାର୍ଥ ଭାବରେ ବୁଝିପାରିବ । ଏକ ଅନ୍ୟ ଆଖିରେ ଅଧିକ ସମଗ୍ର ଭାବରେ ଦେଖିବାକୁ ସମର୍ଥ ହେବ ।

 

ସେପାଖରୁ ଘୋରି ଓ ଏପାଖରୁ ଅଗ୍ନି । ଅଧିକ ସଙ୍ଗତି ସହିତ କହିଲେ, ଏପାଖରୁ ଅଗ୍ନି ଓ ସେପାଖରୁ ଘୋରି । ଆନ୍ତରିକତାମାନେ ସତକୁସତ କେଉଁଠାରେ ଥଲେ, ଅଥବା ଅଧିକ ସଙ୍ଗତି ସହିତ କହିଲେ କେଉଁ ଆନ୍ତରିକତାର ଅଭାବ ରହିଥିଲେ ନିଜ ଅହନ୍ତାର ଚୂଲୀଗୁଡ଼ାକ ଭିତରୁ ଯେ ଉଭୟ ପକ୍ଷ ବାଣମାନଙ୍କୁ ତିଆରି କରିବାରେ ଲାଗିଥାନ୍ତି ଓ କେବଳ ଆରପଟଟାରେ ହିଁ ଆନ୍ତରିକତାର ଅଭାବ ରହିଛି ବୋଲି ଉଲୁଗୁଣା ଦେଉଥାନ୍ତି, କେବଳ ଉପମହାଦେଶର ଏହି ସମଗ୍ର ମଣ୍ଡଳଟିକୁ ଗୋଟିଏ ନିୟତି ଭାବରେ ଏବେ ମଧ୍ୟ ଦେଖିପାରୁଥିବା ବିବେକଟିଏ ହିଁ ସେହି କଥାଟିରେ କୌଣସି ନିର୍ଣ୍ଣୟ ଦେଇପାରିବ । ବିଚରା ରାଷ୍ଟ୍ରମାନଙ୍କର ବୁଦ୍ଧିଟା କଦାପି ସେଡ଼େ ଯୋଗ୍ୟ ହୋଇପାରିବ ନାହିଁ । ଏକ ଧୃଷ୍ଟ ଜାତୀୟତାବାଦର ନବରଙ୍ଗ ଲଗାଇଦେଇ ରାଷ୍ଟ୍ରମାନେ ଆମର ଶୁଭତର ବାସନା ତଥା ଅନୁରାଗଗୁଡ଼ିକୁ ପ୍ରୟୋଜନତଃ ଫଳଫାଳ କରି ରଖିଥିବେ । କେବଳ ସେହି ଅନ୍ୟ ପଟଟାରେ ହିଁ ଆନ୍ତରିକତାର ଅଭାବ ରହିଛି ବୋଲି ଝିଙ୍ଗାସିବାରେ ଲାଗିଥିବେ । ଦୁଇ ପଟଟାକୁ ଓଲୁ କରି ରଖିଥିବେ ।

୨୬/୨/୨୦୦୧

Image

 

ମୂଲ୍ୟଭିତ୍ତିକ ଶିକ୍ଷା

 

ଭାରତବର୍ଷରେ ଅଶରୀରୀ ସଂସ୍କୃତିଟାର ବହୁତ ଅନୁଗ୍ରହ ଯେ, ଏଠି ଆମର ପାଠଶାଳାମାନଙ୍କରେ ବାରମାସରେ ବାଇଶି ପର୍ବ ଲାଗି ରହିଥାଏ । ସୁଜନମାନେ ବହୁତ ଶ୍ରଦ୍ଧାରେ କହିବାରେ ଲାଗିଥାଆନ୍ତି ଯେ ଏହି ପର୍ବଗୁଡ଼ିକ ପଛରେ ଗୋଟିଏ ଗୋଟିଏ ମୂଲ୍ୟର ବ୍ୟଞ୍ଜନା ସବୁବେଳେ ରହିଥାଏ । ତେଣୁ ଶିକ୍ଷାର ମହକମାରୀ ବିଭାଗଟାକୁ ଶାସନ କରୁଥିବା ଆମ ମହାମନାମାନେ ଅତ୍ୟନ୍ତ ସଦିଚ୍ଛାର ସହିତ ଭାବିଛନ୍ତି ଯେ, ଏହିସବୁ ପର୍ବଦିନଗୁଡ଼ିକରେ ପାଠ ପଢ଼ୁଥିବା ପିଲାମାନଙ୍କୁ ସମ୍ପୃକ୍ତ ମୂଲ୍ୟଗୁଡ଼ିକ ବିଷୟରେ ସଚେତନ କରାଇ ଦିଆଯାଉଥିବା ଉଚିତ । ସାହିତ୍ୟ ବୋଲି ଯେଉଁ ପାଠ୍ୟପୁସ୍ତକମାନ ସରକାରୀ ସିରସ୍ତାରୁ ପ୍ରସ୍ତୁତ କରାଯାଏ, ସେଥିରେ ମଧ୍ୟ ପିଲାମାନଙ୍କର ମଗଜ ଭିତରେ ତଥାକଥିତ ମୂଲ୍ୟଗୁଡ଼ିକୁ ବଙ୍କା ଢଙ୍କା ନାନା କୁଶଳତା ସହକାରେ ଆଣି ଭର୍ତ୍ତି କରିଦେବାର ଚେଷ୍ଟା କରାଯାଇଥାଏ । ଏବେ ତ କେତେଟା ବିଶେଷ କାରଣରୁ ସ୍ୱତନ୍ତ୍ର ଗୁରୁତ୍ୱମାନ ପ୍ରଦାନ କରାଯାଇ ଉପରମହଲମାନଙ୍କରୁ ମୂଲ୍ୟଭିତ୍ତିକ ଶିକ୍ଷା ସମ୍ପର୍କରେ ଅନେକ ଅନେକ କଥା:ଏବଂ ନଥାମାନ କୁହାଯିବାରେ ଲାଗିଛି । ଦିଲ୍ଲୀର ମହାମିଳିନ୍ଦମାନେ ପ୍ରାୟ ଏକ ଉଦ୍‍ଗ୍ରୀବ ଆଗ୍ରହ ସହିତ ଅନୁଜ୍ଞାପତ୍ର ପଠାଇ ରାଜ୍ୟମାନଙ୍କରେ ଶିକ୍ଷାର ଅଟ୍ଟାଳୀଗୁଡ଼ିକୁ ଜଗିଥିବା ରାଜ୍ୟସ୍ତରୀୟମାନଙ୍କୁ ସେହି ବିଷୟରେ ଜାଗରୁକ କରି ରଖିବାକୁ ଲାଗି ପଡ଼ିଛନ୍ତି । ଜାହାଜ ଜାହାଜ କାଗଜ ଖର୍ଚ୍ଚ ହେଉଛି ।

 

ବିଚରା ଆମର ପାଠ ପଢ଼ୁଥିବା ପିଲାମାନେ ! ପ୍ରାଚୀନ ଶାସ୍ତ୍ରୀୟ କାଳରେ ଏକଦା ବ୍ରହ୍ମଚର୍ଯ୍ୟାଶ୍ରମ ବୋଲି କୁହାଯାଇ ଆସିଥିବା ଏହି ଅବସ୍ଥାଟିରେ ଥିବା ଆମର ପିଲାମାନଙ୍କୁ ଏକାବେଳକେ ଏତେ ଏତେ ମୂଲ୍ୟ ବିଷୟରେ ଏତେ ପ୍ରକାରର ପ୍ରଚୋଦନା ଦିଆଯିବାରେ ଲାଗିଛି ଯେ, ବିଚରା ପିଲାଟିର ଆଦୌ କୌଣସି କଥାକୁ ଗମ୍ଭୀର ଭାବରେ ଗ୍ରହଣ କରିପାରିବାର ମୂଳଭିତ୍ତିଟି ହିଁ ହୁଏତ ଭାଙ୍ଗି ଚୁରମାର ହୋଇଯାଉଛି । ଭଳି ଭଳି ମୂଲ୍ୟର ପରାମର୍ଶମାନ ତା'ର ମସ୍ତିଷ୍କଟା ଉପରେ ଏପରି ବାଟୁଳି ପରି ଆସି ବାଜିବାରେ ଲାଗିଛନ୍ତି ଯେ, କେବଳ ବହିଗୁଡ଼ାକୁ ଏବଂ ବଡ଼ମାନଙ୍କର ଗୋଦଡ଼ା କଥାଗୁଡ଼ାକୁ ବାଦ୍ ଦେଲେ ମୂଲ୍ୟ ବୋଲି ପ୍ରକୃତରେ ଆଉ କେଉଁଠାରେ କିଛି ରହିଛି ବୋଲି ବଡ଼ ଜଞ୍ଜାଳରେ ପଡ଼ି ସିଏ ପ୍ରଶ୍ନ କରିବାରେ ଲାଗିଛି । ଇସ୍କୁଲ ଛାଡ଼ି ପୃଥିବୀରେ ପ୍ରବେଶ କରିବା ସମୟରେ ତୁଳା ଫମ୍ପା ହାଣ୍ଡିଟାଏ ହୋଇ ବାହାରୁଛି । ଏବଂ, ସମଗ୍ର ଦେଶର ଆକାଶଟା ଆଉ ମୂଲ୍ୟ ବୋଲି ଏଠି କିଛିହେଲେ ରହିଲା ନାହିଁ ରୋଦନ କରିବାରେ ଲାଗିଛି । ପିଲାଟି ଆପଣାକୁ ଛେଉଣ୍ଡଟାଏ ବୋଲି ନଭାବିବାକୁ ଆଉ ଗତି ହିଁ ନାହିଁ । ନେତାମାନେ, ଶାସକମାନେ ତଥା ଶିକ୍ଷକମାନେ ଯେ ଇତିମଧ୍ୟରେ ଛେଉଣ୍ଡ ହୋଇସାରିଲେଣି ଓ ସତ୍ୟ-ମୂଲ୍ୟଗୁଡ଼ିକ ଯେ କେବଳ ଗୋଟିଏ ଗୋଟିଏ ଚାରୁବାକ୍ୟ ହୋଇ ଚାର୍ବାକ୍‍ମାନଙ୍କର ତୁଣ୍ଡରେ ହିଁ ଶୋଭା ପାଉଛି, ସେହି କଥାଟିକୁ ପିଲାମାନଙ୍କ କାନ ଯାଏ ଆଣି ପହଞ୍ଚାଇବାକୁ ସତେଅବା କେହି ନାହାନ୍ତି । କହିବା ବାହୁଲ୍ୟ, ପିଲାମାନେ ବି ବୟସରେ ବଡ଼ ହୋଇ ସେହି ଧାରାଟିର ଅନୁସରଣ କରିବାକୁ ହିଁ ଅଧିକ ନିରାପଦପ୍ରାୟ ମଣୁଛନ୍ତି ଏବଂ ପଲଟା ଭିତରେ ଚାହୁଁ ଚାହୁଁ ମିଶି ଯାଉଛନ୍ତି ।

 

ତା’ର ଏହି ମହାନ୍ ଏବଂ ବୃହତ୍ ଦେଶରେ ସେହି ଆଦିକାଳରୁ ହିଁ ବୁଦ୍ଧ, ମହାବୀର ଆଦି ମହାପୁରୁଷ ଓ ମହାନ୍ ଆତ୍ମାମାନଙ୍କର ଧାରାଟି ଆରମ୍ଭ ହୋଇ ଗାନ୍ଧୀ ତଥା ଆହୁରି ଅଧ ଡଜନେ ନିତ୍ୟସ୍ମରଣୀୟଙ୍କ ଯାଏ ଲମ୍ବି ଚାଲିଆସିଛି । ସେମାନେ ସମସ୍ତେ ବିଶ୍ୱବାସୀଙ୍କ ସକାଶେ ଶାନ୍ତିର ବାଣୀକୁ ବହନ କରି ଆଣିଛନ୍ତି । ଭାରତବର୍ଷକୁ ପୃଥିବୀର ଗୁରୁରୂପେ ପ୍ରତିଷ୍ଠିତ କରିଛନ୍ତି । ପୃଥିବୀର ମନୁଷ୍ୟମାନେ ସେହି ମହାତ୍ମାମାନେ ପ୍ରଚାର ଓ ପ୍ରତିନିଧିତ୍ୱ କରି ଯାଇଥିବା ମୂଲ୍ୟଗୁଡ଼ିକୁ ଫେରିଗଲେ ଯାଇ ବର୍ତ୍ତମାନର ଦୁର୍ଗତିରୁ ତ୍ରାହି ମିଳିବ ବୋଲି ପିଲାମାନଙ୍କୁ କେତେଭଳି ଠାଣିଯୁକ୍ତ ସମ୍ଭ୍ରମରେ କୁହାଯାଉଛି । ଶୁଣୁ ଶୁଣୁ ଆମ ପିଲାଏ ଅଲବତ ଅଭିଭୂତ ହୋଇ ଯାଉଥିବେ । ସେକାଳେ ପ୍ରତ୍ୟୁଷରେ ଋଷିମାନେ ବେଦମନ୍ତ୍ର ଗାନ କରି ଦେବତାମାନଙ୍କୁ ବି ଆମର ଏହି ମାଟିଯାଏ ଅବତୀର୍ଣ୍ଣ କରାଇ ଆଣି ପାରୁଥିଲେ । ଭାରତବର୍ଷକୁ ଚିରକାଳ ନିମନ୍ତେ ଏକ ପୁଣ୍ୟଭୂମି କରି ରଖିବାର ଅଧିକାର ଆଣି ଦେଇଥିଲେ । ସେହି ଉତ୍ତରାଧିକାରକୁ ନିଜ ଜୀବନରେ ଜାଗ୍ରତ ଏବା ଚାକ୍ଷୁଷ କରି ରଖିବା ଲାଗି ପିଲାମାନଙ୍କୁ ଉଦ୍‌ବୋଧନ ଦିଆଯାଉଛି । ପିଲାଟି ଗୋଟାଏ କାନରେ ସେଗୁଡ଼ିକୁ ଅତ୍ୟନ୍ତ ଉଦ୍‌ବୁଦ୍ଧ ହୋଇ ଗ୍ରହଣ କରୁ କରୁ ସେ କାନରେ ଆଉ କିଏ ଆସି ତାକୁ ପୋଖରାନ୍ କଥା କହୁଛି । କାରଗିଲ ରଣକ୍ଷେତ୍ରର ବିପୁଳ କୀର୍ତ୍ତିଗାଥାଗୁଡ଼ିକର କଥା ଶୁଣାଇ ତାକୁ ତନ୍ମୟ କରି ପକାଉଛି । ଜାତୀୟ ଦିବସମାନଙ୍କରେ ତାଙ୍କୁ ରାଜଧାନୀରେ ସ୍ୱତନ୍ତ୍ର ବେଶ ପିନ୍ଧାଇଦେଇ କମାଣ ଓ ଶତ୍ରୁନିଧନର ଅନ୍ୟାନ୍ୟ ବହୁ ଅସ୍ତ୍ରର ଆଡ଼ମ୍ବରଯାତ୍ରା ସହିତ ଏକାଠି କରାଇ ଅଡ଼ାଇ ନିଆଯାଉଛି । ପିଲାଟିଏ ସେଠାରେ ଭାରି ମୂଲ୍ୟ ସଙ୍କଟରେ ଯେ ପଡ଼ିଯାଉଥିବ, ସେହି ବିଷୟରେ କିଞ୍ଚିତ୍ ଦରଦର ସହିତ କିଛି ଭାବିବାକୁ ମଧ୍ୟ ବଡ଼ମାନଙ୍କର ବେଳ ନାହିଁ । ତାକୁ ଏକାବେଳକେ ଆଗକୁ ତଥା ପଛକୁ ଯିବାକୁ କୁହାଯାଉଛି । ଏକାବେଳକେ ଆଦିମ ଏବଂ ଆଧୁନିକ ହେବାର ମନ୍ତ୍ରଣା ଦିଆଯାଉଛି, କେଉଁ ଗାରଠାରୁ ତଳକୁ ଖସିଲେ ବୀରମାନେ ତୁଚ୍ଛା ବର୍ବର ହୁଅନ୍ତି ଓ ତଥାପି ଉତଫୁଲ୍ଲ ହୋଇ ରହିଥାଆନ୍ତି, ନ୍ୟାୟଦ୍ରଷ୍ଟାମାନେ ଏବିଷୟରେ କ'ଣ କେବେହେଲେ କିଛି କହିନାହାନ୍ତି ? ଗୋଟାଏ ମୁହଁରେ ସେଇ ଜଣେ ବୀରବର ଯେତେବେଳେ ଧର୍ମରକ୍ଷା ଏବଂ ଧର୍ମଯୁଦ୍ଧ କଥା କହୁଥିବ, ସେତେବେଳେ ପିଲାଟିଏ କିପରି ଦୁଇଟିଯାକକୁ ଏକାଠି ଗ୍ରହଣ ଅଥବା ବର୍ଜନ କରିପାରିବ ?

 

ବହି ଓ ବିଦ୍ୟାଳୟର ବାହାରେ ମଧ୍ୟ କେତେ ମୂଲ୍ୟ ଆସି ଆମ ପିଲାମାନଙ୍କର ବିବେକ ଉପରେ ବୋଲୁଅ ପରି ବାଜିବାରେ ଲାଗିଛନ୍ତି । ପରମ୍ପରା ଭିତରେ କେତେ କେତେ ମୂଲ୍ୟ, ରାମାୟଣ ଓ ମହାଭାରତ କାହାଣୀରେ ତ ମୂଲ୍ୟ ବ୍ୟତୀତ ଆଉ କିଛି ହେଲେ ନାହିଁ ବୋଲି ନିରନ୍ତର କୁହାଯିବାରେ ଲାଗିଛି । ଓଡ଼ିଶାକୁ କେତେବେଳେ ଜନନୀ ବୋଲି କୁହାଯାଉଛି, ପୁଣି ଓଡ଼ିଶାକୁ ଗର୍ଭରେ ଧରିଥିବା ଭାରତବର୍ଷ ଆଡ଼କୁ ମଧ୍ୟ ବେଳେବେଳେ ପିଲାର ମନରୂପୀ ବଳଦଟାକୁ ଅଡ଼ାଇ ନେବାର ଉଦ୍ୟମ କରାଯାଉଛି । ଜଗନ୍ନାଥ ମହାପ୍ରଭୁଙ୍କଠାରେ ତ ସବୁଯାକ ମୂଲ୍ୟ ଏକତ୍ର ଖଣି ମରା ହୋଇରହିଛି । ଜଗତଯାକର ନାଥ ବୋଲି ତାଙ୍କୁ କୁହା ହେଉହେଉ ଆଉ ଗୋଟାଏ ବାଉଳା ଭିତରକୁ ପଶି ଯାଇ ତାଙ୍କୁ ଜଗତଯାକରେ ଶ୍ରେଷ୍ଠ ବୋଲି ବି କୁହାଯାଉଛି । ଅତ୍ୟନ୍ତ ଅଭ୍ୟସ୍ତ ଭାବରେ ଆମ ସାମୂହିକ କାରବାର ଭିତରେ ଚଳିଆସିଥିବା ଆଚାରମାନଙ୍କୁ ମାନିବାକୁ ହିଁ ଜୀବନରେ ଅସଲ ମୂଲ୍ୟ ବୋଲି ମାନିନେବାକୁ ସତେଅବା ମଣିଷମାନଙ୍କର ଇହଜୀବନରେ ସବା ବଡ଼ କଥା ବୋଲି ଦାବୀ କରାଯାଉଛି । ଏହି ଯାବତୀୟ ମୂଲ୍ୟଫାଶର ଭେଳିକି ଲଗାଇ ଦେଇ ସାଧାରଣ ମଣିଷମାନଙ୍କୁ ଅତ୍ୟନ୍ତ ଚତୁରତାର ସହିତ ଗୋଟିଏ ଗୋଟିଏ ଘୁଷୁରୀ କରି ରଖିବାର ଫିସାଦ କରାଯାଉଛି କି ? ଗୋଟିଏ ସ୍ଵାଧୀନ ଦେଶରେ ମନୁଷ୍ୟମାନଙ୍କୁ ଏପରି ଅନ୍ୟମନସ୍କ କରି ରଖାଯିବ ଯେ ସେମାନେ ନିଜ ଭିତରୁ କିଛିହେଲେ ଖୋଜିବେ ନାହିଁ, କିଛିହେଲେ ନିଜର ବିବେକକୁ ଖଟାଇ ଗ୍ରହଣ ଅଥବା ବର୍ଜନ କରିବେ ନାହିଁ, କୌଣସି ପ୍ରତିବାଦ କରିବେ ନାହିଁ– ଏହି ଦେଶରେ ମୁଖ୍ୟତଃ ସେହି ଚକ୍ରାନ୍ତଗୁଡ଼ିକୁ ବଜାୟ ରଖିବା ନିମନ୍ତେ ଆମକୁ ଶାସନ କରୁଥିବା ଉତ୍ତମମାନେ କାଳେକାଳେ ପ୍ରୟାସ କରି ଆସିଛନ୍ତି କି ? ଦେଶଟା, ଭାଗ୍ୟଟା ଏବଂ ସାମୂହିକ ପରିଧି ତଥା ପରିବେଶର ଅନ୍ଦାଜଗୁଡ଼ାକ ବଦଳିବ ବୋଲି ଏତେ ଏତେ ଢୋଲ ପିଟା ହୋଇଛି ଏବଂ ହେଉଛି କ'ଣ ସତକୁସତ ଏହି ଦେଶରେ ଅଧିକ ମଣିଷଙ୍କୁ ନାନା ଅମାନୁଷିକତାକୁ ସହ୍ୟ କରିବା ପାଇଁ ମଣ କରି ରଖିବାକୁ ?

 

ମୂଲ୍ୟଗୁଡ଼ିକୁ ପୁଞ୍ଜିକରି ସ୍ଵୟଂ ବଞ୍ଚୁଥିବା ଶିକ୍ଷକ ଅଥବା ଅଧ୍ୟାପକଟିଏ କାହିଁ ଯେ ସିଏ ଆମ ପିଲାମାନଙ୍କୁ ଯଥାର୍ଥ ମୂଲ୍ୟଗୁଡ଼ିକୁ ଖୋଜି ବାହାରିବାର ଉଦ୍‌ବୋଧନ ଦେଇପାରିବେ ? ଶିକ୍ଷକମାନେ ସତେଅବା ଆଉସବୁ କେଉଁଥି ସକାଶେ ବାଇଆ ହୋଇ ବାହାରିବା ପରି କ୍ରମେ ମୂଲ୍ୟସମ୍ପନ୍ନ ଜୀବନଟିଏ ନବଞ୍ଚିବାକୁ ହିଁ ସଫଳ ହେବାର ଅମୋଘ ଉପାୟ ବୋଲି ଧରିନେଇ ସାରିଲେଣି । ସରକାରୀ ଲମ୍ପଟମାନଙ୍କ ସହିତ କୁସ୍ତି ଲଢ଼ୁ ଲଢ଼ୁ ସେମାନଙ୍କ କାନ୍ଧରୁ କେତେବେଳେ ପଇତାଟି ଖସି ବାହାରି ଗଲାଣି, ସେଥିପାଇଁ ଆଉ କୌଣସି ହୋସ୍ ନାହିଁ । ଆପଣାକୁ ସବାଆଗ ଅରକ୍ଷିତ ବୋଲି ଅନୁଭବ କରୁଥିବା ମଣିଷଟିଏ ଅତ୍ୟନ୍ତ ଶୋଚନୀୟ ଭାବରେ ନିଜକୁ ଅଯୋଗ୍ୟ ଏବଂ ଅଧିକ ଅଯୋଗ୍ୟ କରିବାରେ ଲାଗିଥିବ ଏବଂ ନିଜ ଅକଲର ଅସଲ କେନ୍ଦ୍ରଗୁଡ଼ିକ ପାଖରେ ଅପରାଧୀଟିଏ ହୋଇ ଛିଡ଼ା ହୋଇଥିବ ସିନା, ଦାୟିତ୍ୱସମ୍ପନ୍ନ ହେବାଲାଗି କୌଣସି ଫୁରସତ୍ ମଧ୍ୟ ପାଇବ ନାହିଁ । ଦରମା ହୁ ହୁ ହୋଇ ବଢ଼ୁଥିଲେ ମଧ୍ୟ ସିଏ ନିଜର ଅସଲ ଘରକୁ ଫେରି ଆସିବାକୁ ମୋଟେ ଇଚ୍ଛା କରିବ ନାହିଁ । ମୂଲ୍ୟଗୁଡ଼ିକର ପ୍ରଶସ୍ତି ଗାଉଥିବ ସିନା, ମୂଲ୍ୟମାନଙ୍କୁ ବଞ୍ଚିବାର ଗରଜଠାରୁ ବହୁ ଦୂରରେ ରହିଥିବା ପିଲାମାନେ ତାକୁ ବାଧ୍ୟ ହୋଇ ଉପରେ ସମ୍ମାନ ଓ ସ୍ୱୀକୃତି ଭଳି ହୁଏତ କିଛି ଦେଖାଉଥିବେ ସତ, କିନ୍ତୁ ଭିତରେ ବର୍ଜନ କରି ଦେଇଥବେ । ବିସ୍ମିତ ହେବାର ଆଦୌ କିଛି ନାହିଁ ଯେ ଏବେ ଆମ ପିଲାମାନେ ରାସ୍ତାକଡ଼ ନାଳଦାଢ଼ରୁ ବାସ୍ତବ ପାଠଗୁଡ଼ିକୁ ଶିକ୍ଷା କରିବାକୁ ହୁଏତ ଇଚ୍ଛା କରିବେ ସିନା, ନିଜ ଶ୍ରଦ୍ଧାର ଅଳିନ୍ଦଟିରୁ ଶିକ୍ଷକକୂଳକୁ ନିର୍ମଳ ବିବେକର ବୋଲ ମାନି ବିଦାୟ ଦେଇ ସାରିଥିବେ । ସମ୍ଭବତଃ ସେହି କାରଣରୁ ଶିକ୍ଷକମାନେ ମଧ୍ୟ ଶ୍ରେଣୀଗୃହକୁ ମନ ନକରି ରାସ୍ତାକୁ ବାହାରି ଶୋଭାଯାତ୍ରା କରିବାକୁ ଅଧିକ ସ୍ପୃହଣୀୟ ବୋଲି ବିଚାରୁଥିବେ ।

 

ମୂଳତଃ ପିଲାମାନଙ୍କ ପାଖରୁ ହୁଡ଼ି ଚାଲି ଯାଇଥିବାରୁ ଆମ ଶିକ୍ଷକମାନେ ଏପରି ହନ୍ତସନ୍ତ ହୋଇ ରହିଛନ୍ତି । ପିଲାମାନଙ୍କ ଦ୍ଵାରା ପ୍ରତ୍ୟାଖ୍ୟାତ ହୋଇଥିବାରୁ ସେମାନେ ଧର୍ମ ହରାଇଛନ୍ତି ବା ଆଗ ଏକାଧିକ କାରଣରୁ ଅର୍ଥାତ୍ ଏକାଧିକ ଅନ୍ୟ ଆନୁଗତ୍ୟରୁ ଧର୍ମ ହରାଇଛନ୍ତି ବୋଲି ପିଲାଙ୍କ ଦ୍ୱାରା ବି ପ୍ରତ୍ୟାଖ୍ୟାତ ହୋଇଛନ୍ତି, ସେକଥା ହୁଏତ ଅଙ୍କ କଷି ଆଦୌ କହିହେବ ନାହିଁ । ଲକ୍ଷ୍ମୀ ବଢ଼ୁଛନ୍ତି ମାତ୍ର ସେମାନେ ଅଧିକରୁ ଅଧିକ ଲକ୍ଷ୍ମୀଛଡ଼ା ହେବାରେ ଲାଗିଛନ୍ତି । ସ୍ୱାଧୀନ ଦେଶରେ ଶିକ୍ଷକମାନଙ୍କୁ କେତେକେତେ ନୂତନ ମୂଲ୍ୟର ଆହ୍ୱାନ ତଥା ଅନ୍ୱେଷଣ ବସ୍ତୁତଃ ମହିମାମୟ କରି ରଖିଥାନ୍ତା, ଏକ ନବ ସ୍ଵାଧୀନ ଦେଶର ବହୁବହୁ ପ୍ରତିଶ୍ରୁତି ସେମାନଙ୍କୁ ସତେଅବା ତାରୁଣ୍ୟର ନାନା ଆଖି ଦେଇ ନିଜର କ୍ଷେତ୍ରରେ ସଦାସଚଳ ଏବଂ ସଦା ଜାଗରୁକ କରି ରଖିଥାଆନ୍ତା ଏବଂ ସମ୍ଭବତଃ ତାହାରି ବଳରେ ହିଁ ସ୍ଵୟଂ ସରକାର ଶିକ୍ଷକମାନଙ୍କ ଫରମାସ ଅନୁସାରେ ହିଁ ସେମାନଙ୍କ ପରିଚର୍ଯ୍ୟା କରିବାକୁ ବାଧ୍ୟ ହେଉଥାନ୍ତେ । ଆମ ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଆବଶ୍ୟକତାମାନ ପୂରଣ କରିବାକୁ ସରକାର ବାଧ୍ୟ ବି ହେଉଥାଆନ୍ତେ । କଦବା କଥାରେ ନତୁଟିବାରୁ ଶିକ୍ଷକମାନଙ୍କୁ ରାସ୍ତା ଉପରକୁ ବାହାରିବାକୁ ପଡ଼ିଲେ ଅଭିଭାବକକୂଳ ମଧ୍ୟ ସେମାନଙ୍କ ସହିତ ଏକାଠି ହେବାକୁ ବାହାରି ଆସୁଥାନ୍ତେ ଓ ତା'ପରେ କୋଉ ସରକାରକୁ ତାଙ୍କର କୌଣସି ବୋପା ମଧ୍ୟ ଉଦାସୀନ ହୋଇ ରଖିବାଲାଗି ମୋଟେ ସମର୍ଥ ହୁଅନ୍ତେ ନାହିଁ ।

 

ତେଣୁ ଶିକ୍ଷକ ଫେରିଆସୁ । ଅନ୍ତତଃ କେତେକ ଶିକ୍ଷକ ଫେରିଆସନ୍ତୁ । ବିଦ୍ୟାଳୟକୁ ଯୋଗ୍ୟତା ତଥା ସାଧୁତା-ପ୍ରଦର୍ଶନର ଅସଲ ଘର ବୋଲି ସ୍ୱୀକାର କରିନିଅନ୍ତୁ । ଲୋଭାତୁର ହୋଇ ନୁହେଁ, ସତ୍ୟାଗ୍ରହୀ ପରି ପ୍ରତିବାଦ କରନ୍ତୁ, ଲଢ଼ାଇଗୁଡ଼ିକୁ ଲଢ଼ନ୍ତୁ । ଶିକ୍ଷାକୁ ହିଁ ବିଜୟୀ କରାଇ ସ୍ଵୟଂ ବିଜୟୀ ହେବାର ମନ୍ତ୍ରଟିକୁ ଗ୍ରହଣ କରନ୍ତୁ । ଆପଣାକୁ ପିଲାମାନଙ୍କ ବ୍ୟତୀତ ଆଉ କାହାରି ଗୋଲାମ ବୋଲି ନଭାବନ୍ତୁ । କିମ୍ବଦନ୍ତୀ କହୁଛି, ଏକଦା ଆମ ରାଜ୍ୟର ଓ ଆମ ଦେଶର ଅନାମଧେୟ ଗାଁମାନଙ୍କରେ ମଧ୍ୟ ଶିକ୍ଷକମାନେ ସମଗ୍ର ଗାଁଟିର ନେତା ହୋଇ ରହିଥିଲେ, ସବୁଠାରୁ ଅଧିକ ବିଶ୍ୱସନୀୟ ପରାମର୍ଶଦାତା ରୂପେ କେତେ କେତେ ଭୂମିକାରେ ପ୍ରତିଷ୍ଠା ଲାଭ କରି ରହିଥିଲେ । କୋଉ ସରକାରୀ ଶିକ୍ଷାକୋଡରେ ସେମାନେ ତାହା କରିବେ ବା ସେଥିଲାଗି ଅଧିକା ବେତନ ପାଇବେ ବୋଲି ସେତେବେଳେ କେଉଁଠିହେଲେ ଲେଖା ନଥିଲା ।

 

ତଥାପି ସାରା ଗାଁ ତାଙ୍କର ପରାମର୍ଶକୁ ସବାଆଗ ସମ୍ମାନ ଦେଉଥିଲା । ବୋଲିବା ବାହୁଲ୍ୟ, ମୂଲ୍ୟଭିତ୍ତିକ ଶିକ୍ଷା ବିଷୟରେ ସେତେବେଳେ ମିଛୁଆମାନଙ୍କୁ ନେଇ ମୋଟେ କୌଣସି ସେମିନାର୍‍ ବସୁନଥିଲା । ସରକାରୀ ଶିକ୍ଷାବିଭାଗଟା ଯେ ଏହି ପଚାଶଟା ବର୍ଷ ଭିତରେ ଶିକ୍ଷକମାନଙ୍କୁ କାହିଁକି ଗାଁ ଭିତରୁ ସେମାନଙ୍କର ଅସଲ ଭୂମିଟିରୁ ଅପହରଣ କରି ନେଇଗଲା, ବରଂ ସେ ବିଷୟରେ ସେମିନାର୍‍ମାନ ବସୁ । ଗାଁରେ ବସୁ ।

 

୫/୩/୨୦୦୧

Image

 

ମ୍ୟାକବେଥ୍ ମୃତ୍ୟୁ ଯାଏ

 

ପ୍ରେତିନୀମାନଙ୍କଠାରୁ ପ୍ରେରଣା ପାଇ ସେକସପିଅର୍ ନାଟକର ମହାବୀର ମ୍ୟାକବେଥ ସ୍ଵୟଂ ମୂଲକଟାର ରଜା ହେବ ବୋଲି ସବାଆଗ ନିଜ ରଜାଙ୍କୁ ମାରିଲା, ଏକାଧିକ ହତ୍ୟା କରି ବା କରାଇ ରାଜ୍ୟର ରଜା ମଧ୍ୟ ହେଲା । ବିଚରା ସେତିକିରେ ରହି ଯାଇଥିଲେ ସମ୍ଭବତଃ ରହି ବି ଯାଇଥାନ୍ତା । କିନ୍ତୁ ମୋଟେ ରହି ପାରିଲା ନାହିଁ । ହତ୍ୟା ପଛକୁ ଆହୁରି ହତ୍ୟାମାନ ଭିଆଇଲା । ସିଏ ପୂର୍ଣ୍ଣ ନିଷ୍କଣ୍ଟକ ହୋଇ ପାରିବାର ନିଶାଖିଆ ସ୍ଵପ୍ନମାନ ଦେଖିଥିଲା । ସମ୍ଭବତଃ ଅନନ୍ତକାଳ ପର୍ଯ୍ୟନ୍ତ କେବଳ ସେଇ ରଜା ହୋଇ ରହିବାର ମଣ୍ଡାମାନ ଖାଇବାରେ ଲାଗିଥିଲା । ତଥାପି ଦୁଷ୍କାଳ ଆସି ପହଞ୍ଚିଲା ଓ ମ୍ୟାକବେଥ୍ କ୍ଲାନ୍ତ ଅନୁଭବ କଲା । ସତେଅବା ଗୋଟାଏ ମିଛ ନଦୀ ପହଁରି ପହଁରି ଆସିଥିବାର ଅବସାଦ ତା’କୁ ଫୋଡ଼ିଫୋଡ଼ି ଦେଉଥିବା ପରି ଲାଗୁଥିଲା । ଏଥର ନିଜର ଦୁଷ୍କର୍ମମାନ ବନ୍ଦ କରିଦେଲେ ହୁଅନ୍ତା ନାହିଁ ? ତା' ନିଜ ଭିତରେ ଏକ ଅତ୍ୟନ୍ତ ପୀଡ଼ାଦାୟକ ଦୃନ୍ଦ୍ୱ ତାକୁ ସେତେବେଳେ ବଡ଼ ହନ୍ତସନ୍ତ କରି ପକାଇଥିବ । ଅନେକ ସମୟରେ, ମଣିଷର ଜୀବନରେ ହୁଏତ ଏକ ଶୁଭବେଳା ଆସି ପହଞ୍ଚିଲେ ଭିତରେ ଏକ ସୁସ୍ଥ ଦ୍ୱନ୍ଦ୍ୱ ଆସି ଉପସ୍ଥିତ ହୁଏ, ସେହି ଦ୍ୱନ୍ଦ୍ୱଜାଲ ଭିତରୁ ବାହାରି ଆସିବାରେ ସହାୟକ ହୋଇଥାଏ । ସେହି ପ୍ରକ୍ରିୟାଟିକୁ ବେଳେବେଳେ ଅନୁତାପ ବୋଲି କୁହାଯାଇଥାଏ ।

 

ସମ୍ଭବତଃ ମ୍ୟାକବେଥ୍‍ର ଦଣ୍ଡଭୋଗ ତଥାପି ସରି ନଥିଲା । କାରଣ ଠିକ୍ ତା’ ଭିତରୁ ଗୋଟାଏ ଦୁଷ୍ଟ ଦାର୍ଶନିକ ମନ୍ତ୍ରଣା ଦେବାକୁ ବାହାରି ଆସିଲା ଓ ତାକୁ ବାଟ ଓଗାଳି ରଖିଲା । ସିଏ ଭାବିଲା, ବହୁ ଅପରାଧର ଏହି ନଈଟାକୁ ପହଁରି ପହଁରି ତ ମୁଁ ନଈର ମଝି ପର୍ଯ୍ୟନ୍ତ ଆସି ସାରିଲିଣି । ପଛକୁ ଫେରିଯିବାକୁ ସ୍ଥିର କଲେ ମଧ୍ୟ ମୋତେ ମୁଁ ଛାଡ଼ି ଆସିଥିବା କୂଳଟି ଯାଏ ଯିବାକୁ ପଡ଼ିବ ଏବଂ ଏଣେ ମଧ୍ୟ ସେହି ଅଧେ ବାଟ ପହଁରି ଗଲେ ମୁଁ ସେପାଖେ ଯାଇ ପହଞ୍ଚିଯିବି-। ଫେରିଗଲେ ଯେତିକି ରାସ୍ତା, ଆଗକୁ ଗଲେ ମଧ୍ୟ ସେତିକି ରାସ୍ତା । ତେଣୁ, ପଛକୁ ସେହି ପୁରୁଣାଟାକୁ ଫେରିବା ବଦଳରେ ଆଗରେ ଥିବା ନୂଆ ତଟଟାରେ ଯାଇ ପହଞ୍ଚିଲେ କ୍ଷତି କ'ଣ ? ଏହି ଅଭିନବ ଗଣିତଟା ତା' ଭିତରେ ତାକୁ ଉତ୍ତପ୍ତ କରି ରଖିଥିବା ବୋକାସୁରଟାକୁ ଭାରି ଭଲ ବୋଧ ହୋଇଥିବ । ତେଣୁ ସିଏ ପଛକୁ ଫେରିଲା ନାହିଁ, ବାକି ଅଧଟାକୁ ଚାଖି ଦେଖିବା ନିମନ୍ତେ ଅସ୍ଥିର ହୋଇଗଲା । ସତକୁସତ ସେକୂଳ ଯାଏ ଯାଇଥିଲା ଓ ମଲା । ସମୀକ୍ଷକମାନେ କହନ୍ତି, ସିଏ ବୀରପରି ମଲା । ଆମେ ହୁଏତ କହିବା, ମଲା ପଛେ କଦାପି ହଟିଲା ନାହିଁ । ଭାରତବର୍ଷ ନାମକ ରାଜ୍ୟଟାକୁ ଭୋଗ କରି ଆସିଥିବା ଆମ ମ୍ୟାକବେଥ୍‍ମାନେ ନଈ ପହଁରି ପହଁରି ଅଧାରେ ଆସି ପହଞ୍ଚିଗଲେଣି ପରା ! ବେଳେବେଳେ ଅବସାଦ ବି ଲାଗୁଥିବ । ଦେଶବାସୀଙ୍କର ଅସନ୍ତୋଷମାନ ସେମାନଙ୍କୁ ହୁଏତ ଫେରିଯିବାର ସପକ୍ଷରେ କିଞ୍ଚିତ୍ ପରାମର୍ଶ ମଧ୍ୟ ଦେଉଥିବ । କିନ୍ତୁ, ସେମାନେ ମଧ୍ୟ କ'ଣ ଆଦୌ ପଛକୁ ଫେରିବେ ନାହିଁ– ପଛକୁ ଫେରିଲେ ଯେତିକି ବାଟ ଆଗକୁ ମଧ୍ୟ ସେତିକି ବାଟ ରହିଛି ବୋଲି ଅଭ୍ୟସ୍ତ ଦୁଷ୍ଟ ଗଣିତଟା ସେମାନଙ୍କର ବିବେକଟାକୁ ହୁଏତ ଭାରି ସଫା କରି ରଖିଥିବ । ଫେରିଲେ କ’ଣ ସେମାନେ ଯେଉଁଠାରୁ ବାହାରିଥିଲେ, ସେହି ସ୍ଥାନକୁ ଫେରିଯାଇପାରିବେ ? ସେଠାରେ ସେମାନଙ୍କୁ ଥାନଟିଏ ମିଳିବଟି ! ଘୋର ସଂଶୟ-ସଙ୍କଟରେ ପଡ଼ି ସେମାନେ ହୁଏତ ନାଟକର ସେହି ମ୍ୟାକବେଥ୍ ପରି ଗଣିତର ହିଁ ଆଶ୍ରୟ ନେଇଛନ୍ତି ଏବଂ ପୂରା ଆରପାଖରେ ଯାଇ ପହଞ୍ଚିବାକୁ ପଣ କରିଛନ୍ତି । ଈଶ୍ଵର ସେମାନଙ୍କର ମଙ୍ଗଳ କରନ୍ତୁ । ଈଶ୍ଵରଙ୍କର ଇଚ୍ଛା ହିଁ ପୂର୍ଣ୍ଣ ହେଉ ।

 

ଯେତିକି ଭୋଳହୋଇ ସେମାନେ ପହଁରି ପହଁରି ନଈର ଅଧଯାଏ ଆସି ପହଞ୍ଚିଲେଣି, ସେତିକି ଭୋଳହୋଇ ସେମାନେ ନଈର ଆରପାଖଟା ପହଁରି ପହଞ୍ଚିଯିବା ପାଇଁ ପୂରା ସଜ ହେବାରେ ଲାଗିଛନ୍ତି । ଯେତିକି ଦମ୍ଭର ସହିତ ସେମାନେ ଅଧଯାଏ ପହଁରି ଚାଲିଆସି ପାରିଲେ, ସତେ ଅବା ସେତିକି ଦମ୍ଭରେ ସେମାନେ ଆରପାରି ଯାଏ ଯାଇ ଗଦାମାରି ବସିବେ ବୋଲି ପୂରା ବିଶ୍ୱାସ କରୁଛନ୍ତି । ସେକ୍‍ସପିଅରଙ୍କର ମ୍ୟାକବେଥ୍ ତ ହୁଏତ ଅନୁତାପ ବି କରିଥିଲା, ହୁଏତ ହତାଶ୍ ହୋଇ ସତେଅବା କାଳ ପାଖରେ ସ୍ଵୟଂ ଧରା ଦେବ ଓ ତେଣିକି ଯାହା ହେବ ପଛେ ହେଉ ବୋଲି ପୁଣି ପହଁରିବାକୁ ଆରମ୍ଭ କରିଦେଲା । ଆମ ଗୁଣମଣି ଓ ଶିରୋମଣିମାନେ ଆଦୌ ନିଜ ମଳିଚମ ତଳେ ବି ସେପରି କିଛି କରୁଛନ୍ତି ବୋଲି ଅନୁମାନ କଲାପରି ମୋଟେ ଦେଖା ଯାଉନାହିଁ । ରାଜନୀତି ବୋଲି କିଛି ନାହିଁ, ଅଥଚ ରାଜନୀତିର ଭିନେଭିନେ ମାର୍କୀଗୁଡ଼ାକୁ ପିନ୍ଧି ନେତାମାନେ ଗୋଟାଏ ଗୋଟାଏ ମହାଯକ୍ଷ ପରି ଚହଟିବାରେ ଲାଗିଛନ୍ତି । ନିଜ ଦଳମାନଙ୍କର ପୁରୁଣା ମୂଳ ନାଆଁଗୁଡ଼ାକ ସହିତ ଏହି ମହାମୋଟମାନଙ୍କର ଆଦୌ କୌଣସି ସୂତା ବି ଲାଗିନାହିଁ । ଖାଲି ଗୋଟାଏ ଗଣତନ୍ତ୍ରିଆ ସମ୍ବିଧାନ ସହିତ ଖାପ ଖାଇବା ଭଳି ଦେଖାଯିବାକୁ ଏମାନେ ସିନା ଅଲଗା ଅଲଗା ପତାକାମାନ ଧରିଛନ୍ତି । ମାତ୍ର ସେହି ଗୋଟାଏ ପିତ୍ତକୁ ପେଟେ ପିଇ ଆତଯାତ ହେଉଛନ୍ତି-। ସମସ୍ତେ ଏସା କିମ୍ବା ତେସା କରିଦେବେ ବୋଲି ବାହାସ୍ଫୋଟ ମାରୁଛନ୍ତି, କିଛି କରୁନାହାନ୍ତି । ଇଏ ତାକୁ ଓ ସିଏ ୟାକୁ ଦୋଷ ଦେବାରେ ଲାଗିଛନ୍ତି । ଇଏ ତା'ପଛରେ ଓ ସିଏ ୟା' ପଛରେ ଗୋଇନ୍ଦା ଲଗାଇ ଆମ ଦେଶବାସୀଙ୍କୁ ଏଥର କିଛିହେଲେ ଅଧର୍ମ ଓ ଅନ୍ୟାୟ ପଦାରେ ପଡ଼ିବ ବୋଲି ମିଛ ସାନ୍ତ୍ୱନା ପ୍ରଦାନ କରୁଛନ୍ତି ଏବଂ ସେମାନଙ୍କର ସମଧର୍ମୀ ଅର୍ଥାତ୍ ସମଦମ୍ଭୀମାନଙ୍କ ହାତରେ ଦେଶର ଦଉଡ଼ିଗୁଡ଼ାକୁ ନେଇ ଧରାଇ ଦେଇଛନ୍ତି ।

 

ହାକିମ,– ଯାହାକୁ ଲୋକମୁଖରେ ଅମଲାତନ୍ତ୍ର ବୋଲି କୁହାଯାଉଛି, ସେଇଟା ମଧ୍ୟ ପହଁରି ପହଁରି ଅଧାଯାଏ ଆସିଯିବା ପରେ ସେକୂଳ ପର୍ଯ୍ୟନ୍ତ ଅବଶ୍ୟ ଯିବ ବୋଲି ପଣ କରି ବାହାରିଛି କି ? ନେତାତନ୍ତ୍ର ଓ ଅମଲାତନ୍ତ୍ର ଭିତରେ ମଇତ୍ର ମଇତ୍ର ଭଳି ଗୋଟାଏ ସଲାରାଜତ୍ୱ ଚାଲିଛି କି ? ଏମାନେ ଉଭୟେ ଗାଁମାନଙ୍କୁ ଛାଡ଼ି କୋଉକାଳୁ ସହରମାନଙ୍କୁ ବାହାରି ଆସିଲେଣି । ଆପଣାର ହାବଭାବ ଓ ଗାରିମା ଛଇରେ ସେମାନେ ଭୂଇଁ ପାଖରୁ ପ୍ରାୟ ସତର ଚାଖଣ୍ଡ ଦୂରଛଡ଼ା ହୋଇ ରହିଛନ୍ତି ଓ ଯାହାର ଟିକସ ସେମାନଙ୍କୁ ପୋଷୁଛି, ସେଇମାନଙ୍କୁ ହିଁ ଭୁଆନିଶ ଦେଖାଇ ଶୋଷିବାରେ ଲାଗିଛନ୍ତି । ସବୁଠାରୁ ଅଧିକ ବୁଦ୍ଧିଆ ହୋଇ ଯାବତୀୟ ଦୁର୍ବୁଦ୍ଧି ସହିତ ଆକାଶଗୋଟାକୁ ମେଘ ଘୋରାଇ ରଖିଛନ୍ତି ଓ ଶୁଖିଲା ପାଗରେ ମଧ୍ୟ ହାତୀଶୁଣ୍ଢ ହୋଇ ଭୂଇଁରୁ ପାଣିଗୁଡ଼ାକୁ ଶୋଷି ନେଉଛନ୍ତି । କାଗଜପତ୍ରର ଭେଳିକି ବସାଇ କୋଟି କୋଟି ମଣିଷକୁ ଅକିଞ୍ଚନ କରି ରଖିଛନ୍ତି । ମଣିଷମାନଙ୍କ ବୁଝିବା ଭଳି ଭାଷାରେ କଥା କହି ପାରୁନାହାନ୍ତି । ନଈଟାକୁ ପହଁରି ପହଁରି ଅଧାଯାଏ ଆସି ପହଞ୍ଚିଥିବା ଅନ୍ୟ ସଭିଙ୍କ ଭିତରେ ସମ୍ଭବତଃ ଏହିମାନେ ହିଁ ସବୁଠାରୁ ଅଧିକ ଭଦ୍ର ଦେଖା ଯାଉଛନ୍ତି, ଅଥଚ ଦେଶକୁ ଖାଇଯାଉଥିବା ଦୁଃସ୍ଥିତିମାନଙ୍କରୁ ହୁଏତ ସମସ୍ତଙ୍କ ଠାରୁ ଅଧିକ ପରିମାଣରେ ଉପକୃତ ହେଉଛନ୍ତି । ସେମାନେ ବିରାଟ ଘରେ ବୃହନ୍ନଳାର ଭୂମିକାମାନଙ୍କରେ ରହିଛନ୍ତି । ନେତାମାନେ ତ ବିଚରା ଆସୁଛନ୍ତି ଓ ଯାଉଛନ୍ତି । ଆମ ଅମଲାମାନେ ହିଁ ଡାଳଗୁଡ଼ାକୁ ନିଜର ଅକ୍ତିଆର କରି ରଖିଛନ୍ତି । ଶାସନର ଅନ୍ତଃପୁରମାନଙ୍କରେ ଦେଶଟାକୁ ଖାସୁ କରି ରଖିଛନ୍ତି । ସତେଅବା ଏଇମାନେ ହିଁ ନଈ ସେପାଖରେ ସବାଆଗ ଯାଇ ପହଞ୍ଚିଯିବେ ବୋଲି ମନେ ବି ହେଉଛି ।

 

ଏକାଧିକ ଅର୍ଥରେ ଭାରତବର୍ଷରେ ଏହି ଚଳନ୍ତି ଯୁଗଟାକୁ ସୌଦାଗରମାନଙ୍କର ଏକଚାଟିଆ ହୋଇ ରହିଥିବାର ଯୁଗଟିଏ ବୋଲି କୁହାଯାଇପାରିବ । ପୃଥିବୀରେ ଅନ୍ୟତ୍ର ସୌଦାଗରମାନେ କିଛି କମ୍ ସଂଖ୍ୟାରେ ନାହାନ୍ତି ସତ, ମାତ୍ର ଆମର ଏହି ଦେଶଟାରେ ସବୁ ମଣିଷଙ୍କର ନିମ୍ନତମ ଅତ୍ୟାବଶ୍ୟକତାମାନ ମେଣ୍ଟି ପାରିବା ପାଇଁ ବସ୍ତୁ ଉପଲବ୍‍ଧ ହୋଇ ନପାରୁଥିଲେ ମଧ୍ୟ ସୌଦାଗରୀର ପ୍ରକୋପ ତଥାପି ଲେକଜୀବନର ପ୍ରାୟ ଯାବତୀୟ ସମ୍ବନ୍ଧକୁ କାମୁଡ଼ି ରହିଛି । ବଜାରଟା ଖୁବ୍ ଚମକୁଛି । କେଜାଣି କ'ଣ ପାଇଁ ଅଲକ୍ଷଣାମାନଙ୍କ ପାଖରେ ହିଁ ଲକ୍ଷ୍ମୀ ଭର୍ତ୍ତିହୋଇ ରହିଛି । ସେମାନେ ଏହି ଦେଶଟାକୁ ସତେଅବା ସମ୍ପୂର୍ଣ୍ଣ ଭାବରେ ଗ୍ରାସ କରି ପକାଇବେ ବୋଲି ମାଡ଼ି ଆସିବାରେ ଲାଗିଛନ୍ତି । ବଡ଼ ବଡ଼ ବ୍ୟବସାୟୀ ସଂସ୍ଥା ଏଡ଼େ ଏଡ଼େ ଜିଭମାନ ଲମ୍ବାଇ ସାଧାରଣ ଜୀବନର ଶାନ୍ତି ଭାଙ୍ଗି ସହରରୁ ଗାଁଆଡ଼େ ମଧ୍ୟ ଆଖେଇଲେଣି । ସହରର ସରକାରଟା ସେମାନଙ୍କର ଷଢ଼ୁ ଲାଗୁଥବା ପରି ସେମାନଙ୍କୁ ବାଟ ବି ଛାଡ଼ିଦେଉଛି । ଆମ ପାଇଁ ଲୁଣ, ଆମ ଗାଡ଼ିଆର ମାଛ, ଆମ ବାଡ଼ିର ତେନ୍ତୁଳି ଏବଂ ହଳଦୀ ବା ଲଙ୍କାମରିଚ ଯାଏ ସେମାନଙ୍କର ଲୋଭୀ ହାତମାନେ ଆସି ପହଞ୍ଚି ଯାଉଛନ୍ତି । ଆମ ତିହ ତଳେ କୋଉଠି କ’ଣ ନିଧି ରହିଛି ବୋଲି ତାଙ୍କର ନୌକରୀ ଖଟୁଥିବା ବୈଜ୍ଞାନିକମାନେ ସେମାନଙ୍କ କାନରେ ଫୋଡ଼ିଦେବା ମାତ୍ରକେ ସେମାନେ ଆମକୁ ନିକାଲି ଖଣି ଖୋଳିବା ପାଇଁ ସୈନ୍ୟବଳ ଧରି ଚମକି ଆସୁଛନ୍ତି । ଆମକୁ ସତେଅବା ପଣ୍ୟଜ୍ଞାନରେ ଦେଖୁଛନ୍ତି । ସେମାନଙ୍କର ବୃଦ୍ଧି-ଯଜ୍ଞରେ ଆମକୁ ସମିଧ ପରି ବ୍ୟବହାର କରୁଛନ୍ତି । ଏହି ଦେଶର ଶିକ୍ଷାଟା ପ୍ରଧାନତଃ ସେମାନଙ୍କର ଫରମାସରେ ଚାଲିଛି । ସେମାନଙ୍କର ରଙ୍ଗ ଏବଂ ପରାକ୍ରମଗୁଡ଼ାକୁ ଦେଖି ମନେହେଉଛି, ସେମାନେ କେବଳ ଗୋଟାଏ ନୁହେଁ, ସମ୍ଭବତଃ ସାତଟା ନଈ ପହଁରି ସେପାଖକୁ ଯିବା ନିମନ୍ତେ ଦୁଃସାହସ ସହିତ ବାହାରି ଆସିଛନ୍ତି । ଏହି ସମୟ ଏବଂ ମାନବିଆଶାର ସମସ୍ତ ପରିମଳକୁ ସତେଅବା ଗୋଟାଏ ଦଶମୁଣ୍ଡିଆ ମ୍ୟାକବେଥ୍ ପରି ଚଳୁ କରିନେବେ ବୋଲି ଏଡ଼େ ହିଂସ୍ର ଓ ସପ୍ରତିଭ ହୋଇ ଉଠିଛନ୍ତି ।

 

ଏହି ପ୍ରସଙ୍ଗରେ ଆମ ସନ୍ଥମାନଙ୍କ କଥା ଭାରି ମନେପଡ଼ୁଛି, ଯେଉଁମାନେ ମୁଖ୍ୟତଃ ଦର୍ପୀ ଏବଂ ଅନ୍ୟାୟୀମାନଙ୍କୁ ସତର୍କ କରିଦେବା ସକାଶେ ମାଳିକା ଲେଖି ଯାଇଛନ୍ତି । ନିଜ ବିଚାର ଏବଂ ବିବେକ ଦ୍ଵାରା ନହେଲେ ପଛକେ, ଅନ୍ତତଃ ଡରିକରି ତ ସେମାନେ ନିଜର ଆଚରିତ ଅନାଚରଣ ଗୁଡ଼ାକରୁ କିଞ୍ଚିତ କ୍ଷାନ୍ତ ଏବଂ ନିରସ୍ତ୍ର ହୋଇ ରହିପାରନ୍ତେ ମାଳିକାଗୁଡ଼ିକ ପଛରେ ଖୁବ୍ ସମ୍ଭବ ଏହିପରି ଗୋଟିଏ ପ୍ରୟାସ ନିହିତ ହୋଇ ରହିଥିବ । ଅନ୍ୟାୟ, ଅନାଚାର ବଢ଼ିଲେ ଅନାବୃଷ୍ଟି ହେବ, ବନ୍ୟା ଓ ବାତ୍ୟା ଆସି ସଂସାରରେ ପ୍ରଳୟ ଘଟାଇବ, ମନ୍ଦିରମାନେ ଭାଙ୍ଗିପଡ଼ିବେ, ସମୁଦ୍ର ମାଡ଼ି ଆସିବ, ବାସୁକୀ ଫଣାଟା ଫଅଁଫଅଁ କରି ଭୂମିକମ୍ପ କରାଇବ, ବାତ୍ୟା ପଛକୁ ମହାବାତ୍ୟା ଆସି ସବୁ ଉଜୁଡ଼ାଇ ଦେବ– ଏହି ଡରକଥାମାନ କାନରେ ବାଜିଲେ ହୁଏତ ଭ୍ରଷ୍ଟ ମଣିଷମାନେ ମାର୍ଗକୁ ଆସିବେ ଅର୍ଥାତ୍ ନିଜକୁ ଅନ୍ୟ ସମସ୍ତଙ୍କ ସହିତ ଗୋଟିଏ ନିୟତି ଭିତରେ ସୁମାରି କରି ଧନ, ମାନ, କ୍ଷମତା ତଥା ସୁଯୋଗର କ୍ଷେତ୍ରମାନଙ୍କରେ ବାଟ ଚାଲିବାକୁ ଶିକ୍ଷା କରିବେ, ଆଦତ ବଦଳାଇବେ | ମାଳିକାକାରମାନେ କାଳେକାଳେ ଏହିଭଳି ଆଶାମାନ ପୋଷଣ କରି ହୁଏତ ସମୟ ନଷ୍ଟ କରିଥିବେ । ଭାରତବର୍ଷରେ ଆମେ ଦେଖୁଦେଖୁ ମହାବାତ୍ୟା ବୋହିଯାଉଛି, ଭୂମିକମ୍ପ ହୋଇ ହଜାର ହଜାର ନଷ୍ଟ ହୋଇଯାଉଛନ୍ତି- ତଥାପି ମ୍ୟାକବେଥ୍‍ମାନଙ୍କର ଚେତା ପଶୁନାହିଁ କାହିଁକି କେଜାଣି ? ଆକସ୍ମିକ ଦୁର୍ଘଟଣାରେ ପ୍ରତିଦିନ ମଣିଷ ମରୁଛନ୍ତି, ତଥାପି କ୍ଷମତାଶାଳୀ ତଥା କ୍ଷମତାଧାରୀମାନେ କୋଉଠୁ କେତେ ଡେଉଁରିଆ ସବୁ ଆଣି ହାତରେ ବାନ୍ଧିଛନ୍ତି କେଜାଣି, ସେମାନେ ମୋଟେ ଚିହିଙ୍କିବେ ନାହିଁ ବୋଲି ପୂରା ଅଡ଼ି ବସିଛନ୍ତି । ଅଚେତାମାନଙ୍କୁ ଚେତା କରିବାକୁ ସତେ ଯେପରି କାହାର ବଳ ପାଉନାହିଁ । ତେବେ ଆମର ଏହି ବଳବନ୍ତମାନେ ସୁନିଶ୍ଚିତ ଭାବରେ ନଈଟାର ଆରପଟ ପର୍ଯ୍ୟନ୍ତ ପହଁରି ପହଞ୍ଚିଯିବେ ଓ ସେପର୍ଯ୍ୟନ୍ତ ମୋଟେ ପଛକୁ ଫେରିବେ ନାହିଁ ବୋଲି ଏହି ଦେଶର ଗ୍ରହଖାତାରେ ଲେଖାହୋଇ ରହିଛି କି ? ସେହି କଥାଟି କହି ବା ମନାସି ଆମ ଭିତରୁ କେତେକେତେ ମଣିଷ ହୁଏତ କିଛି ସାନ୍ତ୍ୱନା ଅବଶ୍ୟ ଲାଭ କରୁଥିବେ ସତ, କିନ୍ତୁ ପୃଥିବୀଟା କ'ଣ ସତକୁସତ କେବଳ ଏହି ରୀତିରେ ବଦଳିବ ?

 

ଏମିତି ଆଣ୍ଟକରି ନଈ ସେପାରି ଯାଏ ପହଁରି ଗୋଟିଏ ସମୟର ମ୍ୟାକବେଥ୍‍ମାନେ ହୁଏତ ଅସ୍ତମିତ ହୋଇଗଲେ ପୃଥିବୀ ଓ ଆମ ଭାରତବର୍ଷ ତଥାପି ମ୍ୟାକବେଥ୍‍ମାନଙ୍କ କବଳରୁ ନିସ୍ତାର ପାଇପାରିବ କି ? ଗୋଟାଏ ମ୍ୟାକବେଥ୍‍ ପରେ ଆହୁରି ମ୍ୟାକବେଥ୍ ଯେ ପୃଥିବୀରେ ଜନ୍ମଗ୍ରହଣ ନକରିବେ, ସେକଥା କିଏ ଦୃଢ଼ ଭାବରେ ଭରସା ଦେଇ କହିପାରିବ ? ଇତିହାସରେ ତ କେତେ ଭେକ ଓ ବେଶରେ ସେମାନଙ୍କର ଆବିର୍ଭାବ ହୋଇଛି । ଅସୁରଟାକୁ ମାରିଦେଲେ ବୋଲି ନିଜକୁ ବାହାଦୂରୀ ନେବାର ନିଶାରେ ଏବଂ ପୃଥିବୀଟା ଉପରେ ଆପେ ଅକ୍ତିଆର ଜମାଇବାର ଉତ୍ସାହରେ କେତେ ରାମଚନ୍ଦ୍ର ମଧ୍ୟ ନିଜେ ନିଜେ ଅସୁର ପାଲଟି ଯାଇଛନ୍ତି । ଏହି ବାଟରେ ଅସଲ ପ୍ରତିକାର ଓ ଅସଲ ପରିବର୍ତ୍ତନ ସମ୍ଭବ ହୁଏ ନାହିଁ ବୋଲି ମଣିଷମାନଙ୍କୁ କ୍ରମେ ଅଧିକ ସଫାହୋଇ ଦେଖାଯିବାକୁ ଆରମ୍ଭ ହୋଇଛି । ଅଧୁନା ଇତିହାସ ମଧ୍ୟ ସେହି ଆଶଙ୍କାଟିକୁ ପ୍ରତିପାଦିତ କରିବାରେ ଲାଗିଛି । ପୃଥିବୀ ତଥାପି ବାଟ ଖୋଜୁଛି । ହୁଏତ ଏକାବେଳକେ ବହୁବିଧ ବାଟ ଖୋଜୁଛି । ବାଟଟିଏ ଯେ ଅବଶ୍ୟ ବାହାରିବ, ସର୍ବୋପରି ସେହି ବିଶ୍ୱାସଟି ହିଁ ଦୃଢ଼ତର ହେବାରେ ଲାଗିଛି ।

 

୧୨/୩/୨୦୦୧

Image

 

ଶିକ୍ଷାବିତ୍‌ଙ୍କୁ କାହିଁକି ଖୋଜୁଛ ?

 

ଶିକ୍ଷାକୁ ସତକୁସତ ଖୋଜିଲେ ଶିକ୍ଷାବିତ୍‌ମାନେ ଅବଶ୍ୟ ଦିଶିବେ । ଯେଉଁ ସରକାର ଆପଣା ଭିତରର ଅସଭ୍ୟ ଧାତୁଟା ଦ୍ୱାରା ପରିଚାଳିତ ହୋଇ ଶିକ୍ଷାର ମୁଷ୍କଛେଦନ ନିମନ୍ତେ ପରଶୁ ଧରି ବାହାରି ଥାଆନ୍ତି, ସେମାନଙ୍କର ତହବିଲରେ ଶିକ୍ଷାବିତ୍‍ଙ୍କୁ ଆଖି ଆଗରେ ରଖି ମୋଟେ କୌଣସି ଯୋଜନା ହୁଏ ନାହିଁ । ସେମାନେ ଶିକ୍ଷାଯନ୍ତ୍ରୀ ଖୋଜୁଥାନ୍ତି । ଯନ୍ତ୍ରୀମାନେ ବହୁତ ବେତନ ପାଆନ୍ତି । ଶିକ୍ଷା ଉପରେ ହାକିମୀ କରୁଥାଆନ୍ତି । ଆମ ଦେଶରେ ତଥା ଆମ ରାଜ୍ୟରେ ଏହି ଶିକ୍ଷାଯନ୍ତ୍ରୀମାନଙ୍କର ଧନ୍ଦାକୁ ବହୁପତ୍ନୀକମାନଙ୍କର ଏକ ଧନ୍ଦା ବୋଲି କୁହାଯାଇ ପାରନ୍ତା । ସେମାନଙ୍କୁ ସରକାର କ'ଣ ପାଇଁ ଯେ ଶିକ୍ଷାର ଏହି ସ୍ୱତନ୍ତ୍ର ବେଢ଼ାଟି ଭିତରକୁ ବରଣି ଆଣିଥାନ୍ତି, ସେକଥା ସେମାନେ ସ୍ୱୟଂ ଜାଣିନଥାନ୍ତି । ହୁଏତ ମତ୍ସ୍ୟ ବିଭାଗରୁ, ମଦ ବିଭାଗରୁ ଅଥବା ଆଉ କୌଣସି ବିଭାଗରୁ ଆସନ୍ତି,– କେତେଦିନ ସକାଶେ ଆସିଛନ୍ତି, ସେକଥା ଆପେ ମଧ୍ୟ ଜାଣି ନଥାନ୍ତି-। ଅତର୍କିତ ଭାବରେ ସେମାନଙ୍କୁ ଆଉ କେଉଁ ବିଭାଗକୁ ପେଲି ଦିଆଗଲେ ଅଥବା ଟେକି ନିଆଗଲେ ବିଶ୍ୱସ୍ତ ମୁଦୁସୁଲିଟିଏ ପରି ଚାଲି ଯାଆନ୍ତି । ଏହିପରି ଏକ ଅପମାନଜନକ ସ୍ଥିତି ଭିତରେ ରହିଥିବାରୁ ଏବଂ ସେହିପରି ସହିଷ୍ଣୁ ହୋଇ ରହି ହିଁ ସେମାନେ ରାଜ୍ୟର ସର୍ବୋଚ୍ଚ ବେତନର ଭାଡ଼ିମାନଙ୍କରେ ନିଜର ସୁଖ ଭୋଗର ଗୋବରୀ ନଦୀଟିକୁ ପାରି ହେଉଥାନ୍ତି । ଏହି ଦେଶରେ ତଥା ଏହି ରାଜ୍ୟରେ ଶିକ୍ଷାଯନ୍ତ୍ରୀମାନେ ସତକୁସତ ଶିକ୍ଷାକୁ ଗିଳି ପକାଇବାର ଏକ ବଳିଷ୍ଠ ଇତିହାସ ରହିଛି । ତେଣୁ ଶିକ୍ଷାକୁ ଗିଳିବାକୁ ଧର୍ମତଃ ନିଯୁକ୍ତ ହୋଇଥିବା ମଣିଷ ଶିକ୍ଷାବିତ୍‌ମାନଙ୍କୁ ବି କ’ଣ ପାଇଁ ଖୋଜି ବାହାରିବ ? ସରକାରୀ ଶିକ୍ଷାଯନ୍ତ୍ରୀମାନେ ଯେ ଯାବତୀୟ ଅର୍ଥରେ Establishment ରେ ପରିଜନ ତଥା ପରିକର ହୋଇ ରହିବେ ଏବଂ ଶିକ୍ଷାକୁ ଗିଳିବାରେ ହିଁ ସବାଆର କରାମତି ପ୍ରଦର୍ଶନ କରୁଥିବେ, ସେଥିରେ ବିସ୍ମିତ ହେବାର ଆଦୌ କୌଣସି ଅବକାଶ ରହିବା ଉଚିତ ନୁହେଁ ।

 

ଭାରତବର୍ଷ ସ୍ୱାଧୀନତା ଲାଭ କରିବାପରେ ନୂତନ ଶିକ୍ଷାଗତ ପ୍ରୟୋଜନର ଆହ୍ୱାନଗୁଡ଼ିକର ଅନୁରୋଧରେ ପୁରୁଣା ଗୁହାଳଗୁଡ଼ିକୁ ଭାଙ୍ଗିଦେବାକୁ ପଡ଼ିଥାଆନ୍ତା । ସେଥିନିମନ୍ତେ ନାନା କମିଶନ ମଧ୍ୟ ବସିଥିଲା । କିନ୍ତୁ କମିଶନର ପରାମର୍ଶମାନ ଗହଣା ହୋଇ ପେଡ଼ି ଭିତରେ ରହିଲା । ଏହି କମିଶନମାନେ ପୁରୁଣା ଥାନରେ ନୂଆ ଗଢ଼ଣ ଏବଂ ନୂଆ ବିବେକଗୁଡ଼ିକୁ ପ୍ରତିଷ୍ଠିତ କରିବା ଅଭିପ୍ରାୟରେ କେତେ କେତେ ପ୍ରସ୍ତାବ ଦେଇଥିଲେ । ସେହି ପ୍ରସ୍ତାବଗୁଡ଼ିକ ଅପଚରା ହୋଇ ରହିଗଲା, ସେଥିରେ ମଧ୍ୟ ଶିକ୍ଷାଯନ୍ତ୍ରୀମାନଙ୍କର କମ୍ ଅବଦାନ ନାହିଁ । ଏବେ ମଧ୍ୟ ଆମ ଚତୁର୍ଦ୍ଦିଗର ଅଧିକାଂଶ ବସ୍ତୁସ୍ଥିତି କେଡ଼େ ପରିଷ୍କାର ଭାବରେ ଇସାରା କରି ଦେଉଥିବ ଯେ, ଶିକ୍ଷାର କ୍ଷେତ୍ରରେ ବହୁତ କିଛି ବଦଳିଲେ ଯାଇ ସ୍ଵାଧୀନ ଭାରତବର୍ଷର ଶିକ୍ଷା ଏହି ମାଟିଟିର ପ୍ରକୃତ କାମରେ ଲାଗିପାରିବ । ଦେଶପାଇଁ ତିଆରି ହୋଇଥିବା ସମ୍ବିଧାନରେ ଶିକ୍ଷା ବାବଦରେ ଯେତିକି ଚିତ୍ରର ଅବତାରଣା କରାଯାଇଛି, ସେଗୁଡ଼ିକ ପ୍ରତି ନ୍ୟାୟବିଚାର କରାଯାଇ ପାରିବ । କୌଣସି ଦେଶରେ ସରକାର ଶିକ୍ଷାର ନୂଆ ବିଧାନଗୁଡ଼ିକର ପ୍ରକୃତରେ କାର୍ଯ୍ୟକାରୀ ହେବାରେ ବେଶୀ କିଛି କରେନାହିଁ । ସେହି କାମଟିକୁ ଶିକ୍ଷାବିତ୍‍ମାନେ କରନ୍ତି । ସରକାର ଅନୁକୂଳ ଭିତ୍ତିଭୂମିଟିଏ ତିଆରି କରିବାରେ ସହଯୋଗ କରନ୍ତି । ଅର୍ଥ ଯୋଗାଇ ଦିଅନ୍ତି– ଆବଶ୍ୟକ ପ୍ରୋତ୍ସାହନ ଦିଅନ୍ତି, ପ୍ରୟୋଗଗୁଡ଼ିକ ସତକୁସତ ଫଳବାନ ହୁଅନ୍ତୁ ବୋଲି ସାଧୁତାର ସହିତ ଇଚ୍ଛା ମଧ୍ୟ କରୁଥାନ୍ତି । ଗୋଟିଏ କଥାରେ କହିଲେ, ସରକାର ୱାଚ୍‍ଡଗ୍‍ ପରି କାର୍ଯ୍ୟ କରନ୍ତି । ଶିକ୍ଷାଯନ୍ତ୍ରୀମାନଙ୍କର ସବାଆଗ କରଣୀୟ ହେଉଛି ୱାଚ୍‍ଡଗ୍‍ ହୋଇ ରହିବା, ଗିଳି ପକାଇବା ମୋଟେ ନୁହେଁ । ସାଧୀନତାର ଅର୍ଦ୍ଧଶତାବ୍ଦୀ ଗତ ହୋଇଯିବା ପରେ ମନେହେଉଛି ଯନ୍ତ୍ରୀମାନେ ହିଁ ବିଣ୍ଡି ପରି ହୋଇ ଆମ ଶିକ୍ଷାର ଦେହଟି ଉପରେ ସତେଅବା ମାଡ଼ି ଯାଇଛନ୍ତି । ଶିକ୍ଷା ନାମରେ ସେହି ବିଣ୍ଡିଗୁଡ଼ାକର ହିଁ ସର୍ବାଧିକ ପରିଚର୍ଯ୍ୟା କରାଯାଉଛି । ନାନା ଅଶିକ୍ଷିତ ଉତ୍ପୀଡ଼ନ ଦ୍ଵାରା ସାମୂହିକ ଶିକ୍ଷାକାଂକ୍ଷାଗୁଡ଼ିକୁ ଜବତ କରି ରଖାଯାଇଛି । କ୍ଷେତ୍ରପାଳକ ରାଜ୍ୟପାଳକମାନେ ଆମ ଇସ୍କୁଲମାନଙ୍କରେ ସବାବଡ଼ ଚଉକୀ ଉପରେ ବସି ଶିକ୍ଷାସୂକ୍ତମାନ ଶୁଣାଉଛନ୍ତି ।

 

ସ୍ଵାଧୀନତା ଆସିବା ଆଗରୁ ମଧ୍ୟ ସ୍ୱାଧୀନ ଭାରତର ପରିବର୍ତ୍ତିତ ଆହ୍ୱାନ ଓ ତେଣୁ ଅତ୍ୟାବଶ୍ୟକ ପରିବର୍ତ୍ତନଗୁଡ଼ିକୁ ଦୃଷ୍ଟି ସମକ୍ଷରେ ରଖି ଶିକ୍ଷାରେ ଏକାଧିକ ପ୍ରୟୋଗମାନ କରାଯାଇଥିଲା । ରବୀନ୍ଦ୍ରନାଥ, ଗାନ୍ଧୀ ଓ ଶ୍ରୀଅରବିନ୍ଦଙ୍କ ସମେତ ସ୍ଵାମୀ ବିବେକାନନ୍ଦ ଓ ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କୁ ମଧ୍ୟ ଏହି ଧାଡ଼ିରେ ଆମେ ଜଣେ ଜଣେ ପୁରୋଗାମୀ ଭାବରେ ବିଚାର କରିପାରିବ । ସ୍ୱାଧୀନ ଭାରତରେ ସେହିମାନଙ୍କୁ ଆଧାରଶିଳା ରୂପେ ଗ୍ରହଣ କରି ଦେଶ ଆଗକୁ ଶିକ୍ଷା-ବ୍ୟବସ୍ଥାର ପାହାଚଗୁଡ଼ିକୁ ଗଢ଼ି ପାରିଥାଆନ୍ତା । ଦେଶର ସବୁ ପିଲାଙ୍କୁ ବିଚାରକୁ ନେଇ ଓ ସମ୍ବିଧାନକୁ ସମ୍ମାନ ଦେଇ କେତେ କ'ଣ ସମ୍ଭବ ହୋଇପାରିଥାନ୍ତା । ଏବଂ ସରକାର ସେଗୁଡ଼ିକୁ କି ଛଦ୍ରମ ସହିତ କେତେ ଚଞ୍ଚଳ ଗିଳି ପକାଇପାରିଲେ, ସେମାନଙ୍କର ପୃଷ୍ଠପୋଷକତା କରିବାର ମିଛ ବାହାଦୂରୀ ଦେଖାଇ ସେଗୁଡ଼ିକୁ ଗିଳି ପକାଇଲେ । ଏବଂ, ଏହି ଅପକର୍ମଟାରେ ସରକାରୀ ଶିକ୍ଷାଯନ୍ତ୍ରୀମାନେ ହିଁ ପ୍ରମୁଖ ଇଞ୍ଜିନିଅରଙ୍କ ପରି ନିମିତ୍ତ ହେଲେ । ପୁରୁଷମାନଙ୍କୁ କଦର କରି ରଖି ନିଜର ଆଧିପତ୍ୟଟାକୁ ନିଖୁଣ ଓ ନିରଙ୍କୁଶ କରି ରଖିଲେ । ଯନ୍ତ୍ରୀମାନେ ଏବେ ମଧ୍ୟ ଆମ ଶିକ୍ଷାର ତୋଟାରେ ଶାର୍ଦ୍ଦୁଳବତ୍ ବିଚରଣ କରୁଛନ୍ତି । ସେହିମାନଙ୍କୁ ବେତନ ଗଣିବାରେ ହିଁ ଶିକ୍ଷା ତହବିଲଟା ପୂରା କଣା ହୋଇଯାଉଛି । ଯନ୍ତ୍ରୀମାନେ ଆମ ଭାଷାରେ କଥା ବି କହିପାରୁ ନାହାନ୍ତି । ତେଣୁ ବହୁ ଆଡ଼ମ୍ବରରେ ଆୟୋଜିତ ସେମିନାର୍‍ ଏବଂ ସଭାମାନଙ୍କରେ ସେହି ବିଦେଶରୁ ହିଁ ଶଗଡ଼ରେ ବୋଝେଇ ହୋଇ ଆସିଥିବା ଗୋଟିପୁଅମାନଙ୍କ ପରି କେଡ଼େ ଘଟଣ ଦେଖାଯାଉଛନ୍ତି ସିନା, ମାତ୍ର ସମଗ୍ର ଦେଶର ଶିକ୍ଷାଭୋକଗୁଡ଼ିକୁ ମେଣ୍ଟାଇ ପାରିବା ପାଇଁ ଆମ ପତରରେ ମୋଟେ କିଛିହେଲେ ବାଢ଼ିପାରୁ ନାହାନ୍ତି । କୋଟି କୋଟି ଟଙ୍କା ବରବାଦ ହୋଇ ମସ୍ତମସ୍ତ ମିଜାଜରେ ବାବୁମାନଙ୍କର ତାମସା ଚାଲିଛି । ନୂଆନୂଆ ଯୋଜନାର ନାଆଁରେ ନୂଆ ସାଙ୍ଗଠନିକ ଭେଳିକିମାନ ସୃଷ୍ଟି କରାଯାଉଛି, ପୁରୁଣାମାନେ ଅବସର ଗ୍ରହଣ ପରେ ସେଗୁଡ଼ିକରେ ଆସି ଭର୍ତ୍ତି ହୋଇ ଯାଉଛନ୍ତି । ସରକାର ଜାଣିଶୁଣି ଏସବୁ କରୁଛନ୍ତି । କାରଣ ପ୍ରାୟ ଧର୍ମତଃ କ୍ଷମତାଲାଳସା ଓ ତେଣୁ ରକ୍ଷଣଶୀଳ ହୋଇଥିବାରୁ ସଚରାଚର କୌଣସି ସରକାର ଶିକ୍ଷାରେ ମୂଳଭୂତ କିଛି ପରିବର୍ତ୍ତନ ହେଉ ବୋଲି ଇଚ୍ଛା ହିଁ କରନ୍ତି ନାହିଁ । ଏବଂ, ପୁରୁଣା ପରିକରମାନେ ପୂର୍ଣ ଆନୁଗତ୍ୟ ସହିତ ଆସି ପହଞ୍ଚି ଯାଉଥିବା ପର୍ଯ୍ୟନ୍ତ ସରକାର ମଧ୍ୟ ସେହି ପୁରୁଣା ଖେଳଗୁଡ଼ାକୁ ଖେଳିବାକୁ କାହିଁକି ମନ ନକରିବେ ? ଆମ ଏକାଳରେ ଶିକ୍ଷାର ଜଗତରେ ନିତ୍ୟପ୍ରୟୋଗମାନ ତଥାପି ଲାଗିରହିଛି । ଧନୀ ଦେଶ ଆମେରିକାଠାରୁ ଆରମ୍ଭ କରି ଇସ୍ରାଏଲ୍ ଲଗାଏତ ଇଣ୍ଡିଆ ଓ ଓଡ଼ିଶା ପର୍ଯ୍ୟନ୍ତ ନାନା ଅଭିନବ ପ୍ରୟୋଗ ଲାଗି ରହିଛି । ସରକାରଙ୍କ ଖାତାରେ ଏହି ପ୍ରୟୋଗ ତଥା ପ୍ରୟୋଗକାରୀମାନଙ୍କର ନାମୋଲ୍ଲେଖ ନାହିଁ, ତଥାପି ପ୍ରୟୋଗ ଗୁଡ଼ିକ ରହିଛି । ସରକାରୀ ଗୁଳାରେ ଶିକ୍ଷା ନାମକ ସାଧନା ଓ ତପସ୍ୟା ଥରେ ଲୋଭ କରି ପଶିଗଲେ କ୍ରମେ ସେହି ଗୁଳା ଭିତରେ ଯେ ଗିଳି ହୋଇଯାଏ, ଅସଲ ପ୍ରୟୋଗକାରୀ ମାତ୍ରକେ ସମସ୍ତେ ସେହି ସତକଥାଟିକୁ ଭଲ କରି ଜାଣିଛନ୍ତି । ସେମାନେ ସରକାରୀ ଦୃଷ୍ଟିଟା ଠାରୁ ଦୂରରେ ରହି ପ୍ରୟୋଗ ଚାଲୁ ରଖିବାକୁ ହିଁ ଅଧିକ ନିରାପଦ ମନେକରୁଛନ୍ତି । ହଁ ସରକାର ଯଦି ପ୍ରୟୋଗଟିର ପ୍ରୟୋଜନଟି ବୁଝି ଆପେ କିଛି ସାହାଯ୍ୟ କରିବାକୁ ଆସିବେ, ତେବେ ସେମାନେ ତାକୁ ମୋଟେ ଅସ୍ୱୀକାର କରିବେ ନାହିଁ । ମାତ୍ର ସଚରାଚର ସେକଥା ପ୍ରକୃତରେ ଘଟେ ନାହିଁ । ଯେଉଁ ପ୍ରୟୋଗଗୁଡ଼ିକ ପ୍ରୟୋଗଟି ସମ୍ଭବତଃ କିଞ୍ଚିତ୍ ସହଜ ହୋଇଯିବ ବୋଲି ଅନୁମାନ କରି ଭଲୁକମାନଙ୍କ ପାଖକୁ ଯାଆନ୍ତି, ସେମାନେ ସେଇଆଡ଼େ ଛନ୍ଦିହୋଇ ରହିଯାଆନ୍ତି । ବାହାରଗୁଡ଼ାକ ଭଡ଼ ଭଡ଼ କରି ବହୁଗୁଣିତ ହୁଏ, ମାତ୍ର ତପସ୍ୟାଟା ଭାଙ୍ଗିଯାଏ । ଓଡ଼ିଶାରେ ଏହି ଦୁର୍ଗତିର ଦୃଷ୍ଟାନ୍ତ ଏବେ ମଧ୍ୟ ବହୁତ ଅବଶ୍ୟ ରହିଛି । କୋଠା ପରେ କୋଠା ତୋଳା ହୋଇଯାଉଛି । ରାତିଗୁଡ଼ାକ ଦିନ ଭଳି ଦିଶୁଛି,– ତଥାପି ଯଥାନୁରକ୍ତ ଗୋଷ୍ଠୀଟିଏ ତିଆରି ହୋଇପାରୁ ନାହିଁ,– ପରସ୍ପର ଭିତରେ ରହିଥିବା ଅମେଳଗୁଡ଼ାକ ଏତେ ବଡ଼ କରି ଦେଖାଯିବାକୁ ଆରମ୍ଭ କରୁଛି ଯେ, ସେମାନେ ସମସ୍ତେ ଯେ ଗୋଟିଏ ପ୍ରୟୋଗରୂପୀ ତପସ୍ୟା ପାଇଁ ଏକଦା ସମ୍ମିଳିତ ହୋଇଥିଲେ ଏବଂ ସବାଆଗ ମେଳଗୁଡ଼ିକ ଯେ ଦେଖା ଯାଉଥିଲେ, ସେହି କଥାଟି ମୋଟେ କାହାରି ମନେ ରହୁନାହିଁ । ସରକାରୀ ଯନ୍ତ୍ରୀମାନେ ସେତେବେଳେ ଭାରି ହସୁଥିବେ ଏବଂ ଗୋଟିଏ ପଟେ ସାହାଯ୍ୟ ଦେଇ ଆରପଟେ ସୁକୁଟ ଦେଖୁଥିବେ । ତେଣୁ ପ୍ରୟୋଗମାନେ କୋଳାହଳ ନକରି ଚାଲିଛନ୍ତି । ଧୀର ପାଣି ପଥର କାଟିପାରୁଛି । ସମଗ୍ର ସମୟଟା ଯେତେବେଳେ ଆଶୁ ନୂତନ ବିଧାନ ନିମନ୍ତେ ପୃଥିବୀଯାକ ତିଆରି ହୋଇ ଆସୁଛି, ସେତେବେଳେ ଯେତେଯେତେ ପ୍ରତିବନ୍ଧକ ରହିଥିଲେ ମଧ୍ୟ ଶିକ୍ଷାବିତ୍‍ମାନଙ୍କର ତଥାପି ସାହସ ସରି ଯାଉନାହିଁ । ଏପରି ବେଳଟିଏ ଆସି ପହଞ୍ଚିବ, ଯେତେବେଳେ କି ସେମାନେ ପରସ୍ପରକୁ ଆବିଷ୍କାର କରି ବାହାରିବେ, ସତର ଅମେଳ ରହିଥିଲେ ମଧ୍ୟ ତଥାପି ପରସ୍ପରକୁ ଲୋଡ଼ିବେ, ବନ୍ଧୁ ସଂଗ୍ରହ କରିବେ ଓ ସେଇଥିରୁ ବଳ ପାଇବେ । ଶିକ୍ଷାବିତ୍‌ମାନେ ଏକାଠି ହୋଇ ଏବର ଯନ୍ତ୍ରଟାର ଓ ଯନ୍ତ୍ରୀମାନଙ୍କର ସାମନା କରିବେ ।

 

ସରକାରୀ ପ୍ରପୀଡ଼ନର ଭିତରେ ବହୁସଂଖ୍ୟକ ଶିକ୍ଷକ ଅଛନ୍ତି, ଯେଉଁମାନେ କି ବ୍ୟକ୍ତିଗତ ଭାବରେ ନାନା ଆଶାଦାୟକ ପ୍ରୟୋଗ ଅବଶ୍ୟ କରୁଛନ୍ତି । କଳ ଭିତରେ ଅଛନ୍ତି, ତଥାପି କଳ ବାହାରକୁ ଦେଖିପାରୁଛନ୍ତି । ବିଭାଗଟିରେ ଯାବତୀୟ ବାଡ଼ ଭିତରେ ରହି ବେଳେବେଳେ ବଡ଼ ଅଣନିଶ୍ୱାସୀ ହୋଇ ଯାଉଥିବେ ସେମାନେ । ନିଜର ସତୀର୍ଥମାନଙ୍କର ବହୁତ ବେହେଲ ସହିବାକୁ ହେଉଥିବ । ସେମାନେ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟମାନଙ୍କରେ ଅଛନ୍ତି, କଲେଜରେ ମଧ୍ୟ ରହିଛନ୍ତି । ସବା ଉପରେ ପିଲାମାନଙ୍କୁ ହିଁ ଦେଖୁଛନ୍ତି ଏବଂ ତେଣୁ ଶିକ୍ଷାକୁ ଏକ ବ୍ରତ ପରି ଗ୍ରହଣ କରିବାରେ ବଳ ପାଇପାରୁଛନ୍ତି । ଶ୍ରେଣୀ ଗୃହ ଭିତରକୁ ଯିବାରେ ସେମାନଙ୍କୁ ପ୍ରକୃତରେ ଖୁସି ଲାଗୁଛି । ସରକାରର ବିବେକ ଥିଲେ ସେମାନଙ୍କୁ ଭାରି ସହଜରେ ବାରି ହେଉଥାନ୍ତା । ସେଇମାନଙ୍କର ଶ୍ରଦ୍ଧାର ସଂକ୍ରମଣ ଘଟାଇ ବର୍ତ୍ତମାନର ଫାଙ୍କି ଗୁଡ଼ାକୁ କିପରି ବଦଳାଇ ହୁଅନ୍ତା, ସରକାର ସତକୁସତ ଶିକ୍ଷା ବିଷୟରେ ଚିନ୍ତା କରୁଥଲେ କେତେ କ'ଣ ସମ୍ଭବ କରି ପାରୁଥାନ୍ତେ । ସେକଥା ହୁଅନ୍ତା, ଯଦି ସରକାରୀ ମଥାମାନେ ଶିକ୍ଷକମାନଙ୍କୁ ଗୋଟାଏ ତଫସିଲଭୁକ୍ତ ପଲ ଭଳି ନଦେଖି ଜଣେ ଜଣେ ବ୍ୟକ୍ତି ପରି ଦେଖନ୍ତେ ଓ ସେମାନଙ୍କୁ ବ୍ୟକ୍ତିର ସ୍ଵୀକୃତି ଦେଇପାରନ୍ତେ । ଜଣେ ଶିକ୍ଷକ ମଧ୍ୟ ତା’ ଆସ୍ଥାନଟିର ପ୍ରକୃତରେ ଯୋଗ୍ୟ ହୋଇପାରନ୍ତା, ଯଦି ସିଏ ଆପଣାକୁ ଗୋଲାମଟିଏ ଭଳି ନଦେଖି ମନୁଷ୍ୟର ମର୍ଯ୍ୟାଦାରେ ଦେଖିପାରନ୍ତା । ଏହି କଥାଟି ସଂଘ କରିପାରିବ ନାହିଁ,– ସ୍ଵୟଂ ଶିକ୍ଷକ ହିଁ କରିପାରିବ । ତା'ର ଦାୟିତ୍ୱବୋଧ କରିପାରିବ-। ନିଜକୁ ଯେକୌଣସି ସରକାରଠାରୁ ବଡ଼ ବୋଲି ଅନୁଭବ କରିବାର ଏକ ଅନ୍ୟ ସଚେତନତାକୁ ଅର୍ଜନ କରିପାରିଲେ ଯାଇ ଶିକ୍ଷକ ସେହି କଥାକୁ ପାରିବ ।

 

ଭାରତବର୍ଷର କଷଣ ଯିବ । ଗଣତନ୍ତ୍ରର ସେହି ସଂଗ୍ରାମୀ ଆବେଦନଟି ସଂଖ୍ୟାଧିକ ପଟଟିର ହୃଦୟଯାଏ ଭେଦିପାରିଲେ ଯାଇ ଏସବୁ ଦିଗରେ ଉଚିତ ପଦକ୍ଷେପଟିଏ ପଡ଼ିଲା ବୋଲି ସକାରାତ୍ମକ ପ୍ରତ୍ୟୟଟିଏ ଜାତ ହୋଇପାରିବ । ନହେଲେ ତେଲିଆମାନେ ନିଜ ନିଜର ଗାଡ଼ିଆମାନ ସୃଷ୍ଟିକରି ନିଜ କୁଟୁମ୍ବମାନଙ୍କ ପାଇଁ ବାନା କୁଶିକ୍ଷାର ମଞ୍ଜିଗୁଡ଼ିକୁ ବୁଣିଦେଇ ଦେଶରେ ଗୋଟାଏ ବିଶେଷ ବର୍ଗ ସୃଷ୍ଟି କରିବାରେ ଲାଗିଥିବେ ଏବଂ ଆହୁରି ବହୁକାଳ ନିମନ୍ତେ ଏହି ଦେଶକୁ ସଆନ୍ତମାନେ ଉପଭୋଗ କରୁଥାଆନ୍ତୁ ବୋଲି ଚକ୍ରାନ୍ତ କରୁଥିବେ । ତେଣୁ ଶିକ୍ଷାବିତ୍‌ମାନେ ଉଚିତ ମାର୍ଗଗୁଡ଼ିକର ସନ୍ଧାନ କରନ୍ତୁ । ଶିକ୍ଷାବିତ୍‌ମାନେ କ’ଣ ଖାଲି ସହରରେ ମିଳିବେ ? ବାବୁମାନଙ୍କର ସେମିନାର୍‍ମାନଙ୍କରେ ସେମାନଙ୍କୁ ତୁମେ ମୋଟେ ଭେଟି ପାରିବ ନାହିଁ-। ଶିକ୍ଷାକୁ ଏହି ରାଜ୍ୟରେ ଯେଉଁସବୁ ଅଞ୍ଚଳରେ ଅବହେଳିତ ରଖାଯାଇ ଆସିଛି, ସେଠାରେ କେବେହେଲେ ପାଦ ନପକାଇଥିବା ସର୍ବୋତ୍ତମ ସ୍ଥୂଳମାନେ ସହରରେ ବାରମ୍ବାର ସେମିନାର୍‍ କରି ଫଲେଇ ହେଉଥିବେ । ଏଥିରେ ଯନ୍ତ୍ରୀମାନେ ହିଁ ଅଧିକ ଉତ୍ସାହରେ କଥା କହୁଥିବେ ଏବଂ ଉତ୍ସବର ନାନା ଆୟୋଜନରେ ଦୋଳି ଖେଳୁଥିବେ । ବହୁତ କିଛି ହେଉଛି ବୋଲି ପ୍ରବୋଧନା ଦେବାରେ ଲାଗିବେ । ଉଦ୍‍ଘାଟନ ଏବଂ ଉଦ୍‌ଯାପନରେ ଶିରିଣି ବଣ୍ଟା ହେଉଥିବ । ଏବଂ, ରାଜ୍ୟର ଅଶୀଭାଗ ମଣିଷ ସେହି ପୁରାତନ ତିମିରଗୁଡ଼ାକ ଭିତରେ ଅସମର୍ଥ ହୋଇ ରହିଥିବେ । ପୋଲିସ୍‌ ଫଉଜ ଲଗାଇ ପିଲାଙ୍କର ପରୀକ୍ଷା ହେଉଥିବ,– ଅଧ୍ୟାପକ ଓ ଶିକ୍ଷକମାନେ ପୋଲିସ୍ ପାଇଟି କରୁଥିବେ । ଏବଂ ଗୋଟାଏ ଜାଗାରେ ପାଞ୍ଚଟା ହାକିମ କାଗଜ ଉପରେ ଶିକ୍ଷାର ସେବା କରୁଥିବେ । ତେଣେ ଆନନ୍ଦମୟ ଶିକ୍ଷା ପାଇଁ ହରିବୋଲ ଦିଆଯାଉଥିବ । ତେଣୁ, ଯଥାର୍ଥ କ୍ରୋଧଗୁଡ଼ିକର ସାହସ କରି ନପାରିଥିବା ପର୍ଯ୍ୟନ୍ତ ଏହି ମାଦଳ ଯନ୍ତ୍ରଟା ମୋଟେ ବଦଳିବ ନାହିଁ । ତୃତୀୟ ବିଶ୍ୱରେ ଶିକ୍ଷା କହିଲେ ବହିର ପାଠ ଓ ପଠିତ ପାଠଗୁଡ଼ିକର ଖିଆରି ପରୀକ୍ଷା ଠାରୁ ଯେ ଅନେକ ଅଧିକକୁ ବୁଝାଏ, ପୃଥିବୀଯାକର ଶିକ୍ଷାବିତ୍ କ୍ରମେ ସେହି ବିଷୟରେ ସହମତ ଓ ସଚେତନ ହୋଇ ଆସିଲେଣି । ଯନ୍ତ୍ରୀମାନେ ବାଧା ଦେଉଛନ୍ତି । ବାଟ ଓଗାଳି ରଖିଛନ୍ତି । ସବୁ ମଣିଷଙ୍କ ଗଣତି ମଧ୍ୟକୁ ଆଣିବା ପାଇଁ ରାଜି ହେଉନାହାନ୍ତି । ସରକାରମାନେ ଯନ୍ତ୍ରୀମାନଙ୍କ ପଟେ ରହିଛନ୍ତି । ତଥାପି ବିକଳ୍ପମାନଙ୍କର ମୁହୂର୍ତ୍ତଟି ଆସୁଛି । ଆମେ କେଉଁ ପଟରେ ରହିବା, ସେହି ଅନୁସାରେ ହିଁ ଆମର ମୀମାଂସା ହେବ ।

 

୧୯/୩/୨୦୦୧

Image

 

ଆଦିବାସୀ ନିଜେ କହୁ

 

ଏହି ଦେଶଟା ସମସ୍ତଙ୍କର ହୋଇଥିଲେ ମଧ୍ୟ ଆମେ କେତେଟା ବର୍ଗ ଏହାକୁ ବିଶେଷ କରି ନିଜର ବୋଲି ଭାବିଥାଉ । ଆମେ ଅପେକ୍ଷାକୃତ ଅଧିକ ଶିକ୍ଷାଲାଭ କରିଛୁ । ବଡ଼ ବଡ଼ ଚାକିରିଗୁଡ଼ିକ ମୁଖ୍ୟତଃ ଆମ ଦଖଲରେ ରହିଛି, ବିଜ୍ଞାନ ହେତୁ ଅର୍ଜିତ ବସ୍ତୁ ଏବଂ ବିଳାସମାନେ ଆମ ମିଜାଜର ପ୍ରାସାଦଗୁଡ଼ିକୁ ହିଁ ବିଶେଷ ଛଟାଯୁକ୍ତ ଭାବରେ ମଣ୍ଡିତ କରି ରଖିଛନ୍ତି । ମୁଖ୍ୟତଃ ଯେଉଁ ସଂସ୍କାର ଓ ଅଭ୍ୟାସଗୁଡ଼ିକୁ ଆମେ ସଭ୍ୟତା ବୋଲି ଜାଣିବାକୁ ମୁହଁ ପାଇ ଆସିଛୁ, ସେଗୁଡ଼ିକର ଛାଞ୍ଚ ଦେଇ ଆମେ ଆମ ସ୍ୱପ୍ନର ଭାରତବର୍ଷକୁ ନିର୍ମାଣ କରିବାର ଦମ୍ଭଟିକୁ ପ୍ରାୟ ଫୁଲପାଣି ଦେଇ ଫୁଲାଇ ଆସିଛୁ । ଏବେ ସେହି ଦୁଷ୍ଟ ଖୋଇଟାକୁ ହିଁ ଆମେ ସ୍ୱାଭିମାନ ବୋଲି କହିଲୁଣି । ଏବଂ, ସ୍ୱାଭିମାନର ରାଜନୀତି ପ୍ରକୋପରେ ପଡ଼ି ଆମଠାରୁ ଅଳ୍ପସଂପନ୍ନତା ଭିତରେ ହାତଗୋଡ଼ ବନ୍ଧାହୋଇ ପୁରୁଷ ପୁରୁଷ ଧରି ପଡ଼ି ରହିଥିବା ଅନ୍ୟମାନଙ୍କୁ ଗୋଟାସୁଦ୍ଧା ଇତର ଏବଂ ଅବର ଦୃଷ୍ଟିରୁ ଦେଖୁଛୁ । ଆମେ ସେମାନଙ୍କୁ ପଛୁଆ ଜାତି ବୋଲି କହୁଛୁ । ସେମାନଙ୍କର ନାଆଁକୁ ଗୋଟାଏ ଅଲଗା ମାଟିଆ କାଗଜର ଖାତାରେ ଲେଖି ରଖିଛୁ । କେବଳ ଆମ ନାଆଁଟା ଲେଖାହୋଇ ରହିଥିବା ଖାତାଟି ଧଳା କାଗଜରେ ଲେଖା ହୋଇଥିବା ପରି ଅନୁଭବ କରି ଏପରି ମାତ୍ରାଧିକ ପରିମାଣରେ ମୋହିତ ହୋଇ ପଡ଼ୁଛୁ ଯେ, ସେମାନେ ମଧ୍ୟ ଆମରି ଭଳି ଏହି ଦେଶର ପୂର୍ଣ୍ଣ ଅଧିକାରଯୁକ୍ତ ନାଗରିକ ବୋଲି ସ୍ୱୀକାର କରିବାକୁ ହୁଏତ ପାସୋରି ପକାଉଛୁ । ନିଜକୁ ସେମାନଙ୍କର ଅଭିଭାବକ ବୋଲି ଧରିନେଇଛୁ । ବିଚରା ସେମାନେ କୋଉ ଅନ୍ଧାର ତଳେ ଯାଇ ରହିଛନ୍ତି,– ଗୋଟିଏ ଦେଶର ନାଗରିକ ହିସାବରେ ସେମାନଙ୍କୁ ପୋଖତ କରି ଆଣିବାର ଦାୟିତ୍ୱଟିକୁ ମଧ୍ୟ ଆମେ ନିଜ ଉପରେ ଅର୍ପିତ କରି ରଖିଛୁ । ଆମେ ଉଚ୍ଚ ଓ ଉତ୍ତମମାନେ ଏକ ଜାତୀୟ ସମୂହରୂପୀ ବୃକ୍ଷଟିର ତାଳରୂପେ ଶୋଭା ପାଉଛୁ । ବଉଳରେ ଭାଙ୍ଗିପଡ଼ିବା ପରି ଦେଖାଯାଉଛି । ସେମାନଙ୍କର ଦେଖାଇବା ଭଳି ସେପରି ତାଳ ନଥିଲେ ମଧ୍ୟ ତଥାପି ସଚେତନ ମୂଳଟିଏ ଯେ ଅଲବତ ରହିଛି, ସେହି କଥାଟିକୁ ପ୍ରାୟ ଗେଲରେ ଗେଲରେ ପାସୋରି ପକାଇଲୁଣି-। ଆମର ନିଜ ମୂଳଟିକୁ ଯେ ଆମେ କୋଉକାଳରୁ ପଛରେ ପକାଇ ଆସିଲୁଣି, ସେହି ଲାଜକଥାଟିକୁ ଭୁଲିବା ପାଇଁ ଏହିପରି ଗୋଟାଏ ଜାଲର ଆଶ୍ରୟ ଗ୍ରହଣ କରିଛୁ କି ?

 

ଏ ଦେଶରେ ଆଦିବାସୀମାନେ ମଧ୍ୟ ନାଗରିକ । ଠିକ୍ ଆମରି ସଦୃଶ ପୂର୍ଣାବୟବ ନାଗରିକ । ସେହି ସତ୍ୟଟି ସାମ୍ବିଧାନିକ ବହିରେ ଲିପିବଦ୍ଧ ହୋଇ ରହିବାର ପଚାଶ ବର୍ଷ ପୂରିଯିବା ପରେ ମଧ୍ୟ ଏବେ ଚାରିଆଡ଼କୁ ଆଖି ବୁଲାଇ ଆଣିଲେ ମନ ହେଉଛି, ସେମାନେ ଅବଶ୍ୟ ନାଗରିକ, ମାତ୍ର ଆମେ ହିଁ ସେମାନଙ୍କର ଅଭିଭାବକ । ସେମାନେ ଆମରି ତତ୍ତ୍ୱାବଧାନରେ ମଣିଷ ହେବେ, ଆମରି ଗୁଳା ମୁତାବକ ତିଆରି ହେବେ । ପ୍ରଧାନତଃ ଆମ ହେପାଜତରେ ଚାଲୁଥିବା ଏହି ସରକାରରେ ସେମାନଙ୍କର ଉନ୍ନୟନ ଏବଂ ଉପନୟନ ନିମନ୍ତେ ଏକ ସ୍ୱତନ୍ତ୍ର ବିଭାଗ ରହିଆସିଛି । ସେମାନଙ୍କର ପିଲାମାନେ ପାଠ ପଢ଼ିବେ ବୋଲି ସ୍ୱତନ୍ତ୍ର ଇସ୍କୁଲମାନ ତିଆରି କରାଯାଇଛି । ବିଶ୍ଵବିଦ୍ୟାଳୟମାନଙ୍କରେ ନୃତତ୍ତ୍ୱବିଭାଗ ନାମକ ଗୋଟାଏ ଭାଡ଼ିକୁ ଅଲଗା କରି ରଖାଯାଇଛି, ଯେଉଁଠାରେ କି ଆଦିବାସୀ ସମାଜ ବିଷୟରେ ଅଧ୍ୟୟନ ଓ ଘୋର ଗବେଷଣାମାନ କରାଯାଉଛି । ନିତାନ୍ତ ଏକତରଫା ଭାବରେ ଅଭିଭାବକମାନେ ହିଁ ସେହିଗୁଡ଼ିକର ବ୍ୟବସ୍ଥା କରିଦେଇଛନ୍ତି । ଚାଲ, ଆମେ ବିଶ୍ଵବିଦ୍ୟାଳୟରୁ ଆରମ୍ଭ କରିବା, ସେସବୁ ମୁଣ୍ଡନତୀର୍ଥରେ ବହୁ ବର୍ଷ ଧରି ଅଧ୍ୟୟନ କରି ଆସିଥିବା ଛାତ୍ରମାନଙ୍କର କୁଢ଼ ଭିତରେ ଆଦିବାସୀ ଘରର ହୁଏତ ଗୋଟିଏ ପ୍ରତିଶତ ପିଲା ବି ନାହାନ୍ତି । ଯେଉଁ ଦ୍ରୋଣାଚାର୍ଯ୍ୟମାନେ ସେଠାରେ ପାଠ ପଢ଼ାଇବେ ବୋଲି ଏକାବେଳେକେ ବିଲାତ କିମ୍ବା ଆମେରିକାରୁ ମୁକାମ ନେଇ ଆସିଛନ୍ତି, ସେମାନେ ପ୍ରାୟ କେହି ଆଦିବାସୀଙ୍କର ଭାଷା ଜାଣିନାହାନ୍ତି । ସେମାନେ ଦେବଭାଷା ଇଂରେଜୀ ଭାଷାରେ ଯାହାକିଛି ଗିଳିଛନ୍ତି ଓ ସେହି ଭାଷାରେ ହିଁ ଛାତ୍ରମାନଙ୍କୁ ଗିଳାଇ ପାରୁଛନ୍ତି । ଆଦିବାସୀ ସମାଜ ଏବଂ ଆଦିବାସୀ ସଂସ୍କୃତି ବିଷୟରେ ବିଶ୍ୱବିଦ୍ୟାଳୟମାନଙ୍କରେ ପାଠପଢ଼ା ହେଉଛି ବୋଲି ଶତକଡ଼ା କେତେଜଣ ଆଦିବାସୀଙ୍କୁ ଜଣା ଅଛି, ତାହାର ମଧ୍ୟ ହିସାବଟିଏ ସଂଗ୍ରହ କରାଯାଇପାରନ୍ତା ।

 

ବିଶ୍ଵବିଦ୍ୟାଳୟରେ ଯେତିକି ହେଉଛି, ତାହା ଆଦୌ ଯଥେଷ୍ଟ ହେଉନାହିଁ ବୋଲି ହୁଏତ ଲାଗୁଥିବାରୁ ରାଜ୍ୟରେ ସରକାରଙ୍କ ତରଫରୁ ମଧ୍ୟ ସ୍ୱତନ୍ତ୍ର କଦରରେ ଗୋଟିଏ ତତ୍ତୁଲ୍ୟ ମାହାଲ ରହିଛି । ଆଦିବାସୀ ଭାଷା ଏବଂ ସଂସ୍କୃତିର ଗବେଷଣା ସକାଶେ ଏଇଟି ବହୁବର୍ଷ ହେଲା କାର୍ଯ୍ୟ କରିଆସୁଛି । ଏଇଟି ସହରରେ ଅଛି । ନଅର ଭିତରେ ରହି ଆଗେ ରାଜାମାନେ ରାଜ୍ୟର ଶାସନ କରୁଥିବା ପରି ଲାଗୁଛି । କେତେ ଛାପା ବହି ବାହାରି ସାରିଲାଣି । ଅଧିକାଂଶ ଇଂରାଜୀ ଭାଷାରେ-। ସତେଅବା ଆଉ କାହାର ପ୍ରୟୋଜନଗୁଡ଼ିକର ପୂରଣ ଲାଗି ଏହି ବହିସବୁ ଲେଖାଯାଇଛି-। ସେହିସବୁ ବହି କେତେଜଣ ଆଦିବାସୀ ପଢ଼ିଛନ୍ତି ? ଏସବୁ ଦ୍ଵାରା ଆଦିବାସୀ ଜଗତସଂସାରଟିର ପ୍ରକୃତରେ କେଉଁ ଉପକାର ହେଉଛି, ତାହାର ମଧ୍ୟ ଆକଳନଟିଏ କରା ନଯାଆନ୍ତା କାହିଁକି ? ସଂସ୍ଥାଟି ତରଫରୁ ଇଂରାଜୀ ଏବଂ ରାଜ୍ୟର ଭାଷାରେ ବାହାରୁଥିବା ପତ୍ରିକାଟିରେ ଅଣଆଦିବାସୀମାନେ ହିଁ ଆଦିବାସୀଙ୍କ ବିଷୟରେ ଲେଖନ୍ତି । ସେମାନଙ୍କର ଲୋକସାହିତ୍ୟ, ବାଦ୍ୟ, ନାଚ, ପର୍ବ ଏବଂ ସାମାଜିକ ବିଧାନଗୁଡ଼ିକ ବିଷୟରେ ତଥ୍ୟଘନ କେତେ କ'ଣ ପ୍ରକାଶିତ ହୁଏ । ସେଗୁଡ଼ିକୁ ଯେପରି ଭାବରେ ନେଇଆଣି ଥୁଆ ଯାଇଥିବ, ସେକଥା ଜାଣିଲେ ଜଣେ ଆଦିବାସୀ ହୁଏତ ଅତ୍ୟନ୍ତ ଅଶ୍ଵସ୍ତି ବି ଅନୁଭବ କରୁଥବ । ବସ୍ତୁତଃ, ଆଦିବାସୀ ଜୀବନର ଅସଲ ଅର୍ଥାତ୍ ସର୍ବପ୍ରାଥମିକ ସମସ୍ୟାଗୁଡ଼ିକୁ ଉପେକ୍ଷା କରି ରଖିବା ନିମନ୍ତେ ଏହିସବୁ ପାର୍ଶ୍ଵସାମଗ୍ରୀଗୁଡ଼ିକୁ ପ୍ରାୟ ଏକ ପିଲାଳିଆ ଉତ୍ସାହରେ ଏକାଠି କରି ମେଣ୍ଟଟିଏ ବାନ୍ଧିବାର ପ୍ରୟାସ କରାଯାଇଥାଏ କି ? ଯେଉଁସବୁ ପ୍ରତିବନ୍ଧକ ତଥା ପ୍ରତିକୂଳତା ରହିଥିବାରୁ ନାଗରିକ ବୋଲି ସ୍ୱୀକୃତି ପାଇ ମଧ୍ୟ ଆଦିବାସୀ ତଥାପି ଯେ କାହିଁକି ବହୁ ଅସମର୍ଥତା ଭିତରେ ଏବେ ବି କାବୁ ହୋଇ ରହିଛି, ଗବେଷକମାନେ କାହିଁକି ସେସବୁ ଦିଗରେ ନିଘ ଦିଅନ୍ତି ନାହିଁ କେଜାଣି ? ଯାବତୀୟ ଗବେଷଣା ଏବଂ ତଥାକଥିତ କଲ୍ୟାଣକାରିତା ସେହି ଅଭିଭାବକୀୟ ଦୃଷ୍ଟିଟା ଭିତରେ କିଳି ହୋଇ ରହିଥିବାରୁ ଏପରି ହୋଇଥାଏ କି ? ଜଣେ ବଞ୍ଚିତ ମଣିଷ ଓ ଗୋଟିଏ ବଞ୍ଚିତ ଲୋକସମୂହ ସଚେତନ ହେବା ସଙ୍ଗେ ସଙ୍ଗେ ଆଗ ପ୍ରତିବାଦ କରି ବାହାରିବ, ସିଏ କଡ଼ ଲେଉଟାଇବାକୁ ଅବଶ୍ୟ ଇଚ୍ଛା କରିବ ଏବଂ ସର୍ବୋପରି ଏକ ଜାଗ୍ରତ ଆତ୍ମଚେତନା ଏକ ରାଜନୀତିକ ଚେତନାକୁ ମଧ୍ୟ ଜନ୍ମଦେବ । ଆଦିବାସୀଙ୍କୁ ମୂଳ କରି ବାହାରୁଥିବା ପତ୍ରିକାରୁ କେବେହେଲେ ସେପରି ସଙ୍କେତଟିଏ ମିଳେନାହିଁ । ଅଭିଭାବକମାନଙ୍କର ସ୍ୱାର୍ଥ-ସଚେତନ ସଂସ୍କାରମାନେ ସେଥିଲାଗି ମୋଟେ ବାଟ ଛାଡ଼ି ଦିଅନ୍ତି ନାହିଁ-

 

ହିତୈଷୀ ଅଧିକାରୀମାନେ ଘୋର ବିଚାର କରି ଆବାସିକ ଆଦିବାସୀ ବିଦ୍ୟାଳୟଗୁଡ଼ିକୁ ଆଶ୍ରମ ବୋଲି ନାମକରଣ କରିଛନ୍ତି । ସେହି ଆଶ୍ରମମାନଙ୍କରେ ରହୁଥିବା ଜଣେ ଆଦିବାସୀ ପିଲା ବାବତରେ ଗ୍ରାସାଚ୍ଛାଦନ ତଥା ବିଦ୍ୟାର୍ଜନ ଆଦିରେ ମାସିକ ଓ ବାର୍ଷିକ କେତେ ଖରଚ ହେବ, ସେକଥା ଦିଲ୍ଲୀ ବା ଭୁବନେଶ୍ଵରରେ ହିଁ ସେହି ଦୟାଳୁ ଅଭିଭାବକବୃନ୍ଦ ନିଶ୍ଚିତ କରି ଦେଇଛନ୍ତି । ଆଶ୍ରମରେ ଜଣେ ଆଦିବାସୀ ପିଲାର ଭୋଜନରେ ଯେତିକି ପଇସା ଲାଗିବାକୁ ବରାଦ ହୋଇଛି, ଏହି ଦେଶରେ ଏକ ଆବାସିକ ଇଂରାଜୀ ମିଡିୟମ୍ ଇସ୍କୁଲର ସେହି ବୟସର ଆଉ ଗୋଟିଏ ପିଲାପାଇଁ ହେଉଥିବା ଭୋଜନ ଖର୍ଚ୍ଚ ସହିତ ତାହାର ତୁଳନା କରାଗଲେ ନିର୍ବୋଧତା ତଥା ଖିଆଲି ଅବିଚାରଟା ଆପେ ଆପେ ଧରାପଡ଼ିଯାଆନ୍ତା । ଗୋଟିଏ ଆଦିବାସୀ ପିଲାର ଥିବା ଘରର ଜଣେ ସୁକୁମାର ପିଲାଠାରୁ ଯେ ହଜମଶକ୍ତି ଅଧିକ ଅବଶ୍ୟ ହେବ, ବାବୁ ମହାଶୟମାନେ ସେକଥା ଏଯାଏ ମଧ୍ୟ କିପରି ଜାଣିପାରିଲେ ନାହିଁ କେଜାଣି ? ନିଜ ପିଲା ପେଟକୁ ଚିହ୍ନିଥିବା ବାପ ମାଆ ପୃଥିବୀରେ ଆଉ ଗୋଟିଏ ପିଲାର ପେଟକୁ ଚିହ୍ନିପାରିବେ ନାହିଁ, ଏଭଳି କିପରି ଘଟେ କେଜାଣି ? ଖାଇବାକୁ ଛାଡ଼ିଦେଲେ ଆହୁରି ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ ରହିଛି । ଦେହମୁଣ୍ଡ ରୋଗବୈରାଗ୍ୟ ଅବଶ୍ୟ ରହିଛି । କଥିତ ଅଛି, ଦାର୍ଶନିକ ପ୍ଲେଟୋ ତାଙ୍କର କଳ୍ପିତ ପୌର-ବ୍ୟବସ୍ଥାରେ ପିଲାମାନଙ୍କର ପାଠ ପ୍ରସଙ୍ଗରେ ତିନି ଭଳି ବିଭାଗ ରଖିଥଲେ । ସୁନା ପିଲା, ରୂପା ପିଲା ଏବଂ ପିତ୍ତଳ ପିଲାଙ୍କର କ୍ଷେତ୍ରରେ ଅଲଗା ଅଲଗା ପାଠ ସରଞ୍ଜାମ ନିର୍ଣ୍ଣୟ କରି ଦେଇଥିଲେ ମଧ୍ୟ ସିଏ ପେଟର ଆହାର ବେଳକୁ କଦାପି ସୁନାମାନଙ୍କ ପାଇଁ ଚାରିଗୁଣ ବରାଦ କରି ପିତ୍ତଳମାନଙ୍କ ସକାଶେ କେବଳ ଅଧ କିମ୍ବା ଚଉଠ ପେଟ ବରାଦ କରିନଥିବେ । ପାଠ, ପୋଷାକ ପ୍ରଭୃତି ଅନ୍ୟ କଥାମାନଙ୍କରେ ଗୋଟାଏ ପାଖରେ ଅନୁଗ୍ରହଜନିତ ଅହଙ୍କାର ଓ ଅନ୍ୟ ପାଖରେ ନିଷ୍ଠା ସହକାରେ ଭଳିଭଳି ଉପେକ୍ଷା ଆଦିବାସୀ ଘରର ପୁଅଝିଅମାନଙ୍କୁ ସତେଅବା ଭବିଷ୍ୟତ ନିମନ୍ତେ ସେମାନଙ୍କ ଲାଗି ନିର୍ଣ୍ଣିତ ହୋଇ ରହିଥିବା ଏକ ଅସମାନ ଓ ହୃଦୟହୀନ ସମାଜକୁ ମଣ କରି ନିଆଯାଉଥାଏ । ମାତ୍ର ଜଣେ ମଣିଷ କ'ଣ ପାଇଁ ଏଗୁଡ଼ିକରେ ବାଧ୍ୟ ହୋଇ ରହିବ ?

 

ତେଣୁ, ଆଦିବାସୀ ନିଜେ ସବୁ କହୁ; ଏହି ଅନ୍ୟାୟଟା ଯେତେ ଶୀଘ୍ର ଚାଲିଯାଏ, ଦେଶଟା ପାଇଁ ତାହା ସେତେ ସମୁଚିତ ଓ ସମୀଚୀନ ଅବଶ୍ୟ ହୋଇପାରିବା ଉଚିତ । ଆଦିବାସୀ ଏଣିକି ନିଜେ କହୁ– ଏହା ହିଁ ବିକଳ୍ପ ହେଉ । ଏକଥା ବାବୁମାନେ ହିଁ ମହା ଉତ୍ସାହରେ ଭାରତବର୍ଷ ପାଇଁ ଗଣତନ୍ତ୍ରଟାକୁ ଆଧାର କରି ଏଠି ସମ୍ବିଧାନଟିଏ ତିଆରି କରିଦେଲେ । ଭାରତବାସୀ ସମସ୍ତେ ନାଗରିକ ହେଲେ ଏବଂ ଭୋଟ ଅଧିକାର ଲାଭ କଲେ । ସେମାନଙ୍କୁ ସେହି ଅଧିକାର ଦିଆଗଲା, ଅର୍ଥାତ୍ ସେମାନେ ଅନ୍ୟ ସମସ୍ତଙ୍କର ସମସ୍କନ୍ଧ ବୋଲି ସ୍ୱୀକାର କରାଗଲା । ପାତରଅନ୍ତରଗୁଡ଼ିକ କ୍ରମେ ଲୁପ୍ତ ହେବେ ବୋଲି ଘୋଷଣା କରାଗଲା, ଆର୍ଥିକ ତଥା ସେହିଭଳି ଅନ୍ୟାନ୍ୟ ସାମର୍ଥ୍ୟଗତ ସୁଯୋଗ ଦୃଷ୍ଟିରୁ ଯେଉଁମାନେ ଅଧିକ ଅଳ୍ପବଳ ହୋଇ ରହିଥିଲେ, ବରଂ ସେମାନେ କିପରି ଶୀଘ୍ର ଅଗ୍ରଗତି କରି ମୁଖ୍ୟସ୍ରୋତଟିରେ ସାମିଲ ହେବେ, ତାହାର ପନ୍ଥାମାନ ଗ୍ରହଣ କରାଯାଇଥାନ୍ତା ! ସ୍ୱାଧୀନତା ପରେ ନେତୃତ୍ୱମାନେ ଯହୁଁ ଯହୁଁ ଅବାଗିଆ ହେଲେ, ତହୁଁ ତହୁଁ ପ୍ରତାରଣା ବଢ଼ିଲା । ପ୍ରବଳମାନେ ଅଧିକ ପ୍ରବଳ ହେବାକୁ ମୁହଁ ପାଇଲେ । ରାଜନୀତି ତଥା ସାମୂହିକ ଭିତ୍ତିନିର୍ମାଣରେ ଯାବତୀୟ ନୀତିରେ ଅଳପଙ୍କ ନିମନ୍ତେ ବହୁତଙ୍କୁ ଉପେକ୍ଷା କରାଗଲା, ଉପରଟାକୁ ଅଧିକ ଲକ୍ଷଣଯୁକ୍ତ କରି ରଖାଯିବ ବୋଲି ତଳଟାକୁ ଫାଙ୍କି ଦିଆଗଲା । ଉପରବାଲା ତଳଟାକୁ ଲୁଟିଲେ, ସେମାନଙ୍କୁ ସତେଅବା ଚିରକାଳ ଅକିଞ୍ଚନ କରି ରଖିବାର ଅଭିପ୍ରାୟରେ କାଗଜରେ କେଡ଼େ ବଢ଼ିଆ ଦେଖାଯାଉଥିବା ଯୋଜନାଗୁଡ଼ିକୁ ଆଉ କୁଆଡ଼େ ବଙ୍କାଇ ନିଆଗଲା । ଏଣିକି ଏଗୁଡ଼ାକ ବଦଳିବାର ବେଳ ଆସୁ । ଆଦିବାସୀ ତା’ ନିଜ କଥା କହୁ । ତା’ର ସଂସ୍କୃତି ଓ ପରମ୍ପରା, ତା’ ସମାଜ ଓ ସଂହତିର ସକଳ ନିଷ୍ପତ୍ତି ସେଇ କରୁ । ତା'ପାଇଁ ସରକାର ଯାହା ଖର୍ଚ୍ଚ କରୁଛି, ତାହାକୁ ସିଏ ନିଜେ ଖର୍ଚ୍ଚ କରୁ । ତା'ର ଘରଡ଼ିହ ତଡ଼ା ହୋଇ ଲୁହା ବା ସୁନା ବାହାରିବ ବୋଲି ଯଦି ବିଚାର କରାଯାଉଛି, ତେବେ ତାକୁ ମଧ୍ୟ ସାଙ୍ଗରେ ବସାଇ ସେସବୁ ହେଉ । ଯଦି ଏପରି ନହୋଇ ପାରୁଛି, ଏହି ଦେଶର ଜଣେ ନାଗରିକ ରୂପେ ତଥା ଗୃହୀତ ସମ୍ବିଧାନର ଜଣେ ରକ୍ଷକ ରୂପେ ସିଏ ଯେପରି ତା’ର ପ୍ରତିବାଦ କରିପାରିବ, ସେଥିଲାଗି ତାକୁ ପ୍ରଶିକ୍ଷିତ ଏବଂ ସଚେତନ କରି ଆଣିବାର ନୂଆ ଅନ୍ୟ ନେତୃତ୍ୱମାନେ ଆଗକୁ ଆସନ୍ତୁ । ତା' ଜଙ୍ଗଲର ପରିଚର୍ଯ୍ୟା ସେଇ ନିଜେ କରୁ, ତା’ ଜମିକୁ ସିଏ ସ୍ଵୟଂ ଚକ୍ଷୁ । ତିକୁମାନେ ଆଡ଼ି ହୋଇଯାଆନ୍ତୁ ।

 

ଚତୁରମାନେ କହିବେ, ଆଦିବାସୀର ଶିକ୍ଷାଦୀକ୍ଷା କିଛି ନାହିଁ । ସିଏ ଆପଣାର କାର୍ଯ୍ୟଟିକୁ ଆଦୌ ତୁଲାଇ ପାରିବ ନାହିଁ । ବିଗତ ପଚାଶ ବର୍ଷ ହେଲା ଯେଉଁମାନେ ତା'ପାଇଁ ଏସବୁ ମାମଲତ ବୁଝିଲେ, ସେମାନେ ଯେପରି ଲଜ୍ଜାହୀନ ଭାବରେ ଲୁଟିନେଲେ, ନିଜେ ଆଦିବାସୀମାନେ କଦାପି ସେତେ ପାରଙ୍ଗମତା ଦେଖାଇ ପାରିବେ ନାହିଁ । ନିଜ ଶାସନ ନିଜ ମୁଣ୍ଡକୁ ନେଇ ନିଶ୍ଚୟ କିଛି ଭୁଲ୍ କରିବେ ସତ, ମାତ୍ର କେବେହେଲେ ଅଭିଭାବକ ଭଦ୍ରମାନଙ୍କୁ ବଳିଯାଇ ପାରିବେ ନାହିଁ । ଶତାବ୍ଦୀ ଶତାବ୍ଦୀର ସକଳ ପ୍ରତିଘାତ ଓ ପ୍ରତାରଣା ସତ୍ତ୍ୱେ ଆଦିବାସୀର ଚେରଗୁଡ଼ିକ ଏବେ ମଧ୍ୟ ତା’ ଭୂଇଁ ଭିତରକୁ ଭେଦି କରି ରହିଛି । ତେଣୁ ସିଏ କଦାପି ଆମ ଅନ୍ୟମାନଙ୍କ ପରି ଏତେ ଅନାଚାରୀ ହେବନାହିଁ । ତା’ ଚାରିପାଖରୁ ତା'ର ସକଳ ଅଭାବ ଏବଂ କଷଣ ସତ୍ତ୍ୱେ ତା’ ସଂହତିର ବହୁସଂଖ୍ୟକ ହାତ ତାକୁ କଦାପି ଶୂନ୍ୟମୂଳ ହେବାକୁ ଛାଡ଼ି ଦେବେନାହିଁ । ଆଦିବାସୀ ସମାଜରେ ଏବେ ମଧ୍ୟ ଏଭଳି ବ୍ୟକ୍ତି ଖୁବ୍ ଅଳପ ଥିବେ, ଯେଉଁମାନେ କି କେବଳ ଆପଣାର ସ୍ଵାର୍ଥ ପାଇଁ ସମୂହର ମମତାଗୁଡ଼ିକୁ ଫିଙ୍ଗିଦେଇ ଫୁଙ୍ଗୁଳା ହେବାକୁ ମନ କରିବେ । ତାକୁ ଏପରି କଦାପି ହେବାକୁ ନଦେବାରେ ଆଦିବାସୀର କୁଟୁମ୍ବବୋଧ, ଏପରିକି ତା’ର ପର୍ବ, ତା’ ଗୀତ ଓ ନାଚ ତଥା ନିଜକୁ ସମଗ୍ର ଅଂଶ ରୂପେ ଦେଖିବାର ତା’ର ପାରମ୍ପରିକ ବୁଦ୍ଧି ତାକୁ ରକ୍ଷାକବଚ ପରି ବଳ ଦେଇପାରିବେ । ଏବଂ, ନାଗରିକ ହିସାବରେ ଯେତେବେଳେ ଆଦିବାସୀମାନେ ଶିକ୍ଷା, ଜୀବିକାର୍ଜନ ପ୍ରଭୃତି ସର୍ବସାମାନ୍ୟ କ୍ଷେତ୍ରଗୁଡ଼ିକରେ କ୍ରମଶଃ ଆପଣାକୁ ସମର୍ଥ କରି ଆଣିବେ, ସେତେବେଳେ ସେମାନେ ଦେଶର ଅବଶିଷ୍ଟମାନଙ୍କୁ ମଧ୍ୟ ଜୀବନର ଅସଲ ଘରଗୁଡ଼ିକୁ ଫେରି ଆସିବାରେ ବହୁତ ସାହାଯ୍ୟ କରିପାରିବେ, ସେମାନଙ୍କୁ ସଂହତିର ଅସଲ ଆଖିଗୁଡ଼ିକୁ ଆଣି ଯୋଗାଇଦେବେ ।

 

୨୬/୩/୨୦୦୧

Image

 

ବିଳମ୍ବରେ ହେଉ ପଛକେ

 

ରାଜନୀତିକ ଦଳ ଓ ରାଜନୀତିକ ବ୍ୟକ୍ତିଙ୍କ ପ୍ରତି ସାଧାରଣରେ ଯେଉଁ ଘୃଣାଭାବ ସୃଷ୍ଟି ହୋଇଛି, ତାହାକୁ ରାଜନୀତିକ ବ୍ୟକ୍ତିମାନେ ଓଡ଼ିଶାରେ ଉପଲବଧି କରୁନାହାନ୍ତି ବୋଲି ଏକବିଂଶ ଶତାବ୍ଦୀରେ ଓଡ଼ିଶାର ସମସ୍ୟା ଓ ତାହାର ସମାଧାନ' ଶୀର୍ଷକ ଗୋଟିଏ ଆଲୋଚନାଚକ୍ରରେ ବୟସରେ ବୃଦ୍ଧ ଜଣେ ନେତା ଏବେ ମନ୍ତବ୍ୟଟିଏ ଦେଇଛନ୍ତି । ସିଏ ଆହୁରି କହିଛନ୍ତି ଯେ, ସେମାନେ କେବଳ ଓଡ଼ିଶାକୁ ଦରିଦ୍ର କରି ରଖିନାହାନ୍ତି, ଓଡ଼ିଶାବାସୀଙ୍କର ଚିନ୍ତାଧାରାକୁ ମଧ୍ୟ ଦରିଦ୍ର କରି ରଖିଛନ୍ତି । ଏତିକି ସ୍ୱୀକାରୋକ୍ତି ମଧ୍ୟ ଓଡ଼ିଶାରେ ଏକ କମ୍ ମୂଲ୍ୟବାନ କଥା ନୁହେଁ । ଏକଦା ରାଜ୍ୟର ମୁଖ୍ୟମନ୍ତ୍ରୀ ଥାଇ ନିଜ ଜୀବନର ନାନା ପରବର୍ତ୍ତୀ ଭୂମିକାର ମଧ୍ୟଦେଇ ସିଏ ଯେତେବେଳେ ପଛକୁ ଅନାଇ କିଞ୍ଚିତ୍ ସମୀକ୍ଷା କରିବାକୁ ମନକଲେ, ସେତିକିବେଳେ ଆଉଜଣେ ଏକ ସ୍ଵୀକାରୋକ୍ତି କରିଥିଲେ । ତାଙ୍କ ଦଳର ଶାସନ ଅମଳରେ ଦେଶବାସୀଙ୍କୁ ଯେ ଧୋକା ଦିଆଯାଇଛି, ସ୍ଵାଧୀନ ଭାରତପାଇଁ ଦେଖାହୋଇ ଆସିଥିବା ସ୍ୱପ୍ନଚିତ୍ର ଗୁଡ଼ିକୁ ଯେ ନାରଖାର କରି ଫୋପାଡ଼ି ଦିଆଯାଇଛି, ଶ୍ରୀ ଚୌଧୁରୀ ସେଗୁଡ଼ିକୁ ସାଧାରଣ ସଭାମାନଙ୍କରେ କହିଥିଲେ । ଅପରାଧର ଏହି କାଳିମାମୟ କାହାଣୀ ପାଇଁ ସିଏ ନିଜକୁ ମଧ୍ୟ ଦାୟୀ କରିଥିଲେ ଓ ନିଜେ ଯେ ତାଙ୍କ ଦଳ ଭିତରର ଅନ୍ୟମାନଙ୍କଠାରୁ ବହୁତ ଫରକ, ସେକଥା ପ୍ରମାଣ କରିଦେଲେ । ଅବଶ୍ୟ ଏକଥା ସତ ଯେ, ଏହି କ୍ଷେତ୍ରରେ ଆଉ କିଛି କରିବା ସେତେବେଳେ ତାଙ୍କ ବଶରେ ଆଦୌ ନଥିଲା ।

 

ବର୍ତ୍ତମାନର ଆଲୋଚ୍ୟ ସଭାଟିର ବକ୍ତା ସେପରି କୌଣସି ସ୍ୱୀକାରୋକ୍ତି କରିନାହାନ୍ତି । ସିଏ ନିଜେ ମଧ୍ୟ ଏଠି ସରକାର ଭିତରେ ଥିଲେ, ରଜନୀତି ଭିତରେ ଥିଲେ, ସ୍ଵାଧୀନତା ପରେ ଦେଶଟା ଆଉ ଗୋଟାଏ ଅଧିକ ଭଲ ଭବିଷ୍ୟଚିତ୍ର ଅନୁସାରେ ଗଢ଼ାହେବ ବୋଲି ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଇ ସିଏ କ୍ଷମତାକୁ ଆସିଲେ । ତାଙ୍କରି ଭଳି ଆହୁରି ଅନେକେ ଠିକ୍ ସେହିଭଳି ଜବାବମାନ ଦେଇ କ୍ଷମତାସୀନ ହୋଇଥିଲେ । ସେହି ଅନୁସାରେ ରାଜନୀତିକ ଦଳମାନ ଗଢ଼ା ହୋଇଥିଲା, ତେଣୁ, ଆମେ କାହାକୁ କାହିଁକି ଭୋଟ ଦେଇ ପ୍ରତିନିଧି କରି ଶାସନ ଭିତରକୁ ପଠାଉଛୁ, ଲୋକମାନେ ସେକଥା ଠଉରାଇ ପାରୁଥିଲେ । ଦେଶଟା ଯେ ରାତାରାତି ନୂଆ ଢାଞ୍ଚାରେ ତିଆରି ହୋଇ ଯାଇଥାନ୍ତା, ସେକଥା ଲୋକମାନେ କଦାପି ଆଶା କରୁନଥିଲେ । ମାତ୍ର ଆସ୍ଥା ରହିଥିଲା, କ୍ରମପ୍ରୟାସ ଦ୍ଵାରା, ସାଧୁପୟାସ ଦ୍ଵାରା ଅଭିଳଷିତ ଚିତ୍ରଟି ଅବଶ୍ୟ ଉକୁଟି ଆସିବ ବୋଲି ଏକ ଅନୁରୂପ ପ୍ରତ୍ୟୟ ଅବଶ୍ୟ ରହିଥିଲା । ସେହି ପ୍ରତ୍ୟୟଟି ଗଣତନ୍ତ୍ରରେ ସମ୍ଭବତଃ ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ କଥା । ପଚାଶ ବର୍ଷ ପରେ ସେହି ପ୍ରତ୍ୟୟଟି ଏପରି ଭାଙ୍ଗିରୁଜି ଗଲା ଯେ, କ୍ଷମତାସୀନମାନଙ୍କ ଦ୍ୱାରା ଦେଶରେ ବା ରାଜ୍ୟରେ ସତକୁସତ କିଛି ହେବ ବୋଲି ଭରସା ରହିଲା ନାହିଁ । ଗଣତାନ୍ତ୍ରିକ ଉପଚାରମାନ ଭାରି ଜମିଦାରିଆ ଠାଣିରେ ଚାଲିଲା, କିନ୍ତୁ ଜନଆକାଂକ୍ଷାର ଗଛଟାରେ ସତେଅବା କୌଣସି ଫଳ ଧରିଲାନାହିଁ; ଅଥବା ଧରିଲା ସତ, ମାତ୍ର ସେଗୁଡ଼ିକୁ ସେହି କ୍ଷମତାସୀନମାନେ ସ୍ୱୟଂ ହଡ଼ପ କରିନେଲେ । ଦେଶରେ ଅଧିକରୁ ଅଧିକ ମଣିଷ ବଞ୍ଚିତ ହୋଇ ରହିଲେ; ଅଧେ ପିଲା ଇସ୍କୁଲ ବାହାରେ ରହିଗଲେ, ଖଟିଖିଆମାନେ ଅଧିକ ଅସହାୟ ଏବଂ ଅଧିକ ଅବହେଳିତ ହେଲେ,– ଗାଆଁଗୁଡ଼ିକର ସଂହତି ଭାଙ୍ଗି ନରଖର ହୋଇଗଲା ଏବଂ ପ୍ରଧାନତଃ ଅସାଧୁମାନେ ଉପଲବ୍‍ଧ ସବୁଯାକ ସୁଯୋଗ ମାରିନେଇ ସାମୂହିକ ଜୀବନର ସକଳ ଫଳଶ୍ରୁତିକୁ ତୁଚ୍ଛା ନିଜପାଇଁ ଅକ୍ତିଆର କରିନେଲେ । ରାଜନୀତି କହିଲେ ତୁଚ୍ଛା କ୍ଷମତା ହାସଲ କରିବାକୁ ହିଁ ବୁଝାଇଲା । ରାଜନୀତିକ ଦଳମାନେ ଆଉ ରାଜନୀତିର ଚର୍ଚା କଲେନାହିଁ– ଯେକୌଣସି ପ୍ରକାରେ କ୍ଷମତାରେ ରହିବାକୁ ହିଁ ସର୍ବଶ୍ରେଷ୍ଠ ବୁଦ୍ଧିମାନର କାର୍ଯ୍ୟ ବୋଲି ଧରି ନିଆଗଲା, ନେତାମାନେ ଆଉ କର୍ମୀମାନଙ୍କୁ ଆଦୌ କୌଣସି ରାଜନୀତିକ ତାଲିମ ଦେଲେନାହିଁ । ତାଲିମ୍‍ର ପ୍ରୟୋଜନ ହିଁ ରହିଲା ନାହିଁ । କ୍ଷମତାରେ ରହିବାଟା ହିଁ ଅସଲ ଆରାଧ୍ୟ ହେଲା– ଏହାପରେ ଉଚିତ ଅକଲମାନ କ୍ରମେ କ୍ରମେ ହୁଡ଼ି ହୋଇଗଲା । ରାଜ୍ୟ ଓ ରାଷ୍ଟ୍ରସ୍ତରରେ ପ୍ରତିନିଧିମାନେ ହାତାହାତି ଓ ଧସ୍ତାଧସ୍ତି ବି ହେଲେ । ଏବଂ, ଗୋଟିଏ ଦଳ ଛାଡ଼ି, ଆଉ ଗୋଟିଏ ଦଳକୁ ଡେଇଁବା ନିତିଦିନର ଆଚାରରେ ପରିଣତ ହୋଇଗଲା । ନିଜ ରାଜନୀତିକ ମତରେ ଦୃଢ଼ ରହିବା ନିମନ୍ତେ ଯେ ଏହି ଦଳତ୍ୟାଗ, ଅନ୍ୟ ଏକ ଦଳରେ ଯୋଗଦାନ, ନୂଆ ଦଳଗୁଡ଼ିକର ଗଠନ ଆଦି ତାମସାଗୁଡ଼ିକର ଅଭିନୟ ହେଲା, ସେକଥା ଆଦୌ ନୁହେଁ,– ନିତାନ୍ତ ବ୍ୟକ୍ତିଗତ କ୍ଷମତା-କାମନାରେ ହିଁ ଏସବୁ ଘଟିଲା ଓ ଦେଶବାସୀ ମୁଣ୍ଡରେ ହାତ ଦେଇ ବସିଲେ । ଦେବତୁଲ୍ୟ ନେତାମାନେ ବି ବାଇଆ ହେଲାପରି ଦେଚାରୁଣୀ ହେଲେ, ତୁଚ୍ଛା ମିଛଟାରେ ଠେଲାପେଲା ହିଁ ଏକ ସ୍ଵୀକାରପ୍ରାପ୍ତ ଶୈଳୀରେ ପରିଣତ ହୋଇଗଲା । ପ୍ରତ୍ୟେକ ନିର୍ବାଚନ ପୂର୍ବରୁ ନୂଆ ନୂଆ ମେଣ୍ଟ ବା ନୂଆ ନୂଆ ଦଳମାନ ତିଆରି ହୋଇଗଲେ । ଅଧିକା କ୍ଷମତା ଅର୍ଥାତ୍ ଅଧିକା ପଦ ଦାବିକରି ହିଁ ସେମାନେ ନିଜେ ବସିଥିବା ମଞ୍ଚଗୁଡ଼ିକୁ ଟଳମଳ କରି ରଖିଲେ । ବାହାରୁ ଦେଖିବାକୁ ବଡ଼ ମଜା ଲାଗିଲା, ଖବରକାଗଜରୁ ଏଗୁଡ଼ିକୁ ପଢ଼ିବା ସମୟରେ ସତେଅବା କୌଣସି ଶୃଗାଳୋପାଖ୍ୟାନ ପାଠ କରୁଥିବା ଭଳି ଲାଗିଲା । ଦେଶର କପାଳ ଫାଟିଲା, ସମ୍ଭାବନାମାନେ ବାଂଝ ହୋଇ ରହିଲେ, ରାଜନୀତିର ଇଜ୍ଜତ ଗଲା । ସମସ୍ତେ ଖାଲି କଥା କହିଲେ, ନିଜ କହୁଥିବା କଥାଗୁଡ଼ାକ ଉପରେ କାହାର ଧାପେ ବିଶ୍ଵାସ ଥିବାପରି ଲାଗିଲାନାହିଁ । ତେଣେ କୋଟି କୋଟି ଟଙ୍କା ଖରଚ ହେଲା, କ୍ଷମତାପନ୍ନ ଧୂର୍ତ୍ତମାନେ ସ୍ଥୂଳରୁ ସ୍ଥୂଳ ହେଲେ । ଦେଶରେ ଭଲ ମଣିଷ ତଥାପି ଥିଲେ, ତଥାପି ଅନ୍ତତଃ ଯେକୌଣସି ପ୍ରକାରେ ତିଷ୍ଠି ରହିବା ସକାଶେ ମୁହଁ ବନ୍ଦ କରି ରଖିଲେ । ପ୍ରାୟ ବ୍ୟାଧିତ ଭାବରେ ଧୃତିକୁ ଅବଲମ୍ବନ କଲେ, ଅତ୍ୟନ୍ତ ଆଖିଦୃଶିଆ ଭାବରେ ଭୀରୁ ହୋଇଗଲେ । ନିଜ ନିଜ କୋରଡ଼ ଭିତରେ ଆତ୍ମକାମୀ ହୋଇ ରହିଲେ ।

 

ସବୁ ସଂଗ୍ରାମୀ ଯେ କ୍ଷମତାରେ ଥିଲେ, ସେକଥା ମୋଟେ ନୁହେଁ । ହୁଏତ କ୍ଷମତା ମିଳିଥିଲେ ସେମାନେ ମଧ୍ୟ ଖୁସି ହୋଇଥାଆନ୍ତେ । ମାତ୍ର ଯେତେଯେତେ ବୁଦ୍ଧି ଖଟାଇଲେ ମଧ୍ୟ ଆସନଟାଏ ଦେଇ କଦାପି ସମସ୍ତଙ୍କୁ ଖୁସିକରି ହୋଇନଥାନ୍ତା, ତେଣୁ ଭତ୍ତାର ବନ୍ଦୋବସ୍ତ ହେଲା । ଦରଖାସ୍ତ କଲେ ଯାଇ ଭତ୍ତା ପାଇବାର ଏକ ଲଜ୍ଜାଜନକ ପଦ୍ଧତି ପ୍ରଚଳିତ ହେଲା । ସ୍ଵାଧୀନତା ପ୍ରାପ୍ତି ପରେ ସ୍ୱାଧୀନତା ସଂଗ୍ରାମୀମାନଙ୍କର ଅବଦାନକୁ ସ୍ୱୀକୃତି ଦେବା, ଯେକୌଣସି ଭଦ୍ର ରାଷ୍ଟ୍ର ପାଇଁ ତ ତାହା ଅତୀବ ଗୌରବର ବିଷୟଟିଏ ହୋଇଥାନ୍ତା ! ନାଇଁ, ଆଗ ଦରଖାସ୍ତ କର, ତା'ପରେ ଯାଇ ତୁମକୁ ଫଳପୁଷ୍ପେ ଆମ ତରଫରୁ ସ୍ୱୀକୃତି ମିଳିବ, ସଂଗ୍ରାମୀଯୂଥ ଏହି ଅରୀତିଟାକୁ କିଭଳି ମାନିନେଲେ କେଜାଣି ? ରାଜ୍ୟ ଓ ଦେଶ ଉଭୟ ସ୍ତରରେ ବଡ଼ ବଡ଼ ନେତାମାନେ ବି ଥିଲେ, ଯେଉଁମାନେ କି ନିଜର ଅନୁଗତ କର୍ମୀ ଅର୍ଥାତ୍ ଅନୁସରଣିଆମାନଙ୍କ ପାଇଁ ମିଛ ସୁପାରିଶପତ୍ର ଲେଖିଦେଇ ଭତ୍ତାର ଯୋଗାଡ଼ କରିଦେଲେ । ସଂଗ୍ରାମୀଙ୍କର ପରିଷଦ ଗଢ଼ାହେଲା– ମାତ୍ର ସେଗୁଡ଼ିକରେ ଦେଶର ରାଜନୀତି ଅଥବା ପରବର୍ତ୍ତୀ ସଂଗ୍ରାମଗୁଡ଼ିକର କଥା ନପଡ଼ି ଖାଲି ଭତ୍ତା ବଢ଼ାଇବା କଥା ପଡ଼ିଲା । ସତେଯେପରି ଦଳେ ଶିକ୍ଷକ ଅଥବା ପଲେ ଅମଲା ନିଜର ବେତନବୃଦ୍ଧି ନିମନ୍ତେ ମାନ କରି ସେମାନଙ୍କର ମାନଭଞ୍ଜନ ସକାଶେ ଗୁହାରି କରୁଛନ୍ତି, ବାହାରୁ ସେହିପରି ଲାଗିଲା । ଏଥିରେ ଦେଶବାସୀ କମ୍ ଆଚମ୍ବିତ ହେଲେ ନାହିଁ । ତେବେ ସେମାନେ ଆଉ କାହା ଉପରେ ଭରସା ରଖିବେ ? ସର୍ବୋଚ୍ଚମାନଙ୍କର ଏସବୁ ମତି ଦେଖି ଶାସନକଳର ବଳିବର୍ଦ୍ଦମାନଙ୍କର ସାହସ ମଧ୍ୟ ବଢ଼ିଗଲା । ସେମାନେ ଅନୁରୂପ ଚାତୁରୀଗୁଡ଼ିକ ସହିତ ଲୋକମାନଙ୍କର ଭାଗ୍ୟ ମୀମାଂସା କରୁଥିବା ସକ୍ରିୟତାଗୁଡ଼ିକର କ୍ଷେତ୍ରରେ ଚରମ ଉଦାସୀନତା ଭିତରେ ଗେଲେଇ ହେଲେ ଏବଂ ଦିଅଁମାନଙ୍କର ବିଜୟ-ପ୍ରତିମା ବନି ଏକାଧିକ ଅର୍ଥରେ ଲାଭବାନ ହେଲେ । ଏହି ସମଗ୍ର ସ୍ଥିତିଟାରୁ ହିଁ ଏକ ଦାରୁଣ ଘୃଣାଭାବ ଜାତ ହେଲା । ଆମେ ଅସହାୟତାକୁ ହିଁ ବର୍ତ୍ତମାନର ରାଜନୀତି ତଥା ରାଜନୀତି ତଥା ରାଜନୀତିକ ନେତୃତ୍ୱ ପ୍ରତି ପ୍ରାୟ ଚାକ୍ଷୁଷ ହୋଇ ଅନୁଭୂତ ହେଉଥିବା ଘୃଣାର ଜନନୀ ବୋଲି କହିପାରିବା । ବଡ଼ ଓ ଉଚ୍ଚମାନଙ୍କ ପ୍ରତି ଘୃଣା ପ୍ରକଟ କରି ସାନ ଏବଂ ତଳମାନେ ମଧ୍ୟ କିପରି ଆପଣାକୁ କ୍ରମଶଃ ଅକ୍ରିୟ କରି ଆଣନ୍ତି, ସଂପ୍ରତି ଦେଶ ଓ ରାଜ୍ୟର ଯାବତୀୟ କାର୍ଯ୍ୟକଳାପ ଆଡ଼କୁ ଅନାଇ ଦେଖିଲେ ସେଇଟା ହିଁ ସର୍ବାଧିକ ପରିମାଣରେ ଦୃଷ୍ଟିଗୋଚର ହେଉଛି । ସାରା ଦେଶଟାକୁ ଜ୍ଵର ହୋଇଛି । କ୍ଳୀବତା ଘୋଟି ରହିଛି । କେତେଦିନ ପାଇଁ କେଜାଣି ? ଓଡ଼ିଶା ରାଜନୀତିର ଉପେକ୍ଷାତ୍ମକ ବୀଭତ୍ସତାଗୁଡ଼ିକୁ ଦେଖି ଶ୍ରୀ ନବକୃଷ୍ଣ ଚୌଧୁରୀ ସେହି ସମୟରେ ଏକଦା ଚାରୁ ମଜୁମଦାର ବା ସେହି କାଟର ଆଉ କୌଣସି ନକ୍‍ସାଲପନ୍ଥୀ ହେବେ ବୋଲି ସାଧାରଣରେ କେଡ଼େ କ୍ଷୋଭର ସହିତ କହିଥିଲେ । ଅବଶ୍ୟ ତାଙ୍କ ପାଇଁ ଚାରୁ ମଜୁମଦାର ହେବାର କୌଣସି ଅବକାଶ ନଥିଲା; ତଥାପି ତାଙ୍କର ସେହି କ୍ରୋଧ ଏବଂ କ୍ଷୋଭ ଭିତରେ ଯେ କୌଣସି କପଟତା ନଥିଲା, ସେକଥା ତାଙ୍କୁ ଜାଣିଥିବା ସମସ୍ତେ ଆଜି ମଧ୍ୟ ସ୍ୱୀକାର କରିବେ । ମାତ୍ର ତାଙ୍କ ଅମଳର ଅନ୍ୟମାନେ ଅନ୍ତତଃ ସେତିକି ସ୍ୱୀକାର କରି ପାରନ୍ତେ ନାହିଁ କାହିଁକି ? ଖାଲି ରାଜନୀତିରେ ନୁହେଁ, ଆମର ଏହି ଭାଗ୍ୟ– ଭୂମିଟିର ରାଜ୍ୟଶାସନ, ଅଧ୍ୟାପନା, ଅର୍ଥୋପାର୍ଜନ, ସାଧାରଣ ସେବାକ୍ଷେତ୍ର ତଥା ଏପରିକି ସାହିତ୍ୟାନୁଶୀଳନ ପ୍ରଭୃତିରେ ସେକାଳର ଏକାଧିକ ବ୍ୟକ୍ତି ଆଜି ବି ଅଛନ୍ତି, ଯେଉଁମାନେ କି ସତକୁସତ ମନ କରି ପାରୁଥିଲେ ଦେଶବାସୀଙ୍କ ପାଖରେ ଏକ ସ୍ଵୀକାରୋକ୍ତି କରିପାରନ୍ତେ । ଏକ ଅର୍ଦ୍ଧଶତାବ୍ଦୀ ଯେଉଁମାନେ ଏଠି ଆମର ସାମୂହିକ ଘରମାନଙ୍କରେ କାଣ୍ଡାରି ପରି ରହି ସବୁ କରୁଥିଲେ, ସେମାନେ କ'ଣ ପାଇଁ ଅର୍ଥାତ୍ ନିଜର ଅଥବା ଆମ ସମସ୍ତଙ୍କର କେଉଁ ପାପଫଳରୁ ବାର ଅନାଚରଣ ଏବଂ ଅତ୍ୟାଚରଣ ଦ୍ଵାରା ମନ୍ତ୍ର ହୁଡ଼ିଲେ ଏବଂ ଯାବତୀୟ ଅର୍ଥରେ ଆତ୍ମକାମୀ ହିଁ ହେଲେ ? ଓଡ଼ିଶାକୁ ଏମନ୍ତ ବା ତେମନ୍ତ କରି ପକାଇବେ ବୋଲି ମହାବଳୀ ହୋଇ ଆମକୁ କେତେ କ'ଣ କହିଲେ ଏବଂ ଧୋକା ଦେଲେ ? ଅମେ ବି କ'ଣ ପାଇଁ ସେମାନଙ୍କୁ କେଡ଼େ ଯୋଗ୍ୟ ଓ କେଡ଼େ ପାରଙ୍ଗମ ବୋଲି ଭାବିଲୁ ଏବଂ ସେମାନଙ୍କୁ ଆମ ଗଗନ ଗୁଡ଼ିକରେ ଗୋଟିଏ ଗୋଟିଏ ତାରା ଭଳି ନେଇ ଥାପିଦେଲୁ ଏବଂ ସେମାନେ ଏଦଳରୁ ସେଦଳକୁ ଡେଉଁଥିଲେ, ସାନ ଚାକିରିରୁ ବଡ଼ ଚାକିରିକୁ ଉନ୍ନୀତ ହେବାରେ ଲାଗିଲେ ଏବଂ ତଥାପି କଳଗୁଡ଼ାକ ବଦଳିଲା ନାହିଁ ଅଥବା ଦୁଃଖଗୁଡ଼ାକ ବି ଗଲାନାହିଁ । ବର୍ତ୍ତମାନ ସେହିମାନେ ହିଁ ସବୁକିଛି ବରବାଦ ହୋଇଗଲା ଏବଂ ପଦ୍ମଗୁଡ଼ିକ ଘୁଞ୍ଚି ଘୁଞ୍ଚି ଗଲେ ବୋଲି ସତେଅବା ଆମକୁ ସାନ୍ତ୍ୱନା ଦେବାଲାଗି ରୋଦନ ହିଁ କରୁଛନ୍ତି । କହିବା ବାହୁଲ୍ୟ, ଉପସ୍ଥିତ ବିବେକଟା ମଧ୍ୟ ଯହୁଁ ତହୁଁ ସେମାନଙ୍କର ଅକରଣିଗୁଡ଼ିକ ବିଷୟରେ ପ୍ରକୃତ କଥାଗୁଡ଼ିକୁ ଜାଣୁଛି, ସେମାନଙ୍କୁ ସେତିକି ସେତିକି ଘୃଣା କରିବାରେ ଲାଗିଛି । ଏହି ଦେଶ ଆଉ ଏଣିକି କଦାପି କୌଣସି ଉପେକ୍ଷାକୁ ସହ୍ୟ କରିପାରିବ ନାହିଁ ବୋଲି ତା’ ଅନୁଭବଟା ପରିପକ୍ୱ ହେବା ସଙ୍ଗେ ସଙ୍ଗେ ଘୃଣାଟି ମଧ୍ୟ ସୋଚ୍ଚାର ହେବାରେ ଲାଗିଛି ।

 

ଏମାନେ ଏହି ଭୂମିରେ ନିଶ୍ଚୟ ସ୍ମରଣୀୟ ଓ ବରଣୀୟ ହୋଇ ରହିବେ । ପଛକୁ ଅନାଇ ଆମେ ସେମାନଙ୍କର ସଂଗ୍ରାମକାଳୀନ ଅବଦାନଗୁଡ଼ିକ ନିମନ୍ତେ ନିଶ୍ଚୟ କୃତଜ୍ଞତା ଜଣାଇବୁ-। କିନ୍ତୁ ସ୍ୱାଧୀନତା ପରେ ଯେତେବେଳେ ପରବର୍ତ୍ତୀ ଏକାଧିକ ସଂଗ୍ରାମର ଅପେକ୍ଷା ରହିଥିଲା ଏବଂ ସେମାନଙ୍କ ଉପରେ ଆମର ସେହି ପୂର୍ବ ବିଶ୍ୱାସଗୁଡ଼ିକ ଅତୁଟ ରହିଥିବାରୁ ସେମାନେ ଆମରି ପ୍ରତିନିଧତ୍ୱ କରି କ୍ଷମତାରେ ବସିଲେ ଏବଂ ନୂଆ ନୂଆ ପ୍ରୟୋଜନର ଦ୍ୱାହି ଦେଇ ନୂଆ ନୂଆ ପଦ ଓ ମର୍ଯ୍ୟାଦାଗୁଡ଼ିକର ସୃଷ୍ଟି ମଧ୍ୟ କଲେ, ସେତେବେଳେ ଏପରି ହୁଡ଼ିଗଲେ କାହିଁକି ? ଏହି ପ୍ରଶ୍ନଟିର ଉତ୍ତର ସେମାନେ ନିଜେ ଦେଇପାରିଲେ ଅନ୍ତତଃ ସେମାନଙ୍କର ସାଧୁତାର ପ୍ରମାଣଟା ମିଳିଯାଇ ପାରନ୍ତା । କ’ଣ ପାଇଁ ସୁଯୋଗଗୁଡ଼ିକ ଅଳପ ମଣିଷ ଆତ୍ମସାତ୍ କରିନେଲେ, କ'ଣ ପାଇଁ ସଫଳତାର ସକଳ ତୁଠରେ ସେହିମାନେ ହିଁ ଲାଭବାନ୍ ହେଲେ, ଗୋଟିଏ ବିଦେଶୀ ଭାଷାରେ ଶାସନ ଚାଲିଲା ଏବଂ ଲୋକଙ୍କର ପ୍ରତ୍ୟାଶାଗୁଡ଼ିକୁ ଧୋକା ଦିଆଗଲା, କ୍ଷମତାଧୀଶ ନେତାମାନେ କ'ଣ ପାଇଁ ଦିନରେ ସମ୍ପୃକ୍ତ ଜନଆକାଂକ୍ଷାଗୁଡ଼ିକୁ ଅବହେଳା କରି ରାତିରେ ସଭାମାନଙ୍କରେ ନିତାନ୍ତ ମନ୍ଦ ଅଭିସନ୍ଧିଗୁଡ଼ିକ ଦ୍ଵାରା ପ୍ରେରିତ ହୋଇ ଆମକୁ ଜାତୀୟତା, ସଂସ୍କୃତି, ଧର୍ମ ଆଦି ବିଷୟରେ ଭାଷଣ ଦେଲେ ଏବଂ ଅତୀତ ବିଷୟରେ ଗୁଡ଼ାଏ ଏଣୁ ତେଣୁ କଥା କହି ଆମକୁ ଭୁଲାଇ ରଖିଲେ ? ଶିକ୍ଷାରେ ପରିବର୍ତ୍ତନ ଆଣିବାକୁ ଏତେ ଏତେ କମିଶନ ବସିଲା । ଅଥଚ ଶିକ୍ଷାଟା କ୍ରମଶଃ କାହିଁକି ଚୁଲିରେ ଯାଇ ପଶିଲା ? ପଇସାଗୁଡ଼ାକୁ ବ୍ୟକ୍ତିସ୍ୱାର୍ଥର ଖାତଗୁଡ଼ାକୁ ମୁହାଁଇ ଦିଆଗଲା କାହିଁକି ? ଆମ ପିତାମହମାନେ ଆମକୁ ଏହି ସବୁ କଥା କହିପାରିଲେ ସତକୁସତ ଆମର ବଡ଼ ଉପକାର କରନ୍ତେ । ଆମେ ବେଳସୁଁ ସାବଧାନ ବି ହୋଇପାରନ୍ତେ । ସେମାନଙ୍କୁ ଆଉ ଘୃଣା କରିବାକୁ ଆଦୌ ମନ ହୁଅନ୍ତା ନାହିଁ । ଏବଂ ସର୍ବୋପରି ସେମାନଙ୍କୁ ସେମାନଙ୍କର ଅସଲ ମୁଦ୍ରାର ମାଧ୍ୟମରେ ଚିହ୍ନିବାର ସୁଯୋଗଟିଏ ବି ମିଳନ୍ତା । କୁହୁଡ଼ି କଟିଯାଆନ୍ତା-

 

୨/୪/୨୦୦୧

Image

 

ସରକାର : ଅଣ ସରକାର

 

ଗଣତନ୍ତ୍ରରେ ଲୋକମାନେ ସବା ଆଗରେ । ଆଗ ଲୋକମାନେ ଏବଂ ଲୋକମାନଙ୍କ ପାଇଁ ରାଷ୍ଟ୍ର । ଲୋକମାନଙ୍କ ପାଇଁ ସମ୍ବିଧାନ ଏବଂ ସେହି ସମ୍ବିଧାନକୁ କାର୍ଯ୍ୟକାରୀ କରାଇବାର ଦାୟିତ୍ୱ ରାଷ୍ଟ୍ରର । ଆହୁରି ସହଜ କରି କହିଲେ ସରକାରଙ୍କର । ସରକାର ରଜା ନୁହନ୍ତି । ଆଗେ ରଜାମାନେ ଥିଲେ । ଆପଣା ମର୍ଜି ମୁତାବକ ରାଜ୍ୟ ଚଳାଉଥିଲେ । ସେହି ମର୍ଜି ଅନୁସାରେ ଚାଲି ଆସିଥିବା ଶାସନର କାହାଣୀମାନ ଆମ ଇତିହାସରେ ଲେଖା ହୋଇ ରହିଛି । ସ୍ୱାଧୀନ ଭାରତରେ ଶାସନରେ ରହିଥିବା କର୍ତ୍ତାମାନେ ଆଉ ଯାହାକିଛି ହୁଅନ୍ତୁ ଅଥବା ନହୁଅନ୍ତୁ ପଛକେ, ରଜା ମୋଟେ ନୁହନ୍ତି । ଏକ ଗଣତନ୍ତ୍ର ଶାସନରେ ସରକାରଙ୍କ ହାତରେ କ୍ଷମତା ରହିଥାଏ ସତ, ମାତ୍ର ତାହା ଲୋକଭାଗ୍ୟକୁ ଅଗ୍ରସର ଏବଂ ଅଧିକ ସମର୍ଥ କରାଇନେବା ସକାଶେ ହିଁ ବ୍ୟବହୃତ ହୁଏ । ଏହି ଦୃଷ୍ଟିରୁ ସରକାରମାନଙ୍କୁ ବେଳେବେଳେ Watchdog ବୋଲି କୁହାଯାଏ । ତୃତୀୟ ବିଶ୍ଵରେ ଗଣତନ୍ତ୍ରର ବିକାଶ ଏବଂ ଲୋକମାନଙ୍କର ଉଦୟ ସକାଶେ ବହୁତ ପୁରୁଣା ଭଙ୍ଗିବ ଏବଂ ଅନେକ ଅନେକ ପରିବର୍ତ୍ତନକୁ ବାଟି ଛାଡ଼ିଦେବାକୁ ହେବ । ଏହି ପ୍ରକ୍ରିୟାଟି ଯେପରି ସୁସ୍ଥ ଭାବରେ ସଂପନ୍ନ ହୋଇପାରିବ, ସରକାର ମୁଖ୍ୟତଃ ସେହି ଦାୟିତ୍ୱରେ ରହିବେ । ପୁନଶ୍ଚ, ଲୋକମାନଙ୍କ ଦ୍ଵାରା ନିର୍ବାଚିତ ହୋଇ କ୍ଷମତାଗୁଡ଼ିକର ଦାୟିତ୍ୱରେ ଥିବା ଏକ ପ୍ରତିନିଧି ସରକାର ଏହି କ୍ଷେତ୍ରରେ ଅଧିକ ସଚେତନ ହେଇ ପାରୁଥିବା ଆବଶ୍ୟକ । ତେଣୁ Watchdog ଅର୍ଥାତ୍ ସରକାରଙ୍କର ଭୂମିକା ଏକ ସମ୍ମାନଜନକ ଭୂମିକା । ସେହି ଭୂମିକାଟିର ମର୍ଯ୍ୟାଦାକୁ ନବୁଝିଲେ ସରକାରମାନେ ପ୍ରଧାନତଃ କାମୁଡ଼ି ପକାଇବାରେ ଓ ବାଟ ଓଗାଳି ବସିବାରେ ଅଧିକ ବଳ ଏବଂ ବିବେକ ସାରୁଥବେ ସିନା, ମାତ୍ର ତଦ୍ଦ୍ୱାରା ବହୁତଙ୍କ ଲାଗି ଅନେକ ଦୁଃଖର କାରଣ ହେବେ ।

 

ଭାରତବର୍ଷରେ ସରକାର ହିଁ ଏକାଧିକ କାରଣରୁ ପାରିଲେ ନାହିଁ ବୋଲି ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକର ଆବଶ୍ୟକତା ପଡ଼ିଲା । ବିଶେଷକରି ଦେଶରେ ଯହୁଁ ଯହୁଁ କ୍ଷମତାସୀନମାନେ ଏକାବେଳେଳେ ତଳସ୍ତରକୁ ଆସି ଲୋକସମସ୍ୟା ଗୁଡ଼ିକର ସମ୍ମୁଖୀନ ହେବାରେ ଅସମର୍ଥ ହେଲେ, ସତେଅବା ଆପଣା ଲାଗି ମୁହୂର୍ତ୍ତଟି ଆସି ପହଞ୍ଚିଥିବା ପରି ସ୍ୱେଚ୍ଛାସେବୀ ସଙ୍ଗଠନମାନଙ୍କର ଆବିର୍ଭାବ ହେଲା । ଦିଲ୍ଲୀ ସମେତ ରାଜ୍ୟ ସରକାରମାନେ ମଧ୍ୟ ପ୍ରକାଶ୍ୟରେ କହିବାକୁ ଆରମ୍ଭ କଲେ ଯେ ଶିକ୍ଷା ଏବଂ ସ୍ୱାସ୍ଥ୍ୟ, ମୁଖ୍ୟତଃ ଏହି ଦୁଇଟି କ୍ଷେତ୍ରରେ ସରକାରଙ୍କର କେଡ଼େ କେଡ଼େ ସାହସିଆ ଯୋଜନାମାନ ବିଫଳପ୍ରାୟ ହୋଇ ରହିଗଲା । ସମ୍ଭବତଃ ସେତିକିବେଳେ ସ୍ୱେଚ୍ଛାସେବୀ ସଙ୍ଗଠନମାନେ ଖାସ୍ ସେହି ଦୁଇଟି କ୍ଷେତ୍ରରେ ବହୁବିଧ ଉଦ୍ୟମ ଓ ଉନ୍ନୟନର ଦାୟିତ୍ୱ ଗ୍ରହଣ କରିବାକୁ ବାହାରି ଆସିଥିଲେ; ସରକାରମାନେ ସତେଅବା କିଞ୍ଚିତ୍ ଆଶ୍ୱସ୍ତ ବି ଅନୁଭବ କଲେ; ଦେଶସାରା ଯେଉଁ ପ୍ରକ୍ରିୟାଟି ଆରମ୍ଭ ହୋଇଗଲା, ସେଥିରୁ ମନେହେଲା, ଜନସମୂହ ମଧ୍ୟ ସେଚ୍ଛାସେବୀମାନଙ୍କୁ ସ୍ୱୀକାର କରିନେଲେ; ହୁଏତ ସରକାରୀ ଶାସନଟା ଠାରୁ ସେମାନଙ୍କୁ ଅଧିକ ବିଶ୍ୱସନୀୟ ଓ ଅଧିକ ଆପଣାର ବୋଲି ଅନୁଭବ କଲେ । ଘଟଣାକ୍ରମେ ଅନେକତଃ ଏପରି ହେଲା ଯେ ଗ୍ରାମବାସୀ ଓ ଅରଣ୍ୟବାସୀ ବଞ୍ଚିତ ବର୍ଗଗୁଡ଼ିକ ନିମନ୍ତେ ଏହି ସ୍ୱେଚ୍ଛାସେବୀ ସଂସ୍ଥାମାନେ ହିଁ ହିତାଧିକାରୀମାନଙ୍କ ପକ୍ଷରୁ ସରକାରଙ୍କୁ ତାଙ୍କ ଧର୍ମରେ ରଖିବା ପାଇଁ Watchdog ର ଭୂମିକାରେ ରହିଲେ । ଅତ୍ୟନ୍ତ ସ୍ପଷ୍ଟ କଥା ଯେ ସରକାରୀ ଶାସନ-ଖାଦାନର ଗଉନ୍ତିଆମାନଙ୍କୁ ସେହି କଥାଟି ଅନେକ ସମୟରେ ମୋଟେ ସୁଖକର ମନେ ହୋଇନଥିବ । ସମ୍ଭବତଃ ସେହି କାରଣରୁ ହିଁ ଢୋଲ ଭିତରେ ମଧ୍ୟ ମୂଷାମାନେ କାହିଁକି ଆସି ପଶିଗଲେଣି ବୋଲି ସେମାନଙ୍କୁ କିଞ୍ଚିତ୍ ଅପ୍ରୀତିକର ବି ଲାଗିବ ।

 

ସଂପ୍ରତି ପଶ୍ଚିମବଙ୍ଗର ସ୍ଵୟଂ ମୁଖ୍ୟମନ୍ତ୍ରୀ ସମ୍ବାଦପତ୍ରକୁ କହିଛନ୍ତି ଯେ, ତାଙ୍କ ରାଜ୍ୟରେ ଶିକ୍ଷା ଏବଂ ସ୍ୱାସ୍ଥ୍ୟର ଯୋଜନାଗୁଡ଼ିକ ନିତାନ୍ତ ବିଫଳ ହୋଇଯାଇଛି । ଗୋଟିଏ ବାମପନ୍ଥୀ ଶାସିତ ରାଜ୍ୟରେ ଯଦି ଏହାହିଁ ଅବସ୍ଥା, ପ୍ରାୟ କୌଣସି କାର୍ଯ୍ୟକ୍ରମକୁ ଏକ ଉପଯୁକ୍ତ ରାଜନୀତିକ ଇଚ୍ଛାଶକ୍ତି ସହିତ ଗ୍ରହଣ କରିନଥିବା ଅନ୍ୟାନ୍ୟ ରାଜ୍ୟମାନଙ୍କ ବିଷୟରେ ଆମେ କିପରି ଭିନ୍ନ କିଛି ଆଶା କରିପାରିବା ? ଆମର ଏହି କଳିଙ୍ଗ ରାଜ୍ୟଟିରେ ଶିକ୍ଷା ଓ ସ୍ୱାସ୍ଥ୍ୟ ଏବଂ ଖାସ୍ ସେହି କାରଣରୁ ଲୋକନିର୍ମାଣର ଆଉ ସବୁକିଛି କ୍ଷେତ୍ର ଯେ ବହୁତ ପଛରେ ରହିଛି, ପ୍ରାମାଣିକ ସରକାରୀ ଖାତାମାନଙ୍କରେ ସେକଥା ଲେଖା ହୋଇ ରହିଛି । ତଥାପି ସେହି ରାଜ୍ୟରେ କନ୍ଧମାଳ, କୋରାପୁଟ ଏବଂ ରାୟଗଡ଼ାର ଗାଆଁମାନଙ୍କରେ ଦେଖିବାକୁ ମିଳିବ ଯେ, ସେଠାରେ ପିଲାମାନେ ରାତି ସ୍କୁଲରେ ପାଠ ପଢ଼ୁଛନ୍ତି । ଦିନରେ କାମ କରୁଛନ୍ତି, ରାତିରେ ପାଠ ପଢ଼ୁଛନ୍ତି; ସତେଅବା ଏକ ତୁମୁଳ ଓଲଟପାଲଟଙ୍କୁ ଆବାହନ କରି ଆଣୁଥିବା କୌଣସି ଆଗାମୀ ଅବସର ପାଇଁ ସେମାନେ ପଲଟଣ ହୋଇ ବାହାରିବେ ବୋଲି ତିଆରି ହେଉଛନ୍ତି । ଏବଂ ଗାଆଁମାନଙ୍କରେ ସରକାରୀ ଇସ୍କୁଲ ଚାଲୁନାହିଁ.– ଏକ ବଟିବ୍ୟବସ୍ଥା ଦ୍ୱାରା ରଜଧାନୀଠାରୁ ରେଙ୍ଗଣାସିଲ୍ ପର୍ଯ୍ୟନ୍ତ ଶିକ୍ଷକ ଓ ଅମଲାମାନେ ସେହି ଅନୁସାରେ ମଣ ହୋଇ ରହିଛନ୍ତି । ସ୍ୱେଚ୍ଛାସେବୀ ଅନୁଷ୍ଠାନମାନେ ହିଁ ସେହି ରାତି ସ୍କୁଲଗୁଡ଼ିକୁ ଚାଲୁରଖିଛନ୍ତି ।

 

ସରକାରଙ୍କଠାରୁ ପାଣି ନେଇ ସେମାନେ ରାଜ୍ୟର ପଛୁଆ ଅଞ୍ଚଳମାନଙ୍କରେ ସଚେତନତା ସୃଷ୍ଟି କରିବାକୁ ଯାଇଛନ୍ତି । ଜଙ୍ଗଲ ନକାଟିବା ବିଷୟରେ ସଚେତନତା, ଛେଳି ପାଳନ କରିବା ବିଷୟରେ ସଚେତନତା, ଜମିରେ ସାର ପ୍ରୟୋଗ କରିବା ବିଷୟରେ ସଚେତନତା । ମାତ୍ର, ସରବରାକାରମାନେ ଓ ପଣ୍ଡିତମାନେ ଯେତେ ଇଚ୍ଛାକଲେ ଏହି ଯାବତୀୟ ସଚେତନତାକୁ କଦାପି ପାରାଭାଡ଼ି ପରି ଅଲଗା ଅଲଗା କରି ରଖାଯାଇ ପାରିବନାହିଁ । ସବୁ ଉପନଦୀ ବଡ଼ ନଈଟିଏ ତିଆରି କରୁଥିବା ପରି ସବୁଯାକ ସଚେତନତା ସାବାଳକୁ ହୋଇ ଯେଉଁ ଅସଲ ସଚେତନତାଟିକୁ ଜନ୍ମଦେବ, ସେଇଟି ହେଉଛି ଜଣେ ମନୁଷ୍ୟ ହିସାବରେ ସଚେତନତା । ଏବଂ, ଜଣେ ନାଗରିକ ହିସାବରେ ସଚେତନତା । ଭାରତବର୍ଷର ସବୁ ମଣିଷ କେବେଯାଇ ପୂର୍ଣ୍ଣ ନାଗରିକର ମର୍ଯ୍ୟାଦାରେ ବଞ୍ଚିବେ ? ଏବେ ଯାଏ ସେମାନଙ୍କୁ କାହିଁକି ତାହା ପ୍ରାପ୍ତ ହୋଇପାରି ନାହିଁ ? ପାହାଡ଼ ଓ ଜଙ୍ଗଲର ଆଦିବାସୀ ଓ ତୁମ ଆମ ଗାଆଁର ଅସବର୍ଣ୍ଣ ବଞ୍ଚିତ ମନୁଷ୍ୟମାନେ କ୍ରମେ ସେକଥା ଭାବିଲେଣି ! ସଚେତନ ଭାବରେ ଭାବିଲେଣି । ନିଜକୁ ଆଗରେ ରଖି ଭାବିଲେଣି । ସେମାନେ ଆଉ ସରକାରୀ ଅଥବା ବେସରକାରୀ କୌଣସି ଦୟାକୁ ମାନିନେବାକୁ କଦାପି ରାଜି ହେବେନାହିଁ । ସମ୍ପୂର୍ଣ୍ଣ ଭାରତବର୍ଷକୁ ସନ୍ଦର୍ଭରେ ରଖି ବିଚାର କଲେ ଏହା ଏକ ଶୁଭ ସୂଚନା– ଅସଲ ଭାରତବର୍ଷ ସାକାର ହୋଇ ଆସୁଥିବାର ଏକ ସଚଳ ପୂର୍ବାଭାସ । ଏବଂ, ଏହାର ସର୍ବପ୍ରଥମ ଶ୍ରେୟ ସ୍ୱେଚ୍ଛାସେବୀ ସଙ୍ଗଠନମାନଙ୍କର । ସରକାରଙ୍କର ନୁହେଁ । ସେମାନେ ସରକାରଙ୍କଠାରୁ ପଇସା ନେଇଛନ୍ତି ଓ ସରକାର ଯାହା କଦାପି କରିପାରିଲେ ନାହିଁ ଓ କରି ପାରିନଥାନ୍ତେ, ସେମାନେ ତାହା କରିଛନ୍ତି । ତେଣୁ ସଦ୍‍ଭାବନା ସଂପନ୍ନ ଯେକୌଣସି ସରକାର ସ୍ୱେଚ୍ଛାସେବୀ ସଙ୍ଗଠନଗୁଡ଼ିକ ପାଖରେ ନିୟମତଃ କୃତଜ୍ଞ ହୋଇ ରହିବା ଉଚିତ । ଏହିସବୁ ପରିପ୍ରେକ୍ଷୀରେ ବିବେଚନା କଲେ ଭାରି ଆଶ୍ଚର୍ଯ୍ୟ ହେବାକୁ ହୁଏ ଯେ ଆମ ରାଜ୍ୟର ସରକାର ସ୍ୱେଚ୍ଛାସେବୀ ସଙ୍ଗଠନଗୁଡ଼ିକୁ ଯଥାସମ୍ଭବ ନିଜର ନିୟନ୍ତ୍ରଣ ଭିତରେ ରଖିବେ ବୋଲି ଆଗ୍ରହ କରୁଛନ୍ତି । ସେମାନେ ରଜ୍ଜୁରେ ବନ୍ଧା ହୋଇ ରହିବେ, ସୁନାପିଲା ହେବେ,– ନହେଲେ ଭାତିଆ କାଟି ଦିଆଯିବ । ଅର୍ଥାତ୍ ସେମାନଙ୍କର ଅଣ୍ଟାକୁ ବଙ୍କା କରି ଦିଆଯିବ ଏବଂ ଶଣ୍ଢାଗୁଡ଼ିକୁ ମୋଡ଼ି ଦିଆଯିବ । ସରକାର ଚାହୁଛନ୍ତି, ଦୟାରେ ସବୁ ଚାଲୁ, କେହି ସଚେତନ ନରୁହନ୍ତୁ । ତା' ନିରୀହତାର ସୁଯୋଗ ନେଇ କିଏ ତା’ର ପୁରୁଷ ପୁରୁଷର ଜମିକୁ ହଡ଼ପ କରି ନେଇଗଲା, ପ୍ରଜା ସେ ବିଷୟରେ କିଛି ନକହୁ । ତା' ଘରଡ଼ିହକୁ ଉଜୁଡ଼ାଇ ସେଠି ଗାଡ଼ କରି ଖଣି ଖୋଳାହେଉ ବୋଲି ନିଷ୍ପତ୍ତଗୁଡ଼ାକ ସେହି ରାଜଧାନୀରେ ହେଉ, ଗ୍ରାମବାସୀଙ୍କୁ ସାମିଲ ନକରାଇ ଫଇସଲାଗୁଡ଼ାକ ହୋଇଯାଉ, ଗୋଟାଏ ଦେଶ ସ୍ଵାଧୀନ ହେବାର ଏବଂ ଗଡ଼ଜାତର ରାଜାମାନେ ଲୋପ ପାଇଥିବାର ଅଧା ଶତାବ୍ଦୀ ପରେ ତଥାପି ଏଗୁଡ଼ାକ ଯେ ଘଟୁଛି, ତାହା ସ୍ଵୟଂ ନାରାୟଣ ମଧ୍ୟ କଦାପି ସ୍ୱୟଂ ସହ୍ୟ କରନ୍ତେ ନାହିଁ । ଏବଂ, ସ୍ୱେଚ୍ଛାସେବୀ ସଙ୍ଗଠନମାନେ କିପରି ବା କାହିଁକି ସହନ୍ତେ ? ଠିକ୍ ଏହିଠାରେ ହିଁ ଶାସନକଳର ରଜାମାନେ କୁପିତ ହୋଇ ଉଠୁଛନ୍ତି । ସେମାନେ ଅପବାଦ ଦେଇ ତେଣୁ କହୁଛନ୍ତି ଯେ ସେଚ୍ଛାସେବୀ ସଙ୍ଗଠନମାନଙ୍କର ଆୟବ୍ୟୟକୁ ଯାଞ୍ଚ କରାଯାଉ । ସେମାନଙ୍କର ଗଉଁଗୁଡ଼ିକୁ ଖର୍ବ କରିଦିଆଯାଉ । ସମଗ୍ର ଭାରତବର୍ଷରେ ଆମ ଓଡ଼ିଶାଟା କାହିଁକି ଏଭଳି ଏକ କ୍ରୋଧ ପ୍ରକାଶ କରିବାରେ ପୁରେଗାମୀ ହୋଇ କାର୍ଯ୍ୟ କରୁଛି, ଏଥିରେ ଠାକୁରଙ୍କର ନିଶ୍ଚୟ କିଛି ଅନ୍ୟ ଅଭିପ୍ରାୟ ରହିଥିବ । ପୁନଶ୍ଚ, ଏଇ ବର୍ଷଟା ସମଗ୍ର ପୃଥିବୀରେ ସ୍ୱେଚ୍ଛାସେବୀ ସଙ୍ଗଠନମାନଙ୍କ ଉଦ୍ଦେଶ୍ୟରେ ଏକ ଉତ୍ସର୍ଗବର୍ଷ ରୂପେ ପାଳନ କରାଯାଉଛି । ତେଣୁ, ଓଡ଼ିଶାରେ ଘଟୁଥିବା ଘଟଣାମାନ ବିଡ଼ମ୍ବନା ଭଳି ଲାଗୁଛନ୍ତି । ସ୍ୱେଚ୍ଛାସେବୀ ସଙ୍ଗଠନମାନେ ସତକୁସତ ଲୋକହିତକାମୀ ସରକାରମାନଙ୍କର ପରିପୂରକ ହୋଇ ରହିବେ । ସରକାରଙ୍କ ଘରେ ବି ତ ପ୍ରାୟ ପ୍ରତ୍ୟହ କେତେ କେତେ ସିନ୍ଧିଗାତ ଖୋଳାହୋଇ ଲୁଟି ହୋଇଥିବାର ପ୍ରମାଣମାନ ମିଳିବାରେ ଲାଗିଛି । ଲଗାମ ଲୋକଶକ୍ତି ହାତରେ ରହିଲେ ସରକାରୀ ତଥା ସ୍ୱେଚ୍ଛାସେବୀ ଉଭୟ ଲମ୍ପଟତା ନିଶ୍ଚୟ ଧରାପଡ଼ିଯିବ । ତଥାପି ସରକାର ରହିବ, ସ୍ୱେଚ୍ଛାସେବୀ ସଙ୍ଗଠନମାନେ ରହିବେ । ତେଣୁ, ସରକାର କ'ଣ ପାଞ୍ଚି ଗୋଟାଏ ତୁଚ୍ଛା ବୈରୀପଣରେ ଅବିବେକିତା କାହିଁକି ଦେଖାଉଛନ୍ତି କେଜାଣି ?

 

ଜନରବ ପ୍ରବଳ ହେଉଛି ଯେ, ଉଚ୍ଚତମ ସରକାରୀ କେତେ ଅମଲା ଏହି କୁଳାଙ୍ଗାର ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କ ପ୍ରତି କୋମଳତା ପ୍ରଦର୍ଶନ କରୁଛନ୍ତି । କଳ ଭିତରେ ରହି ତଥାପି ଜଣେ ବ୍ୟକ୍ତି ହିସାବରେ ଆପଣାର ବିବେକକୁ ଅନୁଭବ କରି ପାରୁଥିବା ଅମଲା ସେଭଳି ଯେ କରୁଥିବେ, ଆମେ ସେଥିରେ ମୋଟେ ଆଶ୍ଚର୍ଯ୍ୟ ହେବାନାହିଁ । ଉଚ୍ଚତମ ଥାକମାନଙ୍କରେ ଏପରି ସରକାରୀ କର୍ତ୍ତା ଏପରି ମଧ୍ୟ ଅଛନ୍ତି, ଯେଉଁମାନେ ସରକାରୀ ରାଜଅନ୍ତଃପୁରଗୁଡ଼ାକରେ ଆଦୌ କୌଣସି ତସ୍କରବୃତ୍ତି ହେଉ ବୋଲି ଇଚ୍ଛା କରୁନାହାନ୍ତି । ସେହିମାନଙ୍କ ଦ୍ଵାରା ହିଁ କାଳ ତଥାପି ରହିଛି । ସେମାନେ ବାଟ ଛାଡ଼ୁନାହାନ୍ତି, procurer ର ଭୂମିକା ଗ୍ରହଣ କରିବାକୁ ଅମଙ୍ଗ ହେଉଛନ୍ତି । ଏହିଭଳି ଢେର୍ କେତେ ଅଫିସରଙ୍କୁ ଅକସ ରଖି ଇନ୍ଦ୍ରମାନେ ଏକଦା ଗୋଟାଏ ମୁଥରେ ଏଠୁ ସେଠି ଓ ସେଠୁ ଏଠି ନେଇ ଯେ କଚାଡ଼ି ଦେଇଥିଲେ, ସେକଥା ମଧ୍ୟ ଛାପା ଅକ୍ଷରରେ ଖବରକାଗଜରେ ବାହାରିଥିଲା । ତେଣୁ ଭଗବାନ କରନ୍ତୁ, ଲୋକଶକ୍ତି ବଢ଼ୁ, ନାଗରିକ-ସଚେତନତା ହିଁ ରାଜନୀତି ତଥା ଶାସନର ମଙ୍ଗ ମୋଡ଼ିବାକୁ ସମର୍ଥ ହେଉ । ସରକାରଙ୍କ ତରଫରୁ ଭାତରେ ମାରିବାର ଯେତେ ଦୁଷ୍ଟ ବରାଦମାନ କରାଯାଉଥିଲେ ମଧ୍ୟ ସ୍ୱେଚ୍ଛାସେବୀ ତଥାପି ରହିବେ-। ଲୋକପକ୍ଷଟି ସେମାନଙ୍କୁ ସ୍ୱୀକାର କରୁଥିବା ପର୍ଯ୍ୟନ୍ତ ଅଲବତ ରହିବେ । ଗୋଟାଏ ସରକାର ଯାଉଥିବ ଏବଂ ଆଉ ଗୋଟାଏ ସରକାର ଆସୁଥିବ । ଫାଟିଯାଉଥିବ, ପୁଣି ଯୋଡ଼ିହୋଇ ଯାଉଥିବ । ପୁନର୍ବାର ଫାଟିଯାଉଥବା ପାଇଁ ହିଁ ଯୋଡ଼ି ହୋଇଯାଉଥିବ । ଭାରତବର୍ଷ ଥିବ, ଓଡ଼ିଶା ଥିବ । ଲୋକୋଦୟର ସେହି ଅନିବାର୍ଯ୍ୟ ପ୍ରକ୍ରିୟାଟି ଅବାରିତ ଚାଲିଥିବ । ସେଚ୍ଛାସେବାର ନୂଆନୂଆ ବହୁତ ଅବକାଶ ଅଲବତ ଆସିବ । ତେଣୁ ଯାହାର ମୁହୂର୍ତ୍ତଟି ଆସୁଛି, ତାହାରି କଥା ରହୁ-। ବାଟ ଛାଡ଼ି ଦିଆଯାଉ ।

 

୨୩/୪/୨୦୦୧

Image